ତ୍ରୟୋଦଶ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

ଉଦ୍ଧବ ଉବାଚ

ଉଦ୍ଧବ କୃଷ୍ଣ ବାଣୀ ଶୁଣି । ବୋଲଇ ଶିରେ ଦେଇ ପାଣି ॥

ଯେବେ କଳ୍ପନା ମୋର ଥିଲା । ତବ ଦର୍ଶନେ ସର୍ବ ଗଲା ॥

ହରି ବିଷୟରେ ତାପିତ । ଏ ତେହେ ହୋଇଲା ସାକ୍ଷାତ ॥

ଜ୍ଞାନେ ହରିଲୁ ମୋର ମନ । ଯେତେ ବିକର୍ମ କର୍ମମାନ ॥

ଯେତେ ପବିତ୍ର ଶୁଦ୍ଧ ଭୂଇଁ । ଏଥି ସାଧିଲେ ସିଦ୍ଧି ହୋଇ ॥

ଏଥି ମୁଁ ସାଧିଲ ଇଁ ଜ୍ଞାନ । ନବ ସହସ୍ର ବିଦ୍ୟମାନ ॥

ଅନେକ ସାଥିଲି ମୁଁ କଷ୍ଟ । ତୁମ୍ଭ ବଚନ ଏଣୁ ଇଷ୍ଟ ॥

ମୁହିଁ ପାମର ନ ବୁଝିଲି । ବଦ୍ରିକା କି ଅର୍ଥେ ଆସିଲି ॥

ତୋର ଚରଣ ଯୁଗ ରାଶି । କୋଟି ବଦ୍ରିକା କୋଟି କାଶୀ ॥

ତୁମ୍ଭର ପାଦପଦ୍ମ ଦୁଇ । ବ୍ରହ୍ମା ଯେ ଧ୍ୟାନରେ ନ ପାଇ ॥ ୧୦

ଶଙ୍କର ପୂଜି ଯୋଗୀ ହେଲା । ଅହଲ୍ୟା ପାଷାଣୁ ତରିଲା ॥ ୧୧

ଗଜେନ୍ଦ୍ର ଧ୍ୟାଇଲା ଚରଣ । ରିପୁ ନିବାରି ମୋକ୍ଷ ପୁଣ ॥ ୧୨

ଯୁଧିଷ୍ଟି ପାଦ ଆଶ୍ରେ କଲେ । ସ୍ଵଦେହେ ସ୍ଵର୍ଗରେ ବସିଲେ ॥ ୧୩

କୁବୁଜା ଗଜ ମାଲକାଶୀ । କଂସ ଅଷ୍ଟମଲ୍ଲ ବିନାଶି ॥ ୧୪

ଏ ରିପୁଭାବେ ଗଲେ ମରି । ଭକ୍ତର ପ୍ରିୟବନ୍ଧୁ ହରି ॥ ୧୫

ହରିଣୀ ବନ ପୋଡ଼ାଠାରେ । ଧ୍ୟାୟି ତରିଲା ସହଜରେ ॥ ୧୬

ଦ୍ରୌପଦୀ ଆରତ ଭଞ୍ଜନ । ବିଦୂର ଭୀଷ୍ମ ଉଦ୍ଧାରଣ ॥ ୧୭

ଶବର ପକ୍ଷୀଚଟା ତାରି । ସୁଗ୍ରୀବ ହନୁକୁ ନିସ୍ତାରି ॥ ୧୮

ଯାହାର ପଦେ ଆଶ୍ରା କରି । ପାପୀ ଅଜାମିଳ ନିସ୍ତାରି ॥ ୧୯

ପିଙ୍ଗଳା ପୁରରବା ଦୁଇ । ଭୀଷ୍ମ ବ୍ରାହ୍ମଣ ଆଦି ହୋଇ ॥ ୨୦

ନାରଦ ପ୍ରହ୍ଲାଦ ଯେ ଧୃବ । ନନ୍ଦ ଯଶୋଦା ବସୁଦେବ ॥ ୨୧

ଭାରତ ଯୁଦ୍ଧ ଭରତିଆ । ଗୋପୀଜନ କାମିନୀ ପ୍ରିୟା ॥ ୨୨

ସ୍ତ୍ରୀ ଶୁଦ୍ର ଆଦି ଯେଉଁ ଜନେ । ଲଭିଲେ ତୁମ୍ବ ଦରଶନେ ॥ ୨୩

ମୁଁ ତାହା ଚେତି ନ ପାରିଲି । ବଦ୍ରିକା ଧ୍ୟାନେ ମୁଁ ବସିଲି ॥ ୨୪

ଏଣୁ ମୋ ମନେ ଧ୍ୟାନ ଥିଲା । ତେଣୁ ଏତେକ ଦଣ୍ଡ ଦେଲା ॥ ୨୫

ଏବେ ଭେଟିଲି ମହାବାହୁ । ଏ ଭବୁ ତାରିବାକୁ ହେଉ ॥ ୨୬

ଏବେ ତ ନ ଛାଡ଼ିବି ମୁହିଁ । କେତେ ସହିବି ଦୁଃଖ କାହିଁ ॥ ୨୭

ଉନ୍ଧବ ବାକ୍ୟେ ନାରାୟଣ । ଆନନ୍ଦ ପ୍ରଭୁ ଭଗବାନ ॥ ୨୮

ଧନ୍ୟ ଉଦ୍ଧବ ଭକ୍ତିପଣ । ବଶ ତୁ କଲୁ ମୋର ମନ ॥ ୨୯

ଭକତି ବଳେ ସାଧ୍ୟ କଲୁ । ଭାବରେ ମନକୁ ବାନ୍ଧିଲୁ ॥ ୩୦

ଏବେ ହୋଇଲୁ ପରସନ୍ନ । ନେବଇଁ ବୈକୁଣ୍ଠ ଭୁବନ ॥ ୩୧

ଖଗ ଆସନେ ବିଜେ କରି । ଉଦ୍ଧବ ବେନି କର ଧରି ॥ ୩୨

ଗରୁଡ଼ ପିଠିରେ ବସାଇ । ମଙ୍ଗଳ ଶଙ୍ଖନାଦ ଦେଇ ॥ ୩୩

ବ୍ରହ୍ମାଦି ଦେବଗଣ ଯେତେ । କୃଷ୍ଣ ଅଗ୍ରେ ମିଳିଲେ ପଥେ ॥ ୩୪

ଆନନ୍ଦେ କରି ଜୟ ଜୟ । ଶିରେ କର ଦେଇ ସଦୟ ॥ ୩୫

ଶୁନ୍ୟମଣ୍ଡଳେ ଯାନ୍ତେ ତରି । ରବିମଣ୍ଡଳେ ବିଜେ କରି ॥ ୩୬

ବ୍ରହ୍ମମଣ୍ଡଳେ ଗଲେ ଚଳି । ରବିମଣ୍ଡଳେ ଯାଇ ମିଳି ॥ ୩୭

ଚନ୍ଦ୍ର ମଣ୍ଡଳେ ପୁଣି ପଶି । ଧ୍ରୁବ ମଣ୍ଡଳେ ପରବେଶି ॥ ୩୮

ଶିବମଣ୍ଡଳେ ବେଗେ ଗଲେ । ବୈକୁଣ୍ଠ ଭୁବନେ ମିଳିଲେ ॥ ୩୯

ଜଳ ଅତଳ ଅନ୍ଧକାର । ଜିଣିଲେ ପ୍ରଭୁ ଚକ୍ରଧର ॥ ୪୦

ନିଜ ଭୁବନେ ପରବେଶ । ଭକ୍ତିକୁ ଦେଖାଇ ଅଶେଷ ॥ ୪୧

ପ୍ରଭୁ ବିଜୟ ସିଂହାସନ । ଉନ୍ଧବ କଲା ଦରଶନ ॥ ୪୨

ଦର୍ଶନ କରିଣ ଉଦ୍ଧବ । ବୈକୁଣ୍ଡେ କଲା ନିଜ ଠାବ ॥ ୪୩

ଏମନ୍ତ ଶ୍ରୀକୃଷ୍ଣ ମହିମା । ଅନ୍ତ ନ ପାଇଲାକ ବ୍ରହ୍ମା ॥ ୪୪

ମୋ ଛାର ଏଡ଼େ ଶକ୍ୟ ନାହିଁ । କୃଷ୍ଣ ମହିମା କହିବଇଁ ॥ ୪୫

କେବଳ ଆଶ୍ରୟ ମୁଁ କଲି । ଏ ଦେହ କୃଷ୍ଣେ ସମର୍ପିଲି ॥ ୪୬

ଦର୍ଶନେ କୃଷ୍ଣଙ୍କୁ ଦେଖଇ । କୃଷ୍ଣ ବୋଲିଣ ମୁଁ ଜପଇ ॥ ୪୭

କୃଷ୍ଣ ଭଜଇ ଅବିରତେ । କୃଷ୍ଣ ଯେ ଥାଇ ଅନ୍ତର୍ଗତେ ॥ ୪୮

କୃଷ୍ଣ ଚରଣ ପରସାଦେ । ଅନ୍ୟ ମୁଁ ନ ଜାଣଇ ହୃଦେ ॥ ୪୯

ମୁଁ ଅବା କେତେକ ମାତର । ଅଟଇ କୀଟରୁ ଅନ୍ତର ॥ ୫୦

ହରି ସୁଦୟା ମୋତେ କଲେ । ଏଣୁ ନିସ୍ତାର ହେବି ହେଳେ ॥ ୫୧

ସୁଜନ ଜନଙ୍କ ଚରଣ । ସର୍ବଦା ପଶଇ ଶରଣ ॥ ୫୨

ଭଲମନ୍ଦ ଯେ ନ କହିବ । ମୋ ଦୋଷ ସକଳ କ୍ଷମିବ ॥ ୫୩

ଦ୍ଵାରକା ଜଗନ୍ନାଥ ଦାସ । କୃଷ୍ଣ ଚରଣ ସୁଧାରସ ॥ ୫୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ

ବୈକୁଣ୍ଠ ଗମନେ ନାମ ତ୍ରୟଦଶୋଦ୍ଧଧାୟଃ ॥

* * *