ତ୍ରୟୋଦଶ ସ୍କନ୍ଧ
ତ୍ରୟୋଦଶ ଅଧ୍ୟାୟ
ଉଦ୍ଧବ ଉବାଚ
ଉଦ୍ଧବ କୃଷ୍ଣ ବାଣୀ ଶୁଣି । ବୋଲଇ ଶିରେ ଦେଇ ପାଣି ॥ ୧
ଯେବେ କଳ୍ପନା ମୋର ଥିଲା । ତବ ଦର୍ଶନେ ସର୍ବ ଗଲା ॥ ୨
ହରି ବିଷୟରେ ତାପିତ । ଏ ତେହେ ହୋଇଲା ସାକ୍ଷାତ ॥ ୩
ଜ୍ଞାନେ ହରିଲୁ ମୋର ମନ । ଯେତେ ବିକର୍ମ କର୍ମମାନ ॥ ୪
ଯେତେ ପବିତ୍ର ଶୁଦ୍ଧ ଭୂଇଁ । ଏଥି ସାଧିଲେ ସିଦ୍ଧି ହୋଇ ॥ ୫
ଏଥି ମୁଁ ସାଧିଲ ଇଁ ଜ୍ଞାନ । ନବ ସହସ୍ର ବିଦ୍ୟମାନ ॥ ୬
ଅନେକ ସାଥିଲି ମୁଁ କଷ୍ଟ । ତୁମ୍ଭ ବଚନ ଏଣୁ ଇଷ୍ଟ ॥ ୭
ମୁହିଁ ପାମର ନ ବୁଝିଲି । ବଦ୍ରିକା କି ଅର୍ଥେ ଆସିଲି ॥ ୮
ତୋର ଚରଣ ଯୁଗ ରାଶି । କୋଟି ବଦ୍ରିକା କୋଟି କାଶୀ ॥ ୯
ତୁମ୍ଭର ପାଦପଦ୍ମ ଦୁଇ । ବ୍ରହ୍ମା ଯେ ଧ୍ୟାନରେ ନ ପାଇ ॥ ୧୦
ଶଙ୍କର ପୂଜି ଯୋଗୀ ହେଲା । ଅହଲ୍ୟା ପାଷାଣୁ ତରିଲା ॥ ୧୧
ଗଜେନ୍ଦ୍ର ଧ୍ୟାଇଲା ଚରଣ । ରିପୁ ନିବାରି ମୋକ୍ଷ ପୁଣ ॥ ୧୨
ଯୁଧିଷ୍ଟି ପାଦ ଆଶ୍ରେ କଲେ । ସ୍ଵଦେହେ ସ୍ଵର୍ଗରେ ବସିଲେ ॥ ୧୩
କୁବୁଜା ଗଜ ମାଲକାଶୀ । କଂସ ଅଷ୍ଟମଲ୍ଲ ବିନାଶି ॥ ୧୪
ଏ ରିପୁଭାବେ ଗଲେ ମରି । ଭକ୍ତର ପ୍ରିୟବନ୍ଧୁ ହରି ॥ ୧୫
ହରିଣୀ ବନ ପୋଡ଼ାଠାରେ । ଧ୍ୟାୟି ତରିଲା ସହଜରେ ॥ ୧୬
ଦ୍ରୌପଦୀ ଆରତ ଭଞ୍ଜନ । ବିଦୂର ଭୀଷ୍ମ ଉଦ୍ଧାରଣ ॥ ୧୭
ଶବର ପକ୍ଷୀଚଟା ତାରି । ସୁଗ୍ରୀବ ହନୁକୁ ନିସ୍ତାରି ॥ ୧୮
ଯାହାର ପଦେ ଆଶ୍ରା କରି । ପାପୀ ଅଜାମିଳ ନିସ୍ତାରି ॥ ୧୯
ପିଙ୍ଗଳା ପୁରରବା ଦୁଇ । ଭୀଷ୍ମ ବ୍ରାହ୍ମଣ ଆଦି ହୋଇ ॥ ୨୦
ନାରଦ ପ୍ରହ୍ଲାଦ ଯେ ଧୃବ । ନନ୍ଦ ଯଶୋଦା ବସୁଦେବ ॥ ୨୧
ଭାରତ ଯୁଦ୍ଧ ଭରତିଆ । ଗୋପୀଜନ କାମିନୀ ପ୍ରିୟା ॥ ୨୨
ସ୍ତ୍ରୀ ଶୁଦ୍ର ଆଦି ଯେଉଁ ଜନେ । ଲଭିଲେ ତୁମ୍ବ ଦରଶନେ ॥ ୨୩
ମୁଁ ତାହା ଚେତି ନ ପାରିଲି । ବଦ୍ରିକା ଧ୍ୟାନେ ମୁଁ ବସିଲି ॥ ୨୪
ଏଣୁ ମୋ ମନେ ଧ୍ୟାନ ଥିଲା । ତେଣୁ ଏତେକ ଦଣ୍ଡ ଦେଲା ॥ ୨୫
ଏବେ ଭେଟିଲି ମହାବାହୁ । ଏ ଭବୁ ତାରିବାକୁ ହେଉ ॥ ୨୬
ଏବେ ତ ନ ଛାଡ଼ିବି ମୁହିଁ । କେତେ ସହିବି ଦୁଃଖ କାହିଁ ॥ ୨୭
ଉନ୍ଧବ ବାକ୍ୟେ ନାରାୟଣ । ଆନନ୍ଦ ପ୍ରଭୁ ଭଗବାନ ॥ ୨୮
ଧନ୍ୟ ଉଦ୍ଧବ ଭକ୍ତିପଣ । ବଶ ତୁ କଲୁ ମୋର ମନ ॥ ୨୯
ଭକତି ବଳେ ସାଧ୍ୟ କଲୁ । ଭାବରେ ମନକୁ ବାନ୍ଧିଲୁ ॥ ୩୦
ଏବେ ହୋଇଲୁ ପରସନ୍ନ । ନେବଇଁ ବୈକୁଣ୍ଠ ଭୁବନ ॥ ୩୧
ଖଗ ଆସନେ ବିଜେ କରି । ଉଦ୍ଧବ ବେନି କର ଧରି ॥ ୩୨
ଗରୁଡ଼ ପିଠିରେ ବସାଇ । ମଙ୍ଗଳ ଶଙ୍ଖନାଦ ଦେଇ ॥ ୩୩
ବ୍ରହ୍ମାଦି ଦେବଗଣ ଯେତେ । କୃଷ୍ଣ ଅଗ୍ରେ ମିଳିଲେ ପଥେ ॥ ୩୪
ଆନନ୍ଦେ କରି ଜୟ ଜୟ । ଶିରେ କର ଦେଇ ସଦୟ ॥ ୩୫
ଶୁନ୍ୟମଣ୍ଡଳେ ଯାନ୍ତେ ତରି । ରବିମଣ୍ଡଳେ ବିଜେ କରି ॥ ୩୬
ବ୍ରହ୍ମମଣ୍ଡଳେ ଗଲେ ଚଳି । ରବିମଣ୍ଡଳେ ଯାଇ ମିଳି ॥ ୩୭
ଚନ୍ଦ୍ର ମଣ୍ଡଳେ ପୁଣି ପଶି । ଧ୍ରୁବ ମଣ୍ଡଳେ ପରବେଶି ॥ ୩୮
ଶିବମଣ୍ଡଳେ ବେଗେ ଗଲେ । ବୈକୁଣ୍ଠ ଭୁବନେ ମିଳିଲେ ॥ ୩୯
ଜଳ ଅତଳ ଅନ୍ଧକାର । ଜିଣିଲେ ପ୍ରଭୁ ଚକ୍ରଧର ॥ ୪୦
ନିଜ ଭୁବନେ ପରବେଶ । ଭକ୍ତିକୁ ଦେଖାଇ ଅଶେଷ ॥ ୪୧
ପ୍ରଭୁ ବିଜୟ ସିଂହାସନ । ଉନ୍ଧବ କଲା ଦରଶନ ॥ ୪୨
ଦର୍ଶନ କରିଣ ଉଦ୍ଧବ । ବୈକୁଣ୍ଡେ କଲା ନିଜ ଠାବ ॥ ୪୩
ଏମନ୍ତ ଶ୍ରୀକୃଷ୍ଣ ମହିମା । ଅନ୍ତ ନ ପାଇଲାକ ବ୍ରହ୍ମା ॥ ୪୪
ମୋ ଛାର ଏଡ଼େ ଶକ୍ୟ ନାହିଁ । କୃଷ୍ଣ ମହିମା କହିବଇଁ ॥ ୪୫
କେବଳ ଆଶ୍ରୟ ମୁଁ କଲି । ଏ ଦେହ କୃଷ୍ଣେ ସମର୍ପିଲି ॥ ୪୬
ଦର୍ଶନେ କୃଷ୍ଣଙ୍କୁ ଦେଖଇ । କୃଷ୍ଣ ବୋଲିଣ ମୁଁ ଜପଇ ॥ ୪୭
କୃଷ୍ଣ ଭଜଇ ଅବିରତେ । କୃଷ୍ଣ ଯେ ଥାଇ ଅନ୍ତର୍ଗତେ ॥ ୪୮
କୃଷ୍ଣ ଚରଣ ପରସାଦେ । ଅନ୍ୟ ମୁଁ ନ ଜାଣଇ ହୃଦେ ॥ ୪୯
ମୁଁ ଅବା କେତେକ ମାତର । ଅଟଇ କୀଟରୁ ଅନ୍ତର ॥ ୫୦
ହରି ସୁଦୟା ମୋତେ କଲେ । ଏଣୁ ନିସ୍ତାର ହେବି ହେଳେ ॥ ୫୧
ସୁଜନ ଜନଙ୍କ ଚରଣ । ସର୍ବଦା ପଶଇ ଶରଣ ॥ ୫୨
ଭଲମନ୍ଦ ଯେ ନ କହିବ । ମୋ ଦୋଷ ସକଳ କ୍ଷମିବ ॥ ୫୩
ଦ୍ଵାରକା ଜଗନ୍ନାଥ ଦାସ । କୃଷ୍ଣ ଚରଣ ସୁଧାରସ ॥ ୫୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ
ବୈକୁଣ୍ଠ ଗମନେ ନାମ ତ୍ରୟଦଶୋଦ୍ଧଧାୟଃ ॥
* * *