ତ୍ରୟୋଦଶ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
ଉଦ୍ଧବ ଉବାଚ
ଉଦ୍ଧବ କହେ ଜଗନ୍ନାଥ । ମୋତେ ଲାଗିଲା ଆଚମ୍ବିତ ॥ ୧
ଏ ଆତ୍ମା ନିରଞ୍ଜନମୟ । ତାହାର କାହିଁ ରିପୁଭୟ ॥ ୨
କେ ତାରେ ଧରି ନ ପାରଇ । କାହାର ବୋଲେ ସେହି ଯାଇ ॥ ୩
କେ ଦଣ୍ଡମଣ୍ଡ କରେ ଶକ୍ୟ । ଏହା କହିବ ପଦ୍ମମୁଖ ॥ ୪
କେ ତାକୁ ରକ୍ଷା ବା କରଇ । ତା ପାପ ପୁଣ୍ୟ କେ ବୁଝଇ ॥ ୫
ଏ ଦିବ୍ୟ ଆତ୍ମା ନିରାକାର । ଅଦେହ ଦେହକୁ ବାହାର ॥ ୬
ଆପଣା ସୁଖେ ଆସିଥାଇ । ଇଚ୍ଛା ହୋଇଲେ ଏଥୁ ଯାଇ ॥ ୭
ତୁମ୍ଭେ ବୋଇଲେ କର୍ମମତ । ଏଣୁ ମୋ ବୋଧ ନୁହେଁ ଚିତ୍ତ ॥ ୮
ଯେଣେ ମୋ ମନ ଥୟହାଇ । ତାହା କହିବା ଭାବଗ୍ରାହୀ ॥ ୯
ଶ୍ରୀ1 ଭଗବାନୁବାଚ
ଉଦ୍ଧବ ଭୟ ତୁ ନ କର । ଏମନ୍ତ ବେଦର ବିଚାର ॥ ୧୦
ଆତ୍ମ ଯେ କର୍ତ୍ତା ଶୁଦ୍ଧଶାଳୀ । ବୁଧେ ଜାଣନ୍ତି ବ୍ରହ୍ମ ବୋଲି ॥ ୧୧
ସଂସାର ଭୟ ଅର୍ଥ ପାଇ । କର୍ମ ସମ୍ପାଦିଲାକ ନେଇ ॥ ୧୨
ଏଣୁ ଏ ବେଦ କର୍ମ ଜାତ । ଏଣୁ ଏ ହୁଏ ଜନ୍ମ ମୃତ ॥ ୧୩
ତେଣୁ ଏହାକୁ ଦଣ୍ଡମଣ୍ଡ । କରନ୍ତି ମୁଢ଼େ କର୍ମକାଣ୍ଡ ॥ ୧୪
ପୁରାଣ ଅଷ୍ଟାଦଶ କହି । କର୍ମେ ପ୍ରବର୍ତ୍ତାଇଲେ ନେଇ ॥ ୧୫
ପ୍ରାଣୀ ମୋହିତ କର୍ମ ଯୋଗେ । ଘେନନ୍ତି ପୁରାଣକୁ ଆଗେ ॥ ୧୬
ଏଣୁ ସେ ଗୁଣ କର୍ମମୟ । ପ୍ରାଣୀଙ୍କୁ ଦେଖାନ୍ତି ସେ ଭୟ ॥ ୧୭
ଭୟ ହେତୁରୁ ଏତେ କର୍ମ । କର୍ମ ସାଧରି ଛାଡ଼ି ଭ୍ରମ ॥ ୧୮
ଏ କର୍ମ ଯୋଗ ଅଛି ରହି । ଜ୍ଞାନ ଯୋଗରେ ତାକୁ କହି ॥ ୧୯
କର୍ମ ଦିଶଇ ଜ୍ଞାନ ମାର୍ଗେ । ସାଧେ ଅଷ୍ଟାଙ୍ଗ ॥ ୨୦
ଏଣୁ ତୁ ବୁଝି ଦିଅ ମନ । ଯେବା ନିର୍ଗୁଣ ବ୍ରହ୍ମ ଜ୍ଞାନ ॥ ୨୧
ଦ୍ଵାରକା ଜଗନ୍ନାଥ ଦାସ । କୃଷ୍ଣ ଚରିତ ଭକ୍ତି ରସ ॥ ୨୨
ମୁହିଁ ପାମର ହୀନ ବାଇ । ଜ୍ଞାନ ଚେତନା ମୋର କାହିଁ ॥ ୨୩
ଏଡ଼େ ଅଜ୍ଞାନ ବୁଦ୍ଧି ବୋଲି । ମଣି ଲୋଡ଼ଇ ସିନ୍ଧୁ ବାଲି ॥ ୨୪
ଆଶା ଲୋଡ଼ଇ ମୁଁ କି କଲି । ପାଳ ଦଉଡ଼ି ମୁହିଁ ବଳି ॥ ୨୫
ବଡ଼ବା ଅନଳ ଭକ୍ଷଇ । କୀଟରେ ଗଣନା ନୁହଇ ॥ ୨୬
ଅଣ ସାଧୁରେ ମୁଁ ଜନମ । ଶ୍ରୀ ଜଗନ୍ନାଥ ପରସନ୍ନ ॥ ୨୭
ଯୁଗକୁ ଯୁଗ ଏହିମତେ । ମୁଁ ଥାଇ ତାଙ୍କ ପାଦାଗ୍ରତେ ॥ ୨୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ତତ୍ତ୍ଵକର୍ମକଥନେ ନାମ ଦ୍ଵାଦଶୋଦ୍ଧଧାୟଃ ॥
* * *