ତ୍ରୟୋଦଶ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ

ଉଦ୍ଧବ ଉବାଚ

ଉଦ୍ଧବ କହେ ଜଗନ୍ନାଥ । ମୋତେ ଲାଗିଲା ଆଚମ୍ବିତ ॥

ଏ ଆତ୍ମା ନିରଞ୍ଜନମୟ । ତାହାର କାହିଁ ରିପୁଭୟ ॥

କେ ତାରେ ଧରି ନ ପାରଇ । କାହାର ବୋଲେ ସେହି ଯାଇ ॥

କେ ଦଣ୍ଡମଣ୍ଡ କରେ ଶକ୍ୟ । ଏହା କହିବ ପଦ୍ମମୁଖ ॥

କେ ତାକୁ ରକ୍ଷା ବା କରଇ । ତା ପାପ ପୁଣ୍ୟ କେ ବୁଝଇ ॥

ଏ ଦିବ୍ୟ ଆତ୍ମା ନିରାକାର । ଅଦେହ ଦେହକୁ ବାହାର ॥

ଆପଣା ସୁଖେ ଆସିଥାଇ । ଇଚ୍ଛା ହୋଇଲେ ଏଥୁ ଯାଇ ॥

ତୁମ୍ଭେ ବୋଇଲେ କର୍ମମତ । ଏଣୁ ମୋ ବୋଧ ନୁହେଁ ଚିତ୍ତ ॥

ଯେଣେ ମୋ ମନ ଥୟହାଇ । ତାହା କହିବା ଭାବଗ୍ରାହୀ ॥

ଶ୍ରୀ1 ଭଗବାନୁବାଚ

ଉଦ୍ଧବ ଭୟ ତୁ ନ କର । ଏମନ୍ତ ବେଦର ବିଚାର ॥ ୧୦

ଆତ୍ମ ଯେ କର୍ତ୍ତା ଶୁଦ୍ଧଶାଳୀ । ବୁଧେ ଜାଣନ୍ତି ବ୍ରହ୍ମ ବୋଲି ॥ ୧୧

ସଂସାର ଭୟ ଅର୍ଥ ପାଇ । କର୍ମ ସମ୍ପାଦିଲାକ ନେଇ ॥ ୧୨

ଏଣୁ ଏ ବେଦ କର୍ମ ଜାତ । ଏଣୁ ଏ ହୁଏ ଜନ୍ମ ମୃତ ॥ ୧୩

ତେଣୁ ଏହାକୁ ଦଣ୍ଡମଣ୍ଡ । କରନ୍ତି ମୁଢ଼େ କର୍ମକାଣ୍ଡ ॥ ୧୪

ପୁରାଣ ଅଷ୍ଟାଦଶ କହି । କର୍ମେ ପ୍ରବର୍ତ୍ତାଇଲେ ନେଇ ॥ ୧୫

ପ୍ରାଣୀ ମୋହିତ କର୍ମ ଯୋଗେ । ଘେନନ୍ତି ପୁରାଣକୁ ଆଗେ ॥ ୧୬

ଏଣୁ ସେ ଗୁଣ କର୍ମମୟ । ପ୍ରାଣୀଙ୍କୁ ଦେଖାନ୍ତି ସେ ଭୟ ॥ ୧୭

ଭୟ ହେତୁରୁ ଏତେ କର୍ମ । କର୍ମ ସାଧରି ଛାଡ଼ି ଭ୍ରମ ॥ ୧୮

ଏ କର୍ମ ଯୋଗ ଅଛି ରହି । ଜ୍ଞାନ ଯୋଗରେ ତାକୁ କହି ॥ ୧୯

କର୍ମ ଦିଶଇ ଜ୍ଞାନ ମାର୍ଗେ । ସାଧେ ଅଷ୍ଟାଙ୍ଗ ॥ ୨୦

ଏଣୁ ତୁ ବୁଝି ଦିଅ ମନ । ଯେବା ନିର୍ଗୁଣ ବ୍ରହ୍ମ ଜ୍ଞାନ ॥ ୨୧

ଦ୍ଵାରକା ଜଗନ୍ନାଥ ଦାସ । କୃଷ୍ଣ ଚରିତ ଭକ୍ତି ରସ ॥ ୨୨

ମୁହିଁ ପାମର ହୀନ ବାଇ । ଜ୍ଞାନ ଚେତନା ମୋର କାହିଁ ॥ ୨୩

ଏଡ଼େ ଅଜ୍ଞାନ ବୁଦ୍ଧି ବୋଲି । ମଣି ଲୋଡ଼ଇ ସିନ୍ଧୁ ବାଲି ॥ ୨୪

ଆଶା ଲୋଡ଼ଇ ମୁଁ କି କଲି । ପାଳ ଦଉଡ଼ି ମୁହିଁ ବଳି ॥ ୨୫

ବଡ଼ବା ଅନଳ ଭକ୍ଷଇ । କୀଟରେ ଗଣନା ନୁହଇ ॥ ୨୬

ଅଣ ସାଧୁରେ ମୁଁ ଜନମ । ଶ୍ରୀ ଜଗନ୍ନାଥ ପରସନ୍ନ ॥ ୨୭

ଯୁଗକୁ ଯୁଗ ଏହିମତେ । ମୁଁ ଥାଇ ତାଙ୍କ ପାଦାଗ୍ରତେ ॥ ୨୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ତତ୍ତ୍ଵକର୍ମକଥନେ ନାମ ଦ୍ଵାଦଶୋଦ୍ଧଧାୟଃ ॥

* * *