ତ୍ରୟୋଦଶ ସ୍କନ୍ଧ

ଏକାଦଶ ଅଧ୍ୟାୟ

ଉଦ୍ଧବ ଉବାଚ

ଉଦ୍ଧବ ବୋଲେ ସାଧୁ ଧୀର । କହିବା ହେଉ ଦାମୋଦର ॥

ଯେ ପ୍ରାଣୀମାନେ ମୃତ ହୃତି । କି ରୂପେ କାହିଁରେ ଗମନ୍ତି ॥

ଆମ୍ବର ଦେହ ସୁଖ ଘର । କେମନ୍ତେ ଛାଡି ହୁଏ ପର ॥

ଦେହର ଆତ୍ମା ଯେ ନୁହଇ । ଆତ୍ମା ଯେ ସ୍ନେହକରେ ଦେହୀ ॥

କି ରୂପେ ଛାଡ଼ଇ ଏହାକୁ । ପୁଣି ନ ଆସଇ ଗୃହକୁ ॥

ଏକଥା ମନକୁ ମୋ ଧନ୍ଦା । କେମନ୍ତେ ଛାଡ଼ିବଇଁ ଦ୍ଵିଧା ॥

ଉଦ୍ଧବ ପଚାରିଲୁ ଯେତେ । ଯମ ପୁରାଣେ କହେ ତୋତେ ॥

ପୂର୍ବେ ମୁଁ ସାଧୁଗଣ ମୁଖେ । ପ୍ରକାଶ କରିଅଛି ସୁଖେ ॥

ଯେ ପ୍ରାଣୀଗଣଙ୍କ ଆୟୁଷ । କାଳ ବିକାଳ ପରବେଶ ॥

ପ୍ରଥମେ ଲୌହର ପ୍ରତିମା । ଦେଖାନ୍ତେ ଅଗ୍ରତେ ଗଣିମା ॥ ୧୦

ଆତ୍ମାକୁ ଡାକନ୍ତି ଯେ ଆସ । ଏ ଘରେ ଆସି ବେଗୋ ପଶ ॥ ୧୧

ଆତ୍ମା ବୋଲଇ ତାକୁ ମୁହିଁ । ମୋର ଅର୍ଜିଲା ଘର ଏହି ॥ ୧୨

ଏହାକୁ କେମନ୍ତେ ଛାଡ଼ିବି । ସେ ଘଟେ ମୁହିଁ ନ ପଶିବି ॥ ୧୩

ଶୁଣି କାଳ ବିକାଳ ଦୁଇ । ସେ ଘଟ ଥୁଅନ୍ତି ଲୁଚାଇ ॥ ୧୪

ପୁଣି ଦେଖାନ୍ତି କଂସା ଘଟ । ବୋଲଇ ଆସ ଛାଡ଼ି ମଠ ॥ ୧୫

ସେ ଘଟ ପୁରୁଣା ହୋଇଲା । ତୋତେ ସେ ଘଟ ନ ସାଜିଲା ॥ ୧୬

ଦେଖ ଏ ନବତନ ଘଟ । ପାରିଲେ ଆସି ଏଥି ଭେଟ ॥ ୧୭

ଉଜ୍ଜଳ ବହୁତ ଅଟଇ । ସେ ଘଟ ମଳିନ ଦିଶଇ ॥ ୧୮

ଆତ୍ମା ବୋଲଇ ତୁମେ ଶୁଣ । ଗର୍ଭୁ ତାହାର ମୋର ପ୍ରାଣ ॥ ୧୯

ସଙ୍ଗ ହୋଇଣ ଆସିଅଛି । କିପରି ତାକୁ ମୁଁ ଛାଡୁଛି ॥ ୨୦

ଏଣୁ ଏ ଘଟ ଦୂରେ ଥୋଇ । ପିତ୍ତଳ ଘରେଟକ ଦେଖାଇ ॥ ୨୧

ବୋଲଇ ଆସ ତାକୁ ଛାଡ଼ି । ଏ ଦିବ୍ୟ ଘଟ ଅଛି ଗଢ଼ି ॥ ୨୨

ଦେଖ କେମନ୍ତେ ଶୋଭା ହୋଇ । ଆତ୍ମା ତହିଁକି ଗଲା ନାହିଁ ॥ ୨୩

ଶୁଣି ଦୂତେ ପାଇଲେ ଖଙ୍ଗ । ତମ୍ବା ପ୍ରତିମା କଲେ ଆଗ ॥ ୨୪

ବୋଇଲେ ଏଣିକି ତୁ ଚାହାଁ । ତୁ ଲୋଡୁଥିଲୁ ମନେ ଯାହା ॥ ୨୫

ତହୁଁ ଅଧିକ ଶୋଭା ଏହି । ଏଥିରେ ରହ ଆସି ତୁହି ॥ ୨୬

ଆତ୍ମାକୁ ବୋଲେ ଆସ ତୁହି । ଏଥୁଁ ତୋ ସୁଖ ତହିଁ ନାହିଁ ॥ ୨୭

ଏହାର ସଙ୍ଗେ ଏତେ ଦିନ । କାଳ ବଞ୍ଚିଲି ମୁଁ ଯନ୍ତ୍ରଣ ॥ ୨୮

ଖେଳିଣ ବୁଲୁ ଥୁଲି ମୁହିଁ । ଦ୍ରବ୍ୟ ଭୁଞ୍ଜିଲି ଦେହ ବହି ॥ ୨୯

ଦେଖ ମୋହରି ସ୍ତିରୀଭୋଗ । ପୁତ୍ର ଭାରିଜା ନାନା ଯୋଗ ॥ ୩୦

ଏତେକ ଏହା ଘେନି ହେଲା । ମୋତେ ବହୁତ ସମ୍ଭାଳିଲା ॥ ୩୧

ମୁହିଁ କେମନ୍ତେ ଏଥୁ ଯିବି । ତୁମ୍ଭଙ୍କୁ ପ୍ରଣାମ କରିବି ॥ ୩୨

ଶୁଣି ଦୂତେ ପୁଣି ବିଚାରି । ରସ ପ୍ରତିମା ଆଗ କରି ॥ ୩୩

ବପୋଇଲେ ଶୁଣ ଆତ୍ମାରାମ । ଏ ଘଟ ଅତି ଅନୁପମ ॥ ୩୪

ଘଟ ପ୍ରତିମା ଲକ୍ଷ୍ୟ ନାହିଁ । ଏଥି ବିହର ଆସ ତୁହିଁ ॥ ୩୫

ପୁଇ ପଚରା କୃମି ଦେହ । ତହିଁକି କରୁ ଏତେ ସ୍ନେହ ॥ ୩୬

ଆମ୍ଭ ବଚନେ ଛାଡ଼ ତାହା । ସେ ଦେହୁ ଛାଡ଼ ଏ ସେନେହା ॥ ୩୭

ଆତ୍ମା ବୋଲଇ ମଞ୍ଜୁବାଣୀ । ଦୂତେ ବୋଲନ୍ତି ତାହା ଶୁଣି ॥ ୩୮

ରୂପାର ଘଟ ସ୍ଥାପି ପୁଣି । ବୋଲନ୍ତି ସୁକୋମଳ ବାଣୀ ॥ ୩୯

ବେଗେ ପଶ ତୁ ଏହି ଘଟ । ସେ ଘଟେ ପାଉଅଛୁ କଷ୍ଟ ॥ ୪୦

କେବେହେଁ ଦୁଃଖେ ତୁହି ପଡୁ । ଶୋକ ସନ୍ତାପେ କିମ୍ପା ବୁଡୁ ॥ ୪୧

କରିଛୁ ଯେତେକ ତୁ ସ୍ନେହ । ବିଅର୍ଥେ ପଡ଼ି ହେଉ କୋହ ॥ ୪୨

ତହୁଁ ତୁ କି ସୁଖ ଲଭୁଛୁ । ଆମ୍ଭ ବଚନ ନ କରୁଛୁ ॥ ୪୩

ଦେଖ ମୋହର ଘଟ ଶୋଭା । ଏ ଘଟ ସର୍ବକାଳେ ଯୁବା ॥ ୪୪

ଏଥି ପାଇବୁ ଯେତେ ସୁଖ । ମନୁଷ୍ୟ ଦେହେ ବଡ଼ ଦୁଃଖ ॥ ୪୫

ଆତ୍ମା ବୋଇଲ ଶୁଣ ଭାଇ । ତୁମ୍ଭେ କହିଲ ଯହିଁ ପାଇଁ ॥ ୪୬

ମୁହିଁ ଏହାକୁ ରସୁଥାଇ । ଆନନ୍ଦେ ମୁଖରେ ବୁଡ଼ଇ ॥ ୪୭

ଭୁଞ୍ଜଇ ନାନା ଭୋଗମାନ । କରଇ ବ୍ରତ ତୀର୍ଥ ପୁଣ୍ୟ ॥ ୪୮

ବିଷ୍ଣୁ ଦର୍ଶନେ ମୁହିଁ ଯାଇ । ନିର୍ମାଲ୍ୟ ଭକ୍ଷଣ କରଇ ॥ ୪୯

ସାଧୁ ସଙ୍ଗତେ ହରି କଥା । ଶୁଣଇ ଘଟେ ଥାଇ ଯଥା ॥ ୫୦

ମିତ୍ର ପୀରତି ସୁଖ ଯେତେ । ଲିଳା କରଇ ତା ସଙ୍ଗତେ ॥ ୫୧

ଏହା ଛାଡ଼ି ତ ନ ଯୋଗାଇ । ଜଞ୍ଜାଳ କର କାହିଁପାଇଁ ॥ ୫୨

ଦୂତେ ବୋଲନ୍ତି ପୁଣି ଆସ । କହିବା ଶୁଣ ଉପଦେଶ ॥ ୫୩

ସୁବର୍ଣ୍ଣ ଘଟ ନିକଟରେ । ଦେଖାଛି ଡାକନ୍ତି ମଧୁରେ ॥ ୫୪

ସକଳ ଦେହରେ ଏ ସାର । ଦିଶଇ ବିଜୁଳି ଆକାର ॥ ୫୫

ଏ ଘଟ ପ୍ରାୟେ ଘଟ ନାହିଁ । ଘଟ ଦେଖିଛୁ କେତେ ତୁହି ॥ ୫୬

ପୁରୁଣା ପକାଇଣ ଆସ । ଏ ନବତନ ଘଟେ ପଶ ॥ ୫୭

ଦେଖିଲା ଆତ୍ମା ଘଟ ଆସି । ଏ ଘଟ ଛାଡ଼ି ତହିଁ ପଶି ॥ ୫୮

ଏ ଦେହେ ପ୍ରୟୋଜନ କିସ । ଏଥି ପାଇବି ମୁହିଁ ଯଶ ॥ ୫୯

ଏମନ୍ତ ମନେ ବିଚାରିଲା । ଯିବି ବୋଲିଣ ସେ କହିଲା ॥ ୬୦

ଛାଡ଼ିଲା ଆଶା ସର୍ବ ଲୋଭ । ଯହୁଁ ପାଇଲା ଆନ ଭାବ ॥ ୬୧

ଦୂତକୁ ଆତ୍ମା ବୋଲୁଅଛି । ତୁମ୍ଭ ବଚନେ ମୁଁ ଯାଉଛି ॥ ୬୨

ଆଣ ସେ ଘଟ ଯିବି ମୁହିଁ । ଦୂତେ ଘଟ ଦେଲେ ଦେଖାଇ ॥ ୬୩

ଘଟକୁ ଛାଡ଼ି ଗଲା ଡେଇଁ । କାଳ ଜଗିଲା ଦ୍ଵାରେ ଯାଇ ॥ ୬୪

ବିକାଳ ପ୍ରତିମା ଦେଖାଇ । ବୋଲଇ ଆସ ବେଗ ହୋଇ ॥ ୬୫

ଆତ୍ମା ଗୋଡ଼ାଏ ବେଗେ ତାକୁ । ବିକଳେ ଗମଇଁ ଦୂରକୁ ॥ ୬୬

ଏମନ୍ତ କେତେ ଦୂର ଗଲା । ଫୁଟିଣ ସ୍ଥଗିତ ହୋଇଲା ॥ ୬୭

ବୋଲଇ ମନେ ମନେ ଭାଳି । କିମ୍ପାଇଁ ସେ ଘଟ ଛାଡ଼ିଲି ॥ ୬୮

ପୁଣି ବାହୁଡ଼ିଣ ଅଇଲା । ସ୍ଥାନରେ ଘଟ ନ ଦେଖିଲା ॥ ୬୯

ଯେତେ ସ୍ଥାନକୁ ଯାଇଥାଇ । କେତେକ ଭ୍ରମେ ଘଟ ପାଇ ॥ ୭୦

କାହିଁ ନ ଦେଖିଣ ରୋଦନ । କରଇ ସେହୁ ଘନ ଘନ ॥ ୭୧

ମୁହିଁ ଛାଡ଼ିଲି ଦେହ ତୋତେ । ତୁ ଛାଡୁ ନଥିଲୁ ତ ମୋତେ ॥ ୭୨

ତୋହର ସଜେଙ୍ଗ ଯେବେ ଥିଲି । ଅନେକ ସୁଖ ଭୋଗ କଲି ॥ ୭୩

କେତେକ ଦିନ ଥିଲି ମୁହିଁ । ଆନନ୍ଦେ ଦିନ ବଞ୍ଚିଲଇଁ ॥ ୭୪

ପର ବୁଦ୍ଧିରେ ମୁଁ ପଡ଼ିଲି । ମିଛକୁ ଦେଖି ପ୍ରତେ ଗଲି ॥ ୭୫

ଏଣୁ ପରର ବୁଦ୍ଧି ବଳେ । ଗଲେ ବୁଡ଼ଇ ପ୍ରାଣୀ ହେଳେ ॥ ୭୬

ଜାଣୁ ଜାଣୁ ମୁଁ ଏହା କଲି । ଏଣୁ ମୁଁ କି କାର୍ଯ୍ୟ ଲଭିଲି ॥ ୭୭

ଛାଡ଼ିଲା ମୋର ସୁଖ ଘର । ମୁହିଁ ଯେ କଲି ଅବିଚାର ॥ ୭୮

ଏବେ ପାଇବି ତାହା କାହିଁ । ବହୁତ ଦୂର ଗଲି ବାହି ॥ ୭୯

ଭାଳି କାନ୍ଦଇ ପୁଣ ପୁଣ । ବୋଲନ୍ତି ଚାହିଁ ଦୂତଗଣ ॥ ୮୦

ଆଉ କି ପାଇବୁ ତୁ ତାହା । ତୋତେ ଲୋଡୁଛି ଜନ୍ତୁନାହା ॥ ୮୧

ଆତ୍ମାକୁ ଧରି ବେନିଜନ । ଯଶୋବନ୍ତ ପୁରେ ଗମନ ॥ ୮୨

ପ୍ରବେଶ ରାଜାର ଛାମୁରେ । କହନ୍ତି ଯେଉଁ କର୍ମତାରେ ॥ ୮୩

ସେଠାରେ ବିଚାର ସରଇ । ବୁଝି ଦଣ୍ଡନ୍ତି ଜନ୍ତୁସାଇଁ ॥ ୮୪

ଏମନ୍ତ ଆତ୍ମାର କାରଣ । କହିଲେ ଉଦ୍ଧବ ପାଶେଣ ॥ ୮୫

ଉଦ୍ଧବ ଏହି ଭାବେ ଜାଣ । ଏମନ୍ତେ ହୁଅଇ ମରଣ ॥ ୮୬

ଆତ୍ମାକୁ ଦେହରଟି ଆଶ । ଦେହର ଆତ୍ମାକୁ ମୁହାଁସ ॥ ୮୭

ଏଣୁ ଏ ଆମ୍ବା ଦେହେ ଜଡ଼ି । ଆତ୍ମାକୁ ତେଣୁ ଏ ନ ଛାଡ଼ି ॥ ୮୮

ଆତ୍ମା ସୁମରି ଦେହ କାନ୍ଦେ । ଦେହ ସୁମରି ଆତ୍ମା କାନ୍ଦେ ॥ ୮୯

କେହି କାହାରିକୁ ନ ଛାଡ଼େ । ଛାଡିଲେ ଆଉନାହିଁ ଯୋଡ଼େ ॥ ୯୦

ଦେବ ଯେ ସ୍ତିରୀ ଆତ୍ମା ଭର୍ତ୍ତା । ତେଣୁ ତାହାର ତାକୁ ଚିନ୍ତା ॥ ୯୧

ଦେହ ଗଲେ ଆତ୍ମା ନ ପାଇ । ଏ ଆତ୍ମା ଗଲେ ନ ଆସଇ ॥ ୯୨

ରହିଲା ବୋଲି ଇଚ୍ଛା କଲେ । ସେ ପ୍ରାଣୀ ନ ରହଇ ଭଲେ ॥ ୯୩

ଯେଣେ ପରମ ଆତ୍ମା ବାଞ୍ଚା । ଦେହରୁ ଯାଇ ଯେଣେ ଇଚ୍ଛା ॥ ୯୪

ଏଣୁ ଏ ଆତ୍ମା ଦେହ ବୁଦ୍ଧି । ଦେହ ଆତ୍ମାରେ ଛନ୍ଦାଛନ୍ଦି ॥ ୯୫

ଶୁଣ ଉଦ୍ଧବ ଦେହ ମାର୍ଗ । ଦେହକୁ ସରି ନୁହେଁ ସ୍ଵର୍ଗ ॥ ୯୬

କହିଲି ତୋତେ ମୁହିଁ ତାହା । ଆତ୍ମ ଜ୍ଞାନରେ ହୁଅ ସ୍ନେହା ॥ ୯୭

ଉଦ୍ଧବ ଶୁଣି ତୋଷ ଚିତ୍ତ । ବହୁତ କଲା ପ୍ରଣିପାତ ॥ ୯୮

ମୋର ଅଶେଷ ଜନ୍ମ ଦୁଃଖ । ହେଳେ ଖଣ୍ଡିଲେ ପଦ୍ମମୁଖ ॥ ୯୯

ଦ୍ବାରକା ଜଗନ୍ନାଥ ଦାସ । ଯେତେ କହିଲେ କୃଷ୍ଣ ରସ ॥ ୧୦୦

ସକଳ ପାପ କ୍ଷୟ ହେଲା । ଉଦ୍ଧବେ ଶ୍ରୀକୃଷ୍ଣ କହିଲା ॥ ୧୦୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ

ପ୍ରବେଶେ ନାମ ଏକାଦଶୋଦ୍ଧଧାୟଃ ॥

* * *