ତ୍ରୟୋଦଶ ସ୍କନ୍ଧ
ଦଶମ ଅଧ୍ୟାୟ
ଉଦ୍ଧବ ଉବାଚ
ଉଦ୍ଧବ କୃଷ୍ଣପାଦ ଧରି । ବୋଲନ୍ତି ପ୍ରେମେ ମୋଦ ଭରି ॥ ୧
ଏ କାୟା ଦଶ ଅବତାର । କେହ୍ନେ ହୋଇଲା ଚକ୍ରଧର ॥ ୨
ଶ୍ରୀ1 ଭଗବାନୁବାଚ
କହନ୍ତି ପ୍ରଭୁ ଦାମୋଦର । ଶୁଣ ତୁ ଭକତ ମୋହର ॥ ୩
ପ୍ରଥମ ମାସେ ମୀନ ହୁଏ । ଦ୍ବିତୀୟୋ କଚ୍ଛପର କାୟେ ॥ ୪
ତୃତୀୟ ମାସେ କୋଳରୂପୀ । ଚତୁର୍ଥେ ନରସିଂହ ବ୍ୟାପି ॥ ୫
ପଞ୍ଚମ ମାସରେ ବାମନ । ଷଷ୍ଠରେ ହୁଏ ପର୍ଶୁରାମ ॥ ୬
ସପ୍ତମେ ରାମ ରୂପ ହୋଇ । ଅଷ୍ଟମେ ବଳଭଦ୍ର ଦେହୀ ॥ ୭
ନବମେ ଜଗନ୍ନାଥ ହୁଏ । ଦିଶିଲା ବୌଦ୍ଧରୁପ କାୟେ ॥ ୮
ଦଶମେ କଳକୀ ପ୍ରକାଶ । ପ୍ରମାଣ ହୋଇଲା ପୁରୁଷ ॥ ୯
ଏମନ୍ତ ରୂପେ କାୟା ହୋଇ । ଶୁଣ ଉଦ୍ଧବ ମନ ଦେଇ ॥ ୧୦
ଜାଗ୍ରତ ମନ୍ଦିରକୁ ଧ୍ୟାୟି । ବଞ୍ଚିଲା ଦଶରୂପ ହୋଇ ॥ ୧୧
ଏଣୁ ଏ ଆତ୍ମା ବ୍ରହ୍ମମୟ । ଅଦୃଶ୍ୟ ଭାବରେ ହୃଦୟ ॥ ୧୨
ଜୀବ ପରମ ରୂପ ଧରି । ଅନ୍ତର ବାହାରେ ବିହରି ॥ ୧୩
ସକଳ ସୁଖ ଭୋଗ କରେ । ଅନ୍ତେ ପଡ଼ଇ ନରକରେ ॥ ୧୪
ସକଳ କର୍ମରେ ଏ ସାର । ଏ କ୍ଷେତ୍ରେ ନ ବୁଝେ ପାମର ॥ ୧୫
ଭ୍ରମଇ ନାନା ସୁଖ କର୍ମେ । କେବେହେଁ ନ ରହଇ ଧର୍ମେ ॥ ୧୬
ଉଦ୍ଧବ ଉବାଚ
ଉଦ୍ଧବ କହେ ମନ ସୁଖେ । କାୟା ସଞ୍ଚିତ ବଡ଼ ଦୁଃଖେ ॥ ୧୭
ଏକଇ ବିନ୍ଦୁ ଏକ ଫୁଲ । କିମ୍ପାଇ ଧରେ ବେନି ଫଳ ॥ ୧୮
ଏହା କହିବ ଭାବଗ୍ରାହୀ । ଏଣୁ ସଂଶୟ ମନେ ରହି ॥ ୧୯
ଉଦ୍ଧବ ବାକ୍ୟେ ଯଦୁପତି । କହନ୍ତି ପ୍ରଭୁ ଫଳ ଶ୍ରୁତି ॥ ୨୦
ଗଗନୁ ଖସିବାର ବେଳେ । ଉତ୍ତର ଦକ୍ଷିଣର ମେଳେ ॥ ୨୧
ବାମ ଭାଗରେ ଯେବେ ଖସେ । ଚନ୍ଦ୍ରମା ଅଙ୍ଗ ସଙ୍ଗେ ମିଶେ ॥ ୨୨
ପୁରୁଷ ଚନ୍ଦ୍ର କୋଳୁ ଜାତ । ସ୍ତିରୀ ଯେ ବେନି ଭାଗ ମତ ॥ ୨୩
ମଧ୍ୟେ ତା ଥାଇ ନାଡ଼ ବାଡ଼ । କେଶର ମଧ୍ୟରେ ଉହାଡ଼ ॥ ୨୪
ବାଣ୍ଟି ପଡଇ ବେନିଠାଇଁ । ପୁରୁଷ ସ୍ତିରୀ ବେନି ହୋଇ ॥ ୨୫
ଦକ୍ଷିଣ ପିଙ୍ଗଳ ନାଡ଼ିରେ । ପଶଇ ବିନ୍ଦୁ ସୂର୍ଯ୍ୟ ପୁରେ ॥ ୨୬
ବାଣ୍ଟି ପଡ଼ିଲେ ବେନି ଜଡ଼ି । ଏ ରୂପେ କାୟା ବେନି ଗଢ଼ି ॥ ୨୭
ଚନ୍ଦ୍ର ସୂର୍ଯ୍ୟ ଏ ବେନି ମିଳେ । ମରୁତ ବହଇ ଯୁଗଳେ ॥ ୨୮
ତେବେ ଖସଇ ବିନ୍ଦୁରସ । ତେଣୁଟି ଏ ସ୍ତିରୀ ପୁରୁଷ ॥ ୨୯
ସଂଯୁକ୍ତେ ବିନ୍ଦୁ ଯେବେ ପଡ଼ି । ଏକାନ୍ତ ହୋଇ କାୟା ବଢ଼ି ॥ ୩୦
ସେ କାୟା ସୁଜନ ଅପାର । ତୋଳଇ ଗର୍ଭ ନିରାକାର ॥ ୩୧
ଗର୍ଭେ ସଞ୍ଚିତ ମାୟା ଘୋର । କୃମି ଜଡ଼ିତ କଳେବର ॥ ୩୨
ଦୁର୍ଗନ୍ଧ କୃମି ନାନା ନାଡ଼ି । ଅଶେଷ ରୋଗ ଯହିଁ ଜଡ଼ି ॥ ୩୩
ଅସ୍ଥି ପଞ୍ଜରା ବାମ ପାଶେ । ଛାଏଣି ନଖ ଲୋମ ଦେଶେ ॥ ୩୪
ଶିରାସଙ୍କୁଳ ଗଣ୍ଠି ଭଡ଼ି । ଚର୍ମ ରୁଧିର ମାଂସ ଜଡ଼ି ॥ ୩୫
ଇନ୍ଦ୍ରିୟମାନେ ରୁଅ ଶେଣୀ । ଷଡ଼ ଅଇରି ଆଦି ଘେନି ॥ ୩୬
ପାଞ୍ଚ ପଚିଶ ସ୍ତମ୍ଭ ବାଡ଼ । ପତର ସଙ୍ଗକୁ ଉହାଡ଼ ॥ ୩୭
ଅଣଚାଶ ବହେ ପ୍ରଖର । ନିତ୍ୟ ବହଇ ନବଦ୍ଵାର ॥ ୩୮
ଏ ଗୃହେ ବେନିଜନ ବସେ । ପ୍ରକୃତି ପୁରୁଷ ଏ ଅଂଶେ ॥ ୩୯
ପ୍ରକୃତି ଅଂଶେ ବେନି ଗୁଣ । ଜନ୍ମିଲେ ସତ୍ଵ ରଜ ତମ ॥ ୪୦
ତର୍ହୁ ଜନ୍ମିଲେ ଇନ୍ଦ୍ରିଗଣ । ପଚିଶ ପ୍ରକୃତି ଭିଆଣ ॥ ୪୧
ରଜର ରୋମ ଏ ଶରୀର । ଷଡ଼ ଅଇରି ପଞ୍ଚଧାର ॥ ୪୨
ଶତ୍ରୁ ମିତ୍ର ଯେ ଏକ ସ୍ଥାନ । ଜନ୍ମିଲେ ଘେନି ଗୁଣମାନ ॥ ୪୩
ପ୍ରକୃତି ମୁଳ ସବୁଙ୍କରି । ଉତ୍ପତ୍ତି ସ୍ଥିତି ଏ ସଂହାରି ॥ ୪୪
ପୁରୁଷ ଜଡ଼ ମତେ ଥାଇ । ନିଶ୍ଚଳ ବ୍ରହ୍ମ ସେ ବୋଲାଇ ॥ ୪୫
ପ୍ରକୃତି ଜନ୍ମଇ ପରମ । ଯିବାବେଳେ ତା ଜୀବ ନାମ ॥ ୪୬
ସ୍ତିରୀ ପୁରୁଷ ନାମ ଦୁଇ । ପରମ ନାମ ବ୍ରହ୍ମ ହୋଇ ॥ ୪୭
ସ୍ତିରୀରୁ ଉତ୍ପତ୍ତି ସଂସାର । ଯେ ଲୋଭେ ଅଛି ଅହଙ୍କାର ॥ ୪୮
ତମର ସ୍ଥାନ କର୍ଣ୍ଣେ ଦୁଇ । ମୋହଟି ସୁଖ ଦୁଃଖ ହୋଇ ॥ ୪୯
ଏ ତିନିଗୁଣ ଆତ୍ମା ଭିନ୍ନ । ବସଇ ବଙ୍କୁନାଳ ସ୍ଥାନ ॥ ୫୦
ପୁରେକ ପ୍ରକୃତି ବୋଲାଇ । ପୁରେକ ପୁରୁଷ ଅଛଇ ॥ ୫୧
ତ୍ରାଟକ ଚକ୍ଷୁ ବେନି ସ୍ଥାନ । ଏତେକ ଏ ବେନି ଶ୍ରବଣ ॥ ୫୨
ସକଳ ଧାତୁ ଦେଖ ଏହି । କହିବା ଶୁଣ ମନ ଦେଇ ॥ ୫୩
ରୋମ ଚର୍ମ ମାଂସ ରକତ । ନାଡ଼ି ଅସ୍ଥିର ସେ ମିଶ୍ରିତ ॥ ୫୪
ସପତ ଧାତୁ ଏହିମତେ । ଦେଖ ପ୍ରକାଶ ଏ ଜଗତେ ॥ ୫୫
ଆଉ ଜେତେକ ମାୟାବଳ । ଦେହରେ ଆତ୍ମା। ଏକମେଳ ॥ ୫୬
ଏଣୁ ତ ନ ବୁଝନ୍ତି କେହି । ମାୟାରେ ଲୋକ ଲୋଭି ହୋଇ ॥ ୫୭
ଲବଧ ଲୋଭେ ବଶ ରସେ । ଭୁଞ୍ଜଛି ଫଳ ଦୁଃଖ ସୁଖେ ॥ ୫୮
କର୍ମ ସରିଲେ ଫଳ କ୍ଷୟେ । ପଡ଼ନ୍ତି ବିଷ୍ଣୁ ମାୟା ମୋହେ ॥ ୫୯
ଯେ ମାୟା ସ୍ଵୟଂ ଆପ ଦେହୀ । ତାଠାରୁ ଉବୁରିବ କାହିଁ ॥ ୬୦
ସ୍ତିରୀ ସ୍ଵରୁପେ ଜାତ ହୋଇ । ପ୍ରାଣୀଙ୍କୁ କଟାକ୍ଷେ ମୋହଇ ॥ ୬୧
ସ୍ତନ ଜଘନ ମାୟାରୂପୀ । ଅଶେଷ ଜନ ଛନ୍ତି ବ୍ୟାପି ॥ ୬୨
ପ୍ରାଣୀ ନ ଚେତେ ମାୟାମୋହେ । ଅମୃତ କରି ତାକୁ ଚାହେଁ ॥ ୬୩
ମଜ୍ଜଇ ମାୟା ସଙ୍ଗେ ମତ୍ତ । ଅନାଦର ପରମ ତତ୍ତ୍ଵ ॥ ୬୪
ଯେବା ଜନ୍ମଇ କାମ ଗୁଣେ । ମାୟାକୁ ସତ୍ୟ ବୋଲି ମଣେ ॥ ୬୫
ପ୍ରାଣୀଙ୍କୁ ମାୟା ନ ଛାଡ଼ଇ । ମନର ପ୍ରାୟେ ଲାଗିଥାଇ ॥ ୬୬
ଯେଣେ ହରଇ ବୁଦ୍ଧିମନ । ଆପେ ନ ଜାଣେ ତତ୍ତ୍ଵଜ୍ଞାନ ॥ ୬୭
ସେ ଯେ ହରଇ ମାୟା ମୋହ । ତୁଟଇ ନିଗୁଣରେ ସ୍ନେହ ॥ ୬୮
ଡରନ୍ତି ଦେଖିଣ ପ୍ରମାଦ । ସ୍ତୁତି କରନ୍ତି ଦେବବୃନ୍ଦ ॥ ୬୯
ଶୁଭ ଅଶୁଭ ଯାକୁ ସରି । ଜନ୍ତୁପତି ଭୟରୁ ତରି ॥ ୭୦
ଏଣୁ ଏ ଆତ୍ମା ଜ୍ଞାନସାର । ଉଦ୍ଧବ ଜାଣି ହେତୁ କର ॥ ୭୧
ତ୍ରିଗୁଣ ବନ୍ଧନରେ ପଡ଼ି । ଭବସାଗରେ ହେଳେ ବୁଡ଼ି ॥ ୭୨
ତେଣେ ନ ପାନ୍ତି ଥଳକୂଳ । ଭାସନ୍ତି ନିରାଶ୍ରୟ ଜଳ ॥ ୭୩
ପୁଣି ପଡ଼ଇ ପୁଣି ଉଠି । ତେଣୁ ଛାଡ଼ଇ ଆତ୍ମା ପିଠି ॥ ୭୪
ତ୍ରିଗୁଣ ରଜ୍ଜୁ ଦୃଢ଼ଫଳେ । ଫାଶ ଲାଗିଛି ଅନ୍ତରାଳେ ॥ ୭୫
କାମ କ୍ରୋଧାଦି ଦ୍ୟନ୍ତି ଯାକି । କଳ୍ପନାବେଗେ ନ୍ୟନ୍ତି ଝିଙ୍କି ॥ ୭୬
ପ୍ରକୃତି ସୁଅରେ ଭାସଇ । କାଳ କୁମ୍ଭୀର ଗରାସଇ ॥ ୭୭
ଷଡ଼ ଅଇରି ଏ ଲହରୀ । ମାରନ୍ତି ବେଳ ଜାଣି କରି ॥ ୭୮
ଏଣୁ ହୁଅଇ ପ୍ରାଣନାଶ । ଅପରେ ନାହିଁ ସୁଖ ଲେଶ ॥ ୭୯
ସତ୍ୟ ସଙ୍ଗକୁ ଅଭ୍ୟସିଣ । ଯେ କରେ ସେହି ମହାଜନ ॥ ୮୦
ଯେ ତତ୍ତ୍ଵ ବୁଝି ଆଚରନ୍ତି । ଭକ୍ତି ବଳରେ ସେ ମୋହନ୍ତି ॥ ୮୧
ତେଣୁ ଜ୍ଞାନ ପ୍ରବେଶ ହୁଏ । ବ୍ରହ୍ମକୁ ଏହି ଦେହେ ପାଏ ॥ ୮୨
ପରମ ବ୍ରହୁନାବ ଥାଉଁ । ପ୍ରାଣୀ ନ ବସେ ଚାହୁଁ ଚାହୁଁ ॥ ୮୩
ଏମନ୍ତ ନାବ ଥାଉଁ କୁଳେ । ଯେବା ନ ତରେ ଭବଜଳେ ॥ ୮୪
ସେ ଲୋକ ପତିତ ପାମର । ମୋହ ଜଡ଼ିତ ନିରନ୍ତର ॥ ୮୫
ଦିନେ ହେଁ ନ ବୋଲଇ ହରି । ସତ୍ସଙ୍ଗ ଦିନେ ନାହିଁ କରି ॥ ୮୬
ଦିନେ ନ ଜାଣେ ଆତ୍ମଜ୍ଞାନ । ବିଷ୍ଣୁଙ୍କୁ ନ କରେ ଦର୍ଶନ ॥ ୮୭
ସେ ଜୀବ ଆୟୁ ଥାଉଁ ମଲା । ଇହଲୋକରେ ନିନ୍ଦା ହେଲା ॥ ୮୮
ମୁହୁର୍ତ୍ତେ ଯେବେ ନାମ ଗାଇ । ନିମିଷେ ସତ୍ସଙ୍ଗ କରଇ ॥ ୮୯
ଦଣ୍ଡେ ଯେ କରେ ବିଷ୍ଣୁଧ୍ୟାନ । ନିମିଷେ କରେ ତତ୍ତ୍ଵଜ୍ଞାନ ॥ ୯୦
ସେ ଲୋକ ଜୀବିତ ଅଟଇ । ତା ତହୁଁ ଭଲନୁହେଁ କେହି ॥ ୯୧
ଏଥି ମୋ ଦେହେ ସର୍ବ ତୀର୍ଥ । ମୋ ନାମ ସର୍ବ କର୍ମ ବ୍ରତ ॥ ୯୨
ମୋଠାରୁ ନାହିଁନା ଦେବତା । ମୁହିଁଟି ସର୍ବ ଲୋକ ପିତା ॥ ୯୩
ମୁହିଁ ପବନ ଦିବାକର । ଅନଳ ଚନ୍ଦ୍ର ସୁନାସୀର ॥ ୯୪
ମୁହିଁ ଧରିତ୍ରୀ ଜଳ ମୁହିଁ । ବୃକ୍ଷ ଗଜ ଅଶ୍ଵ ବୋଲାଇ ॥ ୯୫
ସିଂହ ଶୃଗାଳ କୀଟ ଜନ୍ତୁ । ମୁହିଁ ନାରଦ ବ୍ରହ୍ମକେତୁ ॥ ୯୬
ମୁହିଁ କୁବେର ଧନପତି । ମୁଁ ଦଶ ଅବତାର ମୂର୍ତ୍ତି ॥ ୯୭
ମୁହିଁ ସକଳ ଯଜ୍ଞ କର୍ତ୍ତା । ମୁହିଁଟି କର୍ମ ବ୍ରହ୍ମବେତ୍ତା ॥ ୯୮
ମୁଁ ସତ୍ତ୍ଵ ରଜ ତମ ତିନି । ମୁହଁଟି ଦେଖି ଚାରିଖାନି ॥ ୯୯
କାହିଁ ମୁଁ ପିତା ହୋଇଥାଇ । କାହିଁ ମୁଁ ସ୍ତିରୀଲିଙ୍ଗ ହୋଇ ॥ ୧୦୦
ପୁତ୍ର ଭାରିଯା ମୁହିଁ କାହିଁ । ମୋବିନୁ କେ ଅଛଇ ଚାହିଁ ॥ ୧୦୧
ଶଳା ସମ୍ବନ୍ଧୀ ମୁହିଁ ଖ୍ୟାତ । ରାଜାର ମନ୍ତ୍ରୀ ମୁଁ ସାମନ୍ତ ॥ ୧୦୨
ଝିଅର ଗୃହସ୍ଥ ବୋଲାଇ । ତେଣୁ ମୁଁ ପିତାଟି ଅଟଇ ॥ ୧୦୩
ଏଣୁ ଅଖଣ୍ଡ ଏ ବିଭୂତି । ମୂର୍ଖେ ତା ଜାଣି ନ ପାରନ୍ଥି ॥ ୧୦୪
ମୁହିଁ ସକଳ ଭୂତେ ଥାଇ । ମୋ ବିନା ଅନ୍ୟ କେହି ନାହିଁ ॥ ୧୦୫
କାଷ୍ଠ ପାଷାଣ ତରୁ ତୃଣେ । ବସଇ ଶରୀର ପ୍ରମାଣେ ॥ ୧୦୬
ମୁଁ ଯହିଁ ନୋହିବି ପ୍ରବେଶ । ସେ ନୋହେ ସଂସାର ସରସ ॥ ୧୦୭
ଏଣୁ ମୁଁ ଦେଖ ସର୍ବଭୂତେ । ଭିନ୍ନ ନ କର କଦାଚିତେ ॥ ୧୦୮
ମୁଁ ବାଦ ବିବାଦ ଅଟଇ । ମୁଁ ଶାନ୍ତି ଅଶାନ୍ତି ବୋଲାଇ ॥ ୧୦୯
ମୁହିଁ ମାରଇ ମୋର ଦେହେ । ମୁହିଁ ମାରଇ ମୋର ପୋଏ ॥ ୧୧୦
ମୁଁ ପାପ ପୂଣ୍ୟ ମୁହିଁ ସାକ୍ଷୀ । ମୁଁ ହସେ ପରିହାସ ଦେଖି ॥ ୧୧୧
ମତ୍ତ ଉନ୍ମତ୍ତ କାହିଁ ହୋଇ । କାମୀ ଅକାମୀ କାହିଁ ମୁହିଁ ॥ ୧୧୨
ଅଳସ ବିଳାସ ମୁଁ ଜାଣେ । ମୁଁ ଅନ୍ଧ ଦେଖଇ ନୟନେ ॥ ୧୧୩
ମୁଁ ଶୋଭା ଅଶୋଭା ଅଟଇ । ମୁଁ ଫୁଲ ଅଫୁଲ ବୋଲାଇ ॥ ୧୧୪
ଗାୟତ୍ରୀ ପାତ୍ର ମୁଁ ବୋଲଇ । ବଳ ନିର୍ବଳ ମୁଁ ହୁଅଇ ॥ ୧୧୫
ଶିବ ଗାରେଡ଼ି ଚଣ୍ଡୀ ପୁଣି । ମୁଁ ସର୍ବଭୂତେ ଯେ ଡାହାଣୀ ॥ ୧୧୬
କାଳୀ ମୁଁ ମୋହ ମୁଖେ ଲାଖି । ମୁହିଁ ଝାଡ଼ଇ ମନ୍ତ୍ର ଯୋଖି ॥ ୧୧୭
ମୁଁ ସର୍ବଭାବେ ସାନ ବଡ଼ । ମୁଁ ଖ୍ୟାତବନ୍ତ ମୁହିଁ ରାଢ଼ ॥ ୧୧୮
ମୁହିଁ ସକଳଙ୍କ ଦେବତା । ମୁହିଁ ନାୟକ ବିଦ୍ୟାବେତ୍ତା ॥ ୧୧୯
ମୁହିଁ ମୋତେହେଁ କହେ ଜ୍ଞାନ । ମୁଁ ମୋହ ସୁଖେ ପ୍ରୟୋଜନ ॥ ୧୨୦
ମୁଁ ଶିଷ୍ୟ ଗୁରୁ ମୁହିଁ ହୋଇ । ମୋ କର୍ଣ୍ଣେ ମୁହିଁ ନାମଦେଇ ॥ ୧୨୧
ମୋତେ ଓଳଗେ ମୁହିଁ ଚାହିଁ । ଶ୍ରୀଗୁରୁ ଶିଷ୍ୟ ମୁଁ ବୋଲାଇ ॥ ୧୨୨
ମୁଁ ଦୋଷୀ ନିଦୌଷୀ ଅଦୃଷ୍ଟ । ମୁଁ ଭଲମନ୍ଦ ମୁଁ ପାପିଷ୍ଠ ॥ ୧୨୩
ଲତା ପୁଷ୍ପ ମୁଁ ଜୀବ ଜାତ । ଅନ୍ତ୍ର ବ୍ୟଞ୍ଜନ ପୟ ଘୃତ ॥ ୧୨୪
ମୁଁ ସର୍ବ ଭାବରେ ଘଟଣ । କାହିଁ ମୁଁ ଅଭକ୍ଷ ଭକ୍ଷଣ ॥ ୧୨୫
କାହିଁ ମୁଁ କର୍ମ କରେ ନିଷ୍ଠା । କାହିଁ ମୁଁ ଅକର୍ମ ଅନିଷ୍ଠା ॥ ୧୨୬
କାହିଁ ପାଷାଣ ପୂଜା ଦେଇ । କାହିଁ ମୁଁ ଦୁଃଖ ସହିଥାଇ ॥ ୧୨୭
ଏମନ୍ତ ମୋର ବହୁ ରୂପ । ଜଗତ ଦେଖ ମୋ ସ୍ଵରୁପ ॥ ୧୨୮
ମୋ ଭାବେ ସର୍ବେ କର ଦୟା । ଅନ୍ତରୁ ତେଜ ସର୍ବ ମାୟା ॥ ୧୨୯
ଏକ କରିଣ ତୋତେ ଚାହିଁ । ଏଥିରେ ସଂଶୟ ଯେ ନାହିଁ ॥ ୧୩୦
କହିଲୁ ଏକାକାର ଧର୍ମ । ସାଧିଲେ ପାଇବୁ ପରମ ॥ ୧୩୧
ଏ କର୍ମେ କିଛି ଲାଗିନାହିଁ । ବୁଝ ତୁ ଜ୍ଞାନ ଚକ୍ଷୁ ଫେଇ ॥ ୧୩୨
ଉଦ୍ଧବ ଦେଖ ମୋର ଖେଡ଼ । ମୋଠାରେ ନାହିଁ ସାନବଡ଼ ॥ ୧୩୩
ଉଦ୍ଧବ ଉବାଚ
ଉଦ୍ଧବ ବୋଇଲେ ଗୋସାଇଁ । ଦେଖିଲେ ପ୍ରତେ ଯିବି ମୁହିଁ ॥ ୧୩୪
କି ଭାବେ ହୁଏ ଏକାକାର । ଦେଖିବି ମୋତେ ଦୟା କର ॥ ୧୩୫
ଶ୍ରୀ1 ଭଗବାନୁବାଚ
ଉଦ୍ଧବ ଶୁଣ ମୁଁ କହଇ । ଶ୍ରୀ ବୃନ୍ଦାବନେ କରିଛଇଁ ॥ ୧୩୬
ଗୋପ ବାଳକ ଏକ କରି । ଭୁଞ୍ଜଇ ଘେନି ଅଧିକାରୀ ॥ ୧୩୭
ରାମ ଅବତାର ବାରତା । ବନେ ମୁଁ ହରାଇଲି ସୀତା ॥ ୧୩୮
ବାନର ବଳ ସୁଗ୍ରୀ ଆଣି । ସାଜିଲି ଲଙ୍କାକୁ ସଇନି ॥ ୧୩୯
ବାନର ଘେନି ଏକାକାର । ଫଳମୂଳ କରି ଆହାର ॥ ୧୪୦
ଶବରୀ ଉଚ୍ଚିଷ୍ଟ ଭୁଞ୍ଜିଲି । ବିଦୂର ଘରେ ଯେ ଖାଇଲି ॥ ୧୪୧
ଏଣୁ ମୁଁ ଅବିକାର ମୟ । ନୀଳକନ୍ଦରେ ମୋ ଉଦୟ ॥ ୧୪୨
ଜାତି ଅଜାତି ଏକାକାର । ବର୍ଣ୍ଣଭେଦ ନାହିଁ ବିଚାର ॥ ୧୪୩
ଏହା ସେ ଅନ୍ୟେ ନ ଜାଣନ୍ତି । ସନ୍ଥମାନେ ଏହା ଘେନନ୍ତି ॥ ୧୪୪
ମୋ ପ୍ରତି ଅର୍ଥେ କର୍ମ ଏହି । ଏ କର୍ମ କଲେ ମୋତେ ପାଇ ॥ ୧୪୫
ଆଉ ସଂସାରେ ଯେତେ କର୍ମ । ସେମାନ ଅଟେ ମନଭ୍ରମ ॥ ୧୪୬
ତୁହି ଯେ ଦ୍ଵାରକାରେ ଥିଲୁ । ବଦ୍ରିକା ମେଲାଣି ହୋଇଲୁ ॥ ୧୪୭
ପ୍ରଭାସ ତୀର୍ଥେ ଯାହା ହେଲା । ତା ତୋ ନୟନ ନ ଦେଖିଲା ॥ ୧୪୮
ତତ୍ତ୍ଵ ପାଇଲେ ସର୍ବେ ନାହିଁ । କାଦମ୍ବ ପାନେ ମତ୍ତ ହୋଇ ॥ ୧୪୯
ତାହା ଖାଇଲି ତାଙ୍କୁ ଘେନି । କେହିକାହାକୁ ଯେ ନ ଚିହ୍ନି ॥ ୧୫୦
ହୋଇଲେ ସମାପତ ଜାଣ । ମୁହିଁତ କଲଇଁ ପ୍ରମାଣ ॥ ୧୫୧
ଏଣୁ ସେ ଏକାକାର ସାର । ତୁମ୍ଭେ କାଦମ୍ବ ପାନ କର ॥ ୧୫୨
ଶୁଣି ଉଦ୍ଧବ ଯେ ଉଠିଲା । ଚରଣ ତଳରେ ପଡ଼ିଲା ॥ ୧୫୩
ପୁଣି ଉଠଇ ପୁଣି ପଡ଼େ । ଆନନ୍ଦ ଭାବେ ଭୂମି ଗଡ଼େ ॥ ୧୫୪
ପାଇଲି ଏତେଦିନେ ଦୀକ୍ଷା । ଫିଟିଲା ମନର ଆକାଂକ୍ଷ। ॥ ୧୫୫
ଦ୍ଵାରକା ଜଗନ୍ନାଥ ଦାସ । ଗୁପତ ଜ୍ଞାନ ପରକାଶ ॥ ୧୫୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ
ବିଭୂତି ଯୋଗ କଥନେ ନାମ ଦଶମୋଦ୍ଧଧାୟଃ ॥
* * *