ତ୍ରୟୋଦଶ ସ୍କନ୍ଧ

ନବମ ଅଧ୍ୟାୟ

ଶ୍ରୀ1 ଭଗବାନୁବାଚ

ଉଦ୍ଧବ ଶୁଣ ଜ୍ଞାନ ମାର୍ଗ । ମାତା ଜଠରେ କାୟା ୟୋଗ ॥

ପ୍ରଥମେ ଆକାଶ ହୋଇଲା । ଆକାଶୁଁ ବାୟୁଜାତ ହେଲା ॥

ବିନ୍ଦୂତରଳ ଜଳମୟେ । ଆକାଶୁଁ ବାୟୁ ସର ବହେ ॥

ପ୍ରଥମ ଦିନର ଲହରୀ । ଦ୍ଵିତୀୟ ଦିନେ ଫେଣ କରି ॥

ତୃତୀୟ ଦିନେ ବିନ୍ଦୁ ବିନ୍ଦୁ । ପ୍ରକାଶ ହୋଇଲାକ ଇନ୍ଦୁ ॥

ଚତୁର୍ଥ ଦିନେ ଚତୁର୍ଭୁଜ । ପଞ୍ଚମ ଦିନେ ପଞ୍ଚତେଜ ॥

ଷଡ଼ ଦିନରେ ଷଡ଼ରତୁ । ସପତ ଦିନେ ସପ୍ତ ବପୁ ॥

ଅଷ୍ଟମ ଦିନେ ଅଷ୍ଟକଳା । ଅଷ୍ଟାଙ୍ଗ ଯୋଗ ବସାଇଲା ॥

ନବ ଦିନରେ ନୀଳବର୍ଣ୍ଣ । ନ ନାଡ଼ି କଲା ସଞ୍ଚରଣ ॥

ଦଶ ଦିନରେ ଦଶଦ୍ଵାର । ସଞ୍ଚିତ କଲା ଅଗୋଚର ॥ ୧୦

ଏଗାର ଦିନେ ବାଣ୍ଟ କଲା । ଏକାଦଶ ଇନ୍ଦ୍ରି ଖଞ୍ଜିଲା ॥ ୧୧

ବାର ଦିନରେ ବାଣ୍ଟିଆଣି । ବୁଦ୍ଧିକି କଲା କ ବରଣି ॥ ୧୨

ତେର ଦିନରେ ତିନିଗୁଣ । ତଳୁ ତଳିପା ଜନେ ସ୍ଥାନ ॥ ୧୩

ଚଉଦ ଦିନେ ଚାରିବେଦ । ଷଡ଼ଚକ୍ର ଆଦି ଶବଦ ॥ ୧୪

ପନ୍ଦର ଦିନେ ଗୋଳ ହୋଇ । ମାସକେ ରଜ ପାଲଟଇ ॥ ୧୫

ଦେଢ଼ ମାସରେ ସଞ୍ଚା ରହେ । ଦ୍ବିତୀୟ ମାସେ ସଞ୍ଚେ କାୟେ ॥ ୧୬

ଅଢ଼ାଇ ମାସେ ମାଂସ ଚର୍ମ । ସୂଚିମୁନ ପ୍ରମାଣେ ଲୋମ ॥ ୧୭

ତିନି ମାସରେ କରେ ପାଦ । ନାସା କର୍ଣ୍ଣ ମୁଖ ସୁସ୍ଵାଦ ॥ ୧୮

ପୃଥ୍ଵୀ ଆପ ଅଗ୍ନି ପବନ । ଆକାଶ ବଳେ କାୟା ଜନ୍ମ ॥ ୧୯

ଚାରି ମାସରେ ଜୀବ ରହେ । ପଞ୍ଚ ଆତ୍ମାକୁ ସଙ୍ଗେ ଲୟେ ॥ ୨୦

ଅନାହତ କର୍ଣ୍ଣେ ଶୁଭଇ । କାୟା ପବିତ୍ର ତେଣେ ହୋଇ ॥ ୨୧

ଫିଟଇ ନିର୍ଭର କବାଟ । ଈଶ୍ବର ଶିରେ ଯେଉଁ ବାଟ ॥ ୨୨

ପାଞ୍ଚ ମାସେ ଏତେକ ହୋଇ । ପରମ ଆତ୍ମା ତହୁଁ ରହି ॥ ୨୩

ନାସା ପବନେ ଘରଘଟ । ଜଳ ପଶଇଁ ଘଟେ ଘଟ ॥ ୨୪

ମୁଳ ସନ୍ନିଧେ ପଶେ ଘଟେ । ଯନ୍ତ୍ରିତ ମୃତ୍ୟୁ ନଦୀ ତଟେ ॥ ୨୫

ଏ ସାତମାସେ ହୁଏ ଜାତ । ଶୁଣ ଉଦ୍ଧବ ଜ୍ଞାନତତ୍ତ୍ଵ ॥ ୨୬

ସର୍ବ ସଞ୍ଚିତ ଅଷ୍ଟମାସେ । ଷଡ଼ଗଣ୍ଠି ଖଞ୍ଜି ତେବେ ସେ ॥ ୨୭

ଅଙ୍ଗୁଷ୍ଠି ନଖ ଇନ୍ଦ୍ରିୟାଦି । ଅଷ୍ଟାଙ୍ଗେ ବସିଲା ସମ୍ପାଦି ॥ ୨୮

ନବ ମାସରେ ନବଖଣ୍ଡ । କରିଣ ସଞ୍ଚିଲା ବ୍ରହ୍ମାଣ୍ଡ ॥ ୨୯

ନ ନାଡ଼ି ହସ୍ତ ପାଦ ଛନ୍ଦି । ଶିର ସନ୍ନିଧେ ଶିର ବାନ୍ଧି ॥ ୩୦

ଚର୍ମ ମୁଣାରେ ରହିଥାଇ । ଚେତନା ଚିତ୍ତେ ପ୍ରବେଶଇ ॥ ୩୧

ହେଠ ବଦନେ ଦଶମାସେ । ଦଶଦ୍ଵାର ଫିଟେ ତେବେ ସେ ॥ ୩୨

ଫିଟେ ବନ୍ଧନ ନାଡ଼ ଛନ୍ଦି । ମୁଣା ଫିଟାଇ ମୁତ୍ର ଭେଦି ॥ ୩୩

ଅନାଦି ବ୍ରହ୍ମ ଆତ୍ମାଧ୍ୟାନ । ଭଜିଲା କୁଆଁ ଶବଦେଣ ॥ ୩୪

ଶୁଣ ଉଦ୍ଧବ ଏହିମତେ । କାୟା ଜନ୍ମିଲା ଅନ୍ତର୍ଗତେ ॥ ୩୫

କହିଲା ପରମ ଗୋପ୍ୟାନ । ଏହାକୁ ଦୃଢ଼ କରି ଘେନ ॥ ୩୬

ଏଣୁ ଏ କାୟା କର୍ମମୟ । ଅନାଦି ଅଚ୍ୟୁତ ଅବ୍ୟୟ ॥ ୩୭

ଶୁଣି ଉଦ୍ଧବ ହୁଏ ତୋଷ । ଦ୍ଵାରକା ଜଗନ୍ନାଥ ଦାସ ॥ ୩୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ

କାୟା ସୃଜନେ ନାମ ନବମୋଦ୍ଧଧାୟଃ ॥

* * *