ତ୍ରୟୋଦଶ ସ୍କନ୍ଧ
ନବମ ଅଧ୍ୟାୟ
ଶ୍ରୀ1 ଭଗବାନୁବାଚ
ଉଦ୍ଧବ ଶୁଣ ଜ୍ଞାନ ମାର୍ଗ । ମାତା ଜଠରେ କାୟା ୟୋଗ ॥ ୧
ପ୍ରଥମେ ଆକାଶ ହୋଇଲା । ଆକାଶୁଁ ବାୟୁଜାତ ହେଲା ॥ ୨
ବିନ୍ଦୂତରଳ ଜଳମୟେ । ଆକାଶୁଁ ବାୟୁ ସର ବହେ ॥ ୩
ପ୍ରଥମ ଦିନର ଲହରୀ । ଦ୍ଵିତୀୟ ଦିନେ ଫେଣ କରି ॥ ୪
ତୃତୀୟ ଦିନେ ବିନ୍ଦୁ ବିନ୍ଦୁ । ପ୍ରକାଶ ହୋଇଲାକ ଇନ୍ଦୁ ॥ ୫
ଚତୁର୍ଥ ଦିନେ ଚତୁର୍ଭୁଜ । ପଞ୍ଚମ ଦିନେ ପଞ୍ଚତେଜ ॥ ୬
ଷଡ଼ ଦିନରେ ଷଡ଼ରତୁ । ସପତ ଦିନେ ସପ୍ତ ବପୁ ॥ ୭
ଅଷ୍ଟମ ଦିନେ ଅଷ୍ଟକଳା । ଅଷ୍ଟାଙ୍ଗ ଯୋଗ ବସାଇଲା ॥ ୮
ନବ ଦିନରେ ନୀଳବର୍ଣ୍ଣ । ନ ନାଡ଼ି କଲା ସଞ୍ଚରଣ ॥ ୯
ଦଶ ଦିନରେ ଦଶଦ୍ଵାର । ସଞ୍ଚିତ କଲା ଅଗୋଚର ॥ ୧୦
ଏଗାର ଦିନେ ବାଣ୍ଟ କଲା । ଏକାଦଶ ଇନ୍ଦ୍ରି ଖଞ୍ଜିଲା ॥ ୧୧
ବାର ଦିନରେ ବାଣ୍ଟିଆଣି । ବୁଦ୍ଧିକି କଲା କ ବରଣି ॥ ୧୨
ତେର ଦିନରେ ତିନିଗୁଣ । ତଳୁ ତଳିପା ଜନେ ସ୍ଥାନ ॥ ୧୩
ଚଉଦ ଦିନେ ଚାରିବେଦ । ଷଡ଼ଚକ୍ର ଆଦି ଶବଦ ॥ ୧୪
ପନ୍ଦର ଦିନେ ଗୋଳ ହୋଇ । ମାସକେ ରଜ ପାଲଟଇ ॥ ୧୫
ଦେଢ଼ ମାସରେ ସଞ୍ଚା ରହେ । ଦ୍ବିତୀୟ ମାସେ ସଞ୍ଚେ କାୟେ ॥ ୧୬
ଅଢ଼ାଇ ମାସେ ମାଂସ ଚର୍ମ । ସୂଚିମୁନ ପ୍ରମାଣେ ଲୋମ ॥ ୧୭
ତିନି ମାସରେ କରେ ପାଦ । ନାସା କର୍ଣ୍ଣ ମୁଖ ସୁସ୍ଵାଦ ॥ ୧୮
ପୃଥ୍ଵୀ ଆପ ଅଗ୍ନି ପବନ । ଆକାଶ ବଳେ କାୟା ଜନ୍ମ ॥ ୧୯
ଚାରି ମାସରେ ଜୀବ ରହେ । ପଞ୍ଚ ଆତ୍ମାକୁ ସଙ୍ଗେ ଲୟେ ॥ ୨୦
ଅନାହତ କର୍ଣ୍ଣେ ଶୁଭଇ । କାୟା ପବିତ୍ର ତେଣେ ହୋଇ ॥ ୨୧
ଫିଟଇ ନିର୍ଭର କବାଟ । ଈଶ୍ବର ଶିରେ ଯେଉଁ ବାଟ ॥ ୨୨
ପାଞ୍ଚ ମାସେ ଏତେକ ହୋଇ । ପରମ ଆତ୍ମା ତହୁଁ ରହି ॥ ୨୩
ନାସା ପବନେ ଘରଘଟ । ଜଳ ପଶଇଁ ଘଟେ ଘଟ ॥ ୨୪
ମୁଳ ସନ୍ନିଧେ ପଶେ ଘଟେ । ଯନ୍ତ୍ରିତ ମୃତ୍ୟୁ ନଦୀ ତଟେ ॥ ୨୫
ଏ ସାତମାସେ ହୁଏ ଜାତ । ଶୁଣ ଉଦ୍ଧବ ଜ୍ଞାନତତ୍ତ୍ଵ ॥ ୨୬
ସର୍ବ ସଞ୍ଚିତ ଅଷ୍ଟମାସେ । ଷଡ଼ଗଣ୍ଠି ଖଞ୍ଜି ତେବେ ସେ ॥ ୨୭
ଅଙ୍ଗୁଷ୍ଠି ନଖ ଇନ୍ଦ୍ରିୟାଦି । ଅଷ୍ଟାଙ୍ଗେ ବସିଲା ସମ୍ପାଦି ॥ ୨୮
ନବ ମାସରେ ନବଖଣ୍ଡ । କରିଣ ସଞ୍ଚିଲା ବ୍ରହ୍ମାଣ୍ଡ ॥ ୨୯
ନ ନାଡ଼ି ହସ୍ତ ପାଦ ଛନ୍ଦି । ଶିର ସନ୍ନିଧେ ଶିର ବାନ୍ଧି ॥ ୩୦
ଚର୍ମ ମୁଣାରେ ରହିଥାଇ । ଚେତନା ଚିତ୍ତେ ପ୍ରବେଶଇ ॥ ୩୧
ହେଠ ବଦନେ ଦଶମାସେ । ଦଶଦ୍ଵାର ଫିଟେ ତେବେ ସେ ॥ ୩୨
ଫିଟେ ବନ୍ଧନ ନାଡ଼ ଛନ୍ଦି । ମୁଣା ଫିଟାଇ ମୁତ୍ର ଭେଦି ॥ ୩୩
ଅନାଦି ବ୍ରହ୍ମ ଆତ୍ମାଧ୍ୟାନ । ଭଜିଲା କୁଆଁ ଶବଦେଣ ॥ ୩୪
ଶୁଣ ଉଦ୍ଧବ ଏହିମତେ । କାୟା ଜନ୍ମିଲା ଅନ୍ତର୍ଗତେ ॥ ୩୫
କହିଲା ପରମ ଗୋପ୍ୟାନ । ଏହାକୁ ଦୃଢ଼ କରି ଘେନ ॥ ୩୬
ଏଣୁ ଏ କାୟା କର୍ମମୟ । ଅନାଦି ଅଚ୍ୟୁତ ଅବ୍ୟୟ ॥ ୩୭
ଶୁଣି ଉଦ୍ଧବ ହୁଏ ତୋଷ । ଦ୍ଵାରକା ଜଗନ୍ନାଥ ଦାସ ॥ ୩୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ
କାୟା ସୃଜନେ ନାମ ନବମୋଦ୍ଧଧାୟଃ ॥
* * *