ତ୍ରୟୋଦଶ ସ୍କନ୍ଧ
ଅଷ୍ଟମ ଅଧ୍ୟାୟ
ଉଦ୍ଧବ ଉବାଚ
ଉଦ୍ଧବ ଶୁଣି ଜ୍ଞାନସାର । ବୋଲଇ ଶୁଣ ଚକ୍ରଧର ॥ ୧
ଏ ଦେହ କାହୁଁ ଜାତ ହୋଇ । କେମନ୍ତେ ଆତ୍ମା ପ୍ରକାଶଇ ॥ ୨
କାହୁଁ ପାଇଲା ଦିବ୍ୟଜ୍ଞାନ । କେ ଦେଲା ଲୋମ ଚର୍ମ ମାନ ॥ ୩
କାହୁଁ ଖଞ୍ଜିଲା ଏତେ ଅସ୍ଥି । ଶିର ସଙ୍କୁଳ ନାଡ଼ୀ ଗଣ୍ଡି ॥ ୪
ଏକଥା ଶୁଣିବାକୁ ଇଚ୍ଛା । ପୁଚ୍ଛଇ ମୋର ମନୋବାଞ୍ଛା ॥ ୫
ଶ୍ର1 ଭଗବାନୁବାଚ
ଉଦ୍ଧବ ଶୁଣ ଗର୍ଭବାସ । ଏ ଯୋଗ ଜାଣନ୍ତି ମହେଶ ॥ ୬
ଜନନି ଜଠର ବାରତା । ପୂର୍ବେ କହିଲେ ମୋତେ ପିତା ॥ ୭
କପିଳ ପୂର୍ବେ କଲେ ଯାହା । ଏବେ ମୁଁ କହୁଅଛି ତାହା ॥ ୮
ମାତା ପିତାର ସଂଯୋଗରୁ । ବିନ୍ଦୁ ଖସିଲା ଗଗନରୁ ॥ ୯
ଅଣିମା ଆଦି ଅଣାକାର । ସେ ଆଦି ବ୍ରହ୍ମ ସଦାଚାର ॥ ୧୦
ପ୍ରାଣ ଉଦ୍ୟାପନ ବଳି ତିନି । ସାମାନ୍ୟ ଜ୍ଞାନ ପଞ୍ଚଘେନି ॥ ୧୧
ବ୍ରହ୍ମ ମଣ୍ଡଳେ ଲାଗି ଯାଇ । ଯାଇ ପରମ ଓଟାରଇ ॥ ୧୨
ଶୂନ୍ୟ ଖୁଆରେ ଶୂନ୍ୟ ଫାଶ । ମଛନ୍ତି ଧରି ବେନି ହଂସ ॥ ୧୩
ଲବଣୀ ହୁଏ ତହୁଁ ଜାତ । ଅଗ୍ନି କଣିକା ତେଜମତ ॥ ୧୪
ବିଜୁଳି ଗଗନେ ଯେସନ । ଝଟକ ଜ୍ୟୋତି ସଙ୍ଗତେଣ ॥ ୧୫
ପରମ ସାଉଁଟି ଧଇଲା । ଶୀଘ୍ରେ ତ୍ରିକୁଟେ ପୁରାଇଲା ॥ ୧୬
ଶୁକ୍ରରୁ ବଳେ ଗଲା ପଶି । ଜୀବ ପରମ ସଙ୍ଗେ ମିଶି ॥ ୧୭
ଘଟିକା ପରେ ଯେଉଁ ବାଟ । ଆତ୍ମା ଦ୍ଵାରକୁ ସେ ନିକଟ ॥ ୧୮
ନିଶୁତି ସୁଷୁପତି ଦୁଇ । ଜାଗ୍ରତ ତୃତୀୟ ବୋଲାଇ ॥ ୧୯
ଏ ଚାରିଦ୍ଵାର ଏକ ଯହିଁ । ଅବିବି ସେ ସ୍ଥାନକୁ କହି ॥ ୨୦
ଅବିବି ମଣ୍ଡଳ ଉତ୍ତାରୁ । ସୂଚୀ ମୁନରୁ ବାଟ ସରୁ ॥ ୨୧
ଘଟିକା ପରେ ସେହି ବାଟ । ତହିଁରେ ପ୍ରବେଶ ଅନାଥ ॥ ୨୨
କାଳ କମଳ ନିରଞ୍ଜନ । ଚିଆଇଁ ଚଇତନ୍ୟ ଜ୍ଞାନ ॥ ୨୩
ଉର୍ମ ଧୁର୍ମ ଯେ ଜ୍ୟୋତିଜ୍ଜାଳା । ବେଦ ଚାରି ଚବିଶ କଳା ॥ ୨୪
ଶବ୍ଦ ସ୍ପରଣ ଗନ୍ଧ ଜଳ । ସମସ୍ତେ ହୋଇ ଏକମେଳ ॥ ୨୫
ଜୀବ ପରମ ବ୍ରହ୍ମ ତିନି । ଗମନ୍ତେ ଖସିଲା ମେଦିନୀ ॥ ୨୬
ଈଶ୍ଵର ଥିଲେ ଷୋଳ ଦଳେ । ଦେଖିଲେ ପରଂବ୍ରହ୍ମ ଡୋଳେ ॥ ୨୭
ଜ୍ଞାନ ଅଜ୍ଞାନ ପଢ଼ିହାରୀ । ଦ୍ଵାରେ ଅଛନ୍ତି ଛଡ଼ି ଧରି ॥ ୨୮
ଚେତନା ନନ୍ଦିଘୋଷ ଯାନ । ତହିଁ ବିଜୟ ଭଗବାନ ॥ ୨୯
ଜୀବ ପରମ ଏ ବାହୁକ । ବେଦ ଚାରି ଏ ଅଶ୍ଵ ଦେଖ ॥ ୩୦
ଶ୍ରେଳ ଡମ୍ବରୁ ଏକ ହୋଇ । ଅଷ୍ଟାଙ୍ଗ ଯୋଗ ଆଜ୍ଞା ବହି ॥ ୩୧
ଇଡ଼ା ଯେ ବସେ ବାମପାଶେ । ଚାମର ଘେନିଣ ପାରୁଶେ ॥ ୩୨
ପିଙ୍ଗଳା ଦକ୍ଷିଣ ଆବୋରି । ଆଲଟ ଧରେ ଧୀର କରି ॥ ୩୩
ଧର୍ମ ଦିହୁଡ଼ି ଊର୍ମ ଧରେ । ସେ ଧର୍ମ କେଭେ ନ ଆଚରେ ॥ ୩୪
ଜ୍ୟୋତି ଜ୍ଵାଳା ଏ ବେନି ଜନ । ପ୍ରକୃତି କରନ୍ତି ପ୍ରୟାଣ ॥ ୩୫
ମଙ୍ଗଳ ରସ ଗନ୍ଧବାଡ଼େ । ବୈକୁଣ୍ଡୁ ପ୍ରଭୁ ଖସିପଡ଼େ ॥ ୩୬
ଧୃବମଣ୍ଡଳେ ହେଲେ ଆସି । ଦୁରୁ ଦେଖିଲେ ବ୍ରହ୍ମରାଶି ॥ ୩୭
ତହୁଁ ଗମିଲେ ଶିବପୁର । ଦେଖିଣ ଉଠିଲେ ଶଙ୍କର ॥ ୩୮
ଷୋଳ ସହସ୍ର ରୁଦ୍ରଗଣ । ଦେଖିଲେ ପ୍ରଭୁଙ୍କ ଚରଣ ॥ ୩୯
ତହିଁ ବିଜୟେ ଦଣ୍ଡେ ରହି । ପ୍ରବେଶ ବିଷ୍ଣୁପୁରେ ହୋଇ ॥ ୪୦
ବିଷ୍ଣୁ ଜାଣିଲେ ବ୍ରହ୍ମ ଖସୁ । ପାଛୋଟି ଅଇଲେ ସେ ଆସୁ ॥ ୪୧
ଅନେକ ସ୍ତୁତିକଲେ ସେହି । ନମଃ ଅଖଣ୍ଡ ବ୍ରହ୍ମଦେହୀ ॥ ୪୨
ଅନନ୍ତ ଅଣାକାର ମୂର୍ତ୍ତି । ବିଷ୍ଣୁ ଏ ରୂପେ କଲେ ସ୍ତୁତି ॥ ୪୩
ତହୁଁ ଖସିଲେ ଧୀରେ ଧୀରେ । ପ୍ରବେଶ ବ୍ରହ୍ମ ମଣ୍ଡଳରେ ॥ ୪୪
ଯହୁଁ ଶୁଭିଲା ଜୟଶଙ୍ଖ । ବେଗେ ଉଠିଲେ ଚତୁର୍ମୁଖ ॥ ୪୫
ଅର୍ଘ୍ୟ ସେ ଦେଲେ ତିନିଜଣେ । ଆସଇ ଗହନ ଗହନେ ॥ ୪୬
ନିଜପୁରେ ପ୍ରବେଶ ଧାତା । ଜଣାଇ ଜଗତ କରତା ॥ ୪୭
ଭେ। ଦେବ ଏହି ମୋ ନଗର । ଦଶଯୋଜନ ଏ ବିସ୍ତାର ॥ ୪୮
ଏ ସ୍ଥନ ଦେଇଅଛ ମୋତେ । ଭାଗ୍ୟ ଏ ସ୍ଥଳ ବିଜେ ଏଥେ ॥ ୪୯
ଅଷ୍ଟଦିଗପାଳ ମିଳିଲେ । ଦର୍ଶନ ବ୍ରହ୍ମଙ୍କୁ ଯେ କଲେ ॥ ୫୦
ତହୁଁ ଚଳିଲେ ଭଗବାନ । ମିଳିଲେ କାମର ଭୁବନ ॥ ୫୧
ତାଙ୍କୁ ପାତାଳ ଲୋକ ଆସି । ଦର୍ଶନ କଲେ ଅବିନାଶି ॥ ୫୨
ଗଣେଶ କାମ ବେନି ଜନ । ଦର୍ଶନ କଲେ ନିରଞ୍ଜନ ॥ ୫୩
କାମର ମଣ୍ଡଳେ ଯେ ହୋଇ । ପିତାର ଜ୍ଞାନ ବୁଝୁଛଇ ॥ ୫୪
ଖସି ପଡ଼ିଲେ ଭଗଦ୍ଵାରେ । କ୍ଷେପେ ଚାରିଯୁଣ ଶୂନ୍ୟରେ ॥ ୫୫
ନାଭି କମଳ ଦଶଯୁଣ । ଦୀର୍ଘପ୍ରତି ତା ସରି ଜାଣ ॥ ୫୬
ପଦ୍ମର ମଧ୍ୟରେ କେଶର । ତହିଁ ବିଜୟେ ନିରାକାର ॥ ୫୭
ଆମୋଦ ମୁଦିଲା କମଳ । ଯେସନେ ଚକ୍ରକୁ କୁରାଳ ॥ ୫୮
ପଡ଼ନ୍ତେ ଭ୍ରମିଲା ତେସନେ । ଏତେ ହୋଇଲା ରାତ୍ରମାନେ ॥ ୫୯
ପ୍ରଥମ ଦିନେ ବିନ୍ଦୁସାର । ହୋଇଲା ମଣ୍ଡଳ ଆକାର ॥ ୬୦
ତାଳୁକ ବୋଲି ଯେଉଁ ସ୍ଥାନ । ମାପରେ ସେହି ଚାରିଯୁଣ ॥ ୬୧
ତହିଁ ଚାହିଁଲେ ବ୍ରହ୍ମରାଶି । ନାଭିରୁ କମଳ ପ୍ରକାଶି ॥ ୬୨
କୋଇଲି ସୁତା ପ୍ରାୟ ହୋଇ । ନାଡ଼ି ବଢ଼ିଲା ଯୁଣ ଦୁଇ ॥ ୬୩
ଯେ ବ୍ରହ୍ମ ହୋଇ ଠୁଳାକାର । ପ୍ରକୃତି ପୁରୁଷ ବାହାର ॥ ୬୪
ସେ ପ୍ରକୃତିଟି ଅର୍ଦ୍ଧମାତ୍ରା । ହୋଇଛି ସେହିଟି ଭ୍ରୁଲତା ॥ ୬୫
ତହୁଁ ବାହାର ତିନିଜଣ । କାଳ କମଳ ନିରଞ୍ଜନ ॥ ୬୬
ଚାରି ବେଦହିଁ ସପ୍ତଦଳ । ଉର୍ମ ଧୂର୍ମ ଜ୍ୟୋତି ଉଜ୍ଜ୍ଵଳ ॥ ୬୭
ଏ ଚାରି ସଞ୍ଚରଣ ହେଲା । ମୁର୍ଦ୍ଧନୀ ଦଣ୍ଡ ଜନମିଲା ॥ ୬୮
ଓଁକାର ମତେ ଦେହମତ । ଚାରି ଯୋଜନ ଦଣ୍ଡଖ୍ୟାତ ॥ ୬୯
ସେଠାରୁ ଶିବଲୋକ କଲା । ଚନ୍ଦ୍ର ସୂର୍ଯ୍ୟଙ୍କୁ ଭିଆଇଲା ॥ ୭୦
କାମର ପାଶେ ତାକୁ ଦେଇ । ଛନ୍ଦିଲା ମାଳରେ ତା ନେଇ ॥ ୭୧
ସ୍ତମ୍ଭେ ବାନ୍ଧିଲା ଦୁଇ ଧରି । ଗଣ୍ଠୀ ପଡ଼ିଲା ବଜ୍ରପରି ॥ ୭୨
ଗଙ୍ଗା ଯମୁନା ସରସ୍ଵତୀ । ଆକାଶୁ ବହେ ଶୁଦ୍ଧ ଜ୍ୟୋତି ॥ ୭୩
ଘଟିକା ବ୍ରହ୍ମ ରନ୍ଧ୍ର ଘର । ହାବୋଡ଼ି ରହିଲା ସେଠାର ॥ ୭୪
ତହିଁ ଉପରେ ବେନିଛନ୍ଦ । ତାକୁ ବୋଲି ସିତୁଳୀ ବନ୍ଧ ॥ ୭୫
ଈଶ୍ଵର ରହିଲେ ସେଠାରେ । ପାର୍ବତୀ ଶଙ୍କର ଉପରେ ॥ ୭୬
ଷୋଳ କମଳ ଦଳ ଫୁଟି । ବସେ ଅକ୍ଷର ଷୋଳଗୋଟି ॥ ୭୭
ପୁଣି ସେ ମେରୁଦଣ୍ଡ ଖଣ୍ଡ । ବଢ଼ିଲା ଚାରିଯୂଣ ପିଣ୍ଡ ॥ ୭୮
ପ୍ରାଣ ଲିଙ୍ଗକୁ ସ୍ଥାନେ ରଖି । ଲକ୍ଷ୍ମୀ ନାମେଣ ଶକ୍ତି ଲେଖି ॥ ୭୯
ଦ୍ଵାଦଶ ଦଳ ସେ କମଳ । ଫୁଟିଲା ହୋଇଣ ନିର୍ମଳ ॥ ୮୦
ବାର ଅକ୍ଷର ତହିଁ ବସେ । କୁଙ୍କୁମ କଳାରଙ୍ଗ ମିଶେ ॥ ୮୧
ମେରୁ ଦଣ୍ଡକୁ ପୁଣି ଗଢ଼ି । ଚାରି ଯୋଜନ ଉଚ୍ଚେ ଚଢ଼ି ॥ ୮୨
ତହିଁ ଦଶଦଳ କମଳ । ଫୁଟିଲା ହୋଇଣ ନିର୍ମଳ ॥ ୮୩
ଦଶ ଅକ୍ଷର ତହିଁ କଲା । ବ୍ରହ୍ମା ସାବିତ୍ରୀ ଯେ ଗଢ଼ିଲା ॥ ୮୪
ପୁଣି ଗଢ଼ିଲା ମେରୁଦଣ୍ଡ । ଯୋଜନ ବଢ଼େ ମେରୁ ପିଣ୍ଡ ॥ ୮୫
ଷଡ କମଳ କଲା ଜାତ । ଷଡ଼ ଅକ୍ଷର ତହିଁ ସ୍ଥିତ ॥ ୮୬
କାମ କର୍ମାଦି ତହିଁ ରହି । ସେ ପୁଣି ବ୍ରହ୍ମାଣ୍ଡ ସୃଜଇ ॥ ୮୭
ତହିଁ ବଢ଼ିଲା ମେରୁ ହାଡ଼ । ଯୁଣ କେ କଲା ମାପ ଗୋଡ଼ ॥ ୮୮
ଚାରି ପାଖୁଡ଼ା ଏକମେଳ । ଚାରି ଅକ୍ଷର ହୁଏ ଠୁଳ ॥ ୮୯
ତହିଁରେ ଗଣେଶ ସ୍ଥାପିଲା । ଶକ୍ତି ଚକ୍ରତୁଣ୍ଡ ରଚିଲା ॥ ୯୦
ଏକା ଦଣ୍ଡରେ ଫୁଟି ଫୁଲ । ବୋଲାଇ ଏ ପଞ୍ଚାଶ ଦଳ ॥ ୯୧
ମୂଳ କମଳ ମୂଳ ସଞ୍ଚି । ଆର କମଳେ ଯେ କାମାକ୍ଷି ॥ ୯୨
ମୃତ୍ୟୁ ସଞ୍ଚିତ କରେ ନେଇ । ଜଠରେ କ୍ଷୁଧା ତୃଷା ଲଇ ॥ ୯୩
ହୃଦରେ ନିଦ୍ରାରଟି ଘର । କଣ୍ଠରେ ସପତ ଭଣ୍ଡାର ॥ ୯୪
ମୁଖରେ ଶବଦର ସ୍ଥାନ । ନାସାରେ ଗନ୍ଧ ଆମୋଦନ ॥ ୯୫
ନୟନେ ରୁପ କଲା ଆଣି । ଶ୍ରବଣେ ଭଲ ମନ୍ଦ ଶୁଣି ॥ ୯୬
ଆକାଶ ଶିର କଣ୍ଠକାୟୋ । ବାୟବ୍ୟ କଣ୍ଠ ସ୍ଥାନ ହୁଏ ॥ ୯୭
ସେ ନାଡ଼ ନାଭି ତେଜ ହୋଇ । ନାଭିରୁ ତେଜ ଉଦ୍ଭବଇ ॥ ୯୮
ଆଣ୍ଡୁରୁ ପାଦତଳ ଯାଏ । ପୃଥୁବୀ ବୋଲି ଖ୍ୟାତ ହୁଏ ॥ ୯୯
ଶୁଣ ଉଦ୍ଧବ କାୟା କଥା । ଯାହା ରଚିଲା ଚଉମଥା ॥ ୧୦୦
ଏମନ୍ତେ ମାତା ଗର୍ଭବାଣୀ । ଉଦ୍ଧବ ବୋଲେ ତାହା ଶୁଣି ॥ ୧୦୧
ମନ ମୋ ତୃପତ ନୋହିଲା । ଯେତେକ ଶ୍ରୀମୁଖୁଁ ଶୁଣିଲା ॥ ୧୦୨
ପ୍ରଥମ ଦିନ କି କି ହେଲା । ଦ୍ଵିତୀୟ ଦିନ କି ସଞ୍ଚିଲା ॥ ୧୦୩
ଏହିରୂପେ ମାସକ ଯାଏ । କି କି ସଞ୍ଚିଲା ତାର କାୟୋ ॥ ୧୦୪
ମାସକୁ ମାସ କଲା କି କି । ଏହା ଶୁଣିବି କହ ନିକି ॥ ୧୦୫
ତେଣୁ ପୁଚ୍ଛଇ ଭଗବାନ । କହିବା ହେଉ ଶାନ୍ତି ମନ ॥ ୧୦୬
ଶୁଣିଲେ ଥରେ ଗର୍ଭକଥା । ତରିବି ମୁହିଁ ପାପ ଚେତା ॥ ୧୦୭
ମୁଢ଼ ଅଧୁକ ଦୀନମତି । ମୋହର କାହିଁ ଏଡ଼େ ଗତି ॥ ୧୦୮
କୃଷ୍ଣର ପାଦେ ଧ୍ୟାନ କଲି । ଜଗତେ ସାଧୁ ବୋଲାଇଲି ॥ ୧୦୯
ଏଣୁ ହୋଇଲି ତୁମ୍ଭ ଦାସ । ଜଗତେ ରଖ ମୋର ଯଶ ॥ ୧୧୦
ଯେଣୁ କରୁଣା କଲେ ହରି । ତ୍ରିଦଶ ସ୍କନ୍ଧ ତେଣୁ ସ୍ଫୁରି ॥ ୧୧୧
ସୁଜନ ଜନଙ୍କ ଚରଣେ । ଭଜଇ ମୁହିଁ ଅନୁକ୍ଷଣେ ॥ ୧୧୨
କହେ ଦ୍ଵାରକା ଜଗନ୍ନାଥ । ମୋ ଦୋଷ ନଧର ଅଚ୍ୟୁତ ॥ ୧୧୩
ଶ୍ରୀହରି ଜଗନ୍ନାଥ ଦାସ । ସୁଜନେ ଶୁଣ କୃଷ୍ଣ ରସ ॥ ୧୧୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ
ମାତୃଗର୍ଭ ବିବରଣେ ନାମ ଅଷ୍ଟାମୋଦ୍ଧଧ୍ୟାୟଃ ॥
* * *