ତ୍ରୟୋଦଶ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ଉଦ୍ଧବ ଉବାଚ

ଉଦ୍ଧବ ଶୁଣି ଜ୍ଞାନସାର । ବୋଲଇ ଶୁଣ ଚକ୍ରଧର ॥

ଏ ଦେହ କାହୁଁ ଜାତ ହୋଇ । କେମନ୍ତେ ଆତ୍ମା ପ୍ରକାଶଇ ॥

କାହୁଁ ପାଇଲା ଦିବ୍ୟଜ୍ଞାନ । କେ ଦେଲା ଲୋମ ଚର୍ମ ମାନ ॥

କାହୁଁ ଖଞ୍ଜିଲା ଏତେ ଅସ୍ଥି । ଶିର ସଙ୍କୁଳ ନାଡ଼ୀ ଗଣ୍ଡି ॥

ଏକଥା ଶୁଣିବାକୁ ଇଚ୍ଛା । ପୁଚ୍ଛଇ ମୋର ମନୋବାଞ୍ଛା ॥

ଶ୍ର1 ଭଗବାନୁବାଚ

ଉଦ୍ଧବ ଶୁଣ ଗର୍ଭବାସ । ଏ ଯୋଗ ଜାଣନ୍ତି ମହେଶ ॥

ଜନନି ଜଠର ବାରତା । ପୂର୍ବେ କହିଲେ ମୋତେ ପିତା ॥

କପିଳ ପୂର୍ବେ କଲେ ଯାହା । ଏବେ ମୁଁ କହୁଅଛି ତାହା ॥

ମାତା ପିତାର ସଂଯୋଗରୁ । ବିନ୍ଦୁ ଖସିଲା ଗଗନରୁ ॥

ଅଣିମା ଆଦି ଅଣାକାର । ସେ ଆଦି ବ୍ରହ୍ମ ସଦାଚାର ॥ ୧୦

ପ୍ରାଣ ଉଦ୍ୟାପନ ବଳି ତିନି । ସାମାନ୍ୟ ଜ୍ଞାନ ପଞ୍ଚଘେନି ॥ ୧୧

ବ୍ରହ୍ମ ମଣ୍ଡଳେ ଲାଗି ଯାଇ । ଯାଇ ପରମ ଓଟାରଇ ॥ ୧୨

ଶୂନ୍ୟ ଖୁଆରେ ଶୂନ୍ୟ ଫାଶ । ମଛନ୍ତି ଧରି ବେନି ହଂସ ॥ ୧୩

ଲବଣୀ ହୁଏ ତହୁଁ ଜାତ । ଅଗ୍ନି କଣିକା ତେଜମତ ॥ ୧୪

ବିଜୁଳି ଗଗନେ ଯେସନ । ଝଟକ ଜ୍ୟୋତି ସଙ୍ଗତେଣ ॥ ୧୫

ପରମ ସାଉଁଟି ଧଇଲା । ଶୀଘ୍ରେ ତ୍ରିକୁଟେ ପୁରାଇଲା ॥ ୧୬

ଶୁକ୍ରରୁ ବଳେ ଗଲା ପଶି । ଜୀବ ପରମ ସଙ୍ଗେ ମିଶି ॥ ୧୭

ଘଟିକା ପରେ ଯେଉଁ ବାଟ । ଆତ୍ମା ଦ୍ଵାରକୁ ସେ ନିକଟ ॥ ୧୮

ନିଶୁତି ସୁଷୁପତି ଦୁଇ । ଜାଗ୍ରତ ତୃତୀୟ ବୋଲାଇ ॥ ୧୯

ଏ ଚାରିଦ୍ଵାର ଏକ ଯହିଁ । ଅବିବି ସେ ସ୍ଥାନକୁ କହି ॥ ୨୦

ଅବିବି ମଣ୍ଡଳ ଉତ୍ତାରୁ । ସୂଚୀ ମୁନରୁ ବାଟ ସରୁ ॥ ୨୧

ଘଟିକା ପରେ ସେହି ବାଟ । ତହିଁରେ ପ୍ରବେଶ ଅନାଥ ॥ ୨୨

କାଳ କମଳ ନିରଞ୍ଜନ । ଚିଆଇଁ ଚଇତନ୍ୟ ଜ୍ଞାନ ॥ ୨୩

ଉର୍ମ ଧୁର୍ମ ଯେ ଜ୍ୟୋତିଜ୍ଜାଳା । ବେଦ ଚାରି ଚବିଶ କଳା ॥ ୨୪

ଶବ୍ଦ ସ୍ପରଣ ଗନ୍ଧ ଜଳ । ସମସ୍ତେ ହୋଇ ଏକମେଳ ॥ ୨୫

ଜୀବ ପରମ ବ୍ରହ୍ମ ତିନି । ଗମନ୍ତେ ଖସିଲା ମେଦିନୀ ॥ ୨୬

ଈଶ୍ଵର ଥିଲେ ଷୋଳ ଦଳେ । ଦେଖିଲେ ପରଂବ୍ରହ୍ମ ଡୋଳେ ॥ ୨୭

ଜ୍ଞାନ ଅଜ୍ଞାନ ପଢ଼ିହାରୀ । ଦ୍ଵାରେ ଅଛନ୍ତି ଛଡ଼ି ଧରି ॥ ୨୮

ଚେତନା ନନ୍ଦିଘୋଷ ଯାନ । ତହିଁ ବିଜୟ ଭଗବାନ ॥ ୨୯

ଜୀବ ପରମ ଏ ବାହୁକ । ବେଦ ଚାରି ଏ ଅଶ୍ଵ ଦେଖ ॥ ୩୦

ଶ୍ରେଳ ଡମ୍ବରୁ ଏକ ହୋଇ । ଅଷ୍ଟାଙ୍ଗ ଯୋଗ ଆଜ୍ଞା ବହି ॥ ୩୧

ଇଡ଼ା ଯେ ବସେ ବାମପାଶେ । ଚାମର ଘେନିଣ ପାରୁଶେ ॥ ୩୨

ପିଙ୍ଗଳା ଦକ୍ଷିଣ ଆବୋରି । ଆଲଟ ଧରେ ଧୀର କରି ॥ ୩୩

ଧର୍ମ ଦିହୁଡ଼ି ଊର୍ମ ଧରେ । ସେ ଧର୍ମ କେଭେ ନ ଆଚରେ ॥ ୩୪

ଜ୍ୟୋତି ଜ୍ଵାଳା ଏ ବେନି ଜନ । ପ୍ରକୃତି କରନ୍ତି ପ୍ରୟାଣ ॥ ୩୫

ମଙ୍ଗଳ ରସ ଗନ୍ଧବାଡ଼େ । ବୈକୁଣ୍ଡୁ ପ୍ରଭୁ ଖସିପଡ଼େ ॥ ୩୬

ଧୃବମଣ୍ଡଳେ ହେଲେ ଆସି । ଦୁରୁ ଦେଖିଲେ ବ୍ରହ୍ମରାଶି ॥ ୩୭

ତହୁଁ ଗମିଲେ ଶିବପୁର । ଦେଖିଣ ଉଠିଲେ ଶଙ୍କର ॥ ୩୮

ଷୋଳ ସହସ୍ର ରୁଦ୍ରଗଣ । ଦେଖିଲେ ପ୍ରଭୁଙ୍କ ଚରଣ ॥ ୩୯

ତହିଁ ବିଜୟେ ଦଣ୍ଡେ ରହି । ପ୍ରବେଶ ବିଷ୍ଣୁପୁରେ ହୋଇ ॥ ୪୦

ବିଷ୍ଣୁ ଜାଣିଲେ ବ୍ରହ୍ମ ଖସୁ । ପାଛୋଟି ଅଇଲେ ସେ ଆସୁ ॥ ୪୧

ଅନେକ ସ୍ତୁତିକଲେ ସେହି । ନମଃ ଅଖଣ୍ଡ ବ୍ରହ୍ମଦେହୀ ॥ ୪୨

ଅନନ୍ତ ଅଣାକାର ମୂର୍ତ୍ତି । ବିଷ୍ଣୁ ଏ ରୂପେ କଲେ ସ୍ତୁତି ॥ ୪୩

ତହୁଁ ଖସିଲେ ଧୀରେ ଧୀରେ । ପ୍ରବେଶ ବ୍ରହ୍ମ ମଣ୍ଡଳରେ ॥ ୪୪

ଯହୁଁ ଶୁଭିଲା ଜୟଶଙ୍ଖ । ବେଗେ ଉଠିଲେ ଚତୁର୍ମୁଖ ॥ ୪୫

ଅର୍ଘ୍ୟ ସେ ଦେଲେ ତିନିଜଣେ । ଆସଇ ଗହନ ଗହନେ ॥ ୪୬

ନିଜପୁରେ ପ୍ରବେଶ ଧାତା । ଜଣାଇ ଜଗତ କରତା ॥ ୪୭

ଭେ। ଦେବ ଏହି ମୋ ନଗର । ଦଶଯୋଜନ ଏ ବିସ୍ତାର ॥ ୪୮

ଏ ସ୍ଥନ ଦେଇଅଛ ମୋତେ । ଭାଗ୍ୟ ଏ ସ୍ଥଳ ବିଜେ ଏଥେ ॥ ୪୯

ଅଷ୍ଟଦିଗପାଳ ମିଳିଲେ । ଦର୍ଶନ ବ୍ରହ୍ମଙ୍କୁ ଯେ କଲେ ॥ ୫୦

ତହୁଁ ଚଳିଲେ ଭଗବାନ । ମିଳିଲେ କାମର ଭୁବନ ॥ ୫୧

ତାଙ୍କୁ ପାତାଳ ଲୋକ ଆସି । ଦର୍ଶନ କଲେ ଅବିନାଶି ॥ ୫୨

ଗଣେଶ କାମ ବେନି ଜନ । ଦର୍ଶନ କଲେ ନିରଞ୍ଜନ ॥ ୫୩

କାମର ମଣ୍ଡଳେ ଯେ ହୋଇ । ପିତାର ଜ୍ଞାନ ବୁଝୁଛଇ ॥ ୫୪

ଖସି ପଡ଼ିଲେ ଭଗଦ୍ଵାରେ । କ୍ଷେପେ ଚାରିଯୁଣ ଶୂନ୍ୟରେ ॥ ୫୫

ନାଭି କମଳ ଦଶଯୁଣ । ଦୀର୍ଘପ୍ରତି ତା ସରି ଜାଣ ॥ ୫୬

ପଦ୍ମର ମଧ୍ୟରେ କେଶର । ତହିଁ ବିଜୟେ ନିରାକାର ॥ ୫୭

ଆମୋଦ ମୁଦିଲା କମଳ । ଯେସନେ ଚକ୍ରକୁ କୁରାଳ ॥ ୫୮

ପଡ଼ନ୍ତେ ଭ୍ରମିଲା ତେସନେ । ଏତେ ହୋଇଲା ରାତ୍ରମାନେ ॥ ୫୯

ପ୍ରଥମ ଦିନେ ବିନ୍ଦୁସାର । ହୋଇଲା ମଣ୍ଡଳ ଆକାର ॥ ୬୦

ତାଳୁକ ବୋଲି ଯେଉଁ ସ୍ଥାନ । ମାପରେ ସେହି ଚାରିଯୁଣ ॥ ୬୧

ତହିଁ ଚାହିଁଲେ ବ୍ରହ୍ମରାଶି । ନାଭିରୁ କମଳ ପ୍ରକାଶି ॥ ୬୨

କୋଇଲି ସୁତା ପ୍ରାୟ ହୋଇ । ନାଡ଼ି ବଢ଼ିଲା ଯୁଣ ଦୁଇ ॥ ୬୩

ଯେ ବ୍ରହ୍ମ ହୋଇ ଠୁଳାକାର । ପ୍ରକୃତି ପୁରୁଷ ବାହାର ॥ ୬୪

ସେ ପ୍ରକୃତିଟି ଅର୍ଦ୍ଧମାତ୍ରା । ହୋଇଛି ସେହିଟି ଭ୍ରୁଲତା ॥ ୬୫

ତହୁଁ ବାହାର ତିନିଜଣ । କାଳ କମଳ ନିରଞ୍ଜନ ॥ ୬୬

ଚାରି ବେଦହିଁ ସପ୍ତଦଳ । ଉର୍ମ ଧୂର୍ମ ଜ୍ୟୋତି ଉଜ୍ଜ୍ଵଳ ॥ ୬୭

ଏ ଚାରି ସଞ୍ଚରଣ ହେଲା । ମୁର୍ଦ୍ଧନୀ ଦଣ୍ଡ ଜନମିଲା ॥ ୬୮

ଓଁକାର ମତେ ଦେହମତ । ଚାରି ଯୋଜନ ଦଣ୍ଡଖ୍ୟାତ ॥ ୬୯

ସେଠାରୁ ଶିବଲୋକ କଲା । ଚନ୍ଦ୍ର ସୂର୍ଯ୍ୟଙ୍କୁ ଭିଆଇଲା ॥ ୭୦

କାମର ପାଶେ ତାକୁ ଦେଇ । ଛନ୍ଦିଲା ମାଳରେ ତା ନେଇ ॥ ୭୧

ସ୍ତମ୍ଭେ ବାନ୍ଧିଲା ଦୁଇ ଧରି । ଗଣ୍ଠୀ ପଡ଼ିଲା ବଜ୍ରପରି ॥ ୭୨

ଗଙ୍ଗା ଯମୁନା ସରସ୍ଵତୀ । ଆକାଶୁ ବହେ ଶୁଦ୍ଧ ଜ୍ୟୋତି ॥ ୭୩

ଘଟିକା ବ୍ରହ୍ମ ରନ୍ଧ୍ର ଘର । ହାବୋଡ଼ି ରହିଲା ସେଠାର ॥ ୭୪

ତହିଁ ଉପରେ ବେନିଛନ୍ଦ । ତାକୁ ବୋଲି ସିତୁଳୀ ବନ୍ଧ ॥ ୭୫

ଈଶ୍ଵର ରହିଲେ ସେଠାରେ । ପାର୍ବତୀ ଶଙ୍କର ଉପରେ ॥ ୭୬

ଷୋଳ କମଳ ଦଳ ଫୁଟି । ବସେ ଅକ୍ଷର ଷୋଳଗୋଟି ॥ ୭୭

ପୁଣି ସେ ମେରୁଦଣ୍ଡ ଖଣ୍ଡ । ବଢ଼ିଲା ଚାରିଯୂଣ ପିଣ୍ଡ ॥ ୭୮

ପ୍ରାଣ ଲିଙ୍ଗକୁ ସ୍ଥାନେ ରଖି । ଲକ୍ଷ୍ମୀ ନାମେଣ ଶକ୍ତି ଲେଖି ॥ ୭୯

ଦ୍ଵାଦଶ ଦଳ ସେ କମଳ । ଫୁଟିଲା ହୋଇଣ ନିର୍ମଳ ॥ ୮୦

ବାର ଅକ୍ଷର ତହିଁ ବସେ । କୁଙ୍କୁମ କଳାରଙ୍ଗ ମିଶେ ॥ ୮୧

ମେରୁ ଦଣ୍ଡକୁ ପୁଣି ଗଢ଼ି । ଚାରି ଯୋଜନ ଉଚ୍ଚେ ଚଢ଼ି ॥ ୮୨

ତହିଁ ଦଶଦଳ କମଳ । ଫୁଟିଲା ହୋଇଣ ନିର୍ମଳ ॥ ୮୩

ଦଶ ଅକ୍ଷର ତହିଁ କଲା । ବ୍ରହ୍ମା ସାବିତ୍ରୀ ଯେ ଗଢ଼ିଲା ॥ ୮୪

ପୁଣି ଗଢ଼ିଲା ମେରୁଦଣ୍ଡ । ଯୋଜନ ବଢ଼େ ମେରୁ ପିଣ୍ଡ ॥ ୮୫

ଷଡ କମଳ କଲା ଜାତ । ଷଡ଼ ଅକ୍ଷର ତହିଁ ସ୍ଥିତ ॥ ୮୬

କାମ କର୍ମାଦି ତହିଁ ରହି । ସେ ପୁଣି ବ୍ରହ୍ମାଣ୍ଡ ସୃଜଇ ॥ ୮୭

ତହିଁ ବଢ଼ିଲା ମେରୁ ହାଡ଼ । ଯୁଣ କେ କଲା ମାପ ଗୋଡ଼ ॥ ୮୮

ଚାରି ପାଖୁଡ଼ା ଏକମେଳ । ଚାରି ଅକ୍ଷର ହୁଏ ଠୁଳ ॥ ୮୯

ତହିଁରେ ଗଣେଶ ସ୍ଥାପିଲା । ଶକ୍ତି ଚକ୍ରତୁଣ୍ଡ ରଚିଲା ॥ ୯୦

ଏକା ଦଣ୍ଡରେ ଫୁଟି ଫୁଲ । ବୋଲାଇ ଏ ପଞ୍ଚାଶ ଦଳ ॥ ୯୧

ମୂଳ କମଳ ମୂଳ ସଞ୍ଚି । ଆର କମଳେ ଯେ କାମାକ୍ଷି ॥ ୯୨

ମୃତ୍ୟୁ ସଞ୍ଚିତ କରେ ନେଇ । ଜଠରେ କ୍ଷୁଧା ତୃଷା ଲଇ ॥ ୯୩

ହୃଦରେ ନିଦ୍ରାରଟି ଘର । କଣ୍ଠରେ ସପତ ଭଣ୍ଡାର ॥ ୯୪

ମୁଖରେ ଶବଦର ସ୍ଥାନ । ନାସାରେ ଗନ୍ଧ ଆମୋଦନ ॥ ୯୫

ନୟନେ ରୁପ କଲା ଆଣି । ଶ୍ରବଣେ ଭଲ ମନ୍ଦ ଶୁଣି ॥ ୯୬

ଆକାଶ ଶିର କଣ୍ଠକାୟୋ । ବାୟବ୍ୟ କଣ୍ଠ ସ୍ଥାନ ହୁଏ ॥ ୯୭

ସେ ନାଡ଼ ନାଭି ତେଜ ହୋଇ । ନାଭିରୁ ତେଜ ଉଦ୍ଭବଇ ॥ ୯୮

ଆଣ୍ଡୁରୁ ପାଦତଳ ଯାଏ । ପୃଥୁବୀ ବୋଲି ଖ୍ୟାତ ହୁଏ ॥ ୯୯

ଶୁଣ ଉଦ୍ଧବ କାୟା କଥା । ଯାହା ରଚିଲା ଚଉମଥା ॥ ୧୦୦

ଏମନ୍ତେ ମାତା ଗର୍ଭବାଣୀ । ଉଦ୍ଧବ ବୋଲେ ତାହା ଶୁଣି ॥ ୧୦୧

ମନ ମୋ ତୃପତ ନୋହିଲା । ଯେତେକ ଶ୍ରୀମୁଖୁଁ ଶୁଣିଲା ॥ ୧୦୨

ପ୍ରଥମ ଦିନ କି କି ହେଲା । ଦ୍ଵିତୀୟ ଦିନ କି ସଞ୍ଚିଲା ॥ ୧୦୩

ଏହିରୂପେ ମାସକ ଯାଏ । କି କି ସଞ୍ଚିଲା ତାର କାୟୋ ॥ ୧୦୪

ମାସକୁ ମାସ କଲା କି କି । ଏହା ଶୁଣିବି କହ ନିକି ॥ ୧୦୫

ତେଣୁ ପୁଚ୍ଛଇ ଭଗବାନ । କହିବା ହେଉ ଶାନ୍ତି ମନ ॥ ୧୦୬

ଶୁଣିଲେ ଥରେ ଗର୍ଭକଥା । ତରିବି ମୁହିଁ ପାପ ଚେତା ॥ ୧୦୭

ମୁଢ଼ ଅଧୁକ ଦୀନମତି । ମୋହର କାହିଁ ଏଡ଼େ ଗତି ॥ ୧୦୮

କୃଷ୍ଣର ପାଦେ ଧ୍ୟାନ କଲି । ଜଗତେ ସାଧୁ ବୋଲାଇଲି ॥ ୧୦୯

ଏଣୁ ହୋଇଲି ତୁମ୍ଭ ଦାସ । ଜଗତେ ରଖ ମୋର ଯଶ ॥ ୧୧୦

ଯେଣୁ କରୁଣା କଲେ ହରି । ତ୍ରିଦଶ ସ୍କନ୍ଧ ତେଣୁ ସ୍ଫୁରି ॥ ୧୧୧

ସୁଜନ ଜନଙ୍କ ଚରଣେ । ଭଜଇ ମୁହିଁ ଅନୁକ୍ଷଣେ ॥ ୧୧୨

କହେ ଦ୍ଵାରକା ଜଗନ୍ନାଥ । ମୋ ଦୋଷ ନଧର ଅଚ୍ୟୁତ ॥ ୧୧୩

ଶ୍ରୀହରି ଜଗନ୍ନାଥ ଦାସ । ସୁଜନେ ଶୁଣ କୃଷ୍ଣ ରସ ॥ ୧୧୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ

ମାତୃଗର୍ଭ ବିବରଣେ ନାମ ଅଷ୍ଟାମୋଦ୍ଧଧ୍ୟାୟଃ ॥

* * *