ତ୍ରୟୋଦଶ ସ୍କନ୍ଧ

ସପ୍ତମ ଅଧ୍ୟାୟ

ଉଦ୍ଧବ ଉବାଚ

ଉଦ୍ଧବ କହେ ଭଗବାନ । ଶୁଣିମା କମଳ ରମଣ ॥

ତୁମ୍ବ ଶ୍ରୀମୁଖ ଯାହା ଜାତ । ମାନବ ଦେବାଦି ସମସ୍ତ ॥

ଅଜ୍ଞାନୀ ଜନେ ମୁଢ଼ମତି । ପରମ ଧର୍ମ ନ ଜାଣନ୍ତି ॥

ଘେନନ୍ତି ପ୍ରେମ ବୋଲି ଦୀକ୍ଷା । ଯୁଗଳ ଭାବ କରି ଶିକ୍ଷା ॥

ଏ ବେନିମତେ କିବା ଭାବେ । ନିଷ୍ଠା କହିବା ପ୍ରଭୁ ଏବେ ॥

ଶ୍ର1 ଭଗବାନୁବାଚ

ଉଦ୍ଧବ ଶୁଣ ବେନିମାର୍ଗ । ସର୍ବଦା ଥୟ ବ୍ରହ୍ମ ଭାଗ ॥

ବଶିଷ୍ଟ ବାମଦେବ ବେନି । କଶ୍ୟପ ଜନକ ଯା ଭଣି ॥

ବାଲ୍ମୀକି ଘେନି ନବମୁନି । ଭୃଗୁ ଅଙ୍ଗିରା ମହାମୁନି ॥

ଯେ କବି ହବି ଅନ୍ତରୀକ୍ଷ । ପିପ୍-ଳାୟନ ଜ୍ଞାନଦକ୍ଷ ॥

ଚମସ ଦ୍ରବିଡ଼କୁ ଘେନି । ଅଗସ୍ତି ଅଷ୍ଟବକ୍ର ମୁନି ॥ ୧୦

କୁମ୍ଭ ବିଶ୍ଵାମିତ୍ର କପିଳ । ଭରଦ୍ଵାଜ ଏ ମୁନି ନଳ ॥ ୧୧

ବିଶ୍ରବା ଦୁର୍ବାସାଦି ଘେନି । ଗୌତମ କଶ୍ୟପ ଯେ ମୁନି ॥ ୧୨

ପାରେଶ୍ଵର ଏ ବେଦବ୍ୟାସ । ଏମାନେ ବ୍ରହ୍ମ ଉପଦେଶ ॥ ୧୩

ସର୍ବଯୁଗରେ ଏହି ଜ୍ଞାନୀ । ଏ ଧର୍ମ ପ୍ରବର୍ତ୍ତାନ୍ତି ଘେନି ॥ ୧୪

ସେମାନେ ଜାଣନ୍ତି ବ୍ରହ୍ମକୁ । ବାହ୍ୟେ ନ କହନ୍ତି କାହାକୁ ॥ ୧୫

କେହୁ ଅଷ୍ଟାଙ୍ଗ ଯୋଗଲୟେ । କେବା ଇନ୍ଦ୍ରିୟ ସାଧି ରହେ ॥ ୧୬

କେବା ବ୍ରହ୍ମକୁ କରି ଧ୍ୟାନ । କେ ଷଡ଼ରିପୁ ନିସୂଦନ ॥ ୧୭

କେ ନବଦ୍ଵାର ନିରୋଧଇ । ମନ ପବନ କେ ସାଧଇ ॥ ୧୮

କେ ଅବା ପଚିଶ ପ୍ରକୃତି । ସାଧଇ ଦୃଢ଼ାସନେ ସ୍ଥିତି ॥ ୧୯

କେ ଷଡ଼ଚକ୍ରକୁ ସାଧଇ । ପଚିଶ ଦଳରେ ମିଶାଇ ॥ ୨୦

କେବା ଅଣଚାଶ ପବନ । ସାଧଇ ଦେଇ ଚଇତନ ॥ ୨୧

କେ ଅବା ଅନାହତ ଯୋଗେ । ଆପଣା ଧନ ବ୍ରହ୍ମଭାଗେ ॥ ୨୨

କେ ସପ୍ତ ଧାତୁମାନ ସାଧି । ବ୍ରହ୍ମ ଅନ୍ତରେ ଆତ୍ମା ସାଧି ॥ ୨୩

ଏମନ୍ତେ ଇତ୍ୟାଦି ସାଧନେ । ସାଧୁ ବ୍ରହ୍ମତତ୍ତ୍ଵ ଯୋଗ ସାଧନେ ॥ ୨୪

ଈଶ୍ବର ବ୍ରହ୍ମା ଆଦିତ୍ୟକୁ । ଏବ୍ରହୁ ପ୍ରାପତ ତାହାକୁ ॥ ୨୫

ମନୁଇଚ୍ଛା ସହିତେ ଜାଣି । ରୂପଟି ଗୋଚର ପ୍ରମାଣି ॥ ୨୬

ଗୋବିନ୍ଦ ହାଡ଼ିପା ଉଡ଼ପ । ପରଶୁରାମ ଯେ ସେ ରୂପ ॥ ୨୭

ତ୍ରେତୟା ଯୁଗ ଜ୍ଞାନୀ ଏହି । ଏ ସାଧି ବ୍ରହ୍ମ ସୁଖ ପାଇ ॥ ୨୮

ଗରୁଡ଼ ଭୂଷଣ୍ଡ କର୍ଣ୍ଣକ । ପ୍ରହ୍ଲାଦ ମାର୍କଣ୍ଡେୟ ଦେଖ ॥ ୨୯

ପରୀକ୍ଷ ଉଦ୍ଧବ ଅକ୍ରୁର । ଭୀଷ୍ମ ଅର୍ଜୁନ ଯେ ବିଦୁର ॥ ୩୦

ଏହି ଦ୍ଵାପର ଯୁଗ ଜ୍ଞାନୀ । ଏ ସଂଖ୍ୟା ବ୍ରହ୍ମଜ୍ଞାନି ଘେନି ॥ ୩୧

କଳି ଆଗମରେ ପ୍ରଚୁର । ଅଳପ ବହୁତ ନିସ୍ତାର ॥ ୩୨

ରାଜ ନୃପ କବିର ବେନି । ଶିଶୁ ଜାମେଦ ତାକୁ ଘେନି ॥ ୩୩

ଅଚ୍ୟୁତ କ୍ରୟ ନାରାୟଣ । ବଳରାମ ଦାସ ବଖାଣ ॥ ୩୪

ଏ ବ୍ୟାସ ଶଙ୍କର ଆଚାର୍ଯ୍ୟ । ଏ କଳିଯୁଗେ ଜ୍ଞାନୀ ଦ୍ଵିଜ ॥ ୩୫

ଏଣିକି ବହୁତ ହୋଇବ । ଘରେ ଘରେଣ ପ୍ରବର୍ତ୍ତିବ ॥ ୩୬

କେବା ମାନିବ ଇଷ୍ଟକରି । କେ ନିନ୍ଦା ସ୍ତୁତି ଆଦିକରି ॥ ୩୭

ଏମନ୍ତେ ଅନାଦର ହେବ । ଏଣୁ ଅନ୍ୟାୟେ କ୍ଷୟ ଯିବ ॥ ୩୮

ଏ ବ୍ରହ୍ନ ଦଶ ଅବତାର । କେହି ଯେ ମାନିବ ଆଧାର ॥ ୩୯

କେ ଅବା କର୍ମକୁ ଭଜଇ । କେବା ବରାହ ସୁମରଇ ॥ ୪୦

ବାମନ ମୂର୍ତ୍ତି ଅବତାର । କେବା ଭଜଇ ନିଷ୍ଠାଚାର ॥ ୪୧

କେ ପର୍ଶୁରାମ ମନ୍ତ୍ରଦୀକ୍ଷା । ତାହାକୁ ସେହି ମାର୍ଗେ ରକ୍ଷା ॥ ୪୨

କେ ରାମନାମ ମନ୍ତ୍ର ଗାଇ । ଯେ ମାର୍ଗେ ଭଜନ୍ତି ଚିତ୍ତୋଇ ॥ ୪୩

କେ ହରେରାମ କୃଷ୍ଣ ମନ୍ତ୍ରେ । ପୂଜନ୍ତି ଏହି ଧର୍ମ ତନ୍ତ୍ରେ ॥ ୪୪

କେ ଜପ ମନ୍ତ୍ର ନେଇ ଟାଣ । ଯେମନ୍ତେ କରନ୍ତି ଭଜନ ॥ ୪୫

କେହୁ କଳଙ୍କି ମନ୍ତ୍ର ନେଇ । ଜପଇ ମନ୍ତ୍ରନ୍ୟାସ ହୋଇ ॥ ୪୬

କେ ନାରାୟଣ ମନ୍ତ୍ର ନେଇ । ଗାୟତ୍ରୀ ସାବିତ୍ରୀ ଜପଇ ॥ ୪୭

କେ ଶିବଶକ୍ତି ମନ୍ତ୍ରଦୀକ୍ଷା । ଯାହାର ଯୋମନ୍ତେ ଯେ ଇଛା ॥ ୪୮

ଏମନ୍ତ ମାର୍ଗ ଭିନ୍ନ ଭିନ୍ନ । କରି ପୂଜନ୍ତି ମୂଢ଼ଜନ ॥ ୪୯

ଏକ ବ୍ରହ୍ମ ବୋଲି ନ ଜାଣି । ଅନେକ ମାର୍ଗେ ଭଜେ ପ୍ରାଣୀ ॥ ୫୦

ସେ ଯେବେ ଏକମାର୍ଗ ଜାଣେ । ପ୍ରାଣୀ କିମ୍ପାଇ ତେବେ ଭ୍ରମେ ॥ ୫୧

ସବୁ ଦେବତା ଆସି ମିଶି । ଏକ ବ୍ରହ୍ମରୁ ପରକାଶି ॥ ୫୨

ପ୍ରଭୁ ଅଖଣ୍ଡ ବ୍ରହ୍ମରାଶି । ତହୁଁ ଅଶେଷ ପରକାଶି ॥ ୫୩

ଯେ ଯେତେ ମାର୍ଗରେ ଭଜଇ । ମୋତେ ପାଇବେ ଅବା କାହିଁ ॥ ୫୪

ବ୍ରହ୍ମକୁ ଚିହ୍ନଇ ଯେ ନର । ନିକଟେ ଲଭେ ମୋ ପୟର ॥ ୫୫

ନିକଟେ ଡାକିଲେ ଯେସନ । ଶୁଣଇ ପ୍ରାଣୀଙ୍କ ବଚନ ॥ ୫୬

ଏମନ୍ତ ଜ୍ଞାନୀଙ୍କାର ବାଣୀ । ନିକଟେ ଥିଲା ପ୍ରାୟ ମଣି ॥ ୫୭

କୁସଙ୍ଗେ ଡାକିଲେ ଯେମନ୍ତ । ଡାକି ହୁଅଇ ଅଶକତ ॥ ୫୮

ନାମ ଧରି ଯେ ଡାକୁଥାଇ । ସେ ପୁଣି ତାହା ନ ଶୁଣଇ ॥ ୫୯

ଅନ୍ୟାନ୍ୟ ଭଜନେ ତା ଚିତ୍ତ । ମୁଁ ତାହା ମଣଇ ତେମନ୍ତ ॥ ୬୦

ତୋତେ କହୁଛି ନିଷ୍ଠା ମୁହିଁ । ପରମବ୍ରହ୍ମ ବିନା କାହିଁ ॥ ୬୧

ଏ ଆତ୍ମାରୁପ ନିରଞ୍ଜନ । ସକଳ ଦେବର ସମାନ ॥ ୬୨

ପରମ ସ୍ଵୟଂ ପରକାଶ । ଜିବର ଦେହ ମାୟା ପାଶ ॥ ୬୩

ଶବଦ ବେନି ବ୍ରହ୍ମ ବହି । ନିଶବଦରେ ତା ନ ଯାଇ ॥ ୬୪

ଷୋଳ ଡମ୍ବରୁ ଭେଦି ଯହୁଁ । ଶିଶୁମୁନାଟି ବୋଲି ସେହୁ ॥ ୬୫

ତିନି ବ୍ରହ୍ମାଣ୍ଡେ ଉଡ଼େ ବାନା । ଭେଦିଛି ଦୂରୁ ଦେଖ କିନା ॥ ୬୬

ଉଲଟ ଭାବେଣ ବହଇ । ଉଜାଣି ଆକାଶକୁ ଯାଇ ॥ ୬୭

ସେ ଧାର ଶେଷରେ ତ୍ରିବେଣୀ । ତ୍ରିକୁଟ ନାମେ ପୁଷ୍କରିଣୀ ॥ ୬୮

ହଂସ ହଂସୁଲୀ ବେନି ଜନ । ତହିଁରେ କରରି ଭ୍ରମଣ ॥ ୬୯

କେହି କାହାକୁ ନ ଭେଟଇ । ଏକଇ ଆସନରେ ଥାଇ ॥ ୭୦

ପ୍ରମାଣ କରି ଏହା ଜାଣ । କହିଲୁ ଏ ଯେ ତତ୍ତ୍ଵଜ୍ଞାନ ॥ ୭୧

ଯାହାର ଜ୍ଞାନ ଦୃଷ୍ଟି ନାହିଁ । କି କରେ କଳ୍ପେ କଳ୍ପେ ଥାଇ ॥ ୭୨

ତାହାକୁ ନାହିଁ ସୁଖ ଲେଶ । ବୁଲଇ ସଂସାରେ ମନୁଷ୍ୟ ॥ ୭୩

ଦେଖ ଏ ବ୍ରହ୍ମଜ୍ଞାନ ଯୋଗୀ । ସେ ମୋର ଆତ୍ମା ପ୍ରାଣସଙ୍ଗୀ ॥ ୭୪

ଯୁଗଳ ଭାବେ ଏ ଭଜଇ । ଅନେକ ଜନ୍ମେ ସେ ଲଭଇ ॥ ୭୫

ବୋଲନ୍ତି ହେବୁ ସ୍ତିରୀ ଅଙ୍ଗ । କରିବୁ ରତି କ୍ରୀଡ଼ା ରଙ୍ଗ ॥ ୭୬

ରାଧାର ମୋର ତିଳେ ମାତ୍ରେ । ଭେଦ ଯେ ନାହିଁ କଦାଚିତ୍ତେ ॥ ୭୭

ସେ ସ୍ତିରୀ ହେବେ କେଉଁଠାଇଁ । ମୁଁ ତାଙ୍କୁ ଲଭିବି କିମ୍ପାଇଁ ॥ ୭୮

ତଥାପି ଅଛି ତହିଁ ବାଟ । ତା ଦେହେ ନାହିଁ କାମକଷ୍ଟ ॥ ୭୯

ଯାର ଇନ୍ଦ୍ରିୟ ନାହିଁ ମେଳ । ନ ଜାଣେ ସ୍ତିରୀରସ ଖେଳ ॥ ୮୦

ସପ୍ତ ବରଷ ଲେଖି ଆଣ । ଦ୍ଵାଦଶ ଯାଏ ଭକ୍ତିଗୁଣ ॥ ୮୧

ତେଣେ ପାଇବେ ସେହୁ କାହିଁ । ମାୟା ସଂଯୋଗ ବଦ୍ଧମୋହି ॥ ୮୨

ଏଣେ ସେ ଅଙ୍ଗ ହୁଏ ହାନି । ବେଗେ ଲଭନ୍ତି ବ୍ରହ୍ମଜ୍ଞାନୀ ॥ ୮୩

ଜ୍ଞାନ ଉଶ୍ୱାସର ଆସନେ । ସାଧୁଲେ ପାଇ ବହୁଦିନେ ॥ ୮୪

ଶୋଳ ସହସ୍ର ଦିବସରେ । ଭଜନ ଦୃଢ଼ ହୁଏ ତାରେ ॥ ୮୫

ବତ୍ରିଶ ସହସ୍ର ବରଷ । ଅଙ୍ଗ ପାଲଟି ସ୍ତିରୀବେଶ ॥ ୮୬

ତିରିଶ କୋଟି ପକ୍ଷ ପାଇ । ତ୍ରିପୁରା ତେବେ ତୋଷ ହୋଇ ॥ ୮୭

ଷଡ଼ ବରଷେ ବସି ଭାବେ । ସେ କୃଷ୍ଣସଙ୍ଗ କରେ ତେବେ ॥ ୮୮

ଏଣୁ ଅନେକ ଦିନେ ପାଇ । ସାଧିଲେ ସିଦ୍ଧି ସେ ବୋଲାଇ ॥ ୮୯

ଏ ତତ୍ତ୍ଵ ନ ଜାଣନ୍ତି କେହି । କୋଟିକେ ଗୋଟିଏ ଜାଣଇ ॥ ୯୦

ମନ୍ତ୍ର ଯନ୍ତ୍ର ଅକ୍ଷରେ ସ୍ଥାପି । କୃଷ୍ଣ ବୋଲିଣ ଯାହା ଜପି ॥ ୯୧

ଏ ସର୍ବ ଭୁଲାଣ ଅଟଇ । ଏଥି ସଂଶୟ ଆଉ ନାହିଁ ॥ ୯୨

ଚିତ୍ତରୁ ପୁରାଣ ଯେ ଶାସ୍ତ୍ର । ଏଥିରୁ ଭଲ ନାମ ଘୋଷ ॥ ୯୩

ଯେ ବା ଅଖଣ୍ଡ ଧ୍ୟାନ କରେ । ମନରେ ଯେମନ୍ତେ ସୁମରେ ॥ ୯୪

ସେ ମାର ସ୍ଥଳରେ ପଶଇ । ଏଣୁ ସଂଶୟ ଆଉ ନାହିଁ ॥ ୯୫

କହିଲୁ ସାର ଯହୁଁ ଜ୍ଞାନ । ଏଣୁ ଲଭିବୁ ମୋକ୍ଷଜ୍ଞାନ ॥ ୯୬

ଏଣୁ ତୁ ଏହି ଜ୍ଞାନ କର । ଏ ଜ୍ଞାନେ ହୋଇବୁ ନିସ୍ତାର ॥ ୯୭

ଜାଣି ଭଜିଲେ ଗତି ପାଇ । ମୋହର ତାକୁ ମାୟା ନାହିଁ ॥ ୯୮

ଭକତି ଭାବେ ମୋ ଚରଣ । ପଶନ୍ତି ନିଶ୍ଚଳ ଭୁବନ ॥ ୯୯

ଶୁଣ ଉଦ୍ଧବ ତତ୍ତ୍ଵ ସାର । ଏଣୁ ତୁ ଏହି ଜ୍ଞାନ କର ॥ ୧୦୦

ମନୁ ସଂଶୟ ସବୁ ଯାଉ । ମୋର ଚରଣେ ଚିତ୍ତ ରହୁ ॥ ୧୦୧

ମୋର ଚରଣ ଅନୁସରି । ଭବୁଁ ହୋଇବୁ ବେଗେ ପାରି ॥ ୧୦୨

ଉଦ୍ଧବ ମନେ ପାଇ ଶ୍ରଦ୍ଧା । ମନରୁ ବରଜିଲା ଦ୍ଵିଧା ॥ ୧୦୩

ଚରଣ ତଳେ କରି ଧ୍ୟାନ । ତୁ ପ୍ରଭୁ ହୋଇବୁ ପ୍ରସନ୍ନ ॥ ୧୦୪

ଉଦ୍ଧବ କୃଷ୍ଣ ପରକାଶ । ଦ୍ଵାରକା ଜଗନ୍ନାଥ ଦାସ ॥ ୧୦୫

ଏ ଭାଗବତ ରସସିନ୍ଧୁ । ଏଣେ ଅଜ୍ଞାନୀ ତରେ ଧନ୍ଦୁ॥ ୧୦୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ

ଷଡଗୁଣ ନିର୍ଗୁଣ କଥନେ ନାମ ସପ୍ତମୋଦ୍ଧଧ୍ୟାୟଃ ॥

* * *