ତ୍ରୟୋଦଶ ସ୍କନ୍ଧ
ସପ୍ତମ ଅଧ୍ୟାୟ
ଉଦ୍ଧବ ଉବାଚ
ଉଦ୍ଧବ କହେ ଭଗବାନ । ଶୁଣିମା କମଳ ରମଣ ॥ ୧
ତୁମ୍ବ ଶ୍ରୀମୁଖ ଯାହା ଜାତ । ମାନବ ଦେବାଦି ସମସ୍ତ ॥ ୨
ଅଜ୍ଞାନୀ ଜନେ ମୁଢ଼ମତି । ପରମ ଧର୍ମ ନ ଜାଣନ୍ତି ॥ ୩
ଘେନନ୍ତି ପ୍ରେମ ବୋଲି ଦୀକ୍ଷା । ଯୁଗଳ ଭାବ କରି ଶିକ୍ଷା ॥ ୪
ଏ ବେନିମତେ କିବା ଭାବେ । ନିଷ୍ଠା କହିବା ପ୍ରଭୁ ଏବେ ॥ ୫
ଶ୍ର1 ଭଗବାନୁବାଚ
ଉଦ୍ଧବ ଶୁଣ ବେନିମାର୍ଗ । ସର୍ବଦା ଥୟ ବ୍ରହ୍ମ ଭାଗ ॥ ୬
ବଶିଷ୍ଟ ବାମଦେବ ବେନି । କଶ୍ୟପ ଜନକ ଯା ଭଣି ॥ ୭
ବାଲ୍ମୀକି ଘେନି ନବମୁନି । ଭୃଗୁ ଅଙ୍ଗିରା ମହାମୁନି ॥ ୮
ଯେ କବି ହବି ଅନ୍ତରୀକ୍ଷ । ପିପ୍-ଳାୟନ ଜ୍ଞାନଦକ୍ଷ ॥ ୯
ଚମସ ଦ୍ରବିଡ଼କୁ ଘେନି । ଅଗସ୍ତି ଅଷ୍ଟବକ୍ର ମୁନି ॥ ୧୦
କୁମ୍ଭ ବିଶ୍ଵାମିତ୍ର କପିଳ । ଭରଦ୍ଵାଜ ଏ ମୁନି ନଳ ॥ ୧୧
ବିଶ୍ରବା ଦୁର୍ବାସାଦି ଘେନି । ଗୌତମ କଶ୍ୟପ ଯେ ମୁନି ॥ ୧୨
ପାରେଶ୍ଵର ଏ ବେଦବ୍ୟାସ । ଏମାନେ ବ୍ରହ୍ମ ଉପଦେଶ ॥ ୧୩
ସର୍ବଯୁଗରେ ଏହି ଜ୍ଞାନୀ । ଏ ଧର୍ମ ପ୍ରବର୍ତ୍ତାନ୍ତି ଘେନି ॥ ୧୪
ସେମାନେ ଜାଣନ୍ତି ବ୍ରହ୍ମକୁ । ବାହ୍ୟେ ନ କହନ୍ତି କାହାକୁ ॥ ୧୫
କେହୁ ଅଷ୍ଟାଙ୍ଗ ଯୋଗଲୟେ । କେବା ଇନ୍ଦ୍ରିୟ ସାଧି ରହେ ॥ ୧୬
କେବା ବ୍ରହ୍ମକୁ କରି ଧ୍ୟାନ । କେ ଷଡ଼ରିପୁ ନିସୂଦନ ॥ ୧୭
କେ ନବଦ୍ଵାର ନିରୋଧଇ । ମନ ପବନ କେ ସାଧଇ ॥ ୧୮
କେ ଅବା ପଚିଶ ପ୍ରକୃତି । ସାଧଇ ଦୃଢ଼ାସନେ ସ୍ଥିତି ॥ ୧୯
କେ ଷଡ଼ଚକ୍ରକୁ ସାଧଇ । ପଚିଶ ଦଳରେ ମିଶାଇ ॥ ୨୦
କେବା ଅଣଚାଶ ପବନ । ସାଧଇ ଦେଇ ଚଇତନ ॥ ୨୧
କେ ଅବା ଅନାହତ ଯୋଗେ । ଆପଣା ଧନ ବ୍ରହ୍ମଭାଗେ ॥ ୨୨
କେ ସପ୍ତ ଧାତୁମାନ ସାଧି । ବ୍ରହ୍ମ ଅନ୍ତରେ ଆତ୍ମା ସାଧି ॥ ୨୩
ଏମନ୍ତେ ଇତ୍ୟାଦି ସାଧନେ । ସାଧୁ ବ୍ରହ୍ମତତ୍ତ୍ଵ ଯୋଗ ସାଧନେ ॥ ୨୪
ଈଶ୍ବର ବ୍ରହ୍ମା ଆଦିତ୍ୟକୁ । ଏବ୍ରହୁ ପ୍ରାପତ ତାହାକୁ ॥ ୨୫
ମନୁଇଚ୍ଛା ସହିତେ ଜାଣି । ରୂପଟି ଗୋଚର ପ୍ରମାଣି ॥ ୨୬
ଗୋବିନ୍ଦ ହାଡ଼ିପା ଉଡ଼ପ । ପରଶୁରାମ ଯେ ସେ ରୂପ ॥ ୨୭
ତ୍ରେତୟା ଯୁଗ ଜ୍ଞାନୀ ଏହି । ଏ ସାଧି ବ୍ରହ୍ମ ସୁଖ ପାଇ ॥ ୨୮
ଗରୁଡ଼ ଭୂଷଣ୍ଡ କର୍ଣ୍ଣକ । ପ୍ରହ୍ଲାଦ ମାର୍କଣ୍ଡେୟ ଦେଖ ॥ ୨୯
ପରୀକ୍ଷ ଉଦ୍ଧବ ଅକ୍ରୁର । ଭୀଷ୍ମ ଅର୍ଜୁନ ଯେ ବିଦୁର ॥ ୩୦
ଏହି ଦ୍ଵାପର ଯୁଗ ଜ୍ଞାନୀ । ଏ ସଂଖ୍ୟା ବ୍ରହ୍ମଜ୍ଞାନି ଘେନି ॥ ୩୧
କଳି ଆଗମରେ ପ୍ରଚୁର । ଅଳପ ବହୁତ ନିସ୍ତାର ॥ ୩୨
ରାଜ ନୃପ କବିର ବେନି । ଶିଶୁ ଜାମେଦ ତାକୁ ଘେନି ॥ ୩୩
ଅଚ୍ୟୁତ କ୍ରୟ ନାରାୟଣ । ବଳରାମ ଦାସ ବଖାଣ ॥ ୩୪
ଏ ବ୍ୟାସ ଶଙ୍କର ଆଚାର୍ଯ୍ୟ । ଏ କଳିଯୁଗେ ଜ୍ଞାନୀ ଦ୍ଵିଜ ॥ ୩୫
ଏଣିକି ବହୁତ ହୋଇବ । ଘରେ ଘରେଣ ପ୍ରବର୍ତ୍ତିବ ॥ ୩୬
କେବା ମାନିବ ଇଷ୍ଟକରି । କେ ନିନ୍ଦା ସ୍ତୁତି ଆଦିକରି ॥ ୩୭
ଏମନ୍ତେ ଅନାଦର ହେବ । ଏଣୁ ଅନ୍ୟାୟେ କ୍ଷୟ ଯିବ ॥ ୩୮
ଏ ବ୍ରହ୍ନ ଦଶ ଅବତାର । କେହି ଯେ ମାନିବ ଆଧାର ॥ ୩୯
କେ ଅବା କର୍ମକୁ ଭଜଇ । କେବା ବରାହ ସୁମରଇ ॥ ୪୦
ବାମନ ମୂର୍ତ୍ତି ଅବତାର । କେବା ଭଜଇ ନିଷ୍ଠାଚାର ॥ ୪୧
କେ ପର୍ଶୁରାମ ମନ୍ତ୍ରଦୀକ୍ଷା । ତାହାକୁ ସେହି ମାର୍ଗେ ରକ୍ଷା ॥ ୪୨
କେ ରାମନାମ ମନ୍ତ୍ର ଗାଇ । ଯେ ମାର୍ଗେ ଭଜନ୍ତି ଚିତ୍ତୋଇ ॥ ୪୩
କେ ହରେରାମ କୃଷ୍ଣ ମନ୍ତ୍ରେ । ପୂଜନ୍ତି ଏହି ଧର୍ମ ତନ୍ତ୍ରେ ॥ ୪୪
କେ ଜପ ମନ୍ତ୍ର ନେଇ ଟାଣ । ଯେମନ୍ତେ କରନ୍ତି ଭଜନ ॥ ୪୫
କେହୁ କଳଙ୍କି ମନ୍ତ୍ର ନେଇ । ଜପଇ ମନ୍ତ୍ରନ୍ୟାସ ହୋଇ ॥ ୪୬
କେ ନାରାୟଣ ମନ୍ତ୍ର ନେଇ । ଗାୟତ୍ରୀ ସାବିତ୍ରୀ ଜପଇ ॥ ୪୭
କେ ଶିବଶକ୍ତି ମନ୍ତ୍ରଦୀକ୍ଷା । ଯାହାର ଯୋମନ୍ତେ ଯେ ଇଛା ॥ ୪୮
ଏମନ୍ତ ମାର୍ଗ ଭିନ୍ନ ଭିନ୍ନ । କରି ପୂଜନ୍ତି ମୂଢ଼ଜନ ॥ ୪୯
ଏକ ବ୍ରହ୍ମ ବୋଲି ନ ଜାଣି । ଅନେକ ମାର୍ଗେ ଭଜେ ପ୍ରାଣୀ ॥ ୫୦
ସେ ଯେବେ ଏକମାର୍ଗ ଜାଣେ । ପ୍ରାଣୀ କିମ୍ପାଇ ତେବେ ଭ୍ରମେ ॥ ୫୧
ସବୁ ଦେବତା ଆସି ମିଶି । ଏକ ବ୍ରହ୍ମରୁ ପରକାଶି ॥ ୫୨
ପ୍ରଭୁ ଅଖଣ୍ଡ ବ୍ରହ୍ମରାଶି । ତହୁଁ ଅଶେଷ ପରକାଶି ॥ ୫୩
ଯେ ଯେତେ ମାର୍ଗରେ ଭଜଇ । ମୋତେ ପାଇବେ ଅବା କାହିଁ ॥ ୫୪
ବ୍ରହ୍ମକୁ ଚିହ୍ନଇ ଯେ ନର । ନିକଟେ ଲଭେ ମୋ ପୟର ॥ ୫୫
ନିକଟେ ଡାକିଲେ ଯେସନ । ଶୁଣଇ ପ୍ରାଣୀଙ୍କ ବଚନ ॥ ୫୬
ଏମନ୍ତ ଜ୍ଞାନୀଙ୍କାର ବାଣୀ । ନିକଟେ ଥିଲା ପ୍ରାୟ ମଣି ॥ ୫୭
କୁସଙ୍ଗେ ଡାକିଲେ ଯେମନ୍ତ । ଡାକି ହୁଅଇ ଅଶକତ ॥ ୫୮
ନାମ ଧରି ଯେ ଡାକୁଥାଇ । ସେ ପୁଣି ତାହା ନ ଶୁଣଇ ॥ ୫୯
ଅନ୍ୟାନ୍ୟ ଭଜନେ ତା ଚିତ୍ତ । ମୁଁ ତାହା ମଣଇ ତେମନ୍ତ ॥ ୬୦
ତୋତେ କହୁଛି ନିଷ୍ଠା ମୁହିଁ । ପରମବ୍ରହ୍ମ ବିନା କାହିଁ ॥ ୬୧
ଏ ଆତ୍ମାରୁପ ନିରଞ୍ଜନ । ସକଳ ଦେବର ସମାନ ॥ ୬୨
ପରମ ସ୍ଵୟଂ ପରକାଶ । ଜିବର ଦେହ ମାୟା ପାଶ ॥ ୬୩
ଶବଦ ବେନି ବ୍ରହ୍ମ ବହି । ନିଶବଦରେ ତା ନ ଯାଇ ॥ ୬୪
ଷୋଳ ଡମ୍ବରୁ ଭେଦି ଯହୁଁ । ଶିଶୁମୁନାଟି ବୋଲି ସେହୁ ॥ ୬୫
ତିନି ବ୍ରହ୍ମାଣ୍ଡେ ଉଡ଼େ ବାନା । ଭେଦିଛି ଦୂରୁ ଦେଖ କିନା ॥ ୬୬
ଉଲଟ ଭାବେଣ ବହଇ । ଉଜାଣି ଆକାଶକୁ ଯାଇ ॥ ୬୭
ସେ ଧାର ଶେଷରେ ତ୍ରିବେଣୀ । ତ୍ରିକୁଟ ନାମେ ପୁଷ୍କରିଣୀ ॥ ୬୮
ହଂସ ହଂସୁଲୀ ବେନି ଜନ । ତହିଁରେ କରରି ଭ୍ରମଣ ॥ ୬୯
କେହି କାହାକୁ ନ ଭେଟଇ । ଏକଇ ଆସନରେ ଥାଇ ॥ ୭୦
ପ୍ରମାଣ କରି ଏହା ଜାଣ । କହିଲୁ ଏ ଯେ ତତ୍ତ୍ଵଜ୍ଞାନ ॥ ୭୧
ଯାହାର ଜ୍ଞାନ ଦୃଷ୍ଟି ନାହିଁ । କି କରେ କଳ୍ପେ କଳ୍ପେ ଥାଇ ॥ ୭୨
ତାହାକୁ ନାହିଁ ସୁଖ ଲେଶ । ବୁଲଇ ସଂସାରେ ମନୁଷ୍ୟ ॥ ୭୩
ଦେଖ ଏ ବ୍ରହ୍ମଜ୍ଞାନ ଯୋଗୀ । ସେ ମୋର ଆତ୍ମା ପ୍ରାଣସଙ୍ଗୀ ॥ ୭୪
ଯୁଗଳ ଭାବେ ଏ ଭଜଇ । ଅନେକ ଜନ୍ମେ ସେ ଲଭଇ ॥ ୭୫
ବୋଲନ୍ତି ହେବୁ ସ୍ତିରୀ ଅଙ୍ଗ । କରିବୁ ରତି କ୍ରୀଡ଼ା ରଙ୍ଗ ॥ ୭୬
ରାଧାର ମୋର ତିଳେ ମାତ୍ରେ । ଭେଦ ଯେ ନାହିଁ କଦାଚିତ୍ତେ ॥ ୭୭
ସେ ସ୍ତିରୀ ହେବେ କେଉଁଠାଇଁ । ମୁଁ ତାଙ୍କୁ ଲଭିବି କିମ୍ପାଇଁ ॥ ୭୮
ତଥାପି ଅଛି ତହିଁ ବାଟ । ତା ଦେହେ ନାହିଁ କାମକଷ୍ଟ ॥ ୭୯
ଯାର ଇନ୍ଦ୍ରିୟ ନାହିଁ ମେଳ । ନ ଜାଣେ ସ୍ତିରୀରସ ଖେଳ ॥ ୮୦
ସପ୍ତ ବରଷ ଲେଖି ଆଣ । ଦ୍ଵାଦଶ ଯାଏ ଭକ୍ତିଗୁଣ ॥ ୮୧
ତେଣେ ପାଇବେ ସେହୁ କାହିଁ । ମାୟା ସଂଯୋଗ ବଦ୍ଧମୋହି ॥ ୮୨
ଏଣେ ସେ ଅଙ୍ଗ ହୁଏ ହାନି । ବେଗେ ଲଭନ୍ତି ବ୍ରହ୍ମଜ୍ଞାନୀ ॥ ୮୩
ଜ୍ଞାନ ଉଶ୍ୱାସର ଆସନେ । ସାଧୁଲେ ପାଇ ବହୁଦିନେ ॥ ୮୪
ଶୋଳ ସହସ୍ର ଦିବସରେ । ଭଜନ ଦୃଢ଼ ହୁଏ ତାରେ ॥ ୮୫
ବତ୍ରିଶ ସହସ୍ର ବରଷ । ଅଙ୍ଗ ପାଲଟି ସ୍ତିରୀବେଶ ॥ ୮୬
ତିରିଶ କୋଟି ପକ୍ଷ ପାଇ । ତ୍ରିପୁରା ତେବେ ତୋଷ ହୋଇ ॥ ୮୭
ଷଡ଼ ବରଷେ ବସି ଭାବେ । ସେ କୃଷ୍ଣସଙ୍ଗ କରେ ତେବେ ॥ ୮୮
ଏଣୁ ଅନେକ ଦିନେ ପାଇ । ସାଧିଲେ ସିଦ୍ଧି ସେ ବୋଲାଇ ॥ ୮୯
ଏ ତତ୍ତ୍ଵ ନ ଜାଣନ୍ତି କେହି । କୋଟିକେ ଗୋଟିଏ ଜାଣଇ ॥ ୯୦
ମନ୍ତ୍ର ଯନ୍ତ୍ର ଅକ୍ଷରେ ସ୍ଥାପି । କୃଷ୍ଣ ବୋଲିଣ ଯାହା ଜପି ॥ ୯୧
ଏ ସର୍ବ ଭୁଲାଣ ଅଟଇ । ଏଥି ସଂଶୟ ଆଉ ନାହିଁ ॥ ୯୨
ଚିତ୍ତରୁ ପୁରାଣ ଯେ ଶାସ୍ତ୍ର । ଏଥିରୁ ଭଲ ନାମ ଘୋଷ ॥ ୯୩
ଯେ ବା ଅଖଣ୍ଡ ଧ୍ୟାନ କରେ । ମନରେ ଯେମନ୍ତେ ସୁମରେ ॥ ୯୪
ସେ ମାର ସ୍ଥଳରେ ପଶଇ । ଏଣୁ ସଂଶୟ ଆଉ ନାହିଁ ॥ ୯୫
କହିଲୁ ସାର ଯହୁଁ ଜ୍ଞାନ । ଏଣୁ ଲଭିବୁ ମୋକ୍ଷଜ୍ଞାନ ॥ ୯୬
ଏଣୁ ତୁ ଏହି ଜ୍ଞାନ କର । ଏ ଜ୍ଞାନେ ହୋଇବୁ ନିସ୍ତାର ॥ ୯୭
ଜାଣି ଭଜିଲେ ଗତି ପାଇ । ମୋହର ତାକୁ ମାୟା ନାହିଁ ॥ ୯୮
ଭକତି ଭାବେ ମୋ ଚରଣ । ପଶନ୍ତି ନିଶ୍ଚଳ ଭୁବନ ॥ ୯୯
ଶୁଣ ଉଦ୍ଧବ ତତ୍ତ୍ଵ ସାର । ଏଣୁ ତୁ ଏହି ଜ୍ଞାନ କର ॥ ୧୦୦
ମନୁ ସଂଶୟ ସବୁ ଯାଉ । ମୋର ଚରଣେ ଚିତ୍ତ ରହୁ ॥ ୧୦୧
ମୋର ଚରଣ ଅନୁସରି । ଭବୁଁ ହୋଇବୁ ବେଗେ ପାରି ॥ ୧୦୨
ଉଦ୍ଧବ ମନେ ପାଇ ଶ୍ରଦ୍ଧା । ମନରୁ ବରଜିଲା ଦ୍ଵିଧା ॥ ୧୦୩
ଚରଣ ତଳେ କରି ଧ୍ୟାନ । ତୁ ପ୍ରଭୁ ହୋଇବୁ ପ୍ରସନ୍ନ ॥ ୧୦୪
ଉଦ୍ଧବ କୃଷ୍ଣ ପରକାଶ । ଦ୍ଵାରକା ଜଗନ୍ନାଥ ଦାସ ॥ ୧୦୫
ଏ ଭାଗବତ ରସସିନ୍ଧୁ । ଏଣେ ଅଜ୍ଞାନୀ ତରେ ଧନ୍ଦୁ॥ ୧୦୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ
ଷଡଗୁଣ ନିର୍ଗୁଣ କଥନେ ନାମ ସପ୍ତମୋଦ୍ଧଧ୍ୟାୟଃ ॥
* * *