ତ୍ରୟୋଦଶ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ଉଦ୍ଧବ ଉବାଚ
ଉଦ୍ଧବ କହେ ହୃଷୀକେଶ । କହିବ ତରୁ ଉପଦେଶ ॥ ୧
ବୋଲ ଯେ ସର୍ବଭୂତେ ହରି । ଅନ୍ତର ବାହ୍ୟେ ଛନ୍ତି ପୁରି ॥ ୨
କେମନ୍ତେ ଜାଣିବି ମୁଁ ତାହା । ଜ୍ଞାନ ହେଉ ହେ ଚଉବାହା ॥ ୩
ଉଦ୍ଧବ ଶୁଣ ତତ୍ତ୍ଵଜ୍ଞାନ । ଏ ଦେହେ ବ୍ରହ୍ମ ମୋ ଆତ୍ମନ ॥ ୪
ସକଳ ଜୀବର କରତା । ମୋ ଭକ୍ତି ସେହି ସେ ଚିନ୍ତିତା ॥ ୫
ଏ ଆତ୍ମା ସ୍ଵୟଂ ବ୍ରହ୍ମରୂପୀ । ପ୍ରକୃତି ସେହି ଦେହେ ବ୍ୟାପୀ ॥ ୬
ଏ ଦେହ ସର୍ବକାଳେ ଅଛି । ଆତ୍ମା ନ ପାରେ ତାକୁ ଲକ୍ଷି ॥ ୭
ବୃଦ୍ଧ ତରୁଣ ବାଳକାଳେ । ଆତ୍ମାକୁ ବହେ ସର୍ବକାଳେ ॥ ୮
ଆତ୍ମା। ତାହାର ସଙ୍ଗେ ଥାଇ । ନ କହି ଶୂନ୍ୟରେ ପଶଇ॥ ୯
ଦେହ ନ ମୁର୍ଚ୍ଛେ ଅନ୍ତକାଳେ । ତା ବିନୁ ରୋଦେ ନିଶା କାଳେ ॥ ୧୦
ଦେହ କାନ୍ଦଇ ଆତ୍ମା ଆଶେ । ମୁଁ ଏବେ ଥିବି କାହା ପାଶେ ॥ ୧୧
ମୋତେ ରଖିବ ଏଥେ କେହୁ । ଭ୍ରମିବି କାହା ବଳେ ଆଉ ॥ ୧୨
ହିସିବି ବସିବି ମୁଁ କାହିଁ । ଲଜ୍ଜା ପାଇବି କାହା ନେଇ ॥ ୧୩
ଆଉ କି ଦେଖିବି ସକଳ । କେ ଦେବ ମୋତେ ଅନ୍ନଜଳ ॥ ୧୪
ଦିବ୍ୟ ଚନ୍ଦନ ଫୁଲମାଳି । ଘଷି କେ ଛଡ଼ାଇବା ମଳି ॥ ୧୫
କେ ମୋତେ ଉଜ୍ଜଳ କରିବ । ଦିବ୍ୟ ବସନ ପିନ୍ଧାଇବ ॥ ୧୬
ସୁବର୍ଣ୍ଣ ଅଳଙ୍କାରମାନ । କେ ମୋତେ କରିବ ଖଞ୍ଜନ ॥ ୧୭
କାହାର ସଙ୍ଗେ ମୁଁ ରସିବି । ନିଦ୍ରା ପଲ୍ୟଙ୍କେ ପହୁଡ଼ିବି॥ ୧୮
କାହା ଆନନ୍ଦେ ମୁଁ କାରଣ । କା ଘେନି ହେବ ଦାନ ପୁଣ୍ୟ ॥ ୧୯
କେ ମୋତେ ଉଠାଉ ବସାଉ । କେ ଅବା ଦେଖାଉ ଶୁଣାଉ॥ ୨୦
କାହାର ଟାଣେ କ୍ରୋଧ କାମ । କା ବଳେ ଜପି ରାମ ନାମ ॥ ୨୧
କେ ଷଡ଼ରସ ମୁଖେ ଦେବ । କେ ପୁତ୍ର ଦାରାକୁ ପୋଷିବ ॥ ୨୨
ଏ ଧନ ଦ୍ରବ୍ୟ ସବୁ ରଖି । ମୋ ପତି ଗଲା ଯେ ଉପେକ୍ଷି ॥ ୨୩
ଏବେ ମୁଁ ପଡ଼ିଛି ଭୂମିରେ । ସଚେତ କେ କରିବ ମୋରେ ॥ ୨୪
ସବୁ ସରିଲା ମୋର ପଣ । କେଣେ ଉପେକ୍ଷି ଗଲା ପ୍ରାଣ ॥ ୨୫
କେହି ତ ନାହିଁ ମୋର ଏଥଥି । କେ ମୋତେ ରଖିବ ସାଇତି ॥ ୨୬
ମୋ ଆତ୍ମା ପତି ବିନା ରାଣ୍ଡ । ନାଶ ହୁଅଇ ପିଣ୍ଡ ଖଣ୍ଡ ॥ ୨୭
ଏହା ବିଧାତା ମୋତେ କଲା । ମୋର ସୁଲଭ କେଣେ ଗଲା ॥ ୨୮
ଦେଖ ଅଶୋଭା ମୋର ମୁଖ । ସ୍ଵାମୀ ଛାଡ଼ିଲେ ଏତେ ଦୁଃଖ ॥ ୨୯
ହସ୍ତ ଚରଣ ନ ଚଳଇ । ମୋ ଶିର ପିଣ୍ଡ ନ ଉଠଇ ॥ ୩୦
ଅଧରେ ନାହିଁ ମୋ ଶବଦ । ମୁଖେ ଚଳଇ ନାହିଁ ସ୍ଵାଦ ॥ ୩୧
ଡାକିଲେ କର୍ଣ୍ଣ ନ ଶୁଣଇ । ନେତ୍ରେ ପିଛଡ଼ା ନ ପଡ଼ଇ ॥ ୩୨
ସବୁ ସରିଲା ମୋର ପଣ । ଭୂମିରେ ପଡ଼ି ଉଲଗନ ॥ ୩୩
କେଶ ମୁକୁଳା ଯେଣୁ ପଡ଼ି । ଅଙ୍ଗେ ସକଳ ଗୁଣ୍ଡି ଉଡ଼ି ॥ ୩୪
ଏତେ ଭୋଗାଦି ମୋ ସରିଲା । ମୋ ପିଣ୍ଡ ବିଅର୍ଥରେ ଗଲା ॥ ୩୫
ପତି ଥିବାରେ ମୋ କୁଶଳ । ତା ବିନୁ ହୋଇଲି ଚଣ୍ଡାଳ ॥ ୩୬
ପୃଥ୍ଵୀରେ ଥିଲି ମୁଁ କାରେଣି । ମୋବାକ୍ୟେ ଥିଲେ ଯେତେପ୍ରାଣୀ ॥ ୩୭
ସବୁରି ମୋତେ ଶ୍ରଦ୍ଧା ଥିଲା । ଏବେ ତ କେହି ନ ଛୁଇଁଲା ॥ ୩୮
ଏବେ ମୁଁ ହୋଇଲି କୁତ୍ସିତ । ଗୃହକୁ କଲି ଅପବିତ୍ର ॥ ୩୯
ବନ୍ଧନ ଭାଣ୍ଡ ଯେତେ ଥିଲା । ସମସ୍ତ ପକାଇଣ ଦେଲା ॥ ୪୦
ମୁଁ ଯେଉଁଠାରେ ପଡ଼ିଥିଲି । ଲିପିଲେ ଅଶୁଦ୍ଧ ତା ବୋଲି ॥ ୪୧
ଏତେ ସରିକି ଗଲା କଥା । ଯହୁଁ ଛାଡ଼ିଲେ ମୋତେ ଭର୍ତ୍ତା ॥ ୪୨
ଏବେ କେମନ୍ତେ ନିସ୍ତରିବି । ଏମନ୍ତ କହେ ଚ୍ଚେ ରାବି ॥ ୪୩
ଏ ଜନ୍ମ ରଖି ନ ଯୋଗାଇ । ଅନଳେ ଝାସ ଦେବି ନେଇ ॥ ୪୪
ଏତେ ବୋଲିଣ ଦେଲା ଝାସ । ଆତ୍ମାକୁ କରାଇ ନିରାଶ॥ ୪୫
ଏ ଦେହ ଏମନ୍ତ ଅଟଇ । ଆତ୍ମା ବିହୀନେ କ୍ଷୟ ଯାଇ ॥ ୪୬
ଦେହ ରମଇ ବଦ୍ଧ ପାଶ । ଆତ୍ମାକୁ କରାଇ ନିରାଶ ॥ ୪୭
ଏଣୁ ନିର୍ଗୁଣ ଆତ୍ମା ହେବ । ନ ଜାଣେ ଭାବ କି ଅଭାବ ॥ ୪୮
ସୁଖୀ ଦୁଃଖୀ ବା ଜ୍ଞାନୀଯୋଗୀ । ଦେବତା ଆଦି ପୁଣ୍ୟଭୋଗୀ ॥ ୪୯
ସକଳଠାରୁ ସେହି ଯାଇ । ଦୟା ତାହାର ଦେହେ ନାହିଁ ॥ ୫୦
ଏଣୁ ତୁ ତାକୁ କର ଆଶ । ପାଇବୁ ପରମରେ ଯଶ ॥ ୫୧
ପ୍ରତ୍ୟକ୍ଷ କଥା ଏହା ଦେଖ । ଦେହକୁ ଘେନି ଆତ୍ମରେଖ ॥ ୫୨
ଏହା ଥିଲାକୁ ଧର୍ମ କର୍ମ । ବିଷୟ ପୁଣ୍ୟ କି ଅପୁଣ୍ୟ ॥ ୫୩
ସବୁ କଥାକୁ ଶ୍ରୋତା ଏହି । ପାଷାଣ୍ଡ ଏହା ନ ଜାଣଇ ॥ ୫୪
ବସ୍ତ୍ର ଆଦି ଏ ଯେତେ ଅଛି । ଦେହରେ ହୋଇଥାଇ କାଛି ॥ ୫୫
ଗନ୍ଧ ଚନ୍ଦନ ଚତୁଃସମ । ଲେପଇ ଏହି ଲୋମଚର୍ମ ॥ ୫୬
ଏହି ଯାହାକୁ ମୁଣ୍ଡେ ନେଇ । କାଷ୍ଠ ହୋଇଲେ ଶୋଭାପାଇ ॥ ୫୭
ଅଶ୍ୱ ହସ୍ତି ଇତ୍ୟାଦି ଯେତେ । ବାଳକ ବାଳିକା ସହିତ ॥ ୫୮
ଏହାର ପାଇଁ ସେହୁ ଜାତ । ଘେନିଣ ହୁଅ ସାମରଥ ॥ ୫୯
ଏ ଗୁଣ ବର୍ଜ୍ଜଇଟି ତହିଁ । ଆନ ତ କେହି ନ ବର୍ଜ୍ଜଇ ॥ ୬୦
ହୀରା ମୋତି ମାଣିକ୍ୟ ମଣି । ମୁକୁତା ରତ୍ନ ଆଦି ଘେନି ॥ ୬୧
ଏ ସର୍ବ ଏହାପାଇଁ ଜନ୍ମ । ଏ ସର୍ବ ହୋଇ ଆଭରଣ ॥ ୬୨
ସର୍ଷପ ଆଦି ଫଳରସ । ଅନ୍ନ ବ୍ୟଞ୍ଜନ ଏ ପ୍ରକାଶ ॥ ୬୩
ଘୃତ ତଇଳ ସର୍ବ ସାଧି । ଏହାର ପାଇଁ ଏତେ ବିଧି ॥ ୬୪
ଏହା ଘେନାଇ ଦିଏ ପୁରେ । ଏହା ନ ବୁଝନ୍ତି ପାମରେ ॥ ୬୫
ଏହାର ଅର୍ଥେ ଅଗ୍ନି ଜାତ । ଏହାର ପାଇଁ ଏତେ ମତ ॥ ୬୬
ଏହାର ଅର୍ଥେ ଇନ୍ଦ୍ରପାଳେ । ଭୂମି ଆଦି ଏ ତିନିକାଳେ ॥ ୬୭
ରାତ୍ର ଦିବସ ରବି ଶଶୀ । ଏହାର ପାଇଁ ଦିବା ନିଶି ॥ ୬୮
ଏହାରି ପାଇଁଟିକି ତୀର୍ଥ । ଏହାରି ପାଇଁ ନାନା ବ୍ରତ ॥ ୬୯
ଏ ସର୍ବ ଠାବରେ କାରେଣି । ଏହା ନ ଜାଣେ ମୁଢ଼ପ୍ରାଣୀ ॥ ୭୦
ନାନା ବସ୍ତୁ ଥୁଲେ କି ହେବ । ଏ ଘଟ ଗଲେ ନ ପାଇବ ॥ ୭୧
ଏ ଘଟ ଥାଉ କର ସେବା । କହିଲୁ ଗୋଚରରେ ଯେବା ॥ ୭୨
ପରମ ବ୍ରହ୍ମର ଏ ରସ । ଛାଡ଼ି ସକଳ କର୍ମ ପାଶ ॥ ୭୩
ଆତ୍ମାଟି ସ୍ତିରୀ ଯେ ପୁରୁଷ । ଆତ୍ମା ବିନାଶେ ସର୍ବନାଶ ॥ ୭୪
ଆତ୍ମା ସାମନ୍ତ ସେବକଟି । ଆତ୍ମା ଅଟେ ନିତ୍ୟ କପଟୀ ॥ ୭୫
ସକଳ ସ୍ଥାନେ ଆତ୍ମା ରସେ । ଏ ତୋ ଶରିରେ ଆତ୍ମା ବସେ ॥ ୭୬
ଏକଇ ବ୍ରହ୍ମ ସର୍ବଭୂତେ । ପ୍ରକାଶ ଦେଖ ନାନା ମତେ ॥ ୭୭
ଏଣୁ ତୁ ଏକ ଭାବେ ରହ । କାଳେ ପାଇବୁ ମୋର ଦେହ ॥ ୭୮
ଶୁଣି ଉଦ୍ଧବ ତୋଷଚିତ୍ତ । ଆନନ୍ଦେ ଶିରେ ଦେଇ ହସ୍ତ ॥ ୭୯
ବୋଲଇ ହୋଇଲି ନିସ୍ତାର । ଯହୁଁ ପାଇଲି ଜ୍ଞାନ ସାର ॥ ୮୦
ଏଣୁ ମୁଁ ହୋଇଲି କାରଣ । ତୁମ୍ବରେ ପଶିଲି ଶରଣ ॥ ୮୧
ତୋ ବିନୁ ଅନ୍ୟ ନାହିଁ ଆଉ। ଏଥି ଉପରେ ଆଜ୍ଞା ହେଉ ॥ ୮୨
ଆତ୍ମା ପରମ ବ୍ରହ୍ମସାର । ଏଥୁ ଅଧୁକ ନାହିଁ ପର ॥ ୮୩
ସକଳ ଶାସ୍ତ୍ରେ ପରମାଣ । ସବୁହୁଁ ଶ୍ରେଷ୍ଠ ଆତ୍ମଜ୍ଞାନ ॥ ୮୪
ଆନନ୍ଦେ ସୁଖ ବ୍ରହ୍ମଲୀଳା । ସେ ଭବ ସମୁଦ୍ରକୁ ଭେଳା ॥ ୮୫
ଦ୍ୱାରକା ମଣ୍ଡଳେ ପ୍ରବେଶ । ଭଣଇ ଜଗନ୍ନାଥ ଦାସ ॥ ୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ
ସମ୍ବାଦେ ନାମ ଷଷ୍ଠୋଦ୍ଧଧ୍ୟାୟଃ ॥
* * *