ତ୍ରୟୋଦଶ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
ଶ୍ରୀ ଭଗବାନୁବାଚ
ଜ୍ଞାନ ପରମର ଏ ଭାଗ । ଅଣସାଧନା ଆତ୍ମାଯୋଗ ॥ ୧
ନିର୍ଗୁଣ ନିରଞ୍ଜନ ହରି । ଅଶେଷ ଭୂତରେ ବିହରି ॥ ୨
ଅବିଦ୍ୟା ଅଜପା ପରମ । ଅମାପ ଅନାହତ ବ୍ରହ୍ମ ॥ ୩
ଅଦୃଷ୍ଟ ଅଶ୍ରୁତି ଅନନ୍ତ । ଅବ୍ୟକ୍ତ ଅନାମ ଅଚ୍ୟୁତ ॥ ୪
ସକଳ କର୍ମରୁ ବାହାର । ଅଷ୍ଟାଙ୍ଗ ଜୋଗର ଉପର ॥ ୫
ଯହିଁ କିରଣ ଦୀପାବଳୀ । ରାତ୍ର ଦିବସ ହୁଳହୁଳି ॥ ୬
ଚନ୍ଦ୍ର କିରଣ ଯା ପାହାରୀ । ଶବଦ ହଜିବାର ପୁରୀ ॥ ୭
ସପତ ସିନ୍ଧୁ ଯହିଁ ବାଡ଼ । ଅଷ୍ଟରତ୍ନରେ ଯେ ଉହାଡ଼ ॥ ୮
ଚାରିବେଦ ଯେ ଚାରିଦ୍ଵାରେ । ବସନ୍ତି ପୂର୍ବ ପଶ୍ଚିମରେ ॥ ୯
ଉତ୍ତର ଦକ୍ଷିଣ ଆବୋରି । ଦ୍ଵାରେ ଅଛନ୍ତି ବେଦ ଚାରି ॥ ୧୦
ଏ ଚାରି ମଧ୍ୟେ ଅଷ୍ଟଦିଗ । ତହିଁ ବସେ ଅଷ୍ଟାଙ୍ଗ ଯୋଗ ॥ ୧୧
ଦ୍ବାଦଶ ଦ୍ବାରେ ଦ୍ବାରୀ ବାର । ଅଷ୍ଟାଙ୍ଗ ଗିରି ଶିଖେ ହର ॥ ୧୨
ହର ଶିରରେ ତିନି ନଦୀ । ବହି ଆସଇ ପୁର ଭେଦି ॥ ୧୩
ଇଅଁଳା ପିଅଁଳା ମଧ୍ୟରେ । ଗଙ୍ଗା ବହଇ ନିରନ୍ତରେ ॥ ୧୪
ତହିଁରେ ବେନିପକ୍ଷୀ ନିତ୍ୟେ । ବସନ୍ତି ରକ୍ଷା ଭୋଗ ଅର୍ଥେ ॥ ୧୫
ଭିତରୁ ପଶେ ଜୀବ ଅଂଶ । ଆସଇ ପରମ ପୁରୁଷ ॥ ୧୬
ଏ ଭେନି ବାହାର ଭିତରେ । ଆସି ମିଳନ୍ତି ସେ ବ୍ରହ୍ମରେ ॥ ୧୭
ବ୍ରହ୍ମ ଭକତି କଲେ ପାଇ । ଅଣ ସାଧନା ଧର୍ମ ଏହି ॥ ୧୮
ସବୁ ଯୋଗରୁ ସେ ଉଶ୍ଵାସ । ବାଟ ଜାଣିଲେ ପାଇ ରସ ॥ ୧୯
ନବଧା ଭକ୍ତିରୁ ଏ ସାର । ପାରିଲେ ଏହି ଭକ୍ତି କର ॥ ୨୦
କାଳେ ଉଶ୍ଵାସ ଏ ଅଟଇ । ଡରିଲେ ଏଥୁ ଗୁରୁ ନାହିଁ ॥ ୨୧
ଅଭକ୍ଷ ଭକ୍ଷିପାରୁ ଯେବେ । ଅମାପ ମାପିପାରୁ ତେବେ ॥ ୨୨
ସକଳ ଜନେ ଏକାକାର । ନ କରି ନ କଲେ ବିଚାର ॥ ୨୩
ବିକାର କଲେ ତା ନ ପାଇ । ଅଖଣ୍ଡ ଜ୍ଞାନ ଭୂମି ଏହି ॥ ୨୪
ତୋତେ କହିଲି ଏହି ଧର୍ମ । ପୂର୍ବେ ବାଲମୀକର କର୍ମ ॥ ୨୫
ଏ ଜ୍ଞାନ ସେହୁ ସାଧ୍ୟ କଲା । ଅଗମ୍ୟ ମାର୍ଗର ଏ ଥିଲା ॥ ୨୬
ଏ ଜ୍ଞାନ ହନୁ କଲା ଆଦ୍ୟୁ । ହେଳେ ଜିଣିଲା ସପ୍ତସିନ୍ଧୁ ॥ ୨୭
ଯେ ବ୍ରହ୍ମ ସାଧିପାରେ ମହୀ । ଅରୁପ ଭାବେ ବୋଧ ହୋଇ ॥ ୨୮
ସେ ଲୋକ ତିନିପୁରେ ଧନ୍ୟ । ଅନ୍ୟ ଜେ ନକରଇ ମାନ୍ୟ ॥ ୨୯
ଶତ ପ୍ରତିମା ନ ମାନଇ । ଚଣ୍ଡୀ ଚାମଣ୍ଡା ନ ପୂଜଇ ॥ ୩୦
ଦୁର୍ଗା ବାସେଳୀ ଆଦି ହେଲା । ମହେଶ ପାର୍ବତୀ ମଙ୍ଗଳା ॥ ୩୧
ଭୁବନେଶ୍ଵରୀ ଶକ୍ତି ଦୀକ୍ଷା । ଏହା ନ କର ଜ୍ଞାନୀ ଶିକ୍ଷା ॥ ୩୨
ସେ ନିରଞ୍ଜନ ଦୀକ୍ଷା ସାର । ତାହା ସାଧଇ ନିରନ୍ତର ॥ ୩୩
ଭଜନ ଗାୟନ କୀର୍ତ୍ତନ । ଏହା ନ ଜାଣେ ଜ୍ଞାନୀଜନ ॥ ୩୪
ଏ ବ୍ରହ୍ମରୂପ ଭ୍ରମ ବୋଲି । ତେଣୁ ନ ମାନେ ଶାଳଶୀଳୀ ॥ ୩୫
ମନ୍ତ୍ର ଯନ୍ତ୍ରକୁ ନ ମାନଇ । ଓଁକାର ବ୍ରହ୍ମକୁ ଚିହ୍ନଇ ॥ ୩୬
ଏମନ୍ତ ଲୋକେ ସେ ଭକତ । ଭକ୍ତି ମୁକତି ସମାପତ ॥ ୩୭
ପାପ ପୁଣ୍ୟ ତାହାର ନାହିଁ । ଉଦ୍ଧବ କହେ ଭାବଗ୍ରାହୀ ॥ ୩୮
କହେ ଦ୍ଵାରକା ଜଗନ୍ନାଥ । ଉଦ୍ଧବେ ଶ୍ରୀକୃଷ୍ଣ ଚରିତ ॥ ୩୯
ତେଣୁ ସୁଜନେ କର ଦୟା । ଏଣୁ ଖଣ୍ଡିବ ମୋହ ମାୟା ॥ ୪୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଏକାକ୍ଷର ଜ୍ଞାନ
କଥନେ ନାମ ପଞ୍ଚମୋଦ୍ଧଧ୍ୟାୟଃ ।
* * *