ତ୍ରୟୋଦଶ ସ୍କନ୍ଧ

ଚତୁର୍ଥ ଅଧ୍ୟାୟ

ଶ୍ରୀ ଭଗବାନୁବାଚ

ଉଦ୍ଧବ ଶୁଣ ତତ୍ତ୍ୱ ଜ୍ଞାନ । ପୁଚ୍ଛିଲ ପରଂବ୍ରହ୍ମ ଜ୍ଞାନ ॥

ନାମ ସୁହୃଦ ଜ୍ଞାନବନ୍ତ । ରିପୁ ବାତ୍ସଲ୍ୟ ବିସର୍ଜିତ ॥

କାମ କ୍ରୋଧକୁ ପରିହରି । ମନ୍ଦ ସ୍ୱଭାବ ଦୂର କରି ॥

ଶୁଦ୍ଧ ଅନ୍ତର ବାଛି ତୁହି । ସମ ଦରଶୀ ସତ୍ୟେ ଥାଇ ॥

ହିଂସା ଅଇରି ପକ୍ଷ ଦୁଇ । ଯେହୁ ଇନ୍ଦ୍ରିୟ ବଶ ନୋହି ॥

ପ୍ରକୃତି ଅବଶ ଅସଙ୍ଗୀ । ନିର୍ଲୋଭ ଦୟା ପ୍ରେମଅଙ୍ଗୀ ॥

ବଚନ ଗଦ ଗଦ କରେ । ଘନ ଗର୍ଜନ ଉଚ୍ଚ ସ୍ୱରେ ॥

ଲୋମ ପୁଲକ ତନୁ କରେ । ଲକ୍ଷ ଲକ୍ଷକ ପରିହରେ ॥

ଅନ୍ତରେ ଦ୍ରବଇ ନିରତେ । ମତି ଚଞ୍ଚଳ ବିପରୀତେ ॥

କୀର୍ଭନ ଶ୍ରବଣ ସ୍ମରଣ । ବନ୍ଦଇ ଅର୍ଚ୍ଚନ ମଉନ ॥ ୧୦

ସାତ୍ତ୍ଵିକ କୋମଳତା ଭାଷା । କୁବାକ୍ୟ ନ କରଇ ହିଂସା ॥ ୧୧

ଦୁର୍ଜନ ବାକ୍ୟ ପ୍ରହାରଣେ । ଅମୃତ ପ୍ରାୟ ତାହାମଣେ ॥ ୧୨

ଶ୍ୱାନ ଶୃଗାଳ ବାଜୀ ଗଜେ । ସ୍ୱପନେ ମୋକ୍ଷ ଦୁଜାଦୁଜେ ॥ ୧୩

ସ୍ତିରୀ ବାଳକ ବୃଦ୍ଧ ଯୁବା । ଅଗ୍ରତେ ମିଳିଲେ ଯେ ଅବା ॥ ୧୪

ଦେଖି ବୋଲିବ ନମସ୍କାର । ଘେନିବ ପଦରଜ ଶିର ॥ ୧୫

ମନରେ ବିଷ୍ଣୁଭାବ ମଣି । ସାଷ୍ଟାଙ୍ଗେ ଶୋଇବ ଧରଣୀ ॥ ୧୬

ଏହାର ଯେତେ ଗୁଣ ଦୋଷ । ଆତ୍ମାରେ ନ ଧରିବ ଲେଶ ॥ ୧୭

ଲାଜ ଲକ୍ଷଣ ଦୂର କରି । ଭକତ ଭାବେ ଅନୁସରି ॥ ୧୮

ଆନନ୍ଦ ମନେ ହୃଷ୍ଟ ଭାବ । ଜଗତ ଏକତ୍ଵ ମଣିବ ॥ ୧୯

ଏ ମୋର ଭକ୍ତର ଲକ୍ଷଣ । ଇତ୍ୟାଦି ଗୁଣ ତାର ପୁଣ ॥ ୨୦

ଜ୍ଞାନ ଜାଣଇ ଧୀର ମନେ । ବ୍ରହ୍ମ ଦରଶୀ ତତ୍ତ୍ବଜ୍ଞାନେ ॥ ୨୧

ସେଲୋକ ବ୍ରହ୍ମ ଜ୍ଞାନେ ବୋଧି । ଭକ୍ତି ଅନ୍ତରେ ମୋକ୍ଷ ସିଦ୍ଧି ॥ ୨୨

ଏମନ୍ତ ଲୋକ ଅନ୍ତଃକାଳେ । ପ୍ରବେଶ ଧୁବର ମଣ୍ଡଳେ ॥ ୨୩

ଦେଖିଣ ଶଙ୍ଖ ଚକ୍ର ଚିହ୍ନ । ଖଗ କରଇ ତାକୁ ମାନ୍ୟ ॥ ୨୪

ଗରୁଡ଼ ଦେଖି ତୋଷ ହୋଇ । ପିଠିରେ ବସାଇ ଆଣଇ ॥ ୨୫

ବାଟେ ଦେଖଇ ଚିହ୍ନ ମୋର । ହୁଅଇ ସେହୁ ନମସ୍କାର ॥ ୨୬

ପାଛୋଟି ଆସି ଘେନି ଯାଇ । ଯେ ବନ୍ଦାପନା ନିଯୋଗାଇ ॥ ୨୭

ତହୁଁ ଅନଳ ଚାରିଯୁଣ । ଗମଇଁ ଈଷିତ ପ୍ରମାଣ ॥ ୨୮

ଅହି ଦେଖଇ ଦୂରୁ ଆସୁ । ପାଦେ ପଡ଼ଇ ମୋ ସକାଶୁ ॥ ୨୯

ତହୁଁ ଅନ୍ଧକାର ଜାଣଇ । ଅପରେ ସୁଦୃଶ୍ୟ ନ ଥାଇ ॥ ୩୦

କଳ୍ପନା ଦ୍ଵାରେ ପରବେଶ । ଦେଖି ତ୍ରିପୁରା ମନ ତୋଷ ॥ ୩୧

ସେ ମୁଣ୍ଡ ମାନ୍ୟ ଧର୍ମ କରେ । ତେବେ ପଶଇ ମୋର ପୁରେ ॥ ୩୨

ଅଙ୍ଗେ ହୁଅଇ ମୋର ଲୀନ । ଶୁଣ ଉଦ୍ଧବ ତତ୍ତ୍ବଜ୍ଞାନ ॥ ୩୩

ଭକ୍ତକୁ ମେଲା ସେହି ବାଟ । ଦୁର୍ଜନ ଲୋକକୁ ସଙ୍କଟ ॥ ୩୪

ଧ୍ରୁବ ମଣ୍ଡଳ ପୁର କଥା । ତାହାକୁ ବୋଲି ଶ୍ୱେତଚିତା ॥ ୩୫

କାଉଁରୀ ମଣ୍ଡଳ ନାମରେ । ପାଟଣା ଶ୍ରୀହରି ତା ଶିରେ ॥ ୩୬

ତାର ଉପରେ ଗୋଲହାଟ । ତହିଁର ଉପରେ ମୁରାଟ ॥ ୩୭

ତହିଁ ମଧ୍ୟରେ ଦିବ୍ୟପୁର । ଜ୍ୟୋତି ପରମମୟ ଘର ॥ ୩୮

ମୁହିଁ ବସଇ ତହିଁ ଯାଇ । ତୋତେ ମୁଁ ଦେଖାଇବି ନେଇ ॥ ୩୯

ତେଣୁ ପରମ ତତ୍ତ୍ବଜ୍ଞାନୀ । ନିର୍ମାୟା ଭକ୍ତ ଭାବ ଘେନି ॥ ୪୦

ଏଣୁ ପଶିବୁ ମୋ ଶରୀରେ । ତୁମ୍ଭ ତପସ୍ୟା ବଦ୍ରିକାରେ ॥ ୪୧

ଏ ଘେନି ତୋର ଗୁଣ ବହି । ମୋତେ ଭଜିଲ ଆତ୍ମାଧ୍ୟାୟି ॥ ୪୨

ପରମ ମଙ୍ଗଳ ତୋ ନାମ । ହୋଇବ ପଶିଲେ ଶରଣ ॥ ୪୩

ମୁହିଁ ନେବଇଁ ତୋତେ ସଙ୍ଗେ । ଦେଖି ପଶିବୁ ବ୍ରହ୍ମ ଅଙ୍ଗେ ॥ ୪୪

ଶୁଣି ଉଦ୍ଧବ ଗଦଗଦ । ପାଇଲା ଶ୍ରୀମୁଖ ସମ୍ବାଦ ॥ ୪୫

ଆନନ୍ଦେ ଲୋତକ ବହଇ । ଉଦ୍ଧବ ଶିରେ କର ଦେଇ ॥ ୪୬

ପ୍ରଣାମ କରି ପାଦ ତଳେ । ବୋଲେ ଆନନ୍ଦ ପ୍ରେମ ଭୋଳେ ॥ ୪୭

କେଉଁ ଜ୍ଞାନକୁ ତୁ ନିକଟ । ଅଳପେ ପାଇ କାହିଁ ଭେଟ ॥ ୪୮

ଅଳପ ସୁକ୍ଷ୍ମେ ସାଧ୍ୟକରି । ଏ ମାୟା ଘୋରୁ ଯିବିତରି ॥ ୪୯

ଅଣ ସାଧନା ଯେଉଁ ଜ୍ଞାନ । ତାହା କହ ହେ ଭଗବାନ ॥ ୫୦

ଏହା ପୁଚ୍ଛଇ ପାଦ ଧରି । ମୋହ ସଂସାରୁ କର ପାରି ॥ ୫୧

କହଇ ଦ୍ୱାରକା ଯେ ହରି । ଜଗନ୍ନାଥ ଦାସ ତୁମ୍ବରି ॥ ୫୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ

ଭକ୍ତିଲକ୍ଷଣେ ନାମ ଚତୁର୍ଥୋଦ୍ଧଧ୍ୟାୟଃ ॥

* * *