ତ୍ରୟୋଦଶ ସ୍କନ୍ଧ

ତୃତୀୟ ଅଧ୍ୟାୟ

ଉଦ୍ଧବ ଉବାଚ

ଉଦ୍ଧବ କହେ କରଯୋଡି । କୃଷ୍ଣ ଚରଣ ତଳେ ପଡି ॥

ଏକ ବ୍ରହ୍ମାଣ୍ତଠାରୁ ଯୁଗ । ତ୍ରୟ ଦେବତା କରେ ଭୋଗ ॥

ଅନେକ ବ୍ରହ୍ମାଣ୍ତ ବୋଇଲ । ଏଣୁ ସଂଶୟ ଜାତ କଲ ॥

କି ରୂପେ ଅନନ୍ତ ବ୍ରହ୍ମାଣ୍ତ । ନିର୍ମାଣ କଲ କେତେ ଖଣ୍ତ ॥

ଶ୍ରୀ ଭଗବାନ ଉବାଚ

କହନ୍ତି ଶ୍ରୀମଧୂସୂଦନ । ଶୁଣ ହେ ଭକତ ରତନ ॥

ମହା ଶୂନ୍ୟରେ ଯେବେ ଥିଲା । ଓଁକାର ତହୁଁ ଜନମିଲା ॥

ଓଁକାର ରୂପେ ଥିଲା ବେଦ । କେହି ନଜାଣେ ତାର ଭେଦ ॥

ଓଁକାର ବତ୍ରିଶ ଅକ୍ଷର । ବତ୍ରିଶାକ୍ଷର ମୂଳ ତାର ॥

ଚବିଶାକ୍ଷର ବେଦମାତା । ଓଁକାର ସବୁଙ୍କର ପିତା ॥

ଏ ବେନି ଜନଙ୍କର ରସ । ଶକ୍ତି ପ୍ରେମରୁ ଅପ୍ରକାଶ ॥ ୧୦

ତାହାଙ୍କ ତହୁଁ ସେ ଶବଦ । ଅନନ୍ତ ରୁପେ ମହାନାଦ ॥ ୧୧

ବ୍ରହ୍ମାଣ୍ତ କୋଟି ନବଖଣ୍ତ । ରୋମକେ କୋଟିଏ ବ୍ରହ୍ମାଣ୍ତ ॥ ୧୨

ଚବିଶସସ୍ର ବ୍ରହ୍ମାଣ୍ତରେ । ଏ ସର୍ବ ବିଷ୍ଣୁଙ୍କ ଉଦରେ ॥ ୧୩

କେମନ୍ତେ କହିବି ବ୍ରହ୍ମାଣ୍ତ । ମୁଳ ଅଟେ ଚଉଦ ଖଣ୍ତ ॥ ୧୪

ପ୍ରଥମ ଖଣ୍ତ ଯାହା ହେଲା । ଖଣ୍ତକୁ ବେନିଖଣ୍ତ କଲା ॥ ୧୫

ତିନି ଖଣ୍ତ ତା ପୁଣ ହୋଇ । ଚାରି ଖଣ୍ତ ଯେ ଶୁଣ ତୁହି ॥ ୧୬

ପାଞ୍ଚ ପୁତ୍ରକୁ ପାଞ୍ଚ ଖଣ୍ତ । ପୁଣି ସପତ ଯେ ବ୍ରହ୍ମାଣ୍ତ ॥ ୧୭

ଚଉଦ ଖଣ୍ତ ଏହିମତେ । ସଂକ୍ଷେପି କହିଲୁ ଗୁପତେ ॥ ୧୮

ସବୁ ବ୍ରହ୍ମାଣ୍ତେ ଏହି ପୂଜା । ମୁହିଁ ସକଳ ଦେବରାଜା ॥ ୧୯

ମୋହର ଆୟତ୍ତ ସକଳ । ମୋ ବିନୁ ସବୁ ଯେ ନିଶ୍ଚଳ ॥ ୨୦

ମୁଁ ଆତ୍ମା ସଦାନନ୍ଦ ଦେହୀ । ମୋ ବିନୁ ସତ୍ୟ ନୁହେଁ କେହି ॥ ୨୧

ମୁହିଁ ସକଳ ବ୍ରହ୍ମାଣ୍ତରେ । ସଞ୍ଚିତ ପ୍ରକୃତି ସଙ୍ଗରେ ॥ ୨୨

ଏଣୁ ମୁଁ ପ୍ରକୃତିର ପତି । ବ୍ରହ୍ମା ସ୍ୱରୂପେ ମୋର ସ୍ଥିତି ॥ ୨୩

ପ୍ରକୃତି ମୋହଠାରୁ ଜାତ । ସେ ସର୍ବ ସଞ୍ଚଇ ଜଗତ ॥ ୨୪

ପ୍ରକୃତି ପୁରୁଷ ମୁଁ କାଳ । ଏ ତିନି ଅଟେ ଏକ ଡାଳ ॥ ୨୫

ଏଣୁ ଜନ୍ମିଲେ ଏକାଦଶ । ତହୁଁ ଉତ୍ପତ୍ତି ପଞ୍ଚବିଂଶ ॥ ୨୬

ଏ ସର୍ବ ହୁଏ ଏକ ମେଳେ । କେବେ ହେଁ ନ ରହେ ନିଶ୍ଚଳେ ॥ ୨୭

ଜନ୍ମନ୍ତେ ଷଡ଼ରଜ ଘେନି । ବଢ଼ାନ୍ତି କାମକ୍ରୋଧ ବେନି ॥ ୨୮

ଏଣେ ପ୍ରବୃତ୍ତି ଧର୍ମ କହି । ନିବୃତ୍ତି ଧର୍ମ ଶୁଣ ତୁହି ॥ ୨୯

ଏ ବ୍ରହ୍ମ ବିକଳ୍ପ କଳ୍ପିତ । କାଳ କଳ୍ପନା ହୋଇ ଜାତ ॥ ୩୦

ପ୍ରଥମେ ଜାଣ ସତଯୁଗ । ବ୍ରହ୍ମରୁ ଜନ୍ମ ଦୁଇଭାଗ ॥ ୩୧

ପ୍ରଥମ ଭାଗେ ଯେ ପ୍ରକୃତି । ଦ୍ୱିତୀୟେ ପୁରୁଷ ଉତ୍ପତ୍ତି ॥ ୩୨

ଯେ ଭାଗ ପ୍ରକୃତି ରୂପେଣ । ସୃଷ୍ଟି ଉତ୍ପତ୍ତିର କାରଣ ॥ ୩୩

ପୁରୁଷ ଷଡ଼ରୂପେ ଥାଇ । ପ୍ରକୃତି ସୃଷ୍ଟି ଉପୁଜଇ ॥ ୩୪

ଏକଇ ବ୍ରହ୍ମ ବେନି ଖଣ୍ତ । ଜନ୍ମିଲା ବେନିରୁ ବ୍ରହ୍ମାଣ୍ତ ॥ ୩୫

ବ୍ରହ୍ମାଣ୍ତ ମଧ୍ୟେ ବେନି ଗୁଣ । ଜନ୍ମିଲେ ଇନ୍ଦ୍ରିୟ ପ୍ରସଙ୍ଗେ ॥ ୩୬

ପଚିଶ ପ୍ରକୃତି ହକାରି । ପଞ୍ଚମନକୁ ସଙ୍ଗେ କରି ॥ ୩୭

ଅନ୍ତରେ ଥିଲା ରଜ ଗୁଣ । ତହୁଁ ଜନ୍ମିଲେ ଦେବଗଣ ॥ ୩୮

ଏ ସବୁ ଜନ୍ମ ବେନିଗୁଣେ । ଶୁଣ ଉଦ୍ଧବ ସାବଧାନେ ॥ ୩୯

ମୁହିଁ ଶୟନ ମହାଜଳେ । ଜନ୍ମିଲା ନାଭିରୁ କମଳେ ॥ ୪୦

ସେ ପଦ୍ମୁ ବ୍ରହ୍ମା ଅବତାର । ଯୋଗବଳେ କଲେ ସଂସାର ॥ ୪୧

ପ୍ରଥମେ ଜାତ ପୂର୍ବ ମୁଖ । ତହିଁରୁ ଋକବେଦ ଦେଖ ॥ ୪୨

ଉତ୍ତର ମୁଖୁ ବେଦ ହୋଇ । ଯଜୁର୍ବେଦ ଯେ ଜନମଇ ॥ ୪୩

ଦକ୍ଷିଣ ମୁଖରୁ ତଦନ୍ତ । ସାମବେଦ ତହିଁରୁ ଜାତ ॥ ୪୪

ପଶ୍ଚିମ ମୁଖୁ ଜାତ ହେଲା । ତହିଁ ଅଥର୍ବ ଧ୍ୱନି କଲା ॥ ୪୫

ମଧ୍ୟ ଶୂନ୍ୟରେ ମିଳି ବଳେ । କଳ୍ପିଲା ଭୁବନ ମଣ୍ତଳେ ॥ ୪୬

ଦ୍ୱିସପ୍ତପୁର ଅଧଃ ଊର୍ଦ୍ଧ୍ୱେ । ଛନ୍ଦିଲା ଗାୟତ୍ରୀରୁ ଛନ୍ଦେ ॥ ୪୭

ସୂକ୍ଷ୍ମରୁ ସ୍ୱର୍ଲୋକ ସୃଜିଲା । ଭୂଲୋକ ଭୂମିଜାତ କଲା ॥ ୪୮

ପୁଣି ଚାହିଁଲା ଊର୍ଦ୍ଧ୍ୱ ମୁଖେ । ବିଲୋକ ସଞ୍ଚିଲାକ ସୁଖେ ॥ ୪୯

ଊର୍ଦ୍ଧ୍ୱ ମୁଖରେ ପୁଣ କଲା । ମହା ମନୁଷ୍ୟ ଉପୁଜିଲା ॥ ୫୦

ପୁଣି କଳ୍ପିଲା ଯୋଗବେଳେ । ତପଲୋକ କଲା ନିଶ୍ଚଳେ ॥ ୫୧

ପୁଣି ହିଁ ଅଧୋମୁଖେ ଚାହିଁ । ପାତାଳ ତା ତଳ ଭିଆଇ ॥ ୫୨

ପୁଣି ଊର୍ଦ୍ଧ୍ୱରେ ଦୃଷ୍ଟିଦେଲା । ସତ୍ୟଧ୍ରୁବମଣ୍ତଳ ହେଲା ॥ ୫୩

ପୁଣି ଅଧୋମୁଖରେ ଚାହିଁ । ତଳାତଳ ତା ତଳ ହୋଇ ॥ ୫୪

ପୁଣି ସେ ବ୍ରହ୍ମଲୋକ କଲା । ରସାତଳ ପୁଣି ସୃଜିଲା ॥ ୫୫

ଏଣୁ ସେ ଚତୁଦ୍ଦର୍ଶ ପୁର । ପ୍ରକୃତି ସଞ୍ଚିଲା ସଂସାର ॥ ୫୬

ଏହି ଯୁଗରେ ମୋ ନିବାସ । ଯହିଁରୁ ପ୍ରକୃତି ପୁରୁଷ ॥ ୫୭

ସହସ୍ର କିରଣ ଯେ ବାଡ଼ । ଅଗମ୍ୟ ଭୂମି ମିଯହିଁ ଗୁଢ଼ ॥ ୫୮

ସର୍ବଦା ଜ୍ୟୋତିର୍ମୟ ପୁର । ଗମି ନ ପାରି ସୁରନର ॥ ୫୯

ତହିଁରେ ଦଶ ଦିଗ ନାହିଁ । ମନ ପବନ ନ ଗମଇ ॥ ୬୦

ରବି ଶଶାଙ୍କ ଅଗୋଚର । ଭବ ବିରଞ୍ଚି ସୁନାସୀର ॥ ୬୧

ଏମାନେ ଗମି ନ ପାରନ୍ତି । ଦୁର୍ଗମ ଦେଖି ବାହୁଡ଼ନ୍ତି ॥ ୬୨

ଉଦ୍ଧବ ଉବାଚ

ଉଦ୍ଧବ ବୋଇଲେ ମୁରାରୀ । କିମ୍ପାଇଁ ଗମିଣ ନ ପାରି ॥ ୬୩

କି ଅବା ପଥ ତେଣେ ନାହିଁ । ଏହା କହିବ ଭାବଗ୍ରାହୀ ॥ ୬୪

ଶ୍ରୀ ଭଗବାନୁବାଚ

ବୋଲନ୍ତି କମଳ ଲୋଚନ । ଶୁଣ ଉଦ୍ଧବ ସାବଧାନ ॥ ୬୫

ଧ୍ରୁବ ଲୋକର ଯାଏ ବାଟ । ଯିବା ଆସିବା ଲୋକେ ଭେଟ ॥ ୬୬

ଯିଏ ସେ ତପସ୍ୟା କରଇ । ଧ୍ରୁବ ମଣ୍ତଳ ଯାଏ ଯାଇ ॥ ୬୭

ତେଣିକି ନ ଦିଅଇ ପଥ । ହସି କହନ୍ତି ଜଗନ୍ନାଥ ॥ ୬୮

ଧ୍ରୁବ ମଣ୍ତଳ ମାପ ହୋଇ । ଦ୍ୱାଦଶ ଯୂଣ ପଥ କହି ॥ ୬୯

ସୂଚି ମୁନରେ ସରୁ ବାଟ । ଯିବାକୁ ବହୁତ ସଙ୍କଟ ॥ ୭୦

ଚାରି ଯୋଜନ ଦ୍ୱାରେ ଯାଇ । ତହୁଁ ସୂକ୍ଷ୍ମ ପଥ ଅଟଇ ॥ ୭୧

ପୁଣି ଚାରି ଯୋଜନ ଦ୍ୱାର । ତହିଁରୁ ସରୁ ପଥ ତାର ॥ ୭୨

ତହିଁରୁ ଚାରିଯୂଣ ବାଟ । ଲେଶ ପ୍ରମାଣେ ପଥ କଷ୍ଟ ॥ ୭୩

ତେତେକ ଯହୁଁ ଗମି ଯାଇ । ତେବେ ମୋ ଭୁବନେ ମିଳଇ ॥ ୭୪

ଯେ ଭୂମି ବିସ୍ତାର ଅପାର । ଚୌରାଶି କାଠି ଦୀର୍ଘ ତାର ॥ ୭୫

ପ୍ରତି ତା ଦଶ ଲକ୍ଷ କାଠି । ତହିଁ ମଧ୍ୟରେ ଯେ ବଇଠି ॥ ୭୬

ବଇଠି ଉପରେ ମୋ ସ୍ଥାନ । ଠୁଳ ଆକାରେ ମୋ ଆସନ ॥ ୭୭

ମାୟା ପ୍ରକଟ ରୂପ ହୋଇ । ଆହୁଟ କୋଟିନୃପ ସେହି ॥ ୭୮

ପ୍ରତି ଆହୁଟ କୋଟି କଲା । ସେ ମାୟା ବ୍ରହ୍ମ ବୋଲାଇଲା ॥ ୭୯

ତାହାର ଆଗେ ମୁଁ ଗୁପତ । ନ ଦିଶେ ଶିର ପାଦ ହସ୍ତ ॥ ୮୦

ଦେହ ନିର୍ଣ୍ଣୟେ ଗଣ୍ତ ମୁଖ । ନ ଦିଶେ ମୋର ରୂପରେଖ ॥ ୮୧

ଯେ ଅବା ଗମେ ଭକ୍ତିବଳେ । ମାୟା ବ୍ରହ୍ମକୁ ଦେଖିଡୋଳେ ॥ ୮୨

ତାହାର କୃଷ୍ଣ ଭକ୍ତି ଭୂତେ ତେ । ପଶଇ ନିସ୍ତାର ନିମନ୍ତେ ॥ ୮୩

ଅନେକ ଦିନେ ମୋତେ ପାଇ । ଶୁଣ ଉଦ୍ଧବ ଜ୍ଞାନ କହି ॥ ୮୪

ଶୁଣି ଉଦ୍ଧବ ବିରସିତ । ମନରେ ହୋଇଲା ଆରତ ॥ ୮୫

କୃଷ୍ଣ ଚରଣ ତଳେ ପଡ଼ି । ବୋଲଇ ବେନି କରଯୋଡ଼ି ॥ ୮୬

ଭୟ ଲାଗିଲା ମୋତେ ହରି । କେମନ୍ତେ ଭବୁ ହେବି ପାରି ॥ ୮୭

ଏଡେ଼ ଅଗମ୍ୟ ଯେଉଁ ପଥ । କେ ଅବା ଯିବାକୁ ସମର୍ଥ ॥ ୮୮

ତୋ ଭକ୍ତ କେମନ୍ତେ ଗମିବ । ଏ କଥା କହ ହେ ମାଧବ ॥ ୮୯

ତିନି ଦ୍ୱାରରେ କିଳେ ଦ୍ୱାରୀ । କେମନ୍ତେ ଛାଡ଼ିଦିଏ ହରି ॥ ୯୦

ଏକଥା ସଂଶୟ ମୋ ଖେଦ । ଜ୍ଞାନ ଖଡ଼ଗେ ନାଥ ଛେଦ ॥ ୯୧

ଶ୍ରୀ ଭଗବାନୁବାଚ

ଧ୍ରୁବ ମଣ୍ତଳ ପରେ ଯାଇ । ଚାରି ଯୋଜନ କ୍ଷେତ୍ର ସେହି ॥ ୯୨

ସୂଚି ମୁନର ପ୍ରାୟ ବାଟ । ଲାଗିଛି ତିଳେକ କବାଟ ॥ ୯୩

ବଳଭଦ୍ର ତହିଁ ଦୁଆରୀ । ରେବତୀ ସଙ୍ଗରେ ବିହରି ॥ ୯୪

ବଟ ସ୍ୱରୂପେ ସେ ବିରାଟ । ନାମ ଦେବନାଶନ ବଟ ॥ ୯୫

ଗିରି ଯୋଜନ ପଥ ଯେଟି । କାରୁଣ୍ୟ ଜଳ ବୋଲି ସେଟି ॥ ୯୬

ସେ ହିମାଳୟ ହିମମୟ । ଅସତ୍ୟ ଲୋକେ ହୋନ୍ତି କ୍ଷୟ ॥ ୯୭

ଧ୍ରୁବ ମଣ୍ତଳୁ ଚାରିଯୁଣ । ତାହାକୁ ବୋଲି ଅର୍ଦ୍ଧଶୂନ୍ୟ ॥ ୯୮

ଚାରିଯୁଣ ଉପରେ ବାଟ । ଦେବନାଶନ ନାମେ ବଟ ॥ ୯୯

ତେଣିକି ଚାରିଯୁଣ ପଥ । ସେ ପଥ ଅତି ଆଲୋକିତ ॥ ୧୦୦

ସୂଚି ମୁନରୁ କୋଟି ଅଂଶେ । ପଥ ଫିଟିଛି ସେ ନ ଦିଶେ ॥ ୧୦୧

ସେ ଚାରିଯୁଗ ଅନ୍ଧକାର । ତହିଁ ଉପରେ ଅଛି ଦ୍ୱାର ॥ ୧୦୨

ତହିଁ ସୁଜାଣ ନାମେ ଅହି । ଦ୍ୱାର ଆବୋରି ଅଛି ରହି ॥ ୧୦୩

ମାଙ୍କଡ଼ସା ସୂତା ପରାୟେ । ଶରୀର ଏଡେ଼ ମୋଟ ହୁଏ ॥ ୧୦୪

ଲାଞ୍ଜ ମୁଣ୍ତ ତା ଏକଠାଇଁ । ବସିଛି ପୂର୍ବକୁ ଅନାଇ ॥ ୧୦୫

ବଟ ଦୁଆର ଚାରିଯୁଣ । ଅନଳ ସେହୁ ମହାଶୂନ୍ୟ ॥ ୧୦୬

ଯେହୁ ଅନଳ ଜିଣିଯାଇ । ଅହି ଦ୍ୱାରୀକୁ ଭେଟ ପାଇ ॥ ୧୦୭

ତେଣିକି ଯେଉଁ ଚାରିଯୂଣ । ଲେଶ ପ୍ରମାଣେ ପଥଜାଣ ॥ ୧୦୮

ସୂଚି ମୁନର କୋଟି ଅଂଶେ । କୋଟି ଅଂଶରୁ ବାଟ ଲେଶେ ॥ ୧୦୯

ସେ ଚାରିଯୁଣ ଅଧକାର । ନାସ୍ତି ଭୂମି ଅଗମ୍ୟପୁର ॥ ୧୧୦

ସେ ଚାରିନାମ ଗୁଣାଗୁଣ । ତାହାର ନାମ ଅର୍ଦ୍ଧଶୂନ୍ୟ ॥ ୧୧୧

ଚାରିଗୁଣ ଉପରେ ଠଣା । ଦ୍ୱାରୀ ଅଟଇ ତା କଳ୍ପନା ॥ ୧୧୨

ଯୋଗମାୟା ତ୍ରିପୁରା ଜାଣ । ସୁର ନରଙ୍କୁ ଅନୁପମ ॥ ୧୧୩

ତେଣିକି ଚଉରାଶି କାଠି । ଗମିଲେ ମାୟା ବ୍ରହ୍ମଭେଟି ॥ ୧୧୪

ମାୟା ବ୍ରହ୍ମ ଆହୁଟ କୋଟି । ଏହା ଗମିଲେ ମୋତେଭେଟି ॥ ୧୧୫

ଅଦୃଷ୍ଟ ଅଶ୍ରୁତ ଏ ଜାଣ । ଜ୍ଞାନ ଲୋଚନେ ଦରଶନ ॥ ୧୧୬

ଏଡେ଼ ଦୁର୍ଗମ ପଥ ଖଣ୍ତି । ବ୍ରହ୍ମାଦି ବ୍ରହ୍ମରୂପେ ଭଣ୍ତି ॥ ୧୧୭

ଜ୍ଞାନକୁ ଆନ ନ ଜାଣଇ । ତାହା ତୁ ଶୁଣ ମନ ଦେଇ ॥ ୧୧୮

ଏ ଯେ ପରମ ତତ୍ତ୍ୱ ଯୋଗ । ଶୁଣନ୍ତେ ଖଣ୍ତେ ଭବରୋଗ ॥ ୧୧୯

ଯେବା ପଣ୍ତିତ ଜ୍ଞାନୀଜନ । ତାହାର ଥାଏ ଏହି ଜ୍ଞାନ ॥ ୧୨୦

ଅନ୍ୟ ଲୋକଙ୍କୁ ଏହୁ ଦ୍ୱନ୍ଦ । ଦିବସ ରାତ୍ର ସମ ଅନ୍ଧ ॥ ୧୨୧

ଉଦ୍ଧବ ଦ୍ୱାରକା ଶ୍ରବଣେ । ଦ୍ୱାରକା ଜଗନ୍ନାଥ ଭଣେ ॥ ୧୨୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ବୈକୁଣ୍ଠ ବର୍ଣ୍ଣନେ ଶ୍ରୀକୃଷ୍ଣ

ଉଦ୍ଧବ ସମ୍ବାଦେ ନାମ ତୃତୀୟୋଦ୍ଧଧ୍ୟାୟଃ ॥

* * *