ତ୍ରୟୋଦଶ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ଉଦ୍ଧବ ଉବାଚ
ଉଦ୍ଧବ କୃଷ୍ଣ ପାଦ ଧରି । ବୋଲଇ ପ୍ରେମେ ମୋଦ ଭରି ॥ ୧
ଦୁସ୍ତର ଏ ଘୋର ସଂସାର । କୃତାର୍ଥ ନାହିଁ ଏ ଜୀବର ॥ ୨
ଜ୍ଞାନ କହିଲ ସ୍ୱୟଂ ମୋତେ । ଦେଖିଲି ଦୃଷ୍ଟିରେ ସାକ୍ଷାତେ ॥ ୩
ପ୍ରଳୟ ବ୍ରହ୍ମାଣ୍ତ କେମନ୍ତେ । ଜୀବ ପ୍ରଳୟ କେଉଁ ମତେ ॥ ୪
ଏହା କହିବା ହେଉ ହରି । ପୁଚ୍ଛଇ ବେନି ପାଦ ଧରି ॥ ୫
ଶ୍ରୀ ଭଗବାନୁବାଚ
ଶୁଣ ଉଦ୍ଧବ ଯାହା ପୁଚ୍ଛି । କହିବା ତହୁଁ ତୋତେ କିଛି ॥ ୬
ସପତ ପାତାଳେ ଯେ ଏଥି । ଏହା ପ୍ରଳୟେ କରେ ପୃଥ୍ୱୀ ॥ ୭
ପଶନ୍ତି ପୃଥ୍ୱୀ ଅଙ୍ଗେ ଯାଇ । ପୃଥ୍ୱୀ ପ୍ରଳୟ ଅନ୍ତ ନାହିଁ ॥ ୮
ପୃଥ୍ୱୀକୁ ଆପ ପ୍ରଳେ କଲା । ଭୁଲୋକ ମଧ୍ୟରେ ପଶିଲା ॥ ୯
ତହୁଁ ଯେ ଥିଲେ ବେନି ଜନ । ଆଦ୍ୟଦ୍ୱାରେ ସେ ଦ୍ୱାରୀ ପଣ ॥ ୧୦
ବିଷ୍ଣୁର ଆଦ୍ୟ ଦ୍ୱାରୀ ସେହି । ପୃଥ୍ୱୀ ଆପଙ୍କ ଫଳେ ତହିଁ ॥ ୧୧
ଚାରିବେଦରୁ ଚାରି ବାଇ । ଚାରି ଅକ୍ଷର ଏହା କହି ॥ ୧୨
ପାଖୁଡ଼ା ଅକ୍ଷରେ ରହିଲା । ଅକ୍ଷୟ ବାୟୁ ହୋଇଗଲା ॥ ୧୩
ବାୟବୀ ଶକ୍ତି ତୀରେ ପଶି । ଶକ୍ତି ଗଣେଶ ଦେହେଁ ମିଶି ॥ ୧୪
ଗଣେଶ ଭୁବଲୋକେ ଗଲା । ପ୍ରଳୟ ସହି ନ ପାରିଲା ॥ ୧୫
ଭୁବଲୋକରେ ଦେବାଦେବୀ । ଦ୍ୱିତୀୟ ଦ୍ୱାର ପାଳ ସେବି ॥ ୧୬
ଷଡ଼ ଅକ୍ଷର ଷଡ଼ ଦଳ । ଷଡ଼ ପବନ ଯହିଁ ଠୁଳ ॥ ୧୭
କାମ କାମାକ୍ଷୀ ଯହିଁ ଦ୍ୱାରୀ । ପାତାଳପୁର ଅଧିକାରୀ ॥ ୧୮
ଷଡ଼ ଅକ୍ଷର ପ୍ରଳୟାନ୍ତେ । ଷଡ଼ ପବନ ଯେ ମିଳନ୍ତେ ॥ ୧୯
ଷଡ଼ ଅକ୍ଷର ପ୍ରଳେ ହୋଇ । କାମାକ୍ଷୀ ଅଙ୍ଗେ ପଶେ ଯାଇ ॥ ୨୦
କାମାକ୍ଷୀ ପ୍ରଳୟର କାଳେ । ପଶଇ କାମ ଗର୍ଭସ୍ଥଳେ ॥ ୨୧
ଭୁବ ପୁଲୋକ ପ୍ରଳୟାନ୍ତେ । ମିଶଇ ସୁରଙ୍କ ସଙ୍ଗତେ ॥ ୨୨
ସେ ଦ୍ୱାରେ ବେନିଜନ ଦ୍ୱାରୀ । ଆପକୁ ପ୍ରଳେ ତେଜ କରି ॥ ୨୩
ତେଜି ଦଶ ଦଳ କମଳ । ଦଶ ଅକ୍ଷର ଦଶ ଦଳ ॥ ୨୪
ଦଶ ପବନ ଯହିଁ ବସେ । ତେଜ କମଳ ପରକାଶେ ॥ ୨୫
ଦଶ ଅକ୍ଷର ଦ୍ୱାରେ ହୋଇ । ଅକ୍ଷର ପବନ ହୁଅଇ ॥ ୨୬
ପବନ ସାବିତ୍ରୀ ଶକ୍ତିରେ । ପଶନ୍ତି ଯାଇ ପ୍ରଳୟରେ ॥ ୨୭
ସାବିତ୍ରୀ ପ୍ରଳୟରେ ଯାଇ । ସେ ବ୍ରହ୍ମ ବ୍ରହ୍ମରେ ମିଶଇ ॥ ୨୮
ଅକ୍ଷର ଦଳ ଏ ପବନ । ତେଜ ପବନେ ଦେବଗଣ ॥ ୨୯
ବ୍ରହ୍ମ ପ୍ରଳୟ ସେହୁ ଲୀଳା । ବାୟବ୍ୟ ମଣ୍ତଳେ ପଶିଲା ॥ ୩୦
ପୃଥିବୀ ଆପ ତେଜ ଘେନି । ବାୟବ୍ୟ ମଣ୍ତଳରେ ପୁଣି ॥ ୩୧
ଦ୍ୱାଦଶ ଦଳ ଜନଲୋକ । ତହିଁର ଦ୍ୱାରେ ବେନି ଦେଖ ॥ ୩୨
ଦ୍ୱାଦଶ ଅକ୍ଷର ବସଇ । ଦ୍ୱାଦଶ ପାଇଁ ପ୍ରଘଟଇ ॥ ୩୩
ଦଶ ଅକ୍ଷର ଦ୍ୱାରେ ହୁଏ । ଅକ୍ଷର ହୁଏ ବାୟୁ ମୟେ ॥ ୩୪
ବାୟବ୍ୟ ଲକ୍ଷ୍ମୀ ସଙ୍ଗେ ମିଶି । ଲକ୍ଷ୍ମୀ ନାରାୟଣ ପ୍ରବେଶି ॥ ୩୫
ଓଁକାର ବାୟୁ ମୁଳେ ଛିଡେ଼ । ନିଷେଧ କିଳିଣିକି ଫେଡେ଼ ॥ ୩୬
ସେ ମହା ନାରାୟଣ ଯାଇ । ତପ ଲୋକରେ ମେଳ ହୋଇ ॥ ୩୭
ଆକାଶ ମଣ୍ତଳେ ପଶନ୍ତି । ସେ ଦ୍ୱାରେ ବେନି ଜନେଛନ୍ତି ॥ ୩୮
ଷୋଳ ଦଳରେ ଷୋଳକ୍ଷର । ଷୋଡ଼ଶ ପବନ ତାହାର ॥ ୩୯
ଶିବ ପାର୍ବତୀ ବେନିଜନ । ପଶନ୍ତି କଣ୍ଠ ଦ୍ୱାର ସ୍ଥାନ ॥ ୪୦
ଷୋଳ ଅକ୍ଷର ଲୀନ ପାଇ । ଅକ୍ଷର ବାୟୁରେ ସମ୍ଭାଇ ॥ ୪୧
ବାୟୁ ପାର୍ବତୀ ସଙ୍ଗେ ମିଶି । ପାର୍ବତୀ ସଙ୍ଗରେ ବିକାଶି ॥ ୪୨
ଶିବ ପ୍ରଳୟ ଆକାଶରେ । ଶୁଣ କହିବା କିଛି ତୋରେ ॥ ୪୩
ଶିବ ଯେ ମହଲ୍ଲୋକେ ଗଲେ । ମହଲ୍ଲୋକୁ ସତ୍ୟେ ଚଳିଲେ ॥ ୪୪
ସ୍ତ୍ୟଲୋକୁ ବ୍ରହ୍ମ ଲୋକରେ । ଧୃବଲୋକ ବ୍ରହ୍ମ ମଣ୍ତଳେ ॥ ୪୫
ସମସ୍ତେ ପ୍ରଳୟର ରାଶି । ଜୀବ ସଙ୍ଗରେ ଯାଇ ମିଶି ॥ ୪୬
ହଂସ ପ୍ରଳୟ ଯାଇ ହୋଇ । କାଳ ପ୍ରକୃତି ପୁରୁଷ ହିଁ ॥ ୪୭
ହ-ଅ ଯେ ପରମ ଅଟଇ । ସ-ଅ ଯେ ଜୀବକୁ ବୋଲାଇ ॥ ୪୮
କମଳ ମଣ୍ତଳ ପୁରୁଷ । ଏ ତିନି ପ୍ରଳୟ ପ୍ରବେଶ ॥ ୪୯
ବେଦ ବଉଦ ପ୍ରଳେ ଗଲେ । ଜୀବ ଅଙ୍ଗରେ ସେ ରହିଲେ ॥ ୫୦
ସେ ଜୀବ ମହତ ପୁରୁଷ । ପଞ୍ଚତତ୍ତ୍ୱକୁ ଘେନି ପାଶ ॥ ୫୧
ଜୀବ ପ୍ରଳୟ ତ୍ରାସ ପାଇ । ପରମ ଆତ୍ମାରେ ମିଶଇ ॥ ୫୨
ପରମ ଆତ୍ମା ସର୍ବ ଘେନି। ଭାସେ ପ୍ରଳୟ ଜଳେ ପ୍ରାଣୀ ॥ ୫୩
ପ୍ରଳୟ ଜଳରେ ଭାସଇ । ସଲିଳ ବିମ୍ବ ପ୍ରାୟ ହୋଇ ॥ ୫୪
ହଂସ ସ୍ୱରୂପ ଜଳେ ଭାସେ । ପ୍ରଳୟ ଅନ୍ତେ ସୃଷ୍ଟି ବସେ ॥ ୫୫
ସେ ହଂସ ସହସ୍ର ବରଷ । ପ୍ରଳୟ ଜଳେ କରେ ବାସ ॥ ୫୬
ଆହାର ବିନୁ ଭ୍ରମୁଥାଇ । ପ୍ରଳୟ ତାକୁ ନ ଧରଇ ॥ ୫୭
ପରମ ଆତ୍ମା ହଂସ ଦୀକ୍ଷା । ସୃଷ୍ଟି ଭିଆଣ କଲା ଇଚ୍ଛା ॥ ୫୮
ଡିମ୍ବେକ ପଡିଲା ଜଳରେ । ପଞ୍ଚବର୍ଣ୍ଣ ସେ ଡିମ୍ବ ଧରେ ॥ ୫୯
ଡିମ୍ବ ତାପିଲା ପଞ୍ଚତତ୍ତ୍ୱେ। ପାକ ହୋଇଲା ଡିମ୍ବ ଅନ୍ତେ ॥ ୬୦
ସେ ଡିମ୍ବ ବେନି ଫାଳ କଲା । ଫାଳକେ ପୃଥିବୀ ହୋଇଲା ॥ ୬୧
ଫାଳକେ ଆକାଶ ଅଟଇ । ଭାସଇ ଜୀବ ପ୍ରାୟ ହୋଇ ॥ ୬୨
କ୍ଷୟ ନୋହିଲା ଯହୁଁ ଫାଳ । ନାଭିରୁ ଜାତ ପଦ୍ମମୂଳ ॥ ୬୩
ସେ ଷଡ଼ ଅଷ୍ଟମୁଖେ ଗଲା । ସପତ ପାତାଳ ଭେଦିଲା ॥ ୬୪
ଉର୍ଦ୍ଧ୍ୱେ ସେ ଗଲା ନାଡେ଼ ବଢ଼ି । ପରେ ଊର୍ଦ୍ଧ୍ୱ ଲୋକେ ହାବୋଡ଼ି ॥ ୬୫
ସେ ନାଡ଼ୀ ମଧ୍ୟେ କଟିଭାଗ । ତହିଁ ଛନ୍ତି ବାସୁକୀ ନାଗ ॥ ୬୬
ସେ ନାଗ ଲାଞ୍ଜେ ମେରୁ ଖଟି । ତା ଶିରେ ଫଣା ସହସ୍ରଟି ॥ ୬୭
ସହସ୍ର ଫଣାରେ ଧରଇ । ତେବେ ବ୍ରହ୍ମାଣ୍ତ ଥୟ ହୋଇ ॥ ୬୮
ସେ ନାଗକୁଳଙ୍କ ଆଶ୍ରମ । ଧଇଲା ଅତି ବଡ଼ କୂର୍ମ ॥ ୬୯
କୂର୍ମକୁ ମଣ୍ତୁକୀ ଧଇଲା । ଏମନ୍ତ ପୃଥ୍ୱୀଥୟ ହେଲା ॥ ୭୦
ତେବେ ସଞ୍ଚିଲା ମହୀଭାର । ମୁଁ ପ୍ରତିପାଳଇ ସଂସାର ॥ ୭୧
ଏମନ୍ତେ ତିନି ଦେବ ହୋଇ । ପ୍ରଳୟ ଶିବ ଯେ କରଇ ॥ ୭୨
ମେରୁ ହୋଇଲା ପଦ୍ମମୂଳ । ତହିଁ ବାନ୍ଧିଲା ଡିମ୍ବଫାଳ ॥ ୭୩
ବନ ପର୍ବତ ନଦୀ ତୀର୍ଥ । ଫଳ ମୂଳ ଅନ୍ନ ଯାବତ ॥ ୭୪
ମନୁଷ୍ୟ ପକ୍ଷୀ ସର୍ପହୋଇ । ଏ ସର୍ବ ସାଧ୍ୟ କଲେ ମହୀ ॥ ୭୫
ଶୁଣି ଉଦ୍ଧବ କୃତ୍ୟ କୃତ୍ୟ । ମୁଁ ତୁମ୍ଭ ଜନ୍ମେ ଜନ୍ମେ ଭୃତ୍ୟ ॥ ୭୬
ତେଣୁ ଭକତି ବଶ ତୁହି । ଭାବ ନିକଟେ ଭାବଗ୍ରାହୀ ॥ ୭୭
ଏ ଦେହେ କର ଶିର ନେତ୍ର । ନାସା ବଦନ କର୍ଣ୍ଣପଥ ॥ ୭୮
ଆତ୍ମା ସହିତେ ଇନ୍ଦ୍ରି ପୁଣ । ପାଞ୍ଚ ମନ ପ୍ରକୃତିଗଣ ॥ ୭୯
ଏ ସର୍ବ ତୋହର ସଞ୍ଚିତ । ତୁମ୍ଭର କିଣା ଗୋପୀନାଥ ॥ ୮୦
ମୋହର ନାହିଁ ଏଥି ପଣ । ଏ ସବୁ ତୋହର ଭିଆଣ ॥ ୮୧
ରଖ ନ ରଖ ତୋର ଇଚ୍ଛା । ମୋତେ କରିବ ତୁମେ ରକ୍ଷା ॥ ୮୨
କୃତାର୍ଥ କର ଭଗବାନ । କହିବ ଗୁପ୍ତ କଥାମାନ ॥ ୮୩
ଅଧଃ ଊର୍ଦ୍ଧ୍ୱ କାହାକୁ କହି । ଉତ୍ପତ୍ତି ପ୍ରଳୟ କେ ହୋଇ ॥ ୮୪
ତ୍ରିମାତ୍ରା ବୋଲି ଅବା କେହୁ । ତ୍ରିମୁଖ କେବା ମହାବାହୁ ॥ ୮୫
ଜୀବ ପରମ କେ ଅଟଇ । ଶିବ ଶକ୍ତି ବା କେ ବୋଲାଇ ॥ ୮୬
ଉତ୍ପତ୍ତି ପ୍ରଳୟର ଦ୍ୱାର । କେ ଅଟେ ବ୍ରହ୍ମାଣ୍ତ ଠାକୁର ॥ ୮୭
ଶ୍ରୀ ଭଗବାନୁବାଚ
ଶୁଣ ଉଦ୍ଧବ ତତ୍ତ୍ୱଜ୍ଞାନ । ଯେଣୁ ଲଭିବୁ ମୋ ଚରଣ ॥ ୮୮
ଅଧଃ ଜୀବନ ନିରାକାର । ଊର୍ଦ୍ଧ୍ୱ ପରମ ସୂକ୍ଷ୍ମସାର ॥ ୮୯
ଉତ୍ପତ୍ତି ପ୍ରଳୟଟି ଭ୍ରାନ୍ତି । ତେଣୁ ଜନ୍ମଇ ଏ ପ୍ରକୃତି ॥ ୯୦
ଉଦେ ଅସ୍ତଟି ଚଇତନ । ଚନ୍ଦ୍ରହିଁ ବୋଲେ ତାର ନାମ ॥ ୯୧
ଅକାର ଉକାର ମକାର । ତ୍ରିଶୁନ୍ୟ ଦେଖି ଆଜଘର ॥ ୯୨
ତ୍ରିବେଣୀ ଜୟ ମାତ୍ରା କହି । ତ୍ରିବେଣୀ ନାମେ ଧାର ବହି ॥ ୯୩
ଶ୍ରୁତି ଶବଦ ଶିବ ଶାନ୍ତି । ପ୍ରଳୟ ଦ୍ୱାର କାଳ ସ୍ତୁତି ॥ ୯୪
ସେ ନିରଞ୍ଜନ ନିରାକାର । ରଜ ବୀର୍ଯ୍ୟରୁ ସେ ବାହାର ॥ ୯୫
ଅକ୍ଷୟ ବୀଜ ତେଜ ବଳେ । ଦୁଃଖ ସୁଖ ଏ ବେନି ଫଳେ ॥ ୯୬
ତ୍ରୟଧାତୁରେ ବୃକ୍ଷ ଟାଣ । ଚତୁର ଶିରେ ବଳବାନ ॥ ୯୭
ଏ ପଞ୍ଚଡାଳେ ପଞ୍ଚଭୂତେ । ବସନ୍ତି ଭୋଗ ରକ୍ଷା ଅର୍ଥେ ॥ ୯୮
ଷଢ଼ ଆତ୍ମାରେ ବୃକ୍ଷ ମୋଟ । ଏ ଷଢ଼ରସ ରୂପୀ ଦୁଷ୍ଟ ॥ ୯୯
ଶ୍ରବଣେ ନିନ୍ଦାସ୍ତୁତି ଶୁଣେ । ଏ ରସ ବୃକ୍ଷ ନିୟୋଜନେ ॥ ୧୦୦
ନୟନ ରୂପ ଅର୍ଥ ପାଇଁ । ଅଶେଷ ମାର୍ଗେ ଭ୍ରମୁଥାଇ ॥ ୧୦୧
ନାସିକା ଗନ୍ଧ ଆମୋଦନ । ଭ୍ରମଇ ନାନା ବାସସ୍ଥାନ ॥ ୧୦୨
କ୍ଷୁଧା ଅନଳ ଧରେ ପେଟେ । କୁବାକ୍ୟ ମୁଖେ ନିତ୍ୟ ରଟେ ॥ ୧୦୩
ଇନ୍ଦ୍ରି ଧରଇ ପୁଣି ବଳେ । ଭ୍ରମଇ ମଇଥୁନ ଫଳେ ॥ ୧୦୪
ଏ ଷଡ଼ରସ ବୃକ୍ଷ ଧରେ । ସମତ୍ୱ ତ୍ୱକ ବେଢ଼ିବାରେ ॥ ୧୦୫
ଚର୍ମ ଭିତରେ ଲୋମମୂଳେ । ଲେପନ ରକ୍ତ ମାଂସ ଜଳେ ॥ ୧୦୬
ଶିରାସଙ୍କୁଳ ଅସ୍ଥି ଗଣ୍ଠି । ସପ୍ତ ବକଳ ବୃକ୍ଷ ଫୁଟି ॥ ୧୦୭
ଅଷ୍ଟ ମୁରତି ଘେନି ଡାଳେ । ପୃଥିବୀ ପବନ ଅନଳେ ॥ ୧୦୮
ଆକାଶ ତେଜ ବୁଦ୍ଧି ଘେନି । ଅହଙ୍କାର ଏ ବୃକ୍ଷ ଜାଣି ॥ ୧୦୯
ନବ ଖଣ୍ତରେ ବୃକ୍ଷ ଶୋଭା । ଦଶଟି ଖେଦ ଯହିଁ ପ୍ରଭା ॥ ୧୧୦
ଏମନ୍ତ ଅଟେ ବୃକ୍ଷସ୍ଥାନ । ବସନ୍ତି ବେନି ପକ୍ଷୀ ଶୂନ୍ୟ ॥ ୧୧୧
ଜୀବ ପରମ ବେନି ଅଂଶେ । ବୃକ୍ଷ ଭେଦିଣ ପରକାଶେ ॥ ୧୧୨
ବୃକ୍ଷର ନାମଟି ଜୀବନ । ଜୀବ ବିହୀନେ ବୃକ୍ଷ କ୍ଷୀଣ ॥ ୧୧୩
ଶ୍ୱେତ ଶରୀରେ ଶ୍ୱେତ ଜଳ । ପରମ ନାମେ ଆଦିମୂଳ ॥ ୧୧୪
ନୀଳ ସ୍ୱରୂପେ କୃଷ୍ଣବର୍ଣ୍ଣ । ଜୀବର ଏ ବର୍ଣ୍ଣ ଲକ୍ଷଣ ॥ ୧୧୫
ପରମ ବୋଲି ଯାକୁ କହି । ଜୀବହିଁ ସେହି ଯେ ଅଟଇ ॥ ୧୧୬
ଏକ ପାଖୁଡ଼ା ବେନିଖଣ୍ତ । ଶଶୀକି ଅନ୍ତର ପ୍ରଚଣ୍ତ ॥ ୧୧୭
ତେଣୁ ଜୀବ ପରମ ଦୁଇ । କେହି କାହାକୁ ନ ଦେଖଇ ॥ ୧୧୮
ଶବଦ ମାତ୍ରକ ବାରଇ । ଶବଦୁ ବେଦ ଉଦ୍ଗାରଇ ॥ ୧୧୯
ବେଦୁ ଶବଦ ଏ ବ୍ରହ୍ମାଣ୍ତ । ପ୍ରଥିବୀ ନବଲକ୍ଷ ଖଣ୍ତ ॥ ୧୨୦
ଅଧିକୁଁ ଅଧିକ ଯେତେକ । ଏମନ୍ତେ କହିବି କେତେକ ॥ ୧୨୧
ଶୁଣି ଉଦ୍ଧବ ଶାନ୍ତ ଚିତ୍ତେ । ପ୍ରମାଣ କଲାକ ତୁରିତେ ॥ ୧୨୨
ଦ୍ୱାରକା କହିଲେ ଗୋବିନ୍ଦ । ଶ୍ରୀମଦ୍ ଭାଗବତ ତେରସ୍କନ୍ଧ ॥ ୧୨୩
ବ୍ରହ୍ମାଣ୍ତ ମଧ୍ୟେ ମହାରସ । ଦ୍ୱାରକା ଜଗନ୍ନାଥ ଦାସ ॥ ୧୨୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ
ନାମ ଦ୍ୱିତୀୟୋଦ୍ଧଧ୍ୟାୟଃ ॥
* * *