ତ୍ରୟୋଦଶ ସ୍କନ୍ଧ

ଦ୍ୱିତୀୟ ଅଧ୍ୟାୟ

ଉଦ୍ଧବ ଉବାଚ

ଉଦ୍ଧବ କୃଷ୍ଣ ପାଦ ଧରି । ବୋଲଇ ପ୍ରେମେ ମୋଦ ଭରି ॥

ଦୁସ୍ତର ଏ ଘୋର ସଂସାର । କୃତାର୍ଥ ନାହିଁ ଏ ଜୀବର ॥

ଜ୍ଞାନ କହିଲ ସ୍ୱୟଂ ମୋତେ । ଦେଖିଲି ଦୃଷ୍ଟିରେ ସାକ୍ଷାତେ ॥

ପ୍ରଳୟ ବ୍ରହ୍ମାଣ୍ତ କେମନ୍ତେ । ଜୀବ ପ୍ରଳୟ କେଉଁ ମତେ ॥

ଏହା କହିବା ହେଉ ହରି । ପୁଚ୍ଛଇ ବେନି ପାଦ ଧରି ॥

ଶ୍ରୀ ଭଗବାନୁବାଚ

ଶୁଣ ଉଦ୍ଧବ ଯାହା ପୁଚ୍ଛି । କହିବା ତହୁଁ ତୋତେ କିଛି ॥

ସପତ ପାତାଳେ ଯେ ଏଥି । ଏହା ପ୍ରଳୟେ କରେ ପୃଥ୍ୱୀ ॥

ପଶନ୍ତି ପୃଥ୍ୱୀ ଅଙ୍ଗେ ଯାଇ । ପୃଥ୍ୱୀ ପ୍ରଳୟ ଅନ୍ତ ନାହିଁ ॥

ପୃଥ୍ୱୀକୁ ଆପ ପ୍ରଳେ କଲା । ଭୁଲୋକ ମଧ୍ୟରେ ପଶିଲା ॥

ତହୁଁ ଯେ ଥିଲେ ବେନି ଜନ । ଆଦ୍ୟଦ୍ୱାରେ ସେ ଦ୍ୱାରୀ ପଣ ॥ ୧୦

ବିଷ୍ଣୁର ଆଦ୍ୟ ଦ୍ୱାରୀ ସେହି । ପୃଥ୍ୱୀ ଆପଙ୍କ ଫଳେ ତହିଁ ॥ ୧୧

ଚାରିବେଦରୁ ଚାରି ବାଇ । ଚାରି ଅକ୍ଷର ଏହା କହି ॥ ୧୨

ପାଖୁଡ଼ା ଅକ୍ଷରେ ରହିଲା । ଅକ୍ଷୟ ବାୟୁ ହୋଇଗଲା ॥ ୧୩

ବାୟବୀ ଶକ୍ତି ତୀରେ ପଶି । ଶକ୍ତି ଗଣେଶ ଦେହେଁ ମିଶି ॥ ୧୪

ଗଣେଶ ଭୁବଲୋକେ ଗଲା । ପ୍ରଳୟ ସହି ନ ପାରିଲା ॥ ୧୫

ଭୁବଲୋକରେ ଦେବାଦେବୀ । ଦ୍ୱିତୀୟ ଦ୍ୱାର ପାଳ ସେବି ॥ ୧୬

ଷଡ଼ ଅକ୍ଷର ଷଡ଼ ଦଳ । ଷଡ଼ ପବନ ଯହିଁ ଠୁଳ ॥ ୧୭

କାମ କାମାକ୍ଷୀ ଯହିଁ ଦ୍ୱାରୀ । ପାତାଳପୁର ଅଧିକାରୀ ॥ ୧୮

ଷଡ଼ ଅକ୍ଷର ପ୍ରଳୟାନ୍ତେ । ଷଡ଼ ପବନ ଯେ ମିଳନ୍ତେ ॥ ୧୯

ଷଡ଼ ଅକ୍ଷର ପ୍ରଳେ ହୋଇ । କାମାକ୍ଷୀ ଅଙ୍ଗେ ପଶେ ଯାଇ ॥ ୨୦

କାମାକ୍ଷୀ ପ୍ରଳୟର କାଳେ । ପଶଇ କାମ ଗର୍ଭସ୍ଥଳେ ॥ ୨୧

ଭୁବ ପୁଲୋକ ପ୍ରଳୟାନ୍ତେ । ମିଶଇ ସୁରଙ୍କ ସଙ୍ଗତେ ॥ ୨୨

ସେ ଦ୍ୱାରେ ବେନିଜନ ଦ୍ୱାରୀ । ଆପକୁ ପ୍ରଳେ ତେଜ କରି ॥ ୨୩

ତେଜି ଦଶ ଦଳ କମଳ । ଦଶ ଅକ୍ଷର ଦଶ ଦଳ ॥ ୨୪

ଦଶ ପବନ ଯହିଁ ବସେ । ତେଜ କମଳ ପରକାଶେ ॥ ୨୫

ଦଶ ଅକ୍ଷର ଦ୍ୱାରେ ହୋଇ । ଅକ୍ଷର ପବନ ହୁଅଇ ॥ ୨୬

ପବନ ସାବିତ୍ରୀ ଶକ୍ତିରେ । ପଶନ୍ତି ଯାଇ ପ୍ରଳୟରେ ॥ ୨୭

ସାବିତ୍ରୀ ପ୍ରଳୟରେ ଯାଇ । ସେ ବ୍ରହ୍ମ ବ୍ରହ୍ମରେ ମିଶଇ ॥ ୨୮

ଅକ୍ଷର ଦଳ ଏ ପବନ । ତେଜ ପବନେ ଦେବଗଣ ॥ ୨୯

ବ୍ରହ୍ମ ପ୍ରଳୟ ସେହୁ ଲୀଳା । ବାୟବ୍ୟ ମଣ୍ତଳେ ପଶିଲା ॥ ୩୦

ପୃଥିବୀ ଆପ ତେଜ ଘେନି । ବାୟବ୍ୟ ମଣ୍ତଳରେ ପୁଣି ॥ ୩୧

ଦ୍ୱାଦଶ ଦଳ ଜନଲୋକ । ତହିଁର ଦ୍ୱାରେ ବେନି ଦେଖ ॥ ୩୨

ଦ୍ୱାଦଶ ଅକ୍ଷର ବସଇ । ଦ୍ୱାଦଶ ପାଇଁ ପ୍ରଘଟଇ ॥ ୩୩

ଦଶ ଅକ୍ଷର ଦ୍ୱାରେ ହୁଏ । ଅକ୍ଷର ହୁଏ ବାୟୁ ମୟେ ॥ ୩୪

ବାୟବ୍ୟ ଲକ୍ଷ୍ମୀ ସଙ୍ଗେ ମିଶି । ଲକ୍ଷ୍ମୀ ନାରାୟଣ ପ୍ରବେଶି ॥ ୩୫

ଓଁକାର ବାୟୁ ମୁଳେ ଛିଡେ଼ । ନିଷେଧ କିଳିଣିକି ଫେଡେ଼ ॥ ୩୬

ସେ ମହା ନାରାୟଣ ଯାଇ । ତପ ଲୋକରେ ମେଳ ହୋଇ ॥ ୩୭

ଆକାଶ ମଣ୍ତଳେ ପଶନ୍ତି । ସେ ଦ୍ୱାରେ ବେନି ଜନେଛନ୍ତି ॥ ୩୮

ଷୋଳ ଦଳରେ ଷୋଳକ୍ଷର । ଷୋଡ଼ଶ ପବନ ତାହାର ॥ ୩୯

ଶିବ ପାର୍ବତୀ ବେନିଜନ । ପଶନ୍ତି କଣ୍ଠ ଦ୍ୱାର ସ୍ଥାନ ॥ ୪୦

ଷୋଳ ଅକ୍ଷର ଲୀନ ପାଇ । ଅକ୍ଷର ବାୟୁରେ ସମ୍ଭାଇ ॥ ୪୧

ବାୟୁ ପାର୍ବତୀ ସଙ୍ଗେ ମିଶି । ପାର୍ବତୀ ସଙ୍ଗରେ ବିକାଶି ॥ ୪୨

ଶିବ ପ୍ରଳୟ ଆକାଶରେ । ଶୁଣ କହିବା କିଛି ତୋରେ ॥ ୪୩

ଶିବ ଯେ ମହଲ୍ଲୋକେ ଗଲେ । ମହଲ୍ଲୋକୁ ସତ୍ୟେ ଚଳିଲେ ॥ ୪୪

ସ୍ତ୍ୟଲୋକୁ ବ୍ରହ୍ମ ଲୋକରେ । ଧୃବଲୋକ ବ୍ରହ୍ମ ମଣ୍ତଳେ ॥ ୪୫

ସମସ୍ତେ ପ୍ରଳୟର ରାଶି । ଜୀବ ସଙ୍ଗରେ ଯାଇ ମିଶି ॥ ୪୬

ହଂସ ପ୍ରଳୟ ଯାଇ ହୋଇ । କାଳ ପ୍ରକୃତି ପୁରୁଷ ହିଁ ॥ ୪୭

ହ-ଅ ଯେ ପରମ ଅଟଇ । ସ-ଅ ଯେ ଜୀବକୁ ବୋଲାଇ ॥ ୪୮

କମଳ ମଣ୍ତଳ ପୁରୁଷ । ଏ ତିନି ପ୍ରଳୟ ପ୍ରବେଶ ॥ ୪୯

ବେଦ ବଉଦ ପ୍ରଳେ ଗଲେ । ଜୀବ ଅଙ୍ଗରେ ସେ ରହିଲେ ॥ ୫୦

ସେ ଜୀବ ମହତ ପୁରୁଷ । ପଞ୍ଚତତ୍ତ୍ୱକୁ ଘେନି ପାଶ ॥ ୫୧

ଜୀବ ପ୍ରଳୟ ତ୍ରାସ ପାଇ । ପରମ ଆତ୍ମାରେ ମିଶଇ ॥ ୫୨

ପରମ ଆତ୍ମା ସର୍ବ ଘେନି। ଭାସେ ପ୍ରଳୟ ଜଳେ ପ୍ରାଣୀ ॥ ୫୩

ପ୍ରଳୟ ଜଳରେ ଭାସଇ । ସଲିଳ ବିମ୍ବ ପ୍ରାୟ ହୋଇ ॥ ୫୪

ହଂସ ସ୍ୱରୂପ ଜଳେ ଭାସେ । ପ୍ରଳୟ ଅନ୍ତେ ସୃଷ୍ଟି ବସେ ॥ ୫୫

ସେ ହଂସ ସହସ୍ର ବରଷ । ପ୍ରଳୟ ଜଳେ କରେ ବାସ ॥ ୫୬

ଆହାର ବିନୁ ଭ୍ରମୁଥାଇ । ପ୍ରଳୟ ତାକୁ ନ ଧରଇ ॥ ୫୭

ପରମ ଆତ୍ମା ହଂସ ଦୀକ୍ଷା । ସୃଷ୍ଟି ଭିଆଣ କଲା ଇଚ୍ଛା ॥ ୫୮

ଡିମ୍ବେକ ପଡିଲା ଜଳରେ । ପଞ୍ଚବର୍ଣ୍ଣ ସେ ଡିମ୍ବ ଧରେ ॥ ୫୯

ଡିମ୍ବ ତାପିଲା ପଞ୍ଚତତ୍ତ୍ୱେ। ପାକ ହୋଇଲା ଡିମ୍ବ ଅନ୍ତେ ॥ ୬୦

ସେ ଡିମ୍ବ ବେନି ଫାଳ କଲା । ଫାଳକେ ପୃଥିବୀ ହୋଇଲା ॥ ୬୧

ଫାଳକେ ଆକାଶ ଅଟଇ । ଭାସଇ ଜୀବ ପ୍ରାୟ ହୋଇ ॥ ୬୨

କ୍ଷୟ ନୋହିଲା ଯହୁଁ ଫାଳ । ନାଭିରୁ ଜାତ ପଦ୍ମମୂଳ ॥ ୬୩

ସେ ଷଡ଼ ଅଷ୍ଟମୁଖେ ଗଲା । ସପତ ପାତାଳ ଭେଦିଲା ॥ ୬୪

ଉର୍ଦ୍ଧ୍ୱେ ସେ ଗଲା ନାଡେ଼ ବଢ଼ି । ପରେ ଊର୍ଦ୍ଧ୍ୱ ଲୋକେ ହାବୋଡ଼ି ॥ ୬୫

ସେ ନାଡ଼ୀ ମଧ୍ୟେ କଟିଭାଗ । ତହିଁ ଛନ୍ତି ବାସୁକୀ ନାଗ ॥ ୬୬

ସେ ନାଗ ଲାଞ୍ଜେ ମେରୁ ଖଟି । ତା ଶିରେ ଫଣା ସହସ୍ରଟି ॥ ୬୭

ସହସ୍ର ଫଣାରେ ଧରଇ । ତେବେ ବ୍ରହ୍ମାଣ୍ତ ଥୟ ହୋଇ ॥ ୬୮

ସେ ନାଗକୁଳଙ୍କ ଆଶ୍ରମ । ଧଇଲା ଅତି ବଡ଼ କୂର୍ମ ॥ ୬୯

କୂର୍ମକୁ ମଣ୍ତୁକୀ ଧଇଲା । ଏମନ୍ତ ପୃଥ୍ୱୀଥୟ ହେଲା ॥ ୭୦

ତେବେ ସଞ୍ଚିଲା ମହୀଭାର । ମୁଁ ପ୍ରତିପାଳଇ ସଂସାର ॥ ୭୧

ଏମନ୍ତେ ତିନି ଦେବ ହୋଇ । ପ୍ରଳୟ ଶିବ ଯେ କରଇ ॥ ୭୨

ମେରୁ ହୋଇଲା ପଦ୍ମମୂଳ । ତହିଁ ବାନ୍ଧିଲା ଡିମ୍ବଫାଳ ॥ ୭୩

ବନ ପର୍ବତ ନଦୀ ତୀର୍ଥ । ଫଳ ମୂଳ ଅନ୍ନ ଯାବତ ॥ ୭୪

ମନୁଷ୍ୟ ପକ୍ଷୀ ସର୍ପହୋଇ । ଏ ସର୍ବ ସାଧ୍ୟ କଲେ ମହୀ ॥ ୭୫

ଶୁଣି ଉଦ୍ଧବ କୃତ୍ୟ କୃତ୍ୟ । ମୁଁ ତୁମ୍ଭ ଜନ୍ମେ ଜନ୍ମେ ଭୃତ୍ୟ ॥ ୭୬

ତେଣୁ ଭକତି ବଶ ତୁହି । ଭାବ ନିକଟେ ଭାବଗ୍ରାହୀ ॥ ୭୭

ଏ ଦେହେ କର ଶିର ନେତ୍ର । ନାସା ବଦନ କର୍ଣ୍ଣପଥ ॥ ୭୮

ଆତ୍ମା ସହିତେ ଇନ୍ଦ୍ରି ପୁଣ । ପାଞ୍ଚ ମନ ପ୍ରକୃତିଗଣ ॥ ୭୯

ଏ ସର୍ବ ତୋହର ସଞ୍ଚିତ । ତୁମ୍ଭର କିଣା ଗୋପୀନାଥ ॥ ୮୦

ମୋହର ନାହିଁ ଏଥି ପଣ । ଏ ସବୁ ତୋହର ଭିଆଣ ॥ ୮୧

ରଖ ନ ରଖ ତୋର ଇଚ୍ଛା । ମୋତେ କରିବ ତୁମେ ରକ୍ଷା ॥ ୮୨

କୃତାର୍ଥ କର ଭଗବାନ । କହିବ ଗୁପ୍ତ କଥାମାନ ॥ ୮୩

ଅଧଃ ଊର୍ଦ୍ଧ୍ୱ କାହାକୁ କହି । ଉତ୍ପତ୍ତି ପ୍ରଳୟ କେ ହୋଇ ॥ ୮୪

ତ୍ରିମାତ୍ରା ବୋଲି ଅବା କେହୁ । ତ୍ରିମୁଖ କେବା ମହାବାହୁ ॥ ୮୫

ଜୀବ ପରମ କେ ଅଟଇ । ଶିବ ଶକ୍ତି ବା କେ ବୋଲାଇ ॥ ୮୬

ଉତ୍ପତ୍ତି ପ୍ରଳୟର ଦ୍ୱାର । କେ ଅଟେ ବ୍ରହ୍ମାଣ୍ତ ଠାକୁର ॥ ୮୭

ଶ୍ରୀ ଭଗବାନୁବାଚ

ଶୁଣ ଉଦ୍ଧବ ତତ୍ତ୍ୱଜ୍ଞାନ । ଯେଣୁ ଲଭିବୁ ମୋ ଚରଣ ॥ ୮୮

ଅଧଃ ଜୀବନ ନିରାକାର । ଊର୍ଦ୍ଧ୍ୱ ପରମ ସୂକ୍ଷ୍ମସାର ॥ ୮୯

ଉତ୍ପତ୍ତି ପ୍ରଳୟଟି ଭ୍ରାନ୍ତି । ତେଣୁ ଜନ୍ମଇ ଏ ପ୍ରକୃତି ॥ ୯୦

ଉଦେ ଅସ୍ତଟି ଚଇତନ । ଚନ୍ଦ୍ରହିଁ ବୋଲେ ତାର ନାମ ॥ ୯୧

ଅକାର ଉକାର ମକାର । ତ୍ରିଶୁନ୍ୟ ଦେଖି ଆଜଘର ॥ ୯୨

ତ୍ରିବେଣୀ ଜୟ ମାତ୍ରା କହି । ତ୍ରିବେଣୀ ନାମେ ଧାର ବହି ॥ ୯୩

ଶ୍ରୁତି ଶବଦ ଶିବ ଶାନ୍ତି । ପ୍ରଳୟ ଦ୍ୱାର କାଳ ସ୍ତୁତି ॥ ୯୪

ସେ ନିରଞ୍ଜନ ନିରାକାର । ରଜ ବୀର୍ଯ୍ୟରୁ ସେ ବାହାର ॥ ୯୫

ଅକ୍ଷୟ ବୀଜ ତେଜ ବଳେ । ଦୁଃଖ ସୁଖ ଏ ବେନି ଫଳେ ॥ ୯୬

ତ୍ରୟଧାତୁରେ ବୃକ୍ଷ ଟାଣ । ଚତୁର ଶିରେ ବଳବାନ ॥ ୯୭

ଏ ପଞ୍ଚଡାଳେ ପଞ୍ଚଭୂତେ । ବସନ୍ତି ଭୋଗ ରକ୍ଷା ଅର୍ଥେ ॥ ୯୮

ଷଢ଼ ଆତ୍ମାରେ ବୃକ୍ଷ ମୋଟ । ଏ ଷଢ଼ରସ ରୂପୀ ଦୁଷ୍ଟ ॥ ୯୯

ଶ୍ରବଣେ ନିନ୍ଦାସ୍ତୁତି ଶୁଣେ । ଏ ରସ ବୃକ୍ଷ ନିୟୋଜନେ ॥ ୧୦୦

ନୟନ ରୂପ ଅର୍ଥ ପାଇଁ । ଅଶେଷ ମାର୍ଗେ ଭ୍ରମୁଥାଇ ॥ ୧୦୧

ନାସିକା ଗନ୍ଧ ଆମୋଦନ । ଭ୍ରମଇ ନାନା ବାସସ୍ଥାନ ॥ ୧୦୨

କ୍ଷୁଧା ଅନଳ ଧରେ ପେଟେ । କୁବାକ୍ୟ ମୁଖେ ନିତ୍ୟ ରଟେ ॥ ୧୦୩

ଇନ୍ଦ୍ରି ଧରଇ ପୁଣି ବଳେ । ଭ୍ରମଇ ମଇଥୁନ ଫଳେ ॥ ୧୦୪

ଏ ଷଡ଼ରସ ବୃକ୍ଷ ଧରେ । ସମତ୍ୱ ତ୍ୱକ ବେଢ଼ିବାରେ ॥ ୧୦୫

ଚର୍ମ ଭିତରେ ଲୋମମୂଳେ । ଲେପନ ରକ୍ତ ମାଂସ ଜଳେ ॥ ୧୦୬

ଶିରାସଙ୍କୁଳ ଅସ୍ଥି ଗଣ୍ଠି । ସପ୍ତ ବକଳ ବୃକ୍ଷ ଫୁଟି ॥ ୧୦୭

ଅଷ୍ଟ ମୁରତି ଘେନି ଡାଳେ । ପୃଥିବୀ ପବନ ଅନଳେ ॥ ୧୦୮

ଆକାଶ ତେଜ ବୁଦ୍ଧି ଘେନି । ଅହଙ୍କାର ଏ ବୃକ୍ଷ ଜାଣି ॥ ୧୦୯

ନବ ଖଣ୍ତରେ ବୃକ୍ଷ ଶୋଭା । ଦଶଟି ଖେଦ ଯହିଁ ପ୍ରଭା ॥ ୧୧୦

ଏମନ୍ତ ଅଟେ ବୃକ୍ଷସ୍ଥାନ । ବସନ୍ତି ବେନି ପକ୍ଷୀ ଶୂନ୍ୟ ॥ ୧୧୧

ଜୀବ ପରମ ବେନି ଅଂଶେ । ବୃକ୍ଷ ଭେଦିଣ ପରକାଶେ ॥ ୧୧୨

ବୃକ୍ଷର ନାମଟି ଜୀବନ । ଜୀବ ବିହୀନେ ବୃକ୍ଷ କ୍ଷୀଣ ॥ ୧୧୩

ଶ୍ୱେତ ଶରୀରେ ଶ୍ୱେତ ଜଳ । ପରମ ନାମେ ଆଦିମୂଳ ॥ ୧୧୪

ନୀଳ ସ୍ୱରୂପେ କୃଷ୍ଣବର୍ଣ୍ଣ । ଜୀବର ଏ ବର୍ଣ୍ଣ ଲକ୍ଷଣ ॥ ୧୧୫

ପରମ ବୋଲି ଯାକୁ କହି । ଜୀବହିଁ ସେହି ଯେ ଅଟଇ ॥ ୧୧୬

ଏକ ପାଖୁଡ଼ା ବେନିଖଣ୍ତ । ଶଶୀକି ଅନ୍ତର ପ୍ରଚଣ୍ତ ॥ ୧୧୭

ତେଣୁ ଜୀବ ପରମ ଦୁଇ । କେହି କାହାକୁ ନ ଦେଖଇ ॥ ୧୧୮

ଶବଦ ମାତ୍ରକ ବାରଇ । ଶବଦୁ ବେଦ ଉଦ୍ଗାରଇ ॥ ୧୧୯

ବେଦୁ ଶବଦ ଏ ବ୍ରହ୍ମାଣ୍ତ । ପ୍ରଥିବୀ ନବଲକ୍ଷ ଖଣ୍ତ ॥ ୧୨୦

ଅଧିକୁଁ ଅଧିକ ଯେତେକ । ଏମନ୍ତେ କହିବି କେତେକ ॥ ୧୨୧

ଶୁଣି ଉଦ୍ଧବ ଶାନ୍ତ ଚିତ୍ତେ । ପ୍ରମାଣ କଲାକ ତୁରିତେ ॥ ୧୨୨

ଦ୍ୱାରକା କହିଲେ ଗୋବିନ୍ଦ । ଶ୍ରୀମଦ୍ ଭାଗବତ ତେରସ୍କନ୍ଧ ॥ ୧୨୩

ବ୍ରହ୍ମାଣ୍ତ ମଧ୍ୟେ ମହାରସ । ଦ୍ୱାରକା ଜଗନ୍ନାଥ ଦାସ ॥ ୧୨୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣଉଦ୍ଧବ ସମ୍ବାଦେ

ନାମ ଦ୍ୱିତୀୟୋଦ୍ଧଧ୍ୟାୟଃ ॥

* * *