ତ୍ରୟୋଦଶ ସ୍କନ୍ଧ
ପ୍ରଥମ ଅଧ୍ୟାୟ
ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍ ।
ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ
ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ॥
ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତ ଦ୍ରବ୍ୟସଂଯୁତଂ ।
ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବିଭାବୁକାଃ ॥
ନମଇଁ ପରମ ପୁରୁଷ । ନୀଳ କନ୍ଦରେ ତୋର ବାସ ॥ ୧
ଯୋଗୀଜନ ରଞ୍ଜିବା ପାଇଁ । ନିଶ୍ଚଳେ ବସିଛ ଗୋସାଇଁ ॥ ୨
ବ୍ରହ୍ମଜ୍ଞାନୀଙ୍କ ଗର୍ବ ଚୂରି । ତେଣୁ ବୋଲାଉ ବ୍ରହ୍ମଚାରୀ ॥ ୩
ଅଷ୍ଟାଙ୍ଗ ଯୋଗ ସାଧିବାରେ । ନିଶ୍ଚଳ ଆତ୍ମା ଲୟଦ୍ୱାରେ ॥ ୪
ପଚିଶ ପ୍ରକୃତିକୁ ସାଧି । ପଞ୍ଚମନକୁ ହୃଦେ ରୁନ୍ଧି ॥ ୫
ପଞ୍ଚାଶ ପବନ ରୁନ୍ଧନେ । ଇନ୍ଦ୍ରିୟ ରୋଧ ସମାପନେ ॥ ୬
ଷଡ଼ ଅରିକୁ ଜୟ କରି । ନିଶ୍ଚଳେ ଅନାହତେ ଭରି ॥ ୭
ନିଶ୍ଚିତ ଯୋଗରେ ଅଚଳ । ନୟନ ଥାଇଁ ଅଚଞ୍ଚଳ ॥ ୮
ନାସିକା ଥାଉ ନାହିଁ ବାସ । ଶ୍ରବଣ ନାହିଁ ଶ୍ରୋତ୍ର ବିଷ ॥ ୯
ବକତା ନାହିଁ ଅଧରରେ । ଜପ ବିହିଲା ସେ ପ୍ରକାରେ ॥ ୧୦
କଟିରେ ହଜିଲା ଚରଣ । ଇନ୍ଦ୍ର ଜପିଲା ଉଦରେଣ ॥ ୧୧
ଗୁହ୍ୟ ହଜିଲା ପାତାଳରେ । ନଖ ଲୋମ ଯେ ହୃଦୟରେ ॥ ୧୨
ଜ୍ଞାନ ଅନଳେ ସର୍ବ ଦହି । ଷୁଧା ପିପାସା ଜଠେ ଦେଇ ॥ ୧୩
ଏଣୁ ସେ ବ୍ରହ୍ମ ଅବତାର । ଅଣଚାଶ ବାୟୁ ସାଧ୍ୟର ॥ ୧୪
ତୁମ୍ଭରେ ହୁଏ ଏହା ସାଧି । ଅନ୍ୟର କାହିଁ ଏତେ ବୁଦ୍ଧି ॥ ୧୫
ହର ବିରଞ୍ଚି ସୁନାସାର । ଅନଳ ଚନ୍ଦ୍ର ଦିବାକର ॥ ୧୬
କୁବେର ବରୁଣ ବାସୁକୀ । ମେରୁ ମରୁତ ଇତ୍ୟାଦିକି ॥ ୧୭
ଏହାଙ୍କ ଶକ୍ତି ଏଡ଼େ କାହଁ । ଏଡ଼େ ନିଶ୍ଚଳ ହେବା ପାଇଁ ॥ ୧୮
ଈଶ୍ୱର ଧରିବାର ଯୋଗ । ନ ଛାଡ଼େ କାମ କ୍ରୋଧ ଲୋଭ ॥ ୧୯
ମୁନି ଯତି ଯେ ସାଧୁଛନ୍ତି । ଆହାର ନିଦ୍ରା ନ ଛାଡ଼ନ୍ତି ॥ ୨୦
ଆବର ଅଷ୍ଟଦିଗପାଳେ । ଏ ପଶି ନ ପାରନ୍ତି ଢାଳେ ॥ ୨୧
ନର କିନ୍ନର ଭେଦ କାହିଁ । ସୁର ଗନ୍ଧର୍ବେ ଭେଦ ନାହିଁ ॥ ୨୨
ଏଣୁ ନିଶ୍ଚୟ ଭଗବାନ । ସର୍ବ ଦେବତା ମୋକ୍ଷପାନ ॥ ୨୩
ଉଦ୍ଧବ ଦିନେ ବଦ୍ରିକାରେ । ପାଦୁକା ବଳେ ଧ୍ୟାନ କରେ ॥ ୨୪
ଦେଖି ତାହାର ଦୃଢ଼ ଧ୍ୟାନ । ଆସି ମିଳିଲେ ଭଗବାନ ॥ ୨୫
ଉଦ୍ଧବ ପାଦେ ପଡ଼ିଶୋଇ । ବୋଲଇ ନିସ୍ତରିଲି ମୁହିଁ ॥ ୨୬
କେବେ ଦର୍ଶନ ମନେ ଥିଲା । ଏବେ ନୟନ ଭାଗ୍ୟ କଲା ॥ ୨୭
ଯେତେ କହିଲ ଭାଗବତେ । ଭ୍ରମି ହୋଇଲି ନାନାମତେ ॥ ୨୮
ନିଷ୍ଠା କହିବା ମୋତେ ହେଉ । ଏ ଜୀବ ସଦଗତି ପାଉ ॥ ୨୯
ଶ୍ରୀ ଭଗବାନ ଉବାଚ
ଉଦ୍ଧବ ଶୁଣ ସାବଧାନେ । ଏ ଜୀବ ଥାଇ ସର୍ବସ୍ଥାନେ ॥ ୩୦
କେବଳ ଥାଇ ସାଧ୍ୟ ଭାବେ । ଇନ୍ଦ୍ରିୟ ଦୁଃଖ ସୁଖ ଭାବେ ॥ ୩୧
ଏଣୁ ଲାଗଇ ଗୁଣ ଦୋଷ । ଜୀବ ତ ନିର୍ଗୁଣ ପୁରୁଷ ॥ ୩୨
ନିର୍ମଳ ନିରଞ୍ଜନ ଏହି । ଏହାର କ୍ଷୟ ବୃଦ୍ଧି ନାହିଁ ॥ ୩୩
ଜନ୍ମ ମରଣ ଶୋକ ମୋହ । ଦୁଃଖ ସୁଖାଦି ଏ ସଂଶୟ ॥ ୩୪
ନିଦ୍ରା ଆହାର ପବନରେ । କାମ କାର୍ପୂଣ୍ୟ ବିକାରରେ ॥ ୩୫
ପ୍ରକୃତି ପୁରୁଷ ନ ଛାଡ଼େ । ଏବେ ନିଶ୍ଚିନ୍ତ ମାୟାଜଡ଼େ ॥ ୩୬
ଏ ସର୍ବ ସଭା ଉଦାସୀନ । ଜୀବର ନାହିଁ ତା ଗ୍ରହଣ ॥ ୩୭
କାହୁଁ ଅଇଲା ତା ନ ଜାଣେ । ଦେହକୁ ସତ୍ୟ କରି ମଣେ ॥ ୩୮
ଅନ୍ତେ ଯହିଁକି ଜୀବ ଯିବ । ତାହା ନ ଜାଣେ ବ୍ରହ୍ମା ଶିବ ॥ ୩୯
କାହିଁରୁ ପୂର୍ବେ ଆସିଥିଲା । ଏବେ ସେ ହେତୁ ପାଶୋରିଲା ॥ ୪୦
ଆଦ୍ୟରେ ରହି ଥିଲା ଯହିଁ । ଯହୁଁ ଅଇଲା ଦେହ ବହି ॥ ୪୧
ଦେହ ଉପେକ୍ଷି ଗଲା ପ୍ରାଣ । ମଲାରୁ ପାସୋରିଲା ଜ୍ଞାନ ॥ ୪୨
ଏବେ ପାଇବ ତାହା କାହିଁ । ଗୁରୁ ସେବିଲା ପୂର୍ବ ନାହିଁ ॥ ୪୩
ଯହୁଁ ସେ ଦେହ ଆସି ଥାଇ । ଅନ୍ତେ ଯହିଁକି ଦେହ ଯାଇ ॥ ୪୪
ଯହିଁ ରହଇ ଯାଇ ପ୍ରାଣ । ତାହାକୁ ଗୁରୁ କରି ଚିହ୍ନ ॥ ୪୫
ଯାହାକୁ ଭାବି ନିରନ୍ତରେ । ସେବିଲେ ଅନ୍ତର ବାହାରେ ॥ ୪୬
ଯା ପାଇଁ ବ୍ରତ ତପଦାନ । ଯଜ୍ଞେ ଦେବତା ଆରାଧନ ॥ ୪୭
ପ୍ରତିମା ଶିବ ଚଣ୍ତୀ ପୂଜି । ଜଳେ ବିଷ୍ଣୁଙ୍କ ନାମ ଭଜି ॥ ୪୮
ବେଦ ପଠନ ଯଜ୍ଞ ଦାନ । ବିପୁଳ ଗୃହ ନାନା କର୍ମ ॥ ୪୯
ଇତ୍ୟାଦି ଶାଖା ନାନା ବିଧି । ଅତିଥି ସାଧୁଙ୍କୁ ଆରାଧି ॥ ୫୦
ଯାହାକୁ ଏତେ ଭାବେ ଧ୍ୟାୟି । ବାହାର ଭିତରେଟି ସେହି ॥ ୫୧
ନିକଟେ ଥାଇଣ ଅଦୃଶ୍ୟ । ଯେଣୁ ନ ମେଣ୍ଟେ କର୍ମ୍ପାଶ ॥ ୫୨
ଏଣୁ ଜ୍ଞାନ ଚକ୍ଷୁ ନ ସ୍ଫୁରେ । ତେଣୁ ନ ଦିଶେ ନିକଟରେ ॥ ୫୩
ଏଣୁ ଭ୍ରମଇ ନାନାମତେ । ପୂଜଇ ନିତ୍ୟ ବୋଲି ମୋତେ ॥ ୫୪
ଯେ ମୋତେ ଯତ୍ନେ ଭୋଗଦେଇ । ତାହାଠୁ ଦୂରେ ମୁହିଁ ରହି ॥ ୫୫
ଯେ ପୁଣି କରେ ହୋମଯଜ୍ଞ । ତହୁଁ ମୁଁ ବହୁତ ଉଲଗ୍ନ ॥ ୫୬
କେ ଭଜେ ଜପ ଭଜନରେ । ଷଡ଼ାର୍ଘ୍ୟ କବଚ ଅଙ୍ଗରେ ॥ ୫୭
କେ ଅଙ୍ଗନ୍ୟାସ କ୍ରମଶରେ । ଧ୍ୟାନ କରଇ ଏକାନ୍ତରେ ॥ ୫୮
ପ୍ରତିମା ଦୃଷ୍ଟି ପଥେ ସ୍ଥାପି । ବିବିଧ ଗନ୍ଧଦ୍ରବ୍ୟ ଲେପି ॥ ୫୯
ବସନ ପରିଧାନ କରେ । ବିବିଧ ଅଳଙ୍କାର ଭରେ ॥ ୬୦
ଅର୍ଚ୍ଚନା ବନ୍ଦନା ମାର୍ଜ୍ଜନା । କେ ସ୍ତୁତି କରଇ ପ୍ରାର୍ଥନା ॥ ୬୧
ଏହାଠୁଁ ଦୂର ମୁଁ ଉଦ୍ଧବ । ଏଥି ମୋହର ନାହିଁ ଭାବ ॥ ୬୨
ସେ ଶ୍ରଦ୍ଧା ପାଇଣ କରନ୍ତି । ମୋ ଭାବ ଜାଣି ନପାରନ୍ତି ॥ ୬୩
ଏଣେ ଅଖଣ୍ତ ମୟ ଜ୍ଞାନ । ନ ଚିହ୍ନି ପୂଜୁଥାଇ ଅନ୍ୟ ॥ ୬୪
ତାହାକୁ ଦେଖୁଥାଇ ଅନ୍ୟେ । ସେ ପୁଣି ପୂଜନ୍ତି ବିଧାନେ ॥ ୬୫
ଏକୁ ଅନେକ ଏହିମତେ । ପୂଜନ୍ତି ସଂସାର ନିମନ୍ତେ ॥ ୬୬
ଏହି ପ୍ରକାରେ ସର୍ବଜନେ । କରନ୍ତି ବେଦର ବିଧାନେ ॥ ୬୭
ମୋତେ ପାଇବେ ସେହୁ କାହିଁ । ପୂର୍ବ ଅର୍ଜିଲା ପୁଣ୍ୟ ନାହିଁ ॥ ୬୮
ମୁଁ ଆତ୍ମା ନିରଞ୍ଜନ ମୂଳ । ଆଉ ସମସ୍ତ ଅଟେ ଡ଼ାଳ ॥ ୬୯
ଯେସନେ ବୀଜ କ୍ଷୁଦ୍ର ହୋଇ । ତହୁଁ ସେ ବୃକ୍ଷ ପ୍ରକାଶଇ ॥ ୭୦
ତେମନ୍ତ ମୂଳ ମୁଁ ପ୍ରଧାନ । ମୋତେ ନ ଚିହ୍ନେ ମୂଢ଼ଜନ ॥ ୭୧
ସମସ୍ତ ବେଦ ହୋଇ ବୃକ୍ଷେ । ଫଳ ଫଳାନ୍ତେ ଅନ୍ତରୀକ୍ଷେ ॥ ୭୨
ସେ କର୍ମ ଫଳ ଅନୁସାରେ । ଏମନ୍ତ ବିବିଧ ପ୍ରକାରେ ॥ ୭୩
ଏ ଆତ୍ମା ଏତେ କର୍ମେ ନାହିଁ । କର୍ମେ ଲୋଡ଼ିଲେ ପାଇ କାହିଁ ॥ ୭୪
ଏଣୁ ଅବିଦ୍ୟାରୁ ବାହାର । ଅନନ୍ତ ଅନାଦି ଈଶ୍ୱର ॥ ୭୫
ଅବ୍ୟକ୍ତ ଅନିତ୍ୟ ଯେ ସେହି । ଘର ବାହାରେ ପ୍ରକାଶଇ ॥ ୭୬
ଯହୁଁ ଆସଇ ତହିଁ ଲୀନ । ନୁହଁଇ ବସ୍ତୁ ମହାଶୂନ୍ୟ ॥ ୭୭
ଘଟେ ଚେତନା ସ୍ଥାନ ସେହି । ବିକୁଣ୍ଠା ନାମ ତାର କହି ॥ ୭୮
ଏଣୁ ମୁଁ ବିକୁଣ୍ଠା କୁମର । ତେଣୁ ବୈକୁଣ୍ଠ ନାମ ମୋର ॥ ୭୯
ଏ ଦେହ ଅନ୍ତେ ମୁହିଁ ଯିବି । ବିକୁଣ୍ଠା ବ୍ରହ୍ମରେ ମିଶିବି ॥ ୮୦
ଚତୁର୍ଦ୍ଦଶ ପ୍ରଳୟ ଯେବେ । ପଶନ୍ତି ବିରାଟର ଗର୍ଭେ ॥ ୮୧
ବିରାଟ ପ୍ରଳୟର କାଳେ । ପଶଇ ମୋର ନାଭିମୂଳେ ॥ ୮୨
ସକଳ ପ୍ରଳୟରେ ଯାଇ । ମୁହିଁ କେବଳ ମାତ୍ର ଥାଇ ॥ ୮୩
ମୁହିଁ ପ୍ରଳୟ ମୋର ସୁଖେ । ମିଶଇ ବ୍ରହ୍ମର ଅଲେଖେ ॥ ୮୪
ପୁଣି ଆପଣା ସୁଖେ ଆସି । ବ୍ରହ୍ମର ତଳେ ମୁହିଁ ଖସି ॥ ୮୫
ମୋ ନାଭି କମଳୁ କମଳ । ଜନ୍ମିଲା ଅତ୍ୟନ୍ତ କୋମଳ ॥ ୮୬
ସେ ନାଭୁଁ ବିରାଟ ବାହାର । ବ୍ରହ୍ମଟି ପଞ୍ଚମ ପ୍ରକାର ॥ ୮୭
ତେଣୁ ଅଶେଷ କରେ ଜାତ । ଉତ୍ପତ୍ତି ପ୍ରଳୟ ମୋ ସ୍ଥିତ ॥ ୮୮
ତୁ ଏବେ ସର୍ବ କର୍ମ ଏଡ଼ି । ପରମ ବ୍ରହ୍ମଜ୍ଞାନେ ବୁଡ଼ି ॥ ୮୯
ପାରିଲେ ଏହି ଜ୍ଞାନ ସାଧ । ସଂସାର ମାର୍ଗୁ ଛାଡ଼ି ସଧ ॥ ୯୦
ଏ ଜ୍ଞାନ ସର୍ବଶାସ୍ତ୍ରେ ସାକ୍ଷୀ । ବେଦ ବେଦାନ୍ତରେ ୟା ଲେଖି ॥ ୯୧
ଏହୁ ଉତ୍ପତ୍ତି ହେଉଥାଇ । ପ୍ରଳୟେ ତହିଁରେ ମିଶଇ ॥ ୯୨
ମନ ବଚନୁ ଅଗୋଚର । ଚିତ୍ତ ଚୈତନ୍ୟରୁ ବାହାର ॥ ୯୩
ଉତ୍ପତ୍ତି ସ୍ଥିତି ଲୟକର୍ତ୍ତା । ସକଳ ଦେବଙ୍କ ଦେବତା ॥ ୯୪
ପାଦ ପାଣି ମସ୍ତକ ଯହିଁ । ଚାହିଁଲେ ଠୁଳ ପ୍ରକାଶଇ ॥ ୯୫
ଅକ୍ଷୟ ଭାବେ ଏ ମୁରାରୀ । ଅନନ୍ତ ନାମ ଏଥି ଧରି ॥ ୯୬
କେତେହେଁ ଜାତ କେତେ ଲୀନ । କେ ତାହା କରିବ ବଖାଣ ॥ ୯୭
ଯେସନେ ବରଷଇ ପାଣି । କେତେ ବରଷେ କେବା ଜାଣି ॥ ୯୮
ଜନ୍ମ ଏମନ୍ତ କେତେ ହୋଇ । କେ ଜାଣିପାରେ ଅନ୍ତ ନାହିଁ ॥ ୯୯
ସିନ୍ଧୁରେ କେତେ ନଦୀ ମିଶି । ତାହା କେ କହିବ ପ୍ରକାଶି ॥ ୧୦୦
ଏମନ୍ତେ କେତେ ହେଁ ପ୍ରଳୟ । କେ ତାହା କହିବ ନିର୍ଣ୍ଣୟ ॥ ୧୦୧
ପ୍ରଥମସ୍କନ୍ଧେ ଅଛି ରହି । ଦ୍ୱିତୀୟସ୍କନ୍ଧେ ହୁଏ ଏହି ॥ ୧୦୨
ତୃତୀୟସ୍ମନ୍ଧେ ଯା ବଖାଣି । ଚତୁର୍ଥସ୍କନ୍ଧେ ପରିମାଣି ॥ ୧୦୩
ପଞ୍ଚମସ୍କନ୍ଧେ ଯାହା ତୋତେ । କହିଲୁ ଷଷ୍ଠସ୍କନ୍ଧ ମତେ ॥ ୧୦୪
ସପ୍ତମସ୍କନ୍ଧେ ଜ୍ଞାନ କହି । ଅଷ୍ଟମସ୍କନ୍ଧେ ବୁଝ ତୁହି ॥ ୧୦୫
ନବମସ୍କନ୍ଧେ ଦେଲି ଦୀକ୍ଷା । ଦଶମସ୍କନ୍ଧେ ପ୍ରେମ ଶିକ୍ଷା ॥ ୧୦୬
ଏକାଦଶରେ ଜ୍ଞାନ କହି । ଦ୍ୱାଦଶସ୍କନ୍ଧେ ଆଚରଇ ॥ ୧୦୭
ତୋର ଅବୋଧ ଦେଖି ମନ । ତେଣୁ ମୁଁ ଦେଲି ଦରଶନ ॥ ୧୦୮
ଏବେ ତୁ ପୂଜା ଧ୍ୟାନ ଛାଡ଼ । ଏକାନ୍ତ ବ୍ରହ୍ମ ସୁଖେ ଜଡ଼ ॥ ୧୦୯
ଏ ବ୍ରହ୍ମ ପ୍ରେମ ତରଙ୍ଗିଣୀ । ଭବସାଗରୁ ତରେ ପ୍ରାଣୀ ॥ ୧୧୦
ଏକାନ୍ତେ ରହି ଆତ୍ମଭାବେ । ବୋଧି ଉଦ୍ଧବ ଜ୍ଞାନଯୋଗେ ॥ ୧୧୧
ଅନ୍ତରେ ହୋଇଣ ନିର୍ମଳ । ହସି କହିଲେ ଆଦିମୂଳ ॥ ୧୧୨
ଦ୍ୱାରକା ଜଗନ୍ନାଥ ଦାସ । ଆନନ୍ଦେ କଲେ ପରକାଶ ॥ ୧୧୩
ତ୍ରୟୋଦଶସ୍କନ୍ଧେ ଏ ରସ । ସୁଜନେ ଶୁଣ ହୋଇ ତୋଷ ॥ ୧୧୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ ଦ୍ୱାରକା
ବିବରଣେ ନାମ ପ୍ରଥମୋଦ୍ଧଧ୍ୟାୟଃ ॥
* * *