ଦ୍ୱାଦଶ ସ୍କନ୍ଧ
ତ୍ରୟୋଦଶ ଅଧ୍ୟାୟ
ସୂତ କହନ୍ତି ତୋଷମନେ । ଶୌନକ ଆଦି ମୁନିଜନେ ॥ ୧
ସୂତ ଉବାଚ
ବ୍ରହ୍ମା ବରୁଣ ଇନ୍ଦ୍ର ଶିବ । ମରୁତ ଆଦି ଯେତେ ଦେବ ॥ ୨
ଦିବ୍ୟ ଯେ ସ୍ତୁତିମାନଙ୍କରେ । ସ୍ତୁତି କରନ୍ତି ଭାବଭରେ ॥ ୩
ଅଙ୍ଗ ଉପାଙ୍ଗ ପଦକ୍ରମ । ଉପନିଷଦ ସମେତେଣ ॥ ୪
ସାମଗାୟନେ ବିପ୍ରଜନେ । ମହିମା ଗାବନ୍ତି ବଦନେ ॥ ୫
ଧ୍ୟାନରେ ତଦଗତ ହୋଇ । ପରମଯୋଗୀ ଯାହା ଧ୍ୟାୟି ॥ ୬
ଆତ୍ମା ସ୍ୱରୂପେ ଦେଖୁଛନ୍ତି । ଯା ଅନ୍ତ କେହି ନ ଜାଣନ୍ତି ॥ ୭
ସେ ବ୍ରହ୍ମସ୍ୱରୂପ ଈଶ୍ୱର । ତାହାଙ୍କୁ ମୋର ନମସ୍କାର ॥ ୮
କ୍ଷୀରସମୁଦ୍ର ମନ୍ଥନରେ । ପୃଷ୍ଠେ ମନ୍ଦର ଗିରିବରେ ॥ ୯
ଭ୍ରମିଲା ଦଧିଦଣ୍ଡ ପ୍ରାୟେ । ସମୁଦ୍ର ମନ୍ଥନ ସମୟେ ॥ ୧୦
ଦେବବରଷେ ଅନୁଦିନ । ସହସ୍ରେ ବରଷ ମନ୍ଥନ ॥ ୧୧
କଣ୍ଡୁ ଯେ କୂର୍ମପୃଷ୍ଠେ ଥିଲା । ଘର୍ଷଣେ ସୁଖ ଜନମିଲା ॥ ୧୨
ନିଦ୍ରା ଉପୁଜେ ସୁଖଭରେ । ସେ ନିଦୁଁ ପବନ ସଞ୍ଚରେ ॥ ୧୩
ଘୋର ନିଃଶ୍ୱାସ ଗତାଗତେ । ସେ ବିଶ୍ୱବାୟୁ ମହାଭୂତେ ॥ ୧୪
ସେ ସର୍ବଜୀବ ରକ୍ଷା ହେତୁ । ଯାରେ ବଞ୍ଚନ୍ତି ସର୍ବଜନ୍ତୁ ॥ ୧୫
ଯାର ନିଃଶ୍ୱାସ ପ୍ରକ୍ଷେପଣ । ବାଜି ସମୁଦ୍ର କମ୍ପମାନ ॥ ୧୬
ସେ ଜଳେ ଲହରୀ ଉଦ୍ଗତ । ଏବେ ହେଁ ନୋହିଁଛି ନିବର୍ତ୍ତ ॥ ୧୭
ଅନ୍ୟୋନ୍ୟେ ତଟେ ପ୍ରକ୍ଷେପଇ । ସେ କୂର୍ମରୂପୀ ବିଶ୍ୱଦେହୀ ॥ ୧୮
ତାଙ୍କୁ ମୋହର ନମସ୍କାର । ସେ ଦେବଦେବଙ୍କ ଈଶ୍ୱର ॥ ୧୯
ପୁରାଣମାନଙ୍କୁ ନିର୍ଣ୍ଣୟ । ଯେ ସଂଖ୍ୟା ତହିଁର ବିଷୟ ॥ ୨୦
ଏହା ଶୁଣିଲେ ଯେତେ ଫଳ । ପୁରାଣଦାନର ସୁଫଳ ॥ ୨୧
ପୁରାଣ ଅଷ୍ଟାଦଶ ସାର । ଚାରିଲକ୍ଷରେ ସେ ବିସ୍ତାର ॥ ୨୨
ସହସ୍ର ସଂଖ୍ୟାରେ ପ୍ରମାଣ । ଅପରେ ଶତାଧିକ ପୁଣ ॥ ୨୩
ବ୍ରହ୍ମପୁରାଣ ଦଶସସ୍ର । ପଦ୍ମ ଅଣଷାଠି ସହସ୍ର ॥ ୨୪
ଆବର ପୁଣି ପାଞ୍ଚଶତ । ଏହି ପୁରାଣ ସଂଖ୍ୟା ଖ୍ୟାତ ॥ ୨୫
ଶ୍ରୀବିଷ୍ଣୁ ବୈଷ୍ଣବପୁରାଣ । ତ୍ରିବିଂଶ ସହସ୍ରେ ନିର୍ମାଣ ॥ ୨୬
ଚବିଶ ସହସ୍ରେ ବିଦିତ । ଶିବପୁରାଣ ସଂଖ୍ୟା ମତ ॥ ୨୭
ନାରଦ ପୁରାଣ ବ୍ୟାଖ୍ୟାନ । ପଚିଶ ସହସ୍ର ଗ୍ରନ୍ଥେଣ ॥ ୨୮
ମାରକଣ୍ଡେୟ ଯେ ପୁରାଣ । ନବସସ୍ର ଗ୍ରନ୍ଥେ ନିର୍ମାଣ ॥ ୨୯
ଆଗ୍ନେୟ ପୁରାଣର ଶେଷ । ପନ୍ଦରସହସ୍ର ଚାରିଶ ॥ ୩୦
ପୁରାଣ ନାମ ଯେ ଭବିଷ୍ୟ । ଚଉଦସହସ୍ର ପାଞ୍ଚଶ ॥ ୩୧
ବ୍ରହ୍ମବୈବର୍ତ୍ତ ଯେ ପୁରାଣ । ଅଠରସହସ୍ର ଗ୍ରନ୍ଥେଣ ॥ ୩୨
ଲିଙ୍ଗ ପୁରାଣର ବିସ୍ତାର । ଏଗାରସହସ୍ର ଯେ ସାର ॥ ୩୩
ବରାହପୁରାଣ ଯେ କହି । ଚତୁର୍ବିଂଶସହସ୍ର ହୋଇ ॥ ୩୪
ସ୍କନ୍ଦପୁରାଣର ବିସ୍ତାର । ଏକାଶୀସସ୍ର ଗ୍ରନ୍ଥ ସାର ॥ ୩୫
ଶତେକ ଅଧିକ ଅପର । ବାମନ ଯେ ଦଶସସ୍ରର ॥ ୩୬
ଯେ କୁର୍ମପୁରାଣ ବଖାଣ । ସପତଦଶସହସ୍ରେଣ ॥ ୩୭
ମତ୍ସ୍ୟପୁରାଣର ବିଧାନ । ଚଉଦସହସ୍ର ଗ୍ରନ୍ଥେଣ ॥ ୩୮
ଗରୁଡପୁରାଣ ଯେ ପୁଣି । ଉନବିଂଶସହସ୍ରେ ଜାଣି ॥ ୩୯
ବ୍ରହ୍ମାଣ୍ଡପୁରାଣର ଶେଷ । ଦ୍ୱାଦଶସହସ୍ରେ ପ୍ରକାଶ ॥ ୪୦
ଏ ଭାବେ ଅଷ୍ଟାଦଶେ ସାର । ଶ୍ରୀଭାଗବତ ନାମ ଯାର ॥ ୪୧
ଏ ସର୍ବପୁରାଣ ଅଧିପ । ଏଟି ପ୍ରତ୍ୟେକ୍ଷ ବିଷ୍ଣୁରୂପ ॥ ୪୨
ସର୍ବୋପରି ବିରାଜମାନ । ଶୁକ ପରୀକ୍ଷ ସମ୍ବାଦେଣ ॥ ୪୩
ଅଠରସହସ୍ର ଯେ ଗ୍ରନ୍ଥ । ଶ୍ରୀବାସୁଦେବଙ୍କ ଚରିତ ॥ ୪୪
ଏହୁ ପୁରାଣରେ ବଖାଣ । ଶ୍ରୀବିଷ୍ଣୁ ମହିମା ବର୍ଣ୍ଣନ ॥ ୪୫
ଏହୁ ପୁରାଣର ଉଦ୍ଦେଶ୍ୟ । ଯେ ରୂପେ ହୋଇଲା ପ୍ରକାଶ ॥ ୪୬
ବିଷ୍ଣୁର ନାଭିପଦ୍ମଗତ । ବ୍ରହ୍ମା ଯେ ହୋଇଲେ ସମ୍ଭୂତ ॥ ୪୭
ବିଷ୍ଣୁ ତାହାଙ୍କୁ ଶିକ୍ଷା ଦେଲେ । ସେ ପୁଣି ନାରଦେ କହିଲେ ॥ ୪୮
ନାରଦ ତହୁଁ ବ୍ୟାସ ପାଇ । ସେ ବ୍ୟାସ ଶୁକଦେବ କହି ॥ ୪୯
ଶୁକଦେବଙ୍କ ତହୁଁ ପୁଣ । ମୋ ପିତା ଲୋମହରଷଣ ॥ ୫୦
ସୂତ ପୌରାଣିକ ତା ନାମ । ଜାଣେ ପୁରାଣ ତତ୍ତ୍ୱଜ୍ଞାନ ॥ ୫୧
ତୁମ୍ଭ ସମ୍ମୁଖେ ସେ ବ୍ୟାଖ୍ୟାନ । ଥୋକାଏ କରିଥିଲେ ପୁଣ ॥ ୫୨
ତାଙ୍କୁ ବଳଦେବ ନାଶିଲେ । ମୋତେ ସେ ଅଧିକାର ଦେଲେ ॥ ୫୩
ଏ ଭାଗବତ ଗ୍ରନ୍ଥସାର । ମୋ ଶିକ୍ଷା ପୂର୍ବେ ତାଙ୍କଠାର ॥ ୫୪
କହିଲି ତୁମ୍ଭର ଛାମୁରେ । ଯା ମୋତେ ଅନୁଭବ ସ୍ପୁରେ ॥ ୫୫
ଶ୍ରୀଭାଗବତ ଯେ ପୁରାଣ । ଶ୍ରୀକୃଷ୍ଣ ଚରିତ ବଖାଣ ॥ ୫୬
ଶ୍ରବଣେ ପ୍ରାଣୀଙ୍କ ନିସ୍ତାର । ଅଶେଷ ଲୀଳାମୃତ ସାର ॥ ୫୭
ଏ କଥାର୍ଣ୍ଣବେ ପରିପୂର୍ଣ୍ଣ । ବେଦବେଦାନ୍ତ ସାରମର୍ମ ॥ ୫୮
ସକଳଶାସ୍ତ୍ର ଯେ ପୁରାଣ । ଅର୍ଥମାନରେ ପରିପୂର୍ଣ୍ଣ ॥ ୫୯
କେବଳ ଏହି ମୋକ୍ଷଦାତା । ଅଦ୍ୱୈତ ବ୍ରହ୍ମରୂପ ଗାଥା ॥ ୬୦
ଏ ଯେ ପୁରାଣ ଭାଗବତ । ବିଷ୍ଣୁର ମହିମା ବର୍ଣ୍ଣିତ ॥ ୬୧
ଏହା ଈଶ୍ୱରଭାବେ ମଣି । ଆଦ୍ୟରେ ସେବିବ ଯେ ପ୍ରାଣୀ ॥ ୬୨
ଭାଦ୍ରବ ପୂର୍ଣ୍ଣିମା ଦିନରେ । ସୁବର୍ଣ୍ଣ ସିଂହାସନପରେ ॥ ୬୩
ପୁସ୍ତକମାନ ବସାଇଣ । ପୂଜା ବିଷ୍ଣୁପ୍ରୀତି ଭାବେଣ ॥ ୬୪
ବିପ୍ର ବୈଷ୍ଣବେ ଦେବ ଦାନ । ଯେ ଧର୍ମଶୀଳ ସୁଜ୍ଞଜନ ॥ ୬୫
ଦକ୍ଷିଣା ଯଥାଭାବେ ଦେବ । ବେଦ ବଚନେ ଉତ୍ସର୍ଗିବ ॥ ୬୬
ଅନ୍ତେ ପରମଗତି ପାଇ । ବୈକୁଣ୍ଠଭୁବନେ ଗମଇ ॥ ୬୭
ସାଯୁଜ୍ୟ ମୁକ୍ତି ସେ ଲଭଇ । ବିଷ୍ଣୁ ଦେହରେ ଲୀନ ହୋଇ ॥ ୬୮
ଏଣୁ ଯେ ସାଧୁଙ୍କ ସଭାରେ । ଅନ୍ୟ ପୁରାଣ ଯେ ପ୍ରଚରେ ॥ ୬୯
ସେ ସାଧୁସଭା ଶୋଭା କାହିଁ । ଯାବତ ଭାଗବତ ନାହିଁ ॥ ୭୦
ଚନ୍ଦ୍ର ବିହୀନ ଜ୍ୟୋତିଗଣ । ଅନ୍ଧାର କେ ନାଶିବ ପୁଣ ॥ ୭୧
ସହସ୍ର ସଂଖ୍ୟା ବିରାଜନ୍ତି । ଚନ୍ଦ୍ର ବିହୀନେ ନ ଶୋଭନ୍ତି ॥ ୭୨
ସକଳ ବେଦାନ୍ତର ସାର । ଶ୍ରୀଭାଗବତରେ ବିସ୍ତାର ॥ ୭୩
ସେ ରସକଥା ଅମୃତରେ । ତୃପତ ହୁଅନ୍ତି ସଂସାରେ ॥ ୭୪
ଯେ ଅନ୍ୟ ପୁରାଣ ପ୍ରକାଶ । ନ କରନ୍ତି ମନ ସନ୍ତୋଷ ॥ ୭୫
ଯେହ୍ନେ ସରିତେ ପୁଣ୍ୟବନ୍ତ । ଜାହ୍ନବୀ ଜଳେ ସୁପୂଜିତ ॥ ୭୬
ଦେବତା ମଧ୍ୟେ ବାସୁଦେବ । ବୈଷ୍ଣବେ ଶ୍ରେଷ୍ଠ ମହାଦେବ ॥ ୭୭
ସକଳ କ୍ଷେତ୍ରମଧ୍ୟେ ବର । ଯେସନେ କାଶୀକ୍ଷେତ୍ର ସାର ॥ ୭୮
ପୁରାଣମାନଙ୍କରେ ଶ୍ରେଷ୍ଠ । ଶ୍ରୀଭାଗବତ ଯେ ବିଶିଷ୍ଟ ॥ ୭୯
ଶ୍ରୀଭାଗବତ ଯେ ପୁରାଣ । ସାକ୍ଷାତେ ବିଷ୍ଣୁର ନିର୍ମାଣ ॥ ୮୦
ସମଗ୍ର ବଇଷ୍ଣବପ୍ରିୟ । ପରମହଂସର ନିର୍ଣ୍ଣୟ ॥ ୮୧
ନିର୍ମଳ ଧର୍ମ ଜ୍ଞାନ ଭାବ । ଭକ୍ତି ବୈରାଗ୍ୟ ମୁକ୍ତିବର୍ଗ ॥ ୮୨
ଏ ଆଦି ଯହିଁରେ ପ୍ରକାଶ । ନିର୍ଗୁଣ ଗାୟନ ଅଭ୍ୟାସ ॥ ୮୩
ପଢନ୍ତି ଶୁଣନ୍ତି ଯେ ପ୍ରାଣୀ । କର୍ମବନ୍ଧନୁଁ ମୋକ୍ଷ ପୁଣି ॥ ୮୪
ଜନ୍ମ-ମରଣାଦି ନୋହଇ । ନିରାକାରରେ ଲୀନ ହୋଇ ॥ ୮୫
ଏ ଜ୍ଞାନ-ପ୍ରଦୀପ-ପୁରାଣ । ବ୍ରହ୍ମାରେ ଦେଲେ ନାରାୟଣ ॥ ୮୬
ବ୍ରହ୍ମା ନାରଦଙ୍କୁ କହିଲେ । ନାରଦ ବ୍ୟାସେ ପୁଣ ଦେଲେ ॥ ୮୭
ସେ ବ୍ୟାସ ଶୁକଦେବେ କହି । ଶୁକ ଯେ ପରୀକ୍ଷେ ବୁଝାଇ ॥ ୮୮
ସେଠାରୁ ଜଗତେ ବିଖ୍ୟାତ । ନାମ ଯେ ଶିରୀଭାଗବତ ॥ ୮୯
ଏବଂଭୂତ ଯେ ଶୁକଦେବ । ତା ପାଦେ ଧ୍ୟାନ ମୋ ରହିବ ॥ ୯୦
ବ୍ରହ୍ମା ବରୁଣ ଇନ୍ଦ୍ରଦେବ । ଦିବ୍ୟ ସ୍ତୁତିରେ ସ୍ତୁତିଭାବ ॥ ୯୧
ଅଙ୍ଗ ଉପାଙ୍ଗ ପଦକ୍ରମ । ଜଟା ଉପନିଷଦ ବ୍ରହ୍ମ ॥ ୯୨
ସମେତ କରି ସାମବେଦ । ଗାୟନ କରି ବ୍ରହ୍ମାପଦ ॥ ୯୩
ସାମଗାୟନ ବିପ୍ରଜନେ । ମହିମା ଗାୟନ ବଦନେ ॥ ୯୪
ଧ୍ୟାନରେ ତଦଗତ ହୋଇ । ପରମଯୋଗୀ ଯାହା ଧ୍ୟାୟି ॥ ୯୫
ଆତ୍ମା ସ୍ୱରୂପେ ଦେଖୁଛନ୍ତି । ଯା ଅନ୍ତ କେହି ନ ଜାଣନ୍ତି ॥ ୯୬
ସେ ବ୍ରହ୍ମରୂପୀ ଯେ ଈଶ୍ୱର । ତାହାଙ୍କୁ ମୋର ନମସ୍କାର ॥ ୯୭
ସେ ଭାଗବତ ବାସୁଦେବ । ସର୍ବ ଆତ୍ମାସ୍ୱରୂପୀ ଜୀବ ॥ ୯୮
ସେ ପାପପୁଣ୍ୟରେ ସାକ୍ଷିଣ । ତା ପାଦେ ପଶିଲି ଶରଣ ॥ ୯୯
ମୋକ୍ଷ ନିମନ୍ତେ ବ୍ରହ୍ମ କହେ । ଶ୍ରୀଭାଗବତ ଅନୁଗ୍ରହେ ॥ ୧୦୦
ଯେ ଯୋଗୀଇନ୍ଦ୍ର ଶୁକଦେବ । ତାଙ୍କ ଚରଣେ ନିତ୍ୟ ଭାବ ॥ ୧୦୧
ସେ ବ୍ରହ୍ମରୂପୀ ଯେ ଅଟନ୍ତି । ସଂସାର ହିତ ମନେ ଚିନ୍ତି ॥ ୧୦୨
ବିଷ୍ଣୁଭକତ ପରୀକ୍ଷିତ । ତାଙ୍କୁ ସଂସାରୁ କଲେ ମୁକ୍ତ ॥ ୧୦୩
ସେ ମୁନି ପାଦଯୁଗେ ମୁହିଁ । ଭକତିଭାବେ ପ୍ରଣମଇଁ ॥ ୧୦୪
ଶ୍ରୀଭାଗବତ ଯେ ପୁରାଣ । ଦ୍ୱାଦଶସ୍କନ୍ଧରେ ସମ୍ପୂର୍ଣ୍ଣ ॥ ୧୦୫
ଦ୍ୱାଦଶସ୍କନ୍ଧ ତ୍ରୟୋଦଶ । ଅଧ୍ୟାରେ କହିଲୁ ବିଶେଷ ॥ ୧୦୬
ସୂତ କହନ୍ତି ତୋଷମନେ । ଶୁଣ ଶୌନକ ମୁନିଜନେ ॥ ୧୦୭
କହିଲୁ ସର୍ବଶାସ୍ତ୍ର ସାର । ତା ଶୁଣି ସଂସାରୁ ନିସ୍ତର ॥ ୧୦୮
ଜ୍ଞାନେ ଅଜ୍ଞାନେ ଯେ ଶୁଣନ୍ତି । ଶ୍ରଦ୍ଧା ଅଶ୍ରଦ୍ଧାରେ ଗୁଣନ୍ତି ॥ ୧୦୯
ସେ ସର୍ବଦୁଃଖ ପରିହରେ । ସମିଧ ଯେହ୍ନେ ବୈଶ୍ୱାନରେ ॥ ୧୧୦
ସ୍ପରଶେ କରଇ ଦହନ । ସାର ଅସାର ଭସ୍ମମାନ ॥ ୧୧୧
ଏମନ୍ତ କୃଷ୍ଣର ଚରିତ । ବ୍ରହ୍ମଚଣ୍ଡାଳ ଏକମତ ॥ ୧୧୨
ଏ ଭାଗବତ ଗ୍ରନ୍ଥ ଯେବେ । ଦୃଢେ ଶୁଣିବ ପ୍ରିୟଭାବେ ॥ ୧୧୩
ରାତ୍ର ଦିବସ ମଧ୍ୟଗତେ । ଶ୍ରବଣ ପଠନ ନିରତେ ॥ ୧୧୪
ସକଳ ଚେଷ୍ଟା ପରିହରି । ସାଧୁସଙ୍ଗତେ ଚିତ୍ତ ଧରି ॥ ୧୧୫
ସାଧୁଙ୍କ ମୁଖାମୃତ ବାଣୀ । ସାଦରେ ଯେବା ଶୁଣେ ପ୍ରାଣୀ ॥ ୧୧୬
ସେ ଭବବ୍ୟାଧି ବିନାଶନ୍ତି । ଆରୋଗ୍ୟେ ସୁଖେ ବିହରନ୍ତି ॥ ୧୧୭
ଶୁଣ ଶୌନକ ମୁନିଜନେ । ଆନନ୍ଦେ ସୂତ ମୁନିଗଣେ ॥ ୧୧୮
ପ୍ରଶଂସା କରି ଜଣେ ଜଣେ । ସୂତଙ୍କୁ କୋଳ ସମ୍ଭାଷଣେ ॥ ୧୧୯
ହେ ସୂତ ଧନ୍ୟ ତୋ ମହିମା । କେ କହିପାରେ ଗୁଣସୀମା ॥ ୧୨୦
ଏ ଯେ ପୁରାଣ ଭାଗବତ । ତୁମ୍ଭର ମୁଖରୁ ଗଳିତ ॥ ୧୨୧
ଶୁଣି କୃତାର୍ଥ ଆମ୍ଭେ ହେଲୁ । ସଂସାର ଚକ୍ରୁ ନିସ୍ତରିଲୁ ॥ ୧୨୨
ଏମନ୍ତ କହି ଶୌନକାଦି । ସୂତଙ୍କୁ ବିନୟେ ପ୍ରବୋଧି ॥ ୧୨୩
ନିଶ୍ଚଳଚିତ୍ତେ ସେ ରହିଲେ । ହରିଚରଣେ ଆଶ୍ରେ କଲେ ॥ ୧୨୪
କହଇ ବିପ୍ର ଜଗନ୍ନାଥ । ଧର୍ମ ପ୍ରତିପାଳନ ଅର୍ଥ ॥ ୧୨୫
ଦ୍ୱାଦଶସ୍କନ୍ଧ ଭାଗବତ । ଶୁଣିଲେ ହରଇ ଦୁରିତ ॥ ୧୨୬
ବଦନେ ସକୃତ ଉଚ୍ଚାରେ । ସେ କୃଷ୍ଣଲାଞ୍ଛନେ ବିହରେ ॥ ୧୨୭
କେବେହେଁ ସଂସାରେ ନ ପଡେ । ଏ ଅନୁକ୍ରମେ ମାୟା ଛିଡେ ॥ ୧୨୮
ନାମର ମହିମା ଏମନ୍ତ । ଅଜ୍ଞାନେ ନ ଜାଣେ ଜଗତ ॥ ୧୨୯
ଶୁଣ ସୁଜନେ ତୋଷମନେ । ଏ ଭାଗବତ ଅନୁଦିନେ ॥ ୧୩୦
ବିଷ୍ଣୁ ପୂର୍ବବାଣୀ ନିମିତ୍ତେ । ଧର୍ମ ପରିପାଳନ ଅର୍ଥେ ॥ ୧୩୧
ସମ୍ଭବ ଯୁଗେ ଯୁଗେ ହୋଇ । ଧର୍ମ ପ୍ରବର୍ତ୍ତେ ଶିକ୍ଷା ଦେଇ ॥ ୧୩୨
ବିଷ୍ଣୁଅଂଶକୁ ପ୍ରାଣୀ ବହି । ସାଧୁ ବୈଷ୍ଣବ ବିଷ୍ଣୁଦେହୀ ॥ ୧୩୩
ଶ୍ରୀଧର ନାମେ ବିପ୍ରବର । କଳିଯୁଗରେ ଜନ୍ମ ତାର ॥ ୧୩୪
ସେ ବିପ୍ର ଅତି ବିଚକ୍ଷଣ । ସଂସ୍କାର ଟୀକାରେ ନିପୁଣ ॥ ୧୩୫
ଶ୍ରୀଭାଗବତ ଏ ପୁରାଣ । ଅଠରସହସ୍ର ଶ୍ଳୋକେଣ ॥ ୧୩୬
ତା ଟୀକା ଚଉବିଂଶସସ୍ର । କରଇ ଶ୍ରୀଧର ପ୍ରକାଶ ॥ ୧୩୭
ବିପ୍ରକୁଳରେ ଜନ୍ମ ହୋଇ । ସେ ଜଗନ୍ନାଥ ନାମ ବହି ॥ ୧୩୮
ପ୍ରାକୃତବନ୍ଧେ ଭାଗବତ । କହିଲେ ସନ୍ଥଜନ ହିତ ॥ ୧୩୯
ସୁଜନେ ଦୋଷ ମୋ ନ ଧର । ଅଶେଷ ମହିମା କୃଷ୍ଣର ॥ ୧୪୦
ତାଙ୍କର ଗୁଣ କର୍ମ ଯଶ । ପୁରାଣ କଲେ ଗୀତରସ ॥ ୧୪୧
ସାଧୁଚରଣରେଣୁ ଆଶେ । ସୁଚିତ୍ତେ ଅନୁକ୍ଷଣେ ଘୋଷେ ॥ ୧୪୨
ଶ୍ରୀଜଗନ୍ନାଥଙ୍କ ସଙ୍ଗୀତ । ଯା ନାମ ଶିରୀଭାଗବତ ॥ ୧୪୩
ତିନିଶତ ଉନତିରିଶ । ଏକାଦଶ ଯାଏଁ ପ୍ରକାଶ ॥ ୧୪୪
ଅଧ୍ୟା ନାମେଣ ଯେ ବିଶେଷ । ଶ୍ରୀଭାଗବତ ଗୀତରସ ॥ ୧୪୫
ଏଣୁ ଚିତ୍ତ ବୋଧିବା ଅର୍ଥେ । ଦ୍ୱାଦଶସ୍କନ୍ଧ ଶ୍ରୁତିପଥେ ॥ ୧୪୬
ବିପ୍ରଙ୍କଠାରୁ ଶୁଣି ମନେ । ଚିତ୍ତୋଇ କଲଇଁ ଲେଖନେ ॥ ୧୪୭
ଯେଣୁ ସେ ଗୀତରେ ବିଶୁଦ୍ଧ । ଜଗନ୍ନାଥ ନାମ ପ୍ରସିଦ୍ଧ ॥ ୧୪୮
ତେଣୁ ତାଙ୍କ ନାମ ବଖାଣ । ସେ ଯେ ମହତ ମହାଜନ ॥ ୧୪୯
ସେ ବିପ୍ର ଜାଣି କୃଷ୍ଣରସ । ପୁରାଣ ଗୀତରେ ପ୍ରକାଶ ॥ ୧୫୦
ଜଗତ ଉଦ୍ଧାର ନିମନ୍ତେ । ରଚିଲେ ଶିରୀଭାଗବତେ ॥ ୧୫୧
ତାଙ୍କ ଚରଣେ ତେଣୁ ମନ । ସୁଜନେ ଦୋଷ ମୋ ନ ଘେନ ॥ ୧୫୨
ଆଶା ମୋ ସାଧୁଙ୍କ ଚରଣ । ଶରଣ ମହାଦେବ ହୀନ ॥ ୧୫୩
ସୁଜନେ ଦୋଷ ନ ଧରିବ । ବିଷ୍ଣୁମହିମା ଅନୁଭବ ॥ ୧୫୪
ପ୍ରାକୃତ ସଂସ୍କାର ହିଁ ନାହିଁ । ଭକତଭାବେ ବଶ ହୋଇ ॥ ୧୫୫
ଆଗମ ନିଗମ ପୁରାଣେ । ଧ୍ୟାନ ସମାଧି ତତ୍ତ୍ୱଜ୍ଞାନେ ॥ ୧୫୬
ଖୋଜି ନ ପାନ୍ତି ତାଙ୍କ ଲେଶ । କିଞ୍ଚିତ ଭାବେ ପରକାଶ ॥ ୧୫୭
ଶାମୁକୁଁ ମୁକୁତା ଯେସନ । ପ୍ରାକୃତ ତେଜି ତତ୍ତ୍ୱ ଘେନ ॥ ୧୫୮
ବ୍ୟାଧ ଗଣିକା ଅଜାମିଳେ । ତାଙ୍କ ଭାବ ଘେନି ତରିଲେ ॥ ୧୫୯
ପୂତନା ଆଦି ପାପୀ ଯେତେ । ତରିଲେ ତାଙ୍କୁ ଭାବି ନିତ୍ୟେ ॥ ୧୬୦
ଗୋପୀଙ୍କ ସଙ୍ଗେ ଲମ୍ପଟରେ । କେଳି ଯେ ବୃନ୍ଦାବନେ କଲେ ॥ ୧୬୧
ଗୋପୀଏ କାମଭାବେ ତରି । କୃଷ୍ଣଙ୍କୁ କାନ୍ତଭାବେ ବରି ॥ ୧୬୨
ଏ ଗୁଣ ଘୋଷି ପ୍ରାଣୀ ତରି । ଏମନ୍ତ ମହିମା ଯେ ହରି ॥ ୧୬୩
ଶିଶୁପାଳ ଯେ ଦୁର୍ଯ୍ୟୋଧନ । କଂସାଦି ଅଷ୍ଟମଲ୍ଲମାନ ॥ ୧୬୪
ଏ ଆଦି ଯେତେ ଶତ୍ରୁଗଣେ । ହିଂସା ବହିଣ ନିତ୍ୟେ ମନେ ॥ ୧୬୫
ସାଯୁଜ୍ୟ ମୁକ୍ତି ଯେ ପାଇଲେ । ସେ ବିଷ୍ଣୁଅଙ୍ଗେ ଲୀନ ହେଲେ ॥ ୧୬୬
ଭାବ ଅଭାବ ଯାର ନାହିଁ । ମହିମା ଗୋଚର ନୋହଇ ॥ ୧୬୭
ବ୍ରହ୍ମା ଶିବ ଦେବ ଅନନ୍ତ । ସର୍ବଭୂତଆତ୍ମା ଅଚ୍ୟୁତ ॥ ୧୬୮
ଏଣୁ ମହିମା ଅନ୍ତ କରି । କେ ଜାଣି କହିବ ବିସ୍ତାରି ॥ ୧୬୯
ନାମ ମାତ୍ରକ ଯାର ସାର । ସେ ଜାଣେ ଗତିର ବିଚାର ॥ ୧୭୦
ଏ ସୂତ-ଶୌନକ ସମ୍ବାଦ । ଶୁକ ପରୀକ୍ଷଙ୍କ ପ୍ରମୋଦ ॥ ୧୭୧
ଦ୍ୱାଦଶସ୍କନ୍ଧ ସମାପତ । ନାମ ଯେ ଶିରୀଭାଗବତ ॥ ୧୭୨
ତ୍ରିଦଶଅଧ୍ୟା ହରିଗୁଣ । ଦ୍ୱାଦଶ ହୋଇଲା ସମ୍ପୂର୍ଣ୍ଣ ॥ ୧୭୩
ଏ ବାରସ୍କନ୍ଧ ଭାଗବତ । ପୁରାଣ ଅଧ୍ୟାରେ ବିଖ୍ୟାତ ॥ ୧୭୪
ତିନିଶତ ବୟାଳିଶେଣ । ବାରସ୍କନ୍ଧ ହୋଏ ସମ୍ପୂର୍ଣ୍ଣ ॥ ୧୭୫
କହଇ ଦାସ ଜଗନ୍ନାଥ । କୃଷ୍ଣ ଚରଣେ ଦେଇ ଚିତ୍ତ ॥ ୧୭୬
ଦ୍ୱାଦଶସ୍କନ୍ଧେ ହରିଲୀଳା । ଭବସିନ୍ଧୁ ତରଣେ ଭେଳା ॥ ୧୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସିକ୍ୟାଂ ଅଷ୍ଟାଦଶ ସାହସ୍ର୍ୟାଂ
ପାରମହଂସ୍ୟାଂ ସଂହିତାୟାଂ ଦ୍ୱାଦଶସ୍କନ୍ଧେ ତ୍ରୟୋଦଶୋଧ୍ୟାୟାଃ ॥
* * *