ଦ୍ୱାଦଶ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
ଶୌନକ ଆଦି ଋଷିଗଣ । କହନ୍ତି ସୂତଙ୍କ ଆଗେଣ ॥ ୧
ଏ ଯେ ଭାଗବତ ପୁରାଣ । କହିଲ ଆମ୍ଭର ଆଗେଣ ॥ ୨
ପ୍ରଥମସ୍କନ୍ଧଠାରୁ ପୁଣ । କହ ସେ ସୁଚିତ୍ତ କରିଣ ॥ ୩
ସନ୍ଦେହ ଆମ୍ଭ ମନୁ ଯାଉ । ତୁମ୍ଭର କଲ୍ୟାଣ ସେ ହେଉ ॥ ୪
ସୂତ କହନ୍ତି ସୁଚିତ୍ତରେ । ଶୌନକ ମୁନିଙ୍କ ଆଗରେ ॥ ୫
ସୂତ ଉବାଚ
ଧର୍ମ ଦେବତା ଦିବାକର । ତାହାଙ୍କୁ ମୋର ନମସ୍କାର ॥ ୬
ସେ ଧର୍ମ ସର୍ବଦେବ ଶ୍ରେଷ୍ଠ । ସାଧୁଙ୍କୁ ପାଳି ନାଶେ ଦୁଷ୍ଟ ॥ ୭
କୃଷ୍ଣ ବ୍ରହ୍ମସ୍ୱରୂପୀ ବର । ତା ପାଦେ ମୋର ନମସ୍କାର ॥ ୮
ଶ୍ରୀଭାଗବତ ପୁରାଣରେ । ଯେ ଧର୍ମ ଭକତ ସଂସାରେ ॥ ୯
ସେ ଧର୍ମ ସଦା ଥାଇ ପୂର୍ଣ୍ଣ । ଚତୁର୍ବର୍ଗଦାୟୀ କାରଣ ॥ ୧୦
ଭୋ ଋଷିଗଣେ ତାହା ଶୁଣ । ଲଭିବ ବିଷ୍ଣୁଭକ୍ତି ଜ୍ଞାନ ॥ ୧୧
ବିଷ୍ଣୁର ଏ ଲୀଳା ଚରିତ । ପରମତତ୍ତ୍ୱ ଏ ଅଦ୍ଭୁତ ॥ ୧୨
ଯାହା ସେ ତୁମ୍ଭେ ପଚାରିଲ । ଶୁଣିଣ ସଫଳ ହୋଇଲ ॥ ୧୩
ସେ ମହାପୁରୁଷ ସ୍ୱରୂପୀ । ନିର୍ଣ୍ଣୟ ଯେହ୍ନେ ଜଗଦ୍ବ୍ୟାପୀ ॥ ୧୪
ନାରାୟଣ ସ୍ୱରୂପୀ ସୂର୍ଯ୍ୟ । କହିଲୁ ମହିମା ଆଶ୍ଚର୍ଯ୍ୟ ॥ ୧୫
ଏ ଭାଗବତ ଯେ ପୁରାଣ । ସାକ୍ଷାତ ବିଷ୍ଣୁର ନିର୍ମାଣ ॥ ୧୬
ଯେ ହରି ସର୍ବପାପ ହରେ । ତାଙ୍କ ମହିମା ନିରନ୍ତରେ ॥ ୧୭
କେ ଆଦି ଅନ୍ତ ତାହା କହି । ଏ ପଞ୍ଚଭୂତେ ଦେହ ବହି ॥ ୧୮
ଯେ ସ୍ଥୂଳ ସୂକ୍ଷ୍ମରୁ ବାହାର । ଏଣୁ ପ୍ରାଣୀଙ୍କି ଅଗୋଚର ॥ ୧୯
କୃତାର୍ଥ ଆଦିଅନ୍ତେ ହୋଇ । ନାରାୟଣ ମହିମା କହି ॥ ୨୦
ନାରା ଯେ ବୋଲି ଜଳ ନାମ । ସେ ଜଳେ ଯେଣୁ ତା ଶୟନ ॥ ୨୧
ତେଣୁ ନାରାୟଣ ବୋଲନ୍ତି । ପାପହରଣେ ଶିରୀପତି ॥ ୨୨
ହୃଷୀକ କହି ଇନ୍ଦ୍ରିଗଣ । ତାହାଙ୍କୁ କରି ଆକର୍ଷଣ ॥ ୨୩
ତେଣୁ ହୃଷୀକେଶ ବୋଲାନ୍ତି । ମହିମା କେହି ନ ଜାଣନ୍ତି ॥ ୨୪
ଭରା ଯେ ଷଡଅଇଶ୍ୱର୍ଯ୍ୟ । ଅଣିମା ଆଦିରେ ବିରାଜ ॥ ୨୫
ଜ୍ଞାନ ବୈରାଗ୍ୟ ଯଶ ସୀମା । ଏ ଆଦି ସମୂହ ମହିମା ॥ ୨୬
ଏଣୁ ଭଗବାନ ବୋଲାନ୍ତି । ପ୍ରାଣୀଙ୍କି ସଂସାରେ ଭ୍ରମାନ୍ତି ॥ ୨୭
ସାତ୍ୱତ ଯେ ବୈଷ୍ଣବଜନ । ସାତ୍ୱତ ଯଦୁବଂଶମାନ ॥ ୨୮
ସାଧୁ-ଯାଦବପତି ଯେଣୁ । ସାତ୍ୱତପତି ନାମ ତେଣୁ ॥ ୨୯
ତାହାଙ୍କ ମହିମା ବଖାଣ । ହୋଇଛି ଶ୍ରୀଭାଗବତେଣ ॥ ୩୦
ପରମବ୍ରହ୍ମ ଯେ ଈଶ୍ୱର । ପରମଗୁପ୍ତ ସେହୁ ସାର ॥ ୩୧
ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ । ଯେହୁ ଅନାଦି ବିଶ୍ୱମୟ ॥ ୩୨
ପ୍ରଥମସ୍କନ୍ଧ ଭାଗବତେ । ବନ୍ଦେ ଶ୍ରୀକୃଷ୍ଣ ପାଦଗତେ ॥ ୩୩
ତାହାଙ୍କୁ ଜାଣିବାର ଜ୍ଞାନ । ତାହାର ଚରିତ ବ୍ୟାଖ୍ୟାନ ॥ ୩୪
ଅନୁଭବଜ୍ଞାନ ସମେତ । ବର୍ଣ୍ଣନା ହୋଇଛି ଏମନ୍ତ ॥ ୩୫
ଭକତିଯୋଗର ବର୍ଣ୍ଣନ । ବୈରାଗ୍ୟ ସାଂଖ୍ୟଯୋଗମାନ ॥ ୩୬
ଜ୍ଞାନ ଆଶ୍ରୟ ଯେଉଁ ବ୍ରହ୍ମ । ତାହାଙ୍କ ମହିମା ଉତ୍ତମ ॥ ୩୭
ନାରଦ ବେଦବ୍ୟାସଙ୍କର । ବଦ୍ରିକା ଆଶ୍ରମେ ବିଚାର ॥ ୩୮
ତହୁଁ ଯେ ନାରଦଙ୍କ ତହିଁ । ବ୍ୟାସ ଯେ ଭାଗବତ ପାଇ ॥ ୩୯
ପୂର୍ବ ତିନିଜନ୍ମର କଥା । ନାରଦ କହେ ସେ ବ୍ୟବସ୍ଥା ॥ ୪୦
ପଞ୍ଚକଟକେ ଯେ ରାଜନ । ନାମ ତାହାର ଦୁର୍ଯ୍ୟୋଧନ ॥ ୪୧
ସମର ଶେଷେ ଜାନୁଭଗ୍ନ । ପଡିଲା ଠାରେ ଆଚରଣ ॥ ୪୨
କୃପ ଆଚାର୍ଯ୍ୟ କୃତବର୍ମା । ସମୀପେ ମିଳେ ଅଶ୍ୱତ୍ଥମା ॥ ୪୩
ଦୁର୍ଯ୍ୟୋଧନ ପ୍ରୀତି ନିମନ୍ତେ । ପୃଥିବୀ ଅପାଣ୍ଡବା ଅର୍ଥେ ॥ ୪୪
ପାଣ୍ଡବ ପାଞ୍ଚାଳୀ କୁମର । ପେଷିଲା ଅଶ୍ୱତ୍ଥମା ଶର ॥ ୪୫
ମାରିଣ ଦୁର୍ଯ୍ୟୋଧନ ଆଗେ । ସେ ପାଞ୍ଚମୁଣ୍ଡ ଦେଲା ବେଗେ ॥ ୪୬
ଦୁର୍ଯ୍ୟୋଧନ ଯେ କ୍ରୋଧ କଲା । ତାପେଣ ପ୍ରାଣ ବିସର୍ଜିଲା ॥ ୪୭
ପଞ୍ଚକୁମର ବଧ ଶୁଣି । କୃଷ୍ଣ ଅର୍ଜୁନ ସେ ଅଗ୍ରଣୀ ॥ ୪୮
ଯୁଦ୍ଧେ ଜିଣି ମଥାରୁ ମଣି । ଖୋଳି ଘେନିଲେ ପାର୍ଥ ଜାଣି ॥ ୪୯
ଦ୍ରୌପଦୀ ଆଗେ ବାନ୍ଧିଆଣି । ସମର୍ପି ଦେଲେ ତତକ୍ଷଣି ॥ ୫୦
ଦେଖି ଦ୍ରୌପଦୀ ଦୟାଚିତ୍ତେ । ବନ୍ଧନ ଫେଡିଲେ ତୁରିତେ ॥ ୫୧
ତାହାଙ୍କୁ କରି ସାତବେଣ୍ଟି । ଛଡାଇ ଦେଲେ ସେ ଯୁଧିଷ୍ଠି ॥ ୫୨
ସେ ଅପମାନେ କୋପଭର । ସଭୟେ ଦ୍ରୋଣର କୁମର ॥ ୫୩
ଚଞ୍ଚଳମନ ଅନୁରାଗେ । ପେଷିଲା ବ୍ରହ୍ମଶର ବେଗେ ॥ ୫୪
ସେ ବ୍ରହ୍ମଶର ଅନିର୍ବାର । ଦେଖି ଅର୍ଜୁନ ଭୟଙ୍କର ॥ ୫୫
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ତା ପ୍ରତିଶରେ ସଂହରଇ ॥ ୫୬
ତଦନ୍ତେ ପୁଣ ଦ୍ରୋଣବଳା । ଅତି ନିନ୍ଦିତ କର୍ମ କଲା ॥ ୫୭
ଉତ୍ତରା ଗର୍ଭେ ଯେ କୁମର । ତାର ବିନାଶେ ବ୍ରହ୍ମଶର ॥ ୫୮
ପେଷିଲା ଅତି କୋପମନେ । ଧର୍ମକୁ ଉପେକ୍ଷି ଅଜ୍ଞାନେ ॥ ୫୯
ଗଗନମାର୍ଗେ ଶର ଯାନ୍ତେ । ଉତ୍ତରା ଡାକିଲା ଆରତେ ॥ ୬୦
ତକ୍ଷଣେ ପ୍ରଭୁ ଭଗବାନ । ଖଣ୍ଡିଲେ ତା ଗର୍ଭ କଷଣ ॥ ୬୧
ଅଙ୍ଗୁଷ୍ଠ ପ୍ରମାଣେ ପୁରୁଷ । ଉତ୍ତରା ଗର୍ଭରେ ପ୍ରବେଶ ॥ ୬୨
ଶ୍ରୀକୃଷ୍ଣ ଚକ୍ର ଘେନି ତହିଁ । ବ୍ରହ୍ମଶରକୁ ସେ ଛେଦଇ ॥ ୬୩
ଗର୍ଭେ ବାଳକ ରକ୍ଷା କଲେ । ପରୀକ୍ଷ ଜନମ ହୋଇଲେ ॥ ୬୪
ଯୁଧିଷ୍ଠି ଅଶ୍ୱମେଧଯୋଗ । ସେ ପୁଣ ରାଜ୍ୟ କଲେ ଭୋଗ ॥ ୬୫
କଳିର ଛତିଶ ବରଷ । ସେ ରାଜପଣେ କଲେ ଶେଷ ॥ ୬୬
ପରୀକ୍ଷେ ଦେଇ ନୃପାସନ । ପାଣ୍ଡବେ ସ୍ୱର୍ଗ ଆରୋହଣ ॥ ୬୭
ଶ୍ରୀକୃଷ୍ଣ ବୈକୁଣ୍ଠେ ବିଜୟ । ସର୍ବଯାଦବ ଗଲେ କ୍ଷୟ ॥ ୬୮
ପରୀକ୍ଷିତ ଦିଗବିଜୟେ । କଳିଯୁଗକୁ ଦଣ୍ଡବହେ ॥ ୬୯
ପରୀକ୍ଷିତର ରାଜଯୋଗ । ଏକଷଠି ବରଷ ଭୋଗ ॥ ୭୦
ଏ ମଧ୍ୟେ ପରୀକ୍ଷ ରାଜନ । ମୃଗୟା ବିହାରେ ଗମନ ॥ ୭୧
ଶମୀକ ଋଷି ଆଶ୍ରମରେ । ଜଳ ମାଗିଲେ ତୃଷାତୁରେ ॥ ୭୨
ଋଷି ଗଳାରେ ମୃତସର୍ପେ । ରାଜା ଲମ୍ବାଏ ଅତିକୋପେ ॥ ୭୩
ଋଷିବାଳକ ଶୃଙ୍ଗୀ ନାମେ । ରାଜାକୁ ଶାପ ଦେଲା ତମେ ॥ ୭୪
ସେ ଶାପ ପରୀକ୍ଷିତ ଜାଣି । ପୁତ୍ରକୁ କରି ନୃପମଣି ॥ ୭୫
ରାଜ୍ୟ ଉପେକ୍ଷି ଗଙ୍ଗାତୀରେ । ଶୟନ କୁଶ ଶଯ୍ୟାପରେ ॥ ୭୬
ଶୁଣିଣ ସର୍ବଋଷିଗଣେ । ମିଳିଲେ ନୃପ ସନ୍ନିଧ୍ୟାନେ ॥ ୭୭
ଶୁକଦେବଙ୍କ ଆଗମନ । ଦେଖି ସାନନ୍ଦ ଋଷିଜନ ॥ ୭୮
ସେ ରାଜା ସର୍ବଋଷିଗଣେ । ପୁଚ୍ଛିଲେ ନିସ୍ତାର କାରଣେ ॥ ୭୯
ପ୍ରସନ୍ନ ଶୁକଦେବ ହୋଇ । ଶ୍ରୀଭାଗବତ ଗ୍ରନ୍ଥ କହି ॥ ୮୦
ଊନବିଂଶତି ଅଧ୍ୟାୟେଣ । ପ୍ରଥମସ୍କନ୍ଧ ଯେ ସମ୍ପୂର୍ଣ୍ଣ ॥ ୮୧
ଦ୍ୱିତୀୟସ୍କନ୍ଧର ଆଦ୍ୟରେ । ଶୁକ ପରୀକ୍ଷଙ୍କୁ କହିଲେ ॥ ୮୨
ପରମବ୍ରହ୍ମ ଯେ ପୁରୁଷ । ବିରାଟ ସ୍ୱରୂପେ ପ୍ରକାଶ ॥ ୮୩
ପରମଆତ୍ମା ଭେଟିବାରେ । ଅଷ୍ଟାଙ୍ଗଯୋଗ ଧାରଣାରେ ॥ ୮୪
ଜୀବ ପରମରେ ଏକତ୍ୱ । ଲୀନ ହୁଅଇ ଯେଉଁ ମତ ॥ ୮୫
ବ୍ରହ୍ମା ନାରଦଙ୍କ ସମ୍ବାଦ । ଭାଗବତ ଉପନିଷଦ ॥ ୮୬
ବ୍ରହ୍ମାଠାରୁ ନାରଦ ପାଇ । ଚାରିଶ୍ଳୋକରେ ବୋଧ ହୋଇ ॥ ୮୭
ନାରଦ ଦଶଶ୍ଳୋକେ ପୁଣ । ବ୍ୟାଖ୍ୟାନ କଲେ ସେ ପୁରାଣ ॥ ୮୮
ମହାବିରାଟ ଯେ ପୁରୁଷ । ତାଙ୍କ ଉତ୍ପତ୍ତି ସ୍ଥିତି ନାଶ ॥ ୮୯
ଚବିଶ ଅବତାର ଲୀଳା । ବ୍ରହ୍ମାଣ୍ଡ ଉତ୍ପତ୍ତି ସେ କଲା ॥ ୯୦
ଦ୍ୱିତୀୟସ୍କନ୍ଧ ଏ ଚରିତ । ଦଶ ଅଧ୍ୟାରେ ସମାପତ ॥ ୯୧
ଏବେ ତୃତୀୟସ୍କନ୍ଧ ବାଣୀ । ବିଦୁର ଉଦ୍ଧବ ଭାଳେଣି ॥ ୯୨
ବିଦୁର ମୈତ୍ରେୟ ସମ୍ବାଦ । ପୁରାଣ ସଂହିତାରେ ଭେଦ ॥ ୯୩
ବିଦୁର ପରମ ଆନନ୍ଦେ । ଚିତ୍ତ ନିବେଶି କୃଷ୍ଣପାଦେ ॥ ୯୪
ମହାପୁରୁଷର ନିର୍ଣ୍ଣୟ । ପ୍ରାକୃତିକ ସର୍ଗ ନିଶ୍ଚୟ ॥ ୯୫
ସାତ ଯେ ବୈକାରିକ ସର୍ଗ । ବ୍ରହ୍ମାଣ୍ଡ ଉତ୍ପତ୍ତିର ମାର୍ଗ ॥ ୯୬
ବିରାଟ ପୁରୁଷ ସ୍ୱରୂପ । କାଳର ସ୍ଥୂଳ ସୂକ୍ଷ୍ମ ରୂପ ॥ ୯୭
ନାଭିକମଳୁ ଉତପତ୍ତି । ସେ ମହାପଦ୍ମ ନାମ ଖ୍ୟାତି ॥ ୯୮
ଦିତିର ପୁତ୍ର ଯେ ହିରଣ୍ୟ । ଆବର ହିରଣ୍ୟାକ୍ଷ ପୁଣ ॥ ୯୯
ଏହାଙ୍କ ଜନ୍ମର ଚରିତ । ତହୁଁ ଯେ ସ୍ୱୟଂ ଭାଗବତ ॥ ୧୦୦
ବରାହ ଅବତାର ହୋଇ । ଦନ୍ତାଗ୍ରେ ପୃଥିବୀ ଧରଇ ॥ ୧୦୧
ଆଦି ଅସୁର ଅବତାର । ହିରଣ୍ୟାକ୍ଷ ବଧ ବିଚାର ॥ ୧୦୨
ଦେବତା ଗନ୍ଧର୍ବ କିନ୍ନର । ସିଦ୍ଧ ଚାରଣ ବିଦ୍ୟାଧର ॥ ୧୦୩
କିଂପୁରୁଷ ଆଦି ଏମାନ । ଏ ସର୍ବ ଉତ୍ପତ୍ତି କାରଣ ॥ ୧୦୪
ବ୍ରହ୍ମା ଦେହରୁ ଅବତାର । କୀଟ ପତଙ୍ଗାଦି ସ୍ଥାବର ॥ ୧୦୫
ଜଙ୍ଗମ ଆଦି ଚାରିଖାନି । ଅଣ୍ଡଜ ଜରାୟୁଜ ଘେନି ॥ ୧୦୬
ସ୍ୱେଦଜ ଉଦ୍ଭିଦଜ ପୁଣି । ଏମନ୍ତେ ସୃଷ୍ଟି ଲାଭ ହାନି ॥ ୧୦୭
ଏମନ୍ତେ ବ୍ରହ୍ମାଣ୍ଡ ସର୍ଜନ । ପାତାଳବାସୀଙ୍କ ଉତ୍ପନ୍ନ ॥ ୧୦୮
ଦିବସ ରାତ୍ର ସନ୍ଧ୍ୟା ପୁଣ । କାଳର ଉତପତି ମାନ ॥ ୧୦୯
ଅର୍ଦ୍ଧନାରୀ ନର ଆକୃତି । ସ୍ୱୟମ୍ଭୁବର ଉତପତ୍ତି ॥ ୧୧୦
ଶତରୂପା କନ୍ୟାର ଜନ୍ମ । ଏକାଦଶ ରୁଦ୍ର ଉତ୍ପନ୍ନ ॥ ୧୧୧
ସନକ ଆଦି ଋଷିମାନ । ସ୍ୱୟମ୍ଭୁ ଦୁଇପୁତ୍ର ଜନ୍ମ ॥ ୧୧୨
ଆବର ତିନିକନ୍ୟା ହୋଇ । ଏଥୁ ଅନେକ ସମ୍ଭବଇ ॥ ୧୧୩
ଯେ ଧର୍ମ ପତ୍ନୀମାନେ ପୁଣ । ଏହାଙ୍କ ଯେବା ଆଚରଣ ॥ ୧୧୪
ଚତୁରଦଶ ପ୍ରଜାପତି । ତାଙ୍କ କନ୍ୟାଙ୍କର ସନ୍ତତି ॥ ୧୧୫
ବ୍ରହ୍ମାର ପୁତ୍ର ଯେହୁ ପୁଣ । କର୍ଦ୍ଦମ ପ୍ରଜାପତି ନାମ ॥ ୧୧୬
ତାଙ୍କ ଭାରିଯା ଦେବହୂତି । ସ୍ୱାୟମ୍ଭୁବଙ୍କର ଦୁହିତୀ ॥ ୧୧୭
ତାହାଙ୍କ ଗର୍ଭୁ ଜାତ ପୁଣ । ନବକନ୍ୟା ଏକ ନନ୍ଦନ ॥ ୧୧୮
ସେ କନ୍ୟା ନବ ପ୍ରଜାପତି । ବିବାହେ ତାଙ୍କର ସନ୍ତତି ॥ ୧୧୯
କର୍ଦ୍ଦମପୁତ୍ର ଯେ କପିଳ । ସେ ବିଷ୍ଣୁଅଂଶ ଜ୍ଞାନେ ଭୋଳ ॥ ୧୨୦
ମାତାଙ୍କୁ ଜ୍ଞାନଧର୍ମ କହି । ବିଷ୍ଣୁର ମହିମା ବୁଝାଇ ॥ ୧୨୧
କପିଳ ଯୋଗସ୍ଥାନେ ଗଲେ । ଯୋଗ ଆସନରେ ବସିଲେ ॥ ୧୨୨
ତୃତୀୟସ୍କନ୍ଧେ ଏ ଚରିତ । ତେତିଶ ଅଧ୍ୟା ସମାପତ ॥ ୧୨୩
ଚତୁର୍ଥସ୍କନ୍ଧରେ ବର୍ଣ୍ଣନ । ନବ ପ୍ରଜାପତିଙ୍କ ଜନ୍ମ ॥ ୧୨୪
ଏହାଙ୍କ ବଂଶାନୁଚରିତ । ସଂସାର ଯହୁଁ ସେ ଉଦିତ ॥ ୧୨୫
ଦକ୍ଷ ପ୍ରଜାପତି ଯେ ପୁଣ । ଯଜ୍ଞ ସେ କଲେକ ଉଦ୍ୟମ ॥ ୧୨୬
ଶିବ ଯେ ଯଜ୍ଞ ଭଗ୍ନ କଲେ । ପାର୍ବତୀ ନିଧନେ କୋପିଲେ ॥ ୧୨୭
ତଦନ୍ତେ ଧ୍ରୁବର ଚରିତ । ତପରେ ତୋଷିଲେ ଅନନ୍ତ ॥ ୧୨୮
ତହୁଁ ଯେ ପୃଥୁର କାହାଣୀ । ଯେମନ୍ତେ ଦୁହିଁଲେ ଧରଣୀ ॥ ୧୨୯
ବେଣ ଯେ ବିପ୍ରଶାପେ ନାଶ । ରାଜା ବିହୀନେ ପୃଥ୍ୱୀ ଧ୍ୱଂସ ॥ ୧୩୦
ପୃଥ୍ୱୀ ରଖିବା ଅର୍ଥେ ହରି । ପୃଥୁ ରୂପରେ ଅବତରି ॥ ୧୩୧
ଋଷି ଦେବତାଙ୍କର ଅଂଶେ । ଜନ୍ମ ଲଭିଲେ ମନୁବଂଶେ ॥ ୧୩୨
ପୃଥିବୀ ଧରି ବାହୁବଳେ । ଦୋହନ କଲେ ଅବହେଳେ ॥ ୧୩୩
ଚଉଦ ଭୁବନର ଜନ । ଯାହାର ଯାହା ପ୍ରୟୋଜନ ॥ ୧୩୪
ସଂସାରେ ଶସ୍ୟବୀଜ କଲେ । ଯଜ୍ଞରେ ଦେବଙ୍କୁ ପୂଜିଲେ ॥ ୧୩୫
ପ୍ରାଚୀନବରହି ଦୁର୍ମଦ । ସେ ରାଜା ନାରଦ ସମ୍ବାଦ ॥ ୧୩୬
ପୁରଞ୍ଜନର ଉପାଖ୍ୟାନ । ଦଶପ୍ରଚେତାଙ୍କ ବର୍ଣ୍ଣନ ॥ ୧୩୭
ଏ ରାଜା ପ୍ରାଚୀନବରହି । ଏହାର ଦଶପୁତ୍ର ହୋଇ ॥ ୧୩୮
ଦଶ ପ୍ରଚେତାଙ୍କର ପୁଣ । ହୋଇଲା ଏକଇ ନନ୍ଦନ ॥ ୧୩୯
ନାମ ତା ଦକ୍ଷପ୍ରଜାପତି । ଏକମାତା ଗର୍ଭୁ ଜନ୍ମନ୍ତି ॥ ୧୪୦
ଏକ କୁମର ଦଶତାତ । ତେଣୁ ସେ ଦକ୍ଷ ନାମେ ଖ୍ୟାତ ॥ ୧୪୧
ସେ ନାରୀ ପୂର୍ବଜନ୍ମଗତି । ଯେମନ୍ତେ ହୋଇଲା ଉତ୍ପତ୍ତି ॥ ୧୪୨
ପ୍ରମ୍ଳୋଚା ନାମେ ଅପସରୀ । କଣ୍ଡୁଋଷିଙ୍କ ବୀର୍ଯ୍ୟୁ କରି ॥ ୧୪୩
ଯେମନ୍ତେ ହୋଇଲେ ସେ ଜାତ । ଚତୁର୍ଥସ୍କନ୍ଧେ ଏ ଚରିତ ॥ ୧୪୪
ଏକତିରିଶ ଅଧ୍ୟାୟେଣ । ଏହୁ ସେ ହୋଇଲା ସମ୍ପୂର୍ଣ୍ଣ ॥ ୧୪୫
ପଞ୍ଚମସ୍କନ୍ଧ ଆଦ୍ୟେ ପୁଣି । ପ୍ରିୟବ୍ରତ ରାଜା କାହାଣୀ ॥ ୧୪୬
ନାଭି ରାଜାର ଯେ ଚରିତ । ଋଷଭ ଜନମ ବୃତ୍ତାନ୍ତ ॥ ୧୪୭
ଭରତ ରାଜାର ବର୍ଣ୍ଣନ । ତିନି ଜନ୍ମେ ବିଷ୍ଣୁ ସେବନ ॥ ୧୪୮
ବ୍ରହ୍ମାଣ୍ଡଭୂଗୋଳ ବର୍ଣ୍ଣନ । ସପତଦ୍ୱୀପ ଆୟତନ ॥ ୧୪୯
ସପତ ସମୁଦ୍ର ଯେସନ । ଦ୍ୱିଗୁଣ କାଞ୍ଚନ ଭୁବନ ॥ ୧୫୦
ଲୋକାଲୋକ ସମେତ ହୋଇ । ବ୍ରହ୍ମାଣ୍ଡ ଯେମନ୍ତ ଅଟଇ ॥ ୧୫୧
ବର୍ଷ ପର୍ବତ ନଦୀମାନ । ଯେତେକ ଏହାଙ୍କ ବର୍ଣ୍ଣନ ॥ ୧୫୨
ଜ୍ୟୋତିଷଚକ୍ର ଧ୍ରୁବଚକ୍ର । ଆବର ଶିଶୁମାର ଚକ୍ର ॥ ୧୫୩
ପାତାଳ ନରକ ବର୍ଣ୍ଣନ । ପାପେ ନରକ ଭୋଗମାନ ॥ ୧୫୪
ପଞ୍ଚମସ୍କନ୍ଧେ ଏ ଚରିତ । ଛବିଶ ଅଧ୍ୟା ସମାପତ ॥ ୧୫୫
ଏବେ ଯେ ଷଷ୍ଠସ୍କନ୍ଧ ବାଣୀ । ଯାହା କହିଲି ପରିମାଣି ॥ ୧୫୬
ଅଜାମିଳର ଉପାଖ୍ୟାନ । ନାମର ମହାତ୍ମ୍ୟ ବର୍ଣ୍ଣନ ॥ ୧୫୭
ବିଷ୍ଣୁଦୂତ ଯେ ଯମଦୂତ । ଏହାଙ୍କ ସମ୍ବାଦ ଚରିତ ॥ ୧୫୮
ଯମ ଯେ ଆପଣାର ଦୂତେ । ବିଷ୍ଣୁର ମହିମା ଭକତେ ॥ ୧୫୯
ବିଷ୍ଣୁ ଭକତ ଯେତେ ଜନ । ନ ଯିବ ତାହାଙ୍କ ପାଶେଣ ॥ ୧୬୦
ଦୁରୂଁ ଦେଖିଣ ଉପେକ୍ଷିବ । ନାମ ଲକ୍ଷଣ ଜାଣିଥିବ ॥ ୧୬୧
ଅଜାମିଳର ଯେ ମୁକତ । ବୈକୁଣ୍ଠ ଯେମନ୍ତ ପ୍ରାପତ ॥ ୧୬୨
ଦକ୍ଷ ପ୍ରଜାପତି ଚରିତ । ଯେମନ୍ତେ ପୁତ୍ର କଲେ ଜାତ ॥ ୧୬୩
ସେ ପୁତ୍ରେ ନାରଦଙ୍କ ହେତୁ । ଯେମନ୍ତେ ଲଭିଲେ ସେ ମୃତ୍ୟୁ ॥ ୧୬୪
ନାରଦ ଦକ୍ଷ ପ୍ରଜାପତି । ଅନ୍ୟୋନ୍ୟେ ଶାପ ସେ ଦିଅନ୍ତି ॥ ୧୬୫
ସେ ଦକ୍ଷ ପ୍ରଜାପତିଙ୍କର । ଷାଠିଏ ଝିଅଙ୍କୁ ସେ ବର ॥ ୧୬୬
ତାହାଙ୍କ ସନ୍ତତି ଯେମାନ । ଯକ୍ଷ ମନୁଷ୍ୟ ଦେବଗଣ ॥ ୧୬୭
ଅସୁର ପଶୁପକ୍ଷୀ ଜନ୍ତୁ । ଏ ଆଦି ଜନମର ହେତୁ ॥ ୧୬୮
ତ୍ୱଷ୍ଟା ପ୍ରଜାପତିନନ୍ଦନ । ବିଶ୍ୱରୂପରେ ଉତପନ୍ନ ॥ ୧୬୯
ଏହାଙ୍କ ଜନ୍ମମରଣାଦି । ବୃତ୍ତାସୁରକୁ ଇନ୍ଦ୍ର ବଧି ॥ ୧୭୦
ଦିତିର ପୁତ୍ର ଯେ ହିରଣ୍ୟ । ଆବର ହିରଣ୍ୟାକ୍ଷ ପୁଣ ॥ ୧୭୧
ଏହାଙ୍କ ଜନ୍ମର ଚରିତ । ବରାହ ବଧିଲେ ଯେମନ୍ତ ॥ ୧୭୨
ଏହାଙ୍କ ପତ୍ନୀଙ୍କ ରୋଦନ । ସୁଯଜ୍ଞ ରାଜାଙ୍କ ବିଧାନ ॥ ୧୭୩
ନାରଦ ଯେମନ୍ତେ ବୋଧିଲେ । ପବନ ଯେସନେ ଜନ୍ମିଲେ ॥ ୧୭୪
ଅଣଚାଶ ରୂପ ଧଇଲେ । ଦୃଢବ୍ରତେ ନାଶ ନୋହିଲେ ॥ ୧୭୫
ଦିତିର ଗର୍ଭେ ପଶି ପୁଣ । ଇନ୍ଦ୍ର ତା କଲେ ଭିନ୍ନ ଭିନ୍ନ ॥ ୧୭୬
ଏ ଷଷ୍ଠସ୍କନ୍ଧର ଚରିତ । ଉନବିଂଶ ଅଧ୍ୟା ଭକତ ॥ ୧୭୭
ଏବେ ଯେ ସପ୍ତମସ୍କନ୍ଧର । ହିରଣ୍ୟକଶିପୁ ଅସୁର ॥ ୧୭୮
ତାହାର ପୁତ୍ର ପ୍ରହଲ୍ଲାଦ । ସେ ଯେ ଦଇତ୍ୟେଶ୍ୱର ଇନ୍ଦ୍ର ॥ ୧୭୯
ତାହାଙ୍କ ଯେତେକ ଚରିତ । ପ୍ରହଲ୍ଲାଦଙ୍କ କଷ୍ଟମତ ॥ ୧୮୦
ହିରଣ୍ୟକଶିପୁ ନିଧନ । ନୃସିଂହ ରୂପେ ବିଦାରଣ ॥ ୧୮୧
ବ୍ରାହ୍ମଣ କ୍ଷତ୍ରି ବୈଶ୍ୟ ଶୁଦ୍ର । ଚାରିବର୍ଣ୍ଣର ଧର୍ମ ଭେଦ ॥ ୧୮୨
ବ୍ରହ୍ମଚାରୀ ଯେ ବାନପ୍ରସ୍ଥ । ଗୃହୀ ସନ୍ନ୍ୟାସୀ ଚାରିମତ ॥ ୧୮୩
ଏଥିର ଧର୍ମ ବର୍ଣ୍ଣାଚାର । ସର୍ବ ଧର୍ମକର୍ମ ବିଚାର ॥ ୧୮୪
ଶ୍ରାଦ୍ଧ ବିଧିରେ ଯେତେ ହୋଇ । ସପ୍ତମସ୍କନ୍ଧେ ଏହା କହି ॥ ୧୮୫
ପନ୍ଦର ଅଧ୍ୟାରେ ସମ୍ପୂର୍ଣ୍ଣ । ଏବେ ଅଷ୍ଟମସ୍କନ୍ଧ ଶୁଣ ॥ ୧୮୬
ଚତୁର୍ଦ୍ଦଶ ମନୁ ଚରିତ । ଭୂତ ବର୍ତ୍ତମାନ ଯେମନ୍ତ ॥ ୧୮୭
ଗଜଇନ୍ଦ୍ରର ଯେ ମୋକ୍ଷଣ । ଗ୍ରାହକୁ ଚକ୍ରେ ନିବାରଣ ॥ ୧୮୮
ଶାପରୁ କରି ପରିତ୍ରାଣ । ଦେଲେ ସେ ବଇକୁଣ୍ଠେ ସ୍ଥାନ ॥ ୧୮୯
ବିଷ୍ଣୁମନ୍ୱନ୍ତର ମାନରେ । ହୟଗ୍ରୀବାଦି ଅବତାରେ ॥ ୧୯୦
ବରାହ ମତ୍ସ୍ୟ ଯେ କଚ୍ଛପ । ନରସିଂହ ବାମନ ରୂପ ॥ ୧୯୧
ନାନା ଅବତାର ମହିମା । କ୍ଷୀରୋଦ ମନ୍ଥନ ଉପମା ॥ ୧୯୨
ସକଳ ରତ୍ନ ଉତପତ୍ତି । ଲକ୍ଷ୍ମୀ ଅମୃତର ସମ୍ଭୂତି ॥ ୧୯୩
ଅଇରାବତ ଉଚ୍ଚୈଶ୍ରବା । ବାରୁଣୀ ସମ୍ଭୂତ ହୋଇବା ॥ ୧୯୪
ଧନ୍ୱନ୍ତରୀ ଜନ୍ମ କାରଣ । ମୋହିନୀ ରୂପର ଧାରଣ ॥ ୧୯୫
ଈଶ୍ୱର ପାର୍ବତୀ ଶରଧା । ମୋହିନୀ ମୋହେ ଯେଉଁ ବାଧା ॥ ୧୯୬
ଅମୃତ ଭକ୍ଷେ ରାହୁ ଛେଦ । ଚନ୍ଦ୍ରସୂର୍ଯ୍ୟ ଗ୍ରାସିବା ଭେଦ ॥ ୧୯୭
ଅମୃତ ନ ପାଇ ଅସୁରେ । ଦେବଙ୍କ ସଙ୍ଗେ ଯୁଦ୍ଧ କଲେ ॥ ୧୯୮
ସ୍ୱର୍ଗ ଛାଡି ଇନ୍ଦ୍ର ସମତେ । ପଶିଲେ ଗହନ ବନସ୍ତେ ॥ ୧୯୯
ବଳି ଯେ ସ୍ୱର୍ଗ ଭୋଗ କରି । ଦାନେଣ ନାହିଁ ସମସରି ॥ ୨୦୦
ପୁତ୍ରଙ୍କ କଷ୍ଟେ ଦେବମାତ । ଅଦିତି କଲେ ପୟୋବ୍ରତ ॥ ୨୦୧
ବାମନ ଜନମ ହୋଇଲେ । ଯଜ୍ଞେ ପ୍ରବେଶ ଦାନଛଳେ ॥ ୨୦୨
ବଳିଠାରୁ ଦାନ ଗ୍ରହଣ । ଶୁକ୍ର ନିଷେଧ କଲେ ପୁଣ ॥ ୨୦୩
ବଳିକି କରିଣ ବନ୍ଧନ । ତିନିପାଦ ଯେ ଭୂମିଦାନ ॥ ୨୦୪
ବାମନ ବିଶ୍ୱରୂପ ହୋଇ । ପାଦକେ ପୃଥିବୀ ଘୋଟଇ ॥ ୨୦୫
ପାଦେକ ଆକାଶକୁ ଗଲା । ବ୍ରହ୍ମାଣ୍ଡଭାଣ୍ଡ ଫାଟିଗଲା ॥ ୨୦୬
ଆକାଶୁ ଗଙ୍ଗା ଯେ ବହିଲା । ଜଗତ ପବିତ୍ର ହୋଇଲା ॥ ୨୦୭
ନାଭିକମଳୁ ପାଦେ ହୋଇ । ବଳିକି ପାତାଳେ ଚାପଇ ॥ ୨୦୮
ସତ୍ୟବ୍ରତ ରାଜା ଚରିତ । ପ୍ରଳୟଜଳରେ ଯେମନ୍ତ ॥ ୨୦୯
ମତ୍ସ୍ୟ ଅବତାର ସେ ହୋଇ । ମତ୍ସ୍ୟ ଶୃଙ୍ଗରେ ନାବ ବହି ॥ ୨୧୦
ଭ୍ରମିଲେ ମହାର୍ଣ୍ଣବ ଜଳେ । ଶଙ୍ଖ ଦଇତ୍ୟ ମାରି ହେଳେ ॥ ୨୧୧
ସେ ରାଜା ଦିବାକର ବଂଶେ । ଜନ୍ମ ହୋଇଲେ ମନୁ ଅଂଶେ ॥ ୨୧୨
ବଇବସ୍ୱତ ମନୁ ହୋଇ । ଯେମନ୍ତେ ସର୍ପେ ସେ ବସଇ ॥ ୨୧୩
ଅଷ୍ଟମସ୍କନ୍ଧେ ଏ ଚରିତ । ତ୍ରିବିଂଶ ଅଧ୍ୟା ସମାପତ ॥ ୨୧୪
ନବମସ୍କନ୍ଧେ ଏବେ ଶୁଣ । ବଂଶାନୁଚରିତ ବିଧାନ ॥ ୨୧୫
ଯେ ସୂର୍ଯ୍ୟବଂଶାନୁ କୀର୍ତ୍ତନ । ସୂର୍ଯ୍ୟର ଅଟଇ ନନ୍ଦନ ॥ ୨୧୬
ବଇବସ୍ୱତ ମନୁ ନାମ । ସେ ବଂଶେ ଈକ୍ଷ୍ୱାକୁ ଜନମ ॥ ୨୧୭
ତାଙ୍କ ବଂଶରେ ହେଲେ ପୁଣ । ସୁଦ୍ୟୁମ୍ନ ନାମରେ ରାଜନ ॥ ୨୧୮
ଶଙ୍କର ଶାପେ କନ୍ୟା ହେଲେ । ଈଳା କନ୍ୟା ସେ ବୋଲାଇଲେ ॥ ୨୧୯
ତାରାକୁ ହରିଲେ ଯେ ସୋମ । ବୁଧ ତହିଁରୁ ହେଲେ ଜନ୍ମ ॥ ୨୨୦
ଈଳା ଗର୍ଭରୁ ବୁଧ ବୀର୍ଯ୍ୟେ । ପୁତ୍ର ପୁରୁରବା ଉପୁଜେ ॥ ୨୨୧
ତାହାର ଯେତେ ଉପାଖ୍ୟାନ । କହିଛୁଁ ବିସ୍ତାର କରିଣ ॥ ୨୨୨
ଏ ଦୁଇବଂଶ ଆଦ୍ୟ ଏହି । ଏଥୁଁ ସୋମ ସୂର୍ଯ୍ୟ ବୋଲାଇ ॥ ୨୨୩
ସୂର୍ଯ୍ୟବଂଶର ଯେ କଥନ । ଶଶାଦ ନୃଗ ଉପାଖ୍ୟାନ ॥ ୨୨୪
ଶର୍ଯ୍ୟାତିରାଜାଙ୍କ ଚରିତ । ସୁକନ୍ୟା କରିଲା ଯେମନ୍ତ ॥ ୨୨୫
ଚ୍ୟବନ ଋଷି ଉପାଖ୍ୟାନ । କାକୁସ୍ଥ ରାଜବଂଶମାନ ॥ ୨୨୬
ଖଟ୍ୱାଙ୍ଗ ରାଜାର ମହିମା । ସେ ମାନଧାତାର ଗାରିମା ॥ ୨୨୭
ସୌଭରି ଋଷିଙ୍କ ଚରିତ । ସଗର ରାଜନ ଯେମନ୍ତ ॥ ୨୨୮
ସଗର ଅଶ୍ୱମେଧ ଯାଗ । ଷଷ୍ଟିସହସ୍ରସୁତ ତ୍ୟାଗ ॥ ୨୨୯
କପିଳ କୋପରେ ଦହନ । ଦିଲୀପ ରାଜାରୁ ଯେ ପୁଣ ॥ ୨୩୦
ଭଗୀରଥର ଉତପନ୍ନ । ଗଙ୍ଗାର ଯେବା ଆଗମନ ॥ ୨୩୧
ଶ୍ରୀରଘୁନାଥଙ୍କ ଚରିତ । ହୋଇଲେ ଦଶରଥ ସୁତ ॥ ୨୩୨
ବାଳକ କାଳେ ସେ ମୃଗୟା । ବନୁଁ ଆଣନ୍ତି ଗଜହୟା ॥ ୨୩୩
ବିଶ୍ୱାମିତ୍ରଙ୍କ ସଙ୍ଗେ ଗଲେ । ବାଟରେ ତାଡକୀ ବଧିଲେ ॥ ୨୩୪
ଗୌତମପତ୍ନୀ ଯେ ଅହଲ୍ୟା । ପାଷାଣୁ ମୁକତ ହୋଇଲା ॥ ୨୩୫
ମିଥିଳାପୁରରେ ଜନକ । ନୃପତି ଅଟଇ ଧାର୍ମିକ ॥ ୨୩୬
ସେ ଧନୁସ୍ୱୟମ୍ବର କାଳେ । ମିଳିଲେ ସକଳ ଭୂପାଳେ ॥ ୨୩୭
ଶିବଧନୁ ରାମ ଭାଙ୍ଗିଣ । ମଇଥିଳୀ ବିଭା ହୋଇଣ ॥ ୨୩୮
ଅଯୋଧ୍ୟା ନଗରେ ପ୍ରବେଶ । ନୃପତି କରଣେ ଉଦ୍ଦେଶ୍ୟ ॥ ୨୩୯
କଇକେୟୀର ସତ୍ୟେ ପୁଣି । ସେ ଦଶରଥ ନୃପମଣି ॥ ୨୪୦
ରାମ ଯେ ବନବାସ ଗଲେ । ସୀତା ଲକ୍ଷ୍ମଣ ଘେନି ତୁଲେ ॥ ୨୪୧
ଅଗମ୍ୟ ବନରେ ପଶିଲେ । ପଞ୍ଚବଟୀବନେ ରହିଲେ ॥ ୨୪୨
ଖର ଦୂଷଣ ନାଶକରି । ଯାଗ ରଖିଲେ ଚାପଧାରୀ ॥ ୨୪୩
ରାବଣ ସୀତା ହରି ନେଲା । ତା ଜାଣି ରାମ ଚଳିଗଲା ॥ ୨୪୪
ସୁଗ୍ରୀବ ମିତ୍ର ଛଳେ ପୁଣ । ବାଳୀକୁ କଲେ ସେ ନିଧନ ॥ ୨୪୫
ତହୁଁ ପବନ ସୁତ ଗଲା । ଲଙ୍କାରେ ସୀତା ଠାବ କଲା ॥ ୨୪୬
ରାବଣ ଭାଇ ବିଭୀଷଣ । ଶ୍ରୀରାମେ ପଶିଲା ଶରଣ ॥ ୨୪୭
ବରୁଣ ବୋଲେ ରାମ ସେତୁ । ବାନ୍ଧିଲେ ବାନରଙ୍କ ହେତୁ ॥ ୨୪୮
ରାବଣ ସଗୋତ୍ର ସହିତ । ସବୁ ନାଶିଲେ ରଘୁନାଥ ॥ ୨୪୯
ବିଭୀଷଣକୁ ରାଜା କଲେ । ଅମରପଦ ତାକୁ ଦେଲେ ॥ ୨୫୦
ସୀତା ଅଗ୍ନି ପରୀକ୍ଷା କରି । ପ୍ରବେଶ ଅଯୋଧ୍ୟା ନଗରୀ ॥ ୨୫୧
ତହିଁ ଯେ ଭୋଗ କିଛିଦିନେ । ସୀତାଙ୍କୁ ପେଷିଲେ ସେ ବନେ ॥ ୨୫୨
ତଦନ୍ତେ ଅଶ୍ୱମେଧ କଲେ । ପୁତ୍ରଙ୍କୁ ବାଲମିକ ଦେଲେ ॥ ୨୫୩
ଚାରିଭାଇଙ୍କ ଅଷ୍ଟପୁତ୍ର । ଚାରି ଦେଶରେ ଆଧିପତ୍ୟ ॥ ୨୫୪
ରକ୍ଷ ମର୍କଟ ଯେତେ ତହିଁ । ଦେବତା ରୂପେ ଜାତ ହୋଇ ॥ ୨୫୫
ତାଙ୍କୁ ଘେନି ସ୍ୱର୍ଗକୁ ଗଲେ । ବୈକୁଣ୍ଠେ ନିଦ୍ରାରେ ଶୋଇଲେ ॥ ୨୫୬
ଜନ୍ମାଦି ବୈକୁଣ୍ଠ ପ୍ରାପତ । କହିତ ଅଛୁ ସେ ଚରିତ ॥ ୨୫୭
ସେ ରାମନାମ ଯେ ଧରନ୍ତି । ସଂସାର ତାପୁଁ ନିସ୍ତରନ୍ତି ॥ ୨୫୮
ନିମି ରାଜାର ଯେ ଚରିତ । ଜନକ ରାଜାର ବୃତ୍ତାନ୍ତ ॥ ୨୫୯
ଜନକ ରାଜାର ସନ୍ତତି । ସୂର୍ଯ୍ୟବଂଶରେ ଉତପତ୍ତି ॥ ୨୬୦
ଭୃଗୁର ଜମଦଗ୍ନି ସୁତ । ତା ସୁତ ପର୍ଶୁରାମ ଖ୍ୟାତ ॥ ୨୬୧
ତପ କରଣେ ଅତିଶ୍ରେଷ୍ଠ । କ୍ଷତ୍ରିୟବୃତ୍ତିରେ ଗରିଷ୍ଠ ॥ ୨୬୨
ମାତା ଦୁହିତା ଚରୁଭ୍ରମ । ଋଷି ଜନ୍ମ କ୍ଷତ୍ରି ଅଂଶେଣ ॥ ୨୬୩
କ୍ଷତ୍ରି ଆଚାର ଋଷି ହୋଇ । ଏଣୁ ସେ କ୍ଷତ୍ରିୟ ବୋଲାଇ ॥ ୨୬୪
ସହସ୍ରାର୍ଜୁନ ଯେ ରାଜନ । ବଳେ ନେଲା ତାଙ୍କ ଗୋଧନ ॥ ୨୬୫
ଜମଦଗ୍ନିର ଶିର ଛେଦି । ଶୁଣିଣ ପର୍ଶୁରାମ କ୍ରୋଧି ॥ ୨୬୬
ବିଷ୍ଣୁଙ୍କୁ ଧ୍ୟାନ ସେହୁ କଲେ । ବିଷ୍ଣୁ ଯେ ପ୍ରସନ୍ନ ହୋଇଲେ ॥ ୨୬୭
ସେ ନାରାୟଣ ଜ୍ୟୋତିଭାବେ । ପଶିଲେ ପର୍ଶୁରାମ ଗର୍ଭେ ॥ ୨୬୮
ସହସ୍ରାର୍ଜୁନଙ୍କର ବଂଶ । ସମୂଳେ କଲେ ସେ ବିନାଶ ॥ ୨୬୯
ପୃଥିବୀ ଏକବିଂଶ ବାର । ଛେଦିଲେ କ୍ଷତ୍ରିୟଙ୍କ ଶିର ॥ ୨୭୦
ପୃଥ୍ୱୀରେ କ୍ଷତ୍ରି ଶେଷ କଲେ । ଦୁଷ୍ଟଙ୍କ ଅଂଶ ନ ରଖିଲେ ॥ ୨୭୧
ସୋମବଂଶରେ ସେ ଜନମ । ରାଜାର ପୁରୁରବା ନାମ ॥ ୨୭୨
ସେ ପୁଣି ଉର୍ବଶୀ ସଙ୍ଗତେ । ବିହ୍ୱଳ ହୋଇଲେ ଯେମନ୍ତେ ॥ ୨୭୩
ଏ ଆଦି ଯେତେ ଗୁଣ ତାର । ପୃଥ୍ୱୀରେ ଏକା ନୃପବର ॥ ୨୭୪
ଆୟୁ ରାଜାର ଯେତେ ଗୁଣ । ନହୁଷ ଯଯାତି ଯେ ପୁଣ ॥ ୨୭୫
ଦୁଷ୍ୟନ୍ତ ରାଜାର ବିଧାନ । ଶକୁନ୍ତଳାର ଉପାଖ୍ୟାନ ॥ ୨୭୬
ଭରତ ରାଜାର ଚରିତ । ଶାନ୍ତନୁ ଯେମନ୍ତ ବିଦିତ ॥ ୨୭୭
ଭୀଷ୍ମର ମହିମା ଯେମନ୍ତେ । ବିବାହ ନୋହେ ପିତା ଅର୍ଥେ ॥ ୨୭୮
ଚିତ୍ରାଙ୍ଗଦ ବିଚିତ୍ରବୀର୍ଯ୍ୟ । ଜନମ ଶାନ୍ତନୁ ତନୁଜ ॥ ୨୭୯
ଏମାନେ ଅପୁତ୍ରିକେ ନାଶ । ତହୁଁ ଅଇଲେ ବେଦବ୍ୟାସ ॥ ୨୮୦
ପୁତ୍ର ଉପୁଜାଇଲେ ଭାବେ । ମାତା ବଚନେ ଅନୁରାଗେ ॥ ୨୮୧
ଧୃତରାଷ୍ଟ୍ର ପଣ୍ଡୁ ବିଦୁର । ଏ ତିନି ବ୍ୟାସଙ୍କ କୁମର ॥ ୨୮୨
କୌରବ ପାଣ୍ଡବ ଯେ ହୋଇ । ଶତେ ପାଞ୍ଚଭ୍ରାତ ଜନ୍ମାଇ ॥ ୨୮୩
ଏହାଙ୍କ ସନ୍ତତି ଯେ ପୁଣ । ପରୀକ୍ଷିତ ଆଦି ଜନମ ॥ ୨୮୪
କଳିଯୁଗରେ ଏ ବଂଶରେ । ଯେତେ ହୋଇଲେ ନୃପବରେ ॥ ୨୮୫
ଭୂତ ଭବିଷ୍ୟ ବର୍ତ୍ତମାନ । ହୋଇଲେ ଯେତେକ ରାଜନ ॥ ୨୮୬
ସହସ୍ରେ ବରଷ ଭିତରେ । ଏ ସର୍ବେ ହେଲେ ନୃପବରେ ॥ ୨୮୭
ଏଥୁଅନ୍ତରେ ଏବେ ଶୁଣ । ଯଦୁବଂଶର ଯେ ପ୍ରମାଣ ॥ ୨୮୮
ଯଯାତିପୁତ୍ର ଯଦୁ ଜ୍ୟେଷ୍ଠ । ଅଷ୍ଟାଦଶ ଯାଦବେ ଶ୍ରେଷ୍ଠ ॥ ୨୮୯
ତାହାଙ୍କ ଯେତେକ ବର୍ଣ୍ଣନା । ଏ ଆଦି ଶୁଣିଅଛ ସିନା ॥ ୨୯୦
ଯଯାତି ଦ୍ୱିତୀୟ ଯେ ପୁତ୍ର । ପୁରୁ ବଂଶର ଯେ ଚରିତ ॥ ୨୯୧
ତୁର୍ବସୁ ବଂଶେ ଯେତେ ଜନ । ପଶ୍ଚିମେ ହୋଏ ଉତପନ୍ନ ॥ ୨୯୨
ଚତୁର୍ଥ ପୁତ୍ର ଯେ ଦ୍ରୁହୁଜ । ତା ବଂଶେ ଜନମ ଯେ ଭୋଜ ॥ ୨୯୩
ପଞ୍ଚମ ପୁତ୍ର ନାମ ଅନୁ । ତା ବଂଶେ ଯେତେ ରାଜା ତନୁ ॥ ୨୯୪
ସେ ଯଦୁ ଚାରିପୁତ୍ରେ ଶ୍ରେଷ୍ଠ । ଶତଜିତ ନାମ ବିଶିଷ୍ଟ ॥ ୨୯୫
ତା ବଂଶେ ସହସ୍ରଅର୍ଜ୍ଜୁନ । ତାକୁ ମାଇଲେ ପର୍ଶୁରାମ ॥ ୨୯୬
ଦ୍ୱିତୀୟପୁତ୍ର ଯେ ପୟୋଦ । ତା ବଂଶେ ଜାତ ଜରାସନ୍ଧ ॥ ୨୯୭
ତୃତୀୟ ପୁତ୍ର କ୍ରୋଷ୍ଟି ନାମ । ସେ ବୃଷ୍ଣିବଂଶେ ବିଦ୍ୟମାନ ॥ ୨୯୮
ଶୂରସେନ ବସୁଦେବାଦି । ଏମାନ କହିଛି ସମ୍ପାଦି ॥ ୨୯୯
ଚତୁର୍ଥ ପୁତ୍ର ନଳ ନାମ । ତା ବଂଶେ ପଣ୍ଡୁ ବିଦ୍ୟମାନ ॥ ୩୦୦
ଏ ବଂଶେ ଜନ୍ମିଲେ ଅନ୍ଧକ । ଭୋଜ ଯେ ଉଗ୍ରସେନାଦିକ ॥ ୩୦୧
ବୃଷ୍ଣିବଂଶରେ ତହିଁ ପୁଣ । ଶୂରସେନାଦି ଯେ ରାଜନ ॥ ୩୦୨
ତା ସାତକନ୍ୟା ଦଶସୂତ । ତହିଁ ଜ୍ୟେଷ୍ଠ ବସୁଦେବତ ॥ ୩୦୩
ତାହାର ଅଷ୍ଟାଦଶ ନାରୀ । ରୋହିଣୀ ଭଦ୍ରା ଆଦିକରି ॥ ୩୦୪
ଏ ମଧ୍ୟେ ରୋହିଣୀ ଗର୍ଭରେ । ଦୁହିତା ଅଷ୍ଟପୁତ୍ର ହେଲେ ॥ ୩୦୫
ଜ୍ୟେଷ୍ଠ ଯେ ବଳଭଦ୍ର ହୋଇ । ଦୁହିତା ସୁଭଦ୍ରା ବୋଲାଇ ॥ ୩୦୬
ଆଉ ସେ ଯେତେ ସ୍ତିରୀମାନ । ଜାତ ବେନି ବେନି ନନ୍ଦନ ॥ ୩୦୭
ଦେବକୀ ଷଡପୁତ୍ର ପୁଣ । କଂସ ତା କଚାଡେ ଶିଳେଣ ॥ ୩୦୮
ସପ୍ତମ ଗର୍ଭେ ବଳଦେବ । ଯୋଗମାୟାରେ ଗର୍ଭସ୍ରାବ ॥ ୩୦୯
ରୋହିଣୀ ଗର୍ଭରେ ପଶିଲେ । ଗୋପରେ ଜନମ ହୋଇଲେ ॥ ୩୧୦
ଅଷ୍ଟମ ଗର୍ଭେ ବିଷ୍ଣୁ ଜାତ । ଯେ କୃଷ୍ଣ ବଇକୁଣ୍ଠ ନାଥ ॥ ୩୧୧
କୃଷ୍ଣ ଅବତାର ହୋଇଲେ । ନବମେ ଏମନ୍ତ କହିଲେ ॥ ୩୧୨
ଚବିଶ ଅଧ୍ୟାରେ ସମ୍ପୂର୍ଣ୍ଣ । ବଂଶାନୁଚରିତ ଆଖ୍ୟାନ ॥ ୩୧୩
ଦଶମସ୍କନ୍ଧେ କୃଷ୍ଣରସ । ଶୁଣିଲେ ନ ଥାଇ କଳୁଷ ॥ ୩୧୪
ଶୁକ ପରୀକ୍ଷେ କହେ ଏହା । ଶୁଣ ରାଜନ ପୁଣ୍ୟଦେହା ॥ ୩୧୫
ଆଦ୍ୟେ ବସୁଦେବ ବିବାହ । କଂସ ଯେ ଦେବକୀ ନିଗ୍ରହ ॥ ୩୧୬
ଆକାଶବାଣୀ ଶୁଣି ରୋଷେ । ମାରନ୍ତେ ବସୁଦେବ ତ୍ରାସେ ॥ ୩୧୭
ସତ୍ୟ ଯେ ବସୁଦେବ କଲା । ବାଳକ ଦେବଇଁ ବୋଇଲା ॥ ୩୧୮
ପୃଥିବୀ ଦେବଗଣ ଆଦି । ବ୍ରହ୍ମାଶଙ୍କର ବ୍ରହ୍ମବାଦୀ ॥ ୩୧୯
ବିଷ୍ଣୁଙ୍କୁ କ୍ଷୀରାର୍ଣ୍ଣବ ତୀରେ । ଗୁହାରି କଲେ ସ୍ତୁତିଭରେ ॥ ୩୨୦
ସେ ବିଷ୍ଣୁ ସର୍ବ ଅନ୍ତର୍ଯ୍ୟାମୀ । କହେ ଆକାଶୁ ଶୂନ୍ୟବାଣୀ ॥ ୩୨୧
ହେ ଦେବେ ଭୟ ଅପହର । ନାଶିବୁ ପୃଥିବୀର ଭାର ॥ ୩୨୨
କୃଷ୍ଣ ଅବତାର ହୋଇବୁ । ନିଶ୍ଚୟେ ଅସୁର ନାଶିବୁ ॥ ୩୨୩
ଗୋପରେ ଗୋପାଳଙ୍କ ମେଳେ । ଜାତ ହୋଇବୁ ମହୀତଳେ ॥ ୩୨୪
ଏମନ୍ତେ ଦେବକୀ ଛ ପୁତ୍ର । କଂସ ଯେ ମାଇଲା ନିୟତ ॥ ୩୨୫
ଯୋଗମାୟାଙ୍କୁ ବିଷ୍ଣୁ ରାଇ । ମଞ୍ଚରେ ଜନ୍ମହୁଅ ଯାଇ ॥ ୩୨୬
ଦେବକୀ ସପ୍ତମଗର୍ଭର । ବଳଦେବଙ୍କୁ ତହୁଁ ଦୂର ॥ ୩୨୭
ରୋହିଣୀ ଗର୍ଭେ ଥୁଅ ନେଇ । ଅଷ୍ଟମେ ମୁହିଁ ଜନ୍ମିବଇଁଁ ॥ ୩୨୮
ତୁ ଜାତ ଯଶୋଦା ଗର୍ଭରେ । ଏମନ୍ତ ଯୋଗମାୟା କଲେ ॥ ୩୨୯
ଏମନ୍ତେ ପ୍ରସନ୍ନ ହୋଇଲେ । ଜାଣି ବ୍ରହ୍ମା ଦେବେ ପୂଜିଲେ ॥ ୩୩୦
ଗର୍ଭକୁ କଲେ ବହୁ ସ୍ତୁତି । ଏ ଅନ୍ତେ କୃଷ୍ଣ ଜନ୍ମ ହୋନ୍ତି ॥ ୩୩୧
ବସୁଦେବ ଯେ ସ୍ତୁତି କଲେ । ତାଙ୍କୁ ଶ୍ରୀକୃଷ୍ଣ ଆଜ୍ଞା ଦେଲେ ॥ ୩୩୨
ତା ତିନି ଜନ୍ମର ବାରତା । କହିଲେ ସର୍ବଭୂତଜ୍ଞାତା ॥ ୩୩୩
ଦେବକୀ ବସୁଦେବ ସ୍ତୁତି । ଶ୍ରୀକୃଷ୍ଣ ସନ୍ତୋଷ ହୁଅନ୍ତି ॥ ୩୩୪
କୃଷ୍ଣଙ୍କୁ ବସୁଦେବ ନେଇ । ଗୋପରେ ଛାଡିଣ ଆସଇ ॥ ୩୩୫
ନନ୍ଦର ଘରୁ କନ୍ୟା ଆଣି । କଂସ ନିକଟେ ଦେଲା ପୁଣି ॥ ୩୩୬
ସେ କନ୍ୟା କଂସ କଚାଡନ୍ତେ । ହସ୍ତରୁ ଗଲା ଶୂନ୍ୟପଥେ ॥ ୩୩୭
କଂସକୁ କହିଣ କପଟ । ତା ଶୁଣି କଂସ ଯେ ଉଚ୍ଚାଟ ॥ ୩୩୮
କୃଷ୍ଣ ପ୍ରବେଶ ନନ୍ଦଘରେ । ଉତ୍ସବ କଲେ ଗୋପପୁରେ ॥ ୩୩୯
ସେ କୃଷ୍ଣ ଥାଇଣ ଗୋପରେ । ଶୁଣିଛ ଯେତେ ଲୀଳାକଲେ ॥ ୩୪୦
ସପତଦିନ ରାତ୍ରେ ମୁଣ । ଶୋଷିଲେ ପୂତନାର ପ୍ରାଣ ॥ ୩୪୧
ମାସକେ ଶକଟ ଭଞ୍ଜନ । ଦ୍ୱିମାସେ ତୃଣାକୁ ନିଧନ ॥ ୩୪୨
ଶଏ ରାତ୍ରେ ନାମ କରଣ । ଗାର୍ଗବ ଆସିଣ ବିଧାନ ॥ ୩୪୩
ତଦନ୍ତେ ମୃତ୍ତିକା ଭକ୍ଷଣ । ମାତାଙ୍କୁ ଗର୍ଭ ଦରଶନ ॥ ୩୪୪
ଯଶୋଦା ଦଧି ଯେ ମନ୍ଥନ । କୃଷ୍ଣ ଦଧିଭାଣ୍ଡ ଭଞ୍ଜନ ॥ ୩୪୫
ତଦନ୍ତେ ଲବଣି ଭକ୍ଷଣ । ଗୋପୀଏ ନୃତ୍ୟ କରାଇଣ ॥ ୩୪୬
କୃଷ୍ଣ ସେ ରୋଳରେ ବନ୍ଧନ । ଯାମଳା ଅର୍ଜୁନ ଭଞ୍ଜନ ॥ ୩୪୭
ଯେ ନଳ ମଣିଗ୍ରୀବ ମୁକ୍ତି । ପୂର୍ବେ ଯେ ଶାପ ପାଇଛନ୍ତି ॥ ୩୪୮
ତହୁଁ ସେ କଲେ ବାଳଲୀଳା । କେହୁ କହିବ ତାଙ୍କ ଖେଳା ॥ ୩୪୯
ତଦନ୍ତେ କୋଳି ଯେ ଭକ୍ଷଣ । ଏ ରୂପେ ଗୋପେ ଆଚରଣ ॥ ୩୫୦
ବକା ବତ୍ସାସୁର ନିଧନ । ମୁରଲୀ ଗୀତ ଯେ କଳନ ॥ ୩୫୧
ବନରେ ବନଭୋଜି କଲେ । ଅଘାସୁରକୁ ସେ ବଧିଲେ ॥ ୩୫୨
ବ୍ରହ୍ମା ଯେ ବତ୍ସା ହରିନେଲେ । କୃଷ୍ଣ ବିଶ୍ୱମୂର୍ତ୍ତି ହୋଇଲେ ॥ ୩୫୩
ବତ୍ସା ବାଳକ ଜାତ କଲେ । ପୂର୍ବେ ଯେମନ୍ତ ହୋଇଥିଲେ ॥ ୩୫୪
ବ୍ରହ୍ମା ଯେ ବାହୁଡାଇ ଦେଲେ । ବେଦରେ ବ୍ରହ୍ମା ସ୍ତୁତି କଲେ ॥ ୩୫୫
ଧେନୁକାସୁରର ନାଶନ । କାଳିନ୍ଦୀରେ କାଳୀଦଳନ ॥ ୩୫୬
ପ୍ରଳମ୍ବାସୁରକୁ ନିଧନ । ଦାବାଗ୍ନିରୁ ଗୋପ ରକ୍ଷଣ ॥ ୩୫୭
ଗୋପ ଗୋକୁଳକୁ ତାରଣ । ଅଜଗରୁ ନନ୍ଦ ମୋକ୍ଷଣ ॥ ୩୫୮
ବୃନ୍ଦାବନରେ ଯେ ବିହାର । ମୁରଲୀ ଧ୍ୱନିରେ ସୁସ୍ୱର ॥ ୩୫୯
ଗୋପୀଙ୍କ ବୃନ୍ଦାବନେ ପ୍ରୀତି । ଯେତେ ଗୁଣ ତା ବାହୁନନ୍ତି ॥ ୩୬୦
ବରଷା ଶରଦ ଋତୁର । ତହିଁ ବର୍ଣ୍ଣନା ଯେ ପ୍ରକାର ॥ ୩୬୧
ଗୋପୀମାନଙ୍କ ବ୍ରତସ୍ନାନ । ଯେ ବ୍ରତେ ତୋଷ ଭଗବାନ ॥ ୩୬୨
ତଦନ୍ତେ ବସ୍ତ୍ର ଯେ ହରଣ । କଦମ୍ବ ବୃକ୍ଷେ ଆରୋହଣ ॥ ୩୬୩
ଯଜ୍ଞପତ୍ନୀରେ ଅନୁଗ୍ରହ । ତାହାଙ୍କ ସ୍ନେହର ବିଷୟ ॥ ୩୬୪
ଯଜ୍ଞ ଅନ୍ନକୁ ସେ ଭୋଜନ । ବ୍ରାହ୍ମଣେ ଅନୁତାପମାନ ॥ ୩୬୫
ଇନ୍ଦ୍ରର ଗରବ ଗଞ୍ଜନ । କରେ ଗୋବର୍ଦ୍ଧନ ଧାରଣ ॥ ୩୬୬
ଇନ୍ଦ୍ର ସୁରଭି ଦରଶନ । କଲେ ଅନେକ ସ୍ତୁତିମାନ ॥ ୩୬୭
ଗୋବିନ୍ଦ ନାମେ ଅଭିଷେକ । କଲେ ସେ ସ୍ୱର୍ଗର ନାୟକ ॥ ୩୬୮
ତହୁଁ ନନ୍ଦର ଏକାଦଶୀ । ବରୁଣ ହରିନେଲା ଆସି ॥ ୩୬୯
ସେ ପୁଣି କୃଷ୍ଣ ଦରଶନ । ପାଇ ସନ୍ତୋଷ ହୋଇ ମନ ॥ ୩୭୦
ଗୋପାଳ ପୁଅଙ୍କୁ ସେ ନେଇ । ବରୁଣ ଭୁବନ ଦେଖାଇ ॥ ୩୭୧
ବିଦ୍ୟାଧରର ଯେ ମୋକ୍ଷଣ । ଦର୍ଶନେ ସ୍ୱର୍ଗକୁ ଗମନ ॥ ୩୭୨
ତହୁଁ ଯେ ବୃନ୍ଦାବନେ ରାସ । କୃଷ୍ଣ ବୃନ୍ଦାବନେ ପ୍ରବେଶ ॥ ୩୭୩
ଯେଣୁ ସେ ଶରଦର କାଳ । ଦିଗମାନେ ଅତି ନିର୍ମଳ ॥ ୩୭୪
ଗୋପୀଙ୍କ ମୋକ୍ଷର କାରଣେ । ଶ୍ରୀକୃଷ୍ଣ ବିଚାରିଲେ ମନେ ॥ ୩୭୫
ମୁରଲୀ ଧ୍ୱନି ସେ ସୁସ୍ୱରେ । ଶବଦ ଶୁଣି ଗୋପପୁରେ ॥ ୩୭୬
ଗୋପୀଏ ବୃନ୍ଦାବନେ ଗଲେ । ଗୋବିନ୍ଦ ଦର୍ଶନ ପାଇଲେ ॥ ୩୭୭
କୃଷ୍ଣର ନିଷ୍ଠୁର ଯେ ବାଣୀ । ଆତଙ୍କ ହୋଇ ଗୋପାଳୁଣୀ ॥ ୩୭୮
ସ୍ତୁତି ବିନୟେ ପ୍ରବୋଧିଲେ । ସେ କୃଷ୍ଣ ନାରୀବଶ ହେଲେ ॥ ୩୭୯
ତହୁଁ ସେ ରାସ କ୍ରୀଡା ହୋଇ । ଉଚ୍ଛୁଳେ ସୁଖସିନ୍ଧୁ ଯହିଁ ॥ ୩୮୦
ଗୋପୀ ମଦନେ ଭୋଳ ହୋଇ । ବୃନ୍ଦା ଗୋପୀ ଗର୍ବ କରଇ ॥ ୩୮୧
ଜାଣିଣ କୃଷ୍ଣ ଅନ୍ତର୍ଦ୍ଧାନ । ଗୋପୀଏ ବିକଳେ ରୋଦନ ॥ ୩୮୨
ନାନା ପ୍ରକାରେ ସେ ବିକଳ । ରକ୍ଷାକର ହେ ଆଦିମୂଳ ॥ ୩୮୩
ଗୋପୀଙ୍କି ଦେଲେକ ଦର୍ଶନ । ରାସେ ତୋଷିଲେ ତାଙ୍କ ମନ ॥ ୩୮୪
ଅନେକ ରୂପେ ନନ୍ଦସୂନୁ । ଏକ ଗୋପୀକେ ଏକ କାହ୍ନୁ ॥ ୩୮୫
ରାସ ଉତ୍ସବେ ଭଗବାନ । ଆନନ୍ଦ ସର୍ବଗୋପୀମନ ॥ ୩୮୬
ତଦନ୍ତେ ଶଙ୍ଖଚୂଡ ବଧେ । ବ୍ୟୋମାସୁରକୁ ନାଶି ଯୁଦ୍ଧେ ॥ ୩୮୭
ଷଣ୍ଢାସୁରକୁ ନାଶ କରି । କେଶିକୀ ପେଷି ସ୍ୱର୍ଗପୁରୀ ॥ ୩୮୮
କଂସ ଯେ ରଙ୍ଗସଭା କରି । ମାରିବ ବୋଲି ରାମହରି ॥ ୩୮୯
ଅକ୍ରୂରେ ଗୋପକୁ ପେଷିଣ । ଅଣାଇ କାହ୍ନୁ ସଙ୍କର୍ଷଣ ॥ ୩୯୦
ନନ୍ଦ ଆଦି ଗୋପାଳମାନେ । ଘେନି ଚଳିଲେ ମଧୁବନେ ॥ ୩୯୧
ମଥୁରା ରାମକୃଷ୍ଣ ଗଲେ । ଦେଖି ବିଳାପ ଗୋପୀ କଲେ ॥ ୩୯୨
ଶ୍ରୀକୃଷ୍ଣ ଗୋପିଙ୍କି ବୋଧିଣ । ଅକ୍ରୂର ସଙ୍ଗତେ ରଥେଣ ॥ ୩୯୩
ଅକ୍ରୂର କାଳିନ୍ଦୀ ସ୍ନାହାନ । ଜଳେ ଦେଖିଲା ଭଗବାନ ॥ ୩୯୪
ଅକ୍ରୂର ଅନୁଗ୍ରହଭାବ । ଗୋଲୋକ ବଇକୁଣ୍ଠେ ଠାବ ॥ ୩୯୫
ମଥୁରାପୁରେ ପରବେଶ । ଦେଖି ବୁଲନ୍ତି ନଗ୍ରଦେଶ ॥ ୩୯୬
ରଜକଶିର ଛେଦି ତହୁଁ । ବସନ ନ ଦେଲା ସେ ଯହୁଁ ॥ ୩୯୭
ଧନୁର ଭଗ୍ନ ତଦଅନ୍ତେ । ମାଳାକାରକୁ ଯେ ମୁକତେ ॥ ୩୯୮
କୁବୁଜା ଗନ୍ଧ ଯେ ଲେପନ । ସୁନ୍ଦରୀ ହେଲା ଅନୁପମ ॥ ୩୯୯
କୁବଳୟାଗଜ ନିବାରି । ପ୍ରବେଶ ରଙ୍ଗସଭା ହରି ॥ ୪୦୦
ମାଲଯୁଦ୍ଧର ଯେ ବ୍ୟବସ୍ଥା । ଚାଣୂର ମୁଷ୍ଟିକ ନିହନ୍ତା ॥ ୪୦୧
ରାଜା ଅଷ୍ଟମଲ୍ଲ ନାଶିଣ । ଉଠିଲେ ମଞ୍ଚା ଉପରେଣ ॥ ୪୦୨
କଂସକୁ କଲେ ସେ ନିଧନ । କଂସର ଯେତେ ଭାଇମାନ ॥ ୪୦୩
ଉଗ୍ରସେନକୁ ରାଜା କରି । ସର୍ବଯାଦବ ମଧ୍ୟେ ହରି ॥ ୪୦୪
ଦେବକୀ ବସୁଦେବ ଆଣି । ବନ୍ଦୀରୁ ମୋକ୍ଷ ତତକ୍ଷଣି ॥ ୪୦୫
ମାତାପିତାଙ୍କୁ କଲେ ସ୍ତୁତି । ମୋହନ ବଚନେ ଶ୍ରୀପତି ॥ ୪୦୬
ମାଇଁଙ୍କ ରୋଦନ ନିବାରି । କଂସର ପ୍ରେତକର୍ମ ସାରି ॥ ୪୦୭
ଅବନ୍ତୀ ଦେଶରେ ସେ ଯାଇ । ବିଦ୍ୟା ପଢିଲେ ବେନିଭାଇ ॥ ୪୦୮
ଶମନ ଭୁବନୁ ଆଣିଲେ । ଗୁରୁଙ୍କୁ ପୁତ୍ରଦାନ ଦେଲେ ॥ ୪୦୯
ମଥୁରା ଉପଦେଶ ହୋଇ । ଉଦ୍ଧବ ଗୋପକୁ ଗମଇଁ ॥ ୪୧୦
ଗୋପେ ଉଦ୍ଧବ ପ୍ରବେଶନ । ଗୋପୀ ଗୋପାଳଙ୍କ ରୋଦନ ॥ ୪୧୧
ଉଦ୍ଧବ ଗୋପୀଙ୍କ ବିଚାର । ବୃନ୍ଦାବତୀ ନାମ ଯାହାର ॥ ୪୧୨
ଭ୍ରମର ଘୁରୂ ତା ପାଦେଣ । ତା ଦେଖି ଗୋପୀ ମୋହମାନ ॥ ୪୧୩
କୃଷ୍ଣର ଦୂତ ତାକୁ ଜାଣି । ପ୍ରେମେ ଅନେକ କହେ ବାଣୀ ॥ ୪୧୪
ଉଦ୍ଧବ କରି ସନମାନେ । କହେ ଗୋପୀଙ୍କି ସମ୍ବୋଧନେ ॥ ୪୧୫
କୁବୁଜା ଗୃହକୁ ଗମନ । କାମେ ତୋଷିଲେ ତାର ମନ ॥ ୪୧୬
ଅକ୍ରୂର ପୁରେ ପରବେଶ । ଯେ ପ୍ରଭୁ ଅନାଦିପୁରୁଷ ॥ ୪୧୭
ଅକ୍ରୂରେ ହସ୍ତିନା ଭୁବନ । ପେଷିଲେ ଶ୍ରୀମଧୁସୂଦନ ॥ ୪୧୮
ମଥୁରାପୁରେ ନରହରି । ଯାଦବମାନ ପ୍ରତିପାଳି ॥ ୪୧୯
ଜରାସନ୍ଧ ଯେ ଧାଡିଦେଲା । ମଥୁରାନଗର ବେଢିଲା ॥ ୪୨୦
ଏମନ୍ତେ ସପ୍ତଦଶବାର । ଯୁଦ୍ଧେ ହାରିଲା ଜରାବୀର ॥ ୪୨୧
ଅଷ୍ଟାଦଶବେଳ ତା ଜାଣି । ସୈନ୍ୟ ତା ମଲେ ଅକ୍ଷୌହିଣୀ ॥ ୪୨୨
କାଳଯବନ କୂଟେ ନେଇ । ମୁଚୂକୁନ୍ଦ ଚକ୍ଷୁରେ ଦାହି ॥ ୪୨୩
ଦ୍ୱାରକାପୁରର ନିର୍ମାଣ । ବିଶ୍ୱକର୍ମାର ଯେ ଘଟଣ ॥ ୪୨୪
ତହିଁ ସର୍ବଯାଦବ ଘେନି । ବିହାର କଲେ ଯଦୁମଣି ॥ ୪୨୫
ତହୁଁ ଯେ ରୁକ୍ମିଣୀ ହରଣ । ଆଣିଲେ ଯେମନ୍ତ ଭାବେଣ ॥ ୪୨୬
ଜରାସନ୍ଧାଦି ରାଜା ଜିଣି । ବିବାହ କଲେ ସେ ରୁକ୍ମିଣୀ ॥ ୪୨୭
ସ୍ୟମନ୍ତକମଣି ହରଣ । ବନରେ ପ୍ରସେନ ମରଣ ॥ ୪୨୮
ଜାମ୍ବବଠାରୁ ମଣି ଆଣି । ବିବାହ ଜାମ୍ବବତୀ ରାଣୀ ॥ ୪୨୯
ସତ୍ୟଭାମାକୁ ବିଭା ହୋଇ । କାଳିନ୍ଦୀ ମିତ୍ରବିନ୍ଦା ଦୁଇ ॥ ୪୩୦
ଭଦ୍ରା ଲକ୍ଷଣା ସତ୍ୟାରାଣୀ । ଏହାଙ୍କୁ ବିଭା ଚକ୍ରପାଣି ॥ ୪୩୧
ନାରକାସୁର ନାଶି ଆଣି । ଷୋଳସହସ୍ର ଶତେ ରାଣୀ ॥ ୪୩୨
ଏହାଙ୍କୁ ନିଜ ପୁରେ ନେଇ । ଏକ ମୁହୂର୍ତ୍ତେ ବିଭା ହୋଇ ॥ ୪୩୩
ରୁକ୍ମିଣୀ ଗର୍ଭରେ ଜନମ । ନାମ ତାହାଙ୍କର ପ୍ରଦ୍ୟୁମ୍ନ ॥ ୪୩୪
ଶମ୍ବରାସୁର ବଧ କରି । ରତି ଘେନି ଦ୍ୱାରକାପୁରୀ ॥ ୪୩୫
ଅନିରୁଦ୍ଧ ବିବାହେ ପୁଣ । ରୁକ୍ମ ଯେ ବଧ ସେ ବେଳେଣ ॥ ୪୩୬
ସତ୍ୟଭାମାର ମାନ କଥା । ପାରିଜାତକର ବ୍ୟବସ୍ଥା ॥ ୪୩୭
ଇନ୍ଦ୍ର ଗୋବିନ୍ଦ ମଧ୍ୟେ ଋଣ । ସୁଧର୍ମା ସଭାର ହରଣ ॥ ୪୩୮
ତହୁଁ ଯେ ଉଷାର ହରଣ । ଯେମନ୍ତେ ଯୁଦ୍ଧ କଲା ବାଣ ॥ ୪୩୯
ଯଦୁମାନଙ୍କ ଯୁଦ୍ଧେ ପୁଣ । ହରିହରଙ୍କର ଯେ ଋଣ ॥ ୪୪୦
ଯେମନ୍ତେ କୃଷ୍ଣ ବିଜେ କଲେ । ବାଣା ଭୂଜମାଳ ଛେଦିଲେ ॥ ୪୪୧
ନୃଗରାଜାଙ୍କର ଉପାଖ୍ୟାନ । ହସ୍ତିନାପୁରକୁ ଗମନ ॥ ୪୪୨
ରାଜୁସିଯଜ୍ଞର ସମ୍ବନ୍ଧେ । ଭୀମ ନାଶିଲେ ଜରାସନ୍ଧେ ॥ ୪୪୩
ରାଜୁସିଯଜ୍ଞ ପୂଜା ଭାବେ । ଦୂଷିଲା ଶିଶୁପାଳ ଗର୍ବେ ॥ ୪୪୪
ସେ କୃଷ୍ଣଚକ୍ରେ ଛେଦଗଲା । ଗୋବିନ୍ଦ ଶରୀରେ ପଶିଲା ॥ ୪୪୫
ବାସୁଦେବଙ୍କ ବେଶ ବହି । ପୌଣ୍ଡ୍ରକ ବାସୁଦେବ କହି ॥ ୪୪୬
ତାହାକୁ ରଣେ ନାଶକଲେ । ଶାଲ୍ୱଦନ୍ତବକ୍ର ବଧିଲେ ॥ ୪୪୭
ଜୟ ବିଜୟ ବେନିଭାଇ । ଚତୁଃସନଙ୍କ ଶାପ ପାଇ ॥ ୪୪୮
ହିରଣ୍ୟ ହିରଣ୍ୟାକ୍ଷ ଦୁଇ । ରାବଣ କୁମ୍ଭକର୍ଣ୍ଣ ହୋଇ ॥ ୪୪୯
ଶାଲ୍ୱ ଶିଶୁପାଳ ଏ ବେନି । ଶାପୁଁ ପାର ଜନମ ତିନି ॥ ୪୫୦
ଦ୍ୱିବିନ୍ଦବାନର ନାଶିଲେ । ପୀଠ ମୁରଦୈତ୍ୟ ମାଇଲେ ॥ ୪୫୧
ପଞ୍ଚଜନ କାଶୀରାଜନ । ସୁଦର୍ଶନେ କାଶୀ ଦହନ ॥ ୪୫୨
ଗୋପେ ବିଜୟ ବଳରାମ । କଦମ୍ବରସ କରି ପାନ ॥ ୪୫୩
ଯମୁନା ଆକର୍ଷଣ କଲେ । ଅଦ୍ୟାପି ଦେଖି ତାହା ଭଲେ ॥ ୪୫୪
ଦୁର୍ଯ୍ୟୋଧନର କନ୍ୟା ପୁଣ । ଶାମ୍ବକୁମର ଯେ ହରଣ ॥ ୪୫୫
ହସ୍ତିନାପୁର ଯେ ତାଡନ । କଲେ ସେ ବଳଦେବ ପୁଣ ॥ ୪୫୬
ତୀର୍ଥଯାତ୍ରାରେ ବଳରାମ । ମୁନିଙ୍କ ଯଜ୍ଞରେ ଆଗମ ॥ ୪୫୭
ସକଳ ମୁନିମଧ୍ୟେ ବସି । ସୂତପୌରାଣିକ ଯେ ଋଷି ॥ ୪୫୮
ବସି ଆସନ ନ ଛାଡିଲେ । ତା ଦେଖି ରାମ କୋପ କଲେ ॥ ୪୫୯
କୁଶରେ କାଟି ତାର ଶିର । ତା ସୁତେ ଦେଲେ ଅଧିକାର ॥ ୪୬୦
ବ୍ରହ୍ମହତ୍ୟା ଦୋଷରେ ରାମ । ଗଲେ ସକଳ ତୀର୍ଥାଶ୍ରମ ॥ ୪୬୧
ସୁଦାମା ଦରିଦ୍ର ବ୍ରାହ୍ମଣ । ବିଦ୍ୟାପଠନେ ମିତ୍ରପଣ ॥ ୪୬୨
ଅଷ୍ଟଐଶ୍ୱର୍ଯ୍ୟ ତାକୁ ଦେଇ । ଦୟାସାଗର ଭାବଗ୍ରାହୀ ॥ ୪୬୩
କୁରୁକ୍ଷେତ୍ରରେ ଉପରାଗ । ଜ୍ୟୋତିଷ ଗ୍ରନ୍ଥର ସଂଯୋଗ ॥ ୪୬୪
ତହିଁ ସକଳେ ରୁଣ୍ଡ ହୋଇ । ନନ୍ଦ ଗୋପୀଗୋପାଳ ଯହିଁ ॥ ୪୬୫
ଦ୍ୱାରକା ଯଦୁବଂଶ ଆଦି । କୁରୁ ପାଣ୍ଡବ ଯେ ପ୍ରସିଦ୍ଧି ॥ ୪୬୬
ସମସ୍ତ ବନ୍ଧୁର କୁଶଳ । ଘେନାଘେନି ଭାବ ନିଶ୍ଚଳ ॥ ୪୬୭
ବସୁଦେବ ଯେ ଯଜ୍ଞ କଲେ । ଦେବକୀ ଷଡପୁତ୍ର ଦେଲେ ॥ ୪୬୮
ସେ ପୁଣି ଅନ୍ତର୍ଦ୍ଧାନେ ଗଲେ । ସୁଭଦ୍ରା ପାର୍ଥେ ବିଭା କଲେ ॥ ୪୬୯
ଦୁର୍ଯ୍ୟୋଧନ ମାନ ପାଇଲେ । ପାଣ୍ଡବେ କ୍ରୋଧମାନ କଲେ ॥ ୪୭୦
ଶ୍ରୁତଦେବ ମିଥିଳା ରାଜ । ଜନକବଂଶେ ସେ ତନୁଜ ॥ ୪୭୧
ତହିଁ ଯେ ରାମକୃଷ୍ଣ ପୁଣ । ରହିଣ ତୋଷିଲେ ତା ମନ ॥ ୪୭୨
ବ୍ରହ୍ମଲୋକରେ ପୂର୍ବ ଯଜ୍ଞେ । ଭୃଗୁଙ୍କୁ ଦେଖିଲେ ସେ ଭାଗ୍ୟେ ॥ ୪୭୩
ତିନିଦେବ ପରୀକ୍ଷା ଅର୍ଥେ । ଭୃଗୁ ଯେ ଗଲେ ଯେଝା ପଥେ ॥ ୪୭୪
ନାତେକ ଚରଣେ ମାଇଲେ । ବିଷ୍ଣୁର ମହିମା କହିଲେ ॥ ୪୭୫
ସେ ବଦ୍ରିଆଶ୍ରମରେ ପୁଣ । ନରନାରାୟଣ ଆଶ୍ରମ ॥ ୪୭୬
ନାରଦ ପ୍ରବେଶ ହୋଇଲେ । ବେଦବ୍ରହ୍ମା ସମ୍ବାଦ କଲେ ॥ ୪୭୭
ବ୍ରହ୍ମା ବେଦରେ ସ୍ତୁତି ଭଣି । ଏମନ୍ତେ ନାରାୟଣ ପୁଣି ॥ ୪୭୮
ଅର୍ଜୁନ ସତ୍ୟ ରଖିବାରେ । ସେ କୃଷ୍ଣ ଅର୍ଜୁନ ରଥରେ ॥ ୪୭୯
ବସି ଦୁର୍ଗମପଥେ ଗଲେ । ବିପ୍ର କୁମର ଆଣି ଦେଲେ ॥ ୪୮୦
ବକ ଅସୁର ବଧ ଗଲା । ଗିରୀଶେ ଅପରାଧ କଲା ॥ ୪୮୧
କୁରୁପାଣ୍ଡବଙ୍କ ବିରୋଧ । ମହାଭାରତ ଯୁଦ୍ଧେ ସଧ ॥ ୪୮୨
କୁରୁକୁଳକୁ ସଂହାରିଲେ । ଏ ସଂଗେ ଦୁଷ୍ଟରାଜା ମଲେ ॥ ୪୮୩
ଯୁଧିଷ୍ଠିରଙ୍କୁ ରାଜା କରି । ଦ୍ୱାରକା ବିଜେ ନରହରି ॥ ୪୮୪
ଏମନ୍ତେ ଦ୍ୱାରକା ବିହାର । ଯେ କୃଷ୍ଣ କୃପାର ସାଗର ॥ ୪୮୫
ନାରଦ ମାୟାରେ ଦର୍ଶନ । ଏକ ଏକେଣ ନାରାୟଣ ॥ ୪୮୬
ପ୍ରାକୃତଜନ ପ୍ରାୟ ତହିଁ । ପୁତ୍ର କଳତ୍ର ଘେନି ରହି ॥ ୪୮୭
କୃଷ୍ଣର ଯେତେ ବଂଶମାନ । ପୁତ୍ର ନାତି ଲତା ଯେସନ ॥ ୪୮୮
ସମୁଦ୍ରଜଳ କ୍ରୀଡା ବାଣୀ । ଏଥିରେ ଯେତେକ କାହାଣୀ ॥ ୪୮୯
ମେଘ ହଂସାଦି ଦୂତମାନ । ଶ୍ରୀକୃଷ୍ଣ ସ୍ତିରୀଙ୍କ ବର୍ଣ୍ଣନ ॥ ୪୯୦
ଏଠାରୁ ଦଶମ ସମ୍ପୂର୍ଣ୍ଣ । ଛୟାନବେ ଅଧ୍ୟା ବର୍ଣ୍ଣନ ॥ ୪୯୧
ଏବେ ହୋ ଶୁଣ ଏକାଦଶ । ଶ୍ରୀକୃଷ୍ଣ ବିଭୂତି ପ୍ରକାଶ ॥ ୪୯୨
ଶୁକେ ପରୀକ୍ଷ ପଚାରିଲା । କେମନ୍ତେ ବ୍ରହ୍ମଶାପ ହେଲା ॥ ୪୯୩
ବ୍ରହ୍ମା ସହିତେ ଦେବେ ଆସି । ଶ୍ରୀକୃଷ୍ଣ ଚରଣରେ ଭାଷି ॥ ୪୯୪
ପୃଥିବୀଭାରା ନିବାରିଲ । ସଂସାରେ ଥିବା ନୋହେ ଭଲ ॥ ୪୯୫
ଏକଶ ପଚିଶ ବରଷ । ଏ ଅବତାର କଲ ଶେଷ ॥ ୪୯୬
ନିଜ ଧାମକୁ ଏବେ ଚଳ । ଆମ୍ଭର ହୋଇବ କୁଶଳ ॥ ୪୯୭
ଏମନ୍ତ କୃଷ୍ଣ ଚିତ୍ତେ ଜାଣି । ଯାଦବକ୍ଷୟ ମନେ ଗୁଣି ॥ ୪୯୮
ପୃଥ୍ୱୀରେ ଯଦୁବଂଶ ଥିଲେ । ଉଶ୍ୱାସ ନୋହେ ମହୀ ଭଲେ ॥ ୪୯୯
ଏତେ ବିଚାରି ଭଗବାନ । ଋଷି ଯେ ଥିଲେ ନିଜସ୍ଥାନ ॥ ୫୦୦
ତାହାଙ୍କୁ ସୁମରନ୍ତେ ଚିତ୍ତ । କୃଷ୍ଣ ଦର୍ଶନେ ସେ ଆଗତ ॥ ୫୦୧
ବନ ଗହନେ ପଥଶ୍ରମେ । ଭେଟିଲେ କୃଷ୍ଣର ନନ୍ଦନେ ॥ ୫୦୨
କୃଷ୍ଣ ବାଳକଙ୍କ ବିହାର । ନାରୀବେଶ ଶାମ୍ବକୁମର ॥ ୫୦୩
ତା ପେଟେ ଲୌହର ଖପରା । ଦିଶଇ ଗର୍ଭସ୍ତିରୀ ପରା ॥ ୫୦୪
ଋଷି ଯେ ପଥଶ୍ରମ ପାଇ । ଫୁଟିଣ ଆସି ଯେ ଅଛଇ ॥ ୫୦୫
ପହିଲି ଗର୍ଭ ଅର୍ଥେ ପୁଚ୍ଛି । ଶୁଣି କୋପିଲେ ବ୍ରହ୍ମବତ୍ସି ॥ ୫୦୬
ବାଳକେ ଉପହାସ କଲେ । ଋଷିଏ କୋପେ ଶାପ ଦେଲେ ॥ ୫୦୭
କହିଲେ ଲୌହର ମୁଷଳ । ଜନ୍ମି ନାଶିବ ଯଦୁକୂଳ ॥ ୫୦୮
ତହୁଁ ମୁଷଳ ଉତପତ୍ତି । ତା ନେଇ ପର୍ବତେ ଘଷନ୍ତି ॥ ୫୦୯
ସେ ଜଳୁ ସନ୍ତରା ଯେ ବଣ । ଶେଷ ଲୁହା ଜାରାର ବାଣ ॥ ୫୧୦
ବସୁଦେବ ପୁରେ ନାରଦ । ତା ଆଗେ ଜ୍ଞାନର ସମ୍ବାଦ ॥ ୫୧୧
ବସୁଦେବଙ୍କୁ ଜ୍ଞାନ କହି । ନାରଦ ଗଲେ ତୋଷ ହୋଇ ॥ ୫୧୨
ଜନକ ମିଥିଳା ନଗରେ । ନିମିରାଜା ଯଜ୍ଞଶାଳାରେ ॥ ୫୧୩
ନବଋଷିଙ୍କର ସମ୍ବାଦ । କହିଲେ ନିର୍ଗୁଣର ଭେଦ ॥ ୫୧୪
କବି ହରି ଯେ ଅନ୍ତରୀକ୍ଷ । ପିପ୍ପଳାୟନ ପ୍ରବୁଦ୍ଧାକ୍ଷ ॥ ୫୧୫
ଦ୍ରୁମିଳ ଆବିର୍ହୋତ୍ର ନାମ । ଚମସ ଯେ କରଭାଜନ ॥ ୫୧୬
ଏ ନବଭାଇ ଅନ୍ୟେ ଅନ୍ୟେ । ଜ୍ଞାନ କହି ନିମି ରାଜନେ ॥ ୫୧୭
ଋଷଭଦେବଙ୍କ ଚରିତ । ଶତେକୁମରେ ଜ୍ୟେଷ୍ଠଭ୍ରାତ ॥ ୫୧୮
ଏକାଶୀ ଭାଇ ଯେ ବ୍ରାହ୍ମଣ । ଗଲେ ସେ ବ୍ରହ୍ମଲୋକେ ପୁଣ ॥ ୫୧୯
ଭରତ ସପ୍ତଦ୍ୱୀପେ ରାଜା । ସେ ପୁଣି କଲେ ସର୍ବ ତେଜ୍ୟା ॥ ୫୨୦
କରିଣ ନବଖଣ୍ଡ ମହୀ । ନବଭାଇଙ୍କି ସେ ଦିଅଇ ॥ ୫୨୧
ତଦନ୍ତେ ଯଦୁନୃପବର । ଅବଧୂତର ଯେ ବିଚାର ॥ ୫୨୨
ଚବିଶ ଗୁରୁର ବିଧାନ । ଯାହାର ଯେବା ଶିକ୍ଷାମାନ ॥ ୫୨୩
ସେ ଅବଧୂତ ଭାବ ଲଇ । ଜ୍ଞାନ ବୈରାଗ୍ୟ ଶିକ୍ଷା ଦେଇ ॥ ୫୨୪
ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦ । କହି ଛେଦିଲେ ମାୟାବନ୍ଧ । । ୫୨୫
ଆତ୍ମାରେ ଆତ୍ମଜ୍ଞାନ ଧ୍ୟାନ । କର୍ମ ସାଂଖ୍ୟାଦି ଯୋଗମାନ ॥ ୫୨୬
ଗୃହୀ ବାନପ୍ରସ୍ଥ ସନ୍ନ୍ୟାସ । ବର୍ଣ୍ଣ ଆଶ୍ରମ ଉପଦେଶ ॥ ୫୨୭
ଏ ଆଦି ଯାର ଯେବା ଧର୍ମ । କରଣେ ବିମୁକ୍ତ ବନ୍ଧନ ॥ ୫୨୮
ଏ ସର୍ବ ଉଦ୍ଧବେ ବୁଝାଇ । ତୀର୍ଥେ ପେଷିଲେ ଭାବଗ୍ରାହୀ ॥ ୫୨୯
ଉଦ୍ଧବ ବଦ୍ରିକାଶ୍ରମରେ । ଗଲେ ତପୋଧନ ବେଶରେ ॥ ୫୩୦
ସର୍ବ ସମ୍ପଦ ପରିହରି । ତପ ସାଧନେ ବନଚାରୀ ॥ ୫୩୧
ଦ୍ୱାରକା-ଉତ୍ପାତ ଦର୍ଶନ । ପ୍ରଭାସ ତୀର୍ଥକୁ ଗମନ ॥ ୫୩୨
ହୋମ-ଯଜ୍ଞାଦି ନାନା ଶାନ୍ତି । କୃଷ୍ଣ ଯେ ମାୟାରେ କରାନ୍ତି ॥ ୫୩୩
ବାରୁଣୀ ମଦ୍ୟ କଲେ ପାନ । ଯାଦବେ ହୋଇ ହତଜ୍ଞାନ ॥ ୫୩୪
ଏରକାବନେ ଯୁଦ୍ଧ କଲେ । ସର୍ବେ ସଂହାର ତହିଁ ହେଲେ ॥ ୫୩୫
ପ୍ରଦ୍ୟୁମ୍ନ ଶିର ଚକ୍ରେ ଚ୍ଛେଦ । ଦେଖି ବଳରାମ ବିଷାଦ ॥ ୫୩୬
ତକ୍ଷଣେ ସର୍ପରୂପ ଧରି । ବୈକୁଣ୍ଠସ୍ଥାନେ ବିଜେ କରି ॥ ୫୩୭
ମାଘ ଯେ ଅମାବାସ୍ୟା ଦିନ । ଅଶ୍ୱତଥ୍ମୂଳେ ଭଗବାନ ॥ ୫୩୮
ଜାରା ଶବର ଉପଗତ । ପଦ୍ମପାଦରେ ଶରାଘାତ ॥ ୫୩୯
ଜାରା ଯେ ବୈକୁଣ୍ଠକୁ ଗଲା । ଦେବଙ୍କ ଦର୍ଶନ ହୋଇଲା ॥ ୫୪୦
କୃଷ୍ଣ ଯେ ଯୋଗଧ୍ୟାନେ ରହି । ଦାରୁକ ଦର୍ଶନ କରଇ ॥ ୫୪୧
ଦ୍ୱାରକା ଦାରୁକକୁ ପେଷି । ଶ୍ରୀକୃଷ୍ଣ ବଇକୁଣ୍ଠବାସୀ ॥ ୫୪୨
ବସୁଦେବାଦି ସ୍ୱର୍ଗପ୍ରାପ୍ତି । ଯାଦବେ ସଂସ୍କାର ହୁଅନ୍ତି ॥ ୫୪୩
କୃଷ୍ଣର ଅଷ୍ଟପାଟନାରୀ । ଅଗ୍ନି ପ୍ରବେଶେ ତନୁ ହାରି ॥ ୫୪୪
ଶେଷେ ଯେ କୃଷ୍ଣନାରୀ ଥିଲେ । ଅର୍ଜୁନ ତା ଘେନି ଚଳିଲେ ॥ ୫୪୫
ଦ୍ୱାରକା ସମୁଦ୍ର ଗ୍ରହଣ । ରହେ ନିବାସ ଏକସ୍ଥାନ ॥ ୫୪୬
ଅର୍ଜୁନ ଦେହୁଁ ତେଜ ଗଲା । ଗାଣ୍ଡୀବ ଧନୁ ଶିରେ କଲା ॥ ୫୪୭
କୃଷ୍ଣପତ୍ନୀଙ୍କ ଅନ୍ତର୍ଦ୍ଧାନ । ପାଷାଣରୂପ ସେ ଧାରଣ ॥ ୫୪୮
ମଥୁରାପୁରେ ସେ ରାଜନ । ବଜ୍ର ଅନିରୁଦ୍ଧ ନନ୍ଦନ ॥ ୫୪୯
ହସ୍ତିନା ନଗରେ ନୃପତି । ପରୀକ୍ଷ ଅର୍ଜୁନର ନାତି ॥ ୫୫୦
ପାଣ୍ଡବଙ୍କ ମହାପ୍ରସ୍ଥାନ । ହିମାଳୟେ ସ୍ୱର୍ଗାରୋହଣ ॥ ୫୫୧
ଏକାଦଶସ୍କନ୍ଧ ଚରିତ । ବତିଶ ଅଧ୍ୟା ସମାପତ ॥ ୫୫୨
ଦ୍ୱାଦଶସ୍କନ୍ଧର ଚରିତ । ଭବିଷ୍ୟ ବର୍ତ୍ତମାନ ଭୂତ ॥ ୫୫୩
ସୂତ କହନ୍ତି ବିଦ୍ୟମାନ । ଶୌନକ ଶୁଣ ସାବଧାନ ॥ ୫୫୪
ଏ କଳିଯୁଗର ପ୍ରବେଶ । ବର୍ତ୍ତମାନ ରାଜାଙ୍କ ବଂଶ ॥ ୫୫୫
ଭବିଷ୍ୟ ରାଜବଂଶ ଭୋଗ । ଏଥି ନିର୍ଣ୍ଣୟ ଯେତେ ଯୋଗ ॥ ୫୫୬
ଯୁଗ ଲକ୍ଷଣ ଯେବା ବୃତ୍ତି । କଳିଯୁଗର ଧର୍ମଗତି ॥ ୫୫୭
ଏ ଚାରି ବର୍ଣ୍ଣାଶ୍ରମମାନ । ଧର୍ମେ ଅଧର୍ମେ ଯେବା ଜ୍ଞାନ ॥ ୫୫୮
ପ୍ରାଣୀମାନଙ୍କର ବିନାଶ । ସୃଷ୍ଟି ସର୍ଜନାର ଯେ ଶେଷ ॥ ୫୫୯
ନିତ୍ୟ ନୈମିତ୍ତିକ ଯେ ଦୁଇ । ପ୍ରାକୃତ ଆତ୍ୟନ୍ତିକ ହୋଇ ॥ ୫୬୦
ଏ ଚାରି ପ୍ରଳୟ ବର୍ଣ୍ଣନ । କହିଛୁ ତୁମ୍ଭର ଆଗେଣ ॥ ୫୬୧
ଭୂତ ପ୍ରାକୃତ ସର୍ଗ ବେନି । ବୈକୃତ ସର୍ଗ ଘେନି ତିନି ॥ ୫୬୨
ଏ ତିନି ଉତ୍ପତ୍ତି ବର୍ଣ୍ଣନ । ତହୁଁ ଯେ ସୃଷ୍ଟିର ସର୍ଜନ ॥ ୫୬୩
ପରୀକ୍ଷିତ ଯୋଗ ଅଭ୍ୟାସ । ଶୁକଦେବଙ୍କ ଉପଦେଶ ॥ ୫୬୪
ପରୀକ୍ଷ ଭଜେ ବାସୁଦେବେ । ନିମଗ୍ନ ହୋଇ ଯେଉଁ ଭାବେ ॥ ୫୬୫
ରାଜାକୁ ବ୍ରହ୍ମଶାପ ଦେଲେ । ତକ୍ଷକ ଦଂଶିବ ବୋଇଲେ ॥ ୫୬୬
ଧନ୍ୱନ୍ତ୍ରୀ ତକ୍ଷକ ଦର୍ଶନ । ମୃତସଞ୍ଜୀବନୀ ମନ୍ତ୍ରେଣ ॥ ୫୬୭
ଧନ୍ୱନ୍ତ୍ରୀ ପଥୁଁ ବାହୁଡିବା । ତକ୍ଷକ କପଟେ ଆସିବା ॥ ୫୬୮
କୃମିରୂପେ ରାଜା ଦଂଶନ । ବିଷାଗ୍ନି ଶରୀର ଦହନ ॥ ୫୬୯
ବିଷ୍ଣୁର ଭକ୍ତ ପରୀକ୍ଷିତ । ଯୋଗରେ ହେଲେ ଆତ୍ମଭୂତ ॥ ୫୭୦
ତାଙ୍କ ବୈକୁଣ୍ଠ ଆରୋହଣ । ବେଦର ଶାଖା ପ୍ରଣୟନ ॥ ୫୭୧
ମାରକଣ୍ଡ ଋଷି ଚରିତ । ମାୟାପ୍ରଳୟେ ଗର୍ଭରତ ॥ ୫୭୨
ମାର୍କଣ୍ଡେୟଙ୍କୁ ଅନୁଗ୍ରହ । ସପତକଳ୍ପ ରକ୍ଷା ଦେହ ॥ ୫୭୩
ମାୟାପ୍ରଳୟ ଅନ୍ତର୍ଦ୍ଧାନ । ହରପାର୍ବତୀଙ୍କ ଦର୍ଶନ ॥ ୫୭୪
ମହାପୁରୁଷଙ୍କ ନିର୍ଣ୍ଣୟ । ଯେ ପ୍ରଭୁ ସବତେଜୋମୟ ॥ ୫୭୫
ଶଙ୍ଖ ଚକ୍ର ଆଦି ଆୟୁଧ । ଅଙ୍ଗ ଆଭରଣ ପାର୍ଷଦ ॥ ୫୭୬
ଯେବା ତାହାଙ୍କ ତତ୍ତ୍ୱଜ୍ଞାନ । ଆବର ଜ୍ୟୋତି -ଜ୍ୟୋତ୍ସ୍ନାମାନ ॥ ୫୭୭
ଏ ସର୍ବ କହିଲୁ ତୁମ୍ଭରେ । ଯେ ଭାବେ ପୁଚ୍ଛିଲ ଆମ୍ଭରେ ॥ ୫୭୮
ସୂର୍ଯ୍ୟ ଜଗତ ଆତ୍ମାମୟ । ଦ୍ୱାଦଶ ଆଦିତ୍ୟ ନିର୍ଣ୍ଣୟ ॥ ୫୭୯
ରଥମଣ୍ଡଳର ବିଚାର । ଯକ୍ଷ ଗନ୍ଧର୍ବ ବିଦ୍ୟାଧର ॥ ୫୮୦
ଅପ୍ସରା ରକ୍ଷ ଋଷି ନାଗ । ଏ ଆଦି ସପତ ନିଯୋଗ ॥ ୫୮୧
ବାରମାସର ଯେ ନିର୍ଣ୍ଣୟ । ସର୍ବ ଶୁଣିଲ ମହାଶୟ ॥ ୫୮୨
ଚନ୍ଦ୍ରର କ୍ଷୟବୃଦ୍ଧି ପୁଣ । ଦେବେ କରନ୍ତି ସୁଧାଦାନ ॥ ୫୮୩
ସୂତ କହେ ଶୌନକ ମୁନି । ପୁଚ୍ଛିଲ ଭାଗବତ ବାଣୀ ॥ ୫୮୪
ପୂର୍ବେ ମୁଁ ଯାହା ଶୁଣିଥିଲି । ବିସ୍ତାରି ତୁମ୍ଭଙ୍କୁ କହିଲି ॥ ୫୮୫
ପ୍ରଥମୁଁ ଯେ ଦ୍ୱାଦଶ ଯାଏଁ । କହିଲିଁ ଠିକେଣ ନିର୍ଣ୍ଣୟେ ॥ ୫୮୬
ଦ୍ୱାଦଶସ୍କନ୍ଧ ଭାଗବତ । ଅଷ୍ଟାଦଶ ସହସ୍ର ଗ୍ରନ୍ଥ ॥ ୫୮୭
ତିନିଶତ ପଞ୍ଚତିରିଶ । ଅଧ୍ୟାରେ ଏ ପୁରାଣ ଶେଷ ॥ ୫୮୮
ବାସୁଦେବର ଯେତେ ଲୀଳା । ଅବତାରରେ ଯେତେ କଳା ॥ ୫୮୯
ବର୍ଣ୍ଣନ ତାହାଙ୍କ ମହିମା । ଯେତେ କହିଲି ଗୁଣସୀମା ॥ ୫୯୦
ସେ ପ୍ରଭୁ ପରମପୁରୁଷ । ତାହାର ମହିମା ଅଶେଷ ॥ ୫୯୧
ଶ୍ରୀରାମ ହଳୀ ଯେ ବରାହ । କମଠ ମୀନ ନରସିଂହ ॥ ୫୯୨
ହରି ଯେ ଧ୍ରୂବ ପୃଶ୍ନିଗର୍ଭ । ହୟଗ୍ରୀବ ଆଉ ଋଷଭ ॥ ୫୯୩
ଭାର୍ଗବ କପିଳ ଯେ ହଂସ । ନାରଦ ଯଜ୍ଞ ବେଦବ୍ୟାସ ॥ ୫୯୪
ମୋହିନୀ ନରନାରାୟଣ । ଦତ୍ତାତ୍ରେୟ ଯେ ଶ୍ରୀବାମନ ॥ ୫୯୫
ବୁଦ୍ଧ କଳକୀ ଧନ୍ୱନ୍ତରୀ । ଧର୍ମଧାତା ଯେ ଆଦି କରି ॥ ୫୯୬
କୁମାର ପୃଥୁ ମନ୍ୱନ୍ତର । କୃଷ୍ଣ କୌଶିକ ଅବତାର ॥ ୫୯୭
ବତିଶ ଅବତାର ହୋଇ । ଦୁଷ୍ଟନାଶି ଉଶ୍ୱାସି ମହୀ ॥ ୫୯୮
ତାହାର ନାମ ଉଚ୍ଚାରିଲେ । ମନରେ ତା ରୂପ ଚିନ୍ତିଲେ ॥ ୫୯୯
ଶୁଣି ଶୁଣାଇ ଯେବା ଗାଏ । ଶମନ ଭୁବନେ ନ ଯାଏ ॥ ୬୦୦
ପ୍ରାଣୀ କ୍ଷୁଧା-ତୃଷାର୍ତ୍ତ ହୋଇ । ନାନା ତାପରେ ବ୍ୟଥା ପାଇ ॥ ୬୦୧
ଚାଲନ୍ତେ ପଥ ହୁଡି ପଡେ । ପାଷାଣେ ଅବା କଣ୍ଟାବାଡେ ॥ ୬୦୨
ହେଳା ବା ଶ୍ରଦ୍ଧାରେ ଶୁଣଇ । ସଂସାର ସାଗରୁ ତରଇ ॥ ୬୦୩
ତା ନାମ ଦୃଢେ ଯେ ଭଜନ୍ତି । ତା ହୃଦେ ବାସୁଦେବେ ସ୍ଥିତି ॥ ୬୦୪
ଅଜ୍ଞାନ-ଅନ୍ଧକାର ଦୂର । ନିର୍ମଳ ହୁଅଇ ଶରୀର ॥ ୬୦୫
ଅନ୍ଧକାରକୁ ସୂର୍ଯ୍ୟ ନାଶେ । ମେଘ ଯେହ୍ନେ ପବନ ତ୍ରାସେ ॥ ୬୦୬
ବାସୁଦେବର କଥା ଛାଡି । ଆନ କଥାରେ ଚିତ୍ତ ବଢି ॥ ୬୦୭
ସକଳ ବ୍ୟର୍ଥ ତାର ହୋଏ । କୁହୁକ ବିଦ୍ୟା ଖେଳ ପ୍ରାୟେ ॥ ୬୦୮
ସେ କୃଷ୍ଣ କଥା ରସ ବିନା । କବି ଯେତେ କରେ ବର୍ଣ୍ଣନା ॥ ୬୦୯
ରସକଳାରେ ରସି ମନ । ସେ ସର୍ବ ବିଅର୍ଥ କାରଣ ॥ ୬୧୦
ଏଣୁ ଶ୍ରୀକୃଷ୍ଣ କଥା ସାର । ସତ୍ୟ ପବିତ୍ର ସୁଧାଧାର ॥ ୬୧୧
ମଙ୍ଗଳ ଦାୟକ ଶବ୍ଦରେ । ମନରୁ ମଳ ଅପହରେ ॥ ୬୧୨
ନବୀନ ମନ ମହୋତ୍ସବ । ଆନନ୍ଦ କରେ ସର୍ବଜୀବ ॥ ୬୧୩
ଏ ଦୁଃଖ ଶୋକାର୍ଣ୍ଣବମାନ । ଶୋଷଣ କରେ ତତକ୍ଷଣ ॥ ୬୧୪
ଜଗତହିତ କୃଷ୍ଣନାମ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୬୧୫
ଆପଣା ଆତ୍ମାକୁ ତାରଇ । ଜଗତ ପୁଣି ନିସ୍ତାରଇ ॥ ୬୧୬
ଯେ ମୁଖେ ବାସୁଦେବ ବାଣୀ । ଗାୟନ ନ କରନ୍ତି ପ୍ରାଣୀ ॥ ୬୧୭
ତା ବାକ୍ୟ କାକତୀର୍ଥ ବୋଲି । ହଂସ ନ କରେ ତହିଁ କେଳି ॥ ୬୧୮
ଯେ ବାକ୍ୟେ କୃଷ୍ଣନାମ ଭଣେ । ସେ ପୁଣ୍ୟତୀର୍ଥ ପରମାଣେ ॥ ୬୧୯
ତହିଁ ପରମହଂସ ମେଳି । ସେ ପୁଣ୍ୟତୀର୍ଥ ମଧ୍ୟେ ବଳି ॥ ୬୨୦
ତା ନାମ ଧରି ସାଧୁଜନ । ପତିତ କରନ୍ତି ପାବନ ॥ ୬୨୧
ଜଗତ ପାପ ବିନାଶଇ । ଶ୍ଳୋକେ ଶ୍ଳୋକେ ପାପ ହରଇ ॥ ୬୨୨
ଏ ଭାଗବତ ଯେ ପଢନ୍ତି । ତତ୍ତ୍ୱ ଜାଣି ବିଷ୍ଣୁ ଭଜନ୍ତି ॥ ୬୨୩
ଯେ ପ୍ରାଣୀ ସର୍ବକର୍ମ ଛାଡି । ସନ୍ନ୍ୟାସମାର୍ଗେ ଚିତ୍ତ ବଢି ॥ ୬୨୪
ବାସୁଦେବେ ଭଜନ ନାହିଁ । ତାହାର ଜ୍ଞାନ ନ ଶୋଭଇ ॥ ୬୨୫
ସଂସାରେ ଥାଇ ସର୍ବଧର୍ମ । ଯେତେକ ଶୁଭାଶୁଭ କର୍ମ ॥ ୬୨୬
ଯେବେ ଶ୍ରୀବାସୁଦେବେ ଦେଇ । ସାଧୁ ବୈଷ୍ଣବ ତାକୁ କହି ॥ ୬୨୭
ବେଦ ପଠନ ବର୍ଣ୍ଣଧର୍ମେ । ତପ ଆଦିରେ ଯେବା ଭ୍ରମେ ॥ ୬୨୮
ବାସୁଦେବ ଯେବେ ନ ଜାଣି । ବିଅର୍ଥେ ମରନ୍ତି ସେ ପ୍ରାଣୀ ॥ ୬୨୯
ଶ୍ରୀକୃଷ୍ଣ ଚରଣାରବିନ୍ଦ । ଯେ ପ୍ରାଣୀ କରନ୍ତି ଆସ୍ୱାଦ ॥ ୬୩୦
କୀର୍ତ୍ତନ ନାମ ଗୁଣମାନ । ଆବର ସ୍ମରଣ ପୂଜନ ॥ ୬୩୧
ଚିତ୍ତ ଗୋବିନ୍ଦ ନ ପାସୋରେ । ସକଳ ଅମଙ୍ଗଳୁ ତରେ ॥ ୬୩୨
ଇଚ୍ଛାଏ ମଙ୍ଗଳ ବଢଇ । ଦେହକୁ ଶୁଦ୍ଧ ସେ କରଇ ॥ ୬୩୩
ପରମଭକ୍ତି ଖ୍ୟାତ ହୋଇ । ଜ୍ଞାନ ବୈରାଗ୍ୟ ସେ ଜନ୍ମାଇଁ ॥ ୬୩୪
ହେ ବିପ୍ରଶ୍ରେଷ୍ଠ ଭାଗ୍ୟବନ୍ତ । ସାଧୁ ପବିତ୍ର ତୁମ୍ଭ ଚିତ୍ତ ॥ ୬୩୫
ଜଗତଆତ୍ମା ବାସୁଦେବ । ଏକାଗ୍ରଚିତ୍ତେ ତାଙ୍କୁ ଭାବ ॥ ୬୩୬
ଚିତ୍ତେ ଗୋବିନ୍ଦ ପାଦ ଧର । ସକଳ ଆପଦୁଁ ନିସ୍ତର ॥ ୬୩୭
ପରୀକ୍ଷରାଜା ଗଙ୍ଗାତୀରେ । ପ୍ରାୟୋପବେଶନ ସେ କଲେ ॥ ୬୩୮
ଯୋଗଆସନେ ବସି ପୁଣି । ଯେ ଭାଗବତ ଶୁକବାଣୀ ॥ ୬୩୯
ମୁହିଁ ତା ଶୁଣିଥିଲି ପୂର୍ବେ । କହିଲି ତୁମ୍ଭ ଭକ୍ତିଭାବେ ॥ ୬୪୦
ଏବେ ତା ସୁମରଣ କଲି । ସଂସାର -ବନ୍ଧନୁଁ ତରିଲି ॥ ୬୪୧
ହେ ବ୍ରହ୍ମଋଷିମାନେ ଶୁଣ । ଶ୍ରୀଭାଗବତ ଏ ପୁରାଣ ॥ ୬୪୨
ଶ୍ରୀବାସୁଦେବଙ୍କ ଚରିତ । ଅତି ପବିତ୍ର ଏ ଅମୃତ ॥ ୬୪୩
ଶ୍ରୀବାସୁଦେବ କର୍ମଗୁଣ । ବେଦ ପୁରାଣରେ ବଖାଣ ॥ ୬୪୪
କେହି ତା ନ ଜାଣନ୍ତି ଅନ୍ତ । ଯେହ୍ନେ ଆକାଶ ଅପ୍ରମିତ ॥ ୬୪୫
ଶୁଣିଲେ ସର୍ବପାପ ହରେ । ପଠନେ କି କହିବା ତାରେ ॥ ୬୪୬
ଯେ ଅନ୍ତର୍ଗତେ ନାମ ଧରେ । ବ୍ରହ୍ମାଙ୍କୁ ନ ଯାଇ ଗୋଚରେ ॥ ୬୪୭
କ୍ଷଣେ ପ୍ରହରେ ଯେବା ନିତ୍ୟେ । ଶୁଣେ ଶୁଣାଏ ଏକଚିତ୍ତେ ॥ ୬୪୮
ଶ୍ରଦ୍ଧାଭାବରେ ଯେ ପଢନ୍ତି । ସପ୍ତପୁରୁଷ ଉଦ୍ଧାରନ୍ତି ॥ ୬୪୯
ଜୀବନମୁକ୍ତ ସେ ବୋଲାଇ । ଅନ୍ତେଣ ବଇକୁଣ୍ଠ ପାଇ ॥ ୬୫୦
ସାତକୁଳରୁ ସାତ ଗୋଟି । ସେ ପ୍ରାଣୀ ଉଦ୍ଧାର କରେଟି ॥ ୬୫୧
ମାତୃକୂଳ ଯେ ପିତୃକୂଳ । ଭଗିନୀକୂଳ ପତ୍ନୀକୁଳ ॥ ୬୫୨
ପିଉସା ମଉସା ଜେଠେଇ । କୁଳକେ ଗୋଟିଏ ତାରଇ ॥ ୬୫୩
ଦ୍ୱାଦଶୀ ଏକାଦଶୀ ତିଥି । ଅଷ୍ଟମୀ ପୂର୍ଣ୍ଣିମା ସଂକ୍ରାନ୍ତି ॥ ୬୫୪
ଅମାସ୍ୟା ଚତୁର୍ଦ୍ଦଶୀ ପର୍ବ । ଯେ ପୁଣ୍ୟତିଥିମାନ ସର୍ବ ॥ ୬୫୫
ପଢି ଶୁଣିଲେ ସର୍ବସିଦ୍ଧି । ପୁଣ୍ୟ -ସମ୍ପଦ ଆୟୁବୁଦ୍ଧି ॥ ୬୫୬
ଅନ୍ନଭୋଜନ ବିନା ଯେବେ । ପଠନ ଶ୍ରବଣ କରିବେ ॥ ୬୫୭
ମହାପାପରୁ ମୁକ୍ତ ହୋଇ । ବିଷ୍ଣୁର ମୁକତି ଲଭଇ ॥ ୬୫୮
ଶୁଣ ଶୌନକ ମୁନିଗଣ । ଏ ବିନୁ ନାହିଁ ଉଦ୍ଧାରଣ ॥ ୬୫୯
ଆବର ପୂଣ୍ୟକର୍ମ ଯେତେ । ଆଶ୍ରୟ ଏହୁ ଭାଗବତେ ॥ ୬୬୦
ପୁଷ୍କରତୀର୍ଥ ବଦରିକା । ମଥୁରା ପ୍ରୟାଗ ଦ୍ୱାରକା ॥ ୬୬୧
କୁରୁକ୍ଷେତ୍ର ପୁରୁଷୋତ୍ତମ । କାଶୀପୁର ଉତ୍ତମ ସ୍ଥାନ ॥ ୬୬୨
ସଂଯମୀ ହୋଇ ଯେଉଁ ଜନ । ଦଶମୀ ଏକାଦଶୀ ଦିନ ॥ ୬୬୩
ଦ୍ୱାଦଶୀ ତିନି ଉପବାସ । ସଂକଳ୍ପ ଚିତ୍ତରେ ଅଭ୍ୟାସ ॥ ୬୬୪
ଏ ଯେ ପୁରାଣ ଭାଗବତ । ଦ୍ୱାଦଶସ୍କନ୍ଧରେ ବିଦିତ ॥ ୬୬୫
ତିନିଶତ ପଞ୍ଚତିରିଶ । ଅଠରସସ୍ର ଗ୍ରନ୍ଥ ଶେଷ ॥ ୬୬୬
ଏହାକୁ ସମାପ୍ତ କରିଣ । ପଢିବ ଏ ତିନିଦିନେଣ ॥ ୬୬୭
ଏକାଗ୍ରଚିତ୍ତ ହୋଇ ଶୁଣି । ନିସ୍ତରେ ଭବତରଙ୍ଗିଣୀ ॥ ୬୬୮
ସର୍ବପାପରୁ ମୁକ୍ତ ହୋଇ । ଅଗ୍ନି ଯେସନେ ସର୍ବଖାଇ ॥ ୬୬୯
ଦେବତା ମୁନି ସିଦ୍ଧଗଣ । ପିତୃ ମନୁ ଏ ନୃପଗଣ ॥ ୬୭୦
ଅବିଘ୍ନେ କାମନା ପୂରଣ । କରନ୍ତି ହୋଇ ତୋଷମନ ॥ ୬୭୧
ସଂହିତା ଭାବେଣ ବ୍ରାହ୍ମଣ । ଗାୟତ୍ରୀ ତ୍ରିବେଦ ପଠନ ॥ ୬୭୨
ମଧୁକୂଲ୍ୟା ଯେ ଘୃତକୂଲ୍ୟା । ଦଧିକୁଲ୍ୟା ଯେ ଦୁଗ୍ଘକୁଲ୍ୟା ॥ ୬୭୩
ଏ ଚାରିଦାନ ଫଳ ପାଏ । ବିଷ୍ଣୁ ଚରଣେ ପ୍ରୀତି ହୋଏ ॥ ୬୭୪
କ୍ଷତ୍ରି ଯେବେ ପଢି ଶୁଣଇ । ସପତଦ୍ୱୀପେ ରାଜା ହୋଇ ॥ ୬୭୫
ବୈଶ୍ୟ ହୋଇ ପଢି ଶୁଣିଲେ । ଧନରତନ ତାକୁ ମିଳେ ॥ ୬୭୬
ବିଷ୍ଣୁପ୍ରାପ୍ତି ତାକୁ ହୁଅଇ । ସୁଖେ ବାଣିଜ୍ୟ କୃଷି ହୋଇ ॥ ୬୭୭
ଶୂଦ୍ର ହୋଇଣ ଯେବେ ପଢି । ଶୁଣଇ ଶ୍ରଦ୍ଧାଚିତ୍ତେ ବଢି ॥ ୬୭୮
ସକଳ ପାପୁଁ ମୁକ୍ତ ହୋଇ । ଶ୍ରୀକୃଷ୍ଣ ଚରଣ ଲଭଇ ॥ ୬୭୯
ବ୍ରାହ୍ମଣ ସଂହିତାରେ ପଢି । ଅର୍ଥଭେଦରେ ଚିତ୍ତ ବଢି ॥ ୬୮୦
ଯେ ଫଳ ହୁଅଇ ତାହାର । ଆବର ତିନି ବର୍ଣ୍ଣଙ୍କର ॥ ୬୮୧
ଶୁଣିଲେ ସେ ଫଳ ହୁଅଇ । ଶ୍ରଦ୍ଧା ବିଶ୍ୱାସେ ଯେ ଶୁଣଇ ॥ ୬୮୨
ସକଳ ପାପ ନ ଲାଗଇ । ବିଷ୍ଣୁଚରଣେ ଲୀନ ହୋଇ ॥ ୬୮୩
ଶ୍ରୀଭାଗବତ ପୁରାଣରେ । କଳିର ପାପ ନାଶ କରେ ॥ ୬୮୪
ସେ ବାସୁଦେବଙ୍କର ମହିମା । ଗାୟନ ତାଙ୍କ ଗୁଣସୀମା ॥ ୬୮୫
ଆନ ପୁରାଣମାନଙ୍କର । ଏ ଭାବ ନୁହଇଁ ପ୍ରଚାର ॥ ୬୮୬
ଅଶେଷ ଜଗତ ମୂରତି । ଏ ଗ୍ରନ୍ଥେ ବାସୁଦେବ ସ୍ଥିତି ॥ ୬୮୭
ତାଙ୍କ ମହିମା ପଦେପଦେ । କଥା ପ୍ରସଙ୍ଗରେ ଆନନ୍ଦେ ॥ ୬୮୮
ସେ ଭାଗବତ ବାସୁଦେବ । ଅଜୟ ଅମୂର୍ତ୍ତି ଯେ ଦେବ ॥ ୬୮୯
ଅନନ୍ତ ଆତ୍ମତତ୍ତ୍ୱମୟ । କରେ ଉତ୍ପତ୍ତି-ସ୍ଥିତି-ଲୟ ॥ ୬୯୦
ସକଳ ମାୟାର କାରଣ । ଅଶେଷ ଜୀବର ଧାରଣ ॥ ୬୯୧
ବ୍ରହ୍ମା ଯେ ସର୍ବବେଦ ପିତା । ଇନ୍ଦ୍ର ମହେଶ ବ୍ରହ୍ମବେତ୍ତା ॥ ୬୯୨
ନିଗମେ ତାଙ୍କୁ କରି ସ୍ତୁତି । ଯା ଆଦିଅନ୍ତ ନ ଜାଣନ୍ତି ॥ ୬୯୩
ସେ ପ୍ରଭୁ ଅଚ୍ୟୁତ ଚରଣେ । ଏ ଚିତ୍ତ ରମୁ ଅନୁକ୍ଷଣେ ॥ ୬୯୪
ସେହି ଅଚ୍ୟୁତ ଚରଣର । କରଇ କୋଟି ନମସ୍କାର ॥ ୬୯୫
ଅରୂପ ହୋଇ ରୂପବନ୍ତ । ଯେ ନବଶକ୍ତିରେ ସଂଯୂତ ॥ ୬୯୬
ସକଳମାୟାର ରଚନା । ସ୍ଥାବର ଜଙ୍ଗମ ଯାତନା ॥ ୬୯୭
ସର୍ବଭୂତରେ ପୂରିଛନ୍ତି । କେବଳ ପ୍ରଭା ପ୍ରକାଶନ୍ତି ॥ ୬୯୮
ସେ ଦେବଦେବ ସନାତନ । ତା ପାଦେ ମୋହର ପ୍ରଣାମ ॥ ୬୯୯
ସେ ପ୍ରଭୁ ଜଗତ ଈଶ୍ୱର । ଜ୍ଞାନ ଅନୁଭବ ମାତର ॥ ୭୦୦
ଜଗତ ଲୋକ ଉପଦେଶ । ଉଦ୍ଧରି ବଇକୁଣ୍ଠେ ବାସ ॥ ୭୦୧
ବିଷ୍ଣୁର ଅଂଶ ବେଦବ୍ୟାସ । ଏ ଗ୍ରନ୍ଥ କଲେ ସେ ପ୍ରକାଶ ॥ ୭୦୨
ତାଙ୍କ ଅଙ୍ଗରୁ ଜାତ ହୋଇ । ପୁତ୍ର ସ୍ୱରୂପେ ଶୁକ ହୋଇ ॥ ୭୦୩
ସାକ୍ଷାତେ ବାସୁଦେବ ଅଂଶ । ଜନନୀ ଜଠରୁ ସନ୍ନ୍ୟାସ ॥ ୭୦୪
ଆତ୍ମଜ୍ଞାନରେ ସୁପ୍ରକାଶ । ସ୍ୱରୂପ ଅବଧୂତ ବେଶ ॥ ୭୦୫
ବ୍ୟାସଙ୍କ ତହୁଁ ଉପଦେଶ । ଶ୍ରୀଭାଗବତ ପୁଣ୍ୟରସ ॥ ୭୦୬
ଏ ଶୁକମୁନି ଉର୍ଦ୍ଧ୍ୱରେତା । ହରି ଭଜନେ ଶୁଦ୍ଧଚେତା ॥ ୭୦୭
ତତ୍ତ୍ୱଜ୍ଞାନ-ଦୀପ ସଦୃଶ । ବ୍ୟାସଙ୍କ ମାୟା କଲେ ନାଶ ॥ ୭୦୮
ସେ ବ୍ରହ୍ମଦର୍ଶନେ ସନ୍ତୋଷ । ବ୍ୟାସଙ୍କୁ ଛାଡି ବନେ ବାସ ॥ ୭୦୯
ତାଙ୍କ ପଛେ ବ୍ୟାସ ଗୋଡାଇ । ବଦ୍ରିକା ଆଶ୍ରମୁଁ ଚଳଇ ॥ ୭୧୦
ମେରୁଶିଖର ପରିଯନ୍ତେ । ଏମନ୍ତ ପଥରେ ସେ ଯାନ୍ତେ ॥ ୭୧୧
ଆକାଶମାର୍ଗେ ଦେବସ୍ତିରୀ । ବିବସ୍ତ୍ରଭାବେ ସ୍ନାନ କରି ॥ ୭୧୨
ଶୁକଙ୍କୁ ଦେଖି ଜଳ ଛାଡି । ଆନନ୍ଦେ ପାଦଗତେ ପଡି ॥ ୭୧୩
ଶୁକ ତା ଦେଖି ନ ଦେଖିଲେ । ବ୍ୟାସଙ୍କୁ ଦେଖି କନ୍ୟା ଗଲେ ॥ ୭୧୪
ତାହାଙ୍କୁ ବ୍ୟାସ ପୁଚ୍ଛା କଲେ । ଆମ୍ଭଙ୍କୁ ଦେଖି ପଶ ଜଳେ ॥ ୭୧୫
ଏ ବୃଦ୍ଧ ଶରୀର ଆମ୍ଭର । ମୋ ପୁତ୍ର ଯୁବା କଳେବର ॥ ୭୧୬
ତାହାଙ୍କୁ ଦେଖିତ ନମିଲ । ଆମ୍ଭଙ୍କୁ ଦେଖି ଲଜ୍ଜା କଲ ॥ ୭୧୭
ଜଳେ ପଶିଲ ବେଗେ ଯାଇ । ଏମନ୍ତେ ବ୍ୟାସ କୋପ ବହି ॥ ୭୧୮
ତକ୍ଷଣେ ମନେ କରି ଭ୍ରାନ୍ତି । ବ୍ୟାସଙ୍କ ଚରଣେ ନମନ୍ତି ॥ ୭୧୯
ଉଠି କପୋଳେ କର ଦେଇ । କହନ୍ତି ବ୍ୟାସଙ୍କୁ ଅନାଇଁ ॥ ୭୨୦
ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ । ବିଷୟାରସେ ଅଛି ସଧ ॥ ୭୨୧
ସ୍ତିରୀ ପୁରୁଷ ଭାବ ଜାଣ । ଏ ଘେନି ଲଜ୍ଜା କଲୁ ପୁଣ ॥ ୭୨୨
ଏ ଯେ ତୁମ୍ଭର ନିଜ ସୁତ । ପରମଶ୍ରେଷ୍ଠ ଭାଗବତ ॥ ୭୨୩
ସଂସାରଭାବ ନାହିଁ ତାର । ଆମ୍ଭର ଦୋଷ କ୍ଷମାକର ॥ ୭୨୪
ଶୁକ ଯେ ବନରେ ପ୍ରବେଶ । ଜ୍ଞାନରେ ହୋଇଲେ ଅଦୃଶ୍ୟ ॥ ୭୨୫
ବ୍ୟାସ ତାହାଙ୍କୁ ନ ଦେଖିଲେ । ସେ ସର୍ବଜୀବେ ଲୀନ ଗଲେ ॥ ୭୨୬
ବ୍ୟାସ ସେ ବନେ ଶୋକେ ରହି । ତାହାଙ୍କ ଦୁଃଖେ ଦୟା ବହି ॥ ୭୨୭
ତକ୍ଷଣେ ବୃକ୍ଷଙ୍କର ମଧ୍ୟେ । ଅଦ୍ଭୂତ ଶୁଭିଲା ଶବଦେ ॥ ୭୨୮
ପ୍ରାଣୀ ଜନ୍ମନ୍ତି ବାରମ୍ବାର । କେ ପୁତ୍ର କେ କାହା ପିଅର ॥ ୭୨୯
ସକଳେ କର୍ମେ ଆତଯାତ । କର୍ମ ବନ୍ଧନେ ତାତ ମାତ ॥ ୭୩୦
ଏ ଭାବେ ଚତୁର୍ଦ୍ଦଶଲୋକ । ଶୁଣିଲେ ବୃକ୍ଷର ଯେ ବାକ୍ୟ ॥ ୭୩୧
ତା ଶୁଣି ବ୍ୟାସ ବୋଧ ହୋଇ । ଆପଣା ହୃଦେ ଜ୍ଞାନ ପାଇ ॥ ୭୩୨
ସନ୍ତତି -ବୃଦ୍ଧିର ନିମନ୍ତେ । ପ୍ରାର୍ଥନା କଲେ କର୍ମମତେ ॥ ୭୩୩
ସେ ଶୁକଦେବ ପ୍ରତିଛାୟା । ଶୁକ ନାମେଣ ପ୍ରତିକାୟା ॥ ୭୩୪
ଆପଣା ଅଂଶ ତହିଁ ଥୋଇ । ବ୍ୟାସଙ୍କୁ ପ୍ରତିଶୁକ ଦେଇ ॥ ୭୩୫
ସେ ପ୍ରତିଶୁକ ଘେନି ବ୍ୟାସ । ଆପଣା ଆଶ୍ରମେ ପ୍ରବେଶ ॥ ୭୩୬
ତାଙ୍କୁ ବ୍ରତଉପନୟନ । କରାଇ ବେଦ ଅଧ୍ୟୟନ ॥ ୭୩୭
ପିତୃଲୋକଙ୍କର ଦୁହିତୀ । ସେ ତାଙ୍କ ମନୁ ଉତପତ୍ତି ॥ ୭୩୮
ଶର୍ବରୀ ନାମ ତାହାଙ୍କରି । ଛାୟା ଶୁକକୁ ବିଭାକରି ॥ ୭୩୯
ତହୁଁ ସେ ଚାରି ଯେ ତନୟେ । ଜନମ ଏକଇ କନ୍ୟାଏ ॥ ୭୪୦
କୃଷ୍ଣ ଗଉର ପ୍ରଭୁ ଶମ୍ଭୁ । ଏ ଚାରି ପୁତ୍ର ତା ସମ୍ଭବୁ ॥ ୭୪୧
କନ୍ୟାର ନାମ କୃତି ହୋଇ । ପାଞ୍ଚାଳଦେଶେ ବିଭା ଦେଇ ॥ ୭୪୨
ଅସହ ନାମେଣ ରାଜନ । ପାଞ୍ଚାଳଦେଶେ ବିଦ୍ୟମାନ ॥ ୭୪୩
ସେ କନ୍ୟା ପୁତ୍ର ବ୍ରହ୍ମଦତ୍ତ । ଯେ ବ୍ରହ୍ମଜ୍ଞାନରେ ଯୁକତ ॥ ୭୪୪
ସେ ଚାରିପୁତ୍ରଙ୍କ ବଂଶେଣ । ପରାଶର ଗୋତ୍ରୀ ବ୍ରାହ୍ମଣ ॥ ୭୪୫
ଚାରିବେଦରେ ସେ ହୋଇଲେ । ତହୁଁ ଯେ ଶୁକମୁନି ଗଲେ ॥ ୭୪୬
ବ୍ୟାସଙ୍କୁ ଜ୍ଞାନ ସେ ପୁଚ୍ଛିଲେ । ତହୁଁ ସେ ବୋଧ ନ ହୋଇଲେ ॥ ୭୪୭
ମିଥିଳା ଜନକ ରାଜନ । ଯେ ରାଜଋଷି ବିଦ୍ୟମାନ ॥ ୭୪୮
ସ୍ୱଭାବେ ନବମୁନି ଶିଷ୍ୟ । ସେ ଆତ୍ମଜ୍ଞାନରେ ବିଶେଷ ॥ ୭୪୯
ସେ ଶୁକଦେବେ ଶିକ୍ଷା ଦେଇ । ଆତ୍ମାରେ ବ୍ରହ୍ମକୁ ମିଶାଇ ॥ ୭୫୦
ଜ୍ଞାନ ପ୍ରବୋଧେ ଶୁକଦେବ । ବିଷୟା ତେଜି ଆତ୍ମାଭାବ ॥ ୭୫୧
ପିତାପୁତ୍ରାଦି ଛାଡିଗଲେ । ଶୁକଙ୍କ ଦେହରେ ମିଶିଲେ ॥ ୭୫୨
ଏବଂଭୂତ ଯେ ଶୁକଦେବ । ତାଙ୍କ ଚରଣେ ନିତ୍ୟେ ଭାବ ॥ ୭୫୩
ଜଗତହିତେ ବ୍ରହ୍ମଦେହୀ । ପୁରାଣ ଭାଗବତ କହି ॥ ୭୫୪
ଏ ଭାଗବତର ମହିମା । କେ କହିପାରେ ଗୁଣସୀମା ॥ ୭୫୫
ପରୀକ୍ଷରାଜା ପୁଣ୍ୟବଳେ । ଶୁକ ମିଳିଲେ ଅବହେଳେ ॥ ୭୫୬
ପରୀକ୍ଷ ଭାଗବତ ଶୁଣି । ବୈକୁଣ୍ଠ ଲଭିଲେ ସେ ପୁଣି ॥ ୭୫୭
ଜଗତ-ନିସ୍ତାର ନିମନ୍ତେ । କହିଲୁ ତୁମ୍ଭର ଅଗ୍ରତେ ॥ ୭୫୮
ସକଳ ପ୍ରାଣୀ ଏଣେ ରସ । ପୁରାଣ ଶୁଣି ପାପଧ୍ୱଂସ ॥ ୭୫୯
ଶୁକପ୍ରସନ୍ନେ ଏ ପୁରାଣ । କହିଲୁ ତୁମ୍ଭ ଆଗେ ପୁଣ ॥ ୭୬୦
ମହିମା ସେ ଶୁକଦେବର । କୀର୍ତ୍ତନ କରେ ଶତେବାର ॥ ୭୬୧
ସେ ଶୁକେଦେବେ ନମସ୍କାର । ଶତ ଦଣ୍ଡପ୍ରଣାମ ମୋର ॥ ୭୬୨
କହଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥ ୭୬୩
ସୁଜନେ ଦୋଷ ନ ଧରିବା । ମୋହର ତୁମ୍ଭ ପାଦେ ସେବା ॥ ୭୬୪
ପ୍ରାକୃତ ଦେଶଭାଷାବନ୍ଧ । ଏଥେ ସଂସ୍କାର ନାହିଁ ଭେଦ ॥ ୭୬୫
ବାରମାତ୍ରା ପଞ୍ଚାଶାକ୍ଷର । ଶବଦବ୍ରହ୍ମର ବିଚାର ॥ ୭୬୬
ସକଳ ପ୍ରାଣୀ ପାପ ନାଶେ । ଔଷଧ ଯେହ୍ନେ ରୋଗ ଧ୍ୱଂସେ ॥ ୭୬୭
ବେଦ ପୁରାଣ ଆଦି ଯେତେ । ସଂସ୍କାର ପ୍ରାକୃତ ସହିତେ ॥ ୭୬୮
ସକଳ ଦେଶଭାଷାମାନ । ସେହି ଅକ୍ଷର ଭିନ୍ନ ଭିନ୍ନ ॥ ୭୬୯
ସେ ବିଷ୍ଣୁ ସର୍ବଭୂତେ ଏକ । ଅର୍ଥବାଦେ କହି ଅନେକ ॥ ୭୭୦
ଯେଣୁ ତା ମିତ୍ର ଅରି ନାହିଁ । କେବଳ ଭାବେ ବଶ ହୋଇ ॥ ୭୭୧
ଶାମୁଁକୁ ମୁକୁତା ଯେସନ । ପ୍ରାକୃତ ଛାଡି ତତ୍ତ୍ୱ ଘେନ ॥ ୭୭୨
ମୁଁ ପାପୀ ମୂଢ ଯେ ଅଜ୍ଞାନ । ନମଇଁ ତୁମ୍ଭର ଚରଣ ॥ ୭୭୩
କୃଷ୍ଣ ଚରଣେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୭୭୪
ଦ୍ୱାଦଶସ୍କନ୍ଧେ ହରିବାଣୀ । ସଂସାର ତରେ ଯାହା ଶୁଣି ॥ ୭୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱାଦଶସ୍କନ୍ଧେ ଦ୍ୱାଦଶସ୍କନ୍ଧାର୍ଥ ନିରୂପଣଂ ନାମ ଦ୍ୱାଦଶୋଧ୍ୟାୟାଃ ॥
* * *