ଦ୍ୱାଦଶ ସ୍କନ୍ଧ

ଏକାଦଶ ଅଧ୍ୟାୟ

ଶୌନକ ଆଦି ମୁନିଜନେ । ପୁଛନ୍ତି ସୂତ ସନ୍ନିଧାନେ ॥

ଶୌନକ ଉବାଚ

ଏଥି ଉତ୍ତାରେ ଯେ ପ୍ରଶନ । ପୁଛିତେ ମୋର ବଡ଼ ମନ ॥

ବିଶେଷେ ତୁମ୍ଭେ ଶାସ୍ତ୍ରଜ୍ଞାତା । ମନ୍ତ୍ରତନ୍ତ୍ରର ଯେ ବକତା ॥

ବହୁତ ପ୍ରକାରେ ଅଭ୍ୟାସ । ଯେଣୁ ତୁମ୍ଭେ ବ୍ୟାସଙ୍କ ଶିଷ୍ୟ ॥

ସର୍ବ ବେଦାନ୍ତ ସାର ସେହି । ପୁରାଣ ଭାଗବତ ଯେହି ॥

ଭାଗବତର ତତ୍ତ୍ୱମାନ । ବେଦାନ୍ତସାର ଯେଉଁ ଜ୍ଞାନ ॥

ଯେଣେ ଯାହାରଟି ଅଭ୍ୟାସ । ଆସ୍ୱାଦ କରେ ତା'ର ରସ ॥

ଯେ ପ୍ରାଣୀ ବିଷ୍ଣୁଙ୍କୁ ଜାଣନ୍ତି । ସେ ବା ତନ୍ତ୍ରମନ୍ତେ ଭଜନ୍ତି ॥

ବାସୁଦେବଙ୍କୁ ଯେ ପ୍ରକାରେ । ସେବା କରନ୍ତି ଭକ୍ତିଭରେ ॥

ଯେ ଜଗନ୍ନାଥ ଲକ୍ଷ୍ମୀପତି । ମହିମା ଦେବେ ନ ଜାଣନ୍ତି ॥ ୧୦

ନିରଞ୍ଜନ ଯେ ନିରାକାର । ଅରୂପରୂପ ବର୍ଣ୍ଣ ଯା'ର ॥ ୧୧

ତା'ଙ୍କୁ କି ରୂପେ କରି ଧ୍ୟାନ । କଳ୍ପନା କରି ପୂଜାମାନ ॥ ୧୨

ତା'ଙ୍କର ଅଙ୍ଗ ଆଭରଣ । ପ୍ରତ୍ୟଙ୍ଗ ଆୟୁଧ ଯେ ମାନ ॥ ୧୩

କାହାକୁ କି ଭାବେ କଳ୍ପନ୍ତି । କେମନ୍ତ ବିଧିରେ ପୂଜନ୍ତି ॥ ୧୪

କେବଣ ମନ୍ତ୍ରେ କରି ଜପ । ଆମ୍ଭ ଆଗେ କହ ସ୍ୱରୂପ ॥ ୧୫

ସର୍ବ କୁଶଳ ତୁମ୍ଭ ହେଉ । ସନ୍ଦେହ ଆମ୍ଭ ମନୁ ଯାଉ ॥ ୧୬

ଯେ କ୍ରିୟା ପୂଜାବିଧି କଲେ । ମନୁଷ୍ୟ ବିଷ୍ଣୁରୂପ ଧରେ ॥ ୧୭

ଜନ୍ମ ମରଣ ବିବର୍ଜିତ । ଏ କଥା କହିବା ନିୟତ ॥ ୧୮

ଏମନ୍ତ ଶୁଣି ସୂତମୁନି । ଶୌନକେ କହେ ମଞ୍ଜୁବାଣୀ ॥ ୧୯

ସୂତ ଉବାଚ

ଏ ବିଷ୍ଣୁପୂଜାର ବିଶେଷ । ଯେ ଗୁରୁ ଜ୍ଞାନ ଉପଦେଶ ॥ ୨୦

ବ୍ୟାସାଦି ଗୁରୁ ନମସ୍କାରି । ବିଭୂତି କହିବା ବିସ୍ତାରି ॥ ୨୧

ବ୍ରହ୍ମାଦି ଆଚାର୍ଯ୍ୟ ଯେମାନେ । ବେଦ ମନ୍ତ୍ରତତ୍ୱ ବିଧାନେ ॥ ୨୨

କର୍ମତତ୍ତ୍ୱ ଭେଦଭାବରେ । ସେ ବିଧି ଶୁଣ ଏକତ୍ୱରେ ॥ ୨୩

ଋଷି ବୈଷ୍ଣବ ସାଧୁଜନ । କେ ପୂଜା କେବା ଆତ୍ମଧ୍ୟାନ ॥ ୨୪

ପ୍ରାତଃ ସୂର୍ଯ୍ୟ ଅଣଉଦୟେ । ସ୍ନାନ ଶଉଚବନ୍ତ ହୋଏ ॥ ୨୫

ଜଳରେ ଯଥାକର୍ମ ସାରି । ଭୂମିରେ କୁଶାସନ କରି ॥ ୨୬

ଆସନଶୁଦ୍ଧି ଭୂତଶୁଦ୍ଧି । ବର୍ଣ୍ଣଭେଦରେ ଦେହ ଭେଦି ॥ ୨୭

ଷଟଚକ୍ର ଭେଦି ସସ୍ତମେ । ପବନ ତୋଳିବ ସଂଯମେ ॥ ୨୮

ଏ ଆଦି ଯେତେ କର୍ମମାନ । କର ଅଙ୍ଗନ୍ୟାସ ଶୋଧନ ॥ ୨୯

ସେ ଯେ ଈଶ୍ୱର ନିରାକାର । ନିର୍ଗୁଣ ନିର୍ବିକାର ବର ॥ ୩୦

ମନ କଳ୍ପନାରୁ ତାଙ୍କର । ମାୟା ହୋଇଲା ଅବତାର ॥ ୩୧

ମାୟାରୁ ସୂତ୍ର ଯେ ଜନମ । ସୂତ୍ରରୁ ମହତ୍ତତ୍ତ୍ୱ ଜାଣ ॥ ୩୨

ମହତ୍ତତ୍ତ୍ୱରୁ ଅହଂକାର । ତନ୍ମାତ୍ର ପାଞ୍ଚଟି ଆବର ॥ ୩୩

ଏ ନବତତ୍ତ୍ୱେ ଯା' ସ୍ୱରୂପ । ବିକାରମୟ ସର୍ବାଧିପ ॥ ୩୪

ପୁରୁଷ ରୂପ ସେ ଧଇଲା । ସହସ୍ରଶୀର୍ଷ ବୋଲାଇଲା ॥ ୩୫

ଅସଂଖ୍ୟମାୟାରେ ସେ ଯୁକ୍ତ । ମହାପୁରୁଷ ବିଶ୍ୱଭୂତ ॥ ୩୬

ତା' ନାଭିକମଳୁଁ ପ୍ରକାଶ । ଉତ୍ପତ୍ତି ବିରାଟ ପୁରୁଷ ॥ ୩୭

ଯା' ରୂପ ଚଉଦ ଭୁବନେ । ପୂରିଛି ଜ୍ୟୋତି ପ୍ରଭାଗଣେ ॥ ୩୮

ଏ ପୁରୁଷର ଅଙ୍ଗମାନ । ପାତାଳ ଏହାର ଚରଣ ॥ ୩୯

ଏହାଙ୍କ ଅଗ୍ରଭାଗ ସୀମା । କେ ବର୍ଣ୍ଣୁ ଏହାର ମହିମା ॥ ୪୦

ଦୁଇ ପାପୁଲି ରସାତଳ । ଦୁଇ ଗୁଲ୍ଫ ଯେ ମହାତଳ ॥ ୪୧

ଅତଳ ଦିପୁଟ ଯେ ଜଂଘ । ସୁତଳ ଜାନୁ ଦୁଇଭାଗ ॥ ୪୨

ବିତଳ ତଳାତଳ ଊରୁ । ଦି ପିଚା ସପ୍ତପୃଥ୍ୱୀ ଧରୁ ॥ ୪୩

ନାଭିମଣ୍ଡଳ ଯେ ଆକାଶ । ନଭ ନାମ ତା'ର ବିଶେଷ ॥ ୪୪

ସ୍ୱର୍ଗ ଜ୍ୟୋତିଷଚକ୍ର ହୋଇ । ହୃଦରେ ଏମାନ ଅଛଇ ॥ ୪୫

କଣ୍ଠ ଯେ ମହଲୋକ ପୁଣ । ମୁଖ ଯେ ଜନଲୋକ ସ୍ଥାନ ॥ ୪୬

ଲଲାଟେ ତପଲୋକ ବସେ । ଶିରେ ସତ୍ୟଲୋକ ପ୍ରକାଶେ ॥ ୪୭

ସୂର୍ଯ୍ୟ ଏହାଙ୍କ ଚକ୍ଷୁଦ୍ୱୟ । ନାସିକା ବାୟୁଟି ନିଶ୍ଚୟ ॥ ୪୮

ଦଶଦିଶ ତା' କର୍ଣ୍ଣ ହୋଇ । ମେଢ଼୍ର ପ୍ରଜାପତି ବୋଲାଇ ॥ ୪୯

ମୃତ୍ୟୁ ଯାହାର ପାୟୁ ଜାଣ । ବାହୁ ଲୋକପାଳ ପ୍ରମାଣ ॥ ୫୦

ଚନ୍ଦ୍ରମା ଯାହାରଟି ମନ । ଦୁଇ ଭ୍ରୂଲତା କାଳଯମ ॥ ୫୧

ଅଧର ଓଷ୍ଠ ଲୋଭ ହୋଇ । ଉପର ଓଷ୍ଠ ଲଜ୍ଜା କହି ॥ ୫୨

ଯାହାର ଦନ୍ତମାନ ଜ୍ୟୋସ୍ନା । ହାସ୍ୟ ଭ୍ରମ ନାମରେ ଜଣା ॥ ୫୩

ବୃକ୍ଷମାନେ ଯେ ରୋମଦେଶ । ଯାହାର ମେଘମାନେ କେଶ ॥ ୫୪

ଏ ଯେଉଁ ବିରାଟ ପୁରୁଷ । ତେଜ ବିସ୍ତାରି ସେ ପ୍ରକାଶ ॥ ୫୫

ସପ୍ତବିତସ୍ତି ପରିମାଣ । ସମସ୍ତ ତହୁଁ ଯେ ଭିଆଣ ॥ ୫୬

ତା' କଣ୍ଠେ କଉସ୍ତୁଭ ମଣି । ନିରାକାର ଜ୍ୟୋତି ସେ ପୁଣି ॥ ୫୭

ସେ ଜ୍ୟୋତି କଣ୍ଠେ ବହିଛନ୍ତି । ଯୋଗୀ ଯେଉଁ ଜ୍ୟୋତି ଭାବନ୍ତି ॥ ୫୮

ତା' ପ୍ରଭା ଜଗତ ପାବନୀ । ଯେ ନିରାକାର ସ୍ୱରୂପିଣୀ ॥ ୫୯

ଜୀବ ଚୈତନ୍ୟ ସେ ଅଟଇ । ଶ୍ରୀବତ୍ସ ତା'ର ପ୍ରଭା ହୋଇ ॥ ୬୦

ତ୍ରିଗୁଣମୟୀ ମାୟାଛଳେ । ବନମାଳାଏ ଲମ୍ବେ ଗଳେ ॥ ୬୧

ବେଦ ଯାହାର ପୀତବସ୍ତ୍ର । ପ୍ରଣବ ରୂପ ଉପବୀତ ॥ ୬୨

କର୍ଣ୍ଣରେ ମକର କୁଣ୍ଡଳ । ସାଂଖ୍ୟ ଯୋଗ ଦୁହେଁ ସୁଢଳ ॥ ୬୩

ତାହାର ଶିରରେ ମୁକୁଟ । ଚତୁର୍ବିଧମୁକ୍ତି ପ୍ରକଟ ॥ ୬୪

ଯା' ପରମେଷ୍ଠୀପଦ ଭଣି । ତା' ଶିଖା ମୁକୁଟର ମଣି ॥ ୬୫

ସେ ସର୍ବଲୋକ ନମସ୍କୃତ । ଯା' ରୂପ ଅବ୍ୟକ୍ତ ଅନନ୍ତ ॥ ୬୬

ତା'ଙ୍କର ଶୟନ ଆସନ । ଯେ ଧର୍ମ ବଇରାଗ୍ୟ ଜ୍ଞାନ ॥ ୬୭

ଏ ଅଷ୍ଟଦଳ ଯେ କମଳ । ବସିବା ଆସନ ନିର୍ମଳ ॥ ୬୮

ଯମ ନିୟମାଦି ଅଷ୍ଟାଙ୍ଗ । ଚତୁଷଷ୍ଠି ଆସନ ଯୋଗ ॥ ୬୯

ପଦ୍ମକେଶରେ ତା'ଙ୍କ ସ୍ଥାନ । ଏବେ ଆୟୁଧମାନ ଶୁଣ ॥ ୭୦

ବଳ ସାହସ ତେଜ ପ୍ରାଣ । କଉମୋଦକୀ ଗଦା ଜାଣ ॥ ୭୧

ଶୁଦ୍ଧ ସତ୍ତ୍ୱ ଯେ ଜଳ ପୁଣ । ପାଞ୍ଚଜନ୍ୟଶଙ୍ଖ କରେଣ ॥ ୭୨

ତା' ବାମହସ୍ତେ ବହିଛନ୍ତି । ଡ଼ାହାଣ ହସ୍ତେ ଚକ୍ର ସ୍ଥିତି ॥ ୭୩

ସେ ଜ୍ୟୋତିସ୍ତତ୍ତ୍ୱରୂପ ତେଜେ । ମହାତୀକ୍ଷ୍ମ ଧାରେ ବିରାଜେ ॥ ୭୪

ସହସ୍ରଧାର ରୂପ ତା'ର । ସୁଦର୍ଶନ ଚକ୍ର ପ୍ରଚାର ॥ ୭୫

ଆକାଶତତ୍ତ୍ୱ ଅସିବର । ନନ୍ଦକ ଖଡ଼୍ଟ ନାମ ଯା'ର ॥ ୭୬

ବିସ୍ତାର ତମୋମୟ ଚର୍ମ । ଦକ୍ଷିଣ ହସ୍ତେ ଶୋଭମାନ ॥ ୭୭

କାଳରୂପ ଯେ ନିମେଷାଦି । ଗଣନା ଯେ ବତ୍ସର ଆଦି ॥ ୭୮

ସାରଙ୍ଗଧନୁ ତା'କୁ ଜାଣ । ଶୋଭା ସେ ବାମହସ୍ତେ ପୁଣ ॥ ୭୯

ପାପପୁଣ୍ୟ ଯେ କର୍ମ ଦୁଇ । ଏ ମାୟା ମୋହମାନ ହୋଇ ॥ ୮୦

କର୍ମମୟ କାଣ୍ଡ ଭାରତି । କଟି ପୃଷ୍ଠରେ ବହିଛନ୍ତି ॥ ୮୧

କର୍ମ ତ୍ରିଗୁଣ ଦଉଡ଼ିରେ । କଟିରେ ବେଷ୍ଟିତ ଆକାରେ ॥ ୮୨

ଏକାଦଶ ଇନ୍ଦ୍ରିୟଗଣ । କାଣ୍ଡ ସଂଗ୍ରହଣ କରିଣ ॥ ୮୩

ଦକ୍ଷିଣହସ୍ତେ ତାହା ଘେନି । ଟଙ୍କାର କରୁଛନ୍ତି ପୁଣି ॥ ୮୪

ଇନ୍ଦ୍ରିୟମାନଙ୍କ ଚେଷ୍ଟିତ । ସେମାନେ ହୋଇଛନ୍ତି ରଥ ॥ ୮୫

ମନକୁ କରିଣ ସାରଥି । ତ୍ରିଗୁଣେ ଅଶ୍ୱ ରୂପେ ସ୍ଥିତି ॥ ୮୬

ଇନ୍ଦ୍ରିୟମାନଙ୍କ ଲକ୍ଷଣ । ଆକୃତି ରୂପ ନାନାବର୍ଣ୍ଣ ॥ ୮୭

ଅର୍ଥକ୍ରିୟା ଇନ୍ଦ୍ରି ବିକାର । ମଣ୍ଡଳ ନାମେ ସେ ପ୍ରଚାର ॥ ୮୮

ଦେବତା ସ୍ୱରୂପ ଗ୍ରହଣ । ଯଜ୍ଞାଦି ଦୀକ୍ଷାମାନେ ପୁଣ ॥ ୮୯

ଏହି ରଥରେ ସେ ସଂସ୍କାର । ଧର୍ମାଧର୍ମ ରଥଚକ୍ରର ॥ ୯୦

ଏହାଙ୍କ ଭାବ ଚତୁର୍ଦ୍ଦଶ । ଏମନ୍ତେ ଚକ୍ର ଷଟଦଶ ॥ ୯୧

ରଥରେ ଘୋଷ ତିନିବେଦ । ନନ୍ଦୀ ଯମକ ସର୍ବଭେଦ ॥ ୯୨

ତହିଁରୁ ବେଦଧ୍ୱନି ରସ । ରଥର ନାମ ନନ୍ଦିଘୋଷ ॥ ୯୩

ତାହାଙ୍କ ଧ୍ୱଜ ଯେ ଗରୁଡ଼ । ଶବଦ ବ୍ରହ୍ମଲୋକେ ବଡ଼ ॥ ୯୪

ଏହି ପ୍ରକାରେ ବାସୁଦେବ । ସର୍ବପ୍ରାଣୀ ହୃଦେ ପ୍ରଭବ ॥ ୯୫

ଜୀବ ସ୍ୱରୂପେ ପୂରିଛନ୍ତି । ପିଣ୍ଡ ବ୍ରହ୍ମାଣ୍ଡ ଏକମତି ॥ ୯୬

ସଂସାର କରଇ ସର୍ଜନ । ବ୍ରହ୍ମସ୍ୱରୂପେ ଭଗବାନ ॥ ୯୭

ତା'ଙ୍କ ସେବା ଯେ ପ୍ରାଣୀ କରେ । ଆତ୍ମାର ପାପ ଯାଇ ଦୂରେ ॥ ୯୮

ସେ ଭଗବାନ ଯେ ପୁରୁଷ । ଆପଣା ସମ୍ପତ୍ତିର ଅଂଶ ॥ ୯୯

ଯେ ଷଡ଼ ଅଇଶ୍ୱର୍ଯ୍ୟ ମାନ । କମଳ ରୂପରେ ଘଟଣ ॥ ୧୦୦

ଲୀଳାକମଳ କରିଛନ୍ତି । ଦକ୍ଷିଣ ଭୁଜରେ ବହନ୍ତି ॥ ୧୦୧

ଆଲଟ ଚାମର ରୂପେଣ । ଧର୍ମ ଯଶକୁ ସେ ବହିଣ ॥ ୧୦୨

ବୈକୁଣ୍ଡପଦକୁ ସେ ପୁଣ । ଧବଳଛତ୍ର ସେ କରିଣ ॥ ୧୦୩

ଶିର ଉପରେ ସେ ଧାରଣ । ଅଭୟଦାତା ପଦ ପୁଣ ॥ ୧୦୪

ଋକ ଯଜୁ ସାମ ତ୍ରିବେଦ । ଯଜ୍ଞମୟ ପୁରୁଷ ଭେଦ ॥ ୧୦୫

ଗରୁଡ଼ ରୂପେ ବହିଛନ୍ତି । ବିଷ୍ଣୁରଥ ନାମ ବହନ୍ତି ॥ ୧୦୬

ଯେ ନିରାକାର ସ୍ୱରୂପିଣୀ । ସାକ୍ଷାତେ ଈଶ୍ୱରୀ ସେ ଲକ୍ଷ୍ମୀ ॥ ୧୦୭

ସେ ରୂପ ହୃଦୟରେ ଛନ୍ତି । ସକଳ ମନ୍ତ୍ରଯନ୍ତ୍ର ମୂର୍ତ୍ତି ॥ ୧୦୮

ବିଶ୍ୱ-କେଶନ ତନ୍ତ୍ରମୂର୍ତ୍ତି । ପାରିଷଦର ଅଧିପତି ॥ ୧୦୯

ନିର୍ଗୁଣାଦି ଯେ ଭକ୍ତମାନେ । ସନକାଦି ଯେ ଋଷିଗଣେ ॥ ୧୧୦

ଷୋଡ଼ଶ ପାରିଷଦ ହୋଇ । ଦ୍ୱାରପାଳ ନନ୍ଦ ବିଜେ ହିଁ ॥ ୧୧୧

ଅଣିମାଦି ସମ୍ପତ୍ତିମାନ । ମନ୍ତ୍ରଉପନିଷଦ ଜ୍ଞାନ ॥ ୧୧୨

ଚାରିବେଦ ଚାରିଦୁଆରେ । ଗାୟତ୍ରୀ ଚବିଶ ଅକ୍ଷରେ ॥ ୧୧୩

ପାବଚ୍ଛମାନ ସେ ରଥକୁ । ଅଗମ୍ୟ ବ୍ରହ୍ମାଶଙ୍କରଙ୍କୁ ॥ ୧୧୪

ବାସୁଦେବ ସଙ୍କରଷଣ । ପ୍ରଦ୍ୟୁମ୍ନ ଅନିରୁଦ୍ଧ ପୁଣ ॥ ୧୧୫

ଏ ଚାରିବ୍ୟୁହ ଚାରିକୋଟି । ଚାରି ପୀଠରେ ପରମେଷ୍ଠୀ ॥ ୧୧୬

ତା'ଙ୍କ ମଧ୍ୟେ ନିର୍ଗୁଣରୂପ । ବିଶ୍ୱତୈଜସ ପ୍ରାଜ୍ଞରୂପ ॥ ୧୧୭

ତୁରୀୟ ପୁରୁଷ ତ୍ରିଧାମ । ସେ ରଥ ମଧ୍ୟେ ତା' ବିଶ୍ରାମ ॥ ୧୧୮

ଅଥ ଇନ୍ଦ୍ରିୟାଶୟ ଜ୍ଞାନ । ବୃତ୍ତି ଭାବନା ଭଗବାନ ॥ ୧୧୯

ଚାରିମୂର୍ତ୍ତି ସେବକମାନେ । ସେବନ୍ତି ଯେ ଯାହା ବିଧାନେ ॥ ୧୨୦

ଅଙ୍ଗ ଉପାଙ୍ଗ ଯେ ଆୟୁଧ । ଆଭରଣ ସଂଖ୍ୟା ଏ ଭେଦ ॥ ୧୨୧

ଉପନିଷଦ ବ୍ରହ୍ମଭାଗ । ଜ୍ୟୋତି ପ୍ରଭାରେ ଏ ସଂଯୋଗ ॥ ୧୨୨

ଏହି ପ୍ରକାରେ ସେ ପୁରୁଷ । ବିରାଜମାନ ହୋଏ ଦୃଶ୍ୟ ॥ ୧୨୩

ମହାବିରାଟ ସେ ବୋଲାନ୍ତି । ବିଶ୍ୱକୁ ଗୋଚର ନୁହଁନ୍ତି ॥ ୧୨୪

ହେ ବିପ୍ରବର ଶଉନକ । ଏ ବିଷ୍ଣୁମହିମା ଅନେକ ॥ ୧୨୫

ଏ ବିଷ୍ଣୁ ସ୍ୱୟଂ ବ୍ରହ୍ମଜ୍ୟୋତି । ସକଳ ଦ୍ରଷ୍ଟା ସେ ବୋଲାନ୍ତି ॥ ୧୨୬

ଆପଣା ମହିମା ତ୍ରିଗୁଣ । ମାୟାରୁ ସଂସାର ଭିଆଣ ॥ ୧୨୭

ତ୍ରିଗୁଣ ଉତ୍ପତ୍ତି ପ୍ରଳୟ । କରି ଅଛନ୍ତି ମହାଶୟ ॥ ୧୨୮

ସେ ତେଣୁ ଇନ୍ଦ୍ରିୟାଦିମାନ । ବଶକୁ ନୁହଁନ୍ତି ଭାଜନ ॥ ୧୨୯

ତେଣୁ ହୃଷୀକେଶ ବୋଲାନ୍ତି । ଯେଣୁ ମାୟା ଆବୋରିଛନ୍ତି ॥ ୧୩୦

ମାୟାବନ୍ଧନ ପ୍ରାୟେ ଦିଶେ । କାହାରି ସଙ୍ଗେ ସେ ନ ମିଶେ ॥ ୧୩୧

ତା'ଙ୍କ ସେବକ ଯେଉଁମାନେ । କରଣି କରନ୍ତି ଯତନେ ॥ ୧୩୨

ସେ ଆତ୍ମଜ୍ଞାନ ଯେବେ ଜାଣି । ଆତ୍ମେ ଦର୍ଶନ ଦ୍ୟନ୍ତି ପ୍ରାଣୀ ॥ ୧୩୩

ତା'ଙ୍କ ଭକତ ଯେଉଁ ଜନେ । ନାରଦ ଆଦି ମୁନିମାନେ ॥ ୧୩୪

ସ୍ୱଭାବେ କୀର୍ତ୍ତନ କରନ୍ତି । ଭକ୍ତି ମୁକ୍ତି ଗତି ଇଚ୍ଛନ୍ତି ॥ ୧୩୫

ଯେ ଯେତେ ଭାବରେ ଭାବନ୍ତି । ସେ ସ୍ଥାନେ ପ୍ରବେଶ ହୁଅନ୍ତି ॥ ୧୩୬

ଏମନ୍ତ ସ୍ତୁତି ଯେ କରନ୍ତି । ନମସ୍ତେ ପ୍ରଭୁ ଜଗଜ୍ଜ୍ୟୋତି ॥ ୧୩୭

ହେ, କୃଷ୍ଣ କୃଷ୍ଣ ସର୍ବସୁଖ । ଏ ମାୟାମୟକୁ ଉପେକ୍ଷ ॥ ୧୩୮

ଅର୍ଜ୍ଜୁନ କୃଷ୍ଣସଖା ଯେଣୁ । କୃଷ୍ଣସଖା ଯେ ନାମ ତେଣୁ ॥ ୧୩୯

ହେ କୃଷ୍ଣ କୃଷ୍ଣସଖା ତୁହି । ହେ ବୃଷ୍ଣିଶ୍ରେଷ୍ଠ ଭାବଗ୍ରାହୀ ॥ ୧୪୦

ଅବନୀ ଭାରା ଉଦ୍ଧାରଣେ । ନାଶିଲୁ ଦୁଷ୍ଟ କ୍ଷତ୍ରିଗଣେ ॥ ୧୪୧

ହେ ପାପାଗ୍ନି ବଡ଼ବାନଳ । ଗୋବିନ୍ଦ ମଦନ ଗୋପାଳ ॥ ୧୪୨

ହେ ଗୋପୀପତେ ହେ ଗୋକୁଳ । ଅନାଦି ପ୍ରଭୁ ଆଦିମୂଳ ॥ ୧୪୩

ଗୋପବନିତା ଭୃତ୍ୟ ତୋ'ର । ଗାବନ୍ତି ଯଶ ନିରନ୍ତର ॥ ୧୪୪

ହେ ଭୂତ ବିପତ୍ତି ନାଶନ । ହେ ତୀର୍ଥସର୍ବ ନାରାୟଣ ॥ ୧୪୫

ହେ କୃଷ୍ଣ ଶ୍ରବଣ ମଙ୍ଗଳ । ଅଖିଳ ସର୍ବସିଦ୍ଧି ଫଳ ॥ ୧୪୬

ଏ ଯେ ତୁମ୍ଭ ବିଭୂତିମାନ । ବ୍ରହ୍ମାଦି ତୃଣାନ୍ତ ସର୍ଜନ ॥ ୧୪୭

ଏହାଙ୍କୁ ତୁମ୍ଭେ ରକ୍ଷା କର । ଅଶେଷ ମହିମା ତୁମ୍ଭର ॥ ୧୪୮

ଏହି ପ୍ରକାରେ ଭକ୍ତମାନେ । ନିରତେ ସ୍ତୁତି କରି ଧ୍ୟାନେ ॥ ୧୪୯

ଯୋଗାଦି ବିଧି ସେ କରନ୍ତି । ଧର୍ମଶାସ୍ତ୍ର ମାର୍ଗେ ପ୍ରବର୍ତ୍ତି ॥ ୧୫୦

ଏ ମହାପୁରୁଷ ଲକ୍ଷଣ । ଯେତେକ କରିଲୁ ବର୍ଣ୍ଣନ ॥ ୧୫୧

ଏ ମହାପୁରୁଷ ଅନନ୍ତ । ନିତ୍ୟେ ଯେ କରେ ଦଣ୍ଡବତ ॥ ୧୫୨

ପ୍ରେମ ଭକତି ଭାବେ ଯୁତ । ଦେଇଣ କୃଷ୍ଣପାଦେ ଚିତ୍ତ ॥ ୧୫୩

ପଢଇ ଶୁଣାଇ ଶୁଣଇ । ଏକାଗ୍ରଚିତ୍ତ ଯେବା ହୋଇ ॥ ୧୫୪

ଏହାଙ୍କ ମନ୍ତ୍ର ଯେ ଜପଇ । ଆତ୍ମା ସର୍ବଭୂତେ ଦେଖଇ ॥ ୧୫୫

ଏ ଯେ ନିରାକାର ପୁରୁଷ । ସର୍ବବ୍ୟାପୀ ହୃଦେ ପ୍ରକାଶ ॥ ୧୫୬

ବ୍ରହ୍ମରୂପୀ ସୂକ୍ଷ୍ମ ବୋଲାଇ । ସଂସାର ଭେଦ ତା'ର ନାହିଁ ॥ ୧୫୭

ବ୍ରହ୍ମ ସ୍ୱରୂପେ ଲୀନ ହୋଇ । ଅନ୍ତେ ସେ ସେହି ସ୍ଥାନ ପାଇ ॥ ୧୫୮

ଏମନ୍ତ ସୂତ ମୁଖୁଁ ଶୁଣି । ଶୌନକ ପଚାରନ୍ତି ପୁଣି ॥ ୧୫୯

ଶୌନକ ଉବାଚ

ଭୋ ସୂତ ଧନ୍ୟ ସେ ମହିମା । କହିଲ ଯେଉଁ ଗୁଣସୀମା ॥ ୧୬୦

ଏ ମହାପୁରୁଷ ଲକ୍ଷଣ । ଶୁଣି କୃତାର୍ଥ ମୋ' ଜୀବନ ॥ ୧୬୧

ଯେ ମହାପୁରୁଷ ସ୍ୱରୂପୀ । ସୂର୍ଯ୍ୟ ଜ୍ୟୋତି ଜଗତ ବ୍ୟାପୀ ॥ ୧୬୨

ଆକାଶ ମଣ୍ଡଳେ ଉଦୟେ । କାଳ ଉତ୍ପତ୍ତି ସ୍ଥିତି ହୋଏ ॥ ୧୬୩

ପ୍ରବୃତ୍ତି ସଂସାର ଉତ୍ପତ୍ତି । ପ୍ରଳୟମାନ ପ୍ରାଣୀ ହୋନ୍ତି ॥ ୧୬୪

ବାରମାସେ ବାର ଆଦିତ୍ୟ । ଦେହ ବହିଣ ତେଜବନ୍ତ ॥ ୧୬୫

କାଳ ପ୍ରବର୍ତ୍ତାଉ ଅଛନ୍ତି । ଉଦୟ ଅସ୍ତ ସେ ହୁଅନ୍ତି ॥ ୧୬୬

ତା'ଙ୍କ ଦେହ ଜ୍ୟୋତିମଣ୍ଡଳେ । ସପତଗଣ ଘେନି ଚଳେ ॥ ୧୬୭

ତା'ଙ୍କର ନାମ ଗୁଣ କର୍ମ । କହି ଛଡ଼ାଅ ମତିଭ୍ରମ ॥ ୧୬୮

ସେମାନେ ବାସୁଦେବେ ଭକ୍ତି । ସୂର୍ଯ୍ୟ ମଣ୍ଡଳେ ପ୍ରବର୍ତ୍ତନ୍ତି ॥ ୧୬୯

ସେ ସୂର୍ଯ୍ୟ ସ୍ୱରୂପ ଯେ ହରି । ମହିମା କହିବା ବିସ୍ତାରି ॥ ୧୭୦

ଏମନ୍ତ ଶୁଣି ସୂତ ତୋଷେ । ଶୌନକେ କହନ୍ତି ହରଷେ ॥ ୧୭୧

ସୂତ ଉବାଚ

ବିଷ୍ଣୁର ଅନାଦି ଅବ୍ୟୟ । ମାୟାରୁ ହୁଅନ୍ତି ଉଦୟ ॥ ୧୭୨

ସକଳ ଜନ୍ତୁ ଆତ୍ମା ରୂପ । ନିର୍ମାଣ କରିଣ ସଂକ୍ଷେପ ॥ ୧୭୩

ଲୋକରେ କାଳ ବର୍ତ୍ତମାନ । ନାନାଦି ଜୀବେ ପ୍ରବର୍ତ୍ତନ ॥ ୧୭୪

ସକଳ ଆତ୍ମାରୂପୀ ସୂର୍ଯ୍ୟ । ସର୍ବେ ଆତଯାତ ତା' ତେଜ ॥ ୧୭୫

ସବୁରି ଦେହେ ଆତ୍ମାସୃଷ୍ଟି । ଯେ ହରିରୂପେ ପରମେଷ୍ଠୀ ॥ ୧୭୬

ସକଳ ବେଦକ୍ରିୟା ମୂଳ । ନିରାକାର ଜ୍ୟୋତିମଣ୍ଡଳ ॥ ୧୭୭

ଋଷିମାନେ ବହୁ ପ୍ରକାରେ । କହନ୍ତି ସୂର୍ଯ୍ୟର ସଞ୍ଚାରେ ॥ ୧୭୮

ନିମେଷ ଆଦି ଯେ ବତ୍ସର । କାଳଗଣନା ପ୍ରାଣୀଙ୍କର ॥ ୧୭୯

ସଂସାରେ ଯେତେ ଦେଶମାନ । ଏ ସର୍ବ ତାହାର ଭିଆଣ ॥ ୧୮୦

ସକଳ ପ୍ରାଣୀମାନଙ୍କର । କ୍ରିୟା କର୍ମରେ ସେ ଈଶ୍ୱର ॥ ୧୮୧

କର୍ମର କରତା ହିଁ ସେହି । କର୍ମକରଣ ତା'କୁ କହି ॥ ୧୮୨

କାର୍ଯ୍ୟ ସ୍ୱରୂପ ପୁଣ ସେହି । ସର୍ବ ଆଗମ ରୂପ ହୋଇ ॥ ୧୮୩

ଦ୍ରବ୍ୟ ଯେ ଫଳ ପ୍ରକାରେଣ । ନବଧା ରୂପେ ସୂର୍ଯ୍ୟ ଜାଣ ॥ ୧୮୪

ଯେ ଚୈତ୍ର ଆଦି ବାରମାସେ । କାଳରୂପ ଧରି ବିଳସେ ॥ ୧୮୫

ପ୍ରାଣୀଙ୍କ କୁଶଳ ନିମନ୍ତେ । ବିହାର ତେଜୋମୟ ରଥେ ॥ ୧୮୬

ବାର ଆଦିତ୍ୟ ତେଜ ବହି । ମଧ୍ୟରେ ସାକ୍ଷୀରୂପ ହୋଇ ॥ ୧୮୭

ଭିନ୍ନ ଭିନ୍ନ ଗୁଣ ଆଚରେ । ଯେମନ୍ତେ ସଂସାର ବିହରେ ॥ ୧୮୮

ଚଇତ୍ର ମାସେ ଯେ ବିହାର । କହିବା ତହିଁର ବିଚାର ॥ ୧୮୯

ଧାତା ନାମେ ଆଦିତ୍ୟ ସୁର । କୃତସ୍ଥଳୀ ନାମେ ଅପ୍ସର ॥ ୧୯୦

ହେତି ନାମେଣ ସେ ରାକ୍ଷସ । ବାସୁକି ନାମେ ନାଗ ଶେଷ ॥ ୧୯୧

ରଥକୃତ ନାମରେ ଯକ୍ଷ । ପୁଲସ୍ତ୍ୟଋଷି ବ୍ରହ୍ମବତ୍ସ ॥ ୧୯୨

ଗନ୍ଧର୍ବ ନାମ ଯେ ତୁମ୍ଭର । ଏ ସାତ ରଥରେ ବିହାର ॥ ୧୯୩

ବିହାର ଏମାନଙ୍କ ପୁଣ । ଆଦିତ୍ୟ ତେଜ ପ୍ରକାଶେଣ ॥ ୧୯୪

ଅପସରା ନୃତ୍ୟ କରନ୍ତି । ରାକ୍ଷସେ ପୃଷ୍ଠ ରଖିଥା'ନ୍ତି ॥ ୧୯୫

ନାଗେ ରଥ ଦଉଡ଼ି ହୋଇ । ଯକ୍ଷ ରୂପେ ଦ୍ରବ୍ୟନ୍ତ ଦେଇ ॥ ୧୯୬

ପ୍ରାଣୀଙ୍କି ଅର୍ଥ ସେ ଦିଅନ୍ତି । ଋଷିରୂପେ ମନ୍ତ୍ର ଜପନ୍ତି ॥ ୧୯୭

କରନ୍ତି ଜଗତକୁ ଶାନ୍ତି । ଧର୍ମମାର୍ଗେ ତଥ୍ୟ କହନ୍ତି ॥ ୧୯୮

ଗନ୍ଧର୍ବେ ଗୀତ ଯେ ଗାୟନ । ଏମନ୍ତେ ସପ୍ତ ନିଯୋଜନ ॥ ୧୯୯

ବୈଶାଖ ମାସରେ ଯେ ପୁଣ । ଆଦିତ୍ୟ ଅର୍ଯ୍ୟମା ନାମେଣ ॥ ୨୦୦

ପୁଲହ ନାମେ ମହାଋଷି । ପ୍ରହେତି ନାମେଣ ରାକ୍ଷସୀ ॥ ୨୦୧

ଅଧୌଜା ନାମେ ଯକ୍ଷବୀର । ପୁଞ୍ଜିକସ୍ଥଳୀ ଅପସର ॥ ୨୦୨

ନାରଦ ନାମରେ ଗନ୍ଧର୍ବ । କଛନୀର ନାମେଣ ନାଗ ॥ ୨୦୩

ଏବେ ଯେ ଜ୍ୟେଷ୍ଠମାସ ଶୁଣ । ଆଦିତ୍ୟ ନାମ ମିତ୍ର ପୁଣ ॥ ୨୦୪

ଅତ୍ରି ନାମରେ ମହାଋଷି । ପୌରୁଷେୟ ନାମେ ରାକ୍ଷସୀ ॥ ୨୦୫

ତକ୍ଷକ ନାଗ ଯେ ବିଦିତ । ମେନକା ଅପସରା ନୃତ୍ୟ ॥ ୨୦୬

ହା ହା ଯେ ଗନ୍ଧର୍ବର ନାମ । ଯକ୍ଷ ଅଟଇ ରଥସ୍ୱନ ॥ ୨୦୭

ଏବେ ଯେ ଆଷାଢ ମାସର । ବରୁଣ ନାମ ସୂର୍ଯ୍ୟଙ୍କର ॥ ୨୦୮

ବଶିଷ୍ଠ ନାମେ ଋଷି ହୋଏ । ଅପ୍ସରା ରମ୍ଭା ନାମ ବହେ ॥ ୨୦୯

ହୁହୁ ନାମରେ ଯେ ଗନ୍ଧର୍ବ । ନାଗର ନାମ ଶୁକ୍ରଭାବ ॥ ୨୧୦

ଚିତ୍ରସ୍ୱନ ନାମରେ ରକ୍ଷ । ସହଜନ୍ୟ ଯେ ଅଟେ ଯକ୍ଷ ॥ ୨୧୧

ଏବେ ଶ୍ରାବଣ ମାସେ ପୁଣ । ଆଦିତ୍ୟ ଇନ୍ଦ୍ର ନାମେ ଜାଣ ॥ ୨୧୨

ବିଶ୍ୱାବସୁ ନାମେ ଗନ୍ଧର୍ବ । ଏଳାପତ୍ର ନାଗ ପ୍ରଭବ ॥ ୨୧୩

ଋଷିଙ୍କ ନାମ ଯେ ଅଙ୍ଗିରା । ପ୍ରମ୍ଳୋଚା ନାମେ ଅପସରା ॥ ୨୧୪

ବର୍ଜ୍ୟ ନାମରେ ହୋଏ ରକ୍ଷ । ଶ୍ରୋତା ନାମକ ହୋଏ ଯକ୍ଷ ॥ ୨୧୫

ଏବେ ଭାଦ୍ରବ ମାସେ ଶୁଣ । ଆଦିତ୍ୟ ନାମ ବିବସ୍ୱାନ ॥ ୨୧୬

ଅସାରଣ ନାମରେ ଯକ୍ଷ । ବ୍ୟାଘ୍ର ନାମକ ଅଟେ ରକ୍ଷ ॥ ୨୧୭

ଗନ୍ଧର୍ବ ନାମ ଉଗ୍ରସେନ । ମହର୍ଷି ନାମ ଭୃଗୁ ଜାଣ ॥ ୨୧୮

ଅନୁମ୍ଳୋଚା ଯେ ଅପସରା । ଶଙ୍ଖପାଳ ଯେ ନାଗବୀରା ॥ ୨୧୯

ଏବେ ଆଶ୍ୱିନ ମାସେ ପୁଣ । ଆଦିତ୍ୟ ତୃଷ୍ଟା ନାମେ ଜାଣ ॥ ୨୨୦

ଜମଦଗ୍ନି ଯେ ମହାଋଷି । କମ୍ବଳ ନାମେ ନାଗ ବସି ॥ ୨୨୧

ତିଳୋତ୍ତମା ଯେ ଅପସର । ବ୍ରହ୍ମାପେତ ନାମେ ଅସୁର ॥ ୨୨୨

ଯକ୍ଷର ନାମ ଶତଜିତ । ଗନ୍ଧର୍ବ ଧୃତରାଷ୍ଟ୍ର ଖ୍ୟାତ ॥ ୨୨୩

ଏବେ ହୋ କାର୍ତ୍ତିକ ଯେ ମାସେ । ଆଦିତ୍ୟ ବିଷ୍ଣୁ ନାମେ ବସେ ॥ ୨୨୪

ନାଗର ନାମ ଅଶ୍ୱତର । ରମ୍ଭା ନାମରେ ଅପସର ॥ ୨୨୫

ମଖାପେତ ନାମକ ରକ୍ଷ । ସତ୍ୟଜିତ ନାମେଣ ଯକ୍ଷ ॥ ୨୨୬

ବିଶ୍ୱାମିତ୍ର ନାମକ ଋଷି । ଗନ୍ଧର୍ବ ସୂର୍ଯ୍ୟବର୍ଚ୍ଚା ବସି ॥ ୨୨୭

ଏବେ ଯେ ମାର୍ଗଶିର ମାସ । ଅଂଶୁମାନ ଆଦିତ୍ୟ ଅଂଶ ॥ ୨୨୮

ଋଷି ଯେ କଶ୍ୟପ ପ୍ରତ୍ୟକ୍ଷ । ତୀର୍କ୍ଷ୍ୟ ନାମରେ ହୋଏ ଯକ୍ଷ ॥ ୨୨୯

ରତସେନ ଗନ୍ଧର୍ବ ବୀର । ଉର୍ବଶୀ ନାମେ ଅପସର ॥ ୨୩୦

ବିଦ୍ୟୁଚ୍ଛତ୍ରୁ ନାମେ ରାକ୍ଷସ । ମହାଶଙ୍ଖ ନାମେ ନାଗେଶ ॥ ୨୩୧

ଏବେ ହୋ ପୌଷମାସ ଶୁଣ । ଆଦିତ୍ୟ ଭଗ ନାମେ ପୁଣ ॥ ୨୩୨

ଊର୍ଣ୍ଣ ନାମରେ ହୋଏ ପକ୍ଷ । ସ୍ପୁର୍ଜ ନାମକ ଅଟେ ରକ୍ଷ ॥ ୨୩୩

ଆୟୁ ନାମରେ ମହାମୁନି । ଗନ୍ଧର୍ବ ଯେ ଅରିଷ୍ଟନେମି ॥ ୨୩୪

ପୂର୍ବଚିତି ଯେ ଅପସର । କର୍କୋଟକ ଯେ ନାଗବୀର ॥ ୨୩୫

ଏବେ ହୋ ଶୁଣ ମାଘମାସ । ଆଦିତ୍ୟ ନାମ ଜାଣ ପୂଷ ॥ ୨୩୬

ବାତ ନାମକ ପୁଣି ରକ୍ଷ । ସୁରୁଚି ନାମେ ହୋଏ ଯକ୍ଷ ॥ ୨୩୭

ନାଗର ଧନଞ୍ଜୟ ନାମ । ଗନ୍ଧର୍ବ ନାମ ଯେ ସୁଷେଣ ॥ ୨୩୮

ଘୃତାଚୀ ନାମେ ଅପସରୀ । ଗୌତମ ଋଷି ନାମ ଧରି ॥ ୨୩୯

ଏବେ ଫାଲଗୁନ ମାସେ ପୁଣ । ଆଦିତ୍ୟ ନାମ ଯେ ପର୍ଜନ୍ୟ ॥ ୨୪୦

କ୍ରତୁ ନାମରେ ହୋଏ ପକ୍ଷ । ଭରଦ୍ୱାଜ ଋଷି ପ୍ରତ୍ୟକ୍ଷ ॥ ୨୪୧

ବର୍ଚ୍ଚା ନାମରେ ଯେ ରାକ୍ଷସ । ଅଇରାବତ ନାଗଈଶ ॥ ୨୪୨

ସେନଜିତ ଯେ ଅପସର । ବିଶ୍ୱ ନାମେ ଗନ୍ଧର୍ବ ବୀର ॥ ୨୪୩

ଏ ରୂପେ ବାରମାସ ପୁଣ । ସାତ ସାତଗଣେ ଭ୍ରମିଣ ॥ ୨୪୪

ଏ ସର୍ବେ ସୂର୍ଯ୍ୟର ବିଭୂତି । ଜ୍ୟୋତିଷ ଚକ୍ରରେ ଚଳନ୍ତି ॥ ୨୪୫

ଏହାଙ୍କୁ ଯେ ଦୁଇସନ୍ଧ୍ୟାରେ । ସ୍ମରଣ କରନ୍ତି ନିତ୍ୟରେ ॥ ୨୪୬

ତାହାଙ୍କ ପାପ ଦିନେ ଦିନେ । ହରନ୍ତି ସୁମତି ପ୍ରଦାନେ ॥ ୨୪୭

ଏ ବାରମାସେ ସୂର୍ଯ୍ୟ ଏକ । ନାରାୟଣ ପରମାତ୍ମକ ॥ ୨୪୮

ସେ ସୂର୍ଯ୍ୟ ଜ୍ୟୋତିମଣ୍ଡଳରେ । ଘେନି ଯେ ବାର ଆଦିତ୍ୟରେ ॥ ୨୪୯

ଦ୍ୱାଦଶାଦିତ୍ୟ ତେଜ ବହି । ଷଡଋତୁ ଯେ ଜାତ ହୋଇ ॥ ୨୫୦

ଇହଲୋକ ପରଲୋକରେ । ଯା ତେଜ ପରକାଶ କରେ ॥ ୨୫୧

ପାତାଳ ସପତ ପୁରରେ । ଆପଣେ ଉଦେ ଅସ୍ତ କରେ ॥ ୨୫୨

ଇହ ପରଲୋକେ ପାତାଳେ । ପ୍ରାଣୀଙ୍କି ସଦଗତି କରେ ॥ ୨୫୩

ସକଳ ଋଷିଗଣମାନ । ତାଙ୍କୁ କରନ୍ତି ଉପାସନ ॥ ୨୫୪

ଋକ ଯଜୁ ଏ ସାମ ନିତି । ବେଦ ମନ୍ତ୍ରମାନଙ୍କେ ଘେନି ॥ ୨୫୫

ତାହାଙ୍କୁ ସ୍ତୁତି କରୁଛନ୍ତି । ଗନ୍ଧର୍ବେ ଗାୟନ କରନ୍ତି ॥ ୨୫୬

କରନ୍ତି ଅପସରା ନୃତ୍ୟ । ନାଗେ ଯେ ଓଟାରନ୍ତି ରଥ ॥ ୨୫୭

ଯକ୍ଷମାନେ ରଥ ଯୋଚନ୍ତି । ପ୍ରାଣୀଙ୍କି ଦ୍ରବ୍ୟ ସେ ଦିଅନ୍ତି ॥ ୨୫୮

ରଥପୃଷ୍ଠେ ରାକ୍ଷସେ ଥାଇ । ରଥ ରକ୍ଷାକରି ଚଳାଇ ॥ ୨୫୯

ଅରୁଣ ସାରଥିର ନାମ । ସାତଅଶ୍ୱ ଚାଳେ ବେଗେଣ ॥ ୨୬୦

ଗାୟତ୍ରୀ ଆଦି ଛନ୍ଦ ସାତ । ବହନ୍ତି ବିଶ୍ୱରୂପ ରଥ ॥ ୨୬୧

ଏ ରଥ ଆଗରେଣ ବସି । ଷଷ୍ଟିସହସ୍ର ବାଳଋଷି ॥ ୨୬୨

ଆଗରେ ସ୍ତୁତି କରୁଛନ୍ତି । ପ୍ରାଣୀଙ୍କି ଆଶୀର୍ବାଦ ଦ୍ୟନ୍ତି ॥ ୨୬୩

ଏ ଭାବେ ଅନାଦିନିଧାନ । ସେ ଯେ ଈଶ୍ୱର ଭଗବାନ ॥ ୨୬୪

ଦିନେ ଦିନେ ଆତ୍ମା ବିସ୍ତାର । ତେଜମଣ୍ଡଳ ପରଚର ॥ ୨୬୫

ପ୍ରକାଶ ଦିବାରାତ୍ର କରି । ନିତ୍ୟ ଭ୍ରମଣେ ପ୍ରାଣୀ ପାଳି ॥ ୨୬୬

ଯେଉଁ ଠାବରେ ଦୃଶ୍ୟ ହୋଇ । ସେଠାରେ ଉଦୟ ବୋଲାଇ ॥ ୨୬୭

ନ ଦିଶିଲା ଠାବରେ ଅସ୍ତ । ରାତ୍ର ଦିବସ ଏଣୁ ମତ ॥ ୨୬୮

ମେରୁ ଭ୍ରମଣ ନିତ୍ୟେ କରେ । ପୂର୍ବରୁ ପଶ୍ଚିମ କ୍ରମରେ ॥ ୨୬୯

ଉଦୟାସ୍ତ ଦୁଇ ପର୍ବତ । ଆରୋହଣ ବେଳେ ନିର୍ମିତ ॥ ୨୭୦

ତିନିକୋଟି ଅର୍ଦ୍ଧ କୋଟିଏ । ବ୍ରହ୍ମଲୋକରୁ ଜାତ ହୋଏ ॥ ୨୭୧

ଏ ବ୍ରହ୍ମରାକ୍ଷସେ ନିର୍ମାଣ । ନିତ୍ୟେ ବ୍ରହ୍ମଶାପ ପାଇଣ ॥ ୨୭୨

ନିତ୍ୟେ ଦୁଇବେଳରେ ଖାଏ । ମରନ୍ତି ଜୀଅନ୍ତି ନିଶ୍ଚୟେ ॥ ୨୭୩

ଏ ସୂର୍ଯ୍ୟ ଉଦୟର କାଳେ । ସୂର୍ଯ୍ୟଙ୍କୁ ଗ୍ରାସନ୍ତି ସେ ବଳେ ॥ ୨୭୪

ଏଣୁ ବ୍ରହ୍ମା ଆଜ୍ଞାରେ ପୁଣ । ବ୍ରହ୍ମଋଷି ଆଦି ବ୍ରାହ୍ମଣ ॥ ୨୭୫

ସୂର୍ଯ୍ୟଙ୍କୁ ସନମୁଖ ହୋଇ । ଗାୟତ୍ରୀମନ୍ତ୍ର ଉଚ୍ଚାରଇ ॥ ୨୭୬

ତିନି ଅଞ୍ଜଳି ଜଳ ଦେଇ । ଦ୍ୱିସନ୍ଧ୍ୟେ ଆକାଶକୁ ଚାହିଁ ॥ ୨୭୭

ଜଳକୁ ଟେକିଣ ପକାନ୍ତି । ମନ୍ତ୍ରେ ସେ ଜଳ ବଜ୍ର ହୋନ୍ତି ॥ ୨୭୮

ରାକ୍ଷସ ଉପରେ ପଡନ୍ତି । ରାକ୍ଷସେ ଭସ୍ମ ହୋଇ ଯାନ୍ତି ॥ ୨୭୯

ସୂର୍ଯ୍ୟ ଯେ ବଳବନ୍ତ ହୋଇ । ତେଜେ ଜଗତ ପ୍ରକାଶଇ ॥ ୨୮୦

ସେ ସୂର୍ଯ୍ୟଙ୍କ ରଥଚକ୍ରର । ମାନସୋତ୍ତର ଯେ ଗିରିର ॥ ୨୮୧

ପୁଷ୍କରଦ୍ୱୀପ ମଧ୍ୟେ ସେହି । ରଥ ଏକଚକ୍ର ଭ୍ରମଇଁ ॥ ୨୮୨

ସମ୍ବତ୍ସରରେ ସେହୁ ପୁଣ । ମକର ଆଦି ଯେ ମିଥୁନ ॥ ୨୮୩

ଉତ୍ତରାୟଣ ତାକୁ କହି । ସ୍ୱର୍ଗକୁ ଦିବସେ ଅଟଇ ॥ ୨୮୪

କକଡାଦି ଛ ରାଶି ଯେବେ । ଦକ୍ଷିଣାୟନ କହି ତେବେ ॥ ୨୮୫

ଏମନ୍ତେ ଦୁଇ ଯେ ଅୟନେ । ରାତ୍ର ଦିବସ ଦେବମାନେ ॥ ୨୮୬

ଏ ଭାବେ ରଥେ ଭ୍ରମୁଛନ୍ତି । ଯୋଜନ ଅୟୁତ ଯେ ପ୍ରତି ॥ ୨୮୭

ଅଠର ସହସ୍ର ଯୋଜନ । ଉଚ୍ଚ ଅଟଇ ବିଦ୍ୟମାନ ॥ ୨୮୮

ଅଷ୍ଟାଦଶ ସହସ୍ର ଯୋଜନ । ଲମ୍ବ ତା ଅଟଇ ପ୍ରମାଣ ॥ ୨୮୯

ଲକ୍ଷେ ସତୁରି ସସ୍ର ଯୂଣ । ଅଖର ଲମ୍ବ ପରିମାଣ ॥ ୨୯୦

ପ୍ରତି ଅଖ ଲମ୍ବ ତଳର । ଦି କୋଟି ତେପନ ଲକ୍ଷର ॥ ୨୯୧

ସତୁରି ସହସ୍ର ଯୋଜନ । ଅଖମୁଣ୍ଡି ଲୋକାଲୋକେଣ ॥ ୨୯୨

ଉପର ଖଣ୍ଡ ଅଖ ପୁଣ । ଚଉଦଲକ୍ଷ ଯେ ଯୋଜନ ॥ ୨୯୩

ଷୋଳ ଯେ ସହସ୍ର ଆବର । ଏ ମୁଣ୍ଡି ଲାଗିଛି ମେରୁର ॥ ୨୯୪

ଧ୍ରୁବମଣ୍ଡଳେ ବ୍ୟାପିଅଛି । ବିମାନମାନ ତହିଁ ଗଚ୍ଛି ॥ ୨୯୫

ସବୁ ଗ୍ରହମାନଙ୍କ ରଥ । ଦଉଡିମାନ ସେ ନିର୍ମିତ ॥ ୨୯୬

ଧ୍ରୁବମଣ୍ଡଳ ସୁଷୁମ୍ନାରେ । ବନ୍ଧନ ଯେ ଯାହା ଭେଦରେ ॥ ୨୯୭

ଦଉଡିମାନଙ୍କର ପୁଣ । ତିନିଶ ଷାଠିଏ ନିର୍ମାଣ ॥ ୨୯୮

ପ୍ରତି ଦଉଡି ଲାଗିଛନ୍ତି । ସେ ମେରୁରନ୍ଧ୍ରେ ଯୁକ୍ତ ହୋନ୍ତି ॥ ୨୯୯

ତହୁଁ ନିତ୍ୟେ ନିତ୍ୟେ ଭ୍ରମଣ । ଦିବା ରାତ୍ର ହୋଏ ଏସନ ॥ ୩୦୦

ମନୁଷ୍ୟମାନଙ୍କୁ ସେ ହୋଇ । ପିତୃଙ୍କୁ ମାସେ ଦିନେ କହି ॥ ୩୦୧

ଏବଂଭୂତ ଯେ ଯେଉଁ ରଥ । ସେ ତହିଁ ମାୟାତ୍ମକ ସତ୍ୟ ॥ ୩୦୨

ସମ୍ବତ୍ସର ଚକ୍ର ତା ବୋଲି । କାଳ ଗତାଗତ କହିଲି ॥ ୩୦୩

ସେ ସମ୍ବତ୍ସର ଯେ ଚକ୍ରର । ତିନିକୋଟି ନାଭି ତାହାର ॥ ୩୦୪

ବରଷା ଶୀତ ଗ୍ରୀଷ୍ଣ ତିନି । ତ୍ରିକାଳ ବୋଲାନ୍ତି ସେ ପୁଣି ॥ ୩୦୫

ବାରଗୋଟି ଯେ ରଥ ଅର । ବାରମାସ ନାମ ତାହାର ॥ ୩୦୬

ଛ ଗୋଟି ପହି ଛନ୍ତି ତହିଁ । ଷଡଋତୁଙ୍କ ସ୍ଥାନ ସେହି ॥ ୩୦୭

ସାତଶ କୋଟିଏକ ପହି । ଏକଚକ୍ରରେ ସେହୁ ଥାଇ ॥ ୩୦୮

ରାତ୍ର ଯେ ଦିବସ ହୋଇଣ । ସପ୍ତଶତ କୋଟି ଏ ଦିନ ॥ ୩୦୯

ଏମନ୍ତ ହୋଇ ସମ୍ବତ୍ସର । ଭ୍ରମୁଅଛି ସେ ଚକ୍ରବର ॥ ୩୧୦

ଏ କାଳଚକ୍ର ବୋଲି କହେ । କାଳ ସ୍ୱରୂପୀ ସୂର୍ଯ୍ୟମୟେ ॥ ୩୧୧

ସେ ସୂର୍ଯ୍ୟ ନିରାକାର ଜ୍ୟୋତି । ଉତ୍ପତ୍ତି ପ୍ରଳୟ କରନ୍ତି ॥ ୩୧୨

ସେ ସଦା ଥାଇ ଯେ ଅନାଦି । ଅଜ୍ରାମର ସର୍ବ ସମ୍ପାଦି ॥ ୩୧୩

ଭୂତ ଭବିଷ୍ୟ ବର୍ତ୍ତମାନ । ହିତମୟ ସର୍ବକାରଣ ॥ ୩୧୪

ପରମ ବ୍ରହ୍ମ ସେ ସ୍ୱରୂପୀ । ସଂସାର କର୍ତ୍ତା ସର୍ବବ୍ୟାପୀ ॥ ୩୧୫

ସଂସାର ଏ ଆଦିକାରଣ । ସକଳ ଏହାଙ୍କ ଭିଆଣ ॥ ୩୧୬

ଯେ ଏହା ପଢନ୍ତି ଶୁଣନ୍ତି । ବିଷ୍ଣୁ ସ୍ୱରୂପେ ତାଙ୍କୁ ଚିନ୍ତି ॥ ୩୧୭

ସର୍ବ ପାପରୁ ସେ ତରଇ । ଅଗ୍ନି ଯେହ୍ନେ ସର୍ବ ଭକ୍ଷଇ ॥ ୩୧୮

ସୂତ କହନ୍ତି ବିଷ୍ଣୁଭାବେ । ଶୁଣ ଶୌନକ ଅନୁଭବେ ॥ ୩୧୯

ସୁଜନେ ଶୁଣସି ଆନନ୍ଦେ । ଭକ୍ତି ହୋଇବ କୃଷ୍ଣପାଦେ ॥ ୩୨୦

ମହାବିଷ୍ଣୁଙ୍କ ଯେ ମହିମା । ସୂର୍ଯ୍ୟଭ୍ରମଣ ସୁଖସୀମା ॥ ୩୨୧

ଶୁଣିଲେ ସଂସାରୁ ତରଇ । ଅନ୍ତେ ସେ ବୈକୁଣ୍ଠ ଲଭଇ ॥ ୩୨୨

ଶ୍ରୀବିଷ୍ଣୁପୁରାଣ ଭକତି । ଚନ୍ଦ୍ରମଣ୍ଡଳର ଏ ଗତି ॥ ୩୨୩

ଅମୃତମୟ ରୂପ ତାର । କ୍ଷୀରାର୍ଣ୍ଣବରୁ ଜାତ ଯାର ॥ ୩୨୪

ଶୁକଳ ପକ୍ଷ ବୃଦ୍ଧି ହୋଏ । କୃଷ୍ଣ ପକ୍ଷରେ କଳା କ୍ଷୟେ ॥ ୩୨୫

କୃଷ୍ଣପକ୍ଷେ ପ୍ରତିପ ଦିନ । ଏ ଆଦି ପନ୍ଦର ତିଥେଣ ॥ ୩୨୬

ଦେବତାମାନେ ପ୍ରତିଦିନ । ଅମୃତ କରନ୍ତି ଯେ ପାନ ॥ ୩୨୭

ଅମାସ୍ୟା ଦିନେ କଳାହୀନେ । ଚନ୍ଦ୍ର ପଳାଇ ସୂର୍ଯ୍ୟେ ଲୀନେ ॥ ୩୨୮

ସ୍ଥାବର-ଜଳ-ତୃଣ-ମଧ୍ୟେ । ଲୁଚଇ ଭୟ ମନସଧେ ॥ ୩୨୯

ଏଣୁ ସର୍ବନିଷେଧ ଦିନେ । ଗାବ ଯେ ତୃଣ ଜଳପାନେ ॥ ୩୩୦

କ୍ଷୀର ଘୃତ ଜାତ ସଂଯୋଗେ । ଋଷି ବିପ୍ର ଆହୁତି ଭାଗେ ॥ ୩୩୧

କଳା ବର୍ଦ୍ଧମାନ ହୁଅଇ । ପଞ୍ଚଦଶ ଦିନେ ପୂର୍ଣ୍ଣ ହିଁ ॥ ୩୩୨

କହଇ ବିପ୍ର ଜଗନ୍ନାଥ । ସୂର୍ଯେନ୍ଦୁ ମହାବିଷ୍ଣୁ ମତ ॥ ୩୩୩

ଶୁଣିଲେ ସର୍ବପାପୁଁ ତରେ । ବିଷ୍ଣୁଭକତି ହୋଏ ତାରେ ॥ ୩୩୪

ବିଷ୍ଣୁର ଭକତେ ସେବିଲେ । ଏ ସୁଖ ଲଭଇ ସେ ଭଲେ ॥ ୩୩୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱାଦଶସ୍କନ୍ଧେ

ଆଦିତ୍ୟବ୍ୟୁହ ବିବରଣଂ ନାମ ଏକାଦଶୋଧ୍ୟାୟଃ

* * *