ଦ୍ୱାଦଶ ସ୍କନ୍ଧ

ଦଶମ ଅଧ୍ୟାୟ

ସୂତ ପୌରାଣିକ ଯେ କହି । ଶୌନକ ଆଦି ମୁନି ଚାହିଁ ।

ସୂତ ଉବାଚ

ସେ ମାରକଣ୍ଡ ଋଷି ପୁଣ । ବିଷ୍ଣୁ ନିର୍ମିତ ମାୟାରେଣ ॥

ମାୟା ବିଭୂତି ଅନୁଭବି । ସେ ବିଷ୍ଣୁ ଚରଣରେ ସେବି ॥

ସେ ବିଷ୍ଣୁ ଚରଣରେ ସ୍ତୁତି । ନିରତେ ଧ୍ୟାନେ କରୁଛନ୍ତି ॥

ଶ୍ରୀବାସୁଦେବ ନମୋସ୍ତୁତେ । ଶରଣାଗତ ହେଲି ତୋତେ ॥

ତୁମ୍ଭ ପଦାରବିନ୍ଦ ଗୁଣ । ଅଭୟଦାତା ପରିପୂର୍ଣ୍ଣ ॥

ବ୍ରହ୍ମା ଆଦି ଦେବତାମାନେ । ସେବନ୍ତି ଜ୍ଞାନ ପରାୟଣେ ॥

ତୁମ୍ଭ ଚରଣେ ଭଜୁଛନ୍ତି । ମାୟାରେ କେ ମୋହି ନୁହଁନ୍ତି ॥

ଏ ଭବ ସଂସାର-ସାଗରେ । ତୋ' ବିନୁ କେ ଉଦ୍ଧରି ପାରେ ॥

ଏମନ୍ତ ସ୍ତୁତି ବାସୁଦେବେ । ମନ ଲଗାଇ ପାଦେ ସେବେ ॥ ୧୦

ଆତ୍ମା ବାସୁଦେବେ ନିବେଶି । ସର୍ବ ଜୀବେ ଏକ ପ୍ରକାଶି ॥ ୧୧

ଜଗତ ବାସୁଦେବ ଜାଣି । ସର୍ବେ ଏକତ୍ୱ ପରିମାଣି ॥ ୧୨

ଏମନ୍ତ ସମୟେ ମହେଶ । ପାର୍ବତୀ ଶିବଗଣ ଶିଷ୍ୟ ॥ ୧୩

ଏମାନେ ବେଷ୍ଟିତ ହୋଇଣ । କରି ବୃଷଭ ଆରୋହଣ ॥ ୧୪

କୈଳାସ ପର୍ବତରୁ ଖସି । ହିମବନ୍ତ ଉତ୍ତରେ ଆସି ॥ ୧୫

ପୁଷ୍ପଭଦ୍ରା ନଦୀ ତଟରେ । ମାର୍କଣ୍ଡ ଆଶ୍ରମେ ମିଳିଲେ ॥ ୧୬

ମାର୍କଣ୍ଡେୟଙ୍କୁ ସେ ଦେଖିଲେ । ପାର୍ବତୀ ମହେଶେ ଭାଷିଲେ ॥ ୧୭

ପାର୍ବତୀ ଉବାଚ

ହେ ଦେବ ଦେଖ ଋଷିଧ୍ୟାନ । ସାଧନ କରେ ବ୍ରହ୍ମଜ୍ଞାନ ॥ ୧୮

ନିଶ୍ଚଳମନଆତ୍ମା କରି । ସକଳ ଇନ୍ଦ୍ରିୟ ନିବାରି ॥ ୧୯

ସଂଯମ କରି ମନ ପ୍ରାଣ । ପରମେ ଆତ୍ମା ନିବେଦନ ॥ ୨୦

ତନ୍ମୟେ ପବନ ନିରୋଧି । ଯେସନେ ନିଶ୍ଚଳ ବାରିଧି ॥ ୨୧

ନିର୍ବାତ ଦେଶେ ଦୀପ ଯେହ୍ନେ । ଋଷିତପସ୍ୟା ସିଦ୍ଧ ତେହ୍ନେ ॥ ୨୨

ପାଇ ବିଷ୍ଣୁ ମାୟାନୁଭବ । ସଂସାର ଦେହ ମିଥ୍ୟାଭାବ ॥ ୨୩

ହରି ଦର୍ଶନେ ସିଦ୍ଧ ହୋଇ । ବସିଛି ଯୋଗରୂଢ ହୋଇ ॥ ୨୪

ଏହାଙ୍କ ତପ ସିଦ୍ଧଫଳେ । ତୁମ୍ଭେ ପ୍ରବେଶ ଋଷିଆଳେ ॥ ୨୫

ଯୋଗ ସିଦ୍ଧିର ଫଳ ଦିଅ । ବିଷ୍ଣୁ ବୈଷ୍ଣବେ ଯଶ ପାଅ ॥ ୨୬

ପାର୍ବତୀଠାରୁ ଏହା ଶୁଣି । ଶିବ କହନ୍ତି ମଞ୍ଜୁବାଣୀ ॥ ୨୭

ଶିବ ଉବାଚ

ଏ ଋଷି ବରେ ଇଚ୍ଛା ନାହିଁ । ଚତୁର୍ବିଧ ମୁକ୍ତି ନ ଚାହିଁ ॥ ୨୮

ଧର୍ମାର୍ଥ କାମ ମୋକ୍ଷମାନ । ଏଣେ ଋଷିର ନାହିଁ ଧ୍ୟାନ ॥ ୨୯

କେବଳ ବାସୁଦେବେ ପ୍ରୀତି । ପଦାରବିନ୍ଦରେ ଭକତି ॥ ୩୦

ମାୟାବିଭୂତିଭାବ ଜାଣି । ସକଳ ମିଥ୍ୟା ପରିମାଣି ॥ ୩୧

ରହିଛି ବାସୁଦେବ ଲୟେ । ବଚନେ ସମସ୍ୟା ନ ଦିଏ ॥ ୩୨

ତେବେ ସେ ଭକତ ଆମ୍ଭରି । ଏହାଙ୍କୁ ସମ୍ଭାଷଣ କରି ॥ ୩୩

ନର ଦେହରେ ସାଧୁସଙ୍ଗ । ପରମ ଲାଭ ମୋକ୍ଷଯୋଗ ॥ ୩୪

ସୂତ ଉବାଚ

ଏମନ୍ତ କହିଣ ଶଙ୍କର । ସକଳ ଭୂତେ ଯେ ଈଶ୍ୱର ॥ ୩୫

ହରପାର୍ବତୀ ଦୁଇ ଯାଇ । ଋଷିଙ୍କ ଆଗେ ଉଭା ହୋଇ ॥ ୩୬

ଈଶ୍ୱରେ ଋଷି ଦୃଷ୍ଟି ନାହିଁ । ଶିବଗଣଙ୍କୁ ନ ଦେଖଇ ॥ ୩୭

ଆପଣା ଦେହକୁ ନ ଜାଣି । ଏମନ୍ତ ଜାଣି ଶୂଳପାଣି ॥ ୩୮

ଯୋଗମାୟା ବଳେ ମହେଶ । ମାର୍କଣ୍ଡ ହୃଦେ ପରବେଶ ॥ ୩୯

ପବନ ପ୍ରାୟ ହୋଇ ପଶି । ନ ଜାଣେ ମାର୍କଣ୍ଡେୟ ଋଷି ॥ ୪୦

ଏମନ୍ତ ରୂପି ମହେଶ୍ୱର । ଜଟାଝଟକ ବିଜୁଳିର ॥ ୪୧

ଚନ୍ଦ୍ର ସୂର୍ଯ୍ୟ ଅଗ୍ନିଲୋଚନ । ଶିରରେ ଚନ୍ଦ୍ର ଶୋଭାବନ ॥ ୪୨

ପାଉଛି ଦଶଭୁଜ ଶୋଭା । ଆଜାନୁଲମ୍ବି ବାହୁପ୍ରଭା ॥ ୪୩

ଭସ୍ମରେ ଅତି ଶୋଭା ପାଇ । ସୂର୍ଯ୍ୟର ପ୍ରାୟ ତେଜୋମୟୀ ॥ ୪୪

ବ୍ୟାଘ୍ରର ଚର୍ମ ପରିଧାନ । ପନ୍ନଗ ଦେହେ ଆଭରଣ ॥ ୪୫

ଡ଼ମ୍ବରୁ ଧନୁ ଯେ ତ୍ରିଶୁଳ । କାଣ୍ଡ ଖଡ୍ଟ ଚର୍ମ କପାଳ ॥ ୪୬

ପରଶୁ ରୁଦ୍ରାକ୍ଷର ମାଳୀ । ଅଭୟବର ହସ୍ତେ ଧରି ॥ ୪୭

ଏମନ୍ତ ରୂପ ହୃଦେ ଚାହିଁ । ମାର୍କଣ୍ଡ ବିସ୍ମିତ ଯେ ହୋଇ ॥ ୪୮

ମହେଶରୂପ ମୋ' ହୃଦୟେ । କାହୁଁ ଏ ଦରଶନ ହୋଏ ॥ ୪୯

ଚିତ୍ତ ମୋ' ଅଛି ବିଷ୍ଣୁ ତହିଁ । ମହେଶରୂପ ତ ଦେଖଇ ॥ ୫୦

ବିଚାରି ଚକ୍ଷୁ ଫେଇ ବେଗେ । ହରପାର୍ବତୀ ଦେଖେ ଆଗେ ॥ ୫୧

ସହିତେ ରୁଦ୍ରଗଣ ଚାହିଁ । ମାର୍କଣ୍ଡେୟ ସଂଭ୍ରମ ହୋଇ ॥ ୫୨

ସାଷ୍ଟାଙ୍ଗେ ପ୍ରଣାମ ସେ କଲେ । ମହାଦେବଙ୍କ ପାଦତଳେ ॥ ୫୩

ପାର୍ବତୀ ରୁଦ୍ରଗଣ ମେଳେ । ମାନସଭାବେ ପୂଜା କଲେ ॥ ୫୪

ସ୍ୱାଗତ ଆସନ ଯେ ପାଦ୍ୟ । ଅର୍ଘ୍ୟ ଧୂପ ଦୀପ ସୁଗନ୍ଧ ॥ ୫୫

ପୁଷ୍ପ ନୈବିଦ୍ୟ ପୂଜା କରି । ଆତ୍ମାରେ ସ୍ତୁତି ସେ ଆଚରି ॥ ୫୬

ତୁମ୍ଭେ ଯେ ଅଟ ପୂର୍ଣ୍ଣକାମ । ଜଗତେ ବରଦାତା ନାମ ॥ ୫୭

ଜଗତ ନିର୍ମାଣ ତୋ' ରୂପ । ହେ ଦେବଦେବ ବିଶ୍ୱରୂପ ॥ ୫୮

ସତ୍ତ୍ୱ ରଜ ତମ ଗୁଣକ । ମୃତ୍ୟୁରୂପ ପବିତ୍ରାତ୍ମକ ॥ ୫୯

ତୁମ୍ଭଙ୍କୁ ମୋର ନମସ୍କାର । ତୁମ୍ଭେ ଯେ ଅବ୍ୟକ୍ତ ଈଶ୍ୱର ॥ ୬୦

କହନ୍ତି ସୂତମୁନି ଧୀରେ । ଶୌନକ ମୁନିଙ୍କ ଆଗରେ ॥ ୬୧

ସେ ଯେ ମହେଶ ଦେବଦେବ । ସାଧୁମାନଙ୍କ ଗତିଭାବ ॥ ୬୨

ଏ ସ୍ତୁତି ଶୁଣିଣ ହରଷ । କୋମଳେ କହନ୍ତି ମହେଶ ॥ ୬୩

ଶିବ ଉବାଚ

ହେ ମୁନି ମାଗ ବର ମୋତେ । ପ୍ରସନ୍ନ ହୋଇଲି ମୁଁ ତୋତେ ॥ ୬୪

ବ୍ରହ୍ମା ବିଷ୍ଣୁ ମହେଶ ତିନି । ଅଭେଦ ଏକମୂର୍ତ୍ତି ଘେନି ॥ ୬୫

ତିନିହେଁ ବରେ ଅଧିକାରୀ । ମାଗ ହେ ମନ ଇଚ୍ଛା କରି ॥ ୬୬

କଠୋରେ ବିଷ୍ଣୁବଶ କରି । ଶୁଣ ମାର୍କଣ୍ଡ ତପଚାରୀ ॥ ୬୭

ତ୍ରିବର୍ଗ ଆମ୍ଭ ଦରଶନେ । ମୁକତି ବିଷ୍ଣୁର ପ୍ରସନ୍ନେ ॥ ୬୮

ସାଧୁସନ୍ଥଙ୍କ ସଙ୍ଗ ଯେହି । ଭକତ ବତ୍ସଳ ବା ହୋଇ ॥ ୬୯

ଏକାନ୍ତଭକ୍ତି ଆମ୍ଭଠାରେ । ସମଦରଶୀ ନିର୍ବଇରେ ॥ ୭୦

ଏ ଗୁଣେ ବ୍ରାହ୍ମଣେ ଭଜିଲେ । ବ୍ରହ୍ମେ ପ୍ରବେଶ ହୋ'ନ୍ତି ଭଲେ ॥ ୭୧

ସକଳ ଲୋକପାଳମାନ । ତା'ଙ୍କୁ କରନ୍ତି ଉପାସନ ॥ ୭୨

ବ୍ରହ୍ମା ବିଷ୍ଣୁ ଯେ ମୁଁ ମହେଶ । ତିନିହେଁ ତା'ର ହେଉ ବଶ ॥ ୭୩

ଆମ୍ଭର ଲେଶେ ଭିନ୍ନ ନାହିଁ । ତୁମ୍ଭର ଭାବ ମୁଁ ଜାଣଇ ॥ ୭୪

ତୁମ୍ଭେ ପରମ ଭାଗବତ । ବିଷ୍ଣୁରେ ଧ୍ୟାନ ଅବିରତ ॥ ୭୫

ତେଣୁ ତୁମ୍ଭଙ୍କୁ ଦରଶନ । ଦେଲଇଁ ହୋଇଣ ପ୍ରସନ୍ନ ॥ ୭୬

ଯେ ଜଳମୟ ତୀର୍ଥସ୍ଥାନ । ପାଷାଣମୟ ଦେବଗଣ ॥ ୭୭

ପବିତ୍ର ବହୁଦିନେ କରେ । ତୁମ୍ଭ ଦର୍ଶନମାତ୍ରେ ତରେ ॥ ୭୮

ବ୍ରାହ୍ମଣ ଜନେ ନମସ୍କାର । ସମଦରଶୀ ଭାବ ଯା'ର ॥ ୭୯

ଆମ୍ଭ ରୂପ ତ୍ରିଗୁଣ ଭେଦ । ଋକ ଯଜୁ ଯେ ସାମବେଦ ॥ ୮୦

ଆପଣା ସମାଧି ଯୋଗରେ । ତପ ସାଧନ୍ତି ସଂଯମରେ ॥ ୮୧

ନାନା ଭାବରେ ବିହରନ୍ତି । ଜଗତ ପବିତ୍ର କରନ୍ତି ॥ ୮୨

ଯା ନାମ ଶ୍ରବଣ କଲାରୁ । ଦର୍ଶନ ସେବା କିବା କରୁ ॥ ୮୩

ମହାପାତକୀ ଅନ୍ତ୍ୟ ଜାତି । ଏମାନେ ପବିତ୍ର ହୁଅନ୍ତି ॥ ୮୪

ବିଶୁଦ୍ଧ ବିଷ୍ଣୁର ଭକତ । ନିର୍ଗୁଣବ୍ରହ୍ମେ ଯା'ର ଚିତ୍ତ ॥ ୮୫

ସେ ସାଧୁ ବ୍ରାହ୍ମଣ ସଙ୍ଗତେ । ସଙ୍ଗ ହୁଅନ୍ତି ଯେବା ନିତ୍ୟେ ॥ ୮୬

କିପାଇଁ ପବିତ୍ର ନୋହିବେ । ସେ କିପାଁ ସଂସାରେ ପଡ଼ିବେ ॥ ୮୭

ସୂତ ଉବାଚ

ସୂତ କହେ ଶୌନକ ଶୁଣ । ସେ ଚନ୍ଦ୍ରଶେଖର ବଚନ ॥ ୮୮

ଗୁପତ ଧର୍ମଯୁକ୍ତ ବାଣୀ । ଅମୃତ ଆପ୍ୟାୟନେ ମୁନି ॥ ୮୯

ତା' ମନ ତୃପତ ନ ହୋଇ । ମହେଶ ଭାବେ ମନ ଦେଇ ॥ ୯୦

ସୁଧାବଚନ କର୍ଣ୍ଣେ ପିଇ । ଅଜ୍ଞାନକ୍ଳେଶ ଦୂର ହୋଇ ॥ ୯୧

ଶିବ ପୀୟୁଷବାଣୀ ଶୁଣି । କହଇ ମାରକଣ୍ଡ ମୁନି ॥ ୯୨

ମାର୍କଣ୍ଡେୟ ଉବାଚ

ଭୋ ପ୍ରଭୁ ତୁମ୍ଭର ମହିମା । ଦେହଧାରୀଙ୍କୁ ସେ ଅଜଣା ॥ ୯୩

ଯା'ର ମାୟା ମୋହିତ ହୋଇ । ବ୍ରହ୍ମା ବିଷ୍ଣୁ ଶିବ ଅଛଇ ॥ ୯୪

ସେମାନେ ଜଗତ ଈଶ୍ୱର । ଯେଝା ମାର୍ଗେ ସେ ଦ୍ୟନ୍ତି ବର ॥ ୯୫

ତ୍ରିଗୁଣ ପାଶେ ଯେ ବନ୍ଧନ । ମାୟାର ମୋହେ ହୋନ୍ତି ଛନ୍ନ ॥ ୯୬

ଯେଉଁ ପ୍ରକାରେ ତା'ଙ୍କୁ ମାୟା । ପ୍ରବର୍ତ୍ତି କରେ ବିଷ୍ଣୁ ଏହା ॥ ୯୭

ସେ ମାର୍ଗେ ପ୍ରବର୍ତ୍ତି ଅଛନ୍ତି । ଧର୍ମ ଅଧର୍ମ ମାର୍ଗେ ଯା'ନ୍ତି ॥ ୯୮

ପ୍ରାଣୀଏ ସଂସାର କାରଣେ । ମନ୍ୱାଦି ଧର୍ମଶାସ୍ତ୍ରମାନେ ॥ ୯୯

ଏ ଭାବେ ସଂସାର ରଚନା । ଏ ସର୍ବ ବିଷ୍ଣୁ ପ୍ରଭାବନା ॥ ୧୦୦

ଧର୍ମରେ ଯେ ଲୋକ ଅଛନ୍ତି । ଆତ୍ମାରେ ବିଷ୍ଣୁଙ୍କୁ ଜାଣନ୍ତି ॥ ୧୦୧

ତା'ଙ୍କୁ ଦେଖିଣ ଜନମାନେ । ସ୍ତୁତି କରନ୍ତି ଯଶଗୁଣେ ॥ ୧୦୨

ଯେ ଅଟେ ଜଗତ ଈଶ୍ୱର । ସେ ପୁଣି କରେ ନମସ୍କାର ॥ ୧୦୩

ଏ ବଡ଼ ଲୋକଙ୍କର ଗୁଣ । ଲୋକଶିକ୍ଷାର ପାଇଁ ପୁଣ ॥ ୧୦୪

ଅଳପଲୋକେ ଦ୍ୟନ୍ତି ମାନ । ସ୍ତୁତି କରନ୍ତି ଯଶଗୁଣ ॥ ୧୦୫

ଏଥେ ନ ଯାଏ ବଡ଼ପଣ । କୁହୁକ ଏ ଚକ୍ଷୁହରଣ ॥ ୧୦୬

ହେ ପ୍ରଭୁ ମୋର ବାଞ୍ଛା ଏତେ । ତୁମ୍ଭ ମାୟାରେ ଏ ଜଗତେ ॥ ୧୦୭

ମାୟା-ଚେଷ୍ଟାରେ ପ୍ରାଣୀ ଭ୍ରମି । ଯେତେ ହୁଅନ୍ତି ପଥଶ୍ରମୀ ॥ ୧୦୮

ଏ କଥା ଯେମନ୍ତ ନୋହଇ । ତେମନ୍ତ କର ଊମାସାଇଁ ॥ ୧୦୯

ଏ ଚକ୍ଷୁହରଣ କୁହୁକ । ପ୍ରତ୍ୟକ୍ଷେ ଦେଖାଇ ଅନେକ ॥ ୧୧୦

ହରନ୍ତି ଯେମନ୍ତ ପ୍ରକାରେ । ତେମନ୍ତ ଭାବ ଜଗତରେ ॥ ୧୧୧

କର୍ମବନ୍ଧନ ତୁମ୍ଭେ ହର । ଚରଣେ ନିମଗ୍ନ ତୁମ୍ଭର ॥ ୧୧୨

ଆପଣା ମନରୁ ଭିଆଇ । ଯେ ସୃଷ୍ଟି ମଧ୍ୟେ ପ୍ରବେଶଇ ॥ ୧୧୩

ସ୍ୱପ୍ନ ଦେଖନ୍ତା ପ୍ରାୟ ରହି । କର୍ତ୍ତା ସ୍ୱରୂପେ ପ୍ରତେ ହୋଇ ॥ ୧୧୪

ସ୍ୱପ୍ନେ ଦେଖିଲା କଥା ଯେହ୍ନେ । ମିଥ୍ୟା ସେ ନିଦ୍ରାର ଭଞ୍ଜନେ ॥ ୧୧୫

ତେମନ୍ତ ସଂସାର ବନ୍ଧନ । ମାୟା କର୍ମରେ ସେ ସର୍ଜନ ॥ ୧୧୬

ସେ ଯେ ଭଗବତ ପୁରୁଷ । ବାସୁଦେବ ନିର୍ଗୁଣ ଅଂଶ ॥ ୧୧୭

ତ୍ରିଗୁଣେ ସଂଯୁତ କେବଳ । ନାହିଁ ତାହାର ଆଦିମୂଳ ॥ ୧୧୮

ସକଳ ଜଗତର ଗୁରୁ । ସେ ଯେ ଅଟନ୍ତି ମହାମେରୁ ॥ ୧୧୯

ତୁମ୍ଭେ ଯେ ବ୍ରହ୍ମମୂର୍ତ୍ତି ହର । ତୁମ୍ଭଙ୍କୁ ମୋ'ର ନମସ୍କାର ॥ ୧୨୦

ଆଜ୍ଞା ହୋଇଲା ମାଗ ବର । କି ବର ମାଗିବି ଆବର ॥ ୧୨୧

ଯାହାର ଦରଶନେ ପୁଣି । ପୂର୍ଣ୍ଣ ଯେ କାମ ତତକ୍ଷଣି ॥ ୧୨୨

ତୁମ୍ଭ ଦର୍ଶନେ ସେ ସକଳ । ପୂର୍ଣ୍ଣ କାମ ହୋଇ ସଫଳ ॥ ୧୨୩

ତଥାପି ତୁମ୍ଭର ବଚନ । ମାଗୁଛି ଏକବର ପୁଣ ॥ ୧୨୪

ତୁମ୍ଭେ ଯେ ପୂର୍ଣ୍ଣକାମଦାତା । ଈଶ୍ୱରମୟ ସର୍ବଭୂତା ॥ ୧୨୫

ତୁମ୍ଭର ଚରଣାରବିନ୍ଦେ । ଭକ୍ତି ମୋ' ରହିବ ଆନନ୍ଦେ ॥ ୧୨୬

ସେ ବାସୁଦେବ ନାରାୟଣ । ସକଳ ପ୍ରାଣୀଙ୍କ ଜୀବନ ॥ ୧୨୭

ତା'ଙ୍କ ଚରଣରେ ଭକତି । ଅବିଘ୍ନେ ରହିବ ମୋ' ମତି ॥ ୧୨୮

ବୈଷ୍ଣବ ଜନମାନଙ୍କରେ । ବିଶ୍ୱାସ ଭକ୍ତି ରହୁ ମୋରେ ॥ ୧୨୯

ସୂତ ଉବାଚ

ସୂତ କହେ ଶୌନକ ମୁନି । ମହେଶ ତା'ଙ୍କ ସ୍ତୁତି ଶୁଣି ॥ ୧୩୦

ମୁନିଙ୍କ ସୁକୋମଳ ବାଣୀ । ସନ୍ତୋଷମନେ ଶୂଳପାଣି ॥ ୧୩୧

ପାର୍ବତୀ ସହିତ ଆନନ୍ଦେ । ଋଷିଙ୍କୁ କହେ ଆଶୀର୍ବାଦେ ॥ ୧୩୨

ଈଶ୍ୱର ଉବାଚ

ହେ ମହାଋଷି ବାଞ୍ଛା ତୋ'ର । ସିଦ୍ଧି ହୋଇଲା ଯେ ନିକର ॥ ୧୩୩

ବାସୁଦେବ ଚରଣେ ଭକ୍ତି । ଅବିଘ୍ନେ ଲଭ ସେହୁ ଗତି ॥ ୧୩୪

ସାତକଳପ ପରିଯନ୍ତେ । ଅଜ୍ରାମର ହୁଅ ନିଶ୍ଚିନ୍ତେ ॥ ୧୩୫

ପ୍ରାପତ ହେଉ ଯଶପୁଣ୍ୟ । ଭୂତ ଭବିଷ୍ୟ ବର୍ତ୍ତମାନ ॥ ୧୩୬

ଅକ୍ଷୟ ତିନିକାଳେ ଜ୍ଞାନ । ଆତ୍ମାରେ ପରମାତ୍ମା ଚିହ୍ନ ॥ ୧୩୭

ଲଭ ବୈରାଗ୍ୟ ବ୍ରହ୍ମଜ୍ଞାନ । ହେଉ ତୋ' ବ୍ରହ୍ମତେଜ ପୁଣ ॥ ୧୩୮

ପୁରାଣକର୍ତ୍ତା ତୁମ୍ଭେ ହୁଅ । ଯାହାର ନାମ ମାର୍କଣ୍ଡେୟ ॥ ୧୩୯

ସୂତ କହେ ନୈମିଷାରଣ୍ୟେ । ଶୌନକ ମୁନି ସନ୍ନିଧାନେ ॥ ୧୪୦

ସୂତ ଉବାଚ

ଏମନ୍ତ ବର ହର ଦେଇ । ଗଲେ ସେ ଅନ୍ତର୍ଦ୍ଧାନ ହୋଇ ॥ ୧୪୧

ସେ ମାୟା ଅନୁଭବ ପୁଣ । କହିଲେ ପାର୍ବତୀ ଆଗେଣ ॥ ୧୪୨

ଯୋଗ ମହିମା ଋଷି ପାଇ । ଆପଣା ଆଶ୍ରମରେ ରହି ॥ ୧୪୩

ସିଦ୍ଧ ସ୍ୱରୂପ ଧ୍ୟାନେ ରହି । ବାସୁଦେବେ ନିମଗ୍ନ ହୋଇ ॥ ୧୪୪

ସାତକଳପ ଚିରଞ୍ଜିବୀ । ଧ୍ୟାନେ ରହିଲେ ବିଷ୍ଣୁସେବି ॥ ୧୪୫

ସେ ଏବେ ଅନ୍ତର୍ଦ୍ଧାନେ ରହି । ତପ-ଧ୍ୟାନରେ ବସିଛଇଁ ॥ ୧୪୬

ସେ ଯେ ମାର୍କଣ୍ଡ ମହାଋଷି । ଏହାଙ୍କ ମହିମା ବିଶେଷି ॥ ୧୪୭

ବର୍ଣ୍ଣନା କରି ତୁମ୍ଭ ଆଗେ । କହିଲୁ ଯଥାବିଧିଭାଗେ ॥ ୧୪୮

ବାସୁଦେବ ମାୟାନୁଭବ । ଅଦ୍ଭୂତ ଅଟେ ଯେଉଁ ଭାବ ॥ ୧୪୯

ପଣ୍ଡିତମାନେ ଏ ସଂସାରେ । ପଡ଼ି ଏ ମାୟା ବନ୍ଧନରେ ॥ ୧୫୦

ନାନା ପ୍ରକାରେ ମୋହି ହୋ'ନ୍ତି । ବାସୁଦେବଙ୍କୁ ନ ଜାଣନ୍ତି ॥ ୧୫୧

ସେ କୃଷ୍ଣଚରଣାରବିନ୍ଦେ । ଯେ ନିତ୍ୟ ସେବନ୍ତି ଆନନ୍ଦେ ॥ ୧୫୨

ସେହୁ ସେ ପଣ୍ଡିତ ବୋଲାନ୍ତି । ଏ ମାୟା ସେମାନେ ତରନ୍ତି ॥ ୧୫୩

ସୂତ କହନ୍ତି ହେ ଶୌନକ । ତୁ ଭୃଗୁଶ୍ରେଷ୍ଠ ପୁଣ୍ୟାତ୍ମକ ॥ ୧୫୪

ଏ ବାସୁଦେବର ବର୍ଣ୍ଣନ । କହିଲୁ ତୁମ୍ଭର ଆଗେଣ ॥ ୧୫୫

ସେ ବାସୁଦେବ ଚକ୍ରଧର । ଚକ୍ରରେ କାଟେ ମାୟାଘୋର ॥ ୧୫୬

ତା'ଙ୍କ ମହିମା ଯେଉଁମାନେ । ଶୁଣନ୍ତି ଶୁଣାନ୍ତି ଗାୟନେ ॥ ୧୫୭

ତାଙ୍କର କର୍ମବନ୍ଧ ନାହିଁ । ସଂସାର ମାୟା ନ ଲାଗଇ ॥ ୧୫୮

ଅନ୍ତେ ସେ ବଇକୁଣ୍ଠ ପା'ନ୍ତି । ସକଳ ପାପରୁ ତରନ୍ତି ॥ ୧୫୯

କହଇ ବିପ୍ର ଜଗନ୍ନାଥ । ଦ୍ୱାଦଶସ୍କନ୍ଧେ ଭାଗବତ ॥ ୧୬୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱାଦଶସ୍କନ୍ଧେ ଦଶମୋଦ୍ଧଧ୍ୟାୟଃ ॥

* * *