ଦ୍ୱାଦଶ ସ୍କନ୍ଧ
ନବମ ଅଧ୍ୟାୟ
ସୂତ ଉବାଚ
ସୂତ ପୌରାଣିକ କହନ୍ତି । ଶୁଣ ଶୌନକ ଆଦି ଯତି ॥ ୧
ଏହି ପ୍ରକାରେ ମାର୍କଣ୍ଡେୟ । କଲେ ବହୁ ସ୍ତୁତି ବିନୟ ॥ ୨
ନର ନାରାୟଣ ତା' ଶୁଣି । ସନ୍ତୋଷ ଭାବେ କହି ବାଣୀ ॥ ୩
ଭଗବାନ ଉବାଚ
ହେ ବ୍ରହ୍ମଋଷି ତପୋନିଷ୍ଠ । ସମାଧି ଯୋଗେ ଜ୍ଞାନୀ ଅଟ ॥ ୪
ତେଣୁ ତୁମ୍ଭେ ସିଦ୍ଧ ହୋଇଲ । ନିଶ୍ଚଳ ଭକ୍ତିରେ ଭଜିଲ ॥ ୫
ମୋ' ଠାରେ ତପଜ୍ଞାନବଳେ । ବେଦାଧ୍ୟୟନ ସଂଯମରେ ॥ ୬
ଆମ୍ଭେ ଯେ ସନ୍ତୋଷ ହୋଇଲୁ । ବ୍ରତ-ଆଚାର-ତପ ବଳୁ ॥ ୭
ଏବେ ହୋ ବର ମାଗ ତୁମ୍ଭେ । ଯାହା ମାଗିବ ଦେବୁ ଆମ୍ଭେ ॥ ୮
ମନୋରଥ ପୂର୍ଣ୍ଣ କରିଣ । କୁଶଳେ ବର ମାଗି ଘେନ ॥ ୯
ବିଷ୍ଣୁ ବଦନୁଁ ଏହା ଶୁଣି । କହନ୍ତି ମାରକଣ୍ଡ ମୁନି ॥ ୧୦
ମାର୍କଣ୍ଡେୟ ଉବାଚ
ହେ ଦେବ ଦେବ ନାରାୟଣ । ସକଳ ଜଗତ କାରଣ ॥ ୧୧
ଶରଣାପନ୍ନ ତାପ ହର । ବିପତ୍ତି ପାପ କ୍ଷୟ କର ॥ ୧୨
ପରମପଥ ଦେଖାଇଲ । କୃତାର୍ଥ ପ୍ରଭୁ ମୋତେ କଲ ॥ ୧୩
ବରେ ମୋ' କିବା ପ୍ରୟୋଜନ । ଯେଣୁ ଦେଖିଲି ତୋ' ଚରଣ ॥ ୧୪
ତୁମ୍ଭର ଚରଣକୁ ଧ୍ୟାୟି । ଶ୍ରୀପଦେ ଆତ୍ମାକୁ ମିଶାଇ ॥ ୧୫
ତୁମ୍ଭ ଦର୍ଶନ ପାଇଲଇଁ । ଅନ୍ୟ କି ବର ମାଗିବଇଁ ॥ ୧୬
ଅଷ୍ଟାଙ୍ଗଯୋଗ ଧାରଣାରେ । ଦେଖନ୍ତି ଦେହର ଭିତରେ ॥ ୧୭
ଯାହାର ଚରଣକୁ ଧ୍ୟାୟି । ପରମପଦ ବ୍ରହ୍ମା ପାଇ ॥ ୧୮
ସେ ତୁମ୍ଭେ ମୋ ଚକ୍ଷୁ ଗୋଚରେ । ଦର୍ଶନ ଦେଲ ସାକ୍ଷାତରେ ॥ ୧୯
ହେ ପଦ୍ମନେତ୍ର ଚକ୍ରପାଣି । ହେ ପୁଣ୍ୟଶ୍ଳୋକ ଶିଖାମଣି ॥ ୨୦
ତୁମ୍ଭର ଅନୁଗ୍ରହ ହେବ । ମାୟା ମହିମା ଦେଖାଇବ ॥ ୨୧
ଯେ ମାୟା ସକଳ ଲୋକରେ । ଲୋକପାଳାଦି ବଶ କରେ ॥ ୨୨
ସୂତ କହନ୍ତି ମୁନି ଆଗେ । ମାର୍କଣ୍ଡ ବିନୟ ଯେ ଭାବେ ॥ ୨୩
ପ୍ରସନ୍ନେ କହି ଭଗବାନ । ଏ ତୋ'ର ବାଞ୍ଛା ହେଉ ପୂର୍ଣ୍ଣ ॥ ୨୪
ମାୟା ମହିମା ମୋର ଦେଖ । ଏ ଅନ୍ତେ ଲଭ ସର୍ବ ସୁଖ ॥ ୨୫
ଏମନ୍ତ କହି ବଦ୍ରିସ୍ଥାନେ । ବିଜୟ ନରନାରାୟଣେ ॥ ୨୬
ତହୁଁ ମାର୍କଣ୍ଡେୟ ଆଶ୍ରମେ । ରହିଲେ ବାସୁଦେବ ଧ୍ୟାନେ ॥ ୨୭
ଜଳ ପବନ ଯେ ଆକାଶ । ଭୂ ଅଗ୍ନି ପଞ୍ଚଭୂତେ ବାସ ॥ ୨୮
ସ୍ଥାବର ଜଙ୍ଗମ ପତଙ୍ଗ । କୀଟାଦି ଚାରିଖାନି ଅଙ୍ଗ ॥ ୨୯
ସବୁ ବାସୁଦେବ ସ୍ୱରୂପେ । ଧ୍ୟାନ କରନ୍ତି ଲୟ କଳ୍ପେ ॥ ୩୦
ଭାବଯୁକ୍ତ ହୋଇ ମନରେ । ଭାବଦ୍ରବ୍ୟେ ପୂଜେ ବିଷ୍ଣୁରେ ॥ ୩୧
କେବେ ବା ପ୍ରେମେ ବିହ୍ୱଳିତ । ହୋଇ ଭୁଲଇ ପୂଜା ଅର୍ଥ ॥ ୩୨
ବାସୁଦେବ ଚରଣେ ଲୟେ । ଧ୍ୟାନରେ ନିମଗ୍ନ ସେ ହୋଏ ॥ ୩୩
ଆପଣା ଆଶ୍ରମରେ ଥାଇ । କିଛିଦିନ ଯେ ଶେଷ ହୋଇ ॥ ୩୪
ପୁଷ୍ପଭଦ୍ରାନଦୀ ତଟରେ । ସ୍ନାନ ସନ୍ଧ୍ୟା ସାରି ତ୍ରିକାଳେ ॥ ୩୫
ଯୋଗଧ୍ୟାନରେ ବସିଛନ୍ତି । ବାସୁଦେବଙ୍କୁ ହୃଦେ ଚିନ୍ତି ॥ ୩୬
ଏମନ୍ତେ ପ୍ରଚଣ୍ଡ ପବନ । ବହେ ମହାଘୋର ଶବ୍ଦେଣ ॥ ୩୭
ଆକାଶେ ମହାଭୟଙ୍କର । ମେଘେ ଉଠିଲେ ଶୀଘ୍ରତର ॥ ୩୮
ରଥ ଅଖର ପରକାରେ । ଧାରା ବୃଷ୍ଟି କଲେ ଶୂନ୍ୟରେ ॥ ୩୯
ବିଦ୍ୟୁତ୍ ଝଟକ ଶବଦ । ବଜ୍ର ନିର୍ଘାତ ଇନ୍ଦ୍ରାୟୁଧ ॥ ୪୦
ସେ ଜଳେ ଭୂମିପୂର୍ଣ୍ଣ ହୋଇ । ସମୁଦ୍ରେ ଲାଗି ଉଚ୍ଛୁଳଇ ॥ ୪୧
ସର୍ବେ ଏକାର୍ଣ୍ଣବ ହୋଇଲେ । ତରଙ୍ଗ ଲହରୀ ଉଠିଲେ ॥ ୪୨
ପବନ ବଳେ ଜଳମାନେ । ଉଲ୍ଲୋଳେ ଲାଗିଲେ ଗଗନେ ॥ ୪୩
କଚ୍ଛପ କୁମ୍ଭୀର ମକର । ମତ୍ସ୍ୟ ଆଦି ଯେ ଜଳଚର ॥ ୪୪
ଏମାନେ ଭାସିଣ ଗର୍ଜିଲେ । ସର୍ବେ ଜଳରେ ଲୀନ ହେଲେ ॥ ୪୫
ସପ୍ତସମୁଦ୍ର ସପ୍ତଦୀପ । ହୋଇଲା ଏକଖଣ୍ଡ ଆପ ॥ ୪୬
ବ୍ରହ୍ମାଣ୍ଡଯାକ ପୂର୍ଣ୍ଣ ହୋଇ । ନିର୍ଘାତ ଶବଦେ ଚଳଇ ॥ ୪୭
ଏ ଭାବେ ସମସ୍ତେ ବୁଡ଼ିଲେ । ଯେଣୁ ସେ ବିଷ୍ଣୁ ମାୟା କଲେ ॥ ୪୮
ମୁନି ଆପଣା ସଙ୍ଗତରେ । ଜୀବଙ୍କୁ ଭିତରେ ବାହାରେ ॥ ୪୯
ଦେଖି ଜଳରେ ନିମଗନ । ବିଜୁଳି ତେଜେ ଖେଦମନ ॥ ୫୦
ପୃଥିବୀ ଜଳମଗ୍ନ ଦେଖି । ଭୟେ ହୋଇଲେ ମହାଦୁଃଖୀ ॥ ୫୧
ଜଳ ଏକାର୍ଣ୍ଣବ ହୋଇଣ । ଆକାଶ ପର୍ଯ୍ୟନ୍ତ ଲାଗିଣ ॥ ୫୨
ଜଗତ ଅନ୍ତର୍ଦ୍ଧାନ ହେଲା । ପୃଥ୍ୱୀ ଆକାଶ ନ ଦିଶିଲା ॥ ୫୩
ସ୍ୱର୍ଗେ ନକ୍ଷତ୍ର ଗ୍ରହଗଣ । ଜ୍ୟୋତିଷ ଚକ୍ର ସମେତେଣ ॥ ୫୪
ସବୁ ଜଳେ ଏକ ହୋଇଲା । ସମସ୍ତ ଜଳରେ ବୁଡ଼ିଲା ॥ ୫୫
ସେ ମୁନି ଯୋଗମାୟାବଳେ । ଭାସିଲେ ପ୍ରଳୟ ଜଳରେ ॥ ୫୬
ଜଟାମଣ୍ଡଳ ଫିଟି ଭାସେ । ଅନ୍ଧାର ପଥ ପ୍ରାୟ ଦିଶେ ॥ ୫୭
କ୍ଷୁଧା ତୃଷାରେ ପୀଡ଼ା ପାଇ । ପବନେ ତରଙ୍ଗେ ଭାସଇ ॥ ୫୮
ମକର ତିମି ଜନ୍ତୁଗଣେ । ପୀଡ଼ିତ ହୋଇ ଋଷି ଭ୍ରମେ ॥ ୫୯
ଅନ୍ଧାରେ ଦିଗ ହିଁ ନ ଦିଶେ । ବୁଡ଼ି ଜୀବନ ମାତ୍ର ଶେଷେ ॥ ୬୦
ମହା ଆବର୍ତ୍ତେ ପଡ଼ି କାହିଁ । ସେ ମୁନି ମୋହିତ ହୁଅଇ ॥ ୬୧
କାହିଁ ତରଙ୍ଗେ ବୁଡ଼ିଯା'ନ୍ତି । ଲହରୀମାନଙ୍କେ ଉଠନ୍ତି ॥ ୬୨
କୁମ୍ଭୀର ମକରେ ବା କାହିଁ । ସାନକୁ ବଡ଼ ଯେ ଗିଳଇ ॥ ୬୩
ତା'ଙ୍କ ତହୁଁ ବଳି ପଡ଼ନ୍ତି । ଶୋକେ ଦୁଃଖେ ମୋହେ ମଜ୍ଜନ୍ତି ॥ ୬୪
କେବେ ତାହାଙ୍କ ଭକ୍ଷ୍ୟ ହୋନ୍ତି । କାହିଁବା ଶୋକ ଭୟ ପା'ନ୍ତି ॥ ୬୫
ବ୍ୟାଧି ଦୁଃଖ ପାଇ ମରନ୍ତି । ଆତ୍ମା ପୀଡ଼ିତେ ମୋହ ଯା'ନ୍ତି ॥ ୬୬
ଏମନ୍ତେ ଅୟୁତ ଲକ୍ଷେଣ । ଗଲା ବତ୍ସର ଦିନମାନ ॥ ୬୭
ଅତି ଆରତେ ମାରକଣ୍ଡ । ଜାଣିଲେ ନିଶ୍ଚେ ଯିବ ପିଣ୍ଡ ॥ ୬୮
ବିଷ୍ଣୁର ମାୟାମୋହେ ପୁଣି । ଭାସନ୍ତି ମାରକଣ୍ଡ ମୁନି ॥ ୬୯
ବିଷ୍ଣୁମାୟାରେ ଏକଦିନେ । ଭାସି ଲାଗିଲେ ଉଚ୍ଚସ୍ଥାନେ ॥ ୭୦
ବ୍ରହ୍ମାଣ୍ଡ ମଧ୍ୟେ ଜମ୍ବୁଦ୍ୱୀପ । ନବଖଣ୍ଡରେ ସେ ସଂକ୍ଷେପ ॥ ୭୧
ଭାରତବରଷ ମଧ୍ୟରେ । ଆର୍ଯ୍ୟାବର୍ତ୍ତ ନାମ ବିସ୍ତାରେ ॥ ୭୨
ଉତ୍କଳ ନାମକ ଦେଶରେ । ଆର୍ଯ୍ୟାବର୍ତ୍ତ ଅଗ୍ନିକୋଣରେ ॥ ୭୩
ଦକ୍ଷିଣ ମହୋଦଧି ତଟ । ସମୁଦ୍ର ଉତ୍ତରେ ପ୍ରକଟ ॥ ୭୪
ନାମ ଯା' ଶ୍ରୀପୁରୁଷୋତ୍ତମ । ସକଳ କ୍ଷେତ୍ର ଯହୁଁ ଜନ୍ମ ॥ ୭୫
ନୀଳାଚଳ ଗିରି ଶିଖରେ । ଅକ୍ଷୟ କଳ୍ପବଟ ପରେ ॥ ୭୬
କ୍ଷେତ୍ରବଟ ସମେତ ହୋଇ । ପ୍ରଳୟ ଜଳରେ ଭାସଇ ॥ ୭୭
ପବନ ବଳରେ ନ ଚଳେ । ସଳଖେ ଜନଲୋକେ ମିଳେ ॥ ୭୮
ପଞ୍ଚକୋଶ ବିସ୍ତାର ହୋଇ । ବେଢିଣ ଜ୍ୟୋତିର୍ମୟ ଦେହୀ ॥ ୭୯
ଜଳ ଉପରେ ତା ପଲ୍ଲବ । ଫଳ ପଲ୍ଲବେ ଶୋଭା ଦିବ୍ୟ ॥ ୮୦
ସେ ଯେଉଁ ବୃକ୍ଷ ତିନିଡ଼ାଳ । ପୂର୍ବ ଐଶାନ୍ୟ ଯେ ଉତ୍ତର ॥ ୮୧
ପୂର୍ବ ଉତ୍ତର ମଧ୍ୟେ ଶାଖା । ଐଶାନ୍ୟ ଡ଼ାଳ ମଧ୍ୟେ ଦେଖା ॥ ୮୨
ନବ ପଲ୍ଲବ ବଟପୁଟେ । ଏକ ପୁରୁଷ ଜବାଙ୍ଗୁଷ୍ଠେ ॥ ୮୩
ସେ ବଟପୁଟରେ ଶୟନ । ମାର୍କଣ୍ଡ କଲେ ତା' ଦର୍ଶନ ॥ ୮୪
ଅଙ୍ଗୁଷ୍ଠ ପ୍ରମାଣେ ପୁରୁଷ । ଆପଣା ପ୍ରଭାରେ ସେ ଦୃଶ୍ୟ ॥ ୮୫
ପ୍ରଳୟ-ଅନ୍ଧାର ଛେଦନ । ମହାମର୍କତ ମଣି ଶ୍ୟାମ ॥ ୮୬
ମୁଖ ଲୋଚନ ପାଣି କର୍ଣ୍ଣ । ପ୍ରକାଶ କମଳ ଯେସନ ॥ ୮୭
କଣ୍ଠରେ ଶଙ୍ଖରେଖା ଅଛି । ଶ୍ରୀବତ୍ସଚିହ୍ନ ହୃଦେ ଗଚ୍ଛି ॥ ୮୮
ହୃଦୟ ବିସ୍ତାର ସୁନ୍ଦର । ବ୍ରହ୍ମାଣ୍ଡ ସର୍ଜନ ସଂହାର ॥ ୮୯
ନାସିକା ଅତ୍ୟନ୍ତ ସୁନ୍ଦର । ଭ୍ରୂଲତା ଧନୁ କନ୍ଦର୍ପର ॥ ୯୦
ନିଃଶ୍ୱାସ ପବନ ଚଞ୍ଚଳ । ଚଳନ୍ତି କର୍ଣ୍ଣର କୁଣ୍ଡଳ ॥ ୯୧
ପକ୍ୱ ଡ଼ାଳିମ୍ବ ବୀଜ ପ୍ରାୟେ । ଦନ୍ତପନ୍ତି ଯେ ଶୋଭାପାଏ ॥ ୯୨
ପ୍ରବାଳ ଅରୁଣ ଅଧର । ଦରହାସରେ ସେ ସୁନ୍ଦର ॥ ୯୩
ଅରୁଣପଦ୍ମ ଯେ ଲୋଚନ । କଟାକ୍ଷ କୋଣେ ବିଲୋକନ ॥ ୯୪
ନାଭି ଉପରେ ବଳିମାନ । ନିଃଶ୍ୱାସ ପବନେ କମ୍ପନ ॥ ୯୫
ଦୁଇ ହସ୍ତେ ପାଦ ଅଙ୍ଗୁଳି । ଧରି ଚୁମ୍ବନ୍ତି ମୁଖେ ତୋଳି ॥ ୯୬
ଚରଣାମ୍ବୁଜ ମକରନ୍ଦ । ମୁଖେ ଭରିଣ ସେ ଆନନ୍ଦ ॥ ୯୭
ବାଳକ ରୂପରେ ଶୟନ । ମାର୍କଣ୍ଡ ବିସ୍ମୟ ଦେଖିଣ ॥ ୯୮
ଦର୍ଶନେ ଶ୍ରମ ଦୂର ଗଲା । ଆନନ୍ଦେ ରୋମ ପୁଲକିଲା ॥ ୯୯
ପଦ୍ମପ୍ରାୟେ ଚକ୍ଷୁ ବିକାଶି । ପୁଲକ ରୋମାବଳୀ ରାଶି ॥ ୧୦୦
ତା'ଙ୍କ ନାମ ପୁଛିବା ଅର୍ଥେ । ମାର୍କଣ୍ଡ ବିଚାରିଲେ ଚିତ୍ତେ ॥ ୧୦୧
ବାଳକ ନିକଟେ ପ୍ରବେଶି । ଉଭା ହୋଇଲେ ସେହି ଋଷି ॥ ୧୦୨
ବାଳକ ନିଃଶ୍ୱାସ ପବନ । ବାଜେ ମାରକଣ୍ଡ ଦେହେଣ ॥ ୧୦୩
ମୁଖ ବିସ୍ତାର କରି ହରି । ଗିଳିଲେ ମଶା ପ୍ରାୟ କରି ॥ ୧୦୪
ହୃଦୟ ଭିତରେ ପଶିଲେ । ତହିଁରେ ବୁଲିଣ ଦେଖିଲେ ॥ ୧୦୫
ପୂର୍ବ ପରାୟେ ସୃଷ୍ଟି ଅଛି । ଦେଖିଲେ ମୃକଣ୍ଡର ବତ୍ସି ॥ ୧୦୬
ପୃଥ୍ୱୀମଣ୍ଡଳ ସ୍ୱର୍ଗ ଆଦି । ଆକାଶ ସାଗର ପ୍ରସିଦ୍ଧି ॥ ୧୦୭
ଗ୍ରହ ନକ୍ଷତ୍ର ତାରାଗଣ । ବରଷ ସପ୍ତଦ୍ୱୀପମାନ ॥ ୧୦୮
ପର୍ବତ ଦେଶ ଭୂମି ବନ । ନଗର କ୍ଷେତ୍ର ଯେ ଆଶ୍ରମ ॥ ୧୦୯
ଦେବ ଅସୁର ଜନ୍ତୁ ଯେତେ । ନଦୀ ସରୋବର ସହିତେ ॥ ୧୧୦
ବ୍ରଜ ଆଶ୍ରମ ବୃତ୍ତି ବର୍ଣ୍ଣ । ଯେତେକ ଜୀବଜନ୍ତୁମାନ ॥ ୧୧୧
ପଞ୍ଚମହାଭୂତ ଶବଦ । ସ୍ପରଶ ରସ ରୂପ ଗନ୍ଧ ॥ ୧୧୨
ଚତୁର୍ଦ୍ଦଶ ଭୁବନ ଗତି । ଯେ କାଳ ଯୁଗ କଳ୍ପ ହୋ'ନ୍ତି ॥ ୧୧୩
ବ୍ରହ୍ମାଦି କୀଟ ପରିଯନ୍ତେ । ସର୍ବ ଦେଖିଲେ ଆଚମ୍ବିତେ ॥ ୧୧୪
ହିମାଳୟ ଯେ ପରବତ । ପୁଷ୍ପଭଦ୍ରା ନଦୀ ସହିତ ॥ ୧୧୫
ଆପଣା ଆଶ୍ରମ ଦେଖିଲେ । ସମସ୍ତ ଋଷିଙ୍କର ମେଳେ ॥ ୧୧୬
ଏଭାବେ ବୁଲୁଁ ମୁନିବର । ଗଲା ଅନେକ ସମ୍ବତ୍ସର ॥ ୧୧୭
ଦେଖି ମାର୍କଣ୍ଡ ଶ୍ରମଭାଗୀ । ଭେଦି ନ ପାରି ମହାଯୋଗୀ ॥ ୧୧୮
ସଂସାର ଦେଖିଣ ବିସ୍ମୟ । ମିଥ୍ୟା ମଣିଲେ ସେ ପ୍ରଳୟ ॥ ୧୧୯
ଏମନ୍ତେ ପୁଣି ବିଷ୍ଣୁମାୟା । ପ୍ରକାଶ କଲେ ବିଶ୍ୱକାୟା ॥ ୧୨୦
ଆପଣା ନିଃଶ୍ୱାସରେ ପୁଣ । ବାହାର କଲେ ତତ୍କ୍ଷଣ ॥ ୧୨୧
ପ୍ରଳୟ ଜଳେ ପକାଇଲେ । ପୁଣି ସେ ଜଳରେ ଭାସିଲେ ॥ ୧୨୨
ପୂର୍ବର ଯାହା ଅନୁଭବ । ପାଇଲେ ସେହି ପରାଭବ ॥ ୧୨୩
ପୁଣ ସେ ବଟ ତଳେ ଲାଗି । ତା' ଆହାଲ୍ଲାଦେ ସୁଖଭାଗୀ ॥ ୧୨୪
ସେ ବଟପତ୍ରପୁଟେ ଶୋଇ । ବାଳକ ଚରଣ ଚୁମ୍ବଇ ॥ ୧୨୫
ଦରହସିତ ମୁଖ ତା'ର । ଅପାଙ୍ଗ ଦୃଷ୍ଟି ମନୋହର ॥ ୧୨୬
ଲାଗିଣ ଆଶ୍ୱାସନା ପାଇ । ଋଷି ସେ ବାଳକକୁ ଚାହିଁ ॥ ୧୨୭
ହୃଦରେ ତା'ଙ୍କୁ ଧ୍ୟାନ କଲେ । ମନେ ଆଲିଙ୍ଗନ ବାଞ୍ଛିଲେ ॥ ୧୨୮
ଏମନ୍ତ ଜାଣିଣ ମୁକୁନ୍ଦ । ଯେ ସ୍ଥିତି ହୃଦୟର ମଧ୍ୟ ॥ ୧୨୯
ଏମନ୍ତେ ପାଶ୍ୱର୍ରେ ଲାଗିଲେ । ଦେଖି ଅନେକ ସ୍ତୁତି କଲେ ॥ ୧୩୦
ସେ କୃଷ୍ଣ ଅନ୍ତର୍ଦ୍ଧାନ ଗଲେ । ଆପଣା ମାୟା ଦେଖାଇଲେ ॥ ୧୩୧
ବିଷ୍ଣୁ ହୁଅନ୍ତେ ଅନ୍ତର୍ଦ୍ଧାନ । ପ୍ରଳୟ ଅନ୍ତଃ ତତକ୍ଷଣ ॥ ୧୩୨
କ୍ଷଣ ମାତ୍ରକେ ସର୍ବ ଗଲେ । ମାର୍କଣ୍ଡ ଲୋଚନେ ଦେଖିଲେ ॥ ୧୩୩
ପୂର୍ବେ ଆପଣା ଆଶ୍ରମରେ । ଯେଉଁ ଭାବରେ ବସିଥିଲେ ॥ ୧୩୪
ଆତ୍ମାରେ ଯୋଗଧ୍ୟାନ କରି । ଚିତ୍ତରେ ଚିନ୍ତି ନରହରି ॥ ୧୩୫
ଆସନେ ବସିଛନ୍ତି ପୁଣ । ଏମନ୍ତ ମାୟାର ଭିଆଣ ॥ ୧୩୬
ଦେଖିଣ ମାରକଣ୍ଡ ଋଷି । ଆଶ୍ଚର୍ଯ୍ୟ ମଣି ମନେ ତୋଷି ॥ ୧୩୭
ସେ ବିଷ୍ଣୁମାୟାର ତଦନ୍ତ । କେ ଅବା ଜାଣିବ ଏମନ୍ତ ॥ ୧୩୮
କହଇ ଜଗନ୍ନାଥ ଦାସ । କୃଷ୍ଣଚରଣେ କରି ଆଶ ॥ ୧୩୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱାଦଶସ୍କନ୍ଧେ ନାମ ନବମୋଦ୍ଧଧ୍ୟାୟଃ ॥
* * *