ଦ୍ୱାଦଶ ସ୍କନ୍ଧ

ନବମ ଅଧ୍ୟାୟ

ସୂତ ଉବାଚ

ସୂତ ପୌରାଣିକ କହନ୍ତି । ଶୁଣ ଶୌନକ ଆଦି ଯତି ॥

ଏହି ପ୍ରକାରେ ମାର୍କଣ୍ଡେୟ । କଲେ ବହୁ ସ୍ତୁତି ବିନୟ ॥

ନର ନାରାୟଣ ତା' ଶୁଣି । ସନ୍ତୋଷ ଭାବେ କହି ବାଣୀ ॥

ଭଗବାନ ଉବାଚ

ହେ ବ୍ରହ୍ମଋଷି ତପୋନିଷ୍ଠ । ସମାଧି ଯୋଗେ ଜ୍ଞାନୀ ଅଟ ॥

ତେଣୁ ତୁମ୍ଭେ ସିଦ୍ଧ ହୋଇଲ । ନିଶ୍ଚଳ ଭକ୍ତିରେ ଭଜିଲ ॥

ମୋ' ଠାରେ ତପଜ୍ଞାନବଳେ । ବେଦାଧ୍ୟୟନ ସଂଯମରେ ॥

ଆମ୍ଭେ ଯେ ସନ୍ତୋଷ ହୋଇଲୁ । ବ୍ରତ-ଆଚାର-ତପ ବଳୁ ॥

ଏବେ ହୋ ବର ମାଗ ତୁମ୍ଭେ । ଯାହା ମାଗିବ ଦେବୁ ଆମ୍ଭେ ॥

ମନୋରଥ ପୂର୍ଣ୍ଣ କରିଣ । କୁଶଳେ ବର ମାଗି ଘେନ ॥

ବିଷ୍ଣୁ ବଦନୁଁ ଏହା ଶୁଣି । କହନ୍ତି ମାରକଣ୍ଡ ମୁନି ॥ ୧୦

ମାର୍କଣ୍ଡେୟ ଉବାଚ

ହେ ଦେବ ଦେବ ନାରାୟଣ । ସକଳ ଜଗତ କାରଣ ॥ ୧୧

ଶରଣାପନ୍ନ ତାପ ହର । ବିପତ୍ତି ପାପ କ୍ଷୟ କର ॥ ୧୨

ପରମପଥ ଦେଖାଇଲ । କୃତାର୍ଥ ପ୍ରଭୁ ମୋତେ କଲ ॥ ୧୩

ବରେ ମୋ' କିବା ପ୍ରୟୋଜନ । ଯେଣୁ ଦେଖିଲି ତୋ' ଚରଣ ॥ ୧୪

ତୁମ୍ଭର ଚରଣକୁ ଧ୍ୟାୟି । ଶ୍ରୀପଦେ ଆତ୍ମାକୁ ମିଶାଇ ॥ ୧୫

ତୁମ୍ଭ ଦର୍ଶନ ପାଇଲଇଁ । ଅନ୍ୟ କି ବର ମାଗିବଇଁ ॥ ୧୬

ଅଷ୍ଟାଙ୍ଗଯୋଗ ଧାରଣାରେ । ଦେଖନ୍ତି ଦେହର ଭିତରେ ॥ ୧୭

ଯାହାର ଚରଣକୁ ଧ୍ୟାୟି । ପରମପଦ ବ୍ରହ୍ମା ପାଇ ॥ ୧୮

ସେ ତୁମ୍ଭେ ମୋ ଚକ୍ଷୁ ଗୋଚରେ । ଦର୍ଶନ ଦେଲ ସାକ୍ଷାତରେ ॥ ୧୯

ହେ ପଦ୍ମନେତ୍ର ଚକ୍ରପାଣି । ହେ ପୁଣ୍ୟଶ୍ଳୋକ ଶିଖାମଣି ॥ ୨୦

ତୁମ୍ଭର ଅନୁଗ୍ରହ ହେବ । ମାୟା ମହିମା ଦେଖାଇବ ॥ ୨୧

ଯେ ମାୟା ସକଳ ଲୋକରେ । ଲୋକପାଳାଦି ବଶ କରେ ॥ ୨୨

ସୂତ କହନ୍ତି ମୁନି ଆଗେ । ମାର୍କଣ୍ଡ ବିନୟ ଯେ ଭାବେ ॥ ୨୩

ପ୍ରସନ୍ନେ କହି ଭଗବାନ । ଏ ତୋ'ର ବାଞ୍ଛା ହେଉ ପୂର୍ଣ୍ଣ ॥ ୨୪

ମାୟା ମହିମା ମୋର ଦେଖ । ଏ ଅନ୍ତେ ଲଭ ସର୍ବ ସୁଖ ॥ ୨୫

ଏମନ୍ତ କହି ବଦ୍ରିସ୍ଥାନେ । ବିଜୟ ନରନାରାୟଣେ ॥ ୨୬

ତହୁଁ ମାର୍କଣ୍ଡେୟ ଆଶ୍ରମେ । ରହିଲେ ବାସୁଦେବ ଧ୍ୟାନେ ॥ ୨୭

ଜଳ ପବନ ଯେ ଆକାଶ । ଭୂ ଅଗ୍ନି ପଞ୍ଚଭୂତେ ବାସ ॥ ୨୮

ସ୍ଥାବର ଜଙ୍ଗମ ପତଙ୍ଗ । କୀଟାଦି ଚାରିଖାନି ଅଙ୍ଗ ॥ ୨୯

ସବୁ ବାସୁଦେବ ସ୍ୱରୂପେ । ଧ୍ୟାନ କରନ୍ତି ଲୟ କଳ୍ପେ ॥ ୩୦

ଭାବଯୁକ୍ତ ହୋଇ ମନରେ । ଭାବଦ୍ରବ୍ୟେ ପୂଜେ ବିଷ୍ଣୁରେ ॥ ୩୧

କେବେ ବା ପ୍ରେମେ ବିହ୍ୱଳିତ । ହୋଇ ଭୁଲଇ ପୂଜା ଅର୍ଥ ॥ ୩୨

ବାସୁଦେବ ଚରଣେ ଲୟେ । ଧ୍ୟାନରେ ନିମଗ୍ନ ସେ ହୋଏ ॥ ୩୩

ଆପଣା ଆଶ୍ରମରେ ଥାଇ । କିଛିଦିନ ଯେ ଶେଷ ହୋଇ ॥ ୩୪

ପୁଷ୍ପଭଦ୍ରାନଦୀ ତଟରେ । ସ୍ନାନ ସନ୍ଧ୍ୟା ସାରି ତ୍ରିକାଳେ ॥ ୩୫

ଯୋଗଧ୍ୟାନରେ ବସିଛନ୍ତି । ବାସୁଦେବଙ୍କୁ ହୃଦେ ଚିନ୍ତି ॥ ୩୬

ଏମନ୍ତେ ପ୍ରଚଣ୍ଡ ପବନ । ବହେ ମହାଘୋର ଶବ୍ଦେଣ ॥ ୩୭

ଆକାଶେ ମହାଭୟଙ୍କର । ମେଘେ ଉଠିଲେ ଶୀଘ୍ରତର ॥ ୩୮

ରଥ ଅଖର ପରକାରେ । ଧାରା ବୃଷ୍ଟି କଲେ ଶୂନ୍ୟରେ ॥ ୩୯

ବିଦ୍ୟୁତ୍ ଝଟକ ଶବଦ । ବଜ୍ର ନିର୍ଘାତ ଇନ୍ଦ୍ରାୟୁଧ ॥ ୪୦

ସେ ଜଳେ ଭୂମିପୂର୍ଣ୍ଣ ହୋଇ । ସମୁଦ୍ରେ ଲାଗି ଉଚ୍ଛୁଳଇ ॥ ୪୧

ସର୍ବେ ଏକାର୍ଣ୍ଣବ ହୋଇଲେ । ତରଙ୍ଗ ଲହରୀ ଉଠିଲେ ॥ ୪୨

ପବନ ବଳେ ଜଳମାନେ । ଉଲ୍ଲୋଳେ ଲାଗିଲେ ଗଗନେ ॥ ୪୩

କଚ୍ଛପ କୁମ୍ଭୀର ମକର । ମତ୍ସ୍ୟ ଆଦି ଯେ ଜଳଚର ॥ ୪୪

ଏମାନେ ଭାସିଣ ଗର୍ଜିଲେ । ସର୍ବେ ଜଳରେ ଲୀନ ହେଲେ ॥ ୪୫

ସପ୍ତସମୁଦ୍ର ସପ୍ତଦୀପ । ହୋଇଲା ଏକଖଣ୍ଡ ଆପ ॥ ୪୬

ବ୍ରହ୍ମାଣ୍ଡଯାକ ପୂର୍ଣ୍ଣ ହୋଇ । ନିର୍ଘାତ ଶବଦେ ଚଳଇ ॥ ୪୭

ଏ ଭାବେ ସମସ୍ତେ ବୁଡ଼ିଲେ । ଯେଣୁ ସେ ବିଷ୍ଣୁ ମାୟା କଲେ ॥ ୪୮

ମୁନି ଆପଣା ସଙ୍ଗତରେ । ଜୀବଙ୍କୁ ଭିତରେ ବାହାରେ ॥ ୪୯

ଦେଖି ଜଳରେ ନିମଗନ । ବିଜୁଳି ତେଜେ ଖେଦମନ ॥ ୫୦

ପୃଥିବୀ ଜଳମଗ୍ନ ଦେଖି । ଭୟେ ହୋଇଲେ ମହାଦୁଃଖୀ ॥ ୫୧

ଜଳ ଏକାର୍ଣ୍ଣବ ହୋଇଣ । ଆକାଶ ପର୍ଯ୍ୟନ୍ତ ଲାଗିଣ ॥ ୫୨

ଜଗତ ଅନ୍ତର୍ଦ୍ଧାନ ହେଲା । ପୃଥ୍ୱୀ ଆକାଶ ନ ଦିଶିଲା ॥ ୫୩

ସ୍ୱର୍ଗେ ନକ୍ଷତ୍ର ଗ୍ରହଗଣ । ଜ୍ୟୋତିଷ ଚକ୍ର ସମେତେଣ ॥ ୫୪

ସବୁ ଜଳେ ଏକ ହୋଇଲା । ସମସ୍ତ ଜଳରେ ବୁଡ଼ିଲା ॥ ୫୫

ସେ ମୁନି ଯୋଗମାୟାବଳେ । ଭାସିଲେ ପ୍ରଳୟ ଜଳରେ ॥ ୫୬

ଜଟାମଣ୍ଡଳ ଫିଟି ଭାସେ । ଅନ୍ଧାର ପଥ ପ୍ରାୟ ଦିଶେ ॥ ୫୭

କ୍ଷୁଧା ତୃଷାରେ ପୀଡ଼ା ପାଇ । ପବନେ ତରଙ୍ଗେ ଭାସଇ ॥ ୫୮

ମକର ତିମି ଜନ୍ତୁଗଣେ । ପୀଡ଼ିତ ହୋଇ ଋଷି ଭ୍ରମେ ॥ ୫୯

ଅନ୍ଧାରେ ଦିଗ ହିଁ ନ ଦିଶେ । ବୁଡ଼ି ଜୀବନ ମାତ୍ର ଶେଷେ ॥ ୬୦

ମହା ଆବର୍ତ୍ତେ ପଡ଼ି କାହିଁ । ସେ ମୁନି ମୋହିତ ହୁଅଇ ॥ ୬୧

କାହିଁ ତରଙ୍ଗେ ବୁଡ଼ିଯା'ନ୍ତି । ଲହରୀମାନଙ୍କେ ଉଠନ୍ତି ॥ ୬୨

କୁମ୍ଭୀର ମକରେ ବା କାହିଁ । ସାନକୁ ବଡ଼ ଯେ ଗିଳଇ ॥ ୬୩

ତା'ଙ୍କ ତହୁଁ ବଳି ପଡ଼ନ୍ତି । ଶୋକେ ଦୁଃଖେ ମୋହେ ମଜ୍ଜନ୍ତି ॥ ୬୪

କେବେ ତାହାଙ୍କ ଭକ୍ଷ୍ୟ ହୋନ୍ତି । କାହିଁବା ଶୋକ ଭୟ ପା'ନ୍ତି ॥ ୬୫

ବ୍ୟାଧି ଦୁଃଖ ପାଇ ମରନ୍ତି । ଆତ୍ମା ପୀଡ଼ିତେ ମୋହ ଯା'ନ୍ତି ॥ ୬୬

ଏମନ୍ତେ ଅୟୁତ ଲକ୍ଷେଣ । ଗଲା ବତ୍ସର ଦିନମାନ ॥ ୬୭

ଅତି ଆରତେ ମାରକଣ୍ଡ । ଜାଣିଲେ ନିଶ୍ଚେ ଯିବ ପିଣ୍ଡ ॥ ୬୮

ବିଷ୍ଣୁର ମାୟାମୋହେ ପୁଣି । ଭାସନ୍ତି ମାରକଣ୍ଡ ମୁନି ॥ ୬୯

ବିଷ୍ଣୁମାୟାରେ ଏକଦିନେ । ଭାସି ଲାଗିଲେ ଉଚ୍ଚସ୍ଥାନେ ॥ ୭୦

ବ୍ରହ୍ମାଣ୍ଡ ମଧ୍ୟେ ଜମ୍ବୁଦ୍ୱୀପ । ନବଖଣ୍ଡରେ ସେ ସଂକ୍ଷେପ ॥ ୭୧

ଭାରତବରଷ ମଧ୍ୟରେ । ଆର୍ଯ୍ୟାବର୍ତ୍ତ ନାମ ବିସ୍ତାରେ ॥ ୭୨

ଉତ୍କଳ ନାମକ ଦେଶରେ । ଆର୍ଯ୍ୟାବର୍ତ୍ତ ଅଗ୍ନିକୋଣରେ ॥ ୭୩

ଦକ୍ଷିଣ ମହୋଦଧି ତଟ । ସମୁଦ୍ର ଉତ୍ତରେ ପ୍ରକଟ ॥ ୭୪

ନାମ ଯା' ଶ୍ରୀପୁରୁଷୋତ୍ତମ । ସକଳ କ୍ଷେତ୍ର ଯହୁଁ ଜନ୍ମ ॥ ୭୫

ନୀଳାଚଳ ଗିରି ଶିଖରେ । ଅକ୍ଷୟ କଳ୍ପବଟ ପରେ ॥ ୭୬

କ୍ଷେତ୍ରବଟ ସମେତ ହୋଇ । ପ୍ରଳୟ ଜଳରେ ଭାସଇ ॥ ୭୭

ପବନ ବଳରେ ନ ଚଳେ । ସଳଖେ ଜନଲୋକେ ମିଳେ ॥ ୭୮

ପଞ୍ଚକୋଶ ବିସ୍ତାର ହୋଇ । ବେଢିଣ ଜ୍ୟୋତିର୍ମୟ ଦେହୀ ॥ ୭୯

ଜଳ ଉପରେ ତା ପଲ୍ଲବ । ଫଳ ପଲ୍ଲବେ ଶୋଭା ଦିବ୍ୟ ॥ ୮୦

ସେ ଯେଉଁ ବୃକ୍ଷ ତିନିଡ଼ାଳ । ପୂର୍ବ ଐଶାନ୍ୟ ଯେ ଉତ୍ତର ॥ ୮୧

ପୂର୍ବ ଉତ୍ତର ମଧ୍ୟେ ଶାଖା । ଐଶାନ୍ୟ ଡ଼ାଳ ମଧ୍ୟେ ଦେଖା ॥ ୮୨

ନବ ପଲ୍ଲବ ବଟପୁଟେ । ଏକ ପୁରୁଷ ଜବାଙ୍ଗୁଷ୍ଠେ ॥ ୮୩

ସେ ବଟପୁଟରେ ଶୟନ । ମାର୍କଣ୍ଡ କଲେ ତା' ଦର୍ଶନ ॥ ୮୪

ଅଙ୍ଗୁଷ୍ଠ ପ୍ରମାଣେ ପୁରୁଷ । ଆପଣା ପ୍ରଭାରେ ସେ ଦୃଶ୍ୟ ॥ ୮୫

ପ୍ରଳୟ-ଅନ୍ଧାର ଛେଦନ । ମହାମର୍କତ ମଣି ଶ୍ୟାମ ॥ ୮୬

ମୁଖ ଲୋଚନ ପାଣି କର୍ଣ୍ଣ । ପ୍ରକାଶ କମଳ ଯେସନ ॥ ୮୭

କଣ୍ଠରେ ଶଙ୍ଖରେଖା ଅଛି । ଶ୍ରୀବତ୍ସଚିହ୍ନ ହୃଦେ ଗଚ୍ଛି ॥ ୮୮

ହୃଦୟ ବିସ୍ତାର ସୁନ୍ଦର । ବ୍ରହ୍ମାଣ୍ଡ ସର୍ଜନ ସଂହାର ॥ ୮୯

ନାସିକା ଅତ୍ୟନ୍ତ ସୁନ୍ଦର । ଭ୍ରୂଲତା ଧନୁ କନ୍ଦର୍ପର ॥ ୯୦

ନିଃଶ୍ୱାସ ପବନ ଚଞ୍ଚଳ । ଚଳନ୍ତି କର୍ଣ୍ଣର କୁଣ୍ଡଳ ॥ ୯୧

ପକ୍ୱ ଡ଼ାଳିମ୍ବ ବୀଜ ପ୍ରାୟେ । ଦନ୍ତପନ୍ତି ଯେ ଶୋଭାପାଏ ॥ ୯୨

ପ୍ରବାଳ ଅରୁଣ ଅଧର । ଦରହାସରେ ସେ ସୁନ୍ଦର ॥ ୯୩

ଅରୁଣପଦ୍ମ ଯେ ଲୋଚନ । କଟାକ୍ଷ କୋଣେ ବିଲୋକନ ॥ ୯୪

ନାଭି ଉପରେ ବଳିମାନ । ନିଃଶ୍ୱାସ ପବନେ କମ୍ପନ ॥ ୯୫

ଦୁଇ ହସ୍ତେ ପାଦ ଅଙ୍ଗୁଳି । ଧରି ଚୁମ୍ବନ୍ତି ମୁଖେ ତୋଳି ॥ ୯୬

ଚରଣାମ୍ବୁଜ ମକରନ୍ଦ । ମୁଖେ ଭରିଣ ସେ ଆନନ୍ଦ ॥ ୯୭

ବାଳକ ରୂପରେ ଶୟନ । ମାର୍କଣ୍ଡ ବିସ୍ମୟ ଦେଖିଣ ॥ ୯୮

ଦର୍ଶନେ ଶ୍ରମ ଦୂର ଗଲା । ଆନନ୍ଦେ ରୋମ ପୁଲକିଲା ॥ ୯୯

ପଦ୍ମପ୍ରାୟେ ଚକ୍ଷୁ ବିକାଶି । ପୁଲକ ରୋମାବଳୀ ରାଶି ॥ ୧୦୦

ତା'ଙ୍କ ନାମ ପୁଛିବା ଅର୍ଥେ । ମାର୍କଣ୍ଡ ବିଚାରିଲେ ଚିତ୍ତେ ॥ ୧୦୧

ବାଳକ ନିକଟେ ପ୍ରବେଶି । ଉଭା ହୋଇଲେ ସେହି ଋଷି ॥ ୧୦୨

ବାଳକ ନିଃଶ୍ୱାସ ପବନ । ବାଜେ ମାରକଣ୍ଡ ଦେହେଣ ॥ ୧୦୩

ମୁଖ ବିସ୍ତାର କରି ହରି । ଗିଳିଲେ ମଶା ପ୍ରାୟ କରି ॥ ୧୦୪

ହୃଦୟ ଭିତରେ ପଶିଲେ । ତହିଁରେ ବୁଲିଣ ଦେଖିଲେ ॥ ୧୦୫

ପୂର୍ବ ପରାୟେ ସୃଷ୍ଟି ଅଛି । ଦେଖିଲେ ମୃକଣ୍ଡର ବତ୍ସି ॥ ୧୦୬

ପୃଥ୍ୱୀମଣ୍ଡଳ ସ୍ୱର୍ଗ ଆଦି । ଆକାଶ ସାଗର ପ୍ରସିଦ୍ଧି ॥ ୧୦୭

ଗ୍ରହ ନକ୍ଷତ୍ର ତାରାଗଣ । ବରଷ ସପ୍ତଦ୍ୱୀପମାନ ॥ ୧୦୮

ପର୍ବତ ଦେଶ ଭୂମି ବନ । ନଗର କ୍ଷେତ୍ର ଯେ ଆଶ୍ରମ ॥ ୧୦୯

ଦେବ ଅସୁର ଜନ୍ତୁ ଯେତେ । ନଦୀ ସରୋବର ସହିତେ ॥ ୧୧୦

ବ୍ରଜ ଆଶ୍ରମ ବୃତ୍ତି ବର୍ଣ୍ଣ । ଯେତେକ ଜୀବଜନ୍ତୁମାନ ॥ ୧୧୧

ପଞ୍ଚମହାଭୂତ ଶବଦ । ସ୍ପରଶ ରସ ରୂପ ଗନ୍ଧ ॥ ୧୧୨

ଚତୁର୍ଦ୍ଦଶ ଭୁବନ ଗତି । ଯେ କାଳ ଯୁଗ କଳ୍ପ ହୋ'ନ୍ତି ॥ ୧୧୩

ବ୍ରହ୍ମାଦି କୀଟ ପରିଯନ୍ତେ । ସର୍ବ ଦେଖିଲେ ଆଚମ୍ବିତେ ॥ ୧୧୪

ହିମାଳୟ ଯେ ପରବତ । ପୁଷ୍ପଭଦ୍ରା ନଦୀ ସହିତ ॥ ୧୧୫

ଆପଣା ଆଶ୍ରମ ଦେଖିଲେ । ସମସ୍ତ ଋଷିଙ୍କର ମେଳେ ॥ ୧୧୬

ଏଭାବେ ବୁଲୁଁ ମୁନିବର । ଗଲା ଅନେକ ସମ୍ବତ୍ସର ॥ ୧୧୭

ଦେଖି ମାର୍କଣ୍ଡ ଶ୍ରମଭାଗୀ । ଭେଦି ନ ପାରି ମହାଯୋଗୀ ॥ ୧୧୮

ସଂସାର ଦେଖିଣ ବିସ୍ମୟ । ମିଥ୍ୟା ମଣିଲେ ସେ ପ୍ରଳୟ ॥ ୧୧୯

ଏମନ୍ତେ ପୁଣି ବିଷ୍ଣୁମାୟା । ପ୍ରକାଶ କଲେ ବିଶ୍ୱକାୟା ॥ ୧୨୦

ଆପଣା ନିଃଶ୍ୱାସରେ ପୁଣ । ବାହାର କଲେ ତତ୍କ୍ଷଣ ॥ ୧୨୧

ପ୍ରଳୟ ଜଳେ ପକାଇଲେ । ପୁଣି ସେ ଜଳରେ ଭାସିଲେ ॥ ୧୨୨

ପୂର୍ବର ଯାହା ଅନୁଭବ । ପାଇଲେ ସେହି ପରାଭବ ॥ ୧୨୩

ପୁଣ ସେ ବଟ ତଳେ ଲାଗି । ତା' ଆହାଲ୍ଲାଦେ ସୁଖଭାଗୀ ॥ ୧୨୪

ସେ ବଟପତ୍ରପୁଟେ ଶୋଇ । ବାଳକ ଚରଣ ଚୁମ୍ବଇ ॥ ୧୨୫

ଦରହସିତ ମୁଖ ତା'ର । ଅପାଙ୍ଗ ଦୃଷ୍ଟି ମନୋହର ॥ ୧୨୬

ଲାଗିଣ ଆଶ୍ୱାସନା ପାଇ । ଋଷି ସେ ବାଳକକୁ ଚାହିଁ ॥ ୧୨୭

ହୃଦରେ ତା'ଙ୍କୁ ଧ୍ୟାନ କଲେ । ମନେ ଆଲିଙ୍ଗନ ବାଞ୍ଛିଲେ ॥ ୧୨୮

ଏମନ୍ତ ଜାଣିଣ ମୁକୁନ୍ଦ । ଯେ ସ୍ଥିତି ହୃଦୟର ମଧ୍ୟ ॥ ୧୨୯

ଏମନ୍ତେ ପାଶ୍ୱର୍ରେ ଲାଗିଲେ । ଦେଖି ଅନେକ ସ୍ତୁତି କଲେ ॥ ୧୩୦

ସେ କୃଷ୍ଣ ଅନ୍ତର୍ଦ୍ଧାନ ଗଲେ । ଆପଣା ମାୟା ଦେଖାଇଲେ ॥ ୧୩୧

ବିଷ୍ଣୁ ହୁଅନ୍ତେ ଅନ୍ତର୍ଦ୍ଧାନ । ପ୍ରଳୟ ଅନ୍ତଃ ତତକ୍ଷଣ ॥ ୧୩୨

କ୍ଷଣ ମାତ୍ରକେ ସର୍ବ ଗଲେ । ମାର୍କଣ୍ଡ ଲୋଚନେ ଦେଖିଲେ ॥ ୧୩୩

ପୂର୍ବେ ଆପଣା ଆଶ୍ରମରେ । ଯେଉଁ ଭାବରେ ବସିଥିଲେ ॥ ୧୩୪

ଆତ୍ମାରେ ଯୋଗଧ୍ୟାନ କରି । ଚିତ୍ତରେ ଚିନ୍ତି ନରହରି ॥ ୧୩୫

ଆସନେ ବସିଛନ୍ତି ପୁଣ । ଏମନ୍ତ ମାୟାର ଭିଆଣ ॥ ୧୩୬

ଦେଖିଣ ମାରକଣ୍ଡ ଋଷି । ଆଶ୍ଚର୍ଯ୍ୟ ମଣି ମନେ ତୋଷି ॥ ୧୩୭

ସେ ବିଷ୍ଣୁମାୟାର ତଦନ୍ତ । କେ ଅବା ଜାଣିବ ଏମନ୍ତ ॥ ୧୩୮

କହଇ ଜଗନ୍ନାଥ ଦାସ । କୃଷ୍ଣଚରଣେ କରି ଆଶ ॥ ୧୩୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱାଦଶସ୍କନ୍ଧେ ନାମ ନବମୋଦ୍ଧଧ୍ୟାୟଃ ॥

* * *