ଦ୍ୱାଦଶ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ଶୌନକ ପୁଛେ ତୋଷମନେ । ସୂତମୁନିଙ୍କ ସନ୍ନିଧାନେ ॥

ଶୌନକ ଉବାଚ

ହେ ସୂତ ହୁଅ ଚିରଞ୍ଜୀବୀ । ପରମ ସାଧୁଗୁଣ ସେବି ॥

ପୁରାଣବକ୍ତା ତୁମ୍ଭେ ଶ୍ରେଷ୍ଠ । ଆମ୍ଭେ ମାୟାରେ ପଡ଼ି ନଷ୍ଟ ॥

ଅପାର ସମୁଦ୍ରେ ଭ୍ରମିଲୁ । ଅନ୍ଧକାରେ ପଡ଼ି ମଜ୍ଜିଲୁ ॥

ଏଥୁଁ ଆମ୍ଭଙ୍କୁ ଉଦ୍ଧରିବ । ସଂସାର ପାର ଦେଖାଇବ ॥

ମାର୍କଣ୍ଡେୟ ଆୟୁଷ ବାଣୀ । ଜଗତ ଜନମୁଖୁଁ ଶୁଣି ॥

କଳ୍ପାନ୍ତେ ପ୍ରଳୟ ଜଳରେ । କେମନ୍ତେ ରକ୍ଷା ସେ ପାଇଲେ ॥

ଜଗତ ଯେଉଁ ବିଷ୍ଣୁଠାରେ । ଜନ୍ମ ଉତ୍ପତ୍ତି ଲୟ ଧରେ ॥

ସେ ବିଷ୍ଣୁ ଦର୍ଶନ କେମନ୍ତେ । ପାଇଲେ ମାର୍କଣ୍ଡେୟ ଅନ୍ତେ ॥

ସେ ଆମ୍ଭ ଭୃଗୁଋଷି ବଂଶେ । ଜନମ ମୃକଣ୍ଡଙ୍କ ଅଂଶେ ॥ ୧୦

ତା'ଙ୍କ ଜନମ ଦିନୁ ପୁଣ । ପ୍ରଳୟ ନାହିଁ ସଂସାରେଣ ॥ ୧୧

କେଉଁ ପ୍ରଳୟ ଅନୁଭବ । କଲେ ସେ ମୃକଣ୍ଡସମ୍ଭବ ॥ ୧୨

ସେ ଏକାର୍ଣ୍ଣବଜଳେ ପୁଣ । ଏକାକୀ କଲେ ସନ୍ତରଣ ॥ ୧୩

ଏକ ପୁରୁଷ ବଟପୁଟେ । ଦେଖିଲେ ଆପଣା ନିକଟେ ॥ ୧୪

ଅଙ୍ଗୁଷ୍ଠ ପ୍ରମାଣେ ପୁରୁଷ । ସେ ବଟପତ୍ର ପୁଟେ ବାସ ॥ ୧୫

ଏହାଙ୍କ ନାମ ଧରି ରାଇ । ଲାଗିଲେ ତା'ଙ୍କ ପାଶେ ଯାଇ ॥ ୧୬

ବାଳକ ଗର୍ଭର ଭିତରେ । ଋଷି ପଶିଲେ ପ୍ରଳୟରେ ॥ ୧୭

ସେ ପ୍ରଳୟରୁ ରକ୍ଷା ପାଇ । ଗର୍ଭେ ଅନେକ ଦିନ ରହି ॥ ୧୮

ବାଳକରୂପୀ ଯେ ପୁରୁଷ । ତା'ଙ୍କର ନାମ ଗୁଣ କିସ ॥ ୧୯

ଆମ୍ଭର ମନରେ ସଂଶୟ । ସେ କଥା ଆମ୍ଭ ଆଗେ କହ ॥ ୨୦

ଏ ମାୟା କୁତୂହଳ କଥା । କହିଣ ଛେଦ ମନବ୍ୟଥା ॥ ୨୧

ତୁମ୍ଭେ ପରମଯୋଗୀ ଯେଣୁ । କୁଶଳ ପୁରାଣରେ ତେଣୁ ॥ ୨୨

ଏମନ୍ତ ଶୌନକଙ୍କ ବାଣୀ । ସୂତ କହନ୍ତି ତାହା ଶୁଣି ॥ ୨୩

ସୂତ ଉବାଚ

ହେ ମହାଋଷିମାନେ ଶୁଣ । ପୁଛିଲ ଯେ ଅବା ପ୍ରଶନ ॥ ୨୪

ପ୍ରାଣୀଙ୍କି ସୁଧା ଯେଉଁ ବାଣୀ । କରନ୍ତି ଶ୍ରମ ଦୂର ପୁଣି ॥ ୨୫

ନାରାୟଣର କଥାମାନ । ଯହିଁରେ ହୋଇଛି ବଖାଣ ॥ ୨୬

କଳିଯୁଗର ମୋହ ନାଶେ । ତାହା କହିବା ଶୁଣ ତୋଷେ ॥ ୨୭

ବ୍ରହ୍ମାଙ୍କ ପୁତ୍ର ଭୃଗୁମୁନି । ଧାତା ବିଧାତା ସୁତ ବେନି ॥ ୨୮

ବିଧାତା ସୁତ ଯେ ମୃକଣ୍ଡ । ଏହାଙ୍କ ସୁତ ମାରକଣ୍ଡ ॥ ୨୯

ଜନ୍ମଲଭିଲେ ଏ ସଂସାରେ । ଆୟୁଷ ନବ ବରଷରେ ॥ ୩୦

ବ୍ରାହ୍ମଣ କର୍ମରେ ସଂସ୍କାର । ପିତା ତା କଲେ ତପୀବର ॥ ୩୧

ବେଦମାନଙ୍କୁ ସେ ପଢିଲେ । ବ୍ରହ୍ମଚର୍ଯ୍ୟେ ପିତୃସେବିଲେ ॥ ୩୨

ପିତୃସେବା ସକାଶୁ ପୁଣ । ଆୟୁ ସପତକଳ୍ପ ଜାଣ ॥ ୩୩

ବ୍ରହ୍ମଚର୍ଯ୍ୟ ବ୍ରତ ସେ କଲେ । ଶାନ୍ତ ସମଚିତ୍ତ ଭଜିଲେ ॥ ୩୪

ଜଟାଧାରୀ ବକ୍କଳ ପିନ୍ଧି । ହସ୍ତେ କମଣ୍ଡଳୁ ତ୍ରିଦଣ୍ଡି ॥ ୩୫

ଯଜ୍ଞୋପବୀତ କନ୍ଧେ ଶୋହେ । କୁଶ ମେଖଳା କଟୀ ମୋହେ ॥ ୩୬

କନ୍ଧେ କୃଷ୍ଣାଜିନ ଉତ୍ତରୀ । ରୁଦ୍ରାକ୍ଷ କଣ୍ଠ ହସ୍ତେ ଭରି ॥ ୩୭

ହସ୍ତରେ କୁଶ ଯେ ପବିତ୍ର । ଏମନ୍ତେ ବ୍ରହ୍ମଚର୍ଯ୍ୟ ବ୍ରତ ॥ ୩୮

ଅଗ୍ନି ସୂର୍ଯ୍ୟ ଗୋରୁ ବ୍ରାହ୍ମଣ । ଗୁରୁ ବିଷ୍ଣୁପାଦେ ସେବିଣ ॥ ୩୯

ସାୟଂ ପ୍ରାତଃ ଦୁଇ ସନ୍ଧ୍ୟାରେ । ଗୁରୁଙ୍କ ପାଦ ସେବାକଲେ ॥ ୪୦

ଭିକ୍ଷାଅନ୍ନ ଗୁରୁଙ୍କ ପାଶେ । ଆଣି ସେ ଦିଅନ୍ତି ସନ୍ତୋଷେ ॥ ୪୧

ସେ ଅନ୍ନ ଗୁରୁଆଜ୍ଞା ପାଇ । ଭୋଜନ କରେ ତୋଷ ହୋଇ ॥ ୪୨

ଏ ରୂପେ ବେଦ ଯେ ଅଭ୍ୟାସି । ଅନ୍ୟଥା ହୁଏ ଉପବାସୀ ॥ ୪୩

ବେଦାଧ୍ୟୟନ ଏହିମତେ । ବତ୍ସର ଦଶକୋଟି ଗତେ ॥ ୪୪

ସେ ବାସୁଦେବ ଆରାଧନା । ଧ୍ୟାନେ ଧଇଲେ ଏ ଧାରଣା ॥ ୪୫

ଏମନ୍ତେ ମୃତ୍ୟୁକୁ ଜିଣିଲେ । ଯେଣୁ ନାରାୟଣ ଜାଣିଲେ ॥ ୪୬

ବ୍ରହ୍ମା ମହେଶ ଭୃଗୁ ଦକ୍ଷ । ପିତୃ ଭୂତାଦି ଗଣ ରକ୍ଷ ॥ ୪୭

ବ୍ରହ୍ମପୁତ୍ର ଦେବ ମନୁଷ୍ୟ । ଯେ ତପୀ ବ୍ରହ୍ମଚାରୀ ଅଂଶ ॥ ୪୮

ଦେଖିଣ ବିସ୍ମୟ ହୋଇଲେ । ମନରେ ଭୟ ଜାତ କଲେ ॥ ୪୯

ବ୍ରହ୍ମଚର୍ଯ୍ୟ ବ୍ରତ ଧରିଣ । ତପସ୍ୟା ବେଦ ଅଧ୍ୟୟନ ॥ ୫୦

ମନ ପବନ ଯୋଗବଳେ । ରହିଲେ ଆସନ ନିଶ୍ଚଳେ ॥ ୫୧

ସଂଯମେ ରହି ବିଷ୍ଣୁପାଦେ । ଯୋଗ ଅଭ୍ୟାସେ ଧ୍ୟାନେ ହୃଦେ ॥ ୫୨

ଅନ୍ତରାତ୍ମାରେ ଧ୍ୟାନ କଲେ । ସକଳ କ୍ଳେଶ ପାସୋରିଲେ ॥ ୫୩

ଏମନ୍ତ ପ୍ରକାରରେ ପୁଣ । ବାସୁଦେବଙ୍କୁ କଲେ ଧ୍ୟାନ ॥ ୫୪

ଏମନ୍ତେ ଷଟ ମନ୍ୱନ୍ତରେ । ବୈବସ୍ୱତମନୁ ସପ୍ତରେ ॥ ୫୫

ତା'ଙ୍କ ସମୟେ ପୁରନ୍ଦର । ନାମ ଯେ ଅଟଇ ଇନ୍ଦ୍ରର ॥ ୫୬

ମାରକଣ୍ଡେୟ ତପ ଦେଖି । ଶଙ୍କା ମନରେ ହୋଇ ଦୁଃଖୀ ॥ ୫୭

ଏ ବିଚାରରେ ପୁରନ୍ଦର । ରାଇ ଗନ୍ଧର୍ବ ପଞ୍ଚଶର ॥ ୫୮

ଅପ୍ସରାଗଣଙ୍କୁ ଡ଼କାଇ । କହେ କନ୍ଦର୍ପ ମୁଖ ଚାହିଁ ॥ ୫୯

ବସନ୍ତ ମଳୟପବନ । ଷଡ଼ଋତୁ ଙ୍କ ସମେତେଣ ॥ ୬୦

ଲୋଭ ମୋହ ମଦ ମତ୍ସର । ସଙ୍ଗେ ଘେନି ଚଳ ସତ୍ୱର ॥ ୬୧

ତାଙ୍କର ତପ ଭଗ୍ନକର । ଆଜ୍ଞା ପ୍ରମାଣେ ଚଳେ ମାର ॥ ୬୨

ମାର୍କଣ୍ଡ ଆଶ୍ରମେ ପ୍ରବେଶ । ହିମବନ୍ତ ଉତ୍ତରପାଶ ॥ ୬୩

ନଦୀର ପୁଷ୍ପଭଦ୍ରା ନାମ । ଚିତ୍ରଶିଳା ନାମେ ଯେ ସ୍ଥାନ ॥ ୬୪

ଆଶ୍ରମ ମାର୍କଣ୍ଡେୟ ତହିଁ । ସେ ସ୍ଥାନେ କିଛି ଭୟ ନାହିଁ ॥ ୬୫

ସେ ଋଷି ଆଶ୍ରମ ମହିମା । ଅଶେଷ ସୁଖାଳୟ ସୀମା ॥ ୬୬

ପୂର୍ଣ୍ଣ ସେ ବୃକ୍ଷଲତାଦିରେ । ବେଷ୍ଟିତ ସୁଗନ୍ଧ ପୁଷ୍ପରେ ॥ ୬୭

ପୁଷ୍ପଶ୍ରେଣୀର ଶୋଭା ଘେନି । ନିର୍ମଳଜଳ ପୁଷ୍କରିଣୀ ॥ ୬୮

ମତ୍ତଭ୍ରମରେ ପୁଷ୍ପବାସେ । ମକରନ୍ଦପାନ ହରଷେ ॥ ୬୯

ମତ୍ତ-କୋକିଳ କରେ ଧ୍ୱନି । ମତ୍ତ-ମୟୂର ନୃତ୍ୟେ ଭ୍ରମି ॥ ୭୦

ଉନ୍ମତ୍ତେ ନାନା ପଶୁଗଣେ । ସର୍ବେ ଆନନ୍ଦ ସେହୁ ବନେ ॥ ୭୧

ଏମନ୍ତେ ଇନ୍ଦ୍ରଦୂତମାନେ । ମିଳିଲେ ଋଷି-ତପସ୍ଥାନେ ॥ ୭୨

ପବନ ମଦଗନ୍ଧ ଘେନି । ଶୀତଳ ହିମଜଳ ଆଣି ॥ ୭୩

ପୁଷ୍ପବାସରେ ଯୁକ୍ତ ହୋଇ । ବହଇ ମଳୟ ପୂରାଇ ॥ ୭୪

କାମ ଉଦିତ ନାନାମତେ । ଆଚ୍ଛନ୍ନକଲେ ଇନ୍ଦ୍ରଦୂତେ ॥ ୭୫

ପୂର୍ଣ୍ଣ ଚନ୍ଦ୍ରମା ଉଦେ ହୋଇ । ନବପଲ୍ଲବେ ଶୋଭା ପାଇ ॥ ୭୬

ବସନ୍ତ ଆଦି ଷଡ଼ଋତୁ । ଏ ସର୍ବେ ତପଭଗ୍ନ ହେତୁ ॥ ୭୭

ଗନ୍ଧର୍ବ ଅପସରା ଆଦି । କନ୍ଦର୍ପ ପୁଷ୍ପବାଣ ସନ୍ଧି ॥ ୭୮

ଲୋଭ ମୋହ ଅଙ୍ଗେ ଭେଦିଲା । ରତିସଙ୍କେତ ଦେଖାଇଲା ॥ ୭୯

ମାରକଣ୍ଡେୟ ସନ୍ଧ୍ୟା ସାରି । ଅଗ୍ନିହୋତ୍ରରେ ସେବାକରି ॥ ୮୦

ଯୋଗଧ୍ୟାନରେ ବସିଛନ୍ତି । ଏମନ୍ତେ କନ୍ଦର୍ପେ ଭେଦନ୍ତି ॥ ୮୧

ସେ ମାରକଣ୍ଡ ଯୋଗଧ୍ୟାନେ। ଚିନ୍ତେ ବାସୁଦେବ ଚରଣେ ॥ ୮୨

ଅତ୍ୟନ୍ତ ଯେ ଜାଜ୍ୱଲ୍ୟମାନ । ଅଗ୍ନିମୂର୍ତ୍ତିରେ ଶୋଭାବନ ॥ ୮୩

ସେ ଋଷିଆଗେ ଇନ୍ଦ୍ରଦୂତେ । ଆଚ୍ଛନ୍ନ କଲେ ଯେଝାମତେ ॥ ୮୪

ଗନ୍ଧର୍ବ ଅପସରା ନୃତ୍ୟ । ମୃଦଙ୍ଗ ବୀଣା ନାନାଯନ୍ତ୍ର ॥ ୮୫

ପୁଷ୍ପଧନୁରେ ପଞ୍ଚଶର । କାମ ଭେଦେ ଋଷିହୃଦର ॥ ୮୬

ମଧୁ ମାଧବାଦି ଯେତେକ । ତପଭଗ୍ନେ ଇନ୍ଦ୍ର ସେବକ ॥ ୮୭

ପୁଞ୍ଜିକସ୍ଥଳୀ ଅପସରା । ସାରଣୀ ଘେନି ଖେଳୁଥିଲା ॥ ୮୮

କବରୀ ଫିଟିଲା ତାହାର । ସାରଣୀ ଖସିଗଲା ଦୂର ॥ ୮୯

ବାମ ଡ଼ାହାଣେ ଚକ୍ଷୁ ଢାଳି । କବରୀ ବାନ୍ଧେ ଭୁଜ ତୋଳି ॥ ୯୦

ପିନ୍ଧିଲା ବସ୍ତ୍ର ଖସି ତଳେ । ପବନ ଉଡ଼ାଇ ତା' ନେଲେ ॥ ୯୧

ଏମନ୍ତ ସମୟେ ମଦନ । ପୁଷ୍ପଶର ମାରେ ବେଗେଣ ॥ ୯୨

ଏ ସର୍ବ ବିଅର୍ଥ ହୋଇଲେ । ଋଷି ଅଙ୍ଗରେ ନ ଭେଦିଲେ ॥ ୯୩

ଯେଣୁ ସେ ବିଷ୍ଣୁପାଦ ଧ୍ୟାୟି । ଏକାଗ୍ରଚିତ୍ତେ ଲୟେ ରହି ॥ ୯୪

ଋଷିଙ୍କ ଅପକାର ଭାବେ । ଦଗ୍ଧ ସେ ହୁଅନ୍ତି ସ୍ୱଭାବେ ॥ ୯୫

ଏଣୁ ସତ୍ୱରେ ଲେଉଟିଲେ । ଇନ୍ଦ୍ରର ଭୁବନେ ମିଳିଲେ ॥ ୯୬

ସର୍ପକୁ ଚାଳିଣ ଯେସନେ । ବାଳକେ ପଳାଅନ୍ତି ଛନ୍ନେ ॥ ୯୭

ଏ ଭାବେ ଇନ୍ଦ୍ରଦୂତେ ମୋହି । ସେ ଗୁଣେ ମୁନିଖେଦ ନାହିଁ ॥ ୯୮

ଗୋବିନ୍ଦଚରଣ ଧ୍ୟାନରେ । ଲେଶମାତ୍ରକ ନ ଛାଡ଼ିଲେ ॥ ୯୯

ଯା' ନାମ ହୃଦୟରେ ଭାବି । ଜନ୍ମ ମୃତ୍ୟୁ ଭୟ ନ ଲଭି ॥ ୧୦୦

ଯେ ତାଙ୍କୁ ନିମଗ୍ନେ ଭଜଇ । ସଂସାର-ଦୁସ୍ତରୁ ତରଇ ॥ ୧୦୧

ତା' ପାଦ ହୃଦେ ଧ୍ୟାୟୁଥିଲେ । ଏଣୁ ସେ ବିଘ୍ନେ ନ ବାଧିଲେ ॥ ୧୦୨

ଏ ବଡ଼ ବିଚିତ୍ର ନୁହଇ । ଯା' ଚିତ୍ତ ବିଷ୍ଣୁପାଦେ ଥାଇ ॥ ୧୦୩

କାମାଦି ଯେତେ ଦେବଗଣ । କହିଲେ ଇନ୍ଦ୍ରର ଆଗେଣ ॥ ୧୦୪

ଇନ୍ଦ୍ର ତା ଶୁଣିଣ ଜାଣିଲେ । ବଡ଼ ବିସ୍ମୟ ମନେ କଲେ ॥ ୧୦୫

ଏମନ୍ତ ପ୍ରକାରେ ସେ ଋଷି । ବାସୁଦେବେ ଚିତ୍ତ ନିବେଶି ॥ ୧୦୬

ତପସାଧନ ସଂଯତରେ । ସମଭାବ ବହି ମନରେ ॥ ୧୦୭

ଏମନ୍ତ ଭକ୍ତି ତା'ର ଜାଣି । ସେ ବାସୁଦେବ ଚକ୍ରପାଣି ॥ ୧୦୮

ତାହାଙ୍କୁ ଅନୁଗ୍ରହ କଲେ । ନରନାରାୟଣ ହୋଇଲେ ॥ ୧୦୯

ଦର୍ଶନ ମାରକଣ୍ଡେ ଦେଲେ । ଶୁକ୍ଳ କୃଷ୍ଣ ଦୁଇ ବର୍ଣ୍ଣରେ ॥ ୧୧୦

ନବୀନ ପଦ୍ମ ପ୍ରାୟ ଅକ୍ଷ । ଚତୁର୍ଭୁଜ ହୃଦେ ଶ୍ରୀବତ୍ସ ॥ ୧୧୧

ବକଳ କୃଷ୍ଣାଜିନ ପିନ୍ଧି । ତପଚାରୀ ବେଶେ ଆନନ୍ଦୀ ॥ ୧୧୨

ଉତ୍ତରୀ କନ୍ଧେ ସୁଶୋଭନ । ହସ୍ତରେ ପବିତ୍ର ଗ୍ରହଣ ॥ ୧୧୩

ତ୍ରିଗୁଣ ପଇତା କନ୍ଧେଣ । କମଣ୍ଡଳୁ ହସ୍ତେ ଶୋଭନ ॥ ୧୧୪

ବେଣୁର ତ୍ରିଦଣ୍ଡ କନ୍ଧରେ । ପଦ୍ମ ରୁଦ୍ରାକ୍ଷ ହୃଦୟରେ ॥ ୧୧୫

ବିଦ୍ୟୁତ ପ୍ରାୟ ଜଟା ଶିରେ । ସ୍ୱଭାବେ ତପସ୍ୱୀ ବେଶରେ ॥ ୧୧୬

ଆଜାନୁ ଲମ୍ବେ ବେନିଭୁଜ । ଏମନ୍ତ ରୂପେ ଦେବରାଜ ॥ ୧୧୭

ଦେବତାଗଣରେ ପୂଜିତ । ପ୍ରବେଶ ମାର୍କଣ୍ଡ ଅଗ୍ରତ ॥ ୧୧୮

ସେ ନରନାରାୟଣେ ଦେଖି । ମାର୍କଣ୍ଡ ଆସନ ଉପେକ୍ଷି ॥ ୧୧୯

ସାଷ୍ଟାଙ୍ଗେ ପ୍ରଣମି ଚରଣେ । ଦଣ୍ଡବତ ସ୍ତୁତିବଚନେ ॥ ୧୨୦

ତା'ଙ୍କ ଦର୍ଶନେ ଆନନ୍ଦରେ । ରୋମପୁଲକ ପ୍ରେମଭରେ ॥ ୧୨୧

ଆତ୍ମା ଇନ୍ଦ୍ରିୟଗଣ ମନ । ଚକ୍ଷୁ ଲୋତକେ ହୋଏ ପୂର୍ଣ୍ଣ ॥ ୧୨୨

ତା'ଙ୍କ ଜ୍ୟୋତିର ତେଜ ଦେଖି । ସମର୍ଥ ନୁହଇ ଯେ ଆଖି ॥ ୧୨୩

ମନ ଉତ୍ସୁକେ କୃତାଞ୍ଜଳି । ଆଲିଙ୍ଗନ ପ୍ରାୟ ପ୍ରସାରି ॥ ୧୨୪

ବଚନେ ନମୋନମୋ ସ୍ତୁତି । ଗଦଗଦେ ବାଣୀ ଭାଷନ୍ତି ॥ ୧୨୫

ଉତ୍ତମ ଆସନେ ବସାଇ । ଚରଣ ଧୋଇଣ ପିଅଇ ॥ ୧୨୬

ସିଞ୍ଚନ ଶିରଗାତ୍ରେ କରି । ଷଡ଼ଅର୍ଘ୍ୟେ ପୂଜା ଆଚରି ॥ ୧୨୭

ଚନ୍ଦନ ଧୂପ ଦୀପ ପୁଷ୍ପ । ପୂଜିଲେ ମୃକଣ୍ଡଙ୍କ ଶିଷ୍ୟ ॥ ୧୨୮

ସନ୍ତୋଷେ ପ୍ରସନ୍ନ ବଦନ । ହୋଇଲେ ନରନାରାୟଣ ॥ ୧୨୯

ମୁନି ଯେ ଦଣ୍ଡବତ ପୁଣି । ବିଷ୍ଣୁ ତୋଷିଣ ସ୍ତୁତି ଭଣି ॥ ୧୩୦

ମାର୍କଣ୍ଡେୟ ଉବାଚ

ହେ ପ୍ରଭୁ ତୁମ୍ଭର ମହିମା । ମୁଁ କିସ ବର୍ଣ୍ଣିବି ଯେ ସୀମା ॥ ୧୩୧

ଯାହାର ଅଂଶୁ ପ୍ରାଣୀମାନେ । ପ୍ରବେଶ ସୃଷ୍ଟି ସରଜନେ ॥ ୧୩୨

ଯେ ଦେହେ ପ୍ରବେଶ ହୋଇଣ । ମନ ଇନ୍ଦ୍ରିୟଗଣମାନ ॥ ୧୩୩

ସଂସାର ଚେଷ୍ଟା କରୁଛନ୍ତି । ସର୍ବ ଅନୁଭବ କରନ୍ତି ॥ ୧୩୪

ଯହିଁ ଜୀବରୂପେ ଥାଇଣ । ଅନୁଭବ ତୁମ୍ଭ ଭାବେଣ ॥ ୧୩୫

ଏ ଦୁଇ ଲୋକ ଯେ ତୁମ୍ଭର । ତ୍ରୈଲୋକ୍ୟ ମଙ୍ଗଳ ଈଶ୍ୱର ॥ ୧୩୬

ପ୍ରାଣୀ ଜନ୍ମମୃତ୍ୟୁ ନାଶନେ । ବସିଛ ବଦରିକାଶ୍ରମେ ॥ ୧୩୭

ନାନା ରୂପେ ପ୍ରାଣୀ ସର୍ଜନ । କରିଣ ସବୁଠାରୁ ଭିନ୍ନ ॥ ୧୩୮

ଉର୍ଣ୍ଣନାଭ ସୂତ୍ରେ ଯେସନ । ସଂହରେ ଗୃହ କରି ପୁଣ ॥ ୧୩୯

ଏ ଭାବେ ଜଗତ ପ୍ରଚରି । ମାୟା ଘେନି ତହିଁ ବିହରି ॥ ୧୪୦

ସଂସାରେ ଥାଇ ଯେଉଁମାନେ । ନିତ୍ୟେ ଭଜନ୍ତି ତୋ' ଚରଣେ ॥ ୧୪୧

ଏକାଗ୍ରେ ତୋ' ପାଦେ ସେବନ୍ତି । ଜନ୍ମ ମୃତ୍ୟୁରୁ ତରିଯା'ନ୍ତି ॥ ୧୪୨

ଯେ ତୁମ୍ଭ ମାୟା ପାର ହୋଇ । ସେ ତୁମ୍ଭ ଚରଣେ ଭଜଇ ॥ ୧୪୩

ତୋର ଚରଣ ଆଶ୍ରେ ବିନୁ । ନ ତରେ ଏଭବ ବନ୍ଧନୁ ॥ ୧୪୪

ଅଜ୍ଞାନ ସଂସାର ନିରତ । ଜାଣି ଭଜିଲେ ଯୋଗୀପଥ ॥ ୧୪୫

ତୁମ୍ଭ ଦେଲାରୁ ଚତୁର୍ମୁଖ । ଭୋଗ କରଇ ବ୍ରହ୍ମସୁଖ ॥ ୧୪୬

ଦୁଇପରାର୍ଦ୍ଧ ଆୟୁ ପାଇ । ତା' ଶିରେ କାଳ ବସିଛଇଁ ॥ ୧୪୭

ସମୟେ ତା'କୁ ସଂହାରଇ । ଏମନ୍ତ ବନ୍ଧ ମାୟାମୟୀ ॥ ୧୪୮

ଏଥେ ଯେ ପ୍ରାଣୀ ଜଡ଼ିଛନ୍ତି । ତୋତେ ଅଜ୍ଞାନେ ନ ଜାଣନ୍ତି ॥ ୧୪୯

ଯେ ଭଜେ ତୋ' ଚରଣ ଆଶେ । ସେ ମାୟା ବନ୍ଧନେ ନ ମିଶେ ॥ ୧୫୦

ଏମନ୍ତ ଚରଣରେ ମୁହିଁ । ନିରତେ ଭଜନ କରଇ ॥ ୧୫୧

ତୋ' ମାୟା ମୋର ମନେ ଥାଇ । ଦେହାଦି ଅଭିମାନ ବହି ॥ ୧୫୨

ମୋ' ଦେହ ଜନ୍ମ ସେ କରିଛି । ସେ ମାୟା ମୋ'ର ମନୁ ଲେଛି ॥ ୧୫୩

ଚରଣାରବିନ୍ଦେ ଲଗାଅ । ତୁମ୍ଭ ମାୟାରୁ ଫେଡ଼ିଦିଅ ॥ ୧୫୪

ସତ୍ତ୍ୱ ରଜ ତମ ତ୍ରିଗୁଣେ । ବ୍ରହ୍ମା ବିଷ୍ଣୁ ମହେଶ ଜନ୍ମେ ॥ ୧୫୫

ସେ ରୂପ ବହିଣ ସଂସାର । ସୃଷ୍ଟି ସ୍ଥିତି ପ୍ରଳୟକର ॥ ୧୫୬

ଏ ମାୟା ଲୀଳାର ବିହାର । କେବଳ ତୋ'ର ଖେଳଘର ॥ ୧୫୭

ତୁମ୍ଭେ ଯେ କରୁଣାସାଗର । ତେଣୁ ଶରଣ ଅଟ ମୋ'ର ॥ ୧୫୮

ତୁମ୍ଭେ ଯେ ଶୁଦ୍ଧ ଶୁକ୍ଳ ବର୍ଣ୍ଣ । ନିର୍ଗୁଣରୂପୀ ନରୋତ୍ତମ ॥ ୧୫୯

ଯେ ପ୍ରାଣୀ ତୁମ୍ଭଙ୍କୁ ଭଜନ୍ତି । ତ୍ରିଗୁଣ ବନ୍ଧନୁ ତରନ୍ତି ॥ ୧୬୦

ମୁକ୍ତ ହୋଇ ଚରଣେ ଲୀନ । ବୈକୁଣ୍ଠେ ସୁଖେ ଲଭେ ସ୍ଥାନ ॥ ୧୬୧

ବ୍ରହ୍ମା ସମ୍ପଦେ ସୁଖ ନାହିଁ । ତୋର ଚରଣ ରସ ପାଇ ॥ ୧୬୨

ଭକତ ପୁରୁଷ ଉତ୍ତମ । ପରମଗୁରୁ ବିଶ୍ୱଧାମ ॥ ୧୬୩

ନାରାୟଣ ଯେ ନରୋତ୍ତମ । ନିଗମେଶ୍ୱର ନିରୁପମ ॥ ୧୬୪

ହେ ପ୍ରଭୁ ଯୋଗାରୂଢବର । ତୁମ୍ଭଙ୍କୁ ମୋର ନମସ୍କାର ॥ ୧୬୫

ଉପନିଷଦେ ବ୍ରହ୍ମଭାଗ । ବେଦବଚନେ ହବିର୍ଭାଗ ॥ ୧୬୬

ଦେବେ ଯା' ନାମ ଭଜୁଛନ୍ତି । ଭାବେଣ ଯଶକର୍ମ ସ୍ତୁତି ॥ ୧୬୭

ସାକ୍ଷାତ ଗୁରୁ ଜଗତର । ଯେ ନାରାୟଣ ଅବତାର ॥ ୧୬୮

ଇନ୍ଦ୍ରିୟ ହୃଦ ଦୃଷ୍ଟିପଥେ । ମୋହିତ ତୁହି ଅବିରତେ ॥ ୧୬୯

ତୋ'ର ମାୟାରେ ମୂଢମତି । ତୋ'ତେ ସେ ଜାଣି ନ ପାରନ୍ତି ॥ ୧୭୦

ତୋ' ବେଦପଥ ଆଶ୍ରେ କଲେ । ଜାଣି ପାରନ୍ତି ତୋତେ ଭଲେ ॥ ୧୭୧

ଯାହାର ଦରଶନ ଭାବେ । ବେଦ ତତ୍ତ୍ୱଭାବେଣ ସେବେ ॥ ୧୭୨

ଦେଖିବା ଅର୍ଥେ ମୋହି ହେଲେ । ଅର୍ଥବାଦେ ସୂକ୍ଷ୍ମେ ବିଭୋଳେ ॥ ୧୭୩

ତୁମର ସ୍ୱରୂପ ରହସ୍ୟ । ବେଦରେ ହୋଇଛି ପ୍ରକାଶ ॥ ୧୭୪

କବିମାନେ ପାଦେ ନିମଜ୍ଜି । ଆଗମେ ନ ପାରନ୍ତି ହେଜି ॥ ୧୭୫

ଅଷ୍ଟାଙ୍ଗଯୋଗ ସାଧନରେ । ଦର୍ଶନ ଅର୍ଥେ ଯତ୍ନ କରେ ॥ ୧୭୬

ମୋହିତ ହୁଅନ୍ତି ତମରେ । ଦର୍ଶନ ନ ପାରି ସୂକ୍ଷ୍ମରେ ॥ ୧୭୭

ସକଳ ବେଦବାକ୍ୟଶୀଳ । ତୁମ୍ଭେ ଯେ ନିର୍ଗୁଣ ଶରୀର ॥ ୧୭୮

ହେ ମହା ପରମପୁରୁଷ । ସର୍ବ ଆତ୍ମାରୂପେ ପ୍ରକାଶ ॥ ୧୭୯

ଦର୍ଶନ ଦେଇଣ ସାକ୍ଷାତେ । ନମସ୍କାର ତୋ' ପାଦଗତେ ॥ ୧୮୦

ସେ ମାରକଣ୍ଡ ମହାମୁନି । ଅନେକ ସ୍ତୁତିବାକ୍ୟ ଭଣି ॥ ୧୮୧

ନମଇଁ ବିପ୍ର ଜଗନ୍ନାଥ । ଉଦ୍ଧର ଶଙ୍ଖଚକ୍ରହସ୍ତ ॥ ୧୮୨

ତୁମ୍ଭର ଚରଣକମଳେ । ମୋ ମନ ରହୁ ସୁନିଶ୍ଚଳେ ॥ ୧୮୩

ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱାଦଶସ୍କନ୍ଧେ ଅଷ୍ଟମୋଦ୍ଧଧ୍ୟାୟ ॥

* * *