ଦ୍ୱାଦଶ ସ୍କନ୍ଧ
ଅଷ୍ଟମ ଅଧ୍ୟାୟ
ଶୌନକ ପୁଛେ ତୋଷମନେ । ସୂତମୁନିଙ୍କ ସନ୍ନିଧାନେ ॥ ୧
ଶୌନକ ଉବାଚ
ହେ ସୂତ ହୁଅ ଚିରଞ୍ଜୀବୀ । ପରମ ସାଧୁଗୁଣ ସେବି ॥ ୨
ପୁରାଣବକ୍ତା ତୁମ୍ଭେ ଶ୍ରେଷ୍ଠ । ଆମ୍ଭେ ମାୟାରେ ପଡ଼ି ନଷ୍ଟ ॥ ୩
ଅପାର ସମୁଦ୍ରେ ଭ୍ରମିଲୁ । ଅନ୍ଧକାରେ ପଡ଼ି ମଜ୍ଜିଲୁ ॥ ୪
ଏଥୁଁ ଆମ୍ଭଙ୍କୁ ଉଦ୍ଧରିବ । ସଂସାର ପାର ଦେଖାଇବ ॥ ୫
ମାର୍କଣ୍ଡେୟ ଆୟୁଷ ବାଣୀ । ଜଗତ ଜନମୁଖୁଁ ଶୁଣି ॥ ୬
କଳ୍ପାନ୍ତେ ପ୍ରଳୟ ଜଳରେ । କେମନ୍ତେ ରକ୍ଷା ସେ ପାଇଲେ ॥ ୭
ଜଗତ ଯେଉଁ ବିଷ୍ଣୁଠାରେ । ଜନ୍ମ ଉତ୍ପତ୍ତି ଲୟ ଧରେ ॥ ୮
ସେ ବିଷ୍ଣୁ ଦର୍ଶନ କେମନ୍ତେ । ପାଇଲେ ମାର୍କଣ୍ଡେୟ ଅନ୍ତେ ॥ ୯
ସେ ଆମ୍ଭ ଭୃଗୁଋଷି ବଂଶେ । ଜନମ ମୃକଣ୍ଡଙ୍କ ଅଂଶେ ॥ ୧୦
ତା'ଙ୍କ ଜନମ ଦିନୁ ପୁଣ । ପ୍ରଳୟ ନାହିଁ ସଂସାରେଣ ॥ ୧୧
କେଉଁ ପ୍ରଳୟ ଅନୁଭବ । କଲେ ସେ ମୃକଣ୍ଡସମ୍ଭବ ॥ ୧୨
ସେ ଏକାର୍ଣ୍ଣବଜଳେ ପୁଣ । ଏକାକୀ କଲେ ସନ୍ତରଣ ॥ ୧୩
ଏକ ପୁରୁଷ ବଟପୁଟେ । ଦେଖିଲେ ଆପଣା ନିକଟେ ॥ ୧୪
ଅଙ୍ଗୁଷ୍ଠ ପ୍ରମାଣେ ପୁରୁଷ । ସେ ବଟପତ୍ର ପୁଟେ ବାସ ॥ ୧୫
ଏହାଙ୍କ ନାମ ଧରି ରାଇ । ଲାଗିଲେ ତା'ଙ୍କ ପାଶେ ଯାଇ ॥ ୧୬
ବାଳକ ଗର୍ଭର ଭିତରେ । ଋଷି ପଶିଲେ ପ୍ରଳୟରେ ॥ ୧୭
ସେ ପ୍ରଳୟରୁ ରକ୍ଷା ପାଇ । ଗର୍ଭେ ଅନେକ ଦିନ ରହି ॥ ୧୮
ବାଳକରୂପୀ ଯେ ପୁରୁଷ । ତା'ଙ୍କର ନାମ ଗୁଣ କିସ ॥ ୧୯
ଆମ୍ଭର ମନରେ ସଂଶୟ । ସେ କଥା ଆମ୍ଭ ଆଗେ କହ ॥ ୨୦
ଏ ମାୟା କୁତୂହଳ କଥା । କହିଣ ଛେଦ ମନବ୍ୟଥା ॥ ୨୧
ତୁମ୍ଭେ ପରମଯୋଗୀ ଯେଣୁ । କୁଶଳ ପୁରାଣରେ ତେଣୁ ॥ ୨୨
ଏମନ୍ତ ଶୌନକଙ୍କ ବାଣୀ । ସୂତ କହନ୍ତି ତାହା ଶୁଣି ॥ ୨୩
ସୂତ ଉବାଚ
ହେ ମହାଋଷିମାନେ ଶୁଣ । ପୁଛିଲ ଯେ ଅବା ପ୍ରଶନ ॥ ୨୪
ପ୍ରାଣୀଙ୍କି ସୁଧା ଯେଉଁ ବାଣୀ । କରନ୍ତି ଶ୍ରମ ଦୂର ପୁଣି ॥ ୨୫
ନାରାୟଣର କଥାମାନ । ଯହିଁରେ ହୋଇଛି ବଖାଣ ॥ ୨୬
କଳିଯୁଗର ମୋହ ନାଶେ । ତାହା କହିବା ଶୁଣ ତୋଷେ ॥ ୨୭
ବ୍ରହ୍ମାଙ୍କ ପୁତ୍ର ଭୃଗୁମୁନି । ଧାତା ବିଧାତା ସୁତ ବେନି ॥ ୨୮
ବିଧାତା ସୁତ ଯେ ମୃକଣ୍ଡ । ଏହାଙ୍କ ସୁତ ମାରକଣ୍ଡ ॥ ୨୯
ଜନ୍ମଲଭିଲେ ଏ ସଂସାରେ । ଆୟୁଷ ନବ ବରଷରେ ॥ ୩୦
ବ୍ରାହ୍ମଣ କର୍ମରେ ସଂସ୍କାର । ପିତା ତା କଲେ ତପୀବର ॥ ୩୧
ବେଦମାନଙ୍କୁ ସେ ପଢିଲେ । ବ୍ରହ୍ମଚର୍ଯ୍ୟେ ପିତୃସେବିଲେ ॥ ୩୨
ପିତୃସେବା ସକାଶୁ ପୁଣ । ଆୟୁ ସପତକଳ୍ପ ଜାଣ ॥ ୩୩
ବ୍ରହ୍ମଚର୍ଯ୍ୟ ବ୍ରତ ସେ କଲେ । ଶାନ୍ତ ସମଚିତ୍ତ ଭଜିଲେ ॥ ୩୪
ଜଟାଧାରୀ ବକ୍କଳ ପିନ୍ଧି । ହସ୍ତେ କମଣ୍ଡଳୁ ତ୍ରିଦଣ୍ଡି ॥ ୩୫
ଯଜ୍ଞୋପବୀତ କନ୍ଧେ ଶୋହେ । କୁଶ ମେଖଳା କଟୀ ମୋହେ ॥ ୩୬
କନ୍ଧେ କୃଷ୍ଣାଜିନ ଉତ୍ତରୀ । ରୁଦ୍ରାକ୍ଷ କଣ୍ଠ ହସ୍ତେ ଭରି ॥ ୩୭
ହସ୍ତରେ କୁଶ ଯେ ପବିତ୍ର । ଏମନ୍ତେ ବ୍ରହ୍ମଚର୍ଯ୍ୟ ବ୍ରତ ॥ ୩୮
ଅଗ୍ନି ସୂର୍ଯ୍ୟ ଗୋରୁ ବ୍ରାହ୍ମଣ । ଗୁରୁ ବିଷ୍ଣୁପାଦେ ସେବିଣ ॥ ୩୯
ସାୟଂ ପ୍ରାତଃ ଦୁଇ ସନ୍ଧ୍ୟାରେ । ଗୁରୁଙ୍କ ପାଦ ସେବାକଲେ ॥ ୪୦
ଭିକ୍ଷାଅନ୍ନ ଗୁରୁଙ୍କ ପାଶେ । ଆଣି ସେ ଦିଅନ୍ତି ସନ୍ତୋଷେ ॥ ୪୧
ସେ ଅନ୍ନ ଗୁରୁଆଜ୍ଞା ପାଇ । ଭୋଜନ କରେ ତୋଷ ହୋଇ ॥ ୪୨
ଏ ରୂପେ ବେଦ ଯେ ଅଭ୍ୟାସି । ଅନ୍ୟଥା ହୁଏ ଉପବାସୀ ॥ ୪୩
ବେଦାଧ୍ୟୟନ ଏହିମତେ । ବତ୍ସର ଦଶକୋଟି ଗତେ ॥ ୪୪
ସେ ବାସୁଦେବ ଆରାଧନା । ଧ୍ୟାନେ ଧଇଲେ ଏ ଧାରଣା ॥ ୪୫
ଏମନ୍ତେ ମୃତ୍ୟୁକୁ ଜିଣିଲେ । ଯେଣୁ ନାରାୟଣ ଜାଣିଲେ ॥ ୪୬
ବ୍ରହ୍ମା ମହେଶ ଭୃଗୁ ଦକ୍ଷ । ପିତୃ ଭୂତାଦି ଗଣ ରକ୍ଷ ॥ ୪୭
ବ୍ରହ୍ମପୁତ୍ର ଦେବ ମନୁଷ୍ୟ । ଯେ ତପୀ ବ୍ରହ୍ମଚାରୀ ଅଂଶ ॥ ୪୮
ଦେଖିଣ ବିସ୍ମୟ ହୋଇଲେ । ମନରେ ଭୟ ଜାତ କଲେ ॥ ୪୯
ବ୍ରହ୍ମଚର୍ଯ୍ୟ ବ୍ରତ ଧରିଣ । ତପସ୍ୟା ବେଦ ଅଧ୍ୟୟନ ॥ ୫୦
ମନ ପବନ ଯୋଗବଳେ । ରହିଲେ ଆସନ ନିଶ୍ଚଳେ ॥ ୫୧
ସଂଯମେ ରହି ବିଷ୍ଣୁପାଦେ । ଯୋଗ ଅଭ୍ୟାସେ ଧ୍ୟାନେ ହୃଦେ ॥ ୫୨
ଅନ୍ତରାତ୍ମାରେ ଧ୍ୟାନ କଲେ । ସକଳ କ୍ଳେଶ ପାସୋରିଲେ ॥ ୫୩
ଏମନ୍ତ ପ୍ରକାରରେ ପୁଣ । ବାସୁଦେବଙ୍କୁ କଲେ ଧ୍ୟାନ ॥ ୫୪
ଏମନ୍ତେ ଷଟ ମନ୍ୱନ୍ତରେ । ବୈବସ୍ୱତମନୁ ସପ୍ତରେ ॥ ୫୫
ତା'ଙ୍କ ସମୟେ ପୁରନ୍ଦର । ନାମ ଯେ ଅଟଇ ଇନ୍ଦ୍ରର ॥ ୫୬
ମାରକଣ୍ଡେୟ ତପ ଦେଖି । ଶଙ୍କା ମନରେ ହୋଇ ଦୁଃଖୀ ॥ ୫୭
ଏ ବିଚାରରେ ପୁରନ୍ଦର । ରାଇ ଗନ୍ଧର୍ବ ପଞ୍ଚଶର ॥ ୫୮
ଅପ୍ସରାଗଣଙ୍କୁ ଡ଼କାଇ । କହେ କନ୍ଦର୍ପ ମୁଖ ଚାହିଁ ॥ ୫୯
ବସନ୍ତ ମଳୟପବନ । ଷଡ଼ଋତୁ ଙ୍କ ସମେତେଣ ॥ ୬୦
ଲୋଭ ମୋହ ମଦ ମତ୍ସର । ସଙ୍ଗେ ଘେନି ଚଳ ସତ୍ୱର ॥ ୬୧
ତାଙ୍କର ତପ ଭଗ୍ନକର । ଆଜ୍ଞା ପ୍ରମାଣେ ଚଳେ ମାର ॥ ୬୨
ମାର୍କଣ୍ଡ ଆଶ୍ରମେ ପ୍ରବେଶ । ହିମବନ୍ତ ଉତ୍ତରପାଶ ॥ ୬୩
ନଦୀର ପୁଷ୍ପଭଦ୍ରା ନାମ । ଚିତ୍ରଶିଳା ନାମେ ଯେ ସ୍ଥାନ ॥ ୬୪
ଆଶ୍ରମ ମାର୍କଣ୍ଡେୟ ତହିଁ । ସେ ସ୍ଥାନେ କିଛି ଭୟ ନାହିଁ ॥ ୬୫
ସେ ଋଷି ଆଶ୍ରମ ମହିମା । ଅଶେଷ ସୁଖାଳୟ ସୀମା ॥ ୬୬
ପୂର୍ଣ୍ଣ ସେ ବୃକ୍ଷଲତାଦିରେ । ବେଷ୍ଟିତ ସୁଗନ୍ଧ ପୁଷ୍ପରେ ॥ ୬୭
ପୁଷ୍ପଶ୍ରେଣୀର ଶୋଭା ଘେନି । ନିର୍ମଳଜଳ ପୁଷ୍କରିଣୀ ॥ ୬୮
ମତ୍ତଭ୍ରମରେ ପୁଷ୍ପବାସେ । ମକରନ୍ଦପାନ ହରଷେ ॥ ୬୯
ମତ୍ତ-କୋକିଳ କରେ ଧ୍ୱନି । ମତ୍ତ-ମୟୂର ନୃତ୍ୟେ ଭ୍ରମି ॥ ୭୦
ଉନ୍ମତ୍ତେ ନାନା ପଶୁଗଣେ । ସର୍ବେ ଆନନ୍ଦ ସେହୁ ବନେ ॥ ୭୧
ଏମନ୍ତେ ଇନ୍ଦ୍ରଦୂତମାନେ । ମିଳିଲେ ଋଷି-ତପସ୍ଥାନେ ॥ ୭୨
ପବନ ମଦଗନ୍ଧ ଘେନି । ଶୀତଳ ହିମଜଳ ଆଣି ॥ ୭୩
ପୁଷ୍ପବାସରେ ଯୁକ୍ତ ହୋଇ । ବହଇ ମଳୟ ପୂରାଇ ॥ ୭୪
କାମ ଉଦିତ ନାନାମତେ । ଆଚ୍ଛନ୍ନକଲେ ଇନ୍ଦ୍ରଦୂତେ ॥ ୭୫
ପୂର୍ଣ୍ଣ ଚନ୍ଦ୍ରମା ଉଦେ ହୋଇ । ନବପଲ୍ଲବେ ଶୋଭା ପାଇ ॥ ୭୬
ବସନ୍ତ ଆଦି ଷଡ଼ଋତୁ । ଏ ସର୍ବେ ତପଭଗ୍ନ ହେତୁ ॥ ୭୭
ଗନ୍ଧର୍ବ ଅପସରା ଆଦି । କନ୍ଦର୍ପ ପୁଷ୍ପବାଣ ସନ୍ଧି ॥ ୭୮
ଲୋଭ ମୋହ ଅଙ୍ଗେ ଭେଦିଲା । ରତିସଙ୍କେତ ଦେଖାଇଲା ॥ ୭୯
ମାରକଣ୍ଡେୟ ସନ୍ଧ୍ୟା ସାରି । ଅଗ୍ନିହୋତ୍ରରେ ସେବାକରି ॥ ୮୦
ଯୋଗଧ୍ୟାନରେ ବସିଛନ୍ତି । ଏମନ୍ତେ କନ୍ଦର୍ପେ ଭେଦନ୍ତି ॥ ୮୧
ସେ ମାରକଣ୍ଡ ଯୋଗଧ୍ୟାନେ। ଚିନ୍ତେ ବାସୁଦେବ ଚରଣେ ॥ ୮୨
ଅତ୍ୟନ୍ତ ଯେ ଜାଜ୍ୱଲ୍ୟମାନ । ଅଗ୍ନିମୂର୍ତ୍ତିରେ ଶୋଭାବନ ॥ ୮୩
ସେ ଋଷିଆଗେ ଇନ୍ଦ୍ରଦୂତେ । ଆଚ୍ଛନ୍ନ କଲେ ଯେଝାମତେ ॥ ୮୪
ଗନ୍ଧର୍ବ ଅପସରା ନୃତ୍ୟ । ମୃଦଙ୍ଗ ବୀଣା ନାନାଯନ୍ତ୍ର ॥ ୮୫
ପୁଷ୍ପଧନୁରେ ପଞ୍ଚଶର । କାମ ଭେଦେ ଋଷିହୃଦର ॥ ୮୬
ମଧୁ ମାଧବାଦି ଯେତେକ । ତପଭଗ୍ନେ ଇନ୍ଦ୍ର ସେବକ ॥ ୮୭
ପୁଞ୍ଜିକସ୍ଥଳୀ ଅପସରା । ସାରଣୀ ଘେନି ଖେଳୁଥିଲା ॥ ୮୮
କବରୀ ଫିଟିଲା ତାହାର । ସାରଣୀ ଖସିଗଲା ଦୂର ॥ ୮୯
ବାମ ଡ଼ାହାଣେ ଚକ୍ଷୁ ଢାଳି । କବରୀ ବାନ୍ଧେ ଭୁଜ ତୋଳି ॥ ୯୦
ପିନ୍ଧିଲା ବସ୍ତ୍ର ଖସି ତଳେ । ପବନ ଉଡ଼ାଇ ତା' ନେଲେ ॥ ୯୧
ଏମନ୍ତ ସମୟେ ମଦନ । ପୁଷ୍ପଶର ମାରେ ବେଗେଣ ॥ ୯୨
ଏ ସର୍ବ ବିଅର୍ଥ ହୋଇଲେ । ଋଷି ଅଙ୍ଗରେ ନ ଭେଦିଲେ ॥ ୯୩
ଯେଣୁ ସେ ବିଷ୍ଣୁପାଦ ଧ୍ୟାୟି । ଏକାଗ୍ରଚିତ୍ତେ ଲୟେ ରହି ॥ ୯୪
ଋଷିଙ୍କ ଅପକାର ଭାବେ । ଦଗ୍ଧ ସେ ହୁଅନ୍ତି ସ୍ୱଭାବେ ॥ ୯୫
ଏଣୁ ସତ୍ୱରେ ଲେଉଟିଲେ । ଇନ୍ଦ୍ରର ଭୁବନେ ମିଳିଲେ ॥ ୯୬
ସର୍ପକୁ ଚାଳିଣ ଯେସନେ । ବାଳକେ ପଳାଅନ୍ତି ଛନ୍ନେ ॥ ୯୭
ଏ ଭାବେ ଇନ୍ଦ୍ରଦୂତେ ମୋହି । ସେ ଗୁଣେ ମୁନିଖେଦ ନାହିଁ ॥ ୯୮
ଗୋବିନ୍ଦଚରଣ ଧ୍ୟାନରେ । ଲେଶମାତ୍ରକ ନ ଛାଡ଼ିଲେ ॥ ୯୯
ଯା' ନାମ ହୃଦୟରେ ଭାବି । ଜନ୍ମ ମୃତ୍ୟୁ ଭୟ ନ ଲଭି ॥ ୧୦୦
ଯେ ତାଙ୍କୁ ନିମଗ୍ନେ ଭଜଇ । ସଂସାର-ଦୁସ୍ତରୁ ତରଇ ॥ ୧୦୧
ତା' ପାଦ ହୃଦେ ଧ୍ୟାୟୁଥିଲେ । ଏଣୁ ସେ ବିଘ୍ନେ ନ ବାଧିଲେ ॥ ୧୦୨
ଏ ବଡ଼ ବିଚିତ୍ର ନୁହଇ । ଯା' ଚିତ୍ତ ବିଷ୍ଣୁପାଦେ ଥାଇ ॥ ୧୦୩
କାମାଦି ଯେତେ ଦେବଗଣ । କହିଲେ ଇନ୍ଦ୍ରର ଆଗେଣ ॥ ୧୦୪
ଇନ୍ଦ୍ର ତା ଶୁଣିଣ ଜାଣିଲେ । ବଡ଼ ବିସ୍ମୟ ମନେ କଲେ ॥ ୧୦୫
ଏମନ୍ତ ପ୍ରକାରେ ସେ ଋଷି । ବାସୁଦେବେ ଚିତ୍ତ ନିବେଶି ॥ ୧୦୬
ତପସାଧନ ସଂଯତରେ । ସମଭାବ ବହି ମନରେ ॥ ୧୦୭
ଏମନ୍ତ ଭକ୍ତି ତା'ର ଜାଣି । ସେ ବାସୁଦେବ ଚକ୍ରପାଣି ॥ ୧୦୮
ତାହାଙ୍କୁ ଅନୁଗ୍ରହ କଲେ । ନରନାରାୟଣ ହୋଇଲେ ॥ ୧୦୯
ଦର୍ଶନ ମାରକଣ୍ଡେ ଦେଲେ । ଶୁକ୍ଳ କୃଷ୍ଣ ଦୁଇ ବର୍ଣ୍ଣରେ ॥ ୧୧୦
ନବୀନ ପଦ୍ମ ପ୍ରାୟ ଅକ୍ଷ । ଚତୁର୍ଭୁଜ ହୃଦେ ଶ୍ରୀବତ୍ସ ॥ ୧୧୧
ବକଳ କୃଷ୍ଣାଜିନ ପିନ୍ଧି । ତପଚାରୀ ବେଶେ ଆନନ୍ଦୀ ॥ ୧୧୨
ଉତ୍ତରୀ କନ୍ଧେ ସୁଶୋଭନ । ହସ୍ତରେ ପବିତ୍ର ଗ୍ରହଣ ॥ ୧୧୩
ତ୍ରିଗୁଣ ପଇତା କନ୍ଧେଣ । କମଣ୍ଡଳୁ ହସ୍ତେ ଶୋଭନ ॥ ୧୧୪
ବେଣୁର ତ୍ରିଦଣ୍ଡ କନ୍ଧରେ । ପଦ୍ମ ରୁଦ୍ରାକ୍ଷ ହୃଦୟରେ ॥ ୧୧୫
ବିଦ୍ୟୁତ ପ୍ରାୟ ଜଟା ଶିରେ । ସ୍ୱଭାବେ ତପସ୍ୱୀ ବେଶରେ ॥ ୧୧୬
ଆଜାନୁ ଲମ୍ବେ ବେନିଭୁଜ । ଏମନ୍ତ ରୂପେ ଦେବରାଜ ॥ ୧୧୭
ଦେବତାଗଣରେ ପୂଜିତ । ପ୍ରବେଶ ମାର୍କଣ୍ଡ ଅଗ୍ରତ ॥ ୧୧୮
ସେ ନରନାରାୟଣେ ଦେଖି । ମାର୍କଣ୍ଡ ଆସନ ଉପେକ୍ଷି ॥ ୧୧୯
ସାଷ୍ଟାଙ୍ଗେ ପ୍ରଣମି ଚରଣେ । ଦଣ୍ଡବତ ସ୍ତୁତିବଚନେ ॥ ୧୨୦
ତା'ଙ୍କ ଦର୍ଶନେ ଆନନ୍ଦରେ । ରୋମପୁଲକ ପ୍ରେମଭରେ ॥ ୧୨୧
ଆତ୍ମା ଇନ୍ଦ୍ରିୟଗଣ ମନ । ଚକ୍ଷୁ ଲୋତକେ ହୋଏ ପୂର୍ଣ୍ଣ ॥ ୧୨୨
ତା'ଙ୍କ ଜ୍ୟୋତିର ତେଜ ଦେଖି । ସମର୍ଥ ନୁହଇ ଯେ ଆଖି ॥ ୧୨୩
ମନ ଉତ୍ସୁକେ କୃତାଞ୍ଜଳି । ଆଲିଙ୍ଗନ ପ୍ରାୟ ପ୍ରସାରି ॥ ୧୨୪
ବଚନେ ନମୋନମୋ ସ୍ତୁତି । ଗଦଗଦେ ବାଣୀ ଭାଷନ୍ତି ॥ ୧୨୫
ଉତ୍ତମ ଆସନେ ବସାଇ । ଚରଣ ଧୋଇଣ ପିଅଇ ॥ ୧୨୬
ସିଞ୍ଚନ ଶିରଗାତ୍ରେ କରି । ଷଡ଼ଅର୍ଘ୍ୟେ ପୂଜା ଆଚରି ॥ ୧୨୭
ଚନ୍ଦନ ଧୂପ ଦୀପ ପୁଷ୍ପ । ପୂଜିଲେ ମୃକଣ୍ଡଙ୍କ ଶିଷ୍ୟ ॥ ୧୨୮
ସନ୍ତୋଷେ ପ୍ରସନ୍ନ ବଦନ । ହୋଇଲେ ନରନାରାୟଣ ॥ ୧୨୯
ମୁନି ଯେ ଦଣ୍ଡବତ ପୁଣି । ବିଷ୍ଣୁ ତୋଷିଣ ସ୍ତୁତି ଭଣି ॥ ୧୩୦
ମାର୍କଣ୍ଡେୟ ଉବାଚ
ହେ ପ୍ରଭୁ ତୁମ୍ଭର ମହିମା । ମୁଁ କିସ ବର୍ଣ୍ଣିବି ଯେ ସୀମା ॥ ୧୩୧
ଯାହାର ଅଂଶୁ ପ୍ରାଣୀମାନେ । ପ୍ରବେଶ ସୃଷ୍ଟି ସରଜନେ ॥ ୧୩୨
ଯେ ଦେହେ ପ୍ରବେଶ ହୋଇଣ । ମନ ଇନ୍ଦ୍ରିୟଗଣମାନ ॥ ୧୩୩
ସଂସାର ଚେଷ୍ଟା କରୁଛନ୍ତି । ସର୍ବ ଅନୁଭବ କରନ୍ତି ॥ ୧୩୪
ଯହିଁ ଜୀବରୂପେ ଥାଇଣ । ଅନୁଭବ ତୁମ୍ଭ ଭାବେଣ ॥ ୧୩୫
ଏ ଦୁଇ ଲୋକ ଯେ ତୁମ୍ଭର । ତ୍ରୈଲୋକ୍ୟ ମଙ୍ଗଳ ଈଶ୍ୱର ॥ ୧୩୬
ପ୍ରାଣୀ ଜନ୍ମମୃତ୍ୟୁ ନାଶନେ । ବସିଛ ବଦରିକାଶ୍ରମେ ॥ ୧୩୭
ନାନା ରୂପେ ପ୍ରାଣୀ ସର୍ଜନ । କରିଣ ସବୁଠାରୁ ଭିନ୍ନ ॥ ୧୩୮
ଉର୍ଣ୍ଣନାଭ ସୂତ୍ରେ ଯେସନ । ସଂହରେ ଗୃହ କରି ପୁଣ ॥ ୧୩୯
ଏ ଭାବେ ଜଗତ ପ୍ରଚରି । ମାୟା ଘେନି ତହିଁ ବିହରି ॥ ୧୪୦
ସଂସାରେ ଥାଇ ଯେଉଁମାନେ । ନିତ୍ୟେ ଭଜନ୍ତି ତୋ' ଚରଣେ ॥ ୧୪୧
ଏକାଗ୍ରେ ତୋ' ପାଦେ ସେବନ୍ତି । ଜନ୍ମ ମୃତ୍ୟୁରୁ ତରିଯା'ନ୍ତି ॥ ୧୪୨
ଯେ ତୁମ୍ଭ ମାୟା ପାର ହୋଇ । ସେ ତୁମ୍ଭ ଚରଣେ ଭଜଇ ॥ ୧୪୩
ତୋର ଚରଣ ଆଶ୍ରେ ବିନୁ । ନ ତରେ ଏଭବ ବନ୍ଧନୁ ॥ ୧୪୪
ଅଜ୍ଞାନ ସଂସାର ନିରତ । ଜାଣି ଭଜିଲେ ଯୋଗୀପଥ ॥ ୧୪୫
ତୁମ୍ଭ ଦେଲାରୁ ଚତୁର୍ମୁଖ । ଭୋଗ କରଇ ବ୍ରହ୍ମସୁଖ ॥ ୧୪୬
ଦୁଇପରାର୍ଦ୍ଧ ଆୟୁ ପାଇ । ତା' ଶିରେ କାଳ ବସିଛଇଁ ॥ ୧୪୭
ସମୟେ ତା'କୁ ସଂହାରଇ । ଏମନ୍ତ ବନ୍ଧ ମାୟାମୟୀ ॥ ୧୪୮
ଏଥେ ଯେ ପ୍ରାଣୀ ଜଡ଼ିଛନ୍ତି । ତୋତେ ଅଜ୍ଞାନେ ନ ଜାଣନ୍ତି ॥ ୧୪୯
ଯେ ଭଜେ ତୋ' ଚରଣ ଆଶେ । ସେ ମାୟା ବନ୍ଧନେ ନ ମିଶେ ॥ ୧୫୦
ଏମନ୍ତ ଚରଣରେ ମୁହିଁ । ନିରତେ ଭଜନ କରଇ ॥ ୧୫୧
ତୋ' ମାୟା ମୋର ମନେ ଥାଇ । ଦେହାଦି ଅଭିମାନ ବହି ॥ ୧୫୨
ମୋ' ଦେହ ଜନ୍ମ ସେ କରିଛି । ସେ ମାୟା ମୋ'ର ମନୁ ଲେଛି ॥ ୧୫୩
ଚରଣାରବିନ୍ଦେ ଲଗାଅ । ତୁମ୍ଭ ମାୟାରୁ ଫେଡ଼ିଦିଅ ॥ ୧୫୪
ସତ୍ତ୍ୱ ରଜ ତମ ତ୍ରିଗୁଣେ । ବ୍ରହ୍ମା ବିଷ୍ଣୁ ମହେଶ ଜନ୍ମେ ॥ ୧୫୫
ସେ ରୂପ ବହିଣ ସଂସାର । ସୃଷ୍ଟି ସ୍ଥିତି ପ୍ରଳୟକର ॥ ୧୫୬
ଏ ମାୟା ଲୀଳାର ବିହାର । କେବଳ ତୋ'ର ଖେଳଘର ॥ ୧୫୭
ତୁମ୍ଭେ ଯେ କରୁଣାସାଗର । ତେଣୁ ଶରଣ ଅଟ ମୋ'ର ॥ ୧୫୮
ତୁମ୍ଭେ ଯେ ଶୁଦ୍ଧ ଶୁକ୍ଳ ବର୍ଣ୍ଣ । ନିର୍ଗୁଣରୂପୀ ନରୋତ୍ତମ ॥ ୧୫୯
ଯେ ପ୍ରାଣୀ ତୁମ୍ଭଙ୍କୁ ଭଜନ୍ତି । ତ୍ରିଗୁଣ ବନ୍ଧନୁ ତରନ୍ତି ॥ ୧୬୦
ମୁକ୍ତ ହୋଇ ଚରଣେ ଲୀନ । ବୈକୁଣ୍ଠେ ସୁଖେ ଲଭେ ସ୍ଥାନ ॥ ୧୬୧
ବ୍ରହ୍ମା ସମ୍ପଦେ ସୁଖ ନାହିଁ । ତୋର ଚରଣ ରସ ପାଇ ॥ ୧୬୨
ଭକତ ପୁରୁଷ ଉତ୍ତମ । ପରମଗୁରୁ ବିଶ୍ୱଧାମ ॥ ୧୬୩
ନାରାୟଣ ଯେ ନରୋତ୍ତମ । ନିଗମେଶ୍ୱର ନିରୁପମ ॥ ୧୬୪
ହେ ପ୍ରଭୁ ଯୋଗାରୂଢବର । ତୁମ୍ଭଙ୍କୁ ମୋର ନମସ୍କାର ॥ ୧୬୫
ଉପନିଷଦେ ବ୍ରହ୍ମଭାଗ । ବେଦବଚନେ ହବିର୍ଭାଗ ॥ ୧୬୬
ଦେବେ ଯା' ନାମ ଭଜୁଛନ୍ତି । ଭାବେଣ ଯଶକର୍ମ ସ୍ତୁତି ॥ ୧୬୭
ସାକ୍ଷାତ ଗୁରୁ ଜଗତର । ଯେ ନାରାୟଣ ଅବତାର ॥ ୧୬୮
ଇନ୍ଦ୍ରିୟ ହୃଦ ଦୃଷ୍ଟିପଥେ । ମୋହିତ ତୁହି ଅବିରତେ ॥ ୧୬୯
ତୋ'ର ମାୟାରେ ମୂଢମତି । ତୋ'ତେ ସେ ଜାଣି ନ ପାରନ୍ତି ॥ ୧୭୦
ତୋ' ବେଦପଥ ଆଶ୍ରେ କଲେ । ଜାଣି ପାରନ୍ତି ତୋତେ ଭଲେ ॥ ୧୭୧
ଯାହାର ଦରଶନ ଭାବେ । ବେଦ ତତ୍ତ୍ୱଭାବେଣ ସେବେ ॥ ୧୭୨
ଦେଖିବା ଅର୍ଥେ ମୋହି ହେଲେ । ଅର୍ଥବାଦେ ସୂକ୍ଷ୍ମେ ବିଭୋଳେ ॥ ୧୭୩
ତୁମର ସ୍ୱରୂପ ରହସ୍ୟ । ବେଦରେ ହୋଇଛି ପ୍ରକାଶ ॥ ୧୭୪
କବିମାନେ ପାଦେ ନିମଜ୍ଜି । ଆଗମେ ନ ପାରନ୍ତି ହେଜି ॥ ୧୭୫
ଅଷ୍ଟାଙ୍ଗଯୋଗ ସାଧନରେ । ଦର୍ଶନ ଅର୍ଥେ ଯତ୍ନ କରେ ॥ ୧୭୬
ମୋହିତ ହୁଅନ୍ତି ତମରେ । ଦର୍ଶନ ନ ପାରି ସୂକ୍ଷ୍ମରେ ॥ ୧୭୭
ସକଳ ବେଦବାକ୍ୟଶୀଳ । ତୁମ୍ଭେ ଯେ ନିର୍ଗୁଣ ଶରୀର ॥ ୧୭୮
ହେ ମହା ପରମପୁରୁଷ । ସର୍ବ ଆତ୍ମାରୂପେ ପ୍ରକାଶ ॥ ୧୭୯
ଦର୍ଶନ ଦେଇଣ ସାକ୍ଷାତେ । ନମସ୍କାର ତୋ' ପାଦଗତେ ॥ ୧୮୦
ସେ ମାରକଣ୍ଡ ମହାମୁନି । ଅନେକ ସ୍ତୁତିବାକ୍ୟ ଭଣି ॥ ୧୮୧
ନମଇଁ ବିପ୍ର ଜଗନ୍ନାଥ । ଉଦ୍ଧର ଶଙ୍ଖଚକ୍ରହସ୍ତ ॥ ୧୮୨
ତୁମ୍ଭର ଚରଣକମଳେ । ମୋ ମନ ରହୁ ସୁନିଶ୍ଚଳେ ॥ ୧୮୩
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱାଦଶସ୍କନ୍ଧେ ଅଷ୍ଟମୋଦ୍ଧଧ୍ୟାୟ ॥
* * *