ଦ୍ୱାଦଶ ସ୍କନ୍ଧ
ସପ୍ତମ ଅଧ୍ୟାୟ
ଶୌନକ ପଚାରେ ହରଷେ । ସୂତ ପୌରାଣିକର ପାଶେ ॥ ୧
ଶୌନକ ଉବାଚ
ଭୋ ମୁନି ହୋଇବା ପ୍ରସନ୍ନ । କହିବା ବେଦ ଉତପନ୍ନ ॥ ୨
ଶବଦ ବୋଲି ଦେବବ୍ରହ୍ମ । ବିଷ୍ଣୁର କର୍ମ ଯଶ ଧର୍ମ ॥ ୩
ବିଷ୍ଣୁ ମୁଖରୁ ପ୍ରକାଶିଲା । ପ୍ରଚଣ୍ଡ ଶବଦ ଶୁଭିଲା ॥ ୪
ତାହାଙ୍କ ଚାରିନାମ ହୋଇ । ଚତୁର୍ମୁଖରେ ପ୍ରକାଶଇ ॥ ୫
ପୂର୍ବମୁଖରୁ ଋକ୍ବେଦ । ଦକ୍ଷିଣ ମୁଖୁଁ ଯଜୁର୍ବେଦ ॥ ୬
ପଶ୍ଚିମ ମୁଖୁଁ ସାମ ହୋଇ । ଉତ୍ତରେ ଅଥର୍ବ ଜନ୍ମଇ ॥ ୭
ରଜୋଗୁଣରୁ ଋକ୍ ବେଦ । ତମୋ ଗୁଣୁଁ ଯଜୁ ସମ୍ବାଦ ॥ ୮
ସତ୍ତ୍ୱଗୁଣରୁ ବେଦସାମ । ନିର୍ଗୁଣେ ଅଥର୍ବ ନିଗମ ॥ ୯
ଉତ୍ପନ୍ନ ଚାରିବେଦ କରି । ବ୍ରହ୍ମା ଅନୁଭବେ ବିଚାରି ॥ ୧୦
ଜାଣିଲେ ପୂର୍ବେ ସୃଷ୍ଟିଥିଲା । ବିଷ୍ଣୁର ଅବତାର ଲୀଳା ॥ ୧୧
ଏମନ୍ତେ ସୃଷ୍ଟି ଅନୁଭବ । ସ୍ଥାବର ଜଙ୍ଗମାଦି ଜୀବ ॥ ୧୨
ଆଚାର୍ଯ୍ୟେ ଚାରିବେଦ ହେଲେ । ପ୍ରଜାପତି ମରୀଚି ତୁଲେ ॥ ୧୩
ବେଦ ବିସ୍ତାର ତେଣୁ ହୋଇ । ସତ୍ୟ ତ୍ରେତା ଦ୍ୱାପରେ ରହି ॥ ୧୪
ଦ୍ୱାପର ଅନ୍ତେ ଅନ୍ତର୍ଦ୍ଧାନ । ରହେ ସ୍ୱର୍ଗାଦି ଊର୍ଦ୍ଧ୍ୱେ ପୁଣ ॥ ୧୫
ଏମନ୍ତ ଜାଣି ନାରାୟଣ । ବିଷ୍ଣୁ ଅଂଶେ ଜନ୍ମ ହୋଇଣ ॥ ୧୬
ସ୍ଥାପିବା ଅର୍ଥେ ଧର୍ମମାନ । ସମ୍ଭବ ଯୁଗେ ଯୁଗେ ପୁଣ ॥ ୧୭
ପରାଶର ଋଷିଙ୍କ ସୁତ । ସତ୍ୟବତୀ ଗର୍ଭେ ସମ୍ଭୂତ ॥ ୧୮
ବିଷ୍ଣୁ ଯେ ବେଦବ୍ୟାସ ରୂପେ । ଜନ୍ମ ସେ ଲଭେ କଳ୍ପେ କଳ୍ପେ ॥ ୧୯
ବୈବସ୍ୱତମନୁ ବିଭୂତେ । ଅଷ୍ଟାବିଂଶଗଣ୍ଡା ଯୁକତେ ॥ ୨୦
ଚାରିବେଦ ବିସ୍ତାର କଲେ । ବେଦବ୍ୟାସ ନାମ ବହିଲେ ॥ ୨୧
ସେ ପୁଣି ଏ ବେଦମାନଙ୍କୁ । ଶାଖା ଭେଦେ ଦେଲେ ଶିଷ୍ୟଙ୍କୁ ॥ ୨୨
ପ୍ରଥମେ ଋକ୍ବେଦ ଦୃଢେ । ପଇଳ ନାମେ ଋଷି ପଢେ ॥ ୨୩
ବୈଶମ୍ପାୟନ ଯଜୁର୍ବେଦ । ଜଇମିନି ଯେ ସାମବେଦ ॥ ୨୪
ଅଥର୍ବ ଆଙ୍ଗିରସେ ଦେଲେ । ଏମନ୍ତେ ବେଦ ସମ୍ପାଦିଲେ ॥ ୨୫
ସେମାନେ ଶିଷ୍ୟଗଣ କଲେ । ଶାଖା କରିଣ ବାଣ୍ଟିଦେଲେ ॥ ୨୬
ଯେ ବେଦ ଯେତେ ଶାଖା ହୋଇ । ଯେ ଶିଷ୍ୟେ ଯେ ଶାଖା ବୋଲାଇ ॥ ୨୭
ଏ ବେଦ ପ୍ରଥମେ କେମିତି । ବିଷ୍ଣୁଙ୍କ ଠାରୁ ଉତପତ୍ତି ॥ ୨୮
କେମନ୍ତେ ବ୍ରହ୍ମା ଉପଦେଶ । କହ ତା ବିସ୍ତାରି ବିଶେଷ ॥ ୨୯
ଶୁଣି ଶୌନକ ମୁଖୁଁ ବାଣୀ । ସୂତ କହନ୍ତି ତୋଷଘେନି ॥ ୩୦
ସୂତ ଉବାଚ
ପ୍ରଥମେ ବିଷ୍ଣୁ ଯେତେବେଳେ । ଯୋଗ ଧ୍ୟାନରେ ନିଦ୍ରା ଗଲେ ॥ ୩୧
ଲୟ ଲଗାଇ ନିରାକାରେ । ବ୍ରହ୍ମା ବସିଲେ ସମାଧିରେ ॥ ୩୨
ତାଙ୍କ ହୃଦୟୁ ନାଦ ଜନ୍ମ । ଆକାଶ ଶୂନ୍ୟ ଯା'ର ଧାମ ॥ ୩୩
ସେ ନାଦ କର୍ଣ୍ଣ ଆବୋରିଲେ । ଶୁଭଇ ସମସ୍ତଙ୍କୁ ଭଲେ ॥ ୩୪
ଯାହାକୁ କଲେ ଉପାସନା । ଆତ୍ମା ନିର୍ମଳ ଶୁଦ୍ଧମନା ॥ ୩୫
ସଂସାର-ଜନ୍ମ-ମରଣାଦି । ତରେ ତ୍ରିତାପ କର୍ମ ଛେଦି ॥ ୩୬
ସେ ନାଦୁଁ ପ୍ରଭାବିନ୍ଦୁ ଜନ୍ମ । ପରମବ୍ରହ୍ମ ପରଂଧାମ ॥ ୩୭
ବିନ୍ଦୁ ତ୍ରିଗୁଣାତ୍ମକ ହୋଇ । ବ୍ରହ୍ମା ବିଷ୍ଣୁ ରୁଦ୍ର ବୋଲାଇ ॥ ୩୮
ଏ ରୂପେ ଏକାକ୍ଷର ବ୍ରହ୍ମ । ଅବ୍ୟକ୍ତ ରୂପୀ ତ୍ରୟଧାମ ॥ ୩୯
ସେ ଏକାକ୍ଷର ବ୍ରହ୍ମପର । ଅର୍ଦ୍ଧମାତ୍ରା ବିନ୍ଦୁ ଆଧାର ॥ ୪୦
ଯୋଗମାୟା ସ୍ୱରୂପ ସେହି । ସେ ମାୟା ତ୍ରିଗୁଣ ସର୍ଜଇ ॥ ୪୧
ତିନିମାତ୍ରା ଯେ ଏକାକ୍ଷର । ଅକାର ଉକାର ମକାର ॥ ୪୨
ଅର୍ଦ୍ଧମାତ୍ରା ବିନ୍ଦୁ ସ୍ୱରୂପ । ଯେ ବାସୁଦେବ ରସକୂପ ॥ ୪୩
ଯେ ଜାଣି ନିମଗ୍ନେ ଭଜନ୍ତି । ବ୍ରହ୍ମରେ ଲୀନ ସେ ହୁଅନ୍ତି ॥ ୪୪
ଶବଦବ୍ରହ୍ମ ଏହି ନାଦ । ଯେ ଜନ କରେ ଆତ୍ମା ଭେଦ ॥ ୪୫
ଅର୍ଦ୍ଧମାତ୍ରେ ଏକାନ୍ତେ ବସି । ଯୋଗଧାରଣା ଭାବେ ବସି ॥ ୪୬
ଇନ୍ଦ୍ରିୟ ସୁପ୍ତ ଅବସ୍ଥାରେ । କର୍ଣ୍ଣକୁ ଢାଙ୍କିଣ ହସ୍ତରେ ॥ ୪୭
ଶୂନ୍ୟ ଦୃଷ୍ଟିରେ ମନଦେଇ । ଶରୀର ଚେଷ୍ଟା କିଛି ନାହିଁ ॥ ୪୮
ତେବେ ଯେ ଶବଦ ଶୁଣଇ । ତାହାକୁ ପରମାତ୍ମା କହି ॥ ୪୯
ତେବେ ବ୍ରହ୍ମଦର୍ଶନ ପାଇ । ଶାନ୍ତି ସମଦୃଷ୍ଟି ଭଜଇ ॥ ୫୦
ମନବଚନେ ଅଗୋଚର । ସେ ବ୍ରହ୍ମ ଥାଇ ଅତିଦୂର ॥ ୫୧
ଅବ୍ୟକ୍ତ ଆକାଶ ସ୍ୱରୂପୀ । ସେ ଥାଇ ସର୍ବଭୂତେ ବ୍ୟାପୀ ॥ ୫୨
ଆକାଶ ହୃଦୟ ମଧ୍ୟରେ । ଜୀବ ସ୍ୱରୂପେଣ ସଞ୍ଚରେ ॥ ୫୩
ସେ ପୁଣି ଭୁରୂମଧ୍ୟେ ସ୍ଥାନ । ଶୁଦ୍ଧ ସ୍ପଟିକ ସ୍ୱରୂପେଣ ॥ ୫୪
ପରମାତ୍ମା ରୂପେ ପ୍ରକାଶ । ଗଗନେ ବିଦ୍ୟୁ ଜ୍ୟୋସ୍ନା ତ୍ରାସ ॥ ୫୫
ସେ ପୁଣ ଭୁରୂ ମଧ୍ୟେ ଊର୍ଦ୍ଧ୍ୱେ । ଦ୍ୱାଦଶାଙ୍ଗୁଳ ପରେ ଶୁଦ୍ଧେ ॥ ୫୬
ସହସ୍ର ଦଳ କମଳରେ । ନାନା ରସାଦି ଲୀଳା କରେ ॥ ୫୭
ସେ ମଧ୍ୟେ ନିରାକାର ବ୍ରହ୍ମ । ବାଲୁକା ସମାନ ଯେ ଧାମ ॥ ୫୮
ଜ୍ୟୋତିର୍ମୟ ସୂକ୍ଷ୍ମ ପ୍ରକାଶ । ତୀକ୍ଷଣ ବାଳାଗ୍ର ସଦୃଶ ॥ ୫୯
ପରମ ପରାତ୍ମା ବୋଲାନ୍ତି । ସେ ଅଂଶୁ ଅବତାର ହୋନ୍ତି ॥ ୬୦
ହୃଦପଦ୍ମରେ ଜୀବଆତ୍ମା । ଅଦୃଶ୍ୟମାତ୍ର ରୂପ ସୂକ୍ଷ୍ମା ॥ ୬୧
ଦ୍ୱିଭୁଜ ଶଙ୍ଖ ଚକ୍ରଧାରୀ । ଅଶେଷ ଜୀବରେ ପ୍ରଚରି ॥ ୬୨
ପ୍ରଫୁଲ୍ଲ ପଦ୍ମ ପ୍ରାୟ ମୁଖ । ପୀତାମ୍ବରଧାରୀ ସୁରେଖ ॥ ୬୩
ଅଷ୍ଟଦଳ କମଳ ପରେ । ଅଷ୍ଟଶକ୍ତି ଚଉପାଶରେ ॥ ୬୪
ଶୁଦ୍ଧ ସୁବର୍ଣ୍ଣ ପ୍ରାୟ ଶୋଭା । ହସିତ ଭାବ ମୁଖ ଆଭା ॥ ୬୫
ସସ୍ରଶିଖା ମୁକୁଟ ମଣି । ରତ୍ନଜଡ଼ିତ ଶୋଭା ଜିଣି ॥ ୬୬
ସେ ଜୀବଆତ୍ମା ଯେ ପୁରୁଷ । ସର୍ବ ଜୀବେ ପୂରି ଆଭାସ ॥ ୬୭
ମାୟାରେ ରଜ ତମ ଗୁଣେ । ଆବୋରିଛନ୍ତି ଅନୁକ୍ଷଣେ ॥ ୬୮
ସେ ଜୀବଆତ୍ମା ଦ୍ୟୁତିରୂପ । ପରମାତ୍ମା ସତ୍ୟ ସ୍ୱରୂପ ॥ ୬୯
ସତ୍ତ୍ୱଗୁଣରେ ଯୁକ୍ତ ସେହି । ସ୍ୱରୂପ ଶୁଦ୍ଧଶୁକ୍ଳ ବହି ॥ ୭୦
ଏ ଭୁରୂମଧ୍ୟେ ଛନ୍ତି ବସି । କୁଣ୍ଠ ବୈକୁଣ୍ଠ ନାମ ଭାଷି ॥ ୭୧
ଅର୍ଦ୍ଧମାତ୍ରା ତଳେ ଅଛନ୍ତି । ଏ ପରେ ନିରାକାର ସ୍ଥିତି ॥ ୭୨
ତ୍ରୟ ସ୍ୱରୂପୀ ବ୍ରହ୍ମଜ୍ୟୋତି । ବ୍ରହ୍ମପ୍ରକାଶ ହୋଇଛନ୍ତି ॥ ୭୩
ଏକାକ୍ଷର ବ୍ରହ୍ମ ପ୍ରଣବ । ଶବଦ ରୂପୀ ବୀଜ ସର୍ବ ॥ ୭୪
ତାହାଙ୍କ ତହୁଁ ଉତପନ୍ନ । ଚଉଦ ଆକାରାଦି ବର୍ଣ୍ଣ ॥ ୭୫
ଚଉଦ ସ୍ୱର ଏ ବୋଲାନ୍ତି । ଏ ଭାବେ ଅକ୍ଷରର ଗତି ॥ ୭୬
କ କାର ଆଦି ଚଉତ୍ରିଂଶ । ବ୍ୟଞ୍ଜନ ଶବଦ ବିଶେଷ ॥ ୭୭
ଏ ସ୍ୱରମାନେ ବିଷ୍ଣୁରୂପ । ବ୍ୟଞ୍ଜନ ମାୟାର ସ୍ୱରୂପ ॥ ୭୮
ଏ ସର୍ବ ଅକ୍ଷର ମାତୃକା । ପ୍ରକୃତି ବଶ ଶବ୍ଦ ଏକା ॥ ୭୯
ସ୍ୱରମାନେ ଦୀର୍ଘ ଯେ ହ୍ରସ୍ୱ । ପ୍ଳୁତ ନାମରେ ପରକାଶ ॥ ୮୦
ସନ୍ଧି ଅକ୍ଷର ଏ ବୋଲାଇ । ଏ କାର ଆଦି ଚାରି ଯେହି ॥ ୮୧
ପଚିଶବର୍ଣ୍ଣେ ପଞ୍ଚ ପଞ୍ଚ । ପାଞ୍ଚ ବର୍ଣ୍ଣରେ ବର୍ଗ ସଞ୍ଚ ॥ ୮୨
ଏ ଅନ୍ତେ ଅନ୍ତ୍ୟସ୍ଥ ଏ ଜାଣ । ଯରଳବଏ ଚାରିବର୍ଣ୍ଣ ॥ ୮୩
ଶଷସହଏ ଚାରିବର୍ଣ୍ଣ । ଉଷ୍ମବର୍ଣ୍ଣରେ ବିଦ୍ୟମାନ ॥ ୮୪
ବିନ୍ଦୁ ଅନୁସାର ବୋଲାଇ । ସେ ବିନ୍ଦୁ ଯେବେ ଦୁଇ ହୋଇ ॥ ୮୫
ବିସର୍ଗ ନାମ ସେ ବୋଲାଇ । ଗଜକୁମ୍ଭାକୃତି ଯେ ହୋଇ ॥ ୮୬
ଏମନ୍ତ ହୋଇ ଶବ୍ଦବ୍ରହ୍ମ । ପଞ୍ଚାଶବର୍ଣ୍ଣଭେଦ ନାମ ॥ ୮୭
ଅକ୍ଷର ଆକୃତି ହୋଇଲେ । ଦେହ ବାହ୍ୟରେ ପ୍ରକାଶିଲେ ॥ ୮୮
ତହିଁ ଭିତରୁ ବ୍ରହ୍ମଯନ୍ତ୍ରି । ଚବିଶ ଅକ୍ଷର ଗାୟତ୍ରୀ ॥ ୮୯
ଏ ମାୟା ରୂପେ ପ୍ରକାଶିଲେ । ସପ୍ତବ୍ୟାହୃତି ସେ ହୋଇଲେ ॥ ୯୦
ଦଶ ପ୍ରଣବ ମଧ୍ୟେ ହୋଇ । ଗାୟତ୍ରୀଶିର ସେ ବୋଲାଇ ॥ ୯୧
ସେ ବ୍ରହ୍ମ ଗାୟତ୍ରୀ ସାବିତ୍ରୀ । ସରସ୍ୱତୀ ତ୍ରିକାଳଗତି ॥ ୯୨
ତ୍ରିକାଳ ସନ୍ଧ୍ୟା ଏ ବୋଲାନ୍ତି । ଋକ୍ ଯଜୁ ସାମ ହୁଅନ୍ତି ॥ ୯୩
ତ୍ରିଗୁଣ ରୂପରେ ପ୍ରକାଶ । ଯଶ କର୍ମ ଗୁଣେ ବିଶେଷ ॥ ୯୪
ସେ ଗାୟତ୍ରୀ ବ୍ରହ୍ମ ଅଭ୍ୟାସ । ଯଜ୍ଞମାନ ସିଦ୍ଧି ଉଦ୍ଦେଶ୍ୟ ॥ ୯୫
ଚାରିବେଦକୁ ଜାତ କଲେ । ଚାରିବ୍ରାହ୍ମଣେ ବିତରିଲେ ॥ ୯୬
ହୋମରେ ଆହୁତିର ଅର୍ଥେ । ଋକ୍ବେଦୀ ହୁଅଇ ମର୍ତ୍ତ୍ୟେ ॥ ୯୭
ଯଜୁର୍ବେଦୀମାନଙ୍କୁ ପୁଣ । କର୍ମ ପ୍ରଚାରେ ଆଚାର୍ଯ୍ୟେଣ ॥ ୯୮
ସାମବେଦୀ ସାମଗାୟନେ । ସଂହିତା କଲେ ବିଦ୍ୟମାନେ ॥ ୯୯
ଅଥର୍ବେ ବ୍ରହ୍ମାର ବରଣ । ଏମନ୍ତ କରି ବେଦମାନ ॥ ୧୦୦
ଭିଆଇ ନାନାବିଧ ଶ୍ରୁତି । ମରୀଚି ଆଦି ପ୍ରଜାପତି ॥ ୧୦୧
ଏହାଙ୍କୁ ବେଦ ପଢାଇଲେ । ଏ ପୁଣି ପୁତ୍ରେ ଶିଷ୍ୟେ ଦେଲେ ॥ ୧୦୨
ଧର୍ମ ଉପଦେଶ ବିଧାନ । ସେମାନେ କଲେ ଶ୍ରୁତିମାନ ॥ ୧୦୩
ଷଟତ୍ରିଂଶ ଶ୍ରୁତି ସ୍ୱଭାବେ । ସଂସାରେ ଧର୍ମ ପ୍ରବର୍ତ୍ତିବେ ॥ ୧୦୪
ସେମାନେ ପରସ୍ପରେ ପୁଣ । ପୁତ୍ରଙ୍କୁ ଦେଲେ ବେଦମାନ ॥ ୧୦୫
ଶାଖାପ୍ରଶାଖା କରି ଦେଲେ । ଉପଦେଶେଣ ପଢାଇଲେ ॥ ୧୦୬
ଏହି ପ୍ରକାରେ ଚାରିବେଦ । ସତ୍ୟାଦି ତିନିଯୁଗେ ଭେଦ ॥ ୧୦୭
ବିସ୍ତାର ହୋଇ ତିନିଲୋକେ । କଳିକି ରହିଲା ଅଳ୍ପକେ ॥ ୧୦୮
ଦ୍ୱାପର ଶେଷ ହୋନ୍ତେ କଳି । ପ୍ରାଣୀଙ୍କି ଦେଖି ଅଳ୍ପବଳୀ ॥ ୧୦୯
ଅଳ୍ପ ଆୟୁଷ ଅଳ୍ପ ବୁଦ୍ଧି । ଦେଖି ବ୍ରହ୍ମଋଷି ସୁବୁଦ୍ଧି ॥ ୧୧୦
ଏ ବେଦ ଶାଖା-ପ୍ରଶାଖାରେ । କଲେ ବାସୁଦେବ ଆଜ୍ଞାରେ ॥ ୧୧୧
ସେ ମନ୍ୱନ୍ତର ଗୋଟିକରେ । ଯୁଗ ଏକସ୍ତରି ବିସ୍ତାରେ ॥ ୧୧୨
ଯେ ଯୁଗେ ଯେଉଁ ଋଷିମାନ । ବେଦ ବିସ୍ତାର କଲେ ପୁଣ ॥ ୧୧୩
ସେହି ବେଦବ୍ୟାସ ବୋଲାନ୍ତି । ତା ଦେହେ ବିଷ୍ଣୁ ପ୍ରବେଶନ୍ତି ॥ ୧୧୪
ଏ ବୈବସ୍ୱତ ମନ୍ୱନ୍ତରେ । ସପ୍ତବିଂଶ ଗଣ୍ଡା ଯୁଗରେ ॥ ୧୧୫
ସପ୍ତବିଂଶ ବେଳ ବିସ୍ତାର । ବେଦଶାଖାର ଯେ ପ୍ରଚାର ॥ ୧୧୬
ସପ୍ତବିଂଶ ଋଷି ହୃଦରେ । ବିଷ୍ଣୁ ପଶି ବେଦ ବିସ୍ତାରେ ॥ ୧୧୭
ଅଷ୍ଟାବିଂଶ ଗଣ୍ଡା ଯୁଗାନ୍ତେ । ଦ୍ୱାପର ଯୁଗ ଶେଷ ହୋନ୍ତେ ॥ ୧୧୮
ବ୍ରହ୍ମା ମହେଶ ଲୋକପାଳେ । ପ୍ରାର୍ଥନା କଲେ ଆଦିମୂଳେ ॥ ୧୧୯
ଏ ଘେନି ବେଦରକ୍ଷା ପାଇଁ । ବେଦବ୍ୟାସ ନାମ ବୋଲାଇ ॥ ୧୨୦
ପରାଶରଙ୍କ ବୀର୍ଯ୍ୟେ ଜାତ । ସତ୍ୟବତୀ ଗର୍ଭେ ସମ୍ଭୂତ ॥ ୧୨୧
ବିଷ୍ଣୁ ଅଂଶକଳାବତାର । ଅଗାଧଗୁଣରେ ଗମ୍ଭୀର ॥ ୧୨୨
ଚାରିବେଦ ମିଶ୍ରିତ ହୋଇ । ଏକ ବେଦରେ ଥିଲା ରହି ॥ ୧୨୩
ତାହାକୁ ଭିନ୍ନ ଭିନ୍ନ କରି । ଶାଖାରେ ବେଦଭାବ ଭରି ॥ ୧୨୪
ଋକ ଯଜୁ ସାମ ଅଥର୍ବ । ଏ ଚାରିବେଦେ ଭିନ୍ନ ଭାବ ॥ ୧୨୫
ତିନିବେଦ ତ୍ରିଗୁଣାତ୍ମକ । ତହିଁ ମିଶାଇ କଲେ ଏକ ॥ ୧୨୬
ଏମାନେ ଅନ୍ୟ ଅନ୍ୟେ ମିଳି । ସମ୍ବନ୍ଧ ଜାତି ଭାବେ ଚଳି ॥ ୧୨୭
ଚାରି ସଂହିତା ଏକ ଜାଣ । ସୂତ୍ରରେ ଯେହ୍ନେ ମଣିଗଣ ॥ ୧୨୮
ସେ ଭାବେ ମନ୍ତ୍ରକୁ ବାହାର । ବେଦବୀଜ କଲେ ବିସ୍ତାର ॥ ୧୨୯
ଚାରିବେଦ ଚାରି ଶିଷ୍ୟେଣ । ପଢାଇଲେ ବାଦରାୟଣ ॥ ୧୩୦
ପଇଳ ନାମେ ଶିଷ୍ୟ ପୁଣ । ସେ ଋକବେଦ ଅଭ୍ୟାସିଣ ॥ ୧୩୧
ବଚ ବୋଲି ସେ ବୋଲାଇ । ପଇଳ ତାହାକୁ ପଢଇ ॥ ୧୩୨
ବୈଶମ୍ପାୟନେ ଯର୍ଜୁବେଦ । ପଢାନ୍ତି ଯା' ନାମ ନିଗଦ ॥ ୧୩୩
ଜୈମିନି ଋଷିଙ୍କି ସେ ପୁଣ । ଛନ୍ଦୋଗ ପଢାଇଲେ ସାମ ॥ ୧୩୪
ଏ ବେଦ ଏମାନେ ପଢିଲେ । ଅଥର୍ବ ସୁମନ୍ତୁଙ୍କୁ ଦେଲେ ॥ ୧୩୫
ଅଥର୍ବ ଅଙ୍ଗୀରସ ଶ୍ରୁତ । ପଢିଲେ ନିର୍ଗୁଣ ବେଦାନ୍ତ ॥ ୧୩୬
ଏମନ୍ତେ ଚାରିଶିଷ୍ୟ ମୁଖେ । ଶାଖାପ୍ରଶାଖା ବେଦ ଶିଖେ ॥ ୧୩୭
ଋକ୍ବେଦ କର୍ତ୍ତା ପଇଳ । ତାହାଙ୍କ ଶିଷ୍ୟ ଯେ ବାସ୍କଳ ॥ ୧୩୮
ଇନ୍ଦ୍ର ପ୍ରମିତି ଦୁଇ ଜଣ । ପଢିଲେ ବିଭାଗ କରିଣ ॥ ୧୩୯
ସଂହିତା ଆପଣା ନାମରେ । ଏ ପୁଣି ଦେଲେ ଯେ ଶିଷ୍ୟରେ ॥ ୧୪୦
ବାସ୍କଳ ପୁଣି ଚାରିଭାଗେ । ଚାରିଶିଷ୍ୟେ ଦେଲେ ସରାଗେ ॥ ୧୪୧
ବୋଧ୍ୟ ଆବର ଯାଜ୍ଞବଲ୍କ୍ୟ । ପରାଶର ଅଗ୍ନିମିତ୍ରକ ॥ ୧୪୨
ଏ ଚାରିଶିଷ୍ୟଙ୍କୁ ସେ ଦେଲେ । ବିଭିନ୍ନେ ଶାଖାମାନ କଲେ ॥ ୧୪୩
ଇନ୍ଦ୍ରପ୍ରମିତି ନିଜ ସୁତ । ମାଣ୍ଡୁକେୟ ନାମରେ ଖ୍ୟାତ ॥ ୧୪୪
ତାହାଙ୍କୁ ନିଜେ ବେଦ ଦେଲେ । ସେ ପୁଣି ଦେବମିତ୍ରେ ଦେଲେ ॥ ୧୪୫
ସେ ଦେବମିତ୍ର ଶାଖା କଲେ । ସୌଭରି ଆଦି ପଢାଇଲେ ॥ ୧୪୬
ଶାକଲ୍ୟ ମାଣ୍ଡୁକେୟ ପୁତ୍ର । ତାହାଙ୍କ ପାଞ୍ଚପୁତ୍ର ଖ୍ୟାତ ॥ ୧୪୭
ବାତ୍ସ୍ୟ ଶାଳୀୟ ଯେ ମୁଦ୍ଗଲ । ଶିଶିର ଆର ଯେ ଗୋଖଲ୍ୟ ॥ ୧୪୮
ଏହାଙ୍କୁ ବେଦ ପଢାଇଲେ । ଆବର ଏକଶିଷ୍ୟ ଥିଲେ ॥ ୧୪୯
ଜାତୂକର୍ଣ୍ଣ୍ୟ ତାହାଙ୍କ ନାମ । ସେ କଲେ ଚାରିଶିଷ୍ୟ ପୁଣ ॥ ୧୫୦
ବିରଜ ବଳାକ ବୈତାଳ । ପଇଜ ଶିଷ୍ୟ ଯେ ଆବର ॥ ୧୫୧
ପ୍ରତି ଶାଖାରୁ ସେ ବାସ୍କଳି । ବାଳଖିଲ୍ୟ ସଂହିତା କରି ॥ ୧୫୨
ବାଳାୟନି ଭଜ୍ୟ କାସାର । ତିନିଙ୍କୁ ଦେଲେ ବେଦସାର ॥ ୧୫୩
ଏ ଭାବେ ଋକ୍ବେଦ ପୁଣ । ବହୁତ ଶାଖା ବିସ୍ତାରଣ ॥ ୧୫୪
ସତାଇଶ ଶାଖା ବିଭକ୍ତ । ଏ ବ୍ରହ୍ମରୂପରେ ପୂଜିତ ॥ ୧୫୫
ସଂହିତାମାନଙ୍କ ବିସ୍ତାର । ଶୁଣିଲେ ପ୍ରାଣୀ ଯେ ନିସ୍ତାର ॥ ୧୫୬
ବୈଶମ୍ପାୟନ ଯେଉଁ ଋଷି । ଯଜୁର୍ବେଦକୁ ସେ ଅଭ୍ୟାସି ॥ ୧୫୭
ସତାଇଶ ଶିଷ୍ୟ ତାଙ୍କର । କଣ୍ୱ ମାଧ୍ୟନ୍ଦିନ ଆବର ॥ ୧୫୮
ସତ୍ୟ ତ୍ରୟ ଆଦି ଯେ ହୋଇ । ସତାଇଶ ଶାଖା ପଢାଇ ॥ ୧୫୯
ସେ ବେଦ ପଢୁଁ ଶିଷ୍ୟଗଣ । ଏକ ଅକ୍ଷର ଅଶୁଦ୍ଧେଣ ॥ ୧୬୦
ଗର୍ଗଋଷିଙ୍କର ତନୁଜ । ବୈଶମ୍ପାୟନଙ୍କ ଭଗ୍ନୀଜ ॥ ୧୬୧
ଗାର୍ଗ୍ୟ ଶିରେହସ୍ତ ପ୍ରହାରେ । ଶିର ତା' ଚୂର୍ଣ୍ଣ ହୋନ୍ତେ ଖରେ ॥ ୧୬୨
ବ୍ରହ୍ମହତ୍ୟା ବୈଶମ୍ପାୟନେ । ଲାଗିଲା ବେଦର ବିଧାନେ ॥ ୧୬୩
ସେ ଶିଷ୍ୟମାନଙ୍କୁ କହିଲେ । ବ୍ରହ୍ମହତ୍ୟା ଲାଗେ ଆମ୍ଭରେ ॥ ୧୬୪
ପ୍ରାୟଶ୍ଚିତ ବ୍ରତ ଯେ କରି । ତା' ଶୁଣି ଶିଷ୍ୟ ବ୍ରତାଚାରୀ ॥ ୧୬୫
ସେ ଶିଷ୍ୟମାନେ ବ୍ରତ କଲେ । ଚରକାଧ୍ୱର୍ଯ୍ୟୁ ବୋଲାଇଲେ ॥ ୧୬୬
ଚରକ ଶାଖା ତା'ର ନାମ । ତୈତ୍ତ୍ରିୟ ଶାଖା ଏବେ ଶୁଣ ॥ ୧୬୭
ତା' ଦେଖି ଦେବରାତ ପୁତ୍ର । ଯା' ନାମ ଯାଜ୍ଞବଲ୍କ୍ୟ ଖ୍ୟାତ ॥ ୧୬୮
ଗୁରୁଙ୍କୁ ଯାଜ୍ଞବଲ୍କ୍ୟ କହେ । ବ୍ରତୀ ହୋଇଣ କେହି ରହେ ॥ ୧୬୯
ଅଳ୍ପବଳ ଯେ ଏହାଙ୍କରି । ପ୍ରାୟଶ୍ଚିତ୍ତ କରି ନ ପାରି ॥ ୧୭୦
ଏ ବ୍ରତ ବଡ଼ଇ କଠିନ । ବାରବରଷେ ହୋଏ ପୂର୍ଣ୍ଣ ॥ ୧୭୧
ମୁହିଁ କରିବି ଆଜ୍ଞା ହେଲେ । ତା' ଶୁଣି ଗୁରୁ କ୍ରୋଧ କଲେ ॥ ୧୭୨
ମୋ ଶିଷ୍ୟେ ଅମାନନା କଲୁ । ଆତ୍ମାରେ ଗର୍ବ ତୁ ବହିଲୁ ॥ ୧୭୩
ଏଣୁ ତୁ ମୋହଠାରୁ ଯେତେ । ବେଦ ପଢ଼ିଲୁ ଅନୁମତେ ॥ ୧୭୪
ଏବେ ଏ ବେଦ ତୁହି ଛାଡ଼ । ଆନ ଠାବରେ ଯାଇ ପଢ଼ ॥ ୧୭୫
ତା' ଶୁଣି ଯାଜ୍ଞବଲ୍କ୍ୟ ଡ଼ରେ । ପଢ଼ିଲା ବେଦ ବାନ୍ତି କଲେ ॥ ୧୭୬
ସେ ବେଦ କାଣ୍ଡିମାନ ପୁଣ । ତିତ୍ତିରି ଚଢେ଼ଇ ରୂପେଣ ॥ ୧୭୭
ତାହାକୁ ଯେଉଁ ଋଷିମାନେ । ଗ୍ରହଣ କଲେ ସାବଧାନେ ॥ ୧୭୮
ତୈତ୍ତିରୀୟ ସେ ବୋଲାଇଲେ । ତହୁଁ ଯେ ଯାଜ୍ଞବଲ୍କ୍ୟ ଗଲେ ॥ ୧୭୯
ବେଦ ସେ ପଢ଼ିବା ନିମିତ୍ତ । ସୂର୍ଯ୍ୟଙ୍କ ଠାରେ ଉପଗତ ॥ ୧୮୦
ଗୁରୁଙ୍କଠାରୁ ନବତନ । ବେଦ ମୁଁ ପଢ଼ିବଇଁ ପୁଣ ॥ ୧୮୧
ମେରୁ ପୃଷ୍ଠରେ ବସି ପୁଣ । ସୂର୍ଯ୍ୟଙ୍କୁ କଲେ ଉପାସନ ॥ ୧୮୨
ଯାଜ୍ଞବଲ୍କ୍ୟ ଉବାଚ
ହେ ଭଗବନ୍ତ ଦିବାକର । ତୁମ୍ଭଙ୍କୁ ମୋର ନମସ୍କାର ॥ ୧୮୩
ଜଗତ ଅଖିଳ ଯେ ପ୍ରାଣୀ । ଆତ୍ମା ସ୍ୱରୂପେ ଅଛ ପୁଣି ॥ ୧୮୪
କାଳ ସ୍ୱରୂପେ ଗ୍ରହରୂପୀ । ସ୍ଥାବର ଜଙ୍ଗମାଦି ବ୍ୟାପୀ ॥ ୧୮୫
ବ୍ରହ୍ମରୁ କୀଟ ପରିଯନ୍ତେ । ପ୍ରାଣୀମାନଙ୍କ ହୃଦଗତେ ॥ ୧୮୬
ଆତ୍ମା ସ୍ୱରୂପେ ପୂରିଅଛ । ଆକାଶେ ଶୂନ୍ୟେ ପ୍ରକାଶିଛ ॥ ୧୮୭
ଅନ୍ତର୍ଗତ-ବାହାରେ ପୁଣି । ଏକାଦଶ-ଇନ୍ଦ୍ରିୟ ଜିଣି ॥ ୧୮୮
ଏ ତୁମ୍ଭ ଅନୁଗ୍ରହେ ହୋଇ । ବାହ୍ୟେ କାଳରୂପେ ଭ୍ରମଇ ॥ ୧୮୯
ଲବ ନିମେଷାଦି ବତ୍ସର । ଯେତେ ଯେତେ ଏ ପ୍ରାଣୀଙ୍କର ॥ ୧୯୦
ଉତ୍ପତ୍ତି ପ୍ରଳୟ କରୁଛ । ଏଣୁ ଆକାଶେ ଉଇଁଅଛ ॥ ୧୯୧
ଏ ତୁମ୍ଭ ମଣ୍ଡଳର ଗତି । ନିର୍ମଳ ବିରାଜଇ ଜ୍ୟୋତି ॥ ୧୯୨
ପରମବ୍ରହ୍ମ ନିରାକାର । ଜ୍ୟୋତିର ଭିତର ବାହାର ॥ ୧୯୩
ଶଙ୍ଖଚକ୍ରଧାରୀ ହୋଇଣ । ନାରାୟଣ ସ୍ୱରୂପବର୍ଣ୍ଣ ॥ ୧୯୪
ବ୍ରାହ୍ମଣେ ତ୍ରିସନ୍ଧ୍ୟାରେ ନିତ୍ୟ । ଗାୟତ୍ରୀ ପଢି ବେଦମନ୍ତ୍ର ॥ ୧୯୫
ଅଞ୍ଜଳି ଦେଇ ଉପସ୍ଥାନ । କ୍ଷୟ ସକଳ ପାପମାନ ॥ ୧୯୬
ଏ ଦିବାରାତ୍ରି କରି ଶେଷ । ସଂସାର ଲୋକ ତମ ଧ୍ୱଂସ ॥ ୧୯୭
ଆପଣା କିରଣରେ ବୃଷ୍ଟି । ଶସ୍ୟ ଉପୁଜି ପ୍ରାଣୀ ତୁଷ୍ଟି ॥ ୧୯୮
ପ୍ରାଣୀଙ୍କ ଜୀବଦାତା ହୋଇ । ପାଳୁଛ ଋତୁଭାବ ବହି ॥ ୧୯୯
ଶୀତ ବରଷା ଗିରୀଷମ । ଶରଦ ବସନ୍ତ ଯେ ହିମ ॥ ୨୦୦
ଏ ଷଡ଼ଋତୁ ବାରମାସ । ତୋ' ତହୁଁ ହେଉଛି ପ୍ରକାଶ ॥ ୨୦୧
ଏ ଜ୍ୟୋତିର୍ମୟ ତୋ ମଣ୍ଡଳ । ସକଳ ସୁଖଙ୍କର ଘର ॥ ୨୦୨
ବିପ୍ରେ ଯେ ଚାରିବେଦ ମନ୍ତ୍ରେ । କରନ୍ତି ଉପସ୍ଥାନ ତୋତେ ॥ ୨୦୩
ସେ ଦ୍ୱିଜମାନଙ୍କର ପାପ । ତୁମ୍ଭେ ଯେ ହର ସର୍ବବ୍ୟାପ ॥ ୨୦୪
ତୁମ୍ଭ ମଣ୍ଡଳ ଜ୍ୟୋତି ତୀକ୍ଷ୍ଣ । ଅନ୍ଧପଟଳ ବିନାଶନ ॥ ୨୦୫
ସେ ଜ୍ୟୋତି ସ୍ୱରୂପ ଯେ ତୁହି । କରୁଛି ଉପସ୍ଥାନ ମୁହିଁ ॥ ୨୦୬
ସ୍ଥାବର ଜଙ୍ଗମ ଯେ କୀଟ । ପତଙ୍ଗ ଚାରିଖାନି ଭେଟ ॥ ୨୦୭
ଇନ୍ଦ୍ରିୟଗଣମାନଙ୍କର । ପ୍ରବେଶି ଅନୁଗ୍ରହ କର ॥ ୨୦୮
ସ୍ୱୟଂ ଅନ୍ତର୍ଯ୍ୟାମୀ ସ୍ୱରୂପେ । ଆତ୍ମାଜ୍ଞାନ ପ୍ରକାଶ ରୂପେ ॥ ୨୦୯
ଏ ଲୋକ ତୁମ୍ଭର ମାୟାରେ । ପଡ଼ିଛି ତମ ଅନ୍ଧକାରେ ॥ ୨୧୦
ପ୍ରାଣୀଙ୍କି ଅଜଗର ରୂପ । ସର୍ପ ଗିଳିଲେ ଯେହ୍ନେ ଧାପ ॥ ୨୧୧
ଅଚେତେ ମୃତ ହୋଇଥାଇ । ନିଦ୍ରାରେ ଯେହ୍ନେ ପ୍ରାଣୀ ଶୋଇ ॥ ୨୧୨
ମାୟାରେ ଅଚେତ ଯେ ପ୍ରାଣୀ । ପରମକୃପାଳୁ ତୁ ପୁଣି ॥ ୨୧୩
ଉଦୟେ ଅନୁଗ୍ରହ କର । ଉଦିତ କିରଣେ ଉଦ୍ଧର ॥ ୨୧୪
ଦିନେ ଦିନେ ଯେ ପ୍ରାଣୀମାନେ । ଶ୍ରେୟ ନିମନ୍ତେ ତୋ' ଚରଣେ ॥ ୨୧୫
ତୋ' ଅନୁଗ୍ରହେ ଯଜ୍ଞ କରି । ସମାଧି ଅପବର୍ଗ ଧରି ॥ ୨୧୬
ଯେସନେ ରାଜା ଦୁଷ୍ଟ ନାଶି । ସାଧୁମାନଙ୍କୁ ସେ ଆଶ୍ୱାସି ॥ ୨୧୭
ଦୈତ୍ୟ ଦାନବ ଯେ ଅସାଧୁ । ଖଳ ଦୁର୍ବୁଦ୍ଧି ଧର୍ମନିନ୍ଦୁ ॥ ୨୧୮
ଏ ଅଂଶେ ଜନ୍ମ ଯେତେ ତନୁ । ନାଶେ କୁମୁଦ ଯେହ୍ନେ ଭାନୁ ॥ ୨୧୯
ତୁମ୍ଭ ମହିମା ଯେ ରଖିଛି । ତୁମ୍ଭେ ତାହାକୁ ହୁଅ ସାକ୍ଷୀ ॥ ୨୨୦
ଏଣୁ ଉଦୟ ଅସ୍ତ ହୁ । ସର୍ବଜୀବରେ ପୂଜା ପାଅ ॥ ୨୨୧
ଦିଗପାଳ ଯେଝା ଦିଗରେ । କୃତାଞ୍ଜଳିରେ ପୂଜା କରେ ॥ ୨୨୨
ହେ ଭଗବାନ ବାସୁଦେବ । ମୋର ସେବା ତୁମ୍ଭେ ଘେନିବ ॥ ୨୨୩
ସମର୍ପେ ତୁମ୍ଭ ପଦ୍ମପାଦେ । ମୁଁ ଉପସ୍ଥାନ ଯେ ଆନନ୍ଦେ ॥ ୨୨୪
ତୁମ୍ଭ ପଦ୍ମପାଦ କେମନ୍ତ । ତିନି ଭୁବନରେ ପୂଜିତ ॥ ୨୨୫
ବ୍ରହ୍ମା ବିଷ୍ଣୁ ମହେଶ ଆଦି । ବାସବ ଆଦି ଦେବ ବନ୍ଦି ॥ ୨୨୬
ଏବଂଭୂତ ପଦ୍ମପାଦରେ । ମୋ ଶିର ଲାଗୁ ନିରନ୍ତରେ ॥ ୨୨୭
ନବୀନ ଯର୍ଜୁବେଦ ମୋତେ । ଆଜ୍ଞା ହୋଇବ ଛାୟାକାନ୍ତେ ॥ ୨୨୮
ଯେ ବେଦ ଗୁରୁଠାରେ ନାହିଁ । ତାହାକୁ ପଢିବଇଁ ମୁହିଁ ॥ ୨୨୯
ଏଣୁ ତୁମ୍ଭଙ୍କୁ ଆଶ୍ରେ ମୋର । ଏ ବେଦ ଆଜ୍ଞା ମୋତେ କର ॥ ୨୩୦
ସୂତ ପୌରାଣିକ କହନ୍ତି । ଶୁଣ ଶୌନକ ଆଦି ଯତି ॥ ୨୩୧
ସୂତ ଉବାଚ
ଯାଜ୍ଞବଲ୍କ୍ୟଙ୍କ ସ୍ତୁତି ଶୁଣି । ସନ୍ତୋଷ ହୋଇ ଦିନମଣି ॥ ୨୩୨
ଅଶ୍ୱରୂପକୁ ଧରି ପୁଣ । ଉପଦେଶ କର୍ଣ୍ଣ ମାର୍ଗେଣ ॥ ୨୩୩
ନବୀନ ଯଜୁର୍ବେଦଭାଗେ । ମୁନିଙ୍କି ଦେଲେ ସେ ସରାଗେ ॥ ୨୩୪
ସେ ଯାଜ୍ଞବଲ୍କ୍ୟ ଯେଉଁ ମୁନି । ସେ ବେଦ ଉପଦେଶ ଘେନି ॥ ୨୩୫
ତା' ନାମ ବାଜସନୀ ଦେଲେ । ପୁଣ ପନ୍ଦର ଶାଖା କଲେ ॥ ୨୩୬
ସେ ପଞ୍ଚଦଶ ଶାଖା ବାଣୀ । ସଂହିତା କରି ପଢେ ପୁଣି ॥ ୨୩୭
ଏମାନେ ଶିଷ୍ୟେ ପୁଣ ଦେଲେ । ଚଉରାଶୀ ଶାଖା ହୋଇଲେ ॥ ୨୩୮
କାଣ୍ୱସଂହିତା ମାଧ୍ୟନ୍ଦିନି । ଅପର ଅଟେ ବାଜସନୀ ॥ ୨୩୯
ଅଶ୍ୱରୂପଧାରୀ ଆଦିତ୍ୟ । ତା'ଙ୍କ କେଶରରୁ ସମ୍ଭୂତ ॥ ୨୪୦
ବାଜିର କେଶରୁ ଜନ୍ମିଲା । ବାଜସନୀ ସେ ଯେ ହୋଇଲା ॥ ୨୪୧
ସାମବେଦର ଅଧିକାରୀ । ଜୈମିନି ମୁନି ଯେ ବିସ୍ତାରି ॥ ୨୪୨
ସୁମନ୍ତୁ ସୁନ୍ୱାନ ଯେ ଦୁଇ । ଜୈମିନି ପୁତ୍ର ପୌତ୍ର ହୋଇ ॥ ୨୪୩
ଦୁଇ ସଂହିତା କରି ଦେଲେ । ଏ ପୁଣି ଶିଷ୍ୟେ ପଢାଇଲେ ॥ ୨୪୪
ତାହାଙ୍କ ଶିଷ୍ୟ ଯେ ସୁକର୍ମା । ସହସ୍ର ଶିଷ୍ୟେ ସେ ଉତ୍ତମା ॥ ୨୪୫
ସହସ୍ର ଭାଗ ସେ ସଂହିତା । ସହସ୍ର ଶାଖାରେ ବିଦିତା ॥ ୨୪୬
ଯେ ଋଷି ଯେ ଶାଖା ପଢିଲେ । ସେ ଶାଖା ସେ ନାମୁଁ ହୋଇଲେ ॥ ୨୪୭
ତାହାଙ୍କ ନାମ ଏବେ ଶୁଣ । କହିବା ତାହା ବିସ୍ତାରିଣ ॥ ୨୪୮
ହିରଣ୍ୟନାଭ କୌଶଳେଶ । ପୌଷ୍ୟଞ୍ଜି ନାମେ ଦୁଇ ଶିଷ୍ୟ ॥ ୨୪୯
ସୁକର୍ମାଙ୍କର ଶିଷ୍ୟ ଦୁଇ । ଏକର ପାଞ୍ଚଶତ ଭାଇ ॥ ୨୫୦
ଆବନ୍ତ୍ୟ ଯେ ବ୍ରହ୍ମବିତ୍ତମ । ଏ ଆଦି ପାଞ୍ଚଶିଷ୍ୟ ନାମ ॥ ୨୫୧
ଔଦିଚ୍ୟ ସାମ ସେ ବୋଲାନ୍ତି । ଏ ପଞ୍ଚଶତ ଶିଷ୍ୟେ ଖ୍ୟାତି ॥ ୨୫୨
ବ୍ରହ୍ମବିତ୍ତମ ଯେ ଆବନ୍ତ୍ୟ । ଏ ଦୁଇ ଶିଷ୍ୟେ ଶିଷ୍ୟବନ୍ତ ॥ ୨୫୩
ବ୍ରହ୍ମବିତ୍ତମ ଆଦି ହୋଇ । ପାଞ୍ଚଶିଷ୍ୟବନ୍ତ ବୋଲାଇ ॥ ୨୫୪
ଔଦିଚ୍ୟ ସାମ ସେ ବୋଲାନ୍ତି । କୌଶଲ୍ୟ ଆଦି ଉତପତ୍ତି ॥ ୨୫୫
ଲୋଗାକ୍ଷି ମାଙ୍ଗଳିକ ସ୍ଥାପି । କୁସୀଦ କୁଲ୍ୟ କୁକ୍ଷୀ ବ୍ୟାପୀ ॥ ୨୫୬
ଏ ଆଦି ଯେତେ ଶିଷ୍ୟମାନେ । ପୌଷ୍ୟଞ୍ଜିଙ୍କର ବିଦ୍ୟମାନେ ॥ ୨୫୭
ଆପଣା ସଂହିତାକୁ ପୁଣ । ଶତ ଶତ ଭାଗ କରିଣ ॥ ୨୫୮
କୃତ ହିରଣ୍ୟନାଭ ଦୁଇ । ଆପଣା ସଂହିତାକୁ ନେଇ ॥ ୨୫୯
ଚବିଶ ସଂହିତା ସେ କଲେ । ପୁଣି ତା' ପ୍ରତି ଶିଷ୍ୟେ ଦେଲେ ॥ ୨୬୦
ଆଉ ସଂହିତାମାନ ପୁଣି । ଆବନ୍ତ୍ୟ ସାମେଣ ବଖାଣି ॥ ୨୬୧
ଏ ସର୍ବ ସଂହିତା କହନ୍ତି । ପ୍ରାଚ୍ୟ ସାମଗ ସେ ବୋଲାନ୍ତି ॥ ୨୬୨
ଏ ସାମବେଦ ମନ୍ତ୍ରମାନେ । ପ୍ରପାଠକ ବୋଲି ଅଧ୍ୟାନେ ॥ ୨୬୩
ଏହାଙ୍କର ସଂହିତା ନାମ । ଶୁଣନ୍ତେ ହୋଏ ମୋକ୍ଷମାନ ॥ ୨୬୪
ନବବେଦମାନ ବୋଲାନ୍ତି । ଏକଇ ବାହନେ ଚଳନ୍ତି ॥ ୨୬୫
ଅଙ୍ଗୁଳି ରେଖାରେ ଚଳନ । ପଦ ଘନ ଜଟା ଭାବେଣ ॥ ୨୬୬
ଭୂପାଳ ସ୍ୱରେଣ ଗାୟନ । ଏ ସାମବେଦର ବର୍ଣ୍ଣନ ॥ ୨୬୭
ଏବେ ଅଥର୍ବବେଦ ଶୁଣ । ଏ ବେଦକର୍ତ୍ତା ଅଥର୍ବଣ ॥ ୨୬୮
ଅଥର୍ବ ଋଷି ଆଙ୍ଗିରସ । ସୁମନ୍ତୁ ତାହାଙ୍କର ଶିଷ୍ୟ ॥ ୨୬୯
ସେ ପିତାଠାରୁ ଉପଦେଶ । ସଂହିତା ବିଭାଗେ ବିଶେଷ ॥ ୨୭୦
କବନ୍ଧ ନାମେ ଶିଷ୍ୟ ଥିଲେ । ତାହାଙ୍କୁ ଉପଦେଶ ଦେଲେ ॥ ୨୭୧
ସେ ପୁଣି ଦୁଇଭାଗ କରି । ଶିଷ୍ୟ ଦୁଇରେ ସେ ବିସ୍ତାରି ॥ ୨୭୨
ପଥ୍ୟ ବେଦର୍ଶକ ଏ ଦୁଇ । ଶିଷ୍ୟଙ୍କୁ କବନ୍ଧ ପଢାଇ ॥ ୨୭୩
ବେଦଦର୍ଶକଙ୍କର ପୁଣ । ଚାରିଶିଷ୍ୟ ଯେ ବିଦ୍ୟମାନ । । ୨୭୪
ବ୍ରହ୍ମବଳି ଯେ ଶୌକ୍ଳାୟନି । ମାଦୋଷ ଯେ ପିପ୍ପଳାୟନି ॥ ୨୭୫
ଏ ଚାରିଶିଷ୍ୟରୁ ଅନେକ । ପଥ୍ୟଙ୍କର ଶିଷ୍ୟ ଶୁନକ ॥ ୨୭୬
କୁମୁଦ କାଜଳି ଆବର । କହିବା ଶିଷ୍ୟ ଶୁନକର ॥ ୨୭୭
ବଭ୍ରୁ ସୈନ୍ଧବାୟନ ହେଲେ । ଏ ଦୁଇ ସଂହିତା ପଢିଲେ ॥ ୨୭୮
ସାବର୍ଣ୍ଣି ପ୍ରଭୃତି ଅନ୍ୟାନ୍ୟ । ଶୁନକ ଶିଷ୍ୟ ଥିଲେ ପୁଣ ॥ ୨୭୯
ନକ୍ଷତ୍ରକଳ୍ପ ଶାନ୍ତିକଳ୍ପ । ଆଙ୍ଗିରସ ଆଦି କଶ୍ୟପ ॥ ୨୮୦
ସଂହିତା ଆଚାର୍ଯ୍ୟ ଏମାନେ । ଅଥର୍ବ ବେଦେ ବିଦ୍ୟମାନେ ॥ ୨୮୧
ହେ ମୁନି ଶୁଣ ଅନନ୍ତର । ଯେ ନାମ ପୌରାଣିକଙ୍କର ॥ ୨୮୨
କଶ୍ୟପ ତ୍ରଯ୍ୟାରୁଣି ପୁଣ । ସାବର୍ଣ୍ଣି ଯେ ଅକୃତବ୍ରଣ ॥ ୨୮୩
ବୈଶମ୍ପାୟନ ଯେ ହାରୀତ । ଏ ଷଟ ପୌରାଣିକ ଖ୍ୟାତ ॥ ୨୮୪
ଏବେ ଯେ ବ୍ୟାସ ଶିଷ୍ୟ ପୁଣ । ମୋ' ପିତା ଲୋମହରଷଣ ॥ ୨୮୫
ତାଙ୍କଠାରୁ ଏ ଷଟଶିଷ୍ୟ । ସଂହିତା କଲେ ଉପଦେଶ ॥ ୨୮୬
ତାହାଙ୍କଠାରୁ ମୁହିଁ ପୁଣ । ପଢିଲି ସକଳ ପୁରାଣ ॥ ୨୮୭
ମୁଁ ଅଟେ ସୂତପୌରାଣିକ । ଆବର କଶ୍ୟପହିଁ ଏକ ॥ ୨୮୮
ସାବର୍ଣ୍ଣି ପର୍ଶୁରାମ ଶିଷ୍ୟ । ଅକୃତବ୍ରଣ ଚାରିଶିଷ୍ୟ ॥ ୨୮୯
ଏ ରୂପେ ଆମ୍ଭେ ଚାରିଜଣ । ବ୍ୟାସଶିଷ୍ୟଙ୍କଠାରୁ ପୁଣ ॥ ୨୯୦
ଚାରି ମୂଳସଂହିତାମାନ । ସମସ୍ତ କଲୁ ଅଧ୍ୟୟନ ॥ ୨୯୧
ବେଦମାନଙ୍କ ଅର୍ଥ ପୁଣ । ବ୍ୟାସେ ଅଷ୍ଟାଦଶ ପୁରାଣ ॥ ୨୯୨
ତା' ମୋ ପିତାଙ୍କୁ ଉପଦେଶ । ହରଷେ ଦେଲେ ବେଦବ୍ୟାସ ॥ ୨୯୩
ମୁହିଁ ମୋ' ପିତାଠାରୁ ପୁଣ । ପାଇ ଅଷ୍ଟାଦଶ ପୁରାଣ ॥ ୨୯୪
ପୁରାଣ ଦଶ ଯେ ଲକ୍ଷଣ । ପଞ୍ଚଲକ୍ଷଣ ଥୋକେ ଜାଣ ॥ ୨୯୫
ଯାହା ବର୍ଣ୍ଣନ୍ତି ଋଷିଗଣ । ପୁରାଣ ଲକ୍ଷଣ ତା' ପୁଣ ॥ ୨୯୬
ସର୍ଗ ବିସର୍ଗ ବୃତ୍ତି ରକ୍ଷା । ହେତୁ ଯେ ମନ୍ୱନ୍ତର ସଂଖ୍ୟା ॥ ୨୯୭
ବଂଶାନୁଚରିତ ଯେ ସଂସ୍ଥା । ଆଶ୍ରୟ ବଂଶର ବ୍ୟବସ୍ଥା ॥ ୨୯୮
ଏ ଦଶଲକ୍ଷଣରେ ଯୁକ୍ତ । ବଡ଼ ପୁରାଣ ନାମେ ଖ୍ୟାତ ॥ ୨୯୯
ସାନ ଉପପୁରାଣମାନ । ପଞ୍ଚଲକ୍ଷଣରେ ବଖାଣ ॥ ୩୦୦
ବିଷ୍ଣୁ ନିର୍ଗୁଣ ନିରାକାର । ତ୍ରିଗୁଣଯୁକ୍ତ ସେ ମାୟାର ॥ ୩୦୧
ତହୁଁ ମହତ ଅହଙ୍କାର । ପଞ୍ଚମହାଭୂତ ସଞ୍ଚାର ॥ ୩୦୨
ଶତାବ୍ଦି ତନମାତ୍ର ପଞ୍ଚ । ଇନ୍ଦ୍ରିୟ ଏକାଦଶ ସଞ୍ଚ ॥ ୩୦୩
ଏମାନଙ୍କର ଉତପତ୍ତି । ଏ ସର୍ବେ ସର୍ଗ ଯେ ବୋଲାନ୍ତି ॥ ୩୦୪
ଏହାଙ୍କ ସଙ୍ଗତରେ ପୁଣ । ପୁରୁଷ ସଂଯୋଗ ଭାବେଣ ॥ ୩୦୫
ଏହାଙ୍କ ବାସନାର ଅଙ୍ଗ । ସ୍ଥାବର ଜଙ୍ଗମ ପତଙ୍ଗ ॥ ୩୦୬
କୀଟ ଆଦି ଚାରି ଉତ୍ପତ୍ତି । ଏମାନେ ବିସର୍ଗ ବୋଲାନ୍ତି ॥ ୩୦୭
ପ୍ରାଣୀମାନଙ୍କ ଯେ ପ୍ରକୃତି । ଜୀବିକା ଆଚାରାଦି ଗତି ॥ ୩୦୮
ଏ ସର୍ବ ବୃତ୍ତି ଯେ ବୋଲାଇ । ପୁରାଣ ଲକ୍ଷଣ ଯେ କହି ॥ ୩୦୯
ଏମାନେ ରକ୍ଷାର ନିମନ୍ତେ । ତୀର୍ଯ୍ୟକ ଋଷି ଦେବମତେ ॥ ୩୧୦
ସ୍ଥିତି ପ୍ରଳୟର କାରଣ । ବିଷ୍ଣୁର ଯେତେ ଅଂଶମାନ ॥ ୩୧୧
ଏହାଙ୍କୁ ରକ୍ଷା ଯେ ବୋଲାନ୍ତି । ଏଣୁ ବିଷ୍ଣୁ ସର୍ବ ରଖନ୍ତି ॥ ୩୧୨
ଏ ସମୟରେ ମନୁମାନେ । ବ୍ରହ୍ମା ମୁହୂର୍ତ୍ତ ଉତପନ୍ନେ ॥ ୩୧୩
ଏ ବ୍ରହ୍ମାମୁହୂର୍ତ୍ତକେ ପୁଣ । ମନ୍ୱନ୍ତର ହୁଏ ପ୍ରମାଣ ॥ ୩୧୪
ଇନ୍ଦ୍ର ସପତଋଷି ଦେବ । ମନୁପୁତ୍ର ଆଦି ଏ ସର୍ବ ॥ ୩୧୫
ଏ ମନ୍ୱନ୍ତର ସେ ବୋଲାଇ । ଆନ ମନୁବଂଶ ବଢଇ ॥ ୩୧୬
ସୃଷ୍ଟି କରନ୍ତି ଆତଯାତ । ଏମନ୍ତ ବଂଶାନୁଚରିତ ॥ ୩୧୭
ଏ ସମୟରେ ବାସୁଦେବ । ଷଟ ଯେ ରୂପରେ ସମ୍ଭବ ॥ ୩୧୮
ମନୁ ଦେବତା ମନୁପୁତ୍ର । ଏ ସର୍ବେ ବ୍ରହ୍ମାର ଯେ ଗୋତ୍ର ॥ ୩୧୯
ଇନ୍ଦ୍ର ସପ୍ତଋଷି ପଞ୍ଚମ । ଅବତାରଲୀଳା ଷଷ୍ଠେଣ ॥ ୩୨୦
ଏମନ୍ତ ଭାବେ ବାସୁଦେବ । ସଂସାରେ ଉତ୍ପତ୍ତି ସମ୍ଭବ ॥ ୩୨୧
ମନ୍ୱନ୍ତ ଅଧିକାର ବୋଲି । ପୁରାଣ ଲକ୍ଷଣ କହିଲି ॥ ୩୨୨
ଏ ରାଜାମାନଙ୍କ ବଂଶରେ । ବ୍ରହ୍ମଋଷି ଦେବ ଅଂଶରେ ॥ ୩୨୩
ଗନ୍ଧର୍ବ ଚାରଣ କିନ୍ନରେ । ଯେତେ ଉତ୍ପତ୍ତି ଏ ସଂସାରେ ॥ ୩୨୪
ତାହାଙ୍କୁ ବଂଶ ବୋଲି କହି । ତା'ଙ୍କ ଚରିତ ଅବା ଯେହି ॥ ୩୨୫
ବଂଶାନୁଚରିତ ତା' ନାମ । ଶୁଣ ଶୌନକ ଦେଇ ମନ ॥ ୩୨୬
ନିତ୍ୟ ନୈମିତ୍ତ ପ୍ରାକୃତିକ । ଯେବା ପ୍ରଳୟ ଆତ୍ୟନ୍ତିକ ॥ ୩୨୭
ଏ ଚାରି ସଂସ୍ଥା ବୋଲି ଜାଣ । ଜୀବ ଉତ୍ପତ୍ତି ସଂହାରଣ ॥ ୩୨୮
ଅବିଦ୍ୟା ଯୋଗମାୟା ନାମ । ତା' କର୍ମେ ଯେତେ ଉତପନ୍ନ ॥ ୩୨୯
ତାହାକୁ ହେତୁ ବୋଲି କହି । ଯୋଗମାୟା ଗୁଣରେ ମୋହି ॥ ୩୩୦
ପଞ୍ଚମହାଭୂତରେ ଯୁକ୍ତ । ତ୍ରିଗୁଣେ ବ୍ରହ୍ମାଣ୍ଡ ଜଡ଼ିତ ॥ ୩୩୧
ବ୍ରହ୍ମରୁ ତୃଣ ପରିଯନ୍ତେ । ପ୍ରାଣୀ ସମେତ ହୋଇ ଯେତେ ॥ ୩୩୨
ଉତ୍ପତ୍ତି ସ୍ଥିତି ପ୍ରଳୟନ । ଏ ଭାବେ ଦର୍ଶନା ଦର୍ଶନ ॥ ୩୩୩
ଜାଗ୍ରତ-ସ୍ୱପ୍ନ-ସୁଷୁପ୍ତିରେ । ଯେ ସାକ୍ଷୀରୂପେ ନିରନ୍ତରେ ॥ ୩୩୪
ଜୀବ ବ୍ରହ୍ମାଣ୍ଡ ମଧ୍ୟେ ହୋଇ । ପ୍ରକୃତି ଭାବେ ସଞ୍ଚରଇ ॥ ୩୩୫
ବ୍ରହ୍ମରେ ଲୀନ ହୋଏ ପୁଣ । ତାହାକୁ ଅପାଶ୍ରୟ ଜାଣ ॥ ୩୩୬
ଯେସନେ ଘଟାଦି ପଦାର୍ଥ । ମୃତ୍ତିକା ସଙ୍ଗେ ଯୁତାଯୁତ ॥ ୩୩୭
ପଞ୍ଚତନମାତ୍ରା ସ୍ୱରୂପ । ବୀଜାଦି ପଞ୍ଚବର୍ଣ୍ଣ ରୂପ ॥ ୩୩୮
ଆକାରାଦି ଯେ ବ୍ୟବସ୍ଥାରେ । ସଂଯୋଗ ବିଯୋଗ ପ୍ରକାରେ ॥ ୩୩୯
ଆଶ୍ରୟ ଜାଣିବଟି ସେହି । ଦଶମ ଲକ୍ଷଣଟି ଏହି ॥ ୩୪୦
ଏ ସର୍ବ ମାୟାର ବାସନା । ସବୁ ବାସୁଦେବ ରଚନା ॥ ୩୪୧
ଚିତ୍ତ ତ୍ରିଗୁଣରୁ ବାହାରେ । ରହଇ ଯେବେ ଯୋଗବଳେ ॥ ୩୪୨
ଯେବେ ବିରକ୍ତଭାବ ହୋଇ । ଯୋଗବଳେ ଆତ୍ମେ ମିଶଇ ॥ ୩୪୩
ଜୀବ ପରମରେ ମିଶଇ । ଜୀବ ଦେହବନ୍ଧୁ ତରଇ ॥ ୩୪୪
ଏମନ୍ତେ ଦଶ ଲକ୍ଷଣରେ । ଯୁକ୍ତ ପୁରାଣ ମାନଙ୍କରେ ॥ ୩୪୫
ପୂର୍ବେ ଋଷିମାନ ବୋଲନ୍ତି । ପୁରାଣ ଅଷ୍ଟାଦଶ ଗ୍ରନ୍ଥି ॥ ୩୪୬
ଏଥେ ଅଛନ୍ତି ବଡ଼ସାନ । ଶୁଣ ସେ ଅଷ୍ଟାଦଶ ନାମ ॥ ୩୪୭
ବ୍ରହ୍ମ ଯେ ବିଷ୍ଣୁ ଲିଙ୍ଗ ଶିବ । ଗରୁଡ଼ ନାରଦ ଏ ଭାବ ॥ ୩୪୮
ଆଗ୍ନେୟ ସ୍କନ୍ଦ ଭାଗବତ । ଭବିଷ୍ୟ ବ୍ରହ୍ମବଇବର୍ତ୍ତ ॥ ୩୪୯
ମାରକଣ୍ଡେୟ ଯେ ବାମନ । ବରାହ ମତ୍ସ୍ୟ ଯେ କୁରୂମ ॥ ୩୫୦
ବ୍ରହ୍ମାଣ୍ଡ ପଦ୍ମ ଯେ ପୁରାଣ । ଏମନ୍ତେ ଅଷ୍ଟାଦଶ ଜାଣ ॥ ୩୫୧
ଅଷ୍ଟାଦଶ ପୁରାଣ ସାର । ଶ୍ରୀଭାଗବତ ନାମ ଯା'ର ॥ ୩୫୨
ଏ ଅଷ୍ଟାଦଶ ଯେ ପୁରାଣ । ଚାରିଲକ୍ଷ ଏ ଗ୍ରନ୍ଥ ପୁଣ ॥ ୩୫୩
ଅଷ୍ଟାଦଶ ଉପପୁରାଣ । ଏହାଙ୍କ ନାମମାନ ଶୁଣ ॥ ୩୫୪
ବୃହଦ୍ବିଷ୍ଣୁ ନୃସିଂହ ଦୁଇ । ବୃହତ୍ ନୃସିଂହ ଆଦି ତ୍ରୟୀ ॥ ୩୫୫
ଅଙ୍ଗିରସ ଯେ ବାୟୁ ନନ୍ଦୀ । ଇତିହାସ ଅଷ୍ଟମେ ଛନ୍ଦି ॥ ୩୫୬
ଲଘୁ ଭାଗବତ ପ୍ରକାଶ । ଲଘୁଭାରତ ଏହୁ ଦଶ ॥ ୩୫୭
ଦେବୀପୁରାଣ ଯେ ବରୁଣ । କାର୍ତ୍ତିକ ହରିବଂଶ ପୁଣ ॥ ୩୫୮
କାଳିକା ନାରଦୀୟ ଜାଣ । ସୋମ ଭାସ୍କର ଯେ ସଂଖ୍ୟେଣ ॥ ୩୫୯
ଉପପୁରାଣ ଅଷ୍ଟାଦଶ । ଦ୍ୱିଲକ୍ଷ ଗ୍ରନ୍ଥରେ ପ୍ରକାଶ ॥ ୩୬୦
ମହାଭାରତ ଲକ୍ଷେ ଗ୍ରନ୍ଥ । ଅଷ୍ଟାଦଶ ପର୍ବେ ଯନ୍ତ୍ରିତ ॥ ୩୬୧
ଚତୁର୍ବିଂଶସସ୍ର ଶ୍ଳୋକେଣ । ସାତକାଣ୍ଡ ଯେ ରାମାୟଣ ॥ ୩୬୨
ଚାରିବେଦକୁ ଲକ୍ଷେ କହି । ଛତିଶ ଶ୍ରୁତି ଲକ୍ଷେ ହୋଇ ॥ ୩୬୩
ଷଟଶାସ୍ତ୍ର ଯେ ଷଡ଼ଲକ୍ଷ । ନ୍ୟାୟ ମୀମାଂସା ଶାସ୍ତ୍ର ସାଂଖ୍ୟ ॥ ୩୬୪
ପାତଞ୍ଜଳି ତର୍କଶାସ୍ତ୍ରେଣ । ବଇଶେଷିକ ଷଷ୍ଠ ପୁଣ ॥ ୩୬୫
ଷଡ଼ଙ୍ଗ ଷଡ଼ଲକ୍ଷ ପୁଣ । ଶିକ୍ଷାକଳ୍ପ ନିରୁକ୍ତ ଜାଣ ॥ ୩୬୬
ଛନ୍ଦ ଜ୍ୟୋତିଷ ବ୍ୟାକରଣ । ଅଙ୍ଗ ଯେ ଏ ଭାବେ ପ୍ରମାଣ ॥ ୩୬୭
ଚାରି ଯେ ଉପବେଦପୁଣ । ଚାରି ଲକ୍ଷେଣ ସେ ସମ୍ପୂର୍ଣ୍ଣ ॥ ୩୬୮
ଆୟୁର୍ବେଦ ଯେ ଧନୁର୍ବେଦ । ଗାନ୍ଧର୍ବ ଶିଳ୍ପ ଚାରି ଭେଦ ॥ ୩୬୯
ଆଗମ ମନ୍ତ୍ର ଆଦି ପୁଣ । ଦଶଲକ୍ଷ ଗ୍ରନ୍ଥେ ପ୍ରମାଣ ॥ ୩୭୦
ଏମନ୍ତ ହୋଇ ଜଗତରେ । ଶବଦବ୍ରହ୍ମ ସୃଷ୍ଟିକରେ ॥ ୩୭୧
ଅଷ୍ଟାଦଶ ବିଦ୍ୟାରୂପରେ । ପ୍ରକାଶକରେ ଜଗତରେ ॥ ୩୭୨
ଷଡ଼ ଅଙ୍ଗରେ ଷଡ଼ ହୋଇ । ଚାରିବେଦ ମିଶି ଦଶହିଁ ॥ ୩୭୩
ମୀମାଂସା ନ୍ୟାୟ ଯେ ପୁରାଣ । ଧର୍ମଶାସ୍ତ୍ର ମନୁବଚନ ॥ ୩୭୪
ଏଭାବେ ଚତୁର୍ଦ୍ଦଶ ବିଦ୍ୟା । ମିଶିଣ ଚାରି ଉପବେଦା ॥ ୩୭୫
ଏମନ୍ତ ଅଷ୍ଟାଦଶ ହୋଇ । ବ୍ରହ୍ମାଣ୍ଡ ମଧ୍ୟେ ବିହରଇ ॥ ୩୭୬
ସୂତ କହନ୍ତି ତୋଷମନେ । ଶୁଣ ହେ ବ୍ରହ୍ମଋଷିମାନେ ॥ ୩୭୭
ବେଦ ଯେ ଶାଖା ପ୍ରଣୟନ । ବିସ୍ତାରି ତୁମ୍ଭର ଆଗେଣ ॥ ୩୭୮
କହିଲୁ ତୁମ୍ଭର ପ୍ରଶନେ । ଶିଷ୍ୟ-ପ୍ରଶିଷ୍ୟ ବିଚାରଣେ ॥ ୩୭୯
ଏହା ଯେ କର୍ଣ୍ଣରେ ଶୁଣଇ । ବ୍ରହ୍ମତେଜ ତା'ର ବଢଇ ॥ ୩୮୦
ସକଳ କଳୁଷ ନାଶଇ । ଅନ୍ତେ ସେ ବଇକୁଣ୍ଠ ପାଇ ॥ ୩୮୧
ନମଇଁ ବିପ୍ର ଜଗନ୍ନାଥ । ଦ୍ୱାଦଶସ୍କନ୍ଧେ ଭାଗବତ ॥ ୩୮୨
କେବଳ ଆଶାକରେ ଏତେ । କୃପାଳୁ କୃପାକର ମୋତେ ॥ ୩୮୩
ସୁଜନେ ଶୁଣ କର୍ଣ୍ଣଦ୍ୱାରେ । ତରିବ ଏ ଭବ-ସଂସାରେ ॥ ୩୮୪
ସୂତ ଶୌନକର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୩୮୫
ଶ୍ରୀହରିଚରଣ-ସରୋଜ । ଭାବଇ ଜଗନ୍ନାଥ ଦ୍ୱିଜ ॥ ୩୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱାଦଶସ୍କନ୍ଧେ ସପ୍ତମୋଦ୍ଧଧ୍ୟାୟଃ ॥
* * *