ଦ୍ୱାଦଶ ସ୍କନ୍ଧ

ଷଷ୍ଠ ଅଧ୍ୟାୟ

ସୂତ ପୌରାଣିକ କହନ୍ତି । ଶୌନକ ଆଦି ମୁନି ପ୍ରତି ॥

ନୈମିଷାରଣ୍ୟେ ସର୍ବେ ମିଳି । ଶୁଣନ୍ତି ବାସୁଦେବ କେଳି ॥

ସୂତ ଉବାଚ

ଶୁକଙ୍କ ତହୁଁ ତତ୍ତ୍ୱବାଣୀ । ପରୀକ୍ଷ ବିଷ୍ଣୁରତ ଶୁଣି ॥

ନମିଲା ଶୁକମୁନି ପାଦେ । ରୋମପୁଲକ ଗଦଗଦେ ॥

ଅଞ୍ଜଳି କରି ତତକ୍ଷଣ । କହଇ ଏମନ୍ତ ବଚନ ॥

ପରୀକ୍ଷିତ ଉବାଚ

ହେ ବ୍ୟାସସୁତ ଜ୍ଞାନଧୀର । ଜଗତ ଆତ୍ମାରୂପ ତୋ'ର ॥

ସମଦରଶୀ ଭାବ ବହୁ । ଏଣୁ ସଂସାରେ ଭେଦ ନୋହୁ ॥

ଏମନ୍ତ କହିଣ ଚରଣେ । ପ୍ରଣାମ କଲା ତତ୍କ୍ଷଣେ ॥

ଅଦ୍ଭୂତ କଥା ତୁମ୍ଭ ବାଣୀ । ଏଣୁ ସଂସାର ମିଥ୍ୟା ଜାଣି ॥

ମରଣେ ଭୟ କିଛି ନାହିଁ । ଅଜ୍ଞାନୀଜନ ସେ ମରଇ ॥ ୧୦

ତୁମ୍ଭର କୃପା ହେଲା ଯେଣୁ । ନାହିଁ ମୋ ଜନ୍ମମୃତ୍ୟୁ ତେଣୁ ॥ ୧୧

ତୁମ୍ଭେ ଯେ ବାସୁଦେବରୂପୀ । ସର୍ବଜ୍ଞ ଯେଣୁ ବିଶ୍ୱବ୍ୟାପୀ ॥ ୧୨

ପ୍ରାଣୀ ସଂସାରତାପେ ଥାଇ । ଆତ୍ମାରେ ବାସୁଦେବ ବହି ॥ ୧୩

ଯାହାକୁ ଅନୁଗ୍ରହ କରେ । ସେ ପ୍ରାଣୀ ଏ ସଂସାରୁ ତରେ ॥ ୧୪

ପୁରାଣ ଭାଗବତ ଗୀତା । ଉତ୍ତମ ଶ୍ଳୋକ ଯେଉଁ କଥା ॥ ୧୫

କହି କୃତାର୍ଥ ମୋତେ କଲ । ବିଷ୍ଣୁମାୟାରୁ ଉଦ୍ଧରିଲ ॥ ୧୬

ତୁମ୍ଭଙ୍କୁ ମୋର ନମସ୍କାର । ପରମଦୟାଳୁ ଈଶ୍ୱର ॥ ୧୭

ତୁମ୍ଭେ ଯେ ଅଚ୍ୟୁତ ଭକତ । ସଂସାରେ ପ୍ରାଣୀ ମୋହଗ୍ରସ୍ତ ॥ ୧୮

ତୁମ୍ଭଙ୍କୁ ମୋର ନମସ୍କାର । ପରମଦୟାଳୁ ଈଶ୍ୱର ॥ ୧୯

ଏହି ପୁରାଣ ଭାଗବତ । ଉତ୍ତମ ଶ୍ଳୋକର ଚରିତ ॥ ୨୦

ସାକ୍ଷାତେ ଶ୍ରୀମଧୁସୂଦନ । ତା'ଙ୍କୁ କରାଇଲ ଦର୍ଶନ ॥ ୨୧

ଏଣୁ ମୁଁ ବିଶୁଦ୍ଧ ହୋଇଲି । ଭଗବାନଗୁଣ ଶୁଣିଲି ॥ ୨୨

ହେ ଶୁକଦେବ ଭଗବାନ । ତକ୍ଷକ ଆଦି ମୃତ୍ୟୁମାନ ॥ ୨୩

ତହିଁ ମୋହର ଭୟ ନାହିଁ । ବ୍ରହ୍ମନିର୍ବାଣ ଜାଣିଲଇଁ ॥ ୨୪

ଅବ୍ୟୟ ଅବିନାଶୀ ବ୍ରହ୍ମ । ଦର୍ଶନେ ଛଡ଼ାଇଲ ଭ୍ରମ ॥ ୨୫

ଏବେ ଯେ ମୋତେ ଆଜ୍ଞା ଦିଅ । ବ୍ରହ୍ମରେ ଲାଗିବ ମୋ' ଲୟ ॥ ୨୬

ବସୁ ଅଛଇ ଯୋଗାସନେ । ମଉନବ୍ରତ ଆତ୍ମଜ୍ଞାନେ ॥ ୨୭

ଅଧୋକ୍ଷଜ ବିଷ୍ଣୁର ଲୟେ । କାମନା ଛାଡ଼ିଲି ବିଷୟେ ॥ ୨୮

ଅଷ୍ଟାଙ୍ଗଯୋଗ ଧାରଣାରେ । ଷଡ଼ଚକ୍ର ଭେଦି ଆତ୍ମାରେ ॥ ୨୯

ପରମଆତ୍ମାରେ ମିଶାଇ । ସସ୍ରକମଳ ମଧ୍ୟେ ନେଇ ॥ ୩୦

ପ୍ରାଣକୁ ତହିଁ ନିବେଶିବି । ମାୟା ବ୍ରହ୍ମାଣ୍ଡ ଜିଣିଯିବି ॥ ୩୧

ତକ୍ଷକ ବ୍ରାହ୍ମଣ ଶାପରେ । ଭସ୍ମ କରିବ ମୋ' ଶରୀରେ ॥ ୩୨

ଜ୍ଞାନ ବିଜ୍ଞାନ ଦେଇ ମୋ'ର । ହେଳେ ଅଜ୍ଞାନ କଲ ଦୂର ॥ ୩୩

ପରମ ବାସୁଦେବ ପଦ । ଲଭି ଯା ହୋଇବି ଆନନ୍ଦ ॥ ୩୪

ସେ ମାର୍ଗ ମୋତେ ଦେଖାଇଲ । ବିଷ୍ଣୁ ଶରୀରେ ନିଯୋଜିଲ ॥ ୩୫

ଏବେ ମୁଁ ସେ ମାର୍ଗେ ପଶିବି । ଧ୍ୟାନେର ମୁକତି ଲଭିବି ॥ ୩୬

ଏ ଭାବେ ଅନେକ ପ୍ରକାରେ । ବିନୋୟି ଶୁକ ଚରଣରେ ॥ ୩୭

ସୂତ ଉବାଚ

ସୂତ କହନ୍ତି ମୁନି ଶୁଣ । ପରୀକ୍ଷେ କହେ ବାଦରାଣ ॥ ୩୮

ବିଷ୍ଣୁ ଭକତିରେ ନିମଜ୍ଜି । ମୁକତ ହୁଅ ପାପ ତେଜି ॥ ୩୯

ଆମ୍ଭର ଆଶୀର୍ବାଦୁଁ କରି । ଅନ୍ତେ ତୁ ଲଭ ବିଷ୍ଣୁପୁରୀ ॥ ୪୦

ଏମନ୍ତ କହି ଶୁକମୁନି । ହରଷେ କଲେ କୃଷ୍ଣଧ୍ୱନି ॥ ୪୧

ରାଜାର ପୂଜାବିଧି ପାଇ । ଶୁକ ହରଷମନ ହୋଇ ॥ ୪୨

ସକଳ ମହାଋଷି ସଙ୍ଗେ । ବଦ୍ରିକାଶ୍ରମେ ଗଲେ ବେଗେ ॥ ୪୩

ପରୀକ୍ଷ ରାଜା ଯୋଗଧ୍ୟାନେ । ବସିଲେ ନିଶ୍ଚଳ ଆସନେ ॥ ୪୪

ଆତ୍ମାରେ ଆତ୍ମା ନିଯୋଜିଣ । ଅଷ୍ଟାଙ୍ଗ ଯୋଗରେ ଧାରଣ ॥ ୪୫

ପରମବ୍ରହ୍ମ ସ୍ୱରୂପରେ । ପବନ-ସଂଯମ ଧ୍ୟାନରେ ॥ ୪୬

ବୃକ୍ଷର ପ୍ରାୟେ ଅଚେଷ୍ଟିତ । ନିଶ୍ଚଳଭାବେ ରହେ ଚିତ୍ତ ॥ ୪୭

ହସ୍ତିନାନଗର ବାହାରେ । ଗଙ୍ଗା ପୂର୍ବଦିଗ-ଭାଗରେ ॥ ୪୮

ବାଲୁକାବେଦୀର ଉପରେ । କୁଶ ଆସନ କରି ଧୀରେ ॥ ୪୯

ଉତ୍ତର ଅଭିମୁଖେ ବସି । ବ୍ରହ୍ମରେ ଲୟକୁ ନିବେଶି ॥ ୫୦

ଆତ୍ମାକୁ ବ୍ରହ୍ମରନ୍ଧ୍ରେ ନେଇ । ସୁଷୁମ୍ନା ରନ୍ଧ୍ରରେ ରୁନ୍ଧାଇ ॥ ୫୧

ଷଡ଼ଚକ୍ର ଭେଦି ଭୂମଧ୍ୟେ । ପରମ ଆତ୍ମା ଭାବ ଭେଦେ ॥ ୫୨

ବିଷୟ ସଙ୍ଗ କରି ଦୂର । ବିଚାର ନାହିଁ ବାହ୍ୟାନ୍ତର ॥ ୫୩

ଏକାକ୍ଷର ବ୍ରହ୍ମେ ପ୍ରବେଶି । ଯାତନା ଶରୀର ବିନାଶି ॥ ୫୪

ପରମପଦକୁ ଲଭିଲେ । ବିଷ୍ଣୁ ଅଙ୍ଗରେ ଲୀନ ହେଲେ ॥ ୫୫

ଶମୀକ ଋଷିଙ୍କ ନନ୍ଦନ । ତାଙ୍କର ଶୃଙ୍ଗୀଋଷି ନାମ ॥ ୫୬

ପୂର୍ବେ ସପ୍ତଦିନ ଆଗରେ । କୋପେ ଶାପ ଦେଲା ରାଜାରେ ॥ ୫୭

ଅନୀତି ରାଜା ହୋଇ କଲା । ଋଷି ଗଳାରେ ସର୍ପ ଦେଲା ॥ ୫୮

ଆଜୁଁ ସପତଦିନ ଅନ୍ତେ । ତକ୍ଷକ ଭକ୍ଷୁ ଭସ୍ମୀଭୂତେ ॥ ୫୯

ଏମନ୍ତ ସେ ତକ୍ଷକ ଜାଣି । ରାଜାଙ୍କୁ ଦଂଶିବ ସେ ପୁଣି ॥ ୬୦

ମାୟା ବ୍ରାହ୍ମଣ ରୂପେ ଛନ୍ନ । ପଥରେ କରଇ ଗମନ ॥ ୬୧

ଏମନ୍ତ ସମୟରେ ପୁଣ । କାଶ୍ୟପ ନାମକେ ବ୍ରାହ୍ମଣ ॥ ୬୨

କଶ୍ୟପ ଧନ୍ୱନ୍ତରୀ ନାମ । ବିଷ୍ଣୁବୈଦ୍ୟ ମଧ୍ୟେ ଉତ୍ତମ ॥ ୬୩

ରାଜାର ମୃତ୍ୟୁକଥା ଶୁଣି । ବ୍ରାହ୍ମଣ ରୂପ ଧରି ପୁଣି ॥ ୬୪

ଆସନ୍ତେ ବାଟେ ଭେଟ ହୋଇ । ତକ୍ଷକ ଧନ୍ୱନ୍ତରୀ ଦୁଇ ॥ ୬୫

ତକ୍ଷକ ପଚାରିଲା ପୁଣ । କି ଅର୍ଥେ କରୁଛ ଗମନ ॥ ୬୬

କହିଲେ ଆମ୍ଭେ ଧନ୍ୱନ୍ତରୀ । ଯାଉଛୁ ପରୀକ୍ଷେ ନିସ୍ତାରି ॥ ୬୭

ତକ୍ଷକ ବ୍ରହ୍ମଶାପେ ଦଂଶି । ରାଜା ହୋଇବ ଭସ୍ମରାଶି ॥ ୬୮

ତାହାକୁ ଆତ୍ମେ ଜୀଆଇବୁ । ଯଶ ଧନ ଧର୍ମ ପାଇବୁ ॥ ୬୯

ଏମନ୍ତ ଶୁଣି ତାଙ୍କ ବାଣୀ । ତକ୍ଷକ ବୋଲେ ତତକ୍ଷଣି ॥ ୭୦

ଯାହାକୁ ତକ୍ଷକ ଭକ୍ଷିବ । ଜଗତେ କେ ତାକୁ ରଖିବ ॥ ୭୧

ଅଘୋର ବିଷମୁଖ ତାର । ଦଂଶିଲେ ନ ବର୍ତ୍ତନ୍ତି ନର ॥ ୭୨

କାଳକୂଟ ବିଷ ତାହାର । ଘାତେ ଭସ୍ମ ମେରୁ ସ୍ଥାବର ॥ ୭୩

ତା ଶୁଣି ଧନ୍ୱନ୍ତରୀ କହି । ତକ୍ଷକ ଗୁଚ୍ଛମାତ୍ର ହୋଇ ॥ ୭୪

ଦଂଶିଲେ ନିର୍ବିଷ କରିବୁ । କିଞ୍ଚିତେ ରାଜାକୁ ରଖିବୁ ॥ ୭୫

ଶୁଣି ତକ୍ଷକ କୋପ ବହି । ବୋଲଇ ଧନ୍ୱନ୍ତରୀ ଚାହିଁ ॥ ୭୬

ଆମ୍ଭେ ତକ୍ଷକ ନାଗ ନାମ । ଦଂଶିଲେ କେବା ନୋହେ ଭସ୍ମ ॥ ୭୭

ଜୀଆଇ ତୁମେ ଯେବେ ପାର । ପରୀକ୍ଷା ଏହିଠାରେ କର ॥ ୭୮

ଏମନ୍ତ କହି ସେ ତକ୍ଷକ । ଆଗରେ ଥିଲା ଯେ ବୃକ୍ଷେକ ॥ ୭୯

ତହିଁ ଉପରେ ଏକଜଣ । କାଷ୍ଠ ଯେ ଭାଙ୍ଗୁଥିଲା ପୁଣ ॥ ୮୦

ଏ ଦୁଇ ବିପ୍ରେ ନ ଦେଖିଲେ । ଏହାଙ୍କୁ ଦେଖି ସେ ଲୁଚିଲେ ॥ ୮୧

ଏମନ୍ତେ ତକ୍ଷକ ଯେ ଅହି । ବଟବୃକ୍ଷକୁ ସେ ଦଂଶଇ ॥ ୮୨

ତକ୍ଷଣେ ଭସ୍ମ ହୋଇଗଲା । ଯେଉଁ ମନୁଷ୍ୟ ତହିଁ ଥିଲା ॥ ୮୩

ସେ ଭସ୍ମ ଧନ୍ୱନ୍ତରୀ ପୁଣ । କଲେ ସେ ଏକଠାବେ ପୁଣ ॥ ୮୪

ଜଳ ସିଞ୍ଚିଲେ ତତ୍କ୍ଷଣ । ମୃତ ସଞ୍ଜୀବନୀ ମନ୍ତ୍ରେଣ ॥ ୮୫

ବୃକ୍ଷ ଅଙ୍କୁର ହୋଏ ପୁଣି । କ୍ରମେ ସେ ଦ୍ରୁମଭାବ ଘେନି ॥ ୮୬

ସେହିଭାବେ ବୃକ୍ଷ ହୋଇଲା । ମନୁଷ୍ୟ ଆଦି ଦୃଶ୍ୟ ହେଲା ॥ ୮୭

ତା' ଦେଖି ତକ୍ଷକ କହିଲେ । ନିଶ୍ଚେ ଜୀଇବ ତୁମ୍ଭ ବୋଲେ ॥ ୮୮

ତୁମ୍ଭେ ତ ମହତ ପୁରୁଷ । ଯଶ ମୋ' ନ କର ବିନାଶ ॥ ୮୯

ମହତ ଲୋକଙ୍କର ଭାବ । ପର ଯଶରେ ନିତ୍ୟେ ଥିବ ॥ ୯୦

ଆପଣା ଯଶ ନ କରଇ । ପରର ହିତେ କ୍ଳେଶ ପାଇ ॥ ୯୧

ପ୍ରାପତ ରାଜାଠାରୁ ଧନ । ମୋଠାରୁ ନିଅସି ଦ୍ୱିଗୁଣ ॥ ୯୨

ଏମନ୍ତ ଶୁଣି ଧନ୍ୱନ୍ତରୀ । ମନରେ ବିଚାର ସେ କରି ॥ ୯୩

ରାଜାର ଆୟୁଷ ତ ନାହିଁ । ଜାଣଇ ଯୋଗବଳେ ମୁହିଁ ॥ ୯୪

ତାହାର ଜୀଇଁବାକୁ ନାହିଁ । ଶୁକ ପ୍ରସନ୍ନ ଭାବ ବହି ॥ ୯୫

ବିରାଜ ହୋଇ ଗଙ୍ଗାତୀରେ । ଯୋଗାରୂଢ ତତ୍ତ୍ୱଜ୍ଞାନରେ ॥ ୯୬

ଆତ୍ମାକୁ ପରମ ଆତ୍ମାରେ । ପ୍ରବେଶ କରି ବ୍ରହ୍ମଦ୍ୱାରେ ॥ ୯୭

ଯୋଗାଗ୍ନିରେ ଦଗ୍ଧ ହୋଇବ । ସେ ତ ବ୍ରହ୍ମରେ ଲୀନ ହେବ ॥ ୯୮

ପିଣ୍ଡରେ ତକ୍ଷକ ଦଂଶିବ । ଆମ୍ଭର ଯଶ ତ ନୋହିବ ॥ ୯୯

ଆମ୍ଭେ ଯେ ଏହାଠାରୁ ପୁଣ । ଛାଡ଼ିଣ ଯିବା କିପାଁ ଧନ ॥ ୧୦୦

ଏମନ୍ତ ବିଚାରି ଭିଷକ । ବୋଇଲେ ଶୁଣ ହେ ତକ୍ଷକ ॥ ୧୦୧

ତୋ' ଯଶ କିପାଇଁ ନାଶିବୁ । ପାଇଲେ ଧନ ବାହୁଡ଼ିବୁ ॥ ୧୦୨

ତକ୍ଷକ ତା'ଙ୍କୁ ଧନ ଦେଲେ । ବାହୁଡ଼ି ଧନ୍ୱନ୍ତରୀ ଗଲେ ॥ ୧୦୩

ତକ୍ଷକ ବ୍ରାହ୍ମଣ ରୂପେଣ । ଗଲେ ସେ ରାଜା ସନ୍ମିଧାନ ॥ ୧୦୪

ଫଳ-ପୁଷ୍ପ ଘେନି ଭେଟିଲେ । ଫଳେ ତକ୍ଷକ କୃମି ହେଲେ ॥ ୧୦୫

ଏମନ୍ତେ କୃମିରୂପେ ପୁଣ । ଦଂଶିଲେ ରାଜାର ଚରଣ ॥ ୧୦୬

ସେ କାମରୂପୀ ନାଗବିଷ । ରାଜାଶରୀର କଲା ନାଶ ॥ ୧୦୭

ତକ୍ଷଣେ ଭସ୍ମ ହୋଇଗଲେ । ସକଳ ପ୍ରାଣୀ ତା' ଦେଖିଲେ ॥ ୧୦୮

ହାହାକାର ଶବ୍ଦ ଶୁଭିଲା । ଶବଦେ ପୃଥିବୀ ପୂରିଲା ॥ ୧୦୯

ଆକାଶେ ଦେବତା ଅସୁର । ମନୁଷ୍ୟ ଆଦି ନାନାଚର ॥ ୧୧୦

ସମସ୍ତେ ବିସ୍ମୟ ହୋଇଲେ । ତକ୍ଷକେ କେହି ନ ଦେଖିଲେ ॥ ୧୧୧

ରାଜାମୁକତି ଦେଖି ଦେବେ । ଦୁନ୍ଦୁଭିନାଦ କଲେ ଭାବେ ॥ ୧୧୨

ଗନ୍ଧର୍ବ ଅପସରା ନୃତ୍ୟ । ସାଧୁଶବଦେ କଲେ ଗୀତ ॥ ୧୧୩

ଦେବେ ଯେ ପୁଷ୍ପବୃଷ୍ଟି କଲେ । ଆନନ୍ଦେ ସ୍ୱର୍ଗକୁ ସେ ଗଲେ ॥ ୧୧୪

ପରୀକ୍ଷସୁତ ଜନ୍ମେଜୟେ । ସେ ପୁଣି ରାଜ୍ୟେ ରାଜା ହୋଏ ॥ ୧୧୫

ପିତୃ-କ୍ରିୟା-କର୍ମ ସାରିଲେ । ରାଜତେଜେ ଭୂମି ପାଳିଲେ ॥ ୧୧୬

ସେ କିଛିଦିନର ଅନ୍ତରେ । ନୃପତି ଶୁଣିଲେ ସଭାରେ ॥ ୧୧୭

ଉତ୍ତଙ୍ଗଋଷି ସେ କହିଲେ । ତକ୍ଷକ ରାଜାଙ୍କୁ ଦଂଶିଲେ ॥ ୧୧୮

ବ୍ରାହ୍ମଣ ଶାପେଣ ତକ୍ଷକ । ରାଜାଙ୍କୁ କଲା ଭସ୍ମାନ୍ତକ ॥ ୧୧୯

ଧନ୍ୱଂତ୍ରୀ ଜୀଆଁଇବା ପାଇଁ । ଆସୁ ଯେ ଥିଲେ ବିପ୍ର ହୋଇ ॥ ୧୨୦

ତକ୍ଷକ ତା'ଙ୍କୁ ଧନ ଦେଲେ । ବାଟରୁ ଧନ୍ୱନ୍ତରୀ ଗଲେ ॥ ୧୨୧

ଏମନ୍ତ ବାରତା ପ୍ରମାଣ । କହିଲେ ପାତ୍ର ମନ୍ତ୍ରୀଗଣ ॥ ୧୨୨

ଶୁଣିଛୁ ଏମନ୍ତ ପ୍ରକାର । ନ ଜାଣୁ ଧନ୍ୱଂତ୍ରୀ ଯିବାର ॥ ୧୨୩

ଏମନ୍ତେ ରାଜାଲୋକ ଯାଇ । ପଚାରିଲେ ସନ୍ଦେଶ ପାଇ ॥ ୧୨୪

ତହିଁ ଯେ କାଷ୍ଠ ଭାଙ୍ଗୁଥିଲା । ବୃକ୍ଷ ସଙ୍ଗତେ ଭସ୍ମ ହେଲା ॥ ୧୨୫

ଧନ୍ୱଂତ୍ରୀ ମନ୍ତ୍ରବଳେ ବୃକ୍ଷ । ଯେମନ୍ତେ ହୋଇଲା ପ୍ରତ୍ୟକ୍ଷ ॥ ୧୨୬

ତକ୍ଷକ ଧନ ତା'କୁ ଦେଲା । ଯେମନ୍ତ ବଚନ କହିଲା ॥ ୧୨୭

ଏ ସର୍ବ ବାରତା ସଂକ୍ଷେପେ । କହିଲେ ରାଜାର ସମୀପେ ॥ ୧୨୮

ଶୁଣି ଜନ୍ମେଜୟ ରାଜନ । ତକ୍ଷକଠାରେ କ୍ରୋଧମନ ॥ ୧୨୯

ସମସ୍ତ ଋଷିଗଣ ଚାହିଁ । ତକ୍ଷକ କଥା ପଚାରଇ ॥ ୧୩୦

ସେ ମୋର ପିତାର ବଇରୀ । ତା'କୁ କେମନ୍ତେ ସାଧ୍ୟ କରି ॥ ୧୩୧

ଉତ୍ତଙ୍ଗ ଋଷି ଯେ କହିଲେ । ତକ୍ଷକ ତାହାଙ୍କୁ ଦଂଶିଲେ ॥ ୧୩୨

ସର୍ପଯଜ୍ଞ କର ଆରମ୍ଭ । ବଇରୀ ନାଶ ହେବ ତୁମ୍ଭ ॥ ୧୩୩

ଯେମନ୍ତେ ସର୍ପଯଜ୍ଞ ରୀତି । ସମସ୍ତ କହିଲେ ସେ ଯତି ॥ ୧୩୪

ଏମନ୍ତେ ସର୍ପଯଜ୍ଞ କଲେ । ଅନେକ ସର୍ପ ଦଗଧିଲେ ॥ ୧୩୫

ଯଜ୍ଞକୁଣ୍ଡରେ ପଡ଼ି ନାଶ । ତକ୍ଷକ ରହେ ଅବଶେଷ ॥ ୧୩୬

ସର୍ପକୁଳ ଦଗଧ ଦେଖି । ନାଗଲୋକକୁ ସେ ଉପେକ୍ଷି ॥ ୧୩୭

ଦେବଲୋକେ ଇନ୍ଦ୍ରେ ଶରଣ । ପଶିଲା ମହାଭୟେ ପୁଣ ॥ ୧୩୮

ଆଚାର୍ଯ୍ୟେ ଏମନ୍ତ କହିଲେ । ତକ୍ଷକ ଯଜ୍ଞକୁ ନ ଇଲେ ॥ ୧୩୯

ତା' ଶୁଣି ରାଜନ ବୋଲଇ । ଅଧର୍ମ ସର୍ପ ନ ଆସଇ ॥ ୧୪୦

ଏ କୁଣ୍ଡେ ଭସ୍ମ ତ ନୋହିଲା । କିମର୍ଥେ ଏମନ୍ତ ହୋଇଲା ॥ ୧୪୧

ତା' ଶୁଣି ବ୍ରାହ୍ମଣେ କହନ୍ତି । ନାଗଲୋକରେ ସେ ନାହାଁନ୍ତି ॥ ୧୪୨

ଇନ୍ଦ୍ରରେ ଶରଣ ପଶିଲେ । ଇନ୍ଦ୍ରଯୋଗବଳେ ରଖିଲେ ॥ ୧୪୩

ତେଣୁ ଅଗ୍ନିରେ ନ ପଡ଼ଇ । ଏମନ୍ତ ଶୁଣି ରାଜା କହି ॥ ୧୪୪

ଶୁଣ ବ୍ରାହ୍ମଣେ ମନଦେଇ । ଯେ ଅର୍ଥେ ଯଜ୍ଞ ମୁଁ କରଇ ॥ ୧୪୫

ତକ୍ଷକ ମୋ' ପିତା ବଇରୀ । ତାହାର ଅର୍ଥେ ଯଜ୍ଞ କରି ॥ ୧୪୬

ଇନ୍ଦ୍ର ଯେବେ ତା'କୁ ରଖିଲା । ମୋ' ପିତା ଶତ୍ରୁ ସେ ହୋଇଲା ॥ ୧୪୭

ଇନ୍ଦ୍ର ତକ୍ଷକ ଏହି ଦ୍ୱୟ । ଅଗ୍ନିରେ ମନ୍ତ୍ରବଳେ ଦିଅ ॥ ୧୪୮

ଏମନ୍ତ ଶୁଣି ବିପ୍ରଜନେ । ମନ୍ତ୍ରଯୁକ୍ତ କରି ବିଧାନେ ॥ ୧୪୯

ଘୃତ ଶ୍ରୁବମାନ ଘେନିଲେ । ମନ୍ତ୍ରରେ ଆହୁତି ତୋଳିଲେ ॥ ୧୫୦

ଇନ୍ଦ୍ର ତକ୍ଷକ ଦୁହେଁ ଆସି । କୁଣ୍ଡରେ ହୁଅନ୍ତୁ ବିନାଶି ॥ ୧୫୧

ଇନ୍ଦ୍ର ସମେତ ମରୁଦ୍ଗଣ । ସତ୍ତ୍ୱରେ ଟଳିଲା ଆସନ ॥ ୧୫୨

ବିମାନ ସମେତ ଖସିଲେ । ମର୍ତ୍ତ୍ୟ ଭୂମିକି ଦୃଷ୍ଟି ଦେଲେ ॥ ୧୫୩

ଅଗ୍ନିରେ ଘୃତ ଯେବେ ଦେବେ । ନିଶ୍ଚୟେ ଅଗ୍ନିରେ ପଡ଼ିବେ ॥ ୧୫୪

ତା'ଦେଖି ଇନ୍ଦ୍ର ସଭୟରେ । ଗୁରୁଙ୍କୁ ମନେ ସୁମରିଲେ ॥ ୧୫୫

ଅଙ୍ଗିରା ଋଷିଙ୍କର ସୁତ । ଯେ ବୃହସ୍ପତି ନାମେ ଖ୍ୟାତ ॥ ୧୫୬

ତକ୍ଷକ ଇନ୍ଦ୍ର ଉପକାରେ । ରାଜାଙ୍କ ଛାମୁରେ ମିଳିଲେ ॥ ୧୫୭

ତା' ଜାଣି ଆସ୍ତିକ ଯେ ମୁନି । ମିଳିଲେ ଯଜ୍ଞସ୍ଥାନେ ପୁଣି ॥ ୧୫୮

ଜରତ୍କାରୁ ଋଷିଙ୍କ ସୁତ । ବୃହସ୍ପତି ସମାନେ ଖ୍ୟାତ ॥ ୧୫୯

ଆସ୍ତିକ ରାଜାର ଛାମୁରେ । ମିଳି ତକ୍ଷକ ଉପକାରେ ॥ ୧୬୦

ନାଗମାନଙ୍କର ଭଗ୍ନୀଜ । ସେ କହେ ଶୁଣ ମହାରାଜ ॥ ୧୬୧

ସର୍ପେ ଯେ ମୋ'ର ମାତୃକୁଳ । ଏହାଙ୍କୁ ଦଗ୍ଧକୁ ନ କର ॥ ୧୬୨

ଏମନ୍ତେ ବୃହସ୍ପତି ଥିଲେ । ରାଜାଙ୍କୁ ବଚନ କହିଲେ ॥ ୧୬୩

ତକ୍ଷକ ଏଥେ ନ ମରିବ । ଅମୃତ ଭକ୍ଷିଛି ଜୀଇଁବ ॥ ୧୬୪

ତେଣୁ ଅଜରାମର କାୟ । କୋପ ସଂହର ନରରାୟ ॥ ୧୬୫

ତୁ ବୋଲୁ ପିତାକୁ ମାଇଲା । ଏହାଙ୍କୁ ମୁଁ ମାଇଲେ ଭଲା ॥ ୧୬୬

କେହି କାହାକୁ ନ ମାରଇ । କାହାରେ କେହି ନ ଜୀଆଁଇ ॥ ୧୬୭

ଶୁଣ ରାଜନ ମନଦେଇ । ଜନ୍ମମରଣ କର୍ମେ ହୋଇ ॥ ୧୬୮

ଯେ ଯାହା ଅର୍ଜଇ ଭୁଞ୍ଜଇ । ବ୍ରହ୍ମାଶଙ୍କରେ ଆନ ନୋହିଁ ॥ ୧୬୯

କେ କାର ସୁଖଦୁଃଖଦାତା । ଯେମନ୍ତେ ଲେଖିଛି ବିଧାତା ॥ ୧୭୦

ସର୍ପାଗ୍ନି ଚୌର ଜଳ କ୍ଷୁଧା । ବ୍ୟାଧି ତୃଷ୍ଣାଦି ଯେତେ ବାଧା ॥ ୧୭୧

ପ୍ରାଣୀ ଏମାନ ଭୋଗ କରେ । ଆପଣା ଅର୍ଜିତ କର୍ମରେ ॥ ୧୭୨

ଜନ୍ମମରଣ ଏହିଭାବେ । ଈଶ୍ୱର ସଂଯୋଗ ବିଯୋଗେ ॥ ୧୭୩

ତୋ ପିତା ପରୀକ୍ଷିତ ବୀର । ସେ ବ୍ରହ୍ମଋଷିର ଶାପର ॥ ୧୭୪

ଅଦୋଷେ ଋଷିଗଳେ ନେଇ । ମୃତ ସର୍ପକୁ ଗୁଡ଼ିଆଇ ॥ ୧୭୫

ସେ ଦୋଷେ ଋଷି ଶାପ ଦେଲେ । ତକ୍ଷକ ବିଷେ ଭସ୍ମ ହେଲେ ॥ ୧୭୬

ସେ ଶୁକବେଦଠାରୁ ପୁଣ । ଶୁଣି ଭାଗବତ ପୁରାଣ ॥ ୧୭୭

ଶରୀର ଯୋଗାଗ୍ନିରେ ଦହି । ପ୍ରାଣକୁ ବ୍ରହ୍ମରେ ମିଶାଇ ॥ ୧୭୮

ତକ୍ଷକ ଦଂଶେ ଯେତେବେଳେ । ଦେହେ ଜୀବ ନାହିଁ ସେକାଳେ ॥ ୧୭୯

ତକ୍ଷକେ କିଛି ଦୋଷ ନାହିଁ । ସର୍ପହତ୍ୟା କରୁ କିପାଇଁ ॥ ୧୮୦

ନିର୍ଦ୍ଦୋଷ ସର୍ପେ ଗଲେ ମା'ର । ସର୍ପଯଜ୍ଞ ନିବର୍ତ୍ତ କର ॥ ୧୮୧

କଶ୍ୟପ ଋଷିଙ୍କ ବନିତା । କଦ୍ରୂ ଯେ ନାଗଙ୍କର ମାତା ॥ ୧୮୨

ଅଦିତି ସଙ୍ଗେ କଥାଛଳେ । ଏ ପୁତ୍ରେ ତା' ବୋଲ ନ କଲେ ॥ ୧୮୩

କହିଲେ ଦୁହେଁ ଆମ୍ଭମାତ । କେହ୍ନେ ଜିଂଘାସିବୁ ତାହାନ୍ତ ॥ ୧୮୪

ଏ ଘେନି କଦ୍ରୁ ଶାପଦେଲେ । ଏଣୁ ଏ ଯଜ୍ଞେ ନାଶ ଗଲେ ॥ ୧୮୫

ଏମନ୍ତେ ବୃହସ୍ପତି ବାଣୀ । ସନ୍ତୋଷ ନରନାଥ ଶୁଣି ॥ ୧୮୬

ସର୍ପଯଜ୍ଞ ନିବର୍ତ୍ତ କଲେ । ଗୁରୁଙ୍କୁ ପୂଜାରେ ତୋଷିଲେ ॥ ୧୮୭

ଆସ୍ତିକ ଋଷିଙ୍କି ସେ ଆଣି । ନାଗଙ୍କୁ ସମର୍ପିଲେ ପୁଣି ॥ ୧୮୮

ତୋଷେ ଆସ୍ତିକ ଋଷି ଗଲେ । ଇନ୍ଦ୍ର ରଖି ଗୁରୁ ଚଳିଲେ ॥ ୧୮୯

ବର ଦେଲେ ଆସ୍ତି ଯୁକତେ । ମୋ' ନାମ ଧରିବ ଯେ ନିତ୍ୟେ ॥ ୧୯୦

ତାହାକୁ ସର୍ପବାଧା ନାହିଁ । ଏମନ୍ତ କହି ତୋଷ ହୋଇ ॥ ୧୯୧

ଏ ଯେ ବିଷ୍ଣୁମାୟା ଜଗତ । ତମ ମାୟାରେ ବିମୋହିତ ॥ ୧୯୨

ପ୍ରାଣୀଙ୍କ ଉତ୍ପତ୍ତି ପ୍ରଳୟ । ଏ ମାୟାଭିଆଣ ଆଶ୍ରୟ ॥ ୧୯୩

ଏ ବିଷ୍ଣୁଆତ୍ମା ସର୍ବମୟୀ । ଦମ୍ଭ ମାୟା କପଟ ବହି ॥ ୧୯୪

ଅହଙ୍କାର ବୁଦ୍ଧି ବିଚାରେ । ଯା' ନାମ ନୁହଇ ଗୋଚରେ ॥ ୧୯୫

ତ୍ରିଗୁଣ ବାସନା ହିଁ ନାହିଁ । ମନ ବଚନେ ଭେଦ ନୋହି ॥ ୧୯୬

ଶବ୍ଦ ସ୍ପରଶ ରସ ଗନ୍ଧ । ରୂପ ଏ ପଞ୍ଚ ନୋହେ ଭେଦ ॥ ୧୯୭

ସେ ବିଷ୍ଣୁ ନିର୍ମଳେ ସେବିଲେ । ପ୍ରାଣୀ ନିର୍ମଳ ହୋଏ ଭଲେ ॥ ୧୯୮

ଏ ମାୟା ବନ୍ଧନୁ ତରଇ । ପରମପଦକୁ ଲଭଇ ॥ ୧୯୯

ବଇକୁଣ୍ଠ ପରମଧାମ । ଯାହାର ପରେ ନାହିଁ ସ୍ଥାନ ॥ ୨୦୦

ସେ ଜନ ସଂସାରୁ ତରିବେ । ଜନ୍ମମୃତ୍ୟୁରୁ ନିସ୍ତରିବେ ॥ ୨୦୧

ସଂସାର ବନ୍ଧନ ଛାଡ଼ନ୍ତି । ନିରତେ ବିଷ୍ଣୁଙ୍କୁ ଚିନ୍ତନ୍ତି ॥ ୨୦୨

ଦୁରାତ୍ମାପଣ ଦୂରକରି । ଜଗତ ମଣେ ନରହରି ॥ ୨୦୩

ଆତ୍ମା ସମବୁଦ୍ଧି ଭାବରେ । ଏକ ଭାବରେ ନାମ ସ୍ମରେ ॥ ୨୦୪

ସେ ବିଷ୍ଣୁପଦେ ଲୀନ ହୋନ୍ତି । ପରମପଦକୁ ଲଭନ୍ତି ॥ ୨୦୫

ଯେ ପ୍ରାଣୀ ବିଚାରନ୍ତି ଚିତ୍ତ । ଏ ସର୍ବ ମୋହର ଅର୍ଜିତ ॥ ୨୦୬

ଅର୍ଜିଲି ନାନା କଷ୍ଟ ପାଇ । ସୁସ୍ଥିରେ ବିଳସିବି ମୁହିଁ ॥ ୨୦୭

ସେମାନେ ଦୁର୍ଜନ ବୋଲାନ୍ତି । ଆପଣା ଆତ୍ମା ନ ଚିହ୍ନନ୍ତି ॥ ୨୦୮

ମାୟାଜାଲରେ ଭ୍ରମୁଥା'ନ୍ତି । ଈଶ୍ୱରଭାବ ନ ଜାଣନ୍ତି ॥ ୨୦୯

ଏ ଦେହ ଘର ଧନ ସୁତ । ଦାରା ବୃତ୍ତି ନାନାଦି ମତ ॥ ୨୧୦

ଏଥିରୁ ବିରତ ହୋଇବ । ଅପବାଦକୁ ସହିଥିବ ॥ ୨୧୧

ଅମାନ୍ୟ କାହିଁ ନ କରିବ । ଦେହକୁ ମିଥ୍ୟା ଯେ ମଣିବ ॥ ୨୧୨

କାହାରି ସଙ୍ଗତେ ବଇର । ନ କରି ସାଧୁପଣେ ଧୀର ॥ ୨୧୩

ଯେ ଭଗବାନ ବାସୁଦେବ । ତେବେ ସେ ତାହାଙ୍କୁ ପାଇବ ॥ ୨୧୪

ଅସାଧ୍ୟଜ୍ଞାନ ଯେ ଈଶ୍ୱର । କୃଷ୍ଣସ୍ୱରୂପୀ ନିରାକାର ॥ ୨୧୫

ତାହାଙ୍କୁ କରେ ନମସ୍କାର । ନିରତେ ଥାଉ ସେ ମନର ॥ ୨୧୬

ତା'ର ପଦାରବିନ୍ଦ ଧ୍ୟାନ । ପୁରାଣ ସଂହିତା ଅଭିନ୍ନ ॥ ୨୧୭

ପଢି ଶୁଣିଲେ ମୁକ୍ତି ହୋଇ । ଏଥିରେ ସଂଶୟ ନ ଥାଇ ॥ ୨୧୮

ସେ ବ୍ୟାସଋଷି ଶୁକଦେବ । ବିଷ୍ଣୁସ୍ୱରୂପୀ ବାସୁଦେବ ॥ ୨୧୯

ତାହାଙ୍କୁ ମୋର ନମସ୍କାର । ମହିମା ନ ଜାଣେ ଶଙ୍କର ॥ ୨୨୦

ତୁମ୍ଭ ଚରଣେ ଆଶ୍ରେ କରି । ମୁଁ ଥାଇ ଚିତ୍ତେ ଅନୁସରି ॥ ୨୨୧

ତୁମ୍ଭେ ଯେ ମହତପୁରୁଷ । ମୋହର ନ ଘେନିବା ଦୋଷ ॥ ୨୨୨

କହଇ ଜଗନ୍ନାଥ ଦ୍ୱିଜ । ସୁଜନେ ହରିପାଦେ ଭଜ ॥ ୨୨୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱାଦଶସ୍କନ୍ଧେ ପରୀକ୍ଷିତ ବୈକୁଣ୍ଠ ଆରୋହଣେ ଜନ୍ମେଜୟ ରାଜା

ସର୍ପଯଜ୍ଞ କରଣେ ନାମ ଷଷ୍ଠୋଦ୍ଧଧ୍ୟାୟଃ ॥

* * *