ଦ୍ୱାଦଶ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ପରୀକ୍ଷିତ ଉବାଚ

କହେ ପରୀକ୍ଷ ନୃପମଣି । ଭୋ ମୁନି ଶୁଣ ମୋର ବାଣୀ ॥

ଏ ତୋର ମୁଖୁଁ ଜ୍ଞାନମାନ । ଶୁଣି ଶ୍ରୁତିରେ କଲି ପାନ ॥

ଘୋର ସଂସାରୁ ଉଦ୍ଧାରିଲ । ବିଷ୍ଣୁର ଚରିତ କହିଲ ॥

ଏବେ ସନ୍ଦେହ ମୋର ମନ । ତକ୍ଷକ କରିବ ଦଂଶନ ॥

ଏ କାଳରୂପୀ ମହାସର୍ପ । ହରିବ ମୋର ଏଡେ଼ ଦର୍ପ ॥

ଦଂଶିବ ଲୋଚନେ ଦେଖିବି । କେମନ୍ତ ଦେହ ସମର୍ପିବି ॥

ଏଣୁ ମୋ' ଚିତ୍ତେ ଭୟ ପାଇ । ତୁମ୍ଭ ଛାମୁରେ କହିଲଇଁ ॥

ଦୁଃସହ-ସଙ୍କଟ କଷଣ । ଏଥିରୁ କର ପରିତ୍ରାଣ ॥

ଏମନ୍ତ ରାଜା ମୁଖୁଁ ଶୁଣି । କହନ୍ତି ଶୁକ ମହାମୁନି ॥

ଶୁକ ଉବାଚ

ଶୁକ କହନ୍ତି ଶୁଣ ରାୟ । ଶ୍ରୀଭାଗବତର ନିର୍ଣ୍ଣୟ ॥ ୧୦

ଏ ଭାଗବତ ଆଦିଅନ୍ତ । ବିଶ୍ୱାତ୍ମା ହରିର ଚରିତ ॥ ୧୧

ଭଗବାନ ପରଂପୁରୁଷ । ଅମୀୟ ରୂପେ ପରକାଶ ॥ ୧୨

ଯାହାର ଅନୁଗ୍ରହ କରି । ବ୍ରହ୍ମା ଜନମି ସୃଷ୍ଟି କରି ॥ ୧୩

ଯାହାର ସ୍ୱରୂପ ହୋଇଣ । ସତ୍ତ୍ୱଗୁଣରୁ ବିଷ୍ଣୁଜନ୍ମ ॥ ୧୪

ଜନ୍ମି ସଂସାର ପ୍ରବର୍ତ୍ତନ୍ତି । ପାଳିଣ ରଚନା କରନ୍ତି ॥ ୧୫

ଯାହାର କ୍ରୋଧୁ ଜାତ ହୋଇ । ରୁଦ୍ର ଜଗତ ସଂହାରଇ ॥ ୧୬

ଶୁଣ ପରୀକ୍ଷ କ୍ଷିତିପତି । ମରିବୁ ବୋଲି ଯେଉଁ ଭୀତି ॥ ୧୭

ପ୍ରାଣୀ ତା' ଅଜ୍ଞାନେ କରନ୍ତି । ତୁ ଏବେ ଛାଡ଼ ଏହି ଭ୍ରାନ୍ତି ॥ ୧୮

ଜନମ କଉଣସି ଦିନ । ନୋହିଛ ତୁମ୍ଭେ ତ ରାଜନ ॥ ୧୯

ଆଗରେ ଜନମ ନୋହିବ । ବର୍ତ୍ତମାନରେ ନ ମରିବ ॥ ୨୦

ଐହିକେ ଜାତ ନୋହିଅଛ । ଜନମ ନୋହିଥିଲ ପଛ ॥ ୨୧

ଉତ୍ପତ୍ତି ସ୍ଥିତି ଯା'ର ନାହିଁ । ବିନାଶ ହୋଇବ କିପାଇଁ ॥ ୨୨

ପୁତ୍ର ପୌତ୍ରାଦି ଏ ତୋହର । କେହି ଯେ ନୁହଁନ୍ତି କାହାର ॥ ୨୩

ସମ୍ପତ୍ତି ଅଇଶ୍ୱର୍ଯ୍ୟ-ମତ୍ତ । ବାସୁଦେବ ମାୟା ସଞ୍ଚିତ ॥ ୨୪

ଯେମନ୍ତେ ବୀଜରୁ ଅଙ୍କୁର । ତହୁଁ ବୃକ୍ଷାଦି ଅବତାର ॥ ୨୫

ସେ ଫଳ ଫଳଇ ପ୍ରତ୍ୟକ୍ଷେ । ବୀଜ ଅଙ୍କୁରି ପୁଣି ବୃକ୍ଷେ ॥ ୨୬

ତେମନ୍ତ ନୋହେ ପିତାପୁତ୍ର । ସମ୍ବନ୍ଧ ଜାଣ ପରୀକ୍ଷିତ ॥ ୨୭

ଏହା ସେ କହିବା ବୁଝାଇ । ଯେହ୍ନେ କାଷ୍ଠରେ ଅଗ୍ନି ଥାଇ ॥ ୨୮

ଅରଣି କରି ତା' ମନ୍ଥିଲେ । ଅଗ୍ନି ପ୍ରକାଶ ହୋଏ ଭଲେ ॥ ୨୯

ପ୍ରତ୍ୟକ୍ଷେ ଦର୍ଶନ ଦିଅଇ । ଅରଣି ଭସ୍ମ ସେ କରଇ ॥ ୩୦

ଆପଣେ ଅନ୍ତର୍ଦ୍ଧାନେ ଯାଇ । ଏ ଭାବେ ଦେହେ ମାୟା ଥାଇ ॥ ୩୧

ଯୋଗ ଅଭ୍ୟାସରେ ମନ୍ଥିଲେ । ଦର୍ଶନ ପାଇ ତା'କୁ ଭଲେ ॥ ୩୨

ସେ କର୍ମବନ୍ଧନ ଶରୀର । ଦଗ୍ଧ କରି ହୁଏ ଅନ୍ତର ॥ ୩୩

ସ୍ୱପ୍ନେ ଯେ ମୁଣ୍ଡକାଟ ଯାଇ । ପ୍ରାଣତ୍ୟାଗ ହୋଇଣ ଥାଇ ॥ ୩୪

ନିଦ୍ରାଭଙ୍ଗରେ ମିଥ୍ୟା ହୋଇ । ଏ ଭାବେ ଜନ୍ମ ମୃତ୍ୟୁ ଦୁଇ ॥ ୩୫

ଏ ଆତ୍ମା ଶରୀରୁ ବିଲଗ । ଜନ୍ମ ମରଣେ ନାହିଁ ସଙ୍ଗ ॥ ୩୬

ଘଟର ଭିତରେ ଆକାଶ । ସେ ଘଟ ଯେବେ ହୋଏ ନାଶ ॥ ୩୭

ଆକାଶ ପୂର୍ଣ୍ଣମୟ ଦିଶେ । ଘଟ ବିଯୋଗେ ରହେ ଶେଷେ ॥ ୩୮

ସେ ଭାବେ ଦେହ ନାଶ ଗଲେ । ଜୀବ ମିଶଇ ବ୍ରହ୍ମ ତୁଲେ ॥ ୩୯

ଘଟର ବିନାଶ ହୁଅଇ । ଜନ୍ମ ମରଣ ତା'ର ନାହିଁ ॥ ୪୦

ଜୀବ ଅବିନାଶୀ ବୋଲାଇ । ପୁଣି ଶରୀରେ ପ୍ରକାଶଇ ॥ ୪୧

ମନ ହିଁ ଦେହ ଗୁଣ କର୍ମ । ଆପଣେ କରଇ ସୃଜନ ॥ ୪୨

ସେ ମନ ମାୟାରୁ ସମ୍ଭବ । ତେଣୁ ଜନମ ମୃତ୍ୟୁ ଲାଭ ॥ ୪୩

ମାୟା ଦେହର ଅଧିଷ୍ଠାନ । ଦେହ ସଂଯୋଗ ବିଯୋଗେଣ ॥ ୪୪

ଘୃତ ବଳିତା ଯୋଗ ପାଇ । ଯେସନେ ପ୍ରଦୀପ ଜଳଇ ॥ ୪୫

ତାହାକୁ ଅସଂଯୋଗ କଲେ । ଅଗ୍ନି ଅଦୃଶ୍ୟ ହୋଏ ଭଲେ ॥ ୪୬

ଏମନ୍ତ ଜୀବ କର୍ମଯୋଗେ । ଦେହରେ ସଂଯୋଗ ବିଯୋଗ ॥ ୪୭

ଦେହ ଦର୍ଶନ ଭସ୍ମଭୋଗ । ଏ ସର୍ବ ମାୟାର ସଂଯୋଗେ ॥ ୪୮

ଦୀପରେ ଅଗ୍ନି ଯେହ୍ନେ ଥାଇ । ଦୀପବଳିତା ନାମ ବହି ॥ ୪୯

ତା' ଗଲେ ବଇଠା ବୋଲାଇ । ସଂଯୋଗେ ଏ ଜୀବ କୁହାଇ ॥ ୫୦

ଜୀବ ମୃତ୍ୟୁକର୍ମେ ବିଯୋଗ । ଦେହ ରଜଗୁଣେ ସଂଯୋଗ ॥ ୫୧

ତମ ଗୁଣରେ ନାଶ ଯାଇ । ସତ୍ତ୍ୱଗୁଣରେ ସେ ବଢ଼ଇ ॥ ୫୨

ଦେହେ ଆତ୍ମା ଲାଗି ନ ଥାଇ । ଆତ୍ମା ଯେ ଜ୍ୟୋତି ସ୍ୱରୂପ ହିଁ ॥ ୫୩

ବ୍ୟକ୍ତ ଅବ୍ୟକ୍ତ ପରାପର । ଆକାଶ ପ୍ରାୟ ତା' ସଞ୍ଚାର ॥ ୫୪

ସର୍ବବ୍ୟାପୀ ଯେ ନିର୍ବିକାର । ଅନ୍ତଉପମା ନାହିଁ ଯା'ର ॥ ୫୫

ଜଗତ ଆଶ୍ରୟ ଯେ ଭୂତ । ସର୍ବବ୍ୟାପୀ ନିଶ୍ଚଳ ମତ ॥ ୫୬

ଅମୃତଫଳ ସେ ଫଳନ୍ତି । ଯୋଗ ଅଭ୍ୟାସେ ଉତପତ୍ତି ॥ ୫୭

ଏହି ପ୍ରକାରେ ଆତ୍ମା ଜାଣି । ଆତ୍ମାକୁ ଆତ୍ମାଭାବେ ମଣି ॥ ୫୮

ଅନୁଭବ ବୁଦ୍ଧି ବିଚାର । ବାସୁଦେବଙ୍କୁ ଚିନ୍ତାକର ॥ ୫୯

ଚିତ୍ତ ତନ୍ମୟ ହୋଇ ଧର । ମନକୁ ଭ୍ରୁମଧ୍ୟରେ ଭର ॥ ୬୦

ବାସୁଦେବରେ ଆତ୍ମା ଲୀନ । ଧ୍ୟାନେ ଦେଖ ତୁ ନିରଞ୍ଜନ ॥ ୬୧

ନିର୍ବାଣ ମୁକତି ପାଇବ । ତକ୍ଷକ ବାଧା ନ ଲାଗିବ ॥ ୬୨

ତକ୍ଷକ ବ୍ରାହ୍ମଣ ଶାପରେ । ଦଂଶିବ ତୁମର ଶରୀରେ ॥ ୬୩

ମାୟା-ଦେହକୁ ସେ ଦଂଶିବ । ବିଷଜ୍ୱାଳାରେ ଭସ୍ମ ହେବ ॥ ୬୪

ଜୀବ ଥିବା ଯାଏ ତୁମ୍ଭର । ଦଗ୍ଧ ନ କରିବ ଶରୀର ॥ ୬୫

ଏମାନ ମୃତ୍ୟୁକାଳେ ପୁଣ । ଭୋଗ ନୋହେ ତୁମ୍ଭ ଦେହେଣ ॥ ୬୬

ତୁମ୍ଭେ ଯେ ମୃତ୍ୟୁର ଈଶ୍ୱର । ଅବିନାଶୀ ଜୀବ ତୁମ୍ଭର ॥ ୬୭

ତେଣୁ ତୁ ମୃତ୍ୟୁକୁ ନ ଡ଼ର । ଜନ୍ମିଲେ ମରଣ ନିକର ॥ ୬୮

ପରମବ୍ରହ୍ମ ନିରାକାରେ । ଜ୍ୟୋତି ସ୍ୱରୂପେ ଲୀନ କରେ ॥ ୬୯

ତେବେ ଆପଣାକୁ ଚିହ୍ନଇ । ପରମବ୍ରହ୍ମ ମୁଁ ଅଟଇ ॥ ୭୦

ନିରାକାର ବ୍ରହ୍ମସ୍ୱରୂପୀ । ପରମ ପଦେ ଅଛି ବ୍ୟାପୀ ॥ ୭୧

ଏ ରୂପ ଚିନ୍ତି ଆତ୍ମଧ୍ୟାନେ । ଲୟ ଲଗାଅ ନିରଞ୍ଜନେ ॥ ୭୨

ଆତ୍ମା ଆତ୍ମାଭାବ ଜାଣଇ । ସୂକ୍ଷ୍ମରେ ବ୍ରହ୍ମଭାବ ପାଇ ॥ ୭୩

ସେ ନିରାକାରେ ଲୀନ ହୋଇ । ଚାରିପ୍ରଳୟେ ଶଙ୍କା ନାହିଁ ॥ ୭୪

ଶୁଣ ରାଜନ ପୁଣ୍ୟଦେହା । କହିବା ତୁମ୍ଭ ଆଗେ ଏହା ॥ ୭୫

ତକ୍ଷକ ବ୍ରହ୍ମଶାପେ ଆସି । ତୁମ୍ଭର ଚରଣରେ ଦଂଶି ॥ ୭୬

ସେ ବିଷଅଗ୍ନିରେ ଏ ଦେହ । ଦହି ହୋଇବ ଭସ୍ମମୟ ॥ ୭୭

ତୁମ୍ଭେ ଯେ ତା'ଙ୍କୁ ନ ଦେଖିବ । ତୁମ୍ଭ ଦେହେ ଜୀବ ନ ଥିବ ॥ ୭୮

ଯୋଗ ଅଗ୍ନିରେ ତୋ' ଶରୀର । ପ୍ରକୃତି ଜିଣିଣ ସତ୍ୱର ॥ ୭୯

ପରମପଦେ ଯାଇଥିବ । ଏ ମାୟାଦେହ ନ ଦେଖିବ ॥ ୮୦

ଏମନ୍ତ ତକ୍ଷକ ସ୍ୱଭାବେ । ଋଷିବାକ୍ୟ ପ୍ରତିପାଳିବେ ॥ ୮୧

ଏଣୁ ତୁମ୍ଭ ଚରଣେ ଘାତ । ତକ୍ଷକ କରିବ ନିୟତ ॥ ୮୨

ମାୟା ଶରୀର ନାଶଯିବ । ଜଗତ ପ୍ରତ୍ୟକ୍ଷେ ଦେଖିବ ॥ ୮୩

ତୁମ୍ଭର ଦେହୁ ଆତ୍ମା ଯିବ । ନିରାକାରରେ ଲୀନ ହେବ ॥ ୮୪

ଯା' ମୋତେ ତୁମ୍ଭେ ପୁଚ୍ଛା କଲ । କହିଲୁଁ ତୁମ୍ଭଙ୍କୁ ସକଳ ॥ ୮୫

ସର୍ବ ଆତ୍ମା ଯେ ବାସୁଦେବା ଏବେ ଧ୍ୟାନରେ ତା'ଙ୍କୁ ଭାବାା ୮୬

ମଉନବ୍ରତ ହୋଇ ବସ । ପଦାରବିନ୍ଦେ ମନ ରସ ॥ ୮୭

ମନ ଲଗାଅ ତନ୍ମନରେ । ପଶ ନିର୍ବାଣ ମୁକ୍ତିଦ୍ୱାରେ ॥ ୮୮

ଏଥିରେ ନାହିଁ ଯେ ସଂଶୟ । କି ଇଚ୍ଛା ଏବେ ନୃପ କହ ॥ ୮୯

ଏମନ୍ତ ଶୁକ ମୁଖୁଁ ବାଣୀ । ବୋଲଇ ପରୀକ୍ଷିତ ଶୁଣି ॥ ୯୦

ଚିତ୍ତ ଆନନ୍ଦେ ପୁଲକିତ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୯୧

ହେ ପ୍ରଭୁ ପରମ ପୁରୁଷ । ମହିମା ନ ଜାଣଇ ଶେଷ ॥ ୯୨

ତୁମ୍ଭର ଭାବ ତୁମ୍ଭେ ଜାଣ । ତୋ' ବିନୁ ନାହିଁ ପରିତ୍ରାଣ ॥ ୯୩

ତୁମ୍ଭ ଚରଣେ ମନ ମୋ'ର । କାଳେ ରଖିବ ଚକ୍ରଧର ॥ ୯୪

ଆଶା-ବିଶ୍ରାମ ବାନା ତୋ'ର । ମୋ' ଆଶା ରଖ ତୋ' ପୟର ॥ ୯୫

ନମସ୍ତେ ଦେବ ନାରାୟଣ । ଭବଜଳରୁ କର ତ୍ରାଣ ॥ ୯୬

କହଇ ଦାସ ଜଗନ୍ନାଥ । ତ୍ରାହି କରିବେ ପଦ୍ମନେତ୍ର ॥ ୯୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱାଦଶସ୍କନ୍ଧେ ବ୍ରହ୍ମୋପଦେଶୋ ନାମ ପଞ୍ଚଦ୍ଧମୋଧ୍ୟାୟଃ ॥

* * *