ଦ୍ୱାଦଶ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
ପରୀକ୍ଷିତ ଉବାଚ
କହେ ପରୀକ୍ଷ ନୃପମଣି । ଭୋ ମୁନି ଶୁଣ ମୋର ବାଣୀ ॥ ୧
ଏ ତୋର ମୁଖୁଁ ଜ୍ଞାନମାନ । ଶୁଣି ଶ୍ରୁତିରେ କଲି ପାନ ॥ ୨
ଘୋର ସଂସାରୁ ଉଦ୍ଧାରିଲ । ବିଷ୍ଣୁର ଚରିତ କହିଲ ॥ ୩
ଏବେ ସନ୍ଦେହ ମୋର ମନ । ତକ୍ଷକ କରିବ ଦଂଶନ ॥ ୪
ଏ କାଳରୂପୀ ମହାସର୍ପ । ହରିବ ମୋର ଏଡେ଼ ଦର୍ପ ॥ ୫
ଦଂଶିବ ଲୋଚନେ ଦେଖିବି । କେମନ୍ତ ଦେହ ସମର୍ପିବି ॥ ୬
ଏଣୁ ମୋ' ଚିତ୍ତେ ଭୟ ପାଇ । ତୁମ୍ଭ ଛାମୁରେ କହିଲଇଁ ॥ ୭
ଦୁଃସହ-ସଙ୍କଟ କଷଣ । ଏଥିରୁ କର ପରିତ୍ରାଣ ॥ ୮
ଏମନ୍ତ ରାଜା ମୁଖୁଁ ଶୁଣି । କହନ୍ତି ଶୁକ ମହାମୁନି ॥ ୯
ଶୁକ ଉବାଚ
ଶୁକ କହନ୍ତି ଶୁଣ ରାୟ । ଶ୍ରୀଭାଗବତର ନିର୍ଣ୍ଣୟ ॥ ୧୦
ଏ ଭାଗବତ ଆଦିଅନ୍ତ । ବିଶ୍ୱାତ୍ମା ହରିର ଚରିତ ॥ ୧୧
ଭଗବାନ ପରଂପୁରୁଷ । ଅମୀୟ ରୂପେ ପରକାଶ ॥ ୧୨
ଯାହାର ଅନୁଗ୍ରହ କରି । ବ୍ରହ୍ମା ଜନମି ସୃଷ୍ଟି କରି ॥ ୧୩
ଯାହାର ସ୍ୱରୂପ ହୋଇଣ । ସତ୍ତ୍ୱଗୁଣରୁ ବିଷ୍ଣୁଜନ୍ମ ॥ ୧୪
ଜନ୍ମି ସଂସାର ପ୍ରବର୍ତ୍ତନ୍ତି । ପାଳିଣ ରଚନା କରନ୍ତି ॥ ୧୫
ଯାହାର କ୍ରୋଧୁ ଜାତ ହୋଇ । ରୁଦ୍ର ଜଗତ ସଂହାରଇ ॥ ୧୬
ଶୁଣ ପରୀକ୍ଷ କ୍ଷିତିପତି । ମରିବୁ ବୋଲି ଯେଉଁ ଭୀତି ॥ ୧୭
ପ୍ରାଣୀ ତା' ଅଜ୍ଞାନେ କରନ୍ତି । ତୁ ଏବେ ଛାଡ଼ ଏହି ଭ୍ରାନ୍ତି ॥ ୧୮
ଜନମ କଉଣସି ଦିନ । ନୋହିଛ ତୁମ୍ଭେ ତ ରାଜନ ॥ ୧୯
ଆଗରେ ଜନମ ନୋହିବ । ବର୍ତ୍ତମାନରେ ନ ମରିବ ॥ ୨୦
ଐହିକେ ଜାତ ନୋହିଅଛ । ଜନମ ନୋହିଥିଲ ପଛ ॥ ୨୧
ଉତ୍ପତ୍ତି ସ୍ଥିତି ଯା'ର ନାହିଁ । ବିନାଶ ହୋଇବ କିପାଇଁ ॥ ୨୨
ପୁତ୍ର ପୌତ୍ରାଦି ଏ ତୋହର । କେହି ଯେ ନୁହଁନ୍ତି କାହାର ॥ ୨୩
ସମ୍ପତ୍ତି ଅଇଶ୍ୱର୍ଯ୍ୟ-ମତ୍ତ । ବାସୁଦେବ ମାୟା ସଞ୍ଚିତ ॥ ୨୪
ଯେମନ୍ତେ ବୀଜରୁ ଅଙ୍କୁର । ତହୁଁ ବୃକ୍ଷାଦି ଅବତାର ॥ ୨୫
ସେ ଫଳ ଫଳଇ ପ୍ରତ୍ୟକ୍ଷେ । ବୀଜ ଅଙ୍କୁରି ପୁଣି ବୃକ୍ଷେ ॥ ୨୬
ତେମନ୍ତ ନୋହେ ପିତାପୁତ୍ର । ସମ୍ବନ୍ଧ ଜାଣ ପରୀକ୍ଷିତ ॥ ୨୭
ଏହା ସେ କହିବା ବୁଝାଇ । ଯେହ୍ନେ କାଷ୍ଠରେ ଅଗ୍ନି ଥାଇ ॥ ୨୮
ଅରଣି କରି ତା' ମନ୍ଥିଲେ । ଅଗ୍ନି ପ୍ରକାଶ ହୋଏ ଭଲେ ॥ ୨୯
ପ୍ରତ୍ୟକ୍ଷେ ଦର୍ଶନ ଦିଅଇ । ଅରଣି ଭସ୍ମ ସେ କରଇ ॥ ୩୦
ଆପଣେ ଅନ୍ତର୍ଦ୍ଧାନେ ଯାଇ । ଏ ଭାବେ ଦେହେ ମାୟା ଥାଇ ॥ ୩୧
ଯୋଗ ଅଭ୍ୟାସରେ ମନ୍ଥିଲେ । ଦର୍ଶନ ପାଇ ତା'କୁ ଭଲେ ॥ ୩୨
ସେ କର୍ମବନ୍ଧନ ଶରୀର । ଦଗ୍ଧ କରି ହୁଏ ଅନ୍ତର ॥ ୩୩
ସ୍ୱପ୍ନେ ଯେ ମୁଣ୍ଡକାଟ ଯାଇ । ପ୍ରାଣତ୍ୟାଗ ହୋଇଣ ଥାଇ ॥ ୩୪
ନିଦ୍ରାଭଙ୍ଗରେ ମିଥ୍ୟା ହୋଇ । ଏ ଭାବେ ଜନ୍ମ ମୃତ୍ୟୁ ଦୁଇ ॥ ୩୫
ଏ ଆତ୍ମା ଶରୀରୁ ବିଲଗ । ଜନ୍ମ ମରଣେ ନାହିଁ ସଙ୍ଗ ॥ ୩୬
ଘଟର ଭିତରେ ଆକାଶ । ସେ ଘଟ ଯେବେ ହୋଏ ନାଶ ॥ ୩୭
ଆକାଶ ପୂର୍ଣ୍ଣମୟ ଦିଶେ । ଘଟ ବିଯୋଗେ ରହେ ଶେଷେ ॥ ୩୮
ସେ ଭାବେ ଦେହ ନାଶ ଗଲେ । ଜୀବ ମିଶଇ ବ୍ରହ୍ମ ତୁଲେ ॥ ୩୯
ଘଟର ବିନାଶ ହୁଅଇ । ଜନ୍ମ ମରଣ ତା'ର ନାହିଁ ॥ ୪୦
ଜୀବ ଅବିନାଶୀ ବୋଲାଇ । ପୁଣି ଶରୀରେ ପ୍ରକାଶଇ ॥ ୪୧
ମନ ହିଁ ଦେହ ଗୁଣ କର୍ମ । ଆପଣେ କରଇ ସୃଜନ ॥ ୪୨
ସେ ମନ ମାୟାରୁ ସମ୍ଭବ । ତେଣୁ ଜନମ ମୃତ୍ୟୁ ଲାଭ ॥ ୪୩
ମାୟା ଦେହର ଅଧିଷ୍ଠାନ । ଦେହ ସଂଯୋଗ ବିଯୋଗେଣ ॥ ୪୪
ଘୃତ ବଳିତା ଯୋଗ ପାଇ । ଯେସନେ ପ୍ରଦୀପ ଜଳଇ ॥ ୪୫
ତାହାକୁ ଅସଂଯୋଗ କଲେ । ଅଗ୍ନି ଅଦୃଶ୍ୟ ହୋଏ ଭଲେ ॥ ୪୬
ଏମନ୍ତ ଜୀବ କର୍ମଯୋଗେ । ଦେହରେ ସଂଯୋଗ ବିଯୋଗ ॥ ୪୭
ଦେହ ଦର୍ଶନ ଭସ୍ମଭୋଗ । ଏ ସର୍ବ ମାୟାର ସଂଯୋଗେ ॥ ୪୮
ଦୀପରେ ଅଗ୍ନି ଯେହ୍ନେ ଥାଇ । ଦୀପବଳିତା ନାମ ବହି ॥ ୪୯
ତା' ଗଲେ ବଇଠା ବୋଲାଇ । ସଂଯୋଗେ ଏ ଜୀବ କୁହାଇ ॥ ୫୦
ଜୀବ ମୃତ୍ୟୁକର୍ମେ ବିଯୋଗ । ଦେହ ରଜଗୁଣେ ସଂଯୋଗ ॥ ୫୧
ତମ ଗୁଣରେ ନାଶ ଯାଇ । ସତ୍ତ୍ୱଗୁଣରେ ସେ ବଢ଼ଇ ॥ ୫୨
ଦେହେ ଆତ୍ମା ଲାଗି ନ ଥାଇ । ଆତ୍ମା ଯେ ଜ୍ୟୋତି ସ୍ୱରୂପ ହିଁ ॥ ୫୩
ବ୍ୟକ୍ତ ଅବ୍ୟକ୍ତ ପରାପର । ଆକାଶ ପ୍ରାୟ ତା' ସଞ୍ଚାର ॥ ୫୪
ସର୍ବବ୍ୟାପୀ ଯେ ନିର୍ବିକାର । ଅନ୍ତଉପମା ନାହିଁ ଯା'ର ॥ ୫୫
ଜଗତ ଆଶ୍ରୟ ଯେ ଭୂତ । ସର୍ବବ୍ୟାପୀ ନିଶ୍ଚଳ ମତ ॥ ୫୬
ଅମୃତଫଳ ସେ ଫଳନ୍ତି । ଯୋଗ ଅଭ୍ୟାସେ ଉତପତ୍ତି ॥ ୫୭
ଏହି ପ୍ରକାରେ ଆତ୍ମା ଜାଣି । ଆତ୍ମାକୁ ଆତ୍ମାଭାବେ ମଣି ॥ ୫୮
ଅନୁଭବ ବୁଦ୍ଧି ବିଚାର । ବାସୁଦେବଙ୍କୁ ଚିନ୍ତାକର ॥ ୫୯
ଚିତ୍ତ ତନ୍ମୟ ହୋଇ ଧର । ମନକୁ ଭ୍ରୁମଧ୍ୟରେ ଭର ॥ ୬୦
ବାସୁଦେବରେ ଆତ୍ମା ଲୀନ । ଧ୍ୟାନେ ଦେଖ ତୁ ନିରଞ୍ଜନ ॥ ୬୧
ନିର୍ବାଣ ମୁକତି ପାଇବ । ତକ୍ଷକ ବାଧା ନ ଲାଗିବ ॥ ୬୨
ତକ୍ଷକ ବ୍ରାହ୍ମଣ ଶାପରେ । ଦଂଶିବ ତୁମର ଶରୀରେ ॥ ୬୩
ମାୟା-ଦେହକୁ ସେ ଦଂଶିବ । ବିଷଜ୍ୱାଳାରେ ଭସ୍ମ ହେବ ॥ ୬୪
ଜୀବ ଥିବା ଯାଏ ତୁମ୍ଭର । ଦଗ୍ଧ ନ କରିବ ଶରୀର ॥ ୬୫
ଏମାନ ମୃତ୍ୟୁକାଳେ ପୁଣ । ଭୋଗ ନୋହେ ତୁମ୍ଭ ଦେହେଣ ॥ ୬୬
ତୁମ୍ଭେ ଯେ ମୃତ୍ୟୁର ଈଶ୍ୱର । ଅବିନାଶୀ ଜୀବ ତୁମ୍ଭର ॥ ୬୭
ତେଣୁ ତୁ ମୃତ୍ୟୁକୁ ନ ଡ଼ର । ଜନ୍ମିଲେ ମରଣ ନିକର ॥ ୬୮
ପରମବ୍ରହ୍ମ ନିରାକାରେ । ଜ୍ୟୋତି ସ୍ୱରୂପେ ଲୀନ କରେ ॥ ୬୯
ତେବେ ଆପଣାକୁ ଚିହ୍ନଇ । ପରମବ୍ରହ୍ମ ମୁଁ ଅଟଇ ॥ ୭୦
ନିରାକାର ବ୍ରହ୍ମସ୍ୱରୂପୀ । ପରମ ପଦେ ଅଛି ବ୍ୟାପୀ ॥ ୭୧
ଏ ରୂପ ଚିନ୍ତି ଆତ୍ମଧ୍ୟାନେ । ଲୟ ଲଗାଅ ନିରଞ୍ଜନେ ॥ ୭୨
ଆତ୍ମା ଆତ୍ମାଭାବ ଜାଣଇ । ସୂକ୍ଷ୍ମରେ ବ୍ରହ୍ମଭାବ ପାଇ ॥ ୭୩
ସେ ନିରାକାରେ ଲୀନ ହୋଇ । ଚାରିପ୍ରଳୟେ ଶଙ୍କା ନାହିଁ ॥ ୭୪
ଶୁଣ ରାଜନ ପୁଣ୍ୟଦେହା । କହିବା ତୁମ୍ଭ ଆଗେ ଏହା ॥ ୭୫
ତକ୍ଷକ ବ୍ରହ୍ମଶାପେ ଆସି । ତୁମ୍ଭର ଚରଣରେ ଦଂଶି ॥ ୭୬
ସେ ବିଷଅଗ୍ନିରେ ଏ ଦେହ । ଦହି ହୋଇବ ଭସ୍ମମୟ ॥ ୭୭
ତୁମ୍ଭେ ଯେ ତା'ଙ୍କୁ ନ ଦେଖିବ । ତୁମ୍ଭ ଦେହେ ଜୀବ ନ ଥିବ ॥ ୭୮
ଯୋଗ ଅଗ୍ନିରେ ତୋ' ଶରୀର । ପ୍ରକୃତି ଜିଣିଣ ସତ୍ୱର ॥ ୭୯
ପରମପଦେ ଯାଇଥିବ । ଏ ମାୟାଦେହ ନ ଦେଖିବ ॥ ୮୦
ଏମନ୍ତ ତକ୍ଷକ ସ୍ୱଭାବେ । ଋଷିବାକ୍ୟ ପ୍ରତିପାଳିବେ ॥ ୮୧
ଏଣୁ ତୁମ୍ଭ ଚରଣେ ଘାତ । ତକ୍ଷକ କରିବ ନିୟତ ॥ ୮୨
ମାୟା ଶରୀର ନାଶଯିବ । ଜଗତ ପ୍ରତ୍ୟକ୍ଷେ ଦେଖିବ ॥ ୮୩
ତୁମ୍ଭର ଦେହୁ ଆତ୍ମା ଯିବ । ନିରାକାରରେ ଲୀନ ହେବ ॥ ୮୪
ଯା' ମୋତେ ତୁମ୍ଭେ ପୁଚ୍ଛା କଲ । କହିଲୁଁ ତୁମ୍ଭଙ୍କୁ ସକଳ ॥ ୮୫
ସର୍ବ ଆତ୍ମା ଯେ ବାସୁଦେବା ଏବେ ଧ୍ୟାନରେ ତା'ଙ୍କୁ ଭାବାା ୮୬
ମଉନବ୍ରତ ହୋଇ ବସ । ପଦାରବିନ୍ଦେ ମନ ରସ ॥ ୮୭
ମନ ଲଗାଅ ତନ୍ମନରେ । ପଶ ନିର୍ବାଣ ମୁକ୍ତିଦ୍ୱାରେ ॥ ୮୮
ଏଥିରେ ନାହିଁ ଯେ ସଂଶୟ । କି ଇଚ୍ଛା ଏବେ ନୃପ କହ ॥ ୮୯
ଏମନ୍ତ ଶୁକ ମୁଖୁଁ ବାଣୀ । ବୋଲଇ ପରୀକ୍ଷିତ ଶୁଣି ॥ ୯୦
ଚିତ୍ତ ଆନନ୍ଦେ ପୁଲକିତ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୯୧
ହେ ପ୍ରଭୁ ପରମ ପୁରୁଷ । ମହିମା ନ ଜାଣଇ ଶେଷ ॥ ୯୨
ତୁମ୍ଭର ଭାବ ତୁମ୍ଭେ ଜାଣ । ତୋ' ବିନୁ ନାହିଁ ପରିତ୍ରାଣ ॥ ୯୩
ତୁମ୍ଭ ଚରଣେ ମନ ମୋ'ର । କାଳେ ରଖିବ ଚକ୍ରଧର ॥ ୯୪
ଆଶା-ବିଶ୍ରାମ ବାନା ତୋ'ର । ମୋ' ଆଶା ରଖ ତୋ' ପୟର ॥ ୯୫
ନମସ୍ତେ ଦେବ ନାରାୟଣ । ଭବଜଳରୁ କର ତ୍ରାଣ ॥ ୯୬
କହଇ ଦାସ ଜଗନ୍ନାଥ । ତ୍ରାହି କରିବେ ପଦ୍ମନେତ୍ର ॥ ୯୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱାଦଶସ୍କନ୍ଧେ ବ୍ରହ୍ମୋପଦେଶୋ ନାମ ପଞ୍ଚଦ୍ଧମୋଧ୍ୟାୟଃ ॥
* * *