ଦ୍ୱାଦଶ ସ୍କନ୍ଧ

ଚତୁର୍ଥ ଅଧ୍ୟାୟ

ଶୁକ ଉବାଚ

ଶୁକ କହନ୍ତି ପରୀକ୍ଷିତ । ଶୁଣ ହେ କାଳର ଚରିତ ॥

କାଳର ନିର୍ଣ୍ଣୟ ଯେ ଗତି । ତା' ସୂକ୍ଷ୍ମ କେହି ନ ଜାଣନ୍ତି ॥

ପରମଅଣୁ ଠାରୁ ମୁହିଁ । କାଳ ଗଣନା କହିଛଇଁ ॥

ଦୁଇ ପରାର୍ଦ୍ଧ ପରିଯନ୍ତେ । ବ୍ରହ୍ମାର ପରମାୟୁ ଯେତେ ॥

ଯୁଗ ନିର୍ଣ୍ଣୟ ଆଦି ମୁହିଁ । ତୃତୀୟସ୍କନ୍ଧେ କହିଛଇଁ ॥

ଏବେ କଳ୍ପ ପ୍ରଳୟ ଚାରି । ତୁମ୍ଭଙ୍କୁ କହିବା ବିସ୍ତାରି ॥

ନୈମିତ୍ତିକ ଯେ ପ୍ରାକୃତିକ । ନିତ୍ୟ ଆବର ଆତ୍ୟନ୍ତିକ ॥

ଏ ଚାରି ପ୍ରଳୟର ଗୁଣ । ରାଜନ ତୋଷମନେ ଶୁଣ ॥

ସହସ୍ର ଚାରିଯୁଗ ଶେଷେ । ବ୍ରହ୍ମାର ହୁଅଇ ଦିବସେ ॥

ଚଉଦମନୁ ଉତପନ୍ନ । ତାହାର ନାମ କଳ୍ପ ଜାଣ ॥ ୧୦

ଏହି ପ୍ରମାଣେ ରାତ୍ର ହୋଇ । ଯହିଁ ତ୍ରିଲୋକ ନାଶ ଯାଇ ॥ଏ ୧୧

ଏଥିରେ ବିଶ୍ୱସ୍ରଷ୍ଟା ପୁଣ । ବିଶ୍ୱ କରନ୍ତି ସଂହାରଣ ॥ ୧୨

ତିନିଭୁବନ ଆଦି କରି । ନାଭିକମଳେ ବ୍ରହ୍ମା ଭରି ॥ ୧୩

ବିଷ୍ଣୁ ସହିତେ ଥାଏ ଶୋଇ । ପ୍ରଳୟ ନୈମିତ୍ତିକ ହୋଇ ॥ ୧୪

ଏ ଭାବେ ଶତେକ ବରଷ । ବ୍ରହ୍ମାର ପରମାୟୁ ଶେଷ ॥ ୧୫

ଦୁଇ ପରାର୍ଦ୍ଧ ପୂର୍ଣ୍ଣ ହୋଇ । ବ୍ରହ୍ମା ପ୍ରଳୟ ତେବେ କହି ॥ ୧୬

ପଞ୍ଚତନମାତ୍ର ସହିତେ । ମହତ ଅହଙ୍କାର ଯେତେ ॥ ୧୭

ପ୍ରକୃତି ପ୍ରଳୟ ହୁଅଇ । ତେଣୁ ପ୍ରାକୃତ ସେ ବୋଲାଇ ॥ ୧୮

ଶୁଣ ରାଜନ ପରୀକ୍ଷିତ । ଯେ ଭାବେ ପ୍ରଳୟ ପ୍ରାକୃତ ॥ ୧୯

ସେ କାଳେ ଦ୍ୱାଦଶ ଆଦିତ୍ୟ । ଉଦୟେ ହୋନ୍ତି ତେଜବନ୍ତ ॥ ୨୦

ବ୍ରହ୍ମାଣ୍ଡଭାଣ୍ଡ ତା ତେଜେଣ । ଦଗ୍ଧ ହୋଏ ତତକ୍ଷଣ ॥ ୨୧

ପ୍ରଥମେ ଦେବଙ୍କ ବରଷେ । ଶତେବରଷ ନ ବରଷେ ॥ ୨୨

ତେଣୁ ଅନାବୃଷ୍ଟି ହୁଅଇ । ତହୁଁ ସକଳ ନାଶ ଯାଇ ॥ ୨୩

ଅନ୍ନ ବିହୁନେ ଭୋକେ ଲୋକେ । ଭକ୍ଷନ୍ତି ଏକକୁ ଆରକେ ॥ ୨୪

ସର୍ବ ରଚନା କ୍ଷୟ ଯାଇ । କାଳ ତା ସକଳ ହରଇ ॥ ୨୫

ସମ୍ବର୍ତ୍ତ ନାମେ ରବି ତହୁଁ । ପ୍ରଚଣ୍ଡେ ଉଦେ ହୁଏ ଯହୁଁ ॥ ୨୬

ତେଜ ପ୍ରଳୟାଗ୍ନି ଲାଗିଣ । ସମୁଦ୍ର ପୃଥ୍ୱୀ ଜଳମାନ ॥ ୨୭

ପ୍ରାଣୀ ଦେହରୁ ରସ ଜଳ । ସବୁ ଶୁଖାଏ ମହାନଳ ॥ ୨୮

ତହୁଁ ସମ୍ବର୍ତ୍ତ ନାମେ ଅଗ୍ନି । ସଙ୍କର୍ଷଣଙ୍କ ମୁଖୁଁ ଜନ୍ମି ॥ ୨୯

ପବନ ବେଗେ ମହାତେଜ । କରଇ ସକଳ ଦହିଜ ॥ ୩୦

ସେ ସର୍ବ ଭୂମିର ବିବର । ଶୂନ୍ୟ ପାତାଳ ଚରାଚର ॥ ୩୧

ଗ୍ରାସ କରଇ ମହାନଳ । ଅଧ ଉର୍ଦ୍ଧ୍ୱରେ ଯେତେ ସ୍ଥଳ ॥ ୩୨

ବ୍ରହ୍ମାଣ୍ଡ ଏହି ଅଗ୍ନି ଦହି । ସୂର୍ଯ୍ୟ ଶିଖା ଯାଏ ଲାଗଇ ॥ ୩୩

ଶୁଷ୍କ ଗୋମୟ ଭସ୍ମ ପ୍ରାୟେ । ସଞ୍ଚା ମାତ୍ରକ ଦିଶୁଥାଏ ॥ ୩୪

ତହୁଁ ପ୍ରଚଣ୍ଡବାତ ବହି । ସମ୍ବର୍ତ୍ତ ନାମ ସେ ବୋଲାଇ ॥ ୩୫

ସଙ୍କରଷଣ ମୁଖୁଁ ଜାତ । ବରଷ ଅଷ୍ଟୋତ୍ତରଶତ ॥ ୩୬

ଦେବଙ୍କ ବରଷରେ ଜାଣ । ବହଇ ଅବିଶ୍ରାନ୍ତ ପୁଣ ॥ ୩୭

ଆକାଶ ମଧ୍ୟେ ଧୂମବର୍ଣ୍ଣ । ଭସ୍ମରେ କରେ ଆଚ୍ଛାଦନ ॥ ୩୮

ସଙ୍କର୍ଷଣର ମୁଖୁଁ ପୁଣ । ଜାତ ସମ୍ବର୍ତ୍ତ ମେଘମାନ ॥ ୩୯

ଦେବଙ୍କ ବରଷରେ ପୁଣ । ଶତେ ବରଷ ପରିମାଣ ॥ ୪୦

ମୁଷଳଧାରା ପରମାଣେ । ବୃଷ୍ଟି ସେ କରନ୍ତି ଗର୍ଜନେ ॥ ୪୧

ସେ ଦିନେ ବ୍ରହ୍ମାଣ୍ଡ ପ୍ରଳୟ । ପୃଥ୍ୱୀରେ ଯେତେକ ସଞ୍ଚୟ ॥ ୪୨

ଗନ୍ଧଗୁଣାଦି ଲୀନ ହୋଏ । ହୁଅଇ ସର୍ବ ଜଳମୟେ ॥ ୪୩

ସେ ଜଳ ଅଗ୍ନି କରେ କ୍ଷୟେ । ଜଳ ତେଜରେ ଲୀନ ହୋଏ ॥ ୪୪

ପବନ ତେଜରୂପ ହରେ । ପବନ ରୂପ ଲୀନ କରେ ॥ ୪୫

ଆକାଶ ବାୟୁଗୁଣ ହରେ । ପବନ ଆକାଶେ ସଞ୍ଚରେ ॥ ୪୬

ଆକାଶ ଶବଦତା ଗୁଣ । ତାମସ ଅହଙ୍କାରେ ଲୀନ ॥ ୪୭

ଅହଙ୍କାର ଯେ ଏକାଦଶ । ଇନ୍ଦ୍ରିୟ ଦେବତା ବିଶେଷ ॥ ୪୮

ମହତ୍ତତ୍ତ୍ୱରେ ପ୍ରକାଶିବ । ମାୟାରେ ସର୍ବ ଲୀନ ହେବ ॥ ୪୯

ମହତ୍ତତ୍ତ୍ୱ ଯେ ତିନିଗୁଣ । କାଳରେ ପ୍ରବେଶଇ ପୁଣ ॥ ୫୦

ତ୍ରିଗୁଣ କାଳ ଆଦି ହୋଇ । ପରମାଣୁରେ ପ୍ରକାଶଇ ॥ ୫୧

ମାୟାରେ ସର୍ବ ଲୀନ ଯାଇ । ମହାପ୍ରକୃତି ରୂପ ସେହି ॥ ୫୨

ମାୟା ଅବ୍ୟକ୍ତ ପୁରୁଷେଣ । ଲୀନ ସତ୍ତ୍ୱାଦି ଗୁଣମାନ ॥ ୫୩

ଅନାଦି ପୁରୁଷ ଅବ୍ୟକ୍ତ । ତାହାର ନାହିଁ ଆଦି ଅନ୍ତ ॥ ୫୪

ନିତ୍ୟ ସ୍ୱରୂପ ନିରଞ୍ଜନ । ଅବ୍ୟୟ ଜଗତ କାରଣ ॥ ୫୫

ତାହାର ପ୍ରଳୟ ଯେ ନାହିଁ । ଶୁଣ ରାଜନ ମନ ଦେଇ ॥ ୫୬

ମନବଚନ ତିନିଗୁଣ । ପ୍ରାଣ ବୁଦ୍ଧି ଇନ୍ଦ୍ରିୟମାନ ॥ ୫୭

ମହତଆଦି ଯେତେ ଛନ୍ତି । ଏମାନେ ତା'କୁ ନ ଜାଣନ୍ତି ॥ ୫୮

ଏ ଲୋକ ସମୂହ କାରଣ । ଯା' ମାୟା କଳ୍ପନା ଭିଆଣ ॥ ୫୯

ସ୍ୱପ୍ନ ଜାଗ୍ରତ ଯା'ର ନାହିଁ । ସୁଷୁପ୍ତି ଭେଦ ହିଁ ନ ଥାଇ ॥ ୬୦

ପୃଥ୍ୱୀ ଜଳ ଅଗ୍ନି ପବନ । ଆକାଶ ଚନ୍ଦ୍ର ସୂର୍ଯ୍ୟ ମାନ ॥ ୬୧

ଏମାନେ ଯହିଁ ଭେଦ ନୋହିଁ । ଅଲେଖ ଚିହ୍ନ ବର୍ଣ୍ଣ କାହିଁ ॥ ୬୨

ଅନୁଭବୀ ତର୍କୀ ନ ପାଇ । ମୂଳ ବ୍ରହ୍ମସ୍ୱରୂପ ସେହି ॥ ୬୩

ତାଠାରେ ଯୋଗମାୟା ଲୀନ । ବ୍ରହ୍ମାଣ୍ଡ ସମେତ ହୋଇଣ ॥ ୬୪

ଏହି ପ୍ରକାରେ ଲୟ ହୋଏ । ପ୍ରାକୃତ ପ୍ରଳୟ ବୋଲାଏ ॥ ୬୫

ବୁଦ୍ଧି ଇନ୍ଦ୍ରିୟ ଅର୍ଥମାନ । ଜ୍ଞାନରେ ଯେବେ ହୋନ୍ତି ଲୀନ ॥ ୬୬

ଏ ଯେ ପ୍ରଳୟ ଆତ୍ୟନ୍ତିକ । ଅପର ନାମ ତା'ର ମୋକ୍ଷ ॥ ୬୭

ବ୍ରହ୍ମାଣ୍ଡ ସମେତ ହୋଇଣ । ତା' ଲୋମକୂପେ ହୋନ୍ତି ଲୀନ ॥ ୬୮

ଏ ଯେ ପୁରୁଷ ନିରଞ୍ଜନ । ଯୋଗ ମାୟାଦି ସମେତେଣ ॥ ୬୯

ଆପଣା ସ୍ୱଗୁଣରୁ କରି । ପ୍ରଭାକୁ ଆକାଶେ ବିସ୍ତାରି ॥ ୭୦

ଲୀନ ହୁଅଇ ସେ ଇଚ୍ଛାକୁ । ମହାପ୍ରଳୟ ବୋଲି ତା'କୁ ॥ ୭୧

ନିରାକାର ଯେ ନିରଞ୍ଜନ । ତାହାର ନାହିଁ ଦରଶନ ॥ ୭୨

ଆକାଶ ପ୍ରାୟ ଶୂନ୍ୟ ରୂପୀ । ସ୍ୱଇଚ୍ଛା ଗୁଣେ ସର୍ବବ୍ୟାପି ॥ ୭୩

ଦୀପ ଚକ୍ଷୁ ରୂପ ଯେସନ । ଜ୍ୟୋତିରୁ ନୁହଁନ୍ତି ଏ ଭିନ୍ନ ॥ ୭୪

ଇଚ୍ଛାରେ ଏମାନ ହୁଅଇ । ତାହାର ଭେଦବୁଦ୍ଧି ନାହିଁ ॥ ୭୫

ବୁଦ୍ଧି ଇନ୍ଦ୍ରିୟ ପଞ୍ଚଭୂତ । ଶବଦ ଆଦି ପଞ୍ଚମାତ୍ର ॥ ୭୬

ନିରାକାରରେ ଲଗ୍ନ ହୋଇ । ପ୍ରକୃତି ପୁରୁଷର ତହିଁ ॥ ୭୭

ବୁଦ୍ଧି ଇନ୍ଦ୍ରିୟ ଯେ ବିଷୟ । ବ୍ରହ୍ମସ୍ୱରୂପ ଜ୍ଞାନମୟ ॥ ୭୮

ସୁସୁପ୍ତି ସ୍ୱପ୍ନ ଜାଗରଣ । ବୁଦ୍ଧିର ଏହି ତିନିଧର୍ମ ॥ ୭୯

ଏମାନେ ମାୟାର ସ୍ୱରୂପୀ । ଜୀବ ଆଚ୍ଛାଦି ଥା'ନ୍ତି ବ୍ୟାପି ॥ ୮୦

ଯେମନ୍ତ ହୋଇ ମେଘମାନେ । ପବନ ସକାଶୁ ଗଗନେ ॥ ୮୧

ଘୋଟନ୍ତି ପୁଣି ଛାଡ଼ିଯା'ନ୍ତି । ତେମନ୍ତ ହୋଇ ମାୟାଗତି ॥ ୮୨

ମାୟା ସକାଶୁ ଏ ବ୍ରହ୍ମାଣ୍ଡ । ଉତ୍ପତ୍ତି କ୍ଷୟ ପୁଣି ରୁଣ୍ଡ ॥ ୮୩

ଯେମନ୍ତ ସୂତାଖିଅ ହୋଇ । ଓତଃପ୍ରୋତଃ ବସ୍ତ୍ର ହୁଅଇ ॥ ୮୪

ସେ ବସ୍ତ୍ର ଫିଟିଲେ ସେ ସୂତ୍ର । ଏମନ୍ତ ଈଶ୍ୱରର ଯନ୍ତ୍ର ॥ ୮୫

ତେମନ୍ତ ବିକାର ମାୟାର । ବ୍ରହ୍ମଟି ବୋଲାଏ ସଂସାର ॥ ୮୬

ଯୋଗମାୟା ପୁରୁଷଠାରେ । କାର୍ଯ୍ୟକାରଣ ଯେ ଆବୋରେ ॥ ୮୭

ଅନ୍ୟୋନ୍ୟେ ଆଶ୍ରୟ ସେ କରେ । ସଂଯୋଗ ବିଯୋଗ ପ୍ରକାରେ ॥ ୮୮

ଏଣୁ ସେ ଭ୍ରମ ହେଉଅଛି । ସଂସାର ଜଡ଼ ଆବୋରିଛି ॥ ୮୯

ଏ ଯେତେ ଆତଯାତ ହୋନ୍ତି । ମାୟାକୁ ଧରି ସେ ଜନ୍ମନ୍ତି ॥ ୯୦

ଏ ମାୟାବିକାର କାରଣ । ବ୍ରହ୍ମାଣ୍ଡ ବିଷ୍ଣୁଦେହୁଁ ଜନ୍ମ ॥ ୯୧

ବ୍ରହ୍ମସ୍ୱରୂପ ତେଣୁ ନାମ । ଅନାଦି ପରମ କାରଣ ॥ ୯୨

ସେ ଅବିନାଶୀ ଯେ ପୁରୁଷ । ବିକାର ଭେଦେ ଅପ୍ରକାଶ ॥ ୯୩

ଯାହାର ରୂପରେଖ ନାହିଁ । ତାହାର ବର୍ଣ୍ଣଭେଦ କାହିଁ ॥ ୯୪

ତାହାର ମାୟାର ରଚନା । ନାନା ରୂପ କରେ ସର୍ଜନା ॥ ୯୫

ଯେମନ୍ତେ ଠୁଳ ସୁବର୍ଣ୍ଣାଦି । କାରଣ କାର୍ଯ୍ୟ କୁଣ୍ଡଳାଦି ॥ ୯୬

ନାନା ଅଳଙ୍କାର ଗଢାଇ । ବହୁ ବିଚିତ୍ର ନାମ ଦେଇ ॥ ୯୭

ତା' ପୁଣି ଭାଙ୍ଗି ଦଗଧିଲେ । ଏକ ହୁଅଇ ଯେ ପ୍ରକାରେ ॥ ୯୮

ମାୟାରୁ ଜୀବ ଏ ବେଭାରେ । ବ୍ରହ୍ମାଣ୍ଡ କଳ୍ପେ ଏ ପ୍ରକାରେ ॥ ୯୯

ଦେହ ଯେ ହୁଅଇ ବିନାଶ । ନାମ ଯଶ ରହେ ବିଶେଷ ॥ ୧୦୦

ଏ ଭାବେ ବାସୁଦେବ ଲୀଳା । ଜ୍ୟୋତି ପ୍ରଭାବ ଅଂଶ କଳା ॥ ୧୦୧

ବାସନା ପ୍ରବେଶ କରିଣ । ନାମ-ରୂପ-ବର୍ଣ୍ଣ ଭେଦେଣ ॥ ୧୦୨

ବେଦପୁରାଣେ ତା'ଙ୍କୁ ଚିନ୍ତି । ମହିମା ବ୍ୟାଖ୍ୟାନ କରନ୍ତି ॥ ୧୦୩

ବ୍ରହ୍ମାଦି ଯେତେ ଋଷିମାନେ । ଯାକୁ ଚିନ୍ତନ୍ତି ଯୋଗଧ୍ୟାନେ ॥ ୧୦୪

ମେଘ ସୂର୍ଯ୍ୟ-ତେଜୁଁ ଜନ୍ମଇ । ଆକାଶେ ସୂର୍ଯ୍ୟଙ୍କୁ ଘୋଡ଼ାଇ ॥ ୧୦୫

ସୂର୍ଯ୍ୟ-ତେଜୁଁ ଚକ୍ଷୁ ଜନ୍ମଇ । ମେଘରେ ସୂର୍ଯ୍ୟ ନ ଦିଶଇ ॥ ୧୦୬

ବ୍ରହ୍ମରୁ ଜନ୍ମ ଏ ପ୍ରକାର । ତ୍ରିଗୁଣମୟ ଅହଙ୍କାର ॥ ୧୦୭

ଆତ୍ମଦର୍ଶନ ବିରୋଧଇ । ମାୟାରେ ଉହାଡ଼ କରଇ ॥ ୧୦୮

ସେ ମେଘ ପୁଣି ନାଶ ଗଲେ । ସୂର୍ଯ୍ୟ ପ୍ରକାଶ ହୋଏ ଭଲେ ॥ ୧୦୯

ସେ ଗଲେ ଚକ୍ଷୁ ସୂର୍ଯ୍ୟ ଦେଖେ । ଅଜ୍ଞାନ ତେହ୍ନେ ଜୀବ ପାଖେ ॥ ୧୧୦

ଆତ୍ମା ଅହଙ୍କାର ଅଜ୍ଞାନ । ଯେବେ ଦୂରକରେ ଏମାନ ॥ ୧୧୧

ଜୀବ ପରମ ତେବେ ପାଇ । ଅଜ୍ଞାନ ତମକୁ ନାଶଇ ॥ ୧୧୨

ଆତ୍ମା ବିବେକ ଜ୍ଞାନମୟ । ମାୟା ଅହଙ୍କାର ନିର୍ଣ୍ଣୟ ॥ ୧୧୩

ପାଶବନ୍ଧନ ଜ୍ଞାନ ଖଡ଼୍ଗେ । ଯେବେ ନ ଛେଦେ ମତିଭଙ୍ଗେ ॥ ୧୧୪

ଅଜ୍ଞାନ ଭ୍ରମ ସେ ଭ୍ରମଇ । ଆତ୍ମାକୁ ଦର୍ଶନ ନ ପାଇ ॥ ୧୧୫

ଯେବେ ସେ ମାୟାକୁ ଛେଦଇ । ବ୍ରହ୍ମଶରୀରେ ଲୀନ ହୋଇ ॥ ୧୧୬

ସାଯୁଜ୍ୟ ମୁକ୍ତି ସେ ଲଭଇ । ମାତୃଗର୍ଭରେ ଲୀନ ହୋଇ ॥ ୧୧୭

ତେବେ ଆତ୍ୟନ୍ତିକ ପ୍ରଳୟ । କହିବି ଯେ ନିତ୍ୟ ପ୍ରଳୟ ॥ ୧୧୮

ନିତ୍ୟ ବ୍ରହ୍ମାଦିମାନଙ୍କର । ଉତ୍ପତ୍ତି ପ୍ରଳୟ ସଞ୍ଚାର ॥ ୧୧୯

ହୁଅଇ ପୁଣି ନିତିନିତି । ସୂକ୍ଷ୍ମଜ୍ଞାନୀଏ କହିଥା'ନ୍ତି ॥ ୧୨୦

କାଳ ସିନ୍ଧୁସ୍ରୋତ ବେଗରେ । ବ୍ରହ୍ମାଦି ପ୍ରାଣୀ ଏ ସଂସାରେ ॥ ୧୨୧

ଭାସି ଯାଇ ପୁଣି ଉଠିଣ । ପଡ଼ନ୍ତି ସେ ସ୍ରୋତ ଧାରେଣ ॥ ୧୨୨

ପରିଣାମେ ନାନାବସ୍ଥାରେ । ଭୋଗ କରେ କଳ୍ପମାନରେ ॥ ୧୨୩

ଏ ଅନୁଭବ କରୁଛନ୍ତି । କେହି ତା' ନ ଜାଣନ୍ତି ଗତି ॥ ୧୨୪

ଏ ଯେ କାଳ ଈଶ୍ୱର ମୂର୍ତ୍ତି । ନାହିଁ ତା' ଆଦିଅନ୍ତ ସ୍ଥିତି ॥ ୧୨୫

ଲଭଇ ନାନା ପରିଣାମ । ଯେହ୍ନେ ଆକାଶେ ଜ୍ୟୋତିର୍ଗଣ ॥ ୧୨୬

ତେମନ୍ତ କାଳର ମହିମା । ଯା' ଅନ୍ତ ନ ଜାଣନ୍ତି ବ୍ରହ୍ମା ॥ ୧୨୭

କୋଟି କୋଟି ବ୍ରହ୍ମାଣ୍ଡମାନ । ଉତ୍ପତ୍ତି ସ୍ଥିତି ଅବସାନ ॥ ୧୨୮

କାଳର ଅନ୍ତ ନାହିଁ ରୂପ । ଯେଣୁ ବାସୁଦେବ ସ୍ୱରୂପ ॥ ୧୨୯

ମାୟାର ଅଗୋଚର ଯେଣୁ । ଚାରି ପ୍ରଳୟ କରେ ତେଣୁ ॥ ୧୩୦

ଏ ନିତ୍ୟ ନୈମିତ୍ତିକ ଦୁଇ । ପ୍ରାକୃତ ଆତ୍ୟାନ୍ତିକ ହୋଇ ॥ ୧୩୧

କାଳ ଏ ପ୍ରଳୟ କରଇ । ଈଶ୍ୱର ଦେହେ ଲୀନ ହୋଇ ॥ ୧୩୨

ହେ କୁରୁଶ୍ରେଷ୍ଠ ପରୀକ୍ଷିତ । ନାରାୟଣ ଜଗତ ତାତ ॥ ୧୩୩

ବିଧାତା ସ୍ୱରୂପ ସେ ପୁଣି । ତହିଁ ଆଶ୍ରିତ ସର୍ବପ୍ରାଣୀ ॥ ୧୩୪

ଏଥେ ସଂଯୋଗ ମାୟାରୂପେ । ଯା' ଅବତାର କଳ୍ପେ କଳ୍ପେ ॥ ୧୩୫

ଲୀଳାବତାରଙ୍କର ସୀମା । ସଂକ୍ଷେପି କହୁଛି ମହିମା ॥ ୧୩୬

କେ ବା ବିସ୍ତାରି କହୁ ଅର୍ଥ । ବ୍ରହ୍ମାଦି ନୋହିବେ ସମର୍ଥ ॥ ୧୩୭

ସଂସାର-ସମୁଦ୍ର ଦୁସ୍ତର । ତାରଣେ ବିଷ୍ଣୁ କର୍ଣ୍ଣଧାର ॥ ୧୩୮

ବାସୁଦେବ-ପଦାରବିନ୍ଦ । ଯେବେ ନ ଧରେ ହୃଦମଧ୍ୟ ॥ ୧୩୯

ସେ କାହିଁ ତରିବ ସଂସାର । ବୁଡ଼ଇ ତମ-ମହାଘୋର ॥ ୧୪୦

ବୋଇତ ଆଶ୍ରେ ବିନା ପ୍ରାଣୀ । ବାଣିଜ୍ୟେ ସମୁଦ୍ର ନ ଜିଣି ॥ ୧୪୧

ତା' ଲୀଳା ଅବତାର କଥା । ଶୁଣିଲେ ଖଣ୍ଡେ ଭବବ୍ୟଥା ॥ ୧୪୨

ପଡ଼ି ଗାୟନ କଲେ ପ୍ରାଣୀ । ତରେ ସଂସାର ତରଙ୍ଗିଣୀ ॥ ୧୪୩

ଶ୍ରୀଭାଗବତ ପୁରାଣରେ । ଅମୃତ ପୂରିଛି ବିସ୍ତାରେ ॥ ୧୪୪

ଏ ତତ୍ତ୍ୱ ଭାଗବତ ଯେଣୁ । ପୁରାଣ ଭାଗବତ ତେଣୁ ॥ ୧୪୫

ଏ ଯେ ପୁରାଣରସ ଗୀତା । ପ୍ରଥମେ ଏକାକ୍ଷର କଥା ॥ ୧୪୬

ବୈକୁଣ୍ଠନାଥ ମୁଖୁଁ ଜାତ । ପ୍ରଣବ ସ୍ୱରୂପେ ସମ୍ଭୂତ ॥ ୧୪୭

ତା'କୁ ଯେ ତିନି ଅକ୍ଷରେଣ । ଅନନ୍ତେ ଉପଦେଶ ପୁଣ ॥ ୧୪୮

ପୁଣ ଚଉବିଂଶ ଅକ୍ଷରେ । ଅନନ୍ତ ବ୍ରହ୍ମାଙ୍କୁ ଯେ ଦେଲେ ॥ ୧୪୯

ବ୍ରହ୍ମାଠାରୁ ଚାରିଶ୍ଳୋକେଣ । ପାଇଲେ ନରନାରାୟଣ ॥ ୧୫୦

ନାରଦେ ନରନାରାୟଣ । ଦଶଶ୍ଳୋକେଣ ଦେଲେ ପୁଣ ॥ ୧୫୧

ନାରଦ ବ୍ୟାସେ ଉପଦେଶ । ଶତଶ୍ଳୋକରେ ପରକାଶ ॥ ୧୫୨

ସେ ବ୍ୟାସମୁନି ବିଚକ୍ଷଣ । ଅଠର ସହସ୍ର ଶ୍ଳୋକେଣ ॥ ୧୫୩

ଆମ୍ଭେ ଯେ ଶୁକ ତା'ଙ୍କ ଶିଷ୍ୟ । ଆମ୍ଭଙ୍କୁ ଦେଲେ ଉପଦେଶ ॥ ୧୫୪

ଏବେ ଏ ଗଙ୍ଗାର ତୀରରେ । ବ୍ରହ୍ମଋଷି ସଭା ମଧ୍ୟରେ ॥ ୧୫୫

ତୁମ୍ଭଙ୍କୁ କହି ଏ ପୁରାଣ । ଆମ୍ଭେ ଯେ ହୋଇଲୁ କାରଣ ॥ ୧୫୬

ଏହି ପୁରାଣ ତୁମ୍ଭେ ଶୁଣି । ଲଭିବ ବିଷ୍ଣୁଅଙ୍ଗ ପୁଣି ॥ ୧୫୭

ଏ ଭାଗବତ ଧର୍ମସାର । ଚାରିବେଦୁଁ ଅର୍ଥ ବାହାର ॥ ୧୫୮

ଏବେ ଏ ଗଙ୍ଗାପାଶେ ଜାଣ । ସମ୍ବାଦ ତୁମ୍ଭ ଆମ୍ଭ ପୁଣ ॥ ୧୫୯

ସୂତ ପୌରାଣିକ ଶୁଣିଲେ । ସକଳ ଜ୍ଞାନ ସମ୍ପାଦିଲେ ॥ ୧୬୦

ଏ ପୁଣି ନୈମିଷ ଅରଣ୍ୟେ । ଶୌନକ ଆଦି ଋଷିଜନେ ॥ ୧୬୧

ଯଜ୍ଞ ଆରମ୍ଭେ ତୋଷମନେ । କହିବେ ସଭା ସନ୍ନିଧାନେ ॥ ୧୬୨

ହରି ଚରିତ କରି ପାନ । କାଳ ଖଣ୍ଡିବେ ମୁନିଜନ ॥ ୧୬୩

କହଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୧୬୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱାଦଶସ୍କନ୍ଧେ ଚତୁର୍ଥୋଦ୍ଧଧ୍ୟାୟଃ ॥

* * *