ଦ୍ୱାଦଶ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
ଶୁକ ଉବାଚ
ଶୁକ କହନ୍ତି ପରୀକ୍ଷିତ । ଶୁଣ ହେ କାଳର ଚରିତ ॥ ୧
କାଳର ନିର୍ଣ୍ଣୟ ଯେ ଗତି । ତା' ସୂକ୍ଷ୍ମ କେହି ନ ଜାଣନ୍ତି ॥ ୨
ପରମଅଣୁ ଠାରୁ ମୁହିଁ । କାଳ ଗଣନା କହିଛଇଁ ॥ ୩
ଦୁଇ ପରାର୍ଦ୍ଧ ପରିଯନ୍ତେ । ବ୍ରହ୍ମାର ପରମାୟୁ ଯେତେ ॥ ୪
ଯୁଗ ନିର୍ଣ୍ଣୟ ଆଦି ମୁହିଁ । ତୃତୀୟସ୍କନ୍ଧେ କହିଛଇଁ ॥ ୫
ଏବେ କଳ୍ପ ପ୍ରଳୟ ଚାରି । ତୁମ୍ଭଙ୍କୁ କହିବା ବିସ୍ତାରି ॥ ୬
ନୈମିତ୍ତିକ ଯେ ପ୍ରାକୃତିକ । ନିତ୍ୟ ଆବର ଆତ୍ୟନ୍ତିକ ॥ ୭
ଏ ଚାରି ପ୍ରଳୟର ଗୁଣ । ରାଜନ ତୋଷମନେ ଶୁଣ ॥ ୮
ସହସ୍ର ଚାରିଯୁଗ ଶେଷେ । ବ୍ରହ୍ମାର ହୁଅଇ ଦିବସେ ॥ ୯
ଚଉଦମନୁ ଉତପନ୍ନ । ତାହାର ନାମ କଳ୍ପ ଜାଣ ॥ ୧୦
ଏହି ପ୍ରମାଣେ ରାତ୍ର ହୋଇ । ଯହିଁ ତ୍ରିଲୋକ ନାଶ ଯାଇ ॥ଏ ୧୧
ଏଥିରେ ବିଶ୍ୱସ୍ରଷ୍ଟା ପୁଣ । ବିଶ୍ୱ କରନ୍ତି ସଂହାରଣ ॥ ୧୨
ତିନିଭୁବନ ଆଦି କରି । ନାଭିକମଳେ ବ୍ରହ୍ମା ଭରି ॥ ୧୩
ବିଷ୍ଣୁ ସହିତେ ଥାଏ ଶୋଇ । ପ୍ରଳୟ ନୈମିତ୍ତିକ ହୋଇ ॥ ୧୪
ଏ ଭାବେ ଶତେକ ବରଷ । ବ୍ରହ୍ମାର ପରମାୟୁ ଶେଷ ॥ ୧୫
ଦୁଇ ପରାର୍ଦ୍ଧ ପୂର୍ଣ୍ଣ ହୋଇ । ବ୍ରହ୍ମା ପ୍ରଳୟ ତେବେ କହି ॥ ୧୬
ପଞ୍ଚତନମାତ୍ର ସହିତେ । ମହତ ଅହଙ୍କାର ଯେତେ ॥ ୧୭
ପ୍ରକୃତି ପ୍ରଳୟ ହୁଅଇ । ତେଣୁ ପ୍ରାକୃତ ସେ ବୋଲାଇ ॥ ୧୮
ଶୁଣ ରାଜନ ପରୀକ୍ଷିତ । ଯେ ଭାବେ ପ୍ରଳୟ ପ୍ରାକୃତ ॥ ୧୯
ସେ କାଳେ ଦ୍ୱାଦଶ ଆଦିତ୍ୟ । ଉଦୟେ ହୋନ୍ତି ତେଜବନ୍ତ ॥ ୨୦
ବ୍ରହ୍ମାଣ୍ଡଭାଣ୍ଡ ତା ତେଜେଣ । ଦଗ୍ଧ ହୋଏ ତତକ୍ଷଣ ॥ ୨୧
ପ୍ରଥମେ ଦେବଙ୍କ ବରଷେ । ଶତେବରଷ ନ ବରଷେ ॥ ୨୨
ତେଣୁ ଅନାବୃଷ୍ଟି ହୁଅଇ । ତହୁଁ ସକଳ ନାଶ ଯାଇ ॥ ୨୩
ଅନ୍ନ ବିହୁନେ ଭୋକେ ଲୋକେ । ଭକ୍ଷନ୍ତି ଏକକୁ ଆରକେ ॥ ୨୪
ସର୍ବ ରଚନା କ୍ଷୟ ଯାଇ । କାଳ ତା ସକଳ ହରଇ ॥ ୨୫
ସମ୍ବର୍ତ୍ତ ନାମେ ରବି ତହୁଁ । ପ୍ରଚଣ୍ଡେ ଉଦେ ହୁଏ ଯହୁଁ ॥ ୨୬
ତେଜ ପ୍ରଳୟାଗ୍ନି ଲାଗିଣ । ସମୁଦ୍ର ପୃଥ୍ୱୀ ଜଳମାନ ॥ ୨୭
ପ୍ରାଣୀ ଦେହରୁ ରସ ଜଳ । ସବୁ ଶୁଖାଏ ମହାନଳ ॥ ୨୮
ତହୁଁ ସମ୍ବର୍ତ୍ତ ନାମେ ଅଗ୍ନି । ସଙ୍କର୍ଷଣଙ୍କ ମୁଖୁଁ ଜନ୍ମି ॥ ୨୯
ପବନ ବେଗେ ମହାତେଜ । କରଇ ସକଳ ଦହିଜ ॥ ୩୦
ସେ ସର୍ବ ଭୂମିର ବିବର । ଶୂନ୍ୟ ପାତାଳ ଚରାଚର ॥ ୩୧
ଗ୍ରାସ କରଇ ମହାନଳ । ଅଧ ଉର୍ଦ୍ଧ୍ୱରେ ଯେତେ ସ୍ଥଳ ॥ ୩୨
ବ୍ରହ୍ମାଣ୍ଡ ଏହି ଅଗ୍ନି ଦହି । ସୂର୍ଯ୍ୟ ଶିଖା ଯାଏ ଲାଗଇ ॥ ୩୩
ଶୁଷ୍କ ଗୋମୟ ଭସ୍ମ ପ୍ରାୟେ । ସଞ୍ଚା ମାତ୍ରକ ଦିଶୁଥାଏ ॥ ୩୪
ତହୁଁ ପ୍ରଚଣ୍ଡବାତ ବହି । ସମ୍ବର୍ତ୍ତ ନାମ ସେ ବୋଲାଇ ॥ ୩୫
ସଙ୍କରଷଣ ମୁଖୁଁ ଜାତ । ବରଷ ଅଷ୍ଟୋତ୍ତରଶତ ॥ ୩୬
ଦେବଙ୍କ ବରଷରେ ଜାଣ । ବହଇ ଅବିଶ୍ରାନ୍ତ ପୁଣ ॥ ୩୭
ଆକାଶ ମଧ୍ୟେ ଧୂମବର୍ଣ୍ଣ । ଭସ୍ମରେ କରେ ଆଚ୍ଛାଦନ ॥ ୩୮
ସଙ୍କର୍ଷଣର ମୁଖୁଁ ପୁଣ । ଜାତ ସମ୍ବର୍ତ୍ତ ମେଘମାନ ॥ ୩୯
ଦେବଙ୍କ ବରଷରେ ପୁଣ । ଶତେ ବରଷ ପରିମାଣ ॥ ୪୦
ମୁଷଳଧାରା ପରମାଣେ । ବୃଷ୍ଟି ସେ କରନ୍ତି ଗର୍ଜନେ ॥ ୪୧
ସେ ଦିନେ ବ୍ରହ୍ମାଣ୍ଡ ପ୍ରଳୟ । ପୃଥ୍ୱୀରେ ଯେତେକ ସଞ୍ଚୟ ॥ ୪୨
ଗନ୍ଧଗୁଣାଦି ଲୀନ ହୋଏ । ହୁଅଇ ସର୍ବ ଜଳମୟେ ॥ ୪୩
ସେ ଜଳ ଅଗ୍ନି କରେ କ୍ଷୟେ । ଜଳ ତେଜରେ ଲୀନ ହୋଏ ॥ ୪୪
ପବନ ତେଜରୂପ ହରେ । ପବନ ରୂପ ଲୀନ କରେ ॥ ୪୫
ଆକାଶ ବାୟୁଗୁଣ ହରେ । ପବନ ଆକାଶେ ସଞ୍ଚରେ ॥ ୪୬
ଆକାଶ ଶବଦତା ଗୁଣ । ତାମସ ଅହଙ୍କାରେ ଲୀନ ॥ ୪୭
ଅହଙ୍କାର ଯେ ଏକାଦଶ । ଇନ୍ଦ୍ରିୟ ଦେବତା ବିଶେଷ ॥ ୪୮
ମହତ୍ତତ୍ତ୍ୱରେ ପ୍ରକାଶିବ । ମାୟାରେ ସର୍ବ ଲୀନ ହେବ ॥ ୪୯
ମହତ୍ତତ୍ତ୍ୱ ଯେ ତିନିଗୁଣ । କାଳରେ ପ୍ରବେଶଇ ପୁଣ ॥ ୫୦
ତ୍ରିଗୁଣ କାଳ ଆଦି ହୋଇ । ପରମାଣୁରେ ପ୍ରକାଶଇ ॥ ୫୧
ମାୟାରେ ସର୍ବ ଲୀନ ଯାଇ । ମହାପ୍ରକୃତି ରୂପ ସେହି ॥ ୫୨
ମାୟା ଅବ୍ୟକ୍ତ ପୁରୁଷେଣ । ଲୀନ ସତ୍ତ୍ୱାଦି ଗୁଣମାନ ॥ ୫୩
ଅନାଦି ପୁରୁଷ ଅବ୍ୟକ୍ତ । ତାହାର ନାହିଁ ଆଦି ଅନ୍ତ ॥ ୫୪
ନିତ୍ୟ ସ୍ୱରୂପ ନିରଞ୍ଜନ । ଅବ୍ୟୟ ଜଗତ କାରଣ ॥ ୫୫
ତାହାର ପ୍ରଳୟ ଯେ ନାହିଁ । ଶୁଣ ରାଜନ ମନ ଦେଇ ॥ ୫୬
ମନବଚନ ତିନିଗୁଣ । ପ୍ରାଣ ବୁଦ୍ଧି ଇନ୍ଦ୍ରିୟମାନ ॥ ୫୭
ମହତଆଦି ଯେତେ ଛନ୍ତି । ଏମାନେ ତା'କୁ ନ ଜାଣନ୍ତି ॥ ୫୮
ଏ ଲୋକ ସମୂହ କାରଣ । ଯା' ମାୟା କଳ୍ପନା ଭିଆଣ ॥ ୫୯
ସ୍ୱପ୍ନ ଜାଗ୍ରତ ଯା'ର ନାହିଁ । ସୁଷୁପ୍ତି ଭେଦ ହିଁ ନ ଥାଇ ॥ ୬୦
ପୃଥ୍ୱୀ ଜଳ ଅଗ୍ନି ପବନ । ଆକାଶ ଚନ୍ଦ୍ର ସୂର୍ଯ୍ୟ ମାନ ॥ ୬୧
ଏମାନେ ଯହିଁ ଭେଦ ନୋହିଁ । ଅଲେଖ ଚିହ୍ନ ବର୍ଣ୍ଣ କାହିଁ ॥ ୬୨
ଅନୁଭବୀ ତର୍କୀ ନ ପାଇ । ମୂଳ ବ୍ରହ୍ମସ୍ୱରୂପ ସେହି ॥ ୬୩
ତାଠାରେ ଯୋଗମାୟା ଲୀନ । ବ୍ରହ୍ମାଣ୍ଡ ସମେତ ହୋଇଣ ॥ ୬୪
ଏହି ପ୍ରକାରେ ଲୟ ହୋଏ । ପ୍ରାକୃତ ପ୍ରଳୟ ବୋଲାଏ ॥ ୬୫
ବୁଦ୍ଧି ଇନ୍ଦ୍ରିୟ ଅର୍ଥମାନ । ଜ୍ଞାନରେ ଯେବେ ହୋନ୍ତି ଲୀନ ॥ ୬୬
ଏ ଯେ ପ୍ରଳୟ ଆତ୍ୟନ୍ତିକ । ଅପର ନାମ ତା'ର ମୋକ୍ଷ ॥ ୬୭
ବ୍ରହ୍ମାଣ୍ଡ ସମେତ ହୋଇଣ । ତା' ଲୋମକୂପେ ହୋନ୍ତି ଲୀନ ॥ ୬୮
ଏ ଯେ ପୁରୁଷ ନିରଞ୍ଜନ । ଯୋଗ ମାୟାଦି ସମେତେଣ ॥ ୬୯
ଆପଣା ସ୍ୱଗୁଣରୁ କରି । ପ୍ରଭାକୁ ଆକାଶେ ବିସ୍ତାରି ॥ ୭୦
ଲୀନ ହୁଅଇ ସେ ଇଚ୍ଛାକୁ । ମହାପ୍ରଳୟ ବୋଲି ତା'କୁ ॥ ୭୧
ନିରାକାର ଯେ ନିରଞ୍ଜନ । ତାହାର ନାହିଁ ଦରଶନ ॥ ୭୨
ଆକାଶ ପ୍ରାୟ ଶୂନ୍ୟ ରୂପୀ । ସ୍ୱଇଚ୍ଛା ଗୁଣେ ସର୍ବବ୍ୟାପି ॥ ୭୩
ଦୀପ ଚକ୍ଷୁ ରୂପ ଯେସନ । ଜ୍ୟୋତିରୁ ନୁହଁନ୍ତି ଏ ଭିନ୍ନ ॥ ୭୪
ଇଚ୍ଛାରେ ଏମାନ ହୁଅଇ । ତାହାର ଭେଦବୁଦ୍ଧି ନାହିଁ ॥ ୭୫
ବୁଦ୍ଧି ଇନ୍ଦ୍ରିୟ ପଞ୍ଚଭୂତ । ଶବଦ ଆଦି ପଞ୍ଚମାତ୍ର ॥ ୭୬
ନିରାକାରରେ ଲଗ୍ନ ହୋଇ । ପ୍ରକୃତି ପୁରୁଷର ତହିଁ ॥ ୭୭
ବୁଦ୍ଧି ଇନ୍ଦ୍ରିୟ ଯେ ବିଷୟ । ବ୍ରହ୍ମସ୍ୱରୂପ ଜ୍ଞାନମୟ ॥ ୭୮
ସୁସୁପ୍ତି ସ୍ୱପ୍ନ ଜାଗରଣ । ବୁଦ୍ଧିର ଏହି ତିନିଧର୍ମ ॥ ୭୯
ଏମାନେ ମାୟାର ସ୍ୱରୂପୀ । ଜୀବ ଆଚ୍ଛାଦି ଥା'ନ୍ତି ବ୍ୟାପି ॥ ୮୦
ଯେମନ୍ତ ହୋଇ ମେଘମାନେ । ପବନ ସକାଶୁ ଗଗନେ ॥ ୮୧
ଘୋଟନ୍ତି ପୁଣି ଛାଡ଼ିଯା'ନ୍ତି । ତେମନ୍ତ ହୋଇ ମାୟାଗତି ॥ ୮୨
ମାୟା ସକାଶୁ ଏ ବ୍ରହ୍ମାଣ୍ଡ । ଉତ୍ପତ୍ତି କ୍ଷୟ ପୁଣି ରୁଣ୍ଡ ॥ ୮୩
ଯେମନ୍ତ ସୂତାଖିଅ ହୋଇ । ଓତଃପ୍ରୋତଃ ବସ୍ତ୍ର ହୁଅଇ ॥ ୮୪
ସେ ବସ୍ତ୍ର ଫିଟିଲେ ସେ ସୂତ୍ର । ଏମନ୍ତ ଈଶ୍ୱରର ଯନ୍ତ୍ର ॥ ୮୫
ତେମନ୍ତ ବିକାର ମାୟାର । ବ୍ରହ୍ମଟି ବୋଲାଏ ସଂସାର ॥ ୮୬
ଯୋଗମାୟା ପୁରୁଷଠାରେ । କାର୍ଯ୍ୟକାରଣ ଯେ ଆବୋରେ ॥ ୮୭
ଅନ୍ୟୋନ୍ୟେ ଆଶ୍ରୟ ସେ କରେ । ସଂଯୋଗ ବିଯୋଗ ପ୍ରକାରେ ॥ ୮୮
ଏଣୁ ସେ ଭ୍ରମ ହେଉଅଛି । ସଂସାର ଜଡ଼ ଆବୋରିଛି ॥ ୮୯
ଏ ଯେତେ ଆତଯାତ ହୋନ୍ତି । ମାୟାକୁ ଧରି ସେ ଜନ୍ମନ୍ତି ॥ ୯୦
ଏ ମାୟାବିକାର କାରଣ । ବ୍ରହ୍ମାଣ୍ଡ ବିଷ୍ଣୁଦେହୁଁ ଜନ୍ମ ॥ ୯୧
ବ୍ରହ୍ମସ୍ୱରୂପ ତେଣୁ ନାମ । ଅନାଦି ପରମ କାରଣ ॥ ୯୨
ସେ ଅବିନାଶୀ ଯେ ପୁରୁଷ । ବିକାର ଭେଦେ ଅପ୍ରକାଶ ॥ ୯୩
ଯାହାର ରୂପରେଖ ନାହିଁ । ତାହାର ବର୍ଣ୍ଣଭେଦ କାହିଁ ॥ ୯୪
ତାହାର ମାୟାର ରଚନା । ନାନା ରୂପ କରେ ସର୍ଜନା ॥ ୯୫
ଯେମନ୍ତେ ଠୁଳ ସୁବର୍ଣ୍ଣାଦି । କାରଣ କାର୍ଯ୍ୟ କୁଣ୍ଡଳାଦି ॥ ୯୬
ନାନା ଅଳଙ୍କାର ଗଢାଇ । ବହୁ ବିଚିତ୍ର ନାମ ଦେଇ ॥ ୯୭
ତା' ପୁଣି ଭାଙ୍ଗି ଦଗଧିଲେ । ଏକ ହୁଅଇ ଯେ ପ୍ରକାରେ ॥ ୯୮
ମାୟାରୁ ଜୀବ ଏ ବେଭାରେ । ବ୍ରହ୍ମାଣ୍ଡ କଳ୍ପେ ଏ ପ୍ରକାରେ ॥ ୯୯
ଦେହ ଯେ ହୁଅଇ ବିନାଶ । ନାମ ଯଶ ରହେ ବିଶେଷ ॥ ୧୦୦
ଏ ଭାବେ ବାସୁଦେବ ଲୀଳା । ଜ୍ୟୋତି ପ୍ରଭାବ ଅଂଶ କଳା ॥ ୧୦୧
ବାସନା ପ୍ରବେଶ କରିଣ । ନାମ-ରୂପ-ବର୍ଣ୍ଣ ଭେଦେଣ ॥ ୧୦୨
ବେଦପୁରାଣେ ତା'ଙ୍କୁ ଚିନ୍ତି । ମହିମା ବ୍ୟାଖ୍ୟାନ କରନ୍ତି ॥ ୧୦୩
ବ୍ରହ୍ମାଦି ଯେତେ ଋଷିମାନେ । ଯାକୁ ଚିନ୍ତନ୍ତି ଯୋଗଧ୍ୟାନେ ॥ ୧୦୪
ମେଘ ସୂର୍ଯ୍ୟ-ତେଜୁଁ ଜନ୍ମଇ । ଆକାଶେ ସୂର୍ଯ୍ୟଙ୍କୁ ଘୋଡ଼ାଇ ॥ ୧୦୫
ସୂର୍ଯ୍ୟ-ତେଜୁଁ ଚକ୍ଷୁ ଜନ୍ମଇ । ମେଘରେ ସୂର୍ଯ୍ୟ ନ ଦିଶଇ ॥ ୧୦୬
ବ୍ରହ୍ମରୁ ଜନ୍ମ ଏ ପ୍ରକାର । ତ୍ରିଗୁଣମୟ ଅହଙ୍କାର ॥ ୧୦୭
ଆତ୍ମଦର୍ଶନ ବିରୋଧଇ । ମାୟାରେ ଉହାଡ଼ କରଇ ॥ ୧୦୮
ସେ ମେଘ ପୁଣି ନାଶ ଗଲେ । ସୂର୍ଯ୍ୟ ପ୍ରକାଶ ହୋଏ ଭଲେ ॥ ୧୦୯
ସେ ଗଲେ ଚକ୍ଷୁ ସୂର୍ଯ୍ୟ ଦେଖେ । ଅଜ୍ଞାନ ତେହ୍ନେ ଜୀବ ପାଖେ ॥ ୧୧୦
ଆତ୍ମା ଅହଙ୍କାର ଅଜ୍ଞାନ । ଯେବେ ଦୂରକରେ ଏମାନ ॥ ୧୧୧
ଜୀବ ପରମ ତେବେ ପାଇ । ଅଜ୍ଞାନ ତମକୁ ନାଶଇ ॥ ୧୧୨
ଆତ୍ମା ବିବେକ ଜ୍ଞାନମୟ । ମାୟା ଅହଙ୍କାର ନିର୍ଣ୍ଣୟ ॥ ୧୧୩
ପାଶବନ୍ଧନ ଜ୍ଞାନ ଖଡ଼୍ଗେ । ଯେବେ ନ ଛେଦେ ମତିଭଙ୍ଗେ ॥ ୧୧୪
ଅଜ୍ଞାନ ଭ୍ରମ ସେ ଭ୍ରମଇ । ଆତ୍ମାକୁ ଦର୍ଶନ ନ ପାଇ ॥ ୧୧୫
ଯେବେ ସେ ମାୟାକୁ ଛେଦଇ । ବ୍ରହ୍ମଶରୀରେ ଲୀନ ହୋଇ ॥ ୧୧୬
ସାଯୁଜ୍ୟ ମୁକ୍ତି ସେ ଲଭଇ । ମାତୃଗର୍ଭରେ ଲୀନ ହୋଇ ॥ ୧୧୭
ତେବେ ଆତ୍ୟନ୍ତିକ ପ୍ରଳୟ । କହିବି ଯେ ନିତ୍ୟ ପ୍ରଳୟ ॥ ୧୧୮
ନିତ୍ୟ ବ୍ରହ୍ମାଦିମାନଙ୍କର । ଉତ୍ପତ୍ତି ପ୍ରଳୟ ସଞ୍ଚାର ॥ ୧୧୯
ହୁଅଇ ପୁଣି ନିତିନିତି । ସୂକ୍ଷ୍ମଜ୍ଞାନୀଏ କହିଥା'ନ୍ତି ॥ ୧୨୦
କାଳ ସିନ୍ଧୁସ୍ରୋତ ବେଗରେ । ବ୍ରହ୍ମାଦି ପ୍ରାଣୀ ଏ ସଂସାରେ ॥ ୧୨୧
ଭାସି ଯାଇ ପୁଣି ଉଠିଣ । ପଡ଼ନ୍ତି ସେ ସ୍ରୋତ ଧାରେଣ ॥ ୧୨୨
ପରିଣାମେ ନାନାବସ୍ଥାରେ । ଭୋଗ କରେ କଳ୍ପମାନରେ ॥ ୧୨୩
ଏ ଅନୁଭବ କରୁଛନ୍ତି । କେହି ତା' ନ ଜାଣନ୍ତି ଗତି ॥ ୧୨୪
ଏ ଯେ କାଳ ଈଶ୍ୱର ମୂର୍ତ୍ତି । ନାହିଁ ତା' ଆଦିଅନ୍ତ ସ୍ଥିତି ॥ ୧୨୫
ଲଭଇ ନାନା ପରିଣାମ । ଯେହ୍ନେ ଆକାଶେ ଜ୍ୟୋତିର୍ଗଣ ॥ ୧୨୬
ତେମନ୍ତ କାଳର ମହିମା । ଯା' ଅନ୍ତ ନ ଜାଣନ୍ତି ବ୍ରହ୍ମା ॥ ୧୨୭
କୋଟି କୋଟି ବ୍ରହ୍ମାଣ୍ଡମାନ । ଉତ୍ପତ୍ତି ସ୍ଥିତି ଅବସାନ ॥ ୧୨୮
କାଳର ଅନ୍ତ ନାହିଁ ରୂପ । ଯେଣୁ ବାସୁଦେବ ସ୍ୱରୂପ ॥ ୧୨୯
ମାୟାର ଅଗୋଚର ଯେଣୁ । ଚାରି ପ୍ରଳୟ କରେ ତେଣୁ ॥ ୧୩୦
ଏ ନିତ୍ୟ ନୈମିତ୍ତିକ ଦୁଇ । ପ୍ରାକୃତ ଆତ୍ୟାନ୍ତିକ ହୋଇ ॥ ୧୩୧
କାଳ ଏ ପ୍ରଳୟ କରଇ । ଈଶ୍ୱର ଦେହେ ଲୀନ ହୋଇ ॥ ୧୩୨
ହେ କୁରୁଶ୍ରେଷ୍ଠ ପରୀକ୍ଷିତ । ନାରାୟଣ ଜଗତ ତାତ ॥ ୧୩୩
ବିଧାତା ସ୍ୱରୂପ ସେ ପୁଣି । ତହିଁ ଆଶ୍ରିତ ସର୍ବପ୍ରାଣୀ ॥ ୧୩୪
ଏଥେ ସଂଯୋଗ ମାୟାରୂପେ । ଯା' ଅବତାର କଳ୍ପେ କଳ୍ପେ ॥ ୧୩୫
ଲୀଳାବତାରଙ୍କର ସୀମା । ସଂକ୍ଷେପି କହୁଛି ମହିମା ॥ ୧୩୬
କେ ବା ବିସ୍ତାରି କହୁ ଅର୍ଥ । ବ୍ରହ୍ମାଦି ନୋହିବେ ସମର୍ଥ ॥ ୧୩୭
ସଂସାର-ସମୁଦ୍ର ଦୁସ୍ତର । ତାରଣେ ବିଷ୍ଣୁ କର୍ଣ୍ଣଧାର ॥ ୧୩୮
ବାସୁଦେବ-ପଦାରବିନ୍ଦ । ଯେବେ ନ ଧରେ ହୃଦମଧ୍ୟ ॥ ୧୩୯
ସେ କାହିଁ ତରିବ ସଂସାର । ବୁଡ଼ଇ ତମ-ମହାଘୋର ॥ ୧୪୦
ବୋଇତ ଆଶ୍ରେ ବିନା ପ୍ରାଣୀ । ବାଣିଜ୍ୟେ ସମୁଦ୍ର ନ ଜିଣି ॥ ୧୪୧
ତା' ଲୀଳା ଅବତାର କଥା । ଶୁଣିଲେ ଖଣ୍ଡେ ଭବବ୍ୟଥା ॥ ୧୪୨
ପଡ଼ି ଗାୟନ କଲେ ପ୍ରାଣୀ । ତରେ ସଂସାର ତରଙ୍ଗିଣୀ ॥ ୧୪୩
ଶ୍ରୀଭାଗବତ ପୁରାଣରେ । ଅମୃତ ପୂରିଛି ବିସ୍ତାରେ ॥ ୧୪୪
ଏ ତତ୍ତ୍ୱ ଭାଗବତ ଯେଣୁ । ପୁରାଣ ଭାଗବତ ତେଣୁ ॥ ୧୪୫
ଏ ଯେ ପୁରାଣରସ ଗୀତା । ପ୍ରଥମେ ଏକାକ୍ଷର କଥା ॥ ୧୪୬
ବୈକୁଣ୍ଠନାଥ ମୁଖୁଁ ଜାତ । ପ୍ରଣବ ସ୍ୱରୂପେ ସମ୍ଭୂତ ॥ ୧୪୭
ତା'କୁ ଯେ ତିନି ଅକ୍ଷରେଣ । ଅନନ୍ତେ ଉପଦେଶ ପୁଣ ॥ ୧୪୮
ପୁଣ ଚଉବିଂଶ ଅକ୍ଷରେ । ଅନନ୍ତ ବ୍ରହ୍ମାଙ୍କୁ ଯେ ଦେଲେ ॥ ୧୪୯
ବ୍ରହ୍ମାଠାରୁ ଚାରିଶ୍ଳୋକେଣ । ପାଇଲେ ନରନାରାୟଣ ॥ ୧୫୦
ନାରଦେ ନରନାରାୟଣ । ଦଶଶ୍ଳୋକେଣ ଦେଲେ ପୁଣ ॥ ୧୫୧
ନାରଦ ବ୍ୟାସେ ଉପଦେଶ । ଶତଶ୍ଳୋକରେ ପରକାଶ ॥ ୧୫୨
ସେ ବ୍ୟାସମୁନି ବିଚକ୍ଷଣ । ଅଠର ସହସ୍ର ଶ୍ଳୋକେଣ ॥ ୧୫୩
ଆମ୍ଭେ ଯେ ଶୁକ ତା'ଙ୍କ ଶିଷ୍ୟ । ଆମ୍ଭଙ୍କୁ ଦେଲେ ଉପଦେଶ ॥ ୧୫୪
ଏବେ ଏ ଗଙ୍ଗାର ତୀରରେ । ବ୍ରହ୍ମଋଷି ସଭା ମଧ୍ୟରେ ॥ ୧୫୫
ତୁମ୍ଭଙ୍କୁ କହି ଏ ପୁରାଣ । ଆମ୍ଭେ ଯେ ହୋଇଲୁ କାରଣ ॥ ୧୫୬
ଏହି ପୁରାଣ ତୁମ୍ଭେ ଶୁଣି । ଲଭିବ ବିଷ୍ଣୁଅଙ୍ଗ ପୁଣି ॥ ୧୫୭
ଏ ଭାଗବତ ଧର୍ମସାର । ଚାରିବେଦୁଁ ଅର୍ଥ ବାହାର ॥ ୧୫୮
ଏବେ ଏ ଗଙ୍ଗାପାଶେ ଜାଣ । ସମ୍ବାଦ ତୁମ୍ଭ ଆମ୍ଭ ପୁଣ ॥ ୧୫୯
ସୂତ ପୌରାଣିକ ଶୁଣିଲେ । ସକଳ ଜ୍ଞାନ ସମ୍ପାଦିଲେ ॥ ୧୬୦
ଏ ପୁଣି ନୈମିଷ ଅରଣ୍ୟେ । ଶୌନକ ଆଦି ଋଷିଜନେ ॥ ୧୬୧
ଯଜ୍ଞ ଆରମ୍ଭେ ତୋଷମନେ । କହିବେ ସଭା ସନ୍ନିଧାନେ ॥ ୧୬୨
ହରି ଚରିତ କରି ପାନ । କାଳ ଖଣ୍ଡିବେ ମୁନିଜନ ॥ ୧୬୩
କହଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱାଦଶସ୍କନ୍ଧେ ଚତୁର୍ଥୋଦ୍ଧଧ୍ୟାୟଃ ॥
* * *