ଦ୍ୱାଦଶ ସ୍କନ୍ଧ
ତୃତୀୟ ଅଧ୍ୟାୟ
ଶୁକ ଉବାଚ
ଶୁକ କହନ୍ତି ତୋଷମନ । ଶୁଣ ହେ ପରୀକ୍ଷ ରାଜନ ॥ ୧
ଏ କଳିଯୁଗରେ ପୃଥ୍ୱୀରେ । ଅଛନ୍ତି ଯେତେ ରାଜା ବୀରେ ॥ ୨
ଏକ ଆରେକ ହିଂସା ବହି । ଜିଣିବା ଅର୍ଥେ ଦଣ୍ଡବାହି ॥ ୩
ସଇନିମାନଙ୍କୁ ସାଜିଣ । ରାଜ୍ୟ ଜିଣନ୍ତି କରି ରଣ ॥ ୪
ମୁହିଁ ଘେନିବି ବଳେ ଜିଣି । ଏମନ୍ତ ଭାବେ ଗର୍ବେ ଭଣି ॥ ୫
ଯେ ଭୂମି ମୋ' ଭାଗେ ହୋଇବ । ପୁତ୍ର ପୌତ୍ରାଦି କାଳେ ଥିବ ॥ ୬
ଏମନ୍ତ ବୋଲି ସୈନ୍ୟ ଘେନି । ତା' ଦେଖି ହସଇ ମେଦିନୀ ॥ ୭
ଦେଖ ବିଧାତା କାଳଗତି । ସ୍ୱଭାବେ କଳିଯୁଗ ରୀତି ॥ ୮
ଆଶ୍ଚର୍ଯ୍ୟ କଥାମାନ ଦେଖ । ଏ ରାଜାମାନେ ଯେ ମୁରୂଖ ॥ ୯
ମୃତ୍ୟୁଦେବତା ଖେଳଘର । ମଞ୍ଚେ ଜନମ ଏହାଙ୍କର ॥ ୧୦
ମୋତେ ଜିଣିବେ ଲୋଡ଼ୁଛନ୍ତି । କେ କେତେ ଗଲେଣି ଏ ପୃଥ୍ୱୀ ॥ ୧୧
ରାଜାମାନଙ୍କର ଯେ ମନ୍ତ୍ରୀ । ସୁଜ୍ଞାନ ବୁଦ୍ଧି ନ କହନ୍ତି ॥ ୧୨
ପଣ୍ଡିତମାନେ ଯେତେ ଛନ୍ତି । ଅର୍ଥଶାସ୍ତ୍ରବାଦେ ଭ୍ରମନ୍ତି ॥ ୧୩
ଏହି ବିଚାର ବ୍ୟର୍ଥ ପ୍ରାୟ । ଯେଣୁ ଶରୀର ମିଥ୍ୟାମୟ ॥ ୧୪
ତେଣୁ ଏ ଫେନ ପ୍ରାୟେ ଦେହ । କ୍ଷଣକେ ଛାଡେ଼ ସର୍ବମୋହ ॥ ୧୫
ଏ ଦେହେ ବିଶ୍ୱାସ କରନ୍ତି । ଷଡ଼ଅଇରି ଦେହେ ଛନ୍ତି ॥ ୧୬
କାମାଦି ଏକାଦଶ ଇନ୍ଦ୍ରି । ଅବିଦ୍ୟା କୁହୁକରେ ବନ୍ଦୀ ॥ ୧୭
ଏହାଙ୍କୁ ଜିଣିତ ନାହାଁନ୍ତି । ମନରେ ବିଚାରୁଅଛନ୍ତି ॥ ୧୮
ପ୍ରଥମେ ଯାଇ ଶତ୍ରୁଘରେ । ଘେନିବା ରାଜ୍ୟ ଗଡ଼ ଖରେ ॥ ୧୯
ଜିଣିଣ ସେ ପୁରଜନଙ୍କୁ । ବଶ କରିବା ପୁରୋଧାଙ୍କୁ ॥ ୨୦
ମନ୍ତ୍ରୀ ଯେ ଅମାତ୍ୟମାନଙ୍କୁ । ଆବର ନଗର ଲୋକଙ୍କୁ ॥ ୨୧
ଅର୍ଥ ବଚନେ ବଶ ତା'ଙ୍କୁ । ଏମନ୍ତେ ଜିଣିବା ରାଜାଙ୍କୁ ॥ ୨୨
ଶତ୍ରୁଙ୍କୁ ମାରିଣ ସେ ରାଜ୍ୟ । ଆମେ ହୋଇବା ତହିଁ ରାଜ ॥ ୨୩
ଉତ୍ତମ ରାଜ୍ୟ ଏହୁ ସୀମା । ଭୋଗ କରି ରହୁ ମହିମା ॥ ୨୪
କ୍ରମରେ ପୃଥିବୀ ଜିଣିମା । ସମୁଦ୍ରଅନ୍ତ ଯା'ର ସୀମା ॥ ୨୫
ଏ ଆଶା ହୃଦୟରେ ବାନ୍ଧି । ହିଂସା ସ୍ୱଭାବେ ହୋଏ ବନ୍ଦୀ ॥ ୨୬
ନିକଟ ଶିରପରେ ମୃତ୍ୟୁ । ତାହା ନ ଜାଣେ ମତ୍ତ ହେତୁ ॥ ୨୭
ଲୋଭ ଯେ ଗ୍ରାସିଛି ମନକୁ । ଭୟ ନାହିଁ ପାପପୁଣ୍ୟକୁ ॥ ୨୮
ସମୁଦ୍ର ଯାଏ ପୃଥ୍ୱୀ ଜିଣି । ଅତି ତାମସ-ଲୋଭେ ପୁଣି ॥ ୨୯
ବୋଇତେ ଚଢି ବଣିଜାରେ । ପଶନ୍ତି ସମୁଦ୍ର ଭିତରେ ॥ ୩୦
ଏତେ ପ୍ରଭାବେ ମୋତେ ଜିଣି । କି ଭୋଗ କରେ ସେ ଧରଣୀ ॥ ୩୧
ମୋତେ ତ ନେଇ ନ ପାରନ୍ତି । ବ୍ୟର୍ଥକର୍ମରେ ସେ ଭ୍ରମନ୍ତି ॥ ୩୨
ଯେବେ ଆପଣା ଆତ୍ମା ଜାଣେ । ଭଜେ ବାସୁଦେବ ଚରଣେ ॥ ୩୩
ତେବେ ସେ ମୁକ୍ତିଫଳ ପାଇ । ସକଳ ପାପୁଁ ମୁକ୍ତ ହୋଇ ॥ ୩୪
ଯେ ରଜାମାନେ ପୂର୍ବେ ଜିଣି । ମୁଁ ଭୋଗ କରିବି ଧରଣୀ ॥ ୩୫
ଭୋଗ କରିବେ ପୁତ୍ର ନାତି । ଏମନ୍ତ ମନେ ଥିଲେ ଚିନ୍ତି ॥ ୩୬
ମନୁବଂଶୀୟ ରାଜାଗଣ । ତାହାଙ୍କ ପୁତ୍ରପୌତ୍ରମାନ ॥ ୩୭
ସେମାନେ ମୋତେ ଛାଡ଼ିଗଲେ । ଏ ଲୋକେ ପ୍ରତ୍ୟକ୍ଷେ ଦେଖିଲେ ॥ ୩୮
ଏବେ ଏ କଳିଯୁଗ ପ୍ରାଣୀ । ଅଳ୍ପ ଆୟୁଷ ପରିମାଣି ॥ ୩୯
ଅଳପବୁଦ୍ଧି ଦୁଷ୍ଟମତି । ମୋତେ ଜିଣିମା ଲୋଡ଼ୁଛନ୍ତି ॥ ୪୦
ମୋର ନିମନ୍ତେ ପିତାପୁତ୍ର । ଭ୍ରାତା ଆଦି ଜ୍ଞାତି ମାନନ୍ତ ॥ ୪୧
ଇଷ୍ଟ ମିତ୍ର ବନ୍ଧୁ ସ୍ୱଜନେ । ବାଦ ବିଗ୍ରହ ଚିନ୍ତି ମନେ ॥ ୪୨
ତାମସେ ପ୍ରାଣୀ ଦୁଃଖ ନେଇ । ଅସାଧୁ ବୁଦ୍ଧି ଥା'ନ୍ତି ଧ୍ୟାୟି ॥ ୪୩
ଏ ରାଜାମାନେ ମମତ୍ୱରେ । ପଡ଼ି ତ୍ରିଗୁଣ ବନ୍ଧନରେ ॥ ୪୪
ଏ ସର୍ବ ଭୂମି ଯେ ମୋହର । ରେ ମୂର୍ଖ ନୁହଇ ତୋହର ॥ ୪୫
ମୂର୍ଖପଣରେ ଏହା ଭାଷି । ଅନ୍ୟୋନ୍ୟେ ହୁଅନ୍ତି ବିନାଶି ॥ ୪୬
ମୋର ନିମନ୍ତେ କରି ବାଦ । ଅର୍ଜନ୍ତି ହରାନ୍ତି ସମ୍ପଦ ॥ ୪୭
ସତ୍ୟଯୁଗାଦି ଯେତେ ରାଜା । ଯେସନେ ପାଳୁଥିଲେ ପ୍ରଜା ॥ ୪୮
ପୃଥୁ ପୁରୁରବା ଯେ ଗାଧି । ସହସ୍ରାର୍ଜ୍ଜୁନ ନହୁଷାଦି ॥ ୪୯
ମାନ୍ଧାତା ଶ୍ରୀରାମ ସଗର । ଖଟ୍ୱାଙ୍ଗରାଜା ଧୁନ୍ଧୁମାର ॥ ୫୦
ରଘୁ ତୃଣବିନ୍ଦୁ ଯଯାତି । ଶାନ୍ତନୁ ଭରତ ଶର୍ଯାତି ॥ ୫୧
ନୈଷଧ ଭଗୀରଥରାୟ । କକୁତ୍ଥ ନୃଗ କୁବଳୟ ॥ ୫୨
ହିରଣ୍ୟକଶିପୁ ସମ୍ବର । ରାବଣ ହିରଣ୍ୟାକ୍ଷ ବୀର ॥ ୫୩
ବୃତ୍ତ ନମୁଚି ଯେ ତାରକା । ଆବର ଅସୁର ନାରକା ॥ ୫୪
ଏ ଆଦି ଯେତେ ରାଜା ଥିଲେ । ଅନ୍ୟ ଦାନବ ମହୀପାଳେ ॥ ୫୫
ସମସ୍ତେ ସର୍ବବିଜ୍ଞ ବୀର । ମହିମା ଶୁଣିଛ ତା'ଙ୍କର ॥ ୫୬
ସମର୍ଥ ସର୍ବଜ୍ଞ ଅଟନ୍ତି । ବଳେ ସର୍ବତେଜା ବୋଲାନ୍ତି ॥ ୫୭
ଏମାନେ ଆଶା ମମତାରେ । ମୃତ୍ୟୁର ବଶ ଯେ ହୋଇଲେ ॥ ୫୮
ଏ ମୋତେ ନେଇ ନ ପାରିଲେ । କଥାମାତ୍ରକ ରୁହାଇଲେ ॥ ୫୯
ଯେ ଯାହା ଅର୍ଜିତ କର୍ମରେ । ଭୋଗ ଦୁଃଖ ସୁଖ ମାର୍ଗରେ ॥ ୬୦
ଗୁଣ-କର୍ମେ ହୋଇ ବନ୍ଧନ । ଜାଣି ନ ପାରି ରାତ୍ରଦିନ ॥ ୬୧
କାଳବଶରେ ଅକୃତାର୍ଥ । ଲୋଭେ ନ ସଞ୍ଚି ପରମାର୍ଥ ॥ ୬୨
କୃଷ୍ଣ ପଦାରବିନ୍ଦ ଛାଡ଼ି । ପତିତମାର୍ଗେ ଚିତ୍ତ ବଢି ॥ ୬୩
କୃଷ୍ଣଙ୍କୁ ନ ଜାଣିଲେ ଯେଣୁ । ଯାତନା ଜନ୍ମମୃତ୍ୟୁ ତେଣୁ ॥ ୬୪
ଏମନ୍ତ ଭାଷି ମହୀ ହସି । ବିଷ୍ଣୁଲୀଳାକୁ ପରଶଂସି ॥ ୬୫
ଶୁକ କହନ୍ତି ପରୀକ୍ଷିତ । ଏମନ୍ତ ଶ୍ରୀକୃଷ୍ଣ ଚରିତ ॥ ୬୬
ଏ ଯେଉଁ କଳିଯୁଗ ରୀତି । କହିଲୁ ନୃପକୁଳ ଖ୍ୟାତି ॥ ୬୭
ଏ ଯେ ଉଦୟ-ଅସ୍ତ ପ୍ରାୟେ । ସଂସାର ମାୟାଜାଲ ମୋହେ ॥ ୬୮
ଜ୍ଞାନ ବୈରାଗ୍ୟ ଅନୁଭବ । ବିଭୂତି ପରମାର୍ଥ ଭାବ ॥ ୬୯
ଏମାନ ନାହିଁ ଏହାଙ୍କର । ଏଣୁ ଅଧର୍ମେ ପରିଚାର ॥ ୭୦
ଏ କଳିଯୁଗ ଗତି ଜାଣ । ପ୍ରସଙ୍ଗେ କହିଲୁ ପୁରାଣ ॥ ୭୧
ଉତ୍ତମ ଶ୍ଳୋକ ବାସୁଦେବ । ତାହାଙ୍କୁ ଯେ ପ୍ରାଣୀ ଭଜିବ ॥ ୭୨
ନାମ ଗାୟନ ଗୁଣବାଦ । ନାଶଇ ସକଳ ପ୍ରମାଦ ॥ ୭୩
ଅଶୁଭମାନ ନାଶ କରେ । ନିତ୍ୟେ ଯେ ତା' ନାମ ସୁମରେ ॥ ୭୪
ଶୁଣି ଶୁଣାଇ ଯେବେ ମଜ୍ଜେ । କୃଷ୍ଣ ପଦାରବିନ୍ଦ ଭଜେ ॥ ୭୫
ନିର୍ମଳ-ଭକ୍ତି ବାଞ୍ଛା କରି । ଅନ୍ତେ ସେ ଲଭେ ବିଷ୍ଣୁପୁରୀ ॥ ୭୬
ପୁଣି ପରୀକ୍ଷିତ ପଚାରି । ଶୁକ ଚରଣ ଶିରେ ଧରି ॥ ୭୭
ପରୀକ୍ଷିତ ଉବାଚ
ହେ ଭଗବାନ ଆତ୍ମାରୂପୀ । କଳି ଘୋଟିବ ତମ ବ୍ୟାପୀ ॥ ୭୮
ଏ ଯୁଗେ ପ୍ରାଣୀଙ୍କ ନିସ୍ତାର । ହୋଇବ ଯେବଣ ପ୍ରକାର ॥ ୭୯
ମୃତ୍ୟୁକୁ କେମନ୍ତେ ଜିଣିବେ । ଏହା ସଂକ୍ଷେପି କହ ଏବେ ॥ ୮୦
ଯୁଗ ଧର୍ମ ଯୁଗ ନିର୍ଣ୍ଣୟ । କଳ୍ପର ପ୍ରଳୟ ବିଷୟ ॥ ୮୧
ଈଶ୍ୱରରୂପୀ ଯେଉଁ କାଳ । କହ ତା' ଗତି ଅନ୍ତରାଳ ॥ ୮୨
ଶୁକ ହୋଇଣ ତୋଷମନ । କହନ୍ତି ଯୁଗଧର୍ମମାନ ॥ ୮୩
ଶୁକ ଉବାଚ
ସତ୍ୟ ଯୁଗର ଧର୍ମ ଶୁଣ । ଥିଲା ଯେ ଚାରିପାଦ ପୁଣ୍ୟ ॥ ୮୪
ସେ ଯୁଗେ ପ୍ରାଣୀମାନେ ପୁଣ । ଚାରିପାଦେ ଧର୍ମ କରିଣ ॥ ୮୫
ସତ୍ୟ ତପସ୍ୟା ଦୟା ଦାନ । ଧର୍ମର ଏ ଚାରିଚରଣ ॥ ୮୬
ସେ ଯୁଗେ ପ୍ରାଣୀ ଦୟାଶୀଳ । ସନ୍ତୋଷ ସତ୍ୟ କ୍ଷମା ଧୀର ॥ ୮୭
ଶାନ୍ତ ତପସ୍ୱୀ ଆତ୍ମାରାମ । ସମଦରଶୀ ସାଧୁ ସମ ॥ ୮୮
ତ୍ରେତାରେ ଧର୍ମ ତିନିପାଦ । ସତ୍ୟ ପାଦକ ହୋଏ ଛେଦ ॥ ୮୯
ଅଧର୍ମ ଏହାକୁ ନାଶଇ । ଯାହାର ଚାରିପାଦ କହି ॥ ୯୦
ମିଥ୍ୟା ହିଂସା ଯେ ଅସନ୍ତୋଷ । ବିଗ୍ରହ ଏ ଚାରି ପ୍ରକାଶ ॥ ୯୧
ସେ କାଳେ ପ୍ରାଣୀମାନେ ପୁଣ । କ୍ରିୟା ତପୋନିଷ୍ଠା ଯୋଗେଣ ॥ ୯୨
ଅହିଂସ ଅଲମ୍ପଟ ହୋନ୍ତି । ଧର୍ମାର୍ଥ କାମ ସେ ସାଧନ୍ତି ॥ ୯୩
ଋକ ଯଜୁ ଯେ ସାମ ତିନି । ଏ ତିନି ଯଜ୍ଞରେ ଅଗ୍ରଣୀ ॥ ୯୪
ବ୍ରାହ୍ମଣ ଆଦି ବର୍ଣ୍ଣମାନ । ଉତ୍ତମ ମଧ୍ୟ କନିଷ୍ଠେଣ ॥ ୯୫
ଏ ଭାବେ ଏ ଯୁଗ ଚଳଇ । ତିନିପାଦେ ଧର୍ମ ରହଇ ॥ ୯୬
ଦ୍ୱାପରେ ଧର୍ମ ଦୁଇପାଦ । କ୍ରମେ ଦ୍ୱିପାଦ ହୋଏ ଛେଦ ॥ ୯୭
ତପ ସତ୍ୟ ଦୟା ଦାନରୁ । ତୁଟଇ ଯୁଗ ଅନୁସାରୁ ॥ ୯୮
ହିଂସା ଅସନ୍ତୋଷ ବଇର । ମିଥ୍ୟା ଲକ୍ଷଣ ଅଧର୍ମର ॥ ୯୯
ଏହାଙ୍କ ସକାଶରୁ ପୁଣ । ଧର୍ମ ତୁଟଇ ଏ କ୍ରମେଣ ॥ ୧୦୦
ଏ ଯୁଗେ ପ୍ରାଣୀମାନେ ପୁଣ । ଯଶସ୍ୱୀ ଶୀଳରେ ନିପୁଣ ॥ ୧୦୧
ସର୍ବଦା ସେ ବେଦ ପଢନ୍ତି । ବିପ୍ରେ ବିଷ୍ଣୁସେବା କରନ୍ତି ॥ ୧୦୨
ଧନ କୁଟୁମ୍ବେ ହୃଷ୍ଟମତି । ବ୍ରାହ୍ମଣ କ୍ଷତ୍ରିୟେ ବଢନ୍ତି ॥ ୧୦୩
କଳିଯୁଗରେ ଧର୍ମ ପୁଣ । ରହଇ ଏକଇ ଚରଣ ॥ ୧୦୪
ଅଧର୍ମ ହେତୁ କରି ପୁଣ । ତିନିପାଦ ହୁଅଇ ଛିନ୍ନ ॥ ୧୦୫
ସତ୍ୟ ତପ ଦୟା ଯେ ଯାଇ । କେବଳ ଦାନମାତ୍ର ରହି ॥ ୧୦୬
ଯୁଗାନ୍ତେ ସେହୁ ନାଶଯିବ । ଏକାନ୍ତେ ତମ ଆଚ୍ଛାଦିବ ॥ ୧୦୭
ଏ ଯୁଗେ ଯେତେ ଲୋକମାନେ । ନିର୍ଦ୍ଦୟ ଦୁରାଚାର ମନେ ॥ ୧୦୮
କରି ଅକାରଣେ ବଇରୀ । ଅଭାଗ୍ୟବନ୍ତ ହତଶିରୀ ॥ ୧୦୯
ଅତ୍ୟନ୍ତ ଲୋଭୀ ଜନେ ହେବେ । ଶୂଦ୍ରେ ଯେ ବହୁତ ବଢିବେ ॥ ୧୧୦
ସତ୍ତ୍ୱ ରଜ ତମ ତ୍ରିଗୁଣ । ପୁରୁଷେ ଥାଇ ଅନୁକ୍ଷଣ ॥ ୧୧୧
କାଳର ବଳେ ଗୁଣ ଦୋଷ । ହୁଅଇ ଅଳପ ବିଶେଷ ॥ ୧୧୨
ବଢଇ ସତ୍ତ୍ୱଗୁଣ ଯେବେ । ମନ ବୁଦ୍ଧି ଇନ୍ଦ୍ରିୟ ତେବେ ॥ ୧୧୩
ଜ୍ଞାନ-ତପରେ ରତ ହୋଇ । ଶ୍ରୀବାସୁଦେବଙ୍କୁ ଭଜଇ ॥ ୧୧୪
ତାଙ୍କ ପଦାରବିନ୍ଦେ ଭକ୍ତି । ଉଦୟ ହୋଇଲେ ମୁକତି ॥ ୧୧୫
ଭକତି କୃଷ୍ଣପାଦେ ଜାଣ । ସତ୍ୟଯୁଗର ଏ ଲକ୍ଷଣ ॥ ୧୧୬
ଯେବେ କାମ୍ୟକର୍ମ ଯଶରେ । ବୁଦ୍ଧି ବଢେ ରଜୋଗୁଣରେ ॥ ୧୧୭
ତ୍ରେତାଯୁଗର ଚିହ୍ନ ଏହି । ଯଜ୍ଞରେ ପଶୁବଧ ଯହିଁ ॥ ୧୧୮
ତହୁଁ ସ୍ୱର୍ଗାଦିଭୋଗ ପା'ନ୍ତି । ସେ ପୁଣି ହୋ'ନ୍ତି ଗତାଗତି ॥ ୧୧୯
ବୁଦ୍ଧିମନ୍ତ ପ୍ରାଣୀ ତା' ଜାଣି । ନିଷ୍କାମେ ଭଜେ ଚକ୍ରପାଣି ॥ ୧୨୦
ଯେବେ ଦ୍ୱାପର ଯୁଗ ହୋଇ । ରଜ ତମ ଗୁଣ ବଢଇ ॥ ୧୨୧
ଲୋଭ ଅସନ୍ତୋଷାଭିମାନ । ଦମ୍ଭ-ମତ୍ସର-କାମ୍ୟକର୍ମ ॥ ୧୨୨
ଏମାନେ ଅଧିକ ବଢନ୍ତି । ଦୟା ଦାନ ଦୂରେ ରହନ୍ତି ॥ ୧୨୩
ଅଧର୍ମ ତିନି ଯେ ଚରଣ । ବଢଇ ଏମନ୍ତ ଭାବେଣ ॥ ୧୨୪
ହିଂସା ଯେ ମିଥ୍ୟା ଅସନ୍ତୋଷ । ଦ୍ୱାପର ଲକ୍ଷଣ ବିଶେଷ ॥ ୧୨୫
ଯେବେ ସେ କଳିଯୁଗ ହୋଇ । ଏକା ତମୋଗୁଣ ବଢଇ ॥ ୧୨୬
ପ୍ରାଣୀମାନଙ୍କର ଯେ ପୁଣ । ଅଳସ ମାୟା ମିଥ୍ୟା ଗୁଣ ॥ ୧୨୭
ବିଷାଦ ନିଦ୍ରା ହିଂସା ଶୋକ । ବଢାଏ ମାୟାମୋହ ଦୁଃଖ ॥ ୧୨୮
ଏତେ ଗୁଣରେ କଳି ହୋଇ । ସେ କଳି ତାମସ ବୋଲାଇ ॥ ୧୨୯
ପ୍ରାଣୀଏ ହୋ'ନ୍ତି ମନ୍ଦମତି । ଅଳପ-ଭାଗ୍ୟେ ସେ ଜୀଅନ୍ତି ॥ ୧୩୦
ବହୁତ ଭକ୍ଷନ୍ତି ଆହାର । କାମୀ ହୁଅନ୍ତି ମୂଢନର ॥ ୧୩୧
କୁଟୁମ୍ବୀ ଜୀବିକାବିହୀନ । ଦରିଦ୍ର ହୋଇ ବଞ୍ଚେ ଦିନ ॥ ୧୩୨
କୁଳସ୍ତ୍ରୀ ହୋଇ ଦୋଚାରୁଣୀ । ଅସତୀ ପଣେ ସାହସିନୀ ॥ ୧୩୩
ଦେବ ବ୍ରାହ୍ମଣ ଗୁରୁ ସ୍ୱାମୀ । ଶାଶୁ ଶ୍ୱଶୁରଙ୍କୁ ନ ଗଣି ॥ ୧୩୪
ରାଜ୍ୟରେ ଖଣ୍ଟ ପ୍ରବର୍ତ୍ତିବେ । ବେଦକୁ ପାଷଣ୍ଡେ ଦୂଷିବେ ॥ ୧୩୫
ପ୍ରଜା ସର୍ବସ୍ୱ ରାଜା ନେବେ । ତା'ଙ୍କୁ ବହୁତ କଷ୍ଟ ଦେବେ ॥ ୧୩୬
ବ୍ରାହ୍ମଣେ ଜିହ୍ୱା-ଇନ୍ଦ୍ରିବଶ । ହୋଇଣ କର୍ମେ ଯିବେ ନାଶ ॥ ୧୩୭
କ୍ରୟ ବିକ୍ରୟ ବେଦ କରି । ବ୍ରତୀ ନୋହିବେ ବ୍ରହ୍ମଚାରୀ ॥ ୧୩୮
ସନ୍ୟାସୀ ହେବେ ଅନାଚାରୀ । କୁଟୁମ୍ବ ଘେନି ଗୃହକରି ॥ ୧୩୯
ଲୋଭେ ବୈଶ୍ୟବୃତ୍ତି କରିବେ । ଭେକ ଧରି ନାମ ବହିବେ ॥ ୧୪୦
ଯେତେ ବାନପ୍ରସ୍ଥ ତପସ୍ୱୀ । ଅଜ୍ଞାନେ ହେବେ ଗ୍ରାମବାସୀ ॥ ୧୪୧
ସ୍ତିରୀ ପୁରୁଷେ ଅସୁନ୍ଦର । ବିରୂପ ବିକଟ ଶରୀର ॥ ୧୪୨
ସହଜେ ସ୍ତିରୀମାନେ ପୁଣ । ବହୁତ କରିବେ ଭୋଜନ ॥ ୧୪୩
ହୋଇବେ ଅତ୍ୟନ୍ତ ନିର୍ଲ୍ଳଜ । ବିସ୍ତାର ହୋଇବେ ତନୁଜ ॥ ୧୪୪
ନିରତେ କହି କଟୁବାଣୀ । ଶାଶୁଶ୍ୱଶୁରଙ୍କୁ ନ ଗଣି ॥ ୧୪୫
ସ୍ୱାମୀ ଗୁରୁଜନ ନ ମାନି । ଚଉର୍ଯ୍ୟ ମାୟା ସାହସିନୀ ॥ ୧୪୬
ପାପିଷ୍ଠବୁଦ୍ଧି ମତ୍ତଗର୍ବେ । ବ୍ୟଭିଚାରିଣୀ ଏ ସ୍ୱଭାବେ ॥ ୧୪୭
ମନୁଷ୍ୟମାନେ ସାନସାନ । କେହି ବା ହୋଇବେ ବାମନ ॥ ୧୪୮
ମନୁଷ୍ୟ ମନ୍ଦଗତି ହୋଇ । କ୍ଷୁଦ୍ର ବ୍ୟାଧିରେ ପୀଡ଼ା ପାଇ ॥ ୧୪୯
କ୍ରୟ ବିକ୍ରୟ ବ୍ୟବହାରେ । କୂଟ କପଟ ବଣିଜାରେ ॥ ୧୫୦
ବ୍ୟାଧ ଆଚାର ଆଚରିବେ । ମୃଗ ମତ୍ସ୍ୟ ବଧ କରିବେ ॥ ୧୫୧
ଛନ୍ଦ କରି ଜୀବ ମାରିବେ । ପ୍ରାଣୀଙ୍କି ହିଂସାରେ ନାଶିବେ ॥ ୧୫୨
ବିନା ବିପଦେ ସର୍ବଜନେ । ଆପଣା ବୃତ୍ତି ଛାଡ଼ି ଅନ୍ୟେ ॥ ୧୫୩
ନିନ୍ଦିତ ଜୀବିକା କରିବେ । ପତିତ କର୍ମ ଆଚରିବେ ॥ ୧୫୪
ସ୍ୱାମୀ ନିର୍ଦ୍ଧନ ହେବ ଯେବେ । ସେବକେ ତାକୁ ଛାଡ଼ିଯିବେ ॥ ୧୫୫
ସେବକେ ଅସମର୍ଥ ଦେଖି । ସ୍ୱାମୀଏ ତାହାଙ୍କୁ ଉପେକ୍ଷି ॥ ୧୫୬
ଉତ୍ତମ ଗାଈ ବୃଦ୍ଧା ହେଲେ । ନ ପାଳି ଛାଡ଼ିଦେବେ ଭଲେ ॥ ୧୫୭
ପିତା ମାତା ଭ୍ରାତା ବାନ୍ଧବ । ମିତ୍ର ସୁହୃଦଗୁଣ ଭାବ ॥ ୧୫୮
ସକଳ ସଙ୍ଗ ତ୍ୟାଗ କରି । ଶ୍ୱଶୁର ଶାଳକେ ପଚାରି ॥ ୧୫୯
ଶୀଳ ଅଚାର ନ କରିବେ । ସ୍ତିରୀଙ୍କ ବଶେ ଦିନ ନେବେ ॥ ୧୬୦
କେ କାହା ପିତା କେହୁ ମାତ । ଆପଣା କର୍ମେ ଆତଯାତ ॥ ୧୬୧
ଏମନ୍ତ ବିଚାରିବେ ମନେ । ରହି ଶ୍ୱଶୁର ସନ୍ନିଧାନେ ॥ ୧୬୨
ତପସ୍ୱୀ ଶୂଦ୍ରମାନେ ହେବେ । ଦାନପ୍ରତିଗ୍ରହ କରିବେ ॥ ୧୬୩
ସେମାନେ ଉଚ୍ଚସ୍ଥାନେ ଥିବେ । ଧର୍ମାଦି ନ୍ୟାୟ ସେ କହିବେ ॥ ୧୬୪
ସଂସାରେ ଗୁରୁ ବୋଲାଇବେ । ସକଳେ ସେ ବୋଲ ପାଳିବେ ॥ ୧୬୫
ପ୍ରଜାଏ କରପୀଡ଼ା ପାଇ । ଦୁର୍ଭିକ୍ଷେ କଷ୍ଟି ହେବେ ସେହି ॥ ୧୬୬
ମନ ଉଦ୍ବେଗ କରିବେ । ଅନ୍ନବସ୍ତ୍ରାଦି ନ ପାଇବେ ॥ ୧୬୭
ଦେବେ ବରଷା ନ ବରଷି । ଏ ରୂପେ ନଷ୍ଟ ଯିବ କୃଷି ॥ ୧୬୮
ଅକାଳେ ବରଷିବ ଜଳ । ଏ ଘେନି ନ ଫଳିବ ଫଳ ॥ ୧୬୯
ପ୍ରାଣୀଏ ସ୍ଥାନଭ୍ରଷ୍ଟ ହୋଇ । ଦେଶ ଭାଜିଣ ଶୂନ୍ୟ ହୋଇ ॥ ୧୭୦
ଅନ୍ନ ପାଣି ବସ୍ତ୍ର ଭୋଜନ । ସ୍ନାନ ଭୂଷଣ ଆୟେମାନ ॥ ୧୭୧
ନ ମିଳି ହୋଇବେ ଦାରୁଣ । ପିଶାଚ ସ୍ୱରୂପ ଧାରଣ ॥ ୧୭୨
ବୋଡ଼ିକ ନିମନ୍ତେ ମରିବେ । ଅତି ତମେ ଯେ ଗ୍ରସ୍ତହେବେ ॥ ୧୭୩
ଆପଣା ପ୍ରିୟଲୋକ ମାରି । ଐହିକ ସୁଖ ମଣେ ଶିରୀ ॥ ୧୭୪
ତାତ ଜନନୀ ବୃଦ୍ଧକାଳେ । ତା'ଙ୍କୁ ନ ପୋଷେ ମତ୍ତଭୋଳେ ॥ ୧୭୫
ଛାଡ଼ି ସାଧବୀ ପତିବ୍ରତା । ହୋଇବେ ମତ୍ତ ଅନ୍ୟେ ଭର୍ତ୍ତା ॥ ୧୭୬
ପୁରୁଷେ ବେଶ୍ୟାଙ୍କୁ ଭଜିବେ । ଲମ୍ପଟେ ନାରୀଙ୍କି ଛାଡ଼ିବେ ॥ ୧୭୭
କୁଳସ୍ତ୍ରୀମାନେ ଏହିମତେ । ନାଶିବେ କୁଟୁମ୍ବ ସହିତେ ॥ ୧୭୮
ଇନ୍ଦ୍ରି ଲାଳସେ ପେଟ ପୋଷି । ରହିବେ ହୋଇ ଦାସଦାସୀ ॥ ୧୭୯
କଳିର ତମ ଆଚ୍ଛାଦନେ । ବିଷ୍ଣୁଙ୍କୁ ନ ଭଜିବେ ଜନେ ॥ ୧୮୦
ଶ୍ରୀକୃଷ୍ଣ ପାଦପଦ୍ମରସ । କେହି ଯେ ନ କରିବେ ଆଶ ॥ ୧୮୧
ପାଷଣ୍ଡଚିତ୍ତେ ବୁଦ୍ଧିଭେଦେ । ନ ଭଜେ ଚରଣାରବିନ୍ଦେ ॥ ୧୮୨
ଯେ ନାମ ପତିତପାବନ । ମହାବିପତ୍ତି ବିନାଶନ ॥ ୧୮୩
ମରଣକାଳେ ଯେଉଁ ନାମ । ଧଇଲେ ନ ଦଣ୍ଡଇ ଯମ ॥ ୧୮୪
ଅତି ଆତୁରେ ବିବଶରେ । ପତନ ସ୍ଖଳନ କାଳରେ ॥ ୧୮୫
ଯେ ନାମ ଗ୍ରହଣ ମାତ୍ରେଣ । କର୍ମବନ୍ଧୁ ମୁକ୍ତ ହୋଇଣ ॥ ୧୮୬
ବୈକୁଣ୍ଠପଦକୁ ଲଭଇ । ଯେ ସୁଖ ତିନିଲୋକେ ନାହିଁ ॥ ୧୮୭
ତା'ଙ୍କୁ ନ ଭଜେ ମୂଢପ୍ରାଣୀ । ମାୟାକୁ ସତ୍ୟପ୍ରାୟ ମଣି ॥ ୧୮୮
ଏ କଳିଯୁଗେ ପାପ ଯେତେ । ପ୍ରାଣୀ ସଞ୍ଚଇ ମାୟାଗ୍ରସ୍ତେ ॥ ୧୮୯
ନାମ ମାତ୍ରକେ ପାପ ନାଶେ । ଅନ୍ତେ ବୈକୁଣ୍ଠପୁରେ ବସେ ॥ ୧୯୦
ଯେ ନାମ ଶ୍ରବଣ କୀର୍ତ୍ତନ । ପୂଜା-ଆଚରଣ ଧିଆନ ॥ ୧୯୧
ହୃଦ-କମଳ ମଧ୍ୟେ ଥାଇ । ଅଶେଷ ପାପକୁ ଦହଇ ॥ ୧୯୨
ଅନନ୍ତ କୋଟି ଯେ କଳ୍ମଷ । ସ୍ମରଣେ କରେ ତାହା ନାଶ ॥ ୧୯୩
ଏ କଳିଯୁଗେ ଏକା ସାର । ଭଜନ ଶ୍ରୀକୃଷ୍ଣ ପୟର ॥ ୧୯୪
ଏ ବିନୁ ଆନଗତି ନାହିଁ । ଭଜ ସୁଜନେ ମନ ଦେଇ ॥ ୧୯୫
ସୁବର୍ଣ୍ଣ ଅଗ୍ନିରେ ଦହିଲେ । ତାହାର ମଳ ହରେ ଭଲେ ॥ ୧୯୬
ଏ ରୂପେ ପଶି କୃଷ୍ଣଦେହେ । ପାପ ଯେ ନାଶନ୍ତି ପ୍ରାଣୀଏ ॥ ୧୯୭
ବିଦ୍ୟା ତପସ୍ୟା ପ୍ରାଣାୟାମ । ମିତ୍ରତା ତୀର୍ଥଜଳେ ସ୍ନାନ ॥ ୧୯୮
ବ୍ରତ ଆରମ୍ଭ ଯଜ୍ଞଦାନ । ଦେବତା ପୂଜା ନାନାକର୍ମ ॥ ୧୯୯
ଏଥେ ଅତ୍ୟନ୍ତ ଶୁଦ୍ଧ ହୋଇ । ଆତ୍ମା ଉଦ୍ଧରି ନ ପାରଇ ॥ ୨୦୦
ଏ ସର୍ବଫଳେ ଅଧିକାରୀ । ପାପପୁଣ୍ୟକୁ ଭୋଗକରି ॥ ୨୦୧
ବାସୁଦେବ ଭଜନ ବିନୁ । ଉଦ୍ଧରି ନ ପାରଇ ତନୁ ॥ ୨୦୨
ଭୂତ ଭବିଷ୍ୟ ବର୍ତ୍ତମାନ । ବିଧାନେ ହୁଅ ସାବଧାନ ॥ ୨୦୩
ମାନସେ ବାଞ୍ଛା ଯେ କରିଣ । ନିରନ୍ତରେ କରେ ଭଜନ ॥ ୨୦୪
କାଳେ ମରଣ ନିକଟରେ । କୃଷ୍ଣର ନାମ ଯେ ଉଚ୍ଚାରେ ॥ ୨୦୫
ତେବେ ସେ ପରାଗତି ପାଇ । ନିଦାନେ ନାମ ଉଚ୍ଚାରଇ ॥ ୨୦୬
ଏବେ ତୁ ଶୁଣ ହେ ରାଜନ । ହୃଦୟେ ଗୋବିନ୍ଦ ଚରଣ ॥ ୨୦୭
ଧରି ମରଣ ନିକଟରେ । ସେ ନାମ ମୁଖରେ ଉଚ୍ଚାର ॥ ୨୦୮
ଏଣେ ତୁ ସାବଧାନ ହୁଅ । ଅନ୍ତେ ପରମଗତି ପାଅ ॥ ୨୦୯
ତୁମେ ଯେ ରାଜଋଷି ଯେଣୁ । ତା'ଙ୍କ ଚରଣେ ଭଜ ତେଣୁ ॥ ୨୧୦
ଅନେକ ଜନ୍ମେ ଭାଗ୍ୟେ ଥାଇ । ଲୟ ଲଗାଅ ତା'ଙ୍କ ତହିଁ ॥ ୨୧୧
ଶ୍ରୀକୃଷ୍ଣ ଚରଣାରବିନ୍ଦେ । ମନକୁ ନିବେଶ ଆନନ୍ଦେ ॥ ୨୧୨
ସାଯୁଜ୍ୟ-ମୁକ୍ତିକି ପାଇବ । କଳି କଳୁଷ ନାଶ ଯିବ ॥ ୨୧୩
ଯେ ଜନ ଭଜେ ବିଷ୍ଣୁପାଦ । ଲଭେ ସାଯୁଜ୍ୟ ମୁକ୍ତିପଦ ॥ ୨୧୪
ସେ ବିଷ୍ଣୁଅଙ୍ଗେ ଲୀନ ହୋନ୍ତି । ସେ ବିନା ନାହିଁ ଅନ୍ୟଗତି ॥ ୨୧୫
ସେ ବାସୁଦେବ ସର୍ବମୟ । ସର୍ବାତ୍ମା ସର୍ବଜନାଶ୍ରୟ ॥ ୨୧୬
ସେ ବାସୁଦେବର ମହିମା । ସକଳଗୁଣ ପୁଣ୍ୟସୀମା ॥ ୨୧୭
ଶୁଣ ପରୀକ୍ଷ ନୃପବର । ଏ କଳିଦୋଷର ସାଗର ॥ ୨୧୮
ଏ କଳିଯୁଗର ମହିମା । ଅଛଇ ଏକା ଗୁଣସୀମା ॥ ୨୧୯
ସେ ବାସୁଦେବ ନାମ ଶୁଣି । ବୈକୁଣ୍ଠ ଲଭେ ହେଳେ ପ୍ରାଣୀ ॥ ୨୨୦
ସତ୍ୟଯୁଗର ଧ୍ୟାନଫଳ । ତ୍ରେତାରେ ଯଜ୍ଞାଦି ସକଳ ॥ ୨୨୧
ଦ୍ୱାପରେ ପୂଜାର ବିଧାନ । କଳିରେ ନାମ ସଂକୀର୍ତ୍ତନ ॥ ୨୨୨
ଏମନ୍ତ ମହିମା ଯାହାର । ସୁଜନେ ଭଜ ସେ ପୟର ॥ ୨୨୩
ମୁହିଁ ଯେ ପାପିଷ୍ଠ ଅଧମ । ମୋହର ଦୋଷ ନ ଘେନିମ ॥ ୨୨୪
କହଇ ଜଗନ୍ନାଥ ଦାସ । ତ୍ରାହି କରିବେ ପୀତବାସ ॥ ୨୨୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱାଦଶସ୍କନ୍ଧେ ତୃତୀୟୋଦ୍ଧଧ୍ୟାୟଃ ॥
* * *