ଦ୍ୱାଦଶ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ଶୁକ ଉବାଚ
ଶୁକ କହନ୍ତି ବିଦ୍ୟମାନେ । ଶୁଣ ରାଜନ ସାବଧାନେ ॥ ୧
କଳିଯୁଗ-ଧର୍ମ-ବିଧାନ । ଏ ଯୁଗେ ହୋଇବ ଯେସନ ॥ ୨
ସତ୍ୟ ଶଉଚ ଦୟା କ୍ଷମା । ତୁଟିବ ଧର୍ମମାର୍ଗ ସୀମା ॥ ୩
କାଳ ଯେ ବଳବନ୍ତ ହୋଇ । ପ୍ରାଣୀଙ୍କି ଗ୍ରାସିବ ଯେ ସେହି ॥ ୪
ଏଣୁ ଯେ ଧର୍ମହାନି ହୋଇ । ବଳ ଆୟୁଷ କ୍ଷୟ ଯାଇ ॥ ୫
ଜ୍ଞାନ ଯେ ଧର୍ମ ନ ରହଇ । ଧର୍ମ ନ ଥିଲେ ପୁଣ୍ୟ କାହିଁ ॥ ୬
ଏଣୁ ଧର୍ମାଦି ପୁଣ୍ୟହୀନ । ବର୍ଦ୍ଧନ ହେବେ ମ୍ଳେଛଜନ ॥ ୭
ଯେଉଁ ଜନର ଧନ ଥିବ । ସଂସାରେ ବଡ଼ ସେ ହୋଇବ ॥ ୮
ତାଙ୍କର ସର୍ବଗୁଣ ପୁଣ । ଜାତି ଆଚାର କୁଳ ବର୍ଣ୍ଣ ॥ ୯
ଶୀଳ ବୁଦ୍ଧି ଆଜି ଯେ ଗୁଣ । ଧର୍ମ ନ୍ୟାୟ ଯେ ବିଚାରଣ ॥ ୧୦
ବଳବନ୍ତ ହୋଇବେ ସେହି । ତା' ବିନୁ କେହି କିଛି ନୋହି ॥ ୧୧
ବିବାହ ସମ୍ବନ୍ଧେ ଅଗ୍ରଣୀ । କୁଳ ନ ବିଚାରିବେ ପୁଣି ॥ ୧୨
ଯେ କନ୍ୟା ଯେ ବର ବରିବ । ସେ ଇଚ୍ଛା ସୁଖେ ବିଭାହେବ ॥ ୧୩
ଯା' ମନ ଯାହାକୁ ଭଜିବ । ସେ ବର ତା'କୁ ବିଭା ହେବ ॥ ୧୪
ଆରମ୍ଭୀ ଦମ୍ଭୀ ଖଳପ୍ରାଣୀ । ସେ ବଡ଼ ଏ ସଂସାରେ ପୁଣି ॥ ୧୫
ଯାହାର ସତ୍ୟଗୁଣ ଥାଇ । ତାହାକୁ ନ ମାନିବେ କେହି ॥ ୧୬
କରିବେ କପଟ ବେଭାର । ଧର୍ମ ଆଚାର ଲୋକାଚାର ॥ ୧୭
ଛନ୍ଦ କପଟ ମାୟା ସର୍ବ । ମିଥ୍ୟା ପାଷଣ୍ଡଭାବ ଗର୍ବ ॥ ୧୮
ସ୍ତିରୀଏ ସ୍ତିରୀଙ୍କି ରମିବେ । ପୁରୁଷ ପୁରୁଷେ ଭଜିବେ ॥ ୧୯
ମୁଖେ ମୁଖେ କାକୁସ୍ଥରତି । ଏମନ୍ତ ହୋଇବ ପ୍ରକୃତି ॥ ୨୦
କେବଳ ରୁଚି ଅନୁସାରେ । ରତି ଯେ ସ୍ତିରୀ ପୁରୁଷରେ ॥ ୨୧
କ୍ରୀଡ଼ା ବିହାର ଜାତିହୀନେ । କରିବେ ଯେ ଅଭିଗମନେ ॥ ୨୨
ବେଶ୍ୟାକୁ ପାଇ ନିଜନାରୀ । ଛାଡ଼ି ତା' ସଙ୍ଗେ କ୍ରୀଡ଼ାକରି ॥ ୨୩
ଜାତି ଭେଦକୁ ଭୟ ନାହିଁ । ଦୀପେ ପତଙ୍ଗ ପ୍ରାୟ ହୋଇ ॥ ୨୪
ବ୍ରହ୍ମତ୍ୱ କିଞ୍ଚିତ ପ୍ରକାରେ । ରହିବ ଯଜ୍ଞୋପବୀତରେ ॥ ୨୫
ନାମେ ବୋଲାଇବେ ବ୍ରାହ୍ମଣ । ଦ୍ୱାଦଶଗୁଣେ ହେବେ ହୀନ ॥ ୨୬
ବ୍ରହ୍ମଚାରୀ ଯେ ଚାରିବର୍ଣ୍ଣ । ନାମରେ ବହିବେ ସେ ଚିହ୍ନ ॥ ୨୭
ଦଣ୍ଡକମଣ୍ଡଳୁ ଅଜୀନ । ଧରିଣ ଆଶ୍ରମର ଚିହ୍ନ ॥ ୨୮
ଏମାନେ ଛାଡ଼ି ଚାରିବର୍ଣ୍ଣ । ନାନା ବିକାରେ ହେବେ ଭ୍ରମ ॥ ୨୯
ଆଶ୍ରମ ଧର୍ମେ ନ ରହିବେ । ସଂସାର ମାର୍ଗରେ ଚଳିବେ ॥ ୩୦
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ବର୍ଣ୍ଣ-ଧର୍ମ ଛାଡ଼ି ଅଜ୍ଞାନ ॥ ୩୧
ଆନ ଆନ ବର୍ଣ୍ଣେ ପଶିବେ । ଅମାର୍ଗପଥ ଆଚରିବେ ॥ ୩୨
ଅଷ୍ଟାଦଶ ପାଟକ ଜନ । ବର୍ଣ୍ଣଶଙ୍କର ଜାତିମାନ ॥ ୩୩
ଏମାନେ ଦମ୍ଭେ ପ୍ରବର୍ତ୍ତିବେ । ଆରମ୍ଭେ ବଡ଼ ବୋଲାଇବେ ॥ ୩୪
ବ୍ରାହ୍ମଣମାନେ ନିଜକର୍ମ । ବେଦ ଆଚାରେ ଜ୍ଞାନ ଧର୍ମ ॥ ୩୫
ତା' ଛାଡ଼ି ଅକର୍ମେ ବଢିବେ । ଶୂଦ୍ରା ଗର୍ଭରେ ରେତ ଦେବେ ॥ ୩୬
କରିବେ ଶୂଦ୍ରଙ୍କ ବିଧାନ । ନ ଜାଣି ବେଦର ବଚନ ॥ ୩୭
ଶୂଦ୍ରାଦିମାନେ ବ୍ରହ୍ମଚାରୀ । ସନ୍ୟାସ ବୈଷ୍ଣବେ ପ୍ରଚରି ॥ ୩୮
ବେଦମାର୍ଗ ନିନ୍ଦା କରିବେ । କିଞ୍ଚିତ ଜ୍ଞାନେ କରି ଗର୍ବେ ॥ ୩୯
ବ୍ରାହ୍ମଣମାନେ ହୋଇ ଶିଷ୍ୟ । ଘେନିବେ ମନ୍ତ୍ରଉପଦେଶ ॥ ୪୦
ଗୁରୁ ବୋଲାଇ ହେବେ ଶ୍ରେଷ୍ଠ । ଉଚ୍ଚସ୍ଥାନେ ବସି ବଶିଷ୍ଠ ॥ ୪୧
ବ୍ରାହ୍ମଣ ଆଦି ବର୍ଣ୍ଣମାନେ । ନମସ୍କାର କରି ଅଜ୍ଞାନେ ॥ ୪୨
ଏ ରୂପେ କଳିଯୁଗ ଗତି । ଅଜ୍ଞାନେ ହୋଇ ଦୁଷ୍ଟମତି ॥ ୪୩
ନ୍ୟାୟ-ଅନ୍ୟାୟ ବିଚାରଣ । ନ କରି ଶାସ୍ତ୍ରର ପ୍ରମାଣ ॥ ୪୪
ଯେ ଜନ ନିର୍ଦ୍ଧନ ହୋଇବେ । ସାହା ତାଙ୍କୁକେହି ନୋହିବେ ॥ ୪୫
ନ୍ୟାୟରେ ସେ ଲୋକ ହାରିବ । ସଭାରେ ନିନ୍ଦିତ ହୋଇବ ॥ ୪୬
ପଣ୍ଡିତ ଯେହୁ ବୋଲାଇବେ । ଚଞ୍ଚଳ ବଚନ କହିବେ ॥ ୪୭
ଦରିଦ୍ର ହେବ ଯେଉଁଜନ । ନଷ୍ଟ ହୋଇବ ସର୍ବଗୁଣ ॥ ୪୮
ଅସାଧୁ ବୋଲାଇବ ସେହି । ସତ୍ୟ ବଚନ ମିଥ୍ୟା ହୋଇ ॥ ୪୯
ସାଧୁ ଯେ ଦମ୍ଭେ ବୋଲାଇବେ । ପ୍ରାଣୀଙ୍କି ହୃଦେ ହିଂସୁଥିବେ ॥ ୫୦
ଜାତି ଧର୍ମକୁ ନ ବିଚାରି । ବଚନେ ଉପ୍ରୋଧ ନ କରି ॥ ୫୧
ସ୍ୱୀକାର ବଚନରେ କରି । ବିଭା ହୋଇବେ ଅବିଚାରି ॥ ୫୨
କରେ ପାନିଆ ଘେନି ଥିବେ । କେଶ କୁଣ୍ଡାଇ ସୁଖଭାବେ ॥ ୫୩
ସ୍ନାନ କଲୁ ବୋଲି ବୋଲିବେ । ଦୂର ଗାଡ଼ିଆ ପାଶେ ଯିବେ ॥ ୫୪
ତାହାକୁ ତୀର୍ଥ ବୋଲି ଜାଣି । ସ୍ନାନ କରିବେ ତହିଁ ପୁଣି ॥ ୫୫
କେବଳ କେଶର ଧାରଣ । ହୋଇବ ଲାବଣ୍ୟ କାରଣ ॥ ୫୬
ଆପଣା ପେଟକୁ ପୋଷିବା । ବଡ଼ ପ୍ରୟୋଜନ ହୋଇବା ॥ ୫୭
କାର୍ଯ୍ୟକଲାର ପ୍ରାୟ ମଣି । ସେ ଲୋକ ହୋଇବେ ଅଗ୍ରଣୀ ॥ ୫୮
ଆଣ୍ଟ ପଣରେ ଶତେ ଗୁଣ । କୁଟୁମ୍ବପୋଷି ବଡ଼ପଣ ॥ ୫୯
ଚତୁର ବୋଲାଇବେ ସେହି । ଏ ରୂପେ ଯୁଗଧର୍ମ କହି ॥ ୬୦
ଧର୍ମ କରିବେ ଯଶ ଅର୍ଥେ । ଶାସ୍ତ୍ରକୁ ମଣିବେ ଅନର୍ଥେ ॥ ୬୧
ଏମନ୍ତ ହୋଇ ଯେତେବେଳେ । ପାପ ଆଚ୍ଛାଦିବ ଶୟଳେ ॥ ୬୨
ପରଜାମାନେ ଦୁଷ୍ଟପଣେ । ପୃଥ୍ୱୀ ପୂରିବ ଦୁଷ୍ଟଜନେ ॥ ୬୩
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । ବଳ-ବିଚାର-ପରାକ୍ରମେ ॥ ୬୪
ବଳିଷ୍ଠ ବୋଲାଇବେ ଯେହି । ନୃପତି ବୋଲାଇବେ ସେହି ॥ ୬୫
ଏମାନେ ଦୁର୍ବୃତ୍ତ ହୋଇବେ । ନିର୍ଦ୍ଦୟ ଭାବକୁ ବହିବେ ॥ ୬୬
ପ୍ରଜାମାନଙ୍କୁ କଷ୍ଟଦେବେ । ଅଧର୍ମ-ବଳ-ଗୁଣ-ଭାବେ ॥ ୬୭
ସର୍ବସ୍ୱ ପ୍ରଜାଙ୍କର ନେବେ । ବିକଳ କେହି ନ ଶୁଣିବେ ॥ ୬୮
ପରଦାରାଧନ ହରିବେ । ଶୋକବିପତ୍ତିରେ ଦଣ୍ଡିବେ ॥ ୬୯
ଏମନ୍ତ ହୋଇ ଯେତେବେଳେ । ପ୍ରଜାଙ୍କୁ ପୀଡ଼ିବେ ଶୟଳେ ॥ ୭୦
ବନପର୍ବତରେ ଲୁଚିବେ । ସ୍ୱଦେଶ ଧର୍ମରେ ରହିବେ ॥ ୭୧
ଭକ୍ଷିବେ ଶାକ କନ୍ଦମୂଳ । ଆମିଷ ପୁଷ୍ପ ମଧୁଫଳ ॥ ୭୨
ଇନ୍ଦ୍ର ବରଷା ନ କରିବ । ଏଣୁ ଯେ ଦୁର୍ଭିକ୍ଷ ହୋଇବ ॥ ୭୩
କରପୀଡ଼ାରୁ ପ୍ରାଣୀମାନେ । ବିଷାଦ ହୋଇବେ ଯେ ଜନେ ॥ ୭୪
ରାଜାଏ କ୍ଷମା ନ କରିବେ । ଯମକିଙ୍କର ପ୍ରାୟ ହେବେ ॥ ୭୫
ଶୀତ ବାତ ଖରା ବରଷା । ପୀଡ଼ିବ ବ୍ୟାଧି କ୍ଷୁଧା ତୃଷା ॥ ୭୬
ଚିନ୍ତା-ସନ୍ତାପ-ଜ୍ୱରେ ଦୁଃଖୀ । ପ୍ରଜାଏ ହେବେ ନିରିମାଖି ॥ ୭୭
କଳିଯୁଗରେ ପ୍ରାଣୀମାନ । ପାପେ ହୋଇବେ ଆୟୁହୀନ ॥ ୭୮
ସ୍ତିରୀ ପୁରୁଷଙ୍କ ଆୟୁଷ । ବିଂଶ କି ତିରିଶ ବରଷ ॥ ୭୯
ପ୍ରାଣୀ ଆୟୁଷ ଦିନେ ଦିନେ । କ୍ଷୀଣ ଯେ ହୋଇବ ଅଧର୍ମେ ॥ ୮୦
ଚାରିବର୍ଣ୍ଣ ଚାରିଆଶ୍ରମ । ତୁଟିବ ବେଦମାର୍ଗ-ଧର୍ମ ॥ ୮୧
ସକଳ ଧର୍ମ ନାଶଯିବେ । ପାଷଣ୍ଡ ବହୁତ ହୋଇବେ ॥ ୮୨
ରାଜାଏ ଦସ୍ୟୁପରି ହେବେ । ପ୍ରଜାଏ ଏମନ୍ତ କରିବେ ॥ ୮୩
ଚୋରି ମିଥ୍ୟା ହିଂସା ବିବାଦ । ବିଶ୍ୱାସଘାତ ବୃତ୍ତିଛେଦ ॥ ୮୪
ଏମନ୍ତେ ପ୍ରବର୍ତ୍ତିବେ ପ୍ରାଣୀ । ଜୀବିକା କରିଣ ଅଗ୍ରଣୀ ॥ ୮୫
ସକଳ ବର୍ଣ୍ଣରେ ବିସ୍ତାର । ଶୂଦ୍ରେ ଯେ ବଢିବେ ଅପାର ॥ ୮୬
ସବୁ ଯେ ବର୍ଣ୍ଣମାନଙ୍କର । ଶୂଦ୍ର ପରି ହେବ ଆଚାର ॥ ୮୭
ଗାଈ ଯେ ଛେଳି ପ୍ରାୟ ହୋଇ । ଅଭକ୍ଷ ଭକ୍ଷି କ୍ଷୀର ଦେଇ ॥ ୮୮
ସର୍ବ ଆଶ୍ରମୀମାନେ ପୁଣ । କରିବେ ଗୃହୀ ଆଚରଣ ॥ ୮୯
ଗୃହସ୍ଥ ଧର୍ମ ଆଚରିବେ । ବେଦବଚନ ନ ମାନିବେ ॥ ୯୦
ସର୍ବ ଯେ ବନ୍ଧୁମାନଙ୍କର । ଶାଳକେ ହେବେ ସ୍ନେହଭର ॥ ୯୧
ଧାନ୍ୟାଦି ସର୍ବ ଶସ୍ୟମାନ । ସକଳ ହେବ ରସହୀନ ॥ ୯୨
ବୃକ୍ଷ ସକଳ ଶମୀ ତୁଲ୍ୟ । ଅତ୍ୟନ୍ତ କ୍ଷୀଣ ପତ୍ର ଫଳ ॥ ୯୩
ମେଘ ଯେ ଗର୍ଜନ କରିବେ । ବିଜୁଳିମାନେ ଆଚ୍ଛାଦିବେ ॥ ୯୪
ବରଷା କିଞ୍ଚିତେ କରିବେ । ପବନେ ମେଘ ଉଡ଼ିଯିବେ ॥ ୯୫
ବରଷା ଫିରିଫିରି କରି । ପ୍ରଜା ଚାଷ କରି ନ ପାରି ॥ ୯୬
ଘରମାନ ଶୂନ୍ୟ ହୋଇବେ । ପ୍ରାଣୀଏ ନିର୍ଦ୍ଧନେ ବଞ୍ଚିବେ ॥ ୯୭
ଗର୍ଦ୍ଦଭ ପ୍ରାୟ ଆଚରଣ । କରିବେ ପ୍ରାଣୀ ପରିଶ୍ରମ ॥ ୯୮
ଏମନ୍ତେ ଘୋରକଳିଯୁଗ । ଯେବେ ହୋଇବ ଶେଷଭାଗ ॥ ୯୯
ସର୍ବେ କରିବେ ଦୁଷ୍ଟରୀତି । ତାହା ଜାଣିଣ ଶିରୀପତି ॥ ୧୦୦
ସତ୍ତ୍ୱଗୁଣକୁ ଆଶ୍ରେ କରି । ମାନବ ରୂପେ ଦେହ ଧରି ॥ ୧୦୧
ସେ କାଳେ ପ୍ରଭୁ ଭଗବାନ । ଧର୍ମ ରକ୍ଷଣେ ହେବେ ଜନ୍ମ ॥ ୧୦୨
ଏମନ୍ତେ ଦଶସସ୍ରବର୍ଷ । କଳିର ହୋଇବ ଯେ ଶେଷ ॥ ୧୦୩
ଉତ୍କଳଦେଶ ସିନ୍ଧୁତଟେ । ନୀଳଗିରି କଳପବଟେ ॥ ୧୦୪
ନୀଳାଚଳରେ ଜଗନ୍ନାଥ । ଅନ୍ତର୍ଦ୍ଧାନରେ ସେ ଗୁପତ ॥ ୧୦୫
ଗଙ୍ଗାରେ ସ୍ରୋତ ନ ବହିବ । ପୋତିଣ ଉତ୍ସର୍ଗ ହୋଇବ ॥ ୧୦୬
ଦେବଦେବୀମାନେ ଯେ ପୁଣ । ସକଳେ ଯିବେ ଅନ୍ତର୍ଦ୍ଧାନ ॥ ୧୦୭
ସକଳ ପୁଣ୍ୟସ୍ଥାନ ମାନ । ତମରେ ହୋଇବ ଗୋପନ ॥ ୧୦୮
ପ୍ରାଣୀ ଅଜ୍ଞାନେ କହୁଥିବେ । ଏଠାରେ ଥିଲେ ପୂର୍ବେ ଦେବେ ॥ ୧୦୯
ଏମନ୍ତ ଦେଖିଣ ଶ୍ରୀହରି । କୀକଟ ନାମେ ଯେ ନଗରୀ ॥ ୧୧୦
ଗୟାରେ ଆଶ୍ରମ ତାହାର । ଅଙ୍ଗିରା ନାମେ ଦ୍ୱିଜବର ॥ ୧୧୧
ସୁଗତି ନାମେ ଯେ ବ୍ରାହ୍ମଣୀ । ତା'ର ଗର୍ଭରେ ତପୋଧନୀ ॥ ୧୧୨
ଧର୍ମରକ୍ଷା ନିମନ୍ତେ କରି । ବଉଦ୍ଧ ରୂପେ ଜାତ ହରି ॥ ୧୧୩
ସେ ବାସୁଦେବ ଚକ୍ରଧାରୀ । ଜନ୍ମିଣ ଯୋଗାରୂଢ ହରି ॥ ୧୧୪
ସ୍ଥାବର ଜଙ୍ଗମ କୀଟରେ । ପୂରି ଯେ ଈଶ୍ୱର ଭାବରେ ॥ ୧୧୫
ସେ ବାସୁଦେବ ନାରାୟଣ । ଅଧର୍ମ ସମୂହ ନାଶିଣ ॥ ୧୧୬
ପ୍ରବର୍ତ୍ତାଇବେ ଧର୍ମ ପୁଣ । ଏକାକ୍ଷର ମନ୍ତ୍ର ଜପିଣ ॥ ୧୧୭
ଯଜ୍ଞାଦି ହିଂସା ଧର୍ମନାସ୍ତି । କରିବେ ପ୍ରଭୁ ଶିରୀପତି ॥ ୧୧୮
ପ୍ରାଣୀଙ୍କି ଜ୍ଞାନମାର୍ଗେ ସ୍ଥାପି । ଏକତ୍ୱ ଭାବେଣ ନିରୋପି ॥ ୧୧୯
ବେଦ ଯେ ଧର୍ମ ଛଡ଼ାଇବେ । ସର୍ବେ ଏକାକାର କରିବେ ॥ ୧୨୦
ଜ୍ଞାନରେ ବିଷ୍ଣୁଙ୍କୁ ଭଜିବେ । ନିର୍ଗୁଣ ମାର୍ଗରେ ରହିବେ ॥ ୧୨୧
କରଣି ନ କରିବେ ପୁଣ । ଏଯେଣୁ ମାୟାର ଭିଆଣ ॥ ୧୨୨
ସେ ଯେ ସମୟମାନଙ୍କରେ । ସିଦ୍ଧାନ୍ତ କ୍ରୟବିକ୍ରୟରେ ॥ ୧୨୩
ସମସ୍ତ ବର୍ଣ୍ଣ ଏକଠାରେ । ବସିଣ ଭକ୍ଷିବେ ସୁଖରେ ॥ ୧୨୪
ବ୍ରାହ୍ମଣ ବେଦକୁ ବିକିବ । କର୍ମେଣ ଜ୍ଞାନଲୋପ ଯିବ ॥ ୧୨୫
କୁଳସ୍ତ୍ରୀ ଅନ୍ୟାୟ କରିବେ । ପରପୁରୁଷେ ମନ ଦେବେ ॥ ୧୨୬
କୁଳଧର୍ମକୁ ନ ରଖିବେ । ବର୍ଣ୍ଣଭେଦକୁ ସେ ଛାଡ଼ିବେ ॥ ୧୨୭
ବେଭାରେ ଜାତିଭେଦ ନାହିଁ । ସମସ୍ତେ ଏକାକାର ହୋଇ ॥ ୧୨୮
ଏ ଭାବେ କଳିଯୁଗ ଶେଷ । ଥିବ ଦଶସସ୍ର ବରଷ ॥ ୧୨୯
ସାଧୁଙ୍କ ଧର୍ମ ରଖିବାରେ । ସମ୍ବଳ ନାମକ ଗ୍ରାମରେ ॥ ୧୩୦
ସେ ଚରାଚର ଗୁରୁଈଶ । ସକଳ ଆତ୍ମାରେ ପ୍ରକାଶ ॥ ୧୩୧
ସାଧୁଜନଙ୍କ ପରିତ୍ରାଣେ । ଜନ୍ମକର୍ମ ମୋକ୍ଷ କାରଣେ ॥ ୧୩୨
ବିଷ୍ଣୁଯଶା ନାମେ ବ୍ରାହ୍ମଣ । ବିଷ୍ଣୁ ଯେ ତା'ର ବୀର୍ଯ୍ୟେ ଜନ୍ମ ॥ ୧୩୩
ଯଶୋବନ୍ତୀ ନାମେ ବ୍ରାହ୍ମଣୀ । ତା' ଗର୍ଭେ ଜନ୍ମ ଚକ୍ରପାଣି ॥ ୧୩୪
କଳ୍କୀ ନାମରେ ଅବତାର । ହୋଇବେ ପରମ ଈଶ୍ୱର ॥ ୧୩୫
ସେ ପୁଣି ସହସ୍ର ବରଷ । ତପଜ୍ଞାନ ଯୋଗେ ପ୍ରବେଶ ॥ ୧୩୬
ସେ ଅନ୍ତେ ଈଶ୍ୱର ପ୍ରସନ୍ନ । ଅଗ୍ନିରୁ ଅଶ୍ୱ ସମର୍ପିଣ ॥ ୧୩୭
ନନ୍ଦକ ନାମେ ଖଡ଼୍ଟ ଦେବ । ଯୋଜନେ ବିସ୍ତାର ହୋଇବ ॥ ୧୩୮
ଖଡ଼୍ଟ ସେ ଧରି ଦେବଦତ୍ତ । ଅଶ୍ୱ ଚଢିବେ ବେଗବନ୍ତ ॥ ୧୩୯
ସେ ଅଶ୍ୱ ଚଢି ଖଡ଼୍ଟ ଘେନି । ଅଷ୍ଟ ଐଶ୍ୱର୍ଯ୍ୟ ରସଦାନୀ ॥ ୧୪୦
ପୃଥ୍ୱୀରେ ବୁଲିବେ ପ୍ରକୋପେ । ମ୍ଳେଚ୍ଛ ନାଶନେ ମହାଦର୍ପେ ॥ ୧୪୧
ରାଜବଂଶରେ ଯେତେ ଦୁଷ୍ଟ । ଖଣ୍ଟ ରାକ୍ଷସ ଯେ ପାପିଷ୍ଠ ॥ ୧୪୨
ମାରିବେ କୋଟିକୋଟି ଧରି । ପୃଥିବୀ ନିକ୍ଷତ୍ରିୟ କରି ॥ ୧୪୩
ଏ ଅନ୍ତେ ସାଧୁଙ୍କୁ ପାଳିବେ । ଯେବା ତାହାଙ୍କୁ ଭଜୁଥିବେ ॥ ୧୪୪
ସତ୍ତ୍ୱଗୁଣରେ ଯେହୁଥିବେ । ସେ ବାସୁଦେବଙ୍କୁ ଦେଖିବେ ॥ ୧୪୫
ସେ ସାଧୁପ୍ରଜାମାନେ ପୁଣ । ବାସୁଦେବସଙ୍ଗ ଲଭିଣ ॥ ୧୪୬
ତା'ଙ୍କ ଅଙ୍ଗବାସନା ଲାଗି । ସର୍ବେ ହୋଇବେ ସୁଖଭାଗୀ ॥ ୧୪୭
ନିର୍ମଳମନା ଯହୁଁ ହେବେ । ସର୍ବେ ସତ୍ତ୍ୱଗୁଣେ ଚଳିବେ ॥ ୧୪୮
ପୁର ନଗର ଗ୍ରାମ୍ୟ ଦେଶ । ହୋଇବେ ଦୁଷ୍ଟମାନେ ନାଶ ॥ ୧୪୯
ସାଧୁ ଉତ୍ତମେ ପ୍ରବର୍ତ୍ତିବେ । ଉତ୍ତମ ଧର୍ମେ ମନ ଦେବେ ॥ ୧୫୦
ଭଗବାନ ବାସୁଦେବଙ୍କୁ । ହୃଦୟେ ଧରିଣ ତାହାଙ୍କୁ ॥ ୧୫୧
ଭଜିବେ ପରମ ପୁରୁଷ । ସର୍ବକଳୁଷ ଯିବ ନାଶ ॥ ୧୫୨
କଳକୀ ଅବତାର ଯେବେ । ସକଳ ଧର୍ମରକ୍ଷା ତେବେ ॥ ୧୫୩
ସେ ସତ୍ତ୍ୱଗୁଣାତ୍ମକ ଭାବେ । ପ୍ରଜାଏ ଜନମ ଲଭିବେ ॥ ୧୫୪
ସତ୍ୟଯୁଗ ଧର୍ମ ହୋଇବ । କଳିଯୁଗ ଧର୍ମ ରହିବ ॥ ୧୫୫
ଯେ କାଳେ ଚନ୍ଦ୍ରସୂର୍ଯ୍ୟ ବେନି । ପୁଷ୍ୟାନକ୍ଷତ୍ର ଗୁରୁ ଘେନି ॥ ୧୫୬
କର୍କଟରାଶି ଏକାବେଳେ । ଆସିବେ ଏ କଥା ଦେଖିଲେ ॥ ୧୫୭
ଜାଣିବ ସତ୍ୟଯୁଗ ଆଦ୍ୟ । ଏଭାବେ ପୁରାଣ ସମ୍ବାଦ ॥ ୧୫୮
ସୋମ ସୂର୍ଯ୍ୟାଦି ବଂଶେ ଯେତେ । ନୃପତି ଥିଲେ ଏ ଜଗତେ ॥ ୧୫୯
ବର୍ତ୍ତମାନରେ ଯେତେ ଛନ୍ତି । ଭବିଷ୍ୟେ ଯେତେକ ନୃପତି ॥ ୧୬୦
ତାହା ତ ସଂକ୍ଷେପି କହିଲୁ । ଏବେ କି ସନ୍ତୋଷ ଲଭିଲୁ ॥ ୧୬୧
ପରୀକ୍ଷିତ ତୋ' ଜନ୍ମଆଦି । ନନ୍ଦରାଜାଭିଷେକାବଧି ॥ ୧୬୨
କଳିଯୁଗର ଭୋଗ ଶେଷ । ଏଗାରଶତ ପଞ୍ଚଦଶ ॥ ୧୬୩
ସପ୍ତଋଷିରୁ ଆଦ୍ୟେ ପୁଣି । ଉଦେ ପୁଲହ କ୍ରତୁ ବେନି ॥ ୧୬୪
ଅଶ୍ୱି ଆଦି ଏ ମଧ୍ୟୁ ଏକ । ତା' ମଧ୍ୟେ ଦିଶଇ ଯେ ଋକ୍ଷ ॥ ୧୬୫
ତହିଁରେ ସପ୍ତଋଷି ଥା'ନ୍ତି । ଶତେବରଷ ସେ ବସନ୍ତି ॥ ୧୬୬
ମଘା ନକ୍ଷତ୍ରେ ସପ୍ତଋଷି । ଅଛନ୍ତି ଏବେ କୁରୁବଂଶୀ ॥ ୧୬୭
ଯେ ଦିନେ କୃଷ୍ଣ ଅବତାର । ତେଜିଲେ ନରକଳେବର ॥ ୧୬୮
ମଘା ନକ୍ଷତ୍ରେ ସପ୍ତଋଷି । ସେ ଦିନ ଉଦୟେ ପ୍ରକାଶି ॥ ୧୬୯
କଳି ପ୍ରବେଶ ସେ ଦିନରେ । ପାପ ପ୍ରବେଶ ପ୍ରାଣୀଙ୍କରେ ॥ ୧୭୦
କୃଷ୍ଣର ପାଦପଦ୍ମ ଚିହ୍ନ । ଥିଲା ପୃଥ୍ୱୀରେ ଯେତେ ଦିନ ॥ ୧୭୧
ସେଦିନ ଯାଏ କଳିଯୁଗ । ପୃଥ୍ୱୀକି ନୋହିଥିଲା ଭୋଗ ॥ ୧୭୨
କୃଷ୍ଣ ବୈକୁଣ୍ଠେ ବିଜେ ଯେଣୁ । ସଂସାରେ ପ୍ରବର୍ତ୍ତିଲା ତେଣୁ ॥ ୧୭୩
ମଘା ନକ୍ଷେତ୍ରେ ସପ୍ତଋଷି । କଳି ଆଦ୍ୟରେ ପରବେଶି ॥ ୧୭୪
ଦେବତାମାନଙ୍କ ବରଷ । ବାରଶ ବରଷରେ ଶେଷ ॥ ୧୭୫
ମନୁଷ୍ୟ ବରଷରେ ଶେଷ । ଚାରିଲକ୍ଷ ସସ୍ର ବତିଶ ॥ ୧୭୬
ସପତଋଷିମାନେ ଯେବେ । ମଘାରୁ ପୂର୍ବାଷାଢେ ଯିବେ ॥ ୧୭୭
ନନ୍ଦ ନାମେ ଯେଦିନୁ ରାଜ । ସେ ଦିନୁ କଳିଯୁଗ ତେଜ ॥ ୧୭୮
ମାଘ ଅମାବାସ୍ୟା ଦିନରେ । କଳିଯୁଗ ଜନ୍ମ ସଂସାରେ ॥ ୧୭୯
ଯେବଣ ଦିନେ ଯେଉଁ କ୍ଷଣ । ଶ୍ରୀକୃଷ୍ଣ ଗଲେ ଅନ୍ତର୍ଦ୍ଧାନ ॥ ୧୮୦
କଳି ପ୍ରବେଶ ତତକ୍ଷଣେ । ବୋଲନ୍ତି ପୁରାବିଦଜନେ ॥ ୧୮୧
ଦେବ ବରଷରେ ସହସ୍ର । ଅନ୍ତେ ସତ୍ୟଯୁଗ ପ୍ରବେଶ ॥ ୧୮୨
ପ୍ରାଣୀଏ ସତ୍ୟ ଯେ କହିବେ । ଆତ୍ମାଜ୍ଞାନରେ ଧ୍ୟାନ ଦେବେ ॥ ୧୮୩
ଏ ମନ୍ୱନ୍ତରେ ମନୁ ଜାତ । ବୈବସ୍ୱତ ନାମ ବିଖ୍ୟାତ ॥ ୧୮୪
ଏହାଙ୍କ ବଂଶରେ ବ୍ରାହ୍ମଣ । କ୍ଷତ୍ରିୟ ବୈଶ୍ୟ ଶୂଦ୍ରଜନ ॥ ୧୮୫
ଏ ଯୁଗେ ଯୁଗେ ହେଉଛନ୍ତି । ଏ ଚାରିଯୁଗେ ଲେଉଟନ୍ତି ॥ ୧୮୬
ଦୁଇଶ ଚଉରାଶୀ ଯୁଗ । ମନ୍ୱନ୍ତର ଗୋଟିକେ ଭୋଗ ॥ ୧୮୭
ବଇବସ୍ୱତ ମନ୍ୱନ୍ତର । ଅଷ୍ଟାବିଂଶ ଗଣ୍ଡା ଯୁଗର ॥ ୧୮୮
ଶତେ ବାର ଯୁଗ ଯେ ଭୋଗ । ଏ ମନ୍ୱାନ୍ତରକୁ ସଂଯୋଗ ॥ ୧୮୯
ଏ ଯୁଗେ ଯେତେ ପ୍ରଜାଜନ । ବୈବସ୍ୱତ ମନୁ ବଂଶେଣ ॥ ୧୯୦
ଏ ସର୍ବ ପୁରୁଷଙ୍କ ଚିହ୍ନ । ନାମ କୀର୍ତ୍ତି ମାତ୍ର ପ୍ରମାଣ ॥ ୧୯୧
ଅବଶେଷେ ରହେ ଧରଣୀ । ଗମନ୍ତି ପାପପୁଣ୍ୟେ ପ୍ରାଣୀ ॥ ୧୯୨
ହୋଇବ ସତ୍ୟଯୁଗ ଯେବେ । ସୋମ ସୂର୍ଯ୍ୟବଂଶ ହୋଇବେ ॥ ୧୯୩
ସୋମବଂଶରେ ରାଜା ପୁଣ । ହୋଇବେ ଯେମନ୍ତ ଭାବେଣ ॥ ୧୯୪
ଦେବାପି ଶାନ୍ତନୁର ଭାଇ । ସୋମ ବଂଶରେ ରାଜା ହୋଇ ॥ ୧୯୫
ସୂର୍ଯ୍ୟବଂଶରେ ଉତପନ୍ନ । ଇକ୍ଷ୍ୱାକୁ ନାମେଣ ରାଜନ ॥ ୧୯୬
ତାହାର ବଂଶେ ମନୁ ଜାତ । ତା' ତହୁଁ ସୂର୍ଯ୍ୟବଂଶ ଖ୍ୟାତ ॥ ୧୯୭
ଏ ଦୁଇବୀର ତପୋବଳେ । ଚିରଞ୍ଜିବୀ ହୋଇ ଶୟଳେ ॥ ୧୯୮
ହେମବନ୍ତ ଉତ୍ତରଭାଗେ । କଳାପ ନାମ ଗ୍ରାମ ଲାଗେ ॥ ୧୯୯
ତପସ୍ୟା ମହାଘୋର କରି । ଥିବେ କଳିଶେଷ ଆବୋରି ॥ ୨୦୦
କଳିର ଅନ୍ତେ କଳ୍କୀରୂପୀ । ଏ ଦୁଇ ରାଜାଙ୍କୁ ନିରୋପି ॥ ୨୦୧
ମରୁକୁ ଅଯୋଧ୍ୟାରେ ଆଣି । ସ୍ଥାପିବେ ପ୍ରଭୁ ଚକ୍ରପାଣି ॥ ୨୦୨
ଦେବାପି ହସ୍ତିନା ନଗରେ । ସ୍ଥାପିବେ ଯୁଗ ଅନୁସାରେ ॥ ୨୦୩
ସେ ବାସୁଦେବ ଆଜ୍ଞାଧରି । ସତ୍ତ୍ୱଗୁଣରେ ପ୍ରଜା ପାଳି ॥ ୨୦୪
ସତ୍ତ୍ୱଗୁଣକୁ ସେ ବିସ୍ତାରି । ବର୍ଣ୍ଣଧର୍ମମାନ ପ୍ରଚରି ॥ ୨୦୫
ସତ୍ୟ ତ୍ରେତା ଦ୍ୱାପର କଳି । ଏ କ୍ରମେ ଚାରିଯୁଗ ଚଳି ॥ ୨୦୬
ପୃଥ୍ୱୀରେ ପ୍ରାଣୀଙ୍କ ବେଭାରେ । ପ୍ରବର୍ତ୍ତ କରିବେ ଆଚାରେ ॥ ୨୦୭
ଏ ଭାବେ ଆତଯାତ ହୋଇ । ମନ୍ୱନ୍ତର ଭୋଗ ସରଇ ॥ ୨୦୮
ବ୍ରହ୍ମାଙ୍କ ଏକଘଡ଼ି ଜାଣ । ଏଭାବେ ଚଉଦ ମନ୍ୱେଣ ॥ ୨୦୯
ଚତୁର୍ଦ୍ଦଶ ଘଡ଼ିରେ ଦିନ । ବ୍ରହ୍ମାଙ୍କୁ ହୁଅଇ ମଧ୍ୟାହ୍ନ ॥ ୨୧୦
ସନ୍ଧ୍ୟାରେ ଏକଘଡ଼ି ଯାଇ । ଏହି ପ୍ରମାଣେ ରାତ୍ର ହୋଇ ॥ ୨୧୧
ଏହା ପୁରାଣରେ ବର୍ଣ୍ଣନ । ଦେବତା ମନୁଷ୍ୟେ ଗଣନ ॥ ୨୧୨
ସମର୍ଥ ଭାବରେ ପୃଥିବୀ । ମୋହର ବୋଲି ଲୋଭେ ସେବି ॥ ୨୧୩
ରାଜାଏ କାଳେ ନାଶ ଗଲେ । କଥାମାତ୍ରକ ରୁହାଇଲେ ॥ ୨୧୪
ଏ ଦେହ ବିଷ୍ଠା ଭସ୍ମ କୃମି । ମାୟାବଳରେ ବ୍ୟର୍ଥେ ଭ୍ରମି ॥ ୨୧୫
ସଙ୍ଗତେ ଏ ଭୂମି ନ ନେଲେ । ପୃଥ୍ୱୀରେ ବଡ଼ ବଡ଼ ଥିଲେ ॥ ୨୧୬
ଅନିତ୍ୟ ଶରୀରକୁ ବହି । ପ୍ରାଣୀଙ୍କ ଦ୍ରୋହ ଯେ ଚିନ୍ତଇ ॥ ୨୧୭
ମାୟା ଶରୀରେ ଗର୍ବ ବହି । ଆଜ୍ଞାନେ ଯାତନା ସଞ୍ଚଇ ॥ ୨୧୮
ନରକ ଭୋଗ ସେ କରଇ । କୃମି ଚଣ୍ଡାଳ କୋଳ ହୋଇ ॥ ୨୧୯
ସେ ବିଷ୍ଣୁମାୟାରେ ମୋହିତ । ହୋଇଣ ପ୍ରାଣୀ ଉନମତ୍ତ ॥ ୨୨୦
ଏ ପୃଥ୍ୱୀ ଅଖଣ୍ଡିତ ହୋଇ । କେମନ୍ତେ ମୋତେ ପ୍ରାପ୍ତ ହୋଇ ॥ ୨୨୧
ମୋ' ପୂର୍ବପୁରୁଷ ସେମାନେ । ଏ ଭୂମି ଭୂଞ୍ଜି ସୁଖମନେ ॥ ୨୨୨
ମୋହର ପୁତ୍ରପୌତ୍ରମାନେ । କେମନ୍ତେ ଭୁଞ୍ଜିବେ ଅବିଘ୍ନେ ॥ ୨୨୩
କରିବେ ଅଖଣ୍ଡିତ ଭୋଗ । ଏମନ୍ତ ବିଚାରି ସଂଯୋଗ ॥ ୨୨୪
ମମତ୍ୱ ମାୟାବଦ୍ଧ ହୋଇ । ଆତ୍ମା ଉଦ୍ଧରି ନ ପାରଇ ॥ ୨୨୫
ସ୍ତ୍ରୀ ପୁତ୍ର କୁଟୁମ୍ବାଦି କରି । ମୋହର ବୋଲିଣ ବିଚାରି ॥ ୨୨୬
ମୋହ ତ୍ରିଗୁଣ ରଜ୍ଜୁପାଶ । ବନ୍ଧନ କରିଅଛି ବିଶ୍ୱ ॥ ୨୨୭
ଅନ୍ତେ ଯେ କାଳବଶ ହୋଇ । ସବୁ ଛାଡ଼ିଣ ଚଳିଯାଇ ॥ ୨୨୮
ଏକଥା ମିଥ୍ୟା କରି ଜାଣ । ପାପ ପୁଣ୍ୟକୁ ଅବଧାନ ॥ ୨୨୯
ଯେ ରାଜାମାନେ ପୂର୍ବେ ଥିଲେ । ପୃଥିବୀ ଭୋଗକଲେ ବଳେ ॥ ୨୩୦
ସେ ପୁଣି କାଳବଶେ ନାଶ । କଥା ରହିଲା ଅବଶେଷ ॥ ୨୩୧
ପୁଣି କଳ୍ପକେ ଯାଏ କ୍ଷୟ । ଏମନ୍ତେ ବିଷ୍ଣୁ-ମାୟାମୋହ ॥ ୨୩୨
କହଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୨୩୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱାଦଶସ୍କନ୍ଧେ ଦ୍ୱିତୀୟୋଦ୍ଧଧ୍ୟାୟଃ ॥
* * *