ଦ୍ୱାଦଶ ସ୍କନ୍ଧ
ପ୍ରଥମ ଅଧ୍ୟାୟ
ନମଇଁ ନରନାରାୟଣ । ଜ୍ୟୋତିସ୍ୱରୂପ ଭଗବାନ ॥ ୧
ବୈକୁଣ୍ଠ ପୁରୁଷ ପୁରାଣ । ଅଖିଳ ପତିତ ପାବନ ॥ ୨
ଯାହାର ଆଦି ଅନ୍ତ ନାହିଁ । ବେଦ ଯା' ମହିମା ନ ପାଇ ॥ ୩
ନମଇଁ ପ୍ରଭୁ ଭାବଗ୍ରାହୀ । ଭକତ ହିତେ ଦେହ ବହି ॥ ୪
ମତ୍ସ୍ୟ କୁରୂମ ଯେ ବରାହ । ନୃସିଂହ ରୂପେ ଦେହ ବହ ॥ ୫
ବାମନ ପର୍ଶୁରାମ ରାମ । ହଳୀ ଯେ ବୁଦ୍ଧ କଲ୍କୀ ନାମ ॥ ୬
ଏମନ୍ତେ ନାନା ଅବତାର । ଖଣ୍ଡିଲ ଅବନୀର ଭାର ॥ ୭
ଜୟ ମଙ୍ଗଳ ହେ ଈଶ୍ୱର । ମହିମା ନ ଜାଣେ ଈଶ୍ୱର ॥ ୮
ବ୍ରହ୍ମା ଯେ ନ ପାଇଲା ଅନ୍ତ । ନମସ୍ତେ ପୁରୁଷ ଅବ୍ୟକ୍ତ ॥ ୯
ଅନନ୍ତ ନିର୍ମଳ ପ୍ରକାଶ । ପରମଜ୍ୟୋତି ରବି ତ୍ରାସ ॥ ୧୦
ନମସ୍ତେ ହେ ଭକ୍ତବତ୍ସଳ । ଅନାଦି ଆଦି ବିଶ୍ୱମୂଳ ॥ ୧୧
ହେ ଜଗନ୍ନାଥ ଜଗଦ୍ଭୁତ । ସୃଷ୍ଟିପାଳକ ହେ ଅଚ୍ୟୁତ ॥ ୧୨
ନମଇଁ ଜୟ ବିଶ୍ୱଦେହ । ପ୍ରାଣୀଙ୍କ ସର୍ବପାପ ଦହ ॥ ୧୩
ନିର୍ଗୁଣ ନିରଞ୍ଜନ ରୂପ । ତୁ ପଞ୍ଚଭୂତର ସ୍ୱରୂପ ॥ ୧୪
ନମଇଁ ଜୟ କୃଷ୍ଣଶ୍ୟାମ । ସକଳଭୂତେ ଆତ୍ମାରାମ ॥ ୧୫
ନମଇଁ ପତିତପାବନ । କୃପାବାରିଧି ଭଗବାନ ॥ ୧୬
ନମଇଁ ଗୋପୀପ୍ରାଣପତି । ଶ୍ରୀ ବାସୁଦେବ ଜଗତ୍ଜ୍ୟୋତି ॥ ୧୭
ଜୟ ଗୋପୀଜନବଲ୍ଲଭ । ସକଳ ପ୍ରାଣୀଙ୍କ ସୁଲଭ ॥ ୧୮
ନମଇଁ ନରନାରାୟଣ । ବ୍ରହ୍ମସ୍ୱରୂପ ଯେ ନିର୍ଗୁଣ ॥ ୧୯
ନିର୍ମଳ ଜ୍ୟୋତି ରୂପ ପ୍ରଭା । ବଦ୍ରିକା ଆଶ୍ରମେ ତୋ' ଶୋଭା ॥ ୨୦
ହେ ନାରାୟଣ ନରଋଷି । ମହିମା କେ କହୁଁ ବିଶେଷି ॥ ୨୧
ମହିମା ତୋହର ଅନନ୍ତ । ନମସ୍ତେ ବ୍ରହ୍ମଭାଗବତ ॥ ୨୨
ଶିରେ କପିଳ ଜଟାଭାର । ତେଜ ବିରାଜେ ଦିବାକର ॥ ୨୩
ମୂର୍ତ୍ତିର ଗର୍ଭେ ଦେହବହି । ଧର୍ମର ବୀର୍ଯ୍ୟେ ଜନ୍ମ ହୋଇ ॥ ୨୪
ଭାରତବରଷରେ ପୁଣି । ତୁ ଇଷ୍ଟଦେବତା କାରେଣି ॥ ୨୫
ଅଖିଳ-ଲୋକ-ପୂଜ୍ୟ ତୁହି । ତୋ ନାମ ଅନ୍ତେ ଯେ ଧରଇ ॥ ୨୬
ସକଳ ପାପ କ୍ଷୟ ଯାଇ । ବୈକୁଣ୍ଠପଦ ସେ ଲଭଇ ॥ ୨୭
ଚତୁରାକ୍ଷର ନାମ ତୋ'ର । ମୁଖେ ଉଚ୍ଚାରି ଅଜାମିଳ ॥ ୨୮
ସକଳ ପାପରୁ ତରିଲେ । ତୋ' ଦୂତେ ବୈକୁଣ୍ଠକୁ ନେଲେ ॥ ୨୯
ସେ ନାରାୟଣ ପାଦେ ମୁହିଁ । ଶରଣ ପଶି ଯେ ଅଛଇ ॥ ୩୦
ଦ୍ୱାଦଶ ସ୍କନ୍ଧ ଭାଗବତ । ତ୍ରୟୋଦଶ ଅଧ୍ୟା ନିର୍ମିତ ॥ ୩୧
ଜଗନ୍ନାଥ ଦାସ ପ୍ରକାଶ । କରିତେ ଲୋଡ଼ୁଅଛି ଆଶ ॥ ୩୨
ନାମ ମୋହର ମହାଦେବ । ବିପ୍ରର କୁଳେ ମୁଁ ସମ୍ଭବ ॥ ୩୩
କୃଷ୍ଣସଙ୍ଗତେ ଜଗନ୍ନାଥ । ଚଳିଲେ ଗୋଲକ ଯେ ପଥ ॥ ୩୪
ମୁଁ ଏହା କରଇ ବିଚାର । ପୁରାଣ ଅଷ୍ଟାଦଶ ସାର ॥ ୩୫
ଦ୍ୱାଦଶ ଅଧ୍ୟା ତ୍ରୟୋଦଶ । ଯେମନ୍ତ ହୋଇବ ପ୍ରକାଶ ॥ ୩୬
ପୁରାଣମାନଙ୍କୁ ଉଦ୍ଧାରି । ଶୁକ ଯା କହିଲେ ବିଚାରି ॥ ୩୭
ଭବିଷ୍ୟେ ରାଜାମାନ ଯେତେ । କରିବେ ଭୋଗ ଏ ଜଗତେ ॥ ୩୮
ଶୌନକ କହେ ତୋଷମନେ । ସୂତଙ୍କୁ ବିନୟ ବଚନେ ॥ ୩୯
ଶୌନକ ଉବାଚ
କହ ସେ କଳିଯୁଗ ଗତି । ଭୂତ ଭବିଷ୍ୟେ ଯେ ନୃପତି ॥ ୪୦
କେବା କେମନ୍ତ ଭୋଗ କଲା । କି ରୂପ କଳି ବିଶ୍ରାମିଲା ॥ ୪୧
ଏ ଆଦି ଯେବଣ ଚରିତ । କହ ସେ ସୂତ ତପୋବନ୍ତ ॥ ୪୨
ସୂତ ଯେ କହନ୍ତି ଆନନ୍ଦେ । ଚିତ୍ତ ନିବେଶି କୃଷ୍ଣପାଦେ ॥ ୪୩
ନୈମିଷାରଣ୍ୟ ଯଜ୍ଞସ୍ଥାନେ । ମୋ ପିତା ରୋମହରଷଣେ ॥ ୪୪
ସୂତ ପୌରାଣିକ ତା ନାମ । କହିଲେ ଭାଗବତ ଧର୍ମ ॥ ୪୫
ଶୁକଦେବ ଯେ ମହାମୁନି । ପରୀକ୍ଷିତର ଭକ୍ତି ଘେନି ॥ ୪୬
କହିଲେ ଭାଗବତ ରସ । ପିତା ମୋ ଶୁଣି ଉପଦେଶ ॥ ୪୭
ତାହାଙ୍କ ତହୁଁ ଶୁଣି ମୁହିଁ । ତୁମ୍ଭ ଆଗରେ କହିଲଇଁ ॥ ୪୮
ବର୍ତ୍ତମାନ ନନ୍ଦରାଜନ । ଭବିଷ୍ୟେ ପୁରଞ୍ଜୟ ନାମ ॥ ୪୯
କଳିଯୁଗ ଆଦ୍ୟ ପ୍ରବେଶ । ଯୁଧିଷ୍ଠି ଛତିଶ ବରଷ ॥ ୫୦
ପାଳିଣ ପଞ୍ଚଦେଶ ସୀମା । ଶୁଣିତ ଅଛ ଏ ମହିମା ॥ ୫୧
ପରୀକ୍ଷିତକୁ ରାଜ୍ୟ ଦେଇ । ହିମାଳେ ଗଲେ ପାଞ୍ଚଭାଇ ॥ ୫୨
ଏକଷଠି ବରଷ ପୁଣ । ପରୀକ୍ଷ ହୋଇଲେ ରାଜନ ॥ ୫୩
ସେ ପୁଣି ବ୍ରହ୍ମଶାପ ଫଳେ । ଭସ୍ମ ତକ୍ଷକ ବିଷଜ୍ୱାଳେ ॥ ୫୪
ତା ସୁତ ଜନ୍ମେଜୟ ପୁଣ । ସର୍ପଯଜ୍ଞ ପିତା ଛଳେଣ ॥ ୫୫
ଶତେବରଷ ରାଜପଣ । ତା' ସୁତ ଶତାନୀକ ଜାଣ ॥ ୫୬
ନଉ ବରଷ ସେ ରାଜତ୍ୱ । ତା' ସୁତ ଅଶ୍ୱମେଧ ବୃତ୍ତ ॥ ୫୭
ଅଶୀ ବରଷ ରାଜା ଏକ । ତା' ସୁତ ହୋଇଲା ରାଜକ ॥ ୫୮
ପଞ୍ଚସ୍ତରୀ ବରଷ ରାଜା । ହୋଇ ପାଳିଲେ ଜନପ୍ରଜା ॥ ୫୯
ଦେବଳ ତାହାର ତନୟେ । ସତୁରିବର୍ଷ ରାଜା ହୋଏ ॥ ୬୦
ତା'ର ତନୟ ସୁପାରୁଶ । ପଞ୍ଚଷଠି ବର୍ଷ ଆୟୁଷ ॥ ୬୧
ତା' ସୁତ ଅଜ ଯେ ପାରୁଶ । ପଞ୍ଚପଞ୍ଚାଶ ପାଳେ ଦେଶ ॥ ୬୨
ଶମୀକ ତାହାର ତନୟ । ପଞ୍ଚାଶ ବରଷ ସେ ରାୟ ॥ ୬୩
ସୁବଳ ତାହାର ତନୟେ । ପଞ୍ଚଚାଳିଶ ରାଜା ହୋଏ ॥ ୬୪
ତା'ର ତନୟ ଦେବଭାଗ । ଚାଳିଷ ବରଷ ସେ ଭୋଗ ॥ ୬୫
ଦେବକ ତାହାର ସନ୍ତତି । ପଞ୍ଚତିରିଶ ଭୋଗ ପୃଥ୍ୱୀ ॥ ୬୬
ତା' ସୁତ ଅଜକର୍ଣ୍ଣ ନାମ । ପଞ୍ଚତିରିଶ ସେ ରାଜନ ॥ ୬୭
ଶ୍ୟାମ ଯେ ତାହାର ସନ୍ତତି । ତିରିଶ ବରଷ ନୃପତି ॥ ୬୮
ତା' ସୁତ ମେଘଶାନ୍ତି ହେଲେ । ଅଠତିରିଶ ଭୋଗକଲେ ॥ ୬୯
ତା' ସୁତ ବିଖ୍ୟାତ ଯେ ନାମ । ପଞ୍ଚତିରିଶ ସେ ରାଜନ ॥ ୭୦
ଶୋଭିତ ତାହାର ସନ୍ତତି । ତିରିଶ ବର୍ଷ କ୍ଷିତିପତି ॥ ୭୧
ତା' ସୁତ ମହାବଳ ରାଜା । ସୁଖେ ପାଳଇ ଜନ ପ୍ରଜା ॥ ୭୨
ଚାଳିଶ ବରଷ ସେ ହୋଇ । ଏଠାରୁ ସୋମବଂଶ ରହି ॥ ୭୩
ଯୁଧିଷ୍ଠି ଆଦି ଊନବିଂଶ । ସହସ୍ରେ ଏକଦଶ ବର୍ଷ ॥ ୭୪
ପରୀକ୍ଷ ଆଦି ଅଷ୍ଟାଦଶ । ପାଳିଲେ ରାଜା ହୋଇ ଦେଶ ॥ ୭୫
ପୂର୍ବେ ସୋମବଂଶରେ ଜାତ । ଇନ୍ଦ୍ରଶେଖର ନରନାଥ ॥ ୭୬
ଗଙ୍ଗାତୀରରେ ବିଦ୍ୟମାନ । ପାଟଳୀ ନଗ୍ରତା'ର ନାମ ॥ ୭୭
ବିଂଶ ବରଷ ରାଜା ହୋଇ । ଆନନ୍ଦେ ରାଜ୍ୟ ସେ ପାଳଇ ॥ ୭୮
ତା ସୁତ ଶୂର ଯେ ଅଟଇ । ଅଷ୍ଟାଦଶ ବରଷ ହୋଇ ॥ ୭୯
ଶୌର ଯେ ତାହାର ତନୟେ । ଷୋଳ ବରଷ ରାଜା ହୋଏ ॥ ୮୦
ପଦ୍ମ ଯେ ତାହାର ସନ୍ତତି । ଅଠର ବର୍ଷ ରାଜା କ୍ଷିତି ॥ ୮୧
ମହାପଦ୍ମ ତା'ର ତନୟେ । ସପ୍ତ ବରଷ ରାଜା ହୋଏ ॥ ୮୨
ନନ୍ଦ ଯେ ତାହାର କୁମର । ପଞ୍ଚଦଶ ଏ ନୃପବର ॥ ୮୩
ଏ ଷଟ ପୁରୁଷ ରାଜନ । ଶତେ ପାଞ୍ଚ ବରଷ ପୁଣ ॥ ୮୪
ଏମନ୍ତେ ପଞ୍ଚବିଂଶ ରାଜା । ପାଳିଲେ ଏ ଜନ ପରଜା ॥ ୮୫
ଏଗାରଶତ ପଞ୍ଚଦଶ । ଏଠାରୁ ଶୁଣ ହେ ଭବିଷ୍ୟ ॥ ୮୬
ଶୁକ ଉବାଚ
ମଗଧ ଦେଶରେ ପ୍ରକାଶ । ବୃହଦ୍ରଥ ରାଜାର ବଂଶ ॥ ୮୭
ପୁରଞ୍ଜୟ ନାମେ ରାଜନ । ହୋଇବ କିଛିଦିନ ପୁଣ ॥ ୮୮
ତା ମନ୍ତ୍ରୀ ଶୁନକ ବ୍ରାହ୍ମଣ । ସେ ପୁରଞ୍ଜୟକୁ ମାରିଣ ॥ ୮୯
ଆପଣା ସୁତକୁ ସ୍ଥାପିବ । ବଳେ ପୃଥିବୀ ଆକର୍ଷିବ ॥ ୯୦
ତାହାର ନାମ ଯେ ପ୍ରଦ୍ୟୋତ । ପାଳକ ତା'ର ନିଜ ପୁତ୍ର ॥ ୯୧
ବିଶାଖଯୂପ ତା' କୁମର । ରାଜକ ଜନ୍ମ ତା' ବୀର୍ଯ୍ୟର ॥ ୯୨
ନନ୍ଦିବର୍ଦ୍ଧନ ତା' ତନୟେ । ପଞ୍ଚପୁରୁଷ ରାଜା ହୋଏ ॥ ୯୩
ଶଏ ଅଠତ୍ରିଂଶ ବରଷ । ପାଳିବେ ରାଜାପଣେ ଦେଶ ॥ ୯୪
ନନ୍ଦିବର୍ଦ୍ଧନ ମନ୍ତ୍ରୀ ନାମ । ଶିଶୁନାଗ ତା' ନାମ ପୁଣ ॥ ୯୫
ନନ୍ଦିବର୍ଦ୍ଧନକୁ ସେ ମାରି । ମନ୍ତ୍ରୀ ହୋଇବ ଦଣ୍ଡଧାରୀ ॥ ୯୬
ତଦନ୍ତେ ରାଜା ଶିଶୁନାଗ । ପୃଥିବୀ କରିବ ସେ ଭୋଗ ॥ ୯୭
ତା' ସୁତ କାକବର୍ଣ୍ଣ ନାମ । ତା ପୁତ୍ର କ୍ଷେମଧର୍ମା ଜାଣ ॥ ୯୮
କ୍ଷେତ୍ରଜ୍ଞ ଅଟେ ତା'ର ସୁତ । ତାହାର ବିଧିସାର ପୁତ୍ର ॥ ୯୯
ଅଜାତଶତ୍ରୁ ତା' କୁମର । ଦର୍ଭକ ତାହାର ବୀର୍ଯ୍ୟର ॥ ୧୦୦
ଦର୍ଭକ ବୀର୍ଯ୍ୟରୁ ତନୟ । ପ୍ରକାଶ ନାମ ତା' ଅଜୟ ॥ ୧୦୧
ନନ୍ଦିବର୍ଦ୍ଧନ ତା'ର ସୁତ । ମହାନନ୍ଦି ତହୁଁ ସମ୍ଭୂତ ॥ ୧୦୨
ଶିଶୁନାଗମନ୍ତ୍ରୀ ବଂଶରେ । ଦଶପୁରୁଷ ରାଜ୍ୟ କରେ ॥ ୧୦୩
ତିନିଶ ଷାଟିଏ ବରଷ । ପାଳିବେ ଆର୍ଯ୍ୟାବର୍ତ୍ତ ଦେଶ ॥ ୧୦୪
ସେହି ମହାନନ୍ଦି ରାଜାର । ଶୂଦ୍ରା ଭାରିଯା ହେବେ ତା'ର ॥ ୧୦୫
ତା' ଗର୍ଭୁ ହୋଇବ କୁମର । ନନ୍ଦ ନାମ ଯେ ହେବ ତା'ର ॥ ୧୦୬
ମହାପଦ୍ମପତି ନାମରେ । ରାଜା ହୋଇବ ବାହୁବଳେ ॥ ୧୦୭
ସଇନି ହୋଇବେ ଅପାର । ଯୁଦ୍ଧେ ହୋଇବ ମହାମଲ୍ଲ ॥ ୧୦୮
ସକଳ କ୍ଷତ୍ରିୟ ବିନାଶ । ସେ ରାଜା କରିବ ଅବଶ୍ୟ ॥ ୧୦୯
ଏହାର ପରେ ହେବେ ପୁଣ । ଅପରେ ଯେତେକ ରାଜନ ॥ ୧୧୦
ଶୂଦ୍ରେ ହୋଇବେ ସବୁରାଜା । ଅଧର୍ମେ ପାଳିବେ ପରଜା ॥ ୧୧୧
ଅଧାର୍ମିକ ପଣେ ରାଜନ । କରିବେ ପରଜା କଷଣ ॥ ୧୧୨
ଅଳପଦିନେ ନାଶ ଯିବେ । ସେ ରାଜା ବଡ଼ ବୋଲାଇବେ ॥ ୧୧୩
ଏକଛତ୍ରନନ୍ଦ ରାଜନ । ପୃଥିବୀ କରିବ ଶାସନ ॥ ୧୧୪
ସୂର୍ଯ୍ୟର ପ୍ରାୟ ବିଦ୍ୟମାନ । ଦ୍ୱିତୀୟ ପର୍ଶୁରାମ ସମ ॥ ୧୧୫
ସର୍ବାଧିକାରୀ ରାଜା ହୋଇ । ପାଳନ କରିବ ସେ ମହୀ ॥ ୧୧୬
ନନ୍ଦର ଅଷ୍ଟସୁତ ହୋଇ । ସୁମାଲ୍ୟ ଆଦି ଅଷ୍ଟଭାଇ ॥ ୧୧୭
ନନ୍ଦ ଯେ ମୃଗୟା ଗମନେ । ପଶିବ ଗହନ କାନନେ ॥ ୧୧୮
ଶତେ ବରଷ ପୃଥ୍ୱୀପତି । ହୋଇ ପାଳିବେ ବସୁମତୀ ॥ ୧୧୯
ଚାଣକ୍ୟ ନାମରେ ବ୍ରାହ୍ମଣ । ତାହାକୁ କରିବ ନିଧନ ॥ ୧୨୦
ତାହାଙ୍କ ଅଭାବରେ ପୁଣ । ମଉର୍ଯ୍ୟ ହୋଇବ ରାଜନ ॥ ୧୨୧
ଚାଣକ୍ୟ ସାହାଯ୍ୟରେ ପୁଣ । ଚନ୍ଦ୍ରଗୁପ୍ତ ହେବ ରାଜନ ॥ ୧୨୨
ତାହାକୁ ଅଭିଷେକ କରି । ବାରିସାର ପୁତ୍ର ଏହାରି ॥ ୧୨୩
ତା' ସୁତ ଅଶୋକବର୍ଦ୍ଧନ । ସୁଯଶା ତାହାର ନନ୍ଦନ ॥ ୧୨୪
ତା' ପୁତ୍ର ନାମ ଯେ ସଙ୍ଗତ । ଶାଳିଶୂକ ନାମେ ତା' ସୁତ ॥ ୧୨୫
ତା' ସୁତ ନାମ ସୋମଶର୍ମା । ତା' ସୁତ ହେବ ଶତଧନ୍ୱା ॥ ୧୨୬
ବୃହଦ୍ରଥ ଯେ ତା' ତନୟେ । ତା' ପୁତ୍ର ଦେବମିତ୍ର ହୋଏ ॥ ୧୨୭
ଭୋଗ ଯେ ଏ ଦଶ ପୁରୁଷ । ବରଷ ଶଏସପ୍ତତ୍ରିଂଶ ॥ ୧୨୮
ବୃହଦ୍ରଥର ସେନାପତି । ପୁଷ୍ପମିତ୍ର ନାମେ ବିଖ୍ୟାତି ॥ ୧୨୯
ରାଜାକୁ ମାରି ରାଜା ହେବ । ଶୁଙ୍ଗ ବଂଶରେ ତା' ସମ୍ଭବ ॥ ୧୩୦
ପୁଷ୍ପମିତ୍ରଜ ଅଗ୍ନିମିତ୍ର । ସୁଜ୍ୟେଷ୍ଠ ନାମେ ତା'ର ପୁତ୍ର ॥ ୧୩୧
ବସୁମିତ୍ର ଯେ ସୁତ ତା'ର । ଭଦ୍ରକ ତାହାର କୁମର ॥ ୧୩୨
ପୁଳିନ୍ଦ ତାହାର ତନୟେ । ଘୋଷ ତା ତହୁଁ ଜାତ ହୋଏ ॥ ୧୩୩
ତା' ପୁତ୍ର ହେବ ବଜ୍ରମିତ୍ର । ଭାଗବତ ଯେ ତା'ର ପୁତ୍ର ॥ ୧୩୪
ତା' ସୁତ ହେବ ଦେବଭୂତି । ଶୁଙ୍ଗବଂଶେ ଦଶ ଉତ୍ପ୍ତ୍ତି ॥ ୧୩୫
ଏ ଶଏଦ୍ୱାଦଶ ବରଷ । ରାଜାପଣରେ ଭୋଗ ଶେଷ ॥ ୧୩୬
ଦେବଭୂତି ରାଜାର ମନ୍ତ୍ରୀ । କଣ୍ୱ ନାମରେ ତା' ବିଖ୍ୟାତି ॥ ୧୩୭
ରାଜାକୁ ମାରି କଣ୍ୱ ରାଜା । ହୋଇ ସେ ପାଳିବ ପରଜା ॥ ୧୩୮
ତା' ସୁତ ବସୁଦେବ ନାମ । ଭୂମିତ୍ର ତାହାର ନନ୍ଦନ ॥ ୧୩୯
ତା' ସୁତ ନାମ ନାରାୟଣ । ସୁର୍ଶମା ଏହାର ନନ୍ଦନ ॥ ୧୪୦
ଏ କଣ୍ୱ ପାଞ୍ଚଜଣେ ଯୋଗ । ତିନିଶ ପାଞ୍ଚାଳିଶ ଭୋଗ ॥ ୧୪୧
ସୁଶର୍ମା ନାମେ ରାଜ୍ୟ ଏକ । ବୃଷଳ ତାହାର ସେବକ ॥ ୧୪୨
ସେ ଆନ୍ଧ୍ରଜାତି ଶୂଦ୍ରାଧମ । ରାଜାକୁ ମାରିଣ ରାଜନ ॥ ୧୪୩
ତା' ଅନ୍ତେ ଭାଇ କୃଷ୍ଣ ନାମ । ରାଜା ହୋଇବ ବିଦ୍ୟମାନ ॥ ୧୪୪
ଶ୍ରୀକାନ୍ତକର୍ଣ୍ଣ ତାର ସୁତ । ପୌର୍ଣ୍ଣମାସ ତା' ତହୁଁ ଜାତ ॥ ୧୪୫
ତା' ସୁତ ନାମ ଲମ୍ବୋଦର । ଚିବିଳକ ଯେ ତା' କୁମର ॥ ୧୪୬
ତା' ପୁତ୍ର ନାମ ମେଘସ୍ୱାତି । ଅଟମାନ ତା'ର ସନ୍ତତି ॥ ୧୪୭
ଅନିଷ୍ଠକର୍ମା ତା'ର ପୁଅ । ତା' ପୁତ୍ର ନାମ ଯେ ହାଳେୟ ॥ ୧୪୮
ତଳକ ତା'ର ହେବ ସୁତ । ପୁରୁଷଭୀରୁ ତା'ର ପୁତ୍ର ॥ ୧୪୯
ସୁନନ୍ଦନ ଯେ ତା' କୁମର । ତା' ସୁତ ନାମ ଯେ ଚକୋର ॥ ୧୫୦
ବଟକ ତାହାର ସନ୍ତତି । ତା' ସୁତ ନାମ ଶିବସ୍ୱାତି ॥ ୧୫୧
ତା' ସୁତ ନାମ ଯେ ଗୋମତି । ପୁରୀମାନ ତା'ର ସନ୍ତତି ॥ ୧୫୨
ତା' ସୁତ ନାମ ମେଦଶିର । ତା' ସୁତ ଶିବସ୍କନ୍ଧ ବୀର ॥ ୧୫୩
ଯଜ୍ଞଶ୍ରୀ ପୁତ୍ର ନାମ ତା'ର । ବିଜୟ ତାହାର କୁମର ॥ ୧୫୪
ଚନ୍ଦ୍ରବିଜ୍ଞ ତା'ର ସନ୍ତତି । ତା' ଭ୍ରାତା ନାମ ଯେ ଲୋମଧି ॥ ୧୫୫
ଆନନ୍ଦେ ତିରିଶ ପୁରୁଷ । ଚାରିଶ ଛପନ ବରଷ ॥ ୧୫୬
ଏଥୁ ଅନ୍ତରେ କଥା ଶୁଣ । ଅବଭୃତି ନଗରେ ପୁଣ ॥ ୧୫୭
ସପ୍ତ ଆଭୀର ରାଜା ହେବେ । ଦଶ ଗର୍ଦ୍ଧଭୀ ଏହି ଭାବେ ॥ ୧୫୮
ଷୋଡ଼ଶ କଙ୍କ ଏଥି ପରେ । ରାଜା ହୋଇବେ ଏ ସଂସାରେ ॥ ୧୫୯
ଧର୍ମାର୍ଥପଣ ନ କରିବେ । ଅଧର୍ମ ମାର୍ଗେ ଦିନ ନେବେ ॥ ୧୬୦
ଅତ୍ୟନ୍ତ ଲୋଭଗ୍ରସ୍ତ ହେବେ । ପ୍ରଜାଙ୍କୁ ଅତିଦୁଃଖ ଦେବେ ॥ ୧୬୧
ମ୍ଳେଛ ଆଚାର ତା'ଙ୍କ କର୍ମ । ସଂସାରେ ନ ସ୍ଥାପିବେ ଧର୍ମ ॥ ୧୬୨
ଏ ଯେଣୁ ମେଳଛ ହୋଇବେ । ମ୍ଳେଛେ ଯେ ଭୂମି ଆକର୍ଷିବେ ॥ ୧୬୩
ଏ ଅନ୍ତେ ହୋଇବେ ଯବନ । ଆଠପୁରୁଷ ସେ ରାଜନ ॥ ୧୬୪
ଚଉଦପୁରୁଷ ତୁରସ୍କ । ରାଜାପଣେ ସେ ଅଭିଷେକ ॥ ୧୬୫
ଏ ଅନ୍ତେ ଗୁରୁଣ୍ଡକ ବଂଶ । ହୋଇବେ ସେ ଦଶପୁରୁଷ ॥ ୧୬୬
ଏଣୁ ସକଳ ଧର୍ମ ଯିବ । ବର୍ଣ୍ଣ ଆଚାର ନ ରହିବ ॥ ୧୬୭
ଏ ଅନ୍ତେ ମଉନ ମୋଗଲ । ପୃଥ୍ୱୀକୀ ହୋଇବେ ସେ ଶଲ ॥ ୧୬୮
ଏଗାର ପୁରୁଷ ରାଜନ । ହୋଇବେ ମୋଗଲ ବଂଶେଣ ॥ ୧୬୯
ରାଜା ହୋଇବେ ସର୍ବଦେଶ । ଇନ୍ଦ୍ରପ୍ରସ୍ଥରେ ସେ ପ୍ରକାଶ ॥ ୧୭୦
ଖୁରୁଷାଣି ଜନମ ଆଦି । ଚାରିଜାତିରେ ସେ ପ୍ରସିଦ୍ଧି ॥ ୧୭୧
ଛୟାଳିଶ ପୁରୁଷେ ପୁଣ । ଏଗାରଶତ ଏକ ଊନ ॥ ୧୭୨
ଏମନ୍ତେ ଏଗାର ପୁରୁଷ । ମଉନ ରାଜ୍ୟଭୋଗ ଶେଷ ॥ ୧୭୩
ଏଥୁ ଅନ୍ତରେ ନୃପବର । କିଳିକିଳା ନାମେ ନଗର ॥ ୧୭୪
ଭୂତନନ୍ଦ ଯେ ରାଜା ହେବ । ଦ୍ୱିତୀୟେ ବଙ୍ଗିରି ହୋଇବ ॥ ୧୭୫
ଶିଶୁନନ୍ଦ ନାମେ ରାଜନ । କରିବ ପ୍ରଜା ସେ ପାଳନ ॥ ୧୭୬
ତାହାର ଭାଇର ବଂଶର । ଯଶୋନନ୍ଦ ନାମ ତାହାର ॥ ୧୭୭
ପ୍ରବୀରକ ଯେ ତା'ର ସୁତ । ପାଞ୍ଚପୁରୁଷ ସେ ଏମନ୍ତ ॥ ୧୭୮
ଏକଶତ ଛଅ ବରଷ । ଏହାଙ୍କ ରାଜ୍ୟଭୋଗ ଶେଷ ॥ ୧୭୯
ଏହାଙ୍କ ତ୍ରୟୋଦଶ ସୁତ । ବାହ୍ଲୀକ ନାମେ ହେବ ଖ୍ୟାତ ॥ ୧୮୦
ପୁଷ୍ପମିତ୍ର ନାମେ ଆବର । ହୋଇବ ଏକ ନୃପବର ॥ ୧୮୧
ଦୁର୍ମିତ୍ର ତାହାର ସନ୍ତତି । ସୁଖେ ପାଳିବ ସେହୁ କ୍ଷିତି ॥ ୧୮୨
ଏ ଅନ୍ତେ ଆନ୍ଧ୍ରଦେଶୀ ପୁଣ । ସାତପୁରୁଷ ସେ ରାଜନ ॥ ୧୮୩
ଏମନ୍ତ କୋଶଳ ଦେଶର । ସାତପୁରୁଷ ନୃପବର ॥ ୧୮୪
ପୁଣି ସେ ବୈଦୁର୍ଯ୍ୟ ନଗରେ । ସପ୍ତପୁରୁଷ ନୃପବରେ ॥ ୧୮୫
ସାତପୁରୁଷ ହେ ରାଜନ । ହୋଇବେ ନିଷଧ ଦେଶେଣ ॥ ୧୮୬
ଖଣ୍ଡମଣ୍ଡଳେ ଅଧିପତି । ପାଳିବେ ଏକାବେଳେ କ୍ଷିତି ॥ ୧୮୭
ଏ ଅନ୍ତେ ମଗଧ ଦେଶେଣ । ବିଶ୍ୱସ୍ପୁର୍ଜି ନାମେ ରାଜନ ॥ ୧୮୮
ପୁରଞ୍ଜୟ ତା' ନାମ ଆର । ସେ ରାଜା ଅତ୍ୟନ୍ତ ପ୍ରବଳ ॥ ୧୮୯
ଏ ଅତି ଅଧାର୍ମିକ ପୁଣ । କରିବ ପରଜା କଷଣ ॥ ୧୯୦
ଏକ ଆଚାର ସେ କରିବ । ବର୍ଣ୍ଣ ଧର୍ମ ସେ ନ ରଖିବ ॥ ୧୯୧
ବ୍ରାହ୍ମଣାଦି ଚାରିବର୍ଣ୍ଣର । କରିବ ସେହୁ ଏକାକାର ॥ ୧୯୨
ପୁଳିନ୍ଦ ଯଦୁ ଯେ ମଦ୍ରକ । ସଙ୍ଗୁ ସେ ନୋହିବ ପୃଥକ ॥ ୧୯୩
ସର୍ବେ ହୋଇବେ ଏକାକାର । ନ ଥିବ ବେଦର ବିଚାର ॥ ୧୯୪
ମ୍ଳେଛଙ୍କ ପ୍ରାୟ ବ୍ୟବହାର । ହେବ ବ୍ରାହ୍ମଣାଦି ବର୍ଣ୍ଣର ॥ ୧୯୫
ସବୁଜାତି ଏକତ୍ୱ କରି । ଅଧାର୍ମିକପଣ ଆଚରି ॥ ୧୯୬
କର୍ମ ଧର୍ମ ସବୁ ଛଡ଼ାଇ । ଦୁଷ୍ଟ ଆଚରଣ ବଢାଇ ॥ ୧୯୭
ବିବିଧ ବର୍ଣ୍ଣର ପ୍ରଚାର । କରିବ ଏହୁ ନୃପବର ॥ ୧୯୮
ବର୍ଣ୍ଣାତିରିକ୍ତ ମ୍ଳେଛ ପ୍ରଜା । ପାଳନ କରିବ ଏ ରାଜା ॥ ୧୯୯
ବଳବନ୍ତରେ ଜିଣି ମହୀ । ସବୁ କ୍ଷତ୍ରିୟ ମାରି ସେହି ॥ ୨୦୦
ପଦ୍ମାବତୀ ନାମ ନଗରେ । ରାଜା ହୋଇବେ ତେଜଭରେ ॥ ୨୦୧
ହସ୍ତିନା ଦ୍ୱାରକା ମଥୁରା । ପ୍ରୟାଗ ଯାଏ ଗଙ୍ଗାଦ୍ୱାରା ॥ ୨୦୨
ଏକାଙ୍ଗ ହୋଇବ ନରେନ୍ଦ୍ର । ଅଧର୍ମେ ନାଶି ପ୍ରଜାବୃନ୍ଦ ॥ ୨୦୩
ସୌରାଷ୍ଟ୍ର ଅବନ୍ତୀ ଆଭୀର । ଅର୍ଦ୍ଦୁଦ ମାଳବ ଯେ ଶୂର ॥ ୨୦୪
ବ୍ରାହ୍ମଣେ ସଂସ୍କାରରେ ହୀନ । ଶୂଦ୍ର ପ୍ରାୟେକ ଆଚରଣ ॥ ୨୦୫
ତାହାର ସମୟରେ ପୁଣ । ନଶିବ ସର୍ବଗୁଣମାନ ॥ ୨୦୬
କରିବେ ଶୂଦ୍ରଧର୍ମ କର୍ମ । ବେଦବିଦ୍ୟାରେ ହେବେ ଭ୍ରମ ॥ ୨୦୭
କ୍ଷତ୍ରିୟେ ଶୂଦ୍ର ପ୍ରାୟ ହୋଇ । ପ୍ରଜା ପୀଡ଼ିବେ ରାଜା ହୋଇ ॥ ୨୦୮
ଏ ପୁରଞ୍ଜୟ-ବଂଶ ପୁଣ । ଚଉଦ ପୁରୁଷ ରାଜନ ॥ ୨୦୯
ସାତଶଅଶୀ ଯେ ବରଷ । ରାଜପଣେ ପାଳିବେ ଦେଶ ॥ ୨୧୦
ଏ ଅନ୍ତେ ପୁଣି ସେ ରାଜନ । ହୋଇବେ ଯେମନ୍ତ ଭାବେଣ ॥ ୨୧୧
ଚନ୍ଦ୍ରଭାଗା ଯେ ସିନ୍ଧୁତଟ । କୌନ୍ତୀ ଯେ କାଶ୍ମୀର ନିକଟ ॥ ୨୧୨
ବ୍ରାହ୍ମଣ କ୍ଷତ୍ରି ନାମଧାରୀ । ଶୂଦ୍ରେ ହୋଇବେ ଅଧିକାରୀ ॥ ୨୧୩
ମ୍ଳେଛ ଶରୀରେ ରାଜା ହେବେ । ଅଧାର୍ମିକ ପଣେ ବର୍ତ୍ତିବେ ॥ ୨୧୪
ଗୋରୁ ବ୍ରାହ୍ମଣାଦି ମାରିବେ । ମିଥ୍ୟାବାଦରେ ଦିନ ନେବେ ॥ ୨୧୫
ହିଂସା-ଗ୍ରାମ୍ୟଧର୍ମ ଆଚରି । ସତ୍ୟ-ଧର୍ମ-ଗୁଣ ପାସୋରି ॥ ୨୧୬
ଅଳପ ଦାନ ସେହୁ ଦେବେ । ଅଳପେ କ୍ରୋଧ ସେ କରିବେ ॥ ୨୧୭
ଅଦୋଷେ ଦଣ୍ଡିବେ ପ୍ରାଣୀଙ୍କି । ବିଚାର ନ ଥିବ ତହିଁକି ॥ ୨୧୮
ସ୍ତିରୀ-ବାଳକ-ଗୋ-ବ୍ରାହ୍ମଣ । ମାରି କରିବେ ରଣଭଣ ॥ ୨୧୯
ପରଦ୍ରବ୍ୟ ବଳେ ହରିବେ । ପରଦାରା ଯେ ସେ କରିବେ ॥ ୨୨୦
ଅଳପ ସମ୍ପତ୍ତି ହୋଇବ । ଉଦୟ ଅସ୍ତ ପ୍ରାୟ ଯିବ ॥ ୨୨୧
ଅଳପ ଦିନେ ଯିବେ ନାଶ । ଅଯଶେ ରଖି ନିଜ ଅଂଶ ॥ ୨୨୨
ଯମ ଭୁବନ ସେ ଦେଖିବେ । ଅନ୍ତେ ସେ ଅଗତିକି ଯିବେ ॥ ୨୨୩
ଅସଂସ୍କାର ଯେ କ୍ରିୟାହୀନ । ରଜତମରେ ଯୁକ୍ତ ମନ ॥ ୨୨୪
ସେ ମ୍ଳେଛରୂପୀ ରାଜାମାନ । ପ୍ରଜାଙ୍କୁ କରିବେ ପୀଡ଼ନ ॥ ୨୨୫
ସେ ଦିନେ ପ୍ରଜାମାନେ ପୁଣ । ଦେଖିଣ ରାଜା ଆଚରଣ ॥ ୨୨୬
ଅବିଦ୍ୟା ଅକର୍ମେ ବର୍ତ୍ତିବେ । ସେ ରାଜଭାଷା ହିଁ କହିବେ ॥ ୨୨୭
ପ୍ରଜାଏ ଅନ୍ୟୋଅନ୍ୟେ ହୋଇ । ଆପଣା ଛାଏଁ ନାଶ ଯାଇ ॥ ୨୨୮
ଏକ ଆରକେ ଗର୍ବ କରି । ମରିବେ ହିଂସାଭାବ ଧରି ॥ ୨୨୯
ରାଜାଏ ପ୍ରଜାଙ୍କୁ ନାଶିବେ । ଗୁହାରି କଲେ ନ ଶୁଣିବେ ॥ ୨୩୦
ସୂତ କହନ୍ତି ତୋଷମନେ । ଶୌନକ ମୁନି ସନ୍ନିଧାନେ ॥ ୨୩୧
କହଇ ଜଗନ୍ନାଥ ଦାସ । କଳିର ଆଗତ ଭବିଷ୍ୟ ॥ ୨୩୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱାଦଶସ୍କନ୍ଧେ ପ୍ରଥମୋଦ୍ଧଧ୍ୟାୟଃ ॥
* * *