ଦ୍ୱାଦଶ ସ୍କନ୍ଧ

ପ୍ରଥମ ଅଧ୍ୟାୟ

ନମଇଁ ନରନାରାୟଣ । ଜ୍ୟୋତିସ୍ୱରୂପ ଭଗବାନ ॥

ବୈକୁଣ୍ଠ ପୁରୁଷ ପୁରାଣ । ଅଖିଳ ପତିତ ପାବନ ॥

ଯାହାର ଆଦି ଅନ୍ତ ନାହିଁ । ବେଦ ଯା' ମହିମା ନ ପାଇ ॥

ନମଇଁ ପ୍ରଭୁ ଭାବଗ୍ରାହୀ । ଭକତ ହିତେ ଦେହ ବହି ॥

ମତ୍ସ୍ୟ କୁରୂମ ଯେ ବରାହ । ନୃସିଂହ ରୂପେ ଦେହ ବହ ॥

ବାମନ ପର୍ଶୁରାମ ରାମ । ହଳୀ ଯେ ବୁଦ୍ଧ କଲ୍‌କୀ ନାମ ॥

ଏମନ୍ତେ ନାନା ଅବତାର । ଖଣ୍ଡିଲ ଅବନୀର ଭାର ॥

ଜୟ ମଙ୍ଗଳ ହେ ଈଶ୍ୱର । ମହିମା ନ ଜାଣେ ଈଶ୍ୱର ॥

ବ୍ରହ୍ମା ଯେ ନ ପାଇଲା ଅନ୍ତ । ନମସ୍ତେ ପୁରୁଷ ଅବ୍ୟକ୍ତ ॥

ଅନନ୍ତ ନିର୍ମଳ ପ୍ରକାଶ । ପରମଜ୍ୟୋତି ରବି ତ୍ରାସ ॥ ୧୦

ନମସ୍ତେ ହେ ଭକ୍ତବତ୍ସଳ । ଅନାଦି ଆଦି ବିଶ୍ୱମୂଳ ॥ ୧୧

ହେ ଜଗନ୍ନାଥ ଜଗଦ୍‌ଭୁତ । ସୃଷ୍ଟିପାଳକ ହେ ଅଚ୍ୟୁତ ॥ ୧୨

ନମଇଁ ଜୟ ବିଶ୍ୱଦେହ । ପ୍ରାଣୀଙ୍କ ସର୍ବପାପ ଦହ ॥ ୧୩

ନିର୍ଗୁଣ ନିରଞ୍ଜନ ରୂପ । ତୁ ପଞ୍ଚଭୂତର ସ୍ୱରୂପ ॥ ୧୪

ନମଇଁ ଜୟ କୃଷ୍ଣଶ୍ୟାମ । ସକଳଭୂତେ ଆତ୍ମାରାମ ॥ ୧୫

ନମଇଁ ପତିତପାବନ । କୃପାବାରିଧି ଭଗବାନ ॥ ୧୬

ନମଇଁ ଗୋପୀପ୍ରାଣପତି । ଶ୍ରୀ ବାସୁଦେବ ଜଗତ୍‌ଜ୍ୟୋତି ॥ ୧୭

ଜୟ ଗୋପୀଜନବଲ୍ଲଭ । ସକଳ ପ୍ରାଣୀଙ୍କ ସୁଲଭ ॥ ୧୮

ନମଇଁ ନରନାରାୟଣ । ବ୍ରହ୍ମସ୍ୱରୂପ ଯେ ନିର୍ଗୁଣ ॥ ୧୯

ନିର୍ମଳ ଜ୍ୟୋତି ରୂପ ପ୍ରଭା । ବଦ୍ରିକା ଆଶ୍ରମେ ତୋ' ଶୋଭା ॥ ୨୦

ହେ ନାରାୟଣ ନରଋଷି । ମହିମା କେ କହୁଁ ବିଶେଷି ॥ ୨୧

ମହିମା ତୋହର ଅନନ୍ତ । ନମସ୍ତେ ବ୍ରହ୍ମଭାଗବତ ॥ ୨୨

ଶିରେ କପିଳ ଜଟାଭାର । ତେଜ ବିରାଜେ ଦିବାକର ॥ ୨୩

ମୂର୍ତ୍ତିର ଗର୍ଭେ ଦେହବହି । ଧର୍ମର ବୀର୍ଯ୍ୟେ ଜନ୍ମ ହୋଇ ॥ ୨୪

ଭାରତବରଷରେ ପୁଣି । ତୁ ଇଷ୍ଟଦେବତା କାରେଣି ॥ ୨୫

ଅଖିଳ-ଲୋକ-ପୂଜ୍ୟ ତୁହି । ତୋ ନାମ ଅନ୍ତେ ଯେ ଧରଇ ॥ ୨୬

ସକଳ ପାପ କ୍ଷୟ ଯାଇ । ବୈକୁଣ୍ଠପଦ ସେ ଲଭଇ ॥ ୨୭

ଚତୁରାକ୍ଷର ନାମ ତୋ'ର । ମୁଖେ ଉଚ୍ଚାରି ଅଜାମିଳ ॥ ୨୮

ସକଳ ପାପରୁ ତରିଲେ । ତୋ' ଦୂତେ ବୈକୁଣ୍ଠକୁ ନେଲେ ॥ ୨୯

ସେ ନାରାୟଣ ପାଦେ ମୁହିଁ । ଶରଣ ପଶି ଯେ ଅଛଇ ॥ ୩୦

ଦ୍ୱାଦଶ ସ୍କନ୍ଧ ଭାଗବତ । ତ୍ରୟୋଦଶ ଅଧ୍ୟା ନିର୍ମିତ ॥ ୩୧

ଜଗନ୍ନାଥ ଦାସ ପ୍ରକାଶ । କରିତେ ଲୋଡ଼ୁଅଛି ଆଶ ॥ ୩୨

ନାମ ମୋହର ମହାଦେବ । ବିପ୍ରର କୁଳେ ମୁଁ ସମ୍ଭବ ॥ ୩୩

କୃଷ୍ଣସଙ୍ଗତେ ଜଗନ୍ନାଥ । ଚଳିଲେ ଗୋଲକ ଯେ ପଥ ॥ ୩୪

ମୁଁ ଏହା କରଇ ବିଚାର । ପୁରାଣ ଅଷ୍ଟାଦଶ ସାର ॥ ୩୫

ଦ୍ୱାଦଶ ଅଧ୍ୟା ତ୍ରୟୋଦଶ । ଯେମନ୍ତ ହୋଇବ ପ୍ରକାଶ ॥ ୩୬

ପୁରାଣମାନଙ୍କୁ ଉଦ୍ଧାରି । ଶୁକ ଯା କହିଲେ ବିଚାରି ॥ ୩୭

ଭବିଷ୍ୟେ ରାଜାମାନ ଯେତେ । କରିବେ ଭୋଗ ଏ ଜଗତେ ॥ ୩୮

ଶୌନକ କହେ ତୋଷମନେ । ସୂତଙ୍କୁ ବିନୟ ବଚନେ ॥ ୩୯

ଶୌନକ ଉବାଚ

କହ ସେ କଳିଯୁଗ ଗତି । ଭୂତ ଭବିଷ୍ୟେ ଯେ ନୃପତି ॥ ୪୦

କେବା କେମନ୍ତ ଭୋଗ କଲା । କି ରୂପ କଳି ବିଶ୍ରାମିଲା ॥ ୪୧

ଏ ଆଦି ଯେବଣ ଚରିତ । କହ ସେ ସୂତ ତପୋବନ୍ତ ॥ ୪୨

ସୂତ ଯେ କହନ୍ତି ଆନନ୍ଦେ । ଚିତ୍ତ ନିବେଶି କୃଷ୍ଣପାଦେ ॥ ୪୩

ନୈମିଷାରଣ୍ୟ ଯଜ୍ଞସ୍ଥାନେ । ମୋ ପିତା ରୋମହରଷଣେ ॥ ୪୪

ସୂତ ପୌରାଣିକ ତା ନାମ । କହିଲେ ଭାଗବତ ଧର୍ମ ॥ ୪୫

ଶୁକଦେବ ଯେ ମହାମୁନି । ପରୀକ୍ଷିତର ଭକ୍ତି ଘେନି ॥ ୪୬

କହିଲେ ଭାଗବତ ରସ । ପିତା ମୋ ଶୁଣି ଉପଦେଶ ॥ ୪୭

ତାହାଙ୍କ ତହୁଁ ଶୁଣି ମୁହିଁ । ତୁମ୍ଭ ଆଗରେ କହିଲଇଁ ॥ ୪୮

ବର୍ତ୍ତମାନ ନନ୍ଦରାଜନ । ଭବିଷ୍ୟେ ପୁରଞ୍ଜୟ ନାମ ॥ ୪୯

କଳିଯୁଗ ଆଦ୍ୟ ପ୍ରବେଶ । ଯୁଧିଷ୍ଠି ଛତିଶ ବରଷ ॥ ୫୦

ପାଳିଣ ପଞ୍ଚଦେଶ ସୀମା । ଶୁଣିତ ଅଛ ଏ ମହିମା ॥ ୫୧

ପରୀକ୍ଷିତକୁ ରାଜ୍ୟ ଦେଇ । ହିମାଳେ ଗଲେ ପାଞ୍ଚଭାଇ ॥ ୫୨

ଏକଷଠି ବରଷ ପୁଣ । ପରୀକ୍ଷ ହୋଇଲେ ରାଜନ ॥ ୫୩

ସେ ପୁଣି ବ୍ରହ୍ମଶାପ ଫଳେ । ଭସ୍ମ ତକ୍ଷକ ବିଷଜ୍ୱାଳେ ॥ ୫୪

ତା ସୁତ ଜନ୍ମେଜୟ ପୁଣ । ସର୍ପଯଜ୍ଞ ପିତା ଛଳେଣ ॥ ୫୫

ଶତେବରଷ ରାଜପଣ । ତା' ସୁତ ଶତାନୀକ ଜାଣ ॥ ୫୬

ନଉ ବରଷ ସେ ରାଜତ୍ୱ । ତା' ସୁତ ଅଶ୍ୱମେଧ ବୃତ୍ତ ॥ ୫୭

ଅଶୀ ବରଷ ରାଜା ଏକ । ତା' ସୁତ ହୋଇଲା ରାଜକ ॥ ୫୮

ପଞ୍ଚସ୍ତରୀ ବରଷ ରାଜା । ହୋଇ ପାଳିଲେ ଜନପ୍ରଜା ॥ ୫୯

ଦେବଳ ତାହାର ତନୟେ । ସତୁରିବର୍ଷ ରାଜା ହୋଏ ॥ ୬୦

ତା'ର ତନୟ ସୁପାରୁଶ । ପଞ୍ଚଷଠି ବର୍ଷ ଆୟୁଷ ॥ ୬୧

ତା' ସୁତ ଅଜ ଯେ ପାରୁଶ । ପଞ୍ଚପଞ୍ଚାଶ ପାଳେ ଦେଶ ॥ ୬୨

ଶମୀକ ତାହାର ତନୟ । ପଞ୍ଚାଶ ବରଷ ସେ ରାୟ ॥ ୬୩

ସୁବଳ ତାହାର ତନୟେ । ପଞ୍ଚଚାଳିଶ ରାଜା ହୋଏ ॥ ୬୪

ତା'ର ତନୟ ଦେବଭାଗ । ଚାଳିଷ ବରଷ ସେ ଭୋଗ ॥ ୬୫

ଦେବକ ତାହାର ସନ୍ତତି । ପଞ୍ଚତିରିଶ ଭୋଗ ପୃଥ୍ୱୀ ॥ ୬୬

ତା' ସୁତ ଅଜକର୍ଣ୍ଣ ନାମ । ପଞ୍ଚତିରିଶ ସେ ରାଜନ ॥ ୬୭

ଶ୍ୟାମ ଯେ ତାହାର ସନ୍ତତି । ତିରିଶ ବରଷ ନୃପତି ॥ ୬୮

ତା' ସୁତ ମେଘଶାନ୍ତି ହେଲେ । ଅଠତିରିଶ ଭୋଗକଲେ ॥ ୬୯

ତା' ସୁତ ବିଖ୍ୟାତ ଯେ ନାମ । ପଞ୍ଚତିରିଶ ସେ ରାଜନ ॥ ୭୦

ଶୋଭିତ ତାହାର ସନ୍ତତି । ତିରିଶ ବର୍ଷ କ୍ଷିତିପତି ॥ ୭୧

ତା' ସୁତ ମହାବଳ ରାଜା । ସୁଖେ ପାଳଇ ଜନ ପ୍ରଜା ॥ ୭୨

ଚାଳିଶ ବରଷ ସେ ହୋଇ । ଏଠାରୁ ସୋମବଂଶ ରହି ॥ ୭୩

ଯୁଧିଷ୍ଠି ଆଦି ଊନବିଂଶ । ସହସ୍ରେ ଏକଦଶ ବର୍ଷ ॥ ୭୪

ପରୀକ୍ଷ ଆଦି ଅଷ୍ଟାଦଶ । ପାଳିଲେ ରାଜା ହୋଇ ଦେଶ ॥ ୭୫

ପୂର୍ବେ ସୋମବଂଶରେ ଜାତ । ଇନ୍ଦ୍ରଶେଖର ନରନାଥ ॥ ୭୬

ଗଙ୍ଗାତୀରରେ ବିଦ୍ୟମାନ । ପାଟଳୀ ନଗ୍ରତା'ର ନାମ ॥ ୭୭

ବିଂଶ ବରଷ ରାଜା ହୋଇ । ଆନନ୍ଦେ ରାଜ୍ୟ ସେ ପାଳଇ ॥ ୭୮

ତା ସୁତ ଶୂର ଯେ ଅଟଇ । ଅଷ୍ଟାଦଶ ବରଷ ହୋଇ ॥ ୭୯

ଶୌର ଯେ ତାହାର ତନୟେ । ଷୋଳ ବରଷ ରାଜା ହୋଏ ॥ ୮୦

ପଦ୍ମ ଯେ ତାହାର ସନ୍ତତି । ଅଠର ବର୍ଷ ରାଜା କ୍ଷିତି ॥ ୮୧

ମହାପଦ୍ମ ତା'ର ତନୟେ । ସପ୍ତ ବରଷ ରାଜା ହୋଏ ॥ ୮୨

ନନ୍ଦ ଯେ ତାହାର କୁମର । ପଞ୍ଚଦଶ ଏ ନୃପବର ॥ ୮୩

ଏ ଷଟ ପୁରୁଷ ରାଜନ । ଶତେ ପାଞ୍ଚ ବରଷ ପୁଣ ॥ ୮୪

ଏମନ୍ତେ ପଞ୍ଚବିଂଶ ରାଜା । ପାଳିଲେ ଏ ଜନ ପରଜା ॥ ୮୫

ଏଗାରଶତ ପଞ୍ଚଦଶ । ଏଠାରୁ ଶୁଣ ହେ ଭବିଷ୍ୟ ॥ ୮୬

ଶୁକ ଉବାଚ

ମଗଧ ଦେଶରେ ପ୍ରକାଶ । ବୃହଦ୍ରଥ ରାଜାର ବଂଶ ॥ ୮୭

ପୁରଞ୍ଜୟ ନାମେ ରାଜନ । ହୋଇବ କିଛିଦିନ ପୁଣ ॥ ୮୮

ତା ମନ୍ତ୍ରୀ ଶୁନକ ବ୍ରାହ୍ମଣ । ସେ ପୁରଞ୍ଜୟକୁ ମାରିଣ ॥ ୮୯

ଆପଣା ସୁତକୁ ସ୍ଥାପିବ । ବଳେ ପୃଥିବୀ ଆକର୍ଷିବ ॥ ୯୦

ତାହାର ନାମ ଯେ ପ୍ରଦ୍ୟୋତ । ପାଳକ ତା'ର ନିଜ ପୁତ୍ର ॥ ୯୧

ବିଶାଖଯୂପ ତା' କୁମର । ରାଜକ ଜନ୍ମ ତା' ବୀର୍ଯ୍ୟର ॥ ୯୨

ନନ୍ଦିବର୍ଦ୍ଧନ ତା' ତନୟେ । ପଞ୍ଚପୁରୁଷ ରାଜା ହୋଏ ॥ ୯୩

ଶଏ ଅଠତ୍ରିଂଶ ବରଷ । ପାଳିବେ ରାଜାପଣେ ଦେଶ ॥ ୯୪

ନନ୍ଦିବର୍ଦ୍ଧନ ମନ୍ତ୍ରୀ ନାମ । ଶିଶୁନାଗ ତା' ନାମ ପୁଣ ॥ ୯୫

ନନ୍ଦିବର୍ଦ୍ଧନକୁ ସେ ମାରି । ମନ୍ତ୍ରୀ ହୋଇବ ଦଣ୍ଡଧାରୀ ॥ ୯୬

ତଦନ୍ତେ ରାଜା ଶିଶୁନାଗ । ପୃଥିବୀ କରିବ ସେ ଭୋଗ ॥ ୯୭

ତା' ସୁତ କାକବର୍ଣ୍ଣ ନାମ । ତା ପୁତ୍ର କ୍ଷେମଧର୍ମା ଜାଣ ॥ ୯୮

କ୍ଷେତ୍ରଜ୍ଞ ଅଟେ ତା'ର ସୁତ । ତାହାର ବିଧିସାର ପୁତ୍ର ॥ ୯୯

ଅଜାତଶତ୍ରୁ ତା' କୁମର । ଦର୍ଭକ ତାହାର ବୀର୍ଯ୍ୟର ॥ ୧୦୦

ଦର୍ଭକ ବୀର୍ଯ୍ୟରୁ ତନୟ । ପ୍ରକାଶ ନାମ ତା' ଅଜୟ ॥ ୧୦୧

ନନ୍ଦିବର୍ଦ୍ଧନ ତା'ର ସୁତ । ମହାନନ୍ଦି ତହୁଁ ସମ୍ଭୂତ ॥ ୧୦୨

ଶିଶୁନାଗମନ୍ତ୍ରୀ ବଂଶରେ । ଦଶପୁରୁଷ ରାଜ୍ୟ କରେ ॥ ୧୦୩

ତିନିଶ ଷାଟିଏ ବରଷ । ପାଳିବେ ଆର୍ଯ୍ୟାବର୍ତ୍ତ ଦେଶ ॥ ୧୦୪

ସେହି ମହାନନ୍ଦି ରାଜାର । ଶୂଦ୍ରା ଭାରିଯା ହେବେ ତା'ର ॥ ୧୦୫

ତା' ଗର୍ଭୁ ହୋଇବ କୁମର । ନନ୍ଦ ନାମ ଯେ ହେବ ତା'ର ॥ ୧୦୬

ମହାପଦ୍ମପତି ନାମରେ । ରାଜା ହୋଇବ ବାହୁବଳେ ॥ ୧୦୭

ସଇନି ହୋଇବେ ଅପାର । ଯୁଦ୍ଧେ ହୋଇବ ମହାମଲ୍ଲ ॥ ୧୦୮

ସକଳ କ୍ଷତ୍ରିୟ ବିନାଶ । ସେ ରାଜା କରିବ ଅବଶ୍ୟ ॥ ୧୦୯

ଏହାର ପରେ ହେବେ ପୁଣ । ଅପରେ ଯେତେକ ରାଜନ ॥ ୧୧୦

ଶୂଦ୍ରେ ହୋଇବେ ସବୁରାଜା । ଅଧର୍ମେ ପାଳିବେ ପରଜା ॥ ୧୧୧

ଅଧାର୍ମିକ ପଣେ ରାଜନ । କରିବେ ପରଜା କଷଣ ॥ ୧୧୨

ଅଳପଦିନେ ନାଶ ଯିବେ । ସେ ରାଜା ବଡ଼ ବୋଲାଇବେ ॥ ୧୧୩

ଏକଛତ୍ରନନ୍ଦ ରାଜନ । ପୃଥିବୀ କରିବ ଶାସନ ॥ ୧୧୪

ସୂର୍ଯ୍ୟର ପ୍ରାୟ ବିଦ୍ୟମାନ । ଦ୍ୱିତୀୟ ପର୍ଶୁରାମ ସମ ॥ ୧୧୫

ସର୍ବାଧିକାରୀ ରାଜା ହୋଇ । ପାଳନ କରିବ ସେ ମହୀ ॥ ୧୧୬

ନନ୍ଦର ଅଷ୍ଟସୁତ ହୋଇ । ସୁମାଲ୍ୟ ଆଦି ଅଷ୍ଟଭାଇ ॥ ୧୧୭

ନନ୍ଦ ଯେ ମୃଗୟା ଗମନେ । ପଶିବ ଗହନ କାନନେ ॥ ୧୧୮

ଶତେ ବରଷ ପୃଥ୍ୱୀପତି । ହୋଇ ପାଳିବେ ବସୁମତୀ ॥ ୧୧୯

ଚାଣକ୍ୟ ନାମରେ ବ୍ରାହ୍ମଣ । ତାହାକୁ କରିବ ନିଧନ ॥ ୧୨୦

ତାହାଙ୍କ ଅଭାବରେ ପୁଣ । ମଉର୍ଯ୍ୟ ହୋଇବ ରାଜନ ॥ ୧୨୧

ଚାଣକ୍ୟ ସାହାଯ୍ୟରେ ପୁଣ । ଚନ୍ଦ୍ରଗୁପ୍ତ ହେବ ରାଜନ ॥ ୧୨୨

ତାହାକୁ ଅଭିଷେକ କରି । ବାରିସାର ପୁତ୍ର ଏହାରି ॥ ୧୨୩

ତା' ସୁତ ଅଶୋକବର୍ଦ୍ଧନ । ସୁଯଶା ତାହାର ନନ୍ଦନ ॥ ୧୨୪

ତା' ପୁତ୍ର ନାମ ଯେ ସଙ୍ଗତ । ଶାଳିଶୂକ ନାମେ ତା' ସୁତ ॥ ୧୨୫

ତା' ସୁତ ନାମ ସୋମଶର୍ମା । ତା' ସୁତ ହେବ ଶତଧନ୍ୱା ॥ ୧୨୬

ବୃହଦ୍ରଥ ଯେ ତା' ତନୟେ । ତା' ପୁତ୍ର ଦେବମିତ୍ର ହୋଏ ॥ ୧୨୭

ଭୋଗ ଯେ ଏ ଦଶ ପୁରୁଷ । ବରଷ ଶଏସପ୍ତତ୍ରିଂଶ ॥ ୧୨୮

ବୃହଦ୍ରଥର ସେନାପତି । ପୁଷ୍ପମିତ୍ର ନାମେ ବିଖ୍ୟାତି ॥ ୧୨୯

ରାଜାକୁ ମାରି ରାଜା ହେବ । ଶୁଙ୍ଗ ବଂଶରେ ତା' ସମ୍ଭବ ॥ ୧୩୦

ପୁଷ୍ପମିତ୍ରଜ ଅଗ୍ନିମିତ୍ର । ସୁଜ୍ୟେଷ୍ଠ ନାମେ ତା'ର ପୁତ୍ର ॥ ୧୩୧

ବସୁମିତ୍ର ଯେ ସୁତ ତା'ର । ଭଦ୍ରକ ତାହାର କୁମର ॥ ୧୩୨

ପୁଳିନ୍ଦ ତାହାର ତନୟେ । ଘୋଷ ତା ତହୁଁ ଜାତ ହୋଏ ॥ ୧୩୩

ତା' ପୁତ୍ର ହେବ ବଜ୍ରମିତ୍ର । ଭାଗବତ ଯେ ତା'ର ପୁତ୍ର ॥ ୧୩୪

ତା' ସୁତ ହେବ ଦେବଭୂତି । ଶୁଙ୍ଗବଂଶେ ଦଶ ଉତ୍ପ୍‌ତ୍ତି ॥ ୧୩୫

ଏ ଶଏଦ୍ୱାଦଶ ବରଷ । ରାଜାପଣରେ ଭୋଗ ଶେଷ ॥ ୧୩୬

ଦେବଭୂତି ରାଜାର ମନ୍ତ୍ରୀ । କଣ୍ୱ ନାମରେ ତା' ବିଖ୍ୟାତି ॥ ୧୩୭

ରାଜାକୁ ମାରି କଣ୍ୱ ରାଜା । ହୋଇ ସେ ପାଳିବ ପରଜା ॥ ୧୩୮

ତା' ସୁତ ବସୁଦେବ ନାମ । ଭୂମିତ୍ର ତାହାର ନନ୍ଦନ ॥ ୧୩୯

ତା' ସୁତ ନାମ ନାରାୟଣ । ସୁର୍ଶମା ଏହାର ନନ୍ଦନ ॥ ୧୪୦

ଏ କଣ୍ୱ ପାଞ୍ଚଜଣେ ଯୋଗ । ତିନିଶ ପାଞ୍ଚାଳିଶ ଭୋଗ ॥ ୧୪୧

ସୁଶର୍ମା ନାମେ ରାଜ୍ୟ ଏକ । ବୃଷଳ ତାହାର ସେବକ ॥ ୧୪୨

ସେ ଆନ୍ଧ୍ରଜାତି ଶୂଦ୍ରାଧମ । ରାଜାକୁ ମାରିଣ ରାଜନ ॥ ୧୪୩

ତା' ଅନ୍ତେ ଭାଇ କୃଷ୍ଣ ନାମ । ରାଜା ହୋଇବ ବିଦ୍ୟମାନ ॥ ୧୪୪

ଶ୍ରୀକାନ୍ତକର୍ଣ୍ଣ ତାର ସୁତ । ପୌର୍ଣ୍ଣମାସ ତା' ତହୁଁ ଜାତ ॥ ୧୪୫

ତା' ସୁତ ନାମ ଲମ୍ବୋଦର । ଚିବିଳକ ଯେ ତା' କୁମର ॥ ୧୪୬

ତା' ପୁତ୍ର ନାମ ମେଘସ୍ୱାତି । ଅଟମାନ ତା'ର ସନ୍ତତି ॥ ୧୪୭

ଅନିଷ୍ଠକର୍ମା ତା'ର ପୁଅ । ତା' ପୁତ୍ର ନାମ ଯେ ହାଳେୟ ॥ ୧୪୮

ତଳକ ତା'ର ହେବ ସୁତ । ପୁରୁଷଭୀରୁ ତା'ର ପୁତ୍ର ॥ ୧୪୯

ସୁନନ୍ଦନ ଯେ ତା' କୁମର । ତା' ସୁତ ନାମ ଯେ ଚକୋର ॥ ୧୫୦

ବଟକ ତାହାର ସନ୍ତତି । ତା' ସୁତ ନାମ ଶିବସ୍ୱାତି ॥ ୧୫୧

ତା' ସୁତ ନାମ ଯେ ଗୋମତି । ପୁରୀମାନ ତା'ର ସନ୍ତତି ॥ ୧୫୨

ତା' ସୁତ ନାମ ମେଦଶିର । ତା' ସୁତ ଶିବସ୍କନ୍ଧ ବୀର ॥ ୧୫୩

ଯଜ୍ଞଶ୍ରୀ ପୁତ୍ର ନାମ ତା'ର । ବିଜୟ ତାହାର କୁମର ॥ ୧୫୪

ଚନ୍ଦ୍ରବିଜ୍ଞ ତା'ର ସନ୍ତତି । ତା' ଭ୍ରାତା ନାମ ଯେ ଲୋମଧି ॥ ୧୫୫

ଆନନ୍ଦେ ତିରିଶ ପୁରୁଷ । ଚାରିଶ ଛପନ ବରଷ ॥ ୧୫୬

ଏଥୁ ଅନ୍ତରେ କଥା ଶୁଣ । ଅବଭୃତି ନଗରେ ପୁଣ ॥ ୧୫୭

ସପ୍ତ ଆଭୀର ରାଜା ହେବେ । ଦଶ ଗର୍ଦ୍ଧଭୀ ଏହି ଭାବେ ॥ ୧୫୮

ଷୋଡ଼ଶ କଙ୍କ ଏଥି ପରେ । ରାଜା ହୋଇବେ ଏ ସଂସାରେ ॥ ୧୫୯

ଧର୍ମାର୍ଥପଣ ନ କରିବେ । ଅଧର୍ମ ମାର୍ଗେ ଦିନ ନେବେ ॥ ୧୬୦

ଅତ୍ୟନ୍ତ ଲୋଭଗ୍ରସ୍ତ ହେବେ । ପ୍ରଜାଙ୍କୁ ଅତିଦୁଃଖ ଦେବେ ॥ ୧୬୧

ମ୍ଳେଛ ଆଚାର ତା'ଙ୍କ କର୍ମ । ସଂସାରେ ନ ସ୍ଥାପିବେ ଧର୍ମ ॥ ୧୬୨

ଏ ଯେଣୁ ମେଳଛ ହୋଇବେ । ମ୍ଳେଛେ ଯେ ଭୂମି ଆକର୍ଷିବେ ॥ ୧୬୩

ଏ ଅନ୍ତେ ହୋଇବେ ଯବନ । ଆଠପୁରୁଷ ସେ ରାଜନ ॥ ୧୬୪

ଚଉଦପୁରୁଷ ତୁରସ୍କ । ରାଜାପଣେ ସେ ଅଭିଷେକ ॥ ୧୬୫

ଏ ଅନ୍ତେ ଗୁରୁଣ୍ଡକ ବଂଶ । ହୋଇବେ ସେ ଦଶପୁରୁଷ ॥ ୧୬୬

ଏଣୁ ସକଳ ଧର୍ମ ଯିବ । ବର୍ଣ୍ଣ ଆଚାର ନ ରହିବ ॥ ୧୬୭

ଏ ଅନ୍ତେ ମଉନ ମୋଗଲ । ପୃଥ୍ୱୀକୀ ହୋଇବେ ସେ ଶଲ ॥ ୧୬୮

ଏଗାର ପୁରୁଷ ରାଜନ । ହୋଇବେ ମୋଗଲ ବଂଶେଣ ॥ ୧୬୯

ରାଜା ହୋଇବେ ସର୍ବଦେଶ । ଇନ୍ଦ୍ରପ୍ରସ୍ଥରେ ସେ ପ୍ରକାଶ ॥ ୧୭୦

ଖୁରୁଷାଣି ଜନମ ଆଦି । ଚାରିଜାତିରେ ସେ ପ୍ରସିଦ୍ଧି ॥ ୧୭୧

ଛୟାଳିଶ ପୁରୁଷେ ପୁଣ । ଏଗାରଶତ ଏକ ଊନ ॥ ୧୭୨

ଏମନ୍ତେ ଏଗାର ପୁରୁଷ । ମଉନ ରାଜ୍ୟଭୋଗ ଶେଷ ॥ ୧୭୩

ଏଥୁ ଅନ୍ତରେ ନୃପବର । କିଳିକିଳା ନାମେ ନଗର ॥ ୧୭୪

ଭୂତନନ୍ଦ ଯେ ରାଜା ହେବ । ଦ୍ୱିତୀୟେ ବଙ୍ଗିରି ହୋଇବ ॥ ୧୭୫

ଶିଶୁନନ୍ଦ ନାମେ ରାଜନ । କରିବ ପ୍ରଜା ସେ ପାଳନ ॥ ୧୭୬

ତାହାର ଭାଇର ବଂଶର । ଯଶୋନନ୍ଦ ନାମ ତାହାର ॥ ୧୭୭

ପ୍ରବୀରକ ଯେ ତା'ର ସୁତ । ପାଞ୍ଚପୁରୁଷ ସେ ଏମନ୍ତ ॥ ୧୭୮

ଏକଶତ ଛଅ ବରଷ । ଏହାଙ୍କ ରାଜ୍ୟଭୋଗ ଶେଷ ॥ ୧୭୯

ଏହାଙ୍କ ତ୍ରୟୋଦଶ ସୁତ । ବାହ୍ଲୀକ ନାମେ ହେବ ଖ୍ୟାତ ॥ ୧୮୦

ପୁଷ୍ପମିତ୍ର ନାମେ ଆବର । ହୋଇବ ଏକ ନୃପବର ॥ ୧୮୧

ଦୁର୍ମିତ୍ର ତାହାର ସନ୍ତତି । ସୁଖେ ପାଳିବ ସେହୁ କ୍ଷିତି ॥ ୧୮୨

ଏ ଅନ୍ତେ ଆନ୍ଧ୍ରଦେଶୀ ପୁଣ । ସାତପୁରୁଷ ସେ ରାଜନ ॥ ୧୮୩

ଏମନ୍ତ କୋଶଳ ଦେଶର । ସାତପୁରୁଷ ନୃପବର ॥ ୧୮୪

ପୁଣି ସେ ବୈଦୁର୍ଯ୍ୟ ନଗରେ । ସପ୍ତପୁରୁଷ ନୃପବରେ ॥ ୧୮୫

ସାତପୁରୁଷ ହେ ରାଜନ । ହୋଇବେ ନିଷଧ ଦେଶେଣ ॥ ୧୮୬

ଖଣ୍ଡମଣ୍ଡଳେ ଅଧିପତି । ପାଳିବେ ଏକାବେଳେ କ୍ଷିତି ॥ ୧୮୭

ଏ ଅନ୍ତେ ମଗଧ ଦେଶେଣ । ବିଶ୍ୱସ୍ପୁର୍ଜି ନାମେ ରାଜନ ॥ ୧୮୮

ପୁରଞ୍ଜୟ ତା' ନାମ ଆର । ସେ ରାଜା ଅତ୍ୟନ୍ତ ପ୍ରବଳ ॥ ୧୮୯

ଏ ଅତି ଅଧାର୍ମିକ ପୁଣ । କରିବ ପରଜା କଷଣ ॥ ୧୯୦

ଏକ ଆଚାର ସେ କରିବ । ବର୍ଣ୍ଣ ଧର୍ମ ସେ ନ ରଖିବ ॥ ୧୯୧

ବ୍ରାହ୍ମଣାଦି ଚାରିବର୍ଣ୍ଣର । କରିବ ସେହୁ ଏକାକାର ॥ ୧୯୨

ପୁଳିନ୍ଦ ଯଦୁ ଯେ ମଦ୍ରକ । ସଙ୍ଗୁ ସେ ନୋହିବ ପୃଥକ ॥ ୧୯୩

ସର୍ବେ ହୋଇବେ ଏକାକାର । ନ ଥିବ ବେଦର ବିଚାର ॥ ୧୯୪

ମ୍ଳେଛଙ୍କ ପ୍ରାୟ ବ୍ୟବହାର । ହେବ ବ୍ରାହ୍ମଣାଦି ବର୍ଣ୍ଣର ॥ ୧୯୫

ସବୁଜାତି ଏକତ୍ୱ କରି । ଅଧାର୍ମିକପଣ ଆଚରି ॥ ୧୯୬

କର୍ମ ଧର୍ମ ସବୁ ଛଡ଼ାଇ । ଦୁଷ୍ଟ ଆଚରଣ ବଢାଇ ॥ ୧୯୭

ବିବିଧ ବର୍ଣ୍ଣର ପ୍ରଚାର । କରିବ ଏହୁ ନୃପବର ॥ ୧୯୮

ବର୍ଣ୍ଣାତିରିକ୍ତ ମ୍ଳେଛ ପ୍ରଜା । ପାଳନ କରିବ ଏ ରାଜା ॥ ୧୯୯

ବଳବନ୍ତରେ ଜିଣି ମହୀ । ସବୁ କ୍ଷତ୍ରିୟ ମାରି ସେହି ॥ ୨୦୦

ପଦ୍ମାବତୀ ନାମ ନଗରେ । ରାଜା ହୋଇବେ ତେଜଭରେ ॥ ୨୦୧

ହସ୍ତିନା ଦ୍ୱାରକା ମଥୁରା । ପ୍ରୟାଗ ଯାଏ ଗଙ୍ଗାଦ୍ୱାରା ॥ ୨୦୨

ଏକାଙ୍ଗ ହୋଇବ ନରେନ୍ଦ୍ର । ଅଧର୍ମେ ନାଶି ପ୍ରଜାବୃନ୍ଦ ॥ ୨୦୩

ସୌରାଷ୍ଟ୍ର ଅବନ୍ତୀ ଆଭୀର । ଅର୍ଦ୍ଦୁଦ ମାଳବ ଯେ ଶୂର ॥ ୨୦୪

ବ୍ରାହ୍ମଣେ ସଂସ୍କାରରେ ହୀନ । ଶୂଦ୍ର ପ୍ରାୟେକ ଆଚରଣ ॥ ୨୦୫

ତାହାର ସମୟରେ ପୁଣ । ନଶିବ ସର୍ବଗୁଣମାନ ॥ ୨୦୬

କରିବେ ଶୂଦ୍ରଧର୍ମ କର୍ମ । ବେଦବିଦ୍ୟାରେ ହେବେ ଭ୍ରମ ॥ ୨୦୭

କ୍ଷତ୍ରିୟେ ଶୂଦ୍ର ପ୍ରାୟ ହୋଇ । ପ୍ରଜା ପୀଡ଼ିବେ ରାଜା ହୋଇ ॥ ୨୦୮

ଏ ପୁରଞ୍ଜୟ-ବଂଶ ପୁଣ । ଚଉଦ ପୁରୁଷ ରାଜନ ॥ ୨୦୯

ସାତଶଅଶୀ ଯେ ବରଷ । ରାଜପଣେ ପାଳିବେ ଦେଶ ॥ ୨୧୦

ଏ ଅନ୍ତେ ପୁଣି ସେ ରାଜନ । ହୋଇବେ ଯେମନ୍ତ ଭାବେଣ ॥ ୨୧୧

ଚନ୍ଦ୍ରଭାଗା ଯେ ସିନ୍ଧୁତଟ । କୌନ୍ତୀ ଯେ କାଶ୍ମୀର ନିକଟ ॥ ୨୧୨

ବ୍ରାହ୍ମଣ କ୍ଷତ୍ରି ନାମଧାରୀ । ଶୂଦ୍ରେ ହୋଇବେ ଅଧିକାରୀ ॥ ୨୧୩

ମ୍ଳେଛ ଶରୀରେ ରାଜା ହେବେ । ଅଧାର୍ମିକ ପଣେ ବର୍ତ୍ତିବେ ॥ ୨୧୪

ଗୋରୁ ବ୍ରାହ୍ମଣାଦି ମାରିବେ । ମିଥ୍ୟାବାଦରେ ଦିନ ନେବେ ॥ ୨୧୫

ହିଂସା-ଗ୍ରାମ୍ୟଧର୍ମ ଆଚରି । ସତ୍ୟ-ଧର୍ମ-ଗୁଣ ପାସୋରି ॥ ୨୧୬

ଅଳପ ଦାନ ସେହୁ ଦେବେ । ଅଳପେ କ୍ରୋଧ ସେ କରିବେ ॥ ୨୧୭

ଅଦୋଷେ ଦଣ୍ଡିବେ ପ୍ରାଣୀଙ୍କି । ବିଚାର ନ ଥିବ ତହିଁକି ॥ ୨୧୮

ସ୍ତିରୀ-ବାଳକ-ଗୋ-ବ୍ରାହ୍ମଣ । ମାରି କରିବେ ରଣଭଣ ॥ ୨୧୯

ପରଦ୍ରବ୍ୟ ବଳେ ହରିବେ । ପରଦାରା ଯେ ସେ କରିବେ ॥ ୨୨୦

ଅଳପ ସମ୍ପତ୍ତି ହୋଇବ । ଉଦୟ ଅସ୍ତ ପ୍ରାୟ ଯିବ ॥ ୨୨୧

ଅଳପ ଦିନେ ଯିବେ ନାଶ । ଅଯଶେ ରଖି ନିଜ ଅଂଶ ॥ ୨୨୨

ଯମ ଭୁବନ ସେ ଦେଖିବେ । ଅନ୍ତେ ସେ ଅଗତିକି ଯିବେ ॥ ୨୨୩

ଅସଂସ୍କାର ଯେ କ୍ରିୟାହୀନ । ରଜତମରେ ଯୁକ୍ତ ମନ ॥ ୨୨୪

ସେ ମ୍ଳେଛରୂପୀ ରାଜାମାନ । ପ୍ରଜାଙ୍କୁ କରିବେ ପୀଡ଼ନ ॥ ୨୨୫

ସେ ଦିନେ ପ୍ରଜାମାନେ ପୁଣ । ଦେଖିଣ ରାଜା ଆଚରଣ ॥ ୨୨୬

ଅବିଦ୍ୟା ଅକର୍ମେ ବର୍ତ୍ତିବେ । ସେ ରାଜଭାଷା ହିଁ କହିବେ ॥ ୨୨୭

ପ୍ରଜାଏ ଅନ୍ୟୋଅନ୍ୟେ ହୋଇ । ଆପଣା ଛାଏଁ ନାଶ ଯାଇ ॥ ୨୨୮

ଏକ ଆରକେ ଗର୍ବ କରି । ମରିବେ ହିଂସାଭାବ ଧରି ॥ ୨୨୯

ରାଜାଏ ପ୍ରଜାଙ୍କୁ ନାଶିବେ । ଗୁହାରି କଲେ ନ ଶୁଣିବେ ॥ ୨୩୦

ସୂତ କହନ୍ତି ତୋଷମନେ । ଶୌନକ ମୁନି ସନ୍ନିଧାନେ ॥ ୨୩୧

କହଇ ଜଗନ୍ନାଥ ଦାସ । କଳିର ଆଗତ ଭବିଷ୍ୟ ॥ ୨୩୨

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦ୍ୱାଦଶସ୍କନ୍ଧେ ପ୍ରଥମୋଦ୍ଧଧ୍ୟାୟଃ ॥

* * *