ଏକାଦଶ ସ୍କନ୍ଧ
ଦ୍ୱାତ୍ରିଂଶ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ପରୀକ୍ଷିତ ଶୁଣ । ବିଧାତା ଆଦି ଦେବଗଣ ॥ ୧
ରଜନୀମୁଖେ ଦିନ ଅନ୍ତେ । ମିଳିଲେ କୃଷ୍ଣର ଅଗ୍ରତେ ॥ ୨
ତ୍ରିଦଶନାଥ ପୁରନ୍ଦର । ମିଳିଲେ ଗଉରୀଶଙ୍କର ॥ ୩
ସିଦ୍ଧ ଗନ୍ଧର୍ବ ପିତୃଗଣ । ପିଶାଚ କିନ୍ନର ଚାରଣ ॥ ୪
ଯକ୍ଷ ଗୁହ୍ୟକ ବିଦ୍ୟାଧର । ଘେନାଇ ନାନା ଉପହାର ॥ ୫
କୃଷ୍ଣଗମନ ଖେଳା ଦେଖି । ମିଳିଲେ ଭୁବନ ଉପେକ୍ଷି ॥ ୬
କୃଷ୍ଣର ଜନ୍ମକର୍ମମାନ । ଆନନ୍ଦେ କରନ୍ତି ଗାୟନ ॥ ୭
ଦିବ୍ୟକୁସୁମ ବରଷନ୍ତି । ଜୟଶବଦେ କରି ସ୍ତୁତି ॥ ୮
ନିକଟେ ଦେଖି ଦେବଗଣ । ମନେ ଚିନ୍ତିଲେ ନାରାୟଣ ॥ ୯
ଦେବଙ୍କ ମନ୍ଦିରେ ମୋ' ବାସ । ଏଣୁ ଏ ମୋହର ବିଶ୍ୱାସ ॥ ୧୦
ଏହାଙ୍କ ଅର୍ଥେ ଅବତରି । ମୁହିଁ ଧରଣୀଭାର ହରି ॥ ୧୧
ମୁହିଁ ମୋହର ମହୀତଳେ । ବିହରେ ନାନା ଯୋଗବଳେ ॥ ୧୨
ମୋତେ ନ ପାରେ କେହି ଲକ୍ଷ୍ୟି । ଯେଣୁ ମୁଁ ସର୍ବଭୂତେ ସାକ୍ଷୀ ॥ ୧୩
ମୁଁ ଆଜ ସମାଧି ପ୍ରବେଶେ । ଶରୀର ଛାଡ଼ି ନିଜ ଅଂଶେ ॥ ୧୪
ପଶିବି ଦେଖନ୍ତୁ ଏ କ୍ଷଣ । ଏତେ ବିଚାରି ନାରାୟଣ ॥ ୧୫
ଦୟାସାଗର ଭଗବାନ । ତକ୍ଷଣେ ବୁଜିଲେ ନୟନ ॥ ୧୬
ସମାଧି ବସି ଦୃଢାସନେ । ପ୍ରାଣ ସଂଯମନ ପବନେ ॥ ୧୭
ଧାରଣା ଅଗ୍ନି ସନ୍ଦୀପନେ । ଦେବସମୂହ ଅବଧାନେ ॥ ୧୮
ନିଜ ଭୁବନେ ଗଲେ ହରି । ଜୟଶବଦେ ଦିଗ ପୂରି ॥ ୧୯
ଶ୍ୟାମସୁନ୍ଦର କଳେବର । ଅଶେଷଜନ୍ତୁ ସୁଖ ଘର ॥ ୨୦
ଧ୍ୟାନ-ଧାରଣା-ସ୍ତୁତିସ୍ଥାନ୍ । ମହୀମଙ୍ଗଳ ଅଭିରାମ ॥ ୨୧
ସଂସାର ତରେ ଯାହା ଦେଖି । ହରି ଚଳିଲେ ତା ଉପେକ୍ଷି ॥ ୨୨
ଦୁନ୍ଦୁଭି ବାଜେ ସୁରପୁରୀ । ନୃତ୍ୟ କରନ୍ତି ଅପସରୀ ॥ ୨୩
ଆନନ୍ଦେ ପାରିଜାତମାଳା । ଦେବେ ବରଷି କଲେ ଖେଳା ॥ ୨୪
ଶୂନ୍ୟ ଶବଦ ଶୁଣି କର୍ଣ୍ଣେ । ଦେବେ ବୋଲନ୍ତି ଅନ୍ୟଅନ୍ୟେ ॥ ୨୫
ଚାଲ ହେ ଏହିପଥେ ଯିବା । କୃଷ୍ଣର ଚରଣେ ପୂଜିବା ॥ ୨୬
ଏମନ୍ତ କରି ସେ ବିଚାର । ଘେନାଇ ନାନା ଉପହାର ॥ ୨୭
କୃଷ୍ଣର ପଥେ ଯା'ନ୍ତି ଦେବେ । ପୂରିତ ଆନନ୍ଦ ଉତ୍ସବେ ॥ ୨୮
ଯେବଣ ପଥେ କୃଷ୍ଣ ଗଲେ । କେବେହେଁ ଦେବେ ନ ଜାଣିଲେ ॥ ୨୯
ପରମଜ୍ୟୋତି ଶୂନ୍ୟେ ମିଶେ । ମେଘେ ବିଜୁଳି ଯେହ୍ନେ ଦିଶେ ॥ ୩୦
ନ ଦେଖି କୃଷ୍ଣର ପୟର । ମନେ ପାଇଲେ ଚମତ୍କାର ॥ ୩୧
ଭବ ବିରଞ୍ଚି ଆଦି ସୁରେ । ଶୂନ୍ୟେ ଚଳିଲେ ଯେଝାପୁରେ ॥ ୩୨
ଜୀବ ଯେ ସର୍ବଭୂତେ ଥାଇ । ତାହାକୁ କେହି ନ ଦେଖଇ ॥ ୩୩
ହରିଙ୍କି ଦେଖିବେ ସେ କାହିଁ । ଯାହାର ଆଦିଅନ୍ତ ନାହିଁ ॥ ୩୪
ଆତ୍ମାକୁ ଆପଣେ ସୃଜଇ । ଆତ୍ମାରେ ଆତ୍ମା ପ୍ରବେଶଇ ॥ ୩୫
ଆତ୍ମାରେ ଆତ୍ମାଭାବେ ରହେ । ଜନ୍ତୁଗୋଚର ଆତ୍ମା ନୋହେ ॥ ୩୬
ଆତ୍ମାକୁ ଆତ୍ମବଳେ ବହେ । ଏଣୁ ସକଳ ଆତ୍ମାମୟେ ॥ ୩୭
ଏଣୁ ଏ ଜନ୍ମ-ସ୍ଥିତି ମୃତ୍ୟୁ । ଯାହାର ମାୟା ଅଟେ ହେତୁ ॥ ୩୮
ନଟର ପ୍ରାୟ କ୍ରୀଡ଼ା କରେ । ଦେଖାଇ ପୁଣି ତା' ସଂହରେ ॥ ୩୯
ଶୁଣ ହୋ ପରୀକ୍ଷିତ ତୁହି । ଯମର ଘରୁ ଭାବଗ୍ରାହୀ ॥ ୪୦
ଗୁରୁକୁମର ଆଣି ଦେଲେ । ତୋତେ ହେଁ ଗର୍ଭେ ସେ ରଖିଲେ ॥ ୪୧
ଯେ ହର ଅନ୍ତେ ଅନ୍ତଃ କରେ । ପ୍ରଳୟ କରେ ଯେ ସଂସାରେ ॥ ୪୨
ସମରେ ହେଳେ ତାକୁ ଜିଣି । ମହାମହିମ ଚକ୍ରପାଣି ॥ ୪୩
ଚରଣେ ବିନ୍ଧିଲା ଯେ ବ୍ୟାଧ । ଖଣ୍ଡିଲେ ତା'ର ଅପରାଧ ॥ ୪୪
ଦେଖାଇ ଦରଶନ ଗତି । ତାହାକୁ ଦେଲେ ସ୍ୱର୍ଗେ ସ୍ଥିତି ॥ ୪୫
ଏମନ୍ତ ମହିମା ଯାହାର । ସେ ନୋହେ ନରଅବତାର ॥ ୪୬
ଆପଣା ତନୁ ସେ ନ ରଖେ । ଏ କଥା ମୂର୍ଖଜନ ଲେଖେ ॥ ୪୭
ସୃଷ୍ଟି ପାଳନ ସଂହାରଣ । ଏ ଲୀଳା ଯାହାର ଭିଆଣ ॥ ୪୮
ଏ ଲୀଳା ଖେଳା ମାତ୍ର କରେ । ତେଣୁ ଅଶେଷ ଶକ୍ତି ଧରେ ॥ ୪୯
ତଥାପି ଯଦୁବଂଶ ମାରି । ଧରଣୀଭାର ହେଳେ ତାରି ॥ ୫୦
ବିଚାରେ କାହିଁ ପ୍ରୟୋଜନ । ତେଣୁ ସେ ଗଲେ ନିଜ ସ୍ଥାନ ॥ ୫୧
ଅନାଦି ପ୍ରଭୁ ନାରାୟଣ । ଯେ ବିଷ୍ଣୁ ପରମକାରଣ ॥ ୫୨
ସେ ଦେବଦେବଙ୍କର ପତି । ଦେଖାଇ ତାଙ୍କୁ ଦିବ୍ୟଜ୍ୟୋତି ॥ ୫୩
ଯେସନେ ନଟ ଳୀଳା କରେ । ସେ ନିଜ ମାୟାରେ ବିହରେ ॥ ୫୪
ଏମନ୍ତେ ଗୋବିନ୍ଦର ଗତି । ଏବେ ହୋ ଶୁଣ ନରପତି ॥ ୫୫
ତା'ର ଚରିତ ଏ ଶୟଳେ । ଯେ ପ୍ରାଣୀ ଉଠି ପ୍ରାତଃକାଳେ ॥ ୫୬
କରଇ ଶ୍ରବଣ କୀର୍ତ୍ତନ । ଭାବେ ଭକତିବଳେ ପୁଣ ॥ ୫୭
ସୁମରି ଗୋବିନ୍ଦର ଗତି । ନିର୍ମଳ ହୁଏ ତା'ର ମତି ॥ ୫୮
ସଂସାର ତାପ ନ ଲାଗଇ । ଅନ୍ତେ ପରମଗତି ପାଇ ॥ ୫୯
ଏବେ ହୋ ଶୁଣ କୃଷ୍ଣଲୀଳା । ଦାରୁକ ଦ୍ୱାରକା ଯେ ଗଲା ॥ ୬୦
ରୋଦନ କରି ଉଚ୍ଚସ୍ୱରେ । ପଶିଲା ଦ୍ୱାରକା ନଗରେ ॥ ୬୧
ଦେବକୀ ବସୁଦେବ ପାଦେ । ପଡ଼ିଲା ଦୁଃଖଶୋକନାଦେ ॥ ୬୨
ଶୁଣି ମିଳିଲା ଉଗ୍ରସେନ । ଦେଖି ଦାରୁକ ଆଗମନ ॥ ୬୩
ଦାରୁକ କହି ଶୋକନାଦେ । ପଡ଼ିଲା ଉଗ୍ରସେନ ପାଦେ ॥ ୬୪
ଯାଦବବଳ ନାଶ କଥା । ରାମ ଗୋବିନ୍ଦଙ୍କ ବ୍ୟବସ୍ଥା ॥ ୬୫
ଦାରୁକ ମୁଖୁଁ ତାହା ଶୁଣି । କୃଷ୍ଣର ଯେତେକ କାମିନୀ ॥ ୬୬
ଶୋକେ ହୋଇଲେ ମୂରୁଛିତ । ଧରଣୀ ପଡ଼ି ମୋହଗତ ॥ ୬୭
ସକଳେ ମିଳି ଏକସ୍ଥାନେ । ରୋଦନ କରି ଉଚ୍ଚସ୍ୱନେ ॥ ୬୮
ଶିରେ ବଦନେ କର ତାଡ଼ି । କାନ୍ଦନ୍ତି ମହୀତଳେ ପଡ଼ି ॥ ୬୯
ରାମ ଗୋବିନ୍ଦ ତନୁତ୍ୟାଗେ । ପ୍ରାଣ କେ ଧରେ ହୃଦଭାଗେ ॥ ୭୦
ଦେବକୀ ରୋହିଣୀର କୋଳେ । ହା ହା ଗୋବିନ୍ଦ ବୋଲି ଭୋଳେ ॥ ୭୧
ପଡ଼ି ଛାଡ଼ିଲେ ନିଜ ପ୍ରାଣ । ଦେଖି ବସୁଦେବ ତକ୍ଷଣ ॥ ୭୨
ଚକିତେ ଚଉଦିଗେ ଚାହିଁ । କାତରେ କମ୍ପେ ତା'ର ଦେହୀ ॥ ୭୩
ଡ଼ାକିଲା ତୋଳି ବେନିକର । ଆସ ଗୋବିନ୍ଦ ହଳଧର ॥ ୭୪
ଦେଖାଅ ସୁନ୍ଦର ବଦନ । ବୋଲି ଛାଡ଼ିଲା ନିଜ ପ୍ରାଣ ॥ ୭୫
ବସୁଦେବର ଯେତେ ନାରୀ । ସ୍ୱାମୀ ଚରଣ ଦୃଢେ ଧରି ॥ ୭୬
ଅନଳେ ହୋଇଲେ ଦହନ । ଗଲେ ସେ ବୈକୁଣ୍ଠ ଭୁବନ ॥ ୭୭
ରେବତୀ ରାମମାର୍ଗ ଚିନ୍ତି । ଅଗ୍ନିରେ ଦଗଧ ହୁଅନ୍ତି ॥ ୭୮
କୃଷ୍ଣନନ୍ଦନ ନାରୀଗଣେ । ଅଗ୍ନିପ୍ରବେଶ ଜଣେ ଜଣେ ॥ ୭୯
କୃଷ୍ଣର ଶ୍ରେଷ୍ଠ ଅଷ୍ଟନାରୀ । ରୁକ୍ମିଣୀଦେବୀ ଆଦିକରି ॥ ୮୦
ତୁଣ୍ଡେ ଉଚ୍ଚାରି ଭଗବାନ । ଅନଳେ ହୋଇଲେ ଦହନ ॥ ୮୧
ଅର୍ଜୁନ ଦେଖି ତା' ନୟନେ । ସୁମରି କୃଷ୍ଣକଥା ମନେ ॥ ୮୨
ଅନିତ୍ୟ ଦେଖି ଏ ସଂସାର । ଚିନ୍ତି ହୃଦୟ କଲା ସ୍ଥିର ॥ ୮୩
କୃଷ୍ଣ ନ ଦେଖି ବନ୍ଧୁଗଣେ । ପ୍ରାଣ ଛାଡ଼ିଲେ ଜଣେ ଜଣେ ॥ ୮୪
ଅର୍ଜୁନ ନେଇ ତା' ଅନଳେ । ଦହନ କଲା ସିନ୍ଧୁକୂଳେ ॥ ୮୫
ଯେ ଅବା ରହିଲେ ଜୀବନେ । କୃଷ୍ଣର ଯେତେ ନାରୀଗଣେ ॥ ୮୬
ତାହାଙ୍କୁ ଘେନାଇ ଅର୍ଜୁନ । ପୁରେ ଯେ ଥିଲେ ପ୍ରଜାଜନ ॥ ୮୭
ସକଳ ଘେନି ଏକମେଳେ । ତୀରେ ମିଳିଲେ ରାତ୍ରକାଳେ ॥ ୮୮
ଦେଖନ୍ତି ସର୍ବଲୋକ ତୁଲେ । ତକ୍ଷଣେ ସମୁଦ୍ର ଉଲ୍ଲୋଳେ ॥ ୮୯
ବୁଡ଼ିଲା ଦ୍ୱାରକା ନଗର । ଛାଡ଼ି କୃଷ୍ଣର ନିଜ ପୁର ॥ ୯୦
ଯେଣୁ ସେ କୃଷ୍ଣ-ସନ୍ନିଧାନେ । ରହେ ପ୍ରଳୟ ଅବସାନେ ॥ ୯୧
ଏଣୁ ସେ ଦ୍ୱାରକା ନଗର । ସୁପୁଣ୍ୟ ଈଶ୍ୱର ମନ୍ଦିର ॥ ୯୨
ପରମ ପବିତ୍ର ମଙ୍ଗଳ । ଯହିଁ ବିଜୟ ଆଦିମୂଳ ॥ ୯୩
ଶୁଣ ସୁମନେ ପରୀକ୍ଷିତ । ଥିଲା ଯେ ଅନିରୁଦ୍ଧ ସୁତ ॥ ୯୪
ବାଳକ ବଜ୍ର ତା'ର ନାମ । ସୁନ୍ଦର ତନୁ ଗୁଣଧାମ ॥ ୯୫
ତାହାକୁ କଲେ ତହିଁ ରାଜା । ସୁଖେ ପାଳିଲା ଜନପ୍ରଜା ॥ ୯୬
ଅର୍ଜୁନ ଛତ୍ର ଦେଇ ଶିରେ । ସେ ରାଜା ଦ୍ୱାରକା ନଗରେ ॥ ୯୭
ମଙ୍ଗଳ ଅଭିଷେକ କରି । କୃଷ୍ଣ ବିଧବା ଯେତେ ନାରୀ ॥ ୯୮
ସକଳ ପାରିଷଦ ଯୁତେ । ଅର୍ଜୁନ ଗଲା ଇନ୍ଦ୍ରପ୍ରସ୍ଥେ ॥ ୯୯
ପଥେ ସେ ଗଲା ଦୁଃଖଶୋକେ । କୃଷ୍ଣ-ବିଚ୍ଛେଦେ ଅଶ୍ରୁମୁଖେ ॥ ୧୦୦
ଶୁଣ ହୋ ରାଜା ପରୀକ୍ଷିତ । ଅର୍ଜୁନଠାରୁ ବନ୍ଧୁହତ ॥ ୧୦୧
ଶୁଣି ତୋ' ପିତାମହଗଣେ । ରାଜ୍ୟ ଛାଡ଼ିଲେ ତତକ୍ଷଣେ ॥ ୧୦୨
ତୋ' ଶିରେ ଅଭିଷେକ କରି । ତୁ ଯେ ପାଣ୍ଡବ ବଂଶଧାରୀ ॥ ୧୦୩
ଉତ୍ତରେ ହିମଗିରି ଗଲେ । ଅନ୍ତେ ସେ ବୈକୁଣ୍ଠେ ବସିଲେ ॥ ୧୦୪
ଶୁଣ ହୋ ଅଭିମନ୍ୟୁବଳା । ଯେତେ କହିଲି କୃଷ୍ଣଲୀଳା ॥ ୧୦୫
କୃଷ୍ଣର ଯଶଗୁଣଗାଥା । ନିରତେ ଯେ କରନ୍ତି ଚିନ୍ତା ॥ ୧୦୬
ଏହା ଯେ ଶ୍ରଦ୍ଧାକରି ଜନ । କରନ୍ତି ଶ୍ରବଣ କୀର୍ତ୍ତନ ॥ ୧୦୭
ସେ ନର ତ୍ରିଭୁବନେ ଧନ୍ୟ । ଦେବେ କରନ୍ତି ତା'କୁ ମାନ୍ୟ ॥ ୧୦୮
ହେଳେ ତରଇ ଭବବାରି । ଜଗତମଧ୍ୟେ ଯଶ ପୂରି ॥ ୧୦୯
ଅତି ପତିତ ଦୁରାଚାର । ଯେ ଅବା ପାପିଷ୍ଠ ପାମର ॥ ୧୧୦
ସେ ହରିକଥା କର୍ଣ୍ଣେ ଶୁଣି । ତରନ୍ତି ଭବତରଙ୍ଗିଣୀ ॥ ୧୧୧
ଶ୍ରଦ୍ଧା ବିହୀନେ ଅବହେଳେ । ଯେ ପ୍ରାଣୀ ଶୁଣେ ଏକବେଳେ ॥ ୧୧୨
ଭକତି ଲଭେ କୃଷ୍ଣପାଦେ । ନ ପଡେ଼ ଭବ-ପରମାଦେ ॥ ୧୧୩
ପ୍ରାଣ ବିଯୋଗେ ବ୍ରହ୍ମମୟେ । ପଶଇ ନାରାୟଣ ଦେହେ ॥ ୧୧୪
ପରୀକ୍ଷେ କହେ ବ୍ୟାସସୁତ । ଶ୍ରୀଏକାଦଶେ ଭାଗବତ ॥ ୧୧୫
ଏଣେ ଜୀବର ପରିତ୍ରାଣ । ସୁଜନେ ନିତ୍ୟେ ଏହା ଶୁଣ ॥ ୧୧୬
ଭକତି କୃଷ୍ଣପାଦେ ଲଭ । ମନୁଷ୍ୟ-ଜନ୍ମର ଏ ଲାଭ ॥ ୧୧୭
ବୋଲଇ ଦାସ ଜଗନ୍ନାଥ । ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ॥ ୧୧୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଏକାଦଶସ୍କନ୍ଧେ ଦ୍ୱାତ୍ରିଂଶୋଦ୍ଧଧ୍ୟାୟଃ ॥
* * *