ଏକାଦଶ ସ୍କନ୍ଧ

ଦ୍ୱାତ୍ରିଂଶ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ପରୀକ୍ଷିତ ଶୁଣ । ବିଧାତା ଆଦି ଦେବଗଣ ॥

ରଜନୀମୁଖେ ଦିନ ଅନ୍ତେ । ମିଳିଲେ କୃଷ୍ଣର ଅଗ୍ରତେ ॥

ତ୍ରିଦଶନାଥ ପୁରନ୍ଦର । ମିଳିଲେ ଗଉରୀଶଙ୍କର ॥

ସିଦ୍ଧ ଗନ୍ଧର୍ବ ପିତୃଗଣ । ପିଶାଚ କିନ୍ନର ଚାରଣ ॥

ଯକ୍ଷ ଗୁହ୍ୟକ ବିଦ୍ୟାଧର । ଘେନାଇ ନାନା ଉପହାର ॥

କୃଷ୍ଣଗମନ ଖେଳା ଦେଖି । ମିଳିଲେ ଭୁବନ ଉପେକ୍ଷି ॥

କୃଷ୍ଣର ଜନ୍ମକର୍ମମାନ । ଆନନ୍ଦେ କରନ୍ତି ଗାୟନ ॥

ଦିବ୍ୟକୁସୁମ ବରଷନ୍ତି । ଜୟଶବଦେ କରି ସ୍ତୁତି ॥

ନିକଟେ ଦେଖି ଦେବଗଣ । ମନେ ଚିନ୍ତିଲେ ନାରାୟଣ ॥

ଦେବଙ୍କ ମନ୍ଦିରେ ମୋ' ବାସ । ଏଣୁ ଏ ମୋହର ବିଶ୍ୱାସ ॥ ୧୦

ଏହାଙ୍କ ଅର୍ଥେ ଅବତରି । ମୁହିଁ ଧରଣୀଭାର ହରି ॥ ୧୧

ମୁହିଁ ମୋହର ମହୀତଳେ । ବିହରେ ନାନା ଯୋଗବଳେ ॥ ୧୨

ମୋତେ ନ ପାରେ କେହି ଲକ୍ଷ୍ୟି । ଯେଣୁ ମୁଁ ସର୍ବଭୂତେ ସାକ୍ଷୀ ॥ ୧୩

ମୁଁ ଆଜ ସମାଧି ପ୍ରବେଶେ । ଶରୀର ଛାଡ଼ି ନିଜ ଅଂଶେ ॥ ୧୪

ପଶିବି ଦେଖନ୍ତୁ ଏ କ୍ଷଣ । ଏତେ ବିଚାରି ନାରାୟଣ ॥ ୧୫

ଦୟାସାଗର ଭଗବାନ । ତକ୍ଷଣେ ବୁଜିଲେ ନୟନ ॥ ୧୬

ସମାଧି ବସି ଦୃଢାସନେ । ପ୍ରାଣ ସଂଯମନ ପବନେ ॥ ୧୭

ଧାରଣା ଅଗ୍ନି ସନ୍ଦୀପନେ । ଦେବସମୂହ ଅବଧାନେ ॥ ୧୮

ନିଜ ଭୁବନେ ଗଲେ ହରି । ଜୟଶବଦେ ଦିଗ ପୂରି ॥ ୧୯

ଶ୍ୟାମସୁନ୍ଦର କଳେବର । ଅଶେଷଜନ୍ତୁ ସୁଖ ଘର ॥ ୨୦

ଧ୍ୟାନ-ଧାରଣା-ସ୍ତୁତିସ୍ଥାନ୍ । ମହୀମଙ୍ଗଳ ଅଭିରାମ ॥ ୨୧

ସଂସାର ତରେ ଯାହା ଦେଖି । ହରି ଚଳିଲେ ତା ଉପେକ୍ଷି ॥ ୨୨

ଦୁନ୍ଦୁଭି ବାଜେ ସୁରପୁରୀ । ନୃତ୍ୟ କରନ୍ତି ଅପସରୀ ॥ ୨୩

ଆନନ୍ଦେ ପାରିଜାତମାଳା । ଦେବେ ବରଷି କଲେ ଖେଳା ॥ ୨୪

ଶୂନ୍ୟ ଶବଦ ଶୁଣି କର୍ଣ୍ଣେ । ଦେବେ ବୋଲନ୍ତି ଅନ୍ୟଅନ୍ୟେ ॥ ୨୫

ଚାଲ ହେ ଏହିପଥେ ଯିବା । କୃଷ୍ଣର ଚରଣେ ପୂଜିବା ॥ ୨୬

ଏମନ୍ତ କରି ସେ ବିଚାର । ଘେନାଇ ନାନା ଉପହାର ॥ ୨୭

କୃଷ୍ଣର ପଥେ ଯା'ନ୍ତି ଦେବେ । ପୂରିତ ଆନନ୍ଦ ଉତ୍ସବେ ॥ ୨୮

ଯେବଣ ପଥେ କୃଷ୍ଣ ଗଲେ । କେବେହେଁ ଦେବେ ନ ଜାଣିଲେ ॥ ୨୯

ପରମଜ୍ୟୋତି ଶୂନ୍ୟେ ମିଶେ । ମେଘେ ବିଜୁଳି ଯେହ୍ନେ ଦିଶେ ॥ ୩୦

ନ ଦେଖି କୃଷ୍ଣର ପୟର । ମନେ ପାଇଲେ ଚମତ୍କାର ॥ ୩୧

ଭବ ବିରଞ୍ଚି ଆଦି ସୁରେ । ଶୂନ୍ୟେ ଚଳିଲେ ଯେଝାପୁରେ ॥ ୩୨

ଜୀବ ଯେ ସର୍ବଭୂତେ ଥାଇ । ତାହାକୁ କେହି ନ ଦେଖଇ ॥ ୩୩

ହରିଙ୍କି ଦେଖିବେ ସେ କାହିଁ । ଯାହାର ଆଦିଅନ୍ତ ନାହିଁ ॥ ୩୪

ଆତ୍ମାକୁ ଆପଣେ ସୃଜଇ । ଆତ୍ମାରେ ଆତ୍ମା ପ୍ରବେଶଇ ॥ ୩୫

ଆତ୍ମାରେ ଆତ୍ମାଭାବେ ରହେ । ଜନ୍ତୁଗୋଚର ଆତ୍ମା ନୋହେ ॥ ୩୬

ଆତ୍ମାକୁ ଆତ୍ମବଳେ ବହେ । ଏଣୁ ସକଳ ଆତ୍ମାମୟେ ॥ ୩୭

ଏଣୁ ଏ ଜନ୍ମ-ସ୍ଥିତି ମୃତ୍ୟୁ । ଯାହାର ମାୟା ଅଟେ ହେତୁ ॥ ୩୮

ନଟର ପ୍ରାୟ କ୍ରୀଡ଼ା କରେ । ଦେଖାଇ ପୁଣି ତା' ସଂହରେ ॥ ୩୯

ଶୁଣ ହୋ ପରୀକ୍ଷିତ ତୁହି । ଯମର ଘରୁ ଭାବଗ୍ରାହୀ ॥ ୪୦

ଗୁରୁକୁମର ଆଣି ଦେଲେ । ତୋତେ ହେଁ ଗର୍ଭେ ସେ ରଖିଲେ ॥ ୪୧

ଯେ ହର ଅନ୍ତେ ଅନ୍ତଃ କରେ । ପ୍ରଳୟ କରେ ଯେ ସଂସାରେ ॥ ୪୨

ସମରେ ହେଳେ ତାକୁ ଜିଣି । ମହାମହିମ ଚକ୍ରପାଣି ॥ ୪୩

ଚରଣେ ବିନ୍ଧିଲା ଯେ ବ୍ୟାଧ । ଖଣ୍ଡିଲେ ତା'ର ଅପରାଧ ॥ ୪୪

ଦେଖାଇ ଦରଶନ ଗତି । ତାହାକୁ ଦେଲେ ସ୍ୱର୍ଗେ ସ୍ଥିତି ॥ ୪୫

ଏମନ୍ତ ମହିମା ଯାହାର । ସେ ନୋହେ ନରଅବତାର ॥ ୪୬

ଆପଣା ତନୁ ସେ ନ ରଖେ । ଏ କଥା ମୂର୍ଖଜନ ଲେଖେ ॥ ୪୭

ସୃଷ୍ଟି ପାଳନ ସଂହାରଣ । ଏ ଲୀଳା ଯାହାର ଭିଆଣ ॥ ୪୮

ଏ ଲୀଳା ଖେଳା ମାତ୍ର କରେ । ତେଣୁ ଅଶେଷ ଶକ୍ତି ଧରେ ॥ ୪୯

ତଥାପି ଯଦୁବଂଶ ମାରି । ଧରଣୀଭାର ହେଳେ ତାରି ॥ ୫୦

ବିଚାରେ କାହିଁ ପ୍ରୟୋଜନ । ତେଣୁ ସେ ଗଲେ ନିଜ ସ୍ଥାନ ॥ ୫୧

ଅନାଦି ପ୍ରଭୁ ନାରାୟଣ । ଯେ ବିଷ୍ଣୁ ପରମକାରଣ ॥ ୫୨

ସେ ଦେବଦେବଙ୍କର ପତି । ଦେଖାଇ ତାଙ୍କୁ ଦିବ୍ୟଜ୍ୟୋତି ॥ ୫୩

ଯେସନେ ନଟ ଳୀଳା କରେ । ସେ ନିଜ ମାୟାରେ ବିହରେ ॥ ୫୪

ଏମନ୍ତେ ଗୋବିନ୍ଦର ଗତି । ଏବେ ହୋ ଶୁଣ ନରପତି ॥ ୫୫

ତା'ର ଚରିତ ଏ ଶୟଳେ । ଯେ ପ୍ରାଣୀ ଉଠି ପ୍ରାତଃକାଳେ ॥ ୫୬

କରଇ ଶ୍ରବଣ କୀର୍ତ୍ତନ । ଭାବେ ଭକତିବଳେ ପୁଣ ॥ ୫୭

ସୁମରି ଗୋବିନ୍ଦର ଗତି । ନିର୍ମଳ ହୁଏ ତା'ର ମତି ॥ ୫୮

ସଂସାର ତାପ ନ ଲାଗଇ । ଅନ୍ତେ ପରମଗତି ପାଇ ॥ ୫୯

ଏବେ ହୋ ଶୁଣ କୃଷ୍ଣଲୀଳା । ଦାରୁକ ଦ୍ୱାରକା ଯେ ଗଲା ॥ ୬୦

ରୋଦନ କରି ଉଚ୍ଚସ୍ୱରେ । ପଶିଲା ଦ୍ୱାରକା ନଗରେ ॥ ୬୧

ଦେବକୀ ବସୁଦେବ ପାଦେ । ପଡ଼ିଲା ଦୁଃଖଶୋକନାଦେ ॥ ୬୨

ଶୁଣି ମିଳିଲା ଉଗ୍ରସେନ । ଦେଖି ଦାରୁକ ଆଗମନ ॥ ୬୩

ଦାରୁକ କହି ଶୋକନାଦେ । ପଡ଼ିଲା ଉଗ୍ରସେନ ପାଦେ ॥ ୬୪

ଯାଦବବଳ ନାଶ କଥା । ରାମ ଗୋବିନ୍ଦଙ୍କ ବ୍ୟବସ୍ଥା ॥ ୬୫

ଦାରୁକ ମୁଖୁଁ ତାହା ଶୁଣି । କୃଷ୍ଣର ଯେତେକ କାମିନୀ ॥ ୬୬

ଶୋକେ ହୋଇଲେ ମୂରୁଛିତ । ଧରଣୀ ପଡ଼ି ମୋହଗତ ॥ ୬୭

ସକଳେ ମିଳି ଏକସ୍ଥାନେ । ରୋଦନ କରି ଉଚ୍ଚସ୍ୱନେ ॥ ୬୮

ଶିରେ ବଦନେ କର ତାଡ଼ି । କାନ୍ଦନ୍ତି ମହୀତଳେ ପଡ଼ି ॥ ୬୯

ରାମ ଗୋବିନ୍ଦ ତନୁତ୍ୟାଗେ । ପ୍ରାଣ କେ ଧରେ ହୃଦଭାଗେ ॥ ୭୦

ଦେବକୀ ରୋହିଣୀର କୋଳେ । ହା ହା ଗୋବିନ୍ଦ ବୋଲି ଭୋଳେ ॥ ୭୧

ପଡ଼ି ଛାଡ଼ିଲେ ନିଜ ପ୍ରାଣ । ଦେଖି ବସୁଦେବ ତକ୍ଷଣ ॥ ୭୨

ଚକିତେ ଚଉଦିଗେ ଚାହିଁ । କାତରେ କମ୍ପେ ତା'ର ଦେହୀ ॥ ୭୩

ଡ଼ାକିଲା ତୋଳି ବେନିକର । ଆସ ଗୋବିନ୍ଦ ହଳଧର ॥ ୭୪

ଦେଖାଅ ସୁନ୍ଦର ବଦନ । ବୋଲି ଛାଡ଼ିଲା ନିଜ ପ୍ରାଣ ॥ ୭୫

ବସୁଦେବର ଯେତେ ନାରୀ । ସ୍ୱାମୀ ଚରଣ ଦୃଢେ ଧରି ॥ ୭୬

ଅନଳେ ହୋଇଲେ ଦହନ । ଗଲେ ସେ ବୈକୁଣ୍ଠ ଭୁବନ ॥ ୭୭

ରେବତୀ ରାମମାର୍ଗ ଚିନ୍ତି । ଅଗ୍ନିରେ ଦଗଧ ହୁଅନ୍ତି ॥ ୭୮

କୃଷ୍ଣନନ୍ଦନ ନାରୀଗଣେ । ଅଗ୍ନିପ୍ରବେଶ ଜଣେ ଜଣେ ॥ ୭୯

କୃଷ୍ଣର ଶ୍ରେଷ୍ଠ ଅଷ୍ଟନାରୀ । ରୁକ୍ମିଣୀଦେବୀ ଆଦିକରି ॥ ୮୦

ତୁଣ୍ଡେ ଉଚ୍ଚାରି ଭଗବାନ । ଅନଳେ ହୋଇଲେ ଦହନ ॥ ୮୧

ଅର୍ଜୁନ ଦେଖି ତା' ନୟନେ । ସୁମରି କୃଷ୍ଣକଥା ମନେ ॥ ୮୨

ଅନିତ୍ୟ ଦେଖି ଏ ସଂସାର । ଚିନ୍ତି ହୃଦୟ କଲା ସ୍ଥିର ॥ ୮୩

କୃଷ୍ଣ ନ ଦେଖି ବନ୍ଧୁଗଣେ । ପ୍ରାଣ ଛାଡ଼ିଲେ ଜଣେ ଜଣେ ॥ ୮୪

ଅର୍ଜୁନ ନେଇ ତା' ଅନଳେ । ଦହନ କଲା ସିନ୍ଧୁକୂଳେ ॥ ୮୫

ଯେ ଅବା ରହିଲେ ଜୀବନେ । କୃଷ୍ଣର ଯେତେ ନାରୀଗଣେ ॥ ୮୬

ତାହାଙ୍କୁ ଘେନାଇ ଅର୍ଜୁନ । ପୁରେ ଯେ ଥିଲେ ପ୍ରଜାଜନ ॥ ୮୭

ସକଳ ଘେନି ଏକମେଳେ । ତୀରେ ମିଳିଲେ ରାତ୍ରକାଳେ ॥ ୮୮

ଦେଖନ୍ତି ସର୍ବଲୋକ ତୁଲେ । ତକ୍ଷଣେ ସମୁଦ୍ର ଉଲ୍ଲୋଳେ ॥ ୮୯

ବୁଡ଼ିଲା ଦ୍ୱାରକା ନଗର । ଛାଡ଼ି କୃଷ୍ଣର ନିଜ ପୁର ॥ ୯୦

ଯେଣୁ ସେ କୃଷ୍ଣ-ସନ୍ନିଧାନେ । ରହେ ପ୍ରଳୟ ଅବସାନେ ॥ ୯୧

ଏଣୁ ସେ ଦ୍ୱାରକା ନଗର । ସୁପୁଣ୍ୟ ଈଶ୍ୱର ମନ୍ଦିର ॥ ୯୨

ପରମ ପବିତ୍ର ମଙ୍ଗଳ । ଯହିଁ ବିଜୟ ଆଦିମୂଳ ॥ ୯୩

ଶୁଣ ସୁମନେ ପରୀକ୍ଷିତ । ଥିଲା ଯେ ଅନିରୁଦ୍ଧ ସୁତ ॥ ୯୪

ବାଳକ ବଜ୍ର ତା'ର ନାମ । ସୁନ୍ଦର ତନୁ ଗୁଣଧାମ ॥ ୯୫

ତାହାକୁ କଲେ ତହିଁ ରାଜା । ସୁଖେ ପାଳିଲା ଜନପ୍ରଜା ॥ ୯୬

ଅର୍ଜୁନ ଛତ୍ର ଦେଇ ଶିରେ । ସେ ରାଜା ଦ୍ୱାରକା ନଗରେ ॥ ୯୭

ମଙ୍ଗଳ ଅଭିଷେକ କରି । କୃଷ୍ଣ ବିଧବା ଯେତେ ନାରୀ ॥ ୯୮

ସକଳ ପାରିଷଦ ଯୁତେ । ଅର୍ଜୁନ ଗଲା ଇନ୍ଦ୍ରପ୍ରସ୍ଥେ ॥ ୯୯

ପଥେ ସେ ଗଲା ଦୁଃଖଶୋକେ । କୃଷ୍ଣ-ବିଚ୍ଛେଦେ ଅଶ୍ରୁମୁଖେ ॥ ୧୦୦

ଶୁଣ ହୋ ରାଜା ପରୀକ୍ଷିତ । ଅର୍ଜୁନଠାରୁ ବନ୍ଧୁହତ ॥ ୧୦୧

ଶୁଣି ତୋ' ପିତାମହଗଣେ । ରାଜ୍ୟ ଛାଡ଼ିଲେ ତତକ୍ଷଣେ ॥ ୧୦୨

ତୋ' ଶିରେ ଅଭିଷେକ କରି । ତୁ ଯେ ପାଣ୍ଡବ ବଂଶଧାରୀ ॥ ୧୦୩

ଉତ୍ତରେ ହିମଗିରି ଗଲେ । ଅନ୍ତେ ସେ ବୈକୁଣ୍ଠେ ବସିଲେ ॥ ୧୦୪

ଶୁଣ ହୋ ଅଭିମନ୍ୟୁବଳା । ଯେତେ କହିଲି କୃଷ୍ଣଲୀଳା ॥ ୧୦୫

କୃଷ୍ଣର ଯଶଗୁଣଗାଥା । ନିରତେ ଯେ କରନ୍ତି ଚିନ୍ତା ॥ ୧୦୬

ଏହା ଯେ ଶ୍ରଦ୍ଧାକରି ଜନ । କରନ୍ତି ଶ୍ରବଣ କୀର୍ତ୍ତନ ॥ ୧୦୭

ସେ ନର ତ୍ରିଭୁବନେ ଧନ୍ୟ । ଦେବେ କରନ୍ତି ତା'କୁ ମାନ୍ୟ ॥ ୧୦୮

ହେଳେ ତରଇ ଭବବାରି । ଜଗତମଧ୍ୟେ ଯଶ ପୂରି ॥ ୧୦୯

ଅତି ପତିତ ଦୁରାଚାର । ଯେ ଅବା ପାପିଷ୍ଠ ପାମର ॥ ୧୧୦

ସେ ହରିକଥା କର୍ଣ୍ଣେ ଶୁଣି । ତରନ୍ତି ଭବତରଙ୍ଗିଣୀ ॥ ୧୧୧

ଶ୍ରଦ୍ଧା ବିହୀନେ ଅବହେଳେ । ଯେ ପ୍ରାଣୀ ଶୁଣେ ଏକବେଳେ ॥ ୧୧୨

ଭକତି ଲଭେ କୃଷ୍ଣପାଦେ । ନ ପଡେ଼ ଭବ-ପରମାଦେ ॥ ୧୧୩

ପ୍ରାଣ ବିଯୋଗେ ବ୍ରହ୍ମମୟେ । ପଶଇ ନାରାୟଣ ଦେହେ ॥ ୧୧୪

ପରୀକ୍ଷେ କହେ ବ୍ୟାସସୁତ । ଶ୍ରୀଏକାଦଶେ ଭାଗବତ ॥ ୧୧୫

ଏଣେ ଜୀବର ପରିତ୍ରାଣ । ସୁଜନେ ନିତ୍ୟେ ଏହା ଶୁଣ ॥ ୧୧୬

ଭକତି କୃଷ୍ଣପାଦେ ଲଭ । ମନୁଷ୍ୟ-ଜନ୍ମର ଏ ଲାଭ ॥ ୧୧୭

ବୋଲଇ ଦାସ ଜଗନ୍ନାଥ । ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ॥ ୧୧୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଏକାଦଶସ୍କନ୍ଧେ ଦ୍ୱାତ୍ରିଂଶୋଦ୍ଧଧ୍ୟାୟଃ ॥

* * *