ଏକାଦଶ ସ୍କନ୍ଧ
ଏକତ୍ରିଂଶ ଅଧ୍ୟାୟ
ପରୀକ୍ଷ ଶୁକମୁନି ଚାହିଁ । ବୋଲଇ ଶିରେ କର ଦେଇ ॥ ୧
ପରୀକ୍ଷିତ ଉବାଚ
ଉଦ୍ଧବ କୃଷ୍ଣର ବଚନେ । ଗଲେ ଯେ ବଦରିକାଶ୍ରମେ ॥ ୨
ପୁଣି କି କଲେ ଚକ୍ରପାଣି । ବିସ୍ତାରି କହ ମୁନିମଣି ॥ ୩
ଯେ କାଳରୂପେ ଅବତରେ । କୋଟି ବ୍ରହ୍ମାଣ୍ଡ ରୋମେ ଧରେ ॥ ୪
ବ୍ରାହ୍ମଣଶାପେ ଯଦୁବଂଶ । ଶରୀର ତୁଲେ କଲେ ନାଶ ॥ ୫
ଅଶେଷ-ଜଗତ-ମଙ୍ଗଳ । ଯେ ରୂପ ଦେଖି କାମ ଭୋଳ ॥ ୬
ଜନଲୋଚନ ମନୋହର । ଅଶେଷ ଭୁବନ ସୁନ୍ଦର ॥ ୭
ଯେ ନାରୀଦୃଷ୍ଟି ଅଙ୍ଗେ ପଡେ଼ । ମନମୋହନ ଚିତ୍ତ ଜଡେ଼ ॥ ୮
ଆସି ନ ପାରେ ମନ ଛାଡ଼ି । ପ୍ରେମଲାଳସ ସୁଖେ ବୁଡ଼ି ॥ ୯
ଯେ ରୂପଗୁଣ ସାଧୁଗଣେ । କେବଳ ଶୁଣିଲେ ଶ୍ରବଣେ ॥ ୧୦
ସର୍ବ ବିଷୟ ପାସୋରନ୍ତି । ଗୃହ-ଦେହକୁ ନ ସ୍ମରନ୍ତି ॥ ୧୧
ଆଜାନୁ ଲମ୍ବେ ଚାରିକର । ବଚନ-ଅମୃତ-ମଧୁର ॥ ୧୨
ଏ ରୂପ ଅର୍ଜ୍ଜୁନର ରଥେ । ଦେଖି ମରିଲେ ଯୁଦ୍ଧେ ଯେତେ ॥ ୧୩
ନିଜ ଶରୀର ପାସୋରିଲେ । ତାହାର ଶରୀରେ ପଶିଲେ ॥ ୧୪
ଏ ଦେହ ତେଜିଲେ କି ଅର୍ଥେ । ଯଶ ବିସ୍ତାରି ଏ ଜଗତେ ॥ ୧୫
ସେ କଥା କହ ମୁନିମଣି । କୃତାର୍ଥ ହେବି ତାହା ଶୁଣି ॥ ୧୬
ବୋଲନ୍ତି ଶୁକମୁନିବର । ଶୁଣ ହୋ ମହିମା କୃଷ୍ଣର ॥ ୧୭
ଶୁକ ଉବାଚ
କୃଷ୍ଣର କାଳଚକ୍ରଘାତେ । ଦ୍ୱାରକା କମ୍ପିଲା ଅଦ୍ଭୁତେ ॥ ୧୮
ବିବିଧ ଉତ୍ପାତ ପ୍ରତ୍ୟକ୍ଷେ । ଭୂମି-ଗଗନ-ଅନ୍ତରୀକ୍ଷେ ॥ ୧୯
ତା'ଦେଖି ଦେବକୀନନ୍ଦନ । ନିକଟେ ରାଇ ବନ୍ଧୁଜନ ॥ ୨୦
ଉଗ୍ରସେନର ତୁଲେ ହରି । ସୁଧର୍ମା ମଧ୍ୟେ ବିଜେ କରି ॥ ୨୧
ଭଗବାନ ଉବାଚ
ବୋଲନ୍ତି ପ୍ରଭୁ ଦାମୋଦର । ଶୁଣ ସକଳ ଯଦୁବୀର ॥ ୨୨
ଦେଖ ଉତ୍ପାତ ଏ ପ୍ରତ୍ୟକ୍ଷେ । ଭୂମି-ଗଗନ-ଅନ୍ତରୀକ୍ଷେ ॥ ୨୩
ଏ ଧୂମକେତୁ ଭୟଙ୍କର । ଦେଖ ଦିବସେ ଅନ୍ଧକାର ॥ ୨୪
ଅବନୀ କମ୍ପେ ଘନଘନ । ଅଦ୍ଭୁତ ଶୁଭେ ଘୋରସ୍ୱନ ॥ ୨୫
ଘୋର ପ୍ରଚଣ୍ଡ ଅଦ୍ଭୁତ । ଏ ପୁରେ ରହିବା କେମନ୍ତ ॥ ୨୬
ନିଶ୍ଚୟେ ସର୍ବେ ଯିବା ନାଶ । ଏ ପୁରେ ନ କରି ବିଶ୍ୱାସ ॥ ୨୭
ଦଣ୍ଡେ ନ ଥିବା ଦ୍ୱାରକାଏ । ମୋତେ ଲାଗଇ ମହାଭୟେ ॥ ୨୮
ପ୍ରଭାସତୀର୍ଥେ ଚାଲ ଯିବା । ଏଠାରେ ନିମିଷେ ନ ଥିବା ॥ ୨୯
ଯେ ତୀର୍ଥେ ପ୍ରାଚୀ ସରସ୍ୱତୀ । ସ୍ନାନେ ସକଳ ରିଷ୍ଟଶାନ୍ତି ॥ ୩୦
ବୃଦ୍ଧ ବାଳକ ନାରୀଗଣ । ରାତ୍ରହୁଁ କରନ୍ତୁ ପ୍ରୟାଣ ॥ ୩୧
ଦ୍ୱାରକା ଆଶା ଛାଡ଼ି ଦୂରେ । କେହି ନ ରହ ଏହୁ ପୁରେ ॥ ୩୨
ସେ ଜଳେ ସ୍ନାନ କରି ତୋଷେ । ଦିନ ବଂଚିବା ଉପବାସେ ॥ ୩୩
ଘେନି ସକଳ ଉପହାର । ସେ ତୀର୍ଥେ ସ୍ନାନ ଦାନ କର ॥ ୩୪
ପିତୃଦେବତା ଋଷିଗଣେ । ବେଦଜ୍ଞ ଉତ୍ତମ ବ୍ରାହ୍ମଣେ ॥ ୩୫
ଆନନ୍ଦେ କରି ନାନା ଦାନ । ସୁବର୍ଣ୍ଣ ତିଳ ବସ୍ତ୍ର ଅନ୍ନ ॥ ୩୬
ଅଶ୍ୱ କୁଞ୍ଜର ଭୂମି ରଥ । ଗୋରୁ ମହିମା ଯୂଥ ଯୂଥ ॥ ୩୭
ଏ ଯେ ଉତ୍ତମ ବିଧିସାର । ସକଳ-ମଙ୍ଗଳ-ବେଭାର ॥ ୩୮
ପିତୃ-ଦେବତା-ଗୋ-ବ୍ରାହ୍ମଣ । ଏ ପୂଜା ପରମ କାରଣ ॥ ୩୯
ଅରିଷ୍ଟଖଣ୍ଡନ ଏ ବିଧି । ନିଗମ ଆଗମ ପ୍ରସିଦ୍ଧି ॥ ୪୦
ଏଣୁ ସକଳ ଯଦୁଜନ । ରିଷ୍ଟଖଣ୍ଡନେ ଦେବା ଦାନ ॥ ୪୧
ଏମନ୍ତେ କୃଷ୍ଣର ବଚନେ । ଯାଦବେ ଭାଳି ଏକମନେ ॥ ୪୨
ବୋଲନ୍ତି ଧନ୍ୟ କୃଷ୍ଣକଥା । ଏଣେ ଖଣ୍ଡିବ ରିଷ୍ଟବ୍ୟଥା ॥ ୪୩
ଏମନ୍ତ ଭାଳି ଏକଚିତ୍ତେ । ଯାନ ଆରୋହି ଯେଝାମତେ ॥ ୪୪
ରାତ୍ରହୁଁ ଗଲେ ଯୂଥେ ଯୂଥେ । ମିଳିଲେ ସରସ୍ୱତୀ ତୀର୍ଥେ ॥ ୪୫
ଆନନ୍ଦେ ପଶି ପୁଣ୍ୟଜଳେ । କରନ୍ତି ସ୍ନାନ ଦାନ ଭୋଳେ ॥ ୪୬
ଯେ ବିଧି କୃଷ୍ଣ ଉପଦେଶେ । ଦିନ ବଞ୍ଚିଲେ ଉପବାସେ ॥ ୪୭
ନାନା ପ୍ରକାରେ ଦେଇ ଦାନ । ତୋଷିଲେ ବିପ୍ରଙ୍କର ମନ ॥ ୪୮
ଦିବସ ଅବଶେଷ କାଳେ । ସକଳେ ବସି ଏକମେଳେ ॥ ୪୯
ଦଇବଯୋଗେ ହତଜ୍ଞାନେ । ଯାଦବେ କାଦମ୍ବରୀ ପାନେ ॥ ୫୦
କୃଷ୍ଣ ମାୟାରେ ବିମୋହିତ । ହୋଇଲେ ସର୍ବେ ମହାମତ୍ତ ॥ ୫୧
ଫଳିଲା ବ୍ରହ୍ମଶାପ ଫଳ । ଅଦ୍ଭୁତେ ଉଠିଲା କନ୍ଦଳ ॥ ୫୨
ବେଣୁ ଘର୍ଷଣେ ଅଗ୍ନି ଯେହ୍ନେ । ତକ୍ଷଣେ ଉଠେ ଘୋରବନେ ॥ ୫୩
ଶୂନ୍ୟେ ପଡ଼ିଲା ଥାଟେ ହୁରି । ଯାଦବେ କରେ ଶସ୍ତ୍ର ଧରି ॥ ୫୪
ଗଦା ମୁଦ୍ଗର ଅସିବର । ଧନୁକ ଭୂଷଣ୍ଡି ତୋମର ॥ ୫୫
ଏମନ୍ତେ ନାନା ଶସ୍ତ୍ର ଧରି । ଧାଇଁଲେ ଘୋରନାଦ କରି ॥ ୫୬
ଡ଼ାକନ୍ତି ଅତି ଭୟଙ୍କରେ । ଘୋର ସମର ନଦୀତୀରେ ॥ ୫୭
ରଥେ କେ ଯୁଝେ ରଣମଧ୍ୟେ । କେ ଗୋରୁ ମହିଷର କନ୍ଧେ ॥ ୫୮
ଖର ଉଷ୍ଟ୍ରର କନ୍ଧେ ବସି । କେ ଯୁଝେ ଘୋରରଣେ ପଶି ॥ ୫୯
ଗଜର କନ୍ଧେ କେ ଯୁଝନ୍ତି । ଅଶ୍ୱର ପୃଷ୍ଠେ ଆରୋହନ୍ତି ॥ ୬୦
ମୁଷଳ ମୁଦ୍ଗର ପ୍ରହାରେ । ରଜନୀ ଘୋର ଅନ୍ଧକାରେ ॥ ୬୧
ଅଦ୍ଭୁତ ମୁଷଳ ସମରେ । ମୁଖ ନ ଦିଶେ ଅନ୍ଧକାରେ ॥ ୬୨
ସ୍ୱଭାବେ ମହାବୀରଗଣ । ରୋଷେ କରନ୍ତି ଘୋରରଣ ॥ ୬୩
ରୁକ୍ମିଣୀସୁତ ଶାମ୍ବ ସଙ୍ଗେ । ଘୋର ଗର୍ଜନ ରଣରଙ୍ଗେ ॥ ୬୪
ସାତ୍ୟକି ଅନିରୁଦ୍ଧ ବେନି । ଭୋଜ ଅକ୍ରୁର ଅନ୍ୟୋଅନ୍ୟି ॥ ୬୫
ସଂଗ୍ରାମଜିତ ଭଦ୍ରସେନ । ରୋଷେ କରନ୍ତି ଘୋର ରଣ ॥ ୬୬
ସହସ୍ରଜିତ ଶତଜିତ । ସୁମିତ୍ର ସଙ୍ଗରେ ସୁରଥ ॥ ୬୭
ଦୁର୍ମଦ ଅନ୍ଧ ଯଦୁଗଣ । ଅନ୍ୟୋନ୍ୟେ କଲେ ଘୋରରଣ ॥ ୬୮
ଶ୍ରୀକୃଷ୍ଣ ମାୟା ବିମୋହିତ । ଯୁଦ୍ଧ କରିଣ ହେବେ ହତ ॥ ୬୯
ମାଥୁର ଶୂରସେନ ମଧୁ । ଭୋଜ ସାତ୍ୱତ ବୃଷ୍ଟି ଯଦୁ ॥ ୭୦
ଦୁର୍ମଦ ମତ୍ତ ଘୋରରଣେ । ଯୁଦ୍ଧ କରନ୍ତି ଜଣେ ଜଣେ ॥ ୭୧
ରୋଷେ ଯୁଝନ୍ତି ପିତାପୁତ୍ରେ । ଦୁର୍ମଦ ଅନ୍ଧ ମିତ୍ର ମିତ୍ରେ ॥ ୭୨
ସୁହୃଦ ସୁହୃଦେ ନ ଚିହ୍ନି । ଯୁଝନ୍ତି ଅହଙ୍କାର ଘେନି ॥ ୭୩
କୋପେ ଯୁଝନ୍ତି ବେନିଭାଇ । କେ ପିତା ବନ୍ଧୁ ନ ଜାଣଇ ॥ ୭୪
ମାତୁଳ ଭଗିନୀକୁମରେ । ଯୁଝନ୍ତି ଜ୍ଞାତି ସହୋଦରେ ॥ ୭୫
ଲଜ୍ଜା ପୀରତି ତେଜି ଦୂରେ । ଯୁଝନ୍ତି ଘୋର ଅନ୍ଧକାରେ ॥ ୭୬
ଦୁଃସହ ପ୍ରହାର ପ୍ରଚଣ୍ଡ । ଶସ୍ତ୍ରେ ଭାଜିଲେ ଖଣ୍ଡଖଣ୍ଡ ॥ ୭୭
ବିନ୍ଧୁ ତୁଟିଲା ଧନୁଶର । ଗଦା ଖଡ଼ଗ ହେଲା ଚୂର ॥ ୭୮
ଅରୁଣ ପ୍ରକାଶ ଗଗନେ । ମିଳିଲେ ଏରକାର ବନେ ॥ ୭୯
ବ୍ରାହ୍ମଣଶାପେ ଲୌହୁ ଜାତ । ତୀକ୍ଷ୍ଣ ତ୍ରିଶିର ବଜ୍ରବତ ॥ ୮୦
କରେ ଧରନ୍ତି ମୁଷ୍ଟିମୁଷ୍ଟି । ପ୍ରହାରେ ଛିଡେ଼ କୋଟିକୋଟି ॥ ୮୧
ଏରକାବନେ ଘୋରରଣେ । ସଂଗ୍ରାମେ ମଲେ ଜଣେ ଜଣେ ॥ ୮୨
ଗଗନେ ଆଦିତ୍ୟ ପ୍ରକାଶେ । ଯେ ଅବା ଥିଲେ ଯେଉଁ ଦେଶେ ॥ ୮୩
ପ୍ରବେଶ ହେଲେ ତହିଁ ଆସି । ଯୁଦ୍ଧ କରନ୍ତି ରଣେ ପଶି ॥ ୮୪
ଦେଖି ଧାଇଁଲେ ଗଦାଧର । ଡ଼ାକନ୍ତି ସମର ନ କର ॥ ୮୫
ଯାଦବେ ମଦେ ଅଚେତନ । ନ ଶୁଣି ଗୋବିନ୍ଦ ବଚନ ॥ ୮୬
ନାନା ଆୟୁଧ ଧରି କରେ । କୃଷ୍ଣଙ୍କୁ ବେଢିଲେ ସମରେ ॥ ୮୭
ବିନ୍ଧନ୍ତି ନାନା ଶସ୍ତ୍ର ଧରି । ଦେଖି ଧାଇଁଲେ ହଳଧାରୀ ॥ ୮୮
ରାମ ଗୋବିନ୍ଦ କୋପଭରେ । ଯୁଝନ୍ତି ଭୀଷଣ-ସମରେ ॥ ୮୯
ଗଦା ମୁଷଳେ ଯୁଦ୍ଧ କଲେ । କେ ନିଜ ପର ନ ଜାଣିଲେ ॥ ୯୦
ଏରକାମୁଷ୍ଟି ବଜ୍ରାଘାତେ । ବୀରେ ପଡ଼ିଲେ ଯୂଥେଯୂଥେ ॥ ୯୧
ମାୟାଭିଆଣ ଭଗବାନ । ଯାଦବେ କଲେ ନିସୂଦନ ॥ ୯୨
ବ୍ରାହ୍ମଣଶାପ କୋପାନଳ । ହେଳେ ଦହିଲା ଯଦୁକୁଳ ॥ ୯୩
ବେଣୁ ଅନଳେ ବେଣୁ ଯେହ୍ନେ । ଯାଦବେ ନାଶ ଗଲେ ତେହ୍ନେ ॥ ୯୪
ପୁଣି ପ୍ରଦ୍ୟୁମ୍ନେ କୃଷ୍ଣ ଦେଖି । ଚକ୍ର ପେଷିଲେ ପଦ୍ମଆଖି ॥ ୯୫
ପ୍ରଦ୍ୟୁମ୍ନ ନାଶି ଚକ୍ର ଗଲା । ଶ୍ରୀକୃଷ୍ଣ କରକୁ ନ ଇଲା ॥ ୯୬
ସେ କାଳରୂପୀ ଭଗବାନ । ଦେଖି ସାନନ୍ଦ କଲେ ମନ ॥ ୯୭
ଏମନ୍ତେ ନିଜ କୁଳ ହରି । କନ୍ଦଳ ବ୍ୟାଜେ ନାଶ କରି ॥ ୯୮
ବୋଲନ୍ତି ପ୍ରଭୁ ନନ୍ଦବଳା । ଏବେ ଅବନୀଭାର ଗଲା ॥ ୯୯
ଯାଦବବଳ ନଷ୍ଟ ଦେଖି । ରାମ ବୁଜିଲେ ବେନି ଆଖି ॥ ୧୦୦
ତକ୍ଷଣେ ନିଜ ଯୋଗବଳେ । ଅନନ୍ତ ପଶିଲେ ପାତାଳେ ॥ ୧୦୧
ଅନନ୍ତ-ମହିମା ଯାହାର । ଛାଡ଼ିଲେ ନିଜ କଳେବର ॥ ୧୦୨
ରାମର ଦେଖି ଅବସାନ । ତକ୍ଷଣେ ପ୍ରଭୁ ଭଗବାନ ॥ ୧୦୩
ଅଶ୍ୱତଥ ତରୁମୂଳେ ବସି । ନିଜ ମହିମା ପରକାଶି ॥ ୧୦୪
ସୁନ୍ଦର ଦିଶେ ଚତୁର୍ଭୁଜ । କୋଟିଏ ରବି ଜିଣି ତେଜ ॥ ୧୦୫
ଅନ୍ଧାର ଦଶଦିଶ ଗଞ୍ଜେ । ଶ୍ୟାମସୁନ୍ଦର ରୂପ ତେଜେ ॥ ୧୦୬
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ । ମଣିକଙ୍କଣ ମନ ମୋହେ ॥ ୧୦୭
ପୀତବସନ ପରିଧାନ । ସକଳ ମଙ୍ଗଳ ନିଧାନ ॥ ୧୦୮
ସୁନ୍ଦର ସ୍ମିତହାସମୁଖ । କୁଟୀଳ କୁନ୍ତଳ ସୁରେଖ ॥ ୧୦୯
ବିକଚ ପୁଣ୍ଡରୀକ ପ୍ରାୟେ । କୃଷ୍ଣନୟନଯୁଗ ଶୋହେ ॥ ୧୧୦
ଶ୍ରବଣେ ମକର କୁଣ୍ଡଳ । ସୁନ୍ଦର ଅଳକା କପୋଳ ॥ ୧୧୧
ଯଜ୍ଞୋପବୀତ କନ୍ଧେ ସାଜେ । ରତ୍ନମେଖଳା କଟିମାଝେ ॥ ୧୧୨
ଲଲାଟେ କିରୀଟ ଉଭାରି । ସୁବର୍ଣ୍ଣ ମୁଦ୍ରିକା ଅଙ୍ଗୁଳି ॥ ୧୧୩
ଊରେ କୌସ୍ତୁଭ ବନମାଳ । ମୋହନ ରୂପ ନନ୍ଦବାଳ ॥ ୧୧୪
ନିଜ ଆୟୁଧ ମୂର୍ତ୍ତିମନ୍ତେ । ଦିଶନ୍ତି କୃଷ୍ଣର ଅଗ୍ରତେ ॥ ୧୧୫
ବାମଚରଣ ତୋଳି ଧୀରେ । ଦକ୍ଷିଣ ଜାନୁର ଉପରେ ॥ ୧୧୬
ଶରୀରୁ ଶ୍ରମଝାଳ ଗଳେ । କୃଷ୍ଣ ବସିଲେ ତରୁମୂଳେ ॥ ୧୧୭
ପଦ୍ମ-ଅରୁଣ-ବର୍ଣ୍ଣ ପ୍ରାୟେ । ସେ ପାଦ ଅତି ଶୋଭାପାଏ ॥ ୧୧୮
ଏମନ୍ତେ ଶୁଣ ନରନାଥ । ଜାରାଶବର ଉପଗତ ॥ ୧୧୯
ମୁଷଳ ଅବଶେଷ ଖଣ୍ଡେ । ଫଳା ନିର୍ମିତ ତା'ର କାଣ୍ଡେ ॥ ୧୨୦
ବନେ ବୁଲନ୍ତେ ମୃଗ ମାରି । ମିଳିଲା କରେ ଧନୁ ଧରି ॥ ୧୨୧
ଲତା ଗହନ ବୃକ୍ଷମୂଳେ । ଦେଖିଲା ଚରଣ ନିରୋଳେ ॥ ୧୨୨
ମୃଗର କର୍ଣ୍ଣ ପ୍ରାୟ ମଣି । ବାଣ ବିନ୍ଧିଲା ଗୁଣ ଟାଣି ॥ ୧୨୩
ବିନ୍ଧି ଧାଇଁଲା ଅତି ଖରେ । ଦେଖିଲା ଲତାର ଭିତରେ ॥ ୧୨୪
କୋଟି-ଆଦିତ୍ୟ ଜିଣି ତେଜ । ସୁନ୍ଦର ଶୋହେ ଚତୁର୍ଭୁଜ ॥ ୧୨୫
ଦେଖି ଚକିତ ବ୍ୟାଧ ମନେ । ଧନୁ ପକାଇ ତତକ୍ଷଣେ ॥ ୧୨୬
କାତରେ ବେନିକର ଯୋଡ଼ି । କୃଷ୍ଣଚରଣ-ତଳେପଡ଼ି ॥ ୧୨୭
ଉଠି କପାଳେ ମାରି କର । ବୋଲଇ ମୁହିଁ ଦୁରାଚାର ॥ ୧୨୮
ନ ଜାଣି କଲି ଏଡେ଼ କର୍ମ । କେ ମୋତେ କଲା ମତିଭ୍ରମ ॥ ୧୨୯
ମୁଁ ଯେ ପାମର ଦୁରାଚାର । ନରକେ ନିବାସ ମୋହର ॥ ୧୩୦
ତୁ ନାଥ ଜଗତ-ସୋଦର । ଏ ଅପରାଧ କ୍ଷମା କର ॥ ୧୩୧
ତୋ ନାମ ଚିତ୍ତେ ଯେ ସୁମରେ । ଘୋର ସଂସାରୁ ଦୁଃଖୁଁ ତରେ ॥ ୧୩୨
ତୋତେ ଯେ ନୟନେ ଦେଖଇ । ଅଜ୍ଞାନ-ତିମିର ନାଶଇ ॥ ୧୩୩
ଶବର ଜାତିହୀନ ମୁହିଁ । ବିଶେଷ ତୋର ମାୟାମୋହି ॥ ୧୩୪
ସ୍ୱଭାବେ ପତିତ କୁତ୍ସିତ । ହୀନ ପାମର ମୋର ଚିତ୍ତ ॥ ୧୩୫
ତୋର ସ୍ୱହସ୍ତେ ଦାମୋଦର । ଖଡ଼ଗେ ଛେଦ ମୋର ଶିର ॥ ୧୩୬
ସର୍ବପାତକ ମୋର ଯାଉ । ଏ ଜାତି ମଧ୍ୟେ ଜନ୍ମ ନୋହୁ ॥ ୧୩୭
ଦୁରିତ ନ କରେ ଯେମନ୍ତେ । ଏମନ୍ତ ଆଜ୍ଞା ହେଉ ମୋତେ ॥ ୧୩୮
ତୋ ମାୟାଗତି ଦାମୋଦର । ନ ଜାଣେ ବିରଞ୍ଚି ଶଙ୍କର ॥ ୧୩୯
ବେଦବଚନେ ମୁନିଜନେ । ଭ୍ରମନ୍ତି ତୋର ଅନୁମାନେ ॥ ୧୪୦
ତୋ ମାୟାବଳେ ଗୋପୀନାଥ । ଅଶେଷଜନ ବିମୋହିତ ॥ ୧୪୧
ମୁଁ ପାପୀ ଜାଣିବି କେମନ୍ତେ । ଅଜ୍ଞାନେ ଭ୍ରମଇ ଜଗତେ ॥ ୧୪୨
ବ୍ୟାଧ ବିକଳ କର୍ଣ୍ଣେ ଶୁଣି । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୪୩
ଉଠ ଶବର ଛାଡ଼ ଭୟ । ମନେ ତୁ ନ କର ବିସ୍ମୟ ॥ ୧୪୪
ମୋହର ବାଞ୍ଛିତ ଏ କର୍ମ । ଜାରା ନ କର ମତିଭ୍ରମ ॥ ୧୪୫
ମୋର ବଚନେ ତୁ ନିର୍ମଳ । ଏହି ଶରୀରେ ସ୍ୱର୍ଗେ ଚଳ ॥ ୧୪୬
କୃଷ୍ଣର ଆଜ୍ଞା ପାଇ ବେଗେ । ବ୍ୟାଧ ଚଳିଲା ସ୍ୱର୍ଗମାର୍ଗେ ॥ ୧୪୭
ଜାରାଶବର ସ୍ୱର୍ଗେ ଯାନ୍ତେ । ପଥେ ମିଳିଲା ଦିବ୍ୟରଥେ ॥ ୧୪୮
କି ଅବା ଦେବା ପଟାନ୍ତର । ଗଞ୍ଜଇ ଚନ୍ଦ୍ର-ଦିବାକର ॥ ୧୪୯
ଦେଖି ଶବର ତୋଷମନେ । ତକ୍ଷଣେ ବସିଲା ବିମାନେ ॥ ୧୫୦
କୃଷ୍ଣ ବଚନେ ସ୍ୱର୍ଗେ ଗଲା । ତକ୍ଷଣେ ଦାରୁକ ମିଳିଲା ॥ ୧୫୧
ଲତାଗହନେ କୃଷ୍ଣପାଶେ । ମିଳିଲା ଦିବ୍ୟଗନ୍ଧବାସେ ॥ ୧୫୨
ଦାରୁକ ଦେଖେ ଯଦୁପତି । କୋଟି ଆଦିତ୍ୟ ପ୍ରାୟେ ଜ୍ୟୋତି ॥ ୧୫୩
ଜଗମୋହନ ରୂପରାଶି । ଅଶ୍ୱତ୍ଥ ତରୁମୂଳେ ବସି ॥ ୧୫୪
ଦାରୁକ ରୋମାଞ୍ଚ ଶରୀର । ପ୍ରେମେ ନୟନୁ ବହେ ନୀର ॥ ୧୫୫
ତକ୍ଷଣେ ରଥ ସେହୁ ଛାଡ଼ି । କୃଷ୍ଣଚରଣ ତଳେ ପଡ଼ି ॥ ୧୫୬
ହା କୃଷ୍ଣ ଜୀବନ ମୋହର । ଭୋ ନାଥ ମୁହିଁ ତୋ କିଙ୍କର ॥ ୧୫୭
ବିକଳେ କାନ୍ଦେ ଉଚ୍ଚ ତୁଣ୍ଡେ । କରଯୁଗଳ ତାଡ଼ି ମୁଣ୍ଡେ ॥ ୧୫୮
ଭୋ ନାଥ ଛାଡ଼ି ମୋତେ ଦୟା । କିମ୍ପା ଦେଖାଉ ଏଡେ଼ ମାୟା ॥ ୧୫୯
ନୟନ ନାହିଁ ମୋ ଶରୀରେ । ଆଜ ପଡ଼ିଲି ତମଘୋରେ ॥ ୧୬୦
ନ ଦିଶେ ଦଶଦିଶ ମୋତେ । ତୋର ଚରଣ ଶସ୍ତ୍ରାଘାତେ ॥ ୧୬୧
ତୋତେ ନ ଦେଖି ଦାମୋଦର । ଜୀବନ ଥିବ କି ମୋହର ॥ ୧୬୨
ଏମନ୍ତେ ଦାରୁକ କାନ୍ଦନ୍ତେ । ରଥ ଚଳିଲା ଶୂନ୍ୟପଥେ ॥ ୧୬୩
ଭୂଷଣ ବାହନ ସହିତେ । ଗରୁଡ଼ ଲାଞ୍ଛନ ସଂଯୁତେ ॥ ୧୬୪
କୋଟିଏ ସୂର୍ଯ୍ୟ ପ୍ରାୟ ଦିଶି । ଗଗନମାର୍ଗେ ଗଲା ପଶି ॥ ୧୬୫
ତାହାର ପଛେ ଶସ୍ତ୍ରଗଣେ । ତକ୍ଷଣେ ଗମିଲେ ଗଗନେ ॥ ୧୬୬
ଦାରୁକେ ବୋଲନ୍ତି ମୁରାରି । ଦ୍ୱାରକା ଯାଅ ବେଗ କରି ॥ ୧୬୭
ତାତ ଜନନୀଙ୍କର ଆଗେ । ବାରତା କହ ଯାଇ ବେଗେ ॥ ୧୬୮
ଜ୍ଞାତି ବାନ୍ଧବଜନ ରାଇ । ମୋ ତାତ ଜନନୀ ବସାଇ ॥ ୧୬୯
ଘୋର ସମରେ ଯଦୁବଂଶ । ପ୍ରଭାସତୀର୍ଥେ ଗଲେ ନାଶ ॥ ୧୭୦
ତା ଦେଖି ପ୍ରଭୁ ବଳରାମ । ଯୋଗେ ଚଳିଲେ ନିଜ ଧାମ ॥ ୧୭୧
ମୋର ଜୀବନେ ନାହିଁ ଆଶା । ଦାରୁକ ଦେଖ ମୋର ଦଶା ॥ ୧୭୨
ଆମ ରଜନୀ ମଧ୍ୟଗତେ । ମୁଁ ପୁଣି ଯିବି ନିଜପଥେ ॥ ୧୭୩
ମୋର ଶରୀର ଅବସାନେ । ସମୁଦ୍ର ଘୋରନାଦସ୍ୱନେ ॥ ୧୭୪
ଗ୍ରାସିବ ଦ୍ୱାରକାଭୁବନ । ଜଳେ ବୁଡ଼ିବେ ସର୍ବଜନ ॥ ୧୭୫
ଆଜ ନ ଥାନ୍ତୁ କେହି ପୁରେ । ରଜନୀମୁଖେ ଯାନ୍ତୁ ତୀରେ ॥ ୧୭୬
ତାତ-ଜନନୀ-ନାରୀ ସଙ୍ଗେ । ଇନ୍ଦ୍ରପ୍ରସ୍ଥେ ତୁ ଯାଅ ବେଗେ ॥ ୧୭୭
ଅର୍ଜୁନ ଅଛି ମୋ ଭୁବନେ । ଆବୋରି ନିଅ ବେନିଜନେ ॥ ୧୭୮
ତୁ ଏବେ ହୁଅ ଜ୍ଞାନପର । ସକଳଭ୍ରମ କର ଦୂର ॥ ୧୭୯
ସଂସାର ମୋହ ଛାଡ଼ି ଚିତ୍ତେ । ରହ ତୁ ମୋର ଧର୍ମପଥେ ॥ ୧୮୦
ଯେତେ ତୁ ଦେଖୁ ଜୀବଲୋକ । ଏ ସର୍ବ ଦୁଃଖ ମହାଶୋକ ॥ ୧୮୧
ମୋର ମାୟାରେ ଏ ଚଳନ୍ତି । ମୋତେ ତୁ ଭଜ ଏହା ଚିନ୍ତି ॥ ୧୮୨
କୃଷ୍ଣର ଶୁଣି ଏ ବଚନ । ଦାରୁକ ହୋଇ ହତଜ୍ଞାନ ॥ ୧୮୩
କୃଷ୍ଣଚରଣେ ଶିର ଦେଇ । ନମିଲା ଦଣ୍ଡପ୍ରାୟ ହୋଇ ॥ ୧୮୪
ପ୍ରଣାମ କରି ପୁଣପୁଣ । ନମିଲା ଅଭୟ ଚରଣ ॥ ୧୮୫
ଚରଣରେଣୁ ଶିରେ ଧରି । କାନ୍ଦଇ ଉଚ୍ଚେ ନାଦ କରି ॥ ୧୮୬
ପଥ ନ ଦିଶେ ଦୁଃଖଶୋକେ । ଦ୍ୱାରକା ଚଳିଲା ଦାରୁକେ ॥ ୧୮୭
ବୋଲଇ ଦାସ ଜଗନ୍ନାଥ । ମୁଁ ଏବେ ହୋଇଲି ଅନାଥ ॥ ୧୮୮
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଏକାଦଶସ୍କନ୍ଧେ ଏକତ୍ରିଂଶୋଦ୍ଧଧ୍ୟାୟଃ ॥
* * *