ଏକାଦଶ ସ୍କନ୍ଧ

ତ୍ରିଂ‌ଶ ଅଧ୍ୟାୟ

ଯୋଗସାଧନ ତତ୍ତ୍ୱ ବାଣୀ । ଉଦ୍ଧବ କୃଷ୍ଣମୁଖୁଁ ଶୁଣି ॥

ସଂଶୟମନେ କରଯୋଡ଼ି । ବୋଲେ ଗୋବିନ୍ଦ ପାଦେ ପଡ଼ି ॥

ଉଦ୍ଧବ ଉବାଚ

ଭୋ ନାଥ ପ୍ରଭୁ ଦାମୋଦର । ଶୁଣିଲି ଯୋଗର ବିଚାର ॥

କ୍ଷଣଭଙ୍ଗୁର ଦେହ ଧରି । କେ ଅବା ପାରେ ସାଧ୍ୟ କରି ॥

ସୁଖେ ଅଳପେ ସାଧ୍ୟ କରି । ତୋ' ମାୟା କେମନ୍ତେ ନିସ୍ତରି ॥

ଅନେକ ଜନ୍ମେ ଯୋଗୀ ନରେ । ଯୋଗ ସାଧନ୍ତି ଏ ସଂସାରେ ॥

ଧ୍ୟାନ-ଧାରଣା-ଦୃଢାସନେ । ଚିତ୍ତ ସଂଯମି ସାବଧାନେ ॥

ସେ ଯୋଗ ସାଧି ଏ ସଂସାରେ । କେ ଅବା ପାରେ କେ ନ ପାରେ ॥

ଏଣୁ ସଂସାରେ କେବା ଜନ । ସାଧିବ ଯୋଗେ ତତ୍ତ୍ୱଜ୍ଞାନ ॥

ଉପାୟ କହ ନାଥ ମୋତେ । ଏ ଜୀବ ନିସ୍ତରେ କେମନ୍ତେ ॥ ୧୦

ସୂକ୍ଷ୍ମେ ଅଳପେ ସାଧ୍ୟ କରି । ତୋ' ମାୟାଘୋରୁ ଯିବି ତରି ॥ ୧୧

ପଦ୍ମନୟନ ବିଶ୍ୱେଶ୍ୱର । ତୁ ନାଥ ଯଦୁବୀରବର ॥ ୧୨

ତୋହର ଅଭୟପୟର । ବ୍ରହ୍ମ ଆନନ୍ଦ ସୁଖଘର ॥ ୧୩

ସେ ପାଦପଦ୍ମ ଆଶ୍ରେ କଲେ । ଜୀବ ସଂସାରୁ ତରେ ଭଲେ ॥ ୧୪

ସାର-ଅସାର ବିଚାରଣେ । ଭୟେ ଭାଜିଲେ ବୁଧଗଣେ ॥ ୧୫

ଭକତିଯୋଗ ସାଧ୍ୟ କରି । ଭବୁଁ ଭକତେ ଯା'ନ୍ତି ତରି ॥ ୧୬

ଯୋଗୀଏ ଯୋଗମାର୍ଗେ ଭ୍ରମି । ଫୁଟି ହୁଅନ୍ତି ପଥଶ୍ରମୀ ॥ ୧୭

ଏ ତୋ ବିଚିତ୍ର ଗତି ମାୟା । କେ ଜାଣିପାରେ ପ୍ରଭୁ ଏହା ॥ ୧୮

ଭୋ ନାଥ ମୋତେ କୃପାକର । ଏ ଘୋର ସଙ୍କଟୁ ଉଦ୍ଧର ॥ ୧୯

ଅନ୍ୟ ଶରଣ ନାହିଁ ଯା'ର । ତୋତେ ଯେ ଭଜେ ନିରନ୍ତର ॥ ୨୦

ତୁ ନାଥ ହେଉ ତା' ବିଶ୍ୱାସ । ଦଣ୍ଡେ ନ ଛାଡ଼ୁ ତା'ର ପାଶ ॥ ୨୧

ଏ କଥା ଅଦ୍ଭୂତ କି ତୋତେ । ତୁ ଯେ ଭକତଜନ ହିତେ ॥ ୨୨

ବାନର ଭାଲୁଙ୍କର ମେଳେ । ତୋ' ଅବତାର ମହୀତଳେ ॥ ୨୩

ରାମ ସ୍ୱରୂପେ ନିଜ ଅଂଶେ । ତୋହର ଜନ୍ମ ରଘୁବଂଶେ ॥ ୨୪

ସୁରେନ୍ଦ୍ର କିରୀଟ ଅଗ୍ରତ । ତୋ' ପାଦରେଣୁରେ ଭୂଷିତ ॥ ୨୫

ଏମନ୍ତ ପ୍ରଭୁ ନିଜ ଅଙ୍ଗେ । ବାନର ଭାଲୁଙ୍କର ସଙ୍ଗେ ॥ ୨୬

ଏଣୁ ତୋ ମହିମା ଅଦ୍ଭୂତ । କେ ମୁଖେ କହୁ ଗୋପୀନାଥ ॥ ୨୭

ତୁ ନାଥ ଜଗତ ଜୀବନ । ଦରିଦ୍ର ପ୍ରାଣୀଙ୍କର ଧନ ॥ ୨୮

ଅଶେଷ ଭୁବନ କାରଣ । ତୁ ନାଥ ଜଗତଧାରଣ ॥ ୨୯

ତୁ ନାଥ ଭୂତତତ୍ତ୍ୱଜ୍ଞାତା । ଅଶେଷ କର୍ମଫଳଦାତା ॥ ୩୦

ତୁ ପିତାମାତା ଦାଶରଥି । ଅଶେଷ ଜଗତର ପତି ॥ ୩୧

ତୋ' ପାଦସେବା ପରିହରି । କେ ପାରେ ଭବସିନ୍ଧୁ ତରି ॥ ୩୨

ଯେ ତୋ'ର ମହିମା ନ ଜାଣି । ଅନ୍ୟ ଦେବତା ପୂଜେ ଆଣି ॥ ୩୩

ତପ ସମାଧି ଯୋଗବନ୍ଧେ । କି ଅବା ମୋକ୍ଷଧର୍ମ ସାଧେ ॥ ୩୪

କେବଳ ଅଚେତନ ସେହି। ତାହାର କର୍ମସିଦ୍ଧି କାହିଁ ॥ ୩୫

ମାୟା ମୋହିତ ରଜ ତମେ । ବିଧାତା ରହେ ତା'ର ବାମେ ॥ ୩୬

ଯେ ଯେତେରୂପେ ଭଜେ ତୋତେ । ତୁ ଥାଉ ତାହାଙ୍କ ଅଗ୍ରତେ ॥ ୩୭

କରୁ ତାହାଙ୍କ ଉପକାର । ଏଣୁ ଭକତେ ତୋ' କିଙ୍କର ॥ ୩୮

ଏ ଭାବେ ବ୍ରହ୍ମଜ୍ଞାନୀ ଜନେ । ତୋ' ନାମ ଉଚ୍ଚାରି ବଦନେ ॥ ୩୯

ରୋମ ହରଷେ ତୋତେ ଚିନ୍ତି । ଆନନ୍ଦ ସାଗରେ ଭାସନ୍ତି ॥ ୪୦

ତୋ' ଗୁଣ ଖୋଜି କେ ପାରଇ । ବ୍ରହ୍ମା ଆୟୁଷେ ଦେହ ବହି ॥ ୪୧

ତୋ' ପାଦପଦ୍ମ ସୁଧା ଆଶେ । ଭକତ ବନ୍ଧା ପ୍ରେମପାଶେ ॥ ୪୨

ଭୋ ନାଥ ତୋ'ର ଅବତାର । ଅଶେଷ ପ୍ରାଣୀଙ୍କ ଉଦ୍ଧାର ॥ ୪୩

ଏ ଘୋରମାୟା ମୋହ କଳ୍ପେ । ଜୀବ ଉଦ୍ଧାରୁ ଗୁରୁ ରୂପେ ॥ ୪୪

ତୁ ଅନ୍ତର୍ଯ୍ୟାମୀ ରୂପ ଧରି । ଦୁରିତ ଖଣ୍ଡୁ ନରହରି ॥ ୪୫

ଏଣୁ ତୁ ଜଗତକାରଣ । ଅଶେଷେ ଜୀବ ତୋ' ଶରଣ ॥ ୪୬

ଶୁକ ଉବାଚ

ଏମନ୍ତ ଉଦ୍ଧବର ବାଣୀ । ଶୁଣି ସନ୍ତୋଷ ଚକ୍ରପାଣି ॥ ୪୭

ତ୍ରିମୂର୍ତ୍ତି ଧାରୀ ଯେ ଈଶ୍ୱର । ଜଗତ ଯାର ଖେଳଘର ॥ ୪୮

ବିମ୍ବ ଅଧରେ ମନ୍ଦେ ହସି । ଉଦ୍ଧବେ କହନ୍ତି ଆଶ୍ୱାସି ॥ ୪୯

ଭଗବାନ ଉବାଚ

ଶୁଣ ଉଦ୍ଧବ ସାଧୁ ଧୀର । ଯେ ଧର୍ମ ପରମ ମଙ୍ଗଳ ॥ ୫୦

ଯେ ଧର୍ମ ଆଚରିଣ ନର । ହେଲେ ଖଣ୍ଡଇ ମୃତ୍ୟୁକାଳ ॥ ୫୧

ମୋହର ଅର୍ଥେ କର୍ମ କର । ସର୍ବ ଆରମ୍ଭ ଛାଡ଼ି ସ୍ମର ॥ ୫୨

ନିର୍ମଳ କର ବୁଦ୍ଧି-ମନ । ମୋର ଚରଣେ କର ଧ୍ୟାନ ॥ ୫୩

ପୀରତି କରି ଶ୍ରଦ୍ଧାଚିତ୍ତେ । କର୍ମ ତୁ କର ମୋର ଅର୍ଥେ ॥ ୫୪

ପବିତ୍ର ଭୂମି ପୁଣ୍ୟଦେଶେ । ମୋର ଭକତଜନ ପାଶେ ॥ ୫୫

ମୋର ଭକତ ବସେ ଯହିଁ । ସକଳତୀର୍ଥ ଥାନ୍ତି ତହିଁ ॥ ୫୬

ଯେ ଧର୍ମ କରେ ମୋ ଭକତ । ଉଦ୍ଧବ କର ସେହି ମତ ॥ ୫୭

ମୋ ଯାତ୍ରା-ପର୍ବ-ମହୋତ୍ସବ । ଆନନ୍ଦେ କର ହେ ଉଦ୍ଧବ ॥ ୫୮

ନାମକୀର୍ତ୍ତନ ନୃତ୍ୟଗୀତେ । ମଙ୍ଗଳ କର ଅନୁବ୍ରତେ ॥ ୫୯

ମୋର ମଙ୍ଗଳେ ସର୍ବସିଦ୍ଧି । ଯେ ମୋର ମହୋତ୍ସବ ବିଧି ॥ ୬୦

ସକଳ କର୍ମଫଳ ତେଜ । ସର୍ବ ସମ୍ପୂର୍ଣ୍ଣେ ମୋତେ ଭଜ ॥ ୬୧

ସକଳ ଭୂତେ ବାସ ମୋ'ର । ମୁଁ ସର୍ବ ଅନ୍ତର ବାହାର ॥ ୬୨

ଉଦ୍ଧବ କର ମୋତେ ଧ୍ୟାନ । ମୋ ବିନୁ କିଛି ନାହିଁ ଆନ ॥ ୬୩

ମୁଁ ନିରାଲମ୍ବ ନିରାଧାରେ । ବସଇ ସକଳ ଶରୀରେ ॥ ୬୪

ସ୍ୱଭାବେ ମୁହିଁ ବିଶ୍ୱରୂପୀ । ଦେଖ ଗଗନ ଯେହ୍ନେ ବ୍ୟାପୀ ॥ ୬୫

ଏଣୁ ମୁଁ ସର୍ବଭୂତେ ଥାଇ । ପର ଅପର ମୋ'ର ନାହିଁ ॥ ୬୬

ଏ ଘେନି ସକଳ ସମାନେ । ଦେଖୁ ତୁ ପ୍ରେମ-ତତ୍ତ୍ୱଜ୍ଞାନେ ॥ ୬୭

ବ୍ରାହ୍ମଣ କ୍ଷତ୍ରି ବୈଶ୍ୟ ଶୂଦ୍ର । ପତିତ ଚଣ୍ଡାଳ ବା କ୍ଷୁଦ୍ର ॥ ୬୮

ସର୍ବ ସମାନ ଦେଖ ଚିତ୍ତେ । ଶୁଣ କହିବା କିଛି ମୋତେ ॥ ୬୯

ଅଗ୍ନି କଣିକା ବଡ଼ସାନ । ଅନଳୁ ନୁହଇ ନା ଆନ ॥ ୭୦

ରବି ଶଶାଙ୍କ ରଶ୍ମି ଯେତେ । ପ୍ରକାଶ ହୋନ୍ତି ଦିବାରାତ୍ରେ ॥ ୭୧

ବିଚାରେ ଚନ୍ଦ୍ରସୂର୍ଯ୍ୟ ସେହି । ଏମନ୍ତେ ସର୍ବଭୂତେ ମୁହିଁ ॥ ୭୨

କ୍ରୁର ଅକ୍ରୁର ଯେତେ ଜନ । ତାହାଙ୍କୁ ଦେଖିବ ସମାନ ॥ ୭୩

ଏମନ୍ତ ଚିନ୍ତେ ଯା'ର ଚିତ୍ତ । ତାହାକୁ ବୋଲି ସୁପଣ୍ଡିତ ॥ ୭୪

ମୁହିଁ ବସଇ ସର୍ବଭୂତେ । ଏମନ୍ତେ ଦେଖୁଥିବ ନିତ୍ୟେ ॥ ୭୫

ମଦ ମାତ୍ସର୍ଯ୍ୟ ଅହଙ୍କାର । କ୍ରମେ ସକଳ ହୋନ୍ତି ଦୂର ॥ ୭୬

ଶ୍ୱାନ ଚଣ୍ଡାଳ କୃମି ଖର । ଗୋ ଅଶ୍ୱ ବାନର ଶୂକର ॥ ୭୭

ଏ ଆଦି ପ୍ରାଣୀ ସାନବଡେ । ଯେ ଆସି ମିଳିବ ନିଆଡେ଼ ॥ ୭୮

ଦେଖି କପୋଳେ କର ଦେଇ । ଭୂମିରେ ଦଣ୍ଡପ୍ରାୟ ଶୋଇ ॥ ୭୯

ଦୂରେ ନିବେଶି ଲଜ୍ଜାମାନ । ଚରଣେ କରିବ ପ୍ରଣାମ ॥ ୮୦

ତାହାଙ୍କ ଗୁଣ ଦୋଷ ଯେତେ । ମନେ ନ ଧରି କ୍ଷମ ଚିତ୍ତେ ॥ ୮୧

ଈଶ୍ୱର ବସେ ସର୍ବଦେହେ । ଏ ଘେନି ନମିବ ନିର୍ଭୟେ ॥ ୮୨

ସମସ୍ତ ଭୂତେ ମୋ'ର ଭାବ । ଯାବତ ନୋହିଛି ସମ୍ଭବ ॥ ୮୩

ତାବତ ଉପାସନା ମୋ'ର । ମନ ବଚନ କାୟେ କର ॥ ୮୪

ଏ ରୂପେ ଉପାସନ୍ତେ ମୋତେ । ଈଶ୍ୱର ଦେଖି ସର୍ବଭୂତେ ॥ ୮୫

ଆତ୍ମା ସାକ୍ଷାତ ହୁଏ ଯେବେ । ଛାଡ଼ିବ ସର୍ବକାମ ତେବେ ॥ ୮୬

ଏ ରୂପେ କରନ୍ତେ ବିଚାର । ଛାଡ଼ଇ ଭେଦ ତୋ'ର ମୋ'ର ॥ ୮୭

କାୟରେ ମନ ବଚନରେ । ମୋ' ଭାବ ସର୍ବଭୂତେ କରେ ॥ ୮୮

ଏହି ସେ ସର୍ବଧର୍ମସାର । ଏ ବାକ୍ୟ ସମ୍ମତ ମୋହର ॥ ୮୯

ଉତ୍ତମ ଗତି ଏ ବୋଲାଇ । ଏମନ୍ତ ମାର୍ଗେ ମୋତେ ପାଇ ॥ ୯୦

ଏ ଧର୍ମ ଅନୁଭବ ମାତ୍ରେ । ତିଳେ ବିଚ୍ଛେଦ ନୋହେ ଗାତ୍ରେ ॥ ୯୧

କେବଳ କର୍ମଫଳ ତ୍ୟାଗେ । ରମିବ ମୋର ଅନୁରାଗେ ॥ ୯୨

ଏ ଧର୍ମ ପରମ ମଙ୍ଗଳ । କେବେହେଁ ନାଶ ନାହିଁ ତା'ର ॥ ୯୩

ମୁହିଁ ଏ ଧର୍ମ ଆଶ୍ରେ କରି । ସଂସାର ବହେ ଅବତରି ॥ ୯୪

ଶୁଣ ଉଦ୍ଧବ ସାଧୁ ଧୀର । ଏ ଧର୍ମ ଆଚାର ମୋହର ॥ ୯୫

ଏ ଧର୍ମ ନ ଜାଣି ଯେ ନର । କରଇ ଲୋକ-ବ୍ୟବହାର ॥ ୯୬

ସେ ବ୍ୟର୍ଥ-କର୍ମେ କ୍ଳେଶ ପାଇ । ତା ଯେବେ ମୋତେ ସମର୍ପଇ ॥ ୯୭

ସେ ନର ଭବସିନ୍ଧୁ ତରେ । ନ ପଡେ଼ ମୋହ-ଅନ୍ଧକାରେ ॥ ୯୮

ଏ ଧର୍ମମାର୍ଗେ ବୁଧଜନ । ତରିଲେ ସଂସାର ଗହନ ॥ ୯୯

ଏଣୁ ଅସତ୍ୟମୟ ଦେହେ । ଯେ ସତ୍ୟ ସାଧନ୍ତି ଉପାୟେ ॥ ୧୦୦

କେବଳ ଲଭନ୍ତି ସେ ମୋତେ । ଶୁଣ ଉଦ୍ଧବ କହୁଁ ତୋତେ ॥ ୧୦୧

ଏ ସର୍ବଧର୍ମ ବେଦସାର । ମୁନିଜନଙ୍କୁ ଅଗୋଚର ॥ ୧୦୨

ଉଦ୍ଧବ କହିଲି ମୁଁ ସତ୍ୟ । ଏ ଯେ ପରମଜ୍ଞାନତତ୍ତ୍ୱ ॥ ୧୦୩

ଏଣୁ ହୋ ଭବସିନ୍ଧୁ ତରି । ଯେବେ ତୁ ପାରୁ ଦୃଢେ ଧରି ॥ ୧୦୪

ଏହା ଯେ ଶ୍ରବଣେ ଶୁଣନ୍ତି । ସେ ମୋହଜାଲେ ନ ପଡ଼ନ୍ତି ॥ ୧୦୫

ଅଶେଷ ପାପ କରିଥିଲେ । ତରନ୍ତି ଶ୍ରବଣେ ଶୁଣିଲେ ॥ ୧୦୬

ଦୁଷ୍ଟ ପତିତ ଦୁରାଚାର । ସେ ଶୁଣି ଭବୁ ହୋନ୍ତି ପାର ॥ ୧୦୭

ଏ ଧର୍ମ ବ୍ରହ୍ମ-ନିରୂପଣ । ଶୁଦ୍ଧ ଗୁପତ ସନାତନ ॥ ୧୦୮

ଏ ଧର୍ମ ସାଧ୍ୟ ଥାଉଁ ଦୂରେ । ଯେ ପ୍ରାଣୀ ଶୁଣି ଶ୍ରଦ୍ଧା କରେ ॥ ୧୦୯

ସକଳ ପାପୁଁ ସେ ତରଇ । ଅନ୍ତେ ପରମପଦ ପାଇ ॥ ୧୧୦

ଏ ଧର୍ମ ପରମ ଆଖ୍ୟାନ । ଯେ ମୋର ଭକ୍ତେ କରେ ଦାନ ॥ ୧୧୧

ଯେବା ଦିଅନ୍ତି ଉପଦେଶ । ଲଭନ୍ତି ଧର୍ମ ପୁଣ୍ୟ ଯଶ ॥ ୧୧୨

ମୁଁ ତାକୁ ଦେଇ ଆତ୍ମପଦ । ଏଣେ ସେ ନିସ୍ତରେ ପ୍ରମାଦ ॥ ୧୧୩

ଭକତେ କହେ ଯେ ବିସ୍ତାରି । ସେ ବ୍ରହ୍ମପଦେ ଅଧିକାରୀ ॥ ୧୧୪

ପରମ ପବିତ୍ର ଏ ବାଣୀ । ସଂସାରୁ ତର ଏହା ଶୁଣି ॥ ୧୧୫

ଏହା ଯେ ପଢନ୍ତି ଶୁଣନ୍ତି । ପଣ୍ଡିତ ପଣେ ବଖାଣନ୍ତି ॥ ୧୧୬

ସେ ମୋର ଭକତ ବିଶ୍ୱାସ । ଛେଦଇ ଦୃଢବନ୍ଧ ପାଶ ॥ ୧୧୭

ଏ ଧର୍ମ ପରମଗୁପତ । ଅନେକ ଜନ୍ମେ ପରାପତ ॥ ୧୧୮

ବୋଲନ୍ତି ଶ୍ରୀମଧୁସୂଦନ । ବୋଲନ୍ତି ଧନ୍ୟ ତୋ' ଜୀବନ ॥ ୧୧୯

ଏଣେ ତୁ କର ଦୃଢମନ । ହେଳେ ଲଭିବୁ ଭଗବାନ ॥ ୧୨୦

ଯେ କାମ କ୍ରୋଧ ଶୋକ ମୋହ । ହେଳେ ଖଣ୍ଡିବୁ ଭବଭୟ ॥ ୧୨୧

ସଂଶୟ ମୋହ ଜାଲ ସଙ୍ଗେ । ଦଣ୍ଡେ ନ ଥିବ ତୋ'ର ଅଙ୍ଗେ ॥ ୧୨୨

ଶୁଣ ହୋ ସାବଧାନ ହୋଇ । ଯେମନ୍ତ ଲୋକେ ଏହା କହି ॥ ୧୨୩

ସାଧୁ ଚରିତ ଲୋକପ୍ରିୟ । ଶୁଚି ପବିତ୍ର ପୁଣ୍ୟଦେହ ॥ ୧୨୪

ବ୍ରାହ୍ମଣ-ଚରଣେ ଯେ ସେବେ । ଦୋଷ ନ ଧରେ ପରାଭବେ ॥ ୧୨୫

ଏମନ୍ତ ପ୍ରାଣୀଙ୍କର ମଧ୍ୟେ । ଏ ଧର୍ମ କହିବ ଆନନ୍ଦେ ॥ ୧୨୬

ଯେ ଶୂଦ୍ର ଭଜେ ମୋର ପଥେ । ମୋ' ନାମ ଜପେ ହୃଦଗତେ ॥ ୧୨୭

ଯେ ନାରୀ ମୋର ଭାବେ ଥାଇ । ସ୍ୱାମୀସଙ୍ଗତେ ମୋତେ ଧ୍ୟାୟି ॥ ୧୨୮

ମୋ' ନାମ ମୁଖେ ଯେହୁ ଜପେ । ହରଷେ କି ଅବା ବିଳାପେ ॥ ୧୨୯

ସେ ପ୍ରାଣୀ ମୋହର ବିଶ୍ୱାସ । ତାହାକୁ ଦେଇ ଉପଦେଶ ॥ ୧୩୦

ଦାମ୍ଭିକ ନାସ୍ତିକ କପଟୀ । କୁଟୀଳ ବିଷୟ ଲମ୍ପଟୀ ॥ ୧୩୧

ଭକତି ଶୂନ୍ୟ ମତିହୀନ । ଯେ' ତମଯୁକ୍ତ ମୂଢଜନ ॥ ୧୩୨

ତାହାଙ୍କୁ ଏ ଧର୍ମ ନ କହି । ଶୁଣ ଉଦ୍ଧବ ମନେଦେଇ ॥ ୧୩୩

ଏ ଧର୍ମେ ଶ୍ରଦ୍ଧାଯୁକ୍ତ ନର । କି ଧର୍ମ ଅବଶେଷେ ତା'ର ॥ ୧୩୪

ଯେବେ ଅମୃତ ପାନ କରେ । ଆନ ରସେ କି ମନ ସ୍ପୁରେ ॥ ୧୩୫

ଯେ ଜ୍ଞାନକର୍ମ ଯୋଗବୃତ୍ତି । ଯେ ଅବା ଧର୍ମ ଦଣ୍ଡନୀତି ॥ ୧୩୬

ସାଧନେ ଯେ ଫଳ ପ୍ରତ୍ୟକ୍ଷ । ଯେ ଧର୍ମ ଅର୍ଥ କାମ ମୋକ୍ଷ ॥ ୧୩୭

ଏ ସର୍ବ ସାଧନେ ଯେ ଲାଭ । ସେ ସର୍ବ ମୁଁ ତୋ'ର ଉଦ୍ଧବ ॥ ୧୩୮

ଏ ଜ୍ଞାନକର୍ମ ଭକ୍ତିଯୋଗ । ଶୁଣନ୍ତେ ଖଣ୍ଡେ ଭବରୋଗ ॥ ୧୩୯

ଏ ଧର୍ମ ବୃକ୍ଷରୂପ ହୋଇ । ଭକତଜନ ହୃଦେ ଥାଇ ॥ ୧୪୦

ଭକତି ଫଳଇ ପ୍ରତ୍ୟକ୍ଷେ । ଯେ ଧର୍ମ ଅର୍ଥ କାମ ମୋକ୍ଷେ ॥ ୧୪୧

ଏ ଧର୍ମ ଜୀବ ଯେବେ ଭଜେ । ମୋର ଚରଣେ ସର୍ବ ତେଜେ ॥ ୧୪୨

ନିର୍ବାଣପଦ ତତକ୍ଷଣେ । ଲଭଇ ମୋହର ସ୍ମରଣେ ॥ ୧୪୩

ତାର ସଂସାର-ମୋହ ତୁଟେ । ସେ ଥାଇ ମୋହର ନିକଟେ ॥ ୧୪୪

ଶୁକ ଉବାଚ

ଉଦ୍ଧବ କୃଷ୍ଣମୁଖୁଁ ଶୁଣି । ତକ୍ଷଣେ ଯୋଡେ଼ ବେନିପାଣି ॥ ୧୪୫

ପ୍ରେମେ କୁଣ୍ଠିତ କଣ୍ଠଦ୍ୱାର । କାତରେ କମ୍ପଇ ଶରୀର ॥ ୧୪୬

ପୁଲକେ ଅଙ୍ଗ ତାର ପୂରେ । ବଦନୁ ବଚନ ନ ସ୍ପୁରେ ॥ ୧୪୭

କ୍ଷଣକେ ହୋଏ ହତଜ୍ଞାନ । କ୍ଷଣକେ ଚିତ୍ତ ସାବଧାନ ॥ ୧୪୮

ଆନନ୍ଦେ ଶିରେ କରଦେଇ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥ ୧୪୯

ବିକଳେ କୁଣ୍ଠିତବଚନ । ବୋଲଇ ଶୁଣ ଭଗବାନ ॥ ୧୫୦

ଉଦ୍ଧବ ଉବାଚ

ଏ ମାୟା ମୋହ ଅନ୍ଧକାର । ତୋ'ର ପ୍ରସନ୍ନେ ହେଲା ଦୂର ॥ ୧୫୧

ତୋ'ର ଅଭୟପାଦ ତଳେ । ମୁଁ ଯେ ବୁଡ଼ିଲି ଭାବଭୋଳେ ॥ ୧୫୨

ଅଗ୍ନି ସମ୍ମୁଖେ ଭାବଗ୍ରାହୀ । କ୍ଷଣେ ନ ପାରେ ଶୀତ ରହି ॥ ୧୫୩

ମୋର ଅଜ୍ଞାନ ସେହିମତେ । ତୋ' ଆଗେ ରହିବ କେମନ୍ତେ ॥ ୧୫୪

ତୁ ମୋତେ ଭୃତ୍ୟ ଦେଖି ହରି । ଏ ଭାବେ ଅନୁଗ୍ରହ କରି ॥ ୧୫୫

ଅଜ୍ଞାନ-ଅନ୍ଧକାର ମୋର । ଜ୍ଞାନେ ଗୋବିନ୍ଦ କଲୁ ଦୂର ॥ ୧୫୬

ଅଶେଷଜନ୍ମ ପୁଣ୍ୟଫଳେ । ପ୍ରାଣୀ ତୋ ଚରଣକମଳେ ॥ ୧୫୭

ତୋ' ଅନୁଗ୍ରହେ କରେ ସେବା । ସେ ନ ଜାଣଇ ଅନ୍ୟ ଦେବା ॥ ୧୫୮

ଏ ଦୃଢ ମୋହଜାଲ ମୋର । ତୋ' ଅନୁଗ୍ରହେ ଗଲା ଦୂର ॥ ୧୫୯

ପୁତ୍ର କଳତ୍ର ବନ୍ଧୁଜନ । ଏ ବନ୍ଧୁ ତୁଟିଲା ମୋ' ମନ ॥ ୧୬୦

ନମୋ ଗୋବିନ୍ଦ ତୋ' ଚରଣ । ଯେ ପାଦ ପରମ କାରଣ ॥ ୧୬୧

ମୁନୀନ୍ଦ୍ରଗଣେ ଯାହା ଚିନ୍ତି । ଏ ଘୋର ସଂସାରୁ ତରନ୍ତି ॥ ୧୬୨

ମୋତେ ବୁଝାଇ ଉପଦେଶେ । ବୋଲୁ ଯେ ନ ଥା ମୋର ପାଶେ ॥ ୧୬୩

ନ ଦେଖି ଅଭୟ ଚରଣ । କେମନ୍ତେ ଧରିବି ମୁଁ ପ୍ରାଣ ॥ ୧୬୪

ଏ ଦୁଷ୍ଟ ଚଞ୍ଚଳ ମୋ' ଚିତ୍ତ । ତୋ'ର ଚରଣେ ଜଗନ୍ନାଥ ॥ ୧୬୫

ନିଶ୍ଚଳେ ରଖିବି ଯେମନ୍ତେ । ଶ୍ରୀମୁଖେ ଆଜ୍ଞା ହେଉ ମୋତେ ॥ ୧୬୬

ଭଗବାନ ଉବାଚ

ଶୁଣି ବୋଲନ୍ତି ଭାବଗ୍ରାହୀ । ଉଦ୍ଧବ ବେଗେ ଚଳ ତୁହି ॥ ୧୬୭

ବଦରୀ-ନାରାୟଣାଶ୍ରମର । କାନନେ ଚଳ ଯଥାକ୍ରମେ ॥ ୧୬୮

ମୋ'ର ଚରଣଜଳେ ଯାଇ । ଶୀଘ୍ର ପଖାଳ ତୋ'ର ଦେହୀ ॥ ୧୬୯

ଆନନ୍ଦେ ସ୍ନାନ ପାନ କର । ସକଳ ପାପରୁ ନିସ୍ତର ॥ ୧୭୦

ଯେ ପାପ ଅଛି ତୋର ମନେ । ଖଣ୍ଡିବୁ ଗଙ୍ଗା ଦରଶନେ ॥ ୧୭୧

ସ୍ନାନେ ନିର୍ମଳ ଚିତ୍ତ କରି । ମୋ' ନାମ ହୃଦୟେ ସୁମରି ॥ ୧୭୨

ଭକ୍ଷିବୁ ଶାକ-କନ୍ଦମୂଳ । ପିନ୍ଧିବୁ ବୃକ୍ଷର ବକଳ ॥ ୧୭୩

ଶୀତ ବରଷା ଗ୍ରୀଷ୍ମକାଳେ । ବସିବୁ ସମାଧି ନିଶ୍ଚଳେ ॥ ୧୭୪

ଶାନ୍ତ ସଂଯତ ସାଧୁ ହୋଇ । ମୋର ଚରଣେ ଚିତ୍ତ ଦେଇ ॥ ୧୭୫

ଜ୍ଞାନ ବିଜ୍ଞାନ ସମମତି । ମୋ' ପାଦେ ମନ ବୁଦ୍ଧି ଚିନ୍ତି ॥ ୧୭୬

ମୁଁ ଯାହା କହିଅଛି ତୋତେ । ବିଚାର କରି ତା' ସୁଚିତ୍ତେ ॥ ୧୭୭

ମୋତେ ସମର୍ପି ବାକ୍ୟ-ମନ । ନିରତେ ସାଧି ମୋର ଧର୍ମ ॥ ୧୭୮

ତ୍ରିଗୁଣ ତେଜି ଅନ୍ତଃକାଳେ । ପଶିବୁ ମୋ' ପାଦକମଳେ ॥ ୧୭୯

ଏବେ ତୁ ଶୀଘ୍ର ଚଳ ଏକା । ଆଶ୍ରମ ନାମ ବଦରିକା ॥ ୧୮୦

ଶୁକ ଉବାଚ

ତକ୍ଷଣେ ଆଜ୍ଞା ଶିରେ ଧରି । କୃଷ୍ଣଙ୍କୁ ପ୍ରଦକ୍ଷିଣ କରି ॥ ୧୮୧

ଭାବେ ସେ କଲା ନମସ୍କାର । କାନ୍ଦେ ଚରଣେ ଦେଇ ଶିର ॥ ୧୮୨

ପଡ଼ି ଲୋଟଇ ଭୂମିଗତେ । ଅଜ୍ଞାନ ମୋହାଚ୍ଛନ୍ନ ଚିତ୍ତେ ॥ ୧୮୩

ଦେହ-ଜୀବନ ଜ୍ଞାନ ନାହିଁ । କାତରେ କମ୍ପେ ତା'ର ଦେହୀ ॥ ୧୮୪

କ୍ଷଣକେ ବିଚ୍ଛେଦ-କାତରେ । ରୋଦନ କରେ ଉଚ୍ଚସ୍ୱରେ ॥ ୧୮୫

କୃଷ୍ଣଙ୍କୁ ଚାହିଁ କମ୍ପେ ଦେହୀ । ବଦନୁ ବାକ୍ୟ ନ ସ୍ପୁରଇ ॥ ୧୮୬

ଉଠି କୃଷ୍ଣଙ୍କୁ ବୋଲେ ବାଣୀ । ମୋତେ କି ଭଣ୍ଡୁ ଚକ୍ରପାଣି ॥ ୧୮୭

ସକଳ ତୀର୍ଥ ତୋ'ଚରଣେ । ବଦ୍ରିକା ଯିବି କି କାରଣେ ॥ ୧୮୮

ଆଶ୍ରମ ନାମ ବଦରିକା । ସେ କି ତୋ' ଚରଣୁଁ ଅଧିକା ॥ ୧୮୯

ତୋତେ ନ ଦେଖି ନରହରି । ଜୀବନ ନ ପାରିବି ଧରି ॥ ୧୯୦

କୃଷ୍ଣ ବୋଲନ୍ତି ପୁଣପୁଣି । ଉଦ୍ଧବ କାନ୍ଦେ ତା ନ ଶୁଣି ॥ ୧୯୧

ଦେଖି ଉଦ୍ଧବର କାତର । ଦୟାସାଗର ଦାମୋଦର ॥ ୧୯୨

ରତ୍ନପାଦୁକା ପାଦୁଁ ଫେଇ । ଉଦ୍ଧବ କରେ ଦେଲେ ନେଇ ॥ ୧୯୩

ବୋଇଲେ ପ୍ରଭୁ ବନମାଳୀ । ଉତ୍ତରପଥେ ଯାଅ ଚଳି ॥ ୧୯୪

ଏ ପାଦତଳେ ତପ ଦାହି । ଅନ୍ତେ ପାଇବୁ ମୋତେ ତୁହି ॥ ୧୯୫

ଏମନ୍ତ କହୁଁ ନାରାୟଣ । ଉଦ୍ଧବ କଲା ପ୍ରଦକ୍ଷିଣ ॥ ୧୯୬

ବେନି ପାଦୁକା ମୁଣ୍ଡେ ଧରି । ଉଦ୍ଧବ ଶୋକ ହୃଦେ ଭରି ॥ ୧୯୭

ତକ୍ଷଣେ ଛାଡ଼ି ମୋହ-ପାଶ । ଧନ କୁଟୁମ୍ବ ଦାରା ଦାସ ॥ ୧୯୮

ପ୍ରାଣ ଆକୁଳ ଶୋକଭରେ । ଉଦ୍ଧବ ଗଲା ଧୀରେ ଧୀରେ ॥ ୧୯୯

ହରିଙ୍କି ହୃଦୟ-କମଳେ । ଆରାଧି ଜ୍ଞାନଯୋଗ ବଳେ ॥ ୨୦୦

ଉତ୍ତରମୁଖେ ଚଳିଯା'ନ୍ତେ । ନୟନୁ ଅଶ୍ରୁ ଗଳେ ପଥେ ॥ ୨୦୧

କୃଷ୍ଣର ବିଚ୍ଛେଦ-କାତରେ । କରଯୁଗଳ ତାଡେ଼ ଶିରେ ॥ ୨୦୨

ବିକଳେ ଉଦ୍ଧବ ଚଳନ୍ତେ । ମିଳିଲା ବଦରିକା ତୀର୍ଥେ ॥ ୨୦୩

ତପଆରାଧି ବନବାସେ । ଯେମନ୍ତେ କୃଷ୍ଣ ଉପଦେଶେ ॥ ୨୦୪

ତପ ସମାଧି ଯୋଗବଳେ । ଭକତି ବିସ୍ତାରି ଶୟଳେ ॥ ୨୦୫

ଭକତ ମଧ୍ୟେ ଶ୍ରେଷ୍ଠ ହୋଇ । ଅନ୍ତେ ପରମଗତି ପାଇ ॥ ୨୦୬

ଦୟାଗାସର ନରହରି । ସ୍ୱଯଶ ଜଗତେ ବିସ୍ତାରି ॥ ୨୦୭

ସ୍ୱଭାବେ କୃଷ୍ଣ ଧର୍ମସେତୁ । ସଂସାର-ଉଦ୍ଧାରଣ ହେତୁ ॥ ୨୦୮

ତା'ର ଇଙ୍ଗିତ କେବା ଜାଣେ । ମହିମା ନିଗମ ବଖାଣେ ॥ ୨୦୯

କହନ୍ତି ବ୍ୟାସଙ୍କର ସୁତ । ଶୁଣ ହୋ ରାଜା ପରୀକ୍ଷିତ ॥ ୨୧୦

ଗୋବିନ୍ଦ ନିଜଭୃତ୍ୟ ଅର୍ଥେ । ଯାହା କହିଲେ ଜ୍ଞାନପଥେ ॥ ୨୧୧

ଅମୃତରସମୟ ବାଣୀ । ଉଦ୍ଧବ ନିସ୍ତରିଲା ଶୁଣି ॥ ୨୧୨

ଯେ ପ୍ରାଣୀ ଶୁଣେ ଏହା କର୍ଣ୍ଣେ । ହୃଦେ ଭକତି ଅନୁମାନେ ॥ ୨୧୩

ଆନନ୍ଦରସ ସୁଧାନିଧି । ଏଥେ ଯେ ବୁଡେ଼ ନିରବଧି ॥ ୨୧୪

ଶ୍ରଦ୍ଧା-ଭକତି-ଭାବେ ନିତି । ଶୁଣନ୍ତେ ନ ଲାଗେ ଦୁର୍ଗତି ॥ ୨୧୫

ସୁଖେ ସେ ଭବସିନ୍ଧୁ ତରେ । ତା'ସଙ୍ଗେ ସଂସାରୁ ନିସ୍ତରେ ॥ ୨୧୬

ନିଜ ଭକତଜନ ଅର୍ଥେ । ଭୃଙ୍ଗର ପ୍ରାୟ ବେଦପଥେ ॥ ୨୧୭

ସାର ଉଦ୍ଧାରି ଦାମୋଦର । ଉଦ୍ଧବେ ଦେଲେ ସୁଧାଧାର ॥ ୨୧୮

ଜ୍ଞାନ-ବିଜ୍ଞାନ-ସାର ଯେତେ । ଉଦ୍ଧବ ସଞ୍ଚିଲା ଜଗତେ ॥ ୨୧୯

ଏ ଯେ ଶ୍ରୀକୃଷ୍ଣ ମୁଖସୁଧା । ପିବନ୍ତେ ତୁଟେ ଭବବାଧା ॥ ୨୨୦

ସେ ଆଦି-ଅନାଦି-ନିଧାନ । ସ୍ୱଭାବେ ପୁରୁଷ ଉତ୍ତମ ॥ ୨୨୧

ସେ ନନ୍ଦନନ୍ଦନର ପାଦେ । ଭକତି ଲଭେ ଅପ୍ରମାଦେ ॥ ୨୨୨

ବୋଲଇ ବିପ୍ର ଜଗନ୍ନାଥ । ଶ୍ରୀଏକାଦଶେ ଭାଗବତ ॥ ୨୨୩

ଉଦ୍ଧବ ଗଲେ ଯେଉଁ ଦାଣ୍ଡେ । ସେ ରେଣୁ ପଡ଼ୁ ମୋର ମୁଣ୍ଡେ ॥ ୨୨୪

ଭକତଜନ ପାଦେ ପଡ଼ି । ଏ ବର ମାଗେ କରଯୋଡ଼ି ॥ ୨୨୫

ପାମର ହୀନଜ୍ଞାନ ମୋର । ସୁଜନେ ଦୋଷ କ୍ଷମାକର ॥ ୨୨୬

କୃଷ୍ଣଚରଣେ ନାନାମତେ । ଭକତି ହେଉ ଦୃଢଚିତ୍ତେ ॥ ୨୨୭

ଭକତେ ଏହି ଭାବେ ମିଶ । ପାଇବ କୃଷ୍ଣ-ସୁଧା-ରସ ॥ ୨୨୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଏକାଦଶସ୍କନ୍ଧେ ତ୍ରିଂଶୋଦ୍ଧଧ୍ୟାୟଃ ॥

* * *