ଏକାଦଶ ସ୍କନ୍ଧ
ତ୍ରିଂଶ ଅଧ୍ୟାୟ
ଯୋଗସାଧନ ତତ୍ତ୍ୱ ବାଣୀ । ଉଦ୍ଧବ କୃଷ୍ଣମୁଖୁଁ ଶୁଣି ॥ ୧
ସଂଶୟମନେ କରଯୋଡ଼ି । ବୋଲେ ଗୋବିନ୍ଦ ପାଦେ ପଡ଼ି ॥ ୨
ଉଦ୍ଧବ ଉବାଚ
ଭୋ ନାଥ ପ୍ରଭୁ ଦାମୋଦର । ଶୁଣିଲି ଯୋଗର ବିଚାର ॥ ୩
କ୍ଷଣଭଙ୍ଗୁର ଦେହ ଧରି । କେ ଅବା ପାରେ ସାଧ୍ୟ କରି ॥ ୪
ସୁଖେ ଅଳପେ ସାଧ୍ୟ କରି । ତୋ' ମାୟା କେମନ୍ତେ ନିସ୍ତରି ॥ ୫
ଅନେକ ଜନ୍ମେ ଯୋଗୀ ନରେ । ଯୋଗ ସାଧନ୍ତି ଏ ସଂସାରେ ॥ ୬
ଧ୍ୟାନ-ଧାରଣା-ଦୃଢାସନେ । ଚିତ୍ତ ସଂଯମି ସାବଧାନେ ॥ ୭
ସେ ଯୋଗ ସାଧି ଏ ସଂସାରେ । କେ ଅବା ପାରେ କେ ନ ପାରେ ॥ ୮
ଏଣୁ ସଂସାରେ କେବା ଜନ । ସାଧିବ ଯୋଗେ ତତ୍ତ୍ୱଜ୍ଞାନ ॥ ୯
ଉପାୟ କହ ନାଥ ମୋତେ । ଏ ଜୀବ ନିସ୍ତରେ କେମନ୍ତେ ॥ ୧୦
ସୂକ୍ଷ୍ମେ ଅଳପେ ସାଧ୍ୟ କରି । ତୋ' ମାୟାଘୋରୁ ଯିବି ତରି ॥ ୧୧
ପଦ୍ମନୟନ ବିଶ୍ୱେଶ୍ୱର । ତୁ ନାଥ ଯଦୁବୀରବର ॥ ୧୨
ତୋହର ଅଭୟପୟର । ବ୍ରହ୍ମ ଆନନ୍ଦ ସୁଖଘର ॥ ୧୩
ସେ ପାଦପଦ୍ମ ଆଶ୍ରେ କଲେ । ଜୀବ ସଂସାରୁ ତରେ ଭଲେ ॥ ୧୪
ସାର-ଅସାର ବିଚାରଣେ । ଭୟେ ଭାଜିଲେ ବୁଧଗଣେ ॥ ୧୫
ଭକତିଯୋଗ ସାଧ୍ୟ କରି । ଭବୁଁ ଭକତେ ଯା'ନ୍ତି ତରି ॥ ୧୬
ଯୋଗୀଏ ଯୋଗମାର୍ଗେ ଭ୍ରମି । ଫୁଟି ହୁଅନ୍ତି ପଥଶ୍ରମୀ ॥ ୧୭
ଏ ତୋ ବିଚିତ୍ର ଗତି ମାୟା । କେ ଜାଣିପାରେ ପ୍ରଭୁ ଏହା ॥ ୧୮
ଭୋ ନାଥ ମୋତେ କୃପାକର । ଏ ଘୋର ସଙ୍କଟୁ ଉଦ୍ଧର ॥ ୧୯
ଅନ୍ୟ ଶରଣ ନାହିଁ ଯା'ର । ତୋତେ ଯେ ଭଜେ ନିରନ୍ତର ॥ ୨୦
ତୁ ନାଥ ହେଉ ତା' ବିଶ୍ୱାସ । ଦଣ୍ଡେ ନ ଛାଡ଼ୁ ତା'ର ପାଶ ॥ ୨୧
ଏ କଥା ଅଦ୍ଭୂତ କି ତୋତେ । ତୁ ଯେ ଭକତଜନ ହିତେ ॥ ୨୨
ବାନର ଭାଲୁଙ୍କର ମେଳେ । ତୋ' ଅବତାର ମହୀତଳେ ॥ ୨୩
ରାମ ସ୍ୱରୂପେ ନିଜ ଅଂଶେ । ତୋହର ଜନ୍ମ ରଘୁବଂଶେ ॥ ୨୪
ସୁରେନ୍ଦ୍ର କିରୀଟ ଅଗ୍ରତ । ତୋ' ପାଦରେଣୁରେ ଭୂଷିତ ॥ ୨୫
ଏମନ୍ତ ପ୍ରଭୁ ନିଜ ଅଙ୍ଗେ । ବାନର ଭାଲୁଙ୍କର ସଙ୍ଗେ ॥ ୨୬
ଏଣୁ ତୋ ମହିମା ଅଦ୍ଭୂତ । କେ ମୁଖେ କହୁ ଗୋପୀନାଥ ॥ ୨୭
ତୁ ନାଥ ଜଗତ ଜୀବନ । ଦରିଦ୍ର ପ୍ରାଣୀଙ୍କର ଧନ ॥ ୨୮
ଅଶେଷ ଭୁବନ କାରଣ । ତୁ ନାଥ ଜଗତଧାରଣ ॥ ୨୯
ତୁ ନାଥ ଭୂତତତ୍ତ୍ୱଜ୍ଞାତା । ଅଶେଷ କର୍ମଫଳଦାତା ॥ ୩୦
ତୁ ପିତାମାତା ଦାଶରଥି । ଅଶେଷ ଜଗତର ପତି ॥ ୩୧
ତୋ' ପାଦସେବା ପରିହରି । କେ ପାରେ ଭବସିନ୍ଧୁ ତରି ॥ ୩୨
ଯେ ତୋ'ର ମହିମା ନ ଜାଣି । ଅନ୍ୟ ଦେବତା ପୂଜେ ଆଣି ॥ ୩୩
ତପ ସମାଧି ଯୋଗବନ୍ଧେ । କି ଅବା ମୋକ୍ଷଧର୍ମ ସାଧେ ॥ ୩୪
କେବଳ ଅଚେତନ ସେହି। ତାହାର କର୍ମସିଦ୍ଧି କାହିଁ ॥ ୩୫
ମାୟା ମୋହିତ ରଜ ତମେ । ବିଧାତା ରହେ ତା'ର ବାମେ ॥ ୩୬
ଯେ ଯେତେରୂପେ ଭଜେ ତୋତେ । ତୁ ଥାଉ ତାହାଙ୍କ ଅଗ୍ରତେ ॥ ୩୭
କରୁ ତାହାଙ୍କ ଉପକାର । ଏଣୁ ଭକତେ ତୋ' କିଙ୍କର ॥ ୩୮
ଏ ଭାବେ ବ୍ରହ୍ମଜ୍ଞାନୀ ଜନେ । ତୋ' ନାମ ଉଚ୍ଚାରି ବଦନେ ॥ ୩୯
ରୋମ ହରଷେ ତୋତେ ଚିନ୍ତି । ଆନନ୍ଦ ସାଗରେ ଭାସନ୍ତି ॥ ୪୦
ତୋ' ଗୁଣ ଖୋଜି କେ ପାରଇ । ବ୍ରହ୍ମା ଆୟୁଷେ ଦେହ ବହି ॥ ୪୧
ତୋ' ପାଦପଦ୍ମ ସୁଧା ଆଶେ । ଭକତ ବନ୍ଧା ପ୍ରେମପାଶେ ॥ ୪୨
ଭୋ ନାଥ ତୋ'ର ଅବତାର । ଅଶେଷ ପ୍ରାଣୀଙ୍କ ଉଦ୍ଧାର ॥ ୪୩
ଏ ଘୋରମାୟା ମୋହ କଳ୍ପେ । ଜୀବ ଉଦ୍ଧାରୁ ଗୁରୁ ରୂପେ ॥ ୪୪
ତୁ ଅନ୍ତର୍ଯ୍ୟାମୀ ରୂପ ଧରି । ଦୁରିତ ଖଣ୍ଡୁ ନରହରି ॥ ୪୫
ଏଣୁ ତୁ ଜଗତକାରଣ । ଅଶେଷେ ଜୀବ ତୋ' ଶରଣ ॥ ୪୬
ଶୁକ ଉବାଚ
ଏମନ୍ତ ଉଦ୍ଧବର ବାଣୀ । ଶୁଣି ସନ୍ତୋଷ ଚକ୍ରପାଣି ॥ ୪୭
ତ୍ରିମୂର୍ତ୍ତି ଧାରୀ ଯେ ଈଶ୍ୱର । ଜଗତ ଯାର ଖେଳଘର ॥ ୪୮
ବିମ୍ବ ଅଧରେ ମନ୍ଦେ ହସି । ଉଦ୍ଧବେ କହନ୍ତି ଆଶ୍ୱାସି ॥ ୪୯
ଭଗବାନ ଉବାଚ
ଶୁଣ ଉଦ୍ଧବ ସାଧୁ ଧୀର । ଯେ ଧର୍ମ ପରମ ମଙ୍ଗଳ ॥ ୫୦
ଯେ ଧର୍ମ ଆଚରିଣ ନର । ହେଲେ ଖଣ୍ଡଇ ମୃତ୍ୟୁକାଳ ॥ ୫୧
ମୋହର ଅର୍ଥେ କର୍ମ କର । ସର୍ବ ଆରମ୍ଭ ଛାଡ଼ି ସ୍ମର ॥ ୫୨
ନିର୍ମଳ କର ବୁଦ୍ଧି-ମନ । ମୋର ଚରଣେ କର ଧ୍ୟାନ ॥ ୫୩
ପୀରତି କରି ଶ୍ରଦ୍ଧାଚିତ୍ତେ । କର୍ମ ତୁ କର ମୋର ଅର୍ଥେ ॥ ୫୪
ପବିତ୍ର ଭୂମି ପୁଣ୍ୟଦେଶେ । ମୋର ଭକତଜନ ପାଶେ ॥ ୫୫
ମୋର ଭକତ ବସେ ଯହିଁ । ସକଳତୀର୍ଥ ଥାନ୍ତି ତହିଁ ॥ ୫୬
ଯେ ଧର୍ମ କରେ ମୋ ଭକତ । ଉଦ୍ଧବ କର ସେହି ମତ ॥ ୫୭
ମୋ ଯାତ୍ରା-ପର୍ବ-ମହୋତ୍ସବ । ଆନନ୍ଦେ କର ହେ ଉଦ୍ଧବ ॥ ୫୮
ନାମକୀର୍ତ୍ତନ ନୃତ୍ୟଗୀତେ । ମଙ୍ଗଳ କର ଅନୁବ୍ରତେ ॥ ୫୯
ମୋର ମଙ୍ଗଳେ ସର୍ବସିଦ୍ଧି । ଯେ ମୋର ମହୋତ୍ସବ ବିଧି ॥ ୬୦
ସକଳ କର୍ମଫଳ ତେଜ । ସର୍ବ ସମ୍ପୂର୍ଣ୍ଣେ ମୋତେ ଭଜ ॥ ୬୧
ସକଳ ଭୂତେ ବାସ ମୋ'ର । ମୁଁ ସର୍ବ ଅନ୍ତର ବାହାର ॥ ୬୨
ଉଦ୍ଧବ କର ମୋତେ ଧ୍ୟାନ । ମୋ ବିନୁ କିଛି ନାହିଁ ଆନ ॥ ୬୩
ମୁଁ ନିରାଲମ୍ବ ନିରାଧାରେ । ବସଇ ସକଳ ଶରୀରେ ॥ ୬୪
ସ୍ୱଭାବେ ମୁହିଁ ବିଶ୍ୱରୂପୀ । ଦେଖ ଗଗନ ଯେହ୍ନେ ବ୍ୟାପୀ ॥ ୬୫
ଏଣୁ ମୁଁ ସର୍ବଭୂତେ ଥାଇ । ପର ଅପର ମୋ'ର ନାହିଁ ॥ ୬୬
ଏ ଘେନି ସକଳ ସମାନେ । ଦେଖୁ ତୁ ପ୍ରେମ-ତତ୍ତ୍ୱଜ୍ଞାନେ ॥ ୬୭
ବ୍ରାହ୍ମଣ କ୍ଷତ୍ରି ବୈଶ୍ୟ ଶୂଦ୍ର । ପତିତ ଚଣ୍ଡାଳ ବା କ୍ଷୁଦ୍ର ॥ ୬୮
ସର୍ବ ସମାନ ଦେଖ ଚିତ୍ତେ । ଶୁଣ କହିବା କିଛି ମୋତେ ॥ ୬୯
ଅଗ୍ନି କଣିକା ବଡ଼ସାନ । ଅନଳୁ ନୁହଇ ନା ଆନ ॥ ୭୦
ରବି ଶଶାଙ୍କ ରଶ୍ମି ଯେତେ । ପ୍ରକାଶ ହୋନ୍ତି ଦିବାରାତ୍ରେ ॥ ୭୧
ବିଚାରେ ଚନ୍ଦ୍ରସୂର୍ଯ୍ୟ ସେହି । ଏମନ୍ତେ ସର୍ବଭୂତେ ମୁହିଁ ॥ ୭୨
କ୍ରୁର ଅକ୍ରୁର ଯେତେ ଜନ । ତାହାଙ୍କୁ ଦେଖିବ ସମାନ ॥ ୭୩
ଏମନ୍ତ ଚିନ୍ତେ ଯା'ର ଚିତ୍ତ । ତାହାକୁ ବୋଲି ସୁପଣ୍ଡିତ ॥ ୭୪
ମୁହିଁ ବସଇ ସର୍ବଭୂତେ । ଏମନ୍ତେ ଦେଖୁଥିବ ନିତ୍ୟେ ॥ ୭୫
ମଦ ମାତ୍ସର୍ଯ୍ୟ ଅହଙ୍କାର । କ୍ରମେ ସକଳ ହୋନ୍ତି ଦୂର ॥ ୭୬
ଶ୍ୱାନ ଚଣ୍ଡାଳ କୃମି ଖର । ଗୋ ଅଶ୍ୱ ବାନର ଶୂକର ॥ ୭୭
ଏ ଆଦି ପ୍ରାଣୀ ସାନବଡେ । ଯେ ଆସି ମିଳିବ ନିଆଡେ଼ ॥ ୭୮
ଦେଖି କପୋଳେ କର ଦେଇ । ଭୂମିରେ ଦଣ୍ଡପ୍ରାୟ ଶୋଇ ॥ ୭୯
ଦୂରେ ନିବେଶି ଲଜ୍ଜାମାନ । ଚରଣେ କରିବ ପ୍ରଣାମ ॥ ୮୦
ତାହାଙ୍କ ଗୁଣ ଦୋଷ ଯେତେ । ମନେ ନ ଧରି କ୍ଷମ ଚିତ୍ତେ ॥ ୮୧
ଈଶ୍ୱର ବସେ ସର୍ବଦେହେ । ଏ ଘେନି ନମିବ ନିର୍ଭୟେ ॥ ୮୨
ସମସ୍ତ ଭୂତେ ମୋ'ର ଭାବ । ଯାବତ ନୋହିଛି ସମ୍ଭବ ॥ ୮୩
ତାବତ ଉପାସନା ମୋ'ର । ମନ ବଚନ କାୟେ କର ॥ ୮୪
ଏ ରୂପେ ଉପାସନ୍ତେ ମୋତେ । ଈଶ୍ୱର ଦେଖି ସର୍ବଭୂତେ ॥ ୮୫
ଆତ୍ମା ସାକ୍ଷାତ ହୁଏ ଯେବେ । ଛାଡ଼ିବ ସର୍ବକାମ ତେବେ ॥ ୮୬
ଏ ରୂପେ କରନ୍ତେ ବିଚାର । ଛାଡ଼ଇ ଭେଦ ତୋ'ର ମୋ'ର ॥ ୮୭
କାୟରେ ମନ ବଚନରେ । ମୋ' ଭାବ ସର୍ବଭୂତେ କରେ ॥ ୮୮
ଏହି ସେ ସର୍ବଧର୍ମସାର । ଏ ବାକ୍ୟ ସମ୍ମତ ମୋହର ॥ ୮୯
ଉତ୍ତମ ଗତି ଏ ବୋଲାଇ । ଏମନ୍ତ ମାର୍ଗେ ମୋତେ ପାଇ ॥ ୯୦
ଏ ଧର୍ମ ଅନୁଭବ ମାତ୍ରେ । ତିଳେ ବିଚ୍ଛେଦ ନୋହେ ଗାତ୍ରେ ॥ ୯୧
କେବଳ କର୍ମଫଳ ତ୍ୟାଗେ । ରମିବ ମୋର ଅନୁରାଗେ ॥ ୯୨
ଏ ଧର୍ମ ପରମ ମଙ୍ଗଳ । କେବେହେଁ ନାଶ ନାହିଁ ତା'ର ॥ ୯୩
ମୁହିଁ ଏ ଧର୍ମ ଆଶ୍ରେ କରି । ସଂସାର ବହେ ଅବତରି ॥ ୯୪
ଶୁଣ ଉଦ୍ଧବ ସାଧୁ ଧୀର । ଏ ଧର୍ମ ଆଚାର ମୋହର ॥ ୯୫
ଏ ଧର୍ମ ନ ଜାଣି ଯେ ନର । କରଇ ଲୋକ-ବ୍ୟବହାର ॥ ୯୬
ସେ ବ୍ୟର୍ଥ-କର୍ମେ କ୍ଳେଶ ପାଇ । ତା ଯେବେ ମୋତେ ସମର୍ପଇ ॥ ୯୭
ସେ ନର ଭବସିନ୍ଧୁ ତରେ । ନ ପଡେ଼ ମୋହ-ଅନ୍ଧକାରେ ॥ ୯୮
ଏ ଧର୍ମମାର୍ଗେ ବୁଧଜନ । ତରିଲେ ସଂସାର ଗହନ ॥ ୯୯
ଏଣୁ ଅସତ୍ୟମୟ ଦେହେ । ଯେ ସତ୍ୟ ସାଧନ୍ତି ଉପାୟେ ॥ ୧୦୦
କେବଳ ଲଭନ୍ତି ସେ ମୋତେ । ଶୁଣ ଉଦ୍ଧବ କହୁଁ ତୋତେ ॥ ୧୦୧
ଏ ସର୍ବଧର୍ମ ବେଦସାର । ମୁନିଜନଙ୍କୁ ଅଗୋଚର ॥ ୧୦୨
ଉଦ୍ଧବ କହିଲି ମୁଁ ସତ୍ୟ । ଏ ଯେ ପରମଜ୍ଞାନତତ୍ତ୍ୱ ॥ ୧୦୩
ଏଣୁ ହୋ ଭବସିନ୍ଧୁ ତରି । ଯେବେ ତୁ ପାରୁ ଦୃଢେ ଧରି ॥ ୧୦୪
ଏହା ଯେ ଶ୍ରବଣେ ଶୁଣନ୍ତି । ସେ ମୋହଜାଲେ ନ ପଡ଼ନ୍ତି ॥ ୧୦୫
ଅଶେଷ ପାପ କରିଥିଲେ । ତରନ୍ତି ଶ୍ରବଣେ ଶୁଣିଲେ ॥ ୧୦୬
ଦୁଷ୍ଟ ପତିତ ଦୁରାଚାର । ସେ ଶୁଣି ଭବୁ ହୋନ୍ତି ପାର ॥ ୧୦୭
ଏ ଧର୍ମ ବ୍ରହ୍ମ-ନିରୂପଣ । ଶୁଦ୍ଧ ଗୁପତ ସନାତନ ॥ ୧୦୮
ଏ ଧର୍ମ ସାଧ୍ୟ ଥାଉଁ ଦୂରେ । ଯେ ପ୍ରାଣୀ ଶୁଣି ଶ୍ରଦ୍ଧା କରେ ॥ ୧୦୯
ସକଳ ପାପୁଁ ସେ ତରଇ । ଅନ୍ତେ ପରମପଦ ପାଇ ॥ ୧୧୦
ଏ ଧର୍ମ ପରମ ଆଖ୍ୟାନ । ଯେ ମୋର ଭକ୍ତେ କରେ ଦାନ ॥ ୧୧୧
ଯେବା ଦିଅନ୍ତି ଉପଦେଶ । ଲଭନ୍ତି ଧର୍ମ ପୁଣ୍ୟ ଯଶ ॥ ୧୧୨
ମୁଁ ତାକୁ ଦେଇ ଆତ୍ମପଦ । ଏଣେ ସେ ନିସ୍ତରେ ପ୍ରମାଦ ॥ ୧୧୩
ଭକତେ କହେ ଯେ ବିସ୍ତାରି । ସେ ବ୍ରହ୍ମପଦେ ଅଧିକାରୀ ॥ ୧୧୪
ପରମ ପବିତ୍ର ଏ ବାଣୀ । ସଂସାରୁ ତର ଏହା ଶୁଣି ॥ ୧୧୫
ଏହା ଯେ ପଢନ୍ତି ଶୁଣନ୍ତି । ପଣ୍ଡିତ ପଣେ ବଖାଣନ୍ତି ॥ ୧୧୬
ସେ ମୋର ଭକତ ବିଶ୍ୱାସ । ଛେଦଇ ଦୃଢବନ୍ଧ ପାଶ ॥ ୧୧୭
ଏ ଧର୍ମ ପରମଗୁପତ । ଅନେକ ଜନ୍ମେ ପରାପତ ॥ ୧୧୮
ବୋଲନ୍ତି ଶ୍ରୀମଧୁସୂଦନ । ବୋଲନ୍ତି ଧନ୍ୟ ତୋ' ଜୀବନ ॥ ୧୧୯
ଏଣେ ତୁ କର ଦୃଢମନ । ହେଳେ ଲଭିବୁ ଭଗବାନ ॥ ୧୨୦
ଯେ କାମ କ୍ରୋଧ ଶୋକ ମୋହ । ହେଳେ ଖଣ୍ଡିବୁ ଭବଭୟ ॥ ୧୨୧
ସଂଶୟ ମୋହ ଜାଲ ସଙ୍ଗେ । ଦଣ୍ଡେ ନ ଥିବ ତୋ'ର ଅଙ୍ଗେ ॥ ୧୨୨
ଶୁଣ ହୋ ସାବଧାନ ହୋଇ । ଯେମନ୍ତ ଲୋକେ ଏହା କହି ॥ ୧୨୩
ସାଧୁ ଚରିତ ଲୋକପ୍ରିୟ । ଶୁଚି ପବିତ୍ର ପୁଣ୍ୟଦେହ ॥ ୧୨୪
ବ୍ରାହ୍ମଣ-ଚରଣେ ଯେ ସେବେ । ଦୋଷ ନ ଧରେ ପରାଭବେ ॥ ୧୨୫
ଏମନ୍ତ ପ୍ରାଣୀଙ୍କର ମଧ୍ୟେ । ଏ ଧର୍ମ କହିବ ଆନନ୍ଦେ ॥ ୧୨୬
ଯେ ଶୂଦ୍ର ଭଜେ ମୋର ପଥେ । ମୋ' ନାମ ଜପେ ହୃଦଗତେ ॥ ୧୨୭
ଯେ ନାରୀ ମୋର ଭାବେ ଥାଇ । ସ୍ୱାମୀସଙ୍ଗତେ ମୋତେ ଧ୍ୟାୟି ॥ ୧୨୮
ମୋ' ନାମ ମୁଖେ ଯେହୁ ଜପେ । ହରଷେ କି ଅବା ବିଳାପେ ॥ ୧୨୯
ସେ ପ୍ରାଣୀ ମୋହର ବିଶ୍ୱାସ । ତାହାକୁ ଦେଇ ଉପଦେଶ ॥ ୧୩୦
ଦାମ୍ଭିକ ନାସ୍ତିକ କପଟୀ । କୁଟୀଳ ବିଷୟ ଲମ୍ପଟୀ ॥ ୧୩୧
ଭକତି ଶୂନ୍ୟ ମତିହୀନ । ଯେ' ତମଯୁକ୍ତ ମୂଢଜନ ॥ ୧୩୨
ତାହାଙ୍କୁ ଏ ଧର୍ମ ନ କହି । ଶୁଣ ଉଦ୍ଧବ ମନେଦେଇ ॥ ୧୩୩
ଏ ଧର୍ମେ ଶ୍ରଦ୍ଧାଯୁକ୍ତ ନର । କି ଧର୍ମ ଅବଶେଷେ ତା'ର ॥ ୧୩୪
ଯେବେ ଅମୃତ ପାନ କରେ । ଆନ ରସେ କି ମନ ସ୍ପୁରେ ॥ ୧୩୫
ଯେ ଜ୍ଞାନକର୍ମ ଯୋଗବୃତ୍ତି । ଯେ ଅବା ଧର୍ମ ଦଣ୍ଡନୀତି ॥ ୧୩୬
ସାଧନେ ଯେ ଫଳ ପ୍ରତ୍ୟକ୍ଷ । ଯେ ଧର୍ମ ଅର୍ଥ କାମ ମୋକ୍ଷ ॥ ୧୩୭
ଏ ସର୍ବ ସାଧନେ ଯେ ଲାଭ । ସେ ସର୍ବ ମୁଁ ତୋ'ର ଉଦ୍ଧବ ॥ ୧୩୮
ଏ ଜ୍ଞାନକର୍ମ ଭକ୍ତିଯୋଗ । ଶୁଣନ୍ତେ ଖଣ୍ଡେ ଭବରୋଗ ॥ ୧୩୯
ଏ ଧର୍ମ ବୃକ୍ଷରୂପ ହୋଇ । ଭକତଜନ ହୃଦେ ଥାଇ ॥ ୧୪୦
ଭକତି ଫଳଇ ପ୍ରତ୍ୟକ୍ଷେ । ଯେ ଧର୍ମ ଅର୍ଥ କାମ ମୋକ୍ଷେ ॥ ୧୪୧
ଏ ଧର୍ମ ଜୀବ ଯେବେ ଭଜେ । ମୋର ଚରଣେ ସର୍ବ ତେଜେ ॥ ୧୪୨
ନିର୍ବାଣପଦ ତତକ୍ଷଣେ । ଲଭଇ ମୋହର ସ୍ମରଣେ ॥ ୧୪୩
ତାର ସଂସାର-ମୋହ ତୁଟେ । ସେ ଥାଇ ମୋହର ନିକଟେ ॥ ୧୪୪
ଶୁକ ଉବାଚ
ଉଦ୍ଧବ କୃଷ୍ଣମୁଖୁଁ ଶୁଣି । ତକ୍ଷଣେ ଯୋଡେ଼ ବେନିପାଣି ॥ ୧୪୫
ପ୍ରେମେ କୁଣ୍ଠିତ କଣ୍ଠଦ୍ୱାର । କାତରେ କମ୍ପଇ ଶରୀର ॥ ୧୪୬
ପୁଲକେ ଅଙ୍ଗ ତାର ପୂରେ । ବଦନୁ ବଚନ ନ ସ୍ପୁରେ ॥ ୧୪୭
କ୍ଷଣକେ ହୋଏ ହତଜ୍ଞାନ । କ୍ଷଣକେ ଚିତ୍ତ ସାବଧାନ ॥ ୧୪୮
ଆନନ୍ଦେ ଶିରେ କରଦେଇ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥ ୧୪୯
ବିକଳେ କୁଣ୍ଠିତବଚନ । ବୋଲଇ ଶୁଣ ଭଗବାନ ॥ ୧୫୦
ଉଦ୍ଧବ ଉବାଚ
ଏ ମାୟା ମୋହ ଅନ୍ଧକାର । ତୋ'ର ପ୍ରସନ୍ନେ ହେଲା ଦୂର ॥ ୧୫୧
ତୋ'ର ଅଭୟପାଦ ତଳେ । ମୁଁ ଯେ ବୁଡ଼ିଲି ଭାବଭୋଳେ ॥ ୧୫୨
ଅଗ୍ନି ସମ୍ମୁଖେ ଭାବଗ୍ରାହୀ । କ୍ଷଣେ ନ ପାରେ ଶୀତ ରହି ॥ ୧୫୩
ମୋର ଅଜ୍ଞାନ ସେହିମତେ । ତୋ' ଆଗେ ରହିବ କେମନ୍ତେ ॥ ୧୫୪
ତୁ ମୋତେ ଭୃତ୍ୟ ଦେଖି ହରି । ଏ ଭାବେ ଅନୁଗ୍ରହ କରି ॥ ୧୫୫
ଅଜ୍ଞାନ-ଅନ୍ଧକାର ମୋର । ଜ୍ଞାନେ ଗୋବିନ୍ଦ କଲୁ ଦୂର ॥ ୧୫୬
ଅଶେଷଜନ୍ମ ପୁଣ୍ୟଫଳେ । ପ୍ରାଣୀ ତୋ ଚରଣକମଳେ ॥ ୧୫୭
ତୋ' ଅନୁଗ୍ରହେ କରେ ସେବା । ସେ ନ ଜାଣଇ ଅନ୍ୟ ଦେବା ॥ ୧୫୮
ଏ ଦୃଢ ମୋହଜାଲ ମୋର । ତୋ' ଅନୁଗ୍ରହେ ଗଲା ଦୂର ॥ ୧୫୯
ପୁତ୍ର କଳତ୍ର ବନ୍ଧୁଜନ । ଏ ବନ୍ଧୁ ତୁଟିଲା ମୋ' ମନ ॥ ୧୬୦
ନମୋ ଗୋବିନ୍ଦ ତୋ' ଚରଣ । ଯେ ପାଦ ପରମ କାରଣ ॥ ୧୬୧
ମୁନୀନ୍ଦ୍ରଗଣେ ଯାହା ଚିନ୍ତି । ଏ ଘୋର ସଂସାରୁ ତରନ୍ତି ॥ ୧୬୨
ମୋତେ ବୁଝାଇ ଉପଦେଶେ । ବୋଲୁ ଯେ ନ ଥା ମୋର ପାଶେ ॥ ୧୬୩
ନ ଦେଖି ଅଭୟ ଚରଣ । କେମନ୍ତେ ଧରିବି ମୁଁ ପ୍ରାଣ ॥ ୧୬୪
ଏ ଦୁଷ୍ଟ ଚଞ୍ଚଳ ମୋ' ଚିତ୍ତ । ତୋ'ର ଚରଣେ ଜଗନ୍ନାଥ ॥ ୧୬୫
ନିଶ୍ଚଳେ ରଖିବି ଯେମନ୍ତେ । ଶ୍ରୀମୁଖେ ଆଜ୍ଞା ହେଉ ମୋତେ ॥ ୧୬୬
ଭଗବାନ ଉବାଚ
ଶୁଣି ବୋଲନ୍ତି ଭାବଗ୍ରାହୀ । ଉଦ୍ଧବ ବେଗେ ଚଳ ତୁହି ॥ ୧୬୭
ବଦରୀ-ନାରାୟଣାଶ୍ରମର । କାନନେ ଚଳ ଯଥାକ୍ରମେ ॥ ୧୬୮
ମୋ'ର ଚରଣଜଳେ ଯାଇ । ଶୀଘ୍ର ପଖାଳ ତୋ'ର ଦେହୀ ॥ ୧୬୯
ଆନନ୍ଦେ ସ୍ନାନ ପାନ କର । ସକଳ ପାପରୁ ନିସ୍ତର ॥ ୧୭୦
ଯେ ପାପ ଅଛି ତୋର ମନେ । ଖଣ୍ଡିବୁ ଗଙ୍ଗା ଦରଶନେ ॥ ୧୭୧
ସ୍ନାନେ ନିର୍ମଳ ଚିତ୍ତ କରି । ମୋ' ନାମ ହୃଦୟେ ସୁମରି ॥ ୧୭୨
ଭକ୍ଷିବୁ ଶାକ-କନ୍ଦମୂଳ । ପିନ୍ଧିବୁ ବୃକ୍ଷର ବକଳ ॥ ୧୭୩
ଶୀତ ବରଷା ଗ୍ରୀଷ୍ମକାଳେ । ବସିବୁ ସମାଧି ନିଶ୍ଚଳେ ॥ ୧୭୪
ଶାନ୍ତ ସଂଯତ ସାଧୁ ହୋଇ । ମୋର ଚରଣେ ଚିତ୍ତ ଦେଇ ॥ ୧୭୫
ଜ୍ଞାନ ବିଜ୍ଞାନ ସମମତି । ମୋ' ପାଦେ ମନ ବୁଦ୍ଧି ଚିନ୍ତି ॥ ୧୭୬
ମୁଁ ଯାହା କହିଅଛି ତୋତେ । ବିଚାର କରି ତା' ସୁଚିତ୍ତେ ॥ ୧୭୭
ମୋତେ ସମର୍ପି ବାକ୍ୟ-ମନ । ନିରତେ ସାଧି ମୋର ଧର୍ମ ॥ ୧୭୮
ତ୍ରିଗୁଣ ତେଜି ଅନ୍ତଃକାଳେ । ପଶିବୁ ମୋ' ପାଦକମଳେ ॥ ୧୭୯
ଏବେ ତୁ ଶୀଘ୍ର ଚଳ ଏକା । ଆଶ୍ରମ ନାମ ବଦରିକା ॥ ୧୮୦
ଶୁକ ଉବାଚ
ତକ୍ଷଣେ ଆଜ୍ଞା ଶିରେ ଧରି । କୃଷ୍ଣଙ୍କୁ ପ୍ରଦକ୍ଷିଣ କରି ॥ ୧୮୧
ଭାବେ ସେ କଲା ନମସ୍କାର । କାନ୍ଦେ ଚରଣେ ଦେଇ ଶିର ॥ ୧୮୨
ପଡ଼ି ଲୋଟଇ ଭୂମିଗତେ । ଅଜ୍ଞାନ ମୋହାଚ୍ଛନ୍ନ ଚିତ୍ତେ ॥ ୧୮୩
ଦେହ-ଜୀବନ ଜ୍ଞାନ ନାହିଁ । କାତରେ କମ୍ପେ ତା'ର ଦେହୀ ॥ ୧୮୪
କ୍ଷଣକେ ବିଚ୍ଛେଦ-କାତରେ । ରୋଦନ କରେ ଉଚ୍ଚସ୍ୱରେ ॥ ୧୮୫
କୃଷ୍ଣଙ୍କୁ ଚାହିଁ କମ୍ପେ ଦେହୀ । ବଦନୁ ବାକ୍ୟ ନ ସ୍ପୁରଇ ॥ ୧୮୬
ଉଠି କୃଷ୍ଣଙ୍କୁ ବୋଲେ ବାଣୀ । ମୋତେ କି ଭଣ୍ଡୁ ଚକ୍ରପାଣି ॥ ୧୮୭
ସକଳ ତୀର୍ଥ ତୋ'ଚରଣେ । ବଦ୍ରିକା ଯିବି କି କାରଣେ ॥ ୧୮୮
ଆଶ୍ରମ ନାମ ବଦରିକା । ସେ କି ତୋ' ଚରଣୁଁ ଅଧିକା ॥ ୧୮୯
ତୋତେ ନ ଦେଖି ନରହରି । ଜୀବନ ନ ପାରିବି ଧରି ॥ ୧୯୦
କୃଷ୍ଣ ବୋଲନ୍ତି ପୁଣପୁଣି । ଉଦ୍ଧବ କାନ୍ଦେ ତା ନ ଶୁଣି ॥ ୧୯୧
ଦେଖି ଉଦ୍ଧବର କାତର । ଦୟାସାଗର ଦାମୋଦର ॥ ୧୯୨
ରତ୍ନପାଦୁକା ପାଦୁଁ ଫେଇ । ଉଦ୍ଧବ କରେ ଦେଲେ ନେଇ ॥ ୧୯୩
ବୋଇଲେ ପ୍ରଭୁ ବନମାଳୀ । ଉତ୍ତରପଥେ ଯାଅ ଚଳି ॥ ୧୯୪
ଏ ପାଦତଳେ ତପ ଦାହି । ଅନ୍ତେ ପାଇବୁ ମୋତେ ତୁହି ॥ ୧୯୫
ଏମନ୍ତ କହୁଁ ନାରାୟଣ । ଉଦ୍ଧବ କଲା ପ୍ରଦକ୍ଷିଣ ॥ ୧୯୬
ବେନି ପାଦୁକା ମୁଣ୍ଡେ ଧରି । ଉଦ୍ଧବ ଶୋକ ହୃଦେ ଭରି ॥ ୧୯୭
ତକ୍ଷଣେ ଛାଡ଼ି ମୋହ-ପାଶ । ଧନ କୁଟୁମ୍ବ ଦାରା ଦାସ ॥ ୧୯୮
ପ୍ରାଣ ଆକୁଳ ଶୋକଭରେ । ଉଦ୍ଧବ ଗଲା ଧୀରେ ଧୀରେ ॥ ୧୯୯
ହରିଙ୍କି ହୃଦୟ-କମଳେ । ଆରାଧି ଜ୍ଞାନଯୋଗ ବଳେ ॥ ୨୦୦
ଉତ୍ତରମୁଖେ ଚଳିଯା'ନ୍ତେ । ନୟନୁ ଅଶ୍ରୁ ଗଳେ ପଥେ ॥ ୨୦୧
କୃଷ୍ଣର ବିଚ୍ଛେଦ-କାତରେ । କରଯୁଗଳ ତାଡେ଼ ଶିରେ ॥ ୨୦୨
ବିକଳେ ଉଦ୍ଧବ ଚଳନ୍ତେ । ମିଳିଲା ବଦରିକା ତୀର୍ଥେ ॥ ୨୦୩
ତପଆରାଧି ବନବାସେ । ଯେମନ୍ତେ କୃଷ୍ଣ ଉପଦେଶେ ॥ ୨୦୪
ତପ ସମାଧି ଯୋଗବଳେ । ଭକତି ବିସ୍ତାରି ଶୟଳେ ॥ ୨୦୫
ଭକତ ମଧ୍ୟେ ଶ୍ରେଷ୍ଠ ହୋଇ । ଅନ୍ତେ ପରମଗତି ପାଇ ॥ ୨୦୬
ଦୟାଗାସର ନରହରି । ସ୍ୱଯଶ ଜଗତେ ବିସ୍ତାରି ॥ ୨୦୭
ସ୍ୱଭାବେ କୃଷ୍ଣ ଧର୍ମସେତୁ । ସଂସାର-ଉଦ୍ଧାରଣ ହେତୁ ॥ ୨୦୮
ତା'ର ଇଙ୍ଗିତ କେବା ଜାଣେ । ମହିମା ନିଗମ ବଖାଣେ ॥ ୨୦୯
କହନ୍ତି ବ୍ୟାସଙ୍କର ସୁତ । ଶୁଣ ହୋ ରାଜା ପରୀକ୍ଷିତ ॥ ୨୧୦
ଗୋବିନ୍ଦ ନିଜଭୃତ୍ୟ ଅର୍ଥେ । ଯାହା କହିଲେ ଜ୍ଞାନପଥେ ॥ ୨୧୧
ଅମୃତରସମୟ ବାଣୀ । ଉଦ୍ଧବ ନିସ୍ତରିଲା ଶୁଣି ॥ ୨୧୨
ଯେ ପ୍ରାଣୀ ଶୁଣେ ଏହା କର୍ଣ୍ଣେ । ହୃଦେ ଭକତି ଅନୁମାନେ ॥ ୨୧୩
ଆନନ୍ଦରସ ସୁଧାନିଧି । ଏଥେ ଯେ ବୁଡେ଼ ନିରବଧି ॥ ୨୧୪
ଶ୍ରଦ୍ଧା-ଭକତି-ଭାବେ ନିତି । ଶୁଣନ୍ତେ ନ ଲାଗେ ଦୁର୍ଗତି ॥ ୨୧୫
ସୁଖେ ସେ ଭବସିନ୍ଧୁ ତରେ । ତା'ସଙ୍ଗେ ସଂସାରୁ ନିସ୍ତରେ ॥ ୨୧୬
ନିଜ ଭକତଜନ ଅର୍ଥେ । ଭୃଙ୍ଗର ପ୍ରାୟ ବେଦପଥେ ॥ ୨୧୭
ସାର ଉଦ୍ଧାରି ଦାମୋଦର । ଉଦ୍ଧବେ ଦେଲେ ସୁଧାଧାର ॥ ୨୧୮
ଜ୍ଞାନ-ବିଜ୍ଞାନ-ସାର ଯେତେ । ଉଦ୍ଧବ ସଞ୍ଚିଲା ଜଗତେ ॥ ୨୧୯
ଏ ଯେ ଶ୍ରୀକୃଷ୍ଣ ମୁଖସୁଧା । ପିବନ୍ତେ ତୁଟେ ଭବବାଧା ॥ ୨୨୦
ସେ ଆଦି-ଅନାଦି-ନିଧାନ । ସ୍ୱଭାବେ ପୁରୁଷ ଉତ୍ତମ ॥ ୨୨୧
ସେ ନନ୍ଦନନ୍ଦନର ପାଦେ । ଭକତି ଲଭେ ଅପ୍ରମାଦେ ॥ ୨୨୨
ବୋଲଇ ବିପ୍ର ଜଗନ୍ନାଥ । ଶ୍ରୀଏକାଦଶେ ଭାଗବତ ॥ ୨୨୩
ଉଦ୍ଧବ ଗଲେ ଯେଉଁ ଦାଣ୍ଡେ । ସେ ରେଣୁ ପଡ଼ୁ ମୋର ମୁଣ୍ଡେ ॥ ୨୨୪
ଭକତଜନ ପାଦେ ପଡ଼ି । ଏ ବର ମାଗେ କରଯୋଡ଼ି ॥ ୨୨୫
ପାମର ହୀନଜ୍ଞାନ ମୋର । ସୁଜନେ ଦୋଷ କ୍ଷମାକର ॥ ୨୨୬
କୃଷ୍ଣଚରଣେ ନାନାମତେ । ଭକତି ହେଉ ଦୃଢଚିତ୍ତେ ॥ ୨୨୭
ଭକତେ ଏହି ଭାବେ ମିଶ । ପାଇବ କୃଷ୍ଣ-ସୁଧା-ରସ ॥ ୨୨୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଏକାଦଶସ୍କନ୍ଧେ ତ୍ରିଂଶୋଦ୍ଧଧ୍ୟାୟଃ ॥
* * *