ଏକାଦଶ ସ୍କନ୍ଧ
ଉନତ୍ରିଂଶ ଅଧ୍ୟାୟ
ଭଗବାନ ଉବାଚ
କହନ୍ତି ପ୍ରଭୁ ଭଗବାନ । ଉଦ୍ଧବ ସ୍ଥିର କର ମନ ॥ ୧
ଏ ମାୟା-ନିର୍ମିତ ସଂସାରେ । ପ୍ରାଣୀ ସକଳ କର୍ମ କରେ ॥ ୨
ନିଜ ସ୍ୱଭାବେ ଅଲଘିଂତ । ଏ ଘେନି ଯେ ହୋଏ ପଣ୍ଡିତ ॥ ୩
ନିନ୍ଦା-ପ୍ରଶଂସା ନ କରନ୍ତି । ସାକ୍ଷୀଙ୍କ ପ୍ରାୟ ସେ ଦେଖନ୍ତି ॥ ୪
ଏଣୁ ସାଧବ-ପ୍ରାଣୀଙ୍କର । ସଂସାରେ ନାହିଁ ନିଜ ପର ॥ ୫
ସକଳ ଜନ୍ତୁ ଏକଭାବ । ପ୍ରକୃତି-ପୁରୁଷ ସମ୍ଭବ ॥ ୬
ଯେ ଧର୍ମ ସ୍ୱଭାବ ଆଚାର । ନିନ୍ଦା-ପ୍ରଶଂସା ତାହାଙ୍କର ॥ ୭
ଯେ କରେ ଜ୍ଞାନଭ୍ରଷ୍ଟ ପଣେ । ନିଷ୍ଠୁର ଅସତ୍ୟ-ଭାଷଣେ ॥ ୮
ଅଜ୍ଞାନେ କଳ୍ପେ ନାନାଅଙ୍ଗ । ଜୀବନ୍ତେ ନୋହେ ନିଦ୍ରାଭଙ୍ଗ ॥ ୯
ଏଣୁ ହୋ ପର ଗୁଣ-ଦୋଷ । ବିଚାର ନ କରି ବିଶେଷ ॥ ୧୦
ଉଦ୍ଧବ ଶୁଣୁ ଯେତେ କର୍ଣ୍ଣେ । ଯେ ଅବା ଦେଖୁ ତୁ ନୟନେ ॥ ୧୧
ଯେ କିଛି ଉଚ୍ଚାରୁ ବଦନେ । ଯେ ଅବା ଚିନ୍ତୁ ମନେ ଧ୍ୟାନେ ॥ ୧୨
ଯେ ଅବା ଭଲ-ମନ୍ଦ ଜନେ । ନ୍ୟାୟ-ବିଚାର ଅନୁମାନେ ॥ ୧୩
ଏ ସର୍ବ ସତ୍ୟ ନୋହେ କିଛି । କେବଳ ମାୟା ମାତ୍ର ଲକ୍ଷ୍ୟି ॥ ୧୪
ଆଭାସ ଛାୟା ପ୍ରତିସ୍ୱନ । ଅବସ୍ତୁଠାରେ ବସ୍ତୁଜ୍ଞାନ ॥ ୧୫
ଭୟ-ମୋହକୁ ଜନମାନ୍ତି । ତେସନେ ଦେହ ଆଦି ଭ୍ରାନ୍ତି ॥ ୧୬
ଏଣୁ ହୋ ମିଥ୍ୟା-ଜ୍ଞାନ ଲାଭେ । ଏ ଜୀବ ଜନ୍ମମୃତ୍ୟୁ ଲଭେ ॥ ୧୭
ତୁ ଅବା ବୋଲିବୁ ଏମନ୍ତେ । ଏ ସର୍ବ ସତ୍ୟ ଶ୍ରୁତିପଥେ ॥ ୧୮
ଦେବ ବଚନେ ଅନୁମାନେ । ସତ୍ୟ ନ କହେ ଆତ୍ମାବିନେ ॥ ୧୯
ଏ ଆତ୍ମା ହର୍ତ୍ତାକର୍ତ୍ତା ଦାତା । ଆତ୍ମା ଈଶ୍ୱର ପିତାମାତା ॥ ୨୦
ସୃଷ୍ଟି ପାଳନ ସଂହାରଣ । ଏ ସର୍ବ ଆତ୍ମାର ଭିଆଣ ॥ ୨୧
ଏଣୁ ଅଶେଷ ଚରାଚରେ । ଆତ୍ମା ହୁଁ ସତ୍ୟ ନାହିଁ ପରେ ॥ ୨୨
ପ୍ରକୃତି ନିର୍ମିତ ସଂସାର । ଏଣୁ ଏ ତ୍ରିବିଧ ପ୍ରକାର ॥ ୨୩
ଆତ୍ମାର ସଙ୍ଗ ନାହିଁ ଏଣେ । ଏମନ୍ତ ବିଚାରିଣ ମନେ ॥ ୨୪
ସକଳ ବୁଝି ଦୃଢଚିତ୍ତେ । ଏ ଭ୍ରମ ଛାଡ଼ନ୍ତି ପଣ୍ଡିତେ ॥ ୨୫
ଏଣୁ ଏ ନିଜ ପର ଜ୍ଞାନ । ନ କରି ନିନ୍ଦନ ସ୍ତବନ ॥ ୨୬
କେବଳ ଜ୍ଞାନ ଅନୁମାନେ । ଥିବ ଭାସ୍କର ଯେହ୍ନେ ଶୂନ୍ୟେ ॥ ୨୭
ଆପଣେ କର ଅନୁମାନ । ପ୍ରତ୍ୟକ୍ଷେ ଦେଖିଣ ନୟନ ॥ ୨୮
ଯେ ଅବା ବେଦର ବିଧାନ । ସୁମରି ମୋହର ବଚନ ॥ ୨୯
ଯେ ଆଦି ମଧ୍ୟ ଅବସାନ । ଅସତ୍ୟ ଦେଖି ତ୍ରିଭୁବନ ॥ ୩୦
ଏଣୁ ଅଶେଷ ଶଙ୍କା ତେଜି । ପଣ୍ଡିତ ରହେ ଜ୍ଞାନ ବୁଝି ॥ ୩୧
ଏମନ୍ତ କୃଷ୍ଣମୁଖୁଁ ଶୁଣି । ଉଦ୍ଧବ କହେ ମଞ୍ଜୁବାଣୀ ॥ ୩୨
ମନ ସଂଶୟେ କରଯୋଡ଼ି । କହେ ଗୋବିନ୍ଦ ପାଦେ ପଡ଼ି ॥ ୩୩
ଉଦ୍ଧବ ଉବାଚ
ଶୁଣ ହେ ପ୍ରଭୁ ମାୟାଧର । ଏ ଯେବେ ଅସତ୍ୟ ସଂସାର ॥ ୩୪
ନିର୍ଗୁଣ ନିର୍ବିକାର ଜୀବ । ସର୍ବ ବ୍ୟାପକ ସଦାଶିବ ॥ ୩୫
ଏ ପଞ୍ଚଭୂତ କଳେବର । ନିର୍ମିତ କ୍ଷଣିକ ଭଙ୍ଗୁର ॥ ୩୬
ଜନ୍ମ ମରଣ ଅନୁସରି । କେ ପୁଣ ସଂସାରେ ସଂସାରୀ ॥ ୩୭
କହ ହେ ପ୍ରଭୁ ବିଶ୍ୱେଶ୍ୱର । ଏ ମୋର ଭ୍ରମ ଯାଉ ଦୂର ॥ ୩୮
ଆତ୍ମା ନିର୍ଗୁଣ ନିରଞ୍ଜନ । ନିତ୍ୟ ସାତ୍ତ୍ୱିକମୟ ବ୍ରହ୍ମ ॥ ୩୯
ଏ ଆତ୍ମା ସର୍ବଭୂତେ ବସେ । ଆଦିତ୍ୟ ଯେସନେ ଆକାଶେ ॥ ୪୦
ଇନ୍ଧନ ମଧ୍ୟେ ଅଗ୍ନି ଯେହ୍ନେ । ଜଳନ୍ତେ ଦେଖି ଅନୁମାନେ ॥ ୪୧
ଆତ୍ମା ପ୍ରକାଶ ଏହିମତେ । ପ୍ରତ୍ୟକ୍ଷେ ଦେଖି ଏ ଜଗତେ ॥ ୪୨
ସ୍ୱଭାବେ ଆତ୍ମା ସର୍ବପୂର୍ଣ୍ଣ । ସାକ୍ଷୀ-ସ୍ୱରୂପ ନିରଞ୍ଜନ ॥ ୪୩
ସେ ଯେବେ ରହେ ନିଜପୁରେ । ଜନ୍ମ ମରଣ କେ ସଞ୍ଚରେ ॥ ୪୪
ଆତ୍ମା ଅଖଣ୍ଡ-ନିରଞ୍ଜନ । ସ୍ୱଭାବେ ଦେହ ଅଚେତନ ॥ ୪୫
ଏଣୁ ଏ ସଂସାର କାହାର । ନିଶ୍ଚୟ କହ ଦାମୋଦର ॥ ୪୬
ଉଦ୍ଧବ ବାକ୍ୟ ଶୁଣି ହସି । କହନ୍ତି ପ୍ରଭୁ ବ୍ରହ୍ମରାଶି ॥ ୪୭
ଭଗବାନ ଉବାଚ
ଯାବତ ଦେହେ ଅହଙ୍କାର । ଇନ୍ଦ୍ରିୟ ପ୍ରାଣରେ ସଂଚାର ॥ ୪୮
ତାବତ ଜୀବ ସଞ୍ଚରଇ । ଯେଣୁ ଏହାଙ୍କ ସଙ୍ଗେ ଥାଇ ॥ ୪୯
ଆତ୍ମା ସ୍ୱଭାବେ ନିରଞ୍ଜନ । ନ ଦେଖି ସଂସାର-ଘଟନ ॥ ୫୦
ଏହାଙ୍କ ସଙ୍ଗେ ମୂଢପଣେ । ସଂସାରେ ଭ୍ରମେ ଅକାରଣେ ॥ ୫୧
ଜାଗ୍ରତ ପୁରୁଷ ଯେସନ । ବିଷୟ କରେ ନିତ୍ୟେ ଧ୍ୟାନ ॥ ୫୨
ଶୟନ କାଳେ ସେ ସ୍ୱପନେ । ଦେଖେ ବିବିଧ ଅର୍ଥ ଯେହ୍ନେ ॥ ୫୩
ଶୟନେ ସ୍ୱପ୍ନ ଯେବେ ଦେଖେ । ଅସତ୍ୟ ସତ୍ୟ କରି ଲେଖେ ॥ ୫୪
ସେ ପୁଣି ନିଦ୍ରା ଅବସାନେ । ସକଳ ମିଥ୍ୟା କରି ମଣେ ॥ ୫୫
ଏ ଘେନି ଲୋଭ ଭୟ କ୍ରୋଧ । ହରଷ ବିରସ ପ୍ରମାଦ ॥ ୫୬
ଏ ଆଦି ବିବିଧ ପ୍ରକାରେ । ସର୍ବ ସମ୍ଭବ ଅହଙ୍କାରେ ॥ ୫୭
ଜନମ-ମୃତ୍ୟୁ ଆଦି ଯେତେ । ଆତ୍ମାର ନୋହେ କଦାଚିତେ ॥ ୫୮
ଦେହ ଇନ୍ଦ୍ରିୟ ମନ ପ୍ରାଣ । ଏଣେ ଯାହାର ଅଭିମାନ ॥ ୫୯
ସେ ଜୀବ ରୂପେ ସୂକ୍ଷ୍ମ ଦେହେ । ତ୍ରିଗୁଣେ ଜନମୃତ୍ୟୁ ବହେ ॥ ୬୦
କାଳର ବଳେ ଏ ସଂସାରେ । ଭ୍ରମେ ତ୍ରିଗୁଣ-ଅହଙ୍କାରେ ॥ ୬୧
ଏ ଅହଙ୍କାର ବନ୍ଧ କହି । ନିବୃତ୍ତି ମୁକତି ବୋଲାଇ ॥ ୬୨
ମୂଳ ଏହାର ଅପ୍ରକାଶ । ବିବିଧ ରୂପେ ହୋଏ ଦୃଶ୍ୟ ॥ ୬୩
ମନ-ବଚନ-ଦେହ-ପ୍ରାଣେ । ପ୍ରକାଶ ହୋଏ ନାନା କର୍ମେ ॥ ୬୪
ଯେ' ପାରେ ଗୁରୁ ଆଶ୍ରେ କରି । ଜ୍ଞାନ-ଖଡ଼ଗ କରେ ଧରି ॥ ୬୫
ନିବୃତ୍ତି କରି ବୁଦ୍ଧିମାନ । ତେଜଇ ସେ ଦୃଢ-ବନ୍ଧନ ॥ ୬୬
ତୃଷା ବର୍ଜିତ ନିର୍ବିକାରେ । ଆନନ୍ଦେ ଭ୍ରମଇଁ ସଂସାରେ ॥ ୬୭
ବେଦ ତପସ୍ୟା ପ୍ରତ୍ୟକ୍ଷରେ । ଗୁରୁବଚନ ତର୍କଦ୍ୱାରେ ॥ ୬୮
ବିଚାରି ଜାଣିବ ନିରୋଳେ । ଯେ ଥାଇ ଆଦି ଅନ୍ତଃକାଳେ ॥ ୬୯
ଈଶ୍ୱର ସର୍ବହେତୁ ସେହି । ମଧ୍ୟେ ସେ ଜଗତ ବୋଲାଇ ॥ ୭୦
ଏଣେ ବିବେକ ଯା'ର ହୋଇ । ଜାଣିବ ଜ୍ଞାନୀ ସେ ଅଟଇ ॥ ୭୧
ସୁବର୍ଣ୍ଣେ ନାନା ଦ୍ରବ୍ୟ ଯେହ୍ନେ । ଧରଇ ନାନା ରୂପ ଭିନ୍ନେ ॥ ୭୨
ରୂପ ବିନାଶେ ସେ ସୁବର୍ଣ୍ଣ । ଏ ଭାବେ ଜଗତ ଅଭିନ୍ନ ॥ ୭୩
ମୋହର ତହୁଁ ସମ୍ଭବଇ । କାଳେ ପ୍ରବେଶ ମୋ'ର ତହିଁ ॥ ୭୪
ଜାଗ୍ରତ-ସ୍ୱପ୍ନ-ସୁଷୁପ୍ତିରେ । କି ଅବା ସମାଧି ବିଧିରେ ॥ ୭୫
କାର୍ଯ୍ୟକାରଣ କର୍ତ୍ତା ରୂପେ । ଜଗତ ମଧ୍ୟେ ଯେହୁ ବ୍ୟାପେ ॥ ୭୬
ପରମବ୍ରହ୍ମ ସତ୍ୟ ସେହି । ଉଦ୍ଧବ ସାକ୍ଷୀରୂପେ ଥାଇ ॥ ୭୭
ଆଗେ ନ ଥିଲା ପଛେ ନାହିଁ । ମଧ୍ୟରେ ନାମମାତ୍ର ଥାଇ ॥ ୭୮
କର୍ତ୍ତା କାରଣୁଁ ସମ୍ଭବଇ । ଭିନ୍ନ ନାମରେ ପ୍ରକାଶଇ ॥ ୭୯
ଉଦ୍ଧବ ଅସତ୍ୟ ସେ ଜାଣ । କର୍ତ୍ତା କାରଣୁ ନୋହେ ଭିନ୍ନ ॥ ୮୦
ରାଜସ ବିକାର ଜଗତ । ସର୍ଜନା ଅଟେ ପଞ୍ଚଭୂତ ॥ ୮୧
ବ୍ରହ୍ମା ଅଟନ୍ତି ସ୍ୱୟଂଜ୍ୟୋତି । ଏଣୁ ସେ ନିଜେ ପ୍ରକାଶନ୍ତି ॥ ୮୨
ଇନ୍ଦ୍ରିୟ ଅର୍ଥ ଆତ୍ମା ମନ । ଏ ଆଦି ନୋହେ ବିଦ୍ୟମାନ ॥ ୮୩
ତଥାପି ବ୍ରହ୍ମମୟ ଏହି । ଯେଣୁ ପ୍ରକାଶ ତା'ର ହୋଇ ॥ ୮୪
ଏ ରୂପେ ବ୍ରହ୍ମ ବିବେକରେ । ଗୁରୁବଚନ ଧରି ଶିରେ ॥ ୮୫
ଜାଣିଣ ବ୍ରହ୍ମକୁ ସାକ୍ଷାତେ । ଇନ୍ଦ୍ରିୟ ଭୋଗ ଛାଡ଼ି ଚିତ୍ତେ ॥ ୮୬
ଦେହାତ୍ମଭାବ ପରିହରି । ବ୍ରହ୍ମ ଆନନ୍ଦେ ମୋଦଭରି ॥ ୮୭
ଆତ୍ମସନ୍ଦେହ ତେଜି ଦୂରେ । ଆନନ୍ଦେ ଭ୍ରମିବ ସଂସାରେ ॥ ୮୮
ଦେହ ଇନ୍ଦ୍ରିୟ ଦେହୀ ପ୍ରାଣ । ପବନ ଜଳ ହୁତାଶନ ॥ ୮୯
କ୍ଷିତି ଗଗନ ଅହଂକୃତି । ବୁଦ୍ଧି ତନମାତ୍ରା ପ୍ରକୃତି ॥ ୯୦
ଏ କେହି ଆତ୍ମା ନୋହେ ଜାଣ । ଅନ୍ନବିକାର ଏ ପ୍ରମାଣ ॥ ୯୧
ଏଣେ ବିବେକ ଅଟେ ଯା'ର । ସେ ପ୍ରାଣୀ ଜ୍ଞାନବନ୍ତ ନର ॥ ୯୨
ମୋ'ର ସ୍ୱରୂପ ହୃଦେ ଯା'ର । ପ୍ରକାଶ ହୋଏ ନିରନ୍ତର ॥ ୯୩
ତାହାର ଇନ୍ଦ୍ରିୟ ସକଳେ । ଆୟତ୍ତ ହେଲେ ବା ନ ହେଲେ ॥ ୯୪
ତହିଁରେ ତାର ଗୁଣଦୋଷ । କି ଅବା ହୋଇବ ପ୍ରକାଶ ॥ ୯୫
ମେଘ ଢାଙ୍କଇ କିବା ନାହିଁ । ରବିର ହାନି ଲାଭ କାହିଁ ॥ ୯୬
ଆକାଶେ ଯେହ୍ନେ ଅଗ୍ନି ଜଳେ । ପବନ ସେ ଆକାଶେ ଚଳେ ॥ ୯୭
ଧୂଳିରେ ଧୂସର ଦିଶଇ । କି ଅବା ଜଳ ବରଷଇ ॥ ୯୮
କି ଅବା ଷଡ଼ଋତୁ ଗୁଣ । ଉଷ୍ଣ ଶୀତଳ ଆଦି ପୁଣ ॥ ୯୯
ଆକାଶେ ଗତାଗତ ହୋନ୍ତି । ଯେହ୍ନେ ଆକାଶେ ନ ଲାଗନ୍ତି ॥ ୧୦୦
ତେହ୍ନେ ତ୍ରିଗୁଣ ଅହଙ୍କାର । ଯେବା ସଂସାର ବ୍ୟବହାର ॥ ୧୦୧
ଏଣେ ମୋହର ସଙ୍ଗ ନାହିଁ । ଅକ୍ଷୟ ପରଂବ୍ରହ୍ମ ମୁହିଁ ॥ ୧୦୨
ତଥାପି ଯାବତ ମୋ'ଠାରେ । ସୁଦୃଢ ଭକ୍ତିଯୋଗ ବଳେ ॥ ୧୦୩
ରାଜସ-ରୂପ-ମନ-ମୂଳ । ନିବୃତ୍ତ ନୁହଁନ୍ତି ସକଳ ॥ ୧୦୪
ତାବତ ମାୟାଗୁଣ ସଙ୍ଗ । ବିଷୟ କର ପରିତ୍ୟାଗ ॥ ୧୦୫
ଯେସନେ ଦେହେ ବ୍ୟାଧିଶେଷ । ଅପଥ୍ୟେ ବଢଇ ବିଶେଷ ॥ ୧୦୬
ତେସନେ ବିଷୟର ସଙ୍ଗ । କୁଯୋଗୀ ଯୋଗ କରେ ଭଙ୍ଗ ॥ ୧୦୭
ଯେ ଯୋଗୀ ଯୋଗମାର୍ଗେ ଥା'ନ୍ତି । ଦେବେ ତାହାଙ୍କ ବିଘ୍ନ ଚିନ୍ତି ॥ ୧୦୮
କପଟେ ମନୁଷ୍ୟ ରୂପରେ । ତାହାଙ୍କୁ ଯୋଗଭ୍ରଷ୍ଟ କରେ ॥ ୧୦୯
ସେ ପୁଣି ପାଇ ଦେହାନ୍ତର । ପ୍ରାକ୍ତନ ବଳେ ବାରମ୍ବାର ॥ ୧୧୦
ଯୋଗ ଅଭ୍ୟାସେ ହୋଇ ରତ । ନୁହଇ କେବେ କର୍ମତନ୍ତ୍ର ॥ ୧୧୧
କର୍ମର ବଳେ ଜନ୍ମ ମୃତ୍ୟୁ । କର୍ମେ ସଂସାରେ ପଡେ଼ ଜନ୍ତୁ ॥ ୧୧୨
ଯେବେ ତା ଜ୍ଞାନ ଉଦେ ହୋଇ । ପୁଣି ସଂସାରେ ନ ପଡ଼ଇ ॥ ୧୧୩
ଛାଡ଼ଇ ଦେହାଦିର ଧର୍ମ । ଅଖଣ୍ଡ ସୁଖରେ ନିମଗ୍ନ ॥ ୧୧୪
ଆସନ ଶୟନ ଗମନ । ମଳ ମୂତ୍ରାଦି ବିସର୍ଜନ ॥ ୧୧୫
ଦର୍ଶନ ସ୍ପର୍ଶନ ଭୋଜନ । ଏ ଦେହ ସ୍ୱାଭାବିକ ଧର୍ମ ॥ ୧୧୬
ଏଣେ ତା ଦୃଷ୍ଟି ହିଁ ନ ଥାଇ । ଆତ୍ମା ପ୍ରକାଶ ଯା'ର ହୋଇ ॥ ୧୧୭
ଅସତ୍ୟ ଇନ୍ଦ୍ରିୟଙ୍କ ଅର୍ଥ । ଯେବେ ହୁଅଇ ଚିତ୍ତେ ଜାତ ॥ ୧୧୮
ସ୍ୱପନେ ନାନାକାର ଯେହ୍ନେ । ଛାଡ଼ଇ ଅନୁମାନେ ତେହ୍ନେ ॥ ୧୧୯
ଆତ୍ମା ବାହାରେ ଆନ ସତ୍ୟ । ନ ମଣେ ଯେ ଜନ ପଣ୍ଡିତ ॥ ୧୨୦
ଆତ୍ମାର ବନ୍ଧନ ମୁକତି । ଅଜ୍ଞାନ ବଳରୁ ପ୍ରତୀତି ॥ ୧୨୧
ଅଜ୍ଞାନ ନିବର୍ତ୍ତିଲେ ଜ୍ଞାନେ । ଆତ୍ମାକୁ ନିର୍ବିକାର ଜାଣେ ॥ ୧୨୨
ସୂର୍ଯ୍ୟ ଉଦୟେ ତମ ନାଶେ । ଜଗତ ସ୍ୱରୂପେ ପ୍ରକାଶେ ॥ ୧୨୩
ନ ଥାଏ କିଛି ତା' ବିକାର । କେବଳ ପ୍ରକାଶ ମାତର ॥ ୧୨୪
ତେସନେ ମୋର କୃପାଦୃଷ୍ଟି । ଖଣ୍ଡଇ ସକଳ ଅରିଷ୍ଟି ॥ ୧୨୫
ଅଜ୍ଞାନ ତମ ଯାଏ ଦୂର । ଦିଶଇ ଆତ୍ମା ନିର୍ବିକାର ॥ ୧୨୬
ଏ ଆତ୍ମା ସ୍ୱୟଂ ଜ୍ୟୋତିଷ୍ମନ୍ତ । ଅଜ ଅପ୍ରମେୟ ଅନନ୍ତ ॥ ୧୨୭
ଯେ ଦେଶକାଳ-ପରିଚ୍ଛିନ୍ନ । ନାହିଁ ଯା' କ୍ଷୟବୃଦ୍ଧିମାନ ॥ ୧୨୮
ଏକ ଦ୍ୱିତୀୟ ନାହିଁ ଯା'ର । ମନ ବଚନେ ଅଗୋଚର ॥ ୧୨୯
ତା'ର ଚାଳନେ ବାକ୍ୟ ପ୍ରାଣ । ସଂସାରେ ସଂଚରନ୍ତି ଜନ ॥ ୧୩୦
ଯେ ଏକଆତ୍ମା ବ୍ରହ୍ମରୂପ । ତା' ଠାରେ କରନ୍ତି ବିକଳ୍ପ ॥ ୧୩୧
ଯେତେ ଏ ବିକଳ୍ପ ସଞ୍ଚାର । ଆତ୍ମା ଆଶ୍ରୟ ଏହାଙ୍କର ॥ ୧୩୨
ରଜତ ଭ୍ରମ ପ୍ରାଣୀ ମନେ । କାହୁଁ ହୋଇବ ଶୁକ୍ତି ବିନେ ॥ ୧୩୩
ଏଣୁ ଏ ଆତ୍ମା ସତ୍ୟଧାମ । ବିକଳ୍ପ ମନର ଯେ ଭ୍ରମ ॥ ୧୩୪
ନାମ ରୂପ ଯେ ପଞ୍ଚଭୂତ । ଏଣେ ଯେ ଶରୀର ନିର୍ମିତ ॥ ୧୩୫
ତାହାକୁ ସତ୍ୟ ମନେକରି । ବେଦାନ୍ତ ତତ୍ତ୍ୱ ନ ବିଚାରି ॥ ୧୩୬
ପଣ୍ଡିତ ପଣେ ଅହଙ୍କାରେ । ବିଅର୍ଥେ ଅର୍ଥବାଦ କରେ ॥ ୧୩୭
ଅପକ୍ୱଯୋଗ-ଯୋଗୀଙ୍କର । ଯେ ବିଘ୍ନ ଶରୀରୁ ବାହାର ॥ ୧୩୮
ସେ ବିଘ୍ନ ଯେଣେ ନାଶ ଯାଇ । ସେ ବିଧି ଶୁଣ ମୁଁ କହଇ ॥ ୧୩୯
ଶୀତ ତପତି ଦେହକ୍ଳେଶ । ଯେ ଅବା ବାତ ଆଦି ଦୋଷ ॥ ୧୪୦
ନାଶିବ ଯୋଗ-ଧାରଣାରେ । ଯେ ପ୍ରଣାୟାମ ଆସନରେ ॥ ୧୪୧
ତପରେ ତାପ ମନ୍ତ୍ରେ ଗ୍ରହ । ଔଷଧେ ସର୍ପ ଆଦି ଭୟ ॥ ୧୪୨
ଏମନ୍ତେ ବିଘ୍ନକୁ ନିବାରି । ଯୋଗ ସାଧିବ ଯତ୍ନ କରି ॥ ୧୪୩
ମୋ ଧ୍ୟାନ ନାମ ସଙ୍କୀର୍ତ୍ତନେ । ନାଶିବ କାମ ଆଦି ବିଘ୍ନେ ॥ ୧୪୪
ଭକ୍ତ-ଯୋଗୀଙ୍କ ସେବା ଭାବେ । ନାଶିବ ମାନ-ମଦ-ଦମ୍ଭେ ॥ ୧୪୫
କେ ଅବା ଏ ସବୁ ଉପାୟେ । ଦୃଢ କରିଣ ଯୁବା ଦେହେ ॥ ୧୪୬
ପ୍ରବେଶ ପରକାୟ ଆଦି । ଯୋଗେ ସାଧନ୍ତି ସର୍ବସିଦ୍ଧି ॥ ୧୪୭
ଫଳର ପ୍ରାୟେ ଏ ଶରୀର । ବୃକ୍ଷର ପ୍ରାୟ ଆତ୍ମା ଚିର ॥ ୧୪୮
ଏଣୁ ପଣ୍ଡିତମାନଙ୍କର । ଦେହରେ ନ ଥାଇ ଆଦର ॥ ୧୪୯
ଦେହର ବିଘ୍ନନାଶ ଅର୍ଥେ । କେ ଅବା ସାଧଇ ନିରତେ ॥ ୧୫୦
ଯେ ଅବା ବୁଦ୍ଧିମନ୍ତ ଜନେ । ନ କରି ଶ୍ରଦ୍ଧା ଦେହଧର୍ମେ ॥ ୧୫୧
ଏ ଯୋଗେ ନ ବଳାଇ ଚିତ୍ତ । ଶରଣ ମୋ'ର ପାଦଗତ ॥ ୧୫୨
ମୋ'ର ଆଶ୍ରୟ ହୋଇ ଯୋଗୀ । ଯୋଗସାଧନେ ଯେବେ ଲାଗି ॥ ୧୫୩
ବିଘ୍ନ ତାହାକୁ ନ ଲାଗଇ । ପରମ ଆନନ୍ଦେ ରମଇ ॥ ୧୫୪
ଏ ରୂପେ ଜ୍ଞାନଯୋଗ ହରି । ଉଦ୍ଧବେ କହିଲେ ବିସ୍ତାରି ॥ ୧୫୫
ଚିତ୍ତେ ଯେ ଥିଲା ଅହଙ୍କାର । ଗୋବିନ୍ଦ ତାହା କଲେ ଦୂର ॥ ୧୫୬
ପରମଜ୍ଞାନ-ଉପଦେଶେ । ଗୋବିନ୍ଦ ଖଣ୍ଡିଲେ ବିଶେଷେ ॥ ୧୫୭
ସଂସାରଭାବ ଭାବଗ୍ରାହୀ । ଅଜ୍ଞାନ-କଳ୍ପିତ ବୁଝାଇ ॥ ୧୫୮
ଉଦ୍ଧବ ଚିତ୍ତେ ମୋହପାଶି । ଜ୍ଞାନ ଖଡ଼ଗେ ତାହା ନାଶି ॥ ୧୫୯
ଜ୍ଞାନ ବୁଝାଇ ଭାବବଶେ । ଭକତିଯୋଗ କହି ଶେଷେ ॥ ୧୬୦
କୃଷ୍ଣଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୬୧
ସଂସାାରଜନେ ଏହା ଶୁଣି । ତରିବେ ଭବତରଙ୍ଗିଣୀ ॥ ୧୬୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଏକାଦଶସ୍କନ୍ଧେ ଊନତ୍ରିଂଶୋଦ୍ଧଧ୍ୟାୟଃ ॥
* * *