ଏକାଦଶ ସ୍କନ୍ଧ

ଉନତ୍ରିଂଶ ଅଧ୍ୟାୟ

ଭଗବାନ ଉବାଚ

କହନ୍ତି ପ୍ରଭୁ ଭଗବାନ । ଉଦ୍ଧବ ସ୍ଥିର କର ମନ ॥

ଏ ମାୟା-ନିର୍ମିତ ସଂସାରେ । ପ୍ରାଣୀ ସକଳ କର୍ମ କରେ ॥

ନିଜ ସ୍ୱଭାବେ ଅଲଘିଂତ । ଏ ଘେନି ଯେ ହୋଏ ପଣ୍ଡିତ ॥

ନିନ୍ଦା-ପ୍ରଶଂସା ନ କରନ୍ତି । ସାକ୍ଷୀଙ୍କ ପ୍ରାୟ ସେ ଦେଖନ୍ତି ॥

ଏଣୁ ସାଧବ-ପ୍ରାଣୀଙ୍କର । ସଂସାରେ ନାହିଁ ନିଜ ପର ॥

ସକଳ ଜନ୍ତୁ ଏକଭାବ । ପ୍ରକୃତି-ପୁରୁଷ ସମ୍ଭବ ॥

ଯେ ଧର୍ମ ସ୍ୱଭାବ ଆଚାର । ନିନ୍ଦା-ପ୍ରଶଂସା ତାହାଙ୍କର ॥

ଯେ କରେ ଜ୍ଞାନଭ୍ରଷ୍ଟ ପଣେ । ନିଷ୍ଠୁର ଅସତ୍ୟ-ଭାଷଣେ ॥

ଅଜ୍ଞାନେ କଳ୍ପେ ନାନାଅଙ୍ଗ । ଜୀବନ୍ତେ ନୋହେ ନିଦ୍ରାଭଙ୍ଗ ॥

ଏଣୁ ହୋ ପର ଗୁଣ-ଦୋଷ । ବିଚାର ନ କରି ବିଶେଷ ॥ ୧୦

ଉଦ୍ଧବ ଶୁଣୁ ଯେତେ କର୍ଣ୍ଣେ । ଯେ ଅବା ଦେଖୁ ତୁ ନୟନେ ॥ ୧୧

ଯେ କିଛି ଉଚ୍ଚାରୁ ବଦନେ । ଯେ ଅବା ଚିନ୍ତୁ ମନେ ଧ୍ୟାନେ ॥ ୧୨

ଯେ ଅବା ଭଲ-ମନ୍ଦ ଜନେ । ନ୍ୟାୟ-ବିଚାର ଅନୁମାନେ ॥ ୧୩

ଏ ସର୍ବ ସତ୍ୟ ନୋହେ କିଛି । କେବଳ ମାୟା ମାତ୍ର ଲକ୍ଷ୍ୟି ॥ ୧୪

ଆଭାସ ଛାୟା ପ୍ରତିସ୍ୱନ । ଅବସ୍ତୁଠାରେ ବସ୍ତୁଜ୍ଞାନ ॥ ୧୫

ଭୟ-ମୋହକୁ ଜନମାନ୍ତି । ତେସନେ ଦେହ ଆଦି ଭ୍ରାନ୍ତି ॥ ୧୬

ଏଣୁ ହୋ ମିଥ୍ୟା-ଜ୍ଞାନ ଲାଭେ । ଏ ଜୀବ ଜନ୍ମମୃତ୍ୟୁ ଲଭେ ॥ ୧୭

ତୁ ଅବା ବୋଲିବୁ ଏମନ୍ତେ । ଏ ସର୍ବ ସତ୍ୟ ଶ୍ରୁତିପଥେ ॥ ୧୮

ଦେବ ବଚନେ ଅନୁମାନେ । ସତ୍ୟ ନ କହେ ଆତ୍ମାବିନେ ॥ ୧୯

ଏ ଆତ୍ମା ହର୍ତ୍ତାକର୍ତ୍ତା ଦାତା । ଆତ୍ମା ଈଶ୍ୱର ପିତାମାତା ॥ ୨୦

ସୃଷ୍ଟି ପାଳନ ସଂହାରଣ । ଏ ସର୍ବ ଆତ୍ମାର ଭିଆଣ ॥ ୨୧

ଏଣୁ ଅଶେଷ ଚରାଚରେ । ଆତ୍ମା ହୁଁ ସତ୍ୟ ନାହିଁ ପରେ ॥ ୨୨

ପ୍ରକୃତି ନିର୍ମିତ ସଂସାର । ଏଣୁ ଏ ତ୍ରିବିଧ ପ୍ରକାର ॥ ୨୩

ଆତ୍ମାର ସଙ୍ଗ ନାହିଁ ଏଣେ । ଏମନ୍ତ ବିଚାରିଣ ମନେ ॥ ୨୪

ସକଳ ବୁଝି ଦୃଢଚିତ୍ତେ । ଏ ଭ୍ରମ ଛାଡ଼ନ୍ତି ପଣ୍ଡିତେ ॥ ୨୫

ଏଣୁ ଏ ନିଜ ପର ଜ୍ଞାନ । ନ କରି ନିନ୍ଦନ ସ୍ତବନ ॥ ୨୬

କେବଳ ଜ୍ଞାନ ଅନୁମାନେ । ଥିବ ଭାସ୍କର ଯେହ୍ନେ ଶୂନ୍ୟେ ॥ ୨୭

ଆପଣେ କର ଅନୁମାନ । ପ୍ରତ୍ୟକ୍ଷେ ଦେଖିଣ ନୟନ ॥ ୨୮

ଯେ ଅବା ବେଦର ବିଧାନ । ସୁମରି ମୋହର ବଚନ ॥ ୨୯

ଯେ ଆଦି ମଧ୍ୟ ଅବସାନ । ଅସତ୍ୟ ଦେଖି ତ୍ରିଭୁବନ ॥ ୩୦

ଏଣୁ ଅଶେଷ ଶଙ୍କା ତେଜି । ପଣ୍ଡିତ ରହେ ଜ୍ଞାନ ବୁଝି ॥ ୩୧

ଏମନ୍ତ କୃଷ୍ଣମୁଖୁଁ ଶୁଣି । ଉଦ୍ଧବ କହେ ମଞ୍ଜୁବାଣୀ ॥ ୩୨

ମନ ସଂଶୟେ କରଯୋଡ଼ି । କହେ ଗୋବିନ୍ଦ ପାଦେ ପଡ଼ି ॥ ୩୩

ଉଦ୍ଧବ ଉବାଚ

ଶୁଣ ହେ ପ୍ରଭୁ ମାୟାଧର । ଏ ଯେବେ ଅସତ୍ୟ ସଂସାର ॥ ୩୪

ନିର୍ଗୁଣ ନିର୍ବିକାର ଜୀବ । ସର୍ବ ବ୍ୟାପକ ସଦାଶିବ ॥ ୩୫

ଏ ପଞ୍ଚଭୂତ କଳେବର । ନିର୍ମିତ କ୍ଷଣିକ ଭଙ୍ଗୁର ॥ ୩୬

ଜନ୍ମ ମରଣ ଅନୁସରି । କେ ପୁଣ ସଂସାରେ ସଂସାରୀ ॥ ୩୭

କହ ହେ ପ୍ରଭୁ ବିଶ୍ୱେଶ୍ୱର । ଏ ମୋର ଭ୍ରମ ଯାଉ ଦୂର ॥ ୩୮

ଆତ୍ମା ନିର୍ଗୁଣ ନିରଞ୍ଜନ । ନିତ୍ୟ ସାତ୍ତ୍ୱିକମୟ ବ୍ରହ୍ମ ॥ ୩୯

ଏ ଆତ୍ମା ସର୍ବଭୂତେ ବସେ । ଆଦିତ୍ୟ ଯେସନେ ଆକାଶେ ॥ ୪୦

ଇନ୍ଧନ ମଧ୍ୟେ ଅଗ୍ନି ଯେହ୍ନେ । ଜଳନ୍ତେ ଦେଖି ଅନୁମାନେ ॥ ୪୧

ଆତ୍ମା ପ୍ରକାଶ ଏହିମତେ । ପ୍ରତ୍ୟକ୍ଷେ ଦେଖି ଏ ଜଗତେ ॥ ୪୨

ସ୍ୱଭାବେ ଆତ୍ମା ସର୍ବପୂର୍ଣ୍ଣ । ସାକ୍ଷୀ-ସ୍ୱରୂପ ନିରଞ୍ଜନ ॥ ୪୩

ସେ ଯେବେ ରହେ ନିଜପୁରେ । ଜନ୍ମ ମରଣ କେ ସଞ୍ଚରେ ॥ ୪୪

ଆତ୍ମା ଅଖଣ୍ଡ-ନିରଞ୍ଜନ । ସ୍ୱଭାବେ ଦେହ ଅଚେତନ ॥ ୪୫

ଏଣୁ ଏ ସଂସାର କାହାର । ନିଶ୍ଚୟ କହ ଦାମୋଦର ॥ ୪୬

ଉଦ୍ଧବ ବାକ୍ୟ ଶୁଣି ହସି । କହନ୍ତି ପ୍ରଭୁ ବ୍ରହ୍ମରାଶି ॥ ୪୭

ଭଗବାନ ଉବାଚ

ଯାବତ ଦେହେ ଅହଙ୍କାର । ଇନ୍ଦ୍ରିୟ ପ୍ରାଣରେ ସଂଚାର ॥ ୪୮

ତାବତ ଜୀବ ସଞ୍ଚରଇ । ଯେଣୁ ଏହାଙ୍କ ସଙ୍ଗେ ଥାଇ ॥ ୪୯

ଆତ୍ମା ସ୍ୱଭାବେ ନିରଞ୍ଜନ । ନ ଦେଖି ସଂସାର-ଘଟନ ॥ ୫୦

ଏହାଙ୍କ ସଙ୍ଗେ ମୂଢପଣେ । ସଂସାରେ ଭ୍ରମେ ଅକାରଣେ ॥ ୫୧

ଜାଗ୍ରତ ପୁରୁଷ ଯେସନ । ବିଷୟ କରେ ନିତ୍ୟେ ଧ୍ୟାନ ॥ ୫୨

ଶୟନ କାଳେ ସେ ସ୍ୱପନେ । ଦେଖେ ବିବିଧ ଅର୍ଥ ଯେହ୍ନେ ॥ ୫୩

ଶୟନେ ସ୍ୱପ୍ନ ଯେବେ ଦେଖେ । ଅସତ୍ୟ ସତ୍ୟ କରି ଲେଖେ ॥ ୫୪

ସେ ପୁଣି ନିଦ୍ରା ଅବସାନେ । ସକଳ ମିଥ୍ୟା କରି ମଣେ ॥ ୫୫

ଏ ଘେନି ଲୋଭ ଭୟ କ୍ରୋଧ । ହରଷ ବିରସ ପ୍ରମାଦ ॥ ୫୬

ଏ ଆଦି ବିବିଧ ପ୍ରକାରେ । ସର୍ବ ସମ୍ଭବ ଅହଙ୍କାରେ ॥ ୫୭

ଜନମ-ମୃତ୍ୟୁ ଆଦି ଯେତେ । ଆତ୍ମାର ନୋହେ କଦାଚିତେ ॥ ୫୮

ଦେହ ଇନ୍ଦ୍ରିୟ ମନ ପ୍ରାଣ । ଏଣେ ଯାହାର ଅଭିମାନ ॥ ୫୯

ସେ ଜୀବ ରୂପେ ସୂକ୍ଷ୍ମ ଦେହେ । ତ୍ରିଗୁଣେ ଜନମୃତ୍ୟୁ ବହେ ॥ ୬୦

କାଳର ବଳେ ଏ ସଂସାରେ । ଭ୍ରମେ ତ୍ରିଗୁଣ-ଅହଙ୍କାରେ ॥ ୬୧

ଏ ଅହଙ୍କାର ବନ୍ଧ କହି । ନିବୃତ୍ତି ମୁକତି ବୋଲାଇ ॥ ୬୨

ମୂଳ ଏହାର ଅପ୍ରକାଶ । ବିବିଧ ରୂପେ ହୋଏ ଦୃଶ୍ୟ ॥ ୬୩

ମନ-ବଚନ-ଦେହ-ପ୍ରାଣେ । ପ୍ରକାଶ ହୋଏ ନାନା କର୍ମେ ॥ ୬୪

ଯେ' ପାରେ ଗୁରୁ ଆଶ୍ରେ କରି । ଜ୍ଞାନ-ଖଡ଼ଗ କରେ ଧରି ॥ ୬୫

ନିବୃତ୍ତି କରି ବୁଦ୍ଧିମାନ । ତେଜଇ ସେ ଦୃଢ-ବନ୍ଧନ ॥ ୬୬

ତୃଷା ବର୍ଜିତ ନିର୍ବିକାରେ । ଆନନ୍ଦେ ଭ୍ରମଇଁ ସଂସାରେ ॥ ୬୭

ବେଦ ତପସ୍ୟା ପ୍ରତ୍ୟକ୍ଷରେ । ଗୁରୁବଚନ ତର୍କଦ୍ୱାରେ ॥ ୬୮

ବିଚାରି ଜାଣିବ ନିରୋଳେ । ଯେ ଥାଇ ଆଦି ଅନ୍ତଃକାଳେ ॥ ୬୯

ଈଶ୍ୱର ସର୍ବହେତୁ ସେହି । ମଧ୍ୟେ ସେ ଜଗତ ବୋଲାଇ ॥ ୭୦

ଏଣେ ବିବେକ ଯା'ର ହୋଇ । ଜାଣିବ ଜ୍ଞାନୀ ସେ ଅଟଇ ॥ ୭୧

ସୁବର୍ଣ୍ଣେ ନାନା ଦ୍ରବ୍ୟ ଯେହ୍ନେ । ଧରଇ ନାନା ରୂପ ଭିନ୍ନେ ॥ ୭୨

ରୂପ ବିନାଶେ ସେ ସୁବର୍ଣ୍ଣ । ଏ ଭାବେ ଜଗତ ଅଭିନ୍ନ ॥ ୭୩

ମୋହର ତହୁଁ ସମ୍ଭବଇ । କାଳେ ପ୍ରବେଶ ମୋ'ର ତହିଁ ॥ ୭୪

ଜାଗ୍ରତ-ସ୍ୱପ୍ନ-ସୁଷୁପ୍ତିରେ । କି ଅବା ସମାଧି ବିଧିରେ ॥ ୭୫

କାର୍ଯ୍ୟକାରଣ କର୍ତ୍ତା ରୂପେ । ଜଗତ ମଧ୍ୟେ ଯେହୁ ବ୍ୟାପେ ॥ ୭୬

ପରମବ୍ରହ୍ମ ସତ୍ୟ ସେହି । ଉଦ୍ଧବ ସାକ୍ଷୀରୂପେ ଥାଇ ॥ ୭୭

ଆଗେ ନ ଥିଲା ପଛେ ନାହିଁ । ମଧ୍ୟରେ ନାମମାତ୍ର ଥାଇ ॥ ୭୮

କର୍ତ୍ତା କାରଣୁଁ ସମ୍ଭବଇ । ଭିନ୍ନ ନାମରେ ପ୍ରକାଶଇ ॥ ୭୯

ଉଦ୍ଧବ ଅସତ୍ୟ ସେ ଜାଣ । କର୍ତ୍ତା କାରଣୁ ନୋହେ ଭିନ୍ନ ॥ ୮୦

ରାଜସ ବିକାର ଜଗତ । ସର୍ଜନା ଅଟେ ପଞ୍ଚଭୂତ ॥ ୮୧

ବ୍ରହ୍ମା ଅଟନ୍ତି ସ୍ୱୟଂଜ୍ୟୋତି । ଏଣୁ ସେ ନିଜେ ପ୍ରକାଶନ୍ତି ॥ ୮୨

ଇନ୍ଦ୍ରିୟ ଅର୍ଥ ଆତ୍ମା ମନ । ଏ ଆଦି ନୋହେ ବିଦ୍ୟମାନ ॥ ୮୩

ତଥାପି ବ୍ରହ୍ମମୟ ଏହି । ଯେଣୁ ପ୍ରକାଶ ତା'ର ହୋଇ ॥ ୮୪

ଏ ରୂପେ ବ୍ରହ୍ମ ବିବେକରେ । ଗୁରୁବଚନ ଧରି ଶିରେ ॥ ୮୫

ଜାଣିଣ ବ୍ରହ୍ମକୁ ସାକ୍ଷାତେ । ଇନ୍ଦ୍ରିୟ ଭୋଗ ଛାଡ଼ି ଚିତ୍ତେ ॥ ୮୬

ଦେହାତ୍ମଭାବ ପରିହରି । ବ୍ରହ୍ମ ଆନନ୍ଦେ ମୋଦଭରି ॥ ୮୭

ଆତ୍ମସନ୍ଦେହ ତେଜି ଦୂରେ । ଆନନ୍ଦେ ଭ୍ରମିବ ସଂସାରେ ॥ ୮୮

ଦେହ ଇନ୍ଦ୍ରିୟ ଦେହୀ ପ୍ରାଣ । ପବନ ଜଳ ହୁତାଶନ ॥ ୮୯

କ୍ଷିତି ଗଗନ ଅହଂକୃତି । ବୁଦ୍ଧି ତନମାତ୍ରା ପ୍ରକୃତି ॥ ୯୦

ଏ କେହି ଆତ୍ମା ନୋହେ ଜାଣ । ଅନ୍ନବିକାର ଏ ପ୍ରମାଣ ॥ ୯୧

ଏଣେ ବିବେକ ଅଟେ ଯା'ର । ସେ ପ୍ରାଣୀ ଜ୍ଞାନବନ୍ତ ନର ॥ ୯୨

ମୋ'ର ସ୍ୱରୂପ ହୃଦେ ଯା'ର । ପ୍ରକାଶ ହୋଏ ନିରନ୍ତର ॥ ୯୩

ତାହାର ଇନ୍ଦ୍ରିୟ ସକଳେ । ଆୟତ୍ତ ହେଲେ ବା ନ ହେଲେ ॥ ୯୪

ତହିଁରେ ତାର ଗୁଣଦୋଷ । କି ଅବା ହୋଇବ ପ୍ରକାଶ ॥ ୯୫

ମେଘ ଢାଙ୍କଇ କିବା ନାହିଁ । ରବିର ହାନି ଲାଭ କାହିଁ ॥ ୯୬

ଆକାଶେ ଯେହ୍ନେ ଅଗ୍ନି ଜଳେ । ପବନ ସେ ଆକାଶେ ଚଳେ ॥ ୯୭

ଧୂଳିରେ ଧୂସର ଦିଶଇ । କି ଅବା ଜଳ ବରଷଇ ॥ ୯୮

କି ଅବା ଷଡ଼ଋତୁ ଗୁଣ । ଉଷ୍ଣ ଶୀତଳ ଆଦି ପୁଣ ॥ ୯୯

ଆକାଶେ ଗତାଗତ ହୋନ୍ତି । ଯେହ୍ନେ ଆକାଶେ ନ ଲାଗନ୍ତି ॥ ୧୦୦

ତେହ୍ନେ ତ୍ରିଗୁଣ ଅହଙ୍କାର । ଯେବା ସଂସାର ବ୍ୟବହାର ॥ ୧୦୧

ଏଣେ ମୋହର ସଙ୍ଗ ନାହିଁ । ଅକ୍ଷୟ ପରଂବ୍ରହ୍ମ ମୁହିଁ ॥ ୧୦୨

ତଥାପି ଯାବତ ମୋ'ଠାରେ । ସୁଦୃଢ ଭକ୍ତିଯୋଗ ବଳେ ॥ ୧୦୩

ରାଜସ-ରୂପ-ମନ-ମୂଳ । ନିବୃତ୍ତ ନୁହଁନ୍ତି ସକଳ ॥ ୧୦୪

ତାବତ ମାୟାଗୁଣ ସଙ୍ଗ । ବିଷୟ କର ପରିତ୍ୟାଗ ॥ ୧୦୫

ଯେସନେ ଦେହେ ବ୍ୟାଧିଶେଷ । ଅପଥ୍ୟେ ବଢଇ ବିଶେଷ ॥ ୧୦୬

ତେସନେ ବିଷୟର ସଙ୍ଗ । କୁଯୋଗୀ ଯୋଗ କରେ ଭଙ୍ଗ ॥ ୧୦୭

ଯେ ଯୋଗୀ ଯୋଗମାର୍ଗେ ଥା'ନ୍ତି । ଦେବେ ତାହାଙ୍କ ବିଘ୍ନ ଚିନ୍ତି ॥ ୧୦୮

କପଟେ ମନୁଷ୍ୟ ରୂପରେ । ତାହାଙ୍କୁ ଯୋଗଭ୍ରଷ୍ଟ କରେ ॥ ୧୦୯

ସେ ପୁଣି ପାଇ ଦେହାନ୍ତର । ପ୍ରାକ୍ତନ ବଳେ ବାରମ୍ବାର ॥ ୧୧୦

ଯୋଗ ଅଭ୍ୟାସେ ହୋଇ ରତ । ନୁହଇ କେବେ କର୍ମତନ୍ତ୍ର ॥ ୧୧୧

କର୍ମର ବଳେ ଜନ୍ମ ମୃତ୍ୟୁ । କର୍ମେ ସଂସାରେ ପଡେ଼ ଜନ୍ତୁ ॥ ୧୧୨

ଯେବେ ତା ଜ୍ଞାନ ଉଦେ ହୋଇ । ପୁଣି ସଂସାରେ ନ ପଡ଼ଇ ॥ ୧୧୩

ଛାଡ଼ଇ ଦେହାଦିର ଧର୍ମ । ଅଖଣ୍ଡ ସୁଖରେ ନିମଗ୍ନ ॥ ୧୧୪

ଆସନ ଶୟନ ଗମନ । ମଳ ମୂତ୍ରାଦି ବିସର୍ଜନ ॥ ୧୧୫

ଦର୍ଶନ ସ୍ପର୍ଶନ ଭୋଜନ । ଏ ଦେହ ସ୍ୱାଭାବିକ ଧର୍ମ ॥ ୧୧୬

ଏଣେ ତା ଦୃଷ୍ଟି ହିଁ ନ ଥାଇ । ଆତ୍ମା ପ୍ରକାଶ ଯା'ର ହୋଇ ॥ ୧୧୭

ଅସତ୍ୟ ଇନ୍ଦ୍ରିୟଙ୍କ ଅର୍ଥ । ଯେବେ ହୁଅଇ ଚିତ୍ତେ ଜାତ ॥ ୧୧୮

ସ୍ୱପନେ ନାନାକାର ଯେହ୍ନେ । ଛାଡ଼ଇ ଅନୁମାନେ ତେହ୍ନେ ॥ ୧୧୯

ଆତ୍ମା ବାହାରେ ଆନ ସତ୍ୟ । ନ ମଣେ ଯେ ଜନ ପଣ୍ଡିତ ॥ ୧୨୦

ଆତ୍ମାର ବନ୍ଧନ ମୁକତି । ଅଜ୍ଞାନ ବଳରୁ ପ୍ରତୀତି ॥ ୧୨୧

ଅଜ୍ଞାନ ନିବର୍ତ୍ତିଲେ ଜ୍ଞାନେ । ଆତ୍ମାକୁ ନିର୍ବିକାର ଜାଣେ ॥ ୧୨୨

ସୂର୍ଯ୍ୟ ଉଦୟେ ତମ ନାଶେ । ଜଗତ ସ୍ୱରୂପେ ପ୍ରକାଶେ ॥ ୧୨୩

ନ ଥାଏ କିଛି ତା' ବିକାର । କେବଳ ପ୍ରକାଶ ମାତର ॥ ୧୨୪

ତେସନେ ମୋର କୃପାଦୃଷ୍ଟି । ଖଣ୍ଡଇ ସକଳ ଅରିଷ୍ଟି ॥ ୧୨୫

ଅଜ୍ଞାନ ତମ ଯାଏ ଦୂର । ଦିଶଇ ଆତ୍ମା ନିର୍ବିକାର ॥ ୧୨୬

ଏ ଆତ୍ମା ସ୍ୱୟଂ ଜ୍ୟୋତିଷ୍ମନ୍ତ । ଅଜ ଅପ୍ରମେୟ ଅନନ୍ତ ॥ ୧୨୭

ଯେ ଦେଶକାଳ-ପରିଚ୍ଛିନ୍ନ । ନାହିଁ ଯା' କ୍ଷୟବୃଦ୍ଧିମାନ ॥ ୧୨୮

ଏକ ଦ୍ୱିତୀୟ ନାହିଁ ଯା'ର । ମନ ବଚନେ ଅଗୋଚର ॥ ୧୨୯

ତା'ର ଚାଳନେ ବାକ୍ୟ ପ୍ରାଣ । ସଂସାରେ ସଂଚରନ୍ତି ଜନ ॥ ୧୩୦

ଯେ ଏକଆତ୍ମା ବ୍ରହ୍ମରୂପ । ତା' ଠାରେ କରନ୍ତି ବିକଳ୍ପ ॥ ୧୩୧

ଯେତେ ଏ ବିକଳ୍ପ ସଞ୍ଚାର । ଆତ୍ମା ଆଶ୍ରୟ ଏହାଙ୍କର ॥ ୧୩୨

ରଜତ ଭ୍ରମ ପ୍ରାଣୀ ମନେ । କାହୁଁ ହୋଇବ ଶୁକ୍ତି ବିନେ ॥ ୧୩୩

ଏଣୁ ଏ ଆତ୍ମା ସତ୍ୟଧାମ । ବିକଳ୍ପ ମନର ଯେ ଭ୍ରମ ॥ ୧୩୪

ନାମ ରୂପ ଯେ ପଞ୍ଚଭୂତ । ଏଣେ ଯେ ଶରୀର ନିର୍ମିତ ॥ ୧୩୫

ତାହାକୁ ସତ୍ୟ ମନେକରି । ବେଦାନ୍ତ ତତ୍ତ୍ୱ ନ ବିଚାରି ॥ ୧୩୬

ପଣ୍ଡିତ ପଣେ ଅହଙ୍କାରେ । ବିଅର୍ଥେ ଅର୍ଥବାଦ କରେ ॥ ୧୩୭

ଅପକ୍ୱଯୋଗ-ଯୋଗୀଙ୍କର । ଯେ ବିଘ୍ନ ଶରୀରୁ ବାହାର ॥ ୧୩୮

ସେ ବିଘ୍ନ ଯେଣେ ନାଶ ଯାଇ । ସେ ବିଧି ଶୁଣ ମୁଁ କହଇ ॥ ୧୩୯

ଶୀତ ତପତି ଦେହକ୍ଳେଶ । ଯେ ଅବା ବାତ ଆଦି ଦୋଷ ॥ ୧୪୦

ନାଶିବ ଯୋଗ-ଧାରଣାରେ । ଯେ ପ୍ରଣାୟାମ ଆସନରେ ॥ ୧୪୧

ତପରେ ତାପ ମନ୍ତ୍ରେ ଗ୍ରହ । ଔଷଧେ ସର୍ପ ଆଦି ଭୟ ॥ ୧୪୨

ଏମନ୍ତେ ବିଘ୍ନକୁ ନିବାରି । ଯୋଗ ସାଧିବ ଯତ୍ନ କରି ॥ ୧୪୩

ମୋ ଧ୍ୟାନ ନାମ ସଙ୍କୀର୍ତ୍ତନେ । ନାଶିବ କାମ ଆଦି ବିଘ୍ନେ ॥ ୧୪୪

ଭକ୍ତ-ଯୋଗୀଙ୍କ ସେବା ଭାବେ । ନାଶିବ ମାନ-ମଦ-ଦମ୍ଭେ ॥ ୧୪୫

କେ ଅବା ଏ ସବୁ ଉପାୟେ । ଦୃଢ କରିଣ ଯୁବା ଦେହେ ॥ ୧୪୬

ପ୍ରବେଶ ପରକାୟ ଆଦି । ଯୋଗେ ସାଧନ୍ତି ସର୍ବସିଦ୍ଧି ॥ ୧୪୭

ଫଳର ପ୍ରାୟେ ଏ ଶରୀର । ବୃକ୍ଷର ପ୍ରାୟ ଆତ୍ମା ଚିର ॥ ୧୪୮

ଏଣୁ ପଣ୍ଡିତମାନଙ୍କର । ଦେହରେ ନ ଥାଇ ଆଦର ॥ ୧୪୯

ଦେହର ବିଘ୍ନନାଶ ଅର୍ଥେ । କେ ଅବା ସାଧଇ ନିରତେ ॥ ୧୫୦

ଯେ ଅବା ବୁଦ୍ଧିମନ୍ତ ଜନେ । ନ କରି ଶ୍ରଦ୍ଧା ଦେହଧର୍ମେ ॥ ୧୫୧

ଏ ଯୋଗେ ନ ବଳାଇ ଚିତ୍ତ । ଶରଣ ମୋ'ର ପାଦଗତ ॥ ୧୫୨

ମୋ'ର ଆଶ୍ରୟ ହୋଇ ଯୋଗୀ । ଯୋଗସାଧନେ ଯେବେ ଲାଗି ॥ ୧୫୩

ବିଘ୍ନ ତାହାକୁ ନ ଲାଗଇ । ପରମ ଆନନ୍ଦେ ରମଇ ॥ ୧୫୪

ଏ ରୂପେ ଜ୍ଞାନଯୋଗ ହରି । ଉଦ୍ଧବେ କହିଲେ ବିସ୍ତାରି ॥ ୧୫୫

ଚିତ୍ତେ ଯେ ଥିଲା ଅହଙ୍କାର । ଗୋବିନ୍ଦ ତାହା କଲେ ଦୂର ॥ ୧୫୬

ପରମଜ୍ଞାନ-ଉପଦେଶେ । ଗୋବିନ୍ଦ ଖଣ୍ଡିଲେ ବିଶେଷେ ॥ ୧୫୭

ସଂସାରଭାବ ଭାବଗ୍ରାହୀ । ଅଜ୍ଞାନ-କଳ୍ପିତ ବୁଝାଇ ॥ ୧୫୮

ଉଦ୍ଧବ ଚିତ୍ତେ ମୋହପାଶି । ଜ୍ଞାନ ଖଡ଼ଗେ ତାହା ନାଶି ॥ ୧୫୯

ଜ୍ଞାନ ବୁଝାଇ ଭାବବଶେ । ଭକତିଯୋଗ କହି ଶେଷେ ॥ ୧୬୦

କୃଷ୍ଣଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୬୧

ସଂସାାରଜନେ ଏହା ଶୁଣି । ତରିବେ ଭବତରଙ୍ଗିଣୀ ॥ ୧୬୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଏକାଦଶସ୍କନ୍ଧେ ଊନତ୍ରିଂଶୋଦ୍ଧଧ୍ୟାୟଃ ॥

* * *