ଏକାଦଶ ସ୍କନ୍ଧ

ଅଷ୍ଟବିଂଶ ଅଧ୍ୟାୟ

ଉଦ୍ଧବ କୃଷ୍ଣର ବଚନେ । ଚିତ୍ତେ ଭକତି ଅନୁମାନେ ॥

ବୋଲଇ କୃଷ୍ଣ ମୁଖ ଚାହିଁ । ଭୋ ନାଥ ଶୁଣ ଭାବଗ୍ରାହୀ ॥

ଉଦ୍ଧବ ଉବାଚ

ଶରୀର ବହି ଏ ସଂସାରେ । ଜୀବ ସକଳ କର୍ମ କରେ ॥

ତୁମ୍ଭ ଭକତିଯୋଗ ଯେତେ । ମୋତେ କହିଲ ନାନାମତେ ॥

ମାୟା-ପ୍ରପଞ୍ଚ ଏ ଜଗତ । ତୁମ୍ଭ ଚରଣ ମାତ୍ର ସତ୍ୟ ॥

ଭକତଜନ ତୋ' ପୟରେ । ପୂଜନ୍ତି କେମନ୍ତ ପ୍ରକାରେ ॥

ବେଦ ଆଗମ ଶାସ୍ତ୍ରମତେ । ପରମଧର୍ମ ଏ ଜଗତେ ॥

ବ୍ୟାସ ଅଙ୍ଗିରା ବ୍ରହ୍ମାସୁତ । ଯେ ଧର୍ମ ତାହାଙ୍କର ମତ ॥

ସକଳ ଗ୍ରନ୍ଥ ଅବଧାରି । ସେ କର୍ମଯୋଗ ଅଧିକାରୀ ॥

କର୍ମ-ସାଧନ ନାନାମତେ । କହନ୍ତି ପ୍ରାଣୀ ଶ୍ରେୟ ଅର୍ଥେ ॥ ୧୦

ଧର୍ମ କରନ୍ତି ନାନାମତେ । ଏବେ ମୁଁ ପଚାରଇଁ ତୋତେ ॥ ୧୧

ତୋ' ମୁଖକମଳୁ ଗଳିତ । ଶୁଚି-ସୁରୁଚି-ସୁଲଳିତ ॥ ୧୨

ଏ କର୍ମଯୋଗ ତୁମ୍ଭେ ମୁଖେ । କହିଲ ମୁନିଙ୍କ ସମ୍ମୁଖେ ॥ ୧୩

ଏ କଥା ପାର୍ବତୀ ସମ୍ମୁଖେ । ଈଶ୍ୱର କହିଛନ୍ତି ସୁଖେ ॥ ୧୪

ମୋ' ମନ ବିନା କର୍ମଯୋଗେ । ସ୍ଥିର ନ ରହେ ହୃଦଭାଗେ ॥ ୧୫

ଏ କର୍ମଯୋଗ ଧର୍ମସାର । ସକଳ ବର୍ଣ୍ଣେ ଅଧିକାର ॥ ୧୬

ସ୍ତ୍ରୀ ଶୂଦ୍ର ଆଦି ଯେତେ ପ୍ରାଣୀ । ତରନ୍ତି କର୍ମଯୋଗ ଜାଣି ॥ ୧୭

କେମନ୍ତେ ଜୀବକୁ ଉଦ୍ଧାରି । ଏ ଦେହେ ଭକ୍ତିଭାବ କରି ॥ ୧୮

ଏଥି ସଂଶୟ କହ ମୋତେ । ଯେମନ୍ତେ ଯାଇ ମୁଁ ପରତେ ॥ ୧୯

ଏସନ ଶୁଣି ଜଗଦୀଶ । ସଧୀରେ ମନ୍ଦମନ୍ଦ ହାସ ॥ ୨୦

ଅମଳ-କମଳ-ଲୋଚନ । ଏ କର୍ମବନ୍ଧ ବିମୋଚନ ॥ ୨୧

ଶୁଣି ଉଦ୍ଧବ ବାକ୍ୟସାର । ବୋଲନ୍ତି ପ୍ରଭୁ ଦାମୋଦର ॥ ୨୨

ଭଗବାନ ଉବାଚ

ଶୁଣ ଉଦ୍ଧବ ଏକମନେ । ଯାହା ପୁଚ୍ଛିଲୁ ସନ୍ନିଧାନେ ॥ ୨୩

ଉଦ୍ଧବ କର୍ମଯୋଗ-କଥା । କେବା କଥନେ ସାମରଥା ॥ ୨୪

ଅନନ୍ତ ମହିମା କର୍ମର । କେ କରିପାରିବ ଗୋଚର ॥ ୨୫

କିଛି କହିବା ସଂକ୍ଷେପରେ । ଶୁଣ ଉଦ୍ଧବ ମନ ସ୍ଥିରେ ॥ ୨୬

ଯେ କର୍ମଯୋଗ - ପ୍ରକରଣ । ଅଶେଷ ଜୀବ ପରିତ୍ରାଣ ॥ ୨୭

ଆଗମ-ନିଗମ-ପୁରାଣେ । ସକଳ ଶାସ୍ତ୍ରେ ଯା' ବଖାଣେ ॥ ୨୮

ତ୍ରିବିଧ-ମତେ ସେ କହନ୍ତି । ମୋ' ପାଦପୂଜା ଅର୍ଥେ ଚିନ୍ତି ॥ ୨୯

ଏଣୁ ଯାହାର ଯେଣେ ଇଚ୍ଛା । କରନ୍ତି ନାନାମତେ ଦୀକ୍ଷା ॥ ୩୦

ଅଶେଷ ଜନ୍ମ ପୁଣ୍ୟଭାଗ୍ୟେ । ମୋତେ ପୂଜନ୍ତି କର୍ମଯୋଗୋ ॥ ୩୧

ବ୍ରାହ୍ମଣକୂଳେ ଜନ୍ମ ହୋଇ । ଯଜ୍ଞୋପବୀତ କନ୍ଧେ ବହି ॥ ୩୨

ଗୁରୁବଚନ ମନେ ଧରି । ଗାୟତ୍ରୀ ଉପଦେଶ କରି ॥ ୩୩

ଶ୍ରଦ୍ଧା-ଭକତି କରି ଚିତ୍ତେ । ଯେ ଅବା ପୂଜିବ ଯେମନ୍ତେ ॥ ୩୪

ଶୁଣ ମୋ' ପୂଜାବିଧି ଯେତେ । ଭାବେ କହିବା ତୋ' ଅଗ୍ରତେ ॥ ୩୫

ପ୍ରତିମା ସ୍ଥାପି ଭୂମିତଳେ । ଅଥବା ସ୍ଥଣ୍ଡିଳେ ଅନଳେ ॥ ୩୬

ସୂର୍ଯ୍ୟେ ପୂଜିବ କିବା ଜଳେ । ଅଥବା ହୃଦୟ-କମଳେ ॥ ୩୭

ଶ୍ରଦ୍ଧା-ଭକତି ଚିତ୍ତ ଯୁତେ । ଦ୍ରବ୍ୟ ସମର୍ପି ନାନାମତେ ॥ ୩୮

ଗୁରୁଚରଣ ଭାବେ ଭଜି । ମୋତେ ପୂଜିବ ମାୟା ତେଜି ॥ ୩୯

ସ୍ୱଭାବେ ଶୁଚିମନ୍ତ ହୋଇ । ଦନ୍ତ ବଦନ ଜଳେ ଧୋଇ ॥ ୪୦

ସ୍ନାନ କରିବ ଯଥାକାଳେ । ପ୍ରଭାତେ ପୁଣ୍ୟ ନଦୀଜଳେ ॥ ୪୧

ବେଦ ଆଗମ ମନ୍ତ୍ରମତେ । ସ୍ନାନ କରିବ ଶୁଦ୍ଧଚିତ୍ତେ ॥ ୪୨

ଯେ'ମୋତେ ଶ୍ରଦ୍ଧାରେ ପୂଜିବ । ସେ ନିତ୍ୟକର୍ମ ନ ତେଜିବ ॥ ୪୩

କେବଳ ଈଶ୍ୱର-ଭାବନେ । ସଙ୍କଳ୍ପ କରି ଶୁଦ୍ଧମନେ ॥ ୪୪

ଦାରୁପାଷାଣ ଧାତୁମୟୀ । ଲେପ ଲେଖନ ମଣିମୟୀ ॥ ୪୫

ବାଲୁକାମୟୀ ମନୋମୟୀ । ଏମନ୍ତ ପ୍ରତିମା ଭିଆଇ ॥ ୪୬

ଏ ଅଷ୍ଟପ୍ରକାରେ ପ୍ରତିମା । ସୁନ୍ଦର ସ୍ୱରୂପ ଉତ୍ତମା ॥ ୪୭

ଏ ବେନିମୂର୍ତ୍ତି ଚଳାଚଳ । ବିଷ୍ଣୁର ପୂଜାର ମନ୍ଦିର ॥ ୪୮

ନିର୍ମାଣ କରି ବିଷ୍ଣୁରୂପେ । ନିଶ୍ଚଳେ ପୂଜିବ ସମୀପେ ॥ ୪୯

ଯେ ଆବାହନ ବିସର୍ଜନ । ଚଳ-ପ୍ରତିମାର ଅର୍ଚ୍ଚନ ॥ ୫୦

ଅଚଳେ ନ କରି ଏମନ୍ତ । ଏ ବୁଧଜନଙ୍କର ମତ ॥ ୫୧

ଲେପ-ଲେଖନେ ଯେତେ ହୋଇ । ସ୍ନାନ ମାର୍ଜନା ନ କରାଇ ॥ ୫୨

ସ୍ନାନ-ମାର୍ଜନେ ଇଚ୍ଛା ଯେବେ । ଦର୍ପଣେ କରାଇବ ତେବେ ॥ ୫୩

ଯତ୍ନେ ଉତ୍ତମଦ୍ରବ୍ୟ ଆଣି । ପବିତ୍ର ଗନ୍ଧ ପୁଷ୍ପ ପାଣି ॥ ୫୪

ମାୟା ନ ଥିବ ଦେହ ମଧ୍ୟେ । ବିଧାନେ ପୂଜିବ ଆନନ୍ଦେ ॥ ୫୫

ଯଦ୍ୟପି ଭକତ ଅଗ୍ରତେ । ଯେ କିଛି ଲଭେ ଅଯାଚିତେ ॥ ୫୬

ତେଣେ ପୂଜିବ ନରହରି । ହୃଦେ ଭକତିଭାବ ଭରି ॥ ୫୭

ଦିବ୍ୟ-ପ୍ରତିମା ପୂଜି ଯେବେ । ନାନା ଉପହାର ସ୍ୱଭାବେ ॥ ୫୮

ଚନ୍ଦନ ବସ୍ତ୍ର ଅଳଙ୍କାର । ଭକ୍ଷ୍ୟ-ଭୋଜନ ମନୋହର ॥ ୫୯

ସ୍ଥଣ୍ଡିଳେ ଯେବେ ପୂଜା କରି । ମନ୍ତ୍ରବେଭାରେ ନ୍ୟାସ କରି ॥ ୬୦

ଅନଳେ ପୂଜିବ ଯେ ମୋତେ । ହୋମ କରିବ ମୂଳମନ୍ତ୍ରେ ॥ ୬୧

ରବି ପୂଜିବ ଅର୍ଘ୍ୟଜଳେ । ମୁଁ ଥାଇ ଆଦିତ୍ୟ-ମଣ୍ଡଳେ ॥ ୬୨

ଏଣୁ ରସାଳ ଦ୍ରବ୍ୟ ଯେତେ । ଦେବ-ଆଦିତ୍ୟ ମୁଖେ ମୋତେ ॥ ୬୩

ଜଳେ ପୂଜିବ ଜଳଦ୍ରବ୍ୟେ । ଏ ମୋର ପୂଜାର ସ୍ୱଭାବେ ॥ ୬୪

ଦରିଦ୍ର ପ୍ରାଣୀ ଯେବେ ମୋତେ । ଦୃଢେ ପୂଜଇ ଭାବ-ଚିତ୍ତେ ॥ ୬୫

ତାହାର ଜଳପୁଷ୍ପ ମୁହିଁ । ଅଣୁ ପ୍ରମାଣେ ଯେବେ ପାଇ ॥ ୬୬

ସନ୍ତୋଷେ କରଇ ଆହାର । ଯେଣୁ ଭକତ ବନ୍ଧୁ ମୋର ॥ ୬୭

ସେ ଯେବେ ଅଣୁମାତ୍ରେ ଦେଇ । ମୁଁ ତାହା ବହୁତେ ଘେନଇ ॥ ୬୮

ଯେ ମେରୁତୁଲ୍ୟ ନାନାଦ୍ରବ୍ୟେ । ମୋତେ ସମର୍ପଇ ଅଭାବେ ॥ ୬୯

ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ । ମୁଁ ତାହା ଛୁଇଁବି କେମନ୍ତେ ॥ ୭୦

ସୁଗନ୍ଧ ପୁଷ୍ପ ଧୂପଦୀପ । ବସ୍ତ୍ର ଭୂଷଣ ରତ୍ନକଳ୍ପ ॥ ୭୧

ତେଣେ ମୋ' ନାହିଁ ମନଶୁଦ୍ଧି । ଏବେ ହୋ ଶୁଣ ପୂଜାବିଧି ॥ ୭୨

ଯେ ଭାବେ ଯେମନ୍ତେ ପୂଜିଲେ । ଜୀବ ନିସ୍ତାର ଲଭେ ଭଲେ ॥ ୭୩

ପବିତ୍ର ଜଳେ ସ୍ନାନ କରି । ବସ୍ତ୍ର ତିଳକ କୁଶ ଧରି ॥ ୭୪

ସକଳ ଦ୍ରବ୍ୟ ଅବଧାନେ । ଘେନି ମିଳିବ ପୂଜାସ୍ଥାନେ ॥ ୭୫

ବ୍ରାହ୍ମଣ ପୂଜେ ଯେବେ ମୋତେ । ଅଖଣ୍ଡ କୁଶ ଘେନି ହସ୍ତେ ॥ ୭୬

ମନ୍ତ୍ର ଉଚ୍ଚାରି ପୂର୍ବ ଅଗ୍ରେ । କୁଶ ସ୍ଥାପିବ ଭୂମିଭାଗେ ॥ ୭୭

ପୂର୍ବ-ଦିଗକୁ ମୁଖକରି । ବସିବ ଆସନ ଆବୋରି ॥ ୭୮

ଅଙ୍ଗ ଶୋଧିବ ଅଙ୍ଗନ୍ୟାସେ । ମନ୍ତ୍ର ଉଚ୍ଚାରି ବେନିପାଶେ ॥ ୭୯

ମନ୍ତ୍ର ସୁମରି କୁଶ ନୀରେ । ମାର୍ଜନା କରି ଆତ୍ମଶିରେ ॥ ୮୦

ପୂଜାର ଦ୍ରବ୍ୟ ପୂଜାଭୂମି । ମାର୍ଜିବ ଆପଣା ମୂର୍ଦ୍ଧନି ॥ ୮୧

ବାହ୍ୟ-ପବିତ୍ର କରି ଗାତ୍ର । ସମ୍ମୁଖେ ସ୍ଥାପି ତିନିପାତ୍ର ॥ ୮୨

କ୍ରମେ ସ୍ଥାପିବ ତିନିସ୍ଥାନ । ଯେ ପାଦ୍ୟ ଅର୍ଘ୍ୟ ଆଚମନ ॥ ୮୩

ଓଁକାର ପୂର୍ବ ନମୋ ମନ୍ତ୍ରେ । ଶୋଧନ କରି ପାଦ୍ୟପାତ୍ରେ ॥ ୮୪

ସ୍ୱାହା ସୁମରି ଅର୍ଘ୍ୟପାତ୍ରେ । ପ୍ରୋକ୍ଷଣ କରିବ ପବିତ୍ରେ ॥ ୮୫

ତୃତୀୟ ଆଚମନ ପାତ୍ରେ । ଜଳକ୍ଷେପିବ ଶିଖାମନ୍ତ୍ରେ ॥ ୮୬

ଗାୟତ୍ରୀ ମନ୍ତ୍ରେ ସର୍ବ ଦ୍ରବ୍ୟେ । ଜଳ ସିଞ୍ଚିବ ଶୁଦ୍ଧଭାବେ ॥ ୮୭

ସଂପୁଟେ ଯୋଡ଼ି ବେନିକର । ଚିନ୍ତିବ ହୃଦୟ-କମଳ ॥ ୮୮

ମନ ପବନ କରି ସ୍ଥିରେ । ବସିବ ପଦ୍ମ ଆସନରେ ॥ ୮୯

ପରମଆତ୍ମା ଦିବ୍ୟମୂର୍ତ୍ତି । ହୃଦୟପଦ୍ମ ମଧ୍ୟେ ଚିନ୍ତି ॥ ୯୦

ଲବ ନିମିଷ ଦଣ୍ଡମାତ୍ରେ । ମୂର୍ତ୍ତି ନିଶ୍ଚଳ କରି ଗାତ୍ରେ ॥ ୯୧

ଏମନ୍ତ ଧ୍ୟାନ-ପୂଜା ସାରି । ପଛେ ମଣ୍ଡଳେ ପୂଜା କରି ॥ ୯୨

ସ୍ୱମନ୍ତ୍ରେ ଆବାହନ କରି । ଦେହେ ସ୍ଥାପିବ ମୁଦ୍ରା ଧରି ॥ ୯୩

ହୃଦୟ ଆଦି ଚାରିଦେଶେ । ନ୍ୟାସ କରିବ ମନ୍ତ୍ରନ୍ୟାସେ ॥ ୯୪

ବିବିଧ-ଦ୍ରବ୍ୟ ଉପହାରେ । ପୂଜା ପ୍ରକାଶିବ ବେଭାରେ ॥ ୯୫

ଯେ ପାଦ୍ୟ ଅର୍ଘ୍ୟ ଆଚମନ । ମନ୍ତ୍ରେ କରିବ ନିବେଦନ ॥ ୯୬

ଧର୍ମାଦି ଅଷ୍ଟମୂର୍ତ୍ତି ଧ୍ୟାନେ । ମନ୍ତ୍ରେ ସ୍ଥାପିବ ଯଥାସ୍ଥାନେ ॥ ୯୭

ବିମଳା ଆଦି ନବଶକ୍ତି । ନ୍ୟାସେ ପୂଜିବ ଯଥାସ୍ଥିତି ॥ ୯୮

ମଧ୍ୟେ କଳ୍ପିବ ଅଷ୍ଟଦଳ । କୋମଳ ଉଜ୍ଜ୍ୱଳ କମଳ ॥ ୯୯

କର୍ଣ୍ଣିକା କେଶର ସହିତେ । ବେଦ ଆଗମ ମନ୍ତ୍ରତନ୍ତ୍ରେ ॥ ୧୦୦

ଏମନ୍ତେ ପୂଜିବ ବିଧାନେ । ଯେପରି ଭେଦ ଅନୁମାନେ ॥ ୧୦୧

ଶଙ୍ଖ ଚକ୍ର ଗଦା କମଳ । ପୂଜିବ ଲାଙ୍ଗଳ ମୁଷଳ ॥ ୧୦୨

ଖଡ଼ଗ ବାଣ ଶରାସନ । ଯେ ବିଧି ଅସ୍ତ୍ରପୂଜାମାନ ॥ ୧୦୩

ଶ୍ରୀବତ୍ସ ବନମାଳା ମଣି । ଧ୍ୟାନେ ପୂଜିବ ସ୍ଥାନ ଜାଣି ॥ ୧୦୪

ସମ୍ପୂର୍ଣ୍ଣ ପାରିଷଦବୃନ୍ଦ । ସୁବଳ ନନ୍ଦ ଯେ ସୁନନ୍ଦ ॥ ୧୦୫

ପ୍ରଚଣ୍ଡ ମହାବଳ ଚଣ୍ଡ । ସୁବୀର ଗରୁଡ଼ ଉଦ୍ଦଣ୍ଡ ॥ ୧୦୬

କୁମୁଦ କୁମୁଦଲୋଚନ । ପାର୍ବତ୍ୟ ପାର୍ବତୀନନ୍ଦନ ॥ ୧୦୭

ପୂଜିବ ବ୍ୟାସ ବିଶ୍ୱକ୍‌ସେନ । ଗୁରୁଙ୍କ ତୁଲେ ଦେବଗଣ ॥ ୧୦୮

ସମସ୍ତ ପାର୍ଷଦ ବିଧାନେ । ପୂଜିବ ନିଜ ନିଜ ସ୍ଥାନେ ॥ ୧୦୯

କର୍ପୂର ଉଶୀର ଚନ୍ଦନ । କୁଙ୍କୁମ ଗୋଳା ଜଳେ ସ୍ନାନ ॥ ୧୧୦

ଦିବ୍ୟ ଉପହାର ଘଟନେ । ନିଗମ ପୁରାଣ ବଚନେ ॥ ୧୧୧

ସୁଗନ୍ଧ ବସ୍ତ୍ର ଅଳଙ୍କାର । ଯଜ୍ଞୋପବୀତ ଉପହାର ॥ ୧୧୨

ଲେପନ ସୁଗନ୍ଧ ଚନ୍ଦନ । ବକ୍ଷଗଣ୍ଡରେ ସୁମଣ୍ଡନ ॥ ୧୧୩

କୁସୁମ ପାଦ୍ୟ ଅର୍ଘ୍ୟଦାନ । ପବିତ୍ର ଜଳେ ଆଚମନ ॥ ୧୧୪

ସୁମନୋହର ଧୂପଦୀପ । ଶ୍ରଦ୍ଧାରେ ଦେବ ମୋ' ସମୀପ ॥ ୧୧୫

ଗୁଡ଼ ପାୟସ ଘୃତପାକ । ନାନାପ୍ରକାର ଯେ ମୋଦକ ॥ ୧୧୬

ଅନ୍ନ ବ୍ୟଞ୍ଜନ ନାନାପାକ । ପିଷ୍ଟ ପ୍ରପାନ ସୂପ ଶାକ ॥ ୧୧୭

କ୍ଷୀର ବିକାର ଯେତେ ମିଳେ । ସୁଗନ୍ଧ ସୁଶୀତଳ ଜଳେ ॥ ୧୧୮

ବିଭବ କ୍ରମେ ମିଳେ ଯେତେ । ଥୋଇବ ମୋହର ଅଗ୍ରତେ ॥ ୧୧୯

ସୁଗନ୍ଧ ତଇଳେ ଅଭ୍ୟଙ୍ଗ । ମର୍ଦ୍ଦନ କରି ମୋର ଅଙ୍ଗ ॥ ୧୨୦

ମୋ'ର ମଙ୍ଗଳ ଅଭିଷେକ । ବିଧିପ୍ରକାରେ ଏକ ଏକ ॥ ୧୨୧

ଆନନ୍ଦେ ମୋର ପୂଜା ସାରି । ପ୍ରମୋଦେ ନୃତ୍ୟ-ଗୀତ କରି ॥ ୧୨୨

ମୋତେ ପୂଜିବ ବାରେବାରେ । ଯଥା ବିଭବ ଅନୁସାରେ ॥ ୧୨୩

ପୂଜାର ଅନ୍ତେ ଅଗ୍ନିକୁଣ୍ଡେ । ହୋମ କରିବ ଘୃତଖଣ୍ଡେ ॥ ୧୨୪

ଅନଳ ମଧ୍ୟେ ରୂପ ମୋ'ର । ଦେଖିବ ଏମନ୍ତ ପ୍ରକାର ॥ ୧୨୫

ତପ୍ତ-କାଞ୍ଚନ ମନୋହର । ଅତି ରୁଚିର କଳେବର ॥ ୧୨୬

ନିଜ ଆୟୁଧ ଚାରିଭୁଜେ । ପୀତବସନ କଟୀ ମାଝେ ॥ ୧୨୭

କିରୀଟ କୁଣ୍ଡଳ ବିରାଜେ । ରତ୍ନ ମେଖଳା କଟୀ ସାଜେ ॥ ୧୨୮

ମର୍କତ କେୟୂର କଙ୍କଣ । ହୃଦରେ ଶ୍ରୀବତ୍ସର ଚିହ୍ନ ॥ ୧୨୯

କୌସ୍ତୁଭମଣି ଶୋହେ ଗଳେ । ସୁନ୍ଦର ଦିଶେ ବନମାଳେ ॥ ୧୩୦

ଏ ଦିବ୍ୟରୂପ ଅଗ୍ନିମଧ୍ୟେ । ଧ୍ୟାନେ ଚିନ୍ତିବ ହୃଦପଦ୍ମେ ॥ ୧୩୧

ଘୃତ ଆହୁତି ମୂଳମନ୍ତ୍ରେ । ହୋମ କରିବ ବେଦତନ୍ତ୍ରେ ॥ ୧୩୨

ଯେ ନାମ-ଗୋତ୍ର ଉଚ୍ଚାରିଣ । ପୂଜିବ ପାରିଷଦଗଣ ॥ ୧୩୩

ପ୍ରଣାମ କରି ଜଣେଜଣେ । ପୂଜିବ ବେଦ ଉଚ୍ଚାରଣେ ॥ ୧୩୪

ଏ ଅନ୍ତେ ପାରିଷଦଗଣେ । ବଳି କରିବ ସମର୍ପଣେ ॥ ୧୩୫

ନିଶ୍ଚଳେ ମୂଳମନ୍ତ୍ର ଜପି । ବ୍ରହ୍ମ ସ୍ମରଣେ ଚିତ୍ତ ସ୍ଥାପି ॥ ୧୩୬

ଧ୍ୟାନେ ଭୋଜନ ଶେଷ ଜାଣି । ସମର୍ପି ଆଚମନ ପାଣି ॥ ୧୩୭

ମୋର ନିର୍ମାଲ୍ୟ ଶେଷଭାଗ । ବିଶ୍ୱକସେନେ ତାହା ଦେବ ॥ ୧୩୮

କର୍ପୂର ଗନ୍ଧଫଳ ମିଶ୍ରେ । ତାମ୍ବୁଳ ଦେବ ମୁଖବାସେ ॥ ୧୩୯

ସୁଗନ୍ଧ ପୁଷ୍ପ ଘେନିକରେ । ତ୍ରିବାର ଦେବ ମୋ'ର ଶିରେ ॥ ୧୪୦

ମୋ'ର ପବିତ୍ର-ଯଶଗୁଣ । ମଙ୍ଗଳ ନାମ ଉଚ୍ଚାରଣ ॥ ୧୪୧

ନୃତ୍ୟ କରିବ ଉଚ୍ଚେ ଭଣି । କର୍ଣ୍ଣେ ମୋହର କଥା ଶୁଣି ॥ ୧୪୨

ଯତ୍ନେ କରିବ ଅଭିନୟ । ମୋହର କର୍ମ-ସମୁଦାୟ ॥ ୧୪୩

ମୋ' କଥା ଶୁଣି ଶୁଣାଇଣ । ଏକାଗ୍ରଭାବ କରି ମନ ॥ ୧୪୪

ବିଷୟ ଦ୍ୱନ୍ଦ ଅବଧାନେ । ଯେବେ ନ ପାର ମୋ ପୂଜନେ ॥ ୧୪୫

ସ୍ତୁତି ପଠନେ ମୋ'ର ମନ । ସ୍ତବନେ କରାଇ ପ୍ରସନ୍ନ ॥ ୧୪୬

ବେଦପୁରାଣେ ସ୍ତୁତି ଯେତେ । ଆନନ୍ଦେ ପଢି ମୋ ଅଗ୍ରତେ ॥ ୧୪୭

ନମସ୍ତେ ଲକ୍ଷ୍ମୀଦେବୀକାନ୍ତ । ଉଚ୍ଚାରି ଯୋଡ଼ି ବେନିହସ୍ତ ॥ ୧୪୮

ତ୍ରିବାର କରି ପ୍ରଦକ୍ଷିଣ । ଦଣ୍ଡ ପ୍ରଣାମ ପୁଣପୁଣ ॥ ୧୪୯

ମୋ'ର ଚରଣେ ଶିର ଦେଇ । ବୋଲିବ କୃଷ୍ଣ ତ୍ରାହି ତ୍ରାହି ॥ ୧୫୦

ଅନାଦି ଧର୍ମ-ନିରାକାର । ଭବ-ସାଗରୁ କର ପାର ॥ ୧୫୧

ଏ ରୂପେ ନମସ୍କାର କରି । ପୂଜା-ଉଦକ ଶିରେ ଧରି ॥ ୧୫୨

ପଛେ କରିବ ବିସର୍ଜନ । ଦେଖି ସକଳଭୂତେ ପୂର୍ଣ୍ଣ ॥ ୧୫୩

ଏମନ୍ତ ରୂପ ମୋର ଯେତେ । ମୂର୍ତ୍ତି କରାଇ ଶୁଦ୍ଧଚିତ୍ତେ ॥ ୧୫୪

ମୋତେ ପୂଜିବ ପ୍ରିୟଭାବେ । ଯେ ବିଧି ପୂଜାର ପ୍ରସ୍ତାବେ ॥ ୧୫୫

ଏମନ୍ତ ଭାବେ ନିତ୍ୟେ ନିତ୍ୟେ । ଯେ ପ୍ରାଣୀ ପୂଜୁଥାନ୍ତି ମୋତେ ॥ ୧୫୬

ସର୍ବ ସମ୍ପଦ ଅନୁକୂଳ । ଲଭନ୍ତି ପରମ ମଙ୍ଗଳ ॥ ୧୫୭

ମୋର ପ୍ରତିମା କରି ବେଶ । ଦୃଢ-ମନ୍ଦିରେ ଦେଇ ବାସ ॥ ୧୫୮

ସୁଗନ୍ଧ-ପୁଷ୍ପ-ଉପବନ । ନାନା ପ୍ରକାରେ କ୍ରୀଡ଼ାସ୍ଥାନ ॥ ୧୫୯

ମୋହର ଉତ୍ସବ ସମସ୍ତ । କରିବ ଶକ୍ୟ ଅନୁମତ ॥ ୧୬୦

ମୋର ଉତ୍ସବ ପର୍ବାପର୍ବେ । ଭାବେ ପୂଜିବ ନାନାଦ୍ରବ୍ୟେ ॥ ୧୬୧

ଏମନ୍ତେ ପୂଜି ବହୁବିଧେ । ବଞ୍ଚିବ ଉତ୍ସବ ଆନନ୍ଦେ ॥ ୧୬୨

କୃଷି ବାଣିଜ୍ୟ ବ୍ୟବହାରେ । ଜୀବିକା ଉପାୟ ପ୍ରକାରେ ॥ ୧୬୩

ନିବାସ ପୁର ଗ୍ରାମ ଆଦି । ଯେ ଅବା ସମ୍ପଦ ପ୍ରସିଦ୍ଧି ॥ ୧୬୪

ସମର୍ପି ମୋହର ଚରଣେ । ମୋ' ନାମ ଉଚ୍ଚାରି ବଦନେ ॥ ୧୬୫

ସାଲୋକ୍ୟ-ମୁକ୍ତିପଦ ତା'ର । ନିବାସ ଲଭେ ମୋ'ର ପୁର ॥ ୧୬୬

ଏ ମୋର ପୂଜାର ଲକ୍ଷଣ । ଉଦ୍ଧବ ଏକମନେ ଶୁଣ ॥ ୧୬୭

ଯେ ମୋତେ ଦ୍ୟନ୍ତି ଗୃହ ଦାନ । ହେଳେ ଲଭନ୍ତି ତ୍ରିଭୁବନ ॥ ୧୬୮

ମୋତେ ମଣ୍ଡପେ ସ୍ଥାପି ଯେବେ । ପ୍ରତିଷ୍ଠା କରେ ପ୍ରିୟଭାବେ ॥ ୧୬୯

ସପତଦ୍ୱୀପ ହୋଏ ରାଜା । ମୋହର ପ୍ରାୟେ ଲଭେ ପୂଜା ॥ ୧୭୦

ଯେ ମୋତେ ପୂଜେ ଏ ସଂସାରେ । ଲଭନ୍ତି ଏ ତିନି ପ୍ରକାରେ ॥ ୧୭୧

ଯେ ନିରପେକ୍ଷ ଭକ୍ତିଯୋଗ । ଆତ୍ମା ନିସ୍ତାର ସୁଖମାର୍ଗ ॥ ୧୭୨

ମୋ'ର ଚରଣେ ଦୃଢେ଼ ଭଜେ । ମାୟା-ସଂସାର ଭ୍ରମ ତେଜେ ॥ ୧୭୩

କେବଳ ଲାଭ ମୋ'ର ଧାମ । ସେ ପ୍ରାଣୀ ଲଭେ ପୂର୍ଣ୍ଣକାମ ॥ ୧୭୪

ବିବିଧ-ସନ୍ତାପୁ ସେ ତରେ । ନ ବୁଡେ଼ ଘୋର ଅନ୍ଧକାରେ ॥ ୧୭୫

ଏ ରୂପେ ମୋତେ ଯେ ପୂଜନ୍ତି । ହୃଦେ ଭକତିଭାବ ଚିନ୍ତି ॥ ୧୭୬

ମୋର ସେବନେ ନିରବଧି । ସେ ପ୍ରାଣୀ ଲଭେ ସର୍ବସିଦ୍ଧି ॥ ୧୭୭

ଶୁଣ ଉଦ୍ଧବ କହୁଁ ତୋତେ । ଯେ ପାପୀଜନ ଏ ଜଗତେ ॥ ୧୭୮

ସ୍ୱଦତ୍ତ-ପରଦତ୍ତ-ବୃତ୍ତି । ଯେ ନର ଅଜ୍ଞାନେ ହରନ୍ତି ॥ ୧୭୯

ଦେବ-ବ୍ରାହ୍ମଣ-ତାପ-ଶୋକେ । ସେ କାହିଁ ଥିବେ ନରଲୋକେ ॥ ୧୮୦

ଜୀବନ ଅନ୍ତେ କୁମ୍ଭୀପାକେ। ପଡ଼ିବେ ବିଷ୍ଠା-କୃମିପାକେ ॥ ୧୮୧

କେବଳ ନରକ ଆହାର । କରନ୍ତି ଲକ୍ଷେ ସମ୍ବତ୍ସର ॥ ୧୮୨

ଯେ ଅବା କୃଷ୍ଣ-କର୍ମ କରେ । ଯେ ଅବା ସାହା ହୋନ୍ତି ତା'ରେ ॥ ୧୮୩

ଯେବା ଆପଣେ ନ ପାରଇ । ପୂଜା କରାଇ ହେତୁ ହୋଇ ॥ ୧୮୪

ଯେ ମୋର ପୂଜାକର୍ମ ଦେଖି । ସୁଖ-ଆନନ୍ଦେ ବୁଜେ ଆଖି ॥ ୧୮୫

ଏ ଚାରିଜଣେ ସମଫଳ । ଲଭନ୍ତି କହିଲେ ଗୋପାଳ ॥ ୧୮୬

ଉଦ୍ଧବ ଶୁଣି କୃତକୃତ୍ୟ । ନମଇଁ ଦାସ ଜଗନ୍ନାଥ ॥ ୧୮୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ଏକାଦଶସ୍କନ୍ଧେ ଅଷ୍ଟାବିଂଶ ଅଧ୍ୟାୟଃ ॥

* * *