ଏକାଦଶ ସ୍କନ୍ଧ

ସପ୍ତବିଂଶ ଅଧ୍ୟାୟ

ଉଦ୍ଧବେ ଚାହିଁ ହୃଷୀକେଶ । କହନ୍ତି ନାନା ଉପଦେଶ ॥

ଭଗବାନ ଉବାଚ

ଅନେକ ଜନ୍ମ ତପଫଳେ । ମନୁଷ୍ୟଜନ୍ମ ମହୀତଳେ ॥

ଯାହାର ଦିବ୍ୟଜ୍ଞାନ ସ୍ପୁରେ । ମୋର ମହିମା ସେ ସୁମରେ ॥

ମନ ନିବେଶି ମୋ' ପୟରେ । ବିଷୟ-ସୁଖ ନ ବିଚାରେ ॥

ପରମାନନ୍ଦ ସୁଖ ପାଇ । ସେ ପ୍ରାଣୀ ରହେ ପୂର୍ଣ୍ଣ ହୋଇ ॥

ଏ ଗୁଣମୟ ନରଅଙ୍ଗ । କେବେହେଁ ନୋହେ ତା'ର ସଙ୍ଗ ॥

ଅବିଦ୍ୟା-ବନ୍ଧ ନ ଲାଗଇ । ତାହାର ସ୍ମୃତିଭଙ୍ଗ ନାହିଁ ॥

ଯେ ପ୍ରାଣୀ ଶରଣ ମୋହର । ମୁହିଁ ତାହାର ସୁଖଘର ॥

ଅସାଧୁ ସଙ୍ଗେ ନ ରମନ୍ତି । ଏଣୁ ଏ ସଂସାରୁ ତରନ୍ତି ॥

ଯେ ଶିଶ୍ନୋଦର ପରାୟଣ । ଅସାଧୁମତି ଯେ ଦୁର୍ଜନ ॥ ୧୦

ତା' ସଙ୍ଗେ ଯେହୁ ସଙ୍ଗ ହୋଇ । ସେ ନିଶ୍ଚେ ନରକେ ପଡ଼ଇ ॥ ୧୧

ଅନ୍ଧକୁ ହୋଇ ଅନୁଗତ । ଅନ୍ଧ ଯେସନେ ପଡେ଼ ଖାତ ॥ ୧୨

ଏଣୁ ଦୁର୍ଜନ ସଙ୍ଗଦୋଷ । କରେ ସକଳ ଜ୍ଞାନଧ୍ୱଂସ ॥ ୧୩

ଥିଲା ଯେ ବୁଧଗ୍ରହ-ସୁତ । ସେ ପୁରୁରବା ନରନାଥ ॥ ୧୪

ଉର୍ବଶୀ ବିରହେ ସେ ବୀର । ସକାମେ ତେଜିଲା ନଗର ॥ ୧୫

ଉନ୍ମତ୍ତ-ଉଲଗ୍ନ-ଶରୀରେ । ଭ୍ରମିଲା ଦେଶ-ବନ-ଘୋରେ ॥ ୧୬

କାନ୍ଦଇ ଉର୍ବଶୀ ନ ପାଇ । କ୍ଷଣକ୍ଷଣକେ ଛନ୍ନ ହୋଇ ॥ ୧୭

ଉର୍ବଶୀଠାରେ ଚିତ୍ତ ଦେଇ । ଏମନ୍ତେ କେତେକାଳ ଯାଇ ॥ ୧୮

ପୁଣ ଗନ୍ଧର୍ବ ସେବାଫଳେ । ରମିଲା ଉର୍ବଶୀର ମେଳେ ॥ ୧୯

କାମ-ସମ୍ପୂର୍ଣ୍ଣେ ଭୋଗକଲା ରାତ୍ରିଦିବସ ନ ଜାଣିଲା ॥ ୨୦

ଏମନ୍ତ ରାତ୍ରଦିନ ଭାଳେ । ନୟନୁ ଅଶ୍ରୁଜଳ ଗଳେ ॥ ୨୧

ଏମନ୍ତେ କେତେଦିନ ଗଲା । ହୃଦରେ ଜ୍ଞାନ ପ୍ରସରିଲା ॥ ୨୨

ଏମନ୍ତେ ରାତ୍ରେ ଏକଦିନେ । ରାଜା ବିଚାରୁଅଛି ମନେ ॥ ୨୩

ପୁରୁରବା ଉବାଚ

ଦେଖ ମୋହର କର୍ମଫଳ । ଉର୍ବଶୀ ସଙ୍ଗେ ଏତେ କାଳ ॥ ୨୪

ବିବିଧରଙ୍ଗେ କରି ଖେଳା । କେତେ ରଜନୀ ଦିନ ଗଲା ॥ ୨୫

ଏମନ୍ତେ ବିବିଧ ବିନୋଦ । ତା' ସଙ୍ଗେ ବଳିଲା ମୋ' ସଧ ॥ ୨୬

ସ୍ୱଭାବେ ଏକସଙ୍ଗେ ଗଲା । କ୍ଷଣକେ ତେଜି ନ ପାରିଲା ॥ ୨୭

ନିଶି-ଦିବସ ଏକକରି । ଏକାନ୍ତେ କେତେଦିନ ହରି ॥ ୨୮

ଦେଖ ଚଞ୍ଚଳ ମୋ'ର ଚିତ୍ତ । କାମିନୀ-କାମେ ବିମୋହିତ ॥ ୨୯

ଯୁବତୀ ସଙ୍ଗେ କରି ଖେଳା । ବିଅର୍ଥେ ଆୟୁଷ ମୋ' ଗଲା ॥ ୩୦

ବଞ୍ଚିତ ହୋଇଲି ଜଗତେ । ଧର୍ମାର୍ଥକାମ ଅପ୍ରପାତେ ॥ ୩୧

ନ ଦେଖି ଆଦିତ୍ୟର ଗତି । ଅଜ୍ଞାନେ ଗଲା ଦିବାରାତି ॥ ୩୨

ନାରୀ ସଙ୍ଗମେ ଗଲା କାଳ । ଧିକ ମୋ' ଜୀବନ ନିଷ୍ଫଳ ॥ ୩୩

ଦେଖ ମୁଁ ନୃପଶିରୋମଣି । ମୋ' ପ୍ରାଣ ଜିଣିଲା ତରୁଣୀ ॥ ୩୪

ଏ ନର-କଳେବର ପାଇ । ମୁଁ କ୍ରୀଡ଼ାମୃଗ ପ୍ରାୟେ ହୋଇ ॥ ୩୫

ଉର୍ବଶୀ-ବିଯୋଗେ ବିକଳ । ଅଜ୍ଞାନେ ନାଶିଲି ସକଳ ॥ ୩୬

ଧନ-ସମ୍ପଦ ମୋର କେଣେ । ଗଲା ନ ଦେଖେ ଅନ୍ଧପଣେ ॥ ୩୭

ନୟନେ ନ ଦେଖିଲି ତାହା । ଉନ୍ମତ୍ତ-ମାୟାରେ ଉତ୍ସାହା ॥ ୩୮

ସେ ମାନ ମୋର କେଣେ ଗଲା । ମାୟା-ପଟଳ ଆକର୍ଷିଲା ॥ ୩୯

ଏକାନ୍ତେ ଭ୍ରମଇ ଜଗତେ । ଉଲଗ୍ନ ବେଶେ ଉନମତ୍ତେ ॥ ୪୦

ଉର୍ବଶୀ ପଥେ ଯାଉଁ ଚଳି । ମୋ' ମୁଣ୍ଡେ ତା'ର ପଦଧୂଳି ॥ ୪୧

ଲମ୍ପଟ ଉନ୍ମତ୍ତ ମୋ ବେଶ । ମୋ' ମୁଣ୍ଡେ ମୁକୁଳିତ କେଶ ॥ ୪୨

ଦେଖ ନିର୍ଦ୍ଦୟା ତା ହୃଦୟେ । ଲେଉଟି କେବେହେଁ ନ ଚାହେଁ ॥ ୪୩

ଯେ ଅବା ନାରୀବଶ ହୋନ୍ତି । କିବା ତାହାଙ୍କ ତେଜ ମତି ॥ ୪୪

ଯେସନେ ଗଧ କାମଭୋଳେ । ଗଧୁଣୀ ପାଶେ ଯାଇ ମିଳେ ॥ ୪୫

ସେ ତାକୁ ଚରଣେ ତାଡ଼ଇ । ନିର୍ଲ୍ଲଜ ସେ ତା' ନ ଜାଣଇ ॥ ୪୬

ଏ ପାପଚିତ୍ତ ନିରୋଧନେ । ଉପାୟ ନ ଦିଶେ ମୋ ମନେ ॥ ୪୭

ବିଦ୍ୟା ତପସ୍ୟା ଶାସ୍ତ୍ର ଦାନ । ଏକାନ୍ତ ନିବାସ ମଉନ ॥ ୪୮

ଏଣେ ତା' ପ୍ରୟୋଜନ କିସ । ଯା' ମନ ନାରୀ କଲା ବଶ ॥ ୪୯

ଏଣୁ ଜୀବନ ମୋ'ର ଧିକ । ନିଷ୍ଫଳ ମୋ' ଜ୍ଞାନ-ବିବେକ ॥ ୫୦

ମୁହିଁ ଯେ ପ୍ରଭୁପଣ ପାଇ । ଗୋରୁ-ଗର୍ଦ୍ଦଭ ପ୍ରାୟ ହୋଇ ॥ ୫୧

କି ତପବିଦ୍ୟା ତା' ସାଧନ । କଟାକ୍ଷେ ମୋହିଲା ମୋ' ମନ ॥ ୫୨

ସର୍ବ ନିଷ୍ଫଳ ନାରୀ ସଙ୍ଗେ । ବଞ୍ଚିତ ହେଲି ନରଅଙ୍ଗେ ॥ ୫୩

ଉର୍ବଶୀ ସଙ୍ଗେ ଏତେଦିନ । ବଞ୍ଚିଲି ଧିକ ମୋ' ଜୀବନ ॥ ୫୪

ମୋତେ ନ ଛାଡେ଼ କାମଜ୍ୱର । ମୁଁ ରୋଗୀ ପାପିଷ୍ଠ ପାମର ॥ ୫୫

ନାରୀ ସଙ୍ଗମେ ଯା'ର ମନ । ମୋହେ ହୁଅଇ ହତଜ୍ଞାନ ॥ ୫୬

ତା'ର ଜୀବନ ଉଦ୍ଧାରଣେ । କେ ପାରେ ବିନା ନାରାୟଣେ ॥ ୫୭

ଜ୍ଞାନ-ଆଧାର ଭଗବାନ । ଗୁଣ-ରଞ୍ଜନ ପୂର୍ଣ୍ଣକାମ ॥ ୫୮

ମୋ'ର ଜୀବନ ପରିତ୍ରାଣେ । କୃଷ୍ଣ ହୁଁ ଅନ୍ୟ ନାହିଁ ଜଣେ ॥ ୫୯

ଇନ୍ଦ୍ରିୟମାନଙ୍କୁ ନ ଜିତି । ମୁଁ ମୂଢ ଅତ୍ୟନ୍ତ ଦୁର୍ମତି ॥ ୬୦

ଉର୍ବଶୀ ଉଚିତ ବଚନ । ଯେଣୁ ନ ବୁଝି ହେଲି ଭ୍ରମ ॥ ୬୧

ତାହାର କିସ ଅବା ଦୋଷ । ମୋ'ର ଅଜ୍ଞାନେ ମୁହିଁ ନାଶ ॥ ୬୨

ଏ ଦେହେ କିବା କାର୍ଯ୍ୟ ଅଛି । ଦୁର୍ଗନ୍ଧ ମଳିନ ଅଶୁଚି ॥ ୬୩

ରୁଧିର ମାଂସ ମଳ ମୂତ୍ର । ଅନ୍ତ୍ର ଜଡ଼ିତ ଶିରା ସୂତ୍ର ॥ ୬୪

ଅଙ୍ଗ ନିର୍ମିତ ଅସ୍ଥି-ଚର୍ମେ । ଏ ନରଦେହେ ପାଇ କର୍ମେ ॥ ୬୫

ଏ ସର୍ବ ଅମେଧ୍ୟ-ମନ୍ଦିର । ଅନିତ୍ୟ ନର-କଳେବର ॥ ୬୬

ଏହାକୁ ନିତ୍ୟ ପ୍ରାୟ ମଣି । ଯେ ପ୍ରାଣୀ ରମନ୍ତି ତରୁଣୀ ॥ ୬୭

ସେ କୀଟ କୃମି ସଙ୍ଗେ ସଙ୍ଗ । ଯେ ସତ୍ୟ ମଣେ ନାରୀ ଅଙ୍ଗ ॥ ୬୮

ଏ ବୋଲ ବୁଝି ସ୍ତିରୀ ସଙ୍ଗେ । ପଣ୍ଡିତ ନୋହେ ମତିଭଙ୍ଗେ ॥ ୬୯

ବିଷୟ-ସଙ୍ଗ ଇନ୍ଦ୍ରିମେଳେ । ମନ-ବିକ୍ଷେପ ରସଭୋଳେ ॥ ୭୦

ନିତ୍ୟେ ସେବନ୍ତି ଅନୁସଙ୍ଗେ । ଯେସନେ ଜଳଧି-ତରଙ୍ଗେ ॥ ୭୧

ବଢଇ ରସଲୋଭେ ଚିତ୍ତ । କେବେହେଁ ନୁହଇ ଆୟତ୍ତ ॥ ୭୨

ନ ଦେଖେ ନ ଶୁଣଇ ଯେବେ । ମନ ନିଶ୍ଚଳ ହୋଏ ତେବେ ॥ ୭୩

ମନ-ନିଶ୍ଚଳେ ଇନ୍ଦ୍ରିଗଣ । ବଳେ ଯେ ହୁଅନ୍ତି ସଂଯମ ॥ ୭୪

ତେଣୁ ସ୍ତ୍ରୀସଙ୍ଗ ପରିହାରେ । ଇନ୍ଦ୍ରିୟଗଣଙ୍କୁ ନିବାରେ ॥ ୭୫

ଶ୍ରବଣେ ଶୁଣି ସ୍ତ୍ରିରୀରୂପ । ଚିତ୍ତେ ଜଡ଼ଇ କାମକଳ୍ପ ॥ ୭୬

ଏଣୁ କାମିନୀ ସଙ୍ଗଦୋଷେ । ପଣ୍ଡିତଜନ ମନ ତ୍ରାସେ ॥ ୭୭

ଭଗବାନ ଉବାଚ

ଏତେ ବିଚାରି ନୃପବର । ଚଞ୍ଚଳଚିତ୍ତ କଲା ସ୍ଥିର ॥ ୭୮

ଉର୍ବଶୀ ସଙ୍ଗ ଦୂରକରି । ମୋର ଚରଣ ହୃଦେ ଧରି ॥ ୭୯

ଭକତିଯୋଗେ ଧରି ମନ । ମୋ' ପାଦେ କଲା ଆରାଧନ ॥ ୮୦

ଚିତ୍ତେ ଯେ ଥିଲା ମୋହପାଶ । ମୋ' ଧ୍ୟାନେ କଲା ସର୍ବନାଶ ॥ ୮୧

ମୋ ନାମ ଜପି ଶୁଦ୍ଧମନେ । ଅନ୍ତେ ପଶିଲା ମୋ' ଭୁବନେ ॥ ୮୨

ତୁ ଏବେ ଦୃଢଚିତ୍ତେ ବୁଝି । ନାରୀ-ସଙ୍ଗମ ଦୂରେ ତେଜି ॥ ୮୩

ସାଧୁ-ସଙ୍ଗମେ ପ୍ରୀତି କର । ମୋ' ଭାବେ ଆନନ୍ଦେ ବିହର ॥ ୮୪

ସାଧୁସଙ୍ଗମେ ଜ୍ଞାନ ବଢେ । କର୍ମ-ବାସନା-ବନ୍ଧ ଛିଡେ଼ ॥ ୮୫

ସ୍ୱଭାବେ ସାଧୁଜନ ଯେତେ । ସମାନ ଦେଖନ୍ତି ଜଗତେ ॥ ୮୬

ତାହାଙ୍କ ଚିତ୍ତ ନିରପେକ୍ଷ । ମିତ୍ର-ଅଇରି ବେନିପକ୍ଷ ॥ ୮୭

ଚିତ୍ତ ନିବେଶି ମୋ' ଚରଣ । ସ୍ୱଭାବେ ଶାନ୍ତ-ପରାୟଣ ॥ ୮୮

ନିଦ୍ୱର୍ନ୍ଦ ନିଷ୍କାମ ନିର୍ମୋହ । ସ୍ୱଭାବେ ନାହିଁ ପରିଗ୍ରହ ॥ ୮୯

ଏହାଙ୍କ ସଙ୍ଗେ ସଙ୍ଗ କର । ମୋ'ର ଭକତି ହୃଦେ ଧର ॥ ୯୦

ମୋ'ର ପବିତ୍ର ଯଶ ଗୁଣ । ନିତ୍ୟେ ତାହାଙ୍କ ମୁଖୁଁ ଶୁଣ ॥ ୯୧

ମୋ' ନାମ ପଶି କର୍ଣ୍ଣଦ୍ୱାରେ । ହୃଦୁ ଅଶେଷ ପାପ ହରେ ॥ ୯୨

ସାଧୁଙ୍କ ମୁଖୁଁ ସାଧୁବାଣୀ । ଦୁର୍ଗତି ଖଣ୍ଡେ ତାହା ଶୁଣି ॥ ୯୩

ସାଧୁଜନଙ୍କ ସଭାମଧ୍ୟେ । ମୋ' ନାମ-ଗୁଣ ଅନୁବାଦେ ॥ ୯୪

ନିତ୍ୟେ କହନ୍ତି ମୋ'ର କଥା । ମୋ' ପୁଣ୍ୟ ଯଶଗୁଣଗାଥା ॥ ୯୫

ଆନନ୍ଦେ ଶୁଣି କର୍ଣ୍ଣଦ୍ୱାରେ । ବଦନେ ଗାବନ୍ତି ସୁସ୍ୱରେ ॥ ୯୬

ନୟନୁ ଅଶ୍ରୁଜଳ ଝରେ । ରୋମ ପୁଲକ କଳେବରେ ॥ ୯୭

ଚିତ୍ତ ମୋହର ପାଦଗତେ । ପୀରତି କରେ ଶ୍ରଦ୍ଧାଚିତ୍ତେ ॥ ୯୮

ନାନା କଷଣେ ନିର୍ବିବାଦେ । ଭକତି ଲଭେ ମୋ'ର ପାଦେ ॥ ୯୯

ଲଭଇ ବ୍ରହ୍ମ ଅନୁଭବ । ଆନନ୍ଦ-ସ୍ୱରୂପ-ସ୍ୱଭାବ ॥ ୧୦୦

ନିର୍ଗୁଣ ଆତ୍ମା ଯେ ସ୍ୱରୂପ । ନିର୍ମଳ ଅନନ୍ତ ଅରୂପ ॥ ୧୦୧

ମୋର ଭକତି ଦୃଢମନେ । ଯାର ଉପୁଜେ ଅକିଞ୍ଚନେ ॥ ୧୦୨

କି ଅବଶେଷ ତା'ର ମନେ । କର୍ମ-କରଣେ ତି୍ରଭୁବନେ ॥ ୧୦୩

ସଂସାରବନ୍ଧ ତା'ର ନାହିଁ । ଜନ୍ମ-ମରଣୁଁ ନିସ୍ତରଇ ॥ ୧୦୪

ଅଗ୍ନି ସେବନେ ଯେହ୍ନେ ଶୀତ । ତେମନ୍ତ ସାଧୁଙ୍କ ସଙ୍ଗତ ॥ ୧୦୫

କର୍ମ-ବାସନା ନାଶକରେ । ନ ପୁଣ ପଡ଼ଇ ସଂସାରେ ॥ ୧୦୬

ଏବେ ତୁ ମନ ସ୍ଥିର କର । ଚିତ୍ତ ନିବେଶି ମୋ ପୟର ॥ ୧୦୭

ଦେଖ ଏ ସଂସାର-ସାଗର । ଅତି ଉତ୍କଟ ଭୟଙ୍କର ॥ ୧୦୮

କର୍ମ-ବାସନା-ରଜ୍ଜୁ ବନ୍ଦୀ । ଜୀବ ସଞ୍ଚରେ ନିରବଧି ॥ ୧୦୯

ପୁଣି ଉଠଇ ପୁଣ ବୁଡେ଼ । ନିଗମ ପଥ ନିତ୍ୟେ ହୁଡେ଼ ॥ ୧୧୦

ଏ ଘୋର ସଂସାର-ତରଙ୍ଗ । ନିସ୍ତାର-ହେତୁ ସାଧୁସଙ୍ଗ ॥ ୧୧୧

ସାଧୁ-ସଙ୍ଗମ-ନାବେ ବସି । ନିସ୍ତରେ ଘୋର ଜଳରାଶି ॥ ୧୧୨

ସକଳ ଜୀବର ଜୀବନ । ଯେହ୍ନେ ସଂସାରେ ଲେଖି ଅନ୍ନ ॥ ୧୧୩

ଆରତ-ଜନ-ପ୍ରାଣୀଙ୍କର । ଠାକୁର ମୁହିଁ ଜୀବନର ॥ ୧୧୪

ଧାର୍ମିକ ପ୍ରାଣୀଙ୍କର ମନ । ଯେହ୍ନେ ଭରସା କରେ ଧର୍ମ ॥ ୧୧୫

ସନ୍ଥ-ଚରଣ ସେହିମତେ । ନିସ୍ତାର ହେତୁ ଏ ଜଗତେ ॥ ୧୧୬

ଘୋର-ରଜନୀ ଅନ୍ଧକାର । ଯେହ୍ନେ ହରଇ ଦିବାକର ॥ ୧୧୭

ଜ୍ଞାନ-ଚକ୍ଷୁକୁ ଦେଇ ସନ୍ଥ । ଅଜ୍ଞାନ-ତମ କରେ ହତ ॥ ୧୧୮

ସୁଜନଜନର ଏ ଭାବ । ଉଦ୍ଧବେ କହିଲେ ମାଧବ ॥ ୧୧୯

ସେ ପୁରୁରବା ଦଣ୍ଡଧାରୀ । ଉର୍ବଶୀ ସଙ୍ଗ ପରିହରି ॥ ୧୨୦

ସାଧୁସଙ୍ଗମ ହେତୁ କରି । ଘୋର ସଂସାରୁ ଗଲା ତରି ॥ ୧୨୧

ଏଣୁ ଯେ ସୁଜନ ସଙ୍ଗତେ । କ୍ଷଣେ ନିମିଷେ ଏ ଜଗତେ ॥ ୧୨୨

ବସେ ସକଳ ପରିହରି । ସେ ପ୍ରାଣୀ ଭବୁ ଯାଏ ତରି ॥ ୧୨୩

ବୋଲଇ ଦାସ ଜଗନ୍ନାଥ । ଶ୍ରୀକୃଷ୍ଣ-ଉଦ୍ଧବ ଚରିତ ॥ ୧୨୪

ଶୁଣନ୍ତେ ଖଣ୍ଡେ ଭବ-ବ୍ୟାଧି । ସୁଜନେ ଶୁଣ ନିରବଧି ॥ ୧୨୫

ହରି-ଭକତିର ମହିମା । କେ କହିପାରେ ଗୁଣସୀମା ॥ ୧୨୬

ଭକତି-ଯୋଗ-ଅବଧାନେ । ସଂସାରୁ ତର ବୁଧଜନେ ॥ ୧୨୭

ହରିଙ୍କ ଗୁଣ-କର୍ମମାନ । ହରଇ ପାପ କୋଟିଜନ୍ମ ॥ ୧୨୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଏକାଦଶସ୍କନ୍ଧେ ସପ୍ତବିଂଶ ଅଧ୍ୟାୟଃ ॥

* * *