ଏକାଦଶ ସ୍କନ୍ଧ
ସପ୍ତବିଂଶ ଅଧ୍ୟାୟ
ଉଦ୍ଧବେ ଚାହିଁ ହୃଷୀକେଶ । କହନ୍ତି ନାନା ଉପଦେଶ ॥ ୧
ଭଗବାନ ଉବାଚ
ଅନେକ ଜନ୍ମ ତପଫଳେ । ମନୁଷ୍ୟଜନ୍ମ ମହୀତଳେ ॥ ୨
ଯାହାର ଦିବ୍ୟଜ୍ଞାନ ସ୍ପୁରେ । ମୋର ମହିମା ସେ ସୁମରେ ॥ ୩
ମନ ନିବେଶି ମୋ' ପୟରେ । ବିଷୟ-ସୁଖ ନ ବିଚାରେ ॥ ୪
ପରମାନନ୍ଦ ସୁଖ ପାଇ । ସେ ପ୍ରାଣୀ ରହେ ପୂର୍ଣ୍ଣ ହୋଇ ॥ ୫
ଏ ଗୁଣମୟ ନରଅଙ୍ଗ । କେବେହେଁ ନୋହେ ତା'ର ସଙ୍ଗ ॥ ୬
ଅବିଦ୍ୟା-ବନ୍ଧ ନ ଲାଗଇ । ତାହାର ସ୍ମୃତିଭଙ୍ଗ ନାହିଁ ॥ ୭
ଯେ ପ୍ରାଣୀ ଶରଣ ମୋହର । ମୁହିଁ ତାହାର ସୁଖଘର ॥ ୮
ଅସାଧୁ ସଙ୍ଗେ ନ ରମନ୍ତି । ଏଣୁ ଏ ସଂସାରୁ ତରନ୍ତି ॥ ୯
ଯେ ଶିଶ୍ନୋଦର ପରାୟଣ । ଅସାଧୁମତି ଯେ ଦୁର୍ଜନ ॥ ୧୦
ତା' ସଙ୍ଗେ ଯେହୁ ସଙ୍ଗ ହୋଇ । ସେ ନିଶ୍ଚେ ନରକେ ପଡ଼ଇ ॥ ୧୧
ଅନ୍ଧକୁ ହୋଇ ଅନୁଗତ । ଅନ୍ଧ ଯେସନେ ପଡେ଼ ଖାତ ॥ ୧୨
ଏଣୁ ଦୁର୍ଜନ ସଙ୍ଗଦୋଷ । କରେ ସକଳ ଜ୍ଞାନଧ୍ୱଂସ ॥ ୧୩
ଥିଲା ଯେ ବୁଧଗ୍ରହ-ସୁତ । ସେ ପୁରୁରବା ନରନାଥ ॥ ୧୪
ଉର୍ବଶୀ ବିରହେ ସେ ବୀର । ସକାମେ ତେଜିଲା ନଗର ॥ ୧୫
ଉନ୍ମତ୍ତ-ଉଲଗ୍ନ-ଶରୀରେ । ଭ୍ରମିଲା ଦେଶ-ବନ-ଘୋରେ ॥ ୧୬
କାନ୍ଦଇ ଉର୍ବଶୀ ନ ପାଇ । କ୍ଷଣକ୍ଷଣକେ ଛନ୍ନ ହୋଇ ॥ ୧୭
ଉର୍ବଶୀଠାରେ ଚିତ୍ତ ଦେଇ । ଏମନ୍ତେ କେତେକାଳ ଯାଇ ॥ ୧୮
ପୁଣ ଗନ୍ଧର୍ବ ସେବାଫଳେ । ରମିଲା ଉର୍ବଶୀର ମେଳେ ॥ ୧୯
କାମ-ସମ୍ପୂର୍ଣ୍ଣେ ଭୋଗକଲା ରାତ୍ରିଦିବସ ନ ଜାଣିଲା ॥ ୨୦
ଏମନ୍ତ ରାତ୍ରଦିନ ଭାଳେ । ନୟନୁ ଅଶ୍ରୁଜଳ ଗଳେ ॥ ୨୧
ଏମନ୍ତେ କେତେଦିନ ଗଲା । ହୃଦରେ ଜ୍ଞାନ ପ୍ରସରିଲା ॥ ୨୨
ଏମନ୍ତେ ରାତ୍ରେ ଏକଦିନେ । ରାଜା ବିଚାରୁଅଛି ମନେ ॥ ୨୩
ପୁରୁରବା ଉବାଚ
ଦେଖ ମୋହର କର୍ମଫଳ । ଉର୍ବଶୀ ସଙ୍ଗେ ଏତେ କାଳ ॥ ୨୪
ବିବିଧରଙ୍ଗେ କରି ଖେଳା । କେତେ ରଜନୀ ଦିନ ଗଲା ॥ ୨୫
ଏମନ୍ତେ ବିବିଧ ବିନୋଦ । ତା' ସଙ୍ଗେ ବଳିଲା ମୋ' ସଧ ॥ ୨୬
ସ୍ୱଭାବେ ଏକସଙ୍ଗେ ଗଲା । କ୍ଷଣକେ ତେଜି ନ ପାରିଲା ॥ ୨୭
ନିଶି-ଦିବସ ଏକକରି । ଏକାନ୍ତେ କେତେଦିନ ହରି ॥ ୨୮
ଦେଖ ଚଞ୍ଚଳ ମୋ'ର ଚିତ୍ତ । କାମିନୀ-କାମେ ବିମୋହିତ ॥ ୨୯
ଯୁବତୀ ସଙ୍ଗେ କରି ଖେଳା । ବିଅର୍ଥେ ଆୟୁଷ ମୋ' ଗଲା ॥ ୩୦
ବଞ୍ଚିତ ହୋଇଲି ଜଗତେ । ଧର୍ମାର୍ଥକାମ ଅପ୍ରପାତେ ॥ ୩୧
ନ ଦେଖି ଆଦିତ୍ୟର ଗତି । ଅଜ୍ଞାନେ ଗଲା ଦିବାରାତି ॥ ୩୨
ନାରୀ ସଙ୍ଗମେ ଗଲା କାଳ । ଧିକ ମୋ' ଜୀବନ ନିଷ୍ଫଳ ॥ ୩୩
ଦେଖ ମୁଁ ନୃପଶିରୋମଣି । ମୋ' ପ୍ରାଣ ଜିଣିଲା ତରୁଣୀ ॥ ୩୪
ଏ ନର-କଳେବର ପାଇ । ମୁଁ କ୍ରୀଡ଼ାମୃଗ ପ୍ରାୟେ ହୋଇ ॥ ୩୫
ଉର୍ବଶୀ-ବିଯୋଗେ ବିକଳ । ଅଜ୍ଞାନେ ନାଶିଲି ସକଳ ॥ ୩୬
ଧନ-ସମ୍ପଦ ମୋର କେଣେ । ଗଲା ନ ଦେଖେ ଅନ୍ଧପଣେ ॥ ୩୭
ନୟନେ ନ ଦେଖିଲି ତାହା । ଉନ୍ମତ୍ତ-ମାୟାରେ ଉତ୍ସାହା ॥ ୩୮
ସେ ମାନ ମୋର କେଣେ ଗଲା । ମାୟା-ପଟଳ ଆକର୍ଷିଲା ॥ ୩୯
ଏକାନ୍ତେ ଭ୍ରମଇ ଜଗତେ । ଉଲଗ୍ନ ବେଶେ ଉନମତ୍ତେ ॥ ୪୦
ଉର୍ବଶୀ ପଥେ ଯାଉଁ ଚଳି । ମୋ' ମୁଣ୍ଡେ ତା'ର ପଦଧୂଳି ॥ ୪୧
ଲମ୍ପଟ ଉନ୍ମତ୍ତ ମୋ ବେଶ । ମୋ' ମୁଣ୍ଡେ ମୁକୁଳିତ କେଶ ॥ ୪୨
ଦେଖ ନିର୍ଦ୍ଦୟା ତା ହୃଦୟେ । ଲେଉଟି କେବେହେଁ ନ ଚାହେଁ ॥ ୪୩
ଯେ ଅବା ନାରୀବଶ ହୋନ୍ତି । କିବା ତାହାଙ୍କ ତେଜ ମତି ॥ ୪୪
ଯେସନେ ଗଧ କାମଭୋଳେ । ଗଧୁଣୀ ପାଶେ ଯାଇ ମିଳେ ॥ ୪୫
ସେ ତାକୁ ଚରଣେ ତାଡ଼ଇ । ନିର୍ଲ୍ଲଜ ସେ ତା' ନ ଜାଣଇ ॥ ୪୬
ଏ ପାପଚିତ୍ତ ନିରୋଧନେ । ଉପାୟ ନ ଦିଶେ ମୋ ମନେ ॥ ୪୭
ବିଦ୍ୟା ତପସ୍ୟା ଶାସ୍ତ୍ର ଦାନ । ଏକାନ୍ତ ନିବାସ ମଉନ ॥ ୪୮
ଏଣେ ତା' ପ୍ରୟୋଜନ କିସ । ଯା' ମନ ନାରୀ କଲା ବଶ ॥ ୪୯
ଏଣୁ ଜୀବନ ମୋ'ର ଧିକ । ନିଷ୍ଫଳ ମୋ' ଜ୍ଞାନ-ବିବେକ ॥ ୫୦
ମୁହିଁ ଯେ ପ୍ରଭୁପଣ ପାଇ । ଗୋରୁ-ଗର୍ଦ୍ଦଭ ପ୍ରାୟ ହୋଇ ॥ ୫୧
କି ତପବିଦ୍ୟା ତା' ସାଧନ । କଟାକ୍ଷେ ମୋହିଲା ମୋ' ମନ ॥ ୫୨
ସର୍ବ ନିଷ୍ଫଳ ନାରୀ ସଙ୍ଗେ । ବଞ୍ଚିତ ହେଲି ନରଅଙ୍ଗେ ॥ ୫୩
ଉର୍ବଶୀ ସଙ୍ଗେ ଏତେଦିନ । ବଞ୍ଚିଲି ଧିକ ମୋ' ଜୀବନ ॥ ୫୪
ମୋତେ ନ ଛାଡେ଼ କାମଜ୍ୱର । ମୁଁ ରୋଗୀ ପାପିଷ୍ଠ ପାମର ॥ ୫୫
ନାରୀ ସଙ୍ଗମେ ଯା'ର ମନ । ମୋହେ ହୁଅଇ ହତଜ୍ଞାନ ॥ ୫୬
ତା'ର ଜୀବନ ଉଦ୍ଧାରଣେ । କେ ପାରେ ବିନା ନାରାୟଣେ ॥ ୫୭
ଜ୍ଞାନ-ଆଧାର ଭଗବାନ । ଗୁଣ-ରଞ୍ଜନ ପୂର୍ଣ୍ଣକାମ ॥ ୫୮
ମୋ'ର ଜୀବନ ପରିତ୍ରାଣେ । କୃଷ୍ଣ ହୁଁ ଅନ୍ୟ ନାହିଁ ଜଣେ ॥ ୫୯
ଇନ୍ଦ୍ରିୟମାନଙ୍କୁ ନ ଜିତି । ମୁଁ ମୂଢ ଅତ୍ୟନ୍ତ ଦୁର୍ମତି ॥ ୬୦
ଉର୍ବଶୀ ଉଚିତ ବଚନ । ଯେଣୁ ନ ବୁଝି ହେଲି ଭ୍ରମ ॥ ୬୧
ତାହାର କିସ ଅବା ଦୋଷ । ମୋ'ର ଅଜ୍ଞାନେ ମୁହିଁ ନାଶ ॥ ୬୨
ଏ ଦେହେ କିବା କାର୍ଯ୍ୟ ଅଛି । ଦୁର୍ଗନ୍ଧ ମଳିନ ଅଶୁଚି ॥ ୬୩
ରୁଧିର ମାଂସ ମଳ ମୂତ୍ର । ଅନ୍ତ୍ର ଜଡ଼ିତ ଶିରା ସୂତ୍ର ॥ ୬୪
ଅଙ୍ଗ ନିର୍ମିତ ଅସ୍ଥି-ଚର୍ମେ । ଏ ନରଦେହେ ପାଇ କର୍ମେ ॥ ୬୫
ଏ ସର୍ବ ଅମେଧ୍ୟ-ମନ୍ଦିର । ଅନିତ୍ୟ ନର-କଳେବର ॥ ୬୬
ଏହାକୁ ନିତ୍ୟ ପ୍ରାୟ ମଣି । ଯେ ପ୍ରାଣୀ ରମନ୍ତି ତରୁଣୀ ॥ ୬୭
ସେ କୀଟ କୃମି ସଙ୍ଗେ ସଙ୍ଗ । ଯେ ସତ୍ୟ ମଣେ ନାରୀ ଅଙ୍ଗ ॥ ୬୮
ଏ ବୋଲ ବୁଝି ସ୍ତିରୀ ସଙ୍ଗେ । ପଣ୍ଡିତ ନୋହେ ମତିଭଙ୍ଗେ ॥ ୬୯
ବିଷୟ-ସଙ୍ଗ ଇନ୍ଦ୍ରିମେଳେ । ମନ-ବିକ୍ଷେପ ରସଭୋଳେ ॥ ୭୦
ନିତ୍ୟେ ସେବନ୍ତି ଅନୁସଙ୍ଗେ । ଯେସନେ ଜଳଧି-ତରଙ୍ଗେ ॥ ୭୧
ବଢଇ ରସଲୋଭେ ଚିତ୍ତ । କେବେହେଁ ନୁହଇ ଆୟତ୍ତ ॥ ୭୨
ନ ଦେଖେ ନ ଶୁଣଇ ଯେବେ । ମନ ନିଶ୍ଚଳ ହୋଏ ତେବେ ॥ ୭୩
ମନ-ନିଶ୍ଚଳେ ଇନ୍ଦ୍ରିଗଣ । ବଳେ ଯେ ହୁଅନ୍ତି ସଂଯମ ॥ ୭୪
ତେଣୁ ସ୍ତ୍ରୀସଙ୍ଗ ପରିହାରେ । ଇନ୍ଦ୍ରିୟଗଣଙ୍କୁ ନିବାରେ ॥ ୭୫
ଶ୍ରବଣେ ଶୁଣି ସ୍ତ୍ରିରୀରୂପ । ଚିତ୍ତେ ଜଡ଼ଇ କାମକଳ୍ପ ॥ ୭୬
ଏଣୁ କାମିନୀ ସଙ୍ଗଦୋଷେ । ପଣ୍ଡିତଜନ ମନ ତ୍ରାସେ ॥ ୭୭
ଭଗବାନ ଉବାଚ
ଏତେ ବିଚାରି ନୃପବର । ଚଞ୍ଚଳଚିତ୍ତ କଲା ସ୍ଥିର ॥ ୭୮
ଉର୍ବଶୀ ସଙ୍ଗ ଦୂରକରି । ମୋର ଚରଣ ହୃଦେ ଧରି ॥ ୭୯
ଭକତିଯୋଗେ ଧରି ମନ । ମୋ' ପାଦେ କଲା ଆରାଧନ ॥ ୮୦
ଚିତ୍ତେ ଯେ ଥିଲା ମୋହପାଶ । ମୋ' ଧ୍ୟାନେ କଲା ସର୍ବନାଶ ॥ ୮୧
ମୋ ନାମ ଜପି ଶୁଦ୍ଧମନେ । ଅନ୍ତେ ପଶିଲା ମୋ' ଭୁବନେ ॥ ୮୨
ତୁ ଏବେ ଦୃଢଚିତ୍ତେ ବୁଝି । ନାରୀ-ସଙ୍ଗମ ଦୂରେ ତେଜି ॥ ୮୩
ସାଧୁ-ସଙ୍ଗମେ ପ୍ରୀତି କର । ମୋ' ଭାବେ ଆନନ୍ଦେ ବିହର ॥ ୮୪
ସାଧୁସଙ୍ଗମେ ଜ୍ଞାନ ବଢେ । କର୍ମ-ବାସନା-ବନ୍ଧ ଛିଡେ଼ ॥ ୮୫
ସ୍ୱଭାବେ ସାଧୁଜନ ଯେତେ । ସମାନ ଦେଖନ୍ତି ଜଗତେ ॥ ୮୬
ତାହାଙ୍କ ଚିତ୍ତ ନିରପେକ୍ଷ । ମିତ୍ର-ଅଇରି ବେନିପକ୍ଷ ॥ ୮୭
ଚିତ୍ତ ନିବେଶି ମୋ' ଚରଣ । ସ୍ୱଭାବେ ଶାନ୍ତ-ପରାୟଣ ॥ ୮୮
ନିଦ୍ୱର୍ନ୍ଦ ନିଷ୍କାମ ନିର୍ମୋହ । ସ୍ୱଭାବେ ନାହିଁ ପରିଗ୍ରହ ॥ ୮୯
ଏହାଙ୍କ ସଙ୍ଗେ ସଙ୍ଗ କର । ମୋ'ର ଭକତି ହୃଦେ ଧର ॥ ୯୦
ମୋ'ର ପବିତ୍ର ଯଶ ଗୁଣ । ନିତ୍ୟେ ତାହାଙ୍କ ମୁଖୁଁ ଶୁଣ ॥ ୯୧
ମୋ' ନାମ ପଶି କର୍ଣ୍ଣଦ୍ୱାରେ । ହୃଦୁ ଅଶେଷ ପାପ ହରେ ॥ ୯୨
ସାଧୁଙ୍କ ମୁଖୁଁ ସାଧୁବାଣୀ । ଦୁର୍ଗତି ଖଣ୍ଡେ ତାହା ଶୁଣି ॥ ୯୩
ସାଧୁଜନଙ୍କ ସଭାମଧ୍ୟେ । ମୋ' ନାମ-ଗୁଣ ଅନୁବାଦେ ॥ ୯୪
ନିତ୍ୟେ କହନ୍ତି ମୋ'ର କଥା । ମୋ' ପୁଣ୍ୟ ଯଶଗୁଣଗାଥା ॥ ୯୫
ଆନନ୍ଦେ ଶୁଣି କର୍ଣ୍ଣଦ୍ୱାରେ । ବଦନେ ଗାବନ୍ତି ସୁସ୍ୱରେ ॥ ୯୬
ନୟନୁ ଅଶ୍ରୁଜଳ ଝରେ । ରୋମ ପୁଲକ କଳେବରେ ॥ ୯୭
ଚିତ୍ତ ମୋହର ପାଦଗତେ । ପୀରତି କରେ ଶ୍ରଦ୍ଧାଚିତ୍ତେ ॥ ୯୮
ନାନା କଷଣେ ନିର୍ବିବାଦେ । ଭକତି ଲଭେ ମୋ'ର ପାଦେ ॥ ୯୯
ଲଭଇ ବ୍ରହ୍ମ ଅନୁଭବ । ଆନନ୍ଦ-ସ୍ୱରୂପ-ସ୍ୱଭାବ ॥ ୧୦୦
ନିର୍ଗୁଣ ଆତ୍ମା ଯେ ସ୍ୱରୂପ । ନିର୍ମଳ ଅନନ୍ତ ଅରୂପ ॥ ୧୦୧
ମୋର ଭକତି ଦୃଢମନେ । ଯାର ଉପୁଜେ ଅକିଞ୍ଚନେ ॥ ୧୦୨
କି ଅବଶେଷ ତା'ର ମନେ । କର୍ମ-କରଣେ ତି୍ରଭୁବନେ ॥ ୧୦୩
ସଂସାରବନ୍ଧ ତା'ର ନାହିଁ । ଜନ୍ମ-ମରଣୁଁ ନିସ୍ତରଇ ॥ ୧୦୪
ଅଗ୍ନି ସେବନେ ଯେହ୍ନେ ଶୀତ । ତେମନ୍ତ ସାଧୁଙ୍କ ସଙ୍ଗତ ॥ ୧୦୫
କର୍ମ-ବାସନା ନାଶକରେ । ନ ପୁଣ ପଡ଼ଇ ସଂସାରେ ॥ ୧୦୬
ଏବେ ତୁ ମନ ସ୍ଥିର କର । ଚିତ୍ତ ନିବେଶି ମୋ ପୟର ॥ ୧୦୭
ଦେଖ ଏ ସଂସାର-ସାଗର । ଅତି ଉତ୍କଟ ଭୟଙ୍କର ॥ ୧୦୮
କର୍ମ-ବାସନା-ରଜ୍ଜୁ ବନ୍ଦୀ । ଜୀବ ସଞ୍ଚରେ ନିରବଧି ॥ ୧୦୯
ପୁଣି ଉଠଇ ପୁଣ ବୁଡେ଼ । ନିଗମ ପଥ ନିତ୍ୟେ ହୁଡେ଼ ॥ ୧୧୦
ଏ ଘୋର ସଂସାର-ତରଙ୍ଗ । ନିସ୍ତାର-ହେତୁ ସାଧୁସଙ୍ଗ ॥ ୧୧୧
ସାଧୁ-ସଙ୍ଗମ-ନାବେ ବସି । ନିସ୍ତରେ ଘୋର ଜଳରାଶି ॥ ୧୧୨
ସକଳ ଜୀବର ଜୀବନ । ଯେହ୍ନେ ସଂସାରେ ଲେଖି ଅନ୍ନ ॥ ୧୧୩
ଆରତ-ଜନ-ପ୍ରାଣୀଙ୍କର । ଠାକୁର ମୁହିଁ ଜୀବନର ॥ ୧୧୪
ଧାର୍ମିକ ପ୍ରାଣୀଙ୍କର ମନ । ଯେହ୍ନେ ଭରସା କରେ ଧର୍ମ ॥ ୧୧୫
ସନ୍ଥ-ଚରଣ ସେହିମତେ । ନିସ୍ତାର ହେତୁ ଏ ଜଗତେ ॥ ୧୧୬
ଘୋର-ରଜନୀ ଅନ୍ଧକାର । ଯେହ୍ନେ ହରଇ ଦିବାକର ॥ ୧୧୭
ଜ୍ଞାନ-ଚକ୍ଷୁକୁ ଦେଇ ସନ୍ଥ । ଅଜ୍ଞାନ-ତମ କରେ ହତ ॥ ୧୧୮
ସୁଜନଜନର ଏ ଭାବ । ଉଦ୍ଧବେ କହିଲେ ମାଧବ ॥ ୧୧୯
ସେ ପୁରୁରବା ଦଣ୍ଡଧାରୀ । ଉର୍ବଶୀ ସଙ୍ଗ ପରିହରି ॥ ୧୨୦
ସାଧୁସଙ୍ଗମ ହେତୁ କରି । ଘୋର ସଂସାରୁ ଗଲା ତରି ॥ ୧୨୧
ଏଣୁ ଯେ ସୁଜନ ସଙ୍ଗତେ । କ୍ଷଣେ ନିମିଷେ ଏ ଜଗତେ ॥ ୧୨୨
ବସେ ସକଳ ପରିହରି । ସେ ପ୍ରାଣୀ ଭବୁ ଯାଏ ତରି ॥ ୧୨୩
ବୋଲଇ ଦାସ ଜଗନ୍ନାଥ । ଶ୍ରୀକୃଷ୍ଣ-ଉଦ୍ଧବ ଚରିତ ॥ ୧୨୪
ଶୁଣନ୍ତେ ଖଣ୍ଡେ ଭବ-ବ୍ୟାଧି । ସୁଜନେ ଶୁଣ ନିରବଧି ॥ ୧୨୫
ହରି-ଭକତିର ମହିମା । କେ କହିପାରେ ଗୁଣସୀମା ॥ ୧୨୬
ଭକତି-ଯୋଗ-ଅବଧାନେ । ସଂସାରୁ ତର ବୁଧଜନେ ॥ ୧୨୭
ହରିଙ୍କ ଗୁଣ-କର୍ମମାନ । ହରଇ ପାପ କୋଟିଜନ୍ମ ॥ ୧୨୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଏକାଦଶସ୍କନ୍ଧେ ସପ୍ତବିଂଶ ଅଧ୍ୟାୟଃ ॥
* * *