ଏକାଦଶ ସ୍କନ୍ଧ

ଷଡ଼୍‌ବିଂଶ ଅଧ୍ୟାୟ

ଭଗବାନ ଉବାଚ

କୃଷ୍ଣ ବୋଲନ୍ତି ବତ୍ସ ଶୁଣ । କହିବା ତ୍ରିଗୁଣ ଲକ୍ଷଣ ॥

ତପସ୍ୟା ତ୍ୟାଗ ଶମ ଦମ । ସତ୍ୟ ସନ୍ତୋଷ ଦୟା ଧର୍ମ ॥

ତିତିକ୍ଷା ଶ୍ରଦ୍ଧା ଲଜ୍ଜା ସ୍ତୁତି । ନିଷ୍ପୃହମତି ଆତ୍ମରତି ॥

ଏ ସର୍ବ ଭାବ ସତ୍ତ୍ୱଗୁଣେ । ସାଂଖ୍ୟଯୋଗର ପରମାଣେ ॥

ଏବେ ହୋ ସ୍ଥିରମନେ ଶୁଣ । ରାଜସ୍ୱ ଗୁଣର ଲକ୍ଷଣ ॥

କାମ ବ୍ୟାପାର ତୃଷ୍ଣା ମଦ । ଗର୍ବ ବିଳାସ ମତିଭେଦ ॥

ଯଶ ପ୍ରଭାବ ସୁଖଇଚ୍ଛା । ଲୋଭ ସଙ୍କଳ୍ପ ମନ୍ତ୍ରଦୀକ୍ଷା ॥

ଉଦ୍ୟମ ବୀର୍ଯ୍ୟ ପରିହାସ । ଭଣେ ଉତ୍ସାହ ସ୍ତୁତି ଆଶ ॥

ଏତେ ଲକ୍ଷଣେ ରଜୋଗୁଣ । ଶୁଣ ହୋ ତାମସ ଲକ୍ଷଣ ॥

ବିଷାଦ କ୍ରୋଧ ଲୋଭ ହିଂସା । ଯାଚଜ୍ଞା ଦମ୍ଭ ମିଥ୍ୟାଭାଷା ॥ ୧୦

କନ୍ଦଳ ଶୋକ ଅଭିମାନ । ବିଳାସ ଅଳସ ଶୟନ ॥ ୧୧

ଏତେ ତାମସ ଗୁଣ ଜାଣି । ଏବେ ହୋ ଶୁଣ ତତ୍ତ୍ୱବାଣୀ ॥ ୧୨

ମିଶ୍ରିତ-ଗୁଣର ଲକ୍ଷଣ । ମୁହିଁ ମୋହର ଏହି ଭ୍ରମ ॥ ୧୩

ଯା' ଚିତ୍ତ ଧର୍ମ ଅର୍ଥ କାମେ । ଦୃଢେ ରମଇ ଗୃହାଶ୍ରମେ ॥ ୧୪

ତ୍ରିଗୁଣେ ଜନ୍ମ ତା'ର ଜାଣ । ଏବେ କହିବା ବୀର ଶୁଣ ॥ ୧୫

ଯାହାର ଶମ ଦମ ଦୟା । ସୁଶାନ୍ତି ଅନ୍ତରେ ନିର୍ମାୟା ॥ ୧୬

ସେ ସତ୍ତ୍ୱଯୁତ ଅନୁମାନି । କାମାଦି ଯୁକ୍ତ ରଜୋଗୁଣୀ ॥ ୧୭

ଦମ୍ଭ ମତ୍ସର କ୍ରୋଧ ଯା'ର । ସେ ପ୍ରାଣୀ ତମ ଦୁରାଚାର ॥ ୧୮

ଯେ ସର୍ବ ଧର୍ମ ପରିହରେ । ମୋ' ଭାବେ ଶ୍ରଦ୍ଧା ଭକ୍ତି କରେ ॥ ୧୯

ଯେ ସର୍ବଭାବେ ନିରପେକ୍ଷ । ସେ ତତ୍ତ୍ୱ ଜାଣିବ ପ୍ରତ୍ୟକ୍ଷ ॥ ୨୦

ଆତ୍ମ-କଲ୍ୟାଣ ଆଶେ ମୋତେ । ଭଜେ ରାଜସ ସେ ଯୁଗତେ ॥ ୨୧

ଯେ ହିଂସାକର୍ମେ ଭଜେ ମୋତେ । ତାମସ ବୋଲି ଜାଣ ଚିତ୍ତେ ॥ ୨୨

ଏଣୁ ତ୍ରିଗୁଣ-ଚିହ୍ନ ଜାଣି । ଶୁଣ କହିବା ପରିମାଣି ॥ ୨୩

ଜୀବର ସଙ୍ଗ ତିନିଗୁଣେ । ମୋହର ସଙ୍ଗ ନାହିଁ ତେଣେ ॥ ୨୪

ତ୍ରିଗୁଣେ କର୍ମଫଳ ଭୁଞ୍ଜେ । ଜୀବ ସଂସାର-ଚକ୍ରେ ମଜ୍ଜେ ॥ ୨୫

ଏଣୁ ସାତ୍ତ୍ୱିକେ ଯେତେ ପ୍ରାଣୀ । ସ୍ୱଭାବେ ରଜ ତମ ଜିଣି ॥ ୨୬

ନିର୍ମଳ-ସତ୍ତ୍ୱଗୁଣ ଯେବେ । ସକଳ ସିଦ୍ଧି ଲଭେ ତେବେ ॥ ୨୭

ଯେ ରଜୋଗୁଣେ ସଙ୍ଗ ହୋଇ । ସେ ଦୁଃଖ ଯଶଶ୍ରୀ ଲଭଇ ॥ ୨୮

ଯେ ମୂଢ ତମୋଗୁଣେ ମିଶେ । ସେ ଶୋକ-ମୋହ-ହିଂସା ବଶେ ॥ ୨୯

ପ୍ରସନ୍ନ ଚିତ୍ତ ଇନ୍ଦ୍ରିଶାନ୍ତ । ନିର୍ଭୟ ବିଷୟ - ରହିତ ॥ ୩୦

ଚିତ୍ତେ ପ୍ରକାଶେ ସତ୍ତ୍ୱ ଯେବେ । ଦୃଢେ ମୋହର ପାଦେ ସେବେ ॥ ୩୧

ଯେ କର୍ମଫଳ ପ୍ରାପ୍ତି ଅର୍ଥେ । ମନ ଚଞ୍ଚଳ ଅବିରତେ ॥ ୩୨

ଭ୍ରମଇ ସଦା ନିରଳସ । ଜାଣିବ ରାଜସ ପ୍ରକାଶ ॥ ୩୩

ଯାହାର ଚିତ୍ତ ସ୍ଥିର ନୋହେ । ମନ ସଙ୍କଳ୍ପ ନାଶ ପ୍ରାୟେ ॥ ୩୪

ଅଜ୍ଞାନେ ବିଷାଦ ହୁଅଇ । ତମ ବଢଇ ଜାଣ ତୁହି ॥ ୩୫

ଏ ସତ୍ତ୍ୱ ରାଜସ ତାମସ । ଦେବତା ମନୁଷ୍ୟ ରାକ୍ଷସ ॥ ୩୬

ନିବୃତ୍ତି ପ୍ରବୃତ୍ତି ମୋହରେ । କ୍ରମେ ତ୍ରିଗୁଣେ ସେ ସଞ୍ଚରେ ॥ ୩୭

ସତ୍ତ୍ୱଗୁଣରୁ ଜାଗରଣ । ଯେ ସ୍ୱପ୍ନ ରଜୋଗୁଣୁ ଜାଣ ॥ ୩୮

ତମୁଁ ସୁଷୁପ୍ତି ପ୍ରାଣୀଙ୍କର । ନିର୍ଗୁଣ ଅବସ୍ଥା ଅନ୍ତର ॥ ୩୯

ଏ ତିନିଗୁଣ ଊର୍ଦ୍ଧ୍ୱଦେଶେ । ସୁଖେ ସାତ୍ତ୍ୱିକ-ପ୍ରାଣୀ ବସେ ॥ ୪୦

ତାମସ ଗୁଣ ଅଧୋଗତି । ସେ ପ୍ରାଣୀ ନରକେ ପଡ଼ନ୍ତି ॥ ୪୧

ଯେ ପ୍ରାଣୀ ରଜୋଗୁଣେ ଯୁତ । ସେ ମଧ୍ୟ-ଲୋକେ ଗତାଗତ ॥ ୪୨

ଭୁଞ୍ଜଇ ସୁଖଦୁଃଖ କରି । ସମ୍ପଦେ ବିପଦେ ବିହରି ॥ ୪୩

ସାତ୍ତ୍ୱିକ ପ୍ରାଣୀ ଯେବେ ମରେ । ସ୍ୱର୍ଗ-ସମ୍ପଦ ଭୋଗ କରେ ॥ ୪୪

ଯେବେ ମରଇ ରଜୋଗୁଣୀ । ଏ ନରଲୋକେ ତା ଭ୍ରମଣି ॥ ୪୫

ଯେ ପ୍ରାଣୀ ତମୋଗୁଣେ ମରେ । ମହାନରକେ ସେ ସଞ୍ଚରେ ॥ ୪୬

ମୁହିଁ ନିର୍ଗୁଣ ନିରାକାର । ନିର୍ଗୁଣେ ମୋ' ଲୋକେ ସଞ୍ଚାର ॥ ୪୭

ଜଗତେ କର୍ମ ଯେ କରନ୍ତି । ସେ ଫଳ ମୋତେ ସମର୍ପନ୍ତି ॥ ୪୮

କିବା ନିଷ୍କାମେ ତାହାତେଜେ । ସାତ୍ତ୍ୱିକ ଭାବେ ମୋତେ ଭଜେ ॥ ୪୯

ଯେ ରଜୋଗୁଣୀ ଏ ଜଗତେ । କର୍ମ କରନ୍ତି ସଙ୍କଳ୍ପିତେ ॥ ୫୦

ଦମ୍ଭ-ମତ୍ସର-ହିଂସାମାନ । ତାମସ କର୍ମେ ଏ ପ୍ରଧାନ ॥ ୫୧

ଯେ କର୍ମ କରେ ସତ୍ତ୍ୱଗୁଣେ । ତା' ଜାଣି ମୁକତି ଲକ୍ଷଣେ ॥ ୫୨

ସଙ୍କଳ୍ପ-ବିକଳ୍ପ କାରଣେ । ଜ୍ଞାନ-ସାଧନ ରଜୋଗୁଣେ ॥ ୫୩

ପ୍ରାକୃତଭାଗ ତମୋଗୁଣ । ଅଜ୍ଞାନ ସଂସାର କାରଣ ॥ ୫୪

ମୋରେ ଅର୍ପିତ ଯେଉଁ ଜ୍ଞାନ । ନିର୍ଗୁଣ-ସାଧନ-ଲକ୍ଷଣ ॥ ୫୫

ସାତ୍ତ୍ୱିକ-ଫଳେ ବନବାସ । ଗ୍ରାମେ କର୍ମସାଧେ ରାଜସ ॥ ୫୬

ମଦିରାପାନେ ଗୋଷ୍ଠିମେଳୀ । ଦ୍ୟୂତ ଶକଟା ପଶା ଖେଳି ॥ ୫୭

ତାମସଗୁଣ ଫଳ ଏତେ । ଗ୍ରାମ-ଅରଣ୍ୟ ମଧ୍ୟଗତେ ॥ ୫୮

ମୋର ମନ୍ଦିରେ ପୁଣ୍ୟକର୍ମ । ସାତ୍ତ୍ୱିକମତେ କରେ ଧର୍ମ ॥ ୫୯

ମୋ' କଥା ଶ୍ରବଣ-କୀର୍ତ୍ତନ । ତା'କୁ ନ ବାଧେ ତିନିଗୁଣ ॥ ୬୦

ସାତ୍ତ୍ୱିକକର୍ତ୍ତା କର୍ମଭାଗ । ସେ ମୋତେ କରେ ଫଳତ୍ୟାଗ ॥ ୬୧

ରାଜସକର୍ତ୍ତା କର୍ମଭାଗୀ । ସକାମ ଭୋଗେ ଅନୁରାଗୀ ॥ ୬୨

ସ୍ୱଭାବେ କର୍ମଗୁଣ ତମ । ମୂଢ ଅଜ୍ଞାନ ମତିଭ୍ରମ ॥ ୬୩

ମୋର ଆଶ୍ରିତ-ପ୍ରାଣୀ ଯେତେ । ନିର୍ଗୁଣ ସଞ୍ଚରନ୍ତି ନିତ୍ୟେ ॥ ୬୪

ସାତ୍ତ୍ୱିକଶ୍ରଦ୍ଧା ଜ୍ଞାନରସେ । ରାଜସ ଶ୍ରଦ୍ଧା କର୍ମେ ବସେ ॥ ୬୫

ତାମସଶ୍ରଦ୍ଧା ପାପକର୍ମେ । ନିରତେ ବଢଇ ଅଧର୍ମେ ॥ ୬୬

ମୋର ସେବାରେ ଶ୍ରଦ୍ଧା ପୁଣ । ନିଷ୍କାମ ସ୍ୱଭାବେ ନିର୍ଗୁଣ ॥ ୬୭

ସାତ୍ତ୍ୱିକ ପବିତ୍ର ଆହାର । ଭୁଞ୍ଜଇ ନିତ୍ୟେ ନିର୍ବିକାର ॥ ୬୮

ଇନ୍ଦି୍ରୟ-ତୁଷ୍ଟି-ହେତୁ ରସ । ଅପଥ୍ୟ ଭୁଞ୍ଜଇ ରାଜସ ॥ ୬୯

ସକଳ ଗୁଣେ ହୀନ ହୋଇ । ଦୁଃଖ-ଦୁରିତ ଥାଏ ଯହିଁ ॥ ୭୦

ଦୁର୍ଗନ୍ଧ ହୀନ-ଆଚରଣ । ତାମସ ଭୋଜନ ଲକ୍ଷଣ ॥ ୭୧

ଯେ ଦ୍ରବ୍ୟ ମୋତେ ସମର୍ପଣ । ନିର୍ଗୁଣ ଆହାର ଲକ୍ଷଣ ॥ ୭୨

ସାତ୍ତ୍ୱିକ ସୁଖ ଆତ୍ମାଧ୍ୟାନେ । ରାଜସ ବିଷୟ-ଗ୍ରହଣେ ॥ ୭୩

ତାମସ ସୁଖ ଦ୍ୱନ୍ଦ -ମୋହ । ନିର୍ଗୁଣ ସୁଖ ମୋ' ଆଶ୍ରୟ ॥ ୭୪

ଯେ ଦ୍ରବ୍ୟ ଦେଶକାଳ କର୍ମ । ଆକୃତି ଫଳ ଶ୍ରଦ୍ଧା ଜ୍ଞାନ ॥ ୭୫

ଅବସ୍ଥା ନିଷ୍ଠା ଆଦି ଜାଣ । ତ୍ରିଗୁଣ ସକଳ ଏ ଧର୍ମ ॥ ୭୬

ଯେ କିଛି ଦେଖି ଶୁଣି କର୍ଣ୍ଣେ । ଯେ ଅବା ସ୍ଥାପି ଅନୁମାନେ ॥ ୭୭

ପ୍ରକୃତି ପୁରୁଷରୁ ଜାତ । ଏ ସର୍ବ ତ୍ରିଗୁଣେ ଯନ୍ତ୍ରିତ ॥ ୭୮

ଏ ତିନିଗୁଣ ଯେବେ ଜିଣି । ଶୁଣ ଉଦ୍ଧବ ପରିମାଣି ॥ ୭୯

ସକଳ-ଧର୍ମ ଛାଡ଼ି ଯେବେ । ମୋତେ ଭଜଇ ଭକ୍ତିଭାବେ ॥ ୮୦

ସେ ସର୍ବଭାବେ ଭକ୍ତି ସାଧେ । ସଂସାର ତାହାରେ ନ ବାଧେ ॥ ୮୧

ଏ ବୋଲ ବୁଝି ଜୀବ ଯେବେ । ଆଶ୍ରେ କରଇ ମୋର ଭାବେ ॥ ୮୨

ସର୍ବ-ସଂଶୟ ଦୂର କରି । ନିସ୍ତରେ ନରଦେହ ଧରି ॥ ୮୩

ସକଳ ଭାବେ ନିରପେକ୍ଷ । ତ୍ରିଗୁଣ ଜିଣେ ସେ ପ୍ରତ୍ୟକ୍ଷ ॥ ୮୪

ନିର୍ଗୁଣ ପୂର୍ଣ୍ଣବ୍ରହ୍ମେ ମିଶେ । ନିଶ୍ଚିନ୍ତେ ଭବଭୟ ନାଶେ ॥ ୮୫

ବୋଲଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ॥ ୮୬

ଉଦ୍ଧବ-ବୋଧ କୃଷ୍ଣରସ । ନିତ୍ୟେ ସୁଜନେ ଏଣେ ରସ ॥ ୮୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଏକାଦଶସ୍କନ୍ଧେ ଷଡ଼୍‌ବିଂଶୋଦ୍ଧଧ୍ୟାୟଃ ॥

* * *