ଏକାଦଶ ସ୍କନ୍ଧ
ପଞ୍ଚବିଂଶ ଅଧ୍ୟାୟ
ଭଗବାନ ଉବାଚ
ବୋଲନ୍ତି ପ୍ରଭୁ ନାରାୟଣ । ଉଦ୍ଧବ ସାବଧାନେ ଶୁଣ ॥ ୧
ତୁ ଅଟୁ ଭକତ ପ୍ରଧାନ । କହିବା ସାଂଖ୍ୟଯୋଗ ଜ୍ଞାନ ॥ ୨
ଯେ ଜ୍ଞାନ ଜାଣି ବିଜ୍ଞଜନ । ହୁଡ଼ନ୍ତି ବିକଳ୍ପ ସମ୍ଭ୍ରମ ॥ ୩
ଯେ ଜ୍ଞାନ ବିଜ୍ଞାନ କଳ୍ପିତ । ପ୍ରଥମେ ସୃଷ୍ଟିର ଅଗ୍ରତ ॥ ୪
ପରମବ୍ରହ୍ମ ମାତ୍ର ଥିଲେ । ସେ ଯେବେ ସୃଷ୍ଟି ଆରମ୍ଭିଲେ ॥ ୫
ସେ କାଳେ ବିବେକ ପ୍ରଧାନ । ସୃଷ୍ଟିରେ ପ୍ରବର୍ତ୍ତିଲେ ଜାଣ ॥ ୬
ବିଜ୍ଞାନମୟ ବ୍ରହ୍ମଭାଗେ । ଲୋକେ ଜାଣନ୍ତି ଯୋଗମାର୍ଗେ ॥ ୭
ଆଦି ଗଣନା ସତ୍ୟଯୁଗେ । ସେ ବ୍ରହ୍ମ ହୋଇ ବେନିଭାଗେ ॥ ୮
ପ୍ରକୃତି ରୂପେ ଏକ ଅଂଶ । ଦ୍ୱିତୀୟେ ପୁରୁଷ ପ୍ରକାଶ ॥ ୯
ଯେ ଭାଗ ପ୍ରକୃତି ରୂପିଣୀ । ସୃଷ୍ଟିପାଳନ-ସଂହାରିଣୀ ॥ ୧୦
ସେ ଭାଗ ଜଡ଼ରୂପା ହୋଇ । ଈଶ୍ୱରବଶେ କ୍ଷୋଭ ପାଇ ॥ ୧୧
ତେଣୁ ସେ ବ୍ରହ୍ମ ବେନିଖଣ୍ଡ । ସଂଯୋଗେ ଜନ୍ମିଲା ବ୍ରହ୍ମାଣ୍ଡ ॥ ୧୨
ବ୍ରହ୍ମାଣ୍ଡ ମଧ୍ୟେ ତିନିଗୁଣ । ଜନ୍ମିଲା ପ୍ରକୃତି କାରଣ ॥ ୧୩
ତ୍ରିଗୁଣ ସତ୍ତ୍ୱ ରଜ ତମ । ଯେ କ୍ରିୟାଶକ୍ତି ଉପାଦାନ ॥ ୧୪
ସେ ପୁଣ ତ୍ରିଗୁଣେ ଜଡ଼ିତ । ତହୁଁ ଉପୁଜିଲା ମହତ ॥ ୧୫
ମହତେ ତ୍ରିଗୁଣ ବିକାର । ତହୁଁ ଜନ୍ମିଲା ଅହଙ୍କାର ॥ ୧୬
ସେ ପୁଣି ହୋଏ ତିନିଅଂଶ । ସାତ୍ତ୍ୱିକ ରାଜସ ତାମସ ॥ ୧୭
ପଞ୍ଚତନ୍ମାତ୍ର ଇନ୍ଦ୍ରିଗଣ । ମନର ପରମ କାରଣ ॥ ୧୮
ତାମସ ଅହଙ୍କାରୁ ଜାତ । ହୋଇଲେ ପଞ୍ଚ ମହାଭୂତ ॥ ୧୯
ମଧ୍ୟେ ଅହଙ୍କାର ରାଜସ । ଜନ୍ମିଲେ ଇନ୍ଦ୍ରି ଏକାଦଶ ॥ ୨୦
ଅନ୍ତେ ଯେ ଥିଲା ସତ୍ତ୍ୱଗୁଣ । ତହୁଁ ଜନ୍ମିଲେ ଦେବଗଣ ॥ ୨୧
ଏ ସର୍ବେ ଜନ୍ମି ଏକମେଳେ । କ୍ଷଣେ ନ ରହନ୍ତି ନିଶ୍ଚଳେ ॥ ୨୨
ମୁହିଁ ତାହାଙ୍କ ହୃଦେ ଯାଇ । ପଶିଲି ଗୁରୁ ପ୍ରାୟ ହୋଇ ॥ ୨୩
ତେବେ ସମସ୍ତେ ହୋଇ ରୁଣ୍ଡ । ଏକତ୍ୱେ ସୃଜିଲେ ବ୍ରହ୍ମାଣ୍ତ ॥ ୨୪
ଦିଶଇ ହେମମୟ ଅଣ୍ଡ । ମୋର ବିହାର କ୍ରୀଡ଼ାଭାଣ୍ଡ ॥ ୨୫
ଅଶେଷ ଜଳେ ସେ ଭାସଇ । ସଲିଳ ବିମ୍ବ ପ୍ରାୟ ହୋଇ ॥ ୨୬
ମୁଁ ପୁଣି ପଶି ତା'ର ମଧ୍ୟେ । ନିଦ୍ରା ପ୍ରସାରିଲି ଆନନ୍ଦେ ॥ ୨୭
ମୋ' ନାଭିକମଳୁଁ କମଳ । ଜନ୍ମିଲା ଅତ୍ୟନ୍ତ କୋମଳ ॥ ୨୮
ସେ ପଦ୍ମୁଁବ୍ରହ୍ମା ଅବତରେ । ଯେ ଯୋଗବଳେ ସୃଷ୍ଟି କରେ ॥ ୨୯
ସେ ରଜୋଗୁଣେ ଜାତ ହୋଇ । ବିଶେଷେ ମୋର ଆଜ୍ଞା ପାଇ ॥ ୩୦
ଶତେ ବରଷ ଦେବମତେ । ତପ ସାଧିଲା ସେ ନିରତେ ॥ ୩୧
ସେ ତପେ ମୋର ମନ ତୋଷି । ମୁଁ ପୁଣି ତା'ର ଦେହେ ପଶି ॥ ୩୨
ସେ ମୋର ନିଗମ ବଚନେ । ସୃଷ୍ଟି କରଇ ଅନୁମାନେ ॥ ୩୩
ସ୍ୱଭାବେ ବ୍ରହ୍ମା ପ୍ରଜାପତି । ବେଦବଚନେ ତା'ର ମତି ॥ ୩୪
ବ୍ରହ୍ମାଣ୍ଡ ମଧ୍ୟେ ତପୋବଳେ । କଳ୍ପିଲା ଭୁବନମଣ୍ଡଳେ ॥ ୩୫
ଦ୍ୱିସପ୍ତଲୋକ ଅଧ ଊର୍ଦ୍ଧ୍ୱେ । ସୃର୍ଜିଲା ବେଦବାକ୍ୟ ଛନ୍ଦେ ॥ ୩୬
ସ୍ୱର୍ଗ ସୃଜିଲା ପ୍ରଜାପତି । ଯେ ଲୋକେ ଦେବଗଣ ସ୍ଥିତି ॥ ୩୭
ପୁଣି ଚାହିଁଲା ଅଧୋମୁଖେ । ମନୁଷ୍ୟ ସୃଜିଲା ଭୂଲୋକେ ॥ ୩୮
ଏ ବେନିଲୋକ ସୃଜି ମନେ । ପୁଣି କଳ୍ପିଲା ମଧ୍ୟଶୂନ୍ୟେ ॥ ୩୯
ତାହାକୁ ଭୁବଲୋକ ଭଣେ । ଯହିଁ ଭ୍ରମନ୍ତି ଭୂତଗଣେ ॥ ୪୦
ଏ ତିନିଲୋକର ଉପରେ । ପୁଣି ବିଧାତା ସୃଷ୍ଟିକରେ ॥ ୪୧
ସିଦ୍ଧ ପୁରୁଷେ ଯହିଁ ଥା'ନ୍ତି । ଯୋଗୀନ୍ଦ୍ର ତହିଁ ସଞ୍ଚରନ୍ତି ॥ ୪୨
ପୁଣି ଏ ତିନିଲୋକ ତଳେ । ବ୍ରହ୍ମା କଳ୍ପିଲା ଯୋଗବଳେ ॥ ୪୩
ପାତାଳ ନାମେ ଭୂମିତଳେ । ଯହିଁ ଅସୁର ନାଗବଳେ ॥ ୪୪
ଏ ତିନିଲୋକ ମଧ୍ୟେ କ୍ରମେ । କର୍ମ ସଙ୍ଗତେ ଜୀବଭ୍ରମେ ॥ ୪୫
ଏ ତିନିଲୋକ ଊର୍ଦ୍ଧ୍ୱଗତି । ପୁଣି କଳ୍ପିଲା ପ୍ରଜାପତି ॥ ୪୬
ମହାନ୍ତେ ଯହିଁ ଥା'ନ୍ତି ସୁଖେ । ତାହା କଳ୍ପିଲା ମହଲୋକେ ॥ ୪୭
ତା'ର ଉପରେ ଜନଲୋକ । ଯହିଁ ନ ପଶେ ଦୁଃଖ ଶୋକ ॥ ୪୮
ସେ ଜନ ଲୋକର ଉପରେ । ଯହିଁ ବସନ୍ତି ତପୀବରେ ॥ ୪୯
ସତ୍ୟେ ସାତ୍ତ୍ୱିକେ ଯହିଁ ଥା'ନ୍ତି । ସେ ସତ୍ୟ ବ୍ରହ୍ମଲୋକ ସ୍ଥିତି ॥ ୫୦
ସେ ବ୍ରହ୍ମଲୋକ ଉର୍ଦ୍ଧ୍ୱଦେଶେ । ସହସ୍ର ସୂର୍ଯ୍ୟ ପ୍ରାୟ ଦିଶେ ॥ ୫୧
କିବା କହିବା ତାର ଜ୍ୟୋତି । ମୋର ଭକତେ ଯହିଁ ଥା'ନ୍ତି ॥ ୫୨
ଭକତି-ଯୋଗବଳେ ମୋତେ । ଚିନ୍ତା କରନ୍ତି ଅବିରତେ ॥ ୫୩
ମୁଁ ଯେଣୁ ବୈକୁଣ୍ଠ ଠାକୁର । ତେଣୁ ବୈକୁଣ୍ଠ ନାମ ମୋ'ର ॥ ୫୪
ଏଣୁ ମୁଁ ବ୍ରହ୍ମା ପ୍ରଜାପତି । ଲୋକଆଧାର ଲୋକସ୍ଥିତି ॥ ୫୫
ସମସ୍ତ ପାଳି ଯୋଗବଳେ । ପୁଣି ସଂହରେ ଅନ୍ତଃକାଳେ ॥ ୫୬
ଏଣୁ ଏ ଅନିତ୍ୟ ସଂସାର । ତ୍ରିଗୁଣ-କର୍ମରେ ସଞ୍ଚାର ॥ ୫୭
ଏ ଭବକୂପେ ଜନ୍ତୁପଡ଼ି । ଅଶେଷ-କର୍ମପାଶେ ଜଡ଼ି ॥ ୫୮
ଭ୍ରମନ୍ତି ଏ ଘୋର ସଂସାରେ । ରଜ-ତାମସ-ଅହଙ୍କାରେ ॥ ୫୯
ବୃହତ ସୂକ୍ଷ୍ମ ସ୍ଥୂଳ ଅଣୁ । ସ୍ଥାବର ଜଙ୍ଗମ ଯେ ତନୁ ॥ ୬୦
ମାୟା ନିର୍ମିତ ସର୍ବଜନ । ବ୍ରହ୍ମାଦି ଚଉଦଭୁବନ ॥ ୬୧
ଏଣୁ ଈଶ୍ୱର ଏ ଭୁବନେ । ସର୍ବତ୍ର ବସଇ ସମାନେ ॥ ୬୨
ସୃଷ୍ଟି-ପ୍ରୟଳ ନିତ୍ୟେ କରେ । ମାୟାସଂସାରେ ସେ ବିହରେ ॥ ୬୩
ଏଣୁ ଏ ଅନିତ୍ୟ ସଂସାର । ନିତ୍ୟ ପୁରୁଷ ମୁଁ ଈଶ୍ୱର ॥ ୬୪
ଏ ମାୟା ପ୍ରକୃତି ବିକାର । ଜଗତ-ହେତୁ ଏ ବେଭାର ॥ ୬୫
ଏକଇ ବ୍ରହ୍ମ ଏ ବୃତ୍ତାନ୍ତ । ବିକାର ଆଦି ମଧ୍ୟ ଅନ୍ତ ॥ ୬୬
ଯେ ଆଦି ଅନ୍ତର କାରଣ । ସେ ସତ୍ୟ ବୋଲି ତୁହି ଜାଣ ॥ ୬୭
ପ୍ରକୃତି ପୁରୁଷ ଏ ବେନି । ଜଗତ ପିଅର ଜନନୀ ॥ ୬୮
ବିଶ୍ୱ-ପ୍ରକାଶ ହେତୁ ମୁହିଁ । ମୁଁ କାଳରୂପେ ସଂହାରଇ ॥ ୬୯
ମୋର କଟାକ୍ଷ ମାତ୍ରେ ଜାଣ । ଅଶେଷ ବ୍ରହ୍ମାଣ୍ଡ ନିର୍ମାଣ ॥ ୭୦
ଭୂଭଙ୍ଗମାତ୍ରେ ମୁହିଁ ଯେବେ । ମୋତେ ଚିନ୍ତଇ ଆତ୍ମାଭାବେ ॥ ୭୧
କୋଟିବ୍ରହ୍ମାଣ୍ଡ ମାୟାମୟ । କ୍ଷଣମାତ୍ରକେ ଯା'ନ୍ତି କ୍ଷୟ ॥ ୭୨
ଯେ ଯାହା ତହୁଁ ଥା'ନ୍ତି ଆସି । ଅନ୍ତେ ଚଳନ୍ତି ତାହା ଗ୍ରାସି ॥ ୭୩
ପ୍ରକୃତି-ସଂଯୋଗେ ଜଗତ । ଅନ୍ତେ ପ୍ରକୃତି କରେ ଗ୍ରସ୍ତ ॥ ୭୪
ସେ ଦୈବୀମାୟା କାଳରୂପୀ । ପ୍ରକୃତି ରୂପେ ଥାଇ ବ୍ୟାପି ॥ ୭୫
ଏଣୁ ସେ କାଳେ ସୃଷ୍ଟିକରେ । ଅନ୍ତେ ବ୍ରହ୍ମାଣ୍ଡ ସେ ସଂହରେ ॥ ୭୬
କାଳପୁରୁଷ ତା'ର ସଙ୍ଗେ । ପ୍ରବେଶ କରେ ଜୀବ ଅଙ୍ଗେ ॥ ୭୭
ସେ ଜୀବ ପଶେ ମୋ'ର ତହିଁ । ମୁହିଁ କେବଳ ମାତ୍ର ଥାଇ ॥ ୭୮
ମୁହିଁ ସକଳ ଭାବେ ସାକ୍ଷୀ । ମୋ' ବିନୁ ଆନ ନାହିଁ ଲକ୍ଷ୍ୟି ॥ ୭୯
ମୁହିଁ ମୋହର ଆଶ୍ରେ ଥାଇ । ଏଣୁ ନିରାଧାର ବୋଲାଇ ॥ ୮୦
ମୁହିଁ ସକଳ ଅବଶେଷେ । କେବଳ ଥାଇ ନିଜ ଅଂଶେ ॥ ୮୧
ଏହାକୁ ସାଂଖ୍ୟଯୋଗ କହି । ଏ ଜ୍ଞାନେ ସଂଶୟ ନ ଥାଇ ॥ ୮୨
ଚିତ୍ତୁ ସକଳ ହରେ ଦୋଷ । କେବଳ କୈବଲ୍ୟ ପ୍ରକାଶ ॥ ୮୩
ଏ ଭାବେ ନିରତେ ଯେ ମିଶେ । ଅଜ୍ଞାନ ହରେ ଜ୍ଞାନ ଦିଶେ ॥ ୮୪
ଉଦ୍ଧବେ କହେ ହୃଷୀକେଶ । ଶ୍ରୀଭାଗବତେ ଏକାଦଶ ॥ ୮୫
ସୁଜନେ ଶୁଣ ଏକମନେ । କୃଷ୍ଣଚରିତ ତତ୍ତ୍ୱଜ୍ଞାନେ ॥ ୮୬
ନିଶ୍ଚୟେ ହୋଇବ ପ୍ରବେଶ । କହଇ ଜଗନ୍ନାଥ ଦାସ ॥ ୮୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଏକାଦଶସ୍କନ୍ଧେ ପଞ୍ଚବିଂଶୋଦ୍ଧଧ୍ୟାୟଃ ॥
* * *