ଏକାଦଶ ସ୍କନ୍ଧ
ଚତୁବିଂଶ ଅଧ୍ୟାୟ
ଦୟାସାଗର ଚକ୍ରପାଣି । ଉଦ୍ଧବ ମୁଖୁଁ ପ୍ରଶ୍ନ ଶୁଣି ॥ ୧
ଭଗବାନ ଉବାଚ
ବୋଲନ୍ତି ସତ୍ୟ ତୋ ବଚନ । ଏମନ୍ତ ଅଛି କେବା ଜନ ॥ ୨
କେ ଚିତ୍ତ ଧରି ପାରେ ସ୍ଥିରେ । ଦୁର୍ଜନ ବଚନ ପ୍ରହାରେ ॥ ୩
ଯେ ପାରେ ଏତେ ଦୁଃଖ ସହି । ସେ ପ୍ରାଣୀ ତ୍ରିଭୁବନେ ନାହିଁ ॥ ୪
ସମରେ ରିପୁବାଣ ଘାଏ । ଯେବେ ରୁଧିର ବହେ ଦେହେ ॥ ୫
ସେ ଦୁଃଖ ମନେ ନ ଧରନ୍ତି । ଯେ କ୍ଷତ୍ରିବୃତ୍ତି ଆଚରନ୍ତି ॥ ୬
ଦୁର୍ଜନ-କୁବଚନ-ବାଣ । ମର୍ମ ବିଦାରେ ତତକ୍ଷଣ ॥ ୭
ଏବେ ତୁ ଶୁଣ ହୋ ବିଶ୍ୱାସେ । ଯେ ପୁରାତନ ଇତିହାସେ ॥ ୮
ତୁ ଯେଣୁ ମୋହର ବିଶ୍ୱାସ । ତେଣୁ ମୁଁ କରିବି ପ୍ରକାଶ ॥ ୯
ପୂର୍ବେ ହୋ ଅବନ୍ତୀ ନଗର । ଥିଲା ଦୁର୍ଜନ ବିପ୍ରବରେ ॥ ୧୦
ଦମ୍ଭ ଆଚରି କାମୀ ଲୋଭୀ । ନିରତେ କ୍ରୋଧେ ପରାଭବୀ ॥ ୧୧
କୁତ୍ସିତ ବୁଦ୍ଧି ତା'ର ମନ । ନାନା ପ୍ରକାରେ ସଞ୍ଚେ ଧନ ॥ ୧୨
କୃଷି ବାଣିଜ୍ୟ କର୍ମକରେ । ବନ୍ଧକ ଧାର ଉପହାରେ ॥ ୧୩
ଜ୍ଞାତି ଅତିଥି ବନ୍ଧୁ ଯେତେ । ତା'ଙ୍କୁ ନ ସେବେ କଦାଚିତ୍ତେ ॥ ୧୪
ମଧୁର ବାକ୍ୟ ଶୁଦ୍ଧଚିତ୍ତେ । ତିଳେ ନ ରହେ ପରହିତେ ॥ ୧୫
କନ୍ଦଳ ଦୁଷ୍ଟ ବ୍ୟବହାର । ଦୁଃଶୀଳମତି ଦୁରାଚାର ॥ ୧୬
ସୁତ ବନିତା ଦାସଦାସୀ । ଏହାଙ୍କୁ ନ ପୋଷେ ଆଶ୍ୱାସି ॥ ୧୭
ଆପଣେ ନ ଭକ୍ଷଇ ଭଲେ । ପ୍ରାଣୀଙ୍କି ନ ଦିଏ ମାଗିଲେ ॥ ୧୮
ଯକ୍ଷର ପ୍ରାୟେ ସଞ୍ଚେ ଧନ । ଧନେ ଆକୁଳ ନିତ୍ୟେ ମନ ॥ ୧୯
ସେ ବିପ୍ର ବଞ୍ଚିତ ଜୀବନ । ଏମନ୍ତେ ଗଲା କେତେ ଦିନ ॥ ୨୦
ଅନ୍ନ ନ ପାଇ ଦାରାସୁତ । କ୍ରୋଧିତ ଇଷ୍ଟବନ୍ଧୁ ମିତ୍ର ॥ ୨୧
ନ କରି ଯଜ୍ଞ-ଧର୍ମ କର୍ମ । ଧନ ରକ୍ଷଣେ ତା'ର ମନ ॥ ୨୨
ଧର୍ମକୁ କରି ଅନାଦର । ନାଶିଲା ପୂର୍ବପୁଣ୍ୟ ତା'ର ॥ ୨୩
ପୁତ୍ର କାମିନୀ ପରିବାର । ଯେ ଅବା ଦାସଦାସୀ ତା'ର ॥ ୨୪
ସକଳେ ଭାଳି ଏକଚିତ୍ତେ । ଧନ ହରିଲେ ତା' ଗୁପତେ ॥ ୨୫
ଅନଳେ ଗଲା କିଛି ପୋଡ଼ି । ବଣିଜନାବ ଜଳେ ବୁଡ଼ି ॥ ୨୬
ଚଉର୍ଯ୍ୟେ କିଛି ଧନ ଗଲା । ରାଜା ହିଁ କିଛି ବହି ନେଲା ॥ ୨୭
ସଞ୍ଚିତ ଧନ ଯେତେ ଥିଲା । ଏମନ୍ତେ ନାନାମତେ ଗଲା ॥ ୨୮
ନିର୍ଦ୍ଧନ ଦେଖି ଦାରାସୁତେ । ବନ୍ଧୁବାନ୍ଧବ ତା'ର ଯେତେ ॥ ୨୯
ଦାସୀ ସେବକ ପରିଜନେ । ଛାଡ଼ି ଚଳିଲେ ଅନ୍ୟସ୍ଥାନେ ॥ ୩୦
ଏମନ୍ତେ ବିପ୍ର ଦୁଃଖଚିତ୍ତେ । ରାତ୍ର ଦିବସ ଭାଳେ ନିତ୍ୟେ ॥ ୩୧
ବିକଳ ଚିତ୍ତେ ଦୁଃଖେ କାନ୍ଦେ । ନିର୍ଦ୍ଧନ ବାନ୍ଧବ ବିଚ୍ଛେଦେ ॥ ୩୨
ଏମନ୍ତେ ଚିନ୍ତା-ଶୋକଭରେ । ପଡ଼ିଲା ତୀବ୍ର-ତାପଜ୍ୱରେ ॥ ୩୩
ଭାଳଇ ଅତି ଭୟଚିତ୍ତେ । ମୁଁ ଏବେ ବଞ୍ଚିବି କେମନ୍ତେ ॥ ୩୪
ଏମନ୍ତେ ଭାଳୁ ଭାଳୁ ଦିନେ । ବୈରାଗ୍ୟ ଉପୁଜିଲା ମନେ ॥ ୩୫
ବୋଲଇ ଆତ୍ମା ଅନୁସରି । ବିଫଳେ ଅଛି - ଦେହ ଧରି ॥ ୩୬
ଧିକ୍ ଜୀବନ ଜନ୍ମ ମୋର । ନିନ୍ଦିତ ବିପ୍ର କଳେବର ॥ ୩୭
ଆପଣା ଦୋଷେ ମୁଁ ବିନାଶ । ହେଳେ ସକଳ କଲି ନାଶ ॥ ୩୮
ଆପଣା ହସ୍ତେ ମନସୁଖେ । ଅନଳ ଦେଲି ନିଜ ମୁଖେ ॥ ୩୯
ମୋହର ନିଜ-କର୍ମ-ପାକେ । ବଞ୍ଚିତ ହେଲି ନରଲୋକେ ॥ ୪୦
ପୁତ୍ର କଳତ୍ର ପରିବାର । ବନ୍ଧୁବାନ୍ଧବ ଯେତେ ମୋ'ର ॥ ୪୧
ଏହାଙ୍କୁ ଦୁଃଖ ଦେଇ ଚିତ୍ତେ । ଧନ ସଞ୍ଚିଲି ମୁଁ ନିରତେ ॥ ୪୨
ତେଜିଲି ଧର୍ମ-କର୍ମ-ଭୋଗ । ସକଳ ସୁଖେ ମୋ' ବିଯୋଗ ॥ ୪୩
ଧନେ ମୁଁ ହୋଇଲି ନିରାଶ । ଉଭୟଲୋକ କଲି ନାଶ ॥ ୪୪
ଦୁଃଖେ ସଞ୍ଚିତ ଯେତେ ଧନ । ସେ ନୋହେ ସୁଖେ ପ୍ରୟୋଜନ ॥ ୪୫
ବଞ୍ଚିତ ହୋଇ ଇହଲୋକେ । ଅନ୍ତେ ମୁଁ ପଡ଼ିବି ନରକେ ॥ ୪୬
କୁଷ୍ଠ ଯେସନେ ରୂପ ନାଶେ । ଲୋଭ ତେମନ୍ତ ଗୁଣ ଯଶେ ॥ ୪୭
ଅର୍ଜନ ସାଧନ ସଞ୍ଚୟ । ଧନ ସେ ସର୍ବଦୁଃଖମୟ ॥ ୪୮
ଚଉର୍ଯ୍ୟ ହିଂସା ମିଥ୍ୟା ଦମ୍ଭ । ଭେଦ ବଇର ମଦ ଗର୍ବ ॥ ୪୯
କ୍ରୋଧ କୁଟିଳ ଅବିଶ୍ୱାସ । ସ୍ପର୍ଦ୍ଧା ବ୍ୟସନ ଯେ ବିଶେଷ ॥ ୫୦
ଏ ପଞ୍ଚଦଶ ଦୋଷ ଧନେ । ଏଣୁ ପଣ୍ଡିତ ସାଧୁଜନେ ॥ ୫୧
ଧନ-ସଞ୍ଚୟ ଦୂର କରି । ନିୟତ-କର୍ମକୁ ଆବୋରି ॥ ୫୨
ଧୀରେ ରହନ୍ତି ସମଚିତ୍ତେ । ଧନ୍ୟ ଜୀବନ ଏ ଜଗତେ ॥ ୫୩
ଧନର ଦୋଷ ଆର ଯେତେ । କହିବା ଶୁଣ ଏକଚିତ୍ତେ ॥ ୫୪
ତାତ ଜନନୀ ଭ୍ରାତା ସୁତ । ସୁହୃଦ ବାନ୍ଧବ କଳତ୍ର ॥ ୫୫
ଏହାଙ୍କୁ ଦେଖି ରିପୁ ପ୍ରାୟେ । ଧନ ସଞ୍ଚଇ ନିତ୍ୟେ ଧ୍ୟାୟେ ॥ ୫୬
ଭେଦ ଉପୁଜେ ବନ୍ଧୁମେଳେ । ଧନ-ସଞ୍ଚୟନ ବ୍ୟାକୁଳେ ॥ ୫୭
ବିଚ୍ଛେଦ କରେ ଦାରା ସୁତ । କଦର୍ଯ୍ୟ ବୋଲନ୍ତି ଜଗତ ॥ ୫୮
ଧନ ଏ ସକଳ କାରଣ । କୃପଣେ ମର୍ଯ୍ୟାଦା ଲଂଘନ ॥ ୫୯
ଅଳପ ଧନର କାରଣେ । ବଇର ବଢେ ଅନୁକ୍ଷଣେ ॥ ୬୦
ସ୍ୱଜନ ବନ୍ଧୁ କୁଳଭେଦେ । କନ୍ଦଳ ବାଦ ଅନୁବାଦେ ॥ ୬୧
ମନୁଷ୍ୟ-ଦେହେ ଜନ୍ମ ହୋଇ । ବ୍ରାହ୍ମଣ ତନୁ ମୁହିଁ ପାଇ ॥ ୬୨
ସ୍ୱର୍ଗେ ବାଞ୍ଛନ୍ତି ସୁରଗଣେ । ମନୁଷ୍ୟ ଜନ୍ମ ଅନୁକ୍ଷଣେ ॥ ୬୩
ମୁଁ ଏ ଦୁର୍ଲ୍ଲଭ ଜନ୍ମ ଲଭି । ନିୟତ-କର୍ମେ ପରାଭବୀ ॥ ୬୪
ଏ ଜନ୍ମ କଲି ଅନାଦର । ଧନ ସଞ୍ଚୟ ଧିକ ମୋର ॥ ୬୫
ମନୁଷ୍ୟ-ଦେହ ଭୂମିଭାଗେ । ସାଧଇ ସ୍ୱର୍ଗ ଅପବର୍ଗେ ॥ ୬୬
ସେ ଦେହ ଅନର୍ଥର ଘର । ଧନ ସାଧଇ କେବା ନର ॥ ୬୭
ଦେବତା-ଋଷି-ପିତୃଗଣେ । ସେବା ନ କଲି ମୂଢପଣେ ॥ ୬୮
ଯକ୍ଷର ପ୍ରାୟେ ସଞ୍ଚି ଧନ । ଲଂଘିଲି ବନ୍ଧୁ ଗୁରୁଜନ ॥ ୬୯
ସ୍ୱଭାବେ ବୟସ ସରିଲା । ଏ ଜନ୍ମ ବିଅର୍ଥ ହୋଇଲା ॥ ୭୦
ଜାଣଇଁ ଅନିତ୍ୟ ଜଗତ । ଈଶ୍ୱରମାୟାରେ ମୋହିତ ॥ ୭୧
ଏ ଧନ ଅର୍ଥେ କୁପଣ୍ଡିତ । ବ୍ୟର୍ଥ-ବ୍ୟାକୁଳେ ଲୋଭଗ୍ରସ୍ଥ ॥ ୭୨
ଏଣୁ କି କାର୍ଯ୍ୟ ଧନଧାନ୍ୟେ । ଭାଳଇ ବ୍ୟର୍ଥ ପ୍ରୟୋଜନେ ॥ ୭୩
ମରଣ ମୁଖେ ଏବେ ପଡ଼ି । ଭାଳଇ ନିଜପଥ ହୁଡ଼ି ॥ ୭୪
ଏବେ ଜାଣିଲି ମୋର ଭାଗ୍ୟ । ଗୋବିନ୍ଦ କଲେ ଅନୁରାଗ ॥ ୭୫
ଏ ମୋର ପୂର୍ବ ପୁଣ୍ୟ ଯଶ । ତେଜିଲି ଧନ ଜନ ଆଶା ॥ ୭୬
ଚଞ୍ଚଳମନ ହୃଦେ ରୁନ୍ଧି । ଏବେ ସାଧିବି ସର୍ବସିଦ୍ଧି ॥ ୭୭
ହରି ଚରଣେ ଦେଇ ମତି । ଖଣ୍ଡିବି ଅଶେଷ ଦୁର୍ଗତି ॥ ୭୮
ପୂର୍ବେ ଖଟ୍ୱାଙ୍ଗ ନୃପବର । କରି ଦେବଙ୍କ ଉପକାର ॥ ୭୯
ପୁଣି ସେ ଆସି ମହୀତଳେ । ନିମିଷ ମାତ୍ର ପୁଣ୍ୟଫଳେ ॥ ୮୦
ଭାବେ ଆରାଧି ଚକ୍ରଧର । ଭବସାଗରୁ ହେଲା ପାର ॥ ୮୧
ଏବେ ମୁଁ ସର୍ବ ଆଶା ଛେଦି । ନାନା ପ୍ରକାରେ ତପ ସାଧି ॥ ୮୨
ସଂସାରୁ ତରିବି ଯେମନ୍ତେ । ଏମନ୍ତ ଭାଳି ଦୃଢଚିତ୍ତେ ॥ ୮୩
ନିଶ୍ଚଳ ଶାନ୍ତ-ଦାନ୍ତ-ଚିତ୍ତେ । ତପସ୍ୱୀଜନଙ୍କର ମତେ ॥ ୮୪
ପୃଥିବୀ କରି ପର୍ଯ୍ୟଟନ । ଗିରି ଦୁର୍ଗମ ଘୋରବନ ॥ ୮୫
ଗୁପତେ ଅବଧୂତ ବେଶେ । ବୁଲଇ ପୁର-ଗ୍ରାମ-ଦେଶେ ॥ ୮୬
ସ୍ୱଭାବେ ଦିଶେ କୁଘଟନ । ବୃଦ୍ଧ ଭିକ୍ଷୁକ ସେ ବ୍ରାହ୍ମଣ ॥ ୮୭
ଗ୍ରାମେ ବୁଲଇ ଭିକ୍ଷା ଆଶେ । ମଳିନ ଅବଧୂତ ବେଶେ ॥ ୮୮
ଅତି ପ୍ରପଞ୍ଚ ଅତି କ୍ଷୀଣ । ଦିଶଇ ଜାତିବର୍ଣ୍ଣହୀନ ॥ ୮୯
ଗୁପତ ଦେଖି ତା'ର ଚିହ୍ନ । ଲୋକେ କରନ୍ତି ଅପମାନ ॥ ୯୦
ତାହାକୁ ଦୁଷ୍ଟଗଣେ ବେଢି । କେ ଧାଇଁ ପିଟେ ମୁଣ୍ଡେବାଡ଼ି ॥ ୯୧
କେ ଦଣ୍ଡ-କମଣ୍ଡଳୁ ବଳେ । ଘେନି ପଳାନ୍ତି କୁତୂହଳେ ॥ ୯୨
କେ ଯଜ୍ଞସୂତ୍ର କନ୍ଧୁଁ ଫେଡେ଼ । କେ ପୃଷ୍ଠେ ମାରନ୍ତି ଚାପୋଡେ଼ ॥ ୯୩
କେ କନ୍ଥା ଜୂରକରି ବଳେ । ଭୟେ ପଳାନ୍ତି ଏକମେଳେ ॥ ୯୪
ପୁଣି ରହନ୍ତି ଦୂରେ ଯାଇ । ନାନା ଭର୍ତ୍ସନେ ଗାଳି ଦେଇ ॥ ୯୫
କେ ହସି କରତାଳି ଦେଇ । ଗୁପତେ ତା'ର ପଛେ ରହି ॥ ୯୬
ଭିକ୍ଷା ମାଗିଲେ ଅନ୍ନପାଣି । ତା'କୁ ଦିଅନ୍ତି ଲୋକେ ଆଣି ॥ ୯୭
ଯେବେ ଭୁଞ୍ଜଇ ଜଳତୀରେ । କେ ମୂତେ ଭିକ୍ଷାର ଉପରେ ॥ ୯୮
କେ ମୁଖେ ଅଧୋବାୟୁ ଛାଡେ଼ । କେ ହସି କରେ କର ତାଡେ଼ ॥ ୯୯
କେ ମାରି ଆନକୁ ଦେଖାଇ । ହସନ୍ତି ତା'ର ମୁଖ ଚାହିଁ ॥ ୧୦୦
ତର୍ଜନ ଗର୍ଜନ କେ କରେ । କେ ରଜ୍ଜୁ ବାନ୍ଧନ୍ତି ପୟରେ ॥ ୧୦୧
କେ ଅବା ପୂର୍ବେ ତା'କୁ ଚିହ୍ନି । କହନ୍ତି ପାଞ୍ଚସାତ ଘେନି ॥ ୧୦୨
ଏହାର ନାଶ ଗଲା ଧନ । କୋପେ ଛାଡ଼ିଲେ ବନ୍ଧୁଜନ ॥ ୧୦୩
ଦେଖ କପଟେ କ୍ଷୀଣବେଶ । ଜଗତେ ବୋଲାଇ ସନ୍ନ୍ୟାସ ॥ ୧୦୪
ଦେଖ ବୁଲଇ ଅଧୋମୁଖେ । ଚକ୍ଷୁମଳିନ ସର୍ବଦେଖେ ॥ ୧୦୫
ରାତ୍ରେ ପଶିବ ଘରେଘରେ । ଚୋରି କରିବ ଅଭ୍ୟନ୍ତରେ ॥ ୧୦୬
ଏହାକୁ ମାରି କର ଦୂର । ଦଣ୍ଡେ ନ ଥାଉ ଆମ୍ଭପୁର ॥ ୧୦୭
ଦେଖ ମଉନ ମୁଖେ ଚାହେଁ । ଜଳେ ମୀନକୁ ବକ ପ୍ରାୟେ ॥ ୧୦୮
ଆଜ କରିବ ଜାଣ ଚୋରି । ଦୂର କରାଅ ୟାକୁ ମାରି ॥ ୧୦୯
ଏମନ୍ତେ ଦୁଷ୍ଟଗଣେ ମିଳି । ହସନ୍ତି ଦେଇ କରତାଳି ॥ ୧୧୦
ଭୟେ କରାଇ ତାକୁ ତ୍ରାସ । କରନ୍ତି ହାସ ପରିହାସ ॥ ୧୧୧
ଏମନ୍ତେ ସର୍ବ ବାକ୍ୟ ଶୁଣେ । ପରମାନନ୍ଦ ମନେ ଗୁଣେ ॥ ୧୧୨
କେବେହେଁ ନୋହେ ମନେ ଦୁଃଖୀ । ପୂର୍ବ ଅର୍ଜିତ କର୍ମ ଲକ୍ଷ୍ୟି ॥ ୧୧୩
ଯେ ଅବା ଯେତେବେଳେ ହୋଏ । ଗୋରୁଙ୍କ ପ୍ରାୟେ ସର୍ବ ସହେ ॥ ୧୧୪
ଅଦୃଷ୍ଟ ମାନି କହେ କଥା । କେ ଅଛି ଦୁଃଖସୁଖଦାତା ॥ ୧୧୫
ଗ୍ରହ ଦେବତା କାଳଧର୍ମ । ଆତ୍ମା କି ଅବା କେହି ଜନ ॥ ୧୧୬
ନୁହଁନ୍ତି ସୁଖଦୁଃଖଦାତା । ମନଟି ପରମକରତା ॥ ୧୧୭
ଜନ୍ମମରଣ ବେନିପଥେ । ଯେ ମନ ଭ୍ରମାଏ ନିରତେ ॥ ୧୧୮
ମନ ସେ ତ୍ରିଗୁଣ ସୃଜଇ । ତ୍ରିଗୁଣେ କର୍ମ ସଞ୍ଚରଇ ॥ ୧୧୯
କର୍ମେ ତ୍ରିଲୋକ ଦେହପାଇ । ତୀର୍ଯ୍ୟକ ନର ଦେବ ହୋଇ ॥ ୧୨୦
ଏଣୁ ମନର ଏ ସଂସାର । ସଂସାରୁ ବିଲଗ ଈଶ୍ୱର ॥ ୧୨୧
ଈଶ୍ୱର ବସେ ସାକ୍ଷୀରୂପେ । କର୍ମ କରାଇ ନାନାରୂପେ ॥ ୧୨୨
କର୍ମରେ ସଙ୍ଗ ନାହିଁ ତା'ର । ଜ୍ଞାନରେ ଚେଷ୍ଟା ଯେଣୁ ତା'ର ॥ ୧୨୩
ମନ ତାହାର ସଙ୍ଗେ ମିଶେ । ଲିଙ୍ଗ-ଶରୀରେ ଜୀବ ବସେ ॥ ୧୨୪
କର୍ମ କରଇ ଗୁଣବଳେ । ସଂସାରେ ବନ୍ଧନ ନିଶ୍ଚଳେ ॥ ୧୨୫
ଏଣୁ ଏ ମନର ସଂଯମ । ପରମଜ୍ଞାନର କାରଣ ॥ ୧୨୬
ଦାନ ସ୍ୱଧର୍ମ ଯେ ନିୟମ । ସୁବ୍ରତ କର୍ମ କିବା ଯମ ॥ ୧୨୭
ଏ ସର୍ବ ମନର ସଂଯମ । ମନ ସଂଯମ ପରଜ୍ଞାନ ॥ ୧୨୮
ମନ ସଂଯମ ଅଟେ ଯା'ର । କି କାର୍ଯ୍ୟ ଦାନାଦିରେ ତା'ର ॥ ୧୨୯
ମନ ଆୟତ୍ତ ଯା'ର ନୋହି । ଦାନାଦି କର୍ମେ କିବା ହୋଇ ॥ ୧୩୦
ଏଣୁ ଯେ ମନ ବଶକରେ । ସର୍ବ ଇନ୍ଦ୍ରିୟ ସେ ସଂହରେ ॥ ୧୩୧
ମନର ବଶ ଯେବା ହୋଇ । ଇନ୍ଦ୍ରିୟ ଅର୍ଥେ ସେ ଭ୍ରମଇଁ ॥ ୧୩୨
ଯୋଗୀଏ ଯୋଗବଳ ଧରି । ବଳେ ଇନ୍ଦ୍ରିୟ ବଶ କରି ॥ ୧୩୩
ମନ ଅବଶେ ଯୋଗଭ୍ରଷ୍ଟ । ଏଣୁ ଏ ମନ ଅଟେ ଶ୍ରେଷ୍ଠ ॥ ୧୩୪
ଯେ ତାକୁ ବଶ କରିପାରେ । ସର୍ବ ଇନ୍ଦ୍ରିୟ ଜୟ କରେ ॥ ୧୩୫
ଦୁର୍ଜୟ ଶତ୍ରୁ ଅଟେ ମନ । ତା'କୁ ନ ଜିଣି ଯେବା ଜନ ॥ ୧୩୬
ଉଦାସୀ ମିତ୍ର ଶତ୍ରୁ ଆନ । ବିଚାରେ ମୂଢ ସେହୁ ଜନ ॥ ୧୩୭
ମନ କଳ୍ପିତ ଦେହ ପାଇ । ମୁହିଁ ମୋହର ଚିତ୍ତେ ଧ୍ୟାୟି ॥ ୧୩୮
ଅନ୍ୟୋନ୍ୟ ଶତ୍ରୁ ମିତ୍ର ଚିନ୍ତି । ଅପାର ସଂସାରେ ଭ୍ରମନ୍ତି ॥ ୧୩୯
ଯେ ପ୍ରାଣୀ ଆତ୍ମାକୁ ନ ଜାଣେ । ସେ ରିପୁମିତ୍ର ପରିମାଣେ ॥ ୧୪୦
ମାୟା ସଂସାରେ ଜ୍ଞାନହାରି । ଜୀବକୁ ଜୀବ ହିଂସା କରି ॥ ୧୪୧
ସ୍ୱଭାବେ ଜୀବ ନିର୍ବିକାର । ଦୋଷ ଅଦୋଷ ନାହିଁ ତା'ର ॥ ୧୪୨
ଆପଣା ହସ୍ତେ ଜିହ୍ୱା ଛେଦି । କେ ତା'ର ଅଛି ପ୍ରତିବାଦୀ ॥ ୧୪୩
ଦେବତା ବଶେ ସର୍ବଭୂତେ । ଇନ୍ଦ୍ରିୟ ଅଭେଦେ ନିଶ୍ଚିନ୍ତେ ॥ ୧୪୪
କୋପଇ ଏକ ଅଙ୍ଗେ ଥାଇ । ଆରକ ଅଙ୍ଗେ ପ୍ରହାରଇ ॥ ୧୪୫
ଏ ଦୁଃଖ ସୁଖ ବିଚାରିଲେ । ଲାଗଇ ନାହିଁ ଆତ୍ମାତୁଲେ ॥ ୧୪୬
ଯେବେ ବୋଲିବା ଗ୍ରହଦୋଷେ । ପ୍ରାଣୀ ବନ୍ଧନ ଗୁଣପାଶେ ॥ ୧୪୭
ଏ ଅନୁମାନ ସତ୍ୟ ନୋହେ । ଗ୍ରହ କି ମାରେ ଗ୍ରହ ଦେହେ ॥ ୧୪୮
ଏ ଦୁଃଖସୁଖ ହେତୁ କର୍ମ । ବିଚାରି କଲେ ତୁଟେ ଭ୍ରମ ॥ ୧୪୯
ସ୍ୱଭାବେ ଦେହ ଜଡ଼ମୟ । ସଞ୍ଚିତ ମୃତ୍ତିକାର ପ୍ରାୟ ॥ ୧୫୦
ଆତ୍ମା ପରମହଂସ ପକ୍ଷେ । ନିତ୍ୟେ ବସଇ ନାନାବୃକ୍ଷେ ॥ ୧୫୧
ଏ ଆତ୍ମା ବ୍ରହ୍ମ ସୂକ୍ଷ୍ମସାର । ନିର୍ମଳ ନିତ୍ୟ ନିରାକାର ॥ ୧୫୨
ଏଣୁ ଏ ଦୁଃଖସୁଖ ପାଇ । ଏ ଅନୁମାନ ନ ଘଟଇ ॥ ୧୫୩
ଯେବେ ବୋଲିବା ନ୍ୟାୟେ ଅଛି । କାଳହିଁ ଦୁଃଖସୁଖ ଲେଖି ॥ ୧୫୪
ଫଳଇ ଦେହେ ଯଥାକାଳେ । ବୃଦ୍ଧ ତରୁଣ କିବା ବାଳେ ॥ ୧୫୫
ତେବେ ଆତ୍ମାର କିବା ଦୋଷ । ସ୍ୱଭାବେ ଆତ୍ମା ବିଷ୍ଣୁଅଂଶ ॥ ୧୫୬
ଏଣୁ ଦୁଃଖସୁଖ ବିଚାରେ । ନ ଘଟେ ନିଜ କିବା ପରେ ॥ ୧୫୭
ଯେଣୁ ଏ ଅନିତ୍ୟ ସଂସାରେ । ପ୍ରାଣୀ ବନ୍ଧନ ଅହଙ୍କାରେ ॥ ୧୫୮
ଏଣୁ ଏ ମାନ ଅପମାନ । ନ ଘେନେ ଆତ୍ମଜ୍ଞାନୀ ଜନ ॥ ୧୫୯
ଶତ୍ରୁ ବାନ୍ଧବ ନିିଜ ପର । ଏ ଦୁଃଖ ସୁଖ ଭ୍ରମ ମୋର ॥ ୧୬୦
ବୁଲଇ ମାୟାଭ୍ରମ ଜଡେ଼ । ଏଣୁ ସଂସାର ପ୍ରାଣୀ ପଡେ଼ ॥ ୧୬୧
ପୂର୍ବେ ଯେ ମହାଋଷିଗଣେ । ପରମ ଆତ୍ମନିଷ୍ଠାଜ୍ଞାନେ ॥ ୧୬୨
ତରିଲେ ଏ ଘୋରସଂସାର । ମୁଁ ଏବେ କରି ସେ ବିଚାର ॥ ୧୬୩
ଗୋବିନ୍ଦପାଦେ ସେବା କରି । ଘୋରସଂସାରୁ ଯିବି ତରି ॥ ୧୬୪
ଏତେ ବିଚାରି ବିପ୍ରମନେ । ଚିତ୍ତ ନିରୋଧି ଯୋଗଧ୍ୟାନେ ॥ ୧୬୫
ହରିଚରଣ କଲା ସାର । ତେଜିଲା ମାନ ଅହଙ୍କାର ॥ ୧୬୬
ନିର୍ମଳ ଚିତ୍ତ ମୋ' ଚରଣେ । ବୁଲେ ଅବନୀ ପର୍ଯ୍ୟଟନେ ॥ ୧୬୭
ମୋର ଚରଣାମ୍ବୁଜ ବିନେ । କିଛି ନ ଜାଣେ ରାତ୍ରଦିନେ ॥ ୧୬୮
ଫିଟିଲା ଅଶେଷ ବନ୍ଧନ । ମୋହର ପାଦେ ଦେଇ ମନ ॥ ୧୬୯
ଉଦ୍ଧବ ଏହା ମନେ ଧର । ସର୍ବ ସଂଶୟ ପରିହର ॥ ୧୭୦
ନିର୍ମଳ ଚିତ୍ତ ମୋର ପାଦେ । ସମର୍ପି ରହ ତୁ ଆନନ୍ଦେ ॥ ୧୭୧
ଏ ଭିକ୍ଷୁଗୀତା ଇତିହାସେ । ତୋ ଆଗେ କହିଲି ବିଶ୍ୱାସେ ॥ ୧୭୨
ଏ ଗୁଣମୟ ବ୍ରହ୍ମଜ୍ଞାନ । ଯେ କରେ ଶ୍ରବଣ ପଠନ ॥ ୧୭୩
ଅଶେଷ ଦୋଷ ତା'ର ହରେ । ନ ପଡେ଼ ଭବପଙ୍କ-ଘୋର ॥ ୧୭୪
ହରଇ କାମ-କ୍ରୋଧ-ଦୋଷ । ନ ଲାଗେ ଦୁଃଖ ଶୋକ ପ୍ରାସ ॥ ୧୭୫
ଉଦ୍ଧବେ କହେ ନାରାୟଣ । ସୁଜନେ ସାବଧାନ ଶୁଣ ॥ ୧୭୬
ପରମଭାଗବତବାଣୀ । ଶୁକ ଯା' ଶ୍ରୀମୁଖେ ବଖାଣି ॥ ୧୭୭
କହଇ ଦାସ ଜଗନ୍ନାଥ । ଶ୍ରୀଏକାଦଶେ ଭାଗବତ ॥ ୧୭୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଏକାଦଶସ୍କନ୍ଧେ ଚତୁର୍ବିଂଶୋଦ୍ଧଧ୍ୟାୟଃ ॥
* * *