ଏକାଦଶ ସ୍କନ୍ଧ

ଚତୁବିଂଶ ଅଧ୍ୟାୟ

ଦୟାସାଗର ଚକ୍ରପାଣି । ଉଦ୍ଧବ ମୁଖୁଁ ପ୍ରଶ୍ନ ଶୁଣି ॥

ଭଗବାନ ଉବାଚ

ବୋଲନ୍ତି ସତ୍ୟ ତୋ ବଚନ । ଏମନ୍ତ ଅଛି କେବା ଜନ ॥

କେ ଚିତ୍ତ ଧରି ପାରେ ସ୍ଥିରେ । ଦୁର୍ଜନ ବଚନ ପ୍ରହାରେ ॥

ଯେ ପାରେ ଏତେ ଦୁଃଖ ସହି । ସେ ପ୍ରାଣୀ ତ୍ରିଭୁବନେ ନାହିଁ ॥

ସମରେ ରିପୁବାଣ ଘାଏ । ଯେବେ ରୁଧିର ବହେ ଦେହେ ॥

ସେ ଦୁଃଖ ମନେ ନ ଧରନ୍ତି । ଯେ କ୍ଷତ୍ରିବୃତ୍ତି ଆଚରନ୍ତି ॥

ଦୁର୍ଜନ-କୁବଚନ-ବାଣ । ମର୍ମ ବିଦାରେ ତତକ୍ଷଣ ॥

ଏବେ ତୁ ଶୁଣ ହୋ ବିଶ୍ୱାସେ । ଯେ ପୁରାତନ ଇତିହାସେ ॥

ତୁ ଯେଣୁ ମୋହର ବିଶ୍ୱାସ । ତେଣୁ ମୁଁ କରିବି ପ୍ରକାଶ ॥

ପୂର୍ବେ ହୋ ଅବନ୍ତୀ ନଗର । ଥିଲା ଦୁର୍ଜନ ବିପ୍ରବରେ ॥ ୧୦

ଦମ୍ଭ ଆଚରି କାମୀ ଲୋଭୀ । ନିରତେ କ୍ରୋଧେ ପରାଭବୀ ॥ ୧୧

କୁତ୍ସିତ ବୁଦ୍ଧି ତା'ର ମନ । ନାନା ପ୍ରକାରେ ସଞ୍ଚେ ଧନ ॥ ୧୨

କୃଷି ବାଣିଜ୍ୟ କର୍ମକରେ । ବନ୍ଧକ ଧାର ଉପହାରେ ॥ ୧୩

ଜ୍ଞାତି ଅତିଥି ବନ୍ଧୁ ଯେତେ । ତା'ଙ୍କୁ ନ ସେବେ କଦାଚିତ୍ତେ ॥ ୧୪

ମଧୁର ବାକ୍ୟ ଶୁଦ୍ଧଚିତ୍ତେ । ତିଳେ ନ ରହେ ପରହିତେ ॥ ୧୫

କନ୍ଦଳ ଦୁଷ୍ଟ ବ୍ୟବହାର । ଦୁଃଶୀଳମତି ଦୁରାଚାର ॥ ୧୬

ସୁତ ବନିତା ଦାସଦାସୀ । ଏହାଙ୍କୁ ନ ପୋଷେ ଆଶ୍ୱାସି ॥ ୧୭

ଆପଣେ ନ ଭକ୍ଷଇ ଭଲେ । ପ୍ରାଣୀଙ୍କି ନ ଦିଏ ମାଗିଲେ ॥ ୧୮

ଯକ୍ଷର ପ୍ରାୟେ ସଞ୍ଚେ ଧନ । ଧନେ ଆକୁଳ ନିତ୍ୟେ ମନ ॥ ୧୯

ସେ ବିପ୍ର ବଞ୍ଚିତ ଜୀବନ । ଏମନ୍ତେ ଗଲା କେତେ ଦିନ ॥ ୨୦

ଅନ୍ନ ନ ପାଇ ଦାରାସୁତ । କ୍ରୋଧିତ ଇଷ୍ଟବନ୍ଧୁ ମିତ୍ର ॥ ୨୧

ନ କରି ଯଜ୍ଞ-ଧର୍ମ କର୍ମ । ଧନ ରକ୍ଷଣେ ତା'ର ମନ ॥ ୨୨

ଧର୍ମକୁ କରି ଅନାଦର । ନାଶିଲା ପୂର୍ବପୁଣ୍ୟ ତା'ର ॥ ୨୩

ପୁତ୍ର କାମିନୀ ପରିବାର । ଯେ ଅବା ଦାସଦାସୀ ତା'ର ॥ ୨୪

ସକଳେ ଭାଳି ଏକଚିତ୍ତେ । ଧନ ହରିଲେ ତା' ଗୁପତେ ॥ ୨୫

ଅନଳେ ଗଲା କିଛି ପୋଡ଼ି । ବଣିଜନାବ ଜଳେ ବୁଡ଼ି ॥ ୨୬

ଚଉର୍ଯ୍ୟେ କିଛି ଧନ ଗଲା । ରାଜା ହିଁ କିଛି ବହି ନେଲା ॥ ୨୭

ସଞ୍ଚିତ ଧନ ଯେତେ ଥିଲା । ଏମନ୍ତେ ନାନାମତେ ଗଲା ॥ ୨୮

ନିର୍ଦ୍ଧନ ଦେଖି ଦାରାସୁତେ । ବନ୍ଧୁବାନ୍ଧବ ତା'ର ଯେତେ ॥ ୨୯

ଦାସୀ ସେବକ ପରିଜନେ । ଛାଡ଼ି ଚଳିଲେ ଅନ୍ୟସ୍ଥାନେ ॥ ୩୦

ଏମନ୍ତେ ବିପ୍ର ଦୁଃଖଚିତ୍ତେ । ରାତ୍ର ଦିବସ ଭାଳେ ନିତ୍ୟେ ॥ ୩୧

ବିକଳ ଚିତ୍ତେ ଦୁଃଖେ କାନ୍ଦେ । ନିର୍ଦ୍ଧନ ବାନ୍ଧବ ବିଚ୍ଛେଦେ ॥ ୩୨

ଏମନ୍ତେ ଚିନ୍ତା-ଶୋକଭରେ । ପଡ଼ିଲା ତୀବ୍ର-ତାପଜ୍ୱରେ ॥ ୩୩

ଭାଳଇ ଅତି ଭୟଚିତ୍ତେ । ମୁଁ ଏବେ ବଞ୍ଚିବି କେମନ୍ତେ ॥ ୩୪

ଏମନ୍ତେ ଭାଳୁ ଭାଳୁ ଦିନେ । ବୈରାଗ୍ୟ ଉପୁଜିଲା ମନେ ॥ ୩୫

ବୋଲଇ ଆତ୍ମା ଅନୁସରି । ବିଫଳେ ଅଛି - ଦେହ ଧରି ॥ ୩୬

ଧିକ୍ ଜୀବନ ଜନ୍ମ ମୋର । ନିନ୍ଦିତ ବିପ୍ର କଳେବର ॥ ୩୭

ଆପଣା ଦୋଷେ ମୁଁ ବିନାଶ । ହେଳେ ସକଳ କଲି ନାଶ ॥ ୩୮

ଆପଣା ହସ୍ତେ ମନସୁଖେ । ଅନଳ ଦେଲି ନିଜ ମୁଖେ ॥ ୩୯

ମୋହର ନିଜ-କର୍ମ-ପାକେ । ବଞ୍ଚିତ ହେଲି ନରଲୋକେ ॥ ୪୦

ପୁତ୍ର କଳତ୍ର ପରିବାର । ବନ୍ଧୁବାନ୍ଧବ ଯେତେ ମୋ'ର ॥ ୪୧

ଏହାଙ୍କୁ ଦୁଃଖ ଦେଇ ଚିତ୍ତେ । ଧନ ସଞ୍ଚିଲି ମୁଁ ନିରତେ ॥ ୪୨

ତେଜିଲି ଧର୍ମ-କର୍ମ-ଭୋଗ । ସକଳ ସୁଖେ ମୋ' ବିଯୋଗ ॥ ୪୩

ଧନେ ମୁଁ ହୋଇଲି ନିରାଶ । ଉଭୟଲୋକ କଲି ନାଶ ॥ ୪୪

ଦୁଃଖେ ସଞ୍ଚିତ ଯେତେ ଧନ । ସେ ନୋହେ ସୁଖେ ପ୍ରୟୋଜନ ॥ ୪୫

ବଞ୍ଚିତ ହୋଇ ଇହଲୋକେ । ଅନ୍ତେ ମୁଁ ପଡ଼ିବି ନରକେ ॥ ୪୬

କୁଷ୍ଠ ଯେସନେ ରୂପ ନାଶେ । ଲୋଭ ତେମନ୍ତ ଗୁଣ ଯଶେ ॥ ୪୭

ଅର୍ଜନ ସାଧନ ସଞ୍ଚୟ । ଧନ ସେ ସର୍ବଦୁଃଖମୟ ॥ ୪୮

ଚଉର୍ଯ୍ୟ ହିଂସା ମିଥ୍ୟା ଦମ୍ଭ । ଭେଦ ବଇର ମଦ ଗର୍ବ ॥ ୪୯

କ୍ରୋଧ କୁଟିଳ ଅବିଶ୍ୱାସ । ସ୍ପର୍ଦ୍ଧା ବ୍ୟସନ ଯେ ବିଶେଷ ॥ ୫୦

ଏ ପଞ୍ଚଦଶ ଦୋଷ ଧନେ । ଏଣୁ ପଣ୍ଡିତ ସାଧୁଜନେ ॥ ୫୧

ଧନ-ସଞ୍ଚୟ ଦୂର କରି । ନିୟତ-କର୍ମକୁ ଆବୋରି ॥ ୫୨

ଧୀରେ ରହନ୍ତି ସମଚିତ୍ତେ । ଧନ୍ୟ ଜୀବନ ଏ ଜଗତେ ॥ ୫୩

ଧନର ଦୋଷ ଆର ଯେତେ । କହିବା ଶୁଣ ଏକଚିତ୍ତେ ॥ ୫୪

ତାତ ଜନନୀ ଭ୍ରାତା ସୁତ । ସୁହୃଦ ବାନ୍ଧବ କଳତ୍ର ॥ ୫୫

ଏହାଙ୍କୁ ଦେଖି ରିପୁ ପ୍ରାୟେ । ଧନ ସଞ୍ଚଇ ନିତ୍ୟେ ଧ୍ୟାୟେ ॥ ୫୬

ଭେଦ ଉପୁଜେ ବନ୍ଧୁମେଳେ । ଧନ-ସଞ୍ଚୟନ ବ୍ୟାକୁଳେ ॥ ୫୭

ବିଚ୍ଛେଦ କରେ ଦାରା ସୁତ । କଦର୍ଯ୍ୟ ବୋଲନ୍ତି ଜଗତ ॥ ୫୮

ଧନ ଏ ସକଳ କାରଣ । କୃପଣେ ମର୍ଯ୍ୟାଦା ଲଂଘନ ॥ ୫୯

ଅଳପ ଧନର କାରଣେ । ବଇର ବଢେ ଅନୁକ୍ଷଣେ ॥ ୬୦

ସ୍ୱଜନ ବନ୍ଧୁ କୁଳଭେଦେ । କନ୍ଦଳ ବାଦ ଅନୁବାଦେ ॥ ୬୧

ମନୁଷ୍ୟ-ଦେହେ ଜନ୍ମ ହୋଇ । ବ୍ରାହ୍ମଣ ତନୁ ମୁହିଁ ପାଇ ॥ ୬୨

ସ୍ୱର୍ଗେ ବାଞ୍ଛନ୍ତି ସୁରଗଣେ । ମନୁଷ୍ୟ ଜନ୍ମ ଅନୁକ୍ଷଣେ ॥ ୬୩

ମୁଁ ଏ ଦୁର୍ଲ୍ଲଭ ଜନ୍ମ ଲଭି । ନିୟତ-କର୍ମେ ପରାଭବୀ ॥ ୬୪

ଏ ଜନ୍ମ କଲି ଅନାଦର । ଧନ ସଞ୍ଚୟ ଧିକ ମୋର ॥ ୬୫

ମନୁଷ୍ୟ-ଦେହ ଭୂମିଭାଗେ । ସାଧଇ ସ୍ୱର୍ଗ ଅପବର୍ଗେ ॥ ୬୬

ସେ ଦେହ ଅନର୍ଥର ଘର । ଧନ ସାଧଇ କେବା ନର ॥ ୬୭

ଦେବତା-ଋଷି-ପିତୃଗଣେ । ସେବା ନ କଲି ମୂଢପଣେ ॥ ୬୮

ଯକ୍ଷର ପ୍ରାୟେ ସଞ୍ଚି ଧନ । ଲଂଘିଲି ବନ୍ଧୁ ଗୁରୁଜନ ॥ ୬୯

ସ୍ୱଭାବେ ବୟସ ସରିଲା । ଏ ଜନ୍ମ ବିଅର୍ଥ ହୋଇଲା ॥ ୭୦

ଜାଣଇଁ ଅନିତ୍ୟ ଜଗତ । ଈଶ୍ୱରମାୟାରେ ମୋହିତ ॥ ୭୧

ଏ ଧନ ଅର୍ଥେ କୁପଣ୍ଡିତ । ବ୍ୟର୍ଥ-ବ୍ୟାକୁଳେ ଲୋଭଗ୍ରସ୍ଥ ॥ ୭୨

ଏଣୁ କି କାର୍ଯ୍ୟ ଧନଧାନ୍ୟେ । ଭାଳଇ ବ୍ୟର୍ଥ ପ୍ରୟୋଜନେ ॥ ୭୩

ମରଣ ମୁଖେ ଏବେ ପଡ଼ି । ଭାଳଇ ନିଜପଥ ହୁଡ଼ି ॥ ୭୪

ଏବେ ଜାଣିଲି ମୋର ଭାଗ୍ୟ । ଗୋବିନ୍ଦ କଲେ ଅନୁରାଗ ॥ ୭୫

ଏ ମୋର ପୂର୍ବ ପୁଣ୍ୟ ଯଶ । ତେଜିଲି ଧନ ଜନ ଆଶା ॥ ୭୬

ଚଞ୍ଚଳମନ ହୃଦେ ରୁନ୍ଧି । ଏବେ ସାଧିବି ସର୍ବସିଦ୍ଧି ॥ ୭୭

ହରି ଚରଣେ ଦେଇ ମତି । ଖଣ୍ଡିବି ଅଶେଷ ଦୁର୍ଗତି ॥ ୭୮

ପୂର୍ବେ ଖଟ୍ୱାଙ୍ଗ ନୃପବର । କରି ଦେବଙ୍କ ଉପକାର ॥ ୭୯

ପୁଣି ସେ ଆସି ମହୀତଳେ । ନିମିଷ ମାତ୍ର ପୁଣ୍ୟଫଳେ ॥ ୮୦

ଭାବେ ଆରାଧି ଚକ୍ରଧର । ଭବସାଗରୁ ହେଲା ପାର ॥ ୮୧

ଏବେ ମୁଁ ସର୍ବ ଆଶା ଛେଦି । ନାନା ପ୍ରକାରେ ତପ ସାଧି ॥ ୮୨

ସଂସାରୁ ତରିବି ଯେମନ୍ତେ । ଏମନ୍ତ ଭାଳି ଦୃଢଚିତ୍ତେ ॥ ୮୩

ନିଶ୍ଚଳ ଶାନ୍ତ-ଦାନ୍ତ-ଚିତ୍ତେ । ତପସ୍ୱୀଜନଙ୍କର ମତେ ॥ ୮୪

ପୃଥିବୀ କରି ପର୍ଯ୍ୟଟନ । ଗିରି ଦୁର୍ଗମ ଘୋରବନ ॥ ୮୫

ଗୁପତେ ଅବଧୂତ ବେଶେ । ବୁଲଇ ପୁର-ଗ୍ରାମ-ଦେଶେ ॥ ୮୬

ସ୍ୱଭାବେ ଦିଶେ କୁଘଟନ । ବୃଦ୍ଧ ଭିକ୍ଷୁକ ସେ ବ୍ରାହ୍ମଣ ॥ ୮୭

ଗ୍ରାମେ ବୁଲଇ ଭିକ୍ଷା ଆଶେ । ମଳିନ ଅବଧୂତ ବେଶେ ॥ ୮୮

ଅତି ପ୍ରପଞ୍ଚ ଅତି କ୍ଷୀଣ । ଦିଶଇ ଜାତିବର୍ଣ୍ଣହୀନ ॥ ୮୯

ଗୁପତ ଦେଖି ତା'ର ଚିହ୍ନ । ଲୋକେ କରନ୍ତି ଅପମାନ ॥ ୯୦

ତାହାକୁ ଦୁଷ୍ଟଗଣେ ବେଢି । କେ ଧାଇଁ ପିଟେ ମୁଣ୍ଡେବାଡ଼ି ॥ ୯୧

କେ ଦଣ୍ଡ-କମଣ୍ଡଳୁ ବଳେ । ଘେନି ପଳାନ୍ତି କୁତୂହଳେ ॥ ୯୨

କେ ଯଜ୍ଞସୂତ୍ର କନ୍ଧୁଁ ଫେଡେ଼ । କେ ପୃଷ୍ଠେ ମାରନ୍ତି ଚାପୋଡେ଼ ॥ ୯୩

କେ କନ୍ଥା ଜୂରକରି ବଳେ । ଭୟେ ପଳାନ୍ତି ଏକମେଳେ ॥ ୯୪

ପୁଣି ରହନ୍ତି ଦୂରେ ଯାଇ । ନାନା ଭର୍ତ୍ସନେ ଗାଳି ଦେଇ ॥ ୯୫

କେ ହସି କରତାଳି ଦେଇ । ଗୁପତେ ତା'ର ପଛେ ରହି ॥ ୯୬

ଭିକ୍ଷା ମାଗିଲେ ଅନ୍ନପାଣି । ତା'କୁ ଦିଅନ୍ତି ଲୋକେ ଆଣି ॥ ୯୭

ଯେବେ ଭୁଞ୍ଜଇ ଜଳତୀରେ । କେ ମୂତେ ଭିକ୍ଷାର ଉପରେ ॥ ୯୮

କେ ମୁଖେ ଅଧୋବାୟୁ ଛାଡେ଼ । କେ ହସି କରେ କର ତାଡେ଼ ॥ ୯୯

କେ ମାରି ଆନକୁ ଦେଖାଇ । ହସନ୍ତି ତା'ର ମୁଖ ଚାହିଁ ॥ ୧୦୦

ତର୍ଜନ ଗର୍ଜନ କେ କରେ । କେ ରଜ୍ଜୁ ବାନ୍ଧନ୍ତି ପୟରେ ॥ ୧୦୧

କେ ଅବା ପୂର୍ବେ ତା'କୁ ଚିହ୍ନି । କହନ୍ତି ପାଞ୍ଚସାତ ଘେନି ॥ ୧୦୨

ଏହାର ନାଶ ଗଲା ଧନ । କୋପେ ଛାଡ଼ିଲେ ବନ୍ଧୁଜନ ॥ ୧୦୩

ଦେଖ କପଟେ କ୍ଷୀଣବେଶ । ଜଗତେ ବୋଲାଇ ସନ୍ନ୍ୟାସ ॥ ୧୦୪

ଦେଖ ବୁଲଇ ଅଧୋମୁଖେ । ଚକ୍ଷୁମଳିନ ସର୍ବଦେଖେ ॥ ୧୦୫

ରାତ୍ରେ ପଶିବ ଘରେଘରେ । ଚୋରି କରିବ ଅଭ୍ୟନ୍ତରେ ॥ ୧୦୬

ଏହାକୁ ମାରି କର ଦୂର । ଦଣ୍ଡେ ନ ଥାଉ ଆମ୍ଭପୁର ॥ ୧୦୭

ଦେଖ ମଉନ ମୁଖେ ଚାହେଁ । ଜଳେ ମୀନକୁ ବକ ପ୍ରାୟେ ॥ ୧୦୮

ଆଜ କରିବ ଜାଣ ଚୋରି । ଦୂର କରାଅ ୟାକୁ ମାରି ॥ ୧୦୯

ଏମନ୍ତେ ଦୁଷ୍ଟଗଣେ ମିଳି । ହସନ୍ତି ଦେଇ କରତାଳି ॥ ୧୧୦

ଭୟେ କରାଇ ତାକୁ ତ୍ରାସ । କରନ୍ତି ହାସ ପରିହାସ ॥ ୧୧୧

ଏମନ୍ତେ ସର୍ବ ବାକ୍ୟ ଶୁଣେ । ପରମାନନ୍ଦ ମନେ ଗୁଣେ ॥ ୧୧୨

କେବେହେଁ ନୋହେ ମନେ ଦୁଃଖୀ । ପୂର୍ବ ଅର୍ଜିତ କର୍ମ ଲକ୍ଷ୍ୟି ॥ ୧୧୩

ଯେ ଅବା ଯେତେବେଳେ ହୋଏ । ଗୋରୁଙ୍କ ପ୍ରାୟେ ସର୍ବ ସହେ ॥ ୧୧୪

ଅଦୃଷ୍ଟ ମାନି କହେ କଥା । କେ ଅଛି ଦୁଃଖସୁଖଦାତା ॥ ୧୧୫

ଗ୍ରହ ଦେବତା କାଳଧର୍ମ । ଆତ୍ମା କି ଅବା କେହି ଜନ ॥ ୧୧୬

ନୁହଁନ୍ତି ସୁଖଦୁଃଖଦାତା । ମନଟି ପରମକରତା ॥ ୧୧୭

ଜନ୍ମମରଣ ବେନିପଥେ । ଯେ ମନ ଭ୍ରମାଏ ନିରତେ ॥ ୧୧୮

ମନ ସେ ତ୍ରିଗୁଣ ସୃଜଇ । ତ୍ରିଗୁଣେ କର୍ମ ସଞ୍ଚରଇ ॥ ୧୧୯

କର୍ମେ ତ୍ରିଲୋକ ଦେହପାଇ । ତୀର୍ଯ୍ୟକ ନର ଦେବ ହୋଇ ॥ ୧୨୦

ଏଣୁ ମନର ଏ ସଂସାର । ସଂସାରୁ ବିଲଗ ଈଶ୍ୱର ॥ ୧୨୧

ଈଶ୍ୱର ବସେ ସାକ୍ଷୀରୂପେ । କର୍ମ କରାଇ ନାନାରୂପେ ॥ ୧୨୨

କର୍ମରେ ସଙ୍ଗ ନାହିଁ ତା'ର । ଜ୍ଞାନରେ ଚେଷ୍ଟା ଯେଣୁ ତା'ର ॥ ୧୨୩

ମନ ତାହାର ସଙ୍ଗେ ମିଶେ । ଲିଙ୍ଗ-ଶରୀରେ ଜୀବ ବସେ ॥ ୧୨୪

କର୍ମ କରଇ ଗୁଣବଳେ । ସଂସାରେ ବନ୍ଧନ ନିଶ୍ଚଳେ ॥ ୧୨୫

ଏଣୁ ଏ ମନର ସଂଯମ । ପରମଜ୍ଞାନର କାରଣ ॥ ୧୨୬

ଦାନ ସ୍ୱଧର୍ମ ଯେ ନିୟମ । ସୁବ୍ରତ କର୍ମ କିବା ଯମ ॥ ୧୨୭

ଏ ସର୍ବ ମନର ସଂଯମ । ମନ ସଂଯମ ପରଜ୍ଞାନ ॥ ୧୨୮

ମନ ସଂଯମ ଅଟେ ଯା'ର । କି କାର୍ଯ୍ୟ ଦାନାଦିରେ ତା'ର ॥ ୧୨୯

ମନ ଆୟତ୍ତ ଯା'ର ନୋହି । ଦାନାଦି କର୍ମେ କିବା ହୋଇ ॥ ୧୩୦

ଏଣୁ ଯେ ମନ ବଶକରେ । ସର୍ବ ଇନ୍ଦ୍ରିୟ ସେ ସଂହରେ ॥ ୧୩୧

ମନର ବଶ ଯେବା ହୋଇ । ଇନ୍ଦ୍ରିୟ ଅର୍ଥେ ସେ ଭ୍ରମଇଁ ॥ ୧୩୨

ଯୋଗୀଏ ଯୋଗବଳ ଧରି । ବଳେ ଇନ୍ଦ୍ରିୟ ବଶ କରି ॥ ୧୩୩

ମନ ଅବଶେ ଯୋଗଭ୍ରଷ୍ଟ । ଏଣୁ ଏ ମନ ଅଟେ ଶ୍ରେଷ୍ଠ ॥ ୧୩୪

ଯେ ତାକୁ ବଶ କରିପାରେ । ସର୍ବ ଇନ୍ଦ୍ରିୟ ଜୟ କରେ ॥ ୧୩୫

ଦୁର୍ଜୟ ଶତ୍ରୁ ଅଟେ ମନ । ତା'କୁ ନ ଜିଣି ଯେବା ଜନ ॥ ୧୩୬

ଉଦାସୀ ମିତ୍ର ଶତ୍ରୁ ଆନ । ବିଚାରେ ମୂଢ ସେହୁ ଜନ ॥ ୧୩୭

ମନ କଳ୍ପିତ ଦେହ ପାଇ । ମୁହିଁ ମୋହର ଚିତ୍ତେ ଧ୍ୟାୟି ॥ ୧୩୮

ଅନ୍ୟୋନ୍ୟ ଶତ୍ରୁ ମିତ୍ର ଚିନ୍ତି । ଅପାର ସଂସାରେ ଭ୍ରମନ୍ତି ॥ ୧୩୯

ଯେ ପ୍ରାଣୀ ଆତ୍ମାକୁ ନ ଜାଣେ । ସେ ରିପୁମିତ୍ର ପରିମାଣେ ॥ ୧୪୦

ମାୟା ସଂସାରେ ଜ୍ଞାନହାରି । ଜୀବକୁ ଜୀବ ହିଂସା କରି ॥ ୧୪୧

ସ୍ୱଭାବେ ଜୀବ ନିର୍ବିକାର । ଦୋଷ ଅଦୋଷ ନାହିଁ ତା'ର ॥ ୧୪୨

ଆପଣା ହସ୍ତେ ଜିହ୍ୱା ଛେଦି । କେ ତା'ର ଅଛି ପ୍ରତିବାଦୀ ॥ ୧୪୩

ଦେବତା ବଶେ ସର୍ବଭୂତେ । ଇନ୍ଦ୍ରିୟ ଅଭେଦେ ନିଶ୍ଚିନ୍ତେ ॥ ୧୪୪

କୋପଇ ଏକ ଅଙ୍ଗେ ଥାଇ । ଆରକ ଅଙ୍ଗେ ପ୍ରହାରଇ ॥ ୧୪୫

ଏ ଦୁଃଖ ସୁଖ ବିଚାରିଲେ । ଲାଗଇ ନାହିଁ ଆତ୍ମାତୁଲେ ॥ ୧୪୬

ଯେବେ ବୋଲିବା ଗ୍ରହଦୋଷେ । ପ୍ରାଣୀ ବନ୍ଧନ ଗୁଣପାଶେ ॥ ୧୪୭

ଏ ଅନୁମାନ ସତ୍ୟ ନୋହେ । ଗ୍ରହ କି ମାରେ ଗ୍ରହ ଦେହେ ॥ ୧୪୮

ଏ ଦୁଃଖସୁଖ ହେତୁ କର୍ମ । ବିଚାରି କଲେ ତୁଟେ ଭ୍ରମ ॥ ୧୪୯

ସ୍ୱଭାବେ ଦେହ ଜଡ଼ମୟ । ସଞ୍ଚିତ ମୃତ୍ତିକାର ପ୍ରାୟ ॥ ୧୫୦

ଆତ୍ମା ପରମହଂସ ପକ୍ଷେ । ନିତ୍ୟେ ବସଇ ନାନାବୃକ୍ଷେ ॥ ୧୫୧

ଏ ଆତ୍ମା ବ୍ରହ୍ମ ସୂକ୍ଷ୍ମସାର । ନିର୍ମଳ ନିତ୍ୟ ନିରାକାର ॥ ୧୫୨

ଏଣୁ ଏ ଦୁଃଖସୁଖ ପାଇ । ଏ ଅନୁମାନ ନ ଘଟଇ ॥ ୧୫୩

ଯେବେ ବୋଲିବା ନ୍ୟାୟେ ଅଛି । କାଳହିଁ ଦୁଃଖସୁଖ ଲେଖି ॥ ୧୫୪

ଫଳଇ ଦେହେ ଯଥାକାଳେ । ବୃଦ୍ଧ ତରୁଣ କିବା ବାଳେ ॥ ୧୫୫

ତେବେ ଆତ୍ମାର କିବା ଦୋଷ । ସ୍ୱଭାବେ ଆତ୍ମା ବିଷ୍ଣୁଅଂଶ ॥ ୧୫୬

ଏଣୁ ଦୁଃଖସୁଖ ବିଚାରେ । ନ ଘଟେ ନିଜ କିବା ପରେ ॥ ୧୫୭

ଯେଣୁ ଏ ଅନିତ୍ୟ ସଂସାରେ । ପ୍ରାଣୀ ବନ୍ଧନ ଅହଙ୍କାରେ ॥ ୧୫୮

ଏଣୁ ଏ ମାନ ଅପମାନ । ନ ଘେନେ ଆତ୍ମଜ୍ଞାନୀ ଜନ ॥ ୧୫୯

ଶତ୍ରୁ ବାନ୍ଧବ ନିିଜ ପର । ଏ ଦୁଃଖ ସୁଖ ଭ୍ରମ ମୋର ॥ ୧୬୦

ବୁଲଇ ମାୟାଭ୍ରମ ଜଡେ଼ । ଏଣୁ ସଂସାର ପ୍ରାଣୀ ପଡେ଼ ॥ ୧୬୧

ପୂର୍ବେ ଯେ ମହାଋଷିଗଣେ । ପରମ ଆତ୍ମନିଷ୍ଠାଜ୍ଞାନେ ॥ ୧୬୨

ତରିଲେ ଏ ଘୋରସଂସାର । ମୁଁ ଏବେ କରି ସେ ବିଚାର ॥ ୧୬୩

ଗୋବିନ୍ଦପାଦେ ସେବା କରି । ଘୋରସଂସାରୁ ଯିବି ତରି ॥ ୧୬୪

ଏତେ ବିଚାରି ବିପ୍ରମନେ । ଚିତ୍ତ ନିରୋଧି ଯୋଗଧ୍ୟାନେ ॥ ୧୬୫

ହରିଚରଣ କଲା ସାର । ତେଜିଲା ମାନ ଅହଙ୍କାର ॥ ୧୬୬

ନିର୍ମଳ ଚିତ୍ତ ମୋ' ଚରଣେ । ବୁଲେ ଅବନୀ ପର୍ଯ୍ୟଟନେ ॥ ୧୬୭

ମୋର ଚରଣାମ୍ବୁଜ ବିନେ । କିଛି ନ ଜାଣେ ରାତ୍ରଦିନେ ॥ ୧୬୮

ଫିଟିଲା ଅଶେଷ ବନ୍ଧନ । ମୋହର ପାଦେ ଦେଇ ମନ ॥ ୧୬୯

ଉଦ୍ଧବ ଏହା ମନେ ଧର । ସର୍ବ ସଂଶୟ ପରିହର ॥ ୧୭୦

ନିର୍ମଳ ଚିତ୍ତ ମୋର ପାଦେ । ସମର୍ପି ରହ ତୁ ଆନନ୍ଦେ ॥ ୧୭୧

ଏ ଭିକ୍ଷୁଗୀତା ଇତିହାସେ । ତୋ ଆଗେ କହିଲି ବିଶ୍ୱାସେ ॥ ୧୭୨

ଏ ଗୁଣମୟ ବ୍ରହ୍ମଜ୍ଞାନ । ଯେ କରେ ଶ୍ରବଣ ପଠନ ॥ ୧୭୩

ଅଶେଷ ଦୋଷ ତା'ର ହରେ । ନ ପଡେ଼ ଭବପଙ୍କ-ଘୋର ॥ ୧୭୪

ହରଇ କାମ-କ୍ରୋଧ-ଦୋଷ । ନ ଲାଗେ ଦୁଃଖ ଶୋକ ପ୍ରାସ ॥ ୧୭୫

ଉଦ୍ଧବେ କହେ ନାରାୟଣ । ସୁଜନେ ସାବଧାନ ଶୁଣ ॥ ୧୭୬

ପରମଭାଗବତବାଣୀ । ଶୁକ ଯା' ଶ୍ରୀମୁଖେ ବଖାଣି ॥ ୧୭୭

କହଇ ଦାସ ଜଗନ୍ନାଥ । ଶ୍ରୀଏକାଦଶେ ଭାଗବତ ॥ ୧୭୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଏକାଦଶସ୍କନ୍ଧେ ଚତୁର୍ବିଂଶୋଦ୍ଧଧ୍ୟାୟଃ ॥

* * *