ଏକାଦଶ ସ୍କନ୍ଧ
ତ୍ରୟୋବିଂଶ ଅଧ୍ୟାୟ
ଉଦ୍ଧବ ଉବାଚ
ଉଦ୍ଧବ ଶିରେ ଦେଇ କର । ବୋଲି ଶୁଣ ଦାମୋଦର ॥ ୧
ବେଦ-ବିଚାର-ତତ୍ତ୍ୱ ଜାଣି । ଯେବେ ସଂସାରୁ ତରେ ପ୍ରାଣୀ ॥ ୨
ସେ ତତ୍ତ୍ୱ ଏକ ଅବା କେତେ । କହ କେଶବ ମୋ' ଅଗ୍ରତେ ॥ ୩
ତ୍ରି ନବ ଏକାଦଶ ପଞ୍ଚ । ଶୁଣିଛି ତୁମ୍ଭେ କହିଅଛ ॥ ୪
ନାନା ପ୍ରକାରେ ମୁନିଗଣେ । କହନ୍ତି ତତ୍ତ୍ୱ-ବିଚାରଣେ ॥ ୫
କେ ଷଟ ସପ୍ତ ଚାରି ଭଣେ । କେ ଏକାଦଶ ପରମାଣେ ॥ ୬
କେ ପଞ୍ଚବିଂଶ ଷଡ଼ବିଂଶ । କେହୁ କହନ୍ତି ସପ୍ତଦଶ ॥ ୭
କାହାର ମତେ ତ୍ରୟୋଦଶ । କେ ଅବା ନବ, କେ ଷୋଡ଼ଶ ॥ ୮
ଏ ସର୍ବ ସତ୍ୟ ଅବା କେତେ । ପ୍ରସ୍ତାବେ ପୁଚ୍ଛିଲଇଁ ତୋତେ ॥ ୯
ଏମନ୍ତେ ଉଦ୍ଧବ ବଚନ । ଯେ ତା'ର ଚିତ୍ତଗତ ଭ୍ରମ ॥ ୧୦
ଶୁଣି କହନ୍ତି ଚକ୍ରପାଣି । ଶୁଣ ହୋ ମୁନିଗଣ-ବାଣୀ ॥ ୧୧
ଭଗବାନ ଉବାଚ
ମୁନି କହନ୍ତି ସର୍ବସ୍ଥାନେ । ଯେ ଅବା ଯେତେ ଅନୁମାନେ ॥ ୧୨
କେବେ ହେଁ ନୋହେ ଦୁର୍ଘଟନ । ସେ ସତ୍ୟ ଏ ତିନିଭୁବନ ॥ ୧୩
ସଂସାରେ ମୁନିଗଣ ଚିତ୍ତ । ମୋ'ର ମାୟାରେ ବିମୋହିତ ॥ ୧୪
ନାନା ପ୍ରକାରେ ତର୍କବଳେ । ତତ୍ତ୍ୱ ବଖାଣନ୍ତି ଶୟଳେ ॥ ୧୫
କୁତର୍କ ବିବାଦ ପ୍ରକାରେ । ତତ୍ତ୍ୱ ବିଚାରନ୍ତି ସଂସାରେ ॥ ୧୬
ଏଣୁ ବଚନ ଏହାଙ୍କର । ବୁଝ ତୁ ଅନେକ ପ୍ରକାର ॥ ୧୭
ମୁଁ ଯାହା କହିଅଛି ତୋତେ । ସଂସାରେ ତତ୍ତ୍ୱ ମାତ୍ର ଏତେ ॥ ୧୮
ମୁନିଏ ବିବାଦେ ଏମନ୍ତେ । ତର୍କ କରନ୍ତି ଯେଝାମତେ ॥ ୧୯
ଶୁଣ ଉଦ୍ଧବ ସାଧୁ ଧୀର । ଏ ତତ୍ତ୍ୱମାନଙ୍କ ବିଚାର ॥ ୨୦
ଅନ୍ୟୋନ୍ୟେ ପ୍ରବେଶ ସେ ହୋଇ । କାର୍ଯ୍ୟ କାରଣ ରୂପେ ଥାଇ ॥ ୨୧
ସେ ପରସ୍ପରେ ମିଶାମିଶି । ଘଟ ମୃତ୍ତିକା ପ୍ରାୟ ଦିଶି ॥ ୨୨
ଜାଣିଲେ ଏକରୂପ ସେହି । ବିକଳ୍ପେ ନାନାରୂପ ହୋଇ ॥ ୨୩
ଯେ ପୂର୍ବାପର ତତ୍ତ୍ୱଙ୍କର । ଊଣା ଅଧିକେ ଯେ ବିଚାର ॥ ୨୪
ପଣ୍ତିତଗଣେ ବାଦ ଚିନ୍ତି । ଯେତେ ବା କହିଣ ଅଛନ୍ତି ॥ ୨୫
ମୁନିବଚନ ସୁଘଟନ । ତେଣୁ ସେ ନୁହଇ ଖଣ୍ତନ ॥ ୨୬
ସ୍ୱଭାବେ ମୋରେ ମାୟା ଘେନି । ଯୁକ୍ତି କରନ୍ତି ତୋତେ ମୁନି ॥ ୨୭
ତାଙ୍କ ବଚନ ମହୀତଳେ । ମୁହିଁ ସ୍ଥାପଇ ସୁନିଶ୍ଚଳେ ॥ ୨୮
ଏଣୁ ଯେ ତତ୍ତ୍ୱଜ୍ଞ ପୁରୁଷ । ଦିଅନ୍ତି ଜ୍ଞାନ ଉପଦେଶ ॥ ୨୯
ଈଶ୍ୱର ପୁରୁଷଙ୍କ ଗାତ୍ରେ । ବିଚ୍ଛେଦ ନାହିଁ ତିଳମାତ୍ରେ ॥ ୩୦
ବିକଳ୍ପ କଳ୍ପନା ଗୋଚରେ । ଜୀବ ପରମ ଭେଦ କରେ ॥ ୩୧
ଯୁକ୍ତି କରନ୍ତି ଶ୍ରୁତିଭେଦେ । ପଣ୍ତିତ ସ୍ୱଭାବ ବିବାଦେ ॥ ୩୨
ତଥାପି ତାହାଙ୍କ ବଚନ । ମୁହିଁ ଯେ କରଇ ସ୍ଥାପନ ॥ ୩୩
ପ୍ରକୃତି ଭେଦ ତିନିଗୁଣ । ତତ୍ତ୍ୱରେ ନୁହଁନ୍ତି ଗଣନ ॥ ୩୪
କାଳ ସ୍ୱଭାବ ଯେ ଈଶ୍ୱର । ତ୍ରିଗୁଣୁଁ ଅଟନ୍ତି ସେ ପର ॥ ୩୫
ତାହାର ସର୍ବଶକ୍ତି ଭାବେ । ତା ତହୁଁ ତ୍ରିଗୁଣ ସମ୍ଭବେ ॥ ୩୬
ତେଣୁ ଏ ସଂସାରେ ଭକତ । ଯେ ସୂତ୍ର ନାମ ମହତ୍ତତ୍ତ୍ୱ ॥ ୩୭
ପୁରୁଷ ପ୍ରକୃତି ମହତ । ଅହଙ୍କାର ନଭ ମରୁତ ॥ ୩୮
ତେଜ ସହିତେ ଅପେ କ୍ଷିତି । ଏ ନବତତ୍ତ୍ୱରେ ଗଣତି ॥ ୩୯
ଚକ୍ଷୁ ନାସିକା ଚମ କର୍ଣ୍ଣ । ଜିହ୍ୱା ଇନ୍ଦ୍ରିୟ ପଞ୍ଚଜ୍ଞାନ ॥ ୪୦
ବଚନ ଗୁଦ ପାଦ ପାଣି । ଉପସ୍ଥ ପଞ୍ଚକର୍ମ ଘେନି ॥ ୪୧
ଉଭୟକର୍ତ୍ତା ମନ ମିଶି । ଏ ରୂପେ ଏକାଦଶ ଭାଷି ॥ ୪୨
ଶବ୍ଦ ସ୍ପରଶ ରୂପ ରସ । ଗନ୍ଧ ଏ ପାଞ୍ଚ ପରକାଶ ॥ ୪୩
ଜ୍ଞାନ ଇନ୍ଦ୍ରିୟର ଏ ଅର୍ଥ । ଏମନ୍ତେ ପଞ୍ଚବିଂଶ ତତ୍ତ୍ୱ ॥ ୪୪
ଜୀବ ପରମ ଭେଦ କଲେ । ଷଡ଼ବିଂଶତି ହୋଏ ଭଲେ ॥ ୪୫
କାର୍ଯ୍ୟକାରଣରୂପୀ ଯେହି । ପ୍ରକୃତି ବୋଲି ତା'କୁ କହି ॥ ୪୬
ପୁରୁଷ ଅବ୍ୟକ୍ତ ଅଟଇ । କେବଳ ଦୃଷ୍ଟି ମାତ୍ର ଦେଇ ॥ ୪୭
ସେ ଦୃଷ୍ଟିଯୋଗେ ହୋଇ ଜାତ । ମହତ ଆଦି ସର୍ବସତ୍ତ୍ୱ ॥ ୪୮
ପ୍ରକୃତି ବଳେ ହୋଇ ରୁଣ୍ତ । ସୃଜନ୍ତି ଅଶେଷ ବ୍ରହ୍ମାଣ୍ତ ॥ ୪୯
ଜୀବ-ପରମ ପଞ୍ଚଭୂତ । କେ ବୋଲେ ଏହା ସପ୍ତତତ୍ତ୍ୱ ॥ ୫୦
ଜୀବ-ପରମ ଏକ ମାନି । କେହି ବା ଷଡ଼ତତ୍ତ୍ୱ ଗଣି ॥ ୫୧
ତେଜ ଆବର ଜନ ଅନ୍ନ । ଆତ୍ମାରୁ ଏ ଯେ ଉତପନ୍ନ ॥ ୫୨
ଏ ତହୁଁ ଆନ ସବୁ ଜାତ । ଏଣୁ କେ ବୋଲେ ଏହା ଚାରିତତ୍ତ୍ୱ ॥ ୫୩
କର୍ମ ଇନ୍ଦ୍ରିୟ ପଞ୍ଚଭୂତେ । ଆବର ପଞ୍ଚତନମାତ୍ରେ ॥ ୫୪
ମନ ପରମ ଆତ୍ମା ଘେନି । କେ ସପ୍ତଦଶ ତତ୍ତ୍ୱ ଭଣି ॥ ୫୫
ମନ ଆତ୍ମାକୁ ଏକ ମାନି । କେହୁ ଷୋଡ଼ଶ ତତ୍ତ୍ୱ ଗଣି ॥ ୫୬
କର୍ମ ଇନ୍ଦ୍ରିୟ ପଞ୍ଚଭୂତ । ଜୀବ ପରମ ମନସ୍ତତ୍ତ୍ୱ ॥ ୫୭
ଏ ରୂପେ ତ୍ରୟୋଦଶ ତତ୍ତ୍ୱ । କେହି ବା ବୋଲନ୍ତି ଏମନ୍ତ ॥ ୫୮
ଜୀବ ପରମ ମନ ତିନି । ଏକଇ ଆତ୍ମା କେହୁ ମାନି ॥ ୫୯
ପଞ୍ଚଇନ୍ଦ୍ରିୟ ପଞ୍ଚଭୂତ । କେ ବୋଲେ ଏକାଦଶ ତତ୍ତ୍ୱ ॥ ୬୦
ମନ ବୁଦ୍ଧି ଯେ ଅହଙ୍କାର । ପଞ୍ଚମହାଭୂତ ଆବର ॥ ୬୧
ପୁରୁଷ ଘେନି କେହୁ ମୁନି । ନବତତ୍ତ୍ୱ ଯେ ପରିମାଣି ॥ ୬୨
ଏମନ୍ତ ମୁନିଙ୍କ ବଚନେ । ଯେ ତତ୍ତ୍ୱ ଘଟେ ଅନୁମାନେ ॥ ୬୩
ଶାସ୍ତ୍ର ବିଚାରନ୍ତି ସଂସାରେ । ଏମନ୍ତେ ଅନେକ ପ୍ରକାରେ ॥ ୬୪
ନ୍ୟାୟ ବଚନ ଯୁକ୍ତି ମୂଳ । କର୍ଣ୍ଣେ ଶୁଣନ୍ତେ କୁତୂହଳ ॥ ୬୫
ପଣ୍ତିତମାନଙ୍କ ବଚନ । କେବେହେଁ ନୋହେ ଦୁର୍ଘଟନ ॥ ୬୬
ଏମନ୍ତ ଗୁଣମୟବାଣୀ । ଉଦ୍ଧବ କୃଷ୍ଣମୁଖୁଁ ଶୁଣି ॥ ୬୭
ପୁଣି ସଂଶୟ କରି ମନେ । ପୁଚ୍ଛଇ କୃଷ୍ଣ ସନ୍ନିଧାନେ ॥ ୬୮
ଉଦ୍ଧବ ଉବାଚ
ପ୍ରକୃତି ପୁରୁଷ ସ୍ୱଭାବେ । ଏକୁ ଆରେକ ଭିନ୍ନ ଯେବେ ॥ ୬୯
ଆଶ୍ରେ କରନ୍ତି ଅନ୍ୟୋଅନ୍ୟେ । ନିତ୍ୟେ ବସନ୍ତି ଏକସ୍ଥାନେ ॥ ୭୦
ପ୍ରକୃତି ପୁରୁଷର ଦେହେ । ବସଇ ଜୀବନର ପ୍ରାୟେ ॥ ୭୧
ପ୍ରକୃତି ପୁରୁଷ ନ ଛାଡ଼େ । ଏଣୁ ନ ଥା'ନ୍ତି ଏକ ଜଡ଼େ ॥ ୭୨
କେମନ୍ତେ ଦେହୁଁ ଆତ୍ମା ଭିନ୍ନ । ସମ୍ଭବୁ ନାହିଁ ମୋର ମନ ॥ ୭୩
ଏ ଚିତ୍ତ ସଂଶୟ ମୋହର । ଛେଦ ହେ କମଳାର ବର ॥ ୭୪
ଗୋବିନ୍ଦ କମଳଲୋଚନ । ପରମପୁରୁଷ ଉତ୍ତମ ॥ ୭୫
ତୋ'ର ମାୟାରେ ଜୀବ ଯେତେ । ମୋହେ ଯନ୍ତ୍ରିତ ଏ ଜଗତେ ॥ ୭୬
ଯାହାକୁ ହେଉ ତୁ ସଦୟ । ଜ୍ଞାନ ତା ହୃଦରୁ ଉଦୟ ॥ ୭୭
ତୁ ଆତ୍ମା ସର୍ବଜୀବଗତି । ତୁ ଗୁରୁ ଜ୍ଞାନଗମ୍ୟ ମତି ॥ ୭୮
ତୁ ଜାଣୁ ତୋ'ର ମାୟାଗତି । ଅପରେ ତାହା ନ ଜାଣନ୍ତି ॥ ୭୯
ଏମନ୍ତ ଶୁଣି ତା' ବଚନ । କହନ୍ତି ଦେବକୀନନ୍ଦନ ॥ ୮୦
ପୁରୁଷ ପ୍ରକୃତି ତ୍ରିଗୁଣ । ସଂଯୋଗ ବିଯୋଗ କାରଣ ॥ ୮୧
ପୁରୁଷ ବିନା ପ୍ରକୃତିର । ପ୍ରକାଶ ନୁହଇ ଗୋଚର ॥ ୮୨
ରବି ବିହୀନେ ଚକ୍ଷୁ ଯେହ୍ନେ । ତେମନ୍ତେ ପୁରୁଷ ବିହୀନେ ॥ ୮୩
ରବି ଯେସନେ ସ୍ୱପ୍ରକାଶ । ଉଦ୍ଧବ ତେମନ୍ତ ପୁରୁଷ ॥ ୮୪
ପୁରୁଷ-ପ୍ରକୃତି ଏ ଭିନ୍ନ । ଏକ ବିହୀନେ ଅନ୍ଧ ଆନ ॥ ୮୫
ମୋର ବିମୁଖ ପ୍ରାଣୀଙ୍କର । ଏ କଥା ନୁହଇ ଗୋଚର ॥ ୮୬
ସକଳ ଗୁଣ-ଭେଦ ଯେତେ । ବିସ୍ତାରି କହିଅଛି ତୋତେ ॥ ୮୭
ତୁ ତାହା ଚିତ୍ତେ ଭଲେ ସ୍ମର । ଶୁଣି ଉଦ୍ଧବ ଯୋଡ଼ିକର ॥ ୮୮
ବୋଲଇ ବିନୟ ବଚନ । ଭୋ ନାଥ କର ଅବଧାନ ॥ ୮୯
ତୋ'ର ବିମୁଖ ଯେତେ ପ୍ରାଣୀ । ତାହାଙ୍କୁ ନିଜକର୍ମ ଆଣି ॥ ୯୦
ନାନା ଯୋନିରେ ଜାତ କରେ । ତେଣୁ ଶରୀର ପ୍ରାଣୀ ଧରେ ॥ ୯୧
ଭ୍ରମନ୍ତି ନିଜ କର୍ମପଥେ । ଦୁଃଖ-ଦୁରିତ ଭୋଗ ଅର୍ଥେ ॥ ୯୨
ଶରୀର ଧରନ୍ତି କେମନ୍ତେ । ଛାଡ଼ନ୍ତି ନିଜ କର୍ମ ଅନ୍ତେ ॥ ୯୩
ନାନ ବିପାକେ ଭୁଞ୍ଜେ କର୍ମ । ଗତ-ଆଗତ ପଥଶ୍ରମ ॥ ୯୪
ଭୋ ନାଥ ଭକତବତ୍ସଳ । କରୁଣାସିନ୍ଧୁ ଆଦିମୂଳ ॥ ୯୫
ନମୋ ଗୋବିନ୍ଦ ଦାମୋଦର । କହ ସଂଶୟ ଯାଉ ମୋର ॥ ୯୬
ଉଦ୍ଧବ ବାକ୍ୟେ ଜଗନ୍ନାଥ । ଜୀବର ଗତି ପରମାର୍ଥ ॥ ୯୭
କହନ୍ତି ଉଦ୍ଧବକୁ ଚାହିଁ । ଶୁଣ ହୋ ଏକଚିତ୍ତେ ତୁହି ॥ ୯୮
ମନଟି କର୍ମମୟ ହୋଇ । ନାନାପ୍ରକାରେ ସୃଜେ ମହୀ ॥ ୯୯
ପ୍ରାଣୀ ଜୀବନ ଅନ୍ତଃକାଳେ । ମନ ଇନ୍ଦ୍ରିୟ ପଞ୍ଚମେଳେ ॥ ୧୦୦
ପ୍ରାଣ ସଙ୍ଗତେ ଯାହା ଭାବେ । ସେ ଅନୁସାରେ ଜନ୍ମ ଲଭେ ॥ ୧୦୧
ଏ ଆତ୍ମା ମନ ପଛେ ପଛେ । ସ୍ୱଭାବେ ବୁଲଇ ପ୍ରତ୍ୟକ୍ଷେ ॥ ୧୦୨
ଏଣୁ ସେ ମନ ଥାଏ ଯହିଁ । ଏ ଜୀବ ଆତ୍ମା ମିଳେ ତହିଁ ॥ ୧୦୩
ଏ ଆତ୍ମା ଅହଙ୍କାରେ ବନ୍ଦୀ । ଅଦୃଷ୍ଟବଶ ନିରବଧି ॥ ୧୦୪
ଏଣୁ ଏ ନାନା ମନୋରଥେ । ବିଷୟ ଧ୍ୟାନ ଅବିରତେ ॥ ୧୦୫
ବେଦବଚନେ କର୍ମ କରେ । ଶୋକ-ହରଷେ ସେ ବିହରେ ॥ ୧୦୬
ଧ୍ୟାନେ ଚିନ୍ତଇ ସ୍ୱର୍ଗବାସ । ଦେବତ୍ୱ ଇନ୍ଦ୍ରପଦେ ଆଶ ॥ ୧୦୭
ଭୂମିରେ ଚିନ୍ତେ ରାଜପଦ । ନାନାପ୍ରକାରେ ଭୋଗେ ସଧ ॥ ୧୦୮
ଏମନ୍ତ ଚିନ୍ତଇ ନିରତେ । ମନ ଭ୍ରମାଇଁ ନାନାପଥେ ॥ ୧୦୯
ଏମନ୍ତେ ମନ ଯହିଁ ରହେ । ଜ୍ଞାନ ହରଇ ପୂର୍ବଦେହେ ॥ ୧୧୦
ମନ-ବାସନା ଜୀବ ସଙ୍ଗେ । କର୍ମ ମିଳଇ ତା'ର ଆଗେ ॥ ୧୧୧
ସେ ପରଦେହେ ଯେବେ ପଶେ । ଏକାନ୍ତେ ମନ ତହିଁ ମିଶେ ॥ ୧୧୨
ଆତ୍ମା ସଙ୍ଗତେ ରହେ ସ୍ଥିରେ । ପୂର୍ବଶରୀର ସେ ପାସୋରେ ॥ ୧୧୩
ଲଭଇ ନୂଆଦେହେ ସଙ୍ଗ । ତେବେ ପାସୋରେ ପୂର୍ବଅଙ୍ଗ ॥ ୧୧୪
ଜୀବ ସଙ୍ଗତେ ଚଳେ ପ୍ରାଣ । ଏମନ୍ତେ ଲଭଇ ମରଣ ॥ ୧୧୫
ପୂର୍ବଶରୀର ପରିତ୍ୟାଗି । ନୂତନ ଦେହେ ଅନୁରାଗୀ ॥ ୧୧୬
ସେ ଦେହେ ରହେ ଆତ୍ମାଭାବେ । ପ୍ରାଚୀନ ପ୍ରକୃତି ସ୍ୱଭାବେ ॥ ୧୧୭
ଜୀବର ଜନ୍ମ ଏ ପ୍ରକାରେ । ଶରୀରୁ ଶରୀର ସଞ୍ଚରେ ॥ ୧୧୮
ଏ ଜୀବ ସପ୍ନ ମନୋରଥେ । ଯେ ରୂପେ ଭ୍ରମୁଥାଇ ନିତ୍ୟେ ॥ ୧୧୯
ନିଦ୍ରା ଅବସାନେ ସଚେତେ । ଯେ ରୂପେ ପାସୋରଇ ଚିତ୍ତେ ॥ ୧୨୦
ସେହି ପ୍ରକାରେ ପୂର୍ବଦେହୀ । ପାସୋରେ ପରତନୁ ପାଇ ॥ ୧୨୧
ଏ ଆତ୍ମା ନିର୍ମଳ ସ୍ୱଭାବେ । ମନର ବଶ ହୋଏ ଯେବେ ॥ ୧୨୨
ଉତ୍ତମ ମଧ୍ୟମ ଅଧମ । ଗତି ଲଭଇ କରି କର୍ମ ॥ ୧୨୩
କୁପୁତ୍ର-ବଶେ ସାଧୁଜନେ । ଲଭନ୍ତି ମନ୍ଦଗତି ଯେହ୍ନେ ॥ ୧୨୪
ଏ ଦେହ ଜନ୍ମ ମୃତ୍ୟୁ ଦୁଇ । କ୍ଷଣକୁ କ୍ଷଣ ନିତ୍ୟେ ପାଇ ॥ ୧୨୫
କାଳର ଅତି ସୂକ୍ଷ୍ମଗତି । ଏଣୁ ନ ପାରେ କେହି ଚିନ୍ତି ॥ ୧୨୬
ଜନ୍ମ-ମରଣ ବେନି ମତ । ବିଚାରେ ନୁହନ୍ତି ଏ ସତ୍ୟ ॥ ୧୨୭
ଜନ୍ମାଦି ମରଣ ପର୍ଯ୍ୟନ୍ତେ । ଜୀବର ଭ୍ରମ ବୋଲି ଏତେ ॥ ୧୨୮
ଏ ବେନିମାର୍ଗ ଅନୁସରି । ଉଦ୍ଧବେ କହିଲେ ମୁରାରି ॥ ୧୨୯
ଯେସନେ ଦୀପର ଅନଳ । ବୃକ୍ଷର ଫଳ ସ୍ରୋତଜଳ ॥ ୧୩୦
ବୟସ ଅବସ୍ଥା ବିକାର । ଏ ରୂପେ ସର୍ବ ପ୍ରାଣୀଙ୍କର ॥ ୧୩୧
ଅଗ୍ନିରେ ଦୀପ ବୁଦ୍ଧି କରି । ନଦୀରେ ଜଳକୁ ଆବୋରି ॥ ୧୩୨
ବୋଲନ୍ତି କ୍ଷୟ-ବୃଦ୍ଧି ଦୁଇ । ଜଳର ଅଗ୍ନିର ହୁଅଇ ॥ ୧୩୩
ସେ ରୂପେ ଆତ୍ମା ଦେହେ ମାନି । ଜନ୍ମ ମରଣ ଅଭିମାନୀ ॥ ୧୩୪
ମର୍ତ୍ତ୍ୟେ ମନୁଷ୍ୟ ଦେହ ବହି । ଦେବତା ହୋଇଲେ ମରଇ ॥ ୧୩୫
ଯେସନେ ଅଗ୍ନି ଦାରୁ ସଙ୍ଗ । ହୁଅଇ ସଂଯୋଗ ବିଯୋଗ ॥ ୧୩୬
ଜନ୍ମମରଣ ତା'କୁ ମାନି । ଏ ରୂପେ କହନ୍ତି ଅଜ୍ଞାନୀ ॥ ୧୩୭
ଗର୍ଭେ ପ୍ରବେଶ ଜନ୍ମ ବୁଦ୍ଧି । ବାଳୁତ ପଞ୍ଚମ ଅବଧି ॥ ୧୩୮
କୁମାର ଅବସ୍ଥା ଷୋଡ଼ଶ । ଯୌବନ ଚାଳିଶ ବରଷ ॥ ୧୩୯
ମଧ୍ୟମ ବୟସ ଷାଠିଏ । ଜରା ମରଣ ନବ ହୋଏ ॥ ୧୪୦
ଏ ମନୋରଥମୟ ଦେହ । ଯେ ଉଚ୍ଚନୀଚ ଗୁଣମୟ ॥ ୧୪୧
ଅବସ୍ଥା ଭେଦେ ଜନ୍ମମୃତ୍ୟୁ । ବିବେକ ଜ୍ଞାନ ଜାଣି ହେତୁ ॥ ୧୪୨
ଛାଡ଼ିଲେ ଦେହ ଆତ୍ମାଭାବ । ମଣଇ ଆତ୍ମାକୁ ବିଲଗ ॥ ୧୪୩
ଦେହରୁ ଦେହ ହୋଇ ଜାତ । ହୁଅଇ ପିତାପୁତ୍ର ମତ ॥ ୧୪୪
ଆତ୍ମାର ଜନ୍ମମୃତ୍ୟୁ ନାହିଁ । ଦେହରୁ ବିଲକ୍ଷଣ ସେହି ॥ ୧୪୫
ଯେସନେ ବୀଜୁଁ ବୃକ୍ଷ ଜାତ । ସେ ବୀଜ ପୁଣି ବୃକ୍ଷେ ସ୍ଥିତ ॥ ୧୪୬
ବିପାକେ ଜନ୍ମମୃତ୍ୟୁ ନାହିଁ । ବୀଜର ଜନ୍ମମୃତ୍ୟୁ କାହିଁ ॥ ୧୪୭
ବୃକ୍ଷରୁ ବୀଜ ବିଲକ୍ଷଣ । ସେ ରୂପେ ଦେହୁଁ ଆତ୍ମା ଭିନ୍ନ ॥ ୧୪୮
ମାୟା ଶରୀରେ ଅପଣ୍ତିତ । ଆତ୍ମାକୁ କରଇ ସଂଯୁତ ॥ ୧୪୯
ତତ୍ତ୍ୱ ବିଷୟେ ମୂଢପଣେ । ସଂସାରେ ସତ୍ୟ ବୋଲି ମଣେ ॥ ୧୫୦
ସତ୍ତ୍ୱଗୁଣରୁ ଋଷିଦେବ । ରଜରୁ ଅସୁର ମାନବ ॥ ୧୫୧
ତମୁଁ ତୀର୍ଯ୍ୟକ ଭୂତ ଜାତ । କର୍ମ ଭ୍ରମଣ ତିନିମତ ॥ ୧୫୨
ଯେସନେ ନୃତ୍ୟ ଗୀତ ତାନ । ଦେଖି ଶିଶୁର ହୋଏ ମନ ॥ ୧୫୩
ତାହାର ପ୍ରାୟ ନାଚେ ଗାଏ । ସେ ରୂପେ ଆତ୍ମା ଥାଇ ଦେହେ ॥ ୧୫୪
ବୃକ୍ଷ ପର୍ବତ ଛାୟା ଯେହ୍ନେ । ନିଶ୍ଚଳ ଜଳ ଅକମ୍ପନେ ॥ ୧୫୫
ଜଳ ଚଞ୍ଚଳେ ଯେହ୍ନେ ଚଳେ । ନିର୍ଣ୍ଣୟ ହୋନ୍ତି ଏ ଶୟଳେ ॥ ୧୫୬
ଭ୍ରମିଲେ ନେତ୍ର ପ୍ରାଣୀଙ୍କର । ଭ୍ରମଇଁ ଯେହ୍ନେ ଭୂମଣ୍ତଳ ॥ ୧୫୭
ସ୍ୱପ୍ନେ ଅନର୍ଥ ଦେଖି ଯେତେ । ଜନ୍ମ ମରଣ ଏହିମତେ ॥ ୧୫୮
କେବେହେଁ ନୁହଁଇ ଏ ସତ୍ୟ । ଏ ମୋର ମାୟା ବିକଳ୍ପିତ ॥ ୧୫୯
ଏଣୁ ତୁ ଭ୍ରମ ପରିହର । ଚଞ୍ଚଳ ଚିତ୍ତ ସ୍ଥିର କର ॥ ୧୬୦
ଏଣୁଏ ଲୋକଧର୍ମ ଯେତେ । ମିଥ୍ୟା ବିଚାରି ଘେନ ଚିତ୍ତେ ॥ ୧୬୧
ଯେ ଅବା ସ୍ତୁତି ଅପମାନ । ଏ ବେନି ଚିତ୍ତେ ତୁ ନ ଘେନ ॥ ୧୬୨
କେ ଅବା କରେ ଅଧିକ୍ଷେପ । କେ ଅବା ଅପମାନ ଲେପ ॥ ୧୬୩
କେ ଅବା କରେ ଅଭିମାନ । ଉର୍ତ୍ସନ ତର୍ଜନ ତାଡ଼ନ ॥ ୧୬୪
କେ ଅବା କରେ ନିନ୍ଦା ସ୍ତୁତି । କେ ଉପହାସେ ବା ହସନ୍ତି ॥ ୧୬୫
କେ ଅବା ବଳେ ଧନ ନାଶେ । କେ ମାରେ କେବା ବାନ୍ଧେ ରୋଷେ ॥ ୧୬୬
ଭୋଜନପାତ୍ରେ ଧୂଳି ଦ୍ୟନ୍ତି । କେ ବଳେ ତୋଳି କଚାଡ଼ନ୍ତି ॥ ୧୬୭
ତଥାପି ଧୀର ମହାଶୟ । ନିଷ୍କାମ ଗଭୀର ହୃଦୟ ॥ ୧୬୮
ଯେ ପ୍ରାଣୀ ନିନ୍ଦାସ୍ତୁତି ସହେ । ଅଦୃଷ୍ଟ ମାନି ସ୍ଥିର ରହେ ॥ ୧୬୯
ଈଶ୍ୱରନିଷ୍ଠ ତତପରେ । ଆତ୍ମାକୁ ଆପଣେ ଉଦ୍ଧରେ ॥ ୧୭୦
ଉଦ୍ଧବ ଉବାଚ
ଉଦ୍ଧବ କୃଷ୍ଣମୁଖୁଁ ଶୁଣି । ବୋଲଇ ଶୁଣ ଚକ୍ରପାଣି ॥ ୧୭୧
ଏ ବଡ଼ ସଂଶୟ ମୋ' ଚିତ୍ତ । ଏମନ୍ତେ କେ ଅଛି ଜଗତେ ॥ ୧୭୨
କେ ପାରେ ଏତେ ଦୁଃଖ ସହି । ମର୍ତ୍ତ୍ୟେ ମନୁଷ୍ୟ ଦେହବହି ॥ ୧୭୩
ଯାହାର ମର୍ମ ଅଭ୍ୟନ୍ତର । ଭେଦଇ କୁବଚନ ଶର ॥ ୧୭୪
ସେ ଚିତ୍ତ ନିବାରିବ କାହିଁ । ଏମନ୍ତ ପ୍ରାଣୀ ନ ଦେଖଇ ॥ ୧୭୫
ଯେ ଅବା ସର୍ବଶାସ୍ତ୍ରମତେ । ଯୋଗ ଅଭ୍ୟାସି ଦୃଢଚିତ୍ତେ ॥ ୧୭୬
ସେହି ଭ୍ରମଇ ଏ ଜଗତେ । ନିନ୍ଦା ସ୍ତବନ ବେନିପଥେ ॥ ୧୭୭
ସ୍ତୁତି-ନିନ୍ଦନ ଯେ ପ୍ରକାର । ଯେ ଦୁଷ୍ଟ ବଚନ ପ୍ରହାର ॥ ୧୭୮
ଯେବା ଅଛନ୍ତି ସାଧୁଜନେ । ତୋ ପାଦ ସୁଧାରସ ପାନେ ॥ ୧୭୯
ଚିତ୍ତ ଆନନ୍ଦେ ଭୋଳ ମତି । ଏ କର୍ମ ସେ ଅବା ସହନ୍ତି ॥ ୧୮୦
ଏ ବଡ଼ ଭ୍ରମ ମୋର ଚିତ୍ତେ । ଭୋ ନାଥ ସହିବି କେମନ୍ତେ ॥ ୧୮୧
ଉଦ୍ଧବ କହେ କୃଷ୍ଣ ପାଶେ । ସୁଜନେ ମଜ୍ଜ ଏହି ରସେ ॥ ୧୮୨
ବୋଲଇ ଦାସ ଜଗନ୍ନାଥ । ପ୍ରାକୃତବନ୍ଧେ ଭାଗବତ ॥ ୧୮୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ତ୍ରୟୋବିଂଶୋଦ୍ଧଧ୍ୟାୟଃ ॥
* * *