ଏକାଦଶ ସ୍କନ୍ଧ

ଦ୍ୱାବିଂଶ ଅଧ୍ୟାୟ

ଭଗବାନ ଉବାଚ

କୃଷ୍ଣବୋଲନ୍ତି ବୀର ଶୁଣ । ଏ ମୋର ଭକତି ଲକ୍ଷଣ ॥

ଜ୍ଞାନ ବୈରାଗ୍ୟ ଏଥୁଁ ଜାତ । ଏଣୁ ତତ୍ତ୍ୱଜ୍ଞାନ ପ୍ରାପତ ॥

ଏ ମାର୍ଗ ତେଜି କ୍ଷୁଦ୍ରପଥେ । ଯେ ପ୍ରାଣୀ ଭଜନ୍ତି ଜଗତେ ॥

କାମେ ଚଞ୍ଚଳଚିତ୍ତେ ରାଗ । ଏଟୁ ସେ କରେ ନାନାଭୋଗ ॥

ସେ ଗତାଗତ ପଥେ ଭ୍ରମେ । ଜନ୍ମ-ମରଣ ପଥଶ୍ରମେ ॥

ତାହାର ଦୁଃଖ ମାତ୍ର ସାର । କେବେହେଁ ନ ତୁଟେ ସଂସାର ॥

ଭକତି ଜ୍ଞାନ ଯେ ବିସ୍ତାରେ । ସେ ଗୁଣ-ଦୋଷ ନ ସୁମରେ ॥

ଏ ଦୋଷଗୁଣ କର୍ମଯୋଗେ । ବିଚାର କରି ବେଦମାର୍ଗେ ॥

ଯେ ବର୍ଣ୍ଣେ ଯେ ଧର୍ମ ବିଚାର । ଯେ ବିଧି ଯା'ର ଅଧିକାର ॥

ନିୟତ-କର୍ମ ବିଲଂଘନେ । ବିଚାରି ଦୋଷ ବେଦଜ୍ଞାନେ ॥ ୧୦

ଦ୍ରବ୍ୟେ ନ ବସେ ଦୋଷଗୁଣ । ଶୁଦ୍ଧ-ଅଶୁଦ୍ଧ ବିଚାରଣ ॥ ୧୧

ଆଚାର ମୂଳେ ଧର୍ମ ଜାତ । ଧର୍ମେ ଧାରଣା ଏ ଜଗତ ॥ ୧୨

ଏଣୁ ଧାର୍ମିକ ପ୍ରାଣୀଙ୍କର । ନିଗମ ଦେଖାଏ ଆଚାର ॥ ୧୩

ଉଦ୍ଧବ ଭକ୍ତିଯୋଗେ ମୋ'ର । ନାହିଁ ନିଗମେ ଅଧିକାର ॥ ୧୪

ପୃଥିବୀ ଅଗ୍ନି ବାୟୁ ଜଳ । ଆକାଶ ମିଶି ପଞ୍ଚ ଠୁଳ ॥ ୧୫

ଏ ପଞ୍ଚଭୂତ ଦେହେ ଯେତେ । ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେ ॥ ୧୬

ସମାନ ଦ୍ରବ୍ୟେ ନାନାଭେଦ । ବ୍ରାହ୍ମଣେ ବିଚାରନ୍ତି ବେଦ ॥ ୧୭

ଏ ନାମ ରୂପ ଗୁଣଦୋଷ । ନିଗମ ବଚନେ ପ୍ରକାଶ ॥ ୧୮

ଏ ହେତୁ ଲୋକ ବ୍ୟବହାର । ବିବିଧ କଳ୍ପନା ବିଚାର ॥ ୧୯

ଯେ ଦେଶକାଳ ଗୁଣ ଦ୍ରବ୍ୟେ । ମୁହିଁ ବିଚାରଇ ପ୍ରଭାବେ ॥ ୨୦

ଦ୍ରବ୍ୟ ବିଚାରେ ଏ ପ୍ରସିଦ୍ଧି । ଯେ ଅବା ଦୋଷଗୁଣ ବିଧି ॥ ୨୧

ଯେ ଦେଶେ କୃଷ୍ଣମୁଗ ସାର । ନ ଦେଖି କୃଷ୍ଣଭକ୍ତ ନର ॥ ୨୨

ସେ ଦେଶେ ପୁଣ୍ୟ ଲେଶ ନାହିଁ । ତହିଁ ନ ଥିବ ଦେହ ବହି ॥ ୨୩

ସେ ଦେଶ ଦେଶରେ ଅସାର । ନାହିଁ ସୁକର୍ମେ ଅଧିକାର ॥ ୨୪

ଯେ ଦେଶେ କୃଷ୍ଣମୁଗ ସାର । ବସନ୍ତି ସୁପରୁଷ ନର ॥ ୨୫

ଯେ ଦେଶ ଦେଶଙ୍କରେ ସାର । ତହିଁ ସୁକର୍ମେ ଅଧିକାର ॥ ୨୬

କଳିଙ୍ଗ ଅଙ୍ଗ ବଙ୍ଗ ଦେଶ । ସେ ନୋହେ ସଂସ୍କାର ବିଶେଷ ॥ ୨୭

ଉଷରଭୂମି ମ୍ଳେଛେ ଯହିଁ । ସେ ଦେଶ ପତିତ ବୋଲାଇ ॥ ୨୮

ଏଣୁ ଶୁଦ୍ଧାଶୁଦ୍ଧ ବିଚାରି । ବିଶୁଦ୍ଧ ଦେଶେ କର୍ମ କରି ॥ ୨୯

କହିଲି ଦେଶେ ଶୁଦ୍ଧ ଗୁଣ । ଏବେ ତୁ କାଳଶୁଦ୍ଧ ଶୁଣ ॥ ୩୦

ବିଶୁଦ୍ଧ କାଳେ କର୍ମ କଲେ । ସେ କର୍ମଫଳ ଲଭେ ଭଲେ ॥ ୩୧

ଏଣୁ ଅଶୁଦ୍ଧ ଦେଶ କାଳେ । କର୍ମ କରନ୍ତି ଯେବା ବଳେ ॥ ୩୨

ତାହାଙ୍କ କର୍ମଫଳ ନାହିଁ । ଅଶୁଦ୍ଧ-ଦୋଷେ ନାଶ ଯାଇ ॥ ୩୩

ଏଣୁ ପଣ୍ତିତ ଜ୍ଞାନଗୁଣେ । ବିଶୁଦ୍ଧ ଦେଶେ ଶୁଭକ୍ଷଣେ ॥ ୩୪

ବିଚାରି କର୍ମ ସେ କରନ୍ତି । ବିଶୁଦ୍ଧକାଳ ବିବର୍ଜନ୍ତି ॥ ୩୫

ଏଣୁ ସକଳ ଦ୍ରବ୍ୟଗତେ । ବିଚାରି ଶୁଦ୍ଧାଶୁଦ୍ଧ ମତେ ॥ ୩୬

ବିଶୁଦ୍ଧ ଦ୍ରବ୍ୟ ଘେନି କାଳେ । କର୍ମ ସାଧନ୍ତି ଏ ଶୟଳେ ॥ ୩୭

ଯେ ଦ୍ରବ୍ୟ ଯେଣେ ଶୁଦ୍ଧ ହୋଇ । ଶୁଣ ଉଦ୍ଧବ ମନଦେଇ ॥ ୩୮

କେତେ ହେଁ ଦ୍ରବ୍ୟ ଏ ଶୟଳେ । ପବିତ୍ର ହୋନ୍ତି ଶୁଦ୍ଧଜଳେ ॥ ୩୯

କେତେ ହେଁ ବ୍ରାହ୍ମଣ ବଚନେ । ପବିତ୍ର ହୋନ୍ତି ବିଦ୍ୟମାନେ ॥ ୪୦

କେତେ ହେଁ ସଂସ୍କାର ବିଶେଷେ । ପବିତ୍ର ହୋନ୍ତି ଶୁଦ୍ଧଦେଶେ ॥ ୪୧

କେତେ ହେଁ ଅଶୁଦ୍ଧ ସଙ୍ଗତେ । ଅଶୁଦ୍ଧ ବୋଲାନ୍ତି ଜଗତେ ॥ ୪୨

ପତିତଜନ ଯାହା ଛୁଇଁ । ସେ ଦ୍ରବ୍ୟ ଅଶୁଦ୍ଧ ବୋଲାଇ ॥ ୪୩

କେତେ ହେଁ ଦ୍ରବ୍ୟ ଭିନ୍ନେ ଭିନ୍ନେ । ଅଶୁଦ୍ଧ ଅଶୁଦ୍ଧ-ବଚନେ ॥ ୪୪

କେତେ ହେଁ ଦ୍ରବ୍ୟ ବୃଷ୍ଟିକାଳେ । ଦୂଷିତ ହୋନ୍ତି ଏ ଶୟଳେ ॥ ୪୫

ସେ ପୁଣି ପବିତ୍ର ସମୟେ । ସ୍ୱଭାବ ଗୁଣେ ଶୁଦ୍ଧ ହୋଏ ॥ ୪୬

ଅଶୁଦ୍ଧ ଶୁଦ୍ଧ ଏହି ରୂପେ । ବିଚାର କରି ବେଦକଳ୍ପେ ॥ ୪୭

ଅଶୌଚକାଳେ ଦ୍ରବ୍ୟ ଯେତେ । ଅଶୁଦ୍ଧ ହୋନ୍ତି ଶାସ୍ତ୍ରମତେ ॥ ୪୮

ଗ୍ରହଣ ରବିଚନ୍ଦ୍ର ଯେବେ । ସ୍ନାନ ପବିତ୍ର ହୋନ୍ତି ତେବେ ॥ ୪୯

ଧାନ୍ୟ କାମିନୀ ବୃକ୍ଷଫଳେ । ପବିତ୍ର ହୋନ୍ତି ଯଥାକାଳେ ॥ ୫୦

ରବି କିରଣେ ଦ୍ରବ୍ୟ ତିନି । ପବିତ୍ର ଅସ୍ଥି ଚର୍ମ ଭୂମି ॥ ୫୧

ଧାତୁ-ବିକାର ରସଦ୍ରବ୍ୟ । ଅନଳେ ପବିତ୍ର ଏ ସର୍ବ ॥ ୫୨

ଜଳ ସିଞ୍ଚନେ ଭୂମି ପଥ । ତକ୍ଷଣେ ହୁଅନ୍ତି ପବିତ୍ର ॥ ୫୩

ଗୋମୟଜଳ ସମାର୍ଜନେ । ପବିତ୍ର ଚତ୍ୱର ଅଙ୍ଗଣେ ॥ ୫୪

ମନୁଷ୍ୟଦେହ ପଶି ଜଳେ । ପବିତ୍ର ହୋନ୍ତି ସ୍ନାନକାଳେ ॥ ୫୫

ସଂସ୍କାର ତପ ଜପ ଦାନ । ଏ ସର୍ବ ପବିତ୍ର ବିଧାନ ॥ ୫୬

ଏମନ୍ତେ ବିବିଧ ପ୍ରକାରେ । ପବିତ୍ର ବାହ୍ୟ କଳେବରେ ॥ ୫୭

ମୋର ସ୍ମରଣ ଯେବେ କରେ । ସେ ଶୁଦ୍ଧ ଅନ୍ତର ବାହାରେ ॥ ୫୮

ଯେ ନିତ୍ୟେ ମୋ' ନାମ ସୁମରି । ସେ ସର୍ବକର୍ମେ ଅଧିକାରୀ ॥ ୫୯

ଗୁରୁବଚନେ ମନ୍ତ୍ରତନ୍ତ୍ର । ନ୍ୟାସେ ଶୋଧନ ସର୍ବଗାତ୍ର ॥ ୬୦

ମୋହର ନାମ ଉଚ୍ଚାରିଲେ । ସକଳେ ଶୁଦ୍ଧ ହୋନ୍ତି ଭଲେ ॥ ୬୧

ଏମନ୍ତ ଶୁଦ୍ଧତନୁ ଧରି । ବିଶୁଦ୍ଧ ଦ୍ରବ୍ୟେ କର୍ମ କରି ॥ ୬୨

ପରମ ଧର୍ମ ତେବେ ସାଧେ । ମୋର ବଚନ ଅପ୍ରମାଦେ ॥ ୬୩

ଏଣୁ ବିଶୁଦ୍ଧକର୍ମ କଲେ । ପବିତ୍ର ହୋନ୍ତି କଳେବରେ ॥ ୬୪

ଯଥାର୍ଥ ଫଳ ସେ ଲଭନ୍ତି । ଯେବା ଏମନ୍ତ ନ କରନ୍ତି ॥ ୬୫

ସେ କର୍ମ ଅଧର୍ମ ସଂଯୁତ । ତାହାକୁ ବୋଲି ବିପରୀତ ॥ ୬୬

ସେ ଫଳ ବିପରୀତେ ପାଇ । ଯେଣୁଟି ତହିଁ ଦୋଷ ଥାଇ ॥ ୬୭

ବିଧି ନିଷେଧ ବିଚାରଣ । ଏଣୁ ସମ୍ପାଦି ଦୋଷଗୁଣ ॥ ୬୮

ଯାହାର ଦୋଷ ଗୁଣ ଯେତେ । ସହଜ ଆଚାର ସମେତେ ॥ ୬୯

ଯେ ଯାହା କୁଳ ବ୍ୟବହାର । ନ ଘଟେ ଗୁଣ-ଦୋଷ ତା'ର ॥ ୭୦

ଯେବେ ଅଶୁଦ୍ଧ-କର୍ମ-ଦୋଷେ । ଯାହାର ଚିତ୍ତେ ପାପ ମିଶେ ॥ ୭୧

ସହଜେ ପାପକର୍ମ କରେ । ଯେ କର୍ମେ ପୂର୍ବପୁଣ୍ୟ ହରେ ॥ ୭୨

ଦେହ ଅନ୍ତରେ ପାପଫଳୈ । ଜନମ ପତିତ ଚାଣ୍ତାଳେ ॥ ୭୩

ନିନ୍ଦିତ-ବୃତ୍ତି ତା ଜୀବନ । ବଞ୍ଚଇ କରି ସୁରାପାନ ॥ ୭୪

ସ୍ୱଭାବେ ପାପୀ ପ୍ରାଣୀଙ୍କର । ନିନ୍ଦିତ ନୋହେ ଦୁରାଚାର ॥ ୭୫

ପଙ୍କେ ପଡ଼ିଲେ ଯେହ୍ନେ ପ୍ରାଣୀ । ପଙ୍କିଳ ବୋଲି ତାକୁ ଜାଣି ॥ ୭୬

ଏଣୁ ସେ କର୍ମର ସକାଶେ । ବନ୍ଧନ ହୁଅଇ ବିଶେଷେ ॥ ୭୭

ସେହି ସକାଶୁ ତାର ଗତି । ହସି କହନ୍ତି ଯଦୁପତି ॥ ୭୮

ଏଣୁ ନିର୍ମଳ-କର୍ମଗୁଣ । ଅଶେଷ ଦୋଷ ନିବାରଣ ॥ ୭୯

ଶୁଣ ଉଦ୍ଧବ କହୁଁ ତୋତେ । ବିଷୟ ଧ୍ୟାନ ଯା'ର ଚିତ୍ତେ ॥ ୮୦

ବିଷୟ ଭୋଗେ ସେ ବନ୍ଧନ । ବଢଇ କାମ୍ୟକର୍ମେ ମନ ॥ ୮୧

କାମ ଜନ୍ମିଲେ ତା'ର ଫଳ । ବଢଇ ବିରୋଧ କନ୍ଦଳ ॥ ୮୨

କନ୍ଦଳୁଁ କ୍ରୋଧ ହୋଏ ଜାତ । ଏଣୁ ହୁଅଇ ଜ୍ଞାନ ହତ ॥ ୮୩

ହୃଦରେ ତମଗୁଣ ବସେ । ତା'ର ଚେତନା ବଳେ ଧ୍ୱଂସେ ॥ ୮୪

ଚେତନା ହତେ ହତଜ୍ଞାନ । ତେବେ ଶରୀର ହୋଏ ଶୂନ୍ୟ ॥ ୮୫

ବୁଦ୍ଧି ବିହୀନେ ମୂଢଜନ । ହୋଏ ସେ ମୂର୍ଚ୍ଛିତ ସମାନ ॥ ୮୬

ବଞ୍ଚଇ ମୃତପିଣ୍ତ ପ୍ରାୟେ । ଜୀବ ପରମଜ୍ଞାନ ନୋହେ ॥ ୮୭

ବୃକ୍ଷର ପ୍ରାୟେ ସେ ଜୀଅଁଇ । ପାପବକ୍କଳ ମଧ୍ୟେ ଥାଇ ॥ ୮୮

ବିଷୟ ସଙ୍ଗେ ଏତେ ଗୁଣ । ଉଦ୍ଧବ ସାବଧାନେ ଶୁଣି ॥ ୮୯

ଏଣୁ ଏ ନିଗମ-ବଚନେ । ଯେ ଫଳଶ୍ରୁତି କର୍ଣ୍ଣେ ଶୁଣେ ॥ ୯୦

କର୍ଣ୍ଣରୋଚନ ମାତ୍ର ସାର । କେବେହେଁ ନୋହେ ଭବୁଁ ପାର ॥ ୯୧

ନ ଲଭେ ପରିତ୍ରାଣ ଗତି । ବେଦବଚନେ ଫଳ ଚିନ୍ତି ॥ ୯୨

ବେଦର ତତ୍ତ୍ୱ ଯେ ନ ଜାଣେ । ସେ ଫଳଶ୍ରୁତି ପରିମାଣେ ॥ ୯୩

ରୋଗ ବିନାଶ ହେତୁ ଯେହ୍ନେ । ଔଷଧ ବୈଦ୍ୟର ବଚନେ ॥ ୯୪

ଖଣ୍ତ ଶାକର ହସ୍ତେ ଘେନି । ପୁତ୍ରକୁ ଯେସନେ ଜନନୀ ॥ ୯୫

ବୋଲଇ ମଧୁର ବଚନ । ତୁ ବେଗେ କର ଏହା ପାନ ॥ ୯୬

ଏ ଖଣ୍ତ ଦେବି ତୋତେ ମୁହିଁ । ଭକ୍ଷଣ ନ କଲେ ନ ଦେଇ ॥ ୯୭

ଏ ଫଳଶ୍ରୁତି ଏହିମତେ । ମୂର୍ଖକୁ ଭଣ୍ତାଇ ଜଗତେ ॥ ୯୮

ନାନା ପ୍ରକାରେ ପ୍ରବର୍ତ୍ତାଇ । ପୁତ୍ରକୁ ମାତା ପ୍ରାୟ ହୋଇ ॥ ୯୯

ଏଣୁ ସେ କଳ୍ପଇ ଜଗତେ । ବେଦବଚନେ କର୍ମପଥେ ॥ ୧୦୦

ଆକୁଳ-ହୃଦୟେ ନିରତେ । ଭ୍ରମଇଁ ଦାରା ଧନ ସୁତେ ॥ ୧୦୧

ଏ ଧନ ସୁତ-ପରିବାର । ଅନର୍ଥ କାରଣ ବେଭାର ॥ ୧୦୨

ଏଣୁ ସକଳ ପ୍ରାଣୀଚିତ୍ତ । ଆକୁଳ ହୃଦୟ ନିରତ ॥ ୧୦୩

ଭ୍ରମଇଁ ମାୟାଜଡ଼-ଘୋରେ । ଆତ୍ମାର ଗତି ନ ସୁମରେ ॥ ୧୦୪

ଆପଣା ଅର୍ଥଭୋଗ ଚିନ୍ତି । ନିଗମମାର୍ଗେ ସେ ଭ୍ରମନ୍ତି ॥ ୧୦୫

ଏ ବେଦ ଅର୍ଥ ଯେବେ ଜାଣେ । ଚିତ୍ତେ ପଣ୍ତିତ ପରିମାଣେ ॥ ୧୦୬

ତେବେ କି ଭ୍ରମଇଁ ସଂସାରେ । ଜନ୍ମମରଣ ଦୁଃଖ ଘୋରେ ॥ ୧୦୭

ଏଣୁ ଯେ ପ୍ରାଣୀ କୁପଣ୍ତିତ । ନ ଜାଣେ ବେଦପଥତତ୍ତ୍ୱ ॥ ୧୦୮

ପୁଷ୍ପକୁ ଫଳ ପ୍ରାୟ ମଣି । ଶ୍ରୁତିବଚନ ପରିମାଣି ॥ ୧୦୯

ନିରତେ ଭ୍ରମେ ପୁଷ୍ପବାସେ । ଫଳ ଭକ୍ଷଣ ଲୋଭ ଆଶେ ॥ ୧୧୦

ଏଣୁ ଅଜ୍ଞାନୀ ଅବିବେକ । ଭ୍ରମଇଁ ଇହ ପରଲୋକ ॥ ୧୧୧

ଯାହାର ଇଷ୍ଟ ଫଳଶ୍ରୁତି । ସେ ପ୍ରାଣୀ ମୋତେ ନ ଜାଣନ୍ତି ॥ ୧୧୨

ବସଇ ପ୍ରାଣୀ ହୃଦଗତେ । ଜୀବନ ରୂପେ ମୁଁ ସାକ୍ଷାତେ ॥ ୧୧୩

ମୋତେ ନ ଚିନ୍ତି ଜଡ଼ମତି । ଅମୃତ ମଣେ ଫଳଶ୍ରୁତି ॥ ୧୧୪

ଏଣୁ ଭ୍ରମଇଁ ମାୟାମୋହେ । କେବଳ ଆକୁଳ-ହୃଦୟେ ॥ ୧୧୫

ଉଦ୍ଧବ ଶୁଣ ତତ୍ତ୍ୱ କହି । ମୋର ସମ୍ମତମାର୍ଗ ଏହି ॥ ୧୧୬

ତତ୍ତ୍ୱ ନ ବୁଝି ବେଦପଥେ । ଫଳ ଭୁଞ୍ଜନ୍ତି କୁପଣ୍ତିତେ ॥ ୧୧୭

ହିଂସା ନ ଛାଡ଼େ ଯେବେ ହୃଦେ । ବେଦବଚନ ଅନୁବାଦେ ॥ ୧୧୮

ଯଜ୍ଞେ ହିଂସନ୍ତି ପଶୁଗଣ । ଅନାସ୍ଥା କରି ତତ୍ତ୍ୱଜ୍ଞାନ ॥ ୧୧୯

ଦେବତା ପିତୃଯଜ୍ଞ କରି । ଆନନ୍ଦେ ଭ୍ରମେ ଜୀବ ମାରି ॥ ୧୨୦

ନ ଭାବି ଇହ ପରଲୋକେ । ଦୃଷ୍ଟି ଶ୍ରବଣେ ମାତ୍ର ସୁଖେ ॥ ୧୨୧

ଫଳ କାରଣେ ପଶୁମାରେ । ଯେସନେ ଦ୍ୟୁତେ ଧନହାରେ ॥ ୧୨୨

ଧନର ଲୋଭେ ନିଜ ଧନ । ଦ୍ୟୂତରେ ହାରଇ ଯେସନ ॥ ୧୨୩

ସଙ୍କଳ୍ପେ କରେ ଧନ ନାଶ । ଯେସନେ ବଣିଜାର ଆଶ ॥ ୧୨୪

କିଣଇ ନିଜ ଧନ ଦେଇ । ଅଧିକ ଆଶେ ଲୋଭ ବହି ॥ ୧୨୫

ରଜ ତାମସ ଗୁଣ ବହି । ଅଜ୍ଞାନେ ଚେତନା ହରାଇ ॥ ୧୨୬

ବାସବ ଆଦି ଦେବଗଣେ । ଯଜ୍ଞେ ପୂଜଇ ଅନୁକ୍ଷଣେ ॥ ୧୨୭

ଆତ୍ମାର ଗତି ନ ସୁମରେ । ସ୍ୱର୍ଗଭୋଗକୁ ଇଚ୍ଛାକରେ ॥ ୧୨୮

ନାନାପ୍ରକାରେ ଲୋଭ ଚିତ୍ତେ । ପିତୃଦେବତା ପୂଜେ ନିତ୍ୟେ ॥ ୧୨୯

ସ୍ୱର୍ଗେ ବସଇ ଦିନାକେତେ । ପୁଣି ସେ ସ୍ୱର୍ଗଭୋଗ ଅନ୍ତେ ॥ ୧୩୦

ଜନ୍ମ ହୁଅଇ ମହୀତଳେ । ଧନ-ସମ୍ପଦ-ମହାକୁଳେ ॥ ୧୩୧

ଉତ୍ତମପୁର ସ୍ୱର୍ଗ ପ୍ରାୟେ । ପୁଣି ଭୁଞ୍ଜଇ ନରଦେହେ ॥ ୧୩୨

ଏହି ପ୍ରକାରେ ଚିନ୍ତାକରି । ପଶୁଙ୍କୁ ହିଂସେ ଯଜ୍ଞ କରି ॥ ୧୩୩

ପୁଷ୍ପର ଠାରେ ଫଳ ବୁଦ୍ଧି । ଏ ଘେନି ଭ୍ରମେ ନିରବଧି ॥ ୧୩୪

କର୍ମ ଆକୁଳେ ଲୋଭ ଜଡ଼େ । ଏଣୁ ଭ୍ରମଇ ଚିତ୍ତ ଦୃଢେ ॥ ୧୩୫

ଚିତ୍ତ-ସଙ୍କଳ୍ପ-ଭୋଗଭରେ । ଗୁରୁବ୍ରାହ୍ମଣ ନିନ୍ଦାକରେ ॥ ୧୩୬

ମୋର ଭକତି ଆର କାହିଁ । ମୋ' କଥା କର୍ଣ୍ଣେ ନ ଶୁଣଇ ॥ ୧୩୭

ଶ୍ରୁତି ଯେ କହେ ତିନିଖଣ୍ତ । ଜ୍ଞାନ ଦେବତା କର୍ମକାଣ୍ତ ॥ ୧୩୮

ସେ ବେଦୁଁ କର୍ମ ଉତପତ୍ତି । ପରମବ୍ରହ୍ମ ତା'ର ଗତି ॥ ୧୩୯

ବ୍ରହ୍ମ-ପରୋକ୍ଷେ ପରମୁଖେ । ସେ ବେଦ କହୁଥା'ନ୍ତି ସୁଖେ ॥ ୧୪୦

ଜ୍ଞାନ ନ କହି ସେ ସାକ୍ଷାତେ । ଦେଖାଇ ଘରଦ୍ୱାର ପଥେ ॥ ୧୪୧

ସେ ସର୍ବବେଦ ବ୍ରହ୍ମମୟେ । ସ୍ୱଭାବେ ସମୁଦ୍ରର ପ୍ରାୟେ ॥ ୧୪୨

ଦୁର୍ବୋଧ ଅତି ଗତି ତା'ର । ବେଦର ନାହିଁ ଅନ୍ତଃ ପର ॥ ୧୪୩

ଦେଖ ମୁଁ ଅଛି ସର୍ବପୂରି । ଅନନ୍ତଶକ୍ତି ରୂପ ଧରି ॥ ୧୪୪

ଜଗତ ମୋ' ତହୁଁ ପ୍ରକାଶେ । ଅନ୍ତେ ମୋହର ଦେହେ ମିଶେ ॥ ୧୪୫

ଏଣୁ ଅନନ୍ତ ଦେବଗତି । ନାନାପ୍ରକାରେ ଫଳଶ୍ରୁତି ॥ ୧୪୬

ତାହାର ସ୍ଥୂଳ-ସୂକ୍ଷ୍ମ-ଗତି । କେ ବୁଝିପାରିବ ସୁମତି ॥ ୧୪୭

ଷଡ଼ଚକ୍ର ଭେଦି ଉଦୟ । ଏଣୁ ବୋଲାଇ ବ୍ରହ୍ମମୟ ॥ ୧୪୮

ମୃଣାଳସୂତ୍ର ପ୍ରାୟ ହୋଇ । ଶବଦ ରୂପେ ମୁଁ ଅଛଇ ॥ ୧୪୯

ଯେସନେ ଉର୍ଣ୍ଣନାଭସୂତ୍ର । ହୃଦରୁ କରଇ ନିର୍ମିତ ॥ ୧୫୦

ଆକାଶ ଶବ୍ଦରୂପ ଧରି । ସମାନ ରୂପେ ଅଛି ପୂରି ॥ ୧୫୧

ବ୍ୟାପେ ପଞ୍ଚାଶବର୍ଣ୍ଣଭେଦେ । ନାନା ପ୍ରକାର ସ୍ୱରନାଦେ ॥ ୧୫୨

ଗାୟତ୍ରୀ ପଙ୍କ୍ତି ଅନୁଷ୍ଟୁପ । ଉଷ୍ଣିକ ବୃହତୀ ତ୍ରିଷ୍ଟୁପ ॥ ୧୫୩

ସପ୍ତ ପ୍ରକାରେ ଛନ୍ଦଭାଷେ । କହେ ବିବିଧ ଉପଦେଶେ ॥ ୧୫୪

କି ଅବା କହେ ବ୍ରହ୍ମମୁଖେ । କି ଅବା କଳ୍ପନା-ବିପାକେ ॥ ୧୫୫

ଏମନ୍ତେ ବିବିଧ କଳ୍ପନା । ଏ ବେଦ ବ୍ରହ୍ମର ରଚନା ॥ ୧୫୬

କେ ଅଛି ବେଦ ବୁଝିବାରେ । ଶରୀର ବହି ଏ ସଂସାରେ ॥ ୧୫୭

ମୁହିଁ ସେ ବେଦ ତତ୍ତ୍ୱଜ୍ଞାତା । ମୋ' ତହୁଁ କେହି ସାମରଥା ॥ ୧୫୮

ନାନା ପ୍ରକାରେ ନାନା ଭେଦେ । ମୁହିଁ ଅଛଇ ବେଦ ମଧ୍ୟେ ॥ ୧୫୯

ଯେ ମୋତେ ନ ଭଜେ ଜଗତେ । ମାୟା ଦେଖାଉଥାଇ ନିତ୍ୟେ ॥ ୧୬୦

ଏଣୁ ନ ବୁଝେ ବେଦଗତି । ଅଜ୍ଞାନ ମୋହେ ଜଡ଼ମତି ॥ ୧୬୧

ବିଧି-ନିଷେଧ ତର୍କବଳେ । ନାନା ବିକଳ୍ପ ଏ ଶୟଳେ ॥ ୧୬୨

କହିଲେ ଯଶୋଦାର ସୁତ । ନାନା ପ୍ରକାରେ ବେଦତତ୍ତ୍ୱ ॥ ୧୬୩

ସେ ହରି ଅଭୟ ଚରଣେ । ପାମର ଜଗନ୍ନାଥ ଭଣେ ॥ ୧୬୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଦ୍ୱାବିଂଶୋଦ୍ଧଧ୍ୟାୟଃ ॥

* * *