ଏକାଦଶ ସ୍କନ୍ଧ

ଏକବିଂଶ ଅଧ୍ୟାୟ

ଉଦ୍ଧବ କୃଷ୍ଣମୁଖ ଚାହିଁ । ବୋଲଇ ଶିରେ କରଦେଇ ॥

ଉଦ୍ଧବ ଉବାଚ

ଭୋ ନାଥ ଦେବ ତୋର ବାଣୀ । ବିଧି-ନିଷେଧ ମାର୍ଗେ ଭଣି ॥

ସର୍ବ ବିଷୟ ନାନା ଭେଦ । କ‌ହଇ ଗୁଣ-ଦୋଷ-ବାଦ ॥

ସ୍ୱର୍ଗ ନରକ ବେନିମାର୍ଗ । ବିଧି-ନିଷେଧ କର୍ମ‌ଭୋଗ ॥

କର୍ମ ସାଧିଲେ ବେନିମତେ । ଅନ୍ତେ ଗମନ୍ତି ବେନିପ‌ଥେ ॥

ଏ ବେଦ ଜଗତ ଈଶ୍ୱର । ସଂସାର ଚକ୍ର ମୂଳାଧାର ॥

ଏ ବେଦ ସର୍ବଭୂତ ଆଖି । ବାହ୍ୟ ଅନ୍ତରେ କର୍ମ ସାକ୍ଷୀ ॥

ଏ ମାର୍ଗେ ଗୁଣଦୋଷ ସାର । ଏଣେ ନ ତୁଟଇ ସଂସାର ॥

ନାଶଇ ଗୁଣ-ଦୋଷ-ଭେଦ । ଏ ବିନା କାହିଁ ମୋକ୍ଷ‌ପଦ ॥

ତୋ' ମୁଖୁଁ ପୂର୍ବେ ମୁହିଁ ଶୁଣି । ଏ କ‌ଥା ମ‌ନେ ପରିମାଣି ॥ ୧୦

ସଂଶୟ କଲି ଭ୍ରମଚିତ୍ତେ । ଭୋ ନାଥ କ‌ହ ମୋ' ଅଗ୍ରତେ ॥ ୧୧

ଏମନ୍ତ ଉଦ୍ଧବ ବଚନ । ଶୁଣି କ‌ହ‌ନ୍ତି ଭଗବାନ ॥ ୧୨

ଭଗବାନ ଉବାଚ

ଉଦ୍ଧବ ଏକମନେ ଶୁଣ । ଯେ ଯୋଗ ଲୋକ-ପରିତ୍ରାଣ ॥ ୧୩

ଭକତି ଧର୍ମ ଜ୍ଞାନ ଘେନି । ଏମନ୍ତେ ଯୋଗମାର୍ଗ ତିନି ॥ ୧୪

ଏ ତିନିପଥୁଁ ଅନ୍ୟମତେ । ଉପାୟ ନ ଦେଖି ଜଗତେ ॥ ୧୫

ଏ କଥା ଶୁଣ ମନଦେଇ । ଉତ୍ତମ ଶିଷ୍ୟେ ଏହା କହି ॥ ୧୬

ଏ ତିନିଯୋଗ ତୋ'ର ଆଗେ । ଶୁଣ କହିବି ବେଦମାର୍ଗେ ॥ ୧୭

କର୍ମର ଫଳ ତ୍ୟାଗ କରି । ବିଷ୍ଣୁର ଭାବ ଚିତ୍ତେ ଧରି ॥ ୧୮

ଦିନ ବଞ୍ଚଇ ଦୃଢଭାବେ । ସେ ଅଧିକାରୀ ଜ୍ଞାନଯୋଗେ ॥ ୧୯

ତାହାକୁ ବୋଲି ଜ୍ଞାନଯୋଗୀ । ନିର୍ଲେପଜ୍ଞାନେ ସୁଖଭୋଗୀ ॥ ୨୦

ଯାହାର କର୍ମଭୋଗ ଚିତ୍ତେ । ନିବର୍ତ୍ତ ନୋହେ କଦାଚିତେ ॥ ୨୧

ତାହାର କର୍ମଯୋଗ ସାର । ବେଦ-ବିହିତ ଯେ ବେଭାର ॥ ୨୨

ତାହାକୁ ବୋଲି କର୍ମଯୋଗୀ । ଯେ କର୍ମଯୋଗେ ସୁଖଭୋଗୀ ॥ ୨୩

ବିଷୟରସ ଥାଇ ଚିତ୍ତେ । ବୈରାଗ୍ୟ ସମ୍ଭବେ କିଞ୍ଚିତେ ॥ ୨୪

ମୋ' ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ୨୫

ସେ ଭକ୍ତିଯୋଗେ ଅଧିକାରୀ । କେବେହେଁ ନୁହଁଇ ସଂସାରୀ ॥ ୨୬

ମୁଁ ତାକୁ କରଇ ସଦୟ । ତାହାର ସୁବିଦ୍ଧି ଉଦୟ ॥ ୨୭

ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ ॥ ୨୮

ଯାବତ ଜ୍ଞାନ ନୋହେ ଚିତ୍ତେ । କର୍ମ ସାଧିବ ଲୋକମତେ ॥ ୨୯

ମୋ'ର ଅମୃତକଥା ପାନେ । ଶ୍ରଦ୍ଧା ନୁହଇ ଯେତେଦିନେ ॥ ୩୦

ତାବତ ବେଦ ଅଧିକାରେ । କର୍ମ କରିବ ଏ ସଂସାରେ ॥ ୩୧

ଏ ତିନିଯୋଗ ବୀର ତୋତେ । କହିଲି ସ୍ୱକର୍ମ ଉଚିତେ ॥ ୩୨

ସ୍ୱଧର୍ମ ଭାବେ ଏ ଜଗତେ । ଯଜ୍ଞାଦି କର୍ମ କରେ ଯେତେ ॥ ୩୩

ସେ କର୍ମଫଳ ଆଶା ତେଜେ । କେବଳ ମୋ' ଚରଣେ ଭଜେ ॥ ୩୪

ଉଦ୍ଧବ ରହେ ସେ ନିଶ୍ଚିନ୍ତେ । ନ ଗମେ ଦୁଃଖସୁଖ ପଥେ ॥ ୩୫

ସ୍ୱର୍ଗ-ସମ୍ପଦେ ଇଚ୍ଛାନାହିଁ । ନରକେ ପଡ଼ିବ ସେ କାହିଁ ॥ ୩୬

ମୋ' ଭାବେ ରହେ ସେ ନିଶ୍ଚିନ୍ତ । ବିକର୍ମେ ନ ଭ୍ରମେ ତା'ଚିତ୍ତ ॥ ୩୭

ମୁହିଁ ବସଇ ତା'ର ଅଙ୍ଗେ । ସକଳ ସିଦ୍ଧି ଥା'ନ୍ତି ସଙ୍ଗେ ॥ ୩୮

ଉଦ୍ଧବ ଚିତ୍ତେ ଅନୁମାନ । ଏ ମୋ' ବିଶୁଦ୍ଧ ତତ୍ତ୍ୱଜ୍ଞାନ ॥ ୩୯

ଜ୍ଞାନରୁ ଭକତି ଉଦୟ । ଏଣୁ ଏ ଧନ୍ୟ ନରଦେହ ॥ ୪୦

ଏଣୁ ଏ ସ୍ୱର୍ଗବାସୀଜନେ । ନିତ୍ୟେ ଚିନ୍ତନ୍ତି ଦୁଃଖମନେ ॥ ୪୧

ଭାରତଭୂମି ମଧ୍ୟେ ଯାଇ । ମନୁଷ୍ୟଦେହ ଆମ୍ଭେ ପାଇ ॥ ୪୨

ଭକତିଯୋଗେ ଅନୁକ୍ଷଣେ । ଭଜିବୁ ଶ୍ରୀକୃଷ୍ଣ ଚରଣେ ॥ ୪୩

ନରକବାସୀ ଏହିମତେ । ନିତ୍ୟେ ଚିନ୍ତନ୍ତି ହୃଦଗତେ ॥ ୪୪

ଦୁର୍ଲ୍ଲଭ ମନୁଷ୍ୟ ଶରୀର । ନରକ-ନିସ୍ତାରଣ-ଦ୍ୱାର ॥ ୪୫

ଆମ୍ଭେ ପାଇବା ଅବା କାହିଁ । ପୂର୍ବ ଅର୍ଜିଲା ପୁଣ୍ୟ ନାହିଁ ॥ ୪୬

ଏମନ୍ତେ ସ୍ୱର୍ଗେ ନର୍କେ ଥାଇ । ନିତ୍ୟେ ଚିନ୍ତନ୍ତି ଚିତ୍ତେ ଧ୍ୟାୟି ॥ ୪୭

କର୍ମ-ସାଧନା ନାହିଁ ତହିଁ । ଏଣୁ ବାଞ୍ଛନ୍ତି ନରଦେହୀ ॥ ୪୮

ମନୁଷ୍ୟେ ସାଧି ଭକ୍ତିଯୋଗ । ସ୍ୱର୍ଗ ନରକ ବେନିଭୋଗ ॥ ୪୯

ଏ ବୋଲ ବୁଝି ବୁଧଜନେ । ଏ ବେନି ଦେଖନ୍ତି ସମାନେ ॥ ୫୦

ସଂସାର ଈଶ୍ୱରର ମାୟା । ଚିତ୍ତେ ଚିନ୍ତନ୍ତି ନିତ୍ୟେ ଏହା ॥ ୫୧

ସ୍ୱର୍ଗ-ନରକ ବେନିପଥେ । କେବେହେଁ ନ କଳ୍ପନ୍ତି ଚିତ୍ତେ ॥ ୫୨

ମନୁଷ୍ୟ ଦେହେ ମୂଢ଼ ନରେ । ଅଜ୍ଞାନେ ଭ୍ରମନ୍ତି ସଂସାରେ ॥ ୫୩

ଯେ ଏ ଦୁର୍ଲ୍ଲଭ ଦେହ ବହି । ଆତ୍ମାର ଗତି ନ ଜାଣଇ ॥ ୫୪

ବିଷୟ-ରସେ କରେ ଆଶ । ସେ ଦେହେ ପ୍ରୟୋଜନ କିସ ॥ ୫୫

ଯେ ଦେହ ନରକ ନିପାତେ । ତାହା ନ ଇଚ୍ଛି କଦାଚିତେ ॥ ୫୬

ଏଣୁ ଏ ନରଦେହ ପାଇ । ଯାବତ ମୃତ୍ୟୁ ନ ଘଟଇ ॥ ୫୭

ତାବତ ଜ୍ଞାନ-ବଇରାଗ୍ୟେ । ମୋର ଭକତି ଯୋଗମାର୍ଗେ ॥ ୫୮

ବେଗେ ମରଣ ମୁଖୁଁ ତର । ମନୁଷ୍ୟଦେହ ନୋହେ ଚିର ॥ ୫୯

ଏ ଦେହ ସର୍ବସିଦ୍ଧି ହେତୁ । ସଂସାର-ସିନ୍ଧୁ-ପାର ସେତୁ ॥ ୬୦

ଏ ଦେହେବୃକ୍ଷେ ହଂସ ବସେ । ଅଜ୍ଞାନେ ଫଳଲୋଭ ଆଶେ ॥ ୬୧

ବୃକ୍ଷ ଆବୋରି ଯମଦୂତେ । ଅମୋଘ ଖଡ଼୍ଗ ଧରି ହସ୍ତେ ॥ ୬୨

ରାତ୍ର-ଦିବସ କାଟି ବଳେ । ବୃକ୍ଷକୁ ଉପାଡ଼ନ୍ତି ସମୂଳେ ॥ ୬୩

ଏଣୁ ଏ ବୃକ୍ଷେ ହଂସପକ୍ଷୀ । ଯମକିଙ୍କର ଘାତ ଲକ୍ଷ୍ୟି ॥ ୬୪

ଏ ଫଳଲୋଭ ଛାଡ଼ି ମନେ । ସୁଜ୍ଞାନେ ରହେ ନିଜ ସ୍ଥାନେ ॥ ୬୫

ରାତ୍ର ଦିବସ କାଳଦୂତେ । ଆୟୁଷ ହରନ୍ତି ନିରତେ ॥ ୬୬

ଏ ବୋଲ ବୁଝି ବୁଧନରେ । ଆକୁଳେ କମ୍ପନ୍ତି ଅନ୍ତରେ ॥ ୬୭

ଏ ଦେହଧର୍ମ ଦୂରକରି । ଅଜ୍ଞାନ-ଚେଷ୍ଟା ପରିହରି ॥ ୬୮

ଶାନ୍ତି-ସମାଧି-ପୂର୍ଣ୍ଣଜ୍ଞାନେ । ଥା'ନ୍ତି ନିର୍ଗୁଣ ଆତ୍ମାଧ୍ୟାନେ ॥ ୬୯

ସର୍ବଶରୀର ମଧ୍ୟେ ସାର । ଦୁର୍ଲ୍ଲଭ ନର-କଳେବର ॥ ୭୦

ସୁଲଭ-ନାବ ରୂପେ ଖଟେ । ବନ୍ଧନ ଭବସିନ୍ଧୁ-ତଟେ ॥ ୭୧

ଏ ନାବେ ଗୁରୁ କର୍ଣ୍ଣଧାର । ମୁହିଁ ଅନୁକୂଳ ସମୀର ॥ ୭୨

ଏମନ୍ତ ନାବ ଥାଉଁ କୂଳେ । ଯେ ବା ନ ତରେ ଭବଜଳେ ॥ ୭୩

ସେ ଜୀବ ହୀନ ମୂଢମତି । ତାହାକୁ ବୋଲି ଆତ୍ମାଘାତୀ ॥ ୭୪

ସଂସାର-କୂପେ ସେ ପତିତ । ଦୁର୍ଲ୍ଲଭ-ଦେହେ ସେ ବଞ୍ଚିତ ॥ ୭୫

ଏଣୁ ନିବୃତ୍ତ ଚିତ୍ତେ ଯୋଗୀ । ସର୍ବ-ଆରମ୍ଭ ପରିତ୍ୟାଗି ॥ ୭୬

ଅଭ୍ୟାସ ବଳେ ଅନ୍ତର୍ଗତେ । ମନ ରୁନ୍ଧିବ ଦୃଢ଼ଚିତ୍ତେ ॥ ୭୭

ଏ ମନ ସ୍ୱଭାବେ ଚଞ୍ଚଳ । କେବେହେଁ ନୁହଁଇ ନିଶ୍ଚଳ ॥ ୭୮

ପବନ-ଗତି ଅନୁରୋଧେ । ସମେ ସାଧନ ଦୃଢବନ୍ଧେ ॥ ୭୯

ପବନ-ଦ୍ୱାରେ ମନ ଥୋଇ । ଆସନ ଦୃଢବନ୍ଧେ ଦେଇ ॥ ୮୦

ଅଭ୍ୟାସେ ବଶ ହୋନ୍ତି ତା'ର । ପ୍ରାଣ-ଇନ୍ଦ୍ରିୟ-ଅହଙ୍କାର ॥ ୮୧

ଚଞ୍ଚଳ ମନ ଏଣେ ଧରି । ସାଧିବ ସତ୍ତ୍ୱଗୁଣେ ଭରି ॥ ୮୨

ପରମ ଯୋଗ ଏ ସାଧନ । ଅଭ୍ୟାସେ ମନ ନିରୋଧନ ॥ ୮୩

ଚଞ୍ଚଳ ତୁରଙ୍ଗମ ଯେହ୍ନେ । ଶ୍ରମେ ସୁସାଧ୍ୟ ଦିନେଦିନେ ॥ ୮୪

ଅଳପ ଅଳପ ଅଭ୍ୟାସେ । ମନପବନ ସ୍ଥାପି ବସେ ॥ ୮୫

ନିଶ୍ଚିନ୍ତେ ରହେ ଦେହବହି । ସଂସାର ସାକ୍ଷୀପ୍ରାୟ ହୋଇ ॥ ୮୬

ଦେଖଇ ଜନ୍ତୁଙ୍କ ମରଣ । ଭବସାଗର ସଞ୍ଚରଣ ॥ ୮୭

ପ୍ରସନ୍ନ ହୋଏ ଯେବେ ମନ । ଅସତ୍ୟ ଦେଖେ ତ୍ରିଭୁବନ ॥ ୮୮

ଗୁରୁବଚନେ ଚିତ୍ତ ସ୍ଥିର । ବୈରାଗ୍ୟ ବିଷୟେ ତାହାର ॥ ୮୯

ନିରତେ ହୋଇ ସ୍ଥିରମନା । କ୍ରମେ ସେ ଖଣ୍ତେ ଦୁର୍ବାସନା ॥ ୯୦

ସଙ୍କଳ୍ପ ତୁଟେ ନିରବଧି । ଯମାଦି ଯୋଗପଥ ସାଧି ॥ ୯୧

ମନକୁ ତତ୍ତ୍ୱଜ୍ଞାନେ ଆଣି । ଭକତିଯୋଗେ ପରିମାଣି ॥ ୯୨

ମୋ' ରୂପ କରି ଉପାସନା । କୀର୍ତ୍ତନ ଅର୍ଚ୍ଚନ ବନ୍ଦନା ॥ ୯୩

ମନ ସଂଯମ କରି ହୃଦେ । ନିଶ୍ଚଳେ ଦେଇ ମୋ'ର ପାଦେ ॥ ୯୪

ଆନନ୍ଦେ ଭ୍ରମଇଁ ଶୟଳେ । ଯେବେ ସେ ଦୁଷ୍ଟ ସଙ୍ଗମେଳେ ॥ ୯୫

ନିନ୍ଦିତ-କର୍ମମାନ କରେ । ସେ ପାପ ମୋର ଧ୍ୟାନେ ହରେ ॥ ୯୬

ଏ ବିନେ ଅନ୍ୟ ପ୍ରାୟଶ୍ଚିତେ । ପାପ ନ ଯାଏ କଦାଚିତେ ॥ ୯୭

ଯେ ଯାହା ଅଧିକାର କର୍ମ । ଏ ବିନେ ଅନ୍ୟ ଯେ ଅଧର୍ମ ॥ ୯୮

ମୋ' ନାମ ଶ୍ରବଣ-କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ୯୯

ନିରତେ ସର୍ବକର୍ମ ତେଜେ । କେବଳ ଦୃଢ଼େ ମୋତେ ଭଜେ ॥ ୧୦୦

ସଙ୍କଳ୍ପ ଭୋଗ ଦୁଃଖମୟେ । ଯେବେ ଛାଡ଼ନ୍ତେ ସୁଖ ନୋହେ ॥ ୧୦୧

ଯେବା ମିଳିବ ଅକସ୍ମାତେ । ଆନନ୍ଦେ ସମର୍ପିବ ମୋତେ ॥ ୧୦୨

ପୀରତି କରି ମୋ' ଚରଣେ । ଭାବେ ଭଜିବ ଅନୁକ୍ଷଣେ ॥ ୧୦୩

ସୁଦୃଢେ ଭକତ-ସମାଜେ । ମୁଁ ତାଙ୍କ ହୃଦୟ-ପଙ୍କଜେ ॥ ୧୦୪

ବସଇ କାମ ଦୂରକରି । ନିର୍ମଳ-ଜ୍ୟୋତି ରୂପ ଧରି ॥ ୧୦୫

ଯେବେ ସକଳଭୂତେ ଏକେ । ମୁଁ ବସିଥିଲା ପ୍ରାୟ ଦେଖେ ॥ ୧୦୬

କାମ ନ ରହେ ତା'ର ଦେହେ । ସଂସାରୁ ତରେ ଏ ଉପାୟେ ॥ ୧୦୭

ସଂଶୟ ଗ୍ରନ୍ଥି ତା'ର ହୃଦେ । ମୁହିଁ ଛେଦଇ ଅପ୍ରମାଦେ ॥ ୧୦୮

ସକଳ କର୍ମ ତତକ୍ଷଣେ । ଦହଇ ମୋହର ସ୍ମରଣେ ॥ ୧୦୯

ମୁହିଁ ଅଖିଳ-ଆତ୍ମା ଅଟେ । ମୋର ଦର୍ଶନେ ସର୍ବତୁଟେ ॥ ୧୧୦

ଏ ଭାବ ବୁଝି ନିରବଧି । ଯତ୍ନେ ଭକତି ଯୋଗ ସାଧି ॥ ୧୧୧

ଏଣୁ ଭକତି-ଯୋଗଯୁକ୍ତେ । ଯେ ଯୋଗୀ ଭଜେ ଦୃଢଚିତ୍ତେ ॥ ୧୧୨

ସେ ମହାଶୟ ଏ ଜଗତେ । ଜ୍ଞାନ-ବୈରାଗ୍ୟ ଅନୁମତେ ॥ ୧୧୩

ଏଣୁ ସଂସାରେ ଯୋଗୀଜନ । ନିର୍ବାଣପଦ ତପ ଦାନ ॥ ୧୧୪

ଜ୍ଞାନ ବୈରାଗ୍ୟ ଦୂରକରି । ମୋର ଭକତି ଅନୁସରି ॥ ୧୧୫

ସର୍ବ ସଂଶୟ ଦୂରକରି । ମାୟା ସଂସାରୁ ଯା'ନ୍ତି ତରି ॥ ୧୧୬

ଏଣୁ ଭକତ ମୋର ଯେବେ । କଳ୍ପଇ ସ୍ୱର୍ଗ-ଅପବର୍ଗେ ॥ ୧୧୭

ଆଉ ଅଧିକେ ବାଞ୍ଛା ଯେତେ । ତା' ପାଦେ ଖଟନ୍ତି ସମସ୍ତେ ॥ ୧୧୮

ଏଣୁ ମୋ ଭାବ ଯେ ଜାଣଇ । ତା'ର କଳ୍ପନା ଆର କାହିଁ ॥ ୧୧୯

ମୁହିଁ ସମ୍ପଦ ଦେଲେ ତା'ରେ । ତକ୍ଷଣେ ଦୂରେ ପରିହରେ ॥ ୧୨୦

ସକଳଭାବେ ସେ ଉଦାର । ମୁଁ ନିରପେକ୍ଷ-ଜ୍ଞାନ ତା'ର ॥ ୧୨୧

ଏଣୁ ନିଷ୍ମାମ ଯାର ମତି । ସେ ଲଭେ ଏକାନ୍ତ ଭକତି ॥ ୧୨୨

ମୋର ଭକତ ଯେଉଁ ନର । ଶୁଭ-ଅଶୁଭ ନାହିଁ ତାର ॥ ୧୨୩

ତାହାର ନାହିଁ ଗୁଣ ଦୋଷ । ସେ ପ୍ରାଣୀ ମୋହର ବିଶ୍ୱାସ ॥ ୧୨୪

ଏଣୁ ଭକତି-ଯୋଗ-ପଥେ । ଯେ ପ୍ରାଣୀ ଆଶ୍ରେ କରେ ମୋତେ ॥ ୧୨୫

ସର୍ବ ସଙ୍କଳ୍ପ ତା'ରେ ମିଳେ । ଯେ ମୋତେ ଭଜଇ ନିଶ୍ଚଳେ ॥ ୧୨୬

ଏଣୁ ମୁଁ ତୋହର ବଚନେ । ଜ୍ଞାନ-ବୈରାଗ୍ୟ ଅନୁମାନେ ॥ ୧୨୭

କହିଲି ଭକତି ଲକ୍ଷଣ । ଏବେ ହୋ ସାବଧାନେ ଶୁଣ ॥ ୧୨୮

ପାମର ହୀନ ଜଗନ୍ନାଥ । ଗୀତ ପ୍ରବନ୍ଧେ ଭାଗବତ ॥ ୧୨୯

ଯାହା କହିଲି ଜନହିତେ । ସୁଜନେ ଶୁଣ ଏକ ଚିତ୍ତେ ॥ ୧୩୦

ଉଦ୍ଧବ ମାଧବ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୧୩୧

କଳି-କଳୁଷ ନ ଲାଗଇ । ସୁଜନେ ତର ଏହା ଗାଇ ॥ ୧୩୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଏକବିଂଶୋଦ୍ଧଧ୍ୟାୟଃ ॥

* * *