ଏକାଦଶ ସ୍କନ୍ଧ
ଏକବିଂଶ ଅଧ୍ୟାୟ
ଉଦ୍ଧବ କୃଷ୍ଣମୁଖ ଚାହିଁ । ବୋଲଇ ଶିରେ କରଦେଇ ॥ ୧
ଉଦ୍ଧବ ଉବାଚ
ଭୋ ନାଥ ଦେବ ତୋର ବାଣୀ । ବିଧି-ନିଷେଧ ମାର୍ଗେ ଭଣି ॥ ୨
ସର୍ବ ବିଷୟ ନାନା ଭେଦ । କହଇ ଗୁଣ-ଦୋଷ-ବାଦ ॥ ୩
ସ୍ୱର୍ଗ ନରକ ବେନିମାର୍ଗ । ବିଧି-ନିଷେଧ କର୍ମଭୋଗ ॥ ୪
କର୍ମ ସାଧିଲେ ବେନିମତେ । ଅନ୍ତେ ଗମନ୍ତି ବେନିପଥେ ॥ ୫
ଏ ବେଦ ଜଗତ ଈଶ୍ୱର । ସଂସାର ଚକ୍ର ମୂଳାଧାର ॥ ୬
ଏ ବେଦ ସର୍ବଭୂତ ଆଖି । ବାହ୍ୟ ଅନ୍ତରେ କର୍ମ ସାକ୍ଷୀ ॥ ୭
ଏ ମାର୍ଗେ ଗୁଣଦୋଷ ସାର । ଏଣେ ନ ତୁଟଇ ସଂସାର ॥ ୮
ନାଶଇ ଗୁଣ-ଦୋଷ-ଭେଦ । ଏ ବିନା କାହିଁ ମୋକ୍ଷପଦ ॥ ୯
ତୋ' ମୁଖୁଁ ପୂର୍ବେ ମୁହିଁ ଶୁଣି । ଏ କଥା ମନେ ପରିମାଣି ॥ ୧୦
ସଂଶୟ କଲି ଭ୍ରମଚିତ୍ତେ । ଭୋ ନାଥ କହ ମୋ' ଅଗ୍ରତେ ॥ ୧୧
ଏମନ୍ତ ଉଦ୍ଧବ ବଚନ । ଶୁଣି କହନ୍ତି ଭଗବାନ ॥ ୧୨
ଭଗବାନ ଉବାଚ
ଉଦ୍ଧବ ଏକମନେ ଶୁଣ । ଯେ ଯୋଗ ଲୋକ-ପରିତ୍ରାଣ ॥ ୧୩
ଭକତି ଧର୍ମ ଜ୍ଞାନ ଘେନି । ଏମନ୍ତେ ଯୋଗମାର୍ଗ ତିନି ॥ ୧୪
ଏ ତିନିପଥୁଁ ଅନ୍ୟମତେ । ଉପାୟ ନ ଦେଖି ଜଗତେ ॥ ୧୫
ଏ କଥା ଶୁଣ ମନଦେଇ । ଉତ୍ତମ ଶିଷ୍ୟେ ଏହା କହି ॥ ୧୬
ଏ ତିନିଯୋଗ ତୋ'ର ଆଗେ । ଶୁଣ କହିବି ବେଦମାର୍ଗେ ॥ ୧୭
କର୍ମର ଫଳ ତ୍ୟାଗ କରି । ବିଷ୍ଣୁର ଭାବ ଚିତ୍ତେ ଧରି ॥ ୧୮
ଦିନ ବଞ୍ଚଇ ଦୃଢଭାବେ । ସେ ଅଧିକାରୀ ଜ୍ଞାନଯୋଗେ ॥ ୧୯
ତାହାକୁ ବୋଲି ଜ୍ଞାନଯୋଗୀ । ନିର୍ଲେପଜ୍ଞାନେ ସୁଖଭୋଗୀ ॥ ୨୦
ଯାହାର କର୍ମଭୋଗ ଚିତ୍ତେ । ନିବର୍ତ୍ତ ନୋହେ କଦାଚିତେ ॥ ୨୧
ତାହାର କର୍ମଯୋଗ ସାର । ବେଦ-ବିହିତ ଯେ ବେଭାର ॥ ୨୨
ତାହାକୁ ବୋଲି କର୍ମଯୋଗୀ । ଯେ କର୍ମଯୋଗେ ସୁଖଭୋଗୀ ॥ ୨୩
ବିଷୟରସ ଥାଇ ଚିତ୍ତେ । ବୈରାଗ୍ୟ ସମ୍ଭବେ କିଞ୍ଚିତେ ॥ ୨୪
ମୋ' ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ୨୫
ସେ ଭକ୍ତିଯୋଗେ ଅଧିକାରୀ । କେବେହେଁ ନୁହଁଇ ସଂସାରୀ ॥ ୨୬
ମୁଁ ତାକୁ କରଇ ସଦୟ । ତାହାର ସୁବିଦ୍ଧି ଉଦୟ ॥ ୨୭
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ ॥ ୨୮
ଯାବତ ଜ୍ଞାନ ନୋହେ ଚିତ୍ତେ । କର୍ମ ସାଧିବ ଲୋକମତେ ॥ ୨୯
ମୋ'ର ଅମୃତକଥା ପାନେ । ଶ୍ରଦ୍ଧା ନୁହଇ ଯେତେଦିନେ ॥ ୩୦
ତାବତ ବେଦ ଅଧିକାରେ । କର୍ମ କରିବ ଏ ସଂସାରେ ॥ ୩୧
ଏ ତିନିଯୋଗ ବୀର ତୋତେ । କହିଲି ସ୍ୱକର୍ମ ଉଚିତେ ॥ ୩୨
ସ୍ୱଧର୍ମ ଭାବେ ଏ ଜଗତେ । ଯଜ୍ଞାଦି କର୍ମ କରେ ଯେତେ ॥ ୩୩
ସେ କର୍ମଫଳ ଆଶା ତେଜେ । କେବଳ ମୋ' ଚରଣେ ଭଜେ ॥ ୩୪
ଉଦ୍ଧବ ରହେ ସେ ନିଶ୍ଚିନ୍ତେ । ନ ଗମେ ଦୁଃଖସୁଖ ପଥେ ॥ ୩୫
ସ୍ୱର୍ଗ-ସମ୍ପଦେ ଇଚ୍ଛାନାହିଁ । ନରକେ ପଡ଼ିବ ସେ କାହିଁ ॥ ୩୬
ମୋ' ଭାବେ ରହେ ସେ ନିଶ୍ଚିନ୍ତ । ବିକର୍ମେ ନ ଭ୍ରମେ ତା'ଚିତ୍ତ ॥ ୩୭
ମୁହିଁ ବସଇ ତା'ର ଅଙ୍ଗେ । ସକଳ ସିଦ୍ଧି ଥା'ନ୍ତି ସଙ୍ଗେ ॥ ୩୮
ଉଦ୍ଧବ ଚିତ୍ତେ ଅନୁମାନ । ଏ ମୋ' ବିଶୁଦ୍ଧ ତତ୍ତ୍ୱଜ୍ଞାନ ॥ ୩୯
ଜ୍ଞାନରୁ ଭକତି ଉଦୟ । ଏଣୁ ଏ ଧନ୍ୟ ନରଦେହ ॥ ୪୦
ଏଣୁ ଏ ସ୍ୱର୍ଗବାସୀଜନେ । ନିତ୍ୟେ ଚିନ୍ତନ୍ତି ଦୁଃଖମନେ ॥ ୪୧
ଭାରତଭୂମି ମଧ୍ୟେ ଯାଇ । ମନୁଷ୍ୟଦେହ ଆମ୍ଭେ ପାଇ ॥ ୪୨
ଭକତିଯୋଗେ ଅନୁକ୍ଷଣେ । ଭଜିବୁ ଶ୍ରୀକୃଷ୍ଣ ଚରଣେ ॥ ୪୩
ନରକବାସୀ ଏହିମତେ । ନିତ୍ୟେ ଚିନ୍ତନ୍ତି ହୃଦଗତେ ॥ ୪୪
ଦୁର୍ଲ୍ଲଭ ମନୁଷ୍ୟ ଶରୀର । ନରକ-ନିସ୍ତାରଣ-ଦ୍ୱାର ॥ ୪୫
ଆମ୍ଭେ ପାଇବା ଅବା କାହିଁ । ପୂର୍ବ ଅର୍ଜିଲା ପୁଣ୍ୟ ନାହିଁ ॥ ୪୬
ଏମନ୍ତେ ସ୍ୱର୍ଗେ ନର୍କେ ଥାଇ । ନିତ୍ୟେ ଚିନ୍ତନ୍ତି ଚିତ୍ତେ ଧ୍ୟାୟି ॥ ୪୭
କର୍ମ-ସାଧନା ନାହିଁ ତହିଁ । ଏଣୁ ବାଞ୍ଛନ୍ତି ନରଦେହୀ ॥ ୪୮
ମନୁଷ୍ୟେ ସାଧି ଭକ୍ତିଯୋଗ । ସ୍ୱର୍ଗ ନରକ ବେନିଭୋଗ ॥ ୪୯
ଏ ବୋଲ ବୁଝି ବୁଧଜନେ । ଏ ବେନି ଦେଖନ୍ତି ସମାନେ ॥ ୫୦
ସଂସାର ଈଶ୍ୱରର ମାୟା । ଚିତ୍ତେ ଚିନ୍ତନ୍ତି ନିତ୍ୟେ ଏହା ॥ ୫୧
ସ୍ୱର୍ଗ-ନରକ ବେନିପଥେ । କେବେହେଁ ନ କଳ୍ପନ୍ତି ଚିତ୍ତେ ॥ ୫୨
ମନୁଷ୍ୟ ଦେହେ ମୂଢ଼ ନରେ । ଅଜ୍ଞାନେ ଭ୍ରମନ୍ତି ସଂସାରେ ॥ ୫୩
ଯେ ଏ ଦୁର୍ଲ୍ଲଭ ଦେହ ବହି । ଆତ୍ମାର ଗତି ନ ଜାଣଇ ॥ ୫୪
ବିଷୟ-ରସେ କରେ ଆଶ । ସେ ଦେହେ ପ୍ରୟୋଜନ କିସ ॥ ୫୫
ଯେ ଦେହ ନରକ ନିପାତେ । ତାହା ନ ଇଚ୍ଛି କଦାଚିତେ ॥ ୫୬
ଏଣୁ ଏ ନରଦେହ ପାଇ । ଯାବତ ମୃତ୍ୟୁ ନ ଘଟଇ ॥ ୫୭
ତାବତ ଜ୍ଞାନ-ବଇରାଗ୍ୟେ । ମୋର ଭକତି ଯୋଗମାର୍ଗେ ॥ ୫୮
ବେଗେ ମରଣ ମୁଖୁଁ ତର । ମନୁଷ୍ୟଦେହ ନୋହେ ଚିର ॥ ୫୯
ଏ ଦେହ ସର୍ବସିଦ୍ଧି ହେତୁ । ସଂସାର-ସିନ୍ଧୁ-ପାର ସେତୁ ॥ ୬୦
ଏ ଦେହେବୃକ୍ଷେ ହଂସ ବସେ । ଅଜ୍ଞାନେ ଫଳଲୋଭ ଆଶେ ॥ ୬୧
ବୃକ୍ଷ ଆବୋରି ଯମଦୂତେ । ଅମୋଘ ଖଡ଼୍ଗ ଧରି ହସ୍ତେ ॥ ୬୨
ରାତ୍ର-ଦିବସ କାଟି ବଳେ । ବୃକ୍ଷକୁ ଉପାଡ଼ନ୍ତି ସମୂଳେ ॥ ୬୩
ଏଣୁ ଏ ବୃକ୍ଷେ ହଂସପକ୍ଷୀ । ଯମକିଙ୍କର ଘାତ ଲକ୍ଷ୍ୟି ॥ ୬୪
ଏ ଫଳଲୋଭ ଛାଡ଼ି ମନେ । ସୁଜ୍ଞାନେ ରହେ ନିଜ ସ୍ଥାନେ ॥ ୬୫
ରାତ୍ର ଦିବସ କାଳଦୂତେ । ଆୟୁଷ ହରନ୍ତି ନିରତେ ॥ ୬୬
ଏ ବୋଲ ବୁଝି ବୁଧନରେ । ଆକୁଳେ କମ୍ପନ୍ତି ଅନ୍ତରେ ॥ ୬୭
ଏ ଦେହଧର୍ମ ଦୂରକରି । ଅଜ୍ଞାନ-ଚେଷ୍ଟା ପରିହରି ॥ ୬୮
ଶାନ୍ତି-ସମାଧି-ପୂର୍ଣ୍ଣଜ୍ଞାନେ । ଥା'ନ୍ତି ନିର୍ଗୁଣ ଆତ୍ମାଧ୍ୟାନେ ॥ ୬୯
ସର୍ବଶରୀର ମଧ୍ୟେ ସାର । ଦୁର୍ଲ୍ଲଭ ନର-କଳେବର ॥ ୭୦
ସୁଲଭ-ନାବ ରୂପେ ଖଟେ । ବନ୍ଧନ ଭବସିନ୍ଧୁ-ତଟେ ॥ ୭୧
ଏ ନାବେ ଗୁରୁ କର୍ଣ୍ଣଧାର । ମୁହିଁ ଅନୁକୂଳ ସମୀର ॥ ୭୨
ଏମନ୍ତ ନାବ ଥାଉଁ କୂଳେ । ଯେ ବା ନ ତରେ ଭବଜଳେ ॥ ୭୩
ସେ ଜୀବ ହୀନ ମୂଢମତି । ତାହାକୁ ବୋଲି ଆତ୍ମାଘାତୀ ॥ ୭୪
ସଂସାର-କୂପେ ସେ ପତିତ । ଦୁର୍ଲ୍ଲଭ-ଦେହେ ସେ ବଞ୍ଚିତ ॥ ୭୫
ଏଣୁ ନିବୃତ୍ତ ଚିତ୍ତେ ଯୋଗୀ । ସର୍ବ-ଆରମ୍ଭ ପରିତ୍ୟାଗି ॥ ୭୬
ଅଭ୍ୟାସ ବଳେ ଅନ୍ତର୍ଗତେ । ମନ ରୁନ୍ଧିବ ଦୃଢ଼ଚିତ୍ତେ ॥ ୭୭
ଏ ମନ ସ୍ୱଭାବେ ଚଞ୍ଚଳ । କେବେହେଁ ନୁହଁଇ ନିଶ୍ଚଳ ॥ ୭୮
ପବନ-ଗତି ଅନୁରୋଧେ । ସମେ ସାଧନ ଦୃଢବନ୍ଧେ ॥ ୭୯
ପବନ-ଦ୍ୱାରେ ମନ ଥୋଇ । ଆସନ ଦୃଢବନ୍ଧେ ଦେଇ ॥ ୮୦
ଅଭ୍ୟାସେ ବଶ ହୋନ୍ତି ତା'ର । ପ୍ରାଣ-ଇନ୍ଦ୍ରିୟ-ଅହଙ୍କାର ॥ ୮୧
ଚଞ୍ଚଳ ମନ ଏଣେ ଧରି । ସାଧିବ ସତ୍ତ୍ୱଗୁଣେ ଭରି ॥ ୮୨
ପରମ ଯୋଗ ଏ ସାଧନ । ଅଭ୍ୟାସେ ମନ ନିରୋଧନ ॥ ୮୩
ଚଞ୍ଚଳ ତୁରଙ୍ଗମ ଯେହ୍ନେ । ଶ୍ରମେ ସୁସାଧ୍ୟ ଦିନେଦିନେ ॥ ୮୪
ଅଳପ ଅଳପ ଅଭ୍ୟାସେ । ମନପବନ ସ୍ଥାପି ବସେ ॥ ୮୫
ନିଶ୍ଚିନ୍ତେ ରହେ ଦେହବହି । ସଂସାର ସାକ୍ଷୀପ୍ରାୟ ହୋଇ ॥ ୮୬
ଦେଖଇ ଜନ୍ତୁଙ୍କ ମରଣ । ଭବସାଗର ସଞ୍ଚରଣ ॥ ୮୭
ପ୍ରସନ୍ନ ହୋଏ ଯେବେ ମନ । ଅସତ୍ୟ ଦେଖେ ତ୍ରିଭୁବନ ॥ ୮୮
ଗୁରୁବଚନେ ଚିତ୍ତ ସ୍ଥିର । ବୈରାଗ୍ୟ ବିଷୟେ ତାହାର ॥ ୮୯
ନିରତେ ହୋଇ ସ୍ଥିରମନା । କ୍ରମେ ସେ ଖଣ୍ତେ ଦୁର୍ବାସନା ॥ ୯୦
ସଙ୍କଳ୍ପ ତୁଟେ ନିରବଧି । ଯମାଦି ଯୋଗପଥ ସାଧି ॥ ୯୧
ମନକୁ ତତ୍ତ୍ୱଜ୍ଞାନେ ଆଣି । ଭକତିଯୋଗେ ପରିମାଣି ॥ ୯୨
ମୋ' ରୂପ କରି ଉପାସନା । କୀର୍ତ୍ତନ ଅର୍ଚ୍ଚନ ବନ୍ଦନା ॥ ୯୩
ମନ ସଂଯମ କରି ହୃଦେ । ନିଶ୍ଚଳେ ଦେଇ ମୋ'ର ପାଦେ ॥ ୯୪
ଆନନ୍ଦେ ଭ୍ରମଇଁ ଶୟଳେ । ଯେବେ ସେ ଦୁଷ୍ଟ ସଙ୍ଗମେଳେ ॥ ୯୫
ନିନ୍ଦିତ-କର୍ମମାନ କରେ । ସେ ପାପ ମୋର ଧ୍ୟାନେ ହରେ ॥ ୯୬
ଏ ବିନେ ଅନ୍ୟ ପ୍ରାୟଶ୍ଚିତେ । ପାପ ନ ଯାଏ କଦାଚିତେ ॥ ୯୭
ଯେ ଯାହା ଅଧିକାର କର୍ମ । ଏ ବିନେ ଅନ୍ୟ ଯେ ଅଧର୍ମ ॥ ୯୮
ମୋ' ନାମ ଶ୍ରବଣ-କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ୯୯
ନିରତେ ସର୍ବକର୍ମ ତେଜେ । କେବଳ ଦୃଢ଼େ ମୋତେ ଭଜେ ॥ ୧୦୦
ସଙ୍କଳ୍ପ ଭୋଗ ଦୁଃଖମୟେ । ଯେବେ ଛାଡ଼ନ୍ତେ ସୁଖ ନୋହେ ॥ ୧୦୧
ଯେବା ମିଳିବ ଅକସ୍ମାତେ । ଆନନ୍ଦେ ସମର୍ପିବ ମୋତେ ॥ ୧୦୨
ପୀରତି କରି ମୋ' ଚରଣେ । ଭାବେ ଭଜିବ ଅନୁକ୍ଷଣେ ॥ ୧୦୩
ସୁଦୃଢେ ଭକତ-ସମାଜେ । ମୁଁ ତାଙ୍କ ହୃଦୟ-ପଙ୍କଜେ ॥ ୧୦୪
ବସଇ କାମ ଦୂରକରି । ନିର୍ମଳ-ଜ୍ୟୋତି ରୂପ ଧରି ॥ ୧୦୫
ଯେବେ ସକଳଭୂତେ ଏକେ । ମୁଁ ବସିଥିଲା ପ୍ରାୟ ଦେଖେ ॥ ୧୦୬
କାମ ନ ରହେ ତା'ର ଦେହେ । ସଂସାରୁ ତରେ ଏ ଉପାୟେ ॥ ୧୦୭
ସଂଶୟ ଗ୍ରନ୍ଥି ତା'ର ହୃଦେ । ମୁହିଁ ଛେଦଇ ଅପ୍ରମାଦେ ॥ ୧୦୮
ସକଳ କର୍ମ ତତକ୍ଷଣେ । ଦହଇ ମୋହର ସ୍ମରଣେ ॥ ୧୦୯
ମୁହିଁ ଅଖିଳ-ଆତ୍ମା ଅଟେ । ମୋର ଦର୍ଶନେ ସର୍ବତୁଟେ ॥ ୧୧୦
ଏ ଭାବ ବୁଝି ନିରବଧି । ଯତ୍ନେ ଭକତି ଯୋଗ ସାଧି ॥ ୧୧୧
ଏଣୁ ଭକତି-ଯୋଗଯୁକ୍ତେ । ଯେ ଯୋଗୀ ଭଜେ ଦୃଢଚିତ୍ତେ ॥ ୧୧୨
ସେ ମହାଶୟ ଏ ଜଗତେ । ଜ୍ଞାନ-ବୈରାଗ୍ୟ ଅନୁମତେ ॥ ୧୧୩
ଏଣୁ ସଂସାରେ ଯୋଗୀଜନ । ନିର୍ବାଣପଦ ତପ ଦାନ ॥ ୧୧୪
ଜ୍ଞାନ ବୈରାଗ୍ୟ ଦୂରକରି । ମୋର ଭକତି ଅନୁସରି ॥ ୧୧୫
ସର୍ବ ସଂଶୟ ଦୂରକରି । ମାୟା ସଂସାରୁ ଯା'ନ୍ତି ତରି ॥ ୧୧୬
ଏଣୁ ଭକତ ମୋର ଯେବେ । କଳ୍ପଇ ସ୍ୱର୍ଗ-ଅପବର୍ଗେ ॥ ୧୧୭
ଆଉ ଅଧିକେ ବାଞ୍ଛା ଯେତେ । ତା' ପାଦେ ଖଟନ୍ତି ସମସ୍ତେ ॥ ୧୧୮
ଏଣୁ ମୋ ଭାବ ଯେ ଜାଣଇ । ତା'ର କଳ୍ପନା ଆର କାହିଁ ॥ ୧୧୯
ମୁହିଁ ସମ୍ପଦ ଦେଲେ ତା'ରେ । ତକ୍ଷଣେ ଦୂରେ ପରିହରେ ॥ ୧୨୦
ସକଳଭାବେ ସେ ଉଦାର । ମୁଁ ନିରପେକ୍ଷ-ଜ୍ଞାନ ତା'ର ॥ ୧୨୧
ଏଣୁ ନିଷ୍ମାମ ଯାର ମତି । ସେ ଲଭେ ଏକାନ୍ତ ଭକତି ॥ ୧୨୨
ମୋର ଭକତ ଯେଉଁ ନର । ଶୁଭ-ଅଶୁଭ ନାହିଁ ତାର ॥ ୧୨୩
ତାହାର ନାହିଁ ଗୁଣ ଦୋଷ । ସେ ପ୍ରାଣୀ ମୋହର ବିଶ୍ୱାସ ॥ ୧୨୪
ଏଣୁ ଭକତି-ଯୋଗ-ପଥେ । ଯେ ପ୍ରାଣୀ ଆଶ୍ରେ କରେ ମୋତେ ॥ ୧୨୫
ସର୍ବ ସଙ୍କଳ୍ପ ତା'ରେ ମିଳେ । ଯେ ମୋତେ ଭଜଇ ନିଶ୍ଚଳେ ॥ ୧୨୬
ଏଣୁ ମୁଁ ତୋହର ବଚନେ । ଜ୍ଞାନ-ବୈରାଗ୍ୟ ଅନୁମାନେ ॥ ୧୨୭
କହିଲି ଭକତି ଲକ୍ଷଣ । ଏବେ ହୋ ସାବଧାନେ ଶୁଣ ॥ ୧୨୮
ପାମର ହୀନ ଜଗନ୍ନାଥ । ଗୀତ ପ୍ରବନ୍ଧେ ଭାଗବତ ॥ ୧୨୯
ଯାହା କହିଲି ଜନହିତେ । ସୁଜନେ ଶୁଣ ଏକ ଚିତ୍ତେ ॥ ୧୩୦
ଉଦ୍ଧବ ମାଧବ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୧୩୧
କଳି-କଳୁଷ ନ ଲାଗଇ । ସୁଜନେ ତର ଏହା ଗାଇ ॥ ୧୩୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ଏକବିଂଶୋଦ୍ଧଧ୍ୟାୟଃ ॥
* * *