ଏକାଦଶ ସ୍କନ୍ଧ
ବିଂଶ ଅଧ୍ୟାୟ
ଭଗବାନ ଉବାଚ
କହନ୍ତି ପ୍ରଭୁ ଭଗବାନ । ଶୁଣ ହେ ଭକତ ପ୍ରଧାନ ॥ ୧
ଯେ ଜନ ଆତ୍ମା ତତ୍ତ୍ୱଜ୍ଞାନ । ଅନୁଭବରେ ବିଚକ୍ଷଣ ॥ ୨
ବିମଳମତି ଧୀରବାଣୀ । ଜଗତ ମାୟାମାତ୍ର ଜାଣି ॥ ୩
ସେ ଜ୍ଞାନ ଦେଇ ମୋ' ଚରଣେ । ଭାବେ ଖଟିବେ ଭୃତ୍ୟପଣେ ॥ ୪
ମୋତେ ବାଞ୍ଛନ୍ତି ଜ୍ଞାନୀଜନ । ମୁଁ ତା'ଙ୍କ ପ୍ରିୟ ଇଷ୍ଟଧନ ॥ ୫
ମୋର ଚରଣ ଶ୍ରେଷ୍ଠ ମଣେ । ଜ୍ଞାନବିଜ୍ଞାନ ଦୃଢ଼ମନେ ॥ ୬
ଏଣୁ ମୋ' ଜ୍ଞାନୀ ପ୍ରିୟତମ । କେହି ନୁହଁନ୍ତି ତା'ର ସମ ॥ ୭
ସେ ମୋତେ ଜ୍ଞାନବନ୍ଧେ ଧରେ । ସକଳ କର୍ମ ପରିହରେ ॥ ୮
ତୀର୍ଥ ଗମନ ଜପ ଦାନ । ଯଜ୍ଞେ ଦେବତା ଆରାଧନ ॥ ୯
ଏ କୋଟି କୋଟି ବ୍ରତ ଧର୍ମ । ଏ ଆଦି ଯେତେ ପୁଣ୍ୟକର୍ମ ॥ ୧୦
ନାନା ପ୍ରକାରେ ତପ କରି । ଜ୍ଞାନକଳାକୁ ନୋହେ ସରି ॥ ୧୧
ଉଦ୍ଧବ ଏହା ବୁଝି ମନେ । ତୁ ମୋତେ ଭଜ ତତ୍ତ୍ୱଜ୍ଞାନେ ॥ ୧୨
ମୋତେ ଭଜିଲେ ଖଣ୍ତେ ଭ୍ରମ । ଏବେ ତୁ ଛାଡ଼ ସର୍ବଧର୍ମ ॥ ୧୩
ଜ୍ଞାନମାର୍ଗରେ କର ଆଶା । ମୋ ପାଦେ ରହିବ ଭରସା ॥ ୧୪
ପୂର୍ବେ ଅଶେଷ ମୁନିଗଣେ । ଜ୍ଞାନେ ସେବିଲେ ମୋ' ଚରଣେ ॥ ୧୫
ସଂଶୟ ଛାଡ଼ି ଶୁଦ୍ଧମନେ । ଗମିଲେ ବୈକୁଣ୍ଠଭୁବନେ ॥ ୧୬
ଉଦ୍ଧବ ଦେଖ ଏ ସଂସାର । ସ୍ୱଭାବେ ତ୍ରିଗୁଣ ବିକାର ॥ ୧୭
ଏ ସର୍ବମାୟା ନାନାମତେ । ଆଶ୍ରେ କରନ୍ତି ସର୍ବଚିତ୍ତେ ॥ ୧୮
ଏ ମାୟା ପ୍ରଳୟେ ନ ଥାଇ । ପୂର୍ବେ ତ କେହି ନ ଜାଣଇ ॥ ୧୯
ମଧ୍ୟେ ବିଳସେ ନାନାରୂପେ । ଜଗନ୍ମୋହିନୀ ମାୟା କଳ୍ପେ ॥ ୨୦
ଏଣୁ ଏ ଆଦି ମଧ୍ୟ ଅନ୍ତ । କେବଳ ମାୟା ମାତ୍ର ସତ୍ୟ ॥ ୨୧
ଉଦ୍ଧବ କୃଷ୍ଣବାଣୀ ଶୁଣି । ଜ୍ଞାନମହିମା ପରିମାଣି ॥ ୨୨
ଜ୍ଞାନ-ବୈରାଗ୍ୟ-କର୍ମ ଯେତେ । ପୁଚ୍ଛିଲା କୃଷ୍ଣପାଦଗତେ ॥ ୨୩
ଉଦ୍ଧବ ଉବାଚ
ହେ ବିଶ୍ୱେଶ୍ୱର ନାରାୟଣ । ଅନାଦି ପୁରୁଷ ପୁରାଣ ॥ ୨୪
ତୁ ବିଶ୍ୱରୂପୀ ବିଶ୍ୱଦେହ । ଭକ୍ତି ଲକ୍ଷଣ ମୋତେ କହ ॥ ୨୫
ବିଶୁଦ୍ଧ-ବିଜ୍ଞାନ-କାରଣ । ଯାହା ବାଞ୍ଛନ୍ତି ମୁନିଗଣ ॥ ୨୬
ଘୋର ସଂସାର ମାୟା ଭ୍ରମେ । ମୁହିଁ ତୃଷିତ ପଥଶ୍ରମେ ॥ ୨୭
ତୋ' ପାଦପଦ୍ମ ଛତ୍ର ପ୍ରାୟେ । ଶୀତଳ ମଧୁଧାରା ବହେ ॥ ୨୮
ତୋ' ପାଦପଦ୍ମେ ମୋର ଆଶା । ଭବାବ୍ଧି ତରଣେ ଭରସା ॥ ୨୯
ମୁଁ ମୂଢ଼ ନିଜପଥ ହୁଡ଼ି । ଭ୍ରମଇଁ ଅନ୍ଧକୂପେ ପଡ଼ି ॥ ୩୦
ଏ କାଳସର୍ପ ମୋ' ଶରୀରେ । କୋପେ ଦଂଶଇ ନିରନ୍ତରେ ॥ ୩୧
ଅଳପ ସୁଖେ ତୃଷ୍ଣାଘୋର । କେମନ୍ତେ ହୋଇବି ଉଦ୍ଧାର ॥ ୩୨
ରୁ ନାଥ ଶରଣ-ସୋଦର । ଏ କୂପୁଁ କୃପାରେ ଉଦ୍ଧର ॥ ୩୩
ତୋ'ର ବଚନ ସୁଧାଧାର । ବରଷା କର ମୋର ଶିର ॥ ୩୪
ଏମନ୍ତ ଭକ୍ତବାକ୍ୟ ଶୁଣି । ହସି ବୋଲନ୍ତି ଚକ୍ରପାଣି ॥ ୩୫
ଭଗବାନ ଉବାଚ
ଶୁଣ ଉଦ୍ଧବ ସାମରଥା । ଯେ ପୂର୍ବେ ଇତିହାସ କଥା ॥ ୩୬
କୁରୁପାଣ୍ତବ ଯୁଦ୍ଧ ଅନ୍ତେ । ଏ କଥା ଭୀଷ୍ମର ଅଗ୍ରତେ ॥ ୩୭
ପଣ୍ତୁକୁମର ଯୁଧିଷ୍ଠିର । ଧର୍ମେ ସେ ଜିଣିଲେ ସମର ॥ ୩୮
ଜ୍ଞାତି ବାନ୍ଧବ କୁଳକ୍ଷୟେ । ବ୍ୟାକୁଳେ ସଂଶୟ ହୃଦୟେ ॥ ୩୯
ପୁଚ୍ଛିଲା ମୋର ବିଦ୍ୟମାନେ । ଯେ ପ୍ରଶ୍ନ ଭୀଷ୍ମ ସନ୍ନିଧାନେ ॥ ୪୦
ସେ ମୋକ୍ଷଧର୍ମ ଯାହା କହି । ଶ୍ରବଣେ ଶୁଣିଅଛି ମୁହିଁ ॥ ୪୧
ଏବେ ରୁ ସାବଧାନେ ଶୁଣ । ଭକ୍ତି-ବୈରାଗ୍ୟ-ମୁକ୍ତିଜ୍ଞାନ ॥ ୪୨
ଭୀଷ୍ମ ବଦନୁଁ ଅଛି ଶୁଣି । ଶୁଣ କହିବା ପରିମାଣି ॥ ୪୩
ପ୍ରକୃତି ପୁରୁଷ ମହତ । ଯେ ଅହଙ୍କାର ପଞ୍ଚଭୂତ ॥ ୪୪
ମାତ୍ର ଇନ୍ଦ୍ରିୟ ଏକାଦଶ । ତ୍ରିଗୁଣ ଘେନି ଅଷ୍ଟାବିଂଶ ॥ ୪୫
ଜଗତ କାରଣ ସମସ୍ତେ । ଶାସ୍ତ୍ରେ କହନ୍ତି ନାନାମତେ ॥ ୪୬
ବୁଦ୍ଧିବିବେକ ଅନୁମାନେ । ବିଚାରି ଜାଣିବା ସାକ୍ଷାତେ ॥ ୪୭
ଯେ ତତ୍ତ୍ୱଜ୍ଞାନ ମୋର ମତ । ତା' ବିନୁ କିଛି ନୋହେ ସତ୍ୟ ॥ ୪୮
ଏ ତତ୍ତ୍ୱଜ୍ଞାନ ପୁରାତନ । ଜଗତ ଉତ୍ପ୍ତ୍ତି କାରଣ ॥ ୪୯
ଏବେ କହିବା ବୀର ଶୁଣ । ଭକତି ଉତ୍ପ୍ତ୍ତି କାରଣ ॥ ୫୦
ଜନ୍ମ ମରଣ ଏ ଜଗତେ । ଦୁଃଖ ସନ୍ତୋଷ ଆଦି ଯେତେ ॥ ୫୧
ଆଦ୍ୟନ୍ତ ମଧ୍ୟ ପରିମାଣି । ଏ ସର୍ବ ମିଥ୍ୟା ବୋଲି ଜାଣି ॥ ୫୨
ଯାହାକୁ ଆଦ-ମଧ୍ୟ-ଅନ୍ତେ । ବିନାଶ ନ ଦେଖି ଜଗତେ ॥ ୫୩
ସେ ସତ୍ୟ ଜ୍ଞାନତତ୍ତ୍ୱ ଜାଣ । ଅଧିକ ମିଥ୍ୟା ପରିମାଣ ॥ ୫୪
ନୟନେ ଦେଖି ଶୁଣି କର୍ଣ୍ଣେ । ଯେ ଅବା କରି ଅନୁମାନେ ॥ ୫୫
ବିକଳ୍ପ ସଙ୍କଳ୍ପ କାରଣ । ବିଚାରେ ନୋହେ ଏ ପ୍ରମାଣ ॥ ୫୬
କର୍ମର ଫଳ ଏ ଜଗତ । କର୍ମ ସରିଲେ ହୋଏ ହତ ॥ ୫୭
ସ୍ଥାବରୁ ବ୍ରହ୍ମଲୋକ ଯାଏଁ । କର୍ମ ସରିଲେ ହୋନ୍ତି କ୍ଷୟେ ॥ ୫୮
ଏଣୁ ଅନିତ୍ୟ ପରିମାଣି । ବିରକ୍ତି ଭାବେ ରହେ ପ୍ରାଣୀ ॥ ୫୯
ପୂର୍ବେ ମୁଁ କହିଥିଲି ତୋତେ । ଭକତିଯୋଗ ହିଁ ଯେମନ୍ତେ ॥ ୬୦
ଯେ ଭକ୍ତି ମୁକ୍ତିର କାରଣ । ଏବେ କହିବା ବୀର ଶୁଣ ॥ ୬୧
ମୋହର କଥାମୃତବାଣୀ । ଯେ ଶ୍ରଦ୍ଧାଚିତ୍ତେ ନିତ୍ୟେ ଶୁଣି ॥ ୬୨
ବଦବେ କରଇ କୀର୍ତ୍ତନ । ସୁସ୍ୱରଗୀତେ ଅନୁକ୍ଷଣ ॥ ୬୩
ମୋ'ର ପୂଜାରେ ଏକମତି । ଆଦରେ କରେ ନାନାସ୍ତୁତି ॥ ୬୪
ମୋ'ର ବ୍ୟାପାରେ ତତପର । ସାଷ୍ଟାଙ୍ଗେ କରେ ନମସ୍କାର ॥ ୬୫
ଉଦ୍ଧବ ଯେ ମୋର ଭକତ । ଅଧିକେ ପୂଜାକର୍ମ ରତ ॥ ୬୬
ମୋତେ ଦେଖିବ ସର୍ବଭୂତେ । ନିରତେ ଥିବ ପ୍ରାଣୀହିତେ ॥ ୬୭
ମୋ'ର କାରଣେ କର୍ମ ଯେତେ । ଆଦରେ କରୁଥିବ ନିତ୍ୟେ ॥ ୬୮
ମୋ'ର ମହିମା ଯେତେ ଗୁଣ । କୀର୍ତ୍ତନ କରୁଥିବ ପୁଣ ॥ ୬୯
ଅଧିକ କର୍ମ କରି ଯେତେ । ଅନ୍ତରେ ସମର୍ପିବ ମୋତେ ॥ ୭୦
ଆଶା ନ କରି କର୍ମଫଳେ । ଶରଣ ମୋ' ପାଦକମଳେ ॥ ୭୧
କର୍ମେ ମିଳିବ ଯେତେ ଭୋଗ । ମୋ' ପ୍ରୀତିଅର୍ଥେ ପରିତ୍ୟାଗ ॥ ୭୨
ମୋହର ଅର୍ଥେ କରି ପୁଣ୍ୟ । ଯେ ବ୍ରତ ଯଜ୍ଞ ତପ ଦାନ ॥ ୭୩
ଅର୍ପଣ କରି ସର୍ବ ମୋତେ । ବ୍ରହ୍ମାଅନନ୍ଦମୟ ଚିତ୍ତେ ॥ ୭୪
ଦେହ ଜୀବନ ଦେଇ ମୋତେ । ବନ୍ଦିବ ମୋ'ର ପାଦଗତେ ॥ ୭୫
ଏ ସର୍ବ ଭକତି ଉପାୟେ । ଯେ ଅବା ସାଧେ ନିଜ ଦେହେ ॥ ୭୬
ତା'ର ଭକତି ମୋ'ର ପାଦେ । ନିଶ୍ଚଳ ହୁଏ ଅପ୍ରମାଦେ ॥ ୭୭
ତା'ର ସାଧନା ସିଦ୍ଧି ଯେତେ । ମୋ'ତହୁଁ ନାହିଁ ନା ଜଗତେ ॥ ୭୮
ଯେ ପ୍ରାଣୀ ମୋହର ଚରଣେ । ଦଣ୍ତେ ନିମିଷେ ଅବା କ୍ଷଣେ ॥ ୭୯
ମନ ନିଶ୍ଚଳ କରେ ଯେବେ । ଜ୍ଞାନ ବୈରାଗ୍ୟ ଲଭେ ତେବେ ॥ ୮୦
ମୋ' ପାଦଭକ୍ତି ବୋଲି ଧର୍ମ । ଦେଖାଏ ଆତ୍ମତତ୍ତ୍ୱଜ୍ଞାନ ॥ ୮୧
ହୃଦୟେ ଭକତି ଉଦୟେ । ବୈରାଗ୍ୟ ଜନ୍ମାଏ ବିଷୟେ ॥ ୮୨
ଅଣିମା ଆଦି ଅଷ୍ଟନିଧି । ନିକଟେ ଥାନ୍ତି ନିରବଧି ॥ ୮୩
ଏମନ୍ତ କୃଷ୍ଣବାକ୍ୟ ଶୁଣି । ଉଦ୍ଧବ ଯୋଡ଼ି ବେନିପାଣି ॥ ୮୪
ବୋଲଇ କୃଷ୍ଣମୁଖ ଚାହିଁ । ଭୋନାଥ ଶୁଣ ଭାବଗ୍ରାହୀ ॥ ୮୫
ଉଦ୍ଧବ ଉବାଚ
ତୋହର ଅଭୟ ଚରଣେ । ମୁହିଁ ପୁଚ୍ଛଇ ଦାସପଣେ ॥ ୮୬
ଯମ ନିୟମ ଶମ ଦମ । କେତେ ପ୍ରକାରେ ଯଥାକ୍ରମ ॥ ୮୭
ତିତିକ୍ଷା ଧୃତି ତପ ଦାନ । କହ ହେ ପ୍ରଭୁ ଭଗବାନ ॥ ୮୮
ଶଉର୍ଯ୍ୟ ଋତ ସତ୍ୟ ତ୍ୟାଗ । ଧନ ଦକ୍ଷିଣା ଯଜ୍ଞ ଭାଗ ॥ ୮୯
ପୁରୁଷମାନଙ୍କର ବଳ । କି ଦୟା ଲାଭ ଆଦିମୂଳ ॥ ୯୦
କି ପରାବିଦ୍ୟା ଲଜ୍ଜା ଶିରୀ । କି ଦୁଃଖ ସୁଖ ନରହରି ॥ ୯୧
କେ ମୂର୍ଖ କି ରୂପେ ପଣ୍ତିତ । କେ ସାଧୁମାର୍ଗ କେ କୁପଥ ॥ ୯୨
କାହାକୁ ବୋଲି ସ୍ୱର୍ଗଲୋକ । କେ ଅବା ଅଟଇ ନରକ ॥ ୯୩
ଧନାଢ୍ୟ ଜାଣିବ କେମନ୍ତେ । କେ ଦୁଃଖୀ ଦରିଦ୍ର ଜଗତେ ॥ ୯୪
କାହାକୁ ବୋଲି ବନ୍ଧୁଘର । କୃପଣ କେ ଅବା ଈଶ୍ୱର ॥ ୯୫
ଏ ଆଦି ପଚାରଇ ଯେତେ । ଭୋ ନାଥ କହ ଦୟାଚିତ୍ତେ ॥ ୯୬
ମୋ' ଚିତ୍ତେ ସଂଶୟ ପ୍ରମାଣୁ । ଏ ପ୍ରଶ୍ନ ପଚାରିଲି ତେଣୁ ॥ ୯୭
ଯେ ଅବା ଘଟେ ଯେଉଁମତେ । ଭୋ ନାଥ କହ ଦୟାଚିତ୍ତେ ॥ ୯୮
ପୁରୁଷସିଂହ ଚକ୍ରପାଣି । ଏମନ୍ତ ଭକ୍ତବାକ୍ୟ ଶୁଣି ॥ ୯୯
ଚିତ୍ତେ ସକଳ ଅବଧାରି । କହନ୍ତି ପ୍ରଭୁ ଦଇତ୍ୟାରି ॥ ୧୦୦
ଭଗବାନ ଉବାଚ
ଶୁଣ ଉଦ୍ଧବ ଏକଚିତ୍ତେ । ଯେ ପ୍ରଶ୍ନ ପଚାରିଲୁ ମୋତେ ॥ ୧୦୧
ବଚନ ମଧ୍ୟେ ସତ୍ୟବାଣୀ । ନିର୍ଲୋଭ ପରଧନେ ଜାଣି ॥ ୧୦୨
ଲଜ୍ଜା ସକଳ ସଙ୍ଗ ତ୍ୟାଗ । ଧନ ସଂଚୟେ ବଇରାଗ୍ୟ ॥ ୧୦୩
ମଉନ ବ୍ରହ୍ମଚର୍ଯ୍ୟ ଗୁଣ । ସ୍ଥଇର୍ଯ୍ୟ ଆସ୍ତିକ ଲକ୍ଷଣ ॥ ୧୦୪
ଜୀବେ ଅହିଂସା ଭୟ କ୍ଷମା । ଯମ ଦ୍ୱାଦଶ ଏ ମହିମା ॥ ୧୦୫
ଶଉଚ ତପ ଜପ ହୋମ । ଆନନ୍ଦେ ମୋହର ଅର୍ଚ୍ଚନ ॥ ୧୦୬
ଆଚାର୍ଯ୍ୟ ସେବା ତୀର୍ଥଗତି । ଶ୍ରଦ୍ଧାଏ ପୂଜିବ ଅତିଥି ॥ ୧୦୭
ସକଳ ଚେଷ୍ଟା ପରହିତେ । ସନ୍ତୋଷ ଅବଲମ୍ବ ଚିତ୍ତେ ॥ ୧୦୮
ନିୟମ ଦ୍ୱାଦଶ ଏ ଜାଣ । ଏଣେ ଜୀବର ପରିତ୍ରାଣ ॥ ୧୦୯
ଯମ ନିୟମ ବେନିପଥେ । ଯେବା ଆଚରେ ଶୁଦ୍ଧଚିତ୍ତେ ॥ ୧୧୦
ଯମରେ ମୋକ୍ଷସଙ୍ଗ ହୋଇ । ନିୟମେ କାମନା ଲଭଇ ॥ ୧୧୧
ମୋ' ଦେହେ ଥିବ ବୁଦ୍ଧି ଶମ । ଇର୍ନ୍ଦିୟ ସଂଯମନ ଦମ ॥ ୧୧୨
ଜିହ୍ୱା-ଉପସ୍ଥ-ଜୟ ଧୃତି । ତିତିକ୍ଷା ସର୍ବଦୁଃଖେ ଶାନ୍ତି ॥ ୧୧୩
ପରକୁ ଦଣ୍ତତ୍ୟାଗ ଦାନ । ତପ ସର୍ବକାମ ବର୍ଜନ ॥ ୧୧୪
ନିଜ ସ୍ୱଭାବ ଯେବେ ଜିଣି । ଶଉର୍ଯ୍ୟ ବୋଲି ତା'କୁ ଭଣି ॥ ୧୧୫
ସମାନଦୃଷ୍ଟି ସର୍ବଭୂତେ । ଏ ସତ୍ୟପଦ ମୋର ମତେ ॥ ୧୧୬
ପ୍ରିୟ ଆବର ସତ୍ୟ ଯେହି । କବି ବୋଲନ୍ତି ରତ ଏହି ॥ ୧୧୭
ସକଳ କର୍ମଫଳ-ତ୍ୟାଗ । ଶଉଚ ଲକ୍ଷଣ ସ୍ୱଭାବ ॥ ୧୧୮
ସଂସାରେ ସନ୍ନ୍ୟାସ ଧାରଣ । ଉତ୍ତମ ତ୍ୟାଗ ଏ ଲକ୍ଷଣ ॥ ୧୧୯
ଧନାଢ୍ୟ ବୋଲି ଏ ଶୟଳେ । ଯେ ନିତ୍ୟେ ଇଷ୍ଟଧର୍ମ ପାଳେ ॥ ୧୨୦
ମୁଁ ଯଜ୍ଞରୂପୀ ହୃଷୀକେଶ । ଦକ୍ଷିଣା ଜ୍ଞାନ ଉପଦେଶ ॥ ୧୨୧
ସୁଦୃଢେ ପବନ-ଧାରଣ । ପରମବଳ ଏ ଲକ୍ଷଣ ॥ ୧୨୨
ଭଗ ମୋ ଅଇଶ୍ୱର୍ଯ୍ୟ ଭାବ । ମୋର ଭକତି ବଡ଼ ଲାଭ ॥ ୧୨୩
ପ୍ରାଣୀ-ବିଷୟେ ଭେଦବୁଦ୍ଧି । ନ କରେ ସେ ବିଦ୍ୟା ପ୍ରସିଦ୍ଧି ॥ ୧୨୪
ନିନ୍ଦିତ କର୍ମେ ଯେ ଡ଼ରଇ । ଉଦ୍ଧବ ଜାଣ ଲଜ୍ଜା ସେହି ॥ ୧୨୫
ସକଳ ଭାବେ ଅନପେକ୍ଷ । ଏ ଶିରୀଲାଭଟି ପ୍ରତ୍ୟକ୍ଷ ॥ ୧୨୬
ସମେ ଯେ ଦୁଃଖ ସୁଖ ମଣି । ସେ ମହାସୁଖୀ ନିତ୍ୟେ ଭଣି ॥ ୧୨୭
ନିରତେ କାମଭୋଗେ ସୁଖୀ । ତାହାକୁ ବୋଲି ମହାଦୁଃଖୀ ॥ ୧୨୮
ଯେ ଆତ୍ମା-ବନ୍ଧ-ମୋକ୍ଷ ଜାଣେ । ସେ ପ୍ରାଣୀ ପଣ୍ତିତ ବଖାଣେ ॥ ୧୨୯
ଦେହ କଳତ୍ର ବନ୍ଧୁ ଘର । ଏଣେ ଯେ କରେ ଅହଙ୍କାର ॥ ୧୩୦
ତାହାକୁ ମୂର୍ଖ ବୋଲି ଜାଣି । ହସି କହନ୍ତି ଚକ୍ରପାଣି ॥ ୧୩୧
ମୋତେ ଭଜଇ ଯେ ଯେମନ୍ତେ । ଉତ୍ତମ ପଥ ଏ ଜଗତେ ॥ ୧୩୨
ଯେଣେ ଚଞ୍ଚଳ ହୋଏ ଚିତ୍ତ । ଉଦ୍ଧବ ଜାଣ ସେ କୁପଥ ॥ ୧୩୩
ଯା'ର ଉଦୟ ତମଗୁଣ । ସେ ପ୍ରାଣୀ ନରକ ଲକ୍ଷଣ ॥ ୧୩୪
ପ୍ରାଣୀ ପରମବନ୍ଧୁ ମୁହିଁ । ଗୁରୁଙ୍କ ପ୍ରାୟ ହିତ ବହି ॥ ୧୩୫
ଉଦ୍ଧବ ଏ ଉତ୍ତମ ଘର । ଅଟେ ମନୁଷ୍ୟ କଳେବର ॥ ୧୩୬
ମୋ' ସର୍ବଗୁଣେ ଯା'ର ମନ । ତା'ର ସମୀପେ ସର୍ବଧନ ॥ ୧୩୭
ମୋ ଭାବେ ଯା'ର ଚିତ୍ତ ନାହିଁ । ସଂସାରେ ଦରିଦ୍ରଟି ସେହି ॥ ୧୩୮
ଅଜିତ ଇନ୍ଦ୍ରିୟ ଯାହାର । ସଂସାରେ କୃପଣ ସେ ନର ॥ ୧୩୯
ତ୍ରିଗୁଣ ସଙ୍ଗ ଯା'ର ନାହିଁ । ଉଦ୍ଧବ ଈଶ୍ୱରଟି ସେହି ॥ ୧୪୦
ଯେ ପ୍ରଶ୍ନ କଲୁ ବୀର ତୁହି । କହିଲି ବୁଝ ମନ ଦେଇ ॥ ୧୪୧
ଅଧିକେ ବିଶେଷ ବର୍ଣ୍ଣନ । ପ୍ରସ୍ତାବେ ନାହିଁ ପ୍ରୟୋଜନ ॥ ୧୪୨
ସକଳ ଭୂତେ ଗୁଣ ଦୋଷ । ଉଦ୍ଧବ ଦେଖିବାଟି ଦୋଷ ॥ ୧୪୩
ଗୁଣ ଦୋଷ ହିଁ ନ ଦେଖଇ । ଉଦ୍ଧବ ଗୁଣ ସେ ବୋଲାଇ ॥ ୧୪୪
ବୋଲଇ ଦାସ ଜଗନ୍ନାଥ । ଶ୍ରୀଏକାଦଶେ ଭାଗବତ ॥ ୧୪୫
ଉଦ୍ଧବ ପୁଚ୍ଛିଲେ ଯେମନ୍ତ । ଶ୍ରୀକୃଷ୍ଣ କହିଲେ ତେମନ୍ତ ॥ ୧୪୬
ସୁଜନେ ଶୁଣି ମନସ୍ଥିରେ । ନ ବୁଡ଼ ସଂସାର-ସାଗରେ ॥ ୧୪୭
ଏଣେ ସନ୍ତୋଷ କର ଚିତ୍ତ । ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ॥ ୧୪୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ବିଂଶୋଦ୍ଧଧ୍ୟାୟଃ ॥
* * *