ଏକାଦଶ ସ୍କନ୍ଧ
ଉନବିଂଶ ଅଧ୍ୟାୟ
ଭଗବାନ ଉବାଚ
ବୋଲନ୍ତି ପ୍ରଭୁ ଭଗବାନ । ଶୁଣ ହେ ଭକତ ନିପୁଣ ॥ ୧
ଯେ ବାନପ୍ରସ୍ଥର ଲକ୍ଷଣ । କହିବା ତା'ର ଆଚରଣ ॥ ୨
ଯେବେ ଚଳିବ ବନବାସେ । ପତ୍ନୀ ନିବେଶି ପୁତ୍ର ପାଶେ ॥ ୩
ପୁତ୍ର ନ ଥିଲେ ଘେନି ସଙ୍ଗେ । ନିଜ ଆୟୁଷ ବେନିଭାଗେ ॥ ୪
ବନେ ଭକ୍ଷିବ କନ୍ଦମୂଳ । ପିନ୍ଧିବ ବୃକ୍ଷର ବକ୍କଳ ॥ ୫
କି ଅବା ଚର୍ମ-ତୃଣ-ପତ୍ରେ । ଅଖଣ୍ତ-ନଖ-ଲୋମ ଗାତ୍ରେ ॥ ୬
ଆବର ଶ୍ମଶ୍ରୁ ନ ଛେଦିବ । ଭୂମିରେ ଶୟନ କରିବ ॥ ୭
ଅଙ୍ଗ ଦଶନ ନ ମାଜିବ । ମନ ଚଞ୍ଚଳ ନ କରିବ ॥ ୮
ଉତ୍ତମ ପୁଣ୍ୟତୀର୍ଥ ଜଳେ । ସ୍ନାନ କରିବ ତିନିକାଳେ॥ ୯
ପଞ୍ଚଅନଳ ଗ୍ରୀଷ୍ମକାଳେ । ତାପ ସହିବ ତପବଳେ ॥ ୧୦
ବରଷାମାଳେ ବରଷଣ । ସହିବ ତହିଁର କଷଣ ॥ ୧୧
ଆକଣ୍ଠମଗ୍ନ ଶୀତଜଳେ । ରାତ୍ରେ ବଞ୍ଚିବ ଶୀତକାଳେ ॥ ୧୨
ଏମନ୍ତେ ନାନା ଦୁଃଖ ସହି । ତପ କରିବ ମୋତେ ଧ୍ୟାୟି ॥ ୧୩
ଯେ ଅବା ଶାକ ଫଳ ମୂଳ । ବନେ ମିଳିବ ଯେବା ଜଳ ॥ ୧୪
ଅଗ୍ନି ତପନେ କରି ପାକ । ଭକ୍ଷିବ ଫଳମୂଳ ଶାକ ॥ ୧୫
ପାଷାଣେ କୁଟି କିବା ଦନ୍ତେ । ଭକ୍ଷଣ କରିବ ବନସ୍ତେ ॥ ୧୬
ଆପଣା ବୃତ୍ତିର କାରଣେ । କର୍ମ ସମ୍ପାଦିବ ଆପଣେ ॥ ୧୭
ଏମନ୍ତେ ଥାଇ ତପୋବନେ । ଦ୍ରବ୍ୟ ଯାଚିବ ଯେବେ ଆନେ ॥ ୧୮
କେବେହେଁ ନ ଘେନିବ କରେ । ଯେବା ମିଳିବ ବନଘୋରେ ॥ ୧୯
ତେଣେ ଜୀବନମାତ୍ର ପୋଷି । ବନେ ସାଧିବ ଧର୍ମରାଶି ॥ ୨୦
ପଶୁମାରଣେ କର୍ମ ଯେତେ । କେବେହେଁ ନ କଳ୍ପିବ ଚିତ୍ତେ ॥ ୨୧
ବେଦବଚନେ ଯେ ପ୍ରକାଶ । ଇଷ୍ଟ ଦରଶ ପୌର୍ଣ୍ଣମାସ ॥ ୨୨
ଅନଳ ହୋତ୍ରେ ଚତୁର୍ମାସେ । ମୋତେ ପୂଜିବ ବନବାସେ ॥ ୨୩
ଏ ରୂପେ ତପ କରି ବନେ । ମୋ' ଭାବ ଭକ୍ତି ଅବଧାନେ ॥ ୨୪
ଦେହ ଅନ୍ତରେ ଦିବ୍ୟରୂପେ । ସେ ବସେ ଋଷିଙ୍କ ସମୀପେ ॥ ୨୫
ଯେ ଏତେ କଷ୍ଟ କରି ତପ । କରଇ କାମନା ସଙ୍କଳ୍ପ ॥ ୨୬
ତା' ଠାରୁ ମୂର୍ଖ କେବା ଜନ । ଅଛଇ ଏ ତିନି ଭୁବନ ॥ ୨୭
ତପ ସାଧନେ ଘୋରବନେ । ବଞ୍ଚିବ ଦୁଃଖ ଶୋକମନେ ॥ ୨୮
ସ୍ୱଭାବେ ବୃଦ୍ଧଦେହେ ଆସି । ଯେବେ ଜନ୍ମିବ ରୋଗରାଶି ॥ ୨୯
ଯୋଗ ଧାରଣା ପରିକଳି । ନିଜ ଶରୀରେ ଅଗ୍ନିଜାଳି ॥ ୩୦
ପଞ୍ଚପରାଣ ନିଜେ ପିଣ୍ତେ । ହୋମ କରିବ ଅଗ୍ନିକୁଣ୍ତେ ॥ ୩୧
ଏମନ୍ତେ ଯୋଗ ଅବଧାରି । ଅନ୍ତେ ମିଳିବ ବିଷ୍ଣୁପୁରୀ ॥ ୩୨
ଯାହାର ପୂର୍ବଭାଗ୍ୟ ବଶେ । ବୈରାଗ୍ୟ ଉପୁଜେ ବିଶ୍ୱାସେ ॥ ୩୩
ତାହାକୁ ଇହପର ଲୋକେ । ଦିଶଇ ନାନା ଦୁଃଖ ସୁଖେ ॥ ୩୪
ତେବେ ସକଳ ତ୍ୟାଗ କରି । ସନ୍ନ୍ୟାସ ରୂପେ ଦଣ୍ତ ଧରି ॥ ୩୫
ଗୁରୁବଚନେ ଦୃଢ଼େ ଧରି । ଆଚାର୍ଯ୍ୟ ଭାବେ ପୂଜା କରି ॥ ୩୬
ଦକ୍ଷିଣା କରି ସର୍ବଧନ । ତୋଷିବ ଆଚାର୍ଯ୍ୟର ମନ ॥ ୩୭
ହୋଇବ ନିରପେକ୍ଷମନା । ଛାଡ଼ିବ ସଂସାର ବାସନା ॥ ୩୮
ବନେ ପଶିବ ତପ ଅର୍ଥେ । ଶୁଣ ଉଦ୍ଧବ ଏକଚିତ୍ତେ ॥ ୩୯
ଯେବେ ସନ୍ନ୍ୟାସୀ ତତ୍ତ୍ୱଜ୍ଞାନେ । ଚିତ୍ତ ନିବେଶି ଶୁଦ୍ଧମନେ ॥ ୪୦
ମୋର ଚରଣ ଦୃଢ଼େ ଧରି । ଯୋଗ ସାଧିବ ତପକରି ॥ ୪୧
ତାହାକୁ ଦେବଗଣେ ଆସି । ଅଶେଷ ବିଘ୍ନ ପରକାଶି ॥ ୪୨
ମୋହିନୀ ବେଶେ ସ୍ତିରୀରୂପେ । ମିଳନ୍ତି ତାହାର ସମୀପେ ॥ ୪୩
ମାୟାରେ କରି ଅଙ୍ଗ-ସଙ୍ଗ । ତପ କରନ୍ତି ତା'ର ଭଙ୍ଗ ॥ ୪୪
ଆମ୍ଭର ସଙ୍ଗ ଛାଡ଼ି ଏକେ । ଏ କିପାଁ ଯିବ ବିଷ୍ଣୁଲୋକେ ॥ ୪୫
ଏତେ ବିଚାରି ଦେବଗଣେ । ବିଘ୍ନ କରନ୍ତି ଅନୁକ୍ଷଣେ ॥ ୪୬
ଯଦ୍ୟପି ସଂସାର-ବେଭାର । ଲାଜେ ନୋହିବ ଦିଗମ୍ବର ॥ ୪୭
ତେବେ କୌପୀନ ବସ୍ତ୍ର ଧରେ । ତ୍ରିଦଣ୍ତ କମଣ୍ତଳୁ କରେ ॥ ୪୮
ଦୃଢ଼େ ସନ୍ନ୍ୟାସରୂପ ବହେ । ହେଳେ ସକଳପାପ ଦହେ ॥ ୪୯
ଦୃଷ୍ଟି ପବିତ୍ର ପାଦନ୍ୟାସ । ବସ୍ତ୍ର ପବିତ୍ର ଜଳଗ୍ରାସେ ॥ ୫୦
ବାକ୍ୟ ପବିତ୍ର କହି ସତ୍ୟ । ମନ ପବିତ୍ରେ ଥିବ ନିତ୍ୟ ॥ ୫୧
ମଉନ ବ୍ରତ ନିତ୍ୟାଚାର । ଯେ ଧର୍ମ ସନ୍ନ୍ୟାସେ ବେଭାର ॥ ୫୨
ଜିଣିବ ବଚନ ପବନ । ଯୋଗ-ଅଭ୍ୟାସେ ଦୃଢ଼ମନ ॥ ୫୩
ପ୍ରାଣଧାରଣା ଯୋଗବଳେ । ବସିବ ଆସନେ ନିଶ୍ଚଳେ ॥ ୫୪
ମନ ପବନ ଇନ୍ଦ୍ରିଗଣେ । ଯେବେ ସନ୍ନ୍ୟାସୀ ନାହିଁ ଜିଣେ ॥ ୫୫
କେବଳ ଦଣ୍ତ ଧରି କରେ । ବିଅର୍ଥେ ଭ୍ରମଇଁ ସଂସାରେ ॥ ୫୬
ଏ ମାୟାମୟ ତ୍ରିଭୁବନ । ମନେ ନ କରି ବସ୍ତୁଜ୍ଞାନ ॥ ୫୭
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । ଭିକ୍ଷା ମାଗିବ ଅବଧାନେ ॥ ୫୮
ନିନ୍ଦିତ ବର୍ଣ୍ଣ ଦୁରାଚାର । ବର୍ଜିବ ପାପିଷ୍ଠ ପାମର ॥ ୫୯
ଏମନ୍ତେ ଭିକ୍ଷା ସପ୍ତଦ୍ୱାରେ । ମାଗିବ ସତ୍ୟ ଅନୁସାରେ ॥ ୬୦
କର୍ମେ ମିଳିବ ଭିକ୍ଷା ଯେତେ । ଆନନ୍ଦେ ଘେନି ଶୁଦ୍ଧ ଚିତ୍ତେ ॥ ୬୧
ନିର୍ଜନେ ନଗର ଉପାନ୍ତେ । ଆନନ୍ଦେ ବସିବ ଏକାନ୍ତେ ॥ ୬୨
ପିତୃ-ଅତିଥି-ଦେବଜନେ । ଭିକ୍ଷା ସମର୍ପି ତୋଷମନେ ॥ ୬୩
ଶେଷଭୋଜନେ ପ୍ରାଣ ପୋଷି । ଏମନ୍ତେ ଭ୍ରମିବ ସନ୍ନ୍ୟାସୀ ॥ ୬୪
ସଙ୍ଗବର୍ଜିତ ସମମତି । ନିରତେ ପରହିତେ ବ୍ରତୀ ॥ ୬୫
ଆତ୍ମା ବିଷୟେ ଦୃଢ଼ଚିତ୍ତ । ଉତ୍ତମ ଉଦାର ଚରିତ ॥ ୬୬
ବିରଳ କୁଶଳ ଆସନେ । ନିର୍ମଳେ ଅନ୍ତର୍ଗତ ଧ୍ୟାନେ ॥ ୬୭
ଅଭେଦ ଭାବେ ନିତ୍ୟେ ଧ୍ୟାୟି । ସର୍ବ ଦେଖିବ ବିଷ୍ଣୁମୟୀ ॥ ୬୮
ଆତ୍ମାର ଗତି ବନ୍ଧ ମୋକ୍ଷ । ସୁଜ୍ଞାନେ ଦେଖିବ ପ୍ରତ୍ୟକ୍ଷ ॥ ୬୯
ମନ ନିବେଶି ସାବଧାନେ । ବୁଝିବ ବନ୍ଧମୋକ୍ଷ ଜ୍ଞାନେ ॥ ୭୦
ଭକତି ଭାବେ ଷଡ଼ଅରି । ଜିଣିବ କାମ ଆଦିକରି ॥ ୭୧
ବିଷୟ ସଙ୍ଗକୁ ଉପେକ୍ଷି । ହୋଇବ ଆତ୍ମାମୁଖେ ସୁଖୀ ॥ ୭୨
ଭିକ୍ଷା କାରଣେ ଗ୍ରାମପୁରେ । ପଶି ମାଗିବ ସପ୍ତଦ୍ୱାରେ ॥ ୭୩
ତୀର୍ଥ ସ୍ନାହାନେ ପୁଣ୍ୟଦେଶେ । ଗମନ କରିବ ବିଶ୍ୱାସେ ॥ ୭୪
ସୁପୁଣ୍ୟ ନଦନଦୀ ତୀଋଏ । କୂପ ଦୀର୍ଘିକା ସରୋବରେ ॥ ୭୫
ଭ୍ରମିବ କରେ ଦଣ୍ତଧରି । ପୀରତି ସର୍ବଭୂତେ କରି ॥ ୭୬
ବିଷୟ-ରସ-ଭାବ ଯେତେ । କେବେହେଁ ନ ଚିନ୍ତିବ ଚିତ୍ତେ ॥ ୭୭
ଏ ମାୟାମୋହ ତ୍ରିଭୁବନ । ମନେ ନ କରି ବସ୍ତୁଜ୍ଞାନ ॥ ୭୮
ଇନ୍ଦ୍ରିୟଗୁଣେ ଆସକତ । ନୋହି ଭ୍ରମିବ ଯେ ପଣ୍ତିତ ॥ ୭୯
ଚିତ୍ତୁ ସଂଶୟ-ଅଭିମାନ । ତେଜି କରିବ ଆତ୍ମଧ୍ୟାନ ॥ ୮୦
ଜ୍ଞାନ ଭକତି ନିଷ୍ଠାପର । ନିତ୍ୟେ ଯେ ବିଶ୍ୱାସ ମୋହର ॥ ୮୧
ସକଳଭୂତେ ଅନପେକ୍ଷ । ଜ୍ଞାନ ବୈରାଗ୍ୟ-ଗୁଣେ ଦକ୍ଷ ॥ ୮୨
ସର୍ବ ଆଶ୍ରମ ଧର୍ମ ତେଜି । ମୋର ଚରଣ ଦୃଢ଼େ ଭଜି ॥ ୮୩
ପୃଥିବୀ କରି ପର୍ଯ୍ୟଟନ । ଛାଡ଼ିବ ଆଶ୍ରମ ଲକ୍ଷଣ ॥ ୮୪
ନାହିଁ ତାହାର ଅବଶେଷ । କର୍ମ-ଅଧିକାରେ ପ୍ରବେଶ ॥ ୮୫
ବାଳକ ପ୍ରାୟ ଏ ସଂସାରେ । ଭ୍ରମଇଁ ଆହାର ବେଭାରେ ॥ ୮୬
ଭଲେ ଜାଣଇଁ ସର୍ବଧର୍ମ । ଜଡ଼ର ପ୍ରାୟେ କରେ କର୍ମ ॥ ୮୭
ବାତୁଳ ପ୍ରାୟେ କହେ ବାଣୀ । ଅନ୍ତରେ ସର୍ବ-ଧର୍ମ ଜାଣି ॥ ୮୮
ଅନ୍ତରେ ଥିବ ବେଦମତେ । ନ ପଶି ପାଷଣ୍ତଙ୍କ ପଥେ ॥ ୮୯
ପ୍ରାଣୀଙ୍କି ନ କରିବ ହିଂସା । ତେଜିବ ବାଦତର୍କ ଭାଷା ॥ ୯୦
ନ ଥିବ ପ୍ରିୟ-ପକ୍ଷପାତେ । ପ୍ରାଣୀଙ୍କ ଭଲମନ୍ଦ ମତେ ॥ ୯୧
ଅଙ୍ଗରେ ଈଶ୍ୱର ଯେସନ । ବିଲଗେ ଥାଇ ସନ୍ନିଧାନ ॥ ୯୨
କେବେ ହେଁ ପ୍ରାଣୀଙ୍କ ସଙ୍ଗତେ । ସଙ୍ଗତି ନ ଚିନ୍ତିବ ଚିତ୍ତେ ॥ ୯୩
କେବେହେଁ ପ୍ରାଣୀଙ୍କର ଚିତ୍ତେ । ଉଦ୍ବେଗ ନ ଦେବ ଯୁକତେ ॥ ୯୪
ବଞ୍ଚିବ ସର୍ବଲୋକ ହିତେ । ଉଦ୍ବେଗ ନୋହି କଦାଚିତେ ॥ ୯୫
କନ୍ଦଳେ ପର ଅପମାନେ । ବିବାଦ ନ ଚିନ୍ତିବ ମନେ ॥ ୯୬
ଜନ୍ତୁଙ୍କ ତୁଲେ ରିପୁଭାବ । କେବେହେଁ ହୃଦେ ନ ଚିନ୍ତିବ ॥ ୯୭
ଏକଇ ଆତ୍ମା ସର୍ବଭୂତେ । ଚନ୍ଦ୍ର ଯେସନେ ଶୂନ୍ୟପଥେ ॥ ୯୮
ଅନେକ ଜଳଘଟ ମଧ୍ୟେ । ଯେସନେ ଦେଖି ନାନାଭେଦେ ॥ ୯୯
ଲାଭ-ଅଲାଭେ ସମଭାବ । ଦୁଃଖ-ହରଷ ନ କରିବ ॥ ୧୦୦
ଅଦୃଷ୍ଟ ଦୁଃଖ ସୁଖ ହେତୁ । ଅଦୃଷ୍ଟ-ବଶ ସର୍ବଜନ୍ତୁ ॥ ୧୦୧
ଉପାୟ ଆହାର କାରଣେ । ଚିନ୍ତିବ ଶରୀର-ଧାରଣେ ॥ ୧୦୨
ଏ ଦେହ ଥିଲେ ଜ୍ଞାନ ପାଇ । ଜଳେ ଯେସନେ ଚନ୍ଦ୍ର ଛାଇ ॥ ୧୦୩
ଜ୍ଞାନେ ସକଳ ପାପ ନାଶେ । ନିର୍ବାଣ ମୁକତି ପ୍ରକାଶେ ॥ ୧୦୪
ଯେ ଅବା ଅନ୍ନ କ୍ଷୁଧାକାଳେ । ମିଳିବ ପୂର୍ବକର୍ମ ଫଳେ ॥ ୧୦୫
ଯେ ଶଯ୍ୟା କିବା ବସ୍ତ୍ର ଲାଭ । ଦଇବେ ଯେ ଅବା ଘଟିବ ॥ ୧୦୬
ତାହା ସନ୍ତୋଷେ ଭୋଗକରି । କର୍ମ ସାଧିବ ଦେହଧରି ॥ ୧୦୭
ସ୍ନାନ ସଉଚ ଆଚମନ । ଯେ ନିତ୍ୟ ବିଧିର ବିଧାନ ॥ ୧୦୮
ଭାବଅଭାବ ଏକକରି । ସାଧିବ ମୁନି ଦଣ୍ତ ଧରି ॥ ୧୦୯
ଯେ ନିତ୍ୟେ କର୍ମଦଣ୍ତ ଧରେ । ସେ ଭଲମନ୍ଦ ନ ବିଚାରେ ॥ ୧୧୦
କର୍ମ କରିବ ଇଚ୍ଛାମତେ । ଲୀଳାରେ ଈଶ୍ୱର ଯେମନ୍ତେ ॥ ୧୧୧
ଯେ ସ୍ୱର୍ଗବାସ ସୁଖଭୋଗ । ଅନ୍ତେ ଦୁରିତ ଦୁଃଖଯୋଗ ॥ ୧୧୨
ଏତେ ବିଚାରି ଚିତ୍ତ ସ୍ଥିରେ । ବୈରାଗ୍ୟ ଜନ୍ମେ ଯା' ଅନ୍ତରେ ॥ ୧୧୩
ଗୁରୁଚରଣ ସେବା କରି । ତା'ଙ୍କ ବଚନ ଶିରେ ଧରି ॥ ୧୧୪
ଗୁରୁଙ୍କୁ ବିଷ୍ଣୁପ୍ରାୟ ମଣି । ସେବା କରିବ ମନ ଜାଣି ॥ ୧୧୫
ଗୁରୁବଚନ ଧରି ଚିତ୍ତେ । ମୋର ଭକତି ଦୃଢ଼ବ୍ରତେ ॥ ୧୧୬
ନିଶ୍ଚଳେ ମୋତେ ଆଶ୍ରେ କରି । ସୁଖେ ସେ ତରେ ଭବବାରି ॥ ୧୧୭
ଯଦି ସନ୍ନ୍ୟାସୀ ଯୋଗବଳେ । ଷଡ଼ଅଇରି ଇନ୍ଦ୍ରିମେଳେ ॥ ୧୧୮
ସଂସାର ନ ପାରଇ ଜିଣି । ଗୁରୁବଚନ ନ ପ୍ରମାଣି ॥ ୧୧୯
ବିଷୟେ ନୋହେ ବଇରାଗ୍ୟ । ପ୍ରଚଣ୍ତ ଇନ୍ଦ୍ରିଗଣ ବେଗ ॥ ୧୨୦
ଅଶାନ୍ତି ଦେହ ବହେ ନିତ୍ୟେ । ମିଥ୍ୟା ଆରମ୍ଭ ଦଣ୍ତ ହସ୍ତେ ॥ ୧୨୧
କେବଳ ସନ୍ନ୍ୟାସ ଲକ୍ଷଣ । ତା'ରେ ହସନ୍ତି ଦେବଗଣ ॥ ୧୨୨
ସେ ନୋହେ ଭବଜଳୁଁ ପାର । ଆତ୍ମା ନିନ୍ଦିତ ଦୁରାଚାର ॥ ୧୨୩
ଉଭୟଲୋକେ ତା'ର ନାଶ । ଜନେ କରନ୍ତି ଉପହାସ ॥ ୧୨୪
କେହି ନ କରେ ତାକୁ ରକ୍ଷା । ବିନାଶ ହେତୁ ତା'ର ଦୀକ୍ଷା ॥ ୧୨୫
ଅହିଂସା ସନ୍ନ୍ୟାସ ଲକ୍ଷଣ । କୃଷ୍ଣ କହନ୍ତି ପୁଣପୁଣ ॥ ୧୨୬
ତିତିକ୍ଷା ଶମ ଦମ ଶାନ୍ତି । ବନସ୍ଥଜନର ଏ ଗତି ॥ ୧୨୭
ଗୃହସ୍ଥ ସର୍ବଜୀବ ରକ୍ଷା । ବ୍ରାହ୍ମଣ ସେବା ଗୁରୁଦୀକ୍ଷା ॥ ୧୨୮
ତପ ଶଉଚ ମୋ ଭଜନ । ଏ ଆଦି ବ୍ରହ୍ମଚର୍ଯ୍ୟ କର୍ମ ॥ ୧୨୯
ପତ୍ନୀ ସଙ୍ଗମ ଋତୁକାଳେ । ଗୃହସ୍ଥ ଧର୍ମ ଏ ଶୟଳେ ॥ ୧୩୦
ଏ ଚାରିଭାଗେ ଧର୍ମଗୁଣ । କହିଲି ଆଶ୍ରମ ଲକ୍ଷଣ ॥ ୧୩୧
ଏଣୁ ସ୍ୱଧର୍ମେ ମୋର ପାଦେ । ଯେ ନର ଭଜେ ଅପ୍ରମାଦେ ॥ ୧୩୨
ସେ ମୋତେ ଦେଖେ ସର୍ବଭୂତେ । ଯେ ରୂପେ ଅଛି ମୁଁ ଜଗତେ ॥ ୧୩୩
ମୋ'ର ଭକତି ବିନୁ ଆନେ । ଯେ ନର କିଛି ହିଁ ନ ଜାଣେ ॥ ୧୩୪
ଦୃଢ଼ ଭକତି ଯୋଗବଳେ । ପଶେ ମୋ' ଚରଣ କମଳେ ॥ ୧୩୫
ମୁଁ ବ୍ରହ୍ମ ଉତ୍ପ୍ତ୍ତି ପାଳନ । ସଂସାର ପ୍ରଳୟ କାରଣ ॥ ୧୩୬
ସର୍ବଭୂତଙ୍କ ଆତ୍ମା ମୁହିଁ । ମୋର ଭଜନେ ମୋତେ ପାଇ ॥ ୧୩୭
ମୋର ଭକତି ବିନୁ ନର । ନୁହଇ ବଜଳୁ ପାର ॥ ୧୩୮
ଉଦ୍ଧବ ପଚାରିଲୁ ଯେତେ । ଆଶ୍ରମଧର୍ମ ଶାସ୍ତ୍ରମତେ ॥ ୧୩୯
ତୁ ଏହା ଦୃଢ଼ଚିତ୍ତେ ଧର । ହସି ବୋଲନ୍ତି ଦାମୋଦର ॥ ୧୪୦
ସେ ହରି ଅଭୟ ଚରଣେ । ପାମର ଜଗନ୍ନାଥ ଭଣେ ॥ ୧୪୧
କେବଳ ଦାସ ଭାବେ ମତି । ଚରଣେ ଶରଣ ମୁଁ ନିତି ॥ ୧୪୨
ପରମଗତି ମୁକ୍ତି ଯେହୁ । ତା' ବିନୁ ଅନ୍ୟ ଆଶ୍ରା କାହୁଁ ॥ ୧୪୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ଊନବିଂଶ ଅଧ୍ୟାୟଃ ॥
* * *