ଏକାଦଶ ସ୍କନ୍ଧ

ଉନବିଂଶ ଅଧ୍ୟାୟ

ଭଗବାନ ଉବାଚ

ବୋଲନ୍ତି ପ୍ରଭୁ ଭଗବାନ । ଶୁଣ ହେ ଭ‌କ‌ତ ନିପୁଣ ॥

ଯେ ବାନପ୍ରସ୍ଥର ଲକ୍ଷଣ । କ‌ହିବା ତା'ର ଆଚରଣ ॥

ଯେବେ ଚଳିବ ବନ‌ବାସେ । ପ‌ତ୍ନୀ ନିବେଶି ପୁତ୍ର ପାଶେ ॥

ପୁତ୍ର ନ ଥିଲେ ଘେନି ସଙ୍ଗେ । ନିଜ ଆୟୁଷ ବେନିଭାଗେ ॥

ବନେ ଭକ୍ଷିବ କନ୍ଦମୂଳ । ପିନ୍ଧିବ ବୃକ୍ଷର ବକ୍କଳ ॥

କି ଅବା ଚର୍ମ-ତୃଣ-ପ‌ତ୍ରେ । ଅଖଣ୍ତ-ନ‌ଖ-ଲୋମ ଗାତ୍ରେ ॥

ଆବର ଶ୍ମଶ୍ରୁ ନ ଛେଦିବ । ଭୂମିରେ ଶୟନ କରିବ ॥

ଅଙ୍ଗ ଦଶନ ନ ମାଜିବ । ମନ ଚଞ୍ଚଳ ନ କରିବ ॥

ଉତ୍ତମ ପୁଣ୍ୟତୀର୍ଥ ଜଳେ । ସ୍ନାନ କରିବ ତିନିକାଳେ॥

ପଞ୍ଚଅନଳ ଗ୍ରୀଷ୍ମକାଳେ । ତାପ ସ‌ହିବ ତପବଳେ ॥ ୧୦

ବରଷାମାଳେ ବରଷଣ । ସ‌ହିବ ତ‌ହିଁର କଷଣ ॥ ୧୧

ଆକଣ୍ଠମଗ୍ନ ଶୀତଜଳେ । ରାତ୍ରେ ବଞ୍ଚିବ ଶୀତକାଳେ ॥ ୧୨

ଏମନ୍ତେ ନାନା ଦୁଃଖ ସ‌ହି । ତପ କରିବ ମୋତେ ଧ୍ୟାୟି ॥ ୧୩

ଯେ ଅବା ଶାକ ଫଳ ମୂଳ । ବନେ ମିଳିବ ଯେବା ଜଳ ॥ ୧୪

ଅଗ୍ନି ତପନେ କରି ପାକ । ଭକ୍ଷିବ ଫଳମୂଳ ଶାକ ॥ ୧୫

ପାଷାଣେ କୁଟି କିବା ଦନ୍ତେ । ଭକ୍ଷଣ କରିବ ବନସ୍ତେ ॥ ୧୬

ଆପଣା ବୃତ୍ତିର କାରଣେ । କର୍ମ ସମ୍ପାଦିବ ଆପଣେ ॥ ୧୭

ଏମନ୍ତେ ଥାଇ ତପୋବନେ । ଦ୍ରବ୍ୟ ଯାଚିବ ଯେବେ ଆନେ ॥ ୧୮

କେବେହେଁ ନ ଘେନିବ କରେ । ଯେବା ମିଳିବ ବନ‌ଘୋରେ ॥ ୧୯

ତେଣେ ଜୀବନମାତ୍ର ପୋଷି । ବନେ ସାଧିବ ଧର୍ମରାଶି ॥ ୨୦

ପଶୁମାରଣେ କର୍ମ ଯେତେ । କେବେହେଁ ନ କଳ୍ପିବ ଚିତ୍ତେ ॥ ୨୧

ବେଦବଚନେ ଯେ ପ୍ରକାଶ । ଇଷ୍ଟ ଦରଶ ପୌର୍ଣ୍ଣମାସ ॥ ୨୨

ଅନଳ ହୋତ୍ରେ ଚତୁର୍ମାସେ । ମୋତେ ପୂଜିବ ବନ‌ବାସେ ॥ ୨୩

ଏ ରୂପେ ତପ କରି ବନେ । ମୋ' ଭାବ ଭକ୍ତି ଅବଧାନେ ॥ ୨୪

ଦେହ ଅନ୍ତରେ ଦିବ୍ୟରୂପେ । ସେ ବସେ ଋଷିଙ୍କ ସମୀପେ ॥ ୨୫

ଯେ ଏତେ କଷ୍ଟ କରି ତପ । କରଇ କାମନା ସଙ୍କଳ୍ପ ॥ ୨୬

ତା' ଠାରୁ ମୂର୍ଖ କେବା ଜନ । ଅଛଇ ଏ ତିନି ଭୁବନ ॥ ୨୭

ତପ ସାଧନେ ଘୋରବନେ । ବଞ୍ଚିବ ଦୁଃଖ ଶୋକମନେ ॥ ୨୮

ସ୍ୱଭାବେ ବୃଦ୍ଧଦେହେ ଆସି । ଯେବେ ଜନ୍ମିବ ରୋଗରାଶି ॥ ୨୯

ଯୋଗ ଧାରଣା ପରିକଳି । ନିଜ ଶରୀରେ ଅଗ୍ନିଜାଳି ॥ ୩୦

ପଞ୍ଚପରାଣ ନିଜେ ପିଣ୍ତେ । ହୋମ କରିବ ଅଗ୍ନିକୁଣ୍ତେ ॥ ୩୧

ଏମନ୍ତେ ଯୋଗ ଅବଧାରି । ଅନ୍ତେ ମିଳିବ ବିଷ୍ଣୁପୁରୀ ॥ ୩୨

ଯାହାର ପୂର୍ବଭାଗ୍ୟ ବଶେ । ବୈରାଗ୍ୟ ଉପୁଜେ ବିଶ୍ୱାସେ ॥ ୩୩

ତାହାକୁ ଇ‌ହ‌ପର ଲୋକେ । ଦିଶଇ ନାନା ଦୁଃଖ ସୁଖେ ॥ ୩୪

ତେବେ ସକଳ ତ୍ୟାଗ କରି । ସନ୍ନ୍ୟାସ ରୂପେ ଦଣ୍ତ ଧରି ॥ ୩୫

ଗୁରୁବଚନେ ଦୃଢ଼େ ଧରି । ଆଚାର୍ଯ୍ୟ ଭାବେ ପୂଜା କରି ॥ ୩୬

ଦକ୍ଷିଣା କରି ସର୍ବଧନ । ତୋଷିବ ଆଚାର୍ଯ୍ୟର ମନ ॥ ୩୭

ହୋଇବ ନିରପେକ୍ଷମନା । ଛାଡ଼ିବ ସଂସାର ବାସନା ॥ ୩୮

ବନେ ପଶିବ ତପ ଅର୍ଥେ । ଶୁଣ ଉଦ୍ଧବ ଏକଚିତ୍ତେ ॥ ୩୯

ଯେବେ ସନ୍ନ୍ୟାସୀ ତ‌ତ୍ତ୍ୱଜ୍ଞାନେ । ଚିତ୍ତ ନିବେଶି ଶୁଦ୍ଧମନେ ॥ ୪୦

ମୋର ଚରଣ ଦୃଢ଼େ ଧରି । ଯୋଗ ସାଧିବ ତପକରି ॥ ୪୧

ତାହାକୁ ଦେବଗଣେ ଆସି । ଅଶେଷ ବିଘ୍ନ ପରକାଶି ॥ ୪୨

ମୋହିନୀ ବେଶେ ସ୍ତିରୀରୂପେ । ମିଳନ୍ତି ତାହାର ସମୀପେ ॥ ୪୩

ମାୟାରେ କରି ଅଙ୍ଗ-ସଙ୍ଗ । ତପ କରନ୍ତି ତା'ର ଭଙ୍ଗ ॥ ୪୪

ଆମ୍ଭର ସଙ୍ଗ ଛାଡ଼ି ଏକେ । ଏ କିପାଁ ଯିବ ବିଷ୍ଣୁଲୋକେ ॥ ୪୫

ଏତେ ବିଚାରି ଦେବଗଣେ । ବିଘ୍ନ କରନ୍ତି ଅନୁକ୍ଷଣେ ॥ ୪୬

ଯଦ୍ୟପି ସଂସାର-ବେଭାର । ଲାଜେ ନୋହିବ ଦିଗମ୍ବର ॥ ୪୭

ତେବେ କୌପୀନ ବସ୍ତ୍ର ଧରେ । ତ୍ରିଦଣ୍ତ କମଣ୍ତଳୁ କରେ ॥ ୪୮

ଦୃଢ଼େ ସନ୍ନ୍ୟାସରୂପ ବ‌ହେ । ହେଳେ ସକଳପାପ ଦ‌ହେ ॥ ୪୯

ଦୃଷ୍ଟି ପବିତ୍ର ପାଦନ୍ୟାସ । ବସ୍ତ୍ର ପ‌ବିତ୍ର ଜଳଗ୍ରାସେ ॥ ୫୦

ବାକ୍ୟ ପବିତ୍ର କ‌ହି ସ‌ତ୍ୟ । ମନ ପବିତ୍ରେ ଥିବ ନିତ୍ୟ ॥ ୫୧

ମଉନ ବ୍ରତ ନିତ୍ୟାଚାର । ଯେ ଧର୍ମ ସନ୍ନ୍ୟାସେ ବେଭାର ॥ ୫୨

ଜିଣିବ ବଚନ ପବନ । ଯୋଗ-ଅଭ୍ୟାସେ ଦୃଢ଼ମନ ॥ ୫୩

ପ୍ରାଣଧାରଣା ଯୋଗବଳେ । ବସିବ ଆସନେ ନିଶ୍ଚଳେ ॥ ୫୪

ମନ ପବନ ଇନ୍ଦ୍ରିଗଣେ । ଯେବେ ସନ୍ନ୍ୟାସୀ ନାହିଁ ଜିଣେ ॥ ୫୫

କେବଳ ଦଣ୍ତ ଧରି କରେ । ବିଅର୍ଥେ ଭ୍ରମଇଁ ସଂସାରେ ॥ ୫୬

ଏ ମାୟାମୟ ତ୍ରିଭୁବନ । ମନେ ନ କରି ବସ୍ତୁଜ୍ଞାନ ॥ ୫୭

ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । ଭିକ୍ଷା ମାଗିବ ଅବଧାନେ ॥ ୫୮

ନିନ୍ଦିତ ବର୍ଣ୍ଣ ଦୁରାଚାର । ବର୍ଜିବ ପାପିଷ୍ଠ ପାମର ॥ ୫୯

ଏମନ୍ତେ ଭିକ୍ଷା ସ‌ପ୍ତଦ୍ୱାରେ । ମାଗିବ ସ‌ତ୍ୟ ଅନୁସାରେ ॥ ୬୦

କର୍ମେ ମିଳିବ ଭିକ୍ଷା ଯେତେ । ଆନନ୍ଦେ ଘେନି ଶୁଦ୍ଧ ଚିତ୍ତେ ॥ ୬୧

ନିର୍ଜନେ ନ‌ଗର ଉପାନ୍ତେ । ଆନନ୍ଦେ ବସିବ ଏକାନ୍ତେ ॥ ୬୨

ପିତୃ-ଅତିଥି-ଦେବଜନେ । ଭିକ୍ଷା ସମର୍ପି ତୋଷମନେ ॥ ୬୩

ଶେଷଭୋଜନେ ପ୍ରାଣ ପୋଷି । ଏମନ୍ତେ ଭ୍ରମିବ ସନ୍ନ୍ୟାସୀ ॥ ୬୪

ସଙ୍ଗବର୍ଜିତ ସମ‌ମତି । ନିରତେ ପରହିତେ ବ୍ରତୀ ॥ ୬୫

ଆତ୍ମା ବିଷୟେ ଦୃଢ଼ଚିତ୍ତ । ଉତ୍ତମ ଉଦାର ଚରିତ ॥ ୬୬

ବିରଳ କୁଶଳ ଆସନେ । ନିର୍ମଳେ ଅନ୍ତର୍ଗତ ଧ୍ୟାନେ ॥ ୬୭

ଅଭେଦ ଭାବେ ନିତ୍ୟେ ଧ୍ୟାୟି । ସର୍ବ ଦେଖିବ ବିଷ୍ଣୁମୟୀ ॥ ୬୮

ଆତ୍ମାର ଗତି ବନ୍ଧ ମୋକ୍ଷ । ସୁଜ୍ଞାନେ ଦେଖିବ ପ୍ରତ୍ୟକ୍ଷ ॥ ୬୯

ମନ ନିବେଶି ସାବଧାନେ । ବୁଝିବ ବନ୍ଧମୋକ୍ଷ ଜ୍ଞାନେ ॥ ୭୦

ଭକ‌ତି ଭାବେ ଷଡ଼ଅରି । ଜିଣିବ କାମ ଆଦିକରି ॥ ୭୧

ବିଷୟ ସଙ୍ଗକୁ ଉପେକ୍ଷି । ହୋଇବ ଆତ୍ମାମୁଖେ ସୁଖୀ ॥ ୭୨

ଭିକ୍ଷା କାରଣେ ଗ୍ରାମ‌ପୁରେ । ପଶି ମାଗିବ ସ‌ପ୍ତଦ୍ୱାରେ ॥ ୭୩

ତୀର୍ଥ ସ୍ନାହାନେ ପୁଣ୍ୟଦେଶେ । ଗମନ କରିବ ବିଶ୍ୱାସେ ॥ ୭୪

ସୁପୁଣ୍ୟ ନ‌ଦନ‌ଦୀ ତୀଋଏ । କୂପ ଦୀର୍ଘିକା ସରୋବରେ ॥ ୭୫

ଭ୍ରମିବ କରେ ଦଣ୍ତଧରି । ପୀରତି ସର୍ବଭୂତେ କରି ॥ ୭୬

ବିଷୟ-ରସ-ଭାବ ଯେତେ । କେବେହେଁ ନ ଚିନ୍ତିବ ଚିତ୍ତେ ॥ ୭୭

ଏ ମାୟାମୋହ ତ୍ରିଭୁବନ । ମ‌ନେ ନ କରି ବସ୍ତୁଜ୍ଞାନ ॥ ୭୮

ଇନ୍ଦ୍ରିୟଗୁଣେ ଆସକ‌ତ । ନୋହି ଭ୍ରମିବ ଯେ ପଣ୍ତିତ ॥ ୭୯

ଚିତ୍ତୁ ସଂଶୟ-ଅଭିମାନ । ତେଜି କରିବ ଆତ୍ମଧ୍ୟାନ ॥ ୮୦

ଜ୍ଞାନ ଭ‌କ‌ତି ନିଷ୍ଠାପର । ନିତ୍ୟେ ଯେ ବିଶ୍ୱାସ ମୋହର ॥ ୮୧

ସକଳଭୂତେ ଅନପେକ୍ଷ । ଜ୍ଞାନ ବୈରାଗ୍ୟ-ଗୁଣେ ଦକ୍ଷ ॥ ୮୨

ସର୍ବ ଆଶ୍ରମ ଧର୍ମ ତେଜି । ମୋର ଚରଣ ଦୃଢ଼େ ଭଜି ॥ ୮୩

ପୃଥିବୀ କରି ପର୍ଯ୍ୟଟନ । ଛାଡ଼ିବ ଆଶ୍ରମ ଲକ୍ଷଣ ॥ ୮୪

ନାହିଁ ତାହାର ଅବଶେଷ । କର୍ମ-ଅଧିକାରେ ପ୍ରବେଶ ॥ ୮୫

ବାଳକ ପ୍ରାୟ ଏ ସଂସାରେ । ଭ୍ରମଇଁ ଆହାର ବେଭାରେ ॥ ୮୬

ଭଲେ ଜାଣଇଁ ସର୍ବଧର୍ମ । ଜଡ଼ର ପ୍ରାୟେ କରେ କର୍ମ ॥ ୮୭

ବାତୁଳ ପ୍ରାୟେ କ‌ହେ ବାଣୀ । ଅନ୍ତରେ ସର୍ବ-ଧର୍ମ ଜାଣି ॥ ୮୮

ଅନ୍ତରେ ଥିବ ବେଦମତେ । ନ ପଶି ପାଷଣ୍ତଙ୍କ ପ‌ଥେ ॥ ୮୯

ପ୍ରାଣୀଙ୍କି ନ କରିବ ହିଂସା । ତେଜିବ ବାଦତର୍କ ଭାଷା ॥ ୯୦

ନ ଥିବ ପ୍ରିୟ-ପକ୍ଷ‌ପାତେ । ପ୍ରାଣୀଙ୍କ ଭଲମ‌ନ୍ଦ ମତେ ॥ ୯୧

ଅଙ୍ଗରେ ଈଶ୍ୱର ଯେସନ । ବିଲଗେ ଥାଇ ସନ୍ନିଧାନ ॥ ୯୨

କେବେ ହେଁ ପ୍ରାଣୀଙ୍କ ସଙ୍ଗତେ । ସଙ୍ଗତି ନ ଚିନ୍ତିବ ଚିତ୍ତେ ॥ ୯୩

କେବେହେଁ ପ୍ରାଣୀଙ୍କର ଚିତ୍ତେ । ଉଦ୍ବେଗ ନ ଦେବ ଯୁକ‌ତେ ॥ ୯୪

ବଞ୍ଚିବ ସର୍ବଲୋକ ହିତେ । ଉଦ୍ବେଗ ନୋହି କଦାଚିତେ ॥ ୯୫

କନ୍ଦଳେ ପର ଅପମାନେ । ବିବାଦ ନ ଚିନ୍ତିବ ମନେ ॥ ୯୬

ଜନ୍ତୁଙ୍କ ତୁଲେ ରିପୁଭାବ । କେବେହେଁ ହୃଦେ ନ ଚିନ୍ତିବ ॥ ୯୭

ଏକଇ ଆତ୍ମା ସର୍ବଭୂତେ । ଚନ୍ଦ୍ର ଯେସନେ ଶୂନ୍ୟପ‌ଥେ ॥ ୯୮

ଅନେକ ଜଳଘଟ ମଧ୍ୟେ । ଯେସନେ ଦେଖି ନାନାଭେଦେ ॥ ୯୯

ଲାଭ-ଅଲାଭେ ସମ‌ଭାବ । ଦୁଃଖ-ହରଷ ନ କରିବ ॥ ୧୦୦

ଅଦୃଷ୍ଟ ଦୁଃଖ ସୁଖ ହେତୁ । ଅଦୃଷ୍ଟ-ବଶ ସର୍ବଜନ୍ତୁ ॥ ୧୦୧

ଉପାୟ ଆହାର କାରଣେ । ଚିନ୍ତିବ ଶରୀର-ଧାରଣେ ॥ ୧୦୨

ଏ ଦେହ ଥିଲେ ଜ୍ଞାନ ପାଇ । ଜଳେ ଯେସନେ ଚନ୍ଦ୍ର ଛାଇ ॥ ୧୦୩

ଜ୍ଞାନେ ସ‌କଳ ପାପ ନାଶେ । ନିର୍ବାଣ ମୁକ‌ତି ପ୍ରକାଶେ ॥ ୧୦୪

ଯେ ଅବା ଅନ୍ନ କ୍ଷୁଧାକାଳେ । ମିଳିବ ପୂର୍ବକର୍ମ ଫଳେ ॥ ୧୦୫

ଯେ ଶ‌ଯ୍ୟା କିବା ବସ୍ତ୍ର ଲାଭ । ଦଇବେ ଯେ ଅବା ଘଟିବ ॥ ୧୦୬

ତାହା ସନ୍ତୋଷେ ଭୋଗକରି । କର୍ମ ସାଧିବ ଦେହ‌ଧରି ॥ ୧୦୭

ସ୍ନାନ ସଉଚ ଆଚମନ । ଯେ ନିତ୍ୟ ବିଧିର ବିଧାନ ॥ ୧୦୮

ଭାବଅଭାବ ଏକ‌କରି । ସାଧିବ ମୁନି ଦଣ୍ତ ଧରି ॥ ୧୦୯

ଯେ ନିତ୍ୟେ କର୍ମଦଣ୍ତ ଧରେ । ସେ ଭଲମନ୍ଦ ନ ବିଚାରେ ॥ ୧୧୦

କର୍ମ କରିବ ଇଚ୍ଛାମତେ । ଲୀଳାରେ ଈଶ୍ୱର ଯେମନ୍ତେ ॥ ୧୧୧

ଯେ ସ୍ୱର୍ଗବାସ ସୁଖଭୋଗ । ଅନ୍ତେ ଦୁରିତ ଦୁଃଖ‌ଯୋଗ ॥ ୧୧୨

ଏତେ ବିଚାରି ଚିତ୍ତ ସ୍ଥିରେ । ବୈରାଗ୍ୟ ଜନ୍ମେ ଯା' ଅନ୍ତରେ ॥ ୧୧୩

ଗୁରୁଚରଣ ସେବା କରି । ତା'ଙ୍କ ବଚନ ଶିରେ ଧରି ॥ ୧୧୪

ଗୁରୁଙ୍କୁ ବିଷ୍ଣୁପ୍ରାୟ ମଣି । ସେବା କରିବ ମନ ଜାଣି ॥ ୧୧୫

ଗୁରୁବଚନ ଧରି ଚିତ୍ତେ । ମୋର ଭକ‌ତି ଦୃଢ଼ବ୍ରତେ ॥ ୧୧୬

ନିଶ୍ଚଳେ ମୋତେ ଆଶ୍ରେ କରି । ସୁଖେ ସେ ତରେ ଭବବାରି ॥ ୧୧୭

ଯଦି ସନ୍ନ୍ୟାସୀ ଯୋଗବଳେ । ଷ‌ଡ଼ଅଇରି ଇନ୍ଦ୍ରିମେଳେ ॥ ୧୧୮

ସଂସାର ନ ପାରଇ ଜିଣି । ଗୁରୁବଚନ ନ ପ୍ରମାଣି ॥ ୧୧୯

ବିଷୟେ ନୋହେ ବଇରାଗ୍ୟ । ପ୍ରଚଣ୍ତ ଇନ୍ଦ୍ରିଗଣ ବେଗ ॥ ୧୨୦

ଅଶାନ୍ତି ଦେହ ବ‌ହେ ନିତ୍ୟେ । ମିଥ୍ୟା ଆରମ୍ଭ ଦଣ୍ତ ହସ୍ତେ ॥ ୧୨୧

କେବଳ ସନ୍ନ୍ୟାସ ଲକ୍ଷଣ । ତା'ରେ ହସନ୍ତି ଦେବଗଣ ॥ ୧୨୨

ସେ ନୋହେ ଭବଜଳୁଁ ପାର । ଆତ୍ମା ନିନ୍ଦିତ ଦୁରାଚାର ॥ ୧୨୩

ଉଭୟଲୋକେ ତା'ର ନାଶ । ଜନେ କରନ୍ତି ଉପ‌ହାସ ॥ ୧୨୪

କେ‌ହି ନ କରେ ତାକୁ ରକ୍ଷା । ବିନାଶ ହେତୁ ତା'ର ଦୀକ୍ଷା ॥ ୧୨୫

ଅହିଂସା ସନ୍ନ୍ୟାସ ଲକ୍ଷଣ । କୃଷ୍ଣ କ‌ହ‌ନ୍ତି ପୁଣପୁଣ ॥ ୧୨୬

ତିତିକ୍ଷା ଶମ ଦମ ଶାନ୍ତି । ବନସ୍ଥଜନର ଏ ଗତି ॥ ୧୨୭

ଗୃହସ୍ଥ ସର୍ବଜୀବ ରକ୍ଷା । ବ୍ରାହ୍ମଣ ସେବା ଗୁରୁଦୀକ୍ଷା ॥ ୧୨୮

ତପ ଶଉଚ ମୋ ଭଜନ । ଏ ଆଦି ବ୍ରହ୍ମଚର୍ଯ୍ୟ କର୍ମ ॥ ୧୨୯

ପ‌ତ୍ନୀ ସଙ୍ଗମ ଋତୁକାଳେ । ଗୃହସ୍ଥ ଧର୍ମ ଏ ଶୟଳେ ॥ ୧୩୦

ଏ ଚାରିଭାଗେ ଧର୍ମଗୁଣ । କ‌ହିଲି ଆଶ୍ରମ ଲକ୍ଷଣ ॥ ୧୩୧

ଏଣୁ ସ୍ୱଧର୍ମେ ମୋର ପାଦେ । ଯେ ନର ଭଜେ ଅପ୍ରମାଦେ ॥ ୧୩୨

ସେ ମୋତେ ଦେଖେ ସର୍ବଭୂତେ । ଯେ ରୂପେ ଅଛି ମୁଁ ଜଗତେ ॥ ୧୩୩

ମୋ'ର ଭକ‌ତି ବିନୁ ଆନେ । ଯେ ନର କିଛି ହିଁ ନ ଜାଣେ ॥ ୧୩୪

ଦୃଢ଼ ଭ‌କ‌ତି ଯୋଗବଳେ । ପଶେ ମୋ' ଚରଣ କମଳେ ॥ ୧୩୫

ମୁଁ ବ୍ରହ୍ମ ଉତ୍ପ୍‌ତ୍ତି ପାଳନ । ସଂସାର ପ୍ରଳୟ କାରଣ ॥ ୧୩୬

ସର୍ବଭୂତଙ୍କ ଆତ୍ମା ମୁହିଁ । ମୋର ଭଜନେ ମୋତେ ପାଇ ॥ ୧୩୭

ମୋର ଭକ‌ତି ବିନୁ ନର । ନୁହଇ ବ‌ଜଳୁ ପାର ॥ ୧୩୮

ଉଦ୍ଧବ ପଚାରିଲୁ ଯେତେ । ଆଶ୍ରମଧର୍ମ ଶାସ୍ତ୍ରମ‌ତେ ॥ ୧୩୯

ତୁ ଏହା ଦୃଢ଼ଚିତ୍ତେ ଧର । ହସି ବୋଲନ୍ତି ଦାମୋଦର ॥ ୧୪୦

ସେ ହରି ଅଭୟ ଚରଣେ । ପାମର ଜଗନ୍ନାଥ ଭଣେ ॥ ୧୪୧

କେବଳ ଦାସ ଭାବେ ମତି । ଚରଣେ ଶରଣ ମୁଁ ନିତି ॥ ୧୪୨

ପରମଗତି ମୁକ୍ତି ଯେହୁ । ତା' ବିନୁ ଅନ୍ୟ ଆଶ୍ରା କାହୁଁ ॥ ୧୪୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଊନବିଂଶ ଅଧ୍ୟାୟଃ ॥

* * *