ଏକାଦଶ ସ୍କନ୍ଧ
ଅଷ୍ଟାଦଶ ଅଧ୍ୟାୟ
ଦିବ୍ୟ ବିଭୂତି ଶୁଣି କର୍ଣ୍ଣେ । ଉଦ୍ଧବ ଅତି ହୃଷ୍ଟମନେ ॥ ୧
ଦେହ ପୁଲକେ ରୋମରାଜି । ଭାବ ଗଦ୍ଗଦେ ଚକ୍ଷୁ ବୁଜି ॥ ୨
ଉଦ୍ଧବ ଉବାଚ
ବୋଲଇ ହେ ମଧୁସୂଦନ । ଭକ୍ତି ସଂଶୟ ବିମୋଚନ ॥ ୩
ଯେ ଧର୍ମ ଭକ୍ତିର ଲକ୍ଷଣ । ଶ୍ରୀମୁଖେ କହିଲ ଆପଣ ॥ ୪
ସ୍ୱଧର୍ମ ସାଧି କେଉଁମତେ । ବୈଷ୍ଣବ ଲକ୍ଷଣ ଯୁକତେ ॥ ୫
ପୂର୍ବେ ଯେ ହଂସରୂପ ଧରି । ବ୍ରହ୍ମାପୁତ୍ରଙ୍କୁ ଦୟାକରି ॥ ୬
ପରମଧର୍ମ କଥା ଯେତେ । କହିଲ ତାହାଙ୍କ ଅଗ୍ରତେ ॥ ୭
ସେ ଧର୍ମ କାଳେ ନଷ୍ଟ ଗଲା । ସଂସାରେ କେହି ନ ପାଳିଲା ॥ ୮
ଏବେ ଏ କ୍ଷିତି ତଳୈ ପୁଣି । କେ ତାହା ତୁମ୍ଭ ବିନୁ ଜାଣି ॥ ୯
ସେ ଧର୍ମ କହିପାରୁ ତୁହି । ତୋ' ତହୁଁ କର୍ତ୍ତା ବକ୍ତା ନାହିଁ ॥ ୧୦
ବ୍ରହ୍ମାସଦନେ ସୁରଲୋକେ । ତୋ' ବିନୁ କେ କହିବ ଏକେ ॥ ୧୧
ସଙ୍ଗତେ ଜ୍ଞାନ ଧର୍ମ ଘେନି । ତୁ ନାଥ ତେଜିବୁ ଅବନୀ ॥ ୧୨
ସେ ଧର୍ମ-ଗୂଢ଼ତତ୍ତ୍ୱ ଜାଣି । ତୁ ତାହା କହୁ ପରିମାଣି ॥ ୧୩
ତୁ ସର୍ବ ଧର୍ମଜ୍ଞାନ-ଦାତା । ତୁ ସର୍ବକର୍ତ୍ତା ବକ୍ତା ପିତା ॥ ୧୪
ଭକ୍ତିଲକ୍ଷଣ ଧର୍ମ ଯେତେ । ଭୋ ନାଥ କହ ମୋ' ଅଗ୍ରତେ ॥ ୧୫
ଏମନ୍ତ ଉଦ୍ଧବ ବଚନ । ଶୁଣି ବୋଲନ୍ତି ଭଗବାନ ॥ ୧୬
ଭଗବାନ ଉବାଚ
ଶୁଣ ହେ ଭକତଶେଖର । ଯେ ବର୍ଣ୍ଣାଶ୍ରମ-ଧର୍ମାଚାର ॥ ୧୭
ମୁଁ ସତ୍ୟଯୁଗେ ହଂସରୂପେ । ବ୍ରହ୍ମାର ପୁତ୍ରଙ୍କ ସମୀପେ ॥ ୧୮
ପ୍ରଥମଯୁଗେ ଶୁକ୍ଳବର୍ଣ୍ଣେ । ମୁହିଁ ପ୍ରବର୍ତ୍ତାଇଲି ଜନେ ॥ ୧୯
ଓଁକାର ରୂପେ ଥିଲା ବେଦ । କେହି ନ ଜାଣେ ତା'ର ଭେଦ ॥ ୨୦
ମୁଁ ଧର୍ମ ବୃକ୍ଷରୂପ ଧରି । ସେ ବେଦ ଲୋକରେ ବିସ୍ତାରି ॥ ୨୧
ଏଣୁ ସେ ଯୁଗେ ଯେତେ ନର । ସକଳେ ସତ୍ୟଧର୍ମ ପର ॥ ୨୨
ମନ ବଚନ ହୃଦେ ଧରି । ମୋତେ ଭଜନ୍ତି ତପକରି ॥ ୨୩
ଚିତ୍ତେ ଚିନ୍ତିଲେ ଭୋଗ ଯେତେ । ସମୀପେ ମିଳନ୍ତି ସମସ୍ତେ ॥ ୨୪
ଏମନ୍ତେ ସତ୍ୟଯୁଗ ଗଲା । ଶୁଣ ଉଦ୍ଧବ ମୋ'ର ଲୀଳା ॥ ୨୫
ତ୍ରେତୟାଯୁଗେ ମୋର ଦେହୀ । ଯଜ୍ଞପୁରୁଷେ ଜାତ ହୋଇ ॥ ୨୬
ବେଦ ଉଚିତ ଯଜ୍ଞମାର୍ଗେ । ଧର୍ମ ପ୍ରଚାର ଭୂମିଭାଗେ ॥ ୨୭
ମୋ' ପାଦ ଉରୁ ଭୁଜାନନେ । ଜନ୍ମ ହୋଇଲେ ଚାରିବର୍ଣ୍ଣେ ॥ ୨୮
ମୋ' ଭୁଜୁଁ ଜନ୍ମ କ୍ଷତ୍ରି ଜାତି । ଉରୁରୁ ବୈଶ୍ୟ ଉତପତ୍ତି ॥ ୨୯
ମୁଖୁଁ ବ୍ରାହ୍ମଣ ମୋ'ର ଜାତ । ଶୂଦ୍ର ମୋ' ଚରଣୁ ସମ୍ଭୂତ ॥ ୩୦
ଏଣୁ ମୁଁ ପୁରୁଷ ପୁରାଣ । ଈଶ୍ୱର ବ୍ରହ୍ମାଣ୍ତକାରଣ ॥ ୩୧
ବିରାଟ ପୁରୁଷ ମୋ' ଗତି । ମୋ' ତହୁଁ ସୃଷ୍ଟି ଉତପତ୍ତି ॥ ୩୨
ମୋ'ର ଜଘନୁ ଗୃହକାରୀ । ହୃଦୟପଦ୍ମୁଁ ବ୍ରହ୍ମଚାରୀ ॥ ୩୩
ମୋ' ବକ୍ଷସ୍ଥଳୁଁ ବନବାସୀ । ମସ୍ତକୁ ଜନ୍ମିଲେ ସନ୍ନ୍ୟାସୀ ॥ ୩୪
ଏ ସର୍ବବର୍ଣ୍ଣ ସର୍ବାଶ୍ରମ । ସମ୍ଭବ ଉଚ୍ଚ ନୀଚ ସ୍ଥାନ ॥ ୩୫
ପ୍ରକୃତି ଜନ୍ମ ଅନୁସାରେ । ସ୍ୱଭାବ ଆଚାର ବେଭାରେ ॥ ୩୬
ଉତ୍ତମ ସଙ୍ଗେ ସଙ୍ଗ ଯା'ର । ସେ କରେ ଉତ୍ତମ ବେଭାର ॥ ୩୭
ହୀନ ସଙ୍ଗତେ ହୀନଗତି । ହସି କହନ୍ତି ଯଦୁପତି ॥ ୩୮
ଉଦ୍ଧବ ଏକମନେ ଶୁଣ । ବ୍ରାହ୍ମଣ ଆଦି ଯେ ଲକ୍ଷଣ ॥ ୩୯
ତପ ଶଉଚ ଶମ ଦମ । ମୋର ଭକତି ଅନୁପଦ ॥ ୪୦
ସତ୍ୟ ସନ୍ତୋଷ କ୍ଷମା ଦୟା । ଆର୍ଜବ ହୃଦୟ ନିର୍ମାୟା ॥ ୪୧
ଏ ସର୍ବ ବ୍ରାହ୍ମଣ ଲକ୍ଷଣ । କ୍ଷତ୍ରିୟ ଧର୍ମ ଏବେ ଶୁଣ ॥ ୪୨
ତେଜ ଶଉଚ ବଳ ଶୌର୍ଯ୍ୟ । ତିତିକ୍ଷା ଉଦ୍ୟମ ଔଦାର୍ଯ୍ୟ ॥ ୪୩
ବିପ୍ର ଭକତି ଧୃତିମନ୍ତ । ବିକ୍ରମ ଅଇଶର୍ଯ୍ୟ ଯୁକ୍ତ ॥ ୪୪
ଦାନ ଅର୍ଜନେ ତତପର । ରଣେ ହୋଇବ ଆଗୁସାର ॥ ୪୫
କ୍ଷତ୍ରିୟ ଲକ୍ଷଣ ଏ ଜାଣ । ଅପରେ ବୈଶ୍ୟଗୁଣ ଶୁଣ ॥ ୪୬
ବିପ୍ରପୋଷଣ ଦାନଯୁକ୍ତ । ଦମ୍ଭ ବର୍ଜିତ କୃଷିରତ ॥ ୪୭
କ୍ରୟ ବିକ୍ରୟ ସାଧୁମତେ । ଧନସଞ୍ଚୟ ଧର୍ମଯୁକ୍ତେ ॥ ୪୮
ବୈଶ୍ୟର କୁଳଧର୍ମ ଏହି । ଏବେ ହୋ ଶୂଦ୍ରଧର୍ମ କହି ॥ ୪୯
ବ୍ରହ୍ମ କ୍ଷତ୍ରିୟ ବୈଶ୍ୟଗଣେ । ସେବା କରିବ ଅନୁକ୍ଷଣେ ॥ ୫୦
ସକଳ ଜୀବେ ଥିବ ଦୟା । କେବେହେଁ ନ କରିବ ମାୟା ॥ ୫୧
ଶୂଦ୍ରଜନର ଏ ବେଭାର । ଶୁଣ ହୀନଜନ ଆଚାର ॥ ୫୨
ଅସତ୍ୟ ବାକ୍ୟ ନିଷ୍ଠାହୀନ । ନାସ୍ତିକ କ୍ରୋଧ ହତଜ୍ଞାନ ॥ ୫୩
ବିରୋଧ ବାଦ କୁବଚନ । କନ୍ଦଳ ଆଚାର ଲଂଘନ ॥ ୫୪
ପରହିଂସନ ପରବାଦ । ପର ରମଣୀ ଧନେ ସଧ ॥ ୫୫
ନୀଚଜନଙ୍କ ଏ ସ୍ୱଭାବ । ସାମାନ୍ୟ ଶୁଣ ହେ ଉଦ୍ଧବ ॥ ୫୬
ନଥିବ ହିଂସା ଚୋରି ଦମ୍ଭ । ଆବର କାମ କ୍ରୋଧ ଲୋଭ ॥ ୫୭
ସତ୍ୟବଚନ ପ୍ରିୟବାଣୀ । ଭୃତ୍ୟ ସୁହୃଦ ଯେତେ ପ୍ରାଣୀ ॥ ୫୮
ଏ ସର୍ବଲୋକେ ସାଧାରଣ । ସ୍ୱଧର୍ମ ସ୍ୱଭାବ ପ୍ରମାଣ ॥ ୫୯
ବ୍ରାହ୍ମଣ ଆଦି ଯଥାକ୍ରମେ । ଯେ ଥିବେ ଯେମନ୍ତ ଆଶ୍ରମେ ॥ ୬୦
ବ୍ରାହ୍ମଣ ଆଶ୍ରମ ବ୍ୟବସ୍ଥା । ଶୁଣ ଉଦ୍ଧବ ସାଧୁକଥା ॥ ୬୧
ବ୍ରାହ୍ମଣ କୁଳେ ଜନ୍ମ ହୋଇ । ବେଦପଠନେ ଦୀକ୍ଷା ବହି ॥ ୬୨
ଗାୟତ୍ରୀମନ୍ତ୍ର ଗୁରୁମୁଖେ । ଜାଣି ସେବିବ ଗୁରୁପାଖେ ॥ ୬୩
ବେଦପଠନ ଦିନେଦିନେ । କରିବ ଗୁରୁ ସନ୍ନିଧାନେ ॥ ୬୪
ତ୍ରିସଂଧ୍ୟା ସ୍ନାନ ହୋମ କରି । ତ୍ରିଦଣ୍ତ କମଣ୍ତଳୁ ଧରି ॥ ୬୫
କନ୍ଧେ କୃଷ୍ଣାଜିନ ମେଖଳା । ଅରୁଣ ବାସ ଅକ୍ଷମାଳା ॥ ୬୬
ମନ୍ତ୍ର ଜପନ ପୂଜା ହୋମ । ମାର୍ଜନ ଭୋଜନ ନିୟମ ॥ ୬୭
ଏ ଆଦି କର୍ମ ବ୍ରହ୍ମଚାରୀ । କରିବ ମଉନ ଆଚରି ॥ ୬୮
କର ଚରଣ ନଖ ଯେତେ । ଯେ ଲୋମ କକ୍ଷ ଲିଙ୍ଗଗାତ୍ରେ ॥ ୬୯
ଦୀକ୍ଷା ସମ୍ପୂର୍ଣ୍ଣ ଯାଏ ଧରି । କେବେହେଁ ବ୍ୟପନ ନ କରି ॥ ୭୦
ନିରତେ ଥିବ ଯେ ସଂଯତେ । ବୀର୍ଯ୍ୟ ନ ଦେବ ଯୋନିପଥେ ॥ ୭୧
ଯଦ୍ୟପି ନିଦ୍ରାଗତ କାଳେ । ସ୍ୱପ୍ନ ଗୋଚରେ ବୀର୍ଯ୍ୟ ଟଳେ ॥ ୭୨
ବେଗେ ପ୍ରଭାତୁ ସ୍ନାନ କରି । ହୃଦୟେ ଗାୟତ୍ରୀ ସୁମରି ॥ ୭୩
ଜପ କରିବ ହସ୍ତରେଖେ । ଉଭାବି ରବି ଅଭିମୁଖେ ॥ ୭୪
ଗୁରୁଚରଣେ ନମସ୍କାର । ଯତ୍ନେ କରିବ ସପ୍ତବାର ॥ ୭୫
ଗୋରୁ ବ୍ରାହ୍ମଣ ବୃଦ୍ଧପାଦେ । ବନ୍ଦନ କରିବ ଆନନ୍ଦେ ॥ ୭୬
ତ୍ରିସନ୍ଧ୍ୟା ସେବିବ ସ୍ନାହାନେ । ଗାୟତ୍ରୀ ଜପିବ ମଉନେ ॥ ୭୭
ସାକ୍ଷାତେ ଗୁରୁ ଯେ ଈଶ୍ୱର । ଗୁରୁଙ୍କୁ ନ ମଣିବ ନର ॥ ୭୮
ଗୁରୁଟି ସର୍ବ ଦେବମୟେ । ମୁହିଁ ବସଇ ଗୁରୁଦେହେ ॥ ୭୯
ଏ ଘେନି ଗୁରୁ ଭଗବାନ । ସେ ନୋହେ ମନୁଷ୍ୟ ସମାନ ॥ ୮୦
ସ୍ୱଧର୍ମେ ନିରତେ ପ୍ରଭାତେ । ଭିକ୍ଷା ମାଗିବ ନିତ୍ୟେ ନିତ୍ୟେ ॥ ୮୧
ଗୁରୁ ସମୀପେ ତାହା ନେଇ । ଥୋଇବ ଶିରେ କର ଦେଇ ॥ ୮୨
ପ୍ରସନ୍ନେ ଗୁରୁ ଦେବେ ଯେତେ । ତାହା ଭୁଞ୍ଜିବ ତୋଷଚିତ୍ତେ ॥ ୮୩
ଗୁରୁ ସେବନ ଅବଧାନେ । ରଜନୀ ବଂଚିବ ମଉନେ ॥ ୮୪
ଗୁରୁ ସମୀପେ ଭୃତ୍ୟ ପ୍ରାୟେ । ପ୍ରଥମେ ଥିବ ଉଭା ପାୟେ ॥ ୮୫
ଗୁରୁ ପ୍ରସନ୍ନେ ଆଜ୍ଞା ପାଇ । ବସିବ ଗୁରୁମୁଖ ଚାହିଁ ॥ ୮୬
ସଭୟେ ସମୀପେ ବସିବ । ଚରଣ ଅଗ୍ର ନ ଦିଶିବ ॥ ୮୭
ଅଳପ ଦୂରେ ଉଭା ହୋଇ । କର ଯୁଗଳ ଶିରେ ଦେଇ ॥ ୮୮
ନିତ୍ୟେ ନମିବ ଗୁରୁପାଦେ । ବେଦପଠନ ଅନୁବାଦେ ॥ ୮୯
ଏ ରୂପେ ଗୁରୁସେବା କରି । ଦିନ ବଞ୍ଚିବ ବ୍ରହ୍ମଚାରୀ ॥ ୯୦
ଏ ଦେହସୁଖ ଦିନେ ଦିନେ । କେବେହେଁ ନ ଚିନ୍ତିବ ମନେ ॥ ୯୧
ଯାବତ ବିଦ୍ୟାପୂର୍ଣ୍ଣ ନୋହେ । ତାବତ ଗୁରୁଦୀକ୍ଷା ବହେ ॥ ୯୨
ମନ ବଚନ ନିଜ ଦେହେ । ନିତ୍ୟେ ସେବିବ ଗୁରୁପ୍ରାୟେ ॥ ୯୩
ମୋତେ ପୂଜିବ ଗୁରୁଦେହେ । ମୋ' ତହୁଁ ଗୁରୁ ଭିନ୍ନ ନୋହେ ॥ ୯୪
ଯଦି ସେ ବ୍ରହ୍ମଚାରୀ ଜନ । ବ୍ରହ୍ମଲୋକକୁ ଥିବ ମନ ॥ ୯୫
ଗୁରୁଙ୍କ ଦେହ ସମର୍ପଣ । କରି ଶୁଝିବ ଗୁରୁଋଣ ॥ ୯୬
ଅଗ୍ନିରେ ଗୁରୁରେ ଆତ୍ମାରେ । ମୁଁ ଅଛି ସକଳ ଭୂତରେ ॥ ୯୭
ମୋତେ କରିବ ଉପାସନ । ବୁଦ୍ଧି ନ କରି ଭିନ୍ନାଭିନ୍ନ ॥ ୯୮
ନିତ୍ୟେ ସଂଯତ ବ୍ରହ୍ମଚାରୀ । ନୟନେ ନ ଦେଖିବ ନାରୀ ॥ ୯୯
ସ୍ତ୍ରୀସଙ୍ଗୀ ସଙ୍ଗେ ସମ୍ଭାଷଣ । କେବେହେଁ ନୋହିବଟି ପୁଣ ॥ ୧୦୦
ତମ ରାଜସ ପ୍ରାଣି ଯେତେ । ସଙ୍ଗ ନୋହିବ କଦାଚିତେ ॥ ୧୦୧
ଯେଣୁ ଏ ଦୁଷ୍ଟଗଣ ସଙ୍ଗ । କରଇ ନିଜଧର୍ମ ଭଙ୍ଗ ॥ ୧୦୨
ଶଉଚ ସ୍ନାନ ଆଚମନ । ତ୍ରିକାଳ ସନ୍ଧ୍ୟା ଉପାସନ ॥ ୧୦୩
ତୀର୍ଥଗମନ ଜପ ହୋମ । ଶ୍ରବଣ କୀର୍ତ୍ତନ ମୋ' ନାମ ॥ ୧୦୪
ମୋ'ର ଚରଣ ସେବା ଯେତେ । ସଂଯତେ କରିବ ନିରତେ ॥ ୧୦୫
ଅସାଧୁ ସଙ୍ଗେ ସମ୍ଭାଷଣ । ଯେ ଅବା ଅଭକ୍ଷ୍ୟ ଭକ୍ଷଣ ॥ ୧୦୬
ଏ ଆଦି ଧର୍ମର ଲଂଘନେ । କେବେହେଁ ନ ଚିନ୍ତିବ ମନେ ॥ ୧୦୭
ସମାନ ଧର୍ମ ଆଚରଣ । ଏ ଆଦି ଆଶ୍ରମ ଲକ୍ଷଣ ॥ ୧୦୮
ସଂଯମେ ମନବାକ୍ୟ ଧରି । ଏତେ ଲକ୍ଷଣେ ବ୍ରହ୍ମଚାରୀ ॥ ୧୦୯
ମୋର ଚରଣ ସେବାକରି । ସକଳ ବର୍ଣ୍ଣେ ଅଧିକାରୀ ॥ ୧୧୦
ଏ ରୂପେ ବ୍ରାହ୍ମଣର ସୁତ । ସାଧିବ ବ୍ରହ୍ମଚାରୀ ବ୍ରତ ॥ ୧୧୧
ଏମନ୍ତ ବ୍ରତେ ବ୍ରହ୍ମଚାରୀ । ବିରାଜେ ଅଗ୍ନିରୂପ ଧରି ॥ ୧୧୨
ମୋର ଭକତ ଏ ଶୟଳେ । ମୋ' ସେବା ତୀର୍ଥ ତପଫଳେ ॥ ୧୧୩
ତା'ର ଦୁରିତ ଯେତେ ଦେହେ । ମୋ'ନାମେ ଅଗ୍ନିକୁଣ୍ତେ ଦହେ ॥ ୧୧୪
ଏମନ୍ତ ବ୍ରତେ ବ୍ରହ୍ମଚାରୀ । ଯଦି ସକଳ ବେଦ ଧରି ॥ ୧୧୫
ତାତ ଜନନୀଙ୍କି ଜଣାଇ । ଦକ୍ଷିଣା ଗୁରୁପାଦେ ଦେଇ ॥ ୧୧୬
ଗୁରୁବଚନ ଶିରେ ଧରି । ବେଦ ଉତ୍ସର୍ଗେ ସ୍ନାନ କରି ॥ ୧୧୭
ଛାଡ଼ିବ ବ୍ରହ୍ମଚାରୀ ବେଶ । ବନେ ବା ଭୁବନେ ପ୍ରବେଶ ॥ ୧୧୮
ଏମନ୍ତେ ନିଜଭାବେ ଥିବ । ଯେ ପୂର୍ବ ଆଶ୍ରମ ସ୍ୱଭାବ ॥ ୧୧୯
ଅନ୍ୟ ଆଶ୍ରମ ଯେବେ ଭଜି । ପୂର୍ବ ଆଶ୍ରମ ତେବେ ତେଜି ॥ ୧୨୦
ଯେବେ ବ୍ରାହ୍ମଣ ବ୍ରହ୍ମଚାରୀ । ଗୃହ ଆଶ୍ରମେ ଚିତ୍ତ ଧରି ॥ ୧୨୧
ବିଚାରି କନ୍ୟା କୁଳବତୀ । ରୂପ ଲକ୍ଷଣ ତାର ଚିନ୍ତି ॥ ୧୨୨
ବୟଃ ଆକୃତି ପରିମାଣି । କନ୍ୟା ବରିବ ସୁଲକ୍ଷଣୀ ॥ ୧୨୩
ବିବାହ କରି ଶୁଭଲଗ୍ନେ । ଯେ ବେଦ ବିଧାନ ପ୍ରମାଣେ ॥ ୧୨୪
ସୁଖେ ସାଧିବ ଗୃହବାସେ । କାମ କାଞ୍ଚନ ପୁତ୍ର ଆଶେ ॥ ୧୨୫
ଯେ ଧର୍ମ ଗୃହସ୍ଥ କାରଣ । ଉଦ୍ଧବ ସାବଧାନେ ଶୁଣ ॥ ୧୨୬
ବ୍ରାହ୍ମଣ କୁଳଧର୍ମ ଯେତେ । ଶୁଣ କହିବା ତୋ ଅଗ୍ରତେ ॥ ୧୨୭
ବେଦାଧ୍ୟୟନ ଅଧ୍ୟାପନ । ଗ୍ରହଣ ଯଜନ ଯାଜନ ॥ ୧୨୮
ଦାନ ହିଁ ଦେଉଥିବ ନିତ୍ୟେ । ଲୋଭ ନ କରି ଶୁଦ୍ଧଚିତ୍ତେ ॥ ୧୨୯
ଗୃହେ ହୋଇବ ସର୍ବସହ । ଯେ ନୀଚକର୍ମ ପ୍ରତିଗ୍ରହ ॥ ୧୩୦
କେବେହେଁ ନ ଘେନିବ କର । ନାଶଇ ଇହ ପରକାଳ ॥ ୧୩୧
ଯେ ଅବା ଦୁଷ୍ଟ ପ୍ରତିଗ୍ରହ । ଉଭୟ ଲୋକେ ଦୁଃଖମୟ ॥ ୧୩୨
ଯେ ପ୍ରତିଗ୍ରହ ଭୟଙ୍କର । ଯଶ ତପସ୍ୟା ତେଜହର ॥ ୧୩୩
ସେ ପ୍ରତିଗ୍ରହ ନ କରିବ । ଦୁଃଖେ ବା କୁଟୁମ୍ବ ପୋଷିବ ॥ ୧୩୪
ନିତ୍ୟେ ଯାଜନ ଅଧ୍ୟାପନେ । ବଞ୍ଚିବ କିଞ୍ଚିତ ଭୋଜନେ ॥ ୧୩୫
ଯେ ଧର୍ମକର୍ମ ବିପରୀତେ । କେବେହେଁ ନ କଳ୍ପିବ ଚିତ୍ତେ ॥ ୧୩୬
ଚିତ୍ତ ସନ୍ତୋଷ ଯଥାଲାଭେ । ନିତ୍ୟେ ବଂଚିବ ମୋର ଭାବେ ॥ ୧୩୭
ଯେ ବିପ୍ର ହରି ପରାୟଣେ । ଗୃହେ ବସଇ ସାଧୁପଣେ ॥ ୧୩୮
ନିତ୍ୟେ କରଇ ମୋତେ ଧ୍ୟାନ । ସେ ନୋହେ ନରକେ ପତନ ॥ ୧୩୯
ସେ ଗୃହ ଅନ୍ଧକୂପୂଁ ତରେ । ଆତ୍ମାକୁ ଆପଣେ ନିସ୍ତାରେ ॥ ୧୪୦
ଯେ ଅବା ପୂର୍ବକର୍ମ ଦୋଷେ । ଦୁଃଖୀ ଦରିଦ୍ର ଗୃହବାସେ ॥ ୧୪୧
ମୋହରେ ପରାୟଣ ହୋଇ । ଯେ ବିପ୍ର ଦୁଃଖେ ଶୀର୍ଣ୍ଣ ହୋଇ ॥ ୧୪୨
ଏମନ୍ତ ବିପ୍ରଦୁଃଖ ଚାହିଁ । ଯେ ଅବା ଚିତ୍ତେ ଦୟାବହି ॥ ୧୪୩
ବିପ୍ରପୋଷଣ କରେ ନିତ୍ୟେ । ମୁଁ ଥାଇଁ ତାହାର ଅଗ୍ରତେ ॥ ୧୪୪
ବ୍ରାହ୍ମଣମୁଖେ ମୋ' ଆହାର । ବିପଦ ଖଣ୍ତଇ ତାହାର ॥ ୧୪୫
ସମୁଦ୍ର ମଧ୍ୟେ ନାବ ଯେହ୍ନେ । ପ୍ରାଣୀଙ୍କି ତାରଇ ଯେସନେ ॥ ୧୪୬
ପିତାର ପ୍ରାୟେ ହୋଇ ରାଜା । ବିପଦ ମଧ୍ୟୁ ସର୍ବପ୍ରଜା ॥ ୧୪୭
ଜନଙ୍କୁ କରିବ ଉଦ୍ଧାର । ଯେଣୁ ବୋଲାଏ ନରେଶ୍ୱର ॥ ୧୪୮
ଆପଣା ଆତ୍ମାକୁ ଆପଣେ । ଉଦ୍ଧାର କରେ ସତ୍ତ୍ୱଗୁଣେ ॥ ୧୪୯
ଯେସନେ ଗଜର ବିପତ୍ତି । ଦେଖି ଉଦ୍ଧରେ ଗଜପତି ॥ ୧୫୦
ଯେ ରାଜା ଏମନ୍ତ ପ୍ରକାର । ଅଶୁଭ ନାଶେ ଆପଣାର ॥ ୧୫୧
ସୂର୍ଯ୍ୟସମାନ ତେଜ ରାଶି । ଏମନ୍ତ ବିମାନରେ ବସି ॥ ୧୫୨
ହରଷ ହୋଇ ନିରନ୍ତରେ । ରହଇ ଇନ୍ଦ୍ରର ସଙ୍ଗରେ ॥ ୧୫୩
ଏମନ୍ତେ ବ୍ରାହ୍ମଣ ବଞ୍ଚିବ । ଯଦ୍ୟପି ବିପଦ ପଡ଼ିବ ॥ ୧୫୪
ତେବେ ବଞ୍ଚିବ ବୈଶ୍ୟମତେ । କୃଷି ବାଣିଜ୍ୟ ବେନିପଥେ ॥ ୧୫୫
ଅଥବା ଶସ୍ତ୍ର ଧରି କରେ । ବଞ୍ଚିବ ପଦାତି ପ୍ରକାରେ ॥ ୧୫୬
ହିଂସା ନ ବହି ହୃଦୟରେ । ବିଅର୍ଥେ ନ ନାଶିବ ପରେ ॥ ୧୫୭
କ୍ଷତ୍ରିୟବୃତ୍ତି କରି ଅବା । କେବେହେଁ ନ କରିବ ସେବା ॥ ୧୫୮
ଏମନ୍ତେ ବିପଦ ବଞ୍ଚିବ । ଶୁଭେ ଯେ ନିଜଧର୍ମେ ଥିବ ॥ ୧୫୯
ବିପଦେ ବୈଶ୍ୟବୃତ୍ତି ଧରି । କ୍ଷତ୍ରିୟ କୁଟୁମ୍ବ ଆବୋରି ॥ ୧୬୦
ବଞ୍ଚିବ ଅବା ମୃଗୟାରେ । ନୋହିଲେ ବ୍ରାହ୍ମଣ ବୃତ୍ତିରେ ॥ ୧୬୧
ଆପଦୁଁ ତରି କାଳକ୍ରମେ । କ୍ଷତ୍ରିୟ ଥିବ ନିଜଧର୍ମେ ॥ ୧୬୨
ଏମନ୍ତେ ବିପଦୁଁ ବଞ୍ଚିବ । ନୀଚକୁ ସେବା ନ କରିବ ॥ ୧୬୩
ବିପଦେ ବୈଶ୍ୟ ଶୂଦ୍ରପ୍ରାୟେ । କୁଟୁମ୍ବ ତାରିବ ଉପାୟେ ॥ ୧୬୪
ବିପଦେ ଶୂଦ୍ର ତା'ର କର୍ମେ । ବଞ୍ଚିବ ନିଜଗୁଣ ଧର୍ମେ ॥ ୧୬୫
ଏମନ୍ତେ ବର୍ଣ୍ଣ-ଧର୍ମ-ପଥେ । କହିଲି ତୋହର ଅଗ୍ରତେ ॥ ୧୬୬
ଅବଶ୍ୟ କର୍ତ୍ତବ୍ୟ ଏ ଜାଣ । ଗୃହରେ ପଞ୍ଚଯଜ୍ଞ ପୁଣ ॥ ୧୬୭
କରିବ ବେଦ ଅଧ୍ୟୟନ । ସ୍ୱଧା ଯେ ସ୍ୱାହା ବଳି ଅନ୍ନ ॥ ୧୬୮
ଏ ଆଦି ପଞ୍ଚମ ପ୍ରକାରେ । ଯଥା ବିଭବ ଅନୁସାରେ ॥ ୧୬୯
ଦେବତା ଋଷି ପିତୃଭୂତ । ଅତିଥିମାନଙ୍କୁ ଉଚିତ ॥ ୧୭୦
ପୂଜା କରିବ ପ୍ରତିଦିନ । ମୋ' ରୂପ ଅଟନ୍ତି ଏମାନେ ॥ ୧୭୧
ଧର୍ମେ ଯେ ଧନ ଅରଜିବ । ଯେ ଅବା ହେଳେ ମିଳିଯିବ ॥ ୧୭୨
ତହିଁରେ ଯଜ୍ଞ ଆଚରିବ । ଭୃତ୍ୟଙ୍କୁ ପୀଡ଼ା ନ କରିବ ॥ ୧୭୩
ଏ ଭାବେ ଗୃହଧର୍ମ ମତ । ଚିତ୍ତ ନ କରି ମୋହଗ୍ରସ୍ଥ ॥ ୧୭୪
ଗୃହରେ ବିପଦ-ସମ୍ପଦେ । କୁଳ-କାଞ୍ଚନ-ବନ୍ଧୁ-ମଦେ ॥ ୧୭୫
ମୋହେ ନୋହିବ ମନ ଛନ୍ନ । ଏ ସର୍ବ ନଶ୍ୱର ସମାନ ॥ ୧୭୬
ଭାବେ ଜାଣିବ ଶୁଣି ଦେଖି । ଇଚ୍ଛାଏ ସକଳ ଉପେକ୍ଷି ॥ ୧୭୭
ଏ ସୁତ-ଦାରା-ବନ୍ଧୁ ସଙ୍ଗ । ଯେସନେ ସମୁଦ୍ର ତରଙ୍ଗ ॥ ୧୭୮
ପଥିକ ଯେହ୍ନେ ବୃକ୍ଷତଳେ । ଶ୍ରମେ ମିଳନ୍ତି ଏକମେଳେ ॥ ୧୭୯
ଶ୍ରମ ସାରିଲେ ଯେଝାମତେ । ଚଳନ୍ତି ବୃକ୍ଷଥାଇ ପଥେ ॥ ୧୮୦
ଯେସନେ ପ୍ରାଣୀ ନିଦ୍ରାଗତେ । ସମ୍ପଦ ଦେଖେ ସ୍ୱପ୍ନମତେ ॥ ୧୮୧
ଏହି ପ୍ରକାରେ ଗୃହବାସ । ଏଣେ ନ କରିବ ବିଶ୍ୱାସ ॥ ୧୮୨
ଏହା ତୁ ବୁଝି ଯଦୁବୀର । ଚଞ୍ଚଳ ଚିତ୍ତ ସ୍ଥିର କର ॥ ୧୮୩
ଅନିତ୍ୟ ଅସତ୍ୟ ଶରୀର । ଅନ୍ତେ ଲଭଇ ତମଘୋର ॥ ୧୮୪
ଏଣୁ ଅତିଥି ପ୍ରାୟ ହୋଇ । ମୋର ଭକତ ଗୃହେ ଥାଇ ॥ ୧୮୫
ପୁତ୍ର କଳତ୍ର ବନ୍ଧୁ ଶିରୀ । ନ ବୋଲେ ମୋହରି ମୋହରି ॥ ୧୮୬
ଦଇବ ମାୟା ଏ ସଂସାର । ଏଣେ ନ କର ଅହଙ୍କାର ॥ ୧୮୭
ଏ ଭାବେ ଥାଏ ଯେଉଁଜନ । ସେ ନୋହେ ଗୃହରେ ବନ୍ଧନ ॥ ୧୮୮
ଏମନ୍ତେ ଗୃହ-ଅବଧାନେ । ଧର୍ମ ସାଧିବ ଯଜ୍ଞଦାନେ ॥ ୧୮୯
ମୋର ଭକତି ଦିନେଦିନେ । ସାଧିବ ହୃଦୟ ଯତନେ ॥ ୧୯୦
ଗୃହସ୍ଥଭାବେ ଏହିମତେ । ଭାବେ ବଞ୍ଚିବ ଦିନାକେତେ ॥ ୧୯୧
ବୟସ-ତୃତୀୟ ପ୍ରାପତେ । ବନେ ଚଳିବ ତପଅର୍ଥେ ॥ ୧୯୨
ପତ୍ନୀ ନିବେଶି ପୁତ୍ରପାଶେ । ଅଥବା ଚଳିବ ସନ୍ନ୍ୟାସେ ॥ ୧୯୩
ପୁତ୍ର ନ ଥିଲେ ଘେନି ସଙ୍ଗେ । ନିଜ ଆୟୁଷ ବେନିଭାଗେ ॥ ୧୯୪
ଧର୍ମ କରଣେ କର୍ମ ଯେତେ । ବନେ ସାଧିବ ଯେଝାମତେ ॥ ୧୯୫
ଗୃହ ନିର୍ବନ୍ଧ ଯାର ମନେ । ଆକୁଳ ସୁତ-ଦାରା-ଧନେ ॥ ୧୯୬
ମୂଢ଼ କୃପଣ ସ୍ତିରୀଯୁତ । ମୁହିଁ ମୋହର ଏ ସମସ୍ତ ॥ ୧୯୭
ଏଣୁ ବଞ୍ଚଇ ଗୃହବାସେ । ଅଶାନ୍ତ ଇନ୍ଦ୍ରିୟ ଲାଳସେ ॥ ୧୯୮
କୁଟୁମ୍ବ-ନିସ୍ତାରଣ ଆଶେ । ଭାଳଇ ରଜନୀ ଦିବସେ ॥ ୧୯୯
ବୃଦ୍ଧ ଜନନୀ ତାତ ମୋର । ବନିତା ବାଳକ କୁମର ॥ ୨୦୦
କି ରୂପେ ନିସ୍ତାରିବି ମୁହିଁ । ଏଣେ ଆକୁଳ ମନ ହୋଇ ॥ ୨୦୧
କ୍ଷଣେ ନ ପାରେ ଗୃହ ଛାଡ଼ି । ନିରତେ ଚିନ୍ତା ଚିତ୍ତେ ଜଡ଼ି ॥ ୨୦୨
ଦାରା ତନୟ ନିତ୍ୟେ ଚିନ୍ତି । ଗୃହେ ମଜ୍ଜଇ ମୂଢ଼ମତି ॥ ୨୦୩
ଅନ୍ତେ ପଡ଼ଇ ତମ ଘୋରେ । ଭ୍ରମଇଁ ଏ ଘୋର ସଂସାରେ ॥ ୨୦୪
ଗୃହ କରଣ ବର୍ଣ୍ଣଭାବ । ଊଦ୍ଧବ କହିଲେ ମାଧବ ॥ ୨୦୫
ସେ ଗୁରୁଶିଷ୍ୟ ପାଦଗତ । ନମଇଁ ଦାସ ଜଗନ୍ନାଥ ॥ ୨୦୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ଅଷ୍ଟାଦଶୋଦ୍ଧଧ୍ୟାୟଃ ॥
* * *