ଏକାଦଶ ସ୍କନ୍ଧ

ଅଷ୍ଟାଦଶ ଅଧ୍ୟାୟ

ଦିବ୍ୟ ବିଭୂତି ଶୁଣି କର୍ଣ୍ଣେ । ଉଦ୍ଧବ ଅତି ହୃଷ୍ଟମନେ ॥

ଦେହ ପୁଲକେ ରୋମରାଜି । ଭାବ ଗଦ୍‌ଗଦେ ଚକ୍ଷୁ ବୁଜି ॥

ଉଦ୍ଧବ ଉବାଚ

ବୋଲଇ ହେ ମଧୁସୂଦନ । ଭକ୍ତି ସଂଶୟ ବିମୋଚନ ॥

ଯେ ଧର୍ମ ଭକ୍ତିର ଲକ୍ଷଣ । ଶ୍ରୀମୁଖେ କ‌ହିଲ ଆପଣ ॥

ସ୍ୱଧର୍ମ ସାଧି କେଉଁମତେ । ବୈଷ୍ଣବ ଲକ୍ଷଣ ଯୁକ‌ତେ ॥

ପୂର୍ବେ ଯେ ହଂସରୂପ ଧରି । ବ୍ରହ୍ମାପୁତ୍ରଙ୍କୁ ଦୟାକରି ॥

ପରମଧର୍ମ କ‌ଥା ଯେତେ । କ‌ହିଲ ତାହାଙ୍କ ଅଗ୍ରତେ ॥

ସେ ଧର୍ମ କାଳେ ନଷ୍ଟ ଗଲା । ସଂସାରେ କେହି ନ ପାଳିଲା ॥

ଏବେ ଏ କ୍ଷିତି ତଳୈ ପୁଣି । କେ ତାହା ତୁମ୍ଭ ବିନୁ ଜାଣି ॥

ସେ ଧର୍ମ କ‌ହିପାରୁ ତୁହି । ତୋ' ତ‌ହୁଁ କର୍ତ୍ତା ବକ୍ତା ନାହିଁ ॥ ୧୦

ବ୍ରହ୍ମାସଦନେ ସୁରଲୋକେ । ତୋ' ବିନୁ କେ କ‌ହିବ ଏକେ ॥ ୧୧

ସଙ୍ଗତେ ଜ୍ଞାନ ଧର୍ମ ଘେନି । ତୁ ନାଥ ତେଜିବୁ ଅବନୀ ॥ ୧୨

ସେ ଧର୍ମ-ଗୂଢ଼ତ‌ତ୍ତ୍ୱ ଜାଣି । ତୁ ତାହା କ‌ହୁ ପରିମାଣି ॥ ୧୩

ତୁ ସର୍ବ ଧର୍ମଜ୍ଞାନ-ଦାତା । ତୁ ସର୍ବକର୍ତ୍ତା ବକ୍ତା ପିତା ॥ ୧୪

ଭକ୍ତିଲକ୍ଷଣ ଧର୍ମ ଯେତେ । ଭୋ ନାଥ କ‌ହ ମୋ' ଅଗ୍ରତେ ॥ ୧୫

ଏମନ୍ତ ଉଦ୍ଧବ ବଚନ । ଶୁଣି ବୋଲନ୍ତି ଭଗବାନ ॥ ୧୬

ଭଗବାନ ଉବାଚ

ଶୁଣ ହେ ଭକ‌ତଶେଖର । ଯେ ବର୍ଣ୍ଣାଶ୍ରମ-ଧର୍ମାଚାର ॥ ୧୭

ମୁଁ ସ‌ତ୍ୟ‌ଯୁଗେ ହଂସରୂପେ । ବ୍ରହ୍ମାର ପୁତ୍ରଙ୍କ ସମୀପେ ॥ ୧୮

ପ୍ରଥମ‌ଯୁଗେ ଶୁକ୍ଳବର୍ଣ୍ଣେ । ମୁହିଁ ପ୍ରବର୍ତ୍ତାଇଲି ଜନେ ॥ ୧୯

ଓଁକାର ରୂପେ ଥିଲା ବେଦ । କେହି ନ ଜାଣେ ତା'ର ଭେଦ ॥ ୨୦

ମୁଁ ଧର୍ମ ବୃକ୍ଷରୂପ ଧରି । ସେ ବେଦ ଲୋକରେ ବିସ୍ତାରି ॥ ୨୧

ଏଣୁ ସେ ଯୁଗେ ଯେତେ ନର । ସକଳେ ସ‌ତ୍ୟଧର୍ମ ପର ॥ ୨୨

ମନ ବଚନ ହୃଦେ ଧରି । ମୋତେ ଭଜନ୍ତି ତପକରି ॥ ୨୩

ଚିତ୍ତେ ଚିନ୍ତିଲେ ଭୋଗ ଯେତେ । ସମୀପେ ମିଳନ୍ତି ସମସ୍ତେ ॥ ୨୪

ଏମନ୍ତେ ସ‌ତ୍ୟ‌ଯୁଗ ଗଲା । ଶୁଣ ଉଦ୍ଧବ ମୋ'ର ଲୀଳା ॥ ୨୫

ତ୍ରେତୟାଯୁଗେ ମୋର ଦେହୀ । ଯଜ୍ଞପୁରୁଷେ ଜାତ ହୋଇ ॥ ୨୬

ବେଦ ଉଚିତ ଯଜ୍ଞମାର୍ଗେ । ଧର୍ମ ପ୍ରଚାର ଭୂମିଭାଗେ ॥ ୨୭

ମୋ' ପାଦ ଉରୁ ଭୁଜାନ‌ନେ । ଜନ୍ମ ହୋଇଲେ ଚାରିବର୍ଣ୍ଣେ ॥ ୨୮

ମୋ' ଭୁଜୁଁ ଜନ୍ମ କ୍ଷତ୍ରି ଜାତି । ଉରୁରୁ ବୈଶ୍ୟ ଉତ‌ପ‌ତ୍ତି ॥ ୨୯

ମୁଖୁଁ ବ୍ରାହ୍ମଣ ମୋ'ର ଜାତ । ଶୂଦ୍ର ମୋ' ଚରଣୁ ସମ୍ଭୂତ ॥ ୩୦

ଏଣୁ ମୁଁ ପୁରୁଷ ପୁରାଣ । ଈଶ୍ୱର ବ୍ରହ୍ମାଣ୍ତକାରଣ ॥ ୩୧

ବିରାଟ ପୁରୁଷ ମୋ' ଗତି । ମୋ' ତ‌ହୁଁ ସୃଷ୍ଟି ଉତ‌ପ‌ତ୍ତି ॥ ୩୨

ମୋ'ର ଜଘନୁ ଗୃହକାରୀ । ହୃଦୟପଦ୍ମୁଁ ବ୍ରହ୍ମଚାରୀ ॥ ୩୩

ମୋ' ବକ୍ଷସ୍ଥଳୁଁ ବନ‌ବାସୀ । ମସ୍ତକୁ ଜନ୍ମିଲେ ସନ୍ନ୍ୟାସୀ ॥ ୩୪

ଏ ସର୍ବବର୍ଣ୍ଣ ସର୍ବାଶ୍ରମ । ସମ୍ଭବ ଉଚ୍ଚ ନୀଚ ସ୍ଥାନ ॥ ୩୫

ପ୍ରକୃତି ଜନ୍ମ ଅନୁସାରେ । ସ୍ୱଭାବ ଆଚାର ବେଭାରେ ॥ ୩୬

ଉତ୍ତମ ସଙ୍ଗେ ସଙ୍ଗ ଯା'ର । ସେ କରେ ଉତ୍ତମ ବେଭାର ॥ ୩୭

ହୀନ ସଙ୍ଗତେ ହୀନ‌ଗତି । ହସି କ‌ହ‌ନ୍ତି ଯଦୁପ‌ତି ॥ ୩୮

ଉଦ୍ଧବ ଏକମନେ ଶୁଣ । ବ୍ରାହ୍ମଣ ଆଦି ଯେ ଲକ୍ଷଣ ॥ ୩୯

ତପ ଶଉଚ ଶମ ଦମ । ମୋର ଭକ‌ତି ଅନୁପଦ ॥ ୪୦

ସ‌ତ୍ୟ ସନ୍ତୋଷ କ୍ଷମା ଦୟା । ଆର୍ଜବ ହୃଦୟ ନିର୍ମାୟା ॥ ୪୧

ଏ ସର୍ବ ବ୍ରାହ୍ମଣ ଲକ୍ଷଣ । କ୍ଷତ୍ରିୟ ଧର୍ମ ଏବେ ଶୁଣ ॥ ୪୨

ତେଜ ଶଉଚ ବଳ ଶୌର୍ଯ୍ୟ । ତିତିକ୍ଷା ଉଦ୍ୟମ ଔଦାର୍ଯ୍ୟ ॥ ୪୩

ବିପ୍ର ଭକ‌ତି ଧୃତିମନ୍ତ । ବିକ୍ରମ ଅଇଶର୍ଯ୍ୟ ଯୁକ୍ତ ॥ ୪୪

ଦାନ ଅର୍ଜନେ ତ‌ତପର । ରଣେ ହୋଇବ ଆଗୁସାର ॥ ୪୫

କ୍ଷତ୍ରିୟ ଲ‌‌କ୍ଷଣ ଏ ଜାଣ । ଅପରେ ବୈଶ୍ୟଗୁଣ ଶୁଣ ॥ ୪୬

ବିପ୍ରପୋଷଣ ଦାନ‌ଯୁକ୍ତ । ଦମ୍ଭ ବର୍ଜିତ କୃଷିରତ ॥ ୪୭

କ୍ରୟ ବିକ୍ରୟ ସାଧୁମତେ । ଧନସଞ୍ଚୟ ଧର୍ମ‌ଯୁକ୍ତେ ॥ ୪୮

ବୈଶ୍ୟର କୁଳଧର୍ମ ଏହି । ଏବେ ହୋ ଶୂଦ୍ରଧର୍ମ କ‌ହି ॥ ୪୯

ବ୍ରହ୍ମ କ୍ଷତ୍ରିୟ ବୈଶ୍ୟଗଣେ । ସେବା କରିବ ଅନୁକ୍ଷଣେ ॥ ୫୦

ସକଳ ଜୀବେ ଥିବ ଦୟା । କେବେହେଁ ନ କରିବ ମାୟା ॥ ୫୧

ଶୂଦ୍ରଜନର ଏ ବେଭାର । ଶୁଣ ହୀ‌‌ନ‌ଜନ ଆଚାର ॥ ୫୨

ଅସ‌ତ୍ୟ ବାକ୍ୟ ନିଷ୍ଠାହୀନ । ନାସ୍ତିକ କ୍ରୋଧ ହତଜ୍ଞାନ ॥ ୫୩

ବିରୋଧ ବାଦ କୁବ‌ଚନ । କନ୍ଦଳ ଆଚାର ଲଂଘନ ॥ ୫୪

ପରହିଂସନ ପରବାଦ । ପର ରମଣୀ ଧନେ ସଧ ॥ ୫୫

ନୀଚଜନଙ୍କ ଏ ସ୍ୱଭାବ । ସାମାନ୍ୟ ଶୁଣ ହେ ଉଦ୍ଧବ ॥ ୫୬

ନ‌ଥିବ ହିଂସା ଚୋରି ଦମ୍ଭ । ଆବର କାମ କ୍ରୋଧ ଲୋଭ ॥ ୫୭

ସ‌ତ୍ୟବଚନ ପ୍ରିୟବାଣୀ । ଭୃତ୍ୟ ସୁହୃଦ ଯେତେ ପ୍ରାଣୀ ॥ ୫୮

ଏ ସର୍ବଲୋକେ ସାଧାରଣ । ସ୍ୱଧର୍ମ ସ୍ୱଭାବ ପ୍ରମାଣ ॥ ୫୯

ବ୍ରାହ୍ମଣ ଆଦି ଯଥାକ୍ରମେ । ଯେ ଥିବେ ଯେମନ୍ତ ଆଶ୍ରମେ ॥ ୬୦

ବ୍ରାହ୍ମଣ ଆଶ୍ରମ ବ୍ୟବସ୍ଥା । ଶୁଣ ଉଦ୍ଧବ ସାଧୁକ‌ଥା ॥ ୬୧

ବ୍ରାହ୍ମଣ କୁଳେ ଜନ୍ମ ହୋଇ । ବେଦପଠନେ ଦୀକ୍ଷା ବ‌ହି ॥ ୬୨

ଗାୟତ୍ରୀମ‌ନ୍ତ୍ର ଗୁରୁମୁଖେ । ଜାଣି ସେବିବ ଗୁରୁପାଖେ ॥ ୬୩

ବେଦପଠନ ଦିନେଦିନେ । କରିବ ଗୁରୁ ସନ୍ନିଧାନେ ॥ ୬୪

ତ୍ରିସଂଧ୍ୟା ସ୍ନାନ ହୋମ କରି । ତ୍ରିଦଣ୍ତ କମଣ୍ତଳୁ ଧରି ॥ ୬୫

କନ୍ଧେ କୃଷ୍ଣାଜିନ ମେଖଳା । ଅରୁଣ ବାସ ଅକ୍ଷମାଳା ॥ ୬୬

ମନ୍ତ୍ର ଜପନ ପୂଜା ହୋମ । ମାର୍ଜନ ଭୋଜନ ନିୟମ ॥ ୬୭

ଏ ଆଦି କର୍ମ ବ୍ରହ୍ମଚାରୀ । କରିବ ମଉନ ଆଚରି ॥ ୬୮

କର ଚରଣ ‌ନଖ ଯେତେ । ଯେ ଲୋମ କକ୍ଷ ଲିଙ୍ଗ‌ଗାତ୍ରେ ॥ ୬୯

ଦୀକ୍ଷା ସମ୍ପୂର୍ଣ୍ଣ ଯାଏ ଧରି । କେବେହେଁ ବ୍ୟପନ ନ କରି ॥ ୭୦

ନିରତେ ଥିବ ଯେ ସଂଯତେ । ବୀର୍ଯ୍ୟ ନ ଦେବ ଯୋନିପ‌ଥେ ॥ ୭୧

ଯଦ୍ୟପି ନିଦ୍ରାଗତ କାଳେ । ସ୍ୱପ୍ନ ଗୋଚରେ ବୀର୍ଯ୍ୟ ଟଳେ ॥ ୭୨

ବେଗେ ପ୍ରଭାତୁ ସ୍ନାନ କରି । ହୃଦୟେ ଗାୟତ୍ରୀ ସୁମରି ॥ ୭୩

ଜପ କରିବ ହସ୍ତରେଖେ । ଉଭାବି ରବି ଅଭିମୁଖେ ॥ ୭୪

ଗୁରୁଚରଣେ ନମସ୍କାର । ଯତ୍ନେ କରିବ ସ‌ପ୍ତବାର ॥ ୭୫

ଗୋରୁ ବ୍ରାହ୍ମଣ ବୃଦ୍ଧପାଦେ । ବନ୍ଦନ କରିବ ଆନ‌ନ୍ଦେ ॥ ୭୬

ତ୍ରିସନ୍ଧ୍ୟା ସେବିବ ସ୍ନାହାନେ । ଗାୟତ୍ରୀ ଜପିବ ମଉନେ ॥ ୭୭

ସାକ୍ଷାତେ ଗୁରୁ ଯେ ଈଶ୍ୱର । ଗୁରୁଙ୍କୁ ନ ମଣିବ ନର ॥ ୭୮

ଗୁରୁଟି ସର୍ବ ଦେବମୟେ । ମୁହିଁ ବସଇ ଗୁରୁଦେହେ ॥ ୭୯

ଏ ଘେନି ଗୁରୁ ଭଗବାନ । ସେ ନୋହେ ମନୁଷ୍ୟ ସମାନ ॥ ୮୦

ସ୍ୱଧର୍ମେ ନିରତେ ପ୍ରଭାତେ । ଭିକ୍ଷା ମାଗିବ ନିତ୍ୟେ ନିତ୍ୟେ ॥ ୮୧

ଗୁରୁ ସମୀପେ ତାହା ନେଇ । ଥୋଇବ ଶିରେ କର ଦେଇ ॥ ୮୨

ପ୍ରସନ୍ନେ ଗୁରୁ ଦେବେ ଯେତେ । ତାହା ଭୁଞ୍ଜିବ ତୋଷଚିତ୍ତେ ॥ ୮୩

ଗୁରୁ ସେବନ ଅବଧାନେ । ରଜନୀ ବଂଚିବ ମଉନେ ॥ ୮୪

ଗୁରୁ ସମୀପେ ଭୃତ୍ୟ ପ୍ରାୟେ । ପ୍ରଥମେ ଥିବ ଉଭା ପାୟେ ॥ ୮୫

ଗୁରୁ ପ୍ରସନ୍ନେ ଆଜ୍ଞା ପାଇ । ବସିବ ଗୁରୁମୁଖ ଚାହିଁ ॥ ୮୬

ସଭୟେ ସମୀପେ ବସିବ । ଚରଣ ଅଗ୍ର ନ ଦିଶିବ ॥ ୮୭

ଅଳପ ଦୂରେ ଉଭା ହୋଇ । କର ଯୁଗଳ ଶିରେ ଦେଇ ॥ ୮୮

ନିତ୍ୟେ ନମିବ ଗୁରୁପାଦେ । ବେଦପଠନ ଅନୁବାଦେ ॥ ୮୯

ଏ ରୂପେ ଗୁରୁସେବା କରି । ଦିନ ବଞ୍ଚିବ ବ୍ରହ୍ମଚାରୀ ॥ ୯୦

ଏ ଦେହସୁଖ ଦିନେ ଦିନେ । କେବେହେଁ ନ ଚିନ୍ତିବ ମନେ ॥ ୯୧

ଯାବତ ବିଦ୍ୟାପୂର୍ଣ୍ଣ ନୋହେ । ତାବତ ଗୁରୁଦୀକ୍ଷା ବ‌ହେ ॥ ୯୨

ମନ ବଚନ ନିଜ ଦେହେ । ନିତ୍ୟେ ସେବିବ ଗୁରୁପ୍ରାୟେ ॥ ୯୩

ମୋତେ ପୂଜିବ ଗୁରୁଦେହେ । ମୋ' ତ‌ହୁଁ ଗୁରୁ ଭିନ୍ନ ନୋହେ ॥ ୯୪

ଯଦି ସେ ବ୍ରହ୍ମଚାରୀ ଜନ । ବ୍ରହ୍ମଲୋକ‌କୁ ଥିବ ମନ ॥ ୯୫

ଗୁରୁଙ୍କ ଦେହ ସମର୍ପଣ । କରି ଶୁଝିବ ଗୁରୁଋଣ ॥ ୯୬

ଅଗ୍ନିରେ ଗୁରୁରେ ଆତ୍ମାରେ । ମୁଁ ଅଛି ସକଳ ଭୂତରେ ॥ ୯୭

ମୋତେ କରିବ ଉପାସନ । ବୁଦ୍ଧି ନ କରି ଭିନ୍ନାଭିନ୍ନ ॥ ୯୮

ନିତ୍ୟେ ସଂଯତ ବ୍ରହ୍ମଚାରୀ । ନୟନେ ନ ଦେଖିବ ନାରୀ ॥ ୯୯

ସ୍ତ୍ରୀସଙ୍ଗୀ ସଙ୍ଗେ ସମ୍ଭାଷଣ । କେବେହେଁ ନୋହିବଟି ପୁଣ ॥ ୧୦୦

ତମ ରାଜସ ପ୍ରାଣି ଯେତେ । ସଙ୍ଗ ନୋହିବ କଦାଚିତେ ॥ ୧୦୧

ଯେଣୁ ଏ ଦୁଷ୍ଟଗଣ ସଙ୍ଗ । କ‌ରଇ ନିଜଧର୍ମ ଭଙ୍ଗ ॥ ୧୦୨

ଶଉଚ ସ୍ନାନ ଆଚମନ । ତ୍ରିକାଳ ସନ୍ଧ୍ୟା ଉପାସନ ॥ ୧୦୩

ତୀର୍ଥଗମନ ଜପ ହୋମ । ଶ୍ରବଣ କୀର୍ତ୍ତନ ମୋ' ନାମ ॥ ୧୦୪

ମୋ'ର ଚରଣ ସେବା ଯେତେ । ସଂଯତେ କରିବ ନିରତେ ॥ ୧୦୫

ଅସାଧୁ ସଙ୍ଗେ ସମ୍ଭାଷଣ । ଯେ ଅବା ଅଭକ୍ଷ୍ୟ ଭକ୍ଷଣ ॥ ୧୦୬

ଏ ଆଦି ଧର୍ମର ଲଂଘନେ । କେବେହେଁ ନ ଚିନ୍ତିବ ମନେ ॥ ୧୦୭

ସମାନ ଧର୍ମ ଆଚରଣ । ଏ ଆଦି ଆଶ୍ରମ ଲକ୍ଷଣ ॥ ୧୦୮

ସଂଯମେ ମନ‌ବାକ୍ୟ ଧରି । ଏତେ ଲକ୍ଷଣେ ବ୍ରହ୍ମଚାରୀ ॥ ୧୦୯

ମୋର ଚରଣ ସେବାକରି । ସକଳ ବର୍ଣ୍ଣେ ଅଧିକାରୀ ॥ ୧୧୦

ଏ ରୂପେ ବ୍ରାହ୍ମଣର ସୁତ । ସାଧିବ ବ୍ରହ୍ମଚାରୀ ବ୍ରତ ॥ ୧୧୧

ଏମନ୍ତ ବ୍ରତେ ବ୍ରହ୍ମଚାରୀ । ବିରାଜେ ଅଗ୍ନିରୂପ ଧରି ॥ ୧୧୨

ମୋର ଭକ‌ତ ଏ ଶୟଳେ । ମୋ' ସେବା ତୀର୍ଥ ତପ‌ଫଳେ ॥ ୧୧୩

ତା'ର ଦୁରିତ ଯେତେ ଦେହେ । ମୋ'ନାମେ ଅଗ୍ନିକୁଣ୍ତେ ଦ‌ହେ ॥ ୧୧୪

ଏମନ୍ତ ବ୍ରତେ ବ୍ରହ୍ମଚାରୀ । ଯଦି ସକଳ ବେଦ ଧରି ॥ ୧୧୫

ତାତ ଜନନୀଙ୍କି ଜଣାଇ । ଦକ୍ଷିଣା ଗୁରୁପାଦେ ଦେଇ ॥ ୧୧୬

ଗୁରୁବଚନ ଶିରେ ଧରି । ବେଦ ଉତ୍ସର୍ଗେ ସ୍ନାନ କରି ॥ ୧୧୭

ଛାଡ଼ିବ ବ୍ରହ୍ମଚାରୀ ବେଶ । ବନେ ବା ଭୁବନେ ପ୍ରବେଶ ॥ ୧୧୮

ଏମନ୍ତେ ନିଜଭାବେ ଥିବ । ଯେ ପୂର୍ବ ଆଶ୍ରମ ସ୍ୱଭାବ ॥ ୧୧୯

ଅନ୍ୟ ଆଶ୍ରମ ଯେବେ ଭଜି । ପୂର୍ବ ଆଶ୍ରମ ତେବେ ତେଜି ॥ ୧୨୦

ଯେବେ ବ୍ରାହ୍ମଣ ବ୍ରହ୍ମଚାରୀ । ଗୃହ ଆଶ୍ରମେ ଚିତ୍ତ ଧରି ॥ ୧୨୧

ବିଚାରି କନ୍ୟା କୁଳବତୀ । ରୂପ ଲକ୍ଷଣ ତାର ଚିନ୍ତି ॥ ୧୨୨

ବୟଃ ଆକୃତି ପରିମାଣି । କନ୍ୟା ବରିବ ସୁଲକ୍ଷଣୀ ॥ ୧୨୩

ବିବାହ କରି ଶୁଭଲଗ୍ନେ । ଯେ ବେଦ ବିଧାନ ପ୍ରମାଣେ ॥ ୧୨୪

ସୁଖେ ସାଧିବ ଗୃହବାସେ । କାମ କାଞ୍ଚନ ପୁତ୍ର ଆଶେ ॥ ୧୨୫

ଯେ ଧର୍ମ ଗୃହସ୍ଥ କାରଣ । ଉଦ୍ଧବ ସାବଧାନେ ଶୁଣ ॥ ୧୨୬

ବ୍ରାହ୍ମଣ କୁଳଧର୍ମ ଯେତେ । ଶୁଣ କ‌ହିବା ତୋ ଅଗ୍ରତେ ॥ ୧୨୭

ବେଦାଧ୍ୟୟନ ଅଧ୍ୟାପନ । ଗ୍ରହଣ ଯଜନ ଯାଜନ ॥ ୧୨୮

ଦାନ ହିଁ ଦେଉଥିବ ନିତ୍ୟେ । ଲୋଭ ନ କରି ଶୁଦ୍ଧଚିତ୍ତେ ॥ ୧୨୯

ଗୃହେ ହୋଇବ ସର୍ବସ‌ହ । ଯେ ନୀଚକର୍ମ ପ୍ରତିଗ୍ରହ ॥ ୧୩୦

କେବେହେଁ ନ ଘେନିବ କର । ନାଶଇ ଇ‌ହ ପରକାଳ ॥ ୧୩୧

ଯେ ଅବା ଦୁଷ୍ଟ ପ୍ରତିଗ୍ରହ । ଉଭୟ ଲୋକେ ଦୁଃଖମୟ ॥ ୧୩୨

ଯେ ପ୍ରତିଗ୍ରହ ଭୟଙ୍କର । ଯଶ ତପସ୍ୟା ତେଜ‌ହର ॥ ୧୩୩

ସେ ପ୍ରତିଗ୍ରହ ନ କରିବ । ଦୁଃଖେ ବା କୁଟୁମ୍ବ ପୋଷିବ ॥ ୧୩୪

ନିତ୍ୟେ ଯାଜନ ଅଧ୍ୟାପନେ । ବଞ୍ଚିବ କିଞ୍ଚିତ ଭୋଜନେ ॥ ୧୩୫

ଯେ ଧର୍ମକର୍ମ ବିପରୀତେ । କେବେହେଁ ନ କଳ୍ପିବ ଚିତ୍ତେ ॥ ୧୩୬

ଚିତ୍ତ ସନ୍ତୋଷ ଯଥାଲାଭେ । ନିତ୍ୟେ ବଂଚିବ ମୋର ଭାବେ ॥ ୧୩୭

ଯେ ବିପ୍ର ହରି ପରାୟଣେ । ଗୃହେ ବସଇ ସାଧୁପଣେ ॥ ୧୩୮

ନିତ୍ୟେ କରଇ ମୋତେ ଧ୍ୟାନ । ସେ ନୋହେ ନରକେ ପ‌ତନ ॥ ୧୩୯

ସେ ଗୃହ ଅନ୍ଧକୂପୂଁ ତରେ । ଆତ୍ମାକୁ ଆପଣେ ନିସ୍ତାରେ ॥ ୧୪୦

ଯେ ଅବା ପୂର୍ବକର୍ମ ଦୋଷେ । ଦୁଃଖୀ ଦରିଦ୍ର ଗୃହବାସେ ॥ ୧୪୧

ମୋହରେ ପରାୟଣ ହୋଇ । ଯେ ବିପ୍ର ଦୁଃଖେ ଶୀର୍ଣ୍ଣ ହୋଇ ॥ ୧୪୨

ଏମ‌ନ୍ତ ବିପ୍ରଦୁଃଖ ଚାହିଁ । ଯେ ଅବା ଚିତ୍ତେ ଦୟାବ‌ହି ॥ ୧୪୩

ବିପ୍ରପୋଷଣ କରେ ନିତ୍ୟେ । ମୁଁ ଥାଇଁ ତାହାର ଅଗ୍ରତେ ॥ ୧୪୪

ବ୍ରାହ୍ମଣମୁଖେ ମୋ' ଆହାର । ବିପଦ ଖଣ୍ତଇ ତାହାର ॥ ୧୪୫

ସମୁଦ୍ର ମଧ୍ୟେ ନାବ ଯେହ୍ନେ । ପ୍ରାଣୀଙ୍କି ତାରଇ ଯେସନେ ॥ ୧୪୬

ପିତାର ପ୍ରାୟେ ହୋଇ ରାଜା । ବିପଦ ମଧ୍ୟୁ ସର୍ବପ୍ରଜା ॥ ୧୪୭

ଜନଙ୍କୁ କରିବ ଉଦ୍ଧାର । ଯେଣୁ ବୋଲାଏ ନରେଶ୍ୱର ॥ ୧୪୮

ଆପଣା ଆତ୍ମାକୁ ଆପଣେ । ଉଦ୍ଧାର କରେ ସ‌ତ୍ତ୍ୱଗୁଣେ ॥ ୧୪୯

ଯେସନେ ଗଜର ବିପ‌ତ୍ତି । ଦେଖି ଉଦ୍ଧରେ ଗଜପ‌ତି ॥ ୧୫୦

ଯେ ରାଜା ଏମନ୍ତ ପ୍ରକାର । ଅଶୁଭ ନାଶେ ଆପଣାର ॥ ୧୫୧

ସୂର୍ଯ୍ୟସମାନ ତେଜ ରାଶି । ଏମନ୍ତ ବିମାନରେ ବସି ॥ ୧୫୨

ହରଷ ହୋଇ ନିରନ୍ତରେ । ରହଇ ଇନ୍ଦ୍ରର ସଙ୍ଗରେ ॥ ୧୫୩

ଏମନ୍ତେ ବ୍ରାହ୍ମଣ ବଞ୍ଚିବ । ଯଦ୍ୟପି ବିପଦ ପଡ଼ିବ ॥ ୧୫୪

ତେବେ ବଞ୍ଚିବ ବୈଶ୍ୟମତେ । କୃଷି ବାଣିଜ୍ୟ ବେନିପ‌ଥେ ॥ ୧୫୫

ଅଥବା ଶସ୍ତ୍ର ଧରି କରେ । ବଞ୍ଚିବ ପଦାତି ପ୍ରକାରେ ॥ ୧୫୬

ହିଂସା ନ ବ‌ହି ହୃଦୟରେ । ବିଅର୍ଥେ ନ ନାଶିବ ପରେ ॥ ୧୫୭

କ୍ଷତ୍ରିୟବୃତ୍ତି କରି ଅବା । କେବେହେଁ ନ କରିବ ସେବା ॥ ୧୫୮

ଏମନ୍ତେ ବିପଦ ବଞ୍ଚିବ । ଶୁଭେ ଯେ ନିଜଧର୍ମେ ଥିବ ॥ ୧୫୯

ବିପଦେ ବୈଶ୍ୟବୃତ୍ତି ଧରି । କ୍ଷତ୍ରିୟ କୁଟୁମ୍ବ ଆବୋରି ॥ ୧୬୦

ବଞ୍ଚିବ ଅବା ମୃଗୟାରେ । ନୋହିଲେ ବ୍ରାହ୍ମଣ ବୃତ୍ତିରେ ॥ ୧୬୧

ଆପଦୁଁ ତରି କାଳକ୍ରମେ । କ୍ଷତ୍ରିୟ ଥିବ ନିଜଧର୍ମେ ॥ ୧୬୨

ଏମନ୍ତେ ବିପଦୁଁ ବଞ୍ଚିବ । ନୀଚକୁ ସେବା ନ କରିବ ॥ ୧୬୩

ବିପଦେ ବୈଶ୍ୟ ଶୂଦ୍ରପ୍ରାୟେ । କୁଟୁମ୍ବ ତାରିବ ଉପାୟେ ॥ ୧୬୪

ବିପଦେ ଶୂଦ୍ର ତା'ର କର୍ମେ । ବଞ୍ଚିବ ନିଜଗୁଣ ଧର୍ମେ ॥ ୧୬୫

ଏମନ୍ତେ ବର୍ଣ୍ଣ-ଧର୍ମ-ପ‌ଥେ । କ‌ହିଲି ତୋହର ଅଗ୍ରତେ ॥ ୧୬୬

ଅବଶ୍ୟ କର୍ତ୍ତବ୍ୟ ଏ ଜାଣ । ଗୃହରେ ପଞ୍ଚ‌ଯଜ୍ଞ ପୁଣ ॥ ୧୬୭

କରିବ ବେଦ ଅଧ୍ୟୟନ । ସ୍ୱଧା ଯେ ସ୍ୱାହା ବଳି ଅନ୍ନ ॥ ୧୬୮

ଏ ଆଦି ପଞ୍ଚମ ପ୍ରକାରେ । ଯଥା ବିଭବ ଅନୁସାରେ ॥ ୧୬୯

ଦେବତା ଋଷି ପିତୃଭୂତ । ଅତିଥିମାନଙ୍କୁ ଉଚିତ ॥ ୧୭୦

ପୂଜା କରିବ ପ୍ରତିଦିନ । ମୋ' ରୂପ ଅଟନ୍ତି ଏମାନେ ॥ ୧୭୧

ଧର୍ମେ ଯେ ଧନ ଅରଜିବ । ଯେ ଅବା ହେଳେ ମିଳିଯିବ ॥ ୧୭୨

ତ‌ହିଁରେ ଯଜ୍ଞ ଆଚରିବ । ଭୃତ୍ୟଙ୍କୁ ପୀଡ଼ା ନ କରିବ ॥ ୧୭୩

ଏ ଭାବେ ଗୃହଧର୍ମ ମତ । ଚିତ୍ତ ନ କରି ମୋହଗ୍ରସ୍ଥ ॥ ୧୭୪

ଗୃହରେ ବିପଦ-ସମ୍ପଦେ । କୁଳ-କାଞ୍ଚନ-ବନ୍ଧୁ-ମଦେ ॥ ୧୭୫

ମୋହେ ନୋହିବ ମନ ଛନ୍ନ । ଏ ସର୍ବ ନଶ୍ୱର ସମାନ ॥ ୧୭୬

ଭାବେ ଜାଣିବ ଶୁଣି ଦେଖି । ଇଚ୍ଛାଏ ସକଳ ଉପେକ୍ଷି ॥ ୧୭୭

ଏ ସୁତ-ଦାରା-ବନ୍ଧୁ ସଙ୍ଗ । ଯେସନେ ସମୁଦ୍ର ତରଙ୍ଗ ॥ ୧୭୮

ପ‌ଥିକ ଯେହ୍ନେ ବୃକ୍ଷତଳେ । ଶ୍ରମେ ମିଳନ୍ତି ଏକମେଳେ ॥ ୧୭୯

ଶ୍ରମ ସାରିଲେ ଯେଝାମତେ । ଚଳନ୍ତି ବୃକ୍ଷଥାଇ ପ‌ଥେ ॥ ୧୮୦

ଯେସନେ ପ୍ରାଣୀ ନିଦ୍ରାଗତେ । ସମ୍ପଦ ଦେଖେ ସ୍ୱପ୍ନମତେ ॥ ୧୮୧

ଏହି ପ୍ରକାରେ ଗୃହବାସ । ଏଣେ ନ କରିବ ବିଶ୍ୱାସ ॥ ୧୮୨

ଏହା ତୁ ବୁଝି ଯଦୁବୀର । ଚଞ୍ଚଳ ଚିତ୍ତ ସ୍ଥିର କର ॥ ୧୮୩

ଅନିତ୍ୟ ଅସ‌ତ୍ୟ ଶରୀର । ଅନ୍ତେ ଲଭଇ ତମଘୋର ॥ ୧୮୪

ଏଣୁ ଅତିଥି ପ୍ରାୟ ହୋଇ । ମୋର ଭକ‌ତ ଗୃହେ ଥାଇ ॥ ୧୮୫

ପୁତ୍ର କଳତ୍ର ବନ୍ଧୁ ଶିରୀ । ନ ବୋଲେ ମୋହରି ମୋହରି ॥ ୧୮୬

ଦଇବ ମାୟା ଏ ସଂସାର । ଏଣେ ନ କର ଅହ‌ଙ୍କାର ॥ ୧୮୭

ଏ ଭାବେ ଥାଏ ଯେଉଁଜନ । ସେ ନୋହେ ଗୃହରେ ବନ୍ଧନ ॥ ୧୮୮

ଏମ‌ନ୍ତେ ଗୃହ-ଅବଧାନେ । ଧର୍ମ ସାଧିବ ଯଜ୍ଞଦାନେ ॥ ୧୮୯

ମୋର ଭକ‌ତି ଦିନେଦିନେ । ସାଧିବ ହୃଦୟ ଯତନେ ॥ ୧୯୦

ଗୃହସ୍ଥଭାବେ ଏହିମତେ । ଭାବେ ବଞ୍ଚିବ ଦିନାକେତେ ॥ ୧୯୧

ବୟସ-ତୃତୀୟ ପ୍ରାପ‌ତେ । ବନେ ଚଳିବ ତପଅର୍ଥେ ॥ ୧୯୨

ପ‌ତ୍ନୀ ନିବେଶି ପୁତ୍ରପାଶେ । ଅଥବା ଚଳିବ ସନ୍ନ୍ୟାସେ ॥ ୧୯୩

ପୁତ୍ର ନ ଥିଲେ ଘେନି ସଙ୍ଗେ । ନିଜ ଆୟୁଷ ବେନିଭାଗେ ॥ ୧୯୪

ଧର୍ମ କରଣେ କର୍ମ ଯେତେ । ବନେ ସାଧିବ ଯେଝାମତେ ॥ ୧୯୫

ଗୃହ ନିର୍ବନ୍ଧ ଯାର ମନେ । ଆକୁଳ ସୁତ-ଦାରା-ଧନେ ॥ ୧୯୬

ମୂଢ଼ କୃପଣ ସ୍ତିରୀଯୁତ । ମୁହିଁ ମୋହର ଏ ସମସ୍ତ ॥ ୧୯୭

ଏଣୁ ବଞ୍ଚଇ ଗୃହବାସେ । ଅଶାନ୍ତ ଇନ୍ଦ୍ରିୟ ଲାଳସେ ॥ ୧୯୮

କୁଟୁମ୍ବ-ନିସ୍ତାରଣ ଆଶେ । ଭାଳଇ ରଜନୀ ଦିବସେ ॥ ୧୯୯

ବୃଦ୍ଧ ଜନ‌ନୀ ତାତ ମୋର । ବନିତା ବାଳକ କୁମର ॥ ୨୦୦

କି ରୂପେ ନିସ୍ତାରିବି ମୁହିଁ । ଏଣେ ଆକୁଳ ମନ ହୋଇ ॥ ୨୦୧

କ୍ଷଣେ ନ ପାରେ ଗୃହ ଛାଡ଼ି । ନିରତେ ଚିନ୍ତା ଚିତ୍ତେ ଜଡ଼ି ॥ ୨୦୨

ଦାରା ତନୟ ନିତ୍ୟେ ଚିନ୍ତି । ଗୃହେ ମଜ୍ଜଇ ମୂଢ଼ମତି ॥ ୨୦୩

ଅନ୍ତେ ପଡ଼ଇ ତମ ଘୋରେ । ଭ୍ରମଇଁ ଏ ଘୋର ସଂସାରେ ॥ ୨୦୪

ଗୃହ କରଣ ବର୍ଣ୍ଣଭାବ । ଊଦ୍ଧବ କ‌ହିଲେ ମାଧବ ॥ ୨୦୫

ସେ ଗୁରୁଶିଷ୍ୟ ପାଦଗତ । ନମଇଁ ଦାସ ଜଗନ୍ନାଥ ॥ ୨୦୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଅଷ୍ଟାଦଶୋଦ୍ଧଧ୍ୟାୟଃ ॥

* * *