ଏକାଦଶ ସ୍କନ୍ଧ

ସପ୍ତଦଶ ଅଧ୍ୟାୟ

ଉଦ୍ଧବ କୃଷ୍ଣବିଦ୍ୟମାନେ । ବୋଲଇ ବିନୟ ବଚନେ ॥

ଉଦ୍ଧବ ଉବାଚ

ଭୋ ନାଥ ପ୍ରଭୁ ଭଗବାନ । ତୁମ୍ଭେ ଅନାଦି ନିରଞ୍ଜନ ॥

ପରମ‌ବ୍ରହ୍ମ ତୋ' ମହିମା । କେ ଜାଣିପାରେ ଗୁଣସୀମା ॥

ବିଶ୍ୱ ଉତ୍ପ‌ତ୍ତି ସ୍ଥିତି ନାଶ । ତୋହର ଚରଣୁଁ ପ୍ରକାଶ ॥

ସକଳଭୂତେ ତୋ'ର ସ୍ଥିତି । ତୁ ନାଥ ତ୍ରିଭୁବନପ‌ତି ॥

ଭକ‌ତି କରି ତୋ' ଚରଣେ । ସଂସାରେ ମହ‌ଋଷିଗଣେ ॥

ତୋ' ପାଦପଦ୍ମ ଯେତେ ସ୍ଥାନେ । ଭଜନ୍ତି ଭକ୍ତି ଅନୁମାନେ ॥

ସେ କ‌ଥା କ‌ହ ଭଗବାନ । ସଂଶୟ କର ମୋ' ଛେଦନ ॥

ତୁ ଆତ୍ମା ସର୍ବଭୂତେ ପୂରି । ବସୁ ଗୁପ‌ତରୂପ ଧରି ॥

ସକଳ ଦେଖୁ ତୁ ନୟନେ । ତୋତେ ନ ଦେଖେ କେହି ଜଣୋ ॥ ୧୦

ଭଗବାନ ଉବାଚ

ବୋଲନ୍ତି କମଳାର ବର । ଶୁଣ ହେ ଭକ‌ତଶେଖର ॥ ୧୧

କୁରୁପାଣ୍ତବେ ମହାଘୋର । ଯେ କାଳେ ହୋଇଲା ସମର ॥ ୧୨

ଉଭୟ ବଳ ମଧ୍ୟେ ମୁହିଁ । ସ୍ଥାପିଲି ନନ୍ଦିଘୋଷ ନେଇ ॥ ୧୩

ଅର୍ଜୁନ ବନ୍ଧୁବର୍ଗ ଦେଖି । ବସିଲା ସମର ଉପେକ୍ଷି ॥ ୧୪

ମୁଁ ତେବେ ଅର୍ଜୁନେ ବୁଝାଇ । ଅନେକ ଉପଦେଶ ଦେଇ ॥ ୧୫

ଜ୍ଞାନେ ମୋହିଲି ତା'ର ମନ । ମୋତେ ପଚାରିଲା ଅର୍ଜୁନ ॥ ୧୬

ତିନି ଭୁବନେ ମୋ' ବିଭୂତି । ଯହିଁ ବା ଯେଉଁରୂପେ ସ୍ଥିତି ॥ ୧୭

ମୋର ବିଭୂତି ରଣମଧ୍ୟେ । ପ୍ରଧାନେ କ‌ହିଲି ଆନନ୍ଦେ ॥ ୧୮

ଏବେ କ‌ହିବି ତୋତେ ମୁହିଁ । ଯହିଁ ଯେମନ୍ତ ରୂପେ ଥାଇ ॥ ୧୯

ତୋହର ମାୟାରେ ଜଗତ । ଅଜ୍ଞାନ ନିଦ୍ରାରେ ମୋହିତ ॥ ୨୦

ଏ ତିନିପୁରେ ତୋ' ବିଭୂତି । ଯହିଁ ବା ଯେଉଁରୂପେ ସ୍ଥିତି ॥ ୨୧

ଭକ‌ତି କରି ତୋ' ଚରଣେ । ସଂସାରୁ ତରିଗଲେ ଜନେ ॥ ୨୨

ସକଳ କ‌ହ ନାଥ ମୋତେ । ନମଇଁ ତୋର ପାଦଗତେ ॥ ୨୩

ତୋ' ପାଦ ସର୍ବତୀର୍ଥ ସ୍ଥାନ । ନମଇଁ ପ୍ରଭୁ ଭଗବାନ ॥ ୨୪

ଏମନ୍ତ ଶୁଣି ବ୍ରହ୍ମରାଶି । ଉଦ୍ଧବମୁଖ ଚାହିଁ ହସି ॥ ୨୫

ସକଳଭୂତେ ବାସ ମୋର । ମୁଁ ଆତ୍ମା ସୁହୃଦ ଈଶ୍ୱର ॥ ୨୬

ସକ‌ଳ ଭୂତମୟ ବ୍ରହ୍ମ । ପ୍ରକୃତି ପୁରୁଷ ପରମ ॥ ୨୭

ମୋହର ତ‌ହୁଁ ସୃଷ୍ଟି ଜାତ । ମୁହିଁ ସେ ପାଳଇ ଜଗତ ॥ ୨୮

ମୁହିଁ ସଂସାର ଗତି ପ‌ତି । କାଳ ସଂହାରଣେ ଶକ‌ତି ॥ ୨୯

ମୁହିଁ ସେ ସ‌ତ୍ତ୍ୱ ରଜ ତମ । ପ୍ରକୃତି ପୁରୁଷ ଉତ୍ତମ ॥ ୩୦

ମୁହିଁ ମହତ ଅହ‌ଙ୍କାର । ସକ‌କ ଜୀବ ମୋକ୍ଷସାର ॥ ୩୧

ଦୁର୍ଜୟ ମଧ୍ୟେ ମନ ମୁହିଁ । ବେଦେ ହିରଣ୍ୟଗର୍ଭ ହୋଇ ॥ ୩୨

ସକଳ ମନ୍ତ୍ର ମଧ୍ୟେ ସାର । ତ୍ରିଧାମ ବ୍ରହ୍ମ ମୁଁ ଓଁକାର ॥ ୩୩

ଅକାର ଅକ୍ଷରଙ୍କ ମଧ୍ୟେ । ଗାୟତ୍ରୀଛନ୍ଦ ବେଦବାଦେ ॥ ୩୪

ଦେବଙ୍କ ମଧ୍ୟେ ଇନ୍ଦ୍ର ମୁହିଁ । ବସୁଙ୍କ ମଧ୍ୟେ ଅଗ୍ନି ହୋଇ ॥ ୩୫

ବିଷ୍ଣୁ ମୁଁ ଆଦିତ୍ୟ ମଧ୍ୟରେ । ନୀଳ‌ଲୋହିତ ରୁଦ୍ରଙ୍କରେ ॥ ୩୬

ବ୍ରହ୍ମ‌ଋଷିରେ ଭୃଗୁ ମୁହିଁ । ରାଜ‌ଋଷିରେ ମନୁ ହୋଇ ॥ ୩୭

ଅମର‌ଋଷିଙ୍କର ମଧ୍ୟେ । ମୁହିଁ ନାରଦ ବେଦବାଦେ ॥ ୩୮

ମୁଁ କାମଧେନୁ ଧେନୁମଧ୍ୟେ । ମୁହିଁ କପିଳ ସିଦ୍ଧବୃନ୍ଦେ ॥ ୩୯

ପକ୍ଷୀଙ୍କ ମଧ୍ୟେ ଖଗେଶ୍ୱର । ମୁଁ ଦକ୍ଷ‌ପ୍ରଜାପ‌ତି ସାର ॥ ୪୦

ପିତୃଗଣଙ୍କ ମଧ୍ୟେ ବର । ଅର୍ଯ୍ୟମା ନାମଟି ମୋହର ॥ ୪୧

ପ୍ରହ୍ଲାଦ ଦୈତ୍ୟମଧ୍ୟେ ମୁହିଁ । ମନୁଷ୍ୟେ ନୃପ‌ତି ବୋଲାଇ ॥ ୪୨

ଯକ୍ଷଙ୍କ ମଧ୍ୟେ ମୁଁ କୁବେର । ଅଇରାବତ ଗଜସାର ॥ ୪୩

ଜଳଚରଙ୍କ ମଧ୍ୟେ ଜାଣ । ଉଦ୍ଧବ ମୁହିଁଟି ବରୁଣ ॥ ୪୪

ତେଜସ୍ୱୀ ମଧ୍ୟେ ରବି ମୁହିଁ । ନକ୍ଷତ୍ର ମଧ୍ୟେ ଚନ୍ଦ୍ର ହୋଇ ॥ ୪୫

ଅଶ୍ୱଙ୍କ ମଧ୍ୟେ ମୁଁ ପ୍ରଧାନ । ମୋହର ଉଚ୍ଚୈଃଶ୍ରବା ନାମ ॥ ୪୬

ଧାତୁଙ୍କ ମଧ୍ୟେ ମୁଁ ସୁବର୍ଣ୍ଣ । ସଂଯମକର୍ତ୍ତା ମଧ୍ୟେ ଯମ ॥ ୪୭

ସର୍ପଙ୍କ ମଧ୍ୟେ ମୁଁ ବାସୁକି । ଅନ‌ନ୍ତ ନାଗ‌ଗଣେ ଲେଖି ॥ ୪୮

ମୃଗଙ୍କ ମଧ୍ୟେ ସିଂହ ମୁହିଁ । ଆଶ୍ରମେ ସନ୍ୟାସ ବୋଲାଇ ॥ ୪୯

ମୁଁ ବିପ୍ର ଚାରିବର୍ଣ୍ଣପ‌ତି । ତୀର୍ଥଙ୍କ ମଧ୍ୟେ ଭାଗୀରଥୀ ॥ ୫୦

ତଡ଼ାଗ ମଧ୍ୟେ ସିନ୍ଧୁ ମୁହିଁ । ଶସ୍ତ୍ରଙ୍କ ମଧ୍ୟେ ଧନୁ ହୋଇ ॥ ୫୧

ଧାନୁକୀ ମଧ୍ୟେ ମୁହିଁ ହର । ପର୍ବତେ ମେରୁ ମହୀଧର ॥ ୫୨

ଗ‌ହ‌ନ ମଧ୍ୟେ ହିମଗିରି । ବୃକ୍ଷେ ଅଶ୍ୱତ୍‌ଥ ରୂପ ଧରି ॥ ୫୩

ଶସ୍ୟଙ୍କ ମଧ୍ୟେ ଧାନ୍ୟ ମୁହିଁ । ଆଚାର୍ଯ୍ୟେ ବଶିଷ୍ଠ ବୋଲାଇ ॥ ୫୪

ମୁଁ ବୃହସ୍ପ‌ତି ବ୍ରହ୍ମ‌ବାଦେ । କୁମାର ଦେବସେନା ମଧ୍ୟେ ॥ ୫୫

ଅଗ୍ରଣୀମାନଙ୍କ ମଧ୍ୟରେ । ବ୍ରହ୍ମା ମୁଁ ବୋଲାଇ ବେଭାରେ ॥ ୫୬

ଯଜ୍ଞମାନଙ୍କ ମଧ୍ୟେ ପୁଣ । ମୁଁ ବ୍ରହ୍ମ‌ଯଜ୍ଞ ବୋଲି ଜାଣ ॥ ୫୭

ବ୍ରତମାନଙ୍କ ମଧ୍ୟେ ମୁହିଁ । ଅହିଂସା ବୋଲି ଜାଣ ତୁହି ॥ ୫୮

ପବନ ଅଗ୍ନି ଅର୍କ ଜଳ । ବଚନ ଆତ୍ମା ଯେ ନିର୍ମଳ ॥ ୫୯

କର‌ନ୍ତି ଯେତେ ମଧ୍ୟେ ଥାଇ । ସକଳେ ଶୁଚି ମୁଁ କରଇ ॥ ୬୦

ଯୋଗଙ୍କ ମଧ୍ୟେ ମୁଁ ସମାଧି । ଜିଣିବା ଲୋକେ ମନ୍ତ୍ରବିଧି ॥ ୬୧

କୁଶଳମାନଙ୍କରେ ମୁହିଁ । ଆତ୍ମା ବିବେକ ବିଦ୍ୟା ହୋଇ ॥ ୬୨

ମୁଁ ଶତରୂପା ନାରୀଙ୍କରେ । ମୁଁ ସ୍ୱାୟମ୍ଭୁବ ପୁରୁଷରେ ॥ ୬୩

ମୁନିଙ୍କ ମଧ୍ୟେ ସାଧୁଗୁଣ । ମୁହଁଟି ନରନାରାୟଣ ॥ ୬୪

ମୁଁ ପୁଣି ବ୍ରହ୍ମଚାରୀଙ୍କର । ମଧ୍ୟରେ ସନ‌ତ କୁମାର ॥ ୬୫

ଧର୍ମମାନଙ୍କ ମଧ୍ୟେ ପୁଣ । ସନ୍ୟାସଧର୍ମ ବୋଲି ଜାଣ ॥ ୬୬

ଅଭୟସ୍ଥାନ ମାନଙ୍କରେ । ଅନ୍ତର ନିଷ୍ଠା ମୁଁ ବେଭାରେ ॥ ୬୭

ମୁଁ ସ‌ତ୍ୟ ଗୁହ୍ୟଗୁଣ ମଧ୍ୟେ । ବତ୍ସର କାଳ ଯୁଗବାଦେ ॥ ୬୮

ଋତୁଙ୍କ ମଧ୍ୟେ ମୁଁ ବସନ୍ତ । ଅଗ୍ରହାୟଣ ମାସନାଥ ॥ ୬୯

ନକ୍ଷତ୍ର ମଧ୍ୟେ ଅଭିଜିତ । ଯୁଗଙ୍କ ମଧ୍ୟେ ଯୁଗସ‌ତ୍ୟ ॥ ୭୦

ଧୀରଙ୍କ ମଧ୍ୟେ ମୁଁ ଦେବଳ । ବ୍ୟାସେ ମୁଁ ସ‌ତ୍ୟବତୀବାଳ ॥ ୭୧

କବିଙ୍କ ମଧ୍ୟେ ଶୁକ୍ର ମୁହିଁ । ମୋ' ରୂପ ଭକ୍ତ ମଧ୍ୟେ ତୁହି ॥ ୭୨

ବାନର ମଧ୍ୟେ ହ‌ନୁମାନ । ମୁଁ ବିଦ୍ୟାଧରେ ସୁଦର୍ଶନ ॥ ୭୩

ସୁନ୍ଦର ମଧ୍ୟେ ପଦ୍ମକୋଷ । ମୁଁ ତୃଣମାନଙ୍କରେ କୁଶ ॥ ୭୪

ହବିଙ୍କ ମଧ୍ୟେ ଗବ୍ୟଘୃତ । ରତ୍ନେ ମୁଁ ପଦ୍ମରାଗ ଖ୍ୟାତ ॥ ୭୫

ବ୍ୟବସାୟୀଙ୍କ ଲକ୍ଷ୍ମୀ ମୁହିଁ । କପଟ ମଧ୍ୟେ ଦ୍ୟୂତ ହୋଇ ॥ ୭୬

ସ‌ତ୍ତ୍ୱ ମୁଁ ଜାଣ ସ‌ତ୍ତ୍ୱବନ୍ତେ । ଇନ୍ଦ୍ରିୟ ବଳ ବଳବନ୍ତେ ॥ ୭୭

ସେ ପୁଣି ଭାଗବତ ଜନ । ମୁଁ ତା'ଙ୍କ ଭକ୍ତିକର୍ମମାନ ॥ ୭୮

ବାସୁଦେବ ଯେ ସଙ୍କର୍ଷଣ । ପ୍ରଦ୍ୟୁମ୍ନ ଅନିରୁଦ୍ଧ ପୁଣ ॥ ୭୯

ନାରାୟଣ କୋଳ ନୃସିଂହ । ଯେ ହୟଗ୍ରୀବ ପିତାମହ ॥ ୮୦

ଏ ନ‌ବମୂର୍ତ୍ତି ଆଦିଦେବ । ମୁଁ ବାସୁଦେବ ହେ ଉଦ୍ଧବ ॥ ୮୧

ଗନ୍ଧର୍ବେ ବିଶ୍ୱାବସୁ ଖ୍ୟାତି । ଅପ୍‌ସରା ମଧ୍ୟେ ପୂର୍ବଚିତ୍ତି ॥ ୮୨

ପର୍ବତ ମଧ୍ୟେ ସ୍ଥିରଭାବ । ଭୂମିର ଗନ୍ଧ ମୁଁ ଉଦ୍ଧବ ॥ ୮୩

ପରମ ରସ ଭୂମିରସେ । ଶବଦ ସଂଗ୍ରହ ଆକାଶେ ॥ ୮୪

ପ୍ରଭା ମୁଁ ରବିଶଶାଙ୍କର । ତେଜସ୍ୱୀ ମଧ୍ୟେ ଦିବାକର ॥ ୮୫

ମୁଁ ଦାତା ବଳିନୃପମଣି । ଅର୍ଜୁନ ବୀରମଧ୍ୟେ ଗଣି ॥ ୮୬

ପ୍ରାଣୀମାନଙ୍କ ମୁଁ ନିଶ୍ଚୟ । ଉତ୍ପ‌ତ୍ତି ସ୍ଥିତି ଯେ ପ୍ରଳୟ ॥ ୮୭

ସର୍ବ ଇନ୍ଦ୍ରିୟମାନଙ୍କର । ମୁହିଁ ସେ ବିଷୟ ଗୋଚର ॥ ୮୮

ପୃଥିବୀ ପବନ ଆକାଶ । ସଲିଳ ଅନଳ ପ୍ରକାଶ ॥ ୮୯

ପ୍ରକୃତି ସ‌ତ୍ତ୍ୱ ରଜ ତମ । ବିକାର ମହତ ପରମ ॥ ୯୦

ମୁଁ ଗୁଣ ଗୁଣୀ ମୁହିଁ ଜୀବ । ନିର୍ଗୁଣେ ମୁହିଁ ସଦାଶିବ ॥ ୯୧

ମୁଁ ଆତ୍ମା ସର୍ବଜୀବ ଦେହୀ । ମୋ' ବିନୁ ସ୍ଥୂଳ ସୂକ୍ଷ୍ମ ନାହିଁ ॥ ୯୨

କେ ମୋତେ ତ୍ରିଭୁବନେ ଜାଣେ । କେ ଅବା ସୂକ୍ଷ୍ମରେଣୁ ଗଣେ ॥ ୯୩

ତେଜ ସମ୍ପଦ ଅଇଶ୍ୱର୍ଯ୍ୟ । ତିତିକ୍ଷା ଜ୍ଞାନ ଲାଜ ବୀର୍ଯ୍ୟ ॥ ୯୪

ଭାଗ୍ୟ ସୌଭାଗ ତ୍ୟାଗ ଯଶ । ଏ ସର୍ବ ଜାଣ ମୋ'ର ଅଂଶ ॥ ୯୫

ଯେଣୁ ତୁ ସାଧୁ ଶୁଦ୍ଧମତି । ତେଣୁ କ‌ହିଲି ମୋ' ବିଭୂତି ॥ ୯୬

ସଂସାରେ ଦେଖୁ ଯେତେ ଅଂଶ । ଏ ସର୍ବ ମନର ବିଳାସ ॥ ୯୭

ବିଜୁଳି ଗ‌ଗନେ ଯେସନ । ଶୟନେ ସ୍ୱପନ ତେସନ ॥ ୯୮

ଏବେ ତୁ ବୁଝି ମୋ' ବଚନ । ସାଧ ତୁ ଏ ମନ ପବନ ॥ ୯୯

ସର୍ବ ସଂକଳ୍ପ ଛାଡ଼ ତୁହି । ସକଳ କର୍ମ ମୋତେ ଦେଇ ॥ ୧୦୦

ଏକାନ୍ତେ ବୀର ଭଜ ମୋତେ । ସଂସାର ଚିନ୍ତା ଛାଡ଼ି ଚିତ୍ତେ ॥ ୧୦୧

ମୋର ବଚନେ ଅନୁସର । ଏ ଭବଜଳୁଁ ହୁଅ ପାର ॥ ୧୦୨

ହରି ଚରଣେ ଦେଇ ଚିତ୍ତ । କ‌ହଇ ଦାସ ଜଗନ୍ନାଥ ॥ ୧୦୩

ଉଦ୍ଧବ-କୃଷ୍ଣର ସମ୍ବାଦ । ସୁଜନ‌ଜନେ ସୁଖପ୍ରଦ ॥ ୧୦୪

ଏଣୁ ଯେ ଭଜେ କୃଷ୍ଣପାଦ । ସେ ତରେ ଏ ଘୋର ପ୍ରମାଦ ॥ ୧୦୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ସପ୍ତଦଶୋଦ୍ଧଧ୍ୟାୟଃ ॥

* * *