ଏକାଦଶ ସ୍କନ୍ଧ
ଷୋଡ଼ଶ ଅଧ୍ୟାୟ
ଭଗବାନ ଉବାଚ
ବୋଲନ୍ତି କମଳାରମଣ । ଉଦ୍ଧବ ସାବଧାନେ ଶୁଣ ॥ ୧
ଏ ଜ୍ଞାନଯୋଗ ଏହିମତେ । ଜ୍ଞାନୀ ସାଧନ୍ତି ଏ ଜଗତେ ॥ ୨
ଏ ପୁଣି ବହୁଦିନେ ସିଦ୍ଧି । ଯୋଗ ପ୍ରକାଶେ ନାନାବିଧି ॥ ୩
ଏଣୁ ଭକତ ଯୋଗୀଜନେ । ସାଧ୍ୟ କରନ୍ତି ଅଳ୍ପଦିନେ ॥ ୪
ନିକଟେ ଖଟେ ସର୍ବସିଦ୍ଧି । ଅଷ୍ଟାଙ୍ଗଯୋଗ ଏ ପ୍ରସିଦ୍ଧି ॥ ୫
ଏମନ୍ତ କୃଷ୍ଣମୁଖୁଁ ଶୁଣି । ଉଦ୍ଧବ ବୋଲେ ମଞ୍ଜୁବାଣୀ ॥ ୬
ଉଦ୍ଧବ ଉବାଚ
ଶୁଣ ହେ କମଳାର ବର । ଅଶେଷ ବ୍ରହ୍ମାଣ୍ତଠାକୁର ॥ ୭
କେଉଁ ଧାରଣା କେଉଁମତେ । ଜ୍ଞାନୀ ସାଧନ୍ତି ଏ ଜଗତେ ॥ ୮
ସିଦ୍ଧି ଲକ୍ଷଣ ଅବା କେତେ । ସର୍ବ ନିର୍ଣ୍ଣୟ କହ ମୋତେ ॥ ୯
ଏମନ୍ତ ଉଦ୍ଧବର ବାଣୀ । ଶୁଣି କହନ୍ତି ଚକ୍ରପାଣି ॥ ୧୦
ଭଗବାନ ଉବାଚ
ଉଦ୍ଧବ ସାବଧାନେ ଶୁଣ । କହିବା ଯୋଗସିଦ୍ଧିମାନ ॥ ୧୧
ସଂସାରେ ଅଷ୍ଟାଦଶ ସିଦ୍ଧି । ଜ୍ଞାନୀ ସାଧନ୍ତି ନାନାବିଧି ॥ ୧୨
ସିଦ୍ଧିଙ୍କ ମଧ୍ୟେ ଅଷ୍ଟସାର । ଯେଣୁ ମୁଁ ବୋଲାଇ ଈଶ୍ୱର ॥ ୧୩
ଅଣିମା ଆଦି ଅଷ୍ଟସିଦ୍ଧି । ମୁକ୍ତି ଲକ୍ଷଣ ଏ ପ୍ରସିଦ୍ଧି ॥ ୧୪
ଯେ ଦଶ ସିଦ୍ଧି ରହେ ଶେଷେ । ସ୍ୱଭାବେ ତିନିଗୁଣେ ମିଶେ ॥ ୧୫
ଅଣିମା ଲଘିମା ଏ ବେନି । ମହିମା ଘେନି ସିଦ୍ଧି ତିନି ॥ ୧୬
ଯୋଗୀଙ୍କ ଦେହେ ଥା'ନ୍ତି ନିତ୍ୟେ । ପ୍ରାପ୍ତି ରହଇ ଇନ୍ଦ୍ରିଯୁତେ ॥ ୧୭
ପ୍ରାକାମ୍ୟ ଶ୍ରୁତି ଦୃଷ୍ଟି ବସେ । ଈଷିତା ଶକ୍ତି ପରକାଶେ ॥ ୧୮
ବଶିତା ଶକ୍ତି ଯେ ବୋଲାଇ । ବିଷୟ ତା'କୁ ନ ଲାଗଇ ॥ ୧୯
ଅଷ୍ଟମ କାମବଶାୟିତା । ଯୋଗୀଙ୍କ ମନୋରଥ ଦାତା ॥ ୨୦
କ୍ଷୁଧା ପିପାସା ଜରା ମୁତ୍ୟୁ । ଲୋଭ ମୋହ ଏ ଷଡ଼ହେତୁ ॥ ୨୧
ଏ ଷଡ଼ଉର୍ମି ନିବାରଣ । ଅନୁ ବିଂସିଦ୍ଧି ଏ ଲକ୍ଷଣ ॥ ୨୨
ପ୍ରାଣୀଏ ଅତିଦୂରେ ଥାଇ । ନିନ୍ଦା ସ୍ତବନ ଯାହା କହି ॥ ୨୩
ସେ କଥା ଜାଣଇ ତକ୍ଷଣ । ଦୂରଶ୍ରବଣ ଏହା ନାମ ॥ ୨୪
ବିଶ୍ୱସଂସାର ଚରାଚର । ନିତ୍ୟେ ଯେ ଏହାର ଗୋଚର ॥ ୨୫
ଉଦ୍ଧବ ସାବଧାନେ ଶୁଣ । ଦୂରଦର୍ଶନ ଏ ଲକ୍ଷଣ ॥ ୨୬
ମନ ହୁଁ ବେଗ ଦେହ ଗତି । ଏ ସିଦ୍ଧି ମନୋଜବ ହୋନ୍ତି ॥ ୨୭
ଯେ କାମରୂପ ସିଦ୍ଧି କହି । କଳ୍ପିତେ ଦେହ ପ୍ରକାଶଇ ॥ ୨୮
ଚତୁରଦଶେ ସିଦ୍ଧି ଗୁଣ । ଯେ ପରକାୟପ୍ରବେଶନ ॥ ୨୯
ଇଚ୍ଛାମରଣ ଯେବେ ହୋଇ । ସ୍ୱଚ୍ଛନ୍ଦମୁତ୍ୟୁ ସିଦ୍ଧି ସେହି ॥ ୩୦
ଦେବଙ୍କ ସଙ୍ଗେ ବିହରଇ । ଅମରସିଦ୍ଧି ତାକୁ କହି ॥ ୩୧
ମନ କଳ୍ପିତେ ଫଳ ପାଇ । ସଙ୍କଳ୍ପସିଦ୍ଧି ସେ ବୋଲାଇ ॥ ୩୨
ଧ୍ୟାନ ଧାରଣା ଅବହେଳେ । ଯାହା କହନ୍ତି ଯୋଗବଳେ ॥ ୩୩
ଅନ୍ୟଥା ନୁହଁଇ ସେ ପୁଣ । ବଚନସିଦ୍ଧି ଏ ପ୍ରମାଣ ॥ ୩୪
ଏ ସିଦ୍ଧି ଅଷ୍ଟାଦଶ ଜାଣ । ସାମାନ୍ୟ ସିଦ୍ଧି ଏବେ ଶୁଣ ॥ ୩୫
ଭୂତ ଭବିଷ୍ୟ ବର୍ତ୍ତମାନେ । ଯୋଗୀ ଜାଣନ୍ତି ଯୋଗଧ୍ୟାନେ ॥ ୩୬
ଏ ସିଦ୍ଧି ତ୍ରିକାଳଜ୍ଞ ନାମ । ଆବର ସିଦ୍ଧି ଏବେ ଶୁଣ ॥ ୩୭
ଶୀତ ବରଷା ଘର୍ମ ବାତ । ଯହିଁରେ ନ କରଇ ଗ୍ରସ୍ତ ॥ ୩୮
ଯେଣେ ତ୍ରିବିଧ ତାପ ନାହିଁ । ଅଦ୍ୱନ୍ଦ୍ୱସିଦ୍ଧି ଏ ବୋଲାଇ ॥ ୩୯
ପ୍ରାଣୀଙ୍କ ଚିତ୍ତ ଯେବେ ଜାଣି । ଚିତ୍ତଜ୍ଞସିଦ୍ଧି ସେ ବଖାଣି ॥ ୪୦
ଅନଳ ତପନ ଜଳଧି । ଅପରେ ବିଷ ଶସ୍ତ୍ର ଆଦି ॥ ୪୧
ଏ ସର୍ବ ଯେଣେ ନ ବାଧଇ । ବିଷ୍ଟମ୍ୱସିଦ୍ଧି ତାକୁ କହି ॥ ୪୨
ପର ଅପର ରିପୁବଳେ । ଅଜେୟ ହୋଇ ସର୍ବକାଳୈ ॥ ୪୩
ଶୁଣ ଉଦ୍ଧବ ମନ ଦେଇ । ଅପରାଜେୟସିଦ୍ଧି ସେହି ॥ ୪୪
ସକଳ ସିଦ୍ଧି ତୋ' ଅଗ୍ରତେ । କହିଲି ଉପଦେଶ ମତେ ॥ ୪୫
ଯେଉଁ ଧାରଣେ ଯେଉଁ ସିଦ୍ଧି । ଶୁଣ କହିବା ଯଥାବିଧି ॥ ୪୬
ଯେ ଭୂତସୂକ୍ଷ୍ମେ ଦେଇ ମତି । ଧାରଣାଯୋଗେ ମୋତେ ଚିନ୍ତି ॥ ୪୭
ଏଣେ ସେ ସୂକ୍ଷ୍ମରୂପେ ରହି । ଅଣିମାସିଦ୍ଧିକି ଲଭଇ ॥ ୪୮
ମହତରୂପେ ମୋତେ ଚିନ୍ତି । ମହିମାସିଦ୍ଧି ସେ ଲଭନ୍ତି ॥ ୪୯
ସକଳଭୂତ ମଧ୍ୟେ ମୁହିଁ । ଅଣୁ ପ୍ରମାଣେ ପ୍ରକାଶଇ ॥ ୫୦
ସେ ରୂପ ଯୋଗବଳେ ଧ୍ୟାୟି । ଲଘିମା ସିଦ୍ଧିକି ଲଭଇ ॥ ୫୧
ଅହଙ୍କରଣ ରୂପେ ମୋତେ । ସାଧଇ ଇନ୍ଦ୍ରିୟ ସଂଯୁକ୍ତେ ॥ ୫୨
ଚିତ୍ତେ ଧରଇ ଯୋଗବଳେ । ସେ ପ୍ରାପ୍ତିସିଦ୍ଧି ଲଭେ ହେଳେ ॥ ୫୩
ଯେ କ୍ରିୟାଶକ୍ତି ମହତ୍ତତ୍ତ୍ୱେ । ଯୋଗୀଏ ଭଜି ଦୃଢ଼ଚିତ୍ତେ ॥ ୫୪
ମହତ ରୂପେ ମୋତେ ଧ୍ୟାୟି । ପ୍ରାକାମ୍ୟସିଦ୍ଧି ଯୋଗେ ପାଇ ॥ ୫୫
ତ୍ରିଗୁଣ ଅଧୀଶ୍ୱର ହୋଇ । ଏ ଭୂତ କ୍ଷେତ୍ରକାଳ ମୁହିଁ ॥ ୫୬
ଏମନ୍ତ ଭାବି ସର୍ବଭୂତେ । ଈଷିତାଶକ୍ତି ଲଭେ ନିତ୍ୟେ ॥ ୫୭
ସକଳ ଐଶ୍ଚର୍ଯ୍ୟର ଧାମ । ତୁରୀୟ ରୂପ ନାରାୟଣ ॥ ୫୮
ଧାରଣା ଯୋଗେ ଚିତ୍ତ ଧରି । ବଶିତାସିଦ୍ଧି ବଶ କରି ॥ ୫୯
ନିର୍ଗୁଣ ବ୍ରହ୍ମ ରୂପେ ମୋତେ । ମନ ନିବେଶି ଶୁଦ୍ଧଚିତ୍ତେ ॥ ୬୦
ସେ କାମବଶାୟିତା ପାଇ । ମନ କଳ୍ପନା ସିଦ୍ଧ ଯହିଁ ॥ ୬୧
କ୍ଷୀରଜଳଧି ମଧ୍ୟେ ସ୍ଥାନ । ବୋଲାଇ ଶ୍ୱେତଦ୍ୱୀପ ନାମ ॥ ୬୨
ସେ ସ୍ଥାନ ମଧ୍ୟେ ମୋ'ର ଧାମ । ନୀଳଜଳଦ ତନୁ ଶ୍ୟାମ ॥ ୬୩
ବିଶୁଦ୍ଧ ଧର୍ମମୟ ମୂର୍ତ୍ତି । ଯୋଗ ଧାରଣେ ମୋତେ ଚିନ୍ତି ॥ ୬୪
କ୍ଷୁଧା ପିପାସା ଜିଣି ହେଳେ । ଅନୁବିଂସିଦ୍ଧି ଲଭେ ଭଲେ ॥ ୬୫
ଆକାଶ ପ୍ରାୟ ଶୂନ୍ୟରୂପୀ । ମୁଁ ଥାଇ ସର୍ବଭୂତେ ବ୍ୟାପୀ ॥ ୬୬
ଯେ ମୋତେ ନାଦ ରୂପେ ଭାବେ । ଦୂର ଶ୍ରବଣ ବେଗେ ଲଭେ ॥ ୬୭
ଚକ୍ଷୁ ଯୁଗଳ ସୂର୍ଯ୍ୟେ ଥୋଇ । ନୟନେ ଆଦିତ୍ୟ ବସାଇ ॥ ୬୮
ବେନି ସଂଯୋଗେ ମଧ୍ୟଗତେ । ମୋତେ ଧ୍ୟାୟିଲେ ଦୃଢ଼ଚିତ୍ତେ ॥ ୬୯
ଦୂରଦର୍ଶନସିଦ୍ଧି ହୋଇ । ସକଳ ବିଶ୍ୱ ସେ ଦେଖଇ ॥ ୭୦
ମନ ବଚନ ଦେହ ପ୍ରାଣ । ଦେଇ ଯେ ଭଜେ ମୋ' ଚରଣ ॥ ୭୧
ମନର ସଙ୍ଗେ ତା' ଗମନ । ଏ ସିଦ୍ଧି ମନୋଜବ ନାମ ॥ ୭୨
ଅଚିନ୍ତ୍ୟଶକ୍ତି ମୋ' ଚରଣ । ଧାରଣା ଯୋଗେ କରି ଧ୍ୟାନ ॥ ୭୩
ଯେ ରୂପ କଳ୍ପଇ ତା' ମନେ । ସେ ରୂପ ହୋଇ ତତକ୍ଷଣେ ॥ ୭୪
ଶୁଣ ଉଦ୍ଧବ ସାଧୁ ଧୀର । ସେ କାମରୂପସିଦ୍ଧି ସାର ॥ ୭୫
ପର ଶରୀର ଶୂନ୍ୟ ଦେଖି । ତା' ଦେହେ ଆତ୍ମା ଉପଲକ୍ଷ୍ୟି ॥ ୭୬
ଧ୍ୟାନ କରଇ ମୋର ପାଦେ । ନିଶ୍ଚଳ ମନେ ଅପ୍ରମାଦେ ॥ ୭୭
ପଶଇ ତା'ର ଦେହେ ଯାଇ । କାୟପ୍ରବେଶସିଦ୍ଧି ଏହି ॥ ୭୮
ମୋ' ରୂପ ବ୍ରହ୍ମମୟ ଧ୍ୟାନେ । ଦୃଢ଼େ ବସିବ ଯୋଗାସନେ ॥ ୭୯
ପ୍ରାଣ ତୋଳିବ ଯାଗବଳେ । ସ୍ଥାପିବ ହୃଦୟ କମଳେ ॥ ୮୦
ପୁଣି ତୋଳିବ ଦୃଢ଼େ ଉର୍ଦ୍ଧ୍ୱେ । ନେଇ ସ୍ଥାପିବ ବ୍ରହ୍ମରନ୍ଧ୍ରେ ॥ ୮୧
ସେ ବ୍ରହ୍ମରନ୍ଧ୍ର ଭେଦି ବଳେ । ପରମବ୍ରହ୍ମେ ଆତ୍ମା ମିଳେ ॥ ୮୨
ଶୁଣ ହୋ ଭକତ ଉତ୍ତମ । ସ୍ୱଚ୍ଛନ୍ଦମୃତ୍ୟୁ ଏହା ନାମ ॥ ୮୩
ନିତ୍ୟେ ମୁଁ ସତ୍ତ୍ୱରୂପେ ଥାଇ । ଯେ ମୋତେ ସତ୍ତ୍ୱରୂପେ ଧ୍ୟାୟି ॥ ୮୪
ସାଧି ଅମରସିଦ୍ଧି ଯୋଗ । ଭୁଞ୍ଜଇ ସ୍ୱର୍ଗ ବଇଭୋଗ ॥ ୮୫
ଯେ କଳ୍ପବୃକ୍ଷ ରୂପେ ମୋତେ । ସତ୍ୟ ସ୍ୱରୂପେ ଚିନ୍ତେ ନିତ୍ୟେ ॥ ୮୬
ଧାରଣା ଯୋଗେ ଧ୍ୟାନବଳେ । ସଙ୍କଳ୍ପସିଦ୍ଧି ଲଭେ ହେଳେ ॥ ୮୭
ସଂସାରେ ହର୍ତ୍ତାକର୍ତ୍ତା ମୁହିଁ । ମୋ' ବିନୁ ଅନ୍ୟଗତି ନାହିଁ ॥ ୮୮
ମୁଁ ସର୍ବଆତ୍ମା ଅଧୀଶ୍ୱର । ମୋହର ନାହିଁ ପରାପର ॥ ୮୯
ଏ ଭାବେ ମୋତେ ଯେ ଚିନ୍ତଇ । ବଚନସିଦ୍ଧି ତା'ର ହୋଇ ॥ ୯୦
ଭୂତ ଭବିଷ୍ୟ ବର୍ତ୍ତମାନ । ମୋର ଭକ୍ତିରେ ଶୁଦ୍ଧମନ ॥ ୯୧
ଯୋଗୀ ଜାଣଇ ତାହା ହେଳେ । ନ ପୋଡ଼େ ପୁଣି ସେ ଅନଳେ ॥ ୯୨
ଯେସନେ ଜଳଜନ୍ତୁଙ୍କର । ଜଳେ ନ ନାଶଇ ଶରୀର ॥ ୯୩
ଧ୍ୱଜ ଚାମର ଛତ୍ରମାନ । ଶ୍ରୀବତ୍ସ ଚକ୍ରାଦିଭୂଷଣ ॥ ୯୪
ଏଣେ ଭୂଷିତ ମୂର୍ତ୍ତିମାନ । ଯେ ମୋ' ବିଭୂତି କରେ ଧ୍ୟାନ ॥ ୯୫
ସେ କାହିଁ ନୋହେ ପରାଜିତ । ଶୁଣ ଉଦ୍ଧବ ଦେଇ ଚିତ୍ତ ॥ ୯୬
ଏମନ୍ତେ ଧାରଣା ଧିଆନେ । ସାଧ୍ୟ କରନ୍ତି ଯୋଗୀଜନେ ॥ ୯୭
ଏ ଅଷ୍ଟାଦଶସିଦ୍ଧି ଯେତେ । କିଞ୍ଚିତେ ସାଧନ୍ତି ମୋ' ଭକ୍ତେ ॥ ୯୮
ମୋ' ନାମ ଶ୍ରବଣ କୀର୍ତ୍ତନେ । ସିଦ୍ଧେ ସାଧନ୍ତି ଅଳ୍ପଦିନେ ॥ ୯୯
ସଂସାରେ ଯେତେ ସିଦ୍ଧିଭାବ । ତାହାଙ୍କୁ ନୁହଇ ଦୁର୍ଲ୍ଲଭ ॥ ୧୦୦
ଏ ଯେତେ ସିଦ୍ଧି ଅଷ୍ଟାଦଶ । ଯୋଗୀଙ୍କ ବିଘ୍ନ ଉପଦେଶ ॥ ୧୦୧
ଭକତିଯୋଗ ଜ୍ଞାନଯୋଗେ । ଏ ବିଘ୍ନ ଆଚରନ୍ତି ବେଗେ ॥ ୧୦୨
ଯେ ଯୋଗୀ ସିଦ୍ଧପଥେ ଥା'ନ୍ତି । ବିଅର୍ଥେ ଦିନ ସେ ବଞ୍ଚନ୍ତି ॥ ୧୦୩
ଭକତି ମାର୍ଗେ ଜ୍ଞାନଯୋଗେ । ଜ୍ଞାନୀ ଲଭନ୍ତି ସିଦ୍ଧି ବେଗେ ॥ ୧୦୪
ମୁଁ ସେ ସକଳ ସିଦ୍ଧିଦାତା । ଆତ୍ମାର ଗତି ପିତାମାତା ॥ ୧୦୫
ମୋ' ତହୁଁ ସର୍ବସିଦ୍ଧି ସ୍ଫୁରେ । ଯେ ଜ୍ଞାନଯୋଗ ଏ ସଂସାରେ ॥ ୧୦୬
ଏଣୁ ଯେ ସେବେ ମୋ'ର ପାଦ । ତା'ର ଚରଣେ ସର୍ବସିଦ୍ଧ ॥ ୧୦୭
ଭକତି ବିନୁ ଯେତେ ଭାବ । ସେ କାହିଁ ସଂସାରୁ ତରିବ ॥ ୧୦୮
ମୁଁ ସର୍ବଗତି ହେ ଉଦ୍ଧବ । ଯେ ସାଂଖ୍ୟଯୋଗ ଧର୍ମଭାବ ॥ ୧୦୯
ସକଳପ୍ରାଣୀଙ୍କ ଗୋଚରେ । ମୁଁ ଅଛି ଅନ୍ତର ବାହାରେ ॥ ୧୧୦
ମୁହିଁ ସେ ସର୍ବଭୂତବାସୀ । ଅନ୍ତର ବାହାରେ ପ୍ରକାଶି ॥ ୧୧୧
ଧରଇ ଆତ୍ମାରୂପେ ସର୍ବ । କେ ଜାଣିପାରେ ମୋରେ ଭାବ ॥ ୧୧୨
ସକଳ ପ୍ରାଣୀଙ୍କ ଗୋଚରେ । ମୋ' ବିନୁ ଅନ୍ୟ ନାହିଁ ପରେ ॥ ୧୧୩
ସକଳ ସିଦ୍ଧିଗୁଣେ ମୁହିଁ । ମୋ' ତହୁଁ ଅନ୍ୟ ନାହିଁ କେହି ॥ ୧୧୪
ଏମନ୍ତ କହି ଭାବଗ୍ରାହୀ । ସଦୟେ ଉଦ୍ଧବକୁ ଚାହିଁ ॥ ୧୧୫
ସେ ହରି ଧ୍ୟାନ କରି ଚିତ୍ତେ । ଶ୍ରୀଏକାଦଶ ଭାଗବତେ ॥ ୧୧୬
ବ୍ରାହ୍ମଣ ଜଗନ୍ନାଥ ବାଣୀ । ଭକତ ପ୍ରେମତରଙ୍ଗିଣୀ ॥ ୧୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ଷୋଡ଼ଶୋଦ୍ଧଧ୍ୟାୟଃ ॥
* * *