ଏକାଦଶ ସ୍କନ୍ଧ

ଷୋଡ଼ଶ ଅଧ୍ୟାୟ

ଭଗବାନ ଉବାଚ

ବୋଲନ୍ତି କମଳାରମଣ । ଉଦ୍ଧବ ସାବଧାନେ ଶୁଣ ॥

ଏ ଜ୍ଞାନ‌ଯୋଗ ଏହିମତେ । ଜ୍ଞାନୀ ସାଧନ୍ତି ଏ ଜଗତେ ॥

ଏ ପୁଣି ବ‌ହୁଦିନେ ସିଦ୍ଧି । ଯୋଗ ପ୍ରକାଶେ ନାନାବିଧି ॥

ଏଣୁ ଭକ‌ତ ଯୋଗୀଜନେ । ସାଧ୍ୟ କରନ୍ତି ଅଳ୍ପଦିନେ ॥

ନିକଟେ ଖଟେ ସର୍ବସିଦ୍ଧି । ଅଷ୍ଟାଙ୍ଗ‌ଯୋଗ ଏ ପ୍ରସିଦ୍ଧି ॥

ଏମ‌ନ୍ତ କୃଷ୍ଣମୁଖୁଁ ଶୁଣି । ଉଦ୍ଧବ ବୋଲେ ମଞ୍ଜୁବାଣୀ ॥

ଉଦ୍ଧବ ଉବାଚ

ଶୁଣ ହେ କମଳାର ବର । ଅଶେଷ ବ୍ରହ୍ମାଣ୍ତଠାକୁର ॥

କେଉଁ ଧାରଣା କେଉଁମତେ । ଜ୍ଞାନୀ ସାଧନ୍ତି ଏ ଜଗତେ ॥

ସିଦ୍ଧି ଲକ୍ଷଣ ଅବା କେତେ । ସର୍ବ ନିର୍ଣ୍ଣୟ କ‌ହ ମୋତେ ॥

ଏମନ୍ତ ଉଦ୍ଧବର ବାଣୀ । ଶୁଣି କ‌ହ‌ନ୍ତି ଚକ୍ରପାଣି ॥ ୧୦

ଭଗବାନ ଉବାଚ

ଉଦ୍ଧବ ସାବଧାନେ ଶୁଣ । କ‌ହିବା ଯୋଗସିଦ୍ଧିମାନ ॥ ୧୧

ସଂସାରେ ଅଷ୍ଟାଦଶ ସିଦ୍ଧି । ଜ୍ଞାନୀ ସାଧନ୍ତି ନାନାବିଧି ॥ ୧୨

ସିଦ୍ଧିଙ୍କ ମଧ୍ୟେ ଅଷ୍ଟସାର । ଯେଣୁ ମୁଁ ବୋଲାଇ ଈଶ୍ୱର ॥ ୧୩

ଅଣିମା ଆଦି ଅଷ୍ଟସିଦ୍ଧି । ମୁକ୍ତି ଲକ୍ଷଣ ଏ ପ୍ରସିଦ୍ଧି ॥ ୧୪

ଯେ ଦଶ ସିଦ୍ଧି ରହେ ଶେଷେ । ସ୍ୱଭାବେ ତିନିଗୁଣେ ମିଶେ ॥ ୧୫

ଅଣିମା ଲଘିମା ଏ ବେନି । ମହିମା ଘେନି ସିଦ୍ଧି ତିନି ॥ ୧୬

ଯୋଗୀଙ୍କ ଦେହେ ଥା'ନ୍ତି ନିତ୍ୟେ । ପ୍ରାପ୍ତି ରହଇ ଇନ୍ଦ୍ରିଯୁତେ ॥ ୧୭

ପ୍ରାକାମ୍ୟ ଶ୍ରୁତି ଦୃଷ୍ଟି ବସେ । ଈଷିତା ଶକ୍ତି ପରକାଶେ ॥ ୧୮

ବଶିତା ଶକ୍ତି ଯେ ବୋଲାଇ । ବିଷୟ ତା'କୁ ନ ଲାଗଇ ॥ ୧୯

ଅଷ୍ଟମ କାମ‌ବଶାୟିତା । ଯୋଗୀଙ୍କ ମନୋରଥ ଦାତା ॥ ୨୦

କ୍ଷୁଧା ପିପାସା ଜରା ମୁତ୍ୟୁ । ଲୋଭ ମୋହ ଏ ଷଡ଼ହେତୁ ॥ ୨୧

ଏ ଷଡ଼ଉର୍ମି ନିବାରଣ । ଅନୁ ବିଂସିଦ୍ଧି ଏ ଲକ୍ଷଣ ॥ ୨୨

ପ୍ରାଣୀଏ ଅତିଦୂରେ ଥାଇ । ନିନ୍ଦା ସ୍ତବନ ଯାହା କ‌ହି ॥ ୨୩

ସେ କ‌ଥା ଜାଣଇ ତକ୍ଷଣ । ଦୂରଶ୍ରବଣ ଏହା ନାମ ॥ ୨୪

ବିଶ୍ୱସଂସାର ଚରାଚର । ନିତ୍ୟେ ଯେ ଏହାର ଗୋଚର ॥ ୨୫

ଉଦ୍ଧବ ସାବଧାନେ ଶୁଣ । ଦୂରଦର୍ଶନ ଏ ଲକ୍ଷଣ ॥ ୨୬

ମନ ହୁଁ ବେଗ ଦେହ ଗତି । ଏ ସିଦ୍ଧି ମନୋଜବ ହୋନ୍ତି ॥ ୨୭

ଯେ କାମରୂପ ସିଦ୍ଧି କ‌ହି । କଳ୍ପିତେ ଦେହ ପ୍ରକାଶଇ ॥ ୨୮

ଚତୁରଦଶେ ସିଦ୍ଧି ଗୁଣ । ଯେ ପରକାୟପ୍ରବେଶନ ॥ ୨୯

ଇଚ୍ଛାମରଣ ଯେବେ ହୋଇ । ସ୍ୱଚ୍ଛନ୍ଦମୁତ୍ୟୁ ସିଦ୍ଧି ସେହି ॥ ୩୦

ଦେବଙ୍କ ସଙ୍ଗେ ବିହରଇ । ଅମରସିଦ୍ଧି ତାକୁ କ‌ହି ॥ ୩୧

ମନ କଳ୍ପିତେ ଫଳ ପାଇ । ସଙ୍କଳ୍ପସିଦ୍ଧି ସେ ବୋଲାଇ ॥ ୩୨

ଧ୍ୟାନ ଧାରଣା ଅବ‌ହେଳେ । ଯାହା କ‌ହ‌ନ୍ତି ଯୋଗବଳେ ॥ ୩୩

ଅନ୍ୟଥା ନୁହଁଇ ସେ ପୁଣ । ବଚନସିଦ୍ଧି ଏ ପ୍ରମାଣ ॥ ୩୪

ଏ ସିଦ୍ଧି ଅଷ୍ଟାଦଶ ଜାଣ । ସାମାନ୍ୟ ସିଦ୍ଧି ଏବେ ଶୁଣ ॥ ୩୫

ଭୂତ ଭବିଷ୍ୟ ବର୍ତ୍ତମାନେ । ଯୋଗୀ ଜାଣନ୍ତି ଯୋଗଧ୍ୟାନେ ॥ ୩୬

ଏ ସିଦ୍ଧି ତ୍ରିକାଳଜ୍ଞ ନାମ । ଆବର ସିଦ୍ଧି ଏବେ ଶୁଣ ॥ ୩୭

ଶୀତ ବରଷା ଘର୍ମ ବାତ । ଯହିଁରେ ନ କରଇ ଗ୍ରସ୍ତ ॥ ୩୮

ଯେଣେ ତ୍ରିବିଧ ତାପ ନାହିଁ । ଅଦ୍ୱନ୍ଦ୍ୱସିଦ୍ଧି ଏ ବୋଲାଇ ॥ ୩୯

ପ୍ରାଣୀଙ୍କ ଚିତ୍ତ ଯେବେ ଜାଣି । ଚିତ୍ତଜ୍ଞସିଦ୍ଧି ସେ ବଖାଣି ॥ ୪୦

ଅନଳ ତପନ ଜଳଧି । ଅପରେ ବିଷ ଶସ୍ତ୍ର ଆଦି ॥ ୪୧

ଏ ସର୍ବ ଯେଣେ ନ ବାଧଇ । ବିଷ୍ଟମ୍ୱସିଦ୍ଧି ତାକୁ କ‌ହି ॥ ୪୨

ପର ଅପର ରିପୁବଳେ । ଅଜେୟ ହୋଇ ସର୍ବକାଳୈ ॥ ୪୩

ଶୁଣ ଉଦ୍ଧବ ମନ ଦେଇ । ଅପରାଜେୟସିଦ୍ଧି ସେହି ॥ ୪୪

ସକଳ ସିଦ୍ଧି ତୋ' ଅଗ୍ରତେ । କ‌ହିଲି ଉପଦେଶ ମତେ ॥ ୪୫

ଯେଉଁ ଧାରଣେ ଯେଉଁ ସିଦ୍ଧି । ଶୁଣ କ‌ହିବା ଯଥାବିଧି ॥ ୪୬

ଯେ ଭୂତସୂକ୍ଷ୍ମେ ଦେଇ ମତି । ଧାରଣାଯୋଗେ ମୋତେ ଚିନ୍ତି ॥ ୪୭

ଏଣେ ସେ ସୂକ୍ଷ୍ମରୂପେ ରହି । ଅଣିମାସିଦ୍ଧିକି ଲଭଇ ॥ ୪୮

ମହତରୂପେ ମୋତେ ଚିନ୍ତି । ମହିମାସିଦ୍ଧି ସେ ଲଭନ୍ତି ॥ ୪୯

ସକଳଭୂତ ମଧ୍ୟେ ମୁହିଁ । ଅଣୁ ପ୍ରମାଣେ ପ୍ରକାଶଇ ॥ ୫୦

ସେ ରୂପ ଯୋଗବଳେ ଧ୍ୟାୟି । ଲଘିମା ସିଦ୍ଧିକି ଲ‌ଭଇ ॥ ୫୧

ଅହ‌ଙ୍କରଣ ରୂପେ ମୋତେ । ସାଧଇ ଇନ୍ଦ୍ରିୟ ସଂଯୁକ୍ତେ ॥ ୫୨

ଚିତ୍ତେ ଧ‌ରଇ ଯୋଗବଳେ । ସେ ପ୍ରାପ୍ତିସିଦ୍ଧି ଲଭେ ହେଳେ ॥ ୫୩

ଯେ କ୍ରିୟାଶକ୍ତି ମହତ୍ତ‌ତ୍ତ୍ୱେ । ଯୋଗୀଏ ଭଜି ଦୃଢ଼ଚିତ୍ତେ ॥ ୫୪

ମହତ ରୂପେ ମୋତେ ଧ୍ୟାୟି । ପ୍ରାକାମ୍ୟସିଦ୍ଧି ଯୋଗେ ପାଇ ॥ ୫୫

ତ୍ରିଗୁଣ ଅଧୀଶ୍ୱର ହୋଇ । ଏ ଭୂତ କ୍ଷେତ୍ରକାଳ ମୁହିଁ ॥ ୫୬

ଏମନ୍ତ ଭାବି ସର୍ବଭୂତେ । ଈଷିତାଶକ୍ତି ଲଭେ ନିତ୍ୟେ ॥ ୫୭

ସକଳ ଐଶ୍ଚର୍ଯ୍ୟର ଧାମ । ତୁରୀୟ ରୂପ ନାରାୟଣ ॥ ୫୮

ଧାରଣା ଯୋଗେ ଚିତ୍ତ ଧରି । ବଶିତାସିଦ୍ଧି ବଶ କରି ॥ ୫୯

ନିର୍ଗୁଣ ବ୍ରହ୍ମ ରୂପେ ମୋତେ । ମନ ନିବେଶି ଶୁଦ୍ଧଚିତ୍ତେ ॥ ୬୦

ସେ କାମ‌ବଶାୟିତା ପାଇ । ମନ କଳ୍ପନା ସିଦ୍ଧ ଯହିଁ ॥ ୬୧

କ୍ଷୀରଜଳଧି ମଧ୍ୟେ ସ୍ଥାନ । ବୋଲାଇ ଶ୍ୱେତଦ୍ୱୀପ ନାମ ॥ ୬୨

ସେ ସ୍ଥାନ ମଧ୍ୟେ ମୋ'ର ଧାମ । ନୀଳଜଳଦ ତନୁ ଶ୍ୟାମ ॥ ୬୩

ବିଶୁଦ୍ଧ ଧର୍ମମୟ ମୂର୍ତ୍ତି । ଯୋଗ ଧାରଣେ ମୋତେ ଚିନ୍ତି ॥ ୬୪

କ୍ଷୁଧା ପିପାସା ଜିଣି ହେଳେ । ଅନୁବିଂସିଦ୍ଧି ଲଭେ ଭଲେ ॥ ୬୫

ଆକାଶ ପ୍ରାୟ ଶୂନ୍ୟରୂପୀ । ମୁଁ ଥାଇ ସର୍ବଭୂତେ ବ୍ୟାପୀ ॥ ୬୬

ଯେ ମୋତେ ନାଦ ରୂପେ ଭାବେ । ଦୂର ଶ୍ରବଣ ବେଗେ ଲଭେ ॥ ୬୭

ଚକ୍ଷୁ ଯୁଗଳ ସୂର୍ଯ୍ୟେ ଥୋଇ । ନୟନେ ଆଦିତ୍ୟ ବସାଇ ॥ ୬୮

ବେନି ସଂଯୋଗେ ମଧ୍ୟଗତେ । ମୋତେ ଧ୍ୟାୟିଲେ ଦୃଢ଼ଚିତ୍ତେ ॥ ୬୯

ଦୂରଦର୍ଶନସିଦ୍ଧି ହୋଇ । ସକଳ ବିଶ୍ୱ ସେ ଦେଖଇ ॥ ୭୦

ମନ ବଚନ ଦେହ ପ୍ରାଣ । ଦେଇ ଯେ ଭଜେ ମୋ' ଚରଣ ॥ ୭୧

ମନର ସଙ୍ଗେ ତା' ଗମନ । ଏ ସିଦ୍ଧି ମନୋଜବ ନାମ ॥ ୭୨

ଅଚିନ୍ତ୍ୟଶକ୍ତି ମୋ' ଚରଣ । ଧାରଣା ଯୋଗେ କରି ଧ୍ୟାନ ॥ ୭୩

ଯେ ରୂପ କଳ୍ପଇ ତା' ମନେ । ସେ ରୂପ ହୋଇ ତ‌ତକ୍ଷଣେ ॥ ୭୪

ଶୁଣ ଉଦ୍ଧବ ସାଧୁ ଧୀର । ସେ କାମରୂପସିଦ୍ଧି ସାର ॥ ୭୫

ପର ଶରୀର ଶୂନ୍ୟ ଦେଖି । ତା' ଦେହେ ଆତ୍ମା ଉପଲକ୍ଷ୍ୟି ॥ ୭୬

ଧ୍ୟାନ କରଇ ମୋର ପାଦେ । ନିଶ୍ଚଳ ମନେ ଅପ୍ରମାଦେ ॥ ୭୭

ପଶଇ ତା'ର ଦେହେ ଯାଇ । କାୟପ୍ରବେଶସିଦ୍ଧି ଏହି ॥ ୭୮

ମୋ' ରୂପ ବ୍ରହ୍ମମୟ ଧ୍ୟାନେ । ଦୃଢ଼େ ବସିବ ଯୋଗାସନେ ॥ ୭୯

ପ୍ରାଣ ତୋଳିବ ଯାଗବଳେ । ସ୍ଥାପିବ ହୃଦୟ କମଳେ ॥ ୮୦

ପୁଣି ତୋଳିବ ଦୃଢ଼େ ଉର୍ଦ୍ଧ୍ୱେ । ନେଇ ସ୍ଥାପିବ ବ୍ରହ୍ମରନ୍ଧ୍ରେ ॥ ୮୧

ସେ ବ୍ରହ୍ମରନ୍ଧ୍ର ଭେଦି ବଳେ । ପରମ‌ବ୍ରହ୍ମେ ଆତ୍ମା ମିଳେ ॥ ୮୨

ଶୁଣ ହୋ ଭକ‌ତ ଉତ୍ତମ । ସ୍ୱଚ୍ଛନ୍ଦମୃତ୍ୟୁ ଏହା ନାମ ॥ ୮୩

ନିତ୍ୟେ ମୁଁ ସ‌ତ୍ତ୍ୱରୂପେ ଥାଇ । ଯେ ମୋତେ ସ‌ତ୍ତ୍ୱରୂପେ ଧ୍ୟାୟି ॥ ୮୪

ସାଧି ଅମରସିଦ୍ଧି ଯୋଗ । ଭୁଞ୍ଜଇ ସ୍ୱର୍ଗ ବଇଭୋଗ ॥ ୮୫

ଯେ କଳ୍ପବୃକ୍ଷ ରୂପେ ମୋତେ । ସ‌ତ୍ୟ ସ୍ୱରୂପେ ଚିନ୍ତେ ନିତ୍ୟେ ॥ ୮୬

ଧାରଣା ଯୋଗେ ଧ୍ୟାନ‌ବଳେ । ସଙ୍କଳ୍ପସିଦ୍ଧି ଲଭେ ହେଳେ ॥ ୮୭

ସଂସାରେ ହର୍ତ୍ତାକର୍ତ୍ତା ମୁହିଁ । ମୋ' ବିନୁ ଅନ୍ୟଗତି ନାହିଁ ॥ ୮୮

ମୁଁ ସର୍ବଆତ୍ମା ଅଧୀଶ୍ୱର । ମୋହର ନାହିଁ ପରାପର ॥ ୮୯

ଏ ଭାବେ ମୋତେ ଯେ ଚିନ୍ତଇ । ବଚନସିଦ୍ଧି ତା'ର ହୋଇ ॥ ୯୦

ଭୂତ ଭବିଷ୍ୟ ବର୍ତ୍ତମାନ । ମୋର ଭକ୍ତିରେ ଶୁଦ୍ଧମନ ॥ ୯୧

ଯୋଗୀ ଜାଣଇ ତାହା ହେଳେ । ନ ପୋଡ଼େ ପୁଣି ସେ ଅନଳେ ॥ ୯୨

ଯେସନେ ଜଳଜନ୍ତୁଙ୍କର । ଜଳେ ନ ନାଶଇ ଶରୀର ॥ ୯୩

ଧ୍ୱଜ ଚାମର ଛତ୍ରମାନ । ଶ୍ରୀବତ୍ସ ଚକ୍ରାଦିଭୂଷଣ ॥ ୯୪

ଏଣେ ଭୂଷିତ ମୂର୍ତ୍ତିମାନ । ଯେ ମୋ' ବିଭୂତି କରେ ଧ୍ୟାନ ॥ ୯୫

ସେ କାହିଁ ନୋହେ ପରାଜିତ । ଶୁଣ ଉଦ୍ଧବ ଦେଇ ଚିତ୍ତ ॥ ୯୬

ଏମନ୍ତେ ଧାରଣା ଧିଆନେ । ସାଧ୍ୟ କରନ୍ତି ଯୋଗୀଜନେ ॥ ୯୭

ଏ ଅଷ୍ଟାଦଶସିଦ୍ଧି ଯେତେ । କିଞ୍ଚିତେ ସାଧନ୍ତି ମୋ' ଭକ୍ତେ ॥ ୯୮

ମୋ' ନାମ ଶ୍ରବଣ କୀର୍ତ୍ତନେ । ସିଦ୍ଧେ ସାଧନ୍ତି ଅଳ୍ପଦିନେ ॥ ୯୯

ସଂସାରେ ଯେତେ ସିଦ୍ଧିଭାବ । ତାହାଙ୍କୁ ନୁହଇ ଦୁର୍ଲ୍ଲଭ ॥ ୧୦୦

ଏ ଯେତେ ସିଦ୍ଧି ଅଷ୍ଟାଦଶ । ଯୋଗୀଙ୍କ ବିଘ୍ନ ଉପଦେଶ ॥ ୧୦୧

ଭକ‌ତିଯୋଗ ଜ୍ଞାନ‌ଯୋଗେ । ଏ ବିଘ୍ନ ଆଚରନ୍ତି ବେଗେ ॥ ୧୦୨

ଯେ ଯୋଗୀ ସିଦ୍ଧପ‌ଥେ ଥା'ନ୍ତି । ବିଅର୍ଥେ ଦିନ ସେ ବଞ୍ଚନ୍ତି ॥ ୧୦୩

ଭକ‌ତି ମାର୍ଗେ ଜ୍ଞାନ‌ଯୋଗେ । ଜ୍ଞାନୀ ଲଭନ୍ତି ସିଦ୍ଧି ବେଗେ ॥ ୧୦୪

ମୁଁ ସେ ସକଳ ସିଦ୍ଧିଦାତା । ଆତ୍ମାର ଗତି ପିତାମାତା ॥ ୧୦୫

ମୋ' ତ‌ହୁଁ ସର୍ବସିଦ୍ଧି ସ୍ଫୁରେ । ଯେ ଜ୍ଞାନ‌ଯୋଗ ଏ ସଂସାରେ ॥ ୧୦୬

ଏଣୁ ଯେ ସେବେ ମୋ'ର ପାଦ । ତା'ର ଚରଣେ ସର୍ବସିଦ୍ଧ ॥ ୧୦୭

ଭକ‌ତି ବିନୁ ଯେତେ ଭାବ । ସେ କାହିଁ ସଂସାରୁ ତରିବ ॥ ୧୦୮

ମୁଁ ସର୍ବଗତି ହେ ଉଦ୍ଧବ । ଯେ ସାଂଖ୍ୟ‌ଯୋଗ ଧର୍ମ‌ଭାବ ॥ ୧୦୯

ସକଳପ୍ରାଣୀଙ୍କ ଗୋଚରେ । ମୁଁ ଅଛି ଅନ୍ତର ବାହାରେ ॥ ୧୧୦

ମୁହିଁ ସେ ସର୍ବଭୂତବାସୀ । ଅନ୍ତର ବାହାରେ ପ୍ରକାଶି ॥ ୧୧୧

ଧରଇ ଆତ୍ମାରୂପେ ସର୍ବ । କେ ଜାଣିପାରେ ମୋରେ ଭାବ ॥ ୧୧୨

ସକଳ ପ୍ରାଣୀଙ୍କ ଗୋଚରେ । ମୋ' ବିନୁ ଅନ୍ୟ ନାହିଁ ପରେ ॥ ୧୧୩

ସକଳ ସିଦ୍ଧିଗୁଣେ ମୁହିଁ । ମୋ' ତ‌ହୁଁ ଅନ୍ୟ ନାହିଁ କେହି ॥ ୧୧୪

ଏମନ୍ତ କ‌ହି ଭାବଗ୍ରାହୀ । ସଦୟେ ଉଦ୍ଧବକୁ ଚାହିଁ ॥ ୧୧୫

ସେ ହରି ଧ୍ୟାନ କରି ଚିତ୍ତେ । ଶ୍ରୀଏକାଦଶ ଭାଗବତେ ॥ ୧୧୬

ବ୍ରାହ୍ମଣ ଜଗନ୍ନାଥ ବାଣୀ । ଭକ‌ତ ପ୍ରେମତରଙ୍ଗିଣୀ ॥ ୧୧୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଷୋଡ଼ଶୋଦ୍ଧଧ୍ୟାୟଃ ॥

* * *