ଏକାଦଶ ସ୍କନ୍ଧ
ପଞ୍ଚଦଶ ଅଧ୍ୟାୟ
କୃଷ୍ଣଚରଣ ଧରି କରେ । ଉଦ୍ଧବ ବୋଲଇ ସଧୀରେ ॥ ୧
ଉଦ୍ଧବ ଉବାଚ
ଭୋ ନାଥ କମଳଲୋଚନ । ଶୁଣି ମୁଁ ତୋହର ବଚନ ॥ ୨
ସଂଶୟ କରି ହୃଦଗତେ । ଏବେ ମୁଁ ପଚାରଇ ତୋତେ ॥ ୩
ଭକ୍ତି ଲକ୍ଷଣ ଧର୍ମ ଯେତେ । ତୁମ୍ଭେ କହିଲ ସର୍ବ ମୋତେ ॥ ୪
ଯେତେ ପ୍ରକାରେ ତାହା ସାଧି । ଭକ୍ତି ଲକ୍ଷଣ ନାନାବିଧି ॥ ୫
ଜଗତେ ବିପ୍ରଛନ୍ତି ଯେତେ । ମୋକ୍ଷ ଲକ୍ଷଣ ବେଦମତେ ॥ ୬
ନାନା ପ୍ରକାରେ ସେ କହନ୍ତି । ଏଣୁ ଲାଗିଲା ମୋତେ ଭ୍ରାନ୍ତି ॥ ୭
ମୋକ୍ଷ ଲକ୍ଷଣ ଧର୍ମ ଏକ । କି ଅବା ଅଛଇ ଅନେକ ॥ ୮
କି ଅବା ସକଳ ପ୍ରମାଣ । ସଂଶୟ ଛେଦ ନାରାୟଣ ॥ ୯
ଏ ସର୍ବ ତୁମ୍ଭର ଗୋଚର । ଭକତି ବିନୁ ନାହିଁ ସାର ॥ ୧୦
ତୁମ୍ଭେ ଯେ ସର୍ବ କହ ମୋତେ । ଚିତ୍ତେ ମୁଁ ଧରିବି କେମନ୍ତେ ॥ ୧୧
ବୋଲ ଯେ ସର୍ବଧର୍ମ ତେଜ । ନିଶ୍ଚଳେ ମୋର ପାଦେ ଭଜ ॥ ୧୨
ଏହିଟି ସର୍ବ ମୋକ୍ଷଧର୍ମ । ଏଣେ ଖଣ୍ତଇ ଭବଭ୍ରମ ॥ ୧୩
ତୁମ୍ଭର ବଚନୁ ଅଧିକେ । ବିପ୍ରେ କହନ୍ତି ଏକେ ଏକେ ॥ ୧୪
ନାନା ପ୍ରକାରେ ସେ କହନ୍ତି । ବେଦପୁରାଣ ଭାବେ ଚିନ୍ତି ॥ ୧୫
ଏକାନ୍ତ ଭକତି ଲକ୍ଷଣ । ସତ୍ୟ ବା ସକଳ ପ୍ରମାଣ ॥ ୧୬
ଏଣୁ ସଂଶୟ ମୋ'ର ଚିତ୍ତେ । ନିଶ୍ଚୟ କହ ନାଥ ମୋତେ ॥ ୧୭
ଏମନ୍ତ ତା'ର ବୋଲ ଶୁଣି । ହସି ବୋଲନ୍ତି ଚକ୍ରପାଣି ॥ ୧୮
ଭଗବାନ ଉବାଚ
ଉଦ୍ଧବ ଏକମେନ ଶୁଣ । ଯେ ଆଦି ପରମ କାରଣ ॥ ୧୯
ବେଦବଚନ ସୃଷ୍ଟି ଅନ୍ତେ । ପ୍ରଳୟ ନାଶିଲା ଜଗତେ ॥ ୨୦
ପୁଣି ସଂସାର ଆଦିକାଳେ । ମୁହିଁ ବ୍ରହ୍ମାଙ୍କୁ ଯୋଗବଳେ ॥ ୨୧
କହିଲି ସର୍ବବେଦ ବାଣୀ । ସେ ବ୍ରହ୍ମା ନିଜପୁତ୍ରେ ଆଣି ॥ ୨୨
ନାମ ତା' ସ୍ୱାୟମ୍ଭୁବ ମନୁ । ଦ୍ୱିତୀୟେ ପଦ୍ମଯୋନି ତନୁ ॥ ୨୩
ତାହାକୁ ସର୍ବବେଦ ଦେଲା । ସେ ପୁଣି ଧରି ନ ପାରିଲା ॥ ୨୪
ଥିଲେ ଯେ ସପ୍ତଋଷିଗଣେ । ତାହାଙ୍କୁ ଦେଲେ ଜଣେ ଜଣେ ॥ ୨୫
ଭୃଗୁ ଅଙ୍ଗିରା ଆଦିକରି । ଅଭ୍ୟାସେ ବେଦ ସେ ବିସ୍ତାରି ॥ ୨୬
ସେ ପୁଣି ପିତୃଗଣ ମଧ୍ୟେ । ବେଦ ପ୍ରକାଶିଲେ ଆନନ୍ଦେ ॥ ୨୭
ସେ ପିତୃଗଣେ ତାହା ଧରି । ଅଭ୍ୟାସେ ଅଭ୍ୟାସ ବିସ୍ତାରି ॥ ୨୮
ସେ ପୁଣି ଗୁହ୍ୟକ ଚାରଣେ । ଆନନ୍ଦେ ଦେଲେ ସାଧୁପଣେ ॥ ୨୯
ମନୁଷ୍ୟ ସିଦ୍ଧ ବିଦ୍ୟାଧର । ରାକ୍ଷସ ଗନ୍ଧର୍ବ କିନ୍ନର ॥ ୩୦
କିଂଦେବ ଯକ୍ଷ ନାଗ କପି । କ୍ରମେ ଏହାଙ୍କ ମଧ୍ୟେ ବ୍ୟାପି ॥ ୩୧
ଏ ରୂପେ ସର୍ବ ମୁଖେ ଭଣି । ମୁଁ ତାହା ଦୂରେ ଥାଇ ଶୁଣି ॥ ୩୨
ବେଦୁଁ ହୋଇଲା ନାନାଗତି । ତା' ତତ୍ତ୍ୱ କେହି ନ ଜାଣନ୍ତି ॥ ୩୩
ସ୍ୱଭାବେ ତ୍ରିଗୁଣେ ଯନ୍ତ୍ରିତ । ଏଣୁ ପ୍ରକୃତି ଭିନ୍ନ ମତ ॥ ୩୪
ଯାହାକୁ ଯେମନ୍ତ ଦିଶଇ । ସେ ଭାବେ ବେଦ ସେ ବୋଲଇ ॥ ୩୫
ଏଣୁ ପ୍ରକୃତି ଭିନ୍ନ ମତେ । ଅର୍ଥ ନ ଜାଣନ୍ତି ସମସ୍ତେ ॥ ୩୬
କେହୁ ପାଷାଣ୍ତମତେ ଜାଣି । କୁତର୍କ ଖଣ୍ତେ କେ ବଖାଣି ॥ ୩୭
ଭାବ ନ ଲଭି ଛନ୍ନମତି । ସ୍ତିରୀସଙ୍ଗମ ଭାବେ ଚିନ୍ତି ॥ ୩୮
ତତ୍ତ୍ୱେ ନ ମଜ୍ଜି ମାୟାଗ୍ରାହି । ତେବୁ ପାଷଣ୍ତ ଭେଦ ହୋଇ ॥ ୩୯
ଏମନ୍ତ ଭାବେ ନାନାମତେ । ବେଦ ବିଚାରନ୍ତି ଜଗତେ ॥ ୪୦
ଏ ରୂପେ ଶ୍ରଦ୍ଧା ଅନୁମତେ । ମୋହର ମାୟାରେ ମୋହିତେ ॥ ୪୧
ଯେ ଯାହା ଶ୍ରେୟ ଚିନ୍ତି ଚିତ୍ତେ । କର୍ମ କରନ୍ତି ନାନାମତେ ॥ ୪୨
ଫଳଇ କର୍ମ ଅନୁସାରେ । ବିପାକ ଲଭନ୍ତି ସଂସାରେ ॥ ୪୩
କେ ଧର୍ମ ମାର୍ଗ ଆଚରନ୍ତି । କେ ଅବା କାମ୍ୟକର୍ମ ଚିନ୍ତି ॥ ୪୪
କେ ସତ୍ୟ ଶମ ଦମ ଦାନେ । କେ ଯଜ୍ଞ ତପ ଅନୁମାନେ ॥ ୪୫
କାହାର ଚିତ୍ତେ ତ୍ୟାଗ ଭୋଗ । କେ ଅଷ୍ଟଐଶ୍ଚର୍ଯ୍ୟ ସଂଯୋଗ ॥ ୪୬
କେ ବ୍ରତ ନିୟମ ଆଚରେ । ଏମନ୍ତେ ଅନେକ ପ୍ରକାରେ ॥ ୪୭
କର୍ମ ସାଧନ୍ତି ଫଳ ଲୋଭେ । ଗୁଣ ବୈଭବ କ୍ରିୟାଦମ୍ଭେ ॥ ୪୮
ଏମନ୍ତେ ଯେତେ ଫଳ ସାଧି । ସୁଖ ସମ୍ପଦ ନାନାବିଧି ॥ ୪୯
ଅନ୍ତେ ସକଳ ହୋନ୍ତି ନାଶ । କେବେହେଁ ନାହିଁ ସୁଖଲେଶ ॥ ୫୦
କର୍ମ ସରିଲେ ଫଳକ୍ଷୟେ । କେବଳ କ୍ଳେଶ ମାତ୍ର ରହେ ॥ ୫୧
ଏଣୁ ସଂସାର-ଘୋରବନେ । ବୃଜିନ-ଅନଳ ଦହନେ ॥ ୫୨
ପ୍ରାଣୀଏ ହୋନ୍ତି ଆତଯାତ । ନ ବୁଝି ବେଦର ବୃତ୍ତାନ୍ତ ॥ ୫୩
ଏ ବୋଲ ବୁଝି ତୁ ନିରତେ । କେବଳ ଆଶ୍ରେ କର ମୋତେ ॥ ୫୪
ମୁଁ ଆତ୍ମା ପ୍ରିୟସଖା ହୋଇ । ସକଳ କର୍ମଫଳ ଦେଇ ॥ ୫୫
ମୁଁ ଗତି ପତି ହିତକର୍ତ୍ତା । ମୁହିଁ ସେ ସର୍ବଲୋକ ପିତା ॥ ୫୬
ମୋତେ ଭଜନ୍ତି ପ୍ରାଣୀ ଯେତେ । ସୁଖେ ସେ ତରନ୍ତି ନିଶ୍ଚିନ୍ତେ ॥ ୫୭
ଜନ୍ମ ମରଣେ ନାହିଁ ଭ୍ରାନ୍ତି । ହେଳେ ସଂସାରୁ ତରିଯାନ୍ତି ॥ ୫୮
ବିଷୟେ ସୁଖେ ଯା'ର ଚିତ୍ତ । ମୋର ଭଜନେ ସେ ବଂଚିତ ॥ ୫୯
ଯେ ପ୍ରାଣୀ ଅକିଞ୍ଚନ ମତ । ଶମ ସୁଶାନ୍ତ ଦାନ୍ତଚିତ୍ତ ॥ ୬୦
ମୋର ଆନନ୍ଦରସେ ରସେ । ସୁଖସମୁଦ୍ରେ ନିତ୍ୟେ ଭାସେ ॥ ୬୧
ଭିକ୍ଷୁକ ପଣେ ଶାନ୍ତ ହୋଇ । ମୋର ଚରିତ ଗୁଣ ଗାଇ ॥ ୬୨
ଆନନ୍ଦେ ବିହରେ ସଂସାରେ । ଭିକ୍ଷୁକ ଗୁଣ ମୋ ସୋଦରେ ॥ ୬୩
ମୁଁ ଯାକୁ ହୁଅଇ ସଦୟ । ତାହାର କାହିଁ ଦୁଃଖ ଭୟ ॥ ୬୪
ଦେଖଇ ଅନ୍ତର ବାହାରେ । ସକଳ ସୁଖ ସବୁଠାରେ ॥ ୬୫
ମୋହର ଭାବେ ଯେ ରମଇ । ତା'ର ସମ୍ପଦେ କାର୍ଯ୍ୟ ନାହିଁ ॥ ୬୬
ବ୍ରହ୍ମାପଦକୁ ନାହିଁ ବାଞ୍ଛା । ନ କରେ ଇନ୍ଦ୍ରପଦେ ଇଚ୍ଛା ॥ ୬୭
ସପତଦ୍ୱୀପେ ରାଜପଦ । କି ଅଷ୍ଟନିଧି ଭୋଗେ ସଧ ॥ ୬୮
ପାତାଳ ଭୋଗେ ଇଚ୍ଛା ନାହିଁ । ନିର୍ବାଣପଦ ନ ବାଞ୍ଛଇ ॥ ୬୯
ମୋତେ ସମର୍ପେ ଚିତ୍ତ ବିତ୍ତ । ନୋହଇ ମାୟାରେ ମୋହିତ ॥ ୭୦
ସେ ମୋର ଯେଡ଼େ ପ୍ରିୟ ହୋଇ । କହଇ ଶୁଣ ମନଦେଇ ॥ ୭୧
ବ୍ରହ୍ମା ଯେ ମୋହର ନନ୍ଦନ । ତା'କୁ ନ ରମେ ମୋର ମନ ॥ ୭୨
ମୋହର ଆତ୍ମା ପଶୁପତି । ତେଣେ ମୋହର ନାହିଁ ପ୍ରୀତି ॥ ୭୩
ମୋହର ଭାଇ ହଳପାଣି । ଲକ୍ଷ୍ମୀ ଯେ ମୋହର ଘରଣୀ ॥ ୭୪
ନିତ୍ୟେ ବସଇ ବକ୍ଷସ୍ଥଳେ । ମୋ' ରୂପେ ଯେତେ ଭୂମଣ୍ତଳେ ॥ ୭୫
ତୁ ଯେ ମୋହର ପ୍ରିୟତମ । କେହି ନୁହନ୍ତି ତୋ'ର ସମ ॥ ୭୬
ସ୍ୱଭାବେ ନିରପେକ୍ଷ ଶାନ୍ତ । ତପସ୍ୱୀ ରିପୁ-ବିବର୍ଜିତ ॥ ୭୭
ସମଦରଶୀ ପ୍ରେମଚିତ୍ତ । ଦୟାସାଗର ପରିହତ ॥ ୭୮
ଏମନ୍ତ ପ୍ରାଣୀଙ୍କର ପଛେ । ନିତ୍ୟେ ମୁଁ ବୁଲଇ ପ୍ରତ୍ୟକ୍ଷେ ॥ ୭୯
ଆବୋରି ଥାଇ ବେନିପାଶେ । ତା'ର ଚରଣ-ରେଣୁ ଆଶେ ॥ ୮୦
ସେ ପ୍ରାଣୀ ବହେ ଯେତେ ଗୁଣ । ଉଦ୍ଧବ ସାବଧାନେ ଶୁଣ ॥ ୮୧
ସ୍ୱଭାବେ ଅକିଂଚନ ଦେହେ । ସକଳ ଭୂତେ ଦୟା ବହେ ॥ ୮୨
କାମକୁ ଜିଣି ପ୍ରେମପ୍ଳୁତ । କେବଳ ସୁଶାନ୍ତ ମହତ ॥ ୮୩
ସେ ମୋର ସୁଖ ଅନୁମାନେ । କେ ତାର ମହିମା ବଖାଣେ ॥ ୮୪
ତା' ଅନୁଭବ ସେ ଜାଣଇ । କେ ତା'ର ଗୁଣ ପାରେ କହି ॥ ୮୫
ଏମନ୍ତ ଯେ ମୋର ଭକତ । ସେ ଯେବେ ବିଷୟେ ବାଞ୍ଛିତ ॥ ୮୬
ଅଜିତ-ଇନ୍ଦ୍ରିୟଙ୍କ ଦୋଷେ । ଯେବେ ବିଷୟରସେ ରସେ ॥ ୮୭
ମୋର ଭକତିଭାବ ବଳେ। ବିଷୟ ନ ଲାଗେ ନିଶ୍ଚଳେ ॥ ୮୮
ମୋ' ନାମ ନିତ୍ୟେ ଭଣେ ମୁଖେ । ଆନନ୍ଦେ ବିହରଇ ସୁଖେ ॥ ୮୯
ଜଳନ୍ତା ଅନଳେ ଯେସନ । ସମିଧ ହୁଅଇ ଦହନ ॥ ୯୦
ତା'ର ଶରୀରେ ପାପ ଯେତେ । ଦହନ ହୋନ୍ତି ସେହିମତେ ॥ ୯୧
ଉଦ୍ଧବ ଶୁଣ ଏକ ଚିତ୍ତେ । ଗୁପତ କଥା କହୁଁ ତୋତେ ॥ ୯୨
ଯେତେ ଏ ଦାନ ବ୍ରତ ତ୍ୟାଗ । ଧର୍ମ ଆଚାର ସାଂଖ୍ୟଯୋଗ ॥ ୯୩
ଏ ମୋତେ ନ ପାରନ୍ତି ଧରି । ନାନା ପ୍ରକାରେ ବଶକରି ॥ ୯୪
ଭକତଜନେ ବଶ ମୁହିଁ । ତା'ର ରକ୍ଷଣେ ମୋର ଦେହୀ ॥ ୯୫
ମୁଁ ଏ ସଂସାର ଅଛି ଛନ୍ଦି । ଭକତ ପାରେ ମୋତେ ବାନ୍ଧି ॥ ୯୬
ଦୁର୍ଜ୍ଜୟଦେହ ମୋର ଶୂନ୍ୟ । ଭକତଭାବେ ମୁଁ ବନ୍ଧନ ॥ ୯୭
ଏଣୁ ଭକତଜନ ପାଶେ । ନିତ୍ୟେ ମୁଁ ଥାଇ ଭାବବଶେ ॥ ୯୮
ତେଣୁ ଭକତ ଏ ସଂସାର । ଅଶେଷ ଜନ୍ମପାପ ହରେ ॥ ୯୯
ଚଣ୍ତାଳ ପତିତ ପାମର । ମ୍ଳେଛ ଅଧମ ଦୁରାଚାର ॥ ୧୦୦
ଏ ଆଦି ପାପୀଜନ ଯେତେ । ଯେବେ ମୋ' ଭକତ ଅଗ୍ରତେ ॥ ୧୦୧
ଦଇବଯୋଗେ ସଙ୍ଗମେଳେ । ମିଳନ୍ତି ପୂର୍ବ-ପୁଣ୍ୟଫଳେ ॥ ୧୦୨
ଦର୍ଶନ ସ୍ପର୍ଶନ ଶ୍ରବଣେ । ନିର୍ମଳ ହୋନ୍ତି ତତକ୍ଷଣେ ॥ ୧୦୩
ପାପ ନ ରହେ ତା'ଙ୍କ ମନେ । ରବି-ସମୀପେ ତମ ଯେହ୍ନେ ॥ ୧୦୪
ଯେ ପ୍ରାଣୀ ଦୟା ସତ୍ୟ ଯୁକ୍ତ । ତପୀ ଧାର୍ମିକ ବିଦ୍ୟାବନ୍ତ ॥ ୧୦୫
ମୋର ଭକତି ଯେବେ ନାହିଁ । ପବିତ୍ର ନୋହେ ତା'ଙ୍କ ଦେହୀ ॥ ୧୦୬
ସେ କାହୁଁ ସଂସାର ତରିବ । ଯେବେ ନ ଜାଣେ ମୋର ଭାବ ॥ ୧୦୭
ବୋଲନ୍ତି ପ୍ରଭୁ ଭଗବାନ । ଶୁଣ ହେ ଭକତ ଲକ୍ଷଣ ॥ ୧୦୮
ନିରତେ ଅଙ୍ଗ ପୁଲକିତ । ନୟନେ ଅଶ୍ରୁଜଳ ଯୁତ ॥ ୧୦୯
ଅନ୍ତର ଦ୍ରବଇ ନିରତେ । ମତି ଚଞ୍ଚଳ ବିପରୀତେ ॥ ୧୧୦
ଜଗତ ମୋର ରୂପ ଜାଣେ । ନିଜ ଶରୀର ନ ପ୍ରମାଣେ ॥ ୧୧୧
ବୋଲନ୍ତି ପ୍ରଭୁ ଚକ୍ରପାଣି । ଏତେ ଲକ୍ଷଣେ ଭକ୍ତ ଜାଣି ॥ ୧୧୨
ଭକତି ବିନା ଅର୍ନ୍ତଗତ । କେବେହେଁ ନୁହଇ ପ୍ରଶସ୍ତ ॥ ୧୧୩
ବୋଲଇ ଗଦଗଦ ବାଣୀ । କ୍ଷଣେ ହସଇ କ୍ଷଣେ ତୁନି ॥ ୧୧୪
କ୍ଷଣକେ ଗାଏ ଗୁଣଗାଥା । ହୁଙ୍କାରେ ଅଲୌକିକ କଥା ॥ ୧୧୫
କ୍ଷଣକେ ହରିଗୁଣ ଗୁଣି । ଚକ୍ଷୁ ସଂହରି ହୋଏ ତୁନି ॥ ୧୧୬
କ୍ଷଣକେ କରଇ ରୋଦନ । ଉଚ୍ଚେ ଡ଼ାକଇ ମୋ'ର ନାମ ॥ ୧୧୭
ନାଚଇ ଉନମତ୍ତ ହୋଇ । ଲଜ୍ଜା ସଙ୍କୋଚ ଦୂରେ ଥୋଇ ॥ ୧୧୮
କ୍ଷଣେ ମଉନଭାବେ ବଶେ । କ୍ଷଣକେ ଆନୁଆନ ଘୋଷେ ॥ ୧୧୯
ମୋର ଭକତ ଏ ଲକ୍ଷଣ । ଉଦ୍ଧବ ଭଲେ ଏହା ଜାଣ ॥ ୧୨୦
ମୋର ଭକତ ମୋର ମିତ୍ର । ସେ କରେ ଜଗତ ପବିତ୍ର ॥ ୧୨୧
ନିର୍ମଳମତି ତା'ର ନିତ୍ୟେ । ଭ୍ରମଇ ଉଦାରଚରିତେ ॥ ୧୨୨
ଅନଳେ ଦହନ୍ତେ ସୁବର୍ଣ୍ଣ । ଉଜ୍ଜ୍ୱଳ ହୁଅଇ ଯେସନ ॥ ୧୨୩
ଭକତଜନ ସେହି ମତେ । ନିର୍ମଳ ହୋନ୍ତି ଏ ଜଗତେ ॥ ୧୨୪
ଏ ରୂପେ ଭକ୍ତିଯୋଗ ବଳେ । ଯେ ମୋତେ ଭଜଇ ନିଶ୍ଚଳେ ॥ ୧୨୫
ଅଶେଷ ବାସନା ତାହାର । ମନରୁ ଛାଡ଼ି ଯା'ନ୍ତି ଦୂର ॥ ୧୨୬
ମୋର ମଙ୍ଗଳ-କଥାମାନ । ଯେ କରେ ଶ୍ରବଣ-କୀର୍ତ୍ତନ ॥ ୧୨୭
କର୍ଣ୍ଣରେ ପଶି ମୋର କଥା । ହରଇ ସର୍ବ ମନବ୍ୟଥା ॥ ୧୨୮
ଯେ ନିତ୍ୟେ ଗୁଣେ ନିଜ ମୁଖେ । ସେ ସୂକ୍ଷ୍ମ ପରମାର୍ଥ ଦେଖେ ॥ ୧୨୯
ଅଞ୍ଜନ ରଞ୍ଜୁଥିଲେ ନିତ୍ୟେ । ମଳି ନ ରହେ ଯେହ୍ନେ ନେତ୍ରେ ॥ ୧୩୦
ବିଷୟ-ସ୍ମରଣେ ନିରତେ । ଯେହ୍ନେ ବିଷୟ ଜଡ଼େ ଚିତ୍ତେ ॥ ୧୩୧
ମୋ'ର ସ୍ମରଣ ଯା'ର ଚିତ୍ତେ । ତା' ପାଶେ ଥାଇ ମୁଁ ନିରତେ ॥ ୧୩୨
ଏ ବୋଲ ବୁଝି ମୋତେ ଭଜ । ଅସାଧୁ ମେଳ ବେଗେ ତେଜ ॥ ୧୩୩
ମୋ ରୂପ ଦେଖ ସର୍ବଠାବେ । ମୋର ଚରଣ ଭଜ ଭାବେ ॥ ୧୩୪
ସକଳ ସଙ୍ଗ ଦୂରକରି । ମୋତେ ଚିନ୍ତିବ ଚିତ୍ତେ ଧରି ॥ ୧୩୫
ନିରୋଳେ ବସି ଏକସ୍ଥାନେ । ନିଶ୍ଚଳେ କଳ୍ପିତ ଆସନେ ॥ ୧୩୬
ମୋର ମଧୂର ରୂପ ଧ୍ୟାନେ । ବସି ଚିନ୍ତିବ ସ୍ଥିରମନେ ॥ ୧୩୭
ଏଣୁ କୁସଙ୍ଗ ଦୂର କରି । ହୃଦେ ମୋ' ଭାବ ଅନୁସରି ॥ ୧୩୮
ଆତ୍ମାର ହିତ ନିତ୍ୟେ କର । ହସି ବୋଲନ୍ତି ଦାମୋଦର ॥ ୧୩୯
ଉଦ୍ଧବ ଶୁଣି କୃଷ୍ଣବାଣୀ । କପୋଳେ ଦେଇ ବେନିପାଣି ॥ ୧୪୦
ଉଦ୍ଧବ ଉବାଚ
ବୋଲଇ ଶୁଣ ଭଗବାନ । ତୁମ୍ଭେ କହିଲ ତତ୍ତ୍ୱଜ୍ଞାନ ॥ ୧୪୧
କି ରୂପେ ଜଗତ ବିଖ୍ୟାତ । କହ ହେ ତିଭ୍ରୁବନନାଥ ॥ ୧୪୨
ଭକ୍ତବତ୍ସଳ ଭଗବାନ । ବିକଚ-କମଳ-ଲୋକନ ॥ ୧୪୩
ଯେ ଜ୍ଞାନ ଯୋଗୀଜନେ ଚିନ୍ତି । ଘୋର ସଂସାରୁ ତରିଯା'ନ୍ତି ॥ ୧୪୪
କି ରୂପେ କରି ତୋତେ ଧ୍ୟାନ । କହ ହେ ଦେବକୀନନ୍ଦନ ॥ ୧୪୫
ଶୁଣି ଉଦ୍ଧବବାଣୀ କର୍ଣ୍ଣେ । କୋମଳ ମଧୁର ବଚନେ ॥ ୧୪୬
ଭଗବାନ ଉବାଚ
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଶୁଣ ଉଦ୍ଧବ ଧ୍ୟାନମତ ॥ ୧୪୭
ସମ ଆସନେ ବସି ଧୀରେ । ସୁଖରେ ସମ କଳେବରେ ॥ ୧୪୮
ଜାନୁଯୁଗଳେ ବେନିପାଣି । ଦୃଢ଼େ ସ୍ଥାପିବ ବେଳ ଜାଣି ॥ ୧୪୯
ବେନିନୟନ ନାସାଅଗ୍ରେ । ନିଶ୍ଚଳେ ସ୍ଥାପିବ ସମଗ୍ରେ ॥ ୧୫୦
ପବନ ତୋଳି ନାସାଦ୍ୱାରେ । ପୂରକ-କୁମ୍ଭକ ପ୍ରକାରେ ॥ ୧୫୧
ଅଳପ ଅଳପ ସାଧନେ । ଚିତ୍ତ ସ୍ଥାପିବ ସଂଯମନେ ॥ ୧୫୨
ଓଁକାର ପବନ ନିଶ୍ଚଳୁଁ । ତୋଳିବ ହୃଦୟକମଳୁ ॥ ୧୫୩
ଉତ୍ତମ ଘଣ୍ଟାନାଦ ସ୍ୱନେ । ମନ ପବନ ଏକଧ୍ୟାନେ ॥ ୧୫୪
ମୃଣାଳସୂତ୍ର ମାର୍ଗେ ଧରି । ନିଶ୍ଚଳେ ଅନାହତେ ପୂରି ॥ ୧୫୫
ଲବ ନିମିଷ ଦଣ୍ତ ଘଡ଼ି । ନିତ୍ୟେ ସାଧିବ ଦୁଃଖପଡ଼ି ॥ ୧୫୬
ଏ ରୂପେ ଅନ୍ତର ବାହାରେ । ଧ୍ୟାନେ ସାଧିବ ନିରନ୍ତରେ ॥ ୧୫୭
ଏମନ୍ତ ସାଧି ଏକମାସେ । ପ୍ରାଣପବନ ସ୍ଥାପି ବଶେ ॥ ୧୫୮
ହୃଦୟପଦ୍ମ ମଧ୍ୟଭାଗେ । ଯେ ଅଷ୍ଟଦଳ ଅଷ୍ଟଦିଗେ ॥ ୧୫୯
ମଧ୍ୟେ ପାଖୁଡ଼ା ଚାରିପାଖେ । ନିତ୍ୟେ ଲମ୍ବଇ ଅଧୋମୁଖେ ॥ ୧୬୦
ଧ୍ୟାନେ ଚିନ୍ତିବ ଦୃଢ଼ବନ୍ଧେ । ଯେ ଅଷ୍ଟଦଳ ତା'ର ଉର୍ଦ୍ଧ୍ୱେ ॥ ୧୬୧
ସୂର୍ଯ୍ୟମଣ୍ତଳ ଚିନ୍ତା କରି । ସୋମ ମଣ୍ତଳ ମଧ୍ୟେ ଭରି ॥ ୧୬୨
ତାହାର ମଧ୍ୟେ ହୁତାଶନ । ତା' ମଧ୍ୟେ ସୁବର୍ଣ୍ଣ-ଆସନ ॥ ୧୬୩
ତା'ର ଉପରେ ଦିବ୍ୟରୂପ । ଚିନ୍ତିବ ମୋହର ସ୍ୱରୂପ ॥ ୧୬୪
ଆଜାନୁ ଲମ୍ବେ ଭୁଜ ଚାରି । ଶଙ୍ଖ କମଳ ଗଦା ଅରୀ ॥ ୧୬୫
ଶ୍ରୀମୁଖ ସୁନ୍ଦର କପୋଳ । ବିକଚପଦ୍ମ ପ୍ରାୟେ ଡ଼ୋଳ ॥ ୧୬୬
ଶ୍ରବଣେ ମକର କୁଣ୍ତଳ । ହୃଦେ ଲମ୍ବଇ ବନମାଳ ॥ ୧୬୭
ନୀଳଜଳଦ କଳେବର । କଣ୍ଠେ କୌସ୍ତୁଭମଣି ହାର ॥ ୧୬୮
ହୃଦରେ ଶ୍ରୀବତ୍ସର ଚିହ୍ନ । ପୀତବସନ ପରିଧାନ ॥ ୧୬୯
ମଞ୍ଜୁମଞ୍ଜୀର ପାଦଯୁଗେ । ରତ୍ନମେଖଳା କଟୀଭାଗେ ॥ ୧୭୦
ଯଜ୍ଞୋପବୀତ କନ୍ଧେ ଶୋହେ । ସୁନ୍ଦର ତନୁ ମନ ମୋହେ ॥ ୧୭୧
ମେଘ ଗମ୍ଭୀର ପ୍ରାୟ ସ୍ୱନ । ପ୍ରସନ୍ନ ଶ୍ରୀମୁଖ ଲକ୍ଷଣ ॥ ୧୭୨
ଅତି କୋମଳ ଅଟେ ଦେହୀ । ସର୍ବାଙ୍ଗେ ଚିତ୍ତ ଦୃଢ଼େ ଦେଇ ॥ ୧୭୩
ଏ ରୂପେ ଧ୍ୟାନ ମୋତେ କରି । ଚଞ୍ଚଳ ଇନ୍ଦ୍ରିୟ ନିବାରି ॥ ୧୭୪
ବୁଦ୍ଧିକି କରି ଆଗୁସାର । ପଣ୍ତିତଜନଙ୍କ ବେଭାର ॥ ୧୭୫
ସର୍ବସଙ୍ଗମୁଁ ମନ ହରି । ନିଶ୍ଚଳେ ମୋତେ ଧ୍ୟାନ କରି ॥ ୧୭୬
ମୋ' ରୂପ ଚିନ୍ତିବ ନିରତେ । ଅନ୍ୟ ନ ସୁମରିବ ଚିତ୍ତେ ॥ ୧୭୭
ପୁଣି ସେ ରୂପ ଥୋଇ ପାଶେ । ଚିତ୍ତ ନିବେଶିବ ଆକାଶେ ॥ ୧୭୮
ଏମନ୍ତେ ଆକାଶ-ମଣ୍ତଳେ । ବ୍ରହ୍ମ ପ୍ରକାଶିବ ନିଶ୍ଚଳେ ॥ ୧୭୯
ସେ ବ୍ରହ୍ମେ ଚିତ୍ତ ସ୍ଥିର ଯେବେ । ମୋ' ରୂପ ନ ଚିନ୍ତିବ ତେବେ ॥ ୧୮୦
ଏମନ୍ତ ସମାଧି ଯୋଗରେ । ଯେ ଆତ୍ମା ସମର୍ପେ ଆତ୍ମାରେ ॥ ୧୮୧
ଜ୍ୟୋତିରେ ଜ୍ୟୋତି ମିଶେ ଯେହ୍ନେ । ମୋତେ ସେ ଲଭଇ ତେସନେ ॥ ୧୮୨
ସେ ବ୍ରହ୍ମରୂପ ସର୍ବଭୂତେ । ଆତ୍ମାରେ ପ୍ରକାଶିବ ନିତ୍ୟେ ॥ ୧୮୩
ମନ ସଂଯମି ଏହିମତେ । ମୋ' ରୂପ ଦେଖିବ ଜଗତେ ॥ ୧୮୪
ଏ ରୂପେ ଯୋଗଧ୍ୟାନମତେ । ମନକୁ ନିବେଶି ନିଶ୍ଚିନ୍ତେ ॥ ୧୮୫
ଇନ୍ଦ୍ରିୟ ଜ୍ଞାନ କ୍ରିୟାଭ୍ରମ । ତେଜି ତୁ ଲଭିବୁ ନିର୍ବାଣ ॥ ୧୮୬
ଏମନ୍ତେ ଭ୍ରମ ଯିବ ତୋର । କହିଲେ ବ୍ରହ୍ମାଣ୍ତଠାକୁର ॥ ୧୮୭
ବୋଲଇ ଦାସ ଜଗନ୍ନାଥ । ଶ୍ରୀ ଏକାଦଶେ ଭାଗବତ ॥ ୧୮୮
ଶୁକ ପରୀକ୍ଷିତ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୧୮୯
କଳି କଳୁଷ ଭୟ ନାହିଁ । ସୁଜନେ ତର ଏହା ଗାଇ ॥ ୧୯୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ପଞ୍ଚଦଶୋଦ୍ଧଧ୍ୟାୟଃ ॥
* * *