ଏକାଦଶ ସ୍କନ୍ଧ

ଚତୁŸର୍ଦ୍ଦଶ ଅଧ୍ୟାୟ

ଭଗବାନ ଉବାଚ

କ‌ହ‌ନ୍ତି ପ୍ରଭୁ ଦାମୋଦର । ଶୁଣ ଉଦ୍ଧବ ଜ୍ଞାନସାର ॥

ନାହିଁ ସଂସାରେ ଅନୁମାନୁ । ନିସ୍ତାର ଭକ୍ତିଯୋଗ ବିନୁ ॥

ମୁଁ ଯେ ବୋଇ‌ଲି ମୋତେ ଭଜ । ସଂସାରେ ସର୍ବକର୍ମ ତେଜ ॥

ତା'ର ପ୍ରସ୍ତାବ ଏବେ ଶୁଣ । ଯେଣେ ଜିଣିବୁ ତିନିଗୁଣ ॥

ଏ ଭାବେ ପ୍ରକୃତି ପ୍ରମାଣ । ତମ ସା‌ତ୍ତ୍ୱିକ ରଜୋଗୁଣ ॥

ଈଶ୍ୱର ନିତ୍ୟ ନିରଞ୍ଜନ । ନିର୍ଗୁଣ ସ‌ତ୍ୟ ସନାତନ ॥

ଏଣେ ତାହାର ନାହିଁ ଭେଦ । ଶୁଣ କ‌ହିବା ତ‌ତ୍ତ୍ୱବୋଧ ॥

ଭକ‌ତି ଲକ୍ଷଣ ଶୟଳେ । ସାଧିବେ ଯେଉଁ ଗୁଣବଳେ ॥

ସାତ୍ତ୍ୱିକ କରି ତୀକ୍ଷ୍‌ଣବଣ । ଜିଣିବ ରଜତମ ଗୁଣ ॥

ନିର୍ମଳ ଚିତ୍ତ ହୃଦେ ଧରି । ଯେବେ ସୁଜନେ ସେବା କରି ॥ ୧୦

ଏ ଭାବେ ସା‌ତ୍ତ୍ୱିକ ନିର୍ଗୁଣ । କର୍ମେ ନାଶନ୍ତି ବେନିଗୁଣ ॥ ୧୧

ନିର୍ଗୁଣ ନିତ୍ୟ ସନାତନ । ସେବିବ ଆଦି ନାରାୟଣ ॥ ୧୨

ତେଣେ ଅଧର୍ମ କ୍ଷୟ ପାଇ । ସାତ୍ତ୍ୱିକ ଜ୍ଞାନ ପ୍ରକାଶଇ ॥ ୧୩

ଜ‌ନ୍ମ ଉଦକ‌କାଳକର୍ମ । ଆଗମଶାସ୍ତ୍ର ପ୍ରଜାଜନ ॥ ୧୪

ନିଶ୍ଚଳଧ୍ୟାନ ମନ୍ତ୍ର ଦେଶ । ଏ ଆଦି ସଂସ୍କାର ବିଶେଷ ॥ ୧୫

ଏଣୁ ଏ ଯେତେ ବସ୍ତୁ ଜାତ । ଜାଣ ତୁ ତ୍ରିଗୁଣେ ଜଡ଼ିତ ॥ ୧୬

ସାତ୍ତ୍ୱିକଭାବେ ଏହା ସାଧି । ସାଧୁ ପଣ୍ତିତ ଶୁଦ୍ଧବୁଦ୍ଧି ॥ ୧୭

ରଜ ତାମସଗୁଣ ଦୁଇ । ଗୁରୁବଚନେ ଦୂରେ ଥୋଇ ॥ ୧୮

ତେବେ ସାତ୍ତ୍ୱିକମୟ ଜ୍ଞାନ। ନିକଟେ ହୋଏ ଉତପନ୍ନ ॥ ୧୯

କେବଳ ପରମାର୍ଥଶାସ୍ତ୍ର । ଅଭ୍ୟାସ କରୁଥିବ ନିତ୍ୟ ॥ ୨୦

ତର୍କ-ପାଷଣ୍ତଶାସ୍ତ୍ର ଯେତେ । ଅଭ୍ୟାସ ନ କରିବ ଚତ୍ତ ॥ ୨୧

ସୁଗନ୍ଧ ସୁଶୀତଳ ବାରି । ସୁଦୂରେ ସ୍ନାନ ପରିହରି ॥ ୨୨

ସାତ୍ତ୍ୱିକମୟ ତୀର୍ଥ ଜଳେ । ସ୍ନାନ ମାର୍ଜନ ସାଧୁମେଳେ ॥ ୨୩

ନିରତେ ଥାଇ ଶୁଦ୍ଧଚିତ୍ତେ । ତମ ରାଜସଜନ ଯେତେ ॥ ୨୪

ତାହାଙ୍କୁ ନ କରିବ ସଙ୍ଗ । ସମୁଦ୍ରେ ଯେସନେ ତରଙ୍ଗ ॥ ୨୫

ପବନ ବଳେ ଜନ୍ମ ହୋଇ । ନିର୍ମଳ ରୂପ ନ ଦିଶଇ ॥ ୨୬

ଏଣୁ ଅସାଧୁ ସଙ୍ଗ ତେଜି । ନିତ୍ୟେ ସାତ୍ତ୍ୱିକ ଭାବେ ଭଜି ॥ ୨୭

ଯେ ପ୍ରାଣୀ ଦ୍ୟୂତକ୍ରୀଡ଼ା ରତ । ଅସାଧୁ ସଙ୍ଗ ଅବିରତ ॥ ୨୮

କେବେହେଁ ନ କରିବ ମେଳେ । ନିଶ୍ଚିନ୍ତେ ରହିବ ନିରୋଳେ ॥ ୨୯

ସା‌ତ୍ତ୍ୱିକମୟ ପୁଣ୍ୟଦେଶେ । ନିବାସ କରିବ ବିଶ୍ୱାସେ ॥ ୩୦

ପୁଣ୍ୟ କରିବ ପୁଣ୍ୟକାଳେ । କାମନା ନ କରିବ ଫଳେ ॥ ୩୧

ସାତ୍ତ୍ୱିକ ବିନା କର୍ମ ଯେତେ । କେବେହେଁ ନ କଳ୍ପିବ ଚିତ୍ତେ ॥ ୩୨

ସାତ୍ତ୍ୱିକ କର୍ମମାତ୍ର କରି । ରଜ ତାମସ ପରିହରି ॥ ୩୩

ଅପରେ ଯେତେ କାମ୍ୟକର୍ମ । ତେଣେ ନୋହିବ ମତିଭ୍ରମ ॥ ୩୪

ବୈଷ୍ଣବଦୀକ୍ଷା ଶିବମତ । କରିବ ହୋଇ ଶୁଦ୍ଧଚିତ୍ତ ॥ ୩୫

ଶାକ୍ତିକ ଆଦି କ୍ଷୁଦ୍ରଦୀକ୍ଷା । କେବେହେଁ ନ କରିବ ଶିକ୍ଷା ॥ ୩୬

ସାତ୍ତ୍ୱିକେ ବିଷ୍ଣୁଧ୍ୟାନ କରି । ଗୃହ ସଂସାର ନ ସୁମରି ॥ ୩୭

ବିଷ୍ଣୁର ମନ୍ତ୍ର ଉପଦେଶେ । ସାତ୍ତ୍ୱିକଜନଙ୍କ ବିଶ୍ୱାସେ ॥ ୩୮

କେବଳ ସାତ୍ତ୍ୱିକ ସଂସାରେ । ଚିତ୍ତ ସାଧିବ ନିରନ୍ତରେ ॥ ୩୯

ଶରୀର କର୍ମମାତ୍ର ଯେତେ । ବାହ୍ୟେ କରିବ ଲୋକମତେ ॥ ୪୦

ଏ ଦଶବିଧି ବସ୍ତୁଜାତ । ଜାଣ ରୁ ତ୍ରିଗୁଣେ ଜଡ଼ିତ ॥ ୪୧

ଏଣୁ ପଣ୍ତିରଜନ ଯେତେ । କର୍ମ ସାଧନ୍ତି ସ‌ତ୍ତ୍ୱମତେ ॥ ୪୨

ସାତ୍ତ୍ୱିକ ସେବା ତ‌ତପରେ । ସ‌ତ୍ତ୍ୱ ବଢ଼ଇ ନିରନ୍ତରେ ॥ ୪୩

ତେଣେ ବିଶୁଦ୍ଧ ହୋଏ ମନ । ନିର୍ମଳ ପ୍ରକାଶଇ ଜ୍ଞାନ ॥ ୪୪

ଯେସନେ ବନେ ବାଂଶ ବାଂଶେ । ଅନଳ ଉପୁଜେ ଘରଷେ ॥ ୪୫

ସେ ବନ ଦ‌ହେ ତେଜବଳେ । ପୁଣି ସେ ଲିଭଇ ନିଶ୍ଚଳେ ॥ ୪୬

ଏ ରୂପେ ଗୁଣମୟ ଦେହ । ଦ‌ହି ସାତ୍ତ୍ୱିକଭାବେ ରହ ॥ ୪୭

ବିଷ୍ଣୁ ସ୍ମରଣେ ଚିତ୍ତ ଜଡ଼ି । ଭଜ ତୁ ସର୍ବଧର୍ମ ଏଡ଼ି ॥ ୪୮

ଏମନ୍ତ ଶୁଣି କୃଷ୍ଣବାଣୀ । ଉଦ୍ଧବ ଯୋଡ଼ି ବେନିପାଣି ॥ ୪୯

ଉଦ୍ଧବ ଉବାଚ

ବୋଲଇ ମନେ ପାଇ ଖେଦ । ଭୋନାଥ ଶୁଣିବା ଗୋବିନ୍ଦ ॥ ୫୦

ବିଷୟ ଆପଦର ସ୍ଥାନ । ଭଲେ ଜାଣନ୍ତି ସ‌ର୍ବଜନ ॥ ୫୧

ସକଳ ଶାସ୍ତ୍ର ମୁଖୁଁ ଶୁଣି । ଗୁରୁ ବଚନ ପରିମାଣି ॥ ୫୨

ଦୁର୍ଜୟ ଲାଳସ ବିଷୟ । ପୁଣି ଭୁଞ୍ଜନ୍ତି କିପାଁ କ‌ହ ॥ ୫୩

ଯେସନେ କରନ୍ତେ ଭର୍ତ୍ସନ । ଉଚ୍ଛିଷ୍ଟ ନ ଛାଡ଼ଇ ଶ୍ୱାନ ॥ ୫୪

ଯେହ୍ନେ ଗଧୁଣୀ ପାଦ ଦୁଇ । ଗଧକୁ ପ୍ରହାରଇ ନେଇ ॥ ୫୫

ଗଧ ଅଜ୍ଞାନ ଭାବ ଦେଖ । ପୁଣି ଧାମଇଁ ତା'ର ପାଖ ॥ ୫୬

ଯେସନେ ଅତି ହିଁ ନିର୍ଲ୍ଲଜ । ପ୍ରାଣ ବିନାଶଠାରେ ଅଜ ॥ ୫୭

ପୂଜାର ବେଲପ‌ତ୍ରିମାନ । ଖାଉଣ ଥାଇ ପୁଣପୁଣ ॥ ୫୮

ଏଣୁ ସଂଶୟ ଚିତ୍ତ ମୋର । ଶୁଣି ବୋଲନ୍ତି ଦାମୋଦର ॥ ୫୯

ଭଗବାନ ଉବାଚ

ଏ ଜୀବ ବ‌ହି ଅହ‌ଙ୍କାର । ବୋଲଇ ଏ ଦେହ ମୋହର ॥ ୬୦

ରଜୋଗୁଣରୁ ଏ ପ୍ରକାଶ । ହୁଅନ୍ତେ ବୁଦ୍ଧି କରେ ଭ୍ରଂଶ ॥ ୬୧

ସଙ୍କଳ୍ପ ବିକଳ୍ପ ଏ ବେନି । ନାନା ବିକାର ମନେ ଘେନି ॥ ୬୨

ବେନି ସଂଯୋଗ ମୋହ ଜଡ଼େ । ନାନା ପ୍ରକାରେ କାମ ବଢ଼େ ॥ ୬୩

କୁମତିଜନଙ୍କର ମନେ । ପ୍ରକାଶେ ନାନା କୁସାଧନେ ॥ ୬୪

ନିରତେ କାମ‌ବଶ ହୋଇ । କର୍ମ କରନ୍ତି ମୋହ ବ‌ହି ॥ ୬୫

ଏମନ୍ତେ ବୁଦ୍ଧି ହୋଏ ଭ୍ରମ । ନ ମଣେ ହାନି ଲାଭ କର୍ମ ॥ ୬୬

କେବଳ ଦୁଃଖ ମାତ୍ର ସାର । ଏ କ‌ଥା ନ ବୁଝେ ପାମର ॥ ୬୭

ମିଥ୍ୟାଭିଳାଷେ ମନ ଗ୍ରସ୍ତ । ରାଜସଗୁଣେ ବିମୋହିତ ॥ ୬୮

ମୁଖେ ଉପମା କେତେ ଦେବା । ଯେଣେ ଭ୍ରମନ୍ତି ସୁରଦେବା ॥ ୬୯

ଏ ରୂପେ ଅନେକ ଭ୍ରମନ୍ତି । ଏ କ‌ଥା ସାଧବେ ବୁଝନ୍ତି ॥ ୭୦

ଏ କ‌ଥା ବୁଝି ସାଧୁଜନ । ମନ କରନ୍ତି ସଞ୍ଜମନ ॥ ୭୧

ବିଷୟ ସଙ୍ଗ ଦୁଃଖରାଶି । ଏଣେ ନୁହଁନ୍ତି ଚିତ୍ତଗ୍ରାସି ॥ ୭୨

ସାତ୍ତ୍ୱିକେ ମୋର ପାଦସେବା । ଏ କ‌ଥା ବୁଝନ୍ତି ସାଧବା ॥ ୭୩

କ୍ରମେ ଅଭ୍ୟାସି ସ‌ତ୍ତ୍ୱଗୁଣ । ସମର୍ପି ମୋ' ଚରଣେ ମନ ॥ ୭୪

ସାତ୍ତ୍ୱିକଗୁଣ ମନେ ଧରି । ସାଧିବେ ଅଳ୍ପ ଅଳ୍ପ କରି ॥ ୭୫

ଅଭ୍ୟାସେ ନ‌ବଦ୍ୱାର ରୁନ୍ଧି । ମନ ପବନ ହୃଦେ ଛନ୍ଦି ॥ ୭୬

ଆହାର ଜିଣିବ ଆସନେ । ମନ ନିବେଶି ମୋର ଧ୍ୟାନେ ॥ ୭୭

ସର୍ବ ବିଷୟରସୁ ମନ । ଅଭ୍ୟାସେ କରିବ ବନ୍ଧନ ॥ ୭୮

ଆନନ୍ଦ-ରଜ୍ଜୁ ଦେଇ ଗଳେ । ବାନ୍ଧିବ ମୋ ପାଦକମଳେ ॥ ୭୯

ପୂର୍ବେ ଏ ଯୋଗ ଅଭ୍ୟାସନେ । ମୁହିଁ କ‌ହିଲି ଶିଷ୍ୟଗଣେ ॥ ୮୦

ସନ‌କ ଆଦି ଚାରିଜଣ । ବିଶେଷେ ବ୍ରହ୍ମାଙ୍କ ନନ୍ଦନ ॥ ୮୧

ସେ ମୋର ତ‌ହୁଁ ଶୁଣି ଏହା । ପରମ‌ଯୋଗରେ ସେନେହା ॥ ୮୨

ଅଭ୍ୟାସ କରି ଏହୁ ଜ୍ଞାନ । ଫିଟିଲା ମାୟାମୋହ ଛନ୍ନ ॥ ୮୩

ଆନନ୍ଦଭାବେ ତରିଗଲେ । ଭଜିଣ ମୋ' ପାଦକମଳେ ॥ ୮୪

ଉଦ୍ଧବ କୃଷ୍ଣବାକ୍ୟ ଶୁଣି । ଭାବେ ବୋଲଇ ମନେ ଗୁଣି ॥ ୮୫

ଉଦ୍ଧବ ଉବାଚ

ଭୋ ନାଥ ପ୍ରଭୁ ଭଗବାନ । ଏଣେ ସଂଶୟ ମୋର ମନ ॥ ୮୬

କାହିଁ ତୁ ବସି କେଉଁଠାବେ । ବ୍ରହ୍ମାର ପୁତ୍ରଙ୍କ ପ୍ରସ୍ତାବେ ॥ ୮୭

କି ରୂପେ ଧରି ତୁ ଶରୀର । ଯୋଗ କ‌ହିଲୁ ଦାମୋଦର ॥ ୮୮

ତୋହର ଦୟା ଯେବେ ମୋତେ । ସେ ଯୋଗ କ‌ହ ମୋ' ଅଗ୍ରତେ ॥ ୮୯

ଏମନ୍ତ ଶୁଣି ତା ବଚନ । ବୋଲନ୍ତି ଦେବକୀନନ୍ଦନ ॥ ୯୦

ଉଦ୍ଧବ ଉବାଚ

ଶୁଣ ଉଦ୍ଧବ ସାଧୁ ଧୀର । ସେ ଚାରି ବ୍ରହ୍ମାଙ୍କ କୁମର ॥ ୯୧

ପିତାର ପାଦେ ହସ୍ତ ଦେଇ । ଯୋଗ ପୁଚ୍ଛିଲେ ଚାରିଭାଇ ॥ ୯୨

ଭୋ ତାତ ଶୁଣି ଦେବବର । ଦୁସ୍ତର ଏ ଭବସାଗର ॥ ୯୩

ପ୍ରାଣୀ ଅଛନ୍ତି ଏଥେ ମଜ୍ଜି । ବିଷ୍ଣୁମାୟାକୁ ସ‌ତ୍ୟ ବୁଝି ॥ ୯୪

ସ୍ଥାବର ଆଦି ଜନ୍ତୁ ଯେତେ । ଏ ମାୟା ତରିବେ କେମନ୍ତେ ॥ ୯୫

ପ୍ରାଣୀଙ୍କ ମନ ମାୟାସଙ୍ଗେ । ନାନା ପ୍ରପଞ୍ଚ ସଂଚେ ରଙ୍ଗେ ॥ ୯୬

ଲାଳସ ବିଷୟ ଗୋଚରେ । ଚିତ୍ତ ନିବେଶି ନିରନ୍ତରେ ॥ ୯୭

ଏଣୁ ବିଷୟ ଚିତ୍ତ ମଧ୍ୟେ । ପ୍ରବେଶ କରେ ଭାବ ଭେଦେ ॥ ୯୮

ଅନ୍ୟୋନ୍ୟ ଭାବେ ଚିତ୍ତ ଜଡ଼େ । କେବେହେଁ ସଙ୍ଗ ତା' ନ ଛାଡ଼େ ॥ ୯୯

ସେ ସଙ୍ଗ ତୁଟଇ କେମନ୍ତେ । ପ୍ରସନ୍ନେ କ‌ହ ତାତ ଏତେ ॥ ୧୦୦

କି ରୂପେ ତାରଣ ଉପାୟେ । ଭୋ ନାଥ ପୁଚ୍ଛୁଁ ତୋ'ର ପାୟେ ॥ ୧୦୧

ପୁତ୍ରଙ୍କ ବାକ୍ୟ ଶୁଣି କର୍ଣ୍ଣେ । ବିଧାତା ବେଦ ଅନୁମାନେ ॥ ୧୦୨

ଚିନ୍ତି ନ ପାରି ଦୁଃଖମନେ । ବସିଲା ନିଶ୍ଚଳ ଆସନେ ॥ ୧୦୩

ସମାଧି କରି ଚିତ୍ତେ ମୋତେ । ସଂଶୟ ଜାଣିବା ନିମନ୍ତେ ॥ ୧୦୪

ବ୍ରହ୍ମାର ଧ୍ୟା‌ନ‌ବଳେ ମୁହିଁ । ମିଳିଲି ହଂସରୂପ ହୋଇ ॥ ୧୦୫

ବ୍ରହ୍ମାଙ୍କୁ ଦେଖା ଦେଲି ତ‌ହିଁ । ତକ୍ଷଣେ ମୋ'ର ରୂପ ଚାହିଁ ॥ ୧୦୬

ବେଗେ ବ୍ରହ୍ମାର ପୁତ୍ରଗଣେ । ନମିଲେ ମୋହର ଚରଣେ ॥ ୧୦୭

ତକ୍ଷଣେ କରି ଅବଧାନ । ମୋତେ ପୁଚ୍ଛିଲେ ବିଦ୍ୟମାନ ॥ ୧୦୮

ଭୋ ହଂସ କେଣେ ତୋ' ବିଶ୍ରାମ । କେ ତୁମ୍ଭେ କିବା ତୁମ୍ଭ ନାମ ॥ ୧୦୯

କିବା କାରଣେ କିସ ଅର୍ଥେ । ଏଥେ ମିଳିଲେ ଶୂନ୍ୟପ‌ଥେ ॥ ୧୧୦

ନିଶ୍ଚେ ଜାଣିବା ଅର୍ଥେ ମୋତେ । ପୁଚ୍ଛିଲେ ବ୍ରହ୍ମା-ଚାରିସୁତେ ॥ ୧୧୧

ତାହାଙ୍କ ପ୍ରଶ୍ନ ମୁହିଁ ଶୁଣି । ଯାହା କ‌ହିଲି ପରିମାଣି ॥ ୧୧୨

ଶୁଣ କ‌ହିବା ତୋ'ର ଆଗେ । ଆତ୍ମା ପ୍ରସନ୍ନ ଅନୁରାଗେ ॥ ୧୧୩

ବସ୍ତୁ ବିଚାରେ ଆତ୍ମା ଏକ । କେବେହେଁ ନୁହଁଇ ଅନେକ ॥ ୧୧୪

ତୁମ୍ଭର ପ୍ରଶନ ପ୍ରସ୍ତାବ । କ‌ହିବା ଯେମନ୍ତେ ଜାଣିବ ॥ ୧୧୫

ସର୍ବଶରୀର ପଞ୍ଚଭୂତେ । ରଚିତ ଏ ମାୟା ଜଗତେ ॥ ୧୧୬

ସକଳ ଦେହେ ଏକ ଧର୍ମ । ସକଳ ଦେହେ ଏକ ବ୍ରହ୍ମ ॥ ୧୧୭

କେ ବୋଲି ପଚାରିଲେ ମୋତେ । ଏ ପ୍ରଶ୍ନ ଘଟିବ କେମନ୍ତେ ॥ ୧୧୮

ତାହା କ‌ହିବା ତୁମ୍ଭେ ଶୁଣ । ମୁହିଁଟି ପ୍ରଭୁ ନାରାୟଣ ॥ ୧୧୯

ହୃଦ‌ୟେ ଯାହା ପରିମାଣି । ଯେ କିଛି ଶୁଣି ମୁଖେ ଭଣି ॥ ୧୨୦

ଇନ୍ଦ୍ରି-ଗୋଚରେ ମନ ବୁଦ୍ଧି । ଯେ ଭୋଗ ବିଷୟ ପ୍ରସିଦ୍ଧି ॥ ୧୨୧

ଏ ସର୍ବ ମୋହର ଆୟତ୍ତ । ମୋ' ବିନୁ କିଛି ନୋହେ ସ‌ତ୍ୟ ॥ ୧୨୨

ମୁଁ ସର୍ବ ବିଷୟ ଗୋଚର । ମୋ ତ‌ହୁଁ ଆତ୍ମା ନୋହେ ପର ॥ ୧୨୩

ବିଷୟ ମୋର ଦେହେ ପଶେ । ତେଣୁ ଇନ୍ଦ୍ରିୟ ରସେ ରସେ ॥ ୧୨୪

ଏ ଦେହ ମାତ୍ର ଚିତ୍ରଗତି । ବିଷ‌ୟ-ବାସନା ସମ୍ଭୂତି ॥ ୧୨୫

ଦୁର୍ଜୟ ବିଷୟ ବାସନା । କେ ତାହା ଖଣ୍ତିପାରେ କିନା ॥ ୧୨୬

ବିଷୟ ସେବନେ ନିରତେ । ମଜ୍ଜଇ ଚିତ୍ତ ଅନୁବ୍ରତେ ॥ ୧୨୭

ବିଷୟ ଧ୍ୟାନେ ଚିତ୍ତ ଜଡ଼େ । ତ୍ରିଗୁଣ ମାୟା ନିତ୍ୟେ ବଢ଼େ ॥ ୧୨୮

ଏଣୁ ଯେ ମୋହର ଚରଣେ । ଆଶ୍ରେ କରନ୍ତି ଦାସ‌ପଣେ ॥ ୧୨୯

ସେ ପ୍ରାଣୀ ବେନି ପରିହରେ । ବିଷୟ ବାସନା ନ ସରେ ॥ ୧୩୦

ଜାଗ୍ରତ ସ୍ୱପନ ସୁଷୁପ୍ତି । ଗୁଣହୁଁ ତିନି ବୁଦ୍ଧି ବୃତ୍ତି ॥ ୧୩୧

ସର୍ବଶରୀରେ ସାକ୍ଷୀରୂପେ । ଏ ଜୀବ ବସଇ ପ୍ରତ୍ୟକ୍ଷେ ॥ ୧୩୨

ଭୂତ-ଭବିଷ୍ୟ-ବର୍ତ୍ତମାନେ । ଏ ଜୀବ ଥାଇ ସର୍ବସ୍ଥାନେ ॥ ୧୩୩

ବସଇ ସକଳ ଶରୀରେ । ଏ ସ‌ତ୍ୟ ଅନ୍ତର ବାହାରେ ॥ ୧୩୪

ସର୍ବ ଶରୀରେ ନିରପେକ୍ଷେ । ମୋ' ରୂପ ଦେଖିବ ପ୍ରତ୍ୟକ୍ଷେ ॥ ୧୩୫

ଅନାଦି ଅବିଦ୍ୟାରେ ବନ୍ଦୀ । କର୍ମ ବାସନା ବଳେ ଛନ୍ଦି ॥ ୧୩୬

ସ‌‌ତ୍ତ୍ୱାଦି ହେତୁ ତିନିଗୁଣ । ଏ ମାୟା ଦେହର କାରଣ ॥ ୧୩୭

ଏମନ୍ତଜାଣଇଁ ସେ ଯେବେ । ତ୍ରିଗୁଣ ବାହାର ସେ ତେବେ ॥ ୧୩୮

ଏଣୁ ନିର୍ଗୁଣ ଆତ୍ମା କରେ । ସକଳ ଜନ୍ମ ପାପ ହରେ ॥ ୧୩୯

ମୋର ଚରଣେ ଚିତ୍ତ ବଳେ । ନିବେଶି ସମାଧି ନିଶ୍ଚଳେ ॥ ୧୪୦

ସ‌ହଜ ଚିତ୍ତ ଦୃଢ଼ କରେ । ବିଷୟରସ ନ ସୁମରେ ॥ ୧୪୧

ବିଅର୍ଥ-ଅହ‌ଙ୍କାରେ ମନ । ଜୀବନ ସଂସାର ବନ୍ଧନ ॥ ୧୪୨

ମାୟାସଂସାର ଘୋରବନେ । ଏ ଜୀବଭ୍ରମେ ଅକାରଣେ ॥ ୧୪୩

ଏଣୁ ପଣ୍ତିତ ସାଧୁଜନ । ମୋ' ଦେହେ ଦେଇ ବୁଦ୍ଧି ମନ ॥ ୧୪୪

ସଂସାର ଚିନ୍ତା ଦୂର କରେ । ଚିତ୍ତେ ମୋ' ଚରଣ ସୁମରେ ॥ ୧୪୫

ଯାବତ ନାନାକର୍ମ ଚିନ୍ତେ । ଏ ଜୀବ ଭ୍ରମଇଁ ନିରତେ ॥ ୧୪୬

ତାବତ ଘୋରଦୁଃଖେ ମନ । ଜାଣି ନ ଜାଣେ ମୂଢ଼ଜନ ॥ ୧୪୭

ଜ୍ଞାନ-ଅଜ୍ଞାନ ମାର୍ଗ ଦୁଇ । ସ୍ୱପ୍ନ ଦୃଷ୍ଟାନ୍ତେ କ‌ହିବଇଁ ॥ ୧୪୮

ଯେସନେ ସ୍ୱପ୍ନେ ନାନା ଅର୍ଥ । ନିଦ୍ରାରେ ମଣେ ତାହା ସ‌ତ୍ୟ ॥ ୧୪୯

ସେ ପୁଣି ନିଦ୍ରା ଅବସାନେ । ସକଳ ମିଥ୍ୟା କରି ମଣେ ॥ ୧୫୦

ସେ ରୂପେ ଦେହ-ଧର୍ମ ଯେତେ । ବର୍ଣ୍ଣ ଆଶ୍ରମ ଅନୁମତେ ॥ ୧୫୧

କର୍ମେ ସ୍ୱର୍ଗାଦି ଫଳ ପାଇ । ଏ ସର୍ବ ସ‌ତ୍ୟ ନୋହେ କେହି ॥ ୧୫୨

ଯେ ପ୍ରାଣୀ ସ୍ଥୂଳ ଦେହଗତେ । ଇନ୍ଦ୍ରିୟଭୋଗ ନାନାମତେ ॥ ୧୫୩

କରଇ ଅନୁକ୍ଷଣେ ପ୍ରୀତି । ଜାଗ୍ରତେ ସ୍ୱପ୍ନେ ତା' ଭୁଞ୍ଜନ୍ତି ॥ ୧୫୪

ଆତ୍ମା ସମ୍ବନ୍ଧ ନାହିଁ ତେଣେ । ଏ ସର୍ବ ଉପାଧି ତ୍ରିଗୁଣେ ॥ ୧୫୫

ଏମନ୍ତ ଅନୁମାନି ଚିତ୍ତେ । ସ‌ହ‌ଜ ଦୁଃଖସୁଖ ପ‌ଥେ ॥ ୧୫୬

ତେଜିଣ ହରଷ ବିଷାଦ । ସଂସାର-ବାସନା-ପ୍ରମାଦ ॥ ୧୫୭

ଅଧର୍ମ କୂଟ ବାଦବୁଦ୍ଧି । ଏ ସର୍ବ ଛେଦ ଜ୍ଞାନ ସାଧି॥ ୧୫୮

ସାଧୁଙ୍କ ମୁଖାମୃତ ବାଣୀ । ଜ୍ଞାନ ଖଡ଼୍‌ଗ କରେ ଘେନି ॥ ୧୫୯

ଗୁରୁବଚନ ଅନୁରାଗେ । ଚିତ୍ତ ବଡ଼ିମା କାଟ ବେଗେ ॥ ୧୬୦

ସର୍ବ ସଂଶୟ ମନୁ ତେଜ । କେବଳ ଭାବେ ମୋତେ ଭଜ ॥ ୧୬୧

ମନ ବିଳାସ ଏ ଜଗତ । ଗ‌ଗନେ ବିଜୁଳି ଯେମନ୍ତ ॥ ୧୬୨

ଅତି ଚଞ୍ଚଳ ଅତି ଲୋଳ । ଯେସନେ ପ୍ରକାଶେ ଅନଳ ॥ ୧୬୩

ଏକ‌ତ୍ୱ ବ୍ରହ୍ମଜ୍ଞାନମୟ । ପ୍ରକାଶେ ବ‌ହୁରୂପ ପ୍ରାୟ ॥ ୧୬୪

ଅନିତ୍ୟ ସଂସାର ଗ‌ହ‌ନ । ଏହା ତୁ ଚିତ୍ତେ ଅନୁମାନ ॥ ୧୬୫

ତୁମ୍ଭେ ଯେ ବୋଲ ସର୍ବଦେହେ । ଏ ଭେଦ ଦୃଷ୍ଟି ସର୍ବଠାଏଁ ॥ ୧୬୬

ଏ ଦୃଷ୍ଟି ନିବର୍ତ୍ତଇ ଯେବେ । ଆତ୍ମା ପ୍ରକାଶ ହୋଏ ତେବେ ॥ ୧୬୭

ଆତ୍ମାର ସୁଖ ପୂର୍ଣ୍ଣକରେ । ଅନ‌ନ୍ତ ବାସନାରୁ ତରେ ॥ ୧୬୮

ସକ‌ଳ ଚେଷ୍ଟା ପରିହରେ । ଆନନ୍ଦସାଗରେ ବି‌ହରେ ॥ ୧୬୯

ଏଣୁ ସେ ଜ୍ଞାନୀଜନ ଯେତେ । ଭଜନ୍ତି ମୋ'ର ପାଦଗତେ ॥ ୧୭୦

ଭକ‌ତିରସ ମଦେ ଲୀନ । ଜଗତେ ସିଦ୍ଧ ଯୋଗୀଜନ ॥ ୧୭୧

କେବଳ ନିଜ ଦେହ ଚିନ୍ତି । ଅଛି କି ନାହିଁ ନ ଜାଣନ୍ତି ॥ ୧୭୨

ମଦ୍ୟପ ଯେହ୍ନେ ମଦ୍ୟ ଖାଇ । ସ‌ତ୍ୟ ଅସ‌ତ୍ୟ ନ ଜାଣଇ ॥ ୧୭୩

କେବଳ ସୁଖ ମଦ୍ୟପାନେ । ଅଜ୍ଞାନେ ଘୃମିତ ଲୋଚନେ ॥ ୧୭୪

ଅଛି କି ନାହିଁ ନିଜ ଦେହୀ । ଉଭୟ ମତ ନ ଜାଣି ॥ ୧୭୫

ଜ୍ଞାନୀ ଏମନ୍ତ ରସେ ରସେ । ସୁଖ ସମୁଦ୍ରେ ନିତ୍ୟେ ଭାସେ ॥ ୧୭୬

ଅଦୃଷ୍ଟବଶ ଏ ଶରୀର। ଯାବତ କର୍ମର ବେଭାର ॥ ୧୭୭

ଏ ଭାବଦେଖି ସିଦ୍ଧଜନେ । ଆଦର ନ କରନ୍ତି ମନେ ॥ ୧୭୮

ସ୍ୱପନ ଅନୁଭବ ମତ । ମଣଇଁ ଜ୍ଞାନୀ ଯୋଗୀ ଚିତ୍ତ ॥ ୧୭୯

ଶୁଣ ହେ ସନ‌କାଦି ଜନ । ତୁମ୍ଭେ ଯେ ବ୍ରହ୍ମାଙ୍କ ନନ୍ଦନ ॥ ୧୮୦

ପରମ ସାଂଖ୍ୟ‌ଯୋଗ ମାର୍ଗ । ଭାବେ କ‌ହିଲି ତୁମ୍ଭ ଆଗ ॥ ୧୮୧

ସର୍ବ ଆଶ୍ରୟ ଯେଣୁ ମୁହିଁ । ଯଜ୍ଞେ ସକ‌ଳ ହବି ଖାଇ ॥ ୧୮୨

ଏଣୁ ମୁଁ ସର୍ବ‌ଯଜ୍ଞପ‌ତି । ମୁଁ ସାଂଖ୍ୟରୂପେ ସ‌ତ୍ୟବ୍ରତୀ ॥ ୧୮୩

ଏ ଧର୍ମ ପ୍ରକାଶ କାରଣେ । ମିଳିଲି ତୁମ୍ଭ ସନ୍ନିଧାନେ ॥ ୧୮୪

ଯେଣୁ ମୁଁ ପରମ ଆଶ୍ରୟ । ସର୍ବ ଜଗ‌ତ ମୋର ଦେହ ॥ ୧୮୫

ସକଳ ଗଜପ‌ତି ସାର । ମୁଁ ଜୀବ ଆତ୍ମାର ଗୋଚର ॥ ୧୮୬

ସାତ୍ତ୍ୱିକ ରଜତମ ଗୁଣ । ମୋର କିଙ୍କର ଏ ପ୍ରମାଣ ॥ ୧୮୭

ସକଳ ଶରୀରେ ମୁଁ ପୂରୀ । ମୁଁ ବନ୍ଧୁପ୍ରିୟ ଅଧିକାରୀ ॥ ୧୮୮

ଅନ‌ନ୍ତଶକ୍ତି ମୁଁ କାରଣ ॥ ମୁଁ ନିରପେ‌କ୍ଷ ମୁଁ ନିର୍ଗୁଣ ॥ ୧୮୯

ଅଣିମା ଆଦି ନିଧି ମୋର । ଏଣୁ ମୁଁ ବୋଲଇ ଈଶ୍ୱର ॥ ୧୯୦

ସକଳ ମୋହର କିଙ୍କର । ଏଣୁ ମୋ' ନାହିଁ ନିଜ ପର ॥ ୧୯୧

ତୁମ୍ଭେ ଯେ ବ୍ରହ୍ମାଙ୍କର ସୂତ । ଏଣୁ ମୁଁ ଜାଣି ତୁମ୍ଭ ଚିତ୍ତ ॥ ୧୯୨

ବ୍ରହ୍ମାର ଧ୍ୟାନ ମନେ କରି । ମିଳିଲି ହଂସରୂପ ଧରି ॥ ୧୯୩

ପରମ‌ଯୋଗ ତୁମ୍ଭ ଆଗେ । ମୁହିଁ କ‌ହିଲି ଅନୁରାଗେ ॥ ୧୯୪

ଏ ଯୋଗ ଶୁଣି ଚିତ୍ତେ ଧର । ସଂସାର ପର୍ଯ୍ୟଟନ କର ॥ ୧୯୫

ଏମନ୍ତେ ପ୍ରଭୁ ବାସୁଦେବ । ବୋଲନ୍ତି ଶୁଣ ହେ ଉଦ୍ଧବ ॥ ୧୯୬

ବ୍ରହ୍ମାର ପୁତ୍ର ଚାରିଜଣ । ସାନନ୍ଦ ଶୁଣି ମୋ' ବଚନ ॥ ୧୯୭

ସର୍ବସଂଶୟ କଲ ଦୂର । ଆନନ୍ଦେ ଧରି ମୋ' ପୟର ॥ ୧୯୮

ସ୍ତୁତି ବଚନ ଅନୁବାଦେ । ଭାବେ ପୂଜିଲେ ମୋ'ର ପାଦେ ॥ ୧୯୯

ବ୍ରହ୍ମାଙ୍କୁ କରି ଅବଧାନ । ମୁଁ ତ‌ହୁଁ ହେଲି ଅନ୍ତର୍ଦ୍ଧାନ ॥ ୨୦୦

ଏମନ୍ତ କ‌ହ‌ନ୍ତେ ଅଚ୍ୟୁତ । ଶୁଣି ଉଦ୍ଧବ କୃତକୃତ୍ୟ ॥ ୨୦୧

ଆନନ୍ଦେ କୃଷ୍ଣପାଦ ଧରି । ରୋମ‌ପୁଲକ ତନୁ କରି ॥ ୨୦୨

ଶ୍ରୀଏକାଦଶେ ଭାଗବତ । ଭକ୍ତିଯୋଗର ଶୁଦ୍ଧତ‌ତ୍ତ୍ୱ ॥ ୨୦୩

କୃଷ୍ଣସନ୍ଦେଶ ବ୍ର‌ହ୍ମରସ । କ‌ହଇ ଦାସ ଜଗନ୍ନାଥ ॥ ୨୦୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଚତୁର୍ଦ୍ଦଶୋଦ୍ଧଧ୍ୟାୟଃ ॥

* * *