ଏକାଦଶ ସ୍କନ୍ଧ
ଚତୁର୍ଦ୍ଦଶ ଅଧ୍ୟାୟ
ଭଗବାନ ଉବାଚ
କହନ୍ତି ପ୍ରଭୁ ଦାମୋଦର । ଶୁଣ ଉଦ୍ଧବ ଜ୍ଞାନସାର ॥ ୧
ନାହିଁ ସଂସାରେ ଅନୁମାନୁ । ନିସ୍ତାର ଭକ୍ତିଯୋଗ ବିନୁ ॥ ୨
ମୁଁ ଯେ ବୋଇଲି ମୋତେ ଭଜ । ସଂସାରେ ସର୍ବକର୍ମ ତେଜ ॥ ୩
ତା'ର ପ୍ରସ୍ତାବ ଏବେ ଶୁଣ । ଯେଣେ ଜିଣିବୁ ତିନିଗୁଣ ॥ ୪
ଏ ଭାବେ ପ୍ରକୃତି ପ୍ରମାଣ । ତମ ସାତ୍ତ୍ୱିକ ରଜୋଗୁଣ ॥ ୫
ଈଶ୍ୱର ନିତ୍ୟ ନିରଞ୍ଜନ । ନିର୍ଗୁଣ ସତ୍ୟ ସନାତନ ॥ ୬
ଏଣେ ତାହାର ନାହିଁ ଭେଦ । ଶୁଣ କହିବା ତତ୍ତ୍ୱବୋଧ ॥ ୭
ଭକତି ଲକ୍ଷଣ ଶୟଳେ । ସାଧିବେ ଯେଉଁ ଗୁଣବଳେ ॥ ୮
ସାତ୍ତ୍ୱିକ କରି ତୀକ୍ଷ୍ଣବଣ । ଜିଣିବ ରଜତମ ଗୁଣ ॥ ୯
ନିର୍ମଳ ଚିତ୍ତ ହୃଦେ ଧରି । ଯେବେ ସୁଜନେ ସେବା କରି ॥ ୧୦
ଏ ଭାବେ ସାତ୍ତ୍ୱିକ ନିର୍ଗୁଣ । କର୍ମେ ନାଶନ୍ତି ବେନିଗୁଣ ॥ ୧୧
ନିର୍ଗୁଣ ନିତ୍ୟ ସନାତନ । ସେବିବ ଆଦି ନାରାୟଣ ॥ ୧୨
ତେଣେ ଅଧର୍ମ କ୍ଷୟ ପାଇ । ସାତ୍ତ୍ୱିକ ଜ୍ଞାନ ପ୍ରକାଶଇ ॥ ୧୩
ଜନ୍ମ ଉଦକକାଳକର୍ମ । ଆଗମଶାସ୍ତ୍ର ପ୍ରଜାଜନ ॥ ୧୪
ନିଶ୍ଚଳଧ୍ୟାନ ମନ୍ତ୍ର ଦେଶ । ଏ ଆଦି ସଂସ୍କାର ବିଶେଷ ॥ ୧୫
ଏଣୁ ଏ ଯେତେ ବସ୍ତୁ ଜାତ । ଜାଣ ତୁ ତ୍ରିଗୁଣେ ଜଡ଼ିତ ॥ ୧୬
ସାତ୍ତ୍ୱିକଭାବେ ଏହା ସାଧି । ସାଧୁ ପଣ୍ତିତ ଶୁଦ୍ଧବୁଦ୍ଧି ॥ ୧୭
ରଜ ତାମସଗୁଣ ଦୁଇ । ଗୁରୁବଚନେ ଦୂରେ ଥୋଇ ॥ ୧୮
ତେବେ ସାତ୍ତ୍ୱିକମୟ ଜ୍ଞାନ। ନିକଟେ ହୋଏ ଉତପନ୍ନ ॥ ୧୯
କେବଳ ପରମାର୍ଥଶାସ୍ତ୍ର । ଅଭ୍ୟାସ କରୁଥିବ ନିତ୍ୟ ॥ ୨୦
ତର୍କ-ପାଷଣ୍ତଶାସ୍ତ୍ର ଯେତେ । ଅଭ୍ୟାସ ନ କରିବ ଚତ୍ତ ॥ ୨୧
ସୁଗନ୍ଧ ସୁଶୀତଳ ବାରି । ସୁଦୂରେ ସ୍ନାନ ପରିହରି ॥ ୨୨
ସାତ୍ତ୍ୱିକମୟ ତୀର୍ଥ ଜଳେ । ସ୍ନାନ ମାର୍ଜନ ସାଧୁମେଳେ ॥ ୨୩
ନିରତେ ଥାଇ ଶୁଦ୍ଧଚିତ୍ତେ । ତମ ରାଜସଜନ ଯେତେ ॥ ୨୪
ତାହାଙ୍କୁ ନ କରିବ ସଙ୍ଗ । ସମୁଦ୍ରେ ଯେସନେ ତରଙ୍ଗ ॥ ୨୫
ପବନ ବଳେ ଜନ୍ମ ହୋଇ । ନିର୍ମଳ ରୂପ ନ ଦିଶଇ ॥ ୨୬
ଏଣୁ ଅସାଧୁ ସଙ୍ଗ ତେଜି । ନିତ୍ୟେ ସାତ୍ତ୍ୱିକ ଭାବେ ଭଜି ॥ ୨୭
ଯେ ପ୍ରାଣୀ ଦ୍ୟୂତକ୍ରୀଡ଼ା ରତ । ଅସାଧୁ ସଙ୍ଗ ଅବିରତ ॥ ୨୮
କେବେହେଁ ନ କରିବ ମେଳେ । ନିଶ୍ଚିନ୍ତେ ରହିବ ନିରୋଳେ ॥ ୨୯
ସାତ୍ତ୍ୱିକମୟ ପୁଣ୍ୟଦେଶେ । ନିବାସ କରିବ ବିଶ୍ୱାସେ ॥ ୩୦
ପୁଣ୍ୟ କରିବ ପୁଣ୍ୟକାଳେ । କାମନା ନ କରିବ ଫଳେ ॥ ୩୧
ସାତ୍ତ୍ୱିକ ବିନା କର୍ମ ଯେତେ । କେବେହେଁ ନ କଳ୍ପିବ ଚିତ୍ତେ ॥ ୩୨
ସାତ୍ତ୍ୱିକ କର୍ମମାତ୍ର କରି । ରଜ ତାମସ ପରିହରି ॥ ୩୩
ଅପରେ ଯେତେ କାମ୍ୟକର୍ମ । ତେଣେ ନୋହିବ ମତିଭ୍ରମ ॥ ୩୪
ବୈଷ୍ଣବଦୀକ୍ଷା ଶିବମତ । କରିବ ହୋଇ ଶୁଦ୍ଧଚିତ୍ତ ॥ ୩୫
ଶାକ୍ତିକ ଆଦି କ୍ଷୁଦ୍ରଦୀକ୍ଷା । କେବେହେଁ ନ କରିବ ଶିକ୍ଷା ॥ ୩୬
ସାତ୍ତ୍ୱିକେ ବିଷ୍ଣୁଧ୍ୟାନ କରି । ଗୃହ ସଂସାର ନ ସୁମରି ॥ ୩୭
ବିଷ୍ଣୁର ମନ୍ତ୍ର ଉପଦେଶେ । ସାତ୍ତ୍ୱିକଜନଙ୍କ ବିଶ୍ୱାସେ ॥ ୩୮
କେବଳ ସାତ୍ତ୍ୱିକ ସଂସାରେ । ଚିତ୍ତ ସାଧିବ ନିରନ୍ତରେ ॥ ୩୯
ଶରୀର କର୍ମମାତ୍ର ଯେତେ । ବାହ୍ୟେ କରିବ ଲୋକମତେ ॥ ୪୦
ଏ ଦଶବିଧି ବସ୍ତୁଜାତ । ଜାଣ ରୁ ତ୍ରିଗୁଣେ ଜଡ଼ିତ ॥ ୪୧
ଏଣୁ ପଣ୍ତିରଜନ ଯେତେ । କର୍ମ ସାଧନ୍ତି ସତ୍ତ୍ୱମତେ ॥ ୪୨
ସାତ୍ତ୍ୱିକ ସେବା ତତପରେ । ସତ୍ତ୍ୱ ବଢ଼ଇ ନିରନ୍ତରେ ॥ ୪୩
ତେଣେ ବିଶୁଦ୍ଧ ହୋଏ ମନ । ନିର୍ମଳ ପ୍ରକାଶଇ ଜ୍ଞାନ ॥ ୪୪
ଯେସନେ ବନେ ବାଂଶ ବାଂଶେ । ଅନଳ ଉପୁଜେ ଘରଷେ ॥ ୪୫
ସେ ବନ ଦହେ ତେଜବଳେ । ପୁଣି ସେ ଲିଭଇ ନିଶ୍ଚଳେ ॥ ୪୬
ଏ ରୂପେ ଗୁଣମୟ ଦେହ । ଦହି ସାତ୍ତ୍ୱିକଭାବେ ରହ ॥ ୪୭
ବିଷ୍ଣୁ ସ୍ମରଣେ ଚିତ୍ତ ଜଡ଼ି । ଭଜ ତୁ ସର୍ବଧର୍ମ ଏଡ଼ି ॥ ୪୮
ଏମନ୍ତ ଶୁଣି କୃଷ୍ଣବାଣୀ । ଉଦ୍ଧବ ଯୋଡ଼ି ବେନିପାଣି ॥ ୪୯
ଉଦ୍ଧବ ଉବାଚ
ବୋଲଇ ମନେ ପାଇ ଖେଦ । ଭୋନାଥ ଶୁଣିବା ଗୋବିନ୍ଦ ॥ ୫୦
ବିଷୟ ଆପଦର ସ୍ଥାନ । ଭଲେ ଜାଣନ୍ତି ସର୍ବଜନ ॥ ୫୧
ସକଳ ଶାସ୍ତ୍ର ମୁଖୁଁ ଶୁଣି । ଗୁରୁ ବଚନ ପରିମାଣି ॥ ୫୨
ଦୁର୍ଜୟ ଲାଳସ ବିଷୟ । ପୁଣି ଭୁଞ୍ଜନ୍ତି କିପାଁ କହ ॥ ୫୩
ଯେସନେ କରନ୍ତେ ଭର୍ତ୍ସନ । ଉଚ୍ଛିଷ୍ଟ ନ ଛାଡ଼ଇ ଶ୍ୱାନ ॥ ୫୪
ଯେହ୍ନେ ଗଧୁଣୀ ପାଦ ଦୁଇ । ଗଧକୁ ପ୍ରହାରଇ ନେଇ ॥ ୫୫
ଗଧ ଅଜ୍ଞାନ ଭାବ ଦେଖ । ପୁଣି ଧାମଇଁ ତା'ର ପାଖ ॥ ୫୬
ଯେସନେ ଅତି ହିଁ ନିର୍ଲ୍ଲଜ । ପ୍ରାଣ ବିନାଶଠାରେ ଅଜ ॥ ୫୭
ପୂଜାର ବେଲପତ୍ରିମାନ । ଖାଉଣ ଥାଇ ପୁଣପୁଣ ॥ ୫୮
ଏଣୁ ସଂଶୟ ଚିତ୍ତ ମୋର । ଶୁଣି ବୋଲନ୍ତି ଦାମୋଦର ॥ ୫୯
ଭଗବାନ ଉବାଚ
ଏ ଜୀବ ବହି ଅହଙ୍କାର । ବୋଲଇ ଏ ଦେହ ମୋହର ॥ ୬୦
ରଜୋଗୁଣରୁ ଏ ପ୍ରକାଶ । ହୁଅନ୍ତେ ବୁଦ୍ଧି କରେ ଭ୍ରଂଶ ॥ ୬୧
ସଙ୍କଳ୍ପ ବିକଳ୍ପ ଏ ବେନି । ନାନା ବିକାର ମନେ ଘେନି ॥ ୬୨
ବେନି ସଂଯୋଗ ମୋହ ଜଡ଼େ । ନାନା ପ୍ରକାରେ କାମ ବଢ଼େ ॥ ୬୩
କୁମତିଜନଙ୍କର ମନେ । ପ୍ରକାଶେ ନାନା କୁସାଧନେ ॥ ୬୪
ନିରତେ କାମବଶ ହୋଇ । କର୍ମ କରନ୍ତି ମୋହ ବହି ॥ ୬୫
ଏମନ୍ତେ ବୁଦ୍ଧି ହୋଏ ଭ୍ରମ । ନ ମଣେ ହାନି ଲାଭ କର୍ମ ॥ ୬୬
କେବଳ ଦୁଃଖ ମାତ୍ର ସାର । ଏ କଥା ନ ବୁଝେ ପାମର ॥ ୬୭
ମିଥ୍ୟାଭିଳାଷେ ମନ ଗ୍ରସ୍ତ । ରାଜସଗୁଣେ ବିମୋହିତ ॥ ୬୮
ମୁଖେ ଉପମା କେତେ ଦେବା । ଯେଣେ ଭ୍ରମନ୍ତି ସୁରଦେବା ॥ ୬୯
ଏ ରୂପେ ଅନେକ ଭ୍ରମନ୍ତି । ଏ କଥା ସାଧବେ ବୁଝନ୍ତି ॥ ୭୦
ଏ କଥା ବୁଝି ସାଧୁଜନ । ମନ କରନ୍ତି ସଞ୍ଜମନ ॥ ୭୧
ବିଷୟ ସଙ୍ଗ ଦୁଃଖରାଶି । ଏଣେ ନୁହଁନ୍ତି ଚିତ୍ତଗ୍ରାସି ॥ ୭୨
ସାତ୍ତ୍ୱିକେ ମୋର ପାଦସେବା । ଏ କଥା ବୁଝନ୍ତି ସାଧବା ॥ ୭୩
କ୍ରମେ ଅଭ୍ୟାସି ସତ୍ତ୍ୱଗୁଣ । ସମର୍ପି ମୋ' ଚରଣେ ମନ ॥ ୭୪
ସାତ୍ତ୍ୱିକଗୁଣ ମନେ ଧରି । ସାଧିବେ ଅଳ୍ପ ଅଳ୍ପ କରି ॥ ୭୫
ଅଭ୍ୟାସେ ନବଦ୍ୱାର ରୁନ୍ଧି । ମନ ପବନ ହୃଦେ ଛନ୍ଦି ॥ ୭୬
ଆହାର ଜିଣିବ ଆସନେ । ମନ ନିବେଶି ମୋର ଧ୍ୟାନେ ॥ ୭୭
ସର୍ବ ବିଷୟରସୁ ମନ । ଅଭ୍ୟାସେ କରିବ ବନ୍ଧନ ॥ ୭୮
ଆନନ୍ଦ-ରଜ୍ଜୁ ଦେଇ ଗଳେ । ବାନ୍ଧିବ ମୋ ପାଦକମଳେ ॥ ୭୯
ପୂର୍ବେ ଏ ଯୋଗ ଅଭ୍ୟାସନେ । ମୁହିଁ କହିଲି ଶିଷ୍ୟଗଣେ ॥ ୮୦
ସନକ ଆଦି ଚାରିଜଣ । ବିଶେଷେ ବ୍ରହ୍ମାଙ୍କ ନନ୍ଦନ ॥ ୮୧
ସେ ମୋର ତହୁଁ ଶୁଣି ଏହା । ପରମଯୋଗରେ ସେନେହା ॥ ୮୨
ଅଭ୍ୟାସ କରି ଏହୁ ଜ୍ଞାନ । ଫିଟିଲା ମାୟାମୋହ ଛନ୍ନ ॥ ୮୩
ଆନନ୍ଦଭାବେ ତରିଗଲେ । ଭଜିଣ ମୋ' ପାଦକମଳେ ॥ ୮୪
ଉଦ୍ଧବ କୃଷ୍ଣବାକ୍ୟ ଶୁଣି । ଭାବେ ବୋଲଇ ମନେ ଗୁଣି ॥ ୮୫
ଉଦ୍ଧବ ଉବାଚ
ଭୋ ନାଥ ପ୍ରଭୁ ଭଗବାନ । ଏଣେ ସଂଶୟ ମୋର ମନ ॥ ୮୬
କାହିଁ ତୁ ବସି କେଉଁଠାବେ । ବ୍ରହ୍ମାର ପୁତ୍ରଙ୍କ ପ୍ରସ୍ତାବେ ॥ ୮୭
କି ରୂପେ ଧରି ତୁ ଶରୀର । ଯୋଗ କହିଲୁ ଦାମୋଦର ॥ ୮୮
ତୋହର ଦୟା ଯେବେ ମୋତେ । ସେ ଯୋଗ କହ ମୋ' ଅଗ୍ରତେ ॥ ୮୯
ଏମନ୍ତ ଶୁଣି ତା ବଚନ । ବୋଲନ୍ତି ଦେବକୀନନ୍ଦନ ॥ ୯୦
ଉଦ୍ଧବ ଉବାଚ
ଶୁଣ ଉଦ୍ଧବ ସାଧୁ ଧୀର । ସେ ଚାରି ବ୍ରହ୍ମାଙ୍କ କୁମର ॥ ୯୧
ପିତାର ପାଦେ ହସ୍ତ ଦେଇ । ଯୋଗ ପୁଚ୍ଛିଲେ ଚାରିଭାଇ ॥ ୯୨
ଭୋ ତାତ ଶୁଣି ଦେବବର । ଦୁସ୍ତର ଏ ଭବସାଗର ॥ ୯୩
ପ୍ରାଣୀ ଅଛନ୍ତି ଏଥେ ମଜ୍ଜି । ବିଷ୍ଣୁମାୟାକୁ ସତ୍ୟ ବୁଝି ॥ ୯୪
ସ୍ଥାବର ଆଦି ଜନ୍ତୁ ଯେତେ । ଏ ମାୟା ତରିବେ କେମନ୍ତେ ॥ ୯୫
ପ୍ରାଣୀଙ୍କ ମନ ମାୟାସଙ୍ଗେ । ନାନା ପ୍ରପଞ୍ଚ ସଂଚେ ରଙ୍ଗେ ॥ ୯୬
ଲାଳସ ବିଷୟ ଗୋଚରେ । ଚିତ୍ତ ନିବେଶି ନିରନ୍ତରେ ॥ ୯୭
ଏଣୁ ବିଷୟ ଚିତ୍ତ ମଧ୍ୟେ । ପ୍ରବେଶ କରେ ଭାବ ଭେଦେ ॥ ୯୮
ଅନ୍ୟୋନ୍ୟ ଭାବେ ଚିତ୍ତ ଜଡ଼େ । କେବେହେଁ ସଙ୍ଗ ତା' ନ ଛାଡ଼େ ॥ ୯୯
ସେ ସଙ୍ଗ ତୁଟଇ କେମନ୍ତେ । ପ୍ରସନ୍ନେ କହ ତାତ ଏତେ ॥ ୧୦୦
କି ରୂପେ ତାରଣ ଉପାୟେ । ଭୋ ନାଥ ପୁଚ୍ଛୁଁ ତୋ'ର ପାୟେ ॥ ୧୦୧
ପୁତ୍ରଙ୍କ ବାକ୍ୟ ଶୁଣି କର୍ଣ୍ଣେ । ବିଧାତା ବେଦ ଅନୁମାନେ ॥ ୧୦୨
ଚିନ୍ତି ନ ପାରି ଦୁଃଖମନେ । ବସିଲା ନିଶ୍ଚଳ ଆସନେ ॥ ୧୦୩
ସମାଧି କରି ଚିତ୍ତେ ମୋତେ । ସଂଶୟ ଜାଣିବା ନିମନ୍ତେ ॥ ୧୦୪
ବ୍ରହ୍ମାର ଧ୍ୟାନବଳେ ମୁହିଁ । ମିଳିଲି ହଂସରୂପ ହୋଇ ॥ ୧୦୫
ବ୍ରହ୍ମାଙ୍କୁ ଦେଖା ଦେଲି ତହିଁ । ତକ୍ଷଣେ ମୋ'ର ରୂପ ଚାହିଁ ॥ ୧୦୬
ବେଗେ ବ୍ରହ୍ମାର ପୁତ୍ରଗଣେ । ନମିଲେ ମୋହର ଚରଣେ ॥ ୧୦୭
ତକ୍ଷଣେ କରି ଅବଧାନ । ମୋତେ ପୁଚ୍ଛିଲେ ବିଦ୍ୟମାନ ॥ ୧୦୮
ଭୋ ହଂସ କେଣେ ତୋ' ବିଶ୍ରାମ । କେ ତୁମ୍ଭେ କିବା ତୁମ୍ଭ ନାମ ॥ ୧୦୯
କିବା କାରଣେ କିସ ଅର୍ଥେ । ଏଥେ ମିଳିଲେ ଶୂନ୍ୟପଥେ ॥ ୧୧୦
ନିଶ୍ଚେ ଜାଣିବା ଅର୍ଥେ ମୋତେ । ପୁଚ୍ଛିଲେ ବ୍ରହ୍ମା-ଚାରିସୁତେ ॥ ୧୧୧
ତାହାଙ୍କ ପ୍ରଶ୍ନ ମୁହିଁ ଶୁଣି । ଯାହା କହିଲି ପରିମାଣି ॥ ୧୧୨
ଶୁଣ କହିବା ତୋ'ର ଆଗେ । ଆତ୍ମା ପ୍ରସନ୍ନ ଅନୁରାଗେ ॥ ୧୧୩
ବସ୍ତୁ ବିଚାରେ ଆତ୍ମା ଏକ । କେବେହେଁ ନୁହଁଇ ଅନେକ ॥ ୧୧୪
ତୁମ୍ଭର ପ୍ରଶନ ପ୍ରସ୍ତାବ । କହିବା ଯେମନ୍ତେ ଜାଣିବ ॥ ୧୧୫
ସର୍ବଶରୀର ପଞ୍ଚଭୂତେ । ରଚିତ ଏ ମାୟା ଜଗତେ ॥ ୧୧୬
ସକଳ ଦେହେ ଏକ ଧର୍ମ । ସକଳ ଦେହେ ଏକ ବ୍ରହ୍ମ ॥ ୧୧୭
କେ ବୋଲି ପଚାରିଲେ ମୋତେ । ଏ ପ୍ରଶ୍ନ ଘଟିବ କେମନ୍ତେ ॥ ୧୧୮
ତାହା କହିବା ତୁମ୍ଭେ ଶୁଣ । ମୁହିଁଟି ପ୍ରଭୁ ନାରାୟଣ ॥ ୧୧୯
ହୃଦୟେ ଯାହା ପରିମାଣି । ଯେ କିଛି ଶୁଣି ମୁଖେ ଭଣି ॥ ୧୨୦
ଇନ୍ଦ୍ରି-ଗୋଚରେ ମନ ବୁଦ୍ଧି । ଯେ ଭୋଗ ବିଷୟ ପ୍ରସିଦ୍ଧି ॥ ୧୨୧
ଏ ସର୍ବ ମୋହର ଆୟତ୍ତ । ମୋ' ବିନୁ କିଛି ନୋହେ ସତ୍ୟ ॥ ୧୨୨
ମୁଁ ସର୍ବ ବିଷୟ ଗୋଚର । ମୋ ତହୁଁ ଆତ୍ମା ନୋହେ ପର ॥ ୧୨୩
ବିଷୟ ମୋର ଦେହେ ପଶେ । ତେଣୁ ଇନ୍ଦ୍ରିୟ ରସେ ରସେ ॥ ୧୨୪
ଏ ଦେହ ମାତ୍ର ଚିତ୍ରଗତି । ବିଷୟ-ବାସନା ସମ୍ଭୂତି ॥ ୧୨୫
ଦୁର୍ଜୟ ବିଷୟ ବାସନା । କେ ତାହା ଖଣ୍ତିପାରେ କିନା ॥ ୧୨୬
ବିଷୟ ସେବନେ ନିରତେ । ମଜ୍ଜଇ ଚିତ୍ତ ଅନୁବ୍ରତେ ॥ ୧୨୭
ବିଷୟ ଧ୍ୟାନେ ଚିତ୍ତ ଜଡ଼େ । ତ୍ରିଗୁଣ ମାୟା ନିତ୍ୟେ ବଢ଼େ ॥ ୧୨୮
ଏଣୁ ଯେ ମୋହର ଚରଣେ । ଆଶ୍ରେ କରନ୍ତି ଦାସପଣେ ॥ ୧୨୯
ସେ ପ୍ରାଣୀ ବେନି ପରିହରେ । ବିଷୟ ବାସନା ନ ସରେ ॥ ୧୩୦
ଜାଗ୍ରତ ସ୍ୱପନ ସୁଷୁପ୍ତି । ଗୁଣହୁଁ ତିନି ବୁଦ୍ଧି ବୃତ୍ତି ॥ ୧୩୧
ସର୍ବଶରୀରେ ସାକ୍ଷୀରୂପେ । ଏ ଜୀବ ବସଇ ପ୍ରତ୍ୟକ୍ଷେ ॥ ୧୩୨
ଭୂତ-ଭବିଷ୍ୟ-ବର୍ତ୍ତମାନେ । ଏ ଜୀବ ଥାଇ ସର୍ବସ୍ଥାନେ ॥ ୧୩୩
ବସଇ ସକଳ ଶରୀରେ । ଏ ସତ୍ୟ ଅନ୍ତର ବାହାରେ ॥ ୧୩୪
ସର୍ବ ଶରୀରେ ନିରପେକ୍ଷେ । ମୋ' ରୂପ ଦେଖିବ ପ୍ରତ୍ୟକ୍ଷେ ॥ ୧୩୫
ଅନାଦି ଅବିଦ୍ୟାରେ ବନ୍ଦୀ । କର୍ମ ବାସନା ବଳେ ଛନ୍ଦି ॥ ୧୩୬
ସତ୍ତ୍ୱାଦି ହେତୁ ତିନିଗୁଣ । ଏ ମାୟା ଦେହର କାରଣ ॥ ୧୩୭
ଏମନ୍ତଜାଣଇଁ ସେ ଯେବେ । ତ୍ରିଗୁଣ ବାହାର ସେ ତେବେ ॥ ୧୩୮
ଏଣୁ ନିର୍ଗୁଣ ଆତ୍ମା କରେ । ସକଳ ଜନ୍ମ ପାପ ହରେ ॥ ୧୩୯
ମୋର ଚରଣେ ଚିତ୍ତ ବଳେ । ନିବେଶି ସମାଧି ନିଶ୍ଚଳେ ॥ ୧୪୦
ସହଜ ଚିତ୍ତ ଦୃଢ଼ କରେ । ବିଷୟରସ ନ ସୁମରେ ॥ ୧୪୧
ବିଅର୍ଥ-ଅହଙ୍କାରେ ମନ । ଜୀବନ ସଂସାର ବନ୍ଧନ ॥ ୧୪୨
ମାୟାସଂସାର ଘୋରବନେ । ଏ ଜୀବଭ୍ରମେ ଅକାରଣେ ॥ ୧୪୩
ଏଣୁ ପଣ୍ତିତ ସାଧୁଜନ । ମୋ' ଦେହେ ଦେଇ ବୁଦ୍ଧି ମନ ॥ ୧୪୪
ସଂସାର ଚିନ୍ତା ଦୂର କରେ । ଚିତ୍ତେ ମୋ' ଚରଣ ସୁମରେ ॥ ୧୪୫
ଯାବତ ନାନାକର୍ମ ଚିନ୍ତେ । ଏ ଜୀବ ଭ୍ରମଇଁ ନିରତେ ॥ ୧୪୬
ତାବତ ଘୋରଦୁଃଖେ ମନ । ଜାଣି ନ ଜାଣେ ମୂଢ଼ଜନ ॥ ୧୪୭
ଜ୍ଞାନ-ଅଜ୍ଞାନ ମାର୍ଗ ଦୁଇ । ସ୍ୱପ୍ନ ଦୃଷ୍ଟାନ୍ତେ କହିବଇଁ ॥ ୧୪୮
ଯେସନେ ସ୍ୱପ୍ନେ ନାନା ଅର୍ଥ । ନିଦ୍ରାରେ ମଣେ ତାହା ସତ୍ୟ ॥ ୧୪୯
ସେ ପୁଣି ନିଦ୍ରା ଅବସାନେ । ସକଳ ମିଥ୍ୟା କରି ମଣେ ॥ ୧୫୦
ସେ ରୂପେ ଦେହ-ଧର୍ମ ଯେତେ । ବର୍ଣ୍ଣ ଆଶ୍ରମ ଅନୁମତେ ॥ ୧୫୧
କର୍ମେ ସ୍ୱର୍ଗାଦି ଫଳ ପାଇ । ଏ ସର୍ବ ସତ୍ୟ ନୋହେ କେହି ॥ ୧୫୨
ଯେ ପ୍ରାଣୀ ସ୍ଥୂଳ ଦେହଗତେ । ଇନ୍ଦ୍ରିୟଭୋଗ ନାନାମତେ ॥ ୧୫୩
କରଇ ଅନୁକ୍ଷଣେ ପ୍ରୀତି । ଜାଗ୍ରତେ ସ୍ୱପ୍ନେ ତା' ଭୁଞ୍ଜନ୍ତି ॥ ୧୫୪
ଆତ୍ମା ସମ୍ବନ୍ଧ ନାହିଁ ତେଣେ । ଏ ସର୍ବ ଉପାଧି ତ୍ରିଗୁଣେ ॥ ୧୫୫
ଏମନ୍ତ ଅନୁମାନି ଚିତ୍ତେ । ସହଜ ଦୁଃଖସୁଖ ପଥେ ॥ ୧୫୬
ତେଜିଣ ହରଷ ବିଷାଦ । ସଂସାର-ବାସନା-ପ୍ରମାଦ ॥ ୧୫୭
ଅଧର୍ମ କୂଟ ବାଦବୁଦ୍ଧି । ଏ ସର୍ବ ଛେଦ ଜ୍ଞାନ ସାଧି॥ ୧୫୮
ସାଧୁଙ୍କ ମୁଖାମୃତ ବାଣୀ । ଜ୍ଞାନ ଖଡ଼୍ଗ କରେ ଘେନି ॥ ୧୫୯
ଗୁରୁବଚନ ଅନୁରାଗେ । ଚିତ୍ତ ବଡ଼ିମା କାଟ ବେଗେ ॥ ୧୬୦
ସର୍ବ ସଂଶୟ ମନୁ ତେଜ । କେବଳ ଭାବେ ମୋତେ ଭଜ ॥ ୧୬୧
ମନ ବିଳାସ ଏ ଜଗତ । ଗଗନେ ବିଜୁଳି ଯେମନ୍ତ ॥ ୧୬୨
ଅତି ଚଞ୍ଚଳ ଅତି ଲୋଳ । ଯେସନେ ପ୍ରକାଶେ ଅନଳ ॥ ୧୬୩
ଏକତ୍ୱ ବ୍ରହ୍ମଜ୍ଞାନମୟ । ପ୍ରକାଶେ ବହୁରୂପ ପ୍ରାୟ ॥ ୧୬୪
ଅନିତ୍ୟ ସଂସାର ଗହନ । ଏହା ତୁ ଚିତ୍ତେ ଅନୁମାନ ॥ ୧୬୫
ତୁମ୍ଭେ ଯେ ବୋଲ ସର୍ବଦେହେ । ଏ ଭେଦ ଦୃଷ୍ଟି ସର୍ବଠାଏଁ ॥ ୧୬୬
ଏ ଦୃଷ୍ଟି ନିବର୍ତ୍ତଇ ଯେବେ । ଆତ୍ମା ପ୍ରକାଶ ହୋଏ ତେବେ ॥ ୧୬୭
ଆତ୍ମାର ସୁଖ ପୂର୍ଣ୍ଣକରେ । ଅନନ୍ତ ବାସନାରୁ ତରେ ॥ ୧୬୮
ସକଳ ଚେଷ୍ଟା ପରିହରେ । ଆନନ୍ଦସାଗରେ ବିହରେ ॥ ୧୬୯
ଏଣୁ ସେ ଜ୍ଞାନୀଜନ ଯେତେ । ଭଜନ୍ତି ମୋ'ର ପାଦଗତେ ॥ ୧୭୦
ଭକତିରସ ମଦେ ଲୀନ । ଜଗତେ ସିଦ୍ଧ ଯୋଗୀଜନ ॥ ୧୭୧
କେବଳ ନିଜ ଦେହ ଚିନ୍ତି । ଅଛି କି ନାହିଁ ନ ଜାଣନ୍ତି ॥ ୧୭୨
ମଦ୍ୟପ ଯେହ୍ନେ ମଦ୍ୟ ଖାଇ । ସତ୍ୟ ଅସତ୍ୟ ନ ଜାଣଇ ॥ ୧୭୩
କେବଳ ସୁଖ ମଦ୍ୟପାନେ । ଅଜ୍ଞାନେ ଘୃମିତ ଲୋଚନେ ॥ ୧୭୪
ଅଛି କି ନାହିଁ ନିଜ ଦେହୀ । ଉଭୟ ମତ ନ ଜାଣି ॥ ୧୭୫
ଜ୍ଞାନୀ ଏମନ୍ତ ରସେ ରସେ । ସୁଖ ସମୁଦ୍ରେ ନିତ୍ୟେ ଭାସେ ॥ ୧୭୬
ଅଦୃଷ୍ଟବଶ ଏ ଶରୀର। ଯାବତ କର୍ମର ବେଭାର ॥ ୧୭୭
ଏ ଭାବଦେଖି ସିଦ୍ଧଜନେ । ଆଦର ନ କରନ୍ତି ମନେ ॥ ୧୭୮
ସ୍ୱପନ ଅନୁଭବ ମତ । ମଣଇଁ ଜ୍ଞାନୀ ଯୋଗୀ ଚିତ୍ତ ॥ ୧୭୯
ଶୁଣ ହେ ସନକାଦି ଜନ । ତୁମ୍ଭେ ଯେ ବ୍ରହ୍ମାଙ୍କ ନନ୍ଦନ ॥ ୧୮୦
ପରମ ସାଂଖ୍ୟଯୋଗ ମାର୍ଗ । ଭାବେ କହିଲି ତୁମ୍ଭ ଆଗ ॥ ୧୮୧
ସର୍ବ ଆଶ୍ରୟ ଯେଣୁ ମୁହିଁ । ଯଜ୍ଞେ ସକଳ ହବି ଖାଇ ॥ ୧୮୨
ଏଣୁ ମୁଁ ସର୍ବଯଜ୍ଞପତି । ମୁଁ ସାଂଖ୍ୟରୂପେ ସତ୍ୟବ୍ରତୀ ॥ ୧୮୩
ଏ ଧର୍ମ ପ୍ରକାଶ କାରଣେ । ମିଳିଲି ତୁମ୍ଭ ସନ୍ନିଧାନେ ॥ ୧୮୪
ଯେଣୁ ମୁଁ ପରମ ଆଶ୍ରୟ । ସର୍ବ ଜଗତ ମୋର ଦେହ ॥ ୧୮୫
ସକଳ ଗଜପତି ସାର । ମୁଁ ଜୀବ ଆତ୍ମାର ଗୋଚର ॥ ୧୮୬
ସାତ୍ତ୍ୱିକ ରଜତମ ଗୁଣ । ମୋର କିଙ୍କର ଏ ପ୍ରମାଣ ॥ ୧୮୭
ସକଳ ଶରୀରେ ମୁଁ ପୂରୀ । ମୁଁ ବନ୍ଧୁପ୍ରିୟ ଅଧିକାରୀ ॥ ୧୮୮
ଅନନ୍ତଶକ୍ତି ମୁଁ କାରଣ ॥ ମୁଁ ନିରପେକ୍ଷ ମୁଁ ନିର୍ଗୁଣ ॥ ୧୮୯
ଅଣିମା ଆଦି ନିଧି ମୋର । ଏଣୁ ମୁଁ ବୋଲଇ ଈଶ୍ୱର ॥ ୧୯୦
ସକଳ ମୋହର କିଙ୍କର । ଏଣୁ ମୋ' ନାହିଁ ନିଜ ପର ॥ ୧୯୧
ତୁମ୍ଭେ ଯେ ବ୍ରହ୍ମାଙ୍କର ସୂତ । ଏଣୁ ମୁଁ ଜାଣି ତୁମ୍ଭ ଚିତ୍ତ ॥ ୧୯୨
ବ୍ରହ୍ମାର ଧ୍ୟାନ ମନେ କରି । ମିଳିଲି ହଂସରୂପ ଧରି ॥ ୧୯୩
ପରମଯୋଗ ତୁମ୍ଭ ଆଗେ । ମୁହିଁ କହିଲି ଅନୁରାଗେ ॥ ୧୯୪
ଏ ଯୋଗ ଶୁଣି ଚିତ୍ତେ ଧର । ସଂସାର ପର୍ଯ୍ୟଟନ କର ॥ ୧୯୫
ଏମନ୍ତେ ପ୍ରଭୁ ବାସୁଦେବ । ବୋଲନ୍ତି ଶୁଣ ହେ ଉଦ୍ଧବ ॥ ୧୯୬
ବ୍ରହ୍ମାର ପୁତ୍ର ଚାରିଜଣ । ସାନନ୍ଦ ଶୁଣି ମୋ' ବଚନ ॥ ୧୯୭
ସର୍ବସଂଶୟ କଲ ଦୂର । ଆନନ୍ଦେ ଧରି ମୋ' ପୟର ॥ ୧୯୮
ସ୍ତୁତି ବଚନ ଅନୁବାଦେ । ଭାବେ ପୂଜିଲେ ମୋ'ର ପାଦେ ॥ ୧୯୯
ବ୍ରହ୍ମାଙ୍କୁ କରି ଅବଧାନ । ମୁଁ ତହୁଁ ହେଲି ଅନ୍ତର୍ଦ୍ଧାନ ॥ ୨୦୦
ଏମନ୍ତ କହନ୍ତେ ଅଚ୍ୟୁତ । ଶୁଣି ଉଦ୍ଧବ କୃତକୃତ୍ୟ ॥ ୨୦୧
ଆନନ୍ଦେ କୃଷ୍ଣପାଦ ଧରି । ରୋମପୁଲକ ତନୁ କରି ॥ ୨୦୨
ଶ୍ରୀଏକାଦଶେ ଭାଗବତ । ଭକ୍ତିଯୋଗର ଶୁଦ୍ଧତତ୍ତ୍ୱ ॥ ୨୦୩
କୃଷ୍ଣସନ୍ଦେଶ ବ୍ରହ୍ମରସ । କହଇ ଦାସ ଜଗନ୍ନାଥ ॥ ୨୦୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ଚତୁର୍ଦ୍ଦଶୋଦ୍ଧଧ୍ୟାୟଃ ॥
* * *