ଏକାଦଶ ସ୍କନ୍ଧ

ତ୍ରୟୋଦଶ ଅଧ୍ୟାୟ

ଭଗବାନ ଉବାଚ

କୃଷ୍ଣ କ‌ହ‌ନ୍ତି ତୋଷଚିତ୍ତେ । ଶୁଣ ଉଦ୍ଧବ କ‌ହୁଁ ତୋତେ ॥

ଯେ' ଧର୍ମ ସାଂଖ୍ୟ କର୍ମ‌ଯୋଗେ । ମୁହିଁ କ‌ହିଲି ବ୍ରହ୍ମ‌ଭାଗେ ॥

ବେଦପ‌ଠନ ତପ ତ୍ୟାଗ । ପୁଣ୍ୟ ସମୂହ ବଇରାଗ୍ୟ ॥

ଏ ଆଦି ପୁଣ୍ୟକର୍ମମାନ । ବିପୁଳ ଘର ଜଳଦାନ ॥

ବିବିଧ ବ୍ରତ ମହାଦାନ । ଯମ ନିୟମ ଦେହାର୍ଚ୍ଚନ ॥

ଧନ ସଞ୍ଚିଣ ଯଜ୍ଞକରେ । ତୀର୍ଥଗମନ ନିରନ୍ତରେ ॥

ନାନା ଉପାୟେ ପ‌ଥ ହେରି । ମୋତେ ନ ପାରେ ବଶ କରି ॥

ଏ ଜୀବ ସାଧୁସଙ୍ଗ ବିନୁ । ଲଭି ନ ପାରେ ମୋର ତନୁ ॥

ସର୍ବ କୁସଙ୍ଗ ଦୋଷ ହରେ । ଯେ ନିତ୍ୟେ ସାଧୁସଙ୍ଗ କରେ ॥

ଯେ' ଅବା ପ‌ତିତ ପାମର । ସ‌ତ୍‌ସଙ୍ଗେ ତରେ ଭବଘୋର ॥ ୧୦

ଦୈତ୍ୟ ଦାନ‌ବ ଖଗ ମୃଗ । ଦନ୍ଧର୍ବ ଅପସରା ନାଗ ॥ ୧୧

ସିଦ୍ଧ ଚାରଣ ବିଦ୍ୟାଧର । ପକ୍ଷ ଗୁହ୍ୟକ ଯେ କିନ୍ନର ॥ ୧୨

ସ୍ତ୍ରୀ ଶୂଦ୍ର ପ‌ତିତ ଚାଣ୍ତାଳେ । ତରିଲେ ସାଧୁସଙ୍ଗ ମେଳୈ ॥ ୧୩

ସ୍ୱଭାବେ ରଜତମେ ଥା'ନ୍ତି । ସାଧୁସଙ୍ଗମେ ମୋତେ ପା'ନ୍ତି ॥ ୧୪

ଉଦ୍ଧବ କ‌ହୁଁ ତୋ' ଅଗ୍ରତେ । ସ‌ତ୍‌ସଙ୍ଗେ ତରିଗଲେ ଯେତେ ॥ ୧୫

ପୂର୍ବେ ଯେ ବୃଷ‌ପର୍ବା ବଳି । ତରିଲେ ସାଧୁସଙ୍ଗେ ମିଳି ॥ ୧୬

ବାଣ ମୟ ଯେ ବିଭୀଷଣ । ସୁଗ୍ରୀ ଜାମ୍ବବ ହ‌ନୁମାନ ॥ ୧୭

ଗଜ ଜଟାୟୁ ତୁଳାଧର । ପ୍ରହ୍ଲାଦ ବୃତ୍ର ଯେ ଅସୁର ॥ ୧୮

ଲୁବ୍ଧକ କଂସର କୁବୁଜୀ । ସ‌ତ୍‌ସଙ୍ଗେ ମୋ'ର ପାଦେ ଭଜି ॥ ୧୯

ଯଜ୍ଞକାମିନୀ ବ୍ରଜନାରୀ । ସାଧୁସଙ୍ଗମେ ଗଲେ ତରି ॥ ୨୦

ସ୍ୱଭାବେ ସ୍ତିରୀଜନ୍ମ ହୋନ୍ତି । ବେଦ ପୁରାଣ ନ ଜାଣନ୍ତି ॥ ୨୧

ମହାନ୍ତେ ନ କରନ୍ତି ସେବା । ସେ ନ ପୂଜନ୍ତି ଯଜ୍ଞଦେବା ॥ ୨୨

କେବଳ ସାଧୁସଙ୍ଗ ଫଳେ । ମୋତେ ପାଇଲେ ଅନ୍ତଃକାଳେ ॥ ୨୩

ଜାରପୁରୁଷ ଭାବେ ମୋତେ । ନିତ୍ୟେ ଭାବିଲେ ଅନ୍ତର୍ଗତେ ॥ ୨୪

ଏଣୁ ତରିଲେ ବ୍ରଜନାରୀ । ଆନନ୍ଦେ କ‌ହିଲେ ମୁରାରି ॥ ୨୫

କୀଟ ପ‌ତଙ୍ଗ ପଶୁ ମୃଗ । ସାଧୁସଙ୍ଗମେ ମୋକ୍ଷ ଯୋଗ ॥ ୨୬

ଭ‌କ‌ତିବଳେ ସାଧୁମେଳେ । ସେ ମୋତେ ଲଭିଲେ ନିଶ୍ଚଳେ ॥ ୨୭

ଯୋଗୀନ୍ଦ୍ର ବିପ୍ର ମୁନିଗଣେ । ଧ୍ୟାନେ ଚିନ୍ତନ୍ତି ମୋ' ଚରଣେ ॥ ୨୮

ନ ପାଇ ସାଂଖ୍ୟ‌ଯୋଗେ ଫୁଟି । ବିବିଧ ଦାନ ବ୍ରତ କୋଟି ॥ ୨୯

ଏ ଆଦି ଚିତ୍ତ ବଇରାଗ୍ୟେ । ସନ୍ୟାସଭାବେ ସର୍ବତ୍ୟାଗେ ॥ ୩୦

ଉପାୟ କରି ନାନାମତେ । ସେ ମୋତେ ଲଭିବେ କେମନ୍ତେ ॥ ୩୧

ଯେ ସାଧୁସଙ୍ଗକୁ କ‌ରଇ । ସେ ତରେ ଭକ୍ତିଭାବ ପାଇ ॥ ୩୨

ଏଣୁ ସାଧୁଙ୍କ ସଙ୍ଗ କରି । ମାୟା ତରିଲେ ଗୋପନାରୀ ॥ ୩୩

ସାଧୁସଙ୍ଗମେ ମାୟା ହତ । ଶୁଣ ଉଦ୍ଧବ କ‌ହୁଁ ତ‌ତ୍ତ୍ୱ ॥ ୩୪

ଅକ୍ରୂର ଯେତେବେଳେ ମୋତେ । ମଥୁରା ଘେନିଗଲା ରଥେ ॥ ୩୫

ରାମ ସଙ୍ଗତେ ମୋତେ ଦେଖି । ସ‌କଳ ସଂସାର ଉପେକ୍ଷି ॥ ୩୬

ମୋ'ର ବିଯୋଗେ ବ୍ରଜନାରୀ । ଶୋକସାଗରେ ଜ୍ଞାନ‌ହାରି ॥ ୩୭

ମୋ'ର ଚରଣେ ଅନୁରାଗେ । ଚିତ୍ତ ବୁଡ଼ାଇ ପ୍ରେମ‌ଭାଗେ ॥ ୩୮

ଧରି ନ ପାରି ହୃଦ-ମନ । ଶୂନ୍ୟ ଦେଖିଲେ ତ୍ରିଭୁବନ ॥ ୩୯

ରାସ-ଉତ୍ସବେ ମୋ'ର ସଙ୍ଗେ । ଯେତେ ରଜନୀ ବନ‌ଭାଗେ ॥ ୪୦

ବଞ୍ଚିଲେ ଗୋପର ତରୁଣୀ । ତିଳାର୍ଦ୍ଧ ପ୍ରାୟ ତାହା ମଣି ॥ ୪୧

ଏକ ରଜନୀ ମୋ' ବିଯୋଗେ । ମଣିଲେ କୋଟି କଳ୍ପ‌ଯୁଗେ ॥ ୪୨

ମୋ' ବିନୁ ନ ଜାଣନ୍ତି ଆନ । ମୋ' ପାଦେ ତନୁ ପ୍ରାଣ ମନ ॥ ୪୩

ନିବେଦି ତନୁ ପାସୋରିଲେ । ରାତ୍ର ଦିବସ ନ ଜାଣିଲେ ॥ ୪୪

ମୋତେ ନ ପାଇ କେଉଁସ୍ଥାନ । ଦେଖନ୍ତି ତ୍ରିଭୁବନ ଶୂନ୍ୟ ॥ ୪୫

ସେ ଯେହ୍ନେ କରନ୍ତି ମୋ' ସେବା । ତ‌ହିଁକି ଉପଲକ୍ଷ୍ୟ ଦେବା ॥ ୪୬

ଗିରି ଗ‌ହ‌ନ ଘୋରବନେ । ସମାଧି ବସି ଯୋଗୀଜନେ ॥ ୪୭

ଦେହ ସଂସାର ପାସୋରନ୍ତି । ନିର୍ମଳଜ୍ଞାନେ ଦେଇ ମତି ॥ ୪୮

ଦେଖ ଏ ଯେତେ ନ‌ଦନ‌ଦୀ । ପ୍ରବାହେ ମିଳନ୍ତି ଜଳଧି ॥ ୪୯

ଲବଣ ଜଳେ ସେ ମିଶନ୍ତି । ସ୍ୱନାମ ଗୁଣ ପାସୋରନ୍ତି ॥ ୫୦

ଗୋପକାମିନୀ ସେହିମତେ । ମନ ବଚନ ଦେଇ ମୋତେ ॥ ୫୧

ଦେହ-ସଂସାର ପାସୋରିଲେ । ଜନ୍ମ-ମରଣୁଁ ନିସ୍ତରିଲେ ॥ ୫୨

ଜାରପୁରୁଷଭାବେ ମୋହେ । ମୋତେ ନ ଜାଣନ୍ତି ନିଶ୍ଚୟେ ॥ ୫୩

ପରମ‌ବ୍ରହ୍ମ ମୁଁ ସ୍ୱଭାବେ । ଅନ୍ତେ ପଶିଲେ ମୋ'ର ଠାବେ ॥ ୫୪

ଏଣୁ ଏ ସାଧୁଙ୍କ ସଙ୍ଗମ । ତାରଇ ସ୍ଥାବର ଜଙ୍ଗମ ॥ ୫୫

ଏ ବୋଲ ବୁଝ ହେ ଉଦ୍ଧବ । ମୋ'ର ଚରଣେ କର ଭାବ ॥ ୫୬

ବିଧି ନିଷେଧ ଆଦିକର୍ମ । ଛାଡ଼ି ସକଳ ଲୋକ ଧର୍ମ ॥ ୫୭

ପ୍ରବୃତ୍ତି ନିବୃତ୍ତି ଏ ବେନି । ଦୃଷ୍ଟି ଶ୍ରବଣେ ଅନୁମାନି ॥ ୫୮

ସକଳ ଛାଡ଼ି ଜ୍ଞାନ‌ବଳେ । ଭଜ ତୁ ମୋ' ପାଦକମଳେ ॥ ୫୯

ମୁହିଁ ସେ ମହାମହେଶ୍ୱର । ସକଳ ଆତ୍ମା ମୋ' ଗୋଚର ॥ ୬୦

ତୁ ଏକଭାବେ ଯେତେ ଭାବୁ । ତେବେ ଏ ସଂସାରୁ ତରିବୁ ॥ ୬୧

ଶରଣ ପଶ ମୋର ପାଦେ । ନ ଡ଼ର ବିଷୟା ବିଷାଦେ ॥ ୬୨

ଯେ ମୋର ଚରଣ ଚିନ୍ତଇ । ସଂସାରେ ତା'ର ଭୟ ନାହିଁ ॥ ୬୩

ଏମନ୍ତ ଗୋବିନ୍ଦର ବାଣୀ । ଉଦ୍ଧବ ଭୟ କଲା ଶୁଣି ॥ ୬୪

କୃଷ୍ଣଚରଣ ତଳେ ପଡ଼ି । ବୋଲଇ ବେନିକର ଯୋଡ଼ି ॥ ୬୫

ଉଦ୍ଧବ ଉବାଚ

ଭୋ ନାଥ ତୋହର ବଚନ । ଶୁଣି ସଂଶୟ ମୋ'ର ମନ ॥ ୬୬

ତୁ ଏବେ କ‌ଥା ଅନୁସାରେ । ବୋଇଲୁ କର୍ମ ତେଜିବାରେ ॥ ୬୭

ପୁଣି ବୋଇଲୁ ଭଜ ମୋତେ । ଏଣୁ ମୁଁ ଭ୍ରାନ୍ତି କଲି ଚିତ୍ତେ ॥ ୬୮

କି କର୍ମ କଲେ ନରହରି । ପ୍ରାଣୀ ସଂସାରୁ ଯା'ନ୍ତି ତରି ॥ ୬୯

କି କର୍ମ ତେଜି ଭବୁଁ ପାର । କ‌ହ କ‌ହ କମଳାର ବର ॥ ୭୦

ଏ ବେନି ସଂଶୟ ମୋ' ଖେଦ । ଜ୍ଞାନ ଖଡ଼ଗେ ନାଥ ଛେଦ ॥ ୭୧

ଗୋବିନ୍ଦ କମଳ‌ଲୋଚନ । ପାପ ମୋ' କର ବିମୋଚନ ॥ ୭୨

ମୋ' ଘରେ ଜ୍ଞାନ‌ଦୀପ ଜାଳି । ଅଜ୍ଞାନ ଖଣ୍ତ ବନମାଳୀ ॥ ୭୩

ଉଦ୍ଧବ ବାକ୍ୟେ ଯଦୁପ‌ତି । କ‌ହ‌ନ୍ତି ଜୀବାଆତ୍ମା ଗତି ॥ ୭୪

ଭଗବାନ ଉବାଚ

ଶୁଣ ହେ ଭକ‌ତନିପୁଣ । ଏ ଜୀବ ସ୍ୱଭାବେ ନିର୍ଗୁଣ ॥ ୭୫

ଈଶ୍ୱର ନିରଞ୍ଜନ ଏହି । ମାୟା ଶୟଳେ ଦେହ ବ‌ହି ॥ ୭୬

ଯେଣୁ ଅବିଦ୍ୟାବନ୍ଧ ତା'ର । ଏ ଘେନି କର୍ମେ ଅଧିକାର ॥ ୭୭

ବିଧି ନିଷେଧ ଏଣୁ କରି । ସୁକର୍ମ କୁକର୍ମ ବିଚାରି ॥ ୭୮

ଏଣୁ କେବଳ ମୋକ୍ଷଲାଭେ । କର୍ମ କରିବ ଶୁଦ୍ଧଭାବେ ॥ ୭୯

ଏମ‌ନ୍ତେ ସାଧି ଶୁଦ୍ଧକର୍ମ । ଲଭେ ଭକ‌ତି ତୁଟେ ଭ୍ରମ ॥ ୮୦

ଭ‌କ‌ତି ଉପୁଜିବ ଯେବେ । ଛାଡ଼ିବ ସର୍ବକର୍ମ ତେବେ ॥ ୮୧

ଏ ଭାବେ ଥିଲେ ହେ ଉଦ୍ଧବ । କର୍ମ ଲକ୍ଷିତ ଶୁଭାଶୁଭ ॥ ୮୨

ଜୀବର ନୁହଇ ବନ୍ଧନ । କ‌ହିଲେ ଯଶୋଦାନ‌ନ୍ଦନ ॥ ୮୩

ଏବେ ତୁ ଶୁଣ ମୋ' ବିଚାର । ଜୀବ ଆତ୍ମାର ମୋକ୍ଷଦ୍ୱାର ॥ ୮୪

ଏ ଜୀବଆତ୍ମା ମହେଶ୍ୱର । ସୂକ୍ଷ୍ମ ନିର୍ମଳ ନିରାକାର ॥ ୮୫

ପୁରାଣପୁରୁଷ ଏ ଆଦି । ଦେହେ ପ୍ରକାଶେ ଚକ୍ରଭେଦି ॥ ୮୬

ପ୍ରଥମ ଚକ୍ର ସୂକ୍ଷ୍ମରୂପ । ଦ୍ୱିତୀୟେ ପ୍ରକାଶେ ଅଳପ ॥ ୮୭

ତ‌ହୁଁ ଅଧିକ ମଣିପୁରେ । ପ୍ରକାଶେ ଅନାହତ ଦ୍ୱାରେ ॥ ୮୮

ମୃଣାଳସୂତ୍ର ମାର୍ଗେ ଜ୍ୟୋତି । ଧ୍ୟାନ ଅଭ୍ୟାସେ ଯାହା ଚିନ୍ତି ॥ ୮୯

ଚକ୍ରପବନ ମହାବଳୀ । ମନ ପବନ ସଙ୍ଗେତୋଳି ॥ ୯୦

ବିଶୁଦ୍ଧଚକ୍ର ରନ୍ଧ୍ରଦେଶେ । ଆସନ ଦୃଢ଼ବନ୍ଧ ପାଶେ ॥ ୯୧

ପ୍ରାଣକୁ ବ୍ରହ୍ମରନ୍ଧ୍ରେ ଥୋଇ । ନିଶ୍ଚଳ ଧ୍ୟାନେ ମନ ଦେଇ ॥ ୯୨

ତେବେ ତୁ ଦେଖିବୁ ସାକ୍ଷାତେ । ଆତ୍ମାର ରୂପ ଦୃଷ୍ଟିମାତ୍ରେ ॥ ୯୩

ଅଗ୍ନି ଯେସନେ ଥାଏ ଶୂନ୍ୟେ । କେବଳ ଉଷ୍ମ ଅନୁମାନେ ॥ ୯୪

ଲୌହ ପାଷାଣ ଘରଷଣ । ସଂଯୋଗେ ଉଠେ ଅଗ୍ନିକଣ ॥ ୯୫

ଯତ୍ନେ ସମିଧ ଦେଲେ ତ‌ହିଁ । ସ୍ୱଭାବେ ଶିଖା ପ୍ରକାଶଇ ॥ ୯୬

ପୁଣି ପାଇଲେ ଘୃତଧାର । ଜଳଇ ଅତି ବଳୀୟାର ॥ ୯୭

ଏ ରୂପେ ଆତ୍ମା ସୂକ୍ଷ୍ମ‌ବାଣୀ । ବେଦବଚନେ ପରିମାଣି ॥ ୯୮

ସେ ଷଡ଼ଚକ୍ର ଭେଦି ସ୍ଫୁରେ । ଶବଦ ଦ୍ୱାଦଶ ପ୍ରକାରେ ॥ ୯୯

ଏ ଅନାହତ ପୁରେ ସ୍ଥିତି । ଜୀବ ଆତ୍ମାର ତ‌ତ୍ତ୍ୱ ଗତି ॥ ୧୦୦

ଏ ଜୀବ ସୃଷ୍ଟି ପ୍ରକରଣେ । ଯେ ଏକାଦଶ ଇନ୍ଦ୍ରିଗଣେ ॥ ୧୦୧

କେ ଜ୍ଞାନମାର୍ଗରେ ସଞ୍ଚରେ । କେ କର୍ମ‌ପ‌ଥରେ ପ୍ରଚରେ ॥ ୧୦୨

ମନ ସଙ୍କଳ୍ପେ ବୁଦ୍ଧି ଚିନ୍ତି । ଯେ ଅଭିମାନେ ଅହଂକୃତି ॥ ୧୦୩

ରଜ ତମସ ସ‌ତ୍ତ୍ୱଗୁଣ । ମାୟାର ବିକାର ଏ ପୁଣ ॥ ୧୦୪

ଉଦ୍ଧବେ କ‌ହିଲେ ଶ୍ରୀପ‌ତି । ଜାଣ ତୁ ଏହିରୂପେ ଚିନ୍ତି ॥ ୧୦୫

ସେ ନିତ୍ୟ ସନାତନ ହରି । ଅନ‌ନ୍ତ ଶକ୍ତି ଅଛି ଧରି ॥ ୧୦୬

ପ୍ରଥମେ ଏକରୂପ ତା'ର । ଅନାଦି ଅବ୍ୟକ୍ତ ଈଶ୍ୱର ॥ ୧୦୭

ସେ ନିଜ ଶକ୍ତିଭାବ ବଳେ । ଅଶେଷରୂପ ଏ ଶୟଳେ ॥ ୧୦୮

ପ୍ରକାଶ କରି ନିଜ ଶକ୍ତି । ମାୟାସଂଯୋଗେ ନାନାମୂର୍ତ୍ତି ॥ ୧୦୯

ସେ ଯେବେ ରଜୋଗୁଣେ ମିଶେ । ତା' ତ‌ହୁଁ ସଂସାର ପ୍ରକାଶେ ॥ ୧୧୦

ସୃଷ୍ଟି ପାଳଇ ସ‌ତ୍ତ୍ୱେ ମିଶି । ତାମସଗୁଣେ ତାହା ନାଶି ॥ ୧୧୧

ଈଶ୍ୱର ମାୟାଲୀଳା କରି । ଖେଳଇ ଜଗତ ଆବୋରି ॥ ୧୧୨

ସେ ଏକରୂପ ଭଗବାନ । ତା' ତ‌ହୁଁ ସୃଷ୍ଟି ନୋହେ ଭିନ୍ନ ॥ ୧୧୩

ସୂତ୍ରେ ପାଷାଣ ଗୁନ୍ଥି ଯେହ୍ନେ । ସୂତ୍ରେ ବସନ ଅନୁମାନେ ॥ ୧୧୪

ଏ ରୂପେ ଜଗତ ଗ୍ରନ୍ଥନ । ଅନ୍ତର ବାହ୍ୟେ ଭଗବାନ ॥ ୧୧୫

ଅନାଦି ଅରୂପ ପ୍ରତ୍ୟକ୍ଷ । ସଂସାର ରୂପ କଳ୍ପବୃକ୍ଷ ॥ ୧୧୬

କର୍ମ ଏହାର ମୂଳବୀଜ । ରଜ ସଂଯୋଗେ ମହାତେଜ ॥ ୧୧୭

ବଢଇ ଫଳ ପୁଷ୍ପ ଘେନି । ବିଭୋଗ ଅପବର୍ଗ ବେନି ॥ ୧୧୮

ପୁଣ୍ୟ-ପାତକ ରଜବୀର୍ଯ୍ୟେ । ବୃକ୍ଷ ଅଙ୍କୁରି ଉଠେ ତେଜେ ॥ ୧୧୯

ଅନ‌ନ୍ତ ବାସନାର ମୂଳେ । ଏ ବୃକ୍ଷ ସ୍ଥାପନା ନିଶ୍ଚଳେ ॥ ୧୨୦

ଏ ତିନି ନାଡ଼ ତିନିଗୁଣେ । ବୃକ୍ଷର ନିର୍ମାଣ କାରଣେ ॥ ୧୨୧

ଏ ପଞ୍ଚଡ଼ାଳ ପଞ୍ଚଭୂତେ । ପଞ୍ଚବିଷୟ ରସ‌ଯୁତେ ॥ ୧୨୨

ଶାଖା ସମୂହ ଇନ୍ଦ୍ରିଗଣେ । ଏ ନିତ୍ୟେ ଥା'ନ୍ତି ମାୟାବଣେ ॥ ୧୨୩

ଉପରେ ବେନିପକ୍ଷୀ ନିତ୍ୟେ । ବସନ୍ତି ରକ୍ଷା ଭୋଗ ଅର୍ଥେ ॥ ୧୨୪

ବାତ ପିତ୍ତ ଯେ କଫ ଘେନି । ବୃକ୍ଷର ବକ୍କଳ ଏ ତିନି ॥ ୧୨୫

ଯେ ସୁଖ ଦୁଃଖ ବେନି ଫଳେ । ପକ୍ଷୀଏ ଭୁଞ୍ଜନ୍ତି ତା' ବଳେ ॥ ୧୨୬

ଲତା ବେଷ୍ଟିତେ ତରୁକ୍ଷୀଣ । କଳ୍ପେ ପର୍ଯ୍ୟନ୍ତେ ତା' ଜୀବନ ॥ ୧୨୭

ଯାବତ ଚନ୍ଦ୍ର ସୂର୍ଯ୍ୟ ଦିଶେ । ତାବତ ଏ ବୃକ୍ଷ ପ୍ରକାଶେ ॥ ୧୨୮

ଏକଇ ପ‌ଥୀ ତା'ର ଫଳ । ଭୁଞ୍ଜଇ ନିତ୍ୟେ ମହାବଳ ॥ ୧୨୯

ସେ ଫଳ ଖାଇ ମତ୍ତଭୋଳେ । ନିରତେ ପଶେ ନାନାଘରେ ॥ ୧୩୦

ଆର ପକ୍ଷୀଏ ଥାଇ ଭୋକେ । ସ‌କଳ ସାକ୍ଷୀ ରୂପେ ଦେଖେ ॥ ୧୩୧

ବୃକ୍ଷର ଫଳ ଯେ ଭୁଞ୍ଜଇ । କିରାତ ଜାଲେ ସେ ପଡ଼ଇ ॥ ୧୩୨

ଏକଇ ବ୍ରହ୍ମ ନାନାରୂପେ । ଭ୍ରମଇ ମାୟାମୟ କଳ୍ପେ ॥ ୧୩୩

ସେ ଯେବେ ଜାଣେ ବେଦସାର । ସଂସାରେ ଭ୍ରମ କାହିଁ ତା'ର ॥ ୧୩୪

ଏହା ତ ବୁଝି ହେ ଉଦ୍ଧବ । ଉତ୍ତମ ଗୁରୁପାଦେ ସେବ ॥ ୧୩୫

ଭକ୍ତି-କୁଠାରେ ଦୁର୍ବାସନା । ଛେଦ ତୁ ଗୁରୁବାକ୍ୟେ ସିନା ॥ ୧୩୬

ଆତ୍ମାକୁ ଜାଣି ସାବଧାନେ । ଗୁରୁବଚନ ଅନୁମାନେ ॥ ୧୩୭

ସାଧ‌ନ‌କର୍ମ ଛାଡ଼ି ଚିତ୍ତେ । ଭଜ ତୁ ମୋର ପାଦଗତେ ॥ ୧୩୮

କ‌ହଇ ଦାସ ଜଗନ୍ନାଥ । ଶ୍ରୀଏକାଦଶେ ଭାଗବତ ॥ ୧୩୯

ଜୀବର ଗତି ଅନୁଭବ । ଉଦ୍ଧବେ କ‌ହିଲେ ମାଧବ ॥ ୧୪୦

ଏ ବ୍ରହ୍ମ‌ପ୍ରେମ ତର‌ଙ୍ଗିଣୀ । ସୁଜନେ ତର ଏହା ଶୁଣି ॥ ୧୪୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ତ୍ରୟୋଦଶୋଦ୍ଧଧ୍ୟାୟଃ ॥

* * *