ଏକାଦଶ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
ଶୁଣିଣ ଉଦ୍ଧବ ବଚନ । ବୋଲନ୍ତି ଶ୍ରୀମଧୁସୂଦନ ॥ ୧
ଭଗବାନ ଉବାଚ
ତୁ ଯାହା କଲୁ ହେ ପ୍ରଶନ । ଜୀବ ଆତ୍ମାର ତତ୍ତ୍ୱଜ୍ଞାନ ॥ ୨
ଜୀବର ବନ୍ଧ-ମୋକ୍ଷ ବେନି । ବିଚାରୁ ଯେତେ ଶାସ୍ତ୍ରଘେନି ॥ ୩
କେହି ନ ପା'ନ୍ତି ତା'ର ଅନ୍ତ । ତେଣୁ ସେ ବୋଲାଇ ଅନନ୍ତ ॥ ୪
ତ୍ରିଗୁଣେ ବନ୍ଧ-ମୋକ୍ଷ ହୋଇ । ଯେଣୁ ସେ ଗୁଣ ମାୟାମୟୀ ॥ ୫
ବସ୍ତୁ ବିଚାରେ ବନ୍ଧ-ମୋକ୍ଷ । ଜୀବକୁ ନ ଲାଗେ ପ୍ରତ୍ୟକ୍ଷ ॥ ୬
ଜନ୍ମ-ମରଣ ଶୋକ ମୋହ । ସୁଖ-ଦୁଃଖ ଆଦି ସଂଶୟ ॥ ୭
କେବଳ ମାୟାଭ୍ରମ ଏହି । ଏଣେ ଜୀବନ ଭେଦ ନାହିଁ ॥ ୮
ସ୍ୱପ୍ନେ ଦେଖଇ ପ୍ରାଣୀ ଯାହା । ନିଦ୍ରା ବୋଧନେ ହୋଏ ମାୟା ॥ ୯
ବିଦ୍ୟା ଅବିଦ୍ୟା ମୋ'ର ଦେହ । ବନ୍ଧ ମୋକ୍ଷ ହିଁ ମାୟାମୟ ॥ ୧୦
ଏ ଦୁଇ ମଧ୍ୟେ ମୋ'ତ ଅଂଶ । ଜୀବନ ସ୍ୱରୂପେ ପ୍ରକାଶ ॥ ୧୧
ଅବିଦ୍ୟା ବଳେ ବନ୍ଦୀ ହୋଇ । ହୀନ କୁମତି ଭାବ ବହି ॥ ୧୨
ତେଣୁ ଭ୍ରମଇଁ ମାୟାଭ୍ରମେ । କର୍ମ ଅର୍ଜିତ ପଥଶ୍ରମେ ॥ ୧୩
ମଜ୍ଜଇ ମାୟା ଅହଙ୍କାରେ । ନିଜ ମହିମା ନ ସୁମରେ ॥ ୧୪
ସ୍ୱଭାବେ ଏ ନିତ୍ୟ ମୁକତ । ଯଦ୍ୟପି ଜୀବ ବିଦ୍ୟାଯୁତ ॥ ୧୫
ଆତ୍ମାକୁ ଆତ୍ମା ଯେବେ ସ୍ମରେ । ପରମ ଆନନ୍ଦେ ବିହରେ ॥ ୧୬
ଏବେ ତୁ ଶୁଣ ହେ ଉଦ୍ଧବ । ଜୀବ ପରମ ବେନିଭାବ ॥ ୧୭
ଯେଣୁ ସେ ବେନି ସଙ୍ଗ ହୋଏ । ବଦ୍ଧ ବିମୁକ୍ତ ଭାବ ବହେ ॥ ୧୮
ଏକଇ ବୃକ୍ଷେ ହଂସ ଦୁଇ । ବସନ୍ତି ପ୍ରିୟଭାବ ବହି ॥ ୧୯
ଏକ ଆରେକ ନ ଛାଡ଼ନ୍ତି । ସ୍ୱଭାବେ ବେନି ସଖା ହୋ'ନ୍ତି ॥ ୨୦
ସମାନ ଶକ୍ତି ସେ ବହନ୍ତି । ବଦ୍ଧ ବିମୁକ୍ତ ବେନି ଗତି ॥ ୨୧
ସେ ବୃକ୍ଷେ ଯେତେ ଫଳଫଳେ । ଏକ ଭୁଞ୍ଜଇ ତାହା ବଳେ ॥ ୨୨
ଏକ ବଞ୍ଚଇ ଉପବାସେ । ନିର୍ଲେପ ନିରଞ୍ଜନ ଅଂଶେ ॥ ୨୩
ନିତ୍ୟ ଆନନ୍ଦ ପରିପୂର୍ଣ୍ଣେ । ସକଳ ଦେଖଇ ନୟନେ ॥ ୨୪
ସେହୁ ନ ଜାଣେ ନିଜ ପର। ଯେଣୁ ନିର୍ମଳ ଜ୍ଞାନ ତା'ର ॥ ୨୫
ଯେ ହଂସ ବୃକ୍ଷଫଳ ଖାଇ । ଲୋଭେ ବନ୍ଧନ ତା'ର ଦେହୀ ॥ ୨୬
ଅଜ୍ଞାନେ ନ ଜାଣଇ କିଛି । ଏମନ୍ତେ ବେନିଆତ୍ମା ଲକ୍ଷ୍ୟି ॥ ୨୭
ପରମ ପରମାଅନନ୍ଦୀ । ଅବିଦ୍ୟା ସଙ୍ଗେ ଜୀବ ବନ୍ଦୀ ॥ ୨୮
ପ୍ରତ୍ୟକ୍ଷେ ଦେହେ ସେ ବସଇ। ନ ଥିଲା ପ୍ରାୟ ଲକ୍ଷ୍ୟ ହୋଇ ॥ ୨୯
ଏ ଭାବେ ଥା'ନ୍ତି ଯେତେ ପ୍ରାଣୀ । ପଣ୍ତିତ ବୋଲି ତାଙ୍କୁ ଜାଣି॥ ୩୦
ଦେହେ ନ ଥାଇ ଥିଲା ପ୍ରାୟ । ଯେ ମଣେ ସେ ବଞ୍ଚିତକାୟ ॥ ୩୧
ସ୍ୱପ୍ନ ଜାଗ୍ରତେ ଯେହ୍ନେ ମିଛ । କୁମତି ମଣେ ତା' ପ୍ରତ୍ୟକ୍ଷ ॥ ୩୨
ଏଣୁ ବିଷୟ ଇନ୍ଦ୍ରିଗଣେ । ଭୁଞ୍ଜନ୍ତି ବିଧି ଆଚରଣେ ॥ ୩୩
ଜୀବ ସେ ଉଦାସୀନ ରୂପେ । ବସନ୍ତି ତାହାଙ୍କ ସମୀପେ ॥ ୩୪
ଏଣୁ ପରମ ନାମ ତା'ର । ନିର୍ଲେପ ନିତ୍ୟ ନିତାକାର ॥ ୩୫
ଯେ ଭାବେ ଅହଙ୍କାର ମିଶେ । ଇନ୍ଦ୍ରି ବିଷୟରସେ ରସେ ॥ ୩୬
କୁମତି ଅଦୃଷ୍ଟି ଅଧୀନ । କର୍ମର ଫଳେ ସେ ବନ୍ଧନ ॥ ୩୭
ଏଣୁ ସେ ଗୁଣ କର୍ମମୟେ । ପ୍ରକାଶେ କର୍ତ୍ତା-ଭୋକ୍ତା ପ୍ରାୟେ ॥ ୩୮
ଏଣୁ ପରମଆତ୍ମା ପ୍ରାୟେ । ଉଦାସୀ ମତେ ସର୍ବ ଠାଏଁ ॥ ୩୯
କେବେହେଁ ନ କରିବ ସଙ୍ଗ । ସମୁଦ୍ରେ ଯେସନେ ତରଙ୍ଗ ॥ ୪୦
ସର୍ବ ବିଷୟ ପରବଶ । କେବେହେଁ ନୋହିବ ବିଶ୍ୱାସ ॥ ୪୧
ଆସନ ଶୟନ ମାର୍ଜନେ । ଭୋଜନ ପାନ ଅବଧାନେ ॥ ୪୨
ଶ୍ରବଣ ସ୍ପର୍ଶନ କୀର୍ତ୍ତନେ । ପ୍ରପଞ୍ଚ ରୂପ ଦରଶନେ ॥ ୪୩
ଏ ସର୍ବ ଭାବେ ଉଦାସୀନ । ଯେ କରେ ସେହୁ ମହାଜନ ॥ ୪୪
ଯେହ୍ନେ ଆକାଶ ସବୁଠାରେ । ଅଛି ସେ ନ ଲାଗି କାହିଁରେ ॥ ୪୫
ସୂର୍ଯ୍ୟର ପ୍ରତିବିମ୍ବ ଜଳେ । ଅଛି ସେ ନ ଲାଗି ନିଶ୍ଚଳେ ॥ ୪୬
ସକଳ ସ୍ଥାନେ ସଞ୍ଚରଇ । ପବନ କାହିଁ ନ ଲାଗଇ ॥ ୪୭
ତେସନେ ସର୍ବ ବିଷୟରେ । ଇନ୍ଦ୍ରିଗଣଙ୍କ ନିରନ୍ତରେ ॥ ୪୮
ଭୁଞ୍ଜାଇ ସାକ୍ଷୀ ରୂପେ ଥାଏ । ଅଜ୍ଞାନୀ ପ୍ରାୟ ବଦ୍ଧ ନୋହେ ॥ ୪୯
ସ୍ୱପ୍ନ ଜାଗ୍ରତ ପ୍ରାୟ ହୋଇ । ତା'ର ସଂସାର ନିବର୍ତ୍ତଇ ॥ ୫୦
ନିରଭିମାନ ଗୃହେ ଦେହେ । କରି ଭ୍ରମିବ ସର୍ବ ଠାଏଁ ॥ ୫୧
ସଙ୍କଳ୍ପ ନ ଭାବିବ ମନେ । ଗୃହ ଶରୀର ଅଭିମାନେ ॥ ୫୨
କେ କରେ ହିଂସା ଅହଙ୍କାର । କେ ପୁଣ କରେ ନମସ୍କାର ॥ ୫୩
କେ ଅବା କରେ ନିନ୍ଦା ସ୍ତୁତି । ଏଣେ ନୋହିବ ଭେଦମତି ॥ ୫୪
ଅଦୃଷ୍ଟ ମାନି ଅବଧାନ । ଚିତ୍ତେ ଧରିବ ଦିବ୍ୟଜ୍ଞାନ ॥ ୫୫
ସମେ ଦେଖିବ ସର୍ବ ଅଂଶ । ଭେଦ ନ କରି ଗୁଣ ଦୋଷ ॥ ୫୬
ଚିତ୍ତ ନିରୋଧି ଏ ଶରୀରେ । ଯେ କିଛି ନ ବୋଲେ ନ କରେ ॥ ୫୭
ଅସାଧୁ ସାଧୁ ଭେଦ ନାହିଁ । ସ୍ତୁତି ନିନ୍ଦନ ନ କରଇ ॥ ୫୮
ତାହାଙ୍କୁ ବୋଲିବା ପଣ୍ତିତ । ସେ ଆତ୍ମାରାମେ ଜଡ଼ମତ ॥ ୫୯
ସଂସାର ମଧ୍ୟେ ସେ ଆନନ୍ଦ । ଦେଖଇ ପ୍ରାଣୀ ଭଲ ମନ୍ଦ ॥ ୬୦
ହୃଦରେ ତାହା ନ ଧରଇ । ଯେଣୁ ସେ ନିଜ ଭାବେ ଥାଇ ॥ ୬୧
ଯେ ସର୍ବଶାସ୍ତ୍ରେ ସୁପଣ୍ତିତ । ଜାଣଇ ସର୍ବ ଧର୍ମତତ୍ତ୍ୱ ॥ ୬୨
ସେ ଯେବେ ଏତେ ଗୁଣ ଘେନି । ପରମାନନ୍ଦଙ୍କୁ ନ ଚିହ୍ନି ॥ ୬୩
ସକଳ ଶାସ୍ତ୍ର ବ୍ୟର୍ଥ ତା'ର । କେବଳ ଶ୍ରମ ମାତ୍ର ସାର ॥ ୬୪
କୁଧେନୁ ବାନ୍ଧି ଗୃହେ ଯେହ୍ନେ । ନିରାଶ ହୋ'ନ୍ତି କ୍ଷୀରପାନେ ॥ ୬୫
ଦୁଷ୍ଟ ଭାରିଜା ଶୋଭା ଦେଖି । ଯେ ଗୃହେ କାମଲୋଭେ ରଖି ॥ ୬୬
ସକଳ ଧର୍ମ ତା'ର ନାଶ । ନରକେ କରେ ଗୃହବାସ ॥ ୬୭
ଯା'ର ଶରୀର ପରାଧୀନ । କୁପୁତ୍ର କରେ ଯେ ରକ୍ଷଣ ॥ ୬୮
ମୋ ନାମ ନ ଶୁଣି ଯା' ମୁଖେ । ଯେ ଲୋଭେ ଗୃହେ ଧନ ରଖେ ॥ ୬୯
ପାତ୍ରେ ନ କରେ ସମର୍ପଣ । କୁମତି କୁତ୍ସିତ କୃପଣ ॥ ୭୦
ଦୁଃଖିହୁଁ ଦୁଃଖୀ ସେ ବୋଲାଇ । ଉଭୟ ଲୋକେ ସୁଖ ନାହିଁ ॥ ୭୧
ମୋର ନିର୍ମଳ ଯଶ ନାମ । ଯେ ଅବା ଅଛି ଗୁଣଗ୍ରାମ ॥ ୭୨
ଯାହାର ମୁଖେ ତା' ନ ଶୁଣି । ବ୍ୟର୍ଥ ଜୀବନ ସେହୁ ପ୍ରାଣୀ ॥ ୭୩
ଯେବା ପଣ୍ତିତ ଇହଲୋକେ । ମୋ' ନାମ ଧରେ ନିତ୍ୟେ ମୁଖେ ॥ ୭୪
ମୁଁ ସର୍ବଭୂତେ ଅଛି ପୂରି । ଏ ଭାବେ ମନ ମୋରେ ଧରି ॥ ୭୫
ଶ୍ରୀମଦେ ନ ଭୁଲେ ଶରୀର । ଭିକ୍ଷାରେ ପୋଷଇ ଉଦର ॥ ୭୬
ପୁଣ ଭିକ୍ଷୁକ ମୋ'ର ଧନ । ତାକୁ ରମଇ ମୋ'ର ମନ ॥ ୭୭
ତତ୍ତ୍ୱ ବିଚାରେ ତୁଟେ ଭ୍ରାନ୍ତି । ଭବ ସାଗରୁ ତରିଯା'ନ୍ତି ॥ ୭୮
ବୋଲନ୍ତି ଜଗତ ଜୀବନ । ଏ ଯୋଗଗତି ତତ୍ତ୍ୱଜ୍ଞାନ ॥ ୭୯
ଯେ ଏହା ନ ଧରନ୍ତି ଚିତ୍ତେ । ସଂସାରୁ ତରିବେ କେମନ୍ତେ ॥ ୮୦
ତୁ ଯେବେ ମନ ମୋର ଦେହେ । ଧରି ନ ପାରୁ ମାୟାମୋହେ ॥ ୮୧
ତେବେ ସକଳ କର୍ମ ମୋତେ । ସମର୍ପି ରହ ଦୃଢ଼ଚିତ୍ତେ ॥ ୮୨
ସକଳ କର୍ମ ଏ ଜଗତେ । ଭାବେ କହିଲି ମୁହିଁ ତୋତେ ॥ ୮୩
ମୋହର ଜନ୍ମକର୍ମ ନାମ । ସତ୍ୟ ପବିତ୍ର ପୁଣ୍ୟଧାମ ॥ ୮୪
ଆବର ଗୁଣ ଅଛି ଯେତେ । ଉଦ୍ଧବ ଶୁଣ ଏକଚିତ୍ତେ ॥ ୮୫
ସ୍ମରଣ ଶ୍ରବଣ କୀର୍ତ୍ତନ । ଯେ ତୋର ଧର୍ମ ଆଚରଣ ॥ ୮୬
ତାହା ସମର୍ପି ମୋ'ର ପାଦେ । ସଂସାରୁ ତର ଅପ୍ରମାଦେ ॥ ୮୭
ଏ ରୂପେ ଉପାସନା କର । ନିଶ୍ଚେ ଲଭିବୁ ମୋ' ପୟର ॥ ୮୮
ସାଧୁଙ୍କ ସଙ୍ଗ କର ନିତି । ଲଭିବୁ ନିର୍ମଳ ଭକ୍ତି ॥ ୮୯
ଭକତି କରି ଶୁଦ୍ଧଚିତ୍ତେ । ଜ୍ଞାନ ଲଭିବୁ ତୁ ସାକ୍ଷାତେ ॥ ୯୦
ଜ୍ଞାନେ ସଂସାରୁ ହେବୁ ପାର । ଶୁଣି ଉଦ୍ଧବ ଯୋଡ଼େ କର ॥ ୯୧
ଉଦ୍ଧବ ଉବାଚ
ବୋଲଇ କୃଷ୍ଣ ମୁଖଚାହିଁ । ଭୋ ନାଥ ମୋତେ କର ତ୍ରାହି ॥ ୯୨
ମୁଁ ତୋର ଚରଣେ ଶରଣ । କହ ତୋ' ଭକତି ଲକ୍ଷଣ ॥ ୯୩
କି ରୂପେ ଭକତଙ୍କୁ ଜାଣି । ଭକତି କି ରୂପେ ପ୍ରମାଣି ॥ ୯୪
ତୁ ପରିପୂର୍ଣ୍ଣ ବ୍ରହ୍ମସାର । ସ୍ୱଭାବେ ପ୍ରକୃତିରୁ ପର ॥ ୯୫
ଭକତ କରେ ତୋତେ ବଶ । ତା'ର ରକ୍ଷଣେ ତୋ' ପ୍ରକାଶ ॥ ୯୬
ଭକତି ହିତେ ତୋ'ର ତନୁ । ତେଣୁ ଭକତ ବାକ୍ୟ ମାନୁ ॥ ୯୭
ପ୍ରତ୍ୟକ୍ଷେ ଭକତ ପାଳନ । ତୁ ନାଥ ପୁରୁଷ ପୁରାଣ ॥ ୯୮
ଅନାଦି ପ୍ରଭୁ ଭଗବାନ । କରୁଣାସିନ୍ଧୁ ଦିବ୍ୟଜ୍ଞାନ ॥ ୯୯
ରୂପ ଅରୂପ ବ୍ରହ୍ମରାଶି । ତୁ ଏ ସଂସାର ମଧ୍ୟେ ପଶି ॥ ୧୦୦
ସକଳ ତୋହର ଭିଆଣ । ଏଣୁ ତୁ ପରମ କାରଣ ॥ ୧୦୧
ଭକଟ ଲକ୍ଷଣ ଯେମନ୍ତେ । ମଣାଇଁ କହ ଦୟାଚିତ୍ତେ ॥ ୧୦୨
ଭକ୍ତି ଲକ୍ଷଣ ମୋତେ କହ । ଯେଣେ ଖଣ୍ତିବ ମାୟାମୋହ ॥ ୧୦୩
ଶୁଣି ଉଦ୍ଧବର ବଚନ । କହନ୍ତି ଶ୍ରୀମଧୁସୂଦନ ॥ ୧୦୪
ଭଗବାନ ଉବାଚ
ସମଦରଶୀ ସତ୍ୟସାର । ଶୁଦ୍ଧ ବିବେକ ମତି ଯା'ର ॥ ୧୦୫
ଦ୍ରୋହ ବର୍ଜିତ ଶାନ୍ତିପର । ତ୍ୟାଗ ସ୍ୱଭାବ ମହାଧୀର ॥ ୧୦୬
କୃପାଳୁ ସର୍ବଜୀବ ହିତ । ଶୁଚି ଦରିଦ୍ର ଦୃଢ଼ବ୍ରତ ॥ ୧୦୭
ଅଳ୍ପଭୋଜନ ଧର୍ମେ ସ୍ଥିର । ମୃଦୁ ପ୍ରସନ୍ନ ଧୃତିଶୀଳ ॥ ୧୦୮
ସୁକଲ୍ୟ ଅମାନୀ ମାନଦ । କବି ମଇତ୍ର ଶୁଦ୍ଧବୋଧ ॥ ୧୦୯
ଚିତ୍ତ-ସଙ୍କଳ୍ପ ଅପ୍ରମାଦୀ । ଗଭୀରଚିତ୍ତ ଧୀରବୁଦ୍ଧି ॥ ୧୧୦
ଏ ଆଦି ସପ୍ତବିଂଶ ଗୁଣ । ବିଶେଷେ ମୋହର ଶରଣ ॥ ୧୧୧
ଏତେ ଲକ୍ଷଣ ଲକ୍ଷ୍ୟି ଯହିଁ । ନିଶ୍ଚୟ ବୈଷ୍ଣବଟି ସେହି ॥ ୧୧୨
ମୁଁ ବେଦରୂପେ ଅଛି ଭଣି । ଧର୍ମ ଅଧର୍ମ ପରିମାଣି ॥ ୧୧୩
ତହିଁରେ ଦୋଷ ଗୁଣ ଯେତେ । ନିର୍ଣ୍ଣୟ କରି ଶାସ୍ତ୍ରମତେ ॥ ୧୧୪
ସକଳ ଧର୍ମ ତେଜି ଚିତ୍ତେ । ଯେ ମୋତେ ଭଜେ ଦୃଢ଼ବ୍ରତେ ॥ ୧୧୫
ସେ ପ୍ରାଣୀ ଭକତ ଉତ୍ତମ । କହିଲେ ଶ୍ରୀପୁରୁଷୋତ୍ତମ ॥ ୧୧୬
ଜାଣି ନ ଜାଣି ମୋ ମହିମା । ଭଜନ୍ତି ଭକତ ଉତ୍ତମା ॥ ୧୧୭
ବିଚାରି ସର୍ବଧର୍ମ ତେଜେ । ମୋତେ ଏକାନ୍ତଭାବେ ଭଜେ ॥ ୧୧୮
ମୋ'ର ମଧୁରରୂପ ଦେଖି । ସକଳ ସୁନ୍ଦର ଉପେକ୍ଷି ॥ ୧୧୯
ବେଗେ କରିବ ଦରଶନ । ବନ୍ଦନ ସ୍ମରଣ କୀର୍ତ୍ତନ ॥ ୧୨୦
ନାନା ପ୍ରକାରେ ସେବା ଯେତେ । ଭାବେ କରିବ ଶୁଦ୍ଧଚିତ୍ତେ ॥ ୧୨୧
ମୋ'ର ଅମୃତ କଥାସାର । ଶ୍ରୁତି ପୀରତି ନିତ୍ୟେ ଯା'ର ॥ ୧୨୨
ମୋ' ରୂପ ଧ୍ୟାନେ ଦୃଢ଼ମତି । ସକଳ ମୋତେ ସମର୍ପନ୍ତି ॥ ୧୨୩
ସେବକଭାବେ ଆତ୍ମାମନ । ମୋ' ପାଦେ କରେ ନିବେଦନ ॥ ୧୨୪
ମୋ' ଜନ୍ମ କର୍ମର କଥନ । ମୋ'ର ଉତ୍ସବେ ହୃଷ୍ଟମନ ॥ ୧୨୫
ନାନା ସୁବାଦ୍ୟ ନୃତ୍ୟଦୀତେ । କୀର୍ତ୍ତନ କରି ମୋ' ଅଗ୍ରତେ ॥ ୧୨୬
ଗୋଷ୍ଠୀ କରିବ ବହୁ ମିଳି । ମୋ' ଗୃହେ ଦେଇ ଦୀପାବଳୀ ॥ ୧୨୭
ଆନନ୍ଦେ କରି ମହୋତ୍ସବ । ଦିବସ ରଜନୀ ବଞ୍ଚିବ ॥ ୧୨୮
ମୋହର ଯାତ୍ରା ପର୍ବାପର୍ବେ । ବିଧିବିଧାନ ଯଥାପୂର୍ବେ ॥ ୧୨୯
ଯେବା ବୈଦିକ ଧ୍ୟାନ ମାନ । କରିବ ମନ୍ତ୍ର ତନ୍ତ୍ର ଧ୍ୟାନ ॥ ୧୩୦
ବୈଷ୍ଣବ ଲକ୍ଷଣ ମୋ' ବ୍ରତ । ସେ ରୂପେ ଥିବ ଦୃଢ଼ଚିତ୍ତ ॥ ୧୩୧
ଗୃହେ ସ୍ଥାପିବ ରୂପ ମୋ'ର । ଅତି ସୁନ୍ଦର ମନୋହର ॥ ୧୩୨
ଆପଣା ହସ୍ତେ ନିର୍ମାଣିବ । ନୋହିଲେ ପରେ କରାଇବ ॥ ୧୩୩
ନାନା କୁସୁମବନ ରୋପି । ସୁସ୍ୱାଦୁ ଫଳବୃକ୍ଷ ସ୍ଥାପି ॥ ୧୩୪
ମାର୍ଜନୀ ଘେନି ନିଜ କର । ମାର୍ଜନା କରିବ ମୋ' ପୁର ॥ ୧୩୫
ଗୋମୟେ ଲିପିବ ମୋ' ଘର । ଦିବ୍ୟମଣ୍ତଣି ମନୋହର ॥ ୧୩୬
ବାଳକ ଗୃହ ଯେହ୍ନେ ଦାଣ୍ତେ । ଲେଖିବ ନାନା ଚୂର୍ଣ୍ଣପିଣ୍ତେ ॥ ୧୩୭
ଏ ଆଦି ପୁଣ୍ୟକର୍ମ ଯେତେ । ସାଧିବ ଗୃହାରମ୍ଭ ମତେ ॥ ୧୩୮
ମାନ କୈତବ କୂଟ ଦମ୍ଭ । ଚିତ୍ତେ ନ କରିବ ଆରମ୍ଭ ॥ ୧୩୯
ମୋ' ପ୍ରୀତିଅର୍ଥେ କର୍ମ କରି । ମୋର ଚରଣ ଚିତ୍ତେ ଧରି ॥ ୧୪୦
ଯେ ପୁଣ୍ୟ ଆପଣେ କରିବ । କେବେହେଁ ପରେ ନ କହିବ ॥ ୧୪୧
ଯେ ଦୀପ ମୋତେ ସମର୍ପିବ । ତା' ଆନ କାର୍ଯ୍ୟେ ନ ଜାଳିବ ॥ ୧୪୨
ପୁଣି ଯା' ଅନ୍ୟେ ଭୋଗ ଦେବ । ତା' ମୋତେ କେବେହେଁ ନ ଦେବ ॥ ୧୪୩
ଯେ ଦ୍ରବ୍ୟ ମୋତେ ସମର୍ପିବ । ପୁଣ ଗ୍ରହଣ ନ କରିବ ॥ ୧୪୪
ମୋ' ଦ୍ରବ୍ୟେ ଅଧିକାର ଯେତେ । କେବେହେଁ ନ କଳ୍ପିବ ଚିତ୍ତେ ॥ ୧୪୫
ଆତ୍ମାର ପ୍ରିୟବସ୍ତୁ ଯେତେ । ଉତ୍ତମ ବସ୍ତୁ ଯା' ଜଗତେ ॥ ୧୪୬
ଯେବା ମିଳିବ ଅକସ୍ମାତେ । ଆନନ୍ଦେ ସମର୍ପିବ ମୋତେ ॥ ୧୪୭
ମୋର ପ୍ରସନ୍ନେ ତା'ର ଫଳ । ହୋଇବ ଅନନ୍ତ ନିଶ୍ଚଳ ॥ ୧୪୮
ମୋ'ର ମନ୍ଦିର ମନୋହର । କରିବ ବିଚିତ୍ର ସଂସ୍କାର ॥ ୧୪୯
ମୋତେ ପୂଜିବ ଯେତେ ସ୍ଥାନେ । ଉଦ୍ଧବ ଶୁଣ ସାବଧାନେ ॥ ୧୫୦
ଗୋରୁ ବ୍ରାହ୍ମଣ ମୁନି ରବି । ଗଗନ ପବନ ପୃଥିବୀ ॥ ୧୫୧
ଜଳ ବୈଷ୍ଣବ ହୁତାଶନେ । ବିଷ୍ଣୁପୂଜିବ ଏତେ ସ୍ଥାନେ ॥ ୧୫୨
ଯାହାକୁ ଯେମନ୍ତେ ପୂଜିବ । କହିବା ଶୁଣ ହେ ଉଦ୍ଧବ ॥ ୧୫୩
ଶୀତଳ ଜଳ ତୃଣ ଦାନେ । ଗୋରୁଙ୍କୁ ପୂଜିବ ଗୋସ୍ଥାନେ ॥ ୧୫୪
ଅତିଥିମତେ ନାନାଦ୍ରବ୍ୟେ । ବିପ୍ରେ ପୂଜିବ ବିଷ୍ଣୁଭାବେ ॥ ୧୫୫
ମୁନି ପୂଜିବ ମନ୍ତ୍ରତନ୍ତ୍ରେ । ସଂସ୍କାର ଦ୍ରବ୍ୟ ଦେଇ ଯେତେ ॥ ୧୫୬
ପବିତ୍ର ପୁଷ୍ପ ଗନ୍ଧ ଅର୍ଘ୍ୟେ । ରବି ପୂଜିବ ବେଦମାର୍ଗେ ॥ ୧୫୭
ଆକାଶବର୍ଣ୍ଣ ହୃଦେ ଧରି । ଧ୍ୟାନେ ପୂଜିବ ନରହରି ॥ ୧୫୮
ପବନେ ଗନ୍ଧ ଆମୋଦନେ । ପୂଜିବ ଚିତ୍ତ ସମାଧାନେ ॥ ୧୫୯
ମୃତ୍ତିକା କରି ଲିଙ୍ଗ ପ୍ରାୟେ । ମୋତେ ପୂଜିବ ଶିବଧ୍ୟାୟେ ॥ ୧୬୦
ବୈଷ୍ଣବ ଆଣି ନିଜସ୍ଥାନେ । ପୂଜିବ ବାନ୍ଧବ ବିଧାନେ ॥ ୧୬୧
ଅଭିଗମନ ଅନୁଯାନେ । ଅନ୍ନଭୋଜନ ଜଳପାନେ ॥ ୧୬୨
ଜଳେ ପୂଜିବ ମୋତେ ଭାବେ । ବିବିଧ ଜଳମୟ ଦ୍ରବ୍ୟେ ॥ ୧୬୩
ଆରମ୍ଭି ସଂସ୍କାର ଅନଳେ । ଘୃତ ଇନ୍ଧନ ଚରୁ ତିଳେ ॥ ୧୬୪
ଅଗ୍ନି ପୂଜିବ ମୋର ଧ୍ୟାନେ । ନିର୍ମଳ ନିଶ୍ଚଳ ଭୁବନେ ॥ ୧୬୫
ଆତ୍ମାକୁ ଆତ୍ମାରୂପେ ଧ୍ୟାୟି । ପୂଜିବ ନାନା ଭୋଗ ଦେଇ ॥ ୧୬୬
ସକଳ ଭୂତେ ମୁଁ ବସଇ । ଅନ୍ତରେ ଅନ୍ତଯ୍ୟାମୀ ହୋଇ ॥ ୧୬୭
ଏଣୁ ଅନନ୍ତ ରୂପେ ମୋତେ । ଧ୍ୟାନେ ପୂଜିବ ସର୍ବଭୂତେ ॥ ୧୬୮
ଏ ବିଧିମତେ ନାନାଠାବେ । ମୋତେ ପୂଜିବ ପ୍ରିୟଭାବେ ॥ ୧୬୯
ଯେତେ କହିଲି ପୂଜାସ୍ଥାନେ । ମୋତେ ପୂଜିବ ଏ ବିଧାନେ ॥ ୧୭୦
ନୀଳଜୀମୃତ କଳେବର । ରାଜୀବଲୋଚନ ସୁନ୍ଦର ॥ ୧୭୧
ଶଙ୍ଖ କମଳ ଚକ୍ର ଗଦା । ଚତୁରଭୁଜେ ଶୋହେ ସଦା ॥ ୧୭୨
ସୁଗନ୍ଧ ବନମାଳା କଣ୍ଠେ । ରତ୍ନମେଖଳା କଟୀତଟେ ॥ ୧୭୩
ଶ୍ରବଣେ ମକରକୁଣ୍ତଳ । ଯେସନେ ଗଗନମଣ୍ତଳ ॥ ୧୭୪
ରବି ଶଶାଙ୍କ ବିରାଜଇ । ଏମନ୍ତ ଧ୍ୟାନେ ମନଦେଇ ॥ ୧୭୫
ଏ ବିଧିମତେ ପୂଜା କରି । ମୋ'ରୂପ ମନେ ଅବଧାରି ॥ ୧୭୬
ମୋ' ଭାବେ ଥିବ ନିରନ୍ତରେ । ଶୁଣ ଉଦ୍ଧବ କହୁଁ ତୋ'ରେ ॥ ୧୭୭
ତୀର୍ଥଗମନ ଯଜ୍ଞଦାନ । କୂପ ତଡ଼ାଗ ଦେବସ୍ଥାନ ॥ ୧୭୮
ଏ ଆଦି କର୍ମ କରି ଯେତେ । ମୋ' ପାଦେ ସମର୍ପିବ ନିତ୍ୟେ ॥ ୧୭୯
ଏ ରୂପେ ପୂଜି ମୋ' ଚରଣେ । ଲଭି ଭକତୋ ଦୃଢ଼ମନେ ॥ ୧୮୦
ନିରତେ ଥିବ ସାଧୁସଙ୍ଗେ । ନିର୍ମଳ ଭକ୍ତିଯୋଗମାର୍ଗେ ॥ ୧୮୧
ଏ ଭାବେ ପ୍ରାଣୀ ମୋତେ ପାଇ । ଏ ବିନୁ ଅନ୍ୟଗତି ନାହିଁ ॥ ୧୮୨
ଯେଣୁ ତୁ ମୋର ନିଜ ଦାସ । ତୋତେ କହିଲି ଉପଦେଶ ॥ ୧୮୩
ଆଉ କହିବି ମୁହିଁ ଯେତେ । ଶୁଣ ଉଦ୍ଧବ ଏକଚିତ୍ତେ ॥ ୧୮୪
ବୋଲଇ ଦାସ ଜଗନ୍ନାଥ । ସଂସାରହିତେ ଭାଗବତ ॥ ୧୮୫
କୃଷ୍ଣବଚନ ଏକାଦଶେ । ଯେବା ଉଦ୍ଧବେ ଉପଦେଶେ ॥ ୧୮୬
ସୁଜନ ଶୁଣି କର୍ଣ୍ଣପୁଟେ । ସଂସାରୁ ତରିବ ନିକଟେ ॥ ୧୮୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ଦ୍ୱାଦଶୋଦ୍ଧଧ୍ୟାୟଃ ॥
* * *