ଏକାଦଶ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ

ଶୁଣିଣ ଉଦ୍ଧବ ବଚନ । ବୋଲନ୍ତି ଶ୍ରୀମଧୁସୂଦନ ॥

ଭଗବାନ ଉବାଚ

ତୁ ଯାହା କଲୁ ହେ ପ୍ରଶନ । ଜୀବ ଆତ୍ମାର ତ‌ତ୍ତ୍ୱ‌‌ଜ୍ଞାନ ॥

ଜୀବର ବନ୍ଧ-ମୋକ୍ଷ ବେନି । ବିଚାରୁ ଯେତେ ଶାସ୍ତ୍ରଘେନି ॥

କେହି ନ ପା'ନ୍ତି ତା'ର ଅନ୍ତ । ତେଣୁ ସେ ବୋଲାଇ ଅନନ୍ତ ॥

ତ୍ରିଗୁଣେ ବନ୍ଧ-ମୋକ୍ଷ ହୋଇ । ଯେଣୁ ସେ ଗୁଣ ମାୟାମୟୀ ॥

ବସ୍ତୁ ବିଚାରେ ବନ୍ଧ-ମୋକ୍ଷ । ଜୀବକୁ ନ ଲାଗେ ପ୍ରତ୍ୟକ୍ଷ ॥

ଜନ୍ମ-ମରଣ ଶୋକ ମୋହ । ସୁଖ-ଦୁଃଖ ଆଦି ସଂଶୟ ॥

କେବଳ ମାୟାଭ୍ରମ ଏହି । ଏଣେ ଜୀବନ ଭେଦ ନାହିଁ ॥

ସ୍ୱପ୍ନେ ଦେଖଇ ପ୍ରାଣୀ ଯାହା । ନିଦ୍ରା ବୋଧନେ ହୋଏ ମାୟା ॥

ବିଦ୍ୟା ଅବିଦ୍ୟା ମୋ'ର ଦେହ । ବନ୍ଧ ମୋକ୍ଷ ହିଁ ମାୟାମୟ ॥ ୧୦

ଏ ଦୁଇ ମଧ୍ୟେ ମୋ'ତ ଅଂଶ । ଜୀବନ ସ୍ୱରୂପେ ପ୍ରକାଶ ॥ ୧୧

ଅବିଦ୍ୟା ବଳେ ବନ୍ଦୀ ହୋଇ । ହୀନ କୁମତି ଭାବ ବ‌ହି ॥ ୧୨

ତେଣୁ ଭ୍ରମଇଁ ମାୟାଭ୍ରମେ । କର୍ମ ଅର୍ଜିତ ପ‌ଥଶ୍ରମେ ॥ ୧୩

ମଜ୍ଜଇ ମାୟା ଅହ‌ଙ୍କାରେ । ନିଜ ମହିମା ନ ସୁମରେ ॥ ୧୪

ସ୍ୱଭାବେ ଏ ନିତ୍ୟ ମୁକ‌ତ । ଯଦ୍ୟପି ଜୀବ ବିଦ୍ୟାଯୁତ ॥ ୧୫

ଆତ୍ମାକୁ ଆତ୍ମା ଯେବେ ସ୍ମରେ । ପରମ ଆନନ୍ଦେ ବିହରେ ॥ ୧୬

ଏବେ ତୁ ଶୁଣ ହେ ଉଦ୍ଧବ । ଜୀବ ପରମ ବେନିଭାବ ॥ ୧୭

ଯେଣୁ ସେ ବେନି ସଙ୍ଗ ହୋଏ । ବଦ୍ଧ ବିମୁକ୍ତ ଭାବ ବ‌ହେ ॥ ୧୮

ଏକଇ ବୃକ୍ଷେ ହଂସ ଦୁଇ । ବସନ୍ତି ପ୍ରିୟଭାବ ବ‌ହି ॥ ୧୯

ଏକ ଆରେକ ନ ଛାଡ଼ନ୍ତି । ସ୍ୱଭାବେ ବେନି ସଖା ହୋ'ନ୍ତି ॥ ୨୦

ସମାନ ଶକ୍ତି ସେ ବ‌ହ‌ନ୍ତି । ବଦ୍ଧ ବିମୁକ୍ତ ବେନି ଗତି ॥ ୨୧

ସେ ବୃକ୍ଷେ ଯେତେ ଫଳଫଳେ । ଏକ ଭୁଞ୍ଜଇ ତାହା ବଳେ ॥ ୨୨

ଏକ ବଞ୍ଚଇ ଉପବାସେ । ନିର୍ଲେପ ନିରଞ୍ଜନ ଅଂଶେ ॥ ୨୩

ନିତ୍ୟ ଆନନ୍ଦ ପରିପୂର୍ଣ୍ଣେ । ସକଳ ଦେଖଇ ନୟନେ ॥ ୨୪

ସେହୁ ନ ଜାଣେ ନିଜ ପର। ଯେଣୁ ନିର୍ମଳ ଜ୍ଞାନ ତା'ର ॥ ୨୫

ଯେ ହଂସ ବୃକ୍ଷଫଳ ଖାଇ । ଲୋଭେ ବନ୍ଧନ ତା'ର ଦେହୀ ॥ ୨୬

ଅଜ୍ଞାନେ ନ ଜାଣଇ କିଛି । ଏମନ୍ତେ ବେନିଆତ୍ମା ଲକ୍ଷ୍ୟି ॥ ୨୭

ପରମ ପରମାଅନନ୍ଦୀ । ଅବିଦ୍ୟା ସଙ୍ଗେ ଜୀବ ବନ୍ଦୀ ॥ ୨୮

ପ୍ରତ୍ୟକ୍ଷେ ଦେହେ ସେ ବସଇ। ନ ଥିଲା ପ୍ରାୟ ଲକ୍ଷ୍ୟ ହୋଇ ॥ ୨୯

ଏ ଭାବେ ଥା'ନ୍ତି ଯେତେ ପ୍ରାଣୀ । ପଣ୍ତିତ ବୋଲି ତାଙ୍କୁ ଜାଣି॥ ୩୦

ଦେହେ ନ ଥାଇ ଥିଲା ପ୍ରାୟ । ଯେ ମଣେ ସେ ବଞ୍ଚିତକାୟ ॥ ୩୧

ସ୍ୱପ୍ନ ଜାଗ୍ରତେ ଯେହ୍ନେ ମିଛ । କୁମତି ମଣେ ତା' ପ୍ରତ୍ୟକ୍ଷ ॥ ୩୨

ଏଣୁ ବିଷୟ ଇନ୍ଦ୍ରିଗଣେ । ଭୁଞ୍ଜନ୍ତି ବିଧି ଆଚରଣେ ॥ ୩୩

ଜୀବ ସେ ଉଦାସୀନ ରୂପେ । ବସନ୍ତି ତାହାଙ୍କ ସମୀପେ ॥ ୩୪

ଏଣୁ ପରମ ନାମ ତା'ର । ନିର୍ଲେପ ନିତ୍ୟ ନିତାକାର ॥ ୩୫

ଯେ ଭାବେ ଅହ‌ଙ୍କାର ମିଶେ । ଇନ୍ଦ୍ରି ବିଷୟରସେ ରସେ ॥ ୩୬

କୁମତି ଅଦୃଷ୍ଟି ଅଧୀନ । କର୍ମର ଫଳେ ସେ ବନ୍ଧନ ॥ ୩୭

ଏଣୁ ସେ ଗୁଣ କର୍ମମୟେ । ପ୍ରକାଶେ କର୍ତ୍ତା-ଭୋକ୍ତା ପ୍ରାୟେ ॥ ୩୮

ଏଣୁ ପରମଆତ୍ମା ପ୍ରାୟେ । ଉଦାସୀ ମତେ ସର୍ବ ଠାଏଁ ॥ ୩୯

କେବେହେଁ ନ କରିବ ସଙ୍ଗ । ସମୁଦ୍ରେ ଯେସନେ ତରଙ୍ଗ ॥ ୪୦

ସର୍ବ ବିଷୟ ପରବଶ । କେବେହେଁ ନୋହିବ ବିଶ୍ୱାସ ॥ ୪୧

ଆସନ ଶୟନ ମାର୍ଜନେ । ଭୋଜନ ପାନ ଅବଧାନେ ॥ ୪୨

ଶ୍ରବଣ ସ୍ପର୍ଶନ କୀର୍ତ୍ତନେ । ପ୍ରପଞ୍ଚ ରୂପ ଦରଶନେ ॥ ୪୩

ଏ ସର୍ବ ଭାବେ ଉଦାସୀନ । ଯେ କରେ ସେହୁ ମହାଜନ ॥ ୪୪

ଯେହ୍ନେ ଆକାଶ ସବୁଠାରେ । ଅଛି ସେ ନ ଲାଗି କାହିଁରେ ॥ ୪୫

ସୂର୍ଯ୍ୟର ପ୍ରତିବିମ୍ବ ଜଳେ । ଅଛି ସେ ନ ଲାଗି ନିଶ୍ଚଳେ ॥ ୪୬

ସକଳ ସ୍ଥାନେ ସଞ୍ଚରଇ । ପବନ କାହିଁ ନ ଲାଗଇ ॥ ୪୭

ତେସନେ ସର୍ବ ବିଷୟରେ । ଇନ୍ଦ୍ରିଗଣଙ୍କ ନିରନ୍ତରେ ॥ ୪୮

ଭୁଞ୍ଜାଇ ସାକ୍ଷୀ ରୂପେ ଥାଏ । ଅଜ୍ଞାନୀ ପ୍ରାୟ ବଦ୍ଧ ନୋହେ ॥ ୪୯

ସ୍ୱପ୍ନ ଜାଗ୍ରତ ପ୍ରାୟ ହୋଇ । ତା'ର ସଂସାର ନିବର୍ତ୍ତଇ ॥ ୫୦

ନିରଭିମାନ ଗୃହେ ଦେହେ । କରି ଭ୍ରମିବ ସର୍ବ ଠାଏଁ ॥ ୫୧

ସଙ୍କଳ୍ପ ନ ଭାବିବ ମନେ । ଗୃହ ଶରୀର ଅଭିମାନେ ॥ ୫୨

କେ କରେ ହିଂସା ଅହ‌ଙ୍କାର । କେ ପୁଣ କରେ ନମସ୍କାର ॥ ୫୩

କେ ଅବା କରେ ନିନ୍ଦା ସ୍ତୁତି । ଏଣେ ନୋହିବ ଭେଦମତି ॥ ୫୪

ଅଦୃଷ୍ଟ ମାନି ଅବଧାନ । ଚିତ୍ତେ ଧରିବ ଦିବ୍ୟଜ୍ଞାନ ॥ ୫୫

ସମେ ଦେଖିବ ସର୍ବ ଅଂଶ । ଭେଦ ନ କରି ଗୁଣ ଦୋଷ ॥ ୫୬

ଚିତ୍ତ ନିରୋଧି ଏ ଶରୀରେ । ଯେ କିଛି ନ ବୋଲେ ନ କରେ ॥ ୫୭

ଅସାଧୁ ସାଧୁ ଭେଦ ନାହିଁ । ସ୍ତୁତି ନିନ୍ଦନ ନ କରଇ ॥ ୫୮

ତାହାଙ୍କୁ ବୋଲିବା ପଣ୍ତିତ । ସେ ଆତ୍ମାରାମେ ଜଡ଼ମତ ॥ ୫୯

ସଂସାର ମଧ୍ୟେ ସେ ଆନନ୍ଦ । ଦେଖଇ ପ୍ରାଣୀ ଭଲ ମନ୍ଦ ॥ ୬୦

ହୃଦରେ ତାହା ନ ଧରଇ । ଯେଣୁ ସେ ନିଜ ଭାବେ ଥାଇ ॥ ୬୧

ଯେ ସର୍ବଶାସ୍ତ୍ରେ ସୁପଣ୍ତିତ । ଜାଣଇ ସର୍ବ ଧର୍ମତ‌ତ୍ତ୍ୱ ॥ ୬୨

ସେ ଯେବେ ଏତେ ଗୁଣ ଘେନି । ପରମାନନ୍ଦଙ୍କୁ ନ ଚିହ୍ନି ॥ ୬୩

ସକଳ ଶାସ୍ତ୍ର ବ୍ୟର୍ଥ ତା'ର । କେବଳ ଶ୍ରମ ମାତ୍ର ସାର ॥ ୬୪

କୁଧେନୁ ବାନ୍ଧି ଗୃହେ ଯେହ୍ନେ । ନିରାଶ ହୋ'ନ୍ତି କ୍ଷୀରପାନେ ॥ ୬୫

ଦୁଷ୍ଟ ଭାରିଜା ଶୋଭା ଦେଖି । ଯେ ଗୃହେ କାମଲୋଭେ ରଖି ॥ ୬୬

ସକଳ ଧର୍ମ ତା'ର ନାଶ । ନରକେ କରେ ଗୃହବାସ ॥ ୬୭

ଯା'ର ଶରୀର ପରାଧୀନ । କୁପୁତ୍ର କରେ ଯେ ରକ୍ଷଣ ॥ ୬୮

ମୋ ନାମ ନ ଶୁଣି ଯା' ମୁଖେ । ଯେ ଲୋଭେ ଗୃହେ ଧନ ରଖେ ॥ ୬୯

ପାତ୍ରେ ନ କରେ ସମର୍ପଣ । କୁମତି କୁତ୍ସିତ କୃପଣ ॥ ୭୦

ଦୁଃଖିହୁଁ ଦୁଃଖୀ ସେ ବୋଲାଇ । ଉଭୟ ଲୋକେ ସୁଖ ନାହିଁ ॥ ୭୧

ମୋର ନିର୍ମଳ ଯଶ ନାମ । ଯେ ଅବା ଅଛି ଗୁଣ‌ଗ୍ରାମ ॥ ୭୨

ଯାହାର ମୁଖେ ତା' ନ ଶୁଣି । ବ୍ୟର୍ଥ ଜୀବନ ସେହୁ ପ୍ରାଣୀ ॥ ୭୩

ଯେବା ପଣ୍ତିତ ଇହଲୋକେ । ମୋ' ନାମ ଧରେ ନିତ୍ୟେ ମୁଖେ ॥ ୭୪

ମୁଁ ସର୍ବଭୂତେ ଅଛି ପୂରି । ଏ ଭାବେ ମନ ମୋରେ ଧରି ॥ ୭୫

ଶ୍ରୀମଦେ ନ ଭୁଲେ ଶରୀର । ଭିକ୍ଷାରେ ପୋଷଇ ଉଦର ॥ ୭୬

ପୁଣ ଭିକ୍ଷୁକ ମୋ'ର ଧନ । ତାକୁ ରମଇ ମୋ'ର ମନ ॥ ୭୭

ତ‌ତ୍ତ୍ୱ ବିଚାରେ ତୁଟେ ଭ୍ରାନ୍ତି । ଭବ ସାଗରୁ ତରିଯା'ନ୍ତି ॥ ୭୮

ବୋଲନ୍ତି ଜଗତ ଜୀବନ । ଏ ଯୋଗ‌ଗତି ତ‌ତ୍ତ୍ୱଜ୍ଞାନ ॥ ୭୯

ଯେ ଏହା ନ ଧରନ୍ତି ଚିତ୍ତେ । ସଂସାରୁ ତରିବେ କେମନ୍ତେ ॥ ୮୦

ତୁ ଯେବେ ମନ ମୋର ଦେହେ । ଧରି ନ ପାରୁ ମାୟାମୋହେ ॥ ୮୧

ତେବେ ସକଳ କର୍ମ ମୋତେ । ସମର୍ପି ରହ ଦୃଢ଼ଚିତ୍ତେ ॥ ୮୨

ସକଳ କର୍ମ ଏ ଜଗତେ । ଭାବେ କ‌ହିଲି ମୁହିଁ ତୋତେ ॥ ୮୩

ମୋହର ଜନ୍ମକର୍ମ ନାମ । ସ‌ତ୍ୟ ପବିତ୍ର ପୁଣ୍ୟଧାମ ॥ ୮୪

ଆବର ଗୁଣ ଅଛି ଯେତେ । ଉଦ୍ଧବ ଶୁଣ ଏକଚିତ୍ତେ ॥ ୮୫

ସ୍ମରଣ ଶ୍ରବଣ କୀର୍ତ୍ତନ । ଯେ ତୋର ଧର୍ମ ଆଚରଣ ॥ ୮୬

ତାହା ସମର୍ପି ମୋ'ର ପାଦେ । ସଂସାରୁ ତର ଅପ୍ରମାଦେ ॥ ୮୭

ଏ ରୂପେ ଉପାସନା କର । ନିଶ୍ଚେ ଲଭିବୁ ମୋ' ପୟର ॥ ୮୮

ସାଧୁଙ୍କ ସଙ୍ଗ କର ନିତି । ଲଭିବୁ ନିର୍ମଳ ଭକ୍ତି ॥ ୮୯

ଭକ‌ତି କରି ଶୁଦ୍ଧଚିତ୍ତେ । ଜ୍ଞାନ ଲଭିବୁ ତୁ ସାକ୍ଷାତେ ॥ ୯୦

ଜ୍ଞାନେ ସଂସାରୁ ହେବୁ ପାର । ଶୁଣି ଉଦ୍ଧବ ଯୋଡ଼େ କର ॥ ୯୧

ଉଦ୍ଧବ ଉବାଚ

ବୋଲଇ କୃଷ୍ଣ ମୁଖଚା‌ହିଁ । ଭୋ ନାଥ ମୋତେ କର ତ୍ରାହି ॥ ୯୨

ମୁଁ ତୋର ଚରଣେ ଶରଣ । କ‌ହ ତୋ' ଭକ‌ତି ଲକ୍ଷଣ ॥ ୯୩

କି ରୂପେ ଭକ‌ତଙ୍କୁ ଜାଣି । ଭକ‌ତି କି ରୂପେ ପ୍ରମାଣି ॥ ୯୪

ତୁ ପରିପୂର୍ଣ୍ଣ ବ୍ରହ୍ମସାର । ସ୍ୱଭାବେ ପ୍ରକୃତିରୁ ପର ॥ ୯୫

ଭକ‌ତ କରେ ତୋତେ ବଶ । ତା'ର ରକ୍ଷଣେ ତୋ' ପ୍ରକାଶ ॥ ୯୬

ଭକ‌ତି ହିତେ ତୋ'ର ତନୁ । ତେଣୁ ଭକ‌ତ ବାକ୍ୟ ମାନୁ ॥ ୯୭

ପ୍ରତ୍ୟକ୍ଷେ ଭ‌କ‌ତ ପାଳନ । ତୁ ନାଥ ପୁରୁଷ ପୁରାଣ ॥ ୯୮

ଅନାଦି ପ୍ରଭୁ ଭଗବାନ । କରୁଣାସିନ୍ଧୁ ଦିବ୍ୟଜ୍ଞାନ ॥ ୯୯

ରୂପ ଅରୂପ ବ୍ରହ୍ମରାଶି । ତୁ ଏ ସଂସାର ମଧ୍ୟେ ପଶି ॥ ୧୦୦

ସକଳ ତୋହର ଭିଆଣ । ଏଣୁ ତୁ ପରମ କାରଣ ॥ ୧୦୧

ଭକଟ ଲକ୍ଷଣ ଯେମନ୍ତେ । ମଣାଇଁ କ‌ହ ଦୟାଚିତ୍ତେ ॥ ୧୦୨

ଭକ୍ତି ଲକ୍ଷଣ ମୋତେ କ‌ହ । ଯେଣେ ଖଣ୍ତିବ ମାୟାମୋହ ॥ ୧୦୩

ଶୁଣି ଉଦ୍ଧବର ବଚନ । କ‌ହ‌ନ୍ତି ଶ୍ରୀମଧୁସୂଦନ ॥ ୧୦୪

ଭଗବାନ ଉବାଚ

ସମଦରଶୀ ସ‌ତ୍ୟସାର । ଶୁଦ୍ଧ ବିବେକ ମତି ଯା'ର ॥ ୧୦୫

ଦ୍ରୋହ ବର୍ଜିତ ଶାନ୍ତିପର । ତ୍ୟାଗ ସ୍ୱଭାବ ମହାଧୀର ॥ ୧୦୬

କୃପାଳୁ ସର୍ବଜୀବ ହିତ । ଶୁଚି ଦରିଦ୍ର ଦୃଢ଼ବ୍ରତ ॥ ୧୦୭

ଅଳ୍ପଭୋଜନ ଧର୍ମେ ସ୍ଥିର । ମୃଦୁ ପ୍ରସନ୍ନ ଧୃତିଶୀଳ ॥ ୧୦୮

ସୁକଲ୍ୟ ଅମାନୀ ମାନ‌ଦ । କବି ମଇତ୍ର ଶୁଦ୍ଧବୋଧ ॥ ୧୦୯

ଚିତ୍ତ-ସଙ୍କଳ୍ପ ଅପ୍ରମାଦୀ । ଗଭୀରଚିତ୍ତ ଧୀରବୁଦ୍ଧି ॥ ୧୧୦

ଏ ଆଦି ସ‌ପ୍ତବିଂଶ ଗୁଣ । ବିଶେଷେ ମୋହର ଶରଣ ॥ ୧୧୧

ଏତେ ଲକ୍ଷଣ ଲକ୍ଷ୍ୟି ଯହିଁ । ନିଶ୍ଚୟ ବୈଷ୍ଣବଟି ସେହି ॥ ୧୧୨

ମୁଁ ବେଦରୂପେ ଅଛି ଭଣି । ଧର୍ମ ଅଧର୍ମ ପରିମାଣି ॥ ୧୧୩

ତ‌ହିଁରେ ଦୋଷ ଗୁଣ ଯେତେ । ନିର୍ଣ୍ଣୟ କରି ଶାସ୍ତ୍ରମତେ ॥ ୧୧୪

ସକଳ ଧର୍ମ ତେଜି ଚିତ୍ତେ । ଯେ ମୋତେ ଭଜେ ଦୃଢ଼ବ୍ରତେ ॥ ୧୧୫

ସେ ପ୍ରାଣୀ ଭକ‌ତ ଉତ୍ତମ । କ‌ହିଲେ ଶ୍ରୀପୁରୁଷୋତ୍ତମ ॥ ୧୧୬

ଜାଣି ନ ଜାଣି ମୋ ମହିମା । ଭଜନ୍ତି ଭକ‌ତ ଉତ୍ତମା ॥ ୧୧୭

ବିଚାରି ସର୍ବଧର୍ମ ତେଜେ । ମୋତେ ଏକାନ୍ତଭାବେ ଭଜେ ॥ ୧୧୮

ମୋ'ର ମଧୁରରୂପ ଦେଖି । ସକଳ ସୁନ୍ଦର ଉପେକ୍ଷି ॥ ୧୧୯

ବେଗେ କରିବ ଦରଶନ । ବନ୍ଦନ ସ୍ମରଣ କୀର୍ତ୍ତନ ॥ ୧୨୦

ନାନା ପ୍ରକାରେ ସେବା ଯେତେ । ଭାବେ କରିବ ଶୁଦ୍ଧଚିତ୍ତେ ॥ ୧୨୧

ମୋ'ର ଅମୃତ କ‌ଥାସାର । ଶ୍ରୁତି ପୀରତି ନିତ୍ୟେ ଯା'ର ॥ ୧୨୨

ମୋ' ରୂପ ଧ୍ୟାନେ ଦୃଢ଼ମତି । ସକଳ ମୋତେ ସମର୍ପନ୍ତି ॥ ୧୨୩

ସେବକଭାବେ ଆତ୍ମାମନ । ମୋ' ପାଦେ କରେ ନିବେଦନ ॥ ୧୨୪

ମୋ' ଜନ୍ମ କର୍ମର କ‌ଥନ । ମୋ'ର ଉତ୍ସବେ ହୃଷ୍ଟମନ ॥ ୧୨୫

ନାନା ସୁବାଦ୍ୟ ନୃତ୍ୟଦୀତେ । କୀର୍ତ୍ତନ କରି ମୋ' ଅଗ୍ରତେ ॥ ୧୨୬

ଗୋଷ୍ଠୀ କରିବ ବ‌ହୁ ମିଳି । ମୋ' ଗୃହେ ଦେଇ ଦୀପାବଳୀ ॥ ୧୨୭

ଆନନ୍ଦେ କରି ମହୋତ୍ସବ । ଦିବସ ରଜନୀ ବଞ୍ଚିବ ॥ ୧୨୮

ମୋହର ଯାତ୍ରା ପର୍ବାପର୍ବେ । ବିଧିବିଧାନ ଯଥାପୂର୍ବେ ॥ ୧୨୯

ଯେବା ବୈଦିକ ଧ୍ୟାନ ମାନ । କରିବ ମନ୍ତ୍ର ତନ୍ତ୍ର ଧ୍ୟାନ ॥ ୧୩୦

ବୈଷ୍ଣବ ଲକ୍ଷଣ ମୋ' ବ୍ରତ । ସେ ରୂପେ ଥିବ ଦୃଢ଼ଚିତ୍ତ ॥ ୧୩୧

ଗୃହେ ସ୍ଥାପିବ ରୂପ ମୋ'ର । ଅତି ସୁନ୍ଦର ମନୋହର ॥ ୧୩୨

ଆପଣା ହସ୍ତେ ନିର୍ମାଣିବ । ନୋହିଲେ ପରେ କରାଇବ ॥ ୧୩୩

ନାନା କୁସୁମ‌ବନ ରୋପି । ସୁସ୍ୱାଦୁ ଫଳବୃକ୍ଷ ସ୍ଥାପି ॥ ୧୩୪

ମାର୍ଜନୀ ଘେନି ନିଜ କର । ମାର୍ଜନା କରିବ ମୋ' ପୁର ॥ ୧୩୫

ଗୋମୟେ ଲିପିବ ମୋ' ଘର । ଦିବ୍ୟମଣ୍ତଣି ମନୋହର ॥ ୧୩୬

ବାଳକ ଗୃହ ଯେହ୍ନେ ଦାଣ୍ତେ । ଲେଖିବ ନାନା ଚୂର୍ଣ୍ଣପିଣ୍ତେ ॥ ୧୩୭

ଏ ଆଦି ପୁଣ୍ୟକର୍ମ ଯେତେ । ସାଧିବ ଗୃହାରମ୍ଭ ମତେ ॥ ୧୩୮

ମାନ କୈତବ କୂଟ ଦମ୍ଭ । ଚିତ୍ତେ ନ କରିବ ଆରମ୍ଭ ॥ ୧୩୯

ମୋ' ପ୍ରୀତିଅର୍ଥେ କର୍ମ କରି । ମୋର ଚରଣ ଚିତ୍ତେ ଧରି ॥ ୧୪୦

ଯେ ପୁଣ୍ୟ ଆପଣେ କରିବ । କେବେହେଁ ପରେ ନ କ‌ହିବ ॥ ୧୪୧

ଯେ ଦୀପ ମୋତେ ସମର୍ପିବ । ତା' ଆନ କାର୍ଯ୍ୟେ ନ ଜାଳିବ ॥ ୧୪୨

ପୁଣି ଯା' ଅନ୍ୟେ ଭୋଗ ଦେବ । ତା' ମୋତେ କେବେହେଁ ନ ଦେବ ॥ ୧୪୩

ଯେ ଦ୍ରବ୍ୟ ମୋତେ ସମର୍ପିବ । ପୁଣ ଗ୍ରହଣ ନ କରିବ ॥ ୧୪୪

ମୋ' ଦ୍ରବ୍ୟେ ଅଧିକାର ଯେତେ । କେବେହେଁ ନ କଳ୍ପିବ ଚିତ୍ତେ ॥ ୧୪୫

ଆତ୍ମାର ପ୍ରିୟବସ୍ତୁ ଯେତେ । ଉତ୍ତମ ବସ୍ତୁ ଯା' ଜଗତେ ॥ ୧୪୬

ଯେବା ମିଳିବ ଅକସ୍ମାତେ । ଆନନ୍ଦେ ସମର୍ପିବ ମୋତେ ॥ ୧୪୭

ମୋର ପ୍ରସନ୍ନେ ତା'ର ଫଳ । ହୋଇବ ଅନ‌ନ୍ତ ନିଶ୍ଚଳ ॥ ୧୪୮

ମୋ'ର ମନ୍ଦିର ମନୋହର । କରିବ ବିଚିତ୍ର ସଂସ୍କାର ॥ ୧୪୯

ମୋତେ ପୂଜିବ ଯେତେ ସ୍ଥାନେ । ଉଦ୍ଧବ ଶୁଣ ସାବଧାନେ ॥ ୧୫୦

ଗୋରୁ ବ୍ରାହ୍ମଣ ମୁନି ରବି । ଗ‌ଗନ ପବନ ପୃଥିବୀ ॥ ୧୫୧

ଜଳ ବୈଷ୍ଣବ ହୁତାଶନେ । ବିଷ୍ଣୁପୂଜିବ ଏତେ ସ୍ଥାନେ ॥ ୧୫୨

ଯାହାକୁ ଯେମନ୍ତେ ପୂଜିବ । କ‌ହିବା ଶୁଣ ହେ ଉଦ୍ଧବ ॥ ୧୫୩

ଶୀତଳ ଜଳ ତୃଣ ଦାନେ । ଗୋରୁଙ୍କୁ ପୂଜିବ ଗୋସ୍ଥାନେ ॥ ୧୫୪

ଅତିଥିମତେ ନାନାଦ୍ରବ୍ୟେ । ବିପ୍ରେ ପୂଜିବ ବିଷ୍ଣୁଭାବେ ॥ ୧୫୫

ମୁନି ପୂଜିବ ମନ୍ତ୍ରତନ୍ତ୍ରେ । ସଂସ୍କାର ଦ୍ରବ୍ୟ ଦେଇ ଯେତେ ॥ ୧୫୬

ପବିତ୍ର ପୁଷ୍ପ ଗନ୍ଧ ଅର୍ଘ୍ୟେ । ରବି ପୂଜିବ ବେଦମାର୍ଗେ ॥ ୧୫୭

ଆକାଶବର୍ଣ୍ଣ ହୃଦେ ଧରି । ଧ୍ୟାନେ ପୂଜିବ ନରହରି ॥ ୧୫୮

ପବନେ ଗନ୍ଧ ଆମୋଦନେ । ପୂଜିବ ଚିତ୍ତ ସମାଧାନେ ॥ ୧୫୯

ମୃତ୍ତିକା କରି ଲିଙ୍ଗ ପ୍ରାୟେ । ମୋତେ ପୂଜିବ ଶିବଧ୍ୟାୟେ ॥ ୧୬୦

ବୈଷ୍ଣବ ଆଣି ନିଜସ୍ଥାନେ । ପୂଜିବ ବାନ୍ଧବ ବିଧାନେ ॥ ୧୬୧

ଅଭିଗମନ ଅନୁଯାନେ । ଅନ୍ନ‌ଭୋଜନ ଜଳପାନେ ॥ ୧୬୨

ଜଳେ ପୂଜିବ ମୋତେ ଭାବେ । ବିବିଧ ଜଳମୟ ଦ୍ରବ୍ୟେ ॥ ୧୬୩

ଆରମ୍ଭି ସଂସ୍କାର ଅନଳେ । ଘୃତ ଇନ୍ଧନ ଚରୁ ତିଳେ ॥ ୧୬୪

ଅଗ୍ନି ପୂଜିବ ମୋର ଧ୍ୟାନେ । ନିର୍ମଳ ନିଶ୍ଚଳ ଭୁବନେ ॥ ୧୬୫

ଆତ୍ମାକୁ ଆତ୍ମାରୂପେ ଧ୍ୟାୟି । ପୂଜିବ ନାନା ଭୋଗ ଦେଇ ॥ ୧୬୬

ସକଳ ଭୂତେ ମୁଁ ବସଇ । ଅନ୍ତରେ ଅନ୍ତ‌ଯ୍ୟାମୀ ହୋଇ ॥ ୧୬୭

ଏଣୁ ଅନ‌ନ୍ତ ରୂପେ ମୋତେ । ଧ୍ୟାନେ ପୂଜିବ ସର୍ବ‌ଭୂତେ ॥ ୧୬୮

ଏ ବିଧିମତେ ନାନାଠାବେ । ମୋତେ ପୂଜିବ ପ୍ରିୟଭାବେ ॥ ୧୬୯

ଯେତେ କ‌ହିଲି ପୂଜାସ୍ଥାନେ । ମୋତେ ପୂଜିବ ଏ ବିଧାନେ ॥ ୧୭୦

ନୀଳଜୀମୃତ କଳେବର । ରାଜୀବଲୋଚନ ସୁନ୍ଦର ॥ ୧୭୧

ଶଙ୍ଖ କମଳ ଚକ୍ର ଗଦା । ଚତୁରଭୁଜେ ଶୋହେ ସଦା ॥ ୧୭୨

ସୁଗନ୍ଧ ବନମାଳା କଣ୍ଠେ । ରତ୍ନମେଖଳା କଟୀତଟେ ॥ ୧୭୩

ଶ୍ରବଣେ ମକରକୁଣ୍ତଳ । ଯେସନେ ଗ‌ଗନମଣ୍ତଳ ॥ ୧୭୪

ରବି ଶଶାଙ୍କ ବିରାଜଇ । ଏମନ୍ତ ଧ୍ୟାନେ ମନ‌ଦେଇ ॥ ୧୭୫

ଏ ବିଧିମତେ ପୂଜା କରି । ମୋ'ରୂପ ମନେ ଅବଧାରି ॥ ୧୭୬

ମୋ' ଭାବେ ଥିବ ନିରନ୍ତରେ । ଶୁଣ ଉଦ୍ଧବ କ‌ହୁଁ ତୋ'ରେ ॥ ୧୭୭

ତୀର୍ଥଗମନ ଯଜ୍ଞଦାନ । କୂପ ତଡ଼ାଗ ଦେବସ୍ଥାନ ॥ ୧୭୮

ଏ ଆଦି କର୍ମ କରି ଯେତେ । ମୋ' ପାଦେ ସମର୍ପିବ ନିତ୍ୟେ ॥ ୧୭୯

ଏ ରୂପେ ପୂଜି ମୋ' ଚରଣେ । ଲଭି ଭକ‌ତୋ ଦୃଢ଼ମନେ ॥ ୧୮୦

ନିରତେ ଥିବ ସାଧୁସଙ୍ଗେ । ନିର୍ମଳ ଭକ୍ତିଯୋଗମାର୍ଗେ ॥ ୧୮୧

ଏ ଭାବେ ପ୍ରାଣୀ ମୋତେ ପାଇ । ଏ ବିନୁ ଅନ୍ୟଗତି ନାହିଁ ॥ ୧୮୨

ଯେଣୁ ତୁ ମୋର ନିଜ ଦାସ । ତୋତେ କ‌ହିଲି ଉପଦେଶ ॥ ୧୮୩

ଆଉ କ‌ହିବି ମୁହିଁ ଯେତେ । ଶୁଣ ଉଦ୍ଧବ ଏକଚିତ୍ତେ ॥ ୧୮୪

ବୋଲଇ ଦାସ ଜଗନ୍ନାଥ । ସଂସାରହିତେ ଭାଗବତ ॥ ୧୮୫

କୃଷ୍ଣ‌ବଚନ ଏକାଦଶେ । ଯେବା ଉଦ୍ଧବେ ଉପଦେଶେ ॥ ୧୮୬

ସୁଜନ ଶୁଣି କର୍ଣ୍ଣପୁଟେ । ସଂସାରୁ ତରିବ ନିକଟେ ॥ ୧୮୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଦ୍ୱାଦଶୋଦ୍ଧଧ୍ୟାୟଃ ॥

* * *