ଏକାଦଶ ସ୍କନ୍ଧ

ଏକାଦଶ ଅଧ୍ୟାୟ

ବୋଲନ୍ତି ପ୍ରଭୁ ଚକ୍ରପାଣି । ଶୁଣ ଉଦ୍ଧବ ସାଧୁବାଣୀ ॥

ତୁ ଅଟୁ ଭକ‌ତ ପ୍ରଧାନ । ତୋତେ ପ୍ରସନ୍ନ ମୋର ମନ ॥

ଯେତେ କ‌ହିଲି ଧର୍ମ ତୋତେ । ଆଗମ ନିଗମ ଉକ‌ତେ ॥

ସେ ଧର୍ମ ଦୃଢ଼କରି ମନେ । ସାଧନ କର ସାବଧାନେ ॥

ଯେ ବର୍ଣ୍ଣଧର୍ମ କୁଳଧର୍ମ । ଯେ ବିଧି ଆଚାର ଆଶ୍ରମ ॥

କର୍ମ କରିବ କାମ ତେଜି । ସାତ୍ତ୍ୱିକେ ମୋ'ର ପାଦେ ଭଜି ॥

ଜୀବକୁ ଦୟା ଶୁଦ୍ଧଚିତ୍ତେ । ମୋହ ଗ‌ହ‌ନ ଏ ଜଗତେ ॥

ଆରମ୍ଭମାନ ବିପ‌ର୍ଯ୍ୟୟ । ସର୍ବ ବିକାର ମାୟାମୟ ॥

ସ୍ୱପନେ ନାନା ଉପଭୋଗେ । ସେ ଯେହ୍ନେ ଆତ୍ମାର ସଂଯୋଗେ ॥

ମଣଇଁ ସ‌ତ୍ୟପ୍ରାୟ ତାହା । ଦୃଷ୍ଟି ଶ୍ରବଣେ ସର୍ବମାୟା ॥ ୧୦

ଯେତେ ଦେଖଇ ନାନାରଙ୍ଗେ । ବିଫଳ ହୋଏ ନିଦ୍ରାଭଙ୍ଗେ ॥ ୧୧

ଏ ମାୟା ତ୍ରିଗୁଣେ ଯନ୍ତ୍ରିତ । ବ୍ରହ୍ମାଦି ପ୍ରପଞ୍ଚ ଜଗତ ॥ ୧୨

ଏଣୁ ପ୍ରବୃତ୍ତି ଧର୍ମ ଏଡ଼ି । ନିବୃତ୍ତି ଧର୍ମେ ଚିତ୍ତ ବଢ଼ି ॥ ୧୩

ସାଧୁ ସଙ୍ଗମେ ସେବା ଧରି । ଧର୍ମ ସାଧିବ ଶିକ୍ଷା କରି ॥ ୧୪

ଜାଣିଲେ ତ‌ତ୍ତ୍ୱ ଉପଦେଶ । ତେବେ କରିବ କର୍ମନ୍ୟାସ ॥ ୧୫

ଯେ ଅବା କର୍ମ କରଷଣ । ମୋତେ କରିବ ସମର୍ପଣ ॥ ୧୬

ଯମ-ନିୟମ ବେନିପ‌ଥେ । ଯତ୍ନେ ସାଧିବ ଯଥୋଚିତେ ॥ ୧୭

ସେବିବ ସାଧୁ ସୁଜ୍ଞଜନ । ମୋର ଚରଣେ ଯା'ର ମନ ॥ ୧୮

ସୁତ କଳତ୍ର ଧନ ପ୍ରାଣ । ଯେ ମୋତେ କରେ ସମର୍ପଣ ॥ ୧୯

ଏମନ୍ତ ଗୁରୁ ସେବା କରି । ଚିତ୍ତେ ମୋହର ରୂପ ଧରି ॥ ୨୦

ତେଜିବ ମାନ ଅହ‌ଙ୍କାର । ମଦ ମତ୍ସର ଯେ ବିକାର ॥ ୨୧

ସୁହୃଦଭାବ ସର୍ବଭୂତେ । ନିର୍ମଳ ଦୟା ଶୁଦ୍ଧଚିତ୍ତେ ॥ ୨୨

ଜ୍ଞାନ ଅଭ୍ୟାସି ଅବିରତ । ଚଞ୍ଚଳ ନ କରିବ ଚିତ୍ତ ॥ ୨୩

ସମତା ଦୃଷ୍ଟି ସ‌ତ୍ୟଭାଷା । ଏଣେ କରିବ ନିତ୍ୟେ ଆଶ୍ରା ॥ ୨୪

ଦାରା ତନୟ ଗୃହ କ୍ଷେତ୍ର । ସ୍ୱଜନ ବାନ୍ଧବ ଯେ ମିତ୍ର ॥ ୨୫

ସମ୍ପଦ ବିପଦ ସଞ୍ଚୟେ । ଧରିବ ଉଦାସୀନ ଦେହେ ॥ ୨୬

ଆକାଶ ଯେହ୍ନେ ସର୍ବଶୂନ୍ୟ । ସେ ରୂପେ ହୋଇ ଉଦାସୀନ ॥ ୨୭

ବିମୁକ୍ତବନ୍ଧ ମହାଶୟ । ସର୍ବ ଦେଖିବ ମାୟାମୟ ॥ ୨୮

କେବେହେଁ ନୋହି ଅଭିମାନୀ । ଆତ୍ମା ପରତେ ତ‌ତ୍ତ୍ୱଜ୍ଞାନୀ ॥ ୨୯

ଆତ୍ମାକୁ ଦେଖୁଥିବ ଭିନ୍ନ । କାଷ୍ଠେ ଯେସନେ ହୁତାଶନ ॥ ୩୦

ଏ ରୂପେ ଆତ୍ମା ନିର୍ବିକାର । ଏ ଦେହ ଗୁଣରୁ ବାହାର ॥ ୩୧

ଦେହର ମଧ୍ୟେ ଯେଣୁ ଥାଇ । ତା' ନାମ ଗୁଣକୁ ଭଜଇ ॥ ୩୨

କାଷ୍ଠ ସଂଯୋଗେ ଅଗ୍ନି ଯେହ୍ନେ । କାଷ୍ଠର ଆକାରକୁ ଘେନେ ॥ ୩୩

ଈଶ୍ୱର ମାୟାରେ ନିର୍ମାଣ । ଏ ସ୍ଥୂଳ ସୂକ୍ଷ୍ମ ଦେହ‌ମାନ ॥ ୩୪

ଜୀବର ସଂସାରଟି ଏହି । ସ‌ତ୍ୟ ପରାୟେ ପ୍ରତେ ହୋଇ ॥ ୩୫

ଏସନ ଗୁରୁବାକ୍ୟ ଜାଣି । ଅବସ୍ତୁ ପ୍ରାୟ ସର୍ବ ମଣି ॥ ୩୬

ଜଗତ ଦେଖି ବିଷ୍ଣୁମୟ । ଛାଡ଼ିବ ସକଳ ସଂଶୟ ॥ ୩୭

ଗୁଣ କର୍ମ ଯେ ଅହ‌ଙ୍କାର । ଚିତ୍ତରୁ ହୋଇଯିବ ଦୂର ॥ ୩୮

ରହିବ ନିଜରୂପ ଘେନି । ଇନ୍ଧନ ବିନା ଯେହ୍ନେ ଅଗ୍ନି ॥ ୩୯

କର୍ମ କରଣେ ଫଳ ପାଇ । ପ୍ରାଣୀ ତା' ଅବଶ୍ୟ ଭୁଞ୍ଜଇ ॥ ୪୦

ସ୍ୱତ‌ନ୍ତ୍ର ନୋହେ ସର୍ବକାଳେ । ଦୁଃଖେ ଭ୍ରମଇଁ ଏ ଶୟଳେ ॥ ୪୧

ଜୀବର ଦେହେ ବଦ୍ଧ ପାଶ । କେବେହେଁ ନାହିଁ ସୁଖ ଲେଶ ॥ ୪୨

ନିଗ‌ଡ଼ ବନ୍ଧନ ପୟରେ । ବନ୍ଦୀ ଯେସନେ ବନ୍ଦୀଘରେ ॥ ୪୩

କାଳ ବଞ୍ଚଇ ଦୁଃଖ ସ‌ହି । ମୂର୍ଖ ପଣ୍ତିତ ଭେଦ ନାହିଁ ॥ ୪୪

ଦାରୁଣ ଦୁଃଖ ସୁଖ ମଣେ । ସୁଖକୁ ଦୁଃଖ ପରିମାଣେ ॥ ୪୫

ଏମନ୍ତ ବୁଦ୍ଧି ଅହ‌ଙ୍କାରେ । ଜୀବ ଭ୍ରମଇଁ ନିରନ୍ତରେ ॥ ୪୬

ସେ ଯେବେ ଦୁଃଖ ସୁଖ ବୁଝେ । ସମ୍ମୁଖେ ମୃତ୍ୟୁସଙ୍ଗେ ଯୁଝେ ॥ ୪୭

ବୁଦ୍ଧି ବିବେକ ଜ୍ଞାନ ବଳେ । ମରଣ ଜିଣଇ କେ ହେଳେ ॥ ୪୮

କର୍ମେ ପ୍ରାଣୀର ସୁଖ ନାହିଁ । କେବଳ ଅନାଥଟି ସେହି ॥ ୪୯

ଏହା ନ ବୁଝି ମୂଢ଼ଜନେ । ତପ କରନ୍ତି ଫଳକାମେ ॥ ୫୦

କାହାରି ପୂର୍ବପୁଣ୍ୟଫଳେ । ଯଦ୍ୟପି ଅର୍ଥ କାମ ମିଳେ ॥ ୫୧

ତେବେ ହେଁ ଦୁଃଖ ନୋହେ ଶେଷ । ଭୁଞ୍ଜନ୍ତ ଲଭେ ବ‌ହୁ କ୍ଳେଶ ॥ ୫୨

ଯାହାକୁ ବାନ୍ଧି ନେଇ ପ‌ଥେ । ଶ୍ମଶାନେ ଶିରଚ୍ଛେଦ ଅର୍ଥେ ॥ ୫୩

ତାହାର ଯେତେ କାମ ଅର୍ଥ । ତୋଷଣେ ନୁହ‌ନ୍ତି ସମର୍ଥ ॥ ୫୪

ସଂସାରେ ଦେଖି ଶୁଣି ଯେତେ । ବିରାରେ ଦୁଃଖ ଏ ସମସ୍ତେ ॥ ୫୫

ମାନ ମତ୍ସର ଗର୍ବ ଲୋଭ । ବିନାଶ ଅପଚୟଭାବ ॥ ୫୬

ଏ ସର୍ବ ଦୁଃଖର କାରଣ । ଉଦ୍ଧବ ଏହା ପରିମାଣ ॥ ୫୭

କର୍ମର ଫଳ ନାନାଗତି । ଶୁଣ ତୁ ଏବେ ଦେଇ ମତି ॥ ୫୮

ବିବିଧ ବିଧି ନାନା ଦାନ । ଯଜ୍ଞେ ଦେବତା ଆରାଧନ ॥ ୫୯

ସେ ପୁଣ୍ୟବଳେ ସ୍ୱର୍ଗେ ଯାଇ । ଭୁଞ୍ଜଇ ଦିବ୍ୟଦେହ ବ‌ହି ॥ ୬୦

ନାନା ପ୍ରକାରେ ସୁଖ ଯେତେ । ଭୋଗ କରଇ ଦେବମତେ ॥ ୬୧

କର୍ମ ନିର୍ମିତ ପୁଣ୍ୟରଥେ । ଫଳ ଭୁଞ୍ଜଇ ସ୍ୱର୍ଗପ‌ଥେ ॥ ୬୨

ଗନ୍ଧର୍ବ କିନ୍ନର ଯୁବତୀ । ରଥ ପାରୁଶେ ପନ୍ତି ପନ୍ତି ॥ ୬୩

ବିବିଧ ନୃତ୍ୟ ଗୀତମାନ । କରି ତୋଷନ୍ତି ତାର ମନ ॥ ୬୪

ଦିବ୍ୟ ଯୁବତୀଗଣ ସଙ୍ଗେ । ବିମାନେ ରମେ ନାନାରଙ୍ଗେ ॥ ୬୫

କ୍ଷୁଦ୍ର କିଙ୍କିଣୀନାଦ ଧୀରେ । ଲଳିତ ମଙ୍ଗଳ ମଙ୍ଗଳ ମଧୁରେ ॥ ୬୬

ଯାବତ କର୍ମଫଳ ପୂରେ । ତାବତ ସ୍ୱର୍ଗଭୋଗ କରେ ॥ ୬୭

ପୁଣ ପଡ଼ଇ କର୍ମକ୍ଷୟେ । ସଂସାରେ ବିଷ୍ଣୁ ମାୟାମୋହେ ॥ ୬୮

ଏଣୁ ଅର୍ଜିତ କର୍ମ‌ପାକେ । ଜୀବ ଭ୍ରମଇଁ ଦୁଃଖସୁଖେ ॥ ୬୯

ଅସାଧୁ ସଙ୍ଗେ ଯେତେ ଭାବ । ଉଦ୍ଧବେ କ‌ହ‌ନ୍ତି ମାଧବ ॥ ୭୦

ସୁକର୍ମେ ସାଧୁସଙ୍ଗ ପାଇ । କୁକର୍ମେ ଅସାଧୁ ମିଳଇ ॥ ୭୧

ପୂର୍ବ ବିପାକ କର୍ମଦୋଷେ । ଅସାଧୁସଙ୍ଗ ମିଳେ ପାଶେ ॥ ୭୨

ଅଧର୍ମ ବଢ଼େ ଦିନୁଦିନେ । ନିରତେ କୁସଙ୍ଗ ମିଳନେ ॥ ୭୩

ସ‌ତ୍ୟ ମଉନ ଶୁଚି ଦୟା । ଯଶ ଶ୍ରୀଲଜ୍ଜା ବୁଦ୍ଧି କ୍ରିୟା ॥ ୭୪

ସର୍ବତ୍ର କ୍ଷମା ଶମ ଦମ । ଇନ୍ଦ୍ରିୟଭୋଗ୍ୟାଦି ଉତ୍ତମ ॥ ୭୫

ଗୁଣେ ଯେତେକ ପ୍ରାଣୀ ଥା'ନ୍ତି । ଅସଙ୍ଗ ସଙ୍ଗେ ନାଶ ଯା'ନ୍ତି ॥ ୭୬

ସ୍ତିରୀ ଲମ୍ପଟ କାମ‌ଯୁତ । କୃପଣ ପାଷଣ୍ତ କୁତ୍ସିତ ॥ ୭୭

ପରପୀଡ଼ନ ଭୂତ‌ହିଂସା । ସୁଖ ଗ‌ହ‌ନେ କରେ ଆଶା ॥ ୭୮

ଯଜ୍ଞ ଆରମ୍ଭେ ବିଧିହୀନେ । ପଶୁ ମାରଣ ଅବିଧାନେ ॥ ୭୯

କଳ୍ପିତ ପିତୃଯଜ୍ଞ ଛଳେ । ପଶୁଙ୍କୁ ବଧ କରେ ବଳେ ॥ ୮୦

ପୂଜଇ ଭୂତ-ପ୍ରେତଗଣେ । ଆତ୍ମହିଂସନ ସେ ନ ଜାଣେ ॥ ୮୧

ଜୀବମାରଣ କର୍ମଫଳେ । ନରକେ ପଡ଼େ ଅନ୍ତଃକାଳେ ॥ ୮୨

ମାୟାଯନ୍ତ୍ରିତ ନାନାଯୋନି । ଭ୍ରମଇ ଜୀବ ଆତ୍ମା ଘେନି ॥ ୮୩

ସ୍ଥାବର ଆଦି ଚାରିଦେହେ । ପଶୁ ପ‌ତଙ୍ଗ କୀଟ ହୋଏ ॥ ୮୪

ସିଂହ ଶୃଗାଳ ବାଜି ଗଜେ । ଏ ରୂପେ ନାନା ଯୋନି ଭଜେ ॥ ୮୫

ଅଶେଷ କୋଟିଜନ୍ମ ଭ୍ରମି । ଅର୍ଜିତ କର୍ମେ ପ‌ଥଶ୍ରମୀ ॥ ୮୬

ଏମନ୍ତେ ଦୁଃଖ ଅବଶେଷେ । କିଞ୍ଚିତ ଧର୍ମର ବିଶ୍ୱାସେ ॥ ୮୭

ଦୁର୍ଲ୍ଲଭ ମନୁଷ୍ୟ ଶରୀରେ । ଜନ୍ମ ଲ‌ଭଇ ମର୍ତ୍ତ୍ୟପୁରେ ॥ ୮୮

ଭାଗ୍ୟେ ଦୁର୍ଲ୍ଲଭ ଦେହ ଧରି । ପୁଣ ଭ୍ରମଇଁ କର୍ମ କରି ॥ ୮୯

କର୍ମଟି ନାନା ଦୁଃଖ ଦେଇ । କିଞ୍ଚିତ ସୁଖ ନାହିଁ ତ‌ହିଁ ॥ ୯୦

କର୍ମ କରନ୍ତେ ପାଇ ଦେହ । ଏଣୁଟି କର୍ମ ଦୁଃଖମୟ ॥ ୯୧

କୁବେର ବରୁଣ ଅନଳ । ଏ ଆଦି ଦଶଦିଗପାଳ ॥ ୯୨

ଦେଖ ଏ କଳ୍ପ ଅଧିକାରୀ । ସ୍ୱଭାବେ ମୋର ଅଂଶଧାରୀ ॥ ୯୩

ବ୍ରହ୍ମା ମୋହର ଅଂଶ ବ‌ହି । ସକଳ ସୃଷ୍ଟି ସେ କରଇ ॥ ୯୪

ମୋହ‌ର ତ‌ହୁଁ ସମ୍ଭବନ୍ତି । ଭୟେ ନିକଟେ ନ ର‌ହ‌ନ୍ତି ॥ ୯୫

ଗୁଣ ସକାଶେ କର୍ମ ସୃଜେ । ଏଣୁ ବିଷୟ ଜୀବ ଭୁଞ୍ଜେ ॥ ୯୬

ଏଣୁ ଏ ଜୀବ କର୍ମମ‌ୟେ । ଅକର୍ମେ ଦଣ୍ତେ ହେଁ ନ ରହେ ॥ ୯୭

ଯାବତ ବିଷୟରେ ରତି । ଗୁଣେ ବିଷମ‌ଭାବେ ଥାନ୍ତି ॥ ୯୮

ତାବତ ନାନାବିଧ ରୂପେ । ଜୀବ ଭ୍ରମଇଁ ମୋହକ‌ଳ୍ପେ ॥ ୯୯

ଯାବତ ନାନାଭାବ ଛନ୍ନ । ତାବତ ଜୀବ ପରାଧୀନ ॥ ୧୦୦

ଈଶ୍ୱର ତ‌ହୁଁ ଭୟ ପାଇ । ଭ୍ରମଇଁ ମାୟାମୟ ହୋଇ ॥ ୧୦୧

ଅନେକ ଭ୍ରମି ଶ୍ରମେ ଫୁଟେ । କେବେହେଁ ମାୟା ତା'ନ ତୁଟେ ॥ ୧୦୨

ଶୁକ ଉବାଚ

ଏମନ୍ତେ ଗୋବିନ୍ଦର ବାଣୀ । ଉଦ୍ଧବ ବୋଲେ ତାହା ଶୁଣି ॥ ୧୦୩

ପ୍ରମାଣ କରି କୃଷ୍ଣପାଦେ । ବୋଲେ ଆନନ୍ଦ ଗଦଗଦେ ॥ ୧୦୪

ଉଦ୍ଧବ ଉବାଚ

ଶୁଣ ହେ ପ୍ରଭୁ ଦାମୋଦର । ତ୍ରିଗୁଣେ ଜାତ ଏ ଶରୀର ॥ ୧୦୫

ଜୀବ ରହିଛି ଦେହ ମଧ୍ୟେ । ନିର୍ଲେପ ପରମ ଆନନ୍ଦେ ॥ ୧୦୬

ଗୁଣ ବନ୍ଧନ ନାହିଁ ତା'ର । ସ୍ୱଭାବେ ନିତ୍ୟ ନିରାକାର ॥ ୧୦୭

ତାର ବନ୍ଧନ ତିନିଗୁଣେ । ତୁ ନାଥ ବୋଲୁ କି କାରଣେ ॥ ୧୦୮

କେମନ୍ତେ ନୋହେ ତା' ବନ୍ଧନ । କ‌ହ ହେ ଦେବକୀନନ୍ଦନ ॥ ୧୦୯

କି ରୂପେ ଥାଇ ଅନ୍ତର୍ଗତେ । ସଂସାରେ ବିହରେ କେମନ୍ତେ ॥ ୧୧୦

କେତେ ଲକ୍ଷଣେ ତାହା ଜାଣି । କେମନ୍ତେ ଭୁଞ୍ଜେ ଅନ୍ନପାଣି ॥ ୧୧୧

କି ରୂପେ ପ୍ରଚ‌ରଇ ଜନେ । ଆସନ ଶୟନ ଭୋଜନେ ॥ ୧୧୨

ନିଶ୍ଚଳେ ବସେ କେଉଁସ୍ଥାନେ । କ‌ହ କେଶବ ତୋଷମନେ ॥ ୧୧୩

ତୁ ନାଥ ମୋର ପ୍ରାଣପ‌ତି । ଦାସବତ୍ସଳ ଦାଶରଥି ॥ ୧୧୪

ଅଚ୍ୟୁତ ଅନ‌ନ୍ତ ମୁରାରି । ବଳେ କେ ପାରେ ତୋତେ ଧରି ॥ ୧୧୫

ସଂସାରେ ବନ୍ଧ ମୋକ୍ଷ ଦୁଇ । କେମନ୍ତେ କଳ୍ପେ ତା'ର ଦେହୀ ॥ ୧୧୬

ଏକ ଅନେକ ଅବା କେତେ । କ‌ହ ଗୋବିନ୍ଦ ଶୁଦ୍ଧଚିତ୍ତେ ॥ ୧୧୭

ମୋହର ଚିତ୍ତେ ଭ୍ରମ ଯେତେ । କ‌ହିଲି ତୋହର ଅଗ୍ରତେ ॥ ୧୧୮

ମୋ ଘରେ ଜ୍ଞାନ‌ଦୀପ ଜାଳି । ଅଜ୍ଞାନ ଖଣ୍ତ ବନ‌ମାଳୀ ॥ ୧୧୯

ବୋଲଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୧୨୦

ଉଦ୍ଧବ ପଚାରିଲେ ଯେତେ । ଶ୍ରୀଏକାଦଶେ ଭାଗବତେ ॥ ୧୨୧

ସୁଜନେ ଶୁଣ ଦେଇ ଚିତ୍ତ । ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ॥ ୧୨୨

ଜନ୍ମଜନ୍ମରେ ମୋର ମତି । ନ ଛାଡ଼ୁଁ ତୁମ୍ଭର ଭକ‌ତି ॥ ୧୨୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଭଗବଦ୍ ଉଦ୍ଧବ ସମ୍ବାଦେ ଏକାଦଶୋଦ୍ଧଧ୍ୟାୟଃ ॥

* * *