ଏକାଦଶ ସ୍କନ୍ଧ
ଏକାଦଶ ଅଧ୍ୟାୟ
ବୋଲନ୍ତି ପ୍ରଭୁ ଚକ୍ରପାଣି । ଶୁଣ ଉଦ୍ଧବ ସାଧୁବାଣୀ ॥ ୧
ତୁ ଅଟୁ ଭକତ ପ୍ରଧାନ । ତୋତେ ପ୍ରସନ୍ନ ମୋର ମନ ॥ ୨
ଯେତେ କହିଲି ଧର୍ମ ତୋତେ । ଆଗମ ନିଗମ ଉକତେ ॥ ୩
ସେ ଧର୍ମ ଦୃଢ଼କରି ମନେ । ସାଧନ କର ସାବଧାନେ ॥ ୪
ଯେ ବର୍ଣ୍ଣଧର୍ମ କୁଳଧର୍ମ । ଯେ ବିଧି ଆଚାର ଆଶ୍ରମ ॥ ୫
କର୍ମ କରିବ କାମ ତେଜି । ସାତ୍ତ୍ୱିକେ ମୋ'ର ପାଦେ ଭଜି ॥ ୬
ଜୀବକୁ ଦୟା ଶୁଦ୍ଧଚିତ୍ତେ । ମୋହ ଗହନ ଏ ଜଗତେ ॥ ୭
ଆରମ୍ଭମାନ ବିପର୍ଯ୍ୟୟ । ସର୍ବ ବିକାର ମାୟାମୟ ॥ ୮
ସ୍ୱପନେ ନାନା ଉପଭୋଗେ । ସେ ଯେହ୍ନେ ଆତ୍ମାର ସଂଯୋଗେ ॥ ୯
ମଣଇଁ ସତ୍ୟପ୍ରାୟ ତାହା । ଦୃଷ୍ଟି ଶ୍ରବଣେ ସର୍ବମାୟା ॥ ୧୦
ଯେତେ ଦେଖଇ ନାନାରଙ୍ଗେ । ବିଫଳ ହୋଏ ନିଦ୍ରାଭଙ୍ଗେ ॥ ୧୧
ଏ ମାୟା ତ୍ରିଗୁଣେ ଯନ୍ତ୍ରିତ । ବ୍ରହ୍ମାଦି ପ୍ରପଞ୍ଚ ଜଗତ ॥ ୧୨
ଏଣୁ ପ୍ରବୃତ୍ତି ଧର୍ମ ଏଡ଼ି । ନିବୃତ୍ତି ଧର୍ମେ ଚିତ୍ତ ବଢ଼ି ॥ ୧୩
ସାଧୁ ସଙ୍ଗମେ ସେବା ଧରି । ଧର୍ମ ସାଧିବ ଶିକ୍ଷା କରି ॥ ୧୪
ଜାଣିଲେ ତତ୍ତ୍ୱ ଉପଦେଶ । ତେବେ କରିବ କର୍ମନ୍ୟାସ ॥ ୧୫
ଯେ ଅବା କର୍ମ କରଷଣ । ମୋତେ କରିବ ସମର୍ପଣ ॥ ୧୬
ଯମ-ନିୟମ ବେନିପଥେ । ଯତ୍ନେ ସାଧିବ ଯଥୋଚିତେ ॥ ୧୭
ସେବିବ ସାଧୁ ସୁଜ୍ଞଜନ । ମୋର ଚରଣେ ଯା'ର ମନ ॥ ୧୮
ସୁତ କଳତ୍ର ଧନ ପ୍ରାଣ । ଯେ ମୋତେ କରେ ସମର୍ପଣ ॥ ୧୯
ଏମନ୍ତ ଗୁରୁ ସେବା କରି । ଚିତ୍ତେ ମୋହର ରୂପ ଧରି ॥ ୨୦
ତେଜିବ ମାନ ଅହଙ୍କାର । ମଦ ମତ୍ସର ଯେ ବିକାର ॥ ୨୧
ସୁହୃଦଭାବ ସର୍ବଭୂତେ । ନିର୍ମଳ ଦୟା ଶୁଦ୍ଧଚିତ୍ତେ ॥ ୨୨
ଜ୍ଞାନ ଅଭ୍ୟାସି ଅବିରତ । ଚଞ୍ଚଳ ନ କରିବ ଚିତ୍ତ ॥ ୨୩
ସମତା ଦୃଷ୍ଟି ସତ୍ୟଭାଷା । ଏଣେ କରିବ ନିତ୍ୟେ ଆଶ୍ରା ॥ ୨୪
ଦାରା ତନୟ ଗୃହ କ୍ଷେତ୍ର । ସ୍ୱଜନ ବାନ୍ଧବ ଯେ ମିତ୍ର ॥ ୨୫
ସମ୍ପଦ ବିପଦ ସଞ୍ଚୟେ । ଧରିବ ଉଦାସୀନ ଦେହେ ॥ ୨୬
ଆକାଶ ଯେହ୍ନେ ସର୍ବଶୂନ୍ୟ । ସେ ରୂପେ ହୋଇ ଉଦାସୀନ ॥ ୨୭
ବିମୁକ୍ତବନ୍ଧ ମହାଶୟ । ସର୍ବ ଦେଖିବ ମାୟାମୟ ॥ ୨୮
କେବେହେଁ ନୋହି ଅଭିମାନୀ । ଆତ୍ମା ପରତେ ତତ୍ତ୍ୱଜ୍ଞାନୀ ॥ ୨୯
ଆତ୍ମାକୁ ଦେଖୁଥିବ ଭିନ୍ନ । କାଷ୍ଠେ ଯେସନେ ହୁତାଶନ ॥ ୩୦
ଏ ରୂପେ ଆତ୍ମା ନିର୍ବିକାର । ଏ ଦେହ ଗୁଣରୁ ବାହାର ॥ ୩୧
ଦେହର ମଧ୍ୟେ ଯେଣୁ ଥାଇ । ତା' ନାମ ଗୁଣକୁ ଭଜଇ ॥ ୩୨
କାଷ୍ଠ ସଂଯୋଗେ ଅଗ୍ନି ଯେହ୍ନେ । କାଷ୍ଠର ଆକାରକୁ ଘେନେ ॥ ୩୩
ଈଶ୍ୱର ମାୟାରେ ନିର୍ମାଣ । ଏ ସ୍ଥୂଳ ସୂକ୍ଷ୍ମ ଦେହମାନ ॥ ୩୪
ଜୀବର ସଂସାରଟି ଏହି । ସତ୍ୟ ପରାୟେ ପ୍ରତେ ହୋଇ ॥ ୩୫
ଏସନ ଗୁରୁବାକ୍ୟ ଜାଣି । ଅବସ୍ତୁ ପ୍ରାୟ ସର୍ବ ମଣି ॥ ୩୬
ଜଗତ ଦେଖି ବିଷ୍ଣୁମୟ । ଛାଡ଼ିବ ସକଳ ସଂଶୟ ॥ ୩୭
ଗୁଣ କର୍ମ ଯେ ଅହଙ୍କାର । ଚିତ୍ତରୁ ହୋଇଯିବ ଦୂର ॥ ୩୮
ରହିବ ନିଜରୂପ ଘେନି । ଇନ୍ଧନ ବିନା ଯେହ୍ନେ ଅଗ୍ନି ॥ ୩୯
କର୍ମ କରଣେ ଫଳ ପାଇ । ପ୍ରାଣୀ ତା' ଅବଶ୍ୟ ଭୁଞ୍ଜଇ ॥ ୪୦
ସ୍ୱତନ୍ତ୍ର ନୋହେ ସର୍ବକାଳେ । ଦୁଃଖେ ଭ୍ରମଇଁ ଏ ଶୟଳେ ॥ ୪୧
ଜୀବର ଦେହେ ବଦ୍ଧ ପାଶ । କେବେହେଁ ନାହିଁ ସୁଖ ଲେଶ ॥ ୪୨
ନିଗଡ଼ ବନ୍ଧନ ପୟରେ । ବନ୍ଦୀ ଯେସନେ ବନ୍ଦୀଘରେ ॥ ୪୩
କାଳ ବଞ୍ଚଇ ଦୁଃଖ ସହି । ମୂର୍ଖ ପଣ୍ତିତ ଭେଦ ନାହିଁ ॥ ୪୪
ଦାରୁଣ ଦୁଃଖ ସୁଖ ମଣେ । ସୁଖକୁ ଦୁଃଖ ପରିମାଣେ ॥ ୪୫
ଏମନ୍ତ ବୁଦ୍ଧି ଅହଙ୍କାରେ । ଜୀବ ଭ୍ରମଇଁ ନିରନ୍ତରେ ॥ ୪୬
ସେ ଯେବେ ଦୁଃଖ ସୁଖ ବୁଝେ । ସମ୍ମୁଖେ ମୃତ୍ୟୁସଙ୍ଗେ ଯୁଝେ ॥ ୪୭
ବୁଦ୍ଧି ବିବେକ ଜ୍ଞାନ ବଳେ । ମରଣ ଜିଣଇ କେ ହେଳେ ॥ ୪୮
କର୍ମେ ପ୍ରାଣୀର ସୁଖ ନାହିଁ । କେବଳ ଅନାଥଟି ସେହି ॥ ୪୯
ଏହା ନ ବୁଝି ମୂଢ଼ଜନେ । ତପ କରନ୍ତି ଫଳକାମେ ॥ ୫୦
କାହାରି ପୂର୍ବପୁଣ୍ୟଫଳେ । ଯଦ୍ୟପି ଅର୍ଥ କାମ ମିଳେ ॥ ୫୧
ତେବେ ହେଁ ଦୁଃଖ ନୋହେ ଶେଷ । ଭୁଞ୍ଜନ୍ତ ଲଭେ ବହୁ କ୍ଳେଶ ॥ ୫୨
ଯାହାକୁ ବାନ୍ଧି ନେଇ ପଥେ । ଶ୍ମଶାନେ ଶିରଚ୍ଛେଦ ଅର୍ଥେ ॥ ୫୩
ତାହାର ଯେତେ କାମ ଅର୍ଥ । ତୋଷଣେ ନୁହନ୍ତି ସମର୍ଥ ॥ ୫୪
ସଂସାରେ ଦେଖି ଶୁଣି ଯେତେ । ବିରାରେ ଦୁଃଖ ଏ ସମସ୍ତେ ॥ ୫୫
ମାନ ମତ୍ସର ଗର୍ବ ଲୋଭ । ବିନାଶ ଅପଚୟଭାବ ॥ ୫୬
ଏ ସର୍ବ ଦୁଃଖର କାରଣ । ଉଦ୍ଧବ ଏହା ପରିମାଣ ॥ ୫୭
କର୍ମର ଫଳ ନାନାଗତି । ଶୁଣ ତୁ ଏବେ ଦେଇ ମତି ॥ ୫୮
ବିବିଧ ବିଧି ନାନା ଦାନ । ଯଜ୍ଞେ ଦେବତା ଆରାଧନ ॥ ୫୯
ସେ ପୁଣ୍ୟବଳେ ସ୍ୱର୍ଗେ ଯାଇ । ଭୁଞ୍ଜଇ ଦିବ୍ୟଦେହ ବହି ॥ ୬୦
ନାନା ପ୍ରକାରେ ସୁଖ ଯେତେ । ଭୋଗ କରଇ ଦେବମତେ ॥ ୬୧
କର୍ମ ନିର୍ମିତ ପୁଣ୍ୟରଥେ । ଫଳ ଭୁଞ୍ଜଇ ସ୍ୱର୍ଗପଥେ ॥ ୬୨
ଗନ୍ଧର୍ବ କିନ୍ନର ଯୁବତୀ । ରଥ ପାରୁଶେ ପନ୍ତି ପନ୍ତି ॥ ୬୩
ବିବିଧ ନୃତ୍ୟ ଗୀତମାନ । କରି ତୋଷନ୍ତି ତାର ମନ ॥ ୬୪
ଦିବ୍ୟ ଯୁବତୀଗଣ ସଙ୍ଗେ । ବିମାନେ ରମେ ନାନାରଙ୍ଗେ ॥ ୬୫
କ୍ଷୁଦ୍ର କିଙ୍କିଣୀନାଦ ଧୀରେ । ଲଳିତ ମଙ୍ଗଳ ମଙ୍ଗଳ ମଧୁରେ ॥ ୬୬
ଯାବତ କର୍ମଫଳ ପୂରେ । ତାବତ ସ୍ୱର୍ଗଭୋଗ କରେ ॥ ୬୭
ପୁଣ ପଡ଼ଇ କର୍ମକ୍ଷୟେ । ସଂସାରେ ବିଷ୍ଣୁ ମାୟାମୋହେ ॥ ୬୮
ଏଣୁ ଅର୍ଜିତ କର୍ମପାକେ । ଜୀବ ଭ୍ରମଇଁ ଦୁଃଖସୁଖେ ॥ ୬୯
ଅସାଧୁ ସଙ୍ଗେ ଯେତେ ଭାବ । ଉଦ୍ଧବେ କହନ୍ତି ମାଧବ ॥ ୭୦
ସୁକର୍ମେ ସାଧୁସଙ୍ଗ ପାଇ । କୁକର୍ମେ ଅସାଧୁ ମିଳଇ ॥ ୭୧
ପୂର୍ବ ବିପାକ କର୍ମଦୋଷେ । ଅସାଧୁସଙ୍ଗ ମିଳେ ପାଶେ ॥ ୭୨
ଅଧର୍ମ ବଢ଼େ ଦିନୁଦିନେ । ନିରତେ କୁସଙ୍ଗ ମିଳନେ ॥ ୭୩
ସତ୍ୟ ମଉନ ଶୁଚି ଦୟା । ଯଶ ଶ୍ରୀଲଜ୍ଜା ବୁଦ୍ଧି କ୍ରିୟା ॥ ୭୪
ସର୍ବତ୍ର କ୍ଷମା ଶମ ଦମ । ଇନ୍ଦ୍ରିୟଭୋଗ୍ୟାଦି ଉତ୍ତମ ॥ ୭୫
ଗୁଣେ ଯେତେକ ପ୍ରାଣୀ ଥା'ନ୍ତି । ଅସଙ୍ଗ ସଙ୍ଗେ ନାଶ ଯା'ନ୍ତି ॥ ୭୬
ସ୍ତିରୀ ଲମ୍ପଟ କାମଯୁତ । କୃପଣ ପାଷଣ୍ତ କୁତ୍ସିତ ॥ ୭୭
ପରପୀଡ଼ନ ଭୂତହିଂସା । ସୁଖ ଗହନେ କରେ ଆଶା ॥ ୭୮
ଯଜ୍ଞ ଆରମ୍ଭେ ବିଧିହୀନେ । ପଶୁ ମାରଣ ଅବିଧାନେ ॥ ୭୯
କଳ୍ପିତ ପିତୃଯଜ୍ଞ ଛଳେ । ପଶୁଙ୍କୁ ବଧ କରେ ବଳେ ॥ ୮୦
ପୂଜଇ ଭୂତ-ପ୍ରେତଗଣେ । ଆତ୍ମହିଂସନ ସେ ନ ଜାଣେ ॥ ୮୧
ଜୀବମାରଣ କର୍ମଫଳେ । ନରକେ ପଡ଼େ ଅନ୍ତଃକାଳେ ॥ ୮୨
ମାୟାଯନ୍ତ୍ରିତ ନାନାଯୋନି । ଭ୍ରମଇ ଜୀବ ଆତ୍ମା ଘେନି ॥ ୮୩
ସ୍ଥାବର ଆଦି ଚାରିଦେହେ । ପଶୁ ପତଙ୍ଗ କୀଟ ହୋଏ ॥ ୮୪
ସିଂହ ଶୃଗାଳ ବାଜି ଗଜେ । ଏ ରୂପେ ନାନା ଯୋନି ଭଜେ ॥ ୮୫
ଅଶେଷ କୋଟିଜନ୍ମ ଭ୍ରମି । ଅର୍ଜିତ କର୍ମେ ପଥଶ୍ରମୀ ॥ ୮୬
ଏମନ୍ତେ ଦୁଃଖ ଅବଶେଷେ । କିଞ୍ଚିତ ଧର୍ମର ବିଶ୍ୱାସେ ॥ ୮୭
ଦୁର୍ଲ୍ଲଭ ମନୁଷ୍ୟ ଶରୀରେ । ଜନ୍ମ ଲଭଇ ମର୍ତ୍ତ୍ୟପୁରେ ॥ ୮୮
ଭାଗ୍ୟେ ଦୁର୍ଲ୍ଲଭ ଦେହ ଧରି । ପୁଣ ଭ୍ରମଇଁ କର୍ମ କରି ॥ ୮୯
କର୍ମଟି ନାନା ଦୁଃଖ ଦେଇ । କିଞ୍ଚିତ ସୁଖ ନାହିଁ ତହିଁ ॥ ୯୦
କର୍ମ କରନ୍ତେ ପାଇ ଦେହ । ଏଣୁଟି କର୍ମ ଦୁଃଖମୟ ॥ ୯୧
କୁବେର ବରୁଣ ଅନଳ । ଏ ଆଦି ଦଶଦିଗପାଳ ॥ ୯୨
ଦେଖ ଏ କଳ୍ପ ଅଧିକାରୀ । ସ୍ୱଭାବେ ମୋର ଅଂଶଧାରୀ ॥ ୯୩
ବ୍ରହ୍ମା ମୋହର ଅଂଶ ବହି । ସକଳ ସୃଷ୍ଟି ସେ କରଇ ॥ ୯୪
ମୋହର ତହୁଁ ସମ୍ଭବନ୍ତି । ଭୟେ ନିକଟେ ନ ରହନ୍ତି ॥ ୯୫
ଗୁଣ ସକାଶେ କର୍ମ ସୃଜେ । ଏଣୁ ବିଷୟ ଜୀବ ଭୁଞ୍ଜେ ॥ ୯୬
ଏଣୁ ଏ ଜୀବ କର୍ମମୟେ । ଅକର୍ମେ ଦଣ୍ତେ ହେଁ ନ ରହେ ॥ ୯୭
ଯାବତ ବିଷୟରେ ରତି । ଗୁଣେ ବିଷମଭାବେ ଥାନ୍ତି ॥ ୯୮
ତାବତ ନାନାବିଧ ରୂପେ । ଜୀବ ଭ୍ରମଇଁ ମୋହକଳ୍ପେ ॥ ୯୯
ଯାବତ ନାନାଭାବ ଛନ୍ନ । ତାବତ ଜୀବ ପରାଧୀନ ॥ ୧୦୦
ଈଶ୍ୱର ତହୁଁ ଭୟ ପାଇ । ଭ୍ରମଇଁ ମାୟାମୟ ହୋଇ ॥ ୧୦୧
ଅନେକ ଭ୍ରମି ଶ୍ରମେ ଫୁଟେ । କେବେହେଁ ମାୟା ତା'ନ ତୁଟେ ॥ ୧୦୨
ଶୁକ ଉବାଚ
ଏମନ୍ତେ ଗୋବିନ୍ଦର ବାଣୀ । ଉଦ୍ଧବ ବୋଲେ ତାହା ଶୁଣି ॥ ୧୦୩
ପ୍ରମାଣ କରି କୃଷ୍ଣପାଦେ । ବୋଲେ ଆନନ୍ଦ ଗଦଗଦେ ॥ ୧୦୪
ଉଦ୍ଧବ ଉବାଚ
ଶୁଣ ହେ ପ୍ରଭୁ ଦାମୋଦର । ତ୍ରିଗୁଣେ ଜାତ ଏ ଶରୀର ॥ ୧୦୫
ଜୀବ ରହିଛି ଦେହ ମଧ୍ୟେ । ନିର୍ଲେପ ପରମ ଆନନ୍ଦେ ॥ ୧୦୬
ଗୁଣ ବନ୍ଧନ ନାହିଁ ତା'ର । ସ୍ୱଭାବେ ନିତ୍ୟ ନିରାକାର ॥ ୧୦୭
ତାର ବନ୍ଧନ ତିନିଗୁଣେ । ତୁ ନାଥ ବୋଲୁ କି କାରଣେ ॥ ୧୦୮
କେମନ୍ତେ ନୋହେ ତା' ବନ୍ଧନ । କହ ହେ ଦେବକୀନନ୍ଦନ ॥ ୧୦୯
କି ରୂପେ ଥାଇ ଅନ୍ତର୍ଗତେ । ସଂସାରେ ବିହରେ କେମନ୍ତେ ॥ ୧୧୦
କେତେ ଲକ୍ଷଣେ ତାହା ଜାଣି । କେମନ୍ତେ ଭୁଞ୍ଜେ ଅନ୍ନପାଣି ॥ ୧୧୧
କି ରୂପେ ପ୍ରଚରଇ ଜନେ । ଆସନ ଶୟନ ଭୋଜନେ ॥ ୧୧୨
ନିଶ୍ଚଳେ ବସେ କେଉଁସ୍ଥାନେ । କହ କେଶବ ତୋଷମନେ ॥ ୧୧୩
ତୁ ନାଥ ମୋର ପ୍ରାଣପତି । ଦାସବତ୍ସଳ ଦାଶରଥି ॥ ୧୧୪
ଅଚ୍ୟୁତ ଅନନ୍ତ ମୁରାରି । ବଳେ କେ ପାରେ ତୋତେ ଧରି ॥ ୧୧୫
ସଂସାରେ ବନ୍ଧ ମୋକ୍ଷ ଦୁଇ । କେମନ୍ତେ କଳ୍ପେ ତା'ର ଦେହୀ ॥ ୧୧୬
ଏକ ଅନେକ ଅବା କେତେ । କହ ଗୋବିନ୍ଦ ଶୁଦ୍ଧଚିତ୍ତେ ॥ ୧୧୭
ମୋହର ଚିତ୍ତେ ଭ୍ରମ ଯେତେ । କହିଲି ତୋହର ଅଗ୍ରତେ ॥ ୧୧୮
ମୋ ଘରେ ଜ୍ଞାନଦୀପ ଜାଳି । ଅଜ୍ଞାନ ଖଣ୍ତ ବନମାଳୀ ॥ ୧୧୯
ବୋଲଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୧୨୦
ଉଦ୍ଧବ ପଚାରିଲେ ଯେତେ । ଶ୍ରୀଏକାଦଶେ ଭାଗବତେ ॥ ୧୨୧
ସୁଜନେ ଶୁଣ ଦେଇ ଚିତ୍ତ । ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ॥ ୧୨୨
ଜନ୍ମଜନ୍ମରେ ମୋର ମତି । ନ ଛାଡ଼ୁଁ ତୁମ୍ଭର ଭକତି ॥ ୧୨୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ଭଗବଦ୍ ଉଦ୍ଧବ ସମ୍ବାଦେ ଏକାଦଶୋଦ୍ଧଧ୍ୟାୟଃ ॥
* * *