ଏକାଦଶ ସ୍କନ୍ଧ

ଦଶମ ଅଧ୍ୟାୟ

ଅବଧୂତ ଉବାଚ

ଶୁଣ ହେ ଯଦୁନୃପବର । ଯେ ଅବା ଅନୁଭବ ମୋର ॥

ଗୁରୁବଚନ ମୋର ଯେତେ । ସବୁ କ‌ହିବି ତୋ' ଅଗ୍ରତେ ॥

ଏ ଯେତେ ଦ୍ରବ୍ୟ ପରିଗ୍ରହ । ସର୍ବ ତୁ ଜାଣ ଦୁଃଖମୟ ॥

ଏ ଘେନି ଜ୍ଞାନୀ ଅକିଞ୍ଚନେ । ନିଶ୍ଚିନ୍ତେ ରହେ ସୁଖମନେ ॥

ପକ୍ଷୀଙ୍କ ମଧ୍ୟେ ବଳୀୟାର । ସ୍ୱଭାବେ ପ୍ରଚଣ୍ତ କୁରର ॥

ନିତ୍ୟେ ମାରଇ ନାନାପକ୍ଷୀ । ଜୀବନ ପୋଷେ ମାଂସ ଭକ୍ଷି ॥

ତା'ର ମହିମା ଜନେ ଶୁଣି । ବନ୍ଦୀ କରନ୍ତି ଘରେ ଆଣି ॥

ସେ ପୁଣି ନିତ୍ୟେ ପକ୍ଷୀ ମାରେ । ମାଂସ ଭକ୍ଷଇ ନେଇ ପରେ ॥

କେନଳ ଶ୍ରମ ମାତ୍ର ସାର । ନ କରେ ଉଚିତ ଆହାର ॥

ମୁହିଁ ତାହାର ଦୁଃଖ ଚାହିଁ । ବୁଲଇ ଗୁରୁଶିକ୍ଷା ପାଇ ॥ ୧୦

ନ କରି ବସ୍ତୁ ପରିଗ୍ରହ । ଏକା ଭ୍ରମଇଁ ଶୂନ୍ୟ ଦେହ ॥ ୧୧

ନାହିଁ ମୋ' ମାନ ଅଭିମାନ । ଗୃହ କଳତ୍ର ପୁତ୍ର ଧନ ॥ ୧୨

ଆତ୍ମାରେ ରମଇଁ ମୁକ୍ଷ ନିତ୍ୟେ । ନିଶ୍ଚିନ୍ତେ ଭ୍ରମଇଁ ଜଗତେ ॥ ୧୩

ପରମାନନ୍ଦ ରସ ପାଇ । ନିରତେ ସଂସାରେ ଭ୍ରମଇ ॥ ୧୪

ବାଳକ ତ‌ହୁଁ ଏହା ଶିଖି । ନୁହଇଁ ନାନା ଦୁଃଖେ ଦୁଃଖୀ ॥ ୧୫

କେବଳ ଆହାର ବେଭାରେ । କ୍ରୀଡ଼ା କ‌ରଇ ସର୍ବଦ୍ୱାରେ ॥ ୧୬

କିଛି ହିଁ ଚିନ୍ତା ନାହିଁ ତା'ର । ଏଣୁ ବାଳକ ଗୁରୁମୋର ॥ ୧୭

ଏବେ ହୋ ଶୁଣ ମନସ୍ଥିରେ । ପୂର୍ବେ ଯେ ଅବନ୍ତୀ ନ‌ଗରେ ॥ ୧୮

ସୁସାଧୁ ସୁନ୍ଦର ଶରୀରେ । କନ୍ୟାଏ ଥିଲା ବିପ୍ରଘରେ ॥ ୧୯

ସେ କନ୍ୟା ବିଭାଅର୍ଥେ ବରି । ବିପ୍ର ମିଳିଲେ ପାଞ୍ଚ‌ଚାରି ॥ ୨୦

କନ୍ୟାର ପିତା ସଙ୍ଗମେଳେ । ବିବା‌ହ ପ୍ରସ୍ତାବ ନିରୋଳେ ॥ ୨୧

ବିଚାର କରି କନ୍ୟା ମାତା । ନିକଟେ ବସାଇ ଦୁହିତା ॥ ୨୨

ବୋଲଇ କରି ମୁଖ ଚାହିଁ । ତଣ୍ତୁଳ ଅର୍ଥେ ଧାନ ଦେଇ ॥ ୨୩

ବେଗେ ତୁ କୁଟ ରୋଳେ ଭରି । ତା' ଶୁଣି ବ୍ରାହ୍ମଣ କୁମାରୀ ॥ ୨୪

ରୋଳେ ମୁଷଳ ଏକ‌କରି । କୁଟଇ ବେନିକରେ ଧରି ॥ ୨୫

ଭୁଜେ ତା ବଳୟକଙ୍କଣ । କୁଟନ୍ତେ ବାଜେ ରୁଣଝୁଣ ॥ ୨୬

ଶୁଣି କୁମାରୀ ଲଜ୍ଜା ପାଇ । ଅଧେ କଙ୍କଣ ହସ୍ତୁ ଫେଇ ॥ ୨୭

ପୁଣି କୁଟନ୍ତେ ଧୀରେ ଧୀରେ । ହସ୍ତକଙ୍କଣ ନାଦ କରେ ॥ ୨୮

କୁମାରୀ ମନେ ବିଚାରଇ । ସଙ୍ଗ ଗ‌ହଳେ ଗୋଳ ହୋଇ ॥ ୨୯

ଏମନ୍ତ ବିଚାରି ବିବେକେ । ପୁଣି ଫେଇଲା ରଖି ଏକେ ॥ ୩୦

ବେନି କଙ୍କଣ ବେନିକରେ । କୁଟନ୍ତେ ଶବଦ ନ କରେ ॥ ୩୧

ଅନେକ ଲୋକ ଯହିଁ ମିଳି । ଅବଶ୍ୟ ଉପୁଜଇ କଳି ॥ ୩୨

ତେଣୁ କୁମାରୀ ଅନୁରାଗେ । ଗୁରୁ ବଚନ ଶିକ୍ଷାଭାଗେ ॥ ୩୩

ଏକାନ୍ତେ ଭ୍ରମୁଥାଇ ମୁହିଁ । କେବେହେଁ ସଙ୍ଗ ନ କରଇ ॥ ୩୪

ଅଭ୍ୟାସେ ଜିଣି ମୁଁ ପବନ । ନିରୋଧି ଏ ଚଞ୍ଚଳମନ ॥ ୩୫

ବୈରାଗ୍ୟ ଯୋଗ ଅଭ୍ୟାସନେ । ବୁଲଇ ଆତ୍ମ ସଂଯମନେ ॥ ୩୬

ଏକାଗ୍ର କରି ଦୃଢ଼ ମନ । ହରିର ପାଦେ ନିବେଦନ ॥ ୩୭

ତେଣୁ ନିଶ୍ଚଳ ମୋର ଧ୍ୟାନ । ବଞ୍ଚଇ ଦୁଃଖ ସୁଖେ ଦିନ ॥ ୩୮

ସ୍ୱଭାବେ ରଜୋଗୁଣ ଛାଡ଼ି । ସ‌ତ୍ତ୍ୱ ସଂଯୋଗେ ତମ ଏଡ଼ି ॥ ୩୯

ସ‌ତ୍ତ୍ୱକୁ ଜିଣି ସ‌ତ୍ତ୍ୱଗୁଣେ । ନିର୍ବାଣ ପରମକାରଣେ ॥ ୪୦

ନିଶ୍ଚଳେ ଥାଇ ଆତ୍ମଧ୍ୟାନେ । ବାହ୍ୟ ଅନ୍ତର ନ ପ୍ରମାଣେ ॥ ୪୧

ଯେସନେ ଶରକାରୀ ପ‌ଥେ । ଶର ବିନ୍ଧଇ ହେଟ ମାଥେ ॥ ୪୨

ତାର ନିକଟେ ରାଜା ଗଲା । ସେ ତାହା ଜାଣି ନ ପାରିଲା ॥ ୪୩

ତେଣୁ ତାହାର ତ‌ହୁଁ ଦେଖି । ମୁଁ ଏବେ ଗୁରୁଶିକ୍ଷା ଶିଖି ॥ ୪୪

ଏକା ମୁଁ ଭ୍ରମଇଁ ସଂସାର । ମୋହର କାହିଁ ନାହିଁ ଘର ॥ ୪୫

ଏଣୁ ମୁଁ ସାବଧାନ ଚିତ୍ତ । ଅଲକ୍ଷ୍ୟ ଗତି ମୋର ନିତ୍ୟ ॥ ୪୬

ଅଳ୍ପ ଭାଷଣ ମୁନି ପ୍ରାୟେ । ମୁହିଁ ର‌ହଇ ସ୍ଥିର ଦେହେ ॥ ୪୭

ବିଫଳ ଅନିତ୍ୟ ଦେ‌ହର । ଗୃହ ଆରମ୍ଭ ଦୁଃଖ ଘୋର ॥ ୪୮

ଏ ଘେନି ଗୃହାରମ୍ଭ ଛାଡ଼ି । ଦେହର ରକ୍ଷା ମାତ୍ର ଲୋଡ଼ି ॥ ୪୯

ପିତୃ ଅତିଥି ସେବା ଅର୍ଥେ । ଆଚାରେ ଥିବ ଲୋକମତେ ॥ ୫୦

ଆତ୍ମା କାରଣେ ବ୍ୟର୍ଥ ଘର । କେବେହେଁ ନ କରି ତ‌ତ୍ପର ॥ ୫୧

ଶରୀର ର‌ଖଇ ନିରୋଳେ । ସର୍ପ ଯେସନେ ନାନା ବିଳେ ॥ ୫୨

ଏଣୁ ମୁଁ ସର୍ପଦୀକ୍ଷା ଧରି । ଗୃହସ୍ଥ ଆଶ୍ରମ ନ କରି ॥ ୫୩

ଥୟ ନ କରି ଏକସ୍ଥାନ । ବଞ୍ଚଇ ନାନାତୀର୍ଥେ ଦିନ ॥ ୫୪

ଦେଖ ଏ ବିଷ୍ଣୁ ମାୟା କରି । ଜଗତ ସ‌ର୍ଜଇ ମୁରାରି ॥ ୫୫

କାଳରୂପେ ପୁଣି ସଂହାରେ । ଆତ୍ମାସୁଖେ ରହେ ନିରୋଳେ ॥ ୫୬

ସ୍ୱଭାବେ ବୋଲାଇ ଈଶ୍ୱର । ସେ ହରି ସର୍ବଶକ୍ତିଧର ॥ ୫୭

ପ୍ରକୃତି ପୁରୁଷ ଅନ୍ତର । ସ୍ୱଭାବେ ନାହିଁ ପରାପର ॥ ୫୮

ଉପାଧି ବର୍ଜିତ ଈଶ୍ୱର । ଫେନ ବିନାଶେ ଯେହ୍ନେ ନୀର ॥ ୫୯

ସୃଷ୍ଟି ଇଚ୍ଛଇ ଯେତେବେଳେ । ସୃଜଇ ମାୟା ଯୋଗବଳେ ॥ ୬୦

ତ୍ରିଗୁଣମୟୀ ବିଷ୍ଣୁମାୟା । ବେଦବେଦାନ୍ତ କ‌ହେ ଯାହା ॥ ୬୧

ସେ ମାୟା ନାନା ମୂର୍ତ୍ତି ଧରି । ବ୍ରହ୍ମାଣ୍ତ ମଧ୍ୟେ ଅଛି ପୂରି ॥ ୬୨

ସେ ମାୟାବଳେ ନାରାୟଣ । ଜଗତ କରେ ପୁଣ ପୁଣ ॥ ୬୩

ତା' ମଧ୍ୟେ ଜୀବରୂପ ଧରି । ବିହରେ ନାନାକ୍ରୀଡ଼ା କରି ॥ ୬୪

ଯେସନେ କୀଟ ଊର୍ଣ୍ଣନାଭ । ନିଜ ବଦନୁ ସୂତ୍ରଭାବ ॥ ୬୫

ଜାଲ ନିର୍ମାଇ ରାତ୍ରମୁଖେ । ମଧ୍ୟେ ବିହରେ ମନସୁଖେ ॥ ୬୬

ଏକାନ୍ତେ ରାତ୍ରେ କ୍ରୀଡ଼ା କରେ । ସୂର୍ଯ୍ୟ ଉଦୟେ ତା' ସଂହରେ ॥ ୬୭

ଏ ରୂପେ ସୃଷ୍ଟିଲୀଳା କରି । ସଂସାର ଖେଳେ ନରହରି ॥ ୬୮

ଏବେ ହୋ ଶୁଣ ନରପ‌ତି । ସଂସାରେ ଜୀବଆତ୍ମା ଗତି ॥ ୬୯

ଦେହ ବିଯୋଗ କାଳେ ଜନ୍ତୁ । ମନେ ଚିନ୍ତଇ ଯେତେ ହେତୁ ॥ ୭୦

ଏକାନ୍ତ ସ୍ନେହ ଦ୍ୱେଷ ଭୟେ । ନିଶ୍ଚୟଧ୍ୟାନ ଯହିଁ ରହେ ॥ ୭୧

ଜନ୍ମଇ ସେହି ରୂପ ଧରି । ଯେସନେ କୀଟ ପେଷସ୍କାରୀ ॥ ୭୨

କୀଟ ଆଣଇ ନାନାରୂପେ । ନିଜ ଭୁବନେ ନେଇ ସ୍ଥାପେ ॥ ୭୩

ସେ କୀଟ ପ୍ରାଣ ଯିବାବେଳେ । ତାହାକୁ ଦେଖିଥାଇ ଡ଼ୋଳେ ॥ ୭୪

ଭୟେ ଚିନ୍ତଇ ତାର ରୂପ । ଜନ୍ମଇଁ ଘେନି ସେ ସ୍ୱରୂପ ॥ ୭୫

ମୋହର ମନ ସେହିମତେ । କୃଷ୍ଣ ଚରଣେ ଅବିରତେ ॥ ୭୬

ନିଶ୍ଚଳେ ସ୍ଥାପି ସାବଧାନେ । ବୁଲଇ ମହୀ ପର୍ଯ୍ୟଟନେ ॥ ୭୭

ଏମନ୍ତେ ମୋର ଗୁରୁ ଯେତେ । ତାହାଙ୍କୁ ଉପଦେଶ ମତେ ॥ ୭୮

କାୟ ବଚନ ମନେ ଧରି । ଭ୍ରମଇଁ ଅବନୀ ବିହରି ॥ ୭୯

ଆତ୍ମାର ଗୁରୁ ମୁଁ ଆପଣେ । ତେଣୁ ଧରଇ ତା'କୁ ମନେ ॥ ୮୦

ଦେହର ଜନ୍ମ-ମୃତ୍ୟୁ ଦୁଇ । ବିଷ୍ଣୁମାୟାରେ ପ୍ରବର୍ତ୍ତଇ ॥ ୮୧

ଏ ଭାବ ବୁଝି ମୋର ମତି । ଏ ଦେହେ ନ କରେ ପୀରତି ॥ ୮୨

ଅନେକ ଜନ୍ମ କର୍ମ‌ଭାଗ୍ୟେ ।ମୋହର ଜ୍ଞାନ ବଇରାଗ୍ୟେ ॥ ୮୩

ଉଦାସୀ ମତେ ଦେହେ ଥାଇ । ଗୁରୁଙ୍କ ଉପଦେଶ ଧ୍ୟାୟି ॥ ୮୪

ପୁତ୍ର କଳତ୍ର ପଶୁ ଦାସେ । ଏହାଙ୍କୁ ପୋଷି ଦେହ ଆଶେ ॥ ୮୫

ଶରୀର ସଙ୍ଗେ ସେ ରମନ୍ତି । ମରଣେ କେହି ନ ଗଛନ୍ତି ॥ ୮୬

ନିୟତ କର୍ମ ସଙ୍ଗ କରି । ଅନ୍ଧ ଯେସନେ ଯଷ୍ଟି ଧରି ॥ ୮୭

ବୃକ୍ଷଙ୍କ ଧର୍ମ ପ୍ରାୟ ଦେହୀ । ଜନ୍ମିଲେ ଅବଶ୍ୟ ମ‌ରଇ ॥ ୮୮

ଏଣୁ ଅନିତ୍ୟ ଦେହେ ମୁହିଁ । କେବେହେଁ ବିଶ୍ୱାସ ନ ଯାଇ ॥ ୮୯

ଇନ୍ଦ୍ରିୟେ ଏହାକୁ ଆବୋରି । ଭୁଞ୍ଜନ୍ତି ଜଣେ ଜଣେ କରି ॥ ୯୦

ଶ୍ମଶାନେ ମୃତପିଣ୍ତ ଯେହ୍ନେ । ଶ୍ୱାନ ଶୃଗାଳଙ୍କ ବ‌ଦନେ ॥ ୯୧

ରସ ଲାଳସେ ଜିହ୍ୱା ଧରେ । ଆହାର ଅର୍ଥେ ଭ୍ରମ କରେ ॥ ୯୨

ନିଜ ସ୍ୱଭାବେ ଷଡ଼ରସେ । ଭ୍ରମଇଁ ନାନା ଦେଶେ ଦେଶେ ॥ ୯୩

ତୃଷାର ବେଳେ କେବେ ପୁଣି । ମା‌ଗଇ ସୁଶୀତଳ ପାଣି ॥ ୯୪

ନ ପାଇ କରେ ବ‌ହୁ ପ୍ରାସ । ଏମନ୍ତେ ପ୍ରାଣୀ ଯାଏ ନାଶ ॥ ୯୫

ଇନ୍ଦ୍ରି ଧରଇ ପୁଣ ବଳେ । ଭ୍ରମଇଁ ମଇଥୁନ ଫଳେ ॥ ୯୬

ଅ‌ମୃତ ପ୍ରାୟ ଯୋନି ଦିଶେ । ଏଣୁ ଭ୍ରମଇଁ କାମ‌ବଶେ ॥ ୯୭

ଶୀତ ତ‌ପ‌ତ ଚର୍ମ ଧରେ । ଅଗ୍ନି ପବନେ ଆଶ୍ରେ କରେ ॥ ୯୮

କ୍ଷୁଧା ଅନଳେ ଦ‌ହେ ପେଟ । ଆତ୍ମାକୁ କରେ ଛଟପଟ ॥ ୯୯

ଯାବ‌ତ ନ ପୂରେ ଉଦର । ତାବତ ଜ୍ଞାନ କାହିଁ ଆର ॥ ୧୦୦

ଶ୍ରବଣ ଧରେ ପୁଣ ପୁଣି । ସ୍ତୁତି ନିନ୍ଦନ ବାକ୍ୟ ଶୁଣି ॥ ୧୦୧

ନାସିକା ଧରେ ଗନ୍ଧ ଆଶେ । ଏଣୁ ଭ୍ରମଇଁ ସୁଖବାସେ ॥ ୧୦୨

ଚକ୍ଷୁ ଧରଇ କର୍ମରାଶି । ବେଷ୍ଟିତ ହୁଏ କାଳପାଶି ॥ ୧୦୩

ବ‌ହୁତ ସ‌ପ‌ତଣୀ ଯେହ୍ନେ । ସ୍ୱାମୀ ମାରନ୍ତି ଅପମାନେ ॥ ୧୦୪

ଜୀବର ଅଳପ ଶକ‌ତି । ଶତେ ଯୁବତୀ ଏକପ‌ତି ॥ ୧୦୫

କାମିନୀଗଣେ ବନ୍ଦୀ ହୋଇ । ସେ ଯେହ୍ନେ ଅଳପେ ମ‌ରଇ ॥ ୧୦୬

ଏଣୁ ଏ ସାଧାରଣ ଦେହେ । ଜ୍ଞାନୀଙ୍କ ଜ୍ଞାନ ବସ୍ତୁ ନୋହେ ॥ ୧୦୭

ଏ ଦେହ ପଡ଼େ ମାୟାଜଡ଼େ । ନିଜ ନିସ୍ତାରପ‌ଥ ହୁଡ଼େ ॥ ୧୦୮

ଯେତେ ଏ ସୃଷ୍ଟିରେ ରଚନା । କୀଟ‌ହୁଁ ବ୍ରହ୍ମାଦି କଳ୍ପନା ॥ ୧୦୯

ଆତ୍ମକ୍ରୀଡ଼ନେ ନରହରି । ପୂର୍ବେ ଅନେକ ସୃଷ୍ଟିକରି ॥ ୧୧୦

ସଂସାରେ ଖେଳି ନାନାମତେ । ସନ୍ତୋଷ ନ ଲଭିଲା ଚିତ୍ତେ ॥ ୧୧୧

ଏଣୁ ମାନ‌ବ ସୃଷ୍ଟି କଲା । ଯହିଁ ବିଶ୍ରାମ ସର୍ବଲୀଳା ॥ ୧୧୨

ମନୁଷ୍ୟ ଦେହେ ଦିବ୍ୟଜ୍ଞାନ । ଦେଖି ସନ୍ତୋଷ ଭଗବାନ ॥ ୧୧୩

ବ୍ରହ୍ମାଦି ସକଳ ଶରୀର । ସ୍ୱଭାବେ ଅସ‌ତ୍ୟ ସଂସାର ॥ ୧୧୪

ଭ୍ରମିଣ କୋଟି ଯୋନି ଭ୍ରମେ । ବିପାକ ଅବଶେଷ କର୍ମେ ॥ ୧୧୫

କେବଳ ଶୁଭକର୍ମ ଭାଗ୍ୟେ । ନିଶ୍ଚେ ଗୋବିନ୍ଦ ଅନୁରାଗେ ॥ ୧୧୬

ଦୁର୍ଲ୍ଲଭ ମନୁଷ୍ୟ ଶରୀରେ । ଜନ୍ମ ଲଭଇ ମର୍ତ୍ତ୍ୟପୁରେ ॥ ୧୧୭

ସ୍ୱଭାବେ ଅନିତ୍ୟ ସଂସାର । ଦୁର୍ଲ୍ଲଭ ନର କଳେବର ॥ ୧୧୮

ସେ ଦେହ ଲଭି ମହୀତଳେ । ଅନେକ ଶୁଭକର୍ମ ଫଳେ ॥ ୧୧୯

ଭାଗ୍ୟେ ଦୁର୍ଲ୍ଲଭ ଦେହ ପାଇ । ଯାହାର ଜ୍ଞାନ ପ୍ରକାଶଇ ॥ ୧୨୦

ଜଗତ ଦେଖେ ବିଷ୍ଣୁମୟେ । ସେ ନ ପଡ଼ଇ ମାୟାମୋହେ ॥ ୧୨୧

ମନୁଷ୍ୟ ମୁଣ୍ତେ ମୃତ୍ୟୁ ବସେ । ଆତ୍ମାକୁ ଅନୁକ୍ଷଣେ ଗ୍ରାସେ ॥ ୧୨୨

ଯାବତ ମୃତ୍ୟୁ ଅଛି ଦୂରେ । ସୁନ୍ଦର ଯୁବା କଳେବରେ ॥ ୧୨୩

ସାଧିବ ସକଳ ଶକ‌ତି । ଯେଣେ ଜନ୍ମିବ ବିଷ୍ଣୁଭକ୍ତି ॥ ୧୨୪

ଏ ଜୀବ ବନ୍ଦୀ କର୍ମ‌ପାଶେ । ସାଧିବ ବନ୍ଧନ ଉଶ୍ୱାସେ ॥ ୧୨୫

ଏ ରୂପେ ହୃଦୟ ନିର୍ବେଦେ । ଆତ୍ମାକୁ ଈଶ୍ୱର ଅଭେଦେ ॥ ୧୨୬

ଦେଖିବ ଜ୍ଞାନ‌ଚକ୍ଷୁ ଦ୍ୱାରେ । ଦୁର୍ଲ୍ଲଭ ମନୁଷ୍ୟ ଶରୀରେ ॥ ୧୨୭

ସକଳ ସଙ୍ଗ ପରିହରି । ଏଣୁ ମୁଁ ଏହି ରୂପ ଧରି ॥ ୧୨୮

ହୃଦରୁ ତେଜି ଅହ‌ଙ୍କାର । ଆନନ୍ଦେ ଭ୍ରମଇ ସଂସାର ॥ ୧୨୯

ଭଗବାନ ଉବାଚ

ଏମନ୍ତ କ‌ହି ଅବଧୂତ । ଶାନ୍ତ ଗଭୀର ଗୁଣ‌ଯୁତ ॥ ୧୩୦

ଶୁଣି ସାନନ୍ଦ ଯ‌ଦୁରାଜା । ତା'ର ଚରଣେ କଲା ପୂଜା ॥ ୧୩୧

ରାଜାକୁ କ‌ହି ସାବଧାନେ । ବ୍ରାହ୍ମଣ ଗଲା ଅନ୍ତର୍ଦ୍ଧାନେ ॥ ୧୩୨

ବିଚାରି ତାହାର ବଚନେ । ରାଜା ପଶିଲା ଘୋରବନେ ॥ ୧୩୩

ସକଳ ସଙ୍ଗ ଦୂରେ ତେଜି । ଧ୍ୟାନେ ଗୋବିନ୍ଦପାଦ ଭଜି ॥ ୧୩୪

ଯୋଗେ ବିନାଶି କଳେବର । ଲଭିଲା କୃଷ୍ଣର ପୟର ॥ ୧୩୫

ଉଦ୍ଧବ କୃଷ୍ଣର ସମ୍ୱାଦ । ଶୁଣନ୍ତେ ଖଣ୍ତଇ ପ୍ରମାଦ ॥ ୧୩୬

ପରୀକ୍ଷେ ଶୁକମୁନି କ‌ହେ । ସୃଜନେ ଏଣେ କର ଲୟେ ॥ ୧୩୭

ଏ ଚଉବିଂଶ ଗୁରୁବାଣୀ । ଉଦ୍ଧବେ କ‌ହେ ଚକ୍ରପାଣି ॥ ୧୩୮

ସେ କ‌ଥା ପରମ ଆନନ୍ଦେ । ସଂକ୍ଷେପେ ଏକାଦଶସ୍କନ୍ଧେ ॥ ୧୩୯

ପ୍ରାକୃତବନ୍ଧେ ଭାଗବତ । ସମସ୍ତ ପ୍ରାଣୀଙ୍କର ହିତ ॥ ୧୪୦

କ‌ହଇ ଦାସ ଜଗନ୍ନାଥ । କୃଷ୍ଣ ଚରଣେ ଦେଇ ଚିତ୍ତ ॥ ୧୪୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଦଶମୋଦ୍ଧଧ୍ୟାୟଃ ॥

* * *