ଏକାଦଶ ସ୍କନ୍ଧ
ନବମ ଅଧ୍ୟାୟ
ଅବଧୂତ ଉବାଚ
ଆନନ୍ଦେ କହେ ଅବଧୂତ । ଶୁଣ ହେ ଯଦୁ ନୃପନାଥ ॥ ୧
ସକଳ ସ୍ଥାନେ ମହୀ ଭ୍ରମେ । ମୁଁ ଥାଇ ଅଜଗର ଧର୍ମେ ॥ ୨
ସ୍ୱର୍ଗ ନରକ ବେନିବାଣୀ । ଏହା ମୁଁ ଏକଧର୍ମେ ଜାଣି ॥ ୩
ଏଣୁ ମୋ' ଦୁଃଖ ସୁଖ ଏକ । ସମ ମଣଇ ସର୍ବଲୋକ ॥ ୪
ଆହାରେ ଭଲ ମନ୍ଦ ନାହିଁ । ଯେ ସ୍ଥାନେ ଯେମନ୍ତ ମିଳଇ ॥ ୫
ସନ୍ତୋଷ କରଇ ଆହାର । ଏଣେ ବିଚାର ନାହିଁ ମୋର ॥ ୬
ଅଳପ ବହୁତ ସନ୍ତୋଷ । ନ ମିଳେ କରେ ଉପବାସ ॥ ୭
କର୍ମ କଷଣ ଦେହ ସହେ । ଅରଣ୍ୟେ ଅଜଗର ପ୍ରାୟେ ॥ ୮
ସମ ମଣଇ ଦୁଃଖସୁଖ । ଅନ୍ତରେ ନୋହଇ ବିମୁଖ ॥ ୯
ଦେହ ଇନ୍ଦ୍ରିୟବଳ ଥାଇ । ଉଦ୍ୟମ କିଛି ନ କରଇ ॥ ୧୦
ଏ ଧର୍ମ ଅଜଗରେ ଚାହିଁ । ଶିଖିଲି ଗୁରୁଶିକ୍ଷା ପାଇ ॥ ୧୧
ଏଣୁ ପ୍ରସନ୍ନ ଚିତ୍ତ ମୋର । ସ୍ୱଭାବେ ନିର୍ମଳ ଶରୀର ॥ ୧୨
କେ ଜାଣିପାରେ ମୋ' ଅନ୍ତର । ଗଭୀର ଯେସନେ ସାଗର ॥ ୧୩
ବରଷା ସମୟରେ ନଦୀ । ସମୂହେ ବହନ୍ତି ଆଚ୍ଛାଦି ॥ ୧୪
ସେ ଯେହ୍ନେ ମିଳନ୍ତି ଜଳଧି । ତେଣେ ସେ ନୁହଁଇ ନା ବୃଦ୍ଧି ॥ ୧୫
ଗ୍ରୀଷମେ ନୋହେ ହାନି ତା'ର । ସର୍ବଦା ସମ ସେହୁ ନୀର ॥ ୧୬
ସ୍ନେହ ବିଶୁଦ୍ଧଭାବ ଧରେ । ପୂର୍ବସ୍ୱଗୁଣ ଦୋଷ ହରେ ॥ ୧୭
ଏ ଭାବେ ଥାନ୍ତି ଯେତେ ପ୍ରାଣୀ । ସଂସାର ପାରନ୍ତି ଏ ଜିଣି ॥ ୧୮
ସେ ରୂପେ ଜାଣ ମୁହିଁ ମନେ । ହାନି ବୃଦ୍ଧି ଭାବ ନ ଘେନେ ॥ ୧୯
ତେଣୁ ମୁଁ ନାରାୟଣ ପର । ନାହିଁ ବିଷୟ ଆଶା ମୋର ॥ ୨୦
ଏହା ସମୁଦ୍ର ଶିକ୍ଷା ପାଇ । ସାଧଇ ଶିଷ୍ୟଭାବ ବହି ॥ ୨୧
ବିଷ୍ଣୁର ମାୟା ମୋହକଳ୍ପ । କପଟେ ହୋଇ ନାରୀରୂପ ॥ ୨୨
ଜଗମୋହିନୀ ବିଷ୍ଣୁମାୟା । ଘନେ ଯେସନେ ବିଦ୍ୟୁଛାୟା ॥ ୨୩
ସେ ରୂପେ ନ କରିବ ସଙ୍ଗ । ଅନଳେ ଯେସନେ ପତଙ୍ଗ ॥ ୨୪
ସଂଯୋଗେ କରେ ପ୍ରାଣ ନାଶ । ଏଣୁ ନୋହିବ ତା' ବିଶ୍ୱାସ ॥ ୨୫
ପତଙ୍ଗ ତହୁଁ ଏହା ଜାଣି । ଗୁରୁବଚନ ପରିମାଣି ॥ ୨୬
ସ୍ତିରୀ ସଙ୍ଗମ କରି ଦୂରେ । ନିଶ୍ଚିନ୍ତେ ଭ୍ରମଇଁ ସଂସାରେ ॥ ୨୭
କାଷ୍ଠପିତୁଳି ନାରୀ ରୂପେ । ଥୋଇବ ଯତିଙ୍କ ସମୀପେ ॥ ୨୮
ଯତିଏ ତା'ର ରୂପ ଚାହିଁ । ଚରଣ ଅଗ୍ରେ ଯେବେ ଛୁଇଁ ॥ ୨୯
ମନ ମଥଇ ତାହାଙ୍କର । ଯେଣୁ ମନ୍ମଥ ସୁଖଘର ॥ ୩୦
ଜଳେ ପାଷାଣ ପ୍ରାୟ ମଜ୍ଜେ । ଗଜବନ୍ଧନ ଯେହ୍ନେ ଗଜେ ॥ ୩୧
ଏଣୁ କୁଞ୍ଜରଭାବ ମଣି । ଗୁରୁବଚନ ପରିମାଣି ॥ ୩୨
ସଙ୍ଗ ନ କରି ସ୍ତିରୀ ମେଳେ । ନିର୍ଭୟେ ବୁଲଇ ଶୟଳେ ॥ ୩୩
ଏଣୁ କାମିନୀ ସଙ୍ଗ ତେଜି । ଜ୍ଞାନେ ବୁଲଇ ଚକ୍ଷୁ ବୁଜି ॥ ୩୪
ଏବେ ହୋ ଶୁଣ ନୃପବର । ଗୁରୁ ମୋହର ମଧୁକର ॥ ୩୫
ଅଳପ ଅଳ୍ପ ଗ୍ରାସ କରି । ଯାବତ ଦେହ ମାତ୍ର ଧରି ॥ ୩୬
ଆହୁରି ତା'ର ଉପଦେଶ । ପାଇ ମୋ' ମନ ହେଲା ତୋଷ ॥ ୩୭
ସେ ସର୍ବ ପୁଷ୍ପେ ବସୁଥାଇ । କେବଳ ମାତ୍ର ସାରଗ୍ରାହୀ ॥ ୩୮
ମୁହିଁ ସକଳଗ୍ରନ୍ଥ ମାନ । ବିଚାର କରି ହାଦେ ପୁଣ ॥ ୩୯
ଯେ ସର୍ବସାର ଆତ୍ମାହିତେ । ସେ କଥା ଘେନୁଥାଇ ଚିତ୍ତେ ॥ ୪୦
ଯେବା ମିଳଇ ଭିକ୍ଷା ଅନ୍ନ । ରାତ୍ରରେ କରଇ ଭୋଜନ ॥ ୪୧
ଗତ ଆଗତକୁ ନ ପାଞ୍ଚେ । ପାଣି ଉଦରପାତ୍ରେ ସଞ୍ଚେ ॥ ୪୨
ଧନେ ମୋ' ନାହିଁ ପ୍ରୟୋଜନ । ଏଣୁ ଦରିଦ୍ର ମୋ ଜୀବନ ॥ ୪୩
ଧନ ଅର୍ଜନେ ଯାର ଆଶ । ନିରତେ ଦୁଃଖଶୋକେ ପ୍ରାସ ॥ ୪୪
ନ କରି ଆତ୍ମଭୋଗ ଦାନ । ଧନ ସଞ୍ଚଇ ରାତ୍ରଦିନ ॥ ୪୫
ନିରତେ କରଇ ସଞ୍ଚୟ । ପାପୀ କୃପଣ ଦୁରାଶୟ ॥ ୪୬
ତାହାର ଧନ ହରେ ଆନେ । ମଧୁ ସଞ୍ଚଇ ମାଛି ଯେହ୍ନେ ॥ ୪୭
ନ ଦେଇ ନ ଖାଇ ସଞ୍ଚଇ । ତାହାର ମୁଖେ ଅଗ୍ନି ଦେଇ ॥ ୪୮
ମଧୁ ଭକ୍ଷଇ ନେଇ ଆନ । ତେଣୁ ସେ ମୋ' ଗୁରୁ ରାଜନ ॥ ୪୯
କମଳ ମଧ୍ୟେ ଭୃଙ୍ଗ ଯେହ୍ନେ । ମତ୍ତ ହୋଇଣ ମଧୁପାନେ ॥ ୫୦
ପ୍ରଲୋଭେ ନ ପାରଇ ଛାଡ଼ି । ପଦ୍ମ ମୁଦ୍ରିତେ ବନ୍ଦୀ ପଡ଼ି ॥ ୫୧
ଏ ଘେନି ଇନ୍ଦ୍ରିୟ ଲାଳସେ । ଯେ ପ୍ରାଣୀ ଜଡ଼େ ସ୍ନେହବଶେ ॥ ୫୨
ଯେହ୍ନେ ଭ୍ରମର ନାନା ପୁଷ୍ପ । ଚୁମ୍ବି ଘେନଇ ମଧୁରସ ॥ ୫୩
ବେଦାଦି ଶାସ୍ତ୍ରମାନ ଖୋଜି । ଘେନିବ ତତ୍ତ୍ୱସାର ହେଜି ॥ ୫୪
କେବଳ ମାତ୍ର ପ୍ରାଣରକ୍ଷା । କରିବ ସ୍ତୋକ ସ୍ତୋକ ଭିକ୍ଷା ॥ ୫୫
ମୁହିଁ ତାହାର ମାର୍ଗ ଚାହିଁ । ବୁଲଇ ଗୁରୁଶିକ୍ଷା ପାଇ ॥ ୫୬
ଏଣୁ ଭ୍ରମର ଗୁରୁ ମୋର । ଏ ଅନୁଭବ ମୋ' ବିଚାର ॥ ୫୭
ଶୁଣ ସୁଚିତ୍ତେ ନୃପବର । ମଧୁହାରୀ ଯେ ଗୁରୁମୋର ॥ ୫୮
ମଧୁମକ୍ଷିକା ପୁଷ୍ପସାର । ନେଇ ରଖଇ ନିଜଘର ॥ ୫୯
ବିନା ଉଦ୍ୟମେ ମଧୁହାରୀ । ଭୁଞ୍ଜଇ ବଳେ ତାହା କରି ॥ ୬୦
ଏ ରୂପେ ଗୃହୀ ଦୁଃଖ ପାଇ । ଅନ୍ନ ବ୍ୟଞ୍ଜନ ରଖେ ନେଇ ॥ ୬୧
ଅତିଥି ଆସି ଭୁଞ୍ଜେ ତାହା । ଏମନ୍ତେ ମୋ ଗୁରୁ ମଧୁହା ॥ ୬୨
ଯେ ଥିବ ବନଚର ମତେ । ଚିତ୍ତ ନ ଦେବ ଗ୍ରାମ୍ୟଗୀତେ ॥ ୬୩
ନିରତେ ଜ୍ଞାନେ ଥିବ ମନ । ଯୋଗ ସଂଯୋଗେ ଅବଧାନ ॥ ୬୪
ଲୁବ୍ଧକ ଗୀତ ଶୁଣି କର୍ଣ୍ଣେ । ଯେସନେ ମୃଗ ମରେ ବନେ ॥ ୬୫
ଏଣୁ ନ ଶୁଣି ଗ୍ରାମ୍ୟଗୀତ । ବୁଲଇ ଜ୍ଞାନେ ଦେଇ ଚିତ୍ତ ॥ ୬୬
ସୁଗୀତ ବାଦ୍ୟ ନୃତ୍ୟରଙ୍ଗେ । ଅରଣ୍ୟେ ବେଶ୍ୟାଗଣ ସଙ୍ଗେ ॥ ୬୭
ଚିତ୍ତେ ତାହାଙ୍କ ଭାବ ଘେନି । କାନନେ ଋଷିଶୃଙ୍ଗ ମୁନି ॥ ୬୮
ବନ୍ଦୀ ହୋଇଲେ କାମପାଶେ । ଶ୍ରବଣ ଇନ୍ଦ୍ରିୟ ଲାଳସେ ॥ ୬୯
ଏଣୁ ମୁଁ ମୃଗ ଗୁରୁ କରି । ଭ୍ରମଇ ଆଶା ଦୂର କରି ॥ ୭୦
ଜିହ୍ୱା ମଧୁର ରସ ପାଇ । ଲାଳସେ ଛାଡ଼ି ନ ପାରଇ ॥ ୭୧
ନିରତେ ଲୋଡ଼େ ଲୋଭ ମନେ । ମୀନ ବଡ଼ସୀ ଥୋପେ ଯେହ୍ନେ ॥ ୭୨
ଜିହ୍ୱାକୁ ବର୍ଜି ଇନ୍ଦ୍ରିଗଣ । ହେଳେ ତ ଜିଣିପାରେ ମନ ॥ ୭୩
ଏ ବୋଲ ବୁଝି ଯେଉଁ ପ୍ରାଣୀ । ଯୋଗେ ଜିହ୍ୱାକୁ ପାରେ ଜିଣି ॥ ୭୪
ହେଳେ ଜିଣଇ ଇନ୍ଦ୍ରିଗଣ । ସେ ପ୍ରାଣୀ ନିଶ୍ଚେ ନାରାୟଣ ॥ ୭୫
ତେଣୁ ସେ ମୀନ ଗୁରୁ ମୋର । ଏବେ ହୋ ଶୁଣ ନୃପବର ॥ ୭୬
ପୂର୍ବେ ଯେ ବିଦେହ ନଗରେ । ପିଙ୍ଗଳାବେଶ୍ୟା ଥିଲା ଘରେ ॥ ୭୭
ତାହାର ଧର୍ମ ମୁଁ ଆଚରି । ବୁଲଇ ଗୁରୁଶିକ୍ଷା କରି ॥ ୭୮
ଶୁଣ ନୃପତି ସାବଧାନେ । ପିଙ୍ଗଳା ବେଶ୍ୟା ଏକଦିନେ ॥ ୭୯
ଧନୀ ପୁରୁଷ ଏକ ମେଳେ । ସଙ୍କେତ କଲା କାମଭୋଳେ ॥ ୮୦
ସଲ୍ଲଜେ ଯାଇ ତା'ର ପାଶ । ବୋଲଇ ମୋର ଘରେ ଆସ ॥ ୮୧
ଆନ ପୁରୁଷେ କାର୍ଯ୍ୟ ନାହିଁ । ତୋ' ସଙ୍ଗେ ବିହରିବି ମୁହିଁ ॥ ୮୨
ବହୁତ ଧନ ଦେବ ମୋତେ । ଏମନ୍ତ ଭାଳି ଲୋଭଚିତ୍ତେ ॥ ୮୩
ଧନେ ବ୍ୟାକୁଳ ତା'ର ଚିତ୍ତ । ଏମନ୍ତେ ରବି ହେଲା ଅସ୍ତ ॥ ୮୪
ସୁବେଶ କଲା ନିଜ ଦେହୀ । ବସ୍ତ୍ର ଭୂଷଣ ଗନ୍ଧ ଦେଇ ॥ ୮୫
ଅତି ସୁନ୍ଦର ତନୁ ବେଶେ । ଦ୍ୱାରେ ବସିଲା ତା'ର ଆଶେ ॥ ୮୬
ତିମିର ପ୍ରକାଶିଲା ନିଶି । ତାହାର ଦ୍ୱାରେ ଲୋକେ ଆସି ॥ ୮୭
ଅଳପ ଧନ ଦେଲେ ଆଣି । ସମ୍ମତ ନ କଲା ତରୁଣୀ ॥ ୮୮
ସୁଦେଶେ ତନୁ ଥିଲା ସାଜି । ନିରାଶେ ସର୍ବେ ଗଲେ ଭାଜି ॥ ୮୯
ରଜନୀ ଦଶଦଣ୍ତ ଗଲା । ଏମନ୍ତେ ତିନ୍ତଇ ପିଙ୍ଗଳା ॥ ୯୦
ନିଶ୍ଚୟ ଧମବନ୍ତ କେହି । ପ୍ରବେଶ ହେବେ ମୋର ତହିଁ ॥ ୯୧
ଘରୁ ବାହାରି ଦ୍ୱାରେ ମିଳି । ପଥକୁ ଚାହଁଇ ନିରୋଳି ॥ ୯୨
ପଥେ ଯେ ଆତଯାତ ଜନେ । ତାହାଙ୍କୁ ନିରେଖେ ନୟନେ ॥ ୯୩
ପୁଣି ଶୁଣଇ ବାକ୍ୟ ଯେଣେ । ଧନୀ ଅଇଲା ପ୍ରାୟ ମଣେ ॥ ୯୪
ମିଳଇ ପୁଣି ନିଜ ଦ୍ୱାରେ । କ୍ଷଣ କ୍ଷଣକେ ପଶେ ଘରେ ॥ ୯୫
ଏମନ୍ତେ ଧନର ଉଚ୍ଚାଟେ । ଊନ୍ନିଦ୍ରେ ବୁଲେ ଛଟପଟେ ॥ ୯୬
ପୁଣି ଭାଳଇ ଦୁଃଖମନେ । ଧନିକ ନଇଲା କେସନେ ॥ ୯୭
ସଙ୍କେତ କଲା ମୋର ସଙ୍ଗେ । ଧନେ ସୁରତ ସୁଖ ରଙ୍ଗେ ॥ ୯୮
ଏବେ ସେ ନଇଲା କିମ୍ପାଇ । କିବା କାରଣ ତା'ର ହୋଇ ॥ ୯୯
ଏମନ୍ତେ ମନ ତା'ରେ ଦେଇ । ଭାଳଇ ନିଜଦ୍ୱାରେ ରହି ॥ ୧୦୦
ପୁଣି ପଶଇ ଯାଇ ଘରେ । ବେଗେ ମିଳଇ ଆସି ଦ୍ୱାରେ ॥ ୧୦୧
ଘରେ ବାହାରେ ପୁଣ ପୁଣ । ଅସ୍ଥିରେ କରଇ ଭ୍ରମଣ ॥ ୧୦୨
ରଜନୀ ଅର୍ଦ୍ଧେ ଭୋଗ ଗଲା । ଧନିକେ ନ ଦେଖି ପିଙ୍ଗଳା ॥ ୧୦୩
ନିଃଶ୍ୱାସ ଛାଡ଼ି ଉଚ୍ଚସ୍ୱରେ । ଦୁଃଖେ ବସିଲା ନିଜ ଦ୍ୱାରେ ॥ ୧୦୪
ଦେଖ ତାହାର ପୂର୍ବଭାଗ୍ୟ । ଚିତ୍ତେ ଉପୁଜିଲା ବୈରାଗ୍ୟ ॥ ୧୦୫
ତେଣୁ ସେ କଲା ମନସ୍ଥିର । ଅନ୍ତରେ କରଇ ବିଚାର ॥ ୧୦୬
ପିଙ୍ଗଳା ଉବାଚ
ଦେଖ ମୋହର ମୋହଜାଲ । ଅଜ୍ଞାନେ ଗଲା ଏତେ କାଳ ॥ ୧୦୭
ସର୍ବ ନାଶିଲି ଧନ ଲୋଭେ । ନାରୀ ସ୍ୱଭାବେ କାମଭାବେ ॥ ୧୦୮
ଅସାଧୁ ପୁରୁଷଙ୍କ ମେଳେ । କାନ୍ତର ଭାବେ କାମଭୋଳେ ॥ ୧୦୯
ରମିଲି ଧନେ ଦେଇ ମନ । ଧିକ ଏ ମୋହର ଜୀବନ ॥ ୧୧୦
ନିକଟେ ଅଛି ମୋର ଭର୍ତ୍ତା । ସର୍ବ ସମ୍ପଦ ସୁଖଦାତା ॥ ୧୧୧
ଅନାଥ ନାଥ ଜନହିତା । ମୁକତି ଗତିର ବିଧାତା ॥ ୧୧୨
ଯେ ନିତ୍ୟ ପୁରୁଷ ରତନ । ତାହାଙ୍କ ଦୂରେ ଥୋଇ ମନ ॥ ୧୧୩
ରମିଲି କୁପୁରୁଷ ସଙ୍ଗେ । ଅଜ୍ଞାନ ମୋହ ରତିରଙ୍ଗେ ॥ ୧୧୪
ବୁଦ୍ଧି ମୋହର ଦୁଷ୍ଟ ଅତି । ବିପାକଫଳେ ହୀନଗତି ॥ ୧୧୫
ବଞ୍ଚିଲି କୁପୁରୁଷ ମେଳେ । ପୂର୍ବ ପାତକ କର୍ମଫଳେ ॥ ୧୧୬
ଏ କାୟା ଘରେ ବାସ ମୋର । ନିରତେ ବହେ ନବଦ୍ୱାର ॥ ୧୧୭
ଏହା ମଧ୍ୟରେ ମଳମୂତ୍ର । ସମ୍ପୂର୍ଣ୍ଣ କଫ ବାତ ପିତ୍ତ ॥ ୧୧୮
ଦୁର୍ଗନ୍ଧ କୃମି ଲାଳ ନାଡ଼ି । ଅଶେଷ ରୋଗେ ଛନ୍ତି ବେଢ଼ି ॥ ୧୧୯
ଅସ୍ଥି ପଞ୍ଚରା ଚାରିପାଶେ । ଛାଉଣି ନଖ ରୋମ କେଶେ ॥ ୧୨୦
ଶିରା ଶିକୁଳି ଗଣ୍ଠି କ୍ଷେପି । ଚର୍ମ ରୁଧିର ମାଂସ ଲେପି ॥ ୧୨୧
ଏମନ୍ତ ଘରେ ମୋତେ ଥୋଇ । ଯେ ଗୁରୁ ଗଲା ଶିକ୍ଷା ଦେଇ ॥ ୧୨୨
ସେ ଗୁରୁ ବାକ୍ୟ ନ ପ୍ରମାଣି । ଏ ଘରେ ମୁହିଁ ଦୋଚାରୁଣୀ ॥ ୧୨୩
ବିଦେହ ନଗରେ ମୁଁ ଥାଇ । ମୋ ପରି ମୂଢ଼ କେହି ନାହିଁ ॥ ୧୨୪
ଆତ୍ମାକୁ ଦିଅନ୍ତି ଯେ ହରି । ତା' ତହୁଁ ଆନ ଇଚ୍ଛା କରି ॥ ୧୨୫
ମୋ ପ୍ରାଣନାଥ ଅଛି ପାଶେ । ମୁହିଁ ନ ଦେଖେ ମୋହବଶେ ॥ ୧୨୬
ସେ ନାଥ ସର୍ବଜୀବାଅତ୍ମା । ନିର୍ଲେପ ନିର୍ଗୁଣ ମହାତ୍ମା ॥ ୧୨୭
ପ୍ରିୟ ଆନନ୍ଦ ଇଷ୍ଟଦାତା । ଘରେ ମୁଁ ଛାଡ଼ି ନିଜ ଭର୍ତ୍ତା ॥ ୧୨୮
ହୀନ ପୁରୁଷ ସଙ୍ଗେ ରମି । ମୁହିଁ ହୋଇଲି ପଥଶ୍ରମୀ ॥ ୧୨୯
ନିଷ୍ଫଳ ମୋହର ଜୀବନ । ଅଜ୍ଞାନେ ଗଲା ଏତେ ଦିନ ॥ ୧୩୦
ଏ ଦେହେ ବସେ ନାରାୟଣ । ସେ ହରି ଛାଡ଼ି ମୂଢ଼ପଣ ॥ ୧୩୧
ଯେ ଦେହେ ବସେ ଅଛି ନାନା ରୋଗ । ତା ସଙ୍ଗେ କଲି ରତିରଙ୍ଗ ॥ ୧୩୨
ମର୍ତ୍ତ୍ୟମଣ୍ତଳେ ଦେହ ବହି । ଦେବତା ହୋଇଲେ ମରଇ ॥ ୧୩୩
ଯାବତ ଅଛି ମୋହପାଶ । ତାବତ କରେ ଜ୍ଞାନ ନାଶ ॥ ୧୩୪
ଯାବତ ଗୋବିନ୍ଦ ଚରଣ । ଏ ଜୀବ ନ ପଶେ ଶରଣ ॥ ୧୩୫
ତାବତ ନୋହେ ଆତ୍ମା ସୁଖୀ । ନିରତେ ତାପତ୍ରୟେ ଦୁଃଖୀ ॥ ୧୩୬
ଏମନ୍ତେ ମନେ ବିଚାରଇ । ଆନନ୍ଦେ ଶିରେ କର ଦେଇ ॥ ୧୩୭
ବୋଲଇ ଧନ୍ୟ ଆଜ ଦିନ । ମୋତେ ପ୍ରସନ୍ନ ଭଗବାନ ॥ ୧୩୮
ଧନ୍ୟ ମୋହର ପିତାମାତ । ତେଣୁ ବୈରାଗ୍ୟଜ୍ଞାନ ଜାତ ॥ ୧୩୯
ଶ୍ରୀକୃଷ୍ଣ ଅଭୟ ଚରଣ । ଆଜ ମୁଁ ପଶିବି ଶରଣ ॥ ୧୪୦
ସକଳ ଆଶା ଦୂର କରି । ଭାବେ ସେବିବି ନରହରି ॥ ୧୪୧
ଏକାନ୍ତେ ଭ୍ରମି ବନେ ବନେ । ରମିବି ଅଭୟ ଚରଣେ ॥ ୧୪୨
କଷ୍ଟେ ରଖିବି ଏ ଶରୀର । ଜଳ ପବନ ମୋ' ଆହାର ॥ ୧୪୩
ଜନ୍ତୁଏ ଭବକୂପେ ପଡ଼ି । କୃଷ୍ଣଭକତି ଦୂରେ ଏଡ଼ି ॥ ୧୪୪
ମୋହରେ ମଜ୍ଜିଏ ସଂସାରେ । ପଡ଼ନ୍ତି ଦୁଃଖ ମହାଘୋରେ ॥ ୧୪୫
ବିଷୟ ଯାହାର ଲୋଚନ । ହରଇ ଆତ୍ମା ବୁଦ୍ଧିମନ ॥ ୧୪୬
ଏ ମାୟା କାଳସର୍ପ ରୂପେ । ଜନ୍ତୁଙ୍କୁ ଗ୍ରାସେ ଭବକୂପେ ॥ ୧୪୭
ଏହାଙ୍କୁ ପରିତ୍ରାଣ ଦାନ । ଗୋବିନ୍ଦ ବିନୁ ନାହିଁ ଆନ ॥ ୧୪୮
ନିଷ୍କାମଜନ ଏ ସଂସାରେ । ଆତ୍ମାକୁ ଆପଣେ ଉଦ୍ଧରେ ॥ ୧୪୯
ଅବଧୂତ ଉବାଚ
ଏମନ୍ତ ମନେ ମନେ ଚିନ୍ତି । ରଜନୀ ହୁଅନ୍ତେ ପାହାନ୍ତି ॥ ୧୫୦
ନିଶ୍ଚଳ ଚିତ୍ତେ ସାବଧାନେ । ପିଙ୍ଗଳା ଗଲା ଘୋରବନେ ॥ ୧୫୧
ପରମସୁଖ ବଇରାଗ୍ୟ । ଆଶା ପରମଦୁଃଖ ଯୋଗ ॥ ୧୫୨
ଏଣୁ ସକଳ ଆଶା ତେଜି । କୃଷ୍ଣଚରଣ ଦୃଢ଼େ ଭଜି ॥ ୧୫୩
ପିଙ୍ଗଳା ଭ୍ରମି ଘୋରବନେ । ପଶିଲା ଶ୍ରୀହରିଚରଣେ ॥ ୧୫୪
ଏଣୁ ପିଙ୍ଗଳା ଗୁରୁ ମୋର । ଶୁଣ ହେ ଯଦୁନୃପବର ॥ ୧୫୫
ସକଳ ସଙ୍ଗ କରି ଦୂର । ନିରାଶେ ଭ୍ରମଇ ସଂସାର ॥ ୧୫୬
ବୋଲଇ ଦାସ ଜଗନ୍ନାଥ । ଯେତେ କହିଲେ ଅବଧୂତ ॥ ୧୫୭
ଶ୍ରୀଏକାଦଶ ଭାଗବତେ । ଗୀତେ କହିଲି ଜନହିତେ ॥ ୧୫୮
ଅଳପ ହୀନବୁଦ୍ଧି ମୋର । ଏଣୁ ମୁଁ ଅଜ୍ଞାନ ପାମର ॥ ୧୫୯
ନ ଜାଣି ସମୁଦ୍ରର ଗତି । ହସ୍ତେ ମନ୍ଥଇ ମୂଢ଼ମତି ॥ ୧୬୦
ସେବଇ ସୁଜନ ପୟର । ଏ ଦୋଷ କ୍ଷମାକର ମୋର ॥ ୧୬୧
ସୁଜନେ ମୋର ପ୍ରାଣବନ୍ଧୁ । ଏଣୁ ତରିବି ଭବସିନ୍ଧୁ ॥ ୧୬୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ନବମୋଦ୍ଧଧ୍ୟାୟଃ ॥
* * *